ଦଶମ ସ୍କନ୍ଧ
ତ୍ରିଚତ୍ୱାରିଂଶ ଅଧ୍ୟାୟ
ଶୁକ ଉବାଚ
କହନ୍ତି ବ୍ୟାସଙ୍କର ସୁତ । ଶୁଣ ପରୀକ୍ଷ ଭାଗବତ ॥ ୧
ଅକ୍ରୁର ଶିରେ କର ଦେଇ । ବୋଲଇ କୃଷ୍ଣଙ୍କୁ ଅନାଇଁ ॥ ୨
ନମସ୍ତେ ଅନାଦି ପୁରୁଷ । ଅଖିଳ ଜ୍ୟୋତି ପରକାଶ ॥ ୩
ମାୟାର ହେତୁ ନାରାୟଣ । ନିର୍ଗୁଣ ପୁରୁଷ ପୁରାଣ ॥ ୪
ଅବ୍ୟକ୍ତ ବ୍ରହ୍ମ ନିରାକାର । ବ୍ରହ୍ମା ତୋ' ନାଭିରୁ ବାହାର ॥ ୫
ତୋହର ତହୁଁ ଏ ଜଗତ । ଲୋକେ ହୁଅନ୍ତି ଆତଯାତ ॥ ୬
ପୃଥିବୀ ଉଦକ ଅନଳ । ପବନ ଆକାଶମଣ୍ତଳ ॥ ୭
ମହତ ଆଦି ମହାଭୂତେ । ମନ ଇନ୍ଦ୍ରିୟ ଆଦି ଯେତେ ॥ ୮
ଇନ୍ଦ୍ରିୟ ଅର୍ଥେ ସୁରଗଣ । ଯେତେ ଏ ଜଗତେ ଭିଆଣ ॥ ୯
ଏମାନେ ତୋହର ଶରୀର । ତୁ ଆଦିଧର୍ମ ନିରାକାର ॥ ୧୦
ବ୍ରହ୍ମାଣ୍ତେ ତୋ'ର ଦେହେ ଥା'ନ୍ତି । ତୋହର ରୂପ ନ ଜାଣନ୍ତି ॥ ୧୧
ତ୍ରିଗୁଣେ ବ୍ରହ୍ମା ଜଡ଼ ହୋଇ । ତୋ'ର ସ୍ୱରୂପ ନ ଜାଣଇ ॥ ୧୨
ସନକଆଦି ଯୋଗୀଜନେ । ପୂଜନ୍ତି ତୋହର ଚରଣେ ॥ ୧୩
ମହାପୁରୁଷ ଶୂନ୍ୟରୂପ । ଜୀବସଞ୍ଚାରେ ତିନିରୂପ ॥ ୧୪
କର୍ମଯୋଗୀଏ ବେଦପଥେ । ତୋତେ ପୂଜନ୍ତି ଯଜ୍ଞମତେ ॥ ୧୫
ଅଖିଳ କର୍ମ ଦେଇ ତୋତେ । ଜ୍ଞାନୀ ସେବନ୍ତି ଯୋଗମତେ ॥ ୧୬
ନିଶ୍ଚଳ-ସମାଧିରେ ମନ । ତୋ'ର ଚରଣେ କରିଧ୍ୟାନ ॥ ୧୭
ଅନେକ ରୂପେ ଏକରୂପୀ । ତୋତେ ଜାଣିବ କେ ନିରୋପି ॥ ୧୮
ଶିବ ପୁରାଣର ଉକତେ । କେ ତୋତେ ଭଜେ ଶିବମତେ ॥ ୧୯
ଅନେକ ଋଷିଙ୍କ ସମେତେ । ଶଙ୍କର ପୂଜୁଥା'ନ୍ତି ତୋତେ ॥ ୨୦
ତୁନାଥ ସର୍ବଦେବମୟେ । ସର୍ବେ ଭଜନ୍ତି ତୋ'ର ପାୟେ ॥ ୨୧
ନାନା ଦେବଙ୍କୁ ସେ ଭଜନ୍ତି । ସେ ଭିନ୍ନ ବୁଦ୍ଧି ଆଚରନ୍ତି ॥ ୨୨
ଅନେକ କର୍ମଯୋଗେ ଭ୍ରମି । ଫୁଟି ହୁଅନ୍ତି ପଥଶ୍ରମି ॥ ୨୩
ନଦୀ ପୂରନ୍ତି ବୃଷ୍ଟିକାଳେ । ସମୁଦ୍ରେ ହୋନ୍ତି ଏକମେଳେ ॥ ୨୪
ସର୍ବଦେବତା ପୂଜା ଯେତେ । ଭଜନ ତୋ'ର ପାଦଗତେ ॥ ୨୫
ତୋ'ର ପ୍ରକୃତି ତହୁଁ ଜାତ । ତାମସ ରଜଗୁଣ ସତ୍ତ୍ୱ ॥ ୨୬
ଇନ୍ଦ୍ରିୟଗୁଣ ଗଳେ ଛନ୍ଦି । ଜନ୍ତୁଏ ମାୟାଜଡ଼େ ବନ୍ଦୀ ॥ ୨୭
ତୋତେ ପାଇବେ ଅବା କାହିଁ । ତୋହର ଆଦିଅନ୍ତ ନାହିଁ ॥ ୨୮
ନମସ୍ତେ ପ୍ରଭୁ ଜ୍ଞାନଆଖି । ସକଳ ବୁଦ୍ଧିଙ୍କର ସାକ୍ଷୀ ॥ ୨୯
ଦେବ ମନୁଷ୍ୟ ପଶୁଆଦି । ତୋ' ମାୟାବଳେ ସର୍ବେବନ୍ଦୀ ॥ ୩୦
ଅନଳ ତୋର ମୁଖୁଁ ଜାତ । ଚରଣୁଁ ଅବନୀ ସମ୍ଭୂତ ॥ ୩୧
ଆଦିତ୍ୟ ତୋହର ନୟନ । ନାଭିରୁ ପ୍ରକାଶ ଗଗନ ॥ ୩୨
ଶ୍ରବଣୁଁ ତୋର ଦଶଦିଶ । ଶିର ତୋହର ସ୍ୱର୍ଗଦେଶ ॥ ୩୩
ଭୁଜ ତୋ ଦଶଦିଗପାଳ । ଉଦର ବଡ଼ବା ଅନଳ ॥ ୩୪
ପଞ୍ଚପବନ ତୋର ପ୍ରାଣ । ରୋମ ଔଷଧିବୃକ୍ଷ ପୁଣ ॥ ୩୫
ମେଘ ତୋହର କେଶ ଶିର । ତୋ ନଖ ଅସ୍ଥି ଗିରିବର ॥ ୩୬
ନିମିଷ ହୋନ୍ତି ଦିବାରାତ୍ରି । ତୋର ବୃଷଣ ପ୍ରଜାପତି ॥ ୩୭
ତୋହର ତେଜେ ଦେବରାଜ । ବୃଷ୍ଟି କରଇ ତୋର ବୀର୍ଯ୍ୟ ॥ ୩୮
ଅବ୍ୟୟ ପୂର୍ଣ୍ଣ ନିରଞ୍ଜନ । ତୋ ଦେହେ ଚଉଦଭୁବନ ॥ ୩୯
ବାସବ ଆଦି ଦେବଗଣେ । ସ୍ଥାବର ସିଦ୍ଧ ଯେ ଚାରଣେ ॥ ୪୦
ବ୍ରହ୍ମାଣ୍ତେ ତୋହର ଶରୀରେ । ମଶା ଯେସନେ ଉଡ଼ୁମ୍ବରେ ॥ ୪୧
ମନର ଆଦିଅନ୍ତ ରୂପୀ । ଜଗତେ ଅଛୁ ନାଥ ବ୍ୟାପୀ ॥ ୪୨
ସଂସାର ଲୀଳାରେ ଶରୀର । ଭୋନାଥ ଯେତେ ରୂପ ତୋର ॥ ୪୩
ତେଣେ ନିର୍ମଳ ହୋଇ ଚିତ୍ତ । ତୋ ଯଶ ଭାବନ୍ତି ଜଗତ ॥ ୪୪
ନମସ୍ତେ ମତ୍ସ୍ୟ ରୂପଧାରୀ । ପ୍ରଳୟ ଉଦକ ବିହାରୀ ॥ ୪୫
ହେ ହୟଗ୍ରୀବ ତୋ ଶରଣ । ମଧୁ କଇଟଭ ଦଳନ ॥ ୪୬
କମଠରୂପୀ କଳେବର । ନମସ୍ତେ ଶଙ୍ଖଚକ୍ରଧର ॥ ୪୭
ଶୂକର ରୂପେ ମହୀ ଧରି । ନମସ୍ତେ ପ୍ରଭୁ ଦଇତ୍ୟାରି ॥ ୪୮
ନୃସିଂହ ରୂପୀ ତୋ' ଶରୀର । ନାଶିଲୁ ହିରଣ୍ୟ-ଅସୁର ॥ ୪୯
ବାମନ ରୂପେ ବଳି ଚାପି । ନମସ୍ତେ ତ୍ରିବିକ୍ରମ ରୂପୀ ॥ ୫୦
ଦୁଷ୍ଟ କ୍ଷତ୍ରିୟ ନିବାରଣ । ନମସ୍ତେ ପ୍ରଭୁ ଭୃଗୁରାମ ॥ ୫୧
ଜାନକୀ-ଛଳେ ଦାଶରଥି । କୋପେ ନାଶିଲୁ ଲଙ୍କପତି ॥ ୫୨
ନମୋ ଗୋବିନ୍ଦ ଦାମୋଦର । ଗିରି ତୋଳିଲୁ ବାମକର ॥ ୫୩
ନମସ୍ତେ ବସୁଦେବସୁତ । ରେହିଣୀ ପୁତ୍ର ବଳବନ୍ତ ॥ ୫୪
ରୁକ୍ମିଣୀ ଦେବୀ ପୁତ୍ର ନାତି । ନମସ୍ତେ ଯଦୁ ଭୋଜପତି ॥ ୫୫
ବଉଦ୍ଧରୂପୀ ଶୁଦ୍ଧକର୍ମା । ଅସୁର ମୋହନେ ତୋ ବାନା ॥ ୫୬
ମ୍ଳେଚ୍ଛ କ୍ଷତ୍ରିୟ ବଳବନ୍ତ । କଳକୀ ରୂପେ କରୁ ଅନ୍ତ ॥ ୫୭
ତୋହର ମାୟାରେ ଜଗତ । ଅଜ୍ଞାନେ ହୋଇ ଆତଯାତ ॥ ୫୮
ପର ଆପଣା ବୋଲି ହୁଡ଼ି । ଭ୍ରମନ୍ତି ମାୟାଚକ୍ରେ ପଡ଼ି ॥ ୫୯
ମୋହର ଆତ୍ମା ପୁତ୍ର ଘର । ଦାରା ସମ୍ପଦ ବନ୍ଧୁ ମୋର ॥ ୬୦
ସପନ ପ୍ରାୟେ ଏ ଜଗତ । ଆବୋରି ଅଛି ମୋହପଥ ॥ ୬୧
ଅନିତ୍ୟ ସଂସାର ସାଗରେ । ମୁଁ ଯେ ବୁଡ଼ିଲି ଦୁଃଖଘୋରେ ॥ ୬୨
ଆତ୍ମାର ଗତି ନ ଜାଣଇ । ଭୋ ନାଥ ରଖ ଭାବଗ୍ରାହୀ ॥ ୬୩
ଶୀତଳ ଜଳ ଛାଡ଼ି ମୁହିଁ । ମୃଗତୃଷ୍ଣାକୁ ଅଛି ଧାଇଁ ॥ ୬୪
ତୃଷିତ ହୋଇଲି ଅପାର । ତୋତେ ନ ଜାଣି ଚକ୍ରଧର ॥ ୬୫
ଅଳପ ବଳ ନାଥ ମୋର । କର୍ମ ଅଶେଷ ବଳୀୟାର ॥ ୬୬
ମନ ପଶିଲା କର୍ମମେଳେ । ହାରିଲି ଇନ୍ଦ୍ରିୟଙ୍କ ବଳେ ॥ ୬୭
ଇନ୍ଦ୍ରିୟ ଅର୍ଥେ ବିପରୀତ । ହସ୍ତରୁ ପକାଇ ଅମୃତ ॥ ୬୮
ବିଷ ଭକ୍ଷଇ ସ୍ୱାଦୁ ମଣି । ଆତ୍ମାର ଗତି ନ ପ୍ରମାଣି ॥ ୬୯
ମନକୁ ନ ପାରଇ ଧରି । ତୁ ମୋତେ ରଖ ନରହରି ॥ ୭୦
ତୋହର ଚରଣ କମଳେ । ଶରଣ ରଖ ମୋତେ ବେଳେ ॥ ୭୧
ଅଭୟ ଚରଣ ତୋହର । ଅଜ୍ଞାନୀଜନେ ଅଗୋଚର ॥ ୭୨
ତୋହର ଭାବ ଯେ ଜାଣଇ । ତାହାର ଦୁଃଖ ଭୟ ନାହିଁ ॥ ୭୩
ସଂସାର ତୁଟଇ ତାହାର । ଯେ ତୋତେ କରଇ ବିଚାର ॥ ୭୪
ତୋର ଚରଣେ ଭଗବାନ । ନିଶ୍ଚଳ କର ମୋର ମନ ॥ ୭୫
ଜ୍ଞାନ-ବିଜ୍ଞାନ-ଦାତାରୂପୀ । ସର୍ବସଂପଦ ମାୟା ବ୍ୟାପୀ ॥ ୭୬
ପରମ ପୁରୁଷ ବିଧାତା । ଅନନ୍ତ ରୂପ ବଳବନ୍ତା ॥ ୭୭
ନମଇ ପ୍ରଭୁ ବାସୁଦେବ । ଭବସାଗରେ ସୁଖ-ନାବ ॥ ୭୮
ଇନ୍ଦ୍ରିୟମାନଙ୍କ ଈଶ୍ୱର । ଭୋ ନାଥ ଶରଣ ତୋହର ॥ ୭୯
କହଇ ଦାସ ଜଗନ୍ନାଥ । ଅକ୍ରୁର ଜଳେ ଦେଖି ରଥ ॥ ୮୦
ଆନନ୍ଦେ କଲା ଯେତେ ସ୍ତୁତି । ସୁଜନେ ଏଣେ କର ମତି ॥ ୮୧
ଅକ୍ରୁର ସ୍ତୁତି ଯେ ଶୁଣନ୍ତି । ଭବସାଗରେ ନ ପଡନ୍ତି ॥ ୮୨
କର୍ମ ବାସନା ହୋଏ କ୍ଷୟ । ତାରନ୍ତି ପ୍ରଭୁ ଦେବରାୟ ॥ ୮୩
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ସ୍ତୁତିର୍ନାମୋ ତ୍ରିଚତ୍ୱାରିଂଶୋଽଧ୍ୟାୟଃ ॥
* * *