ଦଶମ ସ୍କନ୍ଧ

ତ୍ରିଚତ୍ୱାରିଂଶ ଅଧ୍ୟାୟ

ଶୁକ ଉବାଚ

କହନ୍ତି ବ୍ୟାସଙ୍କର ସୁତ । ଶୁଣ ପରୀକ୍ଷ ଭାଗବତ ॥

ଅକ୍ରୁର ଶିରେ କର ଦେଇ । ବୋଲଇ କୃଷ୍ଣଙ୍କୁ ଅନାଇଁ ॥

ନମସ୍ତେ ଅନାଦି ପୁରୁଷ । ଅଖିଳ ଜ୍ୟୋତି ପରକାଶ ॥

ମାୟାର ହେତୁ ନାରାୟଣ । ନିର୍ଗୁଣ ପୁରୁଷ ପୁରାଣ ॥

ଅବ୍ୟକ୍ତ ବ୍ରହ୍ମ ନିରାକାର । ବ୍ରହ୍ମା ତୋ' ନାଭିରୁ ବାହାର ॥

ତୋହର ତହୁଁ ଏ ଜଗତ । ଲୋକେ ହୁଅନ୍ତି ଆତଯାତ ॥

ପୃଥିବୀ ଉଦକ ଅନଳ । ପବନ ଆକାଶମŠଣ୍ତଳ ॥

ମହତ ଆଦି ମହାଭୂତେ । ମନ ଇନ୍ଦ୍ରିୟ ଆଦି ଯେତେ ॥

ଇନ୍ଦ୍ରିୟ ଅର୍ଥେ ସୁରଗଣ । ଯେତେ ଏ ଜଗତେ ଭିଆଣ ॥

ଏମାନେ ତୋହର ଶରୀର । ତୁ ଆଦିଧର୍ମ ନିରାକାର ॥ ୧୦

ବ୍ରହ୍ମାଣ୍ତେ ତୋ'ର ଦେହେ ଥା'ନ୍ତି । ତୋହର ରୂପ ନ ଜାଣନ୍ତି ॥ ୧୧

ତ୍ରିଗୁଣେ ବ୍ରହ୍ମା ଜଡ଼ ହୋଇ । ତୋ'ର ସ୍ୱରୂପ ନ ଜାଣଇ ॥ ୧୨

ସନକଆଦି ଯୋଗୀଜନେ । ପୂଜନ୍ତି ତୋହର ଚରଣେ ॥ ୧୩

ମହାପୁରୁଷ ଶୂନ୍ୟରୂପ । ଜୀବସଞ୍ଚାରେ ତିନିରୂପ ॥ ୧୪

କର୍ମଯୋଗୀଏ ବେଦପଥେ । ତୋତେ ପୂଜନ୍ତି ଯଜ୍ଞମତେ ॥ ୧୫

ଅଖିଳ କର୍ମ ଦେଇ ତୋତେ । ଜ୍ଞାନୀ ସେବନ୍ତି ଯୋଗମତେ ॥ ୧୬

ନିଶ୍ଚଳ-ସମାଧିରେ ମନ । ତୋ'ର ଚରଣେ କରିଧ୍ୟାନ ॥ ୧୭

ଅନେକ ରୂପେ ଏକରୂପୀ । ତୋତେ ଜାଣିବ କେ ନିରୋପି ॥ ୧୮

ଶିବ ପୁରାଣର ଉକତେ । କେ ତୋତେ ଭଜେ ଶିବମତେ ॥ ୧୯

ଅନେକ ଋଷିଙ୍କ ସମେତେ । ଶଙ୍କର ପୂଜୁଥା'ନ୍ତି ତୋତେ ॥ ୨୦

ତୁନାଥ ସର୍ବଦେବମୟେ । ସର୍ବେ ଭଜନ୍ତି ତୋ'ର ପାୟେ ॥ ୨୧

ନାନା ଦେବଙ୍କୁ ସେ ଭଜନ୍ତି । ସେ ଭିନ୍ନ ବୁଦ୍ଧି ଆଚରନ୍ତି ॥ ୨୨

ଅନେକ କର୍ମଯୋଗେ ଭ୍ରମି । ଫୁଟି ହୁଅନ୍ତି ପଥଶ୍ରମି ॥ ୨୩

ନଦୀ ପୂରନ୍ତି ବୃଷ୍ଟିକାଳେ । ସମୁଦ୍ରେ ହୋନ୍ତି ଏକମେଳେ ॥ ୨୪

ସର୍ବଦେବତା ପୂଜା ଯେତେ । ଭଜନ ତୋ'ର ପାଦଗତେ ॥ ୨୫

ତୋ'ର ପ୍ରକୃତି ତହୁଁ ଜାତ । ତାମସ ରଜଗୁଣ ସତ୍ତ୍ୱ ॥ ୨୬

ଇନ୍ଦ୍ରିୟଗୁଣ ଗଳେ ଛନ୍ଦି । ଜନ୍ତୁଏ ମାୟାଜଡ଼େ ବନ୍ଦୀ ॥ ୨୭

ତୋତେ ପାଇବେ ଅବା କାହିଁ । ତୋହର ଆଦିଅନ୍ତ ନାହିଁ ॥ ୨୮

ନମସ୍ତେ ପ୍ରଭୁ ଜ୍ଞାନଆଖି । ସକଳ ବୁଦ୍ଧିଙ୍କର ସାକ୍ଷୀ ॥ ୨୯

ଦେବ ମନୁଷ୍ୟ ପଶୁଆଦି । ତୋ' ମାୟାବଳେ ସର୍ବେବନ୍ଦୀ ॥ ୩୦

ଅନଳ ତୋର ମୁଖୁଁ ଜାତ । ଚରଣୁଁ ଅବନୀ ସମ୍ଭୂତ ॥ ୩୧

ଆଦିତ୍ୟ ତୋହର ନୟନ । ନାଭିରୁ ପ୍ରକାଶ ଗଗନ ॥ ୩୨

ଶ୍ରବଣୁଁ ତୋର ଦଶଦିଶ । ଶିର ତୋହର ସ୍ୱର୍ଗଦେଶ ॥ ୩୩

ଭୁଜ ତୋ ଦଶଦିଗପାଳ । ଉଦର ବଡ଼ବା ଅନଳ ॥ ୩୪

ପଞ୍ଚପବନ ତୋର ପ୍ରାଣ । ରୋମ ଔଷଧିବୃକ୍ଷ ପୁଣ ॥ ୩୫

ମେଘ ତୋହର କେଶ ଶିର । ତୋ ନଖ ଅସ୍ଥି ଗିରିବର ॥ ୩୬

ନିମିଷ ହୋନ୍ତି ଦିବାରାତ୍ରି । ତୋର ବୃଷଣ ପ୍ରଜାପତି ॥ ୩୭

ତୋହର ତେଜେ ଦେବରାଜ । ବୃଷ୍ଟି କରଇ ତୋର ବୀର୍ଯ୍ୟ ॥ ୩୮

ଅବ୍ୟୟ ପୂ‰ର୍ଣ୍ଣ ନିରଞ୍ଜନ । ତୋ ଦେହେ ଚଉଦଭୁବନ ॥ ୩୯

ବାସବ ଆଦି ଦେବଗଣେ । ସ୍ଥାବର ସିଦ୍ଧ ଯେ ଚାରଣେ ॥ ୪୦

ବ୍ରହ୍ମାଣ୍ତେŠ ତୋହର ଶରୀରେ । ମଶା ଯେସନେ ଉଡ଼ୁମ୍ବରେ ॥ ୪୧

ମନର ଆଦିଅନ୍ତ ରୂପୀ । ଜଗତେ ଅଛୁ ନାଥ ବ୍ୟାପୀ ॥ ୪୨

ସଂସାର ଲୀଳାରେ ଶରୀର । ଭୋନାଥ ଯେତେ ରୂପ ତୋର ॥ ୪୩

ତେଣେ ନିର୍ମଳ ହୋଇ ଚିତ୍ତ । ତୋ ଯଶ ଭାବନ୍ତି ଜଗତ ॥ ୪୪

ନମସ୍ତେ ମ›ତ୍ସ୍ୟ ରୂପଧାରୀ । ପ୍ରଳୟ ଉଦକ ବିହାରୀ ॥ ୪୫

ହେ ହୟଗ୍ରୀବ ତୋ ଶରଣ । ମଧୁ କଇଟଭ ଦଳନ ॥ ୪୬

କମଠରୂପୀ କଳେବର । ନମସ୍ତେ ଶଙ୍ଖଚକ୍ରଧର ॥ ୪୭

ଶୂକର ରୂପେ ମହୀ ଧରି । ନମସ୍ତେ ପ୍ରଭୁ ଦଇତ୍ୟାରି ॥ ୪୮

ନୃସିଂହ ରୂପୀ ତୋ' ଶରୀର । ନାଶିଲୁ ହିରଣ୍ୟ-ଅସୁର ॥ ୪୯

ବାମନ ରୂପେ ବଳି ଚାପି । ନମସ୍ତେ ତ୍ରିବିକ୍ରମ ରୂପୀ ॥ ୫୦

ଦୁଷ୍ଟ କ୍ଷତ୍ରିୟ ନିବାରଣ । ନମସ୍ତେ ପ୍ରଭୁ ଭୃଗୁରାମ ॥ ୫୧

ଜାନକୀ-ଛଳେ ଦାଶରଥି । କୋପେ ନାଶିଲୁ ଲଙ୍କପତି ॥ ୫୨

ନମୋ ଗୋବିନ୍ଦ ଦାମୋଦର । ଗିରି ତୋଳିଲୁ ବାମକର ॥ ୫୩

ନମସ୍ତେ ବସୁଦେବସୁତ । ରେହିଣୀ ପୁତ୍ର ବଳବନ୍ତ ॥ ୫୪

ରୁକ୍ମିଣୀ ଦେବୀ ପୁତ୍ର ନାତି । ନମସ୍ତେ ଯଦୁ ଭୋଜପତି ॥ ୫୫

ବଉଦ୍ଧରୂପୀ ଶୁଦ୍ଧକର୍ମା । ଅସୁର ମୋହନେ ତୋ ବାନା ॥ ୫୬

ମ୍ଳେଚ୍ଛ କ୍ଷତ୍ରିୟ ବଳବନ୍ତ । କଳକୀ ରୂପେ କରୁ ଅନ୍ତ ॥ ୫୭

ତୋହର ମାୟାରେ ଜଗତ । ଅଜ୍ଞାନେ ହୋଇ ଆତଯାତ ॥ ୫୮

ପର ଆପଣା ବୋଲି ହୁଡ଼ି । ଭ୍ରମନ୍ତି ମାୟାଚକ୍ରେ ପଡ଼ି ॥ ୫୯

ମୋହର ଆତ୍ମା ପୁତ୍ର ଘର । ଦାରା ସମ୍ପଦ ବନ୍ଧୁ ମୋର ॥ ୬୦

ସପନ ପ୍ରାୟେ ଏ ଜଗତ । ଆବୋରି ଅଛି ମୋହପଥ ॥ ୬୧

ଅନିତ୍ୟ ସଂସାର ସାଗରେ । ମୁଁ ଯେ ବୁଡ଼ିଲି ଦୁଃଖଘୋରେ ॥ ୬୨

ଆତ୍ମାର ଗତି ନ ଜାଣଇ । ଭୋ ନାଥ ରଖ ଭାବଗ୍ରାହୀ ॥ ୬୩

ଶୀତଳ ଜଳ ଛାଡ଼ି ମୁହିଁ । ମୃଗତୃଷ୍ଣାକୁ ଅଛି ଧାଇଁ ॥ ୬୪

ତୃଷିତ ହୋଇଲି ଅପାର । ତୋତେ ନ ଜାଣି ଚକ୍ରଧର ॥ ୬୫

ଅଳପ ବଳ ନାଥ ମୋର । କର୍ମ ଅଶେଷ ବଳୀୟାର ॥ ୬୬

ମନ ପଶିଲା କର୍ମମେଳେ । ହାରିଲି ଇନ୍ଦ୍ରିୟଙ୍କ ବଳେ ॥ ୬୭

ଇନ୍ଦ୍ରିୟ ଅର୍ଥେ ବିପରୀତ । ହସ୍ତରୁ ପକାଇ ଅମୃତ ॥ ୬୮

ବିଷ ଭକ୍ଷଇ ସ୍ୱାଦୁ ମଣି । ଆତ୍ମାର ଗତି ନ ପ୍ରମାଣି ॥ ୬୯

ମନକୁ ନ ପାରଇ ଧରି । ତୁ ମୋତେ ରଖ ନରହରି ॥ ୭୦

ତୋହର ଚରଣ କମଳେ । ଶରଣ ରଖ ମୋତେ ବେଳେ ॥ ୭୧

ଅଭୟ ଚରଣ ତୋହର । ଅଜ୍ଞାନୀଜନେ ଅଗୋଚର ॥ ୭୨

ତୋହର ଭାବ ଯେ ଜାଣଇ । ତାହାର ଦୁଃଖ ଭୟ ନାହିଁ ॥ ୭୩

ସଂସାର ତୁଟଇ ତାହାର । ଯେ ତୋତେ କରଇ ବିଚାର ॥ ୭୪

ତୋର ଚରଣେ ଭଗବାନ । ନିଶ୍ଚଳ କର ମୋର ମନ ॥ ୭୫

ଜ୍ଞାନ-ବିଜ୍ଞାନ-ଦାତାରୂପୀ । ସର୍ବସଂପଦ ମାୟା ବ୍ୟାପୀ ॥ ୭୬

ପରମ ପୁରୁଷ ବିଧାତା । ଅନନ୍ତ ରୂପ ବଳବନ୍ତା ॥ ୭୭

ନମଇ ପ୍ରଭୁ ବାସୁଦେବ । ଭବସାଗରେ ସୁଖ-ନାବ ॥ ୭୮

ଇନ୍ଦ୍ରିୟମାନଙ୍କ ଈଶ୍ୱର । ଭୋ ନାଥ ଶରଣ ତୋହର ॥ ୭୯

କହଇ ଦାସ ଜଗନ୍ନାଥ । ଅକ୍ରୁର ଜଳେ ଦେଖି ରଥ ॥ ୮୦

ଆନନ୍ଦେ କଲା ଯେତେ ସ୍ତୁତି । ସୁଜନେ ଏଣେ କର ମତି ॥ ୮୧

ଅକ୍ରୁର ସ୍ତୁତି ଯେ ଶୁଣନ୍ତି । ଭବସାଗରେ ନ ପଡନ୍ତି ॥ ୮୨

କର୍ମ ବାସନା ହୋଏ କ୍ଷୟ । ତାରନ୍ତି ପ୍ରଭୁ ଦେବରାୟ ॥ ୮୩

ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ସ୍ତୁତିର୍ନାମୋ ତ୍ରିଚତ୍ୱାରିଂଶୋଽଧ୍ୟାୟଃ ॥

* * *