ଦଶମ ସ୍କନ୍ଧ

ଦ୍ୱିଚତ୍ୱାରିଂଶ ଅଧ୍ୟାୟ

ଶୁକ ଉବାଚ

ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥

ପଲଙ୍କେ ବସାଇ ଅକ୍ରୁର । କୃଷ୍ଣ ଯେ ପୂଜିଲେ ପୟର ॥

ଯାହା ବିଚାରିଥିଲା ପଥେ । କୃଷ୍ଣ ପୂଜିଲେ ସେହିମତେ ॥

ଯାହାର ନାମ ପଦ୍ମନାଭ । ତାହାଙ୍କୁ କିସ ଅପୂରୁବ ॥

ଶୀତଳ ମଣୋହି କରାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥

ବନ୍ଧୁ ବିଷୟେ ରାଜା କଂସ । ଯେମନ୍ତେ କରିଛି ବିଶ୍ୱାସ ॥

ଶ୍ରୀକୃଷ୍ଣ ଉବାଚ

କୃଷ୍ଣ ବୋଲନ୍ତି ଶୁଣ ତାତ । ଭଲେ ଅଇଲଟିକି ପଥ ॥

ବନ୍ଧୁ କୁଶଳ ଅଛ ଜାଣି । ଭୋ ତାତ କହ ପରିମାଣି ॥

ଯାବତ କୁଳବ୍ୟାଧି ହୋଇ । କଂସ ମାତୁଳ ମୋ' ଅଛଇ ॥

ତାବତ ସୁଖ କାହିଁ ଆର । ବନ୍ଧୁବାନ୍ଧବ ଯେତେ ମୋର ॥ ୧୦

ହୋଇଲେ ବଡ଼ ଦୁଃଖଭାଗୀ । ତାତ ଜନନୀ ମୋର ଲାଗି ॥ ୧୧

ସୁତମାରଣ ମୋର ବାଦେ । ଲୌହ ଶାଙ୍କୁଳି ବେନି‌ପାଦେ ॥ ୧୨

ଆଜ ମୋହର ଭାଗ୍ୟ ଦେଖ । ଦେଖିଲି ଜ୍ଞାତିଜନ ମୁଖ ॥ ୧୩

ଭୋ ତାତ ତୋର ଆମଗନ । କହିବା କେବଣ କାରଣ ॥ ୧୪

କପଟ ନ କର ତୁ ମୋତେ । କହ ହରଷ ବହି ଚିତ୍ତେ ॥ ୧୫

ଶୁକ ଉବାଚ

କୃଷ୍ଣବଚନ କ‰ର୍ଣ୍ଣେ ଶୁଣି । ଅକ୍ରୁର କହେ ମଞ୍ଜୁବାଣୀ ॥ ୧୬

ଭୋ ଦେବ ଯଦୁକୁଳ ଇନ୍ଦ୍ର । ଯୋଗୀଙ୍କ ଯୋଗ ପୂ‰ର୍ଣ୍ଣଚନ୍ଦ୍ର ॥ ୧୭

ମୁହିଁ ଅଇଲି ଯେଉଁ ପାଇ । ବଚନ ଶୁଣ ଭାବଗ୍ରାହୀ ॥ ୧୮

କଂସ କରିଛି ଯେତେ କର୍ମ । ଶୁଣିଲେ ଉପୁଜିବ ଶ୍ରମ ॥ ୧୯

ଯାଦବବଂଶେ ଦ୍ରୋହ କଲା । ବସୁଦେବଙ୍କୁ ହାଣୁଥିଲା ॥ ୨୦

ନାରଦ ଅନେକ କହିଲେ । ଖଡଗ ଛଡ଼ାଇ ଘେନିଲେ ॥ ୨୧

ମୁନିଙ୍କ ବୋଲେ ବେଳେ ରଖି । ପିଅର ଜନନୀ ତୋ ଦୁଃଖୀ ॥ ୨୨

ଧନୁ ଉତ୍ସ›ବ ଯାତ୍ରା ଛଳେ । ଗୋପେ ପେଷିଲା ମୋତେ ବଳେ ॥ ୨୩

ତୋହର ଜନ୍ମ ଆମ୍ଭ ଘରେ । ନାରଦ କହିଲେ ଛାମୁରେ ॥ ୨୪

ଶୁଣି ଯେତେକ କଷ୍ଟ ଦେଲା । ଭୋ ନାଥ ନୁହଁଇ କହିଲା ॥ ୨୫

କିସ କହିବି ଆଉ ମୁହିଁ । ତୁ କି ନ ଜାଣୁ ଭାବଗ୍ରାହୀ ॥ ୨୬

ଅକ୍ରୁର ବୋଲ କୃଷ୍ଣ ଶୁଣି । ହସନ୍ତି ରାମ ଚକ୍ରପାଣି ॥ ୨୭

ନନ୍ଦକୁ ଚାହିଁ ବେନିଭାଇ । କହନ୍ତି ଅକ୍ରୁରେ ବସାଇ ॥ ୨୮

ନନ୍ଦକୁ ବୋଲନ୍ତି ଅକ୍ରୁର । ମଥୁରା ଯିବା ସଜକର ॥ ୨୯

ଧନୁ ଉ›ତ୍ସବ ମଧୁପୁର । ଗୋରସ ଘେନି ଶତେ ଭାର ॥ ୩୦

ସରଲବଣୀ ଆଦିକରି । ଗୋପରେ ଯେତେ ନରନାରୀ ॥ ୩୧

ବହନ ସାଜ ରାତ୍ର ଥାଉଁ । କଂସ ରାଜାର କୋପନୋହୁ ॥ ୩୨

ଶକଟେ ନାନା ଦ୍ରବ୍ୟ ଭରି । ଆଗହୁଁ ଯା'ନ୍ତୁ ନରନାରୀ ॥ ୩୩

ରାଜା ହକରା ଚାରିଦିଗେ । ଲୋକେ ମିଳିବେ ଧନୁଯୋଗେ ॥ ୩୪

ଯେ ଯାହା ମତେ ପୂଜା କରି । ତୋଷ କରିବେ ଦଣ୍ତŠଧାରୀ ॥ ୩୫

ରାଜନ ହୋଇ ସାବଧାନ । ଯେ ଯାହା ମତେ ଦେବେ ଦାନ ॥ ୩୬

ଧନ ବସନ ଅଳଙ୍କାର । ଅନେକ କରିଛି ସମ୍ଭାର ॥ ୩୭

ଏମନ୍ତ କହି ରାଜା ଲୋକ । ନନ୍ଦକୁ ଦେଲାକ ଶ୍ରୀମୁଖ ॥ ୩୮

ନନ୍ଦ ଉଠିଣ ଘେନିକରେ । ଶ୍ରୀମୁଖ ଲଗାଇଲା ଶିରେ ॥ ୩୯

ପଢ଼ି ସାନନ୍ଦ ଗୋପବୀର । ଘୋଷଣା ଦେଲା ଗୋପପୁର ॥ ୪୦

ଗୋପାଳେ ବେଗେ ହୁଅ ସଜ । ଆଜ୍ଞା ଦେଇଛି ଭୋଜରାଜ ॥ ୪୧

ଧନୁଉତ୍ସ›ବ ମଧୁପୁର । ଗୋରସ ଘେନି ଶତେ ଭାର ॥ ୪୨

ଯେ ଯାହା ମତେ ବେଗେ ଯାଅ । ରାତ୍ର ହୁଁ ଦଣ୍ତେŠ ହେଁ ନରହ ॥ ୪୩

ବିଳମ୍ବ ନକର କେବେ ହେଁ । କୋପ କରିବ କଂସରାଏ ॥ ୪୪

ରାମଗୋବିନ୍ଦ ମୋର ସଙ୍ଗେ । ରଥେ ମଥୁରା ଯିବେ ବେଗେ ॥ ୪୫

ରାଜାଙ୍କୁ କରିବେ ଦର୍ଶନ । ଦେଖିବେ ଧନୁଯାତ୍ରାମାନ ॥ ୪୬

ରାତ୍ର ହୁଁ ଯାଅ ବେଗକରି । ଶକଟେ ଘୃତ ସର ଭରି ॥ ୪୭

ଗୋପରେ ଶୁଭିଲା ଘୋଷଣ । ମଥୁରା ଯିବେ ନରାୟଣ ॥ ୪୮

ରାଜାଙ୍କୁ ଦର୍ଶନ କରିବେ । ମଥୁରା କଟକେ ରହିବେ ॥ ୪୯

ବନ୍ଦୀ କରିବ ମଧୁପୁରେ । ଲୁଚିଯେ ଛନ୍ତି ନନ୍ଦଘରେ ॥ ୫୦

ଶୁଣି ଗୋପାଳେ ଛନ୍ନ ଛନ୍ନ । ବିକଳ ଗୋପୀଙ୍କର ମନ ॥ ୫୧

ଏକ ଆରକେ ମୁଖ ଚାହିଁ । କହନ୍ତି ବାଇ ପ୍ରାୟ ହୋଇ ॥ ୫୨

ଶୁଣ ଗୋ ସଖି ବିପରୀତ । ଆସି ଯେ ଅଛି କଂସଦୂତ ॥ ୫୩

ନନ୍ଦ ଗୋବିନ୍ଦ ଆଦିକରି । ମଥୁରା ଘେନିଯିବ ଧରି ॥ ୫୪

ନେଇ ମାରିବ ବେନିଭାଇ । ଆମ୍ଭର ନେବ ଗୋରୁଗାଈ ॥ ୫୫

କେ ବୋଲେ ନୁହଁଇ ଏମନ୍ତ । ମଥୁରାପୁରେ ଧନୁଯାତ ॥ ୫୬

ଯାତ୍ରାକୁ ଯିବେ ବେନିଭାଇ । ରଥ ଦେଇଛି ପଠିଆଇ ॥ ୫୭

ରାଜନିଯୋଗ ଆବୋରିବେ । ମଥୁରା କଟକେ ରହିବେ ॥ ୫୮

ନନ୍ଦ ଯଶୋଦା ଆଦି କରି । ଗୋପରେ ଯେତେ ନରନାରୀ ॥ ୫୯

ଗୋରସ ଦେବେ ରାଜା ଆଗେ । ଯାତ୍ରା ଦେଖିବେ ନବରଙ୍ଗେ ॥ ୬୦

ପୁଣି ଆସିବେ ଗୋପପୁର । ରହିବେ ରାମ ଦାମୋଦର ॥ ୬୧

ଶୁଣି ଗୁଆଳୀ ଶୋକଚିତ୍ତେ । ଥୋକେ ବୋଲନ୍ତି ଏହିମତେ ॥ ୬୨

କି ବୁଦ୍ଧି କରିବା ଗୋ ଏବେ । କୃଷ୍ଣ ମଥୁରା ଯେବେ ଯିବେ ॥ ୬୩

କେମନ୍ତେ ବଞ୍ଚିବା ଗୋ ଦିନ । କୃଷ୍ଣ ଯେ ଆମ୍ଭର ଜୀବନ ॥ ୬୪

କହି କାତରେ କମ୍ପେ କାୟେ । ମୂର୍ଚ୍ଛିତେ ପଡ଼ିଲେ ଥୋକାଏ ॥ ୬୫

ଶିଶିରେ ଯେହ୍ନେ ପଦ୍ମବନ । କ୍ଷଣକେ ହୁଅଇ ଦହନ ॥ ୬୬

କାହାର ମୁଖ ଗଲା ଶୁଖି । କେ ଭାବେ ବୁଜେ ବେନିଆଖି ॥ ୬୭

କାହାର ଫିଟିଲା ଅଞ୍ଚଳ । କଟିମେଖଳା ଅସମ୍ଭାଳ ॥ ୬୮

କେ ଗଡ଼ି କାନ୍ଦଇ ଧରଣୀ । ଦେହ ଅବନୀ କେ ନ ଜାଣି ॥ ୬୯

ହା କୃଷ୍ଣ ବୋଲି ମୋହେ ପଡ଼ି । କେ ମୁଣ୍ତେ ବେନିକର ତାଡ଼ି ॥ ୭୦

ଶିରେ କେ ମାରଇ ପଥର । ହା ହା ଗୋବିନ୍ଦ ହଳଧର ॥ ୭୧

କେ ବୋଲେ ଜାଣିବାଟି ଆଜ । ମୋର ମହିମା ତୁମ୍ଭେ ବୁଝ ॥ ୭୨

ଅକ୍ରୁର ସଂହାରିବି ଆଜ । କି କରିପାରେ ଭୋଜରାଜ ॥ ୭୩

ରାମଗୋବିନ୍ଦ ବେନିଭାଇ । ମୁଁ ହିଁ ଗୋ ଆସିବି ରୁହାଇ ॥ ୭୪

କଂସ କି କରିବ ମୋହର । ଆମ୍ଭର କୃଷ୍ଣ ବଳୀୟାର ॥ ୭୫

ଦେଖିଲଟିକି ଚକ୍ଷୁଦ୍ୱାରେ । ଗିରି ତୋଳିଲେ ବାମକରେ ॥ ୭୬

ପୂତନା ଆଦି କେଶୀ ଯାଏ । ଗୋବିନ୍ଦ ମାଇଲେ ନିର୍ଭୟେ ॥ ୭୭

ତାହାର ଭୁଜ ଆଶ୍ରେ କରି । ସୁଖେଣ ଗୋପରେ ବିହରି ॥ ୭୮

ଅକ୍ରୁର ମାରିବା ଗୋ ଆସ । କି କରି ପାରିବ ସେ କଂସ ॥ ୭୯

ଆଜ ଗୋବିନ୍ଦ ଗୋପୁଁଗଲେ । ଆମ୍ଭେ ମରିବା ଏକାବେଳେ ॥ ୮୦

କିସ କରିବା ଗୋପପୁର । କୃଷ୍ଣ ଯେ ଜୀବନ ଆମ୍ଭର ॥ ୮୧

ରାମଗୋବିନ୍ଦ ଅନୁରାଗ । ଅଳପସ୍ମିତ ମୁଖରଙ୍ଗ ॥ ୮୨

ହୃଦେ ସୁମରି ଲୁହ ବହି । ଚିତ୍ରପ୍ରତିମା ପ୍ରାୟ ରହି ॥ ୮୩

ସୁନ୍ଦର ଚାଲିବାର ଠାଣି । ଯେମନ୍ତ କହେ ମୃଦୁବାଣୀ ॥ ୮୪

ଅଳପ ହସି ବାଙ୍କେ ଚାହିଁ । କଟାକ୍ଷେ ଜଗତ ମୋହଇ ॥ ୮୫

ଯେତେ ସଙ୍କଟୁ ଅଛି ତାରି । କେତେ ଅସୁର ଅଛି ମାରି ॥ ୮୬

ଏଣେ ନିରୋପି ଶୋକମନ । କୃଷ୍ଣ ବିଯୋଗେ ଛନ ଛନ ॥ ୮୭

ସକଳେ ହୋଇ ଏକରୁଣ୍ତŠ । ଶୋକେ ଚହଳ ଗୋପଦାŠଣ୍ତ ॥ ୮୮

କାନ୍ଦନ୍ତି ଦଇବ ସୁମରି । ବିଚ୍ଛେଦ ଦୁଃଖେ ଗୋପନାରୀ ॥ ୮୯

ତୁ ହୋ ଦଇବ ବଡ଼ ମନ୍ଦ । ଗୋପନଗରେ କଲୁ ଛନ୍ଦ ॥ ୯୦

ସଂଯୋଗ କଲୁ କୃଷ୍ଣସଙ୍ଗ । ଏବେ ତ କରୁଛୁ ବିଯୋଗ ॥ ୯୧

ଆମ୍ଭର ନ ପୂରିଲା ଆଶ । ଅଳପେ କଲୁ ତୁ ନିରାଶ ॥ ୯୨

ନିଷ୍ଠୁର ସ୍ୱଭାବ ତୋ ହିଆ । ଆମ୍ଭରେ ନାହିଁ ତୋର ଦୟା ॥ ୯୩

ବାଳୁତ ପ୍ରାୟେ ତୋର କର୍ମ । କେମନ୍ତେ ସହିବଟି ଧର୍ମ ॥ ୯୪

ନୀଳକୁନ୍ତଳ ଚାରୁମୁଖ । ଦେଖିଲେ ଛାଡ଼େ ଭବଦୁଃଖ ॥ ୯୫

ମଧୁରହାସ ନାସା ରେଖ । ଦେଖିଲେ ପାଉଁ ମନେ ସୁଖ ॥ ୯୬

ସେ ସୁଖ କରାଉଛୁ ଦୂର । ଅସାଧୁ କର୍ମ ଏ ତୋହର ॥ ୯୭

ଏମନ୍ତେ ଅକ୍ରୁରକୁ ଚାହିଁ । ବୋଲନ୍ତି କୋପଭର ହୋଇ ॥ ୯୮

ତୁ ଯେବେ ଅକ୍ରୁର ବୋଲାଉ । କ୍ରୁର ସ୍ୱଭାବ କିପାଜ୍ଞ ବହୁ ॥ ୯୯

ଆମ୍ଭର ଚକ୍ଷୁ ବନମାଳୀ । ତୁ ତାହା ନେଉଅଛୁ ଖୋଳି ॥ ୧୦୦

ନନ୍ଦକୁମର କୃଷ୍ଣ ସଙ୍ଗେ । ସୁହୃଦ କଲୁଁ ଭାବରଙ୍ଗେ ॥ ୧୦୧

ଛାଡ଼ିଲୁଁ ସୁତ ଧନଘର । ଲଜ୍ଜା ସ୍ୱଭାବ ବନ୍ଧୁବର ॥ ୧୦୨

ପୀରତି କରିଅଛୁ ନୂଆ । ଅକ୍ରୁର ନ ଛଡ଼ା ତୁ ଏହା ॥ ୧୦୩

ମଥୁରାନାରୀଙ୍କର ଭାଗ୍ୟ । ଶତଜନମେ ଯାଗଯଜ୍ଞ ॥ ୧୦୪

ସୁଖେ ପାହିବ ଆଜ ନିଶି । ଦେଖିବେ କୃଷ୍ଣ ଦ୍ୱାରେ ବସି ॥ ୧୦୫

ନଗ୍ରେ ପଶନ୍ତେ ବେନିଭାଇ । ବାମଦକ୍ଷିଣେ ଥିବେ ଚାହିଁ ॥ ୧୦୬

କଟାକ୍ଷେ ଦେଖି କୃଷ୍ଣରୂପ । ଛାଡ଼ିବେ କୋଟିଜନ୍ମତାପ ॥ ୧୦୭

କୃଷ୍ଣର ମୁଖପଦ୍ମରସ । ନୟନପାନେ ହୋଇ ତୋଷ ॥ ୧୦୮

ଗୁରୁ-ଗଉରବ ନ ଗଣି । ଦାଣ୍ତେŠ ଦେଖିବେ ବେଣୁପାଣି ॥ ୧୦୯

ମଥୁରାପୁର ନାରୀଗଣ । ଚାହିଁ ମୋହିବେ ନାରାୟଣ ॥ ୧୧୦

ମଥୁରାହାସେ କୃଷ୍ଣମନ । ପଣତେ ବାନ୍ଧିବେ ବହନ ॥ ୧୧୧

ଏମନ୍ତେ ନାନାଭାବ କରି । ମନମୋହିବେ ନରହରି ॥ ୧୧୨

ଗୋବିନ୍ଦ ରତିରସେ ଜିତା । ଛାଡ଼ିବେ ଗୋପପୁର ଚିନ୍ତା ॥ ୧୧୩

ଭୁଲାଇ କୃଷ୍ଣ-ହଳଧର । ଛାଡ଼ି ନ ଦେବେ ଗୋପପୁର ॥ ୧୧୪

ଯାଦବ ଆଦି ସାତବଂଶ । ତାହାଙ୍କ ପୁଣ୍ୟ ଗୋ ଅଶେଷ ॥ ୧୧୫

ଆଜ ପାଇବେ ତପଫଳ । ଦେଖିବେ ମଦନଗୋପାଳ ॥ ୧୧୬

ଆମ୍ଭର ପୂର୍ବପାପେ ଜାଣ । ଅକ୍ରୁର ହୋଇଲା ଦାରୁଣ ॥ ୧୧୭

ଆମ୍ଭର ଦୁଃଖ ନ ଜାଣଇ । ମଥୁରା ନେବ ବେନିଭାଇ ॥ ୧୧୮

ଦେହରୁ ପ୍ରାଣ ନେବ ହରି । ଆଜ ମରିବୁ ଗୋପନାରୀ ॥ ୧୧୯

ଦେଖ ଗୋପାଳେ ଏଡ଼େ ମନ୍ଦ । ବିଚାର ନ କରଇ ନନ୍ଦ ॥ ୧୨୦

ପୁଅଙ୍କ ଭଲ ନ ଜାଣଇ । ଅକ୍ରୁର ବୋଲେ ପଠିଆଇ ॥ ୧୨୧

ଯଶୋଦା ନ ଜାଣଇ ଏହା । କେମନ୍ତେ ଧରିବଟି ହିଆ ॥ ୧୨୨

ଗଉଡ଼େ ବାଇ ପ୍ରାୟେ ହୋଇ । ସଜ ହୁଅନ୍ତି ଆଗେ ଯାଇ ॥ ୧୨୩

ଦଇବ ହୋଇଲା ବଇରୀ । ଆଜୁଁ ବୁଡ଼ିଲା ଗୋପଶିରୀ ॥ ୧୨୪

ଆସ ଗୋ ଓଗାଳିବା ପଥ । ଅକ୍ରୁର କେତେ ବଳବନ୍ତ ॥ ୧୨୫

ରଥ କରିବା ଖଣ୍ତŠ ଖŠଣ୍ତ । ଛେଦିବା ଅକ୍ରୁରର ମୁଣ୍ତŠ ॥ ୧୨୬

କି କରି ପାରିବେ ଗୋପାଳେ । ରଥ ଭାଙ୍ଗିବା ଆମ୍ଭେ ବଳେ ॥ ୧୨୭

ଶୁଣି ଗୋ କଂସ କରୁ ରୋଷ । ଆମ୍ଭେ ନ ଥିବା ତା'ର ଦେଶ ॥ ୧୨୮

ଅର୍ଦ୍ଧନିମିଷେ କୃଷ୍ଣ ସଙ୍ଗ । ଛାଡ଼ି ମଣିବୁ ଶତେଯୁଗ ॥ ୧୨୯

ସେ ଆମ୍ଭ ଦୁଃଖର ସୋଦର । ଦଇବ କଲା ଏବେ ଦୂର ॥ ୧୩୦

ଆମ୍ଭର ରାସକେଳି ରସେ । ଜାଣନା ବୃନ୍ଦାବନ ଦେଶେ ॥ ୧୩୧

ନିମିଷେ ନ ପାଇ ମୁରାରି । କେମନ୍ତ ହେଲୁ ଗୋପନାରୀ ॥ ୧୩୨

ତକ୍ଷଣେ ପାଇ ବ୍ରହ୍ମରାଶି । ନିମିଷ କଲୁଁ ବ୍ରହ୍ମନିଶି ॥ ୧୩୩

ତାହାର ଗୁଣ ମନେ ଗୁଣି । ଏବେ ମରିବୁ ଗୋପାଳୁଣୀ ॥ ୧୩୪

ଗୋରୁ ଚରାଉଥାଇ ବନେ । ଗୋପେ ଆସଇ ରାତ୍ରମାନେ ॥ ୧୩୫

ଯେବେ ଗୋ ତା'ର ମୁଖ ଦେଖି । ପିଛାଡ଼ି ନ ପାରୁ ଯେ ଆଖି ॥ ୧୩୬

କଟାକ୍ଷ କରି ବେଣୁବାଇ । ଚାହଁନ୍ତେ ଜଗତ ମୋହଇ ॥ ୧୩୭

ଏବେ ମଥୁରାପୁର ଗଲେ । କେମନ୍ତେ ବଞ୍ଚିବା ଗୋ ଭଲେ ॥ ୧୩୮

ଏମନ୍ତ ହୋଇ ଗୋପନାରୀ । କୃଷ୍ଣ ବିଚ୍ଛେଦେ ତନୁ ଘାରି ॥ ୧୩୯

ଲାଜ ଛାଡ଼ିଲେ ଗୋପଦାଣ୍ତେŠ । ତାଡ଼ନ୍ତି ବେନିକର ମୁଣ୍ତେ ॥ ୧୪୦

ବିକଳେ ବୁଜନ୍ତି ନୟନ । କାନ୍ଦନ୍ତି ଧରି କୃଷ୍ଣନାମ ॥ ୧୪୧

ମୁକୁନ୍ଦ ଦାମୋଦର ହରି । ମାଧବ କୃଷ୍ଣ ଦଇତ୍ୟାରି ॥ ୧୪୨

ଜୀବନ ଗଲାଟି ଆମ୍ଭର । ମଥୁରା ନ ଯା ଦାମୋଦର ॥ ୧୪୩

ତୋତେ ନ ପାଇ ଭାବଗ୍ରାହୀ । ଦିନ ବଞ୍ଚିବୁ କାହା ଚାହିଁ ॥ ୧୪୪

ଅକ୍ରୁର ଆମ୍ଭ ଚକ୍ଷୁ ନେଲା । ଜୀବନ ଜିଉଁ ଜିଉଁ ମଲା ॥ ୧୪୫

ରୋଦନ ଶୁଣି ଗୋପୀଜନେ । ଅକ୍ରୁର କୋପକଲା ମନେ ॥ ୧୪୬

ବୋଲଇ ନନ୍ଦ ମୁଖ ଚାହିଁ । ଲେଉଟି ଯିବି ଆଜ ମୁହିଁ ॥ ୧୪୭

ବଳେ ପାରିବୁଟିକି ରହି । ଗୋପୀଏ ହେଉଛନ୍ତି ବାଈ ॥ ୧୪୮

କହନ୍ତି ଆନୁଆନ କରି । ରୁଣ୍ତŠ ହୋଇଣ ସର୍ବନାରୀ ॥ ୧୪୯

ଜାଣୁନା କଂସର ମହିମା । ଗୋପନଗରେ ଯେତେ ବାମା ॥ ୧୫୦

କ୍ଷଣକେ କରିବ ନିପାତ । କିସ କରିବେ ବଳବନ୍ତ ॥ ୧୫୧

ଏହାଙ୍କୁ କରି ନିବାରଣ । ବେଗେଣ ଚଳ ମଧୁବନ ॥ ୧୫୨

ଲେଉଟିଗଲେ ଆଜ ମୁହିଁ । ଗୋପେ ପାରିବୁଟିକି ରହି ॥ ୧୫୩

ଦଣ୍ତେŠ ହେଁ ନ କର ଉଚୁର । କୁଶଳ ଇଚ୍ଛା ଯେବେ ତୋ'ର ॥ ୧୫୪

ରାମଗୋବିନ୍ଦ ମୋତେ ଦେଇ । ନ ଯାଇ ପଛେ ଥାଅ ତୁହି ॥ ୧୫୫

ଯଶୋଦା ଅକ୍ରୁରକୁ ଚାହିଁ । କାନ୍ଦଇ କୃଷ୍ଣ କୋଳେ ଲଇଁ ॥ ୧୫୬

ରୋହିଣୀ ଘେନି ହଳଧରେ । ରୋଦନ କଲେ ଉଚ୍ଚସ୍ୱରେ ॥ ୧୫୭

ବଜ୍ର ପଡ଼ିଲା ଶିରେ ଜାଣି । କାନ୍ଦନ୍ତି ଯଶୋଦା-ରୋହିଣୀ ॥ ୧୫୮

ଦଇବ କଲୁ ବିପରୀତ । କାହାକୁ ସମର୍ପିବୁ ସୁତ ॥ ୧୫୯

ଜୀବନ ଥିବ ଆମ୍ଭ କାହିଁ । ମରିବୁ ପୁତ୍ରକୁ ନ ପାଇ ॥ ୧୬୦

ଯଶୋଦା କୃଷ୍ଣ ମୁଖ ଚାହିଁ । କାନ୍ଦଇ ମୁଖେ ଚୁମ୍ବ ଦେଇ ॥ ୧୬୧

ତୁ କୃଷ୍ଣ ଗଲେ ମଧୁପୁରୀ । ଜୀବନ ନ ପାରିବି ଧରି ॥ ୧୬୨

ଗୋରୁ ଚରାଉ ଯେତେବେଳେ । କାନନେ ଗୋପସୁତ ମେଳେ ॥ ୧୬୩

ଦଣ୍ତେŠ ମୁଁ ନ ଦେଖିଲେ ତୋତେ । ନିମିଷ ହୁଏ ଯୁଗ ଶତେ ॥ ୧୬୪

ପୁଛଇଁ ଜଣେ ଜଣେ ମୁହିଁ । ପୁତ୍ର ମୋ' କେ ଦେଖିଛ କାହିଁ ॥ ୧୬୫

କ୍ଷତ-ହରିଣୀ ପ୍ରାୟ ହୋଇ । ରବିକିରଣେ ଚାହୁଁଥାଇ ॥ ୧୬୬

ବେଳ ତ ହୋଇଲା ଉଛୁର । କୃଷ୍ଣ ନ ଇଲା କିପାଁ ଘର ॥ ୧୬୭

ଅନ୍ନ ବ୍ୟଞ୍ଜନ ମୋତେ ପିତା । ତୋତେ ନ ଦେଖି ମୋର ଚିନ୍ତା ॥ ୧୬୮

ନିମିଷ ଯୁଗପ୍ରାୟ ହୋଇ । ଘରବାହାରେ ନ ରହଇ ॥ ୧୬୯

ତୋ'ର ବଦନ ଯେତେବେଳେ । ଦେଖଇ ନୟନ-ଯୁଗଳେ ॥ ୧୭୦

ତେବେ ମୋ' ଜୀବନ ପଶଇ । ସରଲବଣୀ ତୋତେ ଦେଇ ॥ ୧୭୧

ଏବେ ତୁ ମଧୁପୁର ଗଲେ । ମୁହିଁ ଯିବଇଁ ତୋର ତୁଲେ ॥ ୧୭୨

ପୁଣି ରାମକୁ କୋଳ କରି । ଶୋକେ ବୋଲଇ ନନ୍ଦନାରୀ ॥ ୧୭୩

ତୁ ରାମ ବଳେ ବଳୀୟାର । କୃଷ୍ଣ ମୋ' ନୁହଇ ଚତୁର ॥ ୧୭୪

ସଙ୍ଗ ତୁ ନ ଛାଡ଼ିବୁ ଦଣ୍ତେŠ । ଗହଳ ମଥୁରାର ଦାଣ୍ତେŠ ॥ ୧୭୫

ଏମନ୍ତ କହି ନନ୍ଦନାରୀ । ବେନିଲୋଚନୁ ବହେ ବାରି ॥ ୧୭୬

ଅକ୍ରୁର କୋପେ ପରଜ୍ୱଳି । ରୋଷେ ନନ୍ଦକୁ ଦେଲା ଗାଳି ॥ ୧୭୭

କୃଷ୍ଣ ସାରିଲେ ନିତ୍ୟକର୍ମ । ସଜ ହୋଇଲେ ବଳରାମ ॥ ୧୭୮

ଗୋପୀଙ୍କ ରୋଦନ ଚହଳ । ଗୋପରେ ଶୁଭୁଅଛି ଗୋଳ ॥ ୧୭୯

ପ୍ରଳୟ ସିନ୍ଧୁ ପ୍ରାୟ ମଣି । ବୋଲନ୍ତି ରାମଚକ୍ରପାଣି ॥ ୧୮୦

ଗୋପାଳେ ହୁଅ ଆଗୁସାର । ଗୋରସ ଶକଟ ସମ୍ଭାର ॥ ୧୮୧

ଅକ୍ରୁର ନିତ୍ୟକର୍ମ ସାରି । ରଥେ ତୋଳିଲା ରାମହରି ॥ ୧୮୨

ମଙ୍ଗଳବାଦ୍ୟ ଗୀତ ଧ୍ୱନି । ଆନନ୍ଦେ ଉଛୁଳେ ମେଦିନୀ ॥ ୧୮୩

ଆକାଶେ ଥାଇ ଦେବଲୋଭେ । କୁସୁମ ବରଷନ୍ତି ଥୋକେ ॥ ୧୮୪

ଦିଗେ ଦିଶନ୍ତି ପରିମଳ । ପବନ ବହଇ ଶୀତଳ ॥ ୧୮୫

କୃଷ୍ଣର ପଥ ଅନୁକୂଳ । ଶୂନ୍ୟେ ମିଳିଲେ ମେଘମାଳ ॥ ୧୮୬

ଗଗନେ ଦୁନ୍ଦୁଭି ଶବଦ । ମଙ୍ଗଳ କଲେ ଗୀତନାଦ ॥ ୧୮୭

ଦେଖନ୍ତି ଦଶଦିଗପାଳେ । ବାହାର ହୋଇଲେ ଗୋପାଳେ ॥ ୧୮୮

ଶକଟ ଯା'ନ୍ତି ଯୂଥ ଯୂଥ । ଗୋରସ-ଭାର ଅପ୍ରମିତ ॥ ୧୮୯

ବାଜଇ ମଙ୍ଗଳ-ମହୁରି । ମଥୁରା ଯିବେ ନରହରି ॥ ୧୯୦

ଗୋପୀଏ ଓଗାଳନ୍ତି ରଥ । କାହିଁକି ଯିବ ଗୋପୀନାଥ ॥ ୧୯୧

ଆମ୍ଭ ଜୀବନ ହସ୍ତେ ଘେନି । ମଥୁରା ଯାଆ ଭାଇବେନି ॥ ୧୯୨

ଏଡ଼େ ନିŸର୍ଦ୍ଦୟ ତୋ'ର ହିଆ । ଆମ୍ଭରେ ଛାଡ଼ିଲୁ ତୁ ଦୟା ॥ ୧୯୩

ଯେବେ ଅକ୍ରୁର ତୋତେ ଧରି । ନେଉଛି ମଥୁରା ନଗରୀ ॥ ୧୯୪

ଆମ୍ଭେ ସକଳେ ତୋର ସଙ୍ଗେ । ଥିବୁ ତୋ' ରଥ ଲାଗେ ଲାଗେ ॥ ୧୯୫

କଂସର ମୁଖେ ତୋତେ ଦେଇ । ଘରେ ରହିବୁ କିସ ପାଇଁ ॥ ୧୯୬

ଆମ୍ଭେ ତୋହର ସର୍ବବାଳୀ । ଗୋପ ନ ଛାଡ଼ ବନମାଳୀ ॥ ୧୯୭

କାକର ଘରେ ପିକ ପରି । ଏବେ ତ ପକାଉ ପାସୋରି ॥ ୧୯୮

ଶୁଣି ବୋଲନ୍ତି ଦାମୋଦର । କୋମଳ ବଚନ ଗଭୀର ॥ ୧୯୯

ଶୁଣ ଗୋ ସଖୀଜନେ ମୋର । ରାଜାର ଆକଟ ଅପାର ॥ ୨୦୦

ଦେଖ ଆମ୍ଭଙ୍କୁ ରଥେ ଭରି । ଅକ୍ରୁର ନେଉଅଛି ଧରି ॥ ୨୦୧

ଧନୁଉ›ତ୍ସବ ରଙ୍ଗସଭା । ଆମ୍ଭେ ଗୋ ନୟନେ ଦେଖିବା ॥ ୨୦୨

ରାଜା ହୋଇବ ବଡ଼ ତୋଷ । ଆମ୍ଭଙ୍କୁ ଦେବ ଗ୍ରାମ ଦେଶ ॥ ୨୦୩

ଚାରିଦିଗରୁ ଲୋକେ ଆସି । ରଙ୍ଗସଭାରେ ଥିବେ ବସି ॥ ୨୦୪

ଅନେକ ଦୁରୁଁ ନରନାରୀ । ଅଣାଇଅଛି ଦŠଣ୍ତଧାରୀ ॥ ୨୦୫

ଉତ୍ସ›ବ ଦେଖି ତୋଷମନେ । ଆମେ ଆସିବୁ ଚାରିଦିନେ ॥ ୨୦୬

ତୁମ୍ଭେ ଗୋ ଯାଅ ଯେଝାଘରେ । ମନ ନିବେଶି ମୋ' ପୟରେ ॥ ୨୦୭

ଅକ୍ରୁର ଶୁଣି କେପଭରେ । ରଥ ବାହିଲା ଧାତିକାରେ ॥ ୨୦୮

ଗୋପୀଏ ଛାଡ଼ନ୍ତି ବୋବାଳି । ବାଲିରେ ନ ପାରନ୍ତି ଚାଲି ॥ ୨୦୯

ଆହା ଗୋବିନ୍ଦ ନନ୍ଦସୁତ । ବୋଲି ହୋଇଲେ ମୂରୁଛି୍ତ ॥ ୨୧୦

କଦଳୀ ଯେହ୍ନେ ବାତଘାତେ । ପଡ଼ିଲେ ଗୋପବାଳୀ ପଥେ ॥ ୨୧୧

ପଡ଼ିଣ ଗୋପୀ ଅଣାୟତ୍ତେ । ଅଜ୍ଞାନ ମୋହେ ରାଜପଥେ ॥ ୨୧୨

ଗୋପୀ ବିକଳ କୃଷ୍ଣ ଚାହିଁ । ଗୋପାଳପୁଅଙ୍କୁ ସେ ରାଇ ॥ ୨୧୩

ଶ୍ରୀଦାମ ନାମେ ଗୋପବାଳ । ତା'ରେ ବିଶ୍ୱାସ ନନ୍ଦବାଳ ॥ ୨୧୪

ତାହାକୁ ନିକଟେ ଅଣାଇଁ । କହନ୍ତି ବିଶ୍ୱାସ କରାଇ ॥ ୨୧୫

ଗୋପୀଙ୍କି କହ ତୁ ବହନେ । ଆମ୍ଭେ ଆସିବୁ ଚାରିଦିନେ ॥ ୨୧୬

ଧନୁଉତ୍ସ›ବ ମୁଁ ଦେଖିବି । ରାଜାର ମନକୁ ତୋଷିବି ॥ ୨୧୭

ମଥୁରା ନ ରହିବି ଦଣ୍ତେŠ । ତୁମ୍ଭେ ଗୋ ଜଗିଥିବ ଦାଣ୍ତେŠ ॥ ୨୧୮

ମୋତେ ଦେଖିବ ରାତ୍ରମାନେ । ନନ୍ଦମନ୍ଦିରେ ଚାରିଦିନେ ॥ ୨୧୯

ମୋହର ସତ୍ୟ ଏ ବଚନ । ଏଥକୁ ସାକ୍ଷି ନିରଞ୍ଜନ ॥ ୨୨୦

ଆବର କହିବୁ ତୁ ଯାହା । କହଇ ଶୁଣ ତୋରେ ତାହା ॥ ୨୨୧

ମୁଁ ଯେ ଭକତ ଭାବେ ବାଇ । ଭାବ ନିକଟେ ନିତ୍ୟେ ଥାଇ ॥ ୨୨୨

ଶରଦରାସ କାଳେ ଯାହା । ହୋଇଲେ ଯେତେକ ଉ›ତ୍ସାହା ॥ ୨୨୩

ତାହାଙ୍କ ଭକ୍ତିଭାବ ଘେନି । ରମିଲି ସକଳ କାମିନୀ ॥ ୨୨୪

ସେ ମୋର ଦେହର ଜୀବନ । ଚକ୍ଷୁପିତୁଳୀ ନିରଞ୍ଜନ ॥ ୨୨୫

ଜୀବନ ଛାଡ଼ି ଯାଉଅଛି । ମୃତ୍ୟୁପିଣ୍ତŠକୁ କେହୁ ଗଚ୍ଛି ॥ ୨୨୬

କେବଳ ରାଜକାର୍ଯ୍ୟ ସାରି । ତହିଁ ରହିବୁ ଦିନ ଚାରି ॥ ୨୨୭

ଏ କଥା ଗୋପୀଙ୍କି କହିବୁ । ଘରକୁ ପଠିଆଇ ଦେବୁ ॥ ୨୨୮

ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ଶ୍ରୀଦାମ ଗଲା ବେଗ ହୋଇ ॥ ୨୨୯

କହିଲା ଗୋପୀଙ୍କ ଆଗର । ବୋଇଲା ଯାଅ ଯେଝାଘର ॥ ୨୩୦

ଶୁଣି ଗୋପୀଏ ଛନ ଛନ । କୃଷ୍ଣର ତହିଁ ଦେଇ ମନ ॥ ୨୩୧

ରଥକୁ ଚାହାଁନ୍ତି ନିରୋପି । ଚିତ୍ରପ୍ରତିମା ପ୍ରାୟ ଗୋପୀ ॥ ୨୩୨

କେ ବୃକ୍ଷେ ଉଠିଲେ ବହନ । ରଥରେ ନିବେଶି ନୟନ ॥ ୨୩୩

ପୀଢ଼ାରେ ଉଠି କେ ଦେଖନ୍ତି । ବୃକ୍ଷ ଆରୋହି କେ ଚାହାଁନ୍ତି ॥ ୨୩୪

କେ ଉଚ୍ଚଶିଖେ ଉଠି ଡ଼ାକି । ରଥ-ପତାକେ ଦେଇ ଆଖି ॥ ୨୩୫

କେ ବୋଲେ ଯିବା ଧାତିକାରେ । କୃଷ୍ଣ ଭେଟିବା ନଦୀତୀରେ ॥ ୨୩୬

ଏମନ୍ତେ କୁହାକୁହି ହୋନ୍ତେ । ବିମାନ ନ ଦିଶିଲା ପଥେ ॥ ୨୩୭

ହୋଇଲା ବିମାନ ଅଦୃଶ୍ୟ । ଗୋପୀଏ ହୋଇଲେ ନିରାଶ ॥ ୨୩୮

ନିଃଶ୍ୱାସ ଛାଡ଼ି ଖେଦଭରେ । ଜୀବନ ନ ରହେ ଶରୀରେ ॥ ୨୩୯

ଗୁରୁ ଗଉରବ ନ ଗଣି । ରାତ୍ର-ଦିବସ ଏକ ମଣି ॥ ୨୪୦

ମନ ନିବେଶି କୃଷ୍ଣପାଦେ । ଗୋପୀଏ ରହିଲେ ବିଷାଦେ ॥ ୨୪୧

ଅକ୍ରୁର ତୋଷମନ ହୋଇ । ବନଗହନେ ରଥ ବାହି ॥ ୨୪୨

ପବନୁଁ ବେଗେ ରଥ ଗଲା । କାଳିନ୍ଦୀ ନିକଟେ ମିଳିଲା ॥ ୨୪୩

ରଥୁଁ ଓହ୍ଲାଇ ବେନିଭାଇ । ଜଳ ପିଇଲେ ତୋଷ ହୋଇ ॥ ୨୪୪

ନିର୍ମଳ କାଳିନ୍ଦୀର ଜଳ । ସ୍ୱଭାବେ ସୁସ୍ୱାଦୁ ଶୀତଳ ॥ ୨୪୫

ଶିରବଦନେ ଜଳସିଞ୍ଚି । କରଯୁଗଳେ ମୁଖପୋଛି ॥ ୨୪୬

ବୃକ୍ଷର ମୂଳେ ନେଇ ରଥ । ବସିଲେ ରାମଗୋପୀନାଥ ॥ ୨୪୭

ଅକ୍ରୁର ବେନିକର ଯୋଡ଼ି । କହଇ କୃଷ୍ଣପାଦେ ପଡ଼ି ॥ ୨୪୮

ଭୋନାଥ ହୋଇବା ପ୍ରସନ୍ନ । କରିବି ଯମୁନାରେ ସ୍ନାନ ॥ ୨୪୯

ଉଠି ତୋହର ମୁଖ ଚାହିଁ । ପବିତ୍ର ହୋଇବଇଁ ମୁହିଁ ॥ ୨୫୦

ବୋଲନ୍ତି ପ୍ରଭୁ ଭଗବାନ । ଯା' ବେଗେ କରତୁ ସ୍ନାହାନ ॥ ୨୫୧

ବହନ ଯିବା ମଧୁପୁର । ଅକ୍ରୁର ନ କର ଉଚ୍ଛୁର ॥ ୨୫୨

ରଥୁଁ ଓହ୍ଲାଇ ଖରତରେ । ପଶିଲା କାଳିନ୍ଦୀ ଭିତରେ ॥ ୨୫୩

ବୁଡ଼ିଲା ମାଧବ ସୁମରି । ଜଳେ ଦେଖିଲା ରାମହରି ॥ ୨୫୪

ଯେସନେ କୂଳେ ଗଲା ଚାହିଁ । ଦେଖିଲା ଜଳମଧ୍ୟେ ତା ହିଁ ॥ ୨୫୫

ଦେଖି ଚକିତମନ ହୋଇ । ବୋଲେ ଅଇଲେ କି ପଳାଇ ॥ ୨୫୬

କଂସର ଡ଼ରେ ରଥେ ବସି । ବେନି ସୋଦର ଜଳେ ପଶି ॥ ୨୫୭

ପଳାଇ ଯିବେ ଗୋପପୁର । ମୋତେ ମାରିବ କଂସାସୁର ॥ ୨୫୮

କି ବୁଦ୍ଧି କରିବଇଁ ମୁହିଁ । କୂଳେ ଯେ ଅଇଲି ବସାଇ ॥ ୨୫୯

ଡ଼ରେଣ ଗଲେ କି ପଳାଇ । ଉଠି କୂଳକୁ ଦେଲା ଚାହିଁ ॥ ୨୬୦

ଦେଖଇ ବୃକ୍ଷତଳେ ରଥ । ଅଛନ୍ତି ରାମ-ଗୋପୀନାଥ ॥ ୨୬୧

ଚକିତ ହୋଇଲା ଅକ୍ରୁର । ଭୟେ କମ୍ପଇ ଥରହର ॥ ୨୬୨

ବୋଲଇ ଜଳେ ଅନ୍ୟକିସ । ମୁହିଁ ଯେ ଦେଖିଲି ସଦୃଶ ॥ ୨୬୩

କି ମୋର ଚିତ୍ତ ହୋଏ ଭ୍ରମ । ହୋଇଲା ଅଦଭୁତ କର୍ମ ॥ ୨୬୪

ମିଥ୍ୟା ନୁହଁଇନା ସେ ଜଳେ । ପୁଣି ବୁଡ଼ିଲା ଆଉ ବେଳେ ॥ ୨୬୫

ଦେଖଇ ରତ୍ନମୟ-ପୁରେ । ସୁବ‰ର୍ଣ୍ଣ ବିମାନ ଉପରେ ॥ ୨୬୬

ସୁରଙ୍ଗ ରତ୍ନସିଂହାସନ । ଶୀତଳ ବହଇ ପବନ ॥ ୨୬୭

ଅନନ୍ତ ରୂପେ ହଳଧର । କୋଟିଏ ଚନ୍ଦ୍ର ପଟାନ୍ତର ॥ ୨୬୮

ସହସ୍ର ଫଣା ମଣି ଶିର । କଟି ଦୂକୁଳ ନୀଳାମ୍ବର ॥ ୨୬୯

ରୂପେ ଶୋଭିତ ଶିବଗିରି । କୋଟିଏ କାମ ନୋହେ ସରି ॥ ୨୭୦

ମଣିକୁଣ୍ତŠଳ ବନମାଳ । ସୁରଙ୍ଗ ଅଳକ କପୋଳ ॥ ୨୭୧

କଟିମେଖଳା ରତ୍ନସାର । ନିବିଡ଼ ସୁରଙ୍ଗ ଅଧର ॥ ୨୭୨

ହାର କେୟୂର ଝଟକନ୍ତି । ଯେହ୍ନେ ଗଗନେ ତାରାପତି ॥ ୨୭୩

ଅନନ୍ତକୋଳେ ବନମାଳୀ । ନୀଳଜୀମୂତ ଦେହ ଝଳି ॥ ୨୭୪

ପୀତବସନ ବନମାଳ । ଶ୍ରବଣେ ମକର କୁଣ୍ତŠଳ ॥ ୨୭୫

ସୁନ୍ଦର ନୀଳଭୁଜ ଚାରି । ଶଙ୍ଖ କମଳ ଗଦା ଅରୀ ॥ ୨୭୬

ବିକଚ-କମଳ-ଲୋଚନ । ସୁରଙ୍ଗ ହସିତ ବଦନ ॥ ୨୭୭

ଅନଙ୍ଗ ଚାପ ଭୁରୁ ରେଖା । ସୁନ୍ଦର କପୋଳ ନାସିକା ॥ ୨୭୮

ରଙ୍ଗ ଅଧରେ ମନ୍ଦ ହାସ । କ‰ର୍ଣ୍ଣେ କୁŠଣ୍ତଳ ରବିତ୍ରାସ ॥ ୨୭୯

ଦୀର୍ଘ ଶ୍ରୀଭୁଜ ଜାନୁଯାଏଁ । ଦିଶେ ମର୍କତ ସ୍ତମ୍ଭ ପ୍ରାୟେ ॥ ୨୮୦

ତୁଙ୍ଗ ହୃଦୟ ଶ୍ରୀନିବାସ । ଶ୍ରୀବ›ତ୍ସ ଚିହ୍ନ ବାମପାଶ ॥ ୨୮୧

ଦକ୍ଷିଣାବର୍ତ୍ତ କମ୍ବୁଗ୍ରୀବ । ପେଟେ ତ୍ରିବଳୀ ପଦ୍ମନାଭ ॥ ୨୮୨

ନାଭି ଗଭୀର ମଝାକ୍ଷୀଣ । ବୃଶାଳକଟି ରତ୍ନଦାମ ॥ ୨୮୩

ନିତମ୍ବ କରୀକୁମ୍ଭ ଜିଣି । କଟିମେଖଳା ଓଡ଼ିଆଣୀ ॥ ୨୮୪

ଉଲଟରମ୍ଭା ଜାନୁ ଯୁଗ । ଗୁଳ୍ଫଯୁଗଳ ସଞ୍ଚତୁଙ୍ଗ ॥ ୨୮୫

ମାଣିକ୍ୟ ପ୍ରାୟ ନଖପନ୍ତି । ଅଙ୍ଗୁଳି ଅଗ୍ରେ ଝଟକନ୍ତି ॥ ୨୮୬

ନବପଲ୍ଲବ ପ୍ରାୟ ଝଳି । କୋମଳ ଦିଶଇ ଅଙ୍ଗୁଳି ॥ ୨୮୭

କମଳକୋଷ ପ୍ରାୟ ହୋଇ । ବେନି ଚରଣ ବିରାଜଇ ॥ ୨୮୮

ଅମୂଲ୍ୟରତ୍ନମୟ ରାଶି । ବିବିଧ ଅଳଙ୍କାର ମିଶି ॥ ୨୮୯

ଶିରେ ମୁକୁଟ ହୃଦେ ହାର । କଟିମେଖଳା ରତ୍ନସାର ॥ ୨୯୦

ଉତ୍ତରୀ ଯଜ୍ଞସୂତ୍ର କନ୍ଧେ । କୁŠଣ୍ତଳ କ‰ର୍ଣ୍ଣ‌ଯୁଗଭାଗେ ॥ ୨୯୧

ରତ୍ନସମୂହ ତେଜରାଶି । ଚତୁର ଭୁଜ ପରକାଶି ॥ ୨୯୨

ଚକ୍ର କମଳ ଗଦା ଶଙ୍ଖ । ଗŠଣ୍ତଯୁଗଳେ ରାହୁରେଖ ॥ ୨୯୩

ଶ୍ରୀବତ୍ସ› ଚିହ୍ନ ହୃଦୟରେ । ବନମାଳାଏ ଲମ୍ବେ ଉରେ ॥ ୨୯୪

ସୁନନ୍ଦ ଆଦି ପାରିଷଦେ । ପକାନ୍ତି ଚାମର ଆନନେ୍ଦ ॥ ୨୯୫

ସନକ ଆଦି ମୁନିଗଣେ । ଖଟନ୍ତି ଅଭୟଚରଣେ ॥ ୨୯୬

ବ୍ରହ୍ମା ଶଙ୍କର ଇନ୍ଦ୍ର ଘେନି । ସ୍ତୁତି କରନ୍ତି ସୁରମୁନି ॥ ୨୯୭

କିନ୍ନରୀ ତୁମ୍ବୁରୁ ନାରଦ । ବୀଣାଶବଦେ ଗୀତନାଦ ॥ ୨୯୮

ଭକତ ପ୍ରହଲ୍ଲାଦ ଆଦି । ଧ୍ରୁବଭୂଷŠଣ୍ତ ବେଦବାଦୀ ॥ ୨୯୯

ନିର୍ମଳବାଣୀ ଯେଝାମତେ । ସ୍ତୁତି କରନ୍ତି ଦୃଢ଼ଚିତ୍ତେ ॥ ୩୦୦

କମଳା ଆଦି ଯେତେ ଦେବୀ । ଧୀରେ ଚରଣେ ଛନ୍ତି ସେବି ॥ ୩୦୧

ଏମନ୍ତ କୃଷ୍ଣରୂପ ଜଳେ । ଦେଖି ଅକ୍ରୁର ବେନିଡ଼ୋଳେ ॥ ୩୦୨

ରୋମାଞ୍ଚ ହୋଇଲା ଶରୀର । ଅଶ୍ରୁ ଗଳଇ ନିରନ୍ତର ॥ ୩୦୩

ଆନନ୍ଦେ କଣ୍ଠ ଗଦ ଗଦ । ମୁଖୁଁ ନସ୍ଫୁରଇ ଶବଦ ॥ ୩୦୪

ଜଳୁ ବାହାର ହୋଇ ଆସି । କୂଳେ ଦେଖିଲା ବ୍ରହ୍ମରାଶି ॥ ୩୦୫

ପାଦେ ପଡ଼ିଲା ବେଗେ ଯାଇ । ଉଠିଲା ଶିରେ କର ଦେଇ ॥ ୩୦୬

ସଭୟେ ବୁଜିଲା ନୟନ । ପୁଣି ଚାହଁଇ ଛନଛନ ॥ ୩୦୭

ଆନନ୍ଦସାଗରେ ବୁଡ଼ିଲା । କରଅଞ୍ଜଳି ଶିରେ ଦେଲା ॥ ୩୦୮

ଭୟେ କମ୍ପିଲା ତା'ର ଦେହୀ । ସ୍ତୁତି କରଇ କୃଷ୍ଣ ଚାହିଁ ॥ ୩୦୯

କହଇ ଜଗନ୍ନାଥ ଦାସ । ଗୋବିନ୍ଦ ଚରଣେ ବିଶ୍ୱାସ ॥ ୩୧୦

କାଳିନ୍ଦୀଜଳେ ଦେଇ ଚିତ୍ତ । ସୁଜନେ ଚିନ୍ତ କୃଷ୍ଣପଥ ॥ ୩୧୧

ଜନ୍ମମରଣ ଭୟ ନାଶ । କୃଷ୍ଣ ଚରଣେ ହୁଅ ଦାସ ॥ ୩୧୨

ନିରତେ ଚିନ୍ତ ରାମହରି । ଭବସାଗରୁ ହୁଅ ପାରି ॥ ୩୧୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ପ୍ରତିଯାନେ ନାମ ଦ୍ୱିଚତ୍ୱରିଂଶୋଽଧ୍ୟାୟଃ ॥

* * *