ଦଶମ ସ୍କନ୍ଧ
ଦ୍ୱିଚତ୍ୱାରିଂଶ ଅଧ୍ୟାୟ
ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥ ୧
ପଲଙ୍କେ ବସାଇ ଅକ୍ରୁର । କୃଷ୍ଣ ଯେ ପୂଜିଲେ ପୟର ॥ ୨
ଯାହା ବିଚାରିଥିଲା ପଥେ । କୃଷ୍ଣ ପୂଜିଲେ ସେହିମତେ ॥ ୩
ଯାହାର ନାମ ପଦ୍ମନାଭ । ତାହାଙ୍କୁ କିସ ଅପୂରୁବ ॥ ୪
ଶୀତଳ ମଣୋହି କରାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୫
ବନ୍ଧୁ ବିଷୟେ ରାଜା କଂସ । ଯେମନ୍ତେ କରିଛି ବିଶ୍ୱାସ ॥ ୬
ଶ୍ରୀକୃଷ୍ଣ ଉବାଚ
କୃଷ୍ଣ ବୋଲନ୍ତି ଶୁଣ ତାତ । ଭଲେ ଅଇଲଟିକି ପଥ ॥ ୭
ବନ୍ଧୁ କୁଶଳ ଅଛ ଜାଣି । ଭୋ ତାତ କହ ପରିମାଣି ॥ ୮
ଯାବତ କୁଳବ୍ୟାଧି ହୋଇ । କଂସ ମାତୁଳ ମୋ' ଅଛଇ ॥ ୯
ତାବତ ସୁଖ କାହିଁ ଆର । ବନ୍ଧୁବାନ୍ଧବ ଯେତେ ମୋର ॥ ୧୦
ହୋଇଲେ ବଡ଼ ଦୁଃଖଭାଗୀ । ତାତ ଜନନୀ ମୋର ଲାଗି ॥ ୧୧
ସୁତମାରଣ ମୋର ବାଦେ । ଲୌହ ଶାଙ୍କୁଳି ବେନିପାଦେ ॥ ୧୨
ଆଜ ମୋହର ଭାଗ୍ୟ ଦେଖ । ଦେଖିଲି ଜ୍ଞାତିଜନ ମୁଖ ॥ ୧୩
ଭୋ ତାତ ତୋର ଆମଗନ । କହିବା କେବଣ କାରଣ ॥ ୧୪
କପଟ ନ କର ତୁ ମୋତେ । କହ ହରଷ ବହି ଚିତ୍ତେ ॥ ୧୫
ଶୁକ ଉବାଚ
କୃଷ୍ଣବଚନ କର୍ଣ୍ଣେ ଶୁଣି । ଅକ୍ରୁର କହେ ମଞ୍ଜୁବାଣୀ ॥ ୧୬
ଭୋ ଦେବ ଯଦୁକୁଳ ଇନ୍ଦ୍ର । ଯୋଗୀଙ୍କ ଯୋଗ ପୂର୍ଣ୍ଣଚନ୍ଦ୍ର ॥ ୧୭
ମୁହିଁ ଅଇଲି ଯେଉଁ ପାଇ । ବଚନ ଶୁଣ ଭାବଗ୍ରାହୀ ॥ ୧୮
କଂସ କରିଛି ଯେତେ କର୍ମ । ଶୁଣିଲେ ଉପୁଜିବ ଶ୍ରମ ॥ ୧୯
ଯାଦବବଂଶେ ଦ୍ରୋହ କଲା । ବସୁଦେବଙ୍କୁ ହାଣୁଥିଲା ॥ ୨୦
ନାରଦ ଅନେକ କହିଲେ । ଖଡଗ ଛଡ଼ାଇ ଘେନିଲେ ॥ ୨୧
ମୁନିଙ୍କ ବୋଲେ ବେଳେ ରଖି । ପିଅର ଜନନୀ ତୋ ଦୁଃଖୀ ॥ ୨୨
ଧନୁ ଉତ୍ସବ ଯାତ୍ରା ଛଳେ । ଗୋପେ ପେଷିଲା ମୋତେ ବଳେ ॥ ୨୩
ତୋହର ଜନ୍ମ ଆମ୍ଭ ଘରେ । ନାରଦ କହିଲେ ଛାମୁରେ ॥ ୨୪
ଶୁଣି ଯେତେକ କଷ୍ଟ ଦେଲା । ଭୋ ନାଥ ନୁହଁଇ କହିଲା ॥ ୨୫
କିସ କହିବି ଆଉ ମୁହିଁ । ତୁ କି ନ ଜାଣୁ ଭାବଗ୍ରାହୀ ॥ ୨୬
ଅକ୍ରୁର ବୋଲ କୃଷ୍ଣ ଶୁଣି । ହସନ୍ତି ରାମ ଚକ୍ରପାଣି ॥ ୨୭
ନନ୍ଦକୁ ଚାହିଁ ବେନିଭାଇ । କହନ୍ତି ଅକ୍ରୁରେ ବସାଇ ॥ ୨୮
ନନ୍ଦକୁ ବୋଲନ୍ତି ଅକ୍ରୁର । ମଥୁରା ଯିବା ସଜକର ॥ ୨୯
ଧନୁ ଉତ୍ସବ ମଧୁପୁର । ଗୋରସ ଘେନି ଶତେ ଭାର ॥ ୩୦
ସରଲବଣୀ ଆଦିକରି । ଗୋପରେ ଯେତେ ନରନାରୀ ॥ ୩୧
ବହନ ସାଜ ରାତ୍ର ଥାଉଁ । କଂସ ରାଜାର କୋପନୋହୁ ॥ ୩୨
ଶକଟେ ନାନା ଦ୍ରବ୍ୟ ଭରି । ଆଗହୁଁ ଯା'ନ୍ତୁ ନରନାରୀ ॥ ୩୩
ରାଜା ହକରା ଚାରିଦିଗେ । ଲୋକେ ମିଳିବେ ଧନୁଯୋଗେ ॥ ୩୪
ଯେ ଯାହା ମତେ ପୂଜା କରି । ତୋଷ କରିବେ ଦଣ୍ତଧାରୀ ॥ ୩୫
ରାଜନ ହୋଇ ସାବଧାନ । ଯେ ଯାହା ମତେ ଦେବେ ଦାନ ॥ ୩୬
ଧନ ବସନ ଅଳଙ୍କାର । ଅନେକ କରିଛି ସମ୍ଭାର ॥ ୩୭
ଏମନ୍ତ କହି ରାଜା ଲୋକ । ନନ୍ଦକୁ ଦେଲାକ ଶ୍ରୀମୁଖ ॥ ୩୮
ନନ୍ଦ ଉଠିଣ ଘେନିକରେ । ଶ୍ରୀମୁଖ ଲଗାଇଲା ଶିରେ ॥ ୩୯
ପଢ଼ି ସାନନ୍ଦ ଗୋପବୀର । ଘୋଷଣା ଦେଲା ଗୋପପୁର ॥ ୪୦
ଗୋପାଳେ ବେଗେ ହୁଅ ସଜ । ଆଜ୍ଞା ଦେଇଛି ଭୋଜରାଜ ॥ ୪୧
ଧନୁଉତ୍ସବ ମଧୁପୁର । ଗୋରସ ଘେନି ଶତେ ଭାର ॥ ୪୨
ଯେ ଯାହା ମତେ ବେଗେ ଯାଅ । ରାତ୍ର ହୁଁ ଦଣ୍ତେ ହେଁ ନରହ ॥ ୪୩
ବିଳମ୍ବ ନକର କେବେ ହେଁ । କୋପ କରିବ କଂସରାଏ ॥ ୪୪
ରାମଗୋବିନ୍ଦ ମୋର ସଙ୍ଗେ । ରଥେ ମଥୁରା ଯିବେ ବେଗେ ॥ ୪୫
ରାଜାଙ୍କୁ କରିବେ ଦର୍ଶନ । ଦେଖିବେ ଧନୁଯାତ୍ରାମାନ ॥ ୪୬
ରାତ୍ର ହୁଁ ଯାଅ ବେଗକରି । ଶକଟେ ଘୃତ ସର ଭରି ॥ ୪୭
ଗୋପରେ ଶୁଭିଲା ଘୋଷଣ । ମଥୁରା ଯିବେ ନରାୟଣ ॥ ୪୮
ରାଜାଙ୍କୁ ଦର୍ଶନ କରିବେ । ମଥୁରା କଟକେ ରହିବେ ॥ ୪୯
ବନ୍ଦୀ କରିବ ମଧୁପୁରେ । ଲୁଚିଯେ ଛନ୍ତି ନନ୍ଦଘରେ ॥ ୫୦
ଶୁଣି ଗୋପାଳେ ଛନ୍ନ ଛନ୍ନ । ବିକଳ ଗୋପୀଙ୍କର ମନ ॥ ୫୧
ଏକ ଆରକେ ମୁଖ ଚାହିଁ । କହନ୍ତି ବାଇ ପ୍ରାୟ ହୋଇ ॥ ୫୨
ଶୁଣ ଗୋ ସଖି ବିପରୀତ । ଆସି ଯେ ଅଛି କଂସଦୂତ ॥ ୫୩
ନନ୍ଦ ଗୋବିନ୍ଦ ଆଦିକରି । ମଥୁରା ଘେନିଯିବ ଧରି ॥ ୫୪
ନେଇ ମାରିବ ବେନିଭାଇ । ଆମ୍ଭର ନେବ ଗୋରୁଗାଈ ॥ ୫୫
କେ ବୋଲେ ନୁହଁଇ ଏମନ୍ତ । ମଥୁରାପୁରେ ଧନୁଯାତ ॥ ୫୬
ଯାତ୍ରାକୁ ଯିବେ ବେନିଭାଇ । ରଥ ଦେଇଛି ପଠିଆଇ ॥ ୫୭
ରାଜନିଯୋଗ ଆବୋରିବେ । ମଥୁରା କଟକେ ରହିବେ ॥ ୫୮
ନନ୍ଦ ଯଶୋଦା ଆଦି କରି । ଗୋପରେ ଯେତେ ନରନାରୀ ॥ ୫୯
ଗୋରସ ଦେବେ ରାଜା ଆଗେ । ଯାତ୍ରା ଦେଖିବେ ନବରଙ୍ଗେ ॥ ୬୦
ପୁଣି ଆସିବେ ଗୋପପୁର । ରହିବେ ରାମ ଦାମୋଦର ॥ ୬୧
ଶୁଣି ଗୁଆଳୀ ଶୋକଚିତ୍ତେ । ଥୋକେ ବୋଲନ୍ତି ଏହିମତେ ॥ ୬୨
କି ବୁଦ୍ଧି କରିବା ଗୋ ଏବେ । କୃଷ୍ଣ ମଥୁରା ଯେବେ ଯିବେ ॥ ୬୩
କେମନ୍ତେ ବଞ୍ଚିବା ଗୋ ଦିନ । କୃଷ୍ଣ ଯେ ଆମ୍ଭର ଜୀବନ ॥ ୬୪
କହି କାତରେ କମ୍ପେ କାୟେ । ମୂର୍ଚ୍ଛିତେ ପଡ଼ିଲେ ଥୋକାଏ ॥ ୬୫
ଶିଶିରେ ଯେହ୍ନେ ପଦ୍ମବନ । କ୍ଷଣକେ ହୁଅଇ ଦହନ ॥ ୬୬
କାହାର ମୁଖ ଗଲା ଶୁଖି । କେ ଭାବେ ବୁଜେ ବେନିଆଖି ॥ ୬୭
କାହାର ଫିଟିଲା ଅଞ୍ଚଳ । କଟିମେଖଳା ଅସମ୍ଭାଳ ॥ ୬୮
କେ ଗଡ଼ି କାନ୍ଦଇ ଧରଣୀ । ଦେହ ଅବନୀ କେ ନ ଜାଣି ॥ ୬୯
ହା କୃଷ୍ଣ ବୋଲି ମୋହେ ପଡ଼ି । କେ ମୁଣ୍ତେ ବେନିକର ତାଡ଼ି ॥ ୭୦
ଶିରେ କେ ମାରଇ ପଥର । ହା ହା ଗୋବିନ୍ଦ ହଳଧର ॥ ୭୧
କେ ବୋଲେ ଜାଣିବାଟି ଆଜ । ମୋର ମହିମା ତୁମ୍ଭେ ବୁଝ ॥ ୭୨
ଅକ୍ରୁର ସଂହାରିବି ଆଜ । କି କରିପାରେ ଭୋଜରାଜ ॥ ୭୩
ରାମଗୋବିନ୍ଦ ବେନିଭାଇ । ମୁଁ ହିଁ ଗୋ ଆସିବି ରୁହାଇ ॥ ୭୪
କଂସ କି କରିବ ମୋହର । ଆମ୍ଭର କୃଷ୍ଣ ବଳୀୟାର ॥ ୭୫
ଦେଖିଲଟିକି ଚକ୍ଷୁଦ୍ୱାରେ । ଗିରି ତୋଳିଲେ ବାମକରେ ॥ ୭୬
ପୂତନା ଆଦି କେଶୀ ଯାଏ । ଗୋବିନ୍ଦ ମାଇଲେ ନିର୍ଭୟେ ॥ ୭୭
ତାହାର ଭୁଜ ଆଶ୍ରେ କରି । ସୁଖେଣ ଗୋପରେ ବିହରି ॥ ୭୮
ଅକ୍ରୁର ମାରିବା ଗୋ ଆସ । କି କରି ପାରିବ ସେ କଂସ ॥ ୭୯
ଆଜ ଗୋବିନ୍ଦ ଗୋପୁଁଗଲେ । ଆମ୍ଭେ ମରିବା ଏକାବେଳେ ॥ ୮୦
କିସ କରିବା ଗୋପପୁର । କୃଷ୍ଣ ଯେ ଜୀବନ ଆମ୍ଭର ॥ ୮୧
ରାମଗୋବିନ୍ଦ ଅନୁରାଗ । ଅଳପସ୍ମିତ ମୁଖରଙ୍ଗ ॥ ୮୨
ହୃଦେ ସୁମରି ଲୁହ ବହି । ଚିତ୍ରପ୍ରତିମା ପ୍ରାୟ ରହି ॥ ୮୩
ସୁନ୍ଦର ଚାଲିବାର ଠାଣି । ଯେମନ୍ତ କହେ ମୃଦୁବାଣୀ ॥ ୮୪
ଅଳପ ହସି ବାଙ୍କେ ଚାହିଁ । କଟାକ୍ଷେ ଜଗତ ମୋହଇ ॥ ୮୫
ଯେତେ ସଙ୍କଟୁ ଅଛି ତାରି । କେତେ ଅସୁର ଅଛି ମାରି ॥ ୮୬
ଏଣେ ନିରୋପି ଶୋକମନ । କୃଷ୍ଣ ବିଯୋଗେ ଛନ ଛନ ॥ ୮୭
ସକଳେ ହୋଇ ଏକରୁଣ୍ତ । ଶୋକେ ଚହଳ ଗୋପଦାଣ୍ତ ॥ ୮୮
କାନ୍ଦନ୍ତି ଦଇବ ସୁମରି । ବିଚ୍ଛେଦ ଦୁଃଖେ ଗୋପନାରୀ ॥ ୮୯
ତୁ ହୋ ଦଇବ ବଡ଼ ମନ୍ଦ । ଗୋପନଗରେ କଲୁ ଛନ୍ଦ ॥ ୯୦
ସଂଯୋଗ କଲୁ କୃଷ୍ଣସଙ୍ଗ । ଏବେ ତ କରୁଛୁ ବିଯୋଗ ॥ ୯୧
ଆମ୍ଭର ନ ପୂରିଲା ଆଶ । ଅଳପେ କଲୁ ତୁ ନିରାଶ ॥ ୯୨
ନିଷ୍ଠୁର ସ୍ୱଭାବ ତୋ ହିଆ । ଆମ୍ଭରେ ନାହିଁ ତୋର ଦୟା ॥ ୯୩
ବାଳୁତ ପ୍ରାୟେ ତୋର କର୍ମ । କେମନ୍ତେ ସହିବଟି ଧର୍ମ ॥ ୯୪
ନୀଳକୁନ୍ତଳ ଚାରୁମୁଖ । ଦେଖିଲେ ଛାଡ଼େ ଭବଦୁଃଖ ॥ ୯୫
ମଧୁରହାସ ନାସା ରେଖ । ଦେଖିଲେ ପାଉଁ ମନେ ସୁଖ ॥ ୯୬
ସେ ସୁଖ କରାଉଛୁ ଦୂର । ଅସାଧୁ କର୍ମ ଏ ତୋହର ॥ ୯୭
ଏମନ୍ତେ ଅକ୍ରୁରକୁ ଚାହିଁ । ବୋଲନ୍ତି କୋପଭର ହୋଇ ॥ ୯୮
ତୁ ଯେବେ ଅକ୍ରୁର ବୋଲାଉ । କ୍ରୁର ସ୍ୱଭାବ କିପାଜ୍ଞ ବହୁ ॥ ୯୯
ଆମ୍ଭର ଚକ୍ଷୁ ବନମାଳୀ । ତୁ ତାହା ନେଉଅଛୁ ଖୋଳି ॥ ୧୦୦
ନନ୍ଦକୁମର କୃଷ୍ଣ ସଙ୍ଗେ । ସୁହୃଦ କଲୁଁ ଭାବରଙ୍ଗେ ॥ ୧୦୧
ଛାଡ଼ିଲୁଁ ସୁତ ଧନଘର । ଲଜ୍ଜା ସ୍ୱଭାବ ବନ୍ଧୁବର ॥ ୧୦୨
ପୀରତି କରିଅଛୁ ନୂଆ । ଅକ୍ରୁର ନ ଛଡ଼ା ତୁ ଏହା ॥ ୧୦୩
ମଥୁରାନାରୀଙ୍କର ଭାଗ୍ୟ । ଶତଜନମେ ଯାଗଯଜ୍ଞ ॥ ୧୦୪
ସୁଖେ ପାହିବ ଆଜ ନିଶି । ଦେଖିବେ କୃଷ୍ଣ ଦ୍ୱାରେ ବସି ॥ ୧୦୫
ନଗ୍ରେ ପଶନ୍ତେ ବେନିଭାଇ । ବାମଦକ୍ଷିଣେ ଥିବେ ଚାହିଁ ॥ ୧୦୬
କଟାକ୍ଷେ ଦେଖି କୃଷ୍ଣରୂପ । ଛାଡ଼ିବେ କୋଟିଜନ୍ମତାପ ॥ ୧୦୭
କୃଷ୍ଣର ମୁଖପଦ୍ମରସ । ନୟନପାନେ ହୋଇ ତୋଷ ॥ ୧୦୮
ଗୁରୁ-ଗଉରବ ନ ଗଣି । ଦାଣ୍ତେ ଦେଖିବେ ବେଣୁପାଣି ॥ ୧୦୯
ମଥୁରାପୁର ନାରୀଗଣ । ଚାହିଁ ମୋହିବେ ନାରାୟଣ ॥ ୧୧୦
ମଥୁରାହାସେ କୃଷ୍ଣମନ । ପଣତେ ବାନ୍ଧିବେ ବହନ ॥ ୧୧୧
ଏମନ୍ତେ ନାନାଭାବ କରି । ମନମୋହିବେ ନରହରି ॥ ୧୧୨
ଗୋବିନ୍ଦ ରତିରସେ ଜିତା । ଛାଡ଼ିବେ ଗୋପପୁର ଚିନ୍ତା ॥ ୧୧୩
ଭୁଲାଇ କୃଷ୍ଣ-ହଳଧର । ଛାଡ଼ି ନ ଦେବେ ଗୋପପୁର ॥ ୧୧୪
ଯାଦବ ଆଦି ସାତବଂଶ । ତାହାଙ୍କ ପୁଣ୍ୟ ଗୋ ଅଶେଷ ॥ ୧୧୫
ଆଜ ପାଇବେ ତପଫଳ । ଦେଖିବେ ମଦନଗୋପାଳ ॥ ୧୧୬
ଆମ୍ଭର ପୂର୍ବପାପେ ଜାଣ । ଅକ୍ରୁର ହୋଇଲା ଦାରୁଣ ॥ ୧୧୭
ଆମ୍ଭର ଦୁଃଖ ନ ଜାଣଇ । ମଥୁରା ନେବ ବେନିଭାଇ ॥ ୧୧୮
ଦେହରୁ ପ୍ରାଣ ନେବ ହରି । ଆଜ ମରିବୁ ଗୋପନାରୀ ॥ ୧୧୯
ଦେଖ ଗୋପାଳେ ଏଡ଼େ ମନ୍ଦ । ବିଚାର ନ କରଇ ନନ୍ଦ ॥ ୧୨୦
ପୁଅଙ୍କ ଭଲ ନ ଜାଣଇ । ଅକ୍ରୁର ବୋଲେ ପଠିଆଇ ॥ ୧୨୧
ଯଶୋଦା ନ ଜାଣଇ ଏହା । କେମନ୍ତେ ଧରିବଟି ହିଆ ॥ ୧୨୨
ଗଉଡ଼େ ବାଇ ପ୍ରାୟେ ହୋଇ । ସଜ ହୁଅନ୍ତି ଆଗେ ଯାଇ ॥ ୧୨୩
ଦଇବ ହୋଇଲା ବଇରୀ । ଆଜୁଁ ବୁଡ଼ିଲା ଗୋପଶିରୀ ॥ ୧୨୪
ଆସ ଗୋ ଓଗାଳିବା ପଥ । ଅକ୍ରୁର କେତେ ବଳବନ୍ତ ॥ ୧୨୫
ରଥ କରିବା ଖଣ୍ତ ଖଣ୍ତ । ଛେଦିବା ଅକ୍ରୁରର ମୁଣ୍ତ ॥ ୧୨୬
କି କରି ପାରିବେ ଗୋପାଳେ । ରଥ ଭାଙ୍ଗିବା ଆମ୍ଭେ ବଳେ ॥ ୧୨୭
ଶୁଣି ଗୋ କଂସ କରୁ ରୋଷ । ଆମ୍ଭେ ନ ଥିବା ତା'ର ଦେଶ ॥ ୧୨୮
ଅର୍ଦ୍ଧନିମିଷେ କୃଷ୍ଣ ସଙ୍ଗ । ଛାଡ଼ି ମଣିବୁ ଶତେଯୁଗ ॥ ୧୨୯
ସେ ଆମ୍ଭ ଦୁଃଖର ସୋଦର । ଦଇବ କଲା ଏବେ ଦୂର ॥ ୧୩୦
ଆମ୍ଭର ରାସକେଳି ରସେ । ଜାଣନା ବୃନ୍ଦାବନ ଦେଶେ ॥ ୧୩୧
ନିମିଷେ ନ ପାଇ ମୁରାରି । କେମନ୍ତ ହେଲୁ ଗୋପନାରୀ ॥ ୧୩୨
ତକ୍ଷଣେ ପାଇ ବ୍ରହ୍ମରାଶି । ନିମିଷ କଲୁଁ ବ୍ରହ୍ମନିଶି ॥ ୧୩୩
ତାହାର ଗୁଣ ମନେ ଗୁଣି । ଏବେ ମରିବୁ ଗୋପାଳୁଣୀ ॥ ୧୩୪
ଗୋରୁ ଚରାଉଥାଇ ବନେ । ଗୋପେ ଆସଇ ରାତ୍ରମାନେ ॥ ୧୩୫
ଯେବେ ଗୋ ତା'ର ମୁଖ ଦେଖି । ପିଛାଡ଼ି ନ ପାରୁ ଯେ ଆଖି ॥ ୧୩୬
କଟାକ୍ଷ କରି ବେଣୁବାଇ । ଚାହଁନ୍ତେ ଜଗତ ମୋହଇ ॥ ୧୩୭
ଏବେ ମଥୁରାପୁର ଗଲେ । କେମନ୍ତେ ବଞ୍ଚିବା ଗୋ ଭଲେ ॥ ୧୩୮
ଏମନ୍ତ ହୋଇ ଗୋପନାରୀ । କୃଷ୍ଣ ବିଚ୍ଛେଦେ ତନୁ ଘାରି ॥ ୧୩୯
ଲାଜ ଛାଡ଼ିଲେ ଗୋପଦାଣ୍ତେ । ତାଡ଼ନ୍ତି ବେନିକର ମୁଣ୍ତେ ॥ ୧୪୦
ବିକଳେ ବୁଜନ୍ତି ନୟନ । କାନ୍ଦନ୍ତି ଧରି କୃଷ୍ଣନାମ ॥ ୧୪୧
ମୁକୁନ୍ଦ ଦାମୋଦର ହରି । ମାଧବ କୃଷ୍ଣ ଦଇତ୍ୟାରି ॥ ୧୪୨
ଜୀବନ ଗଲାଟି ଆମ୍ଭର । ମଥୁରା ନ ଯା ଦାମୋଦର ॥ ୧୪୩
ତୋତେ ନ ପାଇ ଭାବଗ୍ରାହୀ । ଦିନ ବଞ୍ଚିବୁ କାହା ଚାହିଁ ॥ ୧୪୪
ଅକ୍ରୁର ଆମ୍ଭ ଚକ୍ଷୁ ନେଲା । ଜୀବନ ଜିଉଁ ଜିଉଁ ମଲା ॥ ୧୪୫
ରୋଦନ ଶୁଣି ଗୋପୀଜନେ । ଅକ୍ରୁର କୋପକଲା ମନେ ॥ ୧୪୬
ବୋଲଇ ନନ୍ଦ ମୁଖ ଚାହିଁ । ଲେଉଟି ଯିବି ଆଜ ମୁହିଁ ॥ ୧୪୭
ବଳେ ପାରିବୁଟିକି ରହି । ଗୋପୀଏ ହେଉଛନ୍ତି ବାଈ ॥ ୧୪୮
କହନ୍ତି ଆନୁଆନ କରି । ରୁଣ୍ତ ହୋଇଣ ସର୍ବନାରୀ ॥ ୧୪୯
ଜାଣୁନା କଂସର ମହିମା । ଗୋପନଗରେ ଯେତେ ବାମା ॥ ୧୫୦
କ୍ଷଣକେ କରିବ ନିପାତ । କିସ କରିବେ ବଳବନ୍ତ ॥ ୧୫୧
ଏହାଙ୍କୁ କରି ନିବାରଣ । ବେଗେଣ ଚଳ ମଧୁବନ ॥ ୧୫୨
ଲେଉଟିଗଲେ ଆଜ ମୁହିଁ । ଗୋପେ ପାରିବୁଟିକି ରହି ॥ ୧୫୩
ଦଣ୍ତେ ହେଁ ନ କର ଉଚୁର । କୁଶଳ ଇଚ୍ଛା ଯେବେ ତୋ'ର ॥ ୧୫୪
ରାମଗୋବିନ୍ଦ ମୋତେ ଦେଇ । ନ ଯାଇ ପଛେ ଥାଅ ତୁହି ॥ ୧୫୫
ଯଶୋଦା ଅକ୍ରୁରକୁ ଚାହିଁ । କାନ୍ଦଇ କୃଷ୍ଣ କୋଳେ ଲଇଁ ॥ ୧୫୬
ରୋହିଣୀ ଘେନି ହଳଧରେ । ରୋଦନ କଲେ ଉଚ୍ଚସ୍ୱରେ ॥ ୧୫୭
ବଜ୍ର ପଡ଼ିଲା ଶିରେ ଜାଣି । କାନ୍ଦନ୍ତି ଯଶୋଦା-ରୋହିଣୀ ॥ ୧୫୮
ଦଇବ କଲୁ ବିପରୀତ । କାହାକୁ ସମର୍ପିବୁ ସୁତ ॥ ୧୫୯
ଜୀବନ ଥିବ ଆମ୍ଭ କାହିଁ । ମରିବୁ ପୁତ୍ରକୁ ନ ପାଇ ॥ ୧୬୦
ଯଶୋଦା କୃଷ୍ଣ ମୁଖ ଚାହିଁ । କାନ୍ଦଇ ମୁଖେ ଚୁମ୍ବ ଦେଇ ॥ ୧୬୧
ତୁ କୃଷ୍ଣ ଗଲେ ମଧୁପୁରୀ । ଜୀବନ ନ ପାରିବି ଧରି ॥ ୧୬୨
ଗୋରୁ ଚରାଉ ଯେତେବେଳେ । କାନନେ ଗୋପସୁତ ମେଳେ ॥ ୧୬୩
ଦଣ୍ତେ ମୁଁ ନ ଦେଖିଲେ ତୋତେ । ନିମିଷ ହୁଏ ଯୁଗ ଶତେ ॥ ୧୬୪
ପୁଛଇଁ ଜଣେ ଜଣେ ମୁହିଁ । ପୁତ୍ର ମୋ' କେ ଦେଖିଛ କାହିଁ ॥ ୧୬୫
କ୍ଷତ-ହରିଣୀ ପ୍ରାୟ ହୋଇ । ରବିକିରଣେ ଚାହୁଁଥାଇ ॥ ୧୬୬
ବେଳ ତ ହୋଇଲା ଉଛୁର । କୃଷ୍ଣ ନ ଇଲା କିପାଁ ଘର ॥ ୧୬୭
ଅନ୍ନ ବ୍ୟଞ୍ଜନ ମୋତେ ପିତା । ତୋତେ ନ ଦେଖି ମୋର ଚିନ୍ତା ॥ ୧୬୮
ନିମିଷ ଯୁଗପ୍ରାୟ ହୋଇ । ଘରବାହାରେ ନ ରହଇ ॥ ୧୬୯
ତୋ'ର ବଦନ ଯେତେବେଳେ । ଦେଖଇ ନୟନ-ଯୁଗଳେ ॥ ୧୭୦
ତେବେ ମୋ' ଜୀବନ ପଶଇ । ସରଲବଣୀ ତୋତେ ଦେଇ ॥ ୧୭୧
ଏବେ ତୁ ମଧୁପୁର ଗଲେ । ମୁହିଁ ଯିବଇଁ ତୋର ତୁଲେ ॥ ୧୭୨
ପୁଣି ରାମକୁ କୋଳ କରି । ଶୋକେ ବୋଲଇ ନନ୍ଦନାରୀ ॥ ୧୭୩
ତୁ ରାମ ବଳେ ବଳୀୟାର । କୃଷ୍ଣ ମୋ' ନୁହଇ ଚତୁର ॥ ୧୭୪
ସଙ୍ଗ ତୁ ନ ଛାଡ଼ିବୁ ଦଣ୍ତେ । ଗହଳ ମଥୁରାର ଦାଣ୍ତେ ॥ ୧୭୫
ଏମନ୍ତ କହି ନନ୍ଦନାରୀ । ବେନିଲୋଚନୁ ବହେ ବାରି ॥ ୧୭୬
ଅକ୍ରୁର କୋପେ ପରଜ୍ୱଳି । ରୋଷେ ନନ୍ଦକୁ ଦେଲା ଗାଳି ॥ ୧୭୭
କୃଷ୍ଣ ସାରିଲେ ନିତ୍ୟକର୍ମ । ସଜ ହୋଇଲେ ବଳରାମ ॥ ୧୭୮
ଗୋପୀଙ୍କ ରୋଦନ ଚହଳ । ଗୋପରେ ଶୁଭୁଅଛି ଗୋଳ ॥ ୧୭୯
ପ୍ରଳୟ ସିନ୍ଧୁ ପ୍ରାୟ ମଣି । ବୋଲନ୍ତି ରାମଚକ୍ରପାଣି ॥ ୧୮୦
ଗୋପାଳେ ହୁଅ ଆଗୁସାର । ଗୋରସ ଶକଟ ସମ୍ଭାର ॥ ୧୮୧
ଅକ୍ରୁର ନିତ୍ୟକର୍ମ ସାରି । ରଥେ ତୋଳିଲା ରାମହରି ॥ ୧୮୨
ମଙ୍ଗଳବାଦ୍ୟ ଗୀତ ଧ୍ୱନି । ଆନନ୍ଦେ ଉଛୁଳେ ମେଦିନୀ ॥ ୧୮୩
ଆକାଶେ ଥାଇ ଦେବଲୋଭେ । କୁସୁମ ବରଷନ୍ତି ଥୋକେ ॥ ୧୮୪
ଦିଗେ ଦିଶନ୍ତି ପରିମଳ । ପବନ ବହଇ ଶୀତଳ ॥ ୧୮୫
କୃଷ୍ଣର ପଥ ଅନୁକୂଳ । ଶୂନ୍ୟେ ମିଳିଲେ ମେଘମାଳ ॥ ୧୮୬
ଗଗନେ ଦୁନ୍ଦୁଭି ଶବଦ । ମଙ୍ଗଳ କଲେ ଗୀତନାଦ ॥ ୧୮୭
ଦେଖନ୍ତି ଦଶଦିଗପାଳେ । ବାହାର ହୋଇଲେ ଗୋପାଳେ ॥ ୧୮୮
ଶକଟ ଯା'ନ୍ତି ଯୂଥ ଯୂଥ । ଗୋରସ-ଭାର ଅପ୍ରମିତ ॥ ୧୮୯
ବାଜଇ ମଙ୍ଗଳ-ମହୁରି । ମଥୁରା ଯିବେ ନରହରି ॥ ୧୯୦
ଗୋପୀଏ ଓଗାଳନ୍ତି ରଥ । କାହିଁକି ଯିବ ଗୋପୀନାଥ ॥ ୧୯୧
ଆମ୍ଭ ଜୀବନ ହସ୍ତେ ଘେନି । ମଥୁରା ଯାଆ ଭାଇବେନି ॥ ୧୯୨
ଏଡ଼େ ନିର୍ଦ୍ଦୟ ତୋ'ର ହିଆ । ଆମ୍ଭରେ ଛାଡ଼ିଲୁ ତୁ ଦୟା ॥ ୧୯୩
ଯେବେ ଅକ୍ରୁର ତୋତେ ଧରି । ନେଉଛି ମଥୁରା ନଗରୀ ॥ ୧୯୪
ଆମ୍ଭେ ସକଳେ ତୋର ସଙ୍ଗେ । ଥିବୁ ତୋ' ରଥ ଲାଗେ ଲାଗେ ॥ ୧୯୫
କଂସର ମୁଖେ ତୋତେ ଦେଇ । ଘରେ ରହିବୁ କିସ ପାଇଁ ॥ ୧୯୬
ଆମ୍ଭେ ତୋହର ସର୍ବବାଳୀ । ଗୋପ ନ ଛାଡ଼ ବନମାଳୀ ॥ ୧୯୭
କାକର ଘରେ ପିକ ପରି । ଏବେ ତ ପକାଉ ପାସୋରି ॥ ୧୯୮
ଶୁଣି ବୋଲନ୍ତି ଦାମୋଦର । କୋମଳ ବଚନ ଗଭୀର ॥ ୧୯୯
ଶୁଣ ଗୋ ସଖୀଜନେ ମୋର । ରାଜାର ଆକଟ ଅପାର ॥ ୨୦୦
ଦେଖ ଆମ୍ଭଙ୍କୁ ରଥେ ଭରି । ଅକ୍ରୁର ନେଉଅଛି ଧରି ॥ ୨୦୧
ଧନୁଉତ୍ସବ ରଙ୍ଗସଭା । ଆମ୍ଭେ ଗୋ ନୟନେ ଦେଖିବା ॥ ୨୦୨
ରାଜା ହୋଇବ ବଡ଼ ତୋଷ । ଆମ୍ଭଙ୍କୁ ଦେବ ଗ୍ରାମ ଦେଶ ॥ ୨୦୩
ଚାରିଦିଗରୁ ଲୋକେ ଆସି । ରଙ୍ଗସଭାରେ ଥିବେ ବସି ॥ ୨୦୪
ଅନେକ ଦୁରୁଁ ନରନାରୀ । ଅଣାଇଅଛି ଦଣ୍ତଧାରୀ ॥ ୨୦୫
ଉତ୍ସବ ଦେଖି ତୋଷମନେ । ଆମେ ଆସିବୁ ଚାରିଦିନେ ॥ ୨୦୬
ତୁମ୍ଭେ ଗୋ ଯାଅ ଯେଝାଘରେ । ମନ ନିବେଶି ମୋ' ପୟରେ ॥ ୨୦୭
ଅକ୍ରୁର ଶୁଣି କେପଭରେ । ରଥ ବାହିଲା ଧାତିକାରେ ॥ ୨୦୮
ଗୋପୀଏ ଛାଡ଼ନ୍ତି ବୋବାଳି । ବାଲିରେ ନ ପାରନ୍ତି ଚାଲି ॥ ୨୦୯
ଆହା ଗୋବିନ୍ଦ ନନ୍ଦସୁତ । ବୋଲି ହୋଇଲେ ମୂରୁଛି୍ତ ॥ ୨୧୦
କଦଳୀ ଯେହ୍ନେ ବାତଘାତେ । ପଡ଼ିଲେ ଗୋପବାଳୀ ପଥେ ॥ ୨୧୧
ପଡ଼ିଣ ଗୋପୀ ଅଣାୟତ୍ତେ । ଅଜ୍ଞାନ ମୋହେ ରାଜପଥେ ॥ ୨୧୨
ଗୋପୀ ବିକଳ କୃଷ୍ଣ ଚାହିଁ । ଗୋପାଳପୁଅଙ୍କୁ ସେ ରାଇ ॥ ୨୧୩
ଶ୍ରୀଦାମ ନାମେ ଗୋପବାଳ । ତା'ରେ ବିଶ୍ୱାସ ନନ୍ଦବାଳ ॥ ୨୧୪
ତାହାକୁ ନିକଟେ ଅଣାଇଁ । କହନ୍ତି ବିଶ୍ୱାସ କରାଇ ॥ ୨୧୫
ଗୋପୀଙ୍କି କହ ତୁ ବହନେ । ଆମ୍ଭେ ଆସିବୁ ଚାରିଦିନେ ॥ ୨୧୬
ଧନୁଉତ୍ସବ ମୁଁ ଦେଖିବି । ରାଜାର ମନକୁ ତୋଷିବି ॥ ୨୧୭
ମଥୁରା ନ ରହିବି ଦଣ୍ତେ । ତୁମ୍ଭେ ଗୋ ଜଗିଥିବ ଦାଣ୍ତେ ॥ ୨୧୮
ମୋତେ ଦେଖିବ ରାତ୍ରମାନେ । ନନ୍ଦମନ୍ଦିରେ ଚାରିଦିନେ ॥ ୨୧୯
ମୋହର ସତ୍ୟ ଏ ବଚନ । ଏଥକୁ ସାକ୍ଷି ନିରଞ୍ଜନ ॥ ୨୨୦
ଆବର କହିବୁ ତୁ ଯାହା । କହଇ ଶୁଣ ତୋରେ ତାହା ॥ ୨୨୧
ମୁଁ ଯେ ଭକତ ଭାବେ ବାଇ । ଭାବ ନିକଟେ ନିତ୍ୟେ ଥାଇ ॥ ୨୨୨
ଶରଦରାସ କାଳେ ଯାହା । ହୋଇଲେ ଯେତେକ ଉତ୍ସାହା ॥ ୨୨୩
ତାହାଙ୍କ ଭକ୍ତିଭାବ ଘେନି । ରମିଲି ସକଳ କାମିନୀ ॥ ୨୨୪
ସେ ମୋର ଦେହର ଜୀବନ । ଚକ୍ଷୁପିତୁଳୀ ନିରଞ୍ଜନ ॥ ୨୨୫
ଜୀବନ ଛାଡ଼ି ଯାଉଅଛି । ମୃତ୍ୟୁପିଣ୍ତକୁ କେହୁ ଗଚ୍ଛି ॥ ୨୨୬
କେବଳ ରାଜକାର୍ଯ୍ୟ ସାରି । ତହିଁ ରହିବୁ ଦିନ ଚାରି ॥ ୨୨୭
ଏ କଥା ଗୋପୀଙ୍କି କହିବୁ । ଘରକୁ ପଠିଆଇ ଦେବୁ ॥ ୨୨୮
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ଶ୍ରୀଦାମ ଗଲା ବେଗ ହୋଇ ॥ ୨୨୯
କହିଲା ଗୋପୀଙ୍କ ଆଗର । ବୋଇଲା ଯାଅ ଯେଝାଘର ॥ ୨୩୦
ଶୁଣି ଗୋପୀଏ ଛନ ଛନ । କୃଷ୍ଣର ତହିଁ ଦେଇ ମନ ॥ ୨୩୧
ରଥକୁ ଚାହାଁନ୍ତି ନିରୋପି । ଚିତ୍ରପ୍ରତିମା ପ୍ରାୟ ଗୋପୀ ॥ ୨୩୨
କେ ବୃକ୍ଷେ ଉଠିଲେ ବହନ । ରଥରେ ନିବେଶି ନୟନ ॥ ୨୩୩
ପୀଢ଼ାରେ ଉଠି କେ ଦେଖନ୍ତି । ବୃକ୍ଷ ଆରୋହି କେ ଚାହାଁନ୍ତି ॥ ୨୩୪
କେ ଉଚ୍ଚଶିଖେ ଉଠି ଡ଼ାକି । ରଥ-ପତାକେ ଦେଇ ଆଖି ॥ ୨୩୫
କେ ବୋଲେ ଯିବା ଧାତିକାରେ । କୃଷ୍ଣ ଭେଟିବା ନଦୀତୀରେ ॥ ୨୩୬
ଏମନ୍ତେ କୁହାକୁହି ହୋନ୍ତେ । ବିମାନ ନ ଦିଶିଲା ପଥେ ॥ ୨୩୭
ହୋଇଲା ବିମାନ ଅଦୃଶ୍ୟ । ଗୋପୀଏ ହୋଇଲେ ନିରାଶ ॥ ୨୩୮
ନିଃଶ୍ୱାସ ଛାଡ଼ି ଖେଦଭରେ । ଜୀବନ ନ ରହେ ଶରୀରେ ॥ ୨୩୯
ଗୁରୁ ଗଉରବ ନ ଗଣି । ରାତ୍ର-ଦିବସ ଏକ ମଣି ॥ ୨୪୦
ମନ ନିବେଶି କୃଷ୍ଣପାଦେ । ଗୋପୀଏ ରହିଲେ ବିଷାଦେ ॥ ୨୪୧
ଅକ୍ରୁର ତୋଷମନ ହୋଇ । ବନଗହନେ ରଥ ବାହି ॥ ୨୪୨
ପବନୁଁ ବେଗେ ରଥ ଗଲା । କାଳିନ୍ଦୀ ନିକଟେ ମିଳିଲା ॥ ୨୪୩
ରଥୁଁ ଓହ୍ଲାଇ ବେନିଭାଇ । ଜଳ ପିଇଲେ ତୋଷ ହୋଇ ॥ ୨୪୪
ନିର୍ମଳ କାଳିନ୍ଦୀର ଜଳ । ସ୍ୱଭାବେ ସୁସ୍ୱାଦୁ ଶୀତଳ ॥ ୨୪୫
ଶିରବଦନେ ଜଳସିଞ୍ଚି । କରଯୁଗଳେ ମୁଖପୋଛି ॥ ୨୪୬
ବୃକ୍ଷର ମୂଳେ ନେଇ ରଥ । ବସିଲେ ରାମଗୋପୀନାଥ ॥ ୨୪୭
ଅକ୍ରୁର ବେନିକର ଯୋଡ଼ି । କହଇ କୃଷ୍ଣପାଦେ ପଡ଼ି ॥ ୨୪୮
ଭୋନାଥ ହୋଇବା ପ୍ରସନ୍ନ । କରିବି ଯମୁନାରେ ସ୍ନାନ ॥ ୨୪୯
ଉଠି ତୋହର ମୁଖ ଚାହିଁ । ପବିତ୍ର ହୋଇବଇଁ ମୁହିଁ ॥ ୨୫୦
ବୋଲନ୍ତି ପ୍ରଭୁ ଭଗବାନ । ଯା' ବେଗେ କରତୁ ସ୍ନାହାନ ॥ ୨୫୧
ବହନ ଯିବା ମଧୁପୁର । ଅକ୍ରୁର ନ କର ଉଚ୍ଛୁର ॥ ୨୫୨
ରଥୁଁ ଓହ୍ଲାଇ ଖରତରେ । ପଶିଲା କାଳିନ୍ଦୀ ଭିତରେ ॥ ୨୫୩
ବୁଡ଼ିଲା ମାଧବ ସୁମରି । ଜଳେ ଦେଖିଲା ରାମହରି ॥ ୨୫୪
ଯେସନେ କୂଳେ ଗଲା ଚାହିଁ । ଦେଖିଲା ଜଳମଧ୍ୟେ ତା ହିଁ ॥ ୨୫୫
ଦେଖି ଚକିତମନ ହୋଇ । ବୋଲେ ଅଇଲେ କି ପଳାଇ ॥ ୨୫୬
କଂସର ଡ଼ରେ ରଥେ ବସି । ବେନି ସୋଦର ଜଳେ ପଶି ॥ ୨୫୭
ପଳାଇ ଯିବେ ଗୋପପୁର । ମୋତେ ମାରିବ କଂସାସୁର ॥ ୨୫୮
କି ବୁଦ୍ଧି କରିବଇଁ ମୁହିଁ । କୂଳେ ଯେ ଅଇଲି ବସାଇ ॥ ୨୫୯
ଡ଼ରେଣ ଗଲେ କି ପଳାଇ । ଉଠି କୂଳକୁ ଦେଲା ଚାହିଁ ॥ ୨୬୦
ଦେଖଇ ବୃକ୍ଷତଳେ ରଥ । ଅଛନ୍ତି ରାମ-ଗୋପୀନାଥ ॥ ୨୬୧
ଚକିତ ହୋଇଲା ଅକ୍ରୁର । ଭୟେ କମ୍ପଇ ଥରହର ॥ ୨୬୨
ବୋଲଇ ଜଳେ ଅନ୍ୟକିସ । ମୁହିଁ ଯେ ଦେଖିଲି ସଦୃଶ ॥ ୨୬୩
କି ମୋର ଚିତ୍ତ ହୋଏ ଭ୍ରମ । ହୋଇଲା ଅଦଭୁତ କର୍ମ ॥ ୨୬୪
ମିଥ୍ୟା ନୁହଁଇନା ସେ ଜଳେ । ପୁଣି ବୁଡ଼ିଲା ଆଉ ବେଳେ ॥ ୨୬୫
ଦେଖଇ ରତ୍ନମୟ-ପୁରେ । ସୁବର୍ଣ୍ଣ ବିମାନ ଉପରେ ॥ ୨୬୬
ସୁରଙ୍ଗ ରତ୍ନସିଂହାସନ । ଶୀତଳ ବହଇ ପବନ ॥ ୨୬୭
ଅନନ୍ତ ରୂପେ ହଳଧର । କୋଟିଏ ଚନ୍ଦ୍ର ପଟାନ୍ତର ॥ ୨୬୮
ସହସ୍ର ଫଣା ମଣି ଶିର । କଟି ଦୂକୁଳ ନୀଳାମ୍ବର ॥ ୨୬୯
ରୂପେ ଶୋଭିତ ଶିବଗିରି । କୋଟିଏ କାମ ନୋହେ ସରି ॥ ୨୭୦
ମଣିକୁଣ୍ତଳ ବନମାଳ । ସୁରଙ୍ଗ ଅଳକ କପୋଳ ॥ ୨୭୧
କଟିମେଖଳା ରତ୍ନସାର । ନିବିଡ଼ ସୁରଙ୍ଗ ଅଧର ॥ ୨୭୨
ହାର କେୟୂର ଝଟକନ୍ତି । ଯେହ୍ନେ ଗଗନେ ତାରାପତି ॥ ୨୭୩
ଅନନ୍ତକୋଳେ ବନମାଳୀ । ନୀଳଜୀମୂତ ଦେହ ଝଳି ॥ ୨୭୪
ପୀତବସନ ବନମାଳ । ଶ୍ରବଣେ ମକର କୁଣ୍ତଳ ॥ ୨୭୫
ସୁନ୍ଦର ନୀଳଭୁଜ ଚାରି । ଶଙ୍ଖ କମଳ ଗଦା ଅରୀ ॥ ୨୭୬
ବିକଚ-କମଳ-ଲୋଚନ । ସୁରଙ୍ଗ ହସିତ ବଦନ ॥ ୨୭୭
ଅନଙ୍ଗ ଚାପ ଭୁରୁ ରେଖା । ସୁନ୍ଦର କପୋଳ ନାସିକା ॥ ୨୭୮
ରଙ୍ଗ ଅଧରେ ମନ୍ଦ ହାସ । କର୍ଣ୍ଣେ କୁଣ୍ତଳ ରବିତ୍ରାସ ॥ ୨୭୯
ଦୀର୍ଘ ଶ୍ରୀଭୁଜ ଜାନୁଯାଏଁ । ଦିଶେ ମର୍କତ ସ୍ତମ୍ଭ ପ୍ରାୟେ ॥ ୨୮୦
ତୁଙ୍ଗ ହୃଦୟ ଶ୍ରୀନିବାସ । ଶ୍ରୀବତ୍ସ ଚିହ୍ନ ବାମପାଶ ॥ ୨୮୧
ଦକ୍ଷିଣାବର୍ତ୍ତ କମ୍ବୁଗ୍ରୀବ । ପେଟେ ତ୍ରିବଳୀ ପଦ୍ମନାଭ ॥ ୨୮୨
ନାଭି ଗଭୀର ମଝାକ୍ଷୀଣ । ବୃଶାଳକଟି ରତ୍ନଦାମ ॥ ୨୮୩
ନିତମ୍ବ କରୀକୁମ୍ଭ ଜିଣି । କଟିମେଖଳା ଓଡ଼ିଆଣୀ ॥ ୨୮୪
ଉଲଟରମ୍ଭା ଜାନୁ ଯୁଗ । ଗୁଳ୍ଫଯୁଗଳ ସଞ୍ଚତୁଙ୍ଗ ॥ ୨୮୫
ମାଣିକ୍ୟ ପ୍ରାୟ ନଖପନ୍ତି । ଅଙ୍ଗୁଳି ଅଗ୍ରେ ଝଟକନ୍ତି ॥ ୨୮୬
ନବପଲ୍ଲବ ପ୍ରାୟ ଝଳି । କୋମଳ ଦିଶଇ ଅଙ୍ଗୁଳି ॥ ୨୮୭
କମଳକୋଷ ପ୍ରାୟ ହୋଇ । ବେନି ଚରଣ ବିରାଜଇ ॥ ୨୮୮
ଅମୂଲ୍ୟରତ୍ନମୟ ରାଶି । ବିବିଧ ଅଳଙ୍କାର ମିଶି ॥ ୨୮୯
ଶିରେ ମୁକୁଟ ହୃଦେ ହାର । କଟିମେଖଳା ରତ୍ନସାର ॥ ୨୯୦
ଉତ୍ତରୀ ଯଜ୍ଞସୂତ୍ର କନ୍ଧେ । କୁଣ୍ତଳ କର୍ଣ୍ଣଯୁଗଭାଗେ ॥ ୨୯୧
ରତ୍ନସମୂହ ତେଜରାଶି । ଚତୁର ଭୁଜ ପରକାଶି ॥ ୨୯୨
ଚକ୍ର କମଳ ଗଦା ଶଙ୍ଖ । ଗଣ୍ତଯୁଗଳେ ରାହୁରେଖ ॥ ୨୯୩
ଶ୍ରୀବତ୍ସ ଚିହ୍ନ ହୃଦୟରେ । ବନମାଳାଏ ଲମ୍ବେ ଉରେ ॥ ୨୯୪
ସୁନନ୍ଦ ଆଦି ପାରିଷଦେ । ପକାନ୍ତି ଚାମର ଆନନେ୍ଦ ॥ ୨୯୫
ସନକ ଆଦି ମୁନିଗଣେ । ଖଟନ୍ତି ଅଭୟଚରଣେ ॥ ୨୯୬
ବ୍ରହ୍ମା ଶଙ୍କର ଇନ୍ଦ୍ର ଘେନି । ସ୍ତୁତି କରନ୍ତି ସୁରମୁନି ॥ ୨୯୭
କିନ୍ନରୀ ତୁମ୍ବୁରୁ ନାରଦ । ବୀଣାଶବଦେ ଗୀତନାଦ ॥ ୨୯୮
ଭକତ ପ୍ରହଲ୍ଲାଦ ଆଦି । ଧ୍ରୁବଭୂଷଣ୍ତ ବେଦବାଦୀ ॥ ୨୯୯
ନିର୍ମଳବାଣୀ ଯେଝାମତେ । ସ୍ତୁତି କରନ୍ତି ଦୃଢ଼ଚିତ୍ତେ ॥ ୩୦୦
କମଳା ଆଦି ଯେତେ ଦେବୀ । ଧୀରେ ଚରଣେ ଛନ୍ତି ସେବି ॥ ୩୦୧
ଏମନ୍ତ କୃଷ୍ଣରୂପ ଜଳେ । ଦେଖି ଅକ୍ରୁର ବେନିଡ଼ୋଳେ ॥ ୩୦୨
ରୋମାଞ୍ଚ ହୋଇଲା ଶରୀର । ଅଶ୍ରୁ ଗଳଇ ନିରନ୍ତର ॥ ୩୦୩
ଆନନ୍ଦେ କଣ୍ଠ ଗଦ ଗଦ । ମୁଖୁଁ ନସ୍ଫୁରଇ ଶବଦ ॥ ୩୦୪
ଜଳୁ ବାହାର ହୋଇ ଆସି । କୂଳେ ଦେଖିଲା ବ୍ରହ୍ମରାଶି ॥ ୩୦୫
ପାଦେ ପଡ଼ିଲା ବେଗେ ଯାଇ । ଉଠିଲା ଶିରେ କର ଦେଇ ॥ ୩୦୬
ସଭୟେ ବୁଜିଲା ନୟନ । ପୁଣି ଚାହଁଇ ଛନଛନ ॥ ୩୦୭
ଆନନ୍ଦସାଗରେ ବୁଡ଼ିଲା । କରଅଞ୍ଜଳି ଶିରେ ଦେଲା ॥ ୩୦୮
ଭୟେ କମ୍ପିଲା ତା'ର ଦେହୀ । ସ୍ତୁତି କରଇ କୃଷ୍ଣ ଚାହିଁ ॥ ୩୦୯
କହଇ ଜଗନ୍ନାଥ ଦାସ । ଗୋବିନ୍ଦ ଚରଣେ ବିଶ୍ୱାସ ॥ ୩୧୦
କାଳିନ୍ଦୀଜଳେ ଦେଇ ଚିତ୍ତ । ସୁଜନେ ଚିନ୍ତ କୃଷ୍ଣପଥ ॥ ୩୧୧
ଜନ୍ମମରଣ ଭୟ ନାଶ । କୃଷ୍ଣ ଚରଣେ ହୁଅ ଦାସ ॥ ୩୧୨
ନିରତେ ଚିନ୍ତ ରାମହରି । ଭବସାଗରୁ ହୁଅ ପାରି ॥ ୩୧୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ପ୍ରତିଯାନେ ନାମ ଦ୍ୱିଚତ୍ୱରିଂଶୋଽଧ୍ୟାୟଃ ॥
* * *