ଦଶମ ସ୍କନ୍ଧ
ଏକଚତ୍ୱାରିଂଶ ଅଧ୍ୟାୟ
ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥ ୧
ଏଣେ ତୁ ହୋଇବୁ ନିସ୍ତାରି । ହେଳେ ତରିବୁ ଭବବାରି ॥ ୨
କେଶୀ କି ଆଶ କରି କଂସ । ରଖି ଯେ ଅଛି ଯଦୁବଂଶ ॥ ୩
କେଶୀ ଅଇଲେ କାର୍ଯ୍ୟ କରି । ସମସ୍ତ ପକାଇବ ମାରି ॥ ୪
ଏମନ୍ତ ସମୟେ ସଭାର । ବାରତା କହିଲା ଡ଼ଗର ॥ ୫
କରଅଞ୍ଜଳି ଶିରେ ଦେଇ । ଚରଣେ ନିବେଶିଲା ଯାଇ ॥ ୬
ଡଗର ମୁଖେ ପରକାଶେ । କହିଲେ ଦ୍ରୋହ ମୋରଶେଷେ ॥ ୭
ନାହିଁତ କିଛି ତୋ'ର ଦ୍ରୋହ । ଯାହା ଦେଖିଲୁ ତାହା କହ ॥ ୮
କଂସର ଏ ବଚନ ଶୁଣି । ଡଗର କହେ ପରିମାଣି ॥ ୯
ପୂର୍ବହୁଁ ଅଛଇ ଜଣାଇ । ପୂତନା ପଡ଼ିଲା ଗୋସାଇଁ ॥ ୧୦
ତୃଣା ଶକଟା ବତ୍ସାସୁର । ତିନିହେଁ ଗଲେ ଯମଆଳ ॥ ୧୧
ଅଘାର ଦେହ ନିସ୍ତାରଣ । ବିଚିତ୍ର ତାହାର ମରଣ ॥ ୧୨
ଧେନୁକ ପ୍ରଳମ୍ବ ଦଇତ୍ୟ । ତା' ଭାଇ ରାମ କଲା ହତ ॥ ୧୩
କଥାଏ କହିବି ଗୋସାଇଁ । ନୋହିଲେ ପ୍ରତେ ଯିବୁ ନାହିଁ ॥ ୧୪
ସାତବରଷର ବାଳୁତ । କରେ ତୋଳିଲା ପରବତ ॥ ୧୫
ପୋଏ ତୋଳନ୍ତି ଯେହ୍ନେ ଛତି । କୃଷ୍ଣର ବିକ୍ରମ ମୂରତି ॥ ୧୬
ବିବାଦେ ଇନ୍ଦ୍ର ହାରିଗଲା । କୃଷ୍ଣରେ ଶରଣ ପଶିଲା ॥ ୧୭
କାଳୀୟ କାଳିନ୍ଦୀ ହ୍ରଦରେ । ଫଣା ସେ ମର୍ଦ୍ଦିଲା ପୟରେ ॥ ୧୮
ଅରିଷ୍ଟ ଷଣ୍ଢ ଗୋପେ ଚଳି । ଯାଇ ମିଳିଲେ ଗୋପପୁରୀ ॥ ୧୯
ହୋଇଲେ ଲୀଳାମାତ୍ରେ ଶେଷ । ଜନନୀ ଦେଖିଲା ଅଶେଷ ॥ ୨୦
ଶୁଣ ତୁ ଭୋଜ ରାଜବଂଶୀ । ଏବେ ପଡ଼ିଲା ତୋ'ର କେଶୀ ॥ ୨୧
ଶୁଣି କମ୍ପିଲା ତା'ର ତନୁ । ଢଳି ପଡ଼ିଲା ସିଂହାସନୁଁ ॥ ୨୨
ପଡ଼ିଣ ମୂର୍ଚ୍ଛାଗତ ହେଲା । ଅଚେଷ୍ଟ ହୋଇଣ ରହିଲା ॥ ୨୩
ପୁଣ ସେ ପାଇଣ ଚେତନ । କଲାକ ବହୁତ ରୋଦନ ॥ ୨୪
ତୁ କେଶୀ ମୋର ପ୍ରାଣ ସାହା । ଛିଡ଼ି ପଡ଼ିଲା ମୋର ବାହା ॥ ୨୫
ତୋତେ ନ ଦେଖି ମୋର ଡ଼କା । ତୁ କେଶୀ ମୋର ପ୍ରାଣସଖା ॥ ୨୬
ବାଳୁତ କାଳୁ ଯେତେ ଗୁଣ । ସୁମରି କାନ୍ଦେ ନୃପରାଣ ॥ ୨୭
ଅନେକ ରୋଦନ ଚହଳ । ସଭାରେ ହୋଇଲା ବିକଳ ॥ ୨୮
ଶୋକ ଦେଖିଣ ମହାମଲ୍ଲେ । ପ୍ରତିଜ୍ଞା କରିଣ ତୋଳିଲେ ॥ ୨୯
ଆମ୍ଭେ ଯେ ତୋହର ସେବକ । ତୁ ରାଜା କରୁ କିମ୍ବା ଶୋକ ॥ ୩୦
ତୋ'ର ଆଦେଶେ ଦିଗପାଳ । ସ୍ୱର୍ଗେ ଜିଣିଲୁଁ ଆଖଣ୍ତଳ ॥ ୩୧
ଏମନ୍ତ ପ୍ରତିଜ୍ଞା ତୋହର । ଏଥକୁ ଶୋଚନା ନ କର ॥ ୩୨
ରାମ ଗୋବିନ୍ଦ ବେନିଭାଇ । ପାରୁ କି ଏଥକୁ ଅଣାଇ ॥ ୩୩
ଦେଖିବୁ ବିଚିତ୍ର ସମର । ରାମକୃଷ୍ଣ ସଙ୍ଗେ ଆମ୍ଭର ॥ ୩୪
ଶୁଣି ସାନନ୍ଦ କଂସନୃପ । ମନରୁ ଛାଡ଼ିଲା ସନ୍ତାପ ॥ ୩୫
ବୀରଙ୍କୁ କହଇ ଉତ୍ତର । ସେ ମେର ଆତ୍ମା ଉର ଶଲ୍ୟ ॥ ୩୬
ଉପାୟ କରି ତା'କୁ ଜିଣ । ତା' ହସ୍ତେ ମୋହର ମରଣ ॥ ୩୭
ଅକ୍ରୁର ପେଷୁଅଛି ମୁହିଁ । ଘେନି ଆସିବ ବେନିଭାଇ ॥ ୩୮
ନନ୍ଦ ଯଶୋଦା ଆଦି କରି । ସଭିଙ୍କି ପକାଇବି ମାରି ॥ ୩୯
କହିଣ ଭିତରକୁ ଗଲା । ଶୁଣ ହୋ ଅଭିମନ୍ୟୁ ବଳା ॥ ୪୦
କଂସ ଆଦେଶ ଘେନି ଶିରେ । ଅକ୍ରୁର ବସିଲା ରଥରେ ॥ ୪୧
ଅରୁଣ ତେଜ ପ୍ରକାଶିଲା । ଦିଗ ଆନନ୍ଦେ ବିକାଶିଲା ॥ ୪୨
ବ୍ରାହ୍ମଣେ ଉଠି ରାତ୍ର ଅନ୍ତେ । ସ୍ତୁତି କରନ୍ତି ବେଦମନ୍ତ୍ରେ ॥ ୪୩
ମଙ୍ଗଳସ୍ୱରେ ବେଦଧ୍ୱନି । ଚଳିଲେ ତପୋବନେ ମୁନି ॥ ୪୪
ଜନେ ସୁମରନ୍ତି ମୁରାରି । ଯେ ଯାହାମତେ ସ୍ତୁତି କରି ॥ ୪୫
ମଳିନ ହୋଇ ତାରାଗଣ । ନିର୍ମଳ ଦିଶିଲା ଗଗନ ॥ ୪୬
ଉତ୍ତରଦିଗେ ବଳୀୟାର । ପବନ ବହଇ ମଧୁର ॥ ୪୭
ଶଙ୍ଖଶବଦ ଦେବଆଳେ । ଅମର ଗୁରୁ ଲଗ୍ନ ବେଳେ ॥ ୪୮
ଅଶ୍ୱ ଯୋଚିଲା ରଥଦଣ୍ତେ । ମଙ୍ଗଳ ମଥୁରାର ଦାଣ୍ତେ ॥ ୪୯
ମନେ ଚିନ୍ତଇ ଭଗବାନ । ଅକ୍ରୁର ହରଷ ବଦନ ॥ ୫୦
ଚିନ୍ତଇ ପ୍ରଭୁ ଆଦିମୂଳ । ଆନନ୍ଦେ ବହେ ଅଶ୍ରୁଜଳ ॥ ୫୧
ପଦ୍ମଲୋଚନ ପାଦତଳେ । ଭାବଇ ମତ୍ତଭୃଙ୍ଗ ବଳେ ॥ ୫୨
ମନ ନିବେଶି କୃଷ୍ଣପାଦେ । ବୋଲଇ ଶୋକ ଗଦଗଦେ ॥ ୫୩
ପୂର୍ବେ କି କରିଅଛି ପୁଣ୍ୟ । ତପ ସମାଧି ଯଜ୍ଞ ଦାନ ॥ ୫୪
ଦେବ ବ୍ରାହ୍ମଣ ପୂଜା ହିତେ । ଧନ ବା ଦେଲି ଅପ୍ରମିତେ ॥ ୫୫
କି ଅବା ଅଛି ତପକରି । ଦେଖିବି ପ୍ରଭୁ ନରହରି ॥ ୫୬
ଦୁର୍ଲ୍ଲଭ ପ୍ରାୟ ମୁଁ ମଣଇଁ । କୃଷ୍ଣ ଭେଟିବି ଅବା କାହିଁ ॥ ୫୭
ବେଦ ପଠନ ଶୂଦ୍ରଜନେ । ଦୁର୍ଲ୍ଲଭ ଜଗତେ ଯେସନେ ॥ ୫୮
ଗୋବିନ୍ଦ ଦରଶନ ମୋତେ । କେମନ୍ତେ ଯିବଇଁ ପରତେ ॥ ୫୯
ଭବସାଗରେ ଦେହ ଧରି । କୋଟିକେ ଗୋଟଏ ବା ତରି ॥ ୬୦
ଏମନ୍ତେ ଦୁଃଖ ମୋ' ଦହନ । ଧନ୍ୟ ହୋଇବ ଦେହ ଜନ୍ମ ॥ ୬୧
ଯେ ପାଦପଦ୍ମ ଗୋପୀଜନେ । ହୃଦେ ଲଗାନ୍ତି ଅବଧାନେ ॥ ୬୨
ତହିଁ ଲାଗିବ ମୋର ଶିର । ଧନ୍ୟରେ ଜୀବନ ମୋହର ॥ ୬୩
ମୋହରେ କଂସ ଦୟା କରି । ଯେଣେ ଦେଖିବି ନରହରି ॥ ୬୪
ଅଶେଷଜନ୍ମ ଘୋରତମ । ଆଜ ଛାଡ଼ିବି ମାୟାଭ୍ରମ ॥ ୬୫
ପାଦଯୁଗଳ ନଖ ତେଜ । ଦେଖି ମୁଁ ନିସ୍ତରିବି ଆଜ ॥ ୬୬
ବ୍ରହ୍ମା ଶଙ୍କର ଆଦି ଦେବେ । ଚିନ୍ତା କରନ୍ତି ପାଦସେବେ ॥ ୬୭
ଗୋପୀଙ୍କ କୁଚଯୁଗେ ଥାଇ । କୁଙ୍କୁମ ଲାଗିଅଛି ଯହିଁ ॥ ୬୮
ଗୋପକୁମର ଘେନି ବନେ । ଗୋରୁ ଚରାନ୍ତି ଅବଧାନେ ॥ ୬୯
ନନ୍ଦମନ୍ଦିରେ ତା'ଙ୍କୁ ଦେଖି । ନିର୍ମଳ ହେବ ଚର୍ମଆଖି ॥ ୭୦
ଅଶେଷ ତୀର୍ଥଙ୍କର ଘର । ସେବନ୍ତି ବ୍ରହ୍ମାଶିବ ସୁର ॥ ୭୧
କଳ୍ପବୃକ୍ଷର ପ୍ରାୟ ହୋଇ । ସକଳ ବାଞ୍ଛାଫଳ ଦେଇ ॥ ୭୨
ସକଳ ସମ୍ପଦର ସାର । ସେବକଜନ ଦୁଃଖହର ॥ ୭୩
ଜନ୍ମମରଣ ପଥ ଦୁଇ । ଏଣେ ଯେ ଅଜ୍ଞାନେ ଭ୍ରମଇଁ ॥ ୭୪
ତାହାଙ୍କ ବିଶ୍ରାମ ମନ୍ଦିର । ଭବ-ନିଦାଘେ ଛତ୍ରସାର ॥ ୭୫
ଦେଖିବି ସୁନ୍ଦର କପୋଳ । ନାସା ଶ୍ରବଣ ବେନିଡ଼ୋଳ ॥ ୭୬
ଅଳପ ହାସ ରଙ୍ଗମୁଖ । ଗୁଞ୍ଜ ଅଳକାପାଟୀ ରେଖ ॥ ୭୭
ଶୁଭ ଲକ୍ଷଣ ଆଜଦିନେ । ଶୃଗାଳ ଯାଉଅଛି ବାମେ ॥ ୭୮
ଭାରା ନିବାରଣେ ମୁରାରି । ମର୍ତ୍ତ୍ୟେ ମାନବ ଦେହ ଧରି ॥ ୭୯
ଅତି ସୁନ୍ଦର ଦେଖି ରୂପ । ଖଣ୍ତିବି କୋଟିଜନ୍ମ-ପାପ ॥ ୮୦
ଯାହାର ନାମ ଭାବଗ୍ରାହୀ । କାର୍ଯ୍ୟ-କାରଣ ଯା'ର ନାହିଁ ॥ ୮୧
ସେ ରୂପେ ପୂରାଇ ଲୋଚନ । ତେଜିବି ମାୟା ମୋହ ଭ୍ରମ ॥ ୮୨
ଯେ ଆତ୍ମାମାୟା ଯୋଗ କରି । ଗୋପୀ ଗୋପାଳ ମଧ୍ୟେ ହରି ॥ ୮୩
ଯାହାର ଗୁଣ କର୍ମ ଘେନି । ଦିନ ହରନ୍ତି ବ୍ରହ୍ମମୁନି ॥ ୮୪
ପ୍ରାଣ ଧରନ୍ତି ଦୁଃଖ ସୁଖେ । ପବିତ୍ର କରି ତିନିଲୋକେ ॥ ୮୫
ଏଣେ ଯାହାର ଚିତ୍ତ ନାହିଁ । ପଶୁଙ୍କ ପ୍ରାୟ ସେ ଜିଅଇ ॥ ୮୬
ଅଂଶେ ମାନବ ଦେହ ଧରି । ଯାଦବବଂଶେ ଅବତରି ॥ ୮୭
ଯଶ ବିସ୍ତାରି ଏହାଙ୍କର । ସତ୍ୟସ୍ୱରୂପ ଦାମୋଦର ॥ ୮୮
ଯା' ନାମ ପରମମଙ୍ଗଳ । ମହତଗତି ଆଦିମୂଳ ॥ ୮୯
କୋମଳ ମନୋହର ରୂପ । ଦେଖି ତରିବି ଭବକୂପ ॥ ୯୦
ଏ ଉଷାକାଳ ଶୁଭ ମୋତେ । ମଙ୍ଗଳ ମଥୁରାର ପଥେ ॥ ୯୧
କୃଷ୍ଣଙ୍କୁ ଦେଖି ବୃନ୍ଦାବନେ । ରଥୁଁ ଓହ୍ଲାଇବି ବହନେ ॥ ୯୨
ରାମଗୋବିନ୍ଦ ପଦ୍ମପାଦେ । ପଡ଼ିବି ମୋକ୍ଷଫଳ ସଧେ ॥ ୯୩
ଯୋଗି ଚିନ୍ତନ୍ତି ଧ୍ୟାନବଳେ । ଦେଖିବି ଗୋପାଳଙ୍କ ମେଳେ ॥ ୯୪
ପାଦେ ପଡ଼ିବି ଯେତେବେଳେ । କୃଷ୍ଣଧରିବେ ମୋତେ କୋଳେ ॥ ୯୫
ଶିରେ ମୋ' ଦେବେ ପଦ୍ମକର । ନାଶିବେ ଦୁଃଖ ମହାଘୋର ॥ ୯୬
କାଳ-ଭୁଜଙ୍ଗ ଭୟ ପାଇ । ଯେ ନର ଶରଣ ପଶଇ ॥ ୯୭
ସେ ପଦ୍ମକର ରଖେ ତା'ରେ । ବେଗେ ପଶଇ ମୋକ୍ଷଦ୍ୱାରେ ॥ ୯୮
ଯେବଣ କରେ ଦାନ ଦେଇ । ବଳି ପାତାଳେ ଭୋଗ ପାଇ ॥ ୯୯
ଭୁଞ୍ଜଇ ପୂଜି କୃଷ୍ଣପାଦ । ସ୍ୱର୍ଗେ ପାଇବ ଇନ୍ଦ୍ରପଦ ॥ ୧୦୦
ରାସଉତ୍ସବେ ବୃନ୍ଦାବନେ । ଯେବଣ ଭୁଜେ ଗୋପୀଜନେ ॥ ୧୦୧
ସୁଗନ୍ଧ କୁଚେ ଲଗାଇଲେ । କାମ-ଅନଳ ଲିଭାଇଲେ ॥ ୧୦୨
ଗୋପ କାମିନୀ ସ୍ୱେଦନୀରେ । ପୋଛିଲେ କାମ-ସ୍ନେହଭରେ ॥ ୧୦୩
ସେକର ଦେବେ ମୋର ମାଥେ । ଜନ୍ମ ସୁକୃତ ମହାପଥେ ॥ ୧୦୪
କଂସର ଦୂତ ବୋଲି ମୋତେ । କୋପ ନ ଥିବ କୃଷ୍ଣଚିତ୍ତେ ॥ ୧୦୫
ସେ ତାହା ଅଛଇନା ଜାଣି । ଯାହାର ନାମ ଅନ୍ତର୍ଯ୍ୟାମୀ ॥ ୧୦୬
ସକଳ ଜନ୍ତୁ ହୃଦେ ଥାଇ । ଭାବ-ଅଭାବ ସେ ଜାଣଇ ॥ ୧୦୭
ମୁଁ ଯେ ଚରଣତଳେ ପଡ଼ି । ଶିରେ ଅଞ୍ଜଳି ଥିବି ଯୋଡ଼ି ॥ ୧୦୮
ଅଳପ ହସି ବାଙ୍କେ ଚାହିଁ । ମୋତେ ଦେଖିବେ ଭାବଗ୍ରାହୀ ॥ ୧୦୯
ତକ୍ଷଣେ ହୋଇବି ନିର୍ମଳ । ଭୟ ଛାଡ଼ିଣ ରସେ ଭୋଳ ॥ ୧୧୦
ଅତି ଉଷତେ ସୁଖ ପାଇ । ବୋଲିବି କୃଷ୍ଣ ତ୍ରାହି ତ୍ରାହି ॥ ୧୧୧
ମୁଁ ତା'ର ଜ୍ଞାତି ସହୋଦର । ସୁହୃଦପଣେ ହେଁ ବେଭାର ॥ ୧୧୨
ମୋହର ବେନି ଭୁଜ ଧରି । ତୋଳିବେ ରାମ ଦଇତ୍ୟାରି ॥ ୧୧୩
ପବିତ୍ର ହୋଇବଇଁ ମୁହିଁ । କୋଟିଏ ତୀର୍ଥ ପୁଣ୍ୟ ପାଇ ॥ ୧୧୪
ନିକଟେ ଦେଖି ବ୍ରହ୍ମରାଶି । ଛେଦିବି କାଳଦଣ୍ତପାଶି ॥ ୧୧୫
କୃଷ୍ଣର ଅଙ୍ଗସଙ୍ଗ ପାଇ । ଚାହିଁବି ଶିରେ କର ଦେଇ ॥ ୧୧୬
ଦାସବତ୍ସଳ ନରହରି । ମୋତେ ଡ଼ାକିବେ ନାମ ଧରି ॥ ୧୧୭
ପବିତ୍ର ହୋଇବଇଁ ମୁହିଁ । ଆଉ ରହିବ ପାପ କାହିଁ ॥ ୧୧୮
ତେବେ ସେ ଜନ୍ମସୁଖ ମୋର । ସଂସାର ପ୍ରାଣୀଙ୍କର ସାର ॥ ୧୧୯
ତାହାର ନାହିଁ ମିତ୍ର ଅରି । ପ୍ରିୟ ଉଦାସ ଆଦିକରି ॥ ୧୨୦
ତଥାପି ଭକତର ହିତେ । ଭଜଇ ସୁରଦ୍ରୁମ ମତେ ॥ ୧୨୧
ରୋହିଣୀସୁତ ଦେଖି ମତେ । ବେଗେ କରିବେ କୋଳାଗ୍ରତେ ॥ ୧୨୨
ଘରକୁ ନେଇ ମୋର ପାଶେ । ବସିବେ ସୁହୃଦ ବିଶ୍ୱାସେ ॥ ୧୨୩
ବନ୍ଧୁକୁଶଳ ପଚାରିବେ । ଜନ୍ମମରଣ ମୋ' ନାଶିବେ ॥ ୧୨୪
କଂସ ବିଚାରିଅଛି ଯାହା । ଗୋବିନ୍ଦ ଜାଣନ୍ତିନା ତାହା ॥ ୧୨୫
ରଥ ବାହିଲା ଖରତର । ଏମନ୍ତ କରିଣ ବିଚାର ॥ ୧୨୬
ସତ୍ୟସ୍ୱରୂପ ଦାମୋଦର । ହୃଦେ ଚିନ୍ତଇ ଚକ୍ରଧର ॥ ୧୨୭
ଅସ୍ତ ହୋଇଲେ ଦିନକର । ଗୋକୁଳେ ମିଳିଲା ଅକ୍ରୁର ॥ ୧୨୮
ବାଟେ ଦେଖିଲା ବାଲିକୁଦ । ପଡ଼ିଛି ଗୋବିନ୍ଦର ପାଦ ॥ ୧୨୯
ଧ୍ୱଜ ଅଙ୍କୁଶ ପଦ୍ମଚିହ୍ନ । ଦେଖି ସାନନ୍ଦ କଲା ମନ ॥ ୧୩୦
ପୁଲକ ହେଲା ରୋମରାଜି । ଅଶ୍ରୁ ଗଳଇ ଚକ୍ଷୁବୁଜି ॥ ୧୩୧
ରଥୁ ପଡ଼ିଲା ବେଗେ ଡ଼େଇଁ । ବୋଲଇ କୃଷ୍ଣ ତ୍ରାହି ତ୍ରାହି ॥ ୧୩୨
ପାଦପଙ୍କଜ ଚିହ୍ନ ଧୂଳି । ଅକ୍ରୁର ଶିରେ ବେଗେ ବୋଳି ॥ ୧୩୩
ଲୋଟଇ ପାଦଚିହ୍ନ ପରେ । ତାଡ଼ଇ ବେନିକର ଶିରେ ॥ ୧୩୪
ଅକ୍ରୁର ଥାଇ ନିଜ ଘରେ । ଯାହା ଶୁଣିଛି କର୍ଣ୍ଣଦ୍ୱାରେ ॥ ୧୩୫
ତାହାର ପାଦଚିହ୍ନ ପାଇ । ଉଠିଣ ଆନନ୍ଦେ ନାଚଇ ॥ ୧୩୬
ଆନନ୍ଦସାଗରେ ବୁଡ଼ିଲା । ଦେହ-ଜୀବନ ପାସୋରିଲା ॥ ୧୩୭
ଏମନ୍ତେ ଖଣ୍ତେଦୂର ଯାଇ । ଅକ୍ରୁର ଦୂରୁ ଦେଲା ଚାହିଁ ॥ ୧୩୮
ଦେଖିଲା ଗୋପାଳଙ୍କ ମେଳେ । ଗୋରୁଏ ଅଛନ୍ତି ଗହଳେ ॥ ୧୩୯
ଗାଈ ଦୁହଁନ୍ତି ଗୋପପୋଏ । ଶବଦ ସମୁଦ୍ର ପରାୟେ ॥ ୧୪୦
କ୍ଷୀର ଢ଼ାଳନ୍ତି ଭାଣ୍ତେ ନେଇ । ପୁଣ ଦୁହଁନ୍ତି ଗୀତ ଗାଈ ॥ ୧୪୧
ଯେ ଯାହା ଅନୁରୂପେ ରୂପ । ଦେଖଇ ଏକଇ ସ୍ୱରୂପ ॥ ୧୪୨
କଙ୍କଣ ନୂପୁର ବାଜେଣୀ । ବିବିଧ ଛନ୍ଦରେ କାଛେଣୀ ॥ ୧୪୩
ମୟୂରପୁଚ୍ଛ ଗୁଞ୍ଜ ଶିରେ । ସୁରଙ୍ଗ ପାଦୁକା ପୟରେ ॥ ୧୪୪
ଗୋରୁଙ୍କ ଲାଞ୍ଜଧୂଳି ସଙ୍ଗେ । ଭୂଷଣ ଗୋପାଳଙ୍କ ଅଙ୍ଗେ ॥ ୧୪୫
ଛନ୍ଦଦଉଡ଼ି ଧରି କରେ । ବାଛୁରୀ ଛନ୍ଦନ୍ତି ସଧୀରେ ॥ ୧୪୬
ଶ୍ରବଣେ ଶୋହଇ କୁଣ୍ତଳ । କଣ୍ଠେ ଲମ୍ବଇ ବନମାଳ ॥ ୧୪୭
ଅକ୍ରୁର ଦେଖି ବିଚାରଇ । ରାମ ଗୋବିନ୍ଦ ନ ଚିହ୍ନଇ ॥ ୧୪୮
ସର୍ବେ ଦିଶନ୍ତି ଏକମତେ । ମୁଁ ଅବା ଜାଣିବି କେମନ୍ତେ ॥ ୧୪୯
ଦାସବତ୍ସଳ ଭଗବାନ । ଜାଣିଲେ ଅକ୍ରୁରର ମନ ॥ ୧୫୦
ତକ୍ଷଣେ ଦିବ୍ୟରୂପ ହୋଇ । ଗାଈ ଦୁହଁନ୍ତି ବେନିଭାଇ ॥ ୧୫୧
ଧବଳ ରୂପ ରାମକାୟେ । କୋଟିଏ ଚନ୍ଦ୍ର ସରି ନୋହେ ॥ ୧୫୨
ନୀଳ ପତନୀ କଟି ଭରେ । ରଙ୍ଗବସନ ପାଗ ଶିରେ ॥ ୧୫୩
ଶିରେ ସପତ ନାଗଫଣୀ । କରେ କଙ୍କଣ କଣ୍ଠେ ମଣି ॥ ୧୫୪
କର୍ଣ୍ଣେ କୁଣ୍ତଳ ରତ୍ନସାର । ନିବିଡ଼ ସୁରଙ୍ଗ ଅଧର ॥ ୧୫୫
କୃଷ୍ଣ ଦେଖିଲା ବାମପାଖେ । ଗୁଞ୍ଜ ମୟୂରପୁଚ୍ଛ ଶିଖେ ॥ ୧୫୬
ନୀଳ ଜୀମୂତ ତନୁ ଶୋହେ । କୋଟିଏ କାମ ସରି ନୋହେ ॥ ୧୫୭
ଶ୍ରବଣେ ମକରକୁଣ୍ତଳ । ହୃଦେ ଲମ୍ବଇ ବନମାଳ ॥ ୧୫୮
ଶ୍ରୀବତ୍ସ ଚିହ୍ନ ପୀତବାସ । ରଙ୍ଗ ଅଧରେ ମନ୍ଦହାସ ॥ ୧୫୯
ରତ୍ନକଠାଉ ପାଦଯୁଗେ । ମଣିମେଖଳା କଟିଭାଗେ ॥ ୧୬୦
କ୍ଷୀର କଣିକା ନୀଳଦେହେ । ଦିଶନ୍ତି ନକ୍ଷତ୍ର ପରାୟେ ॥ ୧୬୧
ଲୋଚନ ପଦ୍ମପ୍ରାୟେ ଦିଶି । ମହାମହିମା ବ୍ରହ୍ମରାଶି ॥ ୧୬୨
ଅକ୍ରୁର ମନେ ବିଚାରଇ । ଭେଟିଲି ପ୍ରଭୁ ଭାବଗ୍ରାହୀ ॥ ୧୬୩
ଏ ସେ ରୋହିଣୀସୁତ ରାମ । ସୁନ୍ଦର ପଣେ ନାହିଁ ସମ ॥ ୧୬୪
ଆଜାନୁଭୁଜ ବଳୀୟାର । ମଝା ସିଂହକୁ ପଟାନ୍ତର ॥ ୧୬୫
ବିକ୍ରମ ସିଂହ ପ୍ରାୟେ ହୋଇ । ଏ ସେ ଗୋବିନ୍ଦ ବେନିଭାଇ ॥ ୧୬୬
ସ୍ୱଭାବେ ବୟସ କିଶୋର । ଅଟନ୍ତି ବେନି ସହୋଦର ॥ ୧୬୭
ଗନ୍ଧଚନ୍ଦନ ଦେହେ ବୋଳି । କପୋଳେ ଶୋହେ ଗୋରୁଧୂଳି ॥ ୧୬୮
ପ୍ରଧାନ ପୁରୁଷ ଏ ବେନି । ସଂସାର ପିଅର ଜନନୀ ॥ ୧୬୯
ମର୍କତ ରୌପ୍ୟ ଗିରି ଘେରି । ଶୋହେ କି କନକପାଚେରୀ ॥ ୧୭୦
ଅବନୀଭାରାର ଉଶ୍ୱାସେ । ଜନ୍ମ ହୋଇଲେ ଯଦୁବଂଶେ ॥ ୧୭୧
ତ୍ରୈଲୋକ୍ୟଠାକୁର ଗୋସାଇଁ । କଂସର ଡ଼ରେ ଗୋପେ ଥାଇ ॥ ୧୭୨
ଦଶଦିଗର ତମ ନାଶେ । ନିଜ ସ୍ୱରୂପ ପରକାଶେ ॥ ୧୭୩
ରଥରୁ ଓହ୍ଲାଇ ଅକ୍ରୁର । ପାୟେ ଚାଳଇ ସ୍ନେହଭର ॥ ୧୭୪
ଗୋବିନ୍ଦ ନିକଟେ ମିଳିଲା । ସଂଭ୍ରମେ ଲୋଚନ ବୁଜିଲା ॥ ୧୭୫
ଅଭୟ ପାଦେ ଶିର ଦେଇ । ପଡ଼ିଲା ଦଣ୍ତ ପ୍ରାୟ ହୋଇ ॥ ୧୭୬
ବେନି ନୟନୁଁ ବହେ ନୀର । କଣ୍ଠ ହୋଇଲା ଶୋକଭର ॥ ୧୭୭
କହି ନ ପାରି ଆତ୍ମ ନାମ । ମନେ ବୋଲଇ କୃଷ୍ଣ ରାମ ॥ ୧୭୮
ପୁଣି ଉଠିଲା ଭାବଭରେ । ପଡ଼ିଲା ରାମର ପୟରେ ॥ ୧୭୯
ଦେଖି ସାନନ୍ଦ ବେନିଭାଇ । ଉଠିଲେ ଅକ୍ରୁରକୁ ଚାହିଁ ॥ ୧୮୦
ଧରି ଅକ୍ରୁର ବେନିଭୁଜ । ତୋଳିଲେ ପ୍ରଭୁ ଦେବରାଜ ॥ ୧୮୧
ଚାପିଲେ ହୃଦରେ ଲଗାଇ । ଅକ୍ରୁର ବୋଲେ ତ୍ରାହି ତ୍ରାହି ॥ ୧୮୨
ପୁଣି ପଡ଼ଇ ପାଦତଳେ । ରାମ ଧଇଲେ ନେଇ କୋଳେ ॥ ୧୮୩
ଅକ୍ରୁର ମୁଖେ ନୀର ଦେଇ । ବସ୍ତ୍ରେ ପୋଛିଲେ ଭାବଗ୍ରାହୀ ॥ ୧୮୪
ଶାନ୍ତ କରାଇ ସହୋଦର । କନ୍ଧେ ଘେନାଇ ବେନିକର ॥ ୧୮୫
ରାମ ଗୋବିନ୍ଦ କନ୍ଧେ କର । ସଧୀରେ ଚାଲଇ ଅକ୍ରୁର ॥ ୧୮୬
ଆନନ୍ଦସାଗରେ ବୁଡ଼ିଲା । ରାତ୍ର ଦିବସ ନ ଜାଣିଲା ॥ ୧୮୭
ଅକ୍ରୁରେ ଘେନି ବେନିଭାଇ । ମିଳିଲେ ନନ୍ଦଘରେ ଯାଇ ॥ ୧୮୮
ବନ୍ଧୁଜନଙ୍କର ବେଭାର । କରନ୍ତି ରାମ ଦାମୋଦର ॥ ୧୮୯
ପାଦ ଧୋଇଲେ ଚକ୍ରଧର । ବିଞ୍ଚନ୍ତି ରୋହିଣୀକୁମର ॥ ୧୯୦
ଆସନ ଦେଇ ଦାମୋଦର । ପୂଜିଲେ ଅକ୍ରୁର ପୟର ॥ ୧୯୧
ସ୍ୱଭାବେ ଖୁଡୁତା ଅକ୍ରୁର । ବନ୍ଧୁଜନର ଯେ ବେଭାର ॥ ୧୯୨
ମଧୁର କୋମଳ ବଚନ । କହି ତୋଷିଲେ ତା'ର ମନ ॥ ୧୯୩
ଅନ୍ନ ବ୍ୟଞ୍ଜନ ବାସପାଣି । ଗୋବିନ୍ଦ ପରଶିଲେ ଆଣି ॥ ୧୯୪
ଦଧି ଅଧାମ ଘୃତ ସର । ଦିଅନ୍ତି ରୋହିଣୀକୁମର ॥ ୧୯୫
ଏମନ୍ତେ ନାନା ଭଲ ଦ୍ରବ୍ୟ । ଅକ୍ରୁରେ ଭୁଞ୍ଜାଇଲେ ସର୍ବ ॥ ୧୯୬
ଅକ୍ରୁର ଭୁଞ୍ଜିଣ ଶୀତଳ । ଆଚମନକୁ ବାସନୀର ॥ ୧୯୭
ମୁଖ ପଖାଳି ବାସଗୁଆ । ଗୋବିନ୍ଦ ଭୁଞ୍ଜାନ୍ତି ବିଡ଼ିଆ ॥ ୧୯୮
ଗନ୍ଧଚନ୍ଦନ ଫୁଲମାଳ । ଦେଇ ବସିଲେ ପାଦତଳ ॥ ୧୯୯
ଅକ୍ରୁର ପାଦେ କର ଦେଇ । ଧୀରେ ଚାପନ୍ତେ ଭାବଗ୍ରାହୀ ॥ ୨୦୦
ରାମ ଚାପନ୍ତେ କରସ୍ଥଳ । ପୁଲକ ଅକ୍ରୁର ଶରୀର ॥ ୨୦୧
ଅକ୍ରୁର ଦେହୁ ଶ୍ରମ ଗଲା । ଆନନ୍ଦେ ନନ୍ଦ ପଚାରିଲା ॥ ୨୦୨
ଭୋ ମିତ୍ର କହିବା କୁଶଳ । ଭଲେ କି ଛନ୍ତି ଯଦୁକୁଳ ॥ ୨୦୩
କି ଆର ପଚାରିବି ମୁହିଁ । ଜୀବନ ଡ଼ରେ ଘରେ ରହି ॥ ୨୦୪
ଯାବତ ଅଛି ଭୋଜପତି । ଆମ୍ଭର କାହିଁ ଭଲଗତି ॥ ୨୦୫
ପଶୁମାରକ ଘରେ ଯେହ୍ନେ । ବନ୍ଦୀରେ ଥା'ନ୍ତି ପଶୁଗଣେ ॥ ୨୦୬
କଂସ ଜୀବନେ ଯେବେ ଥାଇ । ଆମ୍ଭର ସୁଖ ଲେଶ ନାହିଁ ॥ ୨୦୭
ଭଗିନୀ ସହୋଦର ପୋଏ । କଂସ ଯେ ମାଇଲା ନିର୍ଦ୍ଦୟେ ॥ ୨୦୮
ତା'ର ପ୍ରଜାଙ୍କ କି କୁଶଳ । ସ୍ୱଭାବେ ଅଟଇ ଅସୁର ॥ ୨୦୯
ଏମନ୍ତ ବିଶ୍ୱାସେ ପଚାରି । ଅକ୍ରୁର କର କରେ ଧରି ॥ ୨୧୦
ନୟନୁ ବହେ ଅଶ୍ରୁଜଳ । ଅକ୍ରୁର ଦେଖିଲା ବିକଳ ॥ ୨୧୧
ଉଠି ନନ୍ଦକୁ ଧରି କୋଳେ । ମୁଖ ଧୋଇଲା ବାସଜଳେ ॥ ୨୧୨
ଛାଡ଼ିଲା ଆପଣାର ଶ୍ରମ । ଶୁଣିଣ ମଧୁର ବଚନ ॥ ୨୧୩
ଥିଲା ଯେ ଦାସ ଜଗନ୍ନାଥ । ଶିରେ ନିବେଶି ବେନିହସ୍ତ ॥ ୨୧୪
ସୁଜନ ଜନ ପଛେ ଥାଇ । ରାମ ଗୋବିନ୍ଦ ମୁଖ ଚାହିଁ ॥ ୨୧୫
ଛାଡ଼ିଲା ଭବବନ୍ଧ-ତ୍ରାସ । ଗୀତେ ଭିଆଇ କୃଷ୍ଣରସ ॥ ୨୧୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ଆଗମନଂ ନାମ ଏକଚତ୍ୱାରିଂଶୋଽଧ୍ୟାୟଃ ॥
* * *