ଦଶମ ସ୍କନ୍ଧ
ଚତ୍ୱାରିଂଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ କୃଷ୍ଣ ଲୀଳା । କେଶୀ ଯେ ବୃନ୍ଦାବନେ ଗଲା ॥ ୧
ରଜନୀ ହୋଇଲା ପ୍ରଭାତ । ଗଗନେ ଉଦେ ଛାୟାକାନ୍ତ ॥ ୨
ଅଶ୍ୱର ପ୍ରାୟେ ରୂପ ଧରି । ଦେଖି ଗଗନେ ଦେବେ ଡ଼ରି ॥ ୩
ମନହୁଁ ବେଗବନ୍ତ ହୋଇ । କୋପେ ଖୋଳଇ କ୍ଷୁରେ ମହୀ ॥ ୪
କାନ୍ଧର ବାଳ ଠିଆ କରି । ଗଗନେ ପଡୁଅଛି ହୁରି ॥ ୫
ବିମାନେ ବସି ଦେବତାଏ । ଉଡ଼ିଣ ଗଲେ ଲାଞ୍ଜବାଏ ॥ ୬
ଗୋରୁଏ ପଳାଇଲେ ଛନ୍ନେ । ପଶିଲେ ଗହନ ବିପିନେ ॥ ୭
କେଶୀର ନିଶ୍ୱାସ ପବନେ । ଉଡ଼ିଲେ ବୃକ୍ଷେ ଘୋର ଶୂନ୍ୟେ ॥ ୮
ଶବଦ ଶୁଣି ମହାଘୋର । ଗୋବିନ୍ଦ ହୋଇଲେ ବାହାର ॥ ୯
ଦେଖିଲେ ଗୋପର ବିକଳ । ଶୂନ୍ୟେ କମ୍ପନ୍ତି ଦିଗପାଳ ॥ ୧୦
ଶୁଣି ଦୈତ୍ୟର ଘୋରରଡ଼ି । ଦେବେ ଗଗନ ଗଲେ ଛାଡ଼ି ॥ ୧୧
ଦେଖିଲେ ମଦନ ଗୋପାଳ । ଅସୁର ତେଜ ଅନର୍ଗଳ ॥ ୧୨
ଧନ ସମ୍ପଦ ଦାରା ଛାଡ଼ି । ଲୋକେ ପଳାନ୍ତି ବନମାଡ଼ି ॥ ୧୩
କିଜାଣି ବେଢ଼ିଲା ଅନଳ । କି ଅବା ପ୍ରଳୟର କାଳ ॥ ୧୪
ଉଲୁକାପାତ ଦିଶେ ମହୀ । ଦିବସେ ଅନ୍ଧକାର ହୋଇ ॥ ୧୫
କଂସର ହିତେ ମହାବଳୀ । ଲୋଡ଼ଇ ରାମ ବନମାଳୀ ॥ ୧୬
ଅସୁର ବିଚାରଇ ମନେ । କୃଷ୍ଣଙ୍କୁ ଦେଖିବି କେସନେ ॥ ୧୭
ଲୁଚାଇ ଅଛି ବସୁଦେବ । ମୋହର ଡରେ ପଳାଇବ ॥ ୧୮
ମୁଖ ବିସ୍ତାରି ବେଗେ ଧାଇଁ । ଆଜ ଗିଳିବି ବେନିଭାଇ ॥ ୧୯
ଏମନ୍ତ ବିଚାରି ଆନନ୍ଦେ । ମିଳିଲା ଗୋପପୁର ମଧ୍ୟେ ॥ ୨୦
ଗୋପବାଳକ ମଧ୍ୟେ ଥାଇ । ଦେଖିଲେ ପ୍ରଭୁ ଭାବଗ୍ରାହୀ ॥ ୨୧
ଗୋପକୁମର କନ୍ଧେ ହସ୍ତ । ଆଗ ହୋଇଲେ ଗୋପୀନାଥ ॥ ୨୨
ଗୋବିନ୍ଦ କଲେ ଶିଙ୍ଗାନାଦ । କେଶୀ ପାଇଲା ମନେ ଖେଦ ॥ ୨୩
ଜାଣିଲା ଏହି ନାରାୟଣ । ଶୋଷିଲା ପୂତନା ପରାଣ ॥ ୨୪
ଶକଟା ତୃଣା ବତ୍ସାସୁର । ଅଘା ପ୍ରଳମ୍ବା ମହାବୀର ॥ ୨୫
ଧେନୁକ ଷଣ୍ଢ ଆଦିକରି । ଏ ବନେ ମାଇଲା ମୁରାରି ॥ ୨୬
ଏହି ସେ ନନ୍ଦର କୁମର । ଜାଣି ଧାଇଁଲା ନିଶାଚର ॥ ୨୭
ମୁଖ ବିସ୍ତାରି କୋପଭରେ । ଧାଇଁଲା ପବନହୁଁ ଖରେ ॥ ୨୮
ମୁଖେ କି ପିଉଛି ଆକାଶ । ମିଳିଲା ଗୋବିନ୍ଦର ପାଶ ॥ ୨୯
ଉଞ୍ଚାଇ ପଛ ବେନିପାଦେ । ମାଇଲା ଗୋବିନ୍ଦର ହୃଦେ ॥ ୩୦
ଶ୍ରୀକୃଷ୍ଣ ବଞ୍ଚାଇଲେ ତାହା । ବଜ୍ର ହୁଁ ଆଣ୍ଟ ଯା'ର ହିଆ ॥ ୩୧
ଚରଣ ଧରି ବାମକରେ । ପକାଇଦେଲେ କୋପଭରେ ॥ ୩୨
ଗରୁଡ଼ ଯେହ୍ନେ ନାଗ ଧରି । ପକାଇ ରହଇ ଆବୋରି ॥ ୩୩
ପୁଣି କ୍ଷଣକେ ଜ୍ଞାନ ପାଇ । କେଶୀ ଧାଇଁଲା ରୋଷ ବହି ॥ ୩୪
ବିସ୍ତାର ଦେଖି ତା'ର ତୁଣ୍ତ । କୃଷ୍ଣ ଭରିଲେ ଭୁଜଦଣ୍ତ ॥ ୩୫
ସର୍ପ ପଶଇ ଯେହ୍ନେ ବିଳେ । ଦେଖି ହସନ୍ତି ଗୋପବାଳେ ॥ ୩୬
ଦଇତ୍ୟ କାମୋଡ଼ିଲା କର । ଦନ୍ତ ତା ଝଡ଼ିଲା ଅଧର ॥ ୩୭
ତପତଫାଳ ପ୍ରାୟେ କର । ଚାପି ନ ପାରିଲା ଅସୁର ॥ ୩୮
କେଶୀ ଉଦରେ କୃଷ୍ଣକର । ବଢ଼ିଲା ଯେହ୍ନେ ଗିରିବର ॥ ୩୯
ଗର୍ଭ ମନ୍ଥିଲେ ଭୁଜଦଣ୍ତ । ଖୁଆ ଯେସନେ ଦଧିଭାଣ୍ତେ ॥ ୪୦
ନିରୋଧ ହୋଇ କଣ୍ଠଦ୍ୱାର । ବିସ୍ତାର କଲା ଚାରି କ୍ଷୁର ॥ ୪୧
ବେଗେ ଛାଡ଼ିଲା ମଳମୂତ୍ର । ପଡ଼ି ହୋଇଲା ମୂରୁଚ୍ଛିତ ॥ ୪୨
ବେନି ଲୋଚନ କଲା ସ୍ଥିର । ଜୀବନ ଛାଡ଼ିଲା ଅସୁର ॥ ୪୩
ଦେଖନ୍ତି ସ୍ୱର୍ଗେ ଦେବତାଏ । ପଶିଲା ଗୋବିନ୍ଦର ଦେହେ ॥ ୪୪
ପାଚିଲା ଫୁଟି ପ୍ରାୟେ ହୋଇ । ଅସୁର ପଡ଼ିଲା ମିଳାଇ ॥ ୪୫
ତାହାର ଗର୍ଭୁ ଦାମୋଦର । ଫେଇ ଆଣିଲେ ନିଜ କର ॥ ୪୬
ଦେଖି ଆନନ୍ଦ ଦେବତାଏ । ଆକାଶେ କଲେ ଜୟେ ଜୟେ ॥ ୪୭
ପୁଷ୍ପ ବରଷିଲେ ଗହଳେ । ସ୍ତୁତି କରନ୍ତି ଦେବବରେ ॥ ୪୮
କେଶୀ ମରଣ ଦେଖି ହସି । ଆସି ମିଳିଲେ ଦେବଋଷି ॥ ୪୯
ଏକାନ୍ତେ ଦେଖି ନରହରି । ସ୍ତୁତି କରନ୍ତି ପାଦେ ପଡ଼ି ॥ ୫୦
ଉଠି ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୫୧
ନାରଦ ଉବାଚ
ଭୋ କୃଷ୍ଣ ପ୍ରଭୁ ଯୋଗେଶ୍ୱର । ଯାଦବବଂଶର ଠାକୁର ॥ ୫୨
ଅଶେଷ ଜନ୍ତୁ ହୃଦଗତେ । ଜ୍ଞାନୀ ଚିନ୍ତନ୍ତି ଯୋଗମତେ ॥ ୫୩
ଜ୍ୟୋତି ସ୍ୱରୂପ ନିରଞ୍ଜନ । ସକଳ ଆତ୍ମାରେ ଅଭିନ୍ନ ॥ ୫୪
ମନ ବୁଦ୍ଧିରେ ଅଗୋଚର । ମହାପୁରୁଷ ତୁ ଈଶ୍ୱର ॥ ୫୫
ତୋହର ମାୟାକୁ ଆବୋରି । ଶରୀର ବହୁ ନରହରି ॥ ୫୬
ସଂସାର କରୁ ତୁ ଭିଆଣ । ସୃଷ୍ଟି ପାଳନ ସଂହାରଣ ॥ ୫୭
ଭାରା ନିବାରେ ଦେହ ବହି । ସାଧୁଙ୍କୁ ରଖୁ ଭାବଗ୍ରାହୀ ॥ ୫୮
ଦୁଷ୍ଟ ନିବାରି ରଖୁ ମହୀ । ମର୍ତ୍ତ୍ୟେ ଉଦ୍ଧରୁ ରୂପ ବହି ॥ ୫୯
ଲୀଳାଏ ମାଇଲୁ ଅସୁର । ଦେଖି ହରଷ ସୁର ନର ॥ ୬୦
ଦେବେ ନ ରହନ୍ତି ଆକାଶେ । ଏ କେଶୀ ଦଇତ୍ୟର ତ୍ରାସେ ॥ ୬୧
ଭୋ ନାଥ ଶୁଣ ଚକ୍ରଧର । ମାରିବୁ ମୁଷ୍ଟିକ ଚାଣୂର ॥ ୬୨
ଧନୁ ଭାଙ୍ଗିବୁ ବାମକରେ । ହସ୍ତୀ ମାରିବୁ ରଙ୍ଗଦ୍ୱାରେ ॥ ୬୩
କଂସ ମାରିବୁ ଚାରିଦିନେ । ରାଜ୍ୟ ନିବେଶି ଉଗ୍ରେସେନେ ॥ ୬୪
କଂସର ଅଷ୍ଟମଲ୍ଲ ନାଶି । ଯାଦବ ବଂଶକୁ ଆଶ୍ୱାସି ॥ ୬୫
କାଳ ଯବନ ଶଙ୍ଖାସୁର । ମୁର ନାରକା ବେଗେ ମାର ॥ ୬୬
ଇନ୍ଦ୍ରଭୁବନୁ ପାରିଜାତ । ବଳେ ଆଣିବୁ ଗୋପୀନାଥ ॥ ୬୭
ବୀରରାଜାଙ୍କ କନ୍ୟା ଆଣି । ବିଭା ହୋଇବୁ ଚକ୍ରପାଣି ॥ ୬୮
ଜରାସନ୍ଧର ଭୟେ ଯାଇ । ସମୁଦ୍ରେ ଦ୍ୱାରକା ଭିଆଇ ॥ ୬୯
ନୃଗରାଜାଙ୍କୁ ସୁଖ ଦେବୁ । କୃକଲାଶ ରୂପ ନାଶିବୁ ॥ ୭୦
ତୋହର ପୁରେ ଶକ୍ରାଜିତ । ତୋତେ ବରିବ ଗୋପୀନାଥ ॥ ୭୧
ସତ୍ୟଭାମାର ତୁଲେ ମଣି । ତୋହର ପାଦେ ଦେବ ଆଣି ॥ ୭୨
ଯମର ଘରୁ ପୁତ୍ର ଆଣି । ତୋଷିବୁ ଗୁରୁଙ୍କ ଘରଣୀ ॥ ୭୩
ଘୋର ଦଇତ୍ୟ ପୁଣ୍ତରୀକ । ତାହାକୁ ମାରି ଦେବୁ ମୋକ୍ଷ ॥ ୭୪
ଦହନ କରି କାଶୀପୁର । ଯୁଦ୍ଧେ ମାରିବୁ ଦନ୍ତବକ୍ର ॥ ୭୫
ପାଣ୍ତବ ଯଜ୍ଞସଭା ତଳେ । ଚକ୍ରେ ଛେଦିବୁ ଶିଶୁପାଳେ ॥ ୭୬
ଦ୍ୱାରକା ପୁରେ ବନମାଳୀ । ଯେତେ କରିବୁ ସୁଖକେଳି ॥ ୭୭
ମୁଁ ତାହା ଦେଖିବି ଲୋଚନେ । ପୁରାଣେ ଶୁଣିଅଛି କର୍ଣ୍ଣେ ॥ ୭୮
ଅର୍ଜ୍ଜୁନ ରଥେ ତୁ ସାରଥି । ମୁଁ ପୁଣି ଥିବି ତୋ'ର କତି ॥ ୭୯
ଅନେକ ରାଜା ସୈନ୍ୟବଳ । ସଂହାର କରିବୁ ଗୋପାଳ ॥ ୮୦
ଶୁଦ୍ଧ ବିବେକ ନିରଞ୍ଜନ । ଆଦି ଅନାଦି ସ୍ଥୂଳ ଶୂନ୍ୟ ॥ ୮୧
ଅଶେଷ ପୁଣ୍ୟଫଳ ଦାତା । ତୁମ୍ଭେ ଜଗତ ପିତାମାତା ॥ ୮୨
ଆପଣା ମହିମା ବିସ୍ତାରି । ଗୁଣ ପ୍ରକାଶୁ ନରହରି ॥ ୮୩
ମନୁଷ୍ୟ ଦେହେ ଅବତାର । ଯାଦବବଂଶର ଠାକୁର ॥ ୮୪
ଏମନ୍ତେ ବ୍ରହ୍ମାର ନନ୍ଦନ । ଆନନ୍ଦେ କଲେ ସାମଗାନ ॥ ୮୫
ଗୋବିନ୍ଦ ଆଜ୍ଞା ଶିରେ ଘେନି । ଗଲେ ନାରଦ ମହାମୁନି ॥ ୮୬
ଏମନ୍ତେ ଅସୁର ସଂହାରି । ଗୋପେ ବିଜୟ ନରହରି ॥ ୮୭
ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । କୃଷ୍ଣର ଲୀଳା ଭାଗବତ ॥ ୮୮
ଦିନେକ ପ୍ରଭୁ ଭଗବାନ । ବାଳକ ମେଳେ ଗଲେ ବନ ॥ ୮୯
ଗିରିକନ୍ଦରେ ଘୋରବନେ । ଗାଈ ଚରାନ୍ତି ତୋଷମନେ ॥ ୯୦
ହସି ବୋଲନ୍ତି ଦାମୋଦର । ଏମନ୍ତ ଖେଳଅଛି ମୋର ॥ ୯୧
ଥୋକାଏ ହୁଅ ତୁମ୍ଭେ ଚୋର । ଥୋକାଏ ହୁଅ ରାତ୍ରପାଳ ॥ ୯୨
ଖେଳିବା କଦମ୍ବର ତଳ । ଏମନ୍ତ କହି ଆଦିମୂଳ ॥ ୯୩
ଥୋକାଏ ହୁଅ ପଶୁଗଣ । ଛାଗଳ ମହିଷ ହରିଣ ॥ ୯୪
ଥୋକାଏ ହୁଅ ଦଣ୍ତୁଆସି । ହସି କହନ୍ତି ବ୍ରହ୍ମରାଶି ॥ ୯୫
ତକ୍ଷଣେ କରି ସନମତ । ପୋଏ ହୋଇଲେ ଯୂଥ ଯୂଥ ॥ ୯୬
ଥୋକେ ହୋଇଲେ ଗୃହବାସୀ । ଥୋକାଏ ଚୋର ଦଣ୍ତୁଆସୀ ॥ ୯୭
ଏମନ୍ତେ ଖେଳଲୀଳା କରି । ଖେଳନ୍ତି ବନେ ନରହରି ॥ ୯୮
ଶୁଣ ରାଜନ ବିପରୀତ । ଅସୁର ମିଳିଲା ତୁରିତ ॥ ୯୯
ମୟଦଇତ୍ୟର କୁମର । ନାମ ତାହାର ବ୍ୟୋମାସୁର ॥ ୧୦୦
ମାୟାଗୋପାଳ ରୂପ ଧରି । ଅନେକ ନେଲା ଚୋରି କରି ॥ ୧୦୧
ଗିରିକ୍ରୋଟରେ ଲୁଚାଇଲା । ଦ୍ୱାରେ ପାଷାଣ ଅଚ୍ଛାଦିଲା ॥ ୧୦୨
ଏମନ୍ତେ ନେଲା ବେଳ ଦଶ । ରହିଲେ ପାଞ୍ଚ ସାତ ଶେଷ ॥ ୧୦୩
ଗୋପକୁମରଙ୍କୁ ଅନାଇଁ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥ ୧୦୪
ଦଇତ୍ୟ ମୋତେ ମାୟା କଲା । ମୋର ବାଳକ ହରିନେଲା ॥ ୧୦୫
ଭଲା ମୁଁ କଲି ଖେଳ ରସ । ମୋର ଗୋପାଳେ ଗଲେ ନାଶ ॥ ୧୦୬
ଦଇତ୍ୟ ନେଇ ଗିରିବରେ । ଲୁଚାଇ ଢ଼ାଙ୍କିଛି ଦୁଆରେ ॥ ୧୦୭
କୃଷ୍ଣ ଧାଇଁଲେ ଧାତିକାରେ । ମିଳିଲେ ପର୍ବତ କନ୍ଦରେ ॥ ୧୦୮
ବେନିବାଳକ ଯାକି କାଖେ । ଦଇତ୍ୟ ଚଳେ ଗିରିପାଖେ ॥ ୧୦୯
ତାହାର କେଶ ବାମକରେ । କୃଷ୍ଣ ଧଇଲେ କୋପଭରେ ॥ ୧୧୦
ତକ୍ଷଣେ ନିଜ ରୂପ ହୋଇ । ପଳାଇ ଲୋଡ଼ଇ ଛଡ଼ାଇ ॥ ୧୧୧
କୃଷ୍ଣ ଧଇଲେ ତାର ହସ୍ତ । ଘୂରାଇ ପକାଇଲେ ପଥ ॥ ୧୧୨
ପଶୁଙ୍କ ପ୍ରାୟ ମୁଣ୍ତମୋଡ଼ି । ପଡ଼ିଲା ଦେଇ ଘୋରରଡ଼ି ॥ ୧୧୩
ତକ୍ଷଣେ ଛାଡ଼ିଲା ଜୀବନ । କୃଷ୍ଣର ଦେହେ ହେଲା ଲୀନ ॥ ୧୧୪
ପର୍ବତ କ୍ରୋଟଦ୍ୱାରେ ଯାଇ । ଦ୍ୱାର ଫେଇଲେ ଭାବଗ୍ରାହୀ ॥ ୧୧୫
ଗୋପବାଳକ ଉଦ୍ଧରିଲେ । ଦେବେ କୁସୁମ ବରଷିଲେ ॥ ୧୧୬
ଆନନ୍ଦେ ଘେନି ଗୋପବାଳ । ଗୋପେ ବିଜୟ ଆଦିମୂଳ ॥ ୧୧୭
ଏବେ ସରିଲା ବନକେଳି । ମଥୁରା ଯିବେ ବନମାଳୀ ॥ ୧୧୮
ତାରିଲେ ଗୋପ ନରନାରୀ । ଭକତ ବନ୍ଧୁ ଦଇତ୍ୟାରି ॥ ୧୧୯
ଭକତଜନ ତାରିବାରେ । ଗୋରୁ ଚରାଇ ବନଘୋରେ ॥ ୧୨୦
ବାଳକ ରୂପେ ଅବତାର । ବଢ଼ିଲେ ନନ୍ଦର ମନ୍ଦିର ॥ ୧୨୧
ମଥୁରାପୁର ନରନାରୀ । ପୂର୍ବେ ଅଛନ୍ତି ତପ କରି ॥ ୧୨୨
ନୟନେ ଦେଖି କୃଷ୍ଣରୂପ । ଖଣ୍ତିବେ ଭବବନ୍ଧ ତାପ ॥ ୧୨୩
ସୁଜନଜନେ ଶୁଣ ଧୀରେ । କୃଷ୍ଣ ଚରିତ କର୍ଣ୍ଣଦ୍ୱାରେ ॥ ୧୨୪
ରାମଗୋବିନ୍ଦ ବାଳକେଳି । ଗୁନ୍ଥି ଲମ୍ବାଅ କଣ୍ଠେ ମାଳୀ ॥ ୧୨୫
ଚିତ୍ତ ନିରୋପି କୃଷ୍ଣ ପାୟେ । ନ ବୁଡ଼ ଭବଜଳେ ମୋହେ ॥ ୧୨୬
କହଇ ଦାସ ଜଗନ୍ନାଥ । ଗୀତ ବିନୋଦେ ଭାଗବତ ॥ ୧୨୭
ଭକତଜନେ ଏହା ଗାଇ । କୃଷ୍ଣଲୀଳାରେ ମନ ଦେଇ ॥ ୧୨୮
ହୋଇବ ଭବଜଳୁଁ ପାର । କୃପା କରିବେ ଦାମୋଦର ॥ ୧୨୯
ଭକତଜନଙ୍କର ହିତ । ରଚିଲି ଶିରୀଭାଗବତ ॥ ୧୩୦
ଶୁଣି ସୁଜନେ ହୁଅ ତୋଷ । କହଇ ଜଗନ୍ନାଥ ଦାସ ॥ ୧୩୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କେଶୀବ୍ୟୋମାସୁରବଧୋ ନାମ ଚତ୍ୱାରିଂଶୋଽଧ୍ୟାୟଃ ॥
* * *