ଦଶମ ସ୍କନ୍ଧ

ଚତ୍ୱାରିଂଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ କୃଷ୍ଣ ଲୀଳା । କେଶୀ ଯେ ବୃନ୍ଦାବନେ ଗଲା ॥

ରଜନୀ ହୋଇଲା ପ୍ରଭାତ । ଗଗନେ ଉଦେ ଛାୟାକାନ୍ତ ॥

ଅଶ୍ୱର ପ୍ରାୟେ ରୂପ ଧରି । ଦେଖି ଗଗନେ ଦେବେ ଡ଼ରି ॥

ମନହୁଁ ବେଗବନ୍ତ ହୋଇ । କୋପେ ଖୋଳଇ କ୍ଷୁରେ ମହୀ ॥

କାନ୍ଧର ବାଳ ଠିଆ କରି । ଗଗନେ ପଡୁଅଛି ହୁରି ॥

ବିମାନେ ବସି ଦେବତାଏ । ଉଡ଼ିଣ ଗଲେ ଲାଞ୍ଜବାଏ ॥

ଗୋରୁଏ ପଳାଇଲେ ଛନ୍ନେ । ପଶିଲେ ଗହନ ବିପିନେ ॥

କେଶୀର ନିଶ୍ୱାସ ପବନେ । ଉଡ଼ିଲେ ବୃକ୍ଷେ ଘୋର ଶୂନ୍ୟେ ॥

ଶବଦ ଶୁଣି ମହାଘୋର । ଗୋବିନ୍ଦ ହୋଇଲେ ବାହାର ॥

ଦେଖିଲେ ଗୋପର ବିକଳ । ଶୂନ୍ୟେ କମ୍ପନ୍ତି ଦିଗପାଳ ॥ ୧୦

ଶୁଣି ଦୈତ୍ୟର ଘୋରରଡ଼ି । ଦେବେ ଗଗନ ଗଲେ ଛାଡ଼ି ॥ ୧୧

ଦେଖିଲେ ମଦନ ଗୋପାଳ । ଅସୁର ତେଜ ଅନର୍ଗଳ ॥ ୧୨

ଧନ ସମ୍ପଦ ଦାରା ଛାଡ଼ି । ଲୋକେ ପଳାନ୍ତି ବନମାଡ଼ି ॥ ୧୩

କିଜାଣି ବେଢ଼ିଲା ଅନଳ । କି ଅବା ପ୍ରଳୟର କାଳ ॥ ୧୪

ଉଲୁକାପାତ ଦିଶେ ମହୀ । ଦିବସେ ଅନ୍ଧକାର ହୋଇ ॥ ୧୫

କଂସର ହିତେ ମହାବଳୀ । ଲୋଡ଼ଇ ରାମ ବନମାଳୀ ॥ ୧୬

ଅସୁର ବିଚାରଇ ମନେ । କୃଷ୍ଣଙ୍କୁ ଦେଖିବି କେସନେ ॥ ୧୭

ଲୁଚାଇ ଅଛି ବସୁଦେବ । ମୋହର ଡରେ ପଳାଇବ ॥ ୧୮

ମୁଖ ବିସ୍ତାରି ବେଗେ ଧାଇଁ । ଆଜ ଗିଳିବି ବେନିଭାଇ ॥ ୧୯

ଏମନ୍ତ ବିଚାରି ଆନନ୍ଦେ । ମିଳିଲା ଗୋପପୁର ମଧ୍ୟେ ॥ ୨୦

ଗୋପବାଳକ ମଧ୍ୟେ ଥାଇ । ଦେଖିଲେ ପ୍ରଭୁ ଭାବଗ୍ରାହୀ ॥ ୨୧

ଗୋପକୁମର କନ୍ଧେ ହସ୍ତ । ଆଗ ହୋଇଲେ ଗୋପୀନାଥ ॥ ୨୨

ଗୋବିନ୍ଦ କଲେ ଶିଙ୍ଗାନାଦ । କେଶୀ ପାଇଲା ମନେ ଖେଦ ॥ ୨୩

ଜାଣିଲା ଏହି ନାରାୟଣ । ଶୋଷିଲା ପୂତନା ପରାଣ ॥ ୨୪

ଶକଟା ତୃଣା ବ›ତ୍ସାସୁର । ଅଘା ପ୍ରଳମ୍ବା ମହାବୀର ॥ ୨୫

ଧେନୁକ ଷଣ୍ଢ‹ ଆଦିକରି । ଏ ବନେ ମାଇଲା ମୁରାରି ॥ ୨୬

ଏହି ସେ ନନ୍ଦର କୁମର । ଜାଣି ଧାଇଁଲା ନିଶାଚର ॥ ୨୭

ମୁଖ ବିସ୍ତାରି କୋପଭରେ । ଧାଇଁଲା ପବନହୁଁ ଖରେ ॥ ୨୮

ମୁଖେ କି ପିଉଛି ଆକାଶ । ମିଳିଲା ଗୋବିନ୍ଦର ପାଶ ॥ ୨୯

ଉଞ୍ଚାଇ ପଛ ବେନିପାଦେ । ମାଇଲା ଗୋବିନ୍ଦର ହୃଦେ ॥ ୩୦

ଶ୍ରୀକୃଷ୍ଣ ବଞ୍ଚାଇଲେ ତାହା । ବଜ୍ର ହୁଁ ଆଣ୍ଟ ଯା'ର ହିଆ ॥ ୩୧

ଚରଣ ଧରି ବାମକରେ । ପକାଇଦେଲେ କୋପଭରେ ॥ ୩୨

ଗରୁଡ଼ ଯେହ୍ନେ ନାଗ ଧରି । ପକାଇ ରହଇ ଆବୋରି ॥ ୩୩

ପୁଣି କ୍ଷଣକେ ଜ୍ଞାନ ପାଇ । କେଶୀ ଧାଇଁଲା ରୋଷ ବହି ॥ ୩୪

ବିସ୍ତାର ଦେଖି ତା'ର ତୁŠଣ୍ତ । କୃଷ୍ଣ ଭରିଲେ ଭୁଜଦଣ୍ତŠ ॥ ୩୫

ସର୍ପ ପଶଇ ଯେହ୍ନେ ବିଳେ । ଦେଖି ହସନ୍ତି ଗୋପବାଳେ ॥ ୩୬

ଦଇତ୍ୟ କାମୋଡ଼ିଲା କର । ଦନ୍ତ ତା ଝଡ଼ିଲା ଅଧର ॥ ୩୭

ତପତଫାଳ ପ୍ରାୟେ କର । ଚାପି ନ ପାରିଲା ଅସୁର ॥ ୩୮

କେଶୀ ଉଦରେ କୃଷ୍ଣକର । ବଢ଼ିଲା ଯେହ୍ନେ ଗିରିବର ॥ ୩୯

ଗର୍ଭ ମନ୍ଥିଲେ ଭୁଜଦଣ୍ତ । ଖୁଆ ଯେସନେ ଦଧିଭାଣ୍ତେŠ ॥ ୪୦

ନିରୋଧ ହୋଇ କଣ୍ଠଦ୍ୱାର । ବିସ୍ତାର କଲା ଚାରି କ୍ଷୁର ॥ ୪୧

ବେଗେ ଛାଡ଼ିଲା ମଳମୂତ୍ର । ପଡ଼ି ହୋଇଲା ମୂରୁଚ୍ଛିତ ॥ ୪୨

ବେନି ଲୋଚନ କଲା ସ୍ଥିର । ଜୀବନ ଛାଡ଼ିଲା ଅସୁର ॥ ୪୩

ଦେଖନ୍ତି ସ୍ୱର୍ଗେ ଦେବତାଏ । ପଶିଲା ଗୋବିନ୍ଦର ଦେହେ ॥ ୪୪

ପାଚିଲା ଫୁଟି ପ୍ରାୟେ ହୋଇ । ଅସୁର ପଡ଼ିଲା ମିଳାଇ ॥ ୪୫

ତାହାର ଗର୍ଭୁ ଦାମୋଦର । ଫେଇ ଆଣିଲେ ନିଜ କର ॥ ୪୬

ଦେଖି ଆନନ୍ଦ ଦେବତାଏ । ଆକାଶେ କଲେ ଜୟେ ଜୟେ ॥ ୪୭

ପୁଷ୍ପ ବରଷିଲେ ଗହଳେ । ସ୍ତୁତି କରନ୍ତି ଦେବବରେ ॥ ୪୮

କେଶୀ ମରଣ ଦେଖି ହସି । ଆସି ମିଳିଲେ ଦେବଋଷି ॥ ୪୯

ଏକାନ୍ତେ ଦେଖି ନରହରି । ସ୍ତୁତି କରନ୍ତି ପାଦେ ପଡ଼ି ॥ ୫୦

ଉଠି ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୫୧

ନାରଦ ଉବାଚ

ଭୋ କୃଷ୍ଣ ପ୍ରଭୁ ଯୋଗେଶ୍ୱର । ଯାଦବବଂଶର ଠାକୁର ॥ ୫୨

ଅଶେଷ ଜନ୍ତୁ ହୃଦଗତେ । ଜ୍ଞାନୀ ଚିନ୍ତନ୍ତି ଯୋଗମତେ ॥ ୫୩

ଜ୍ୟୋତି ସ୍ୱରୂପ ନିରଞ୍ଜନ । ସକଳ ଆତ୍ମାରେ ଅଭିନ୍ନ ॥ ୫୪

ମନ ବୁଦ୍ଧିରେ ଅଗୋଚର । ମହାପୁରୁଷ ତୁ ଈଶ୍ୱର ॥ ୫୫

ତୋହର ମାୟାକୁ ଆବୋରି । ଶରୀର ବହୁ ନରହରି ॥ ୫୬

ସଂସାର କରୁ ତୁ ଭିଆଣ । ସୃଷ୍ଟି ପାଳନ ସଂହାରଣ ॥ ୫୭

ଭାରା ନିବାରେ ଦେହ ବହି । ସାଧୁଙ୍କୁ ରଖୁ ଭାବଗ୍ରାହୀ ॥ ୫୮

ଦୁଷ୍ଟ ନିବାରି ରଖୁ ମହୀ । ମର୍ତ୍ତ୍ୟେ ଉଦ୍ଧରୁ ରୂପ ବହି ॥ ୫୯

ଲୀଳାଏ ମାଇଲୁ ଅସୁର । ଦେଖି ହରଷ ସୁର ନର ॥ ୬୦

ଦେବେ ନ ରହନ୍ତି ଆକାଶେ । ଏ କେଶୀ ଦଇତ୍ୟର ତ୍ରାସେ ॥ ୬୧

ଭୋ ନାଥ ଶୁଣ ଚକ୍ରଧର । ମାରିବୁ ମୁଷ୍ଟିକ ଚାଣୂର ॥ ୬୨

ଧନୁ ଭାଙ୍ଗିବୁ ବାମକରେ । ହସ୍ତୀ ମାରିବୁ ରଙ୍ଗଦ୍ୱାରେ ॥ ୬୩

କଂସ ମାରିବୁ ଚାରିଦିନେ । ରାଜ୍ୟ ନିବେଶି ଉଗ୍ରେସେନେ ॥ ୬୪

କଂସର ଅଷ୍ଟମଲ୍ଲ ନାଶି । ଯାଦବ ବଂଶକୁ ଆଶ୍ୱାସି ॥ ୬୫

କାଳ ଯବନ ଶଙ୍ଖାସୁର । ମୁର ନାରକା ବେଗେ ମାର ॥ ୬୬

ଇନ୍ଦ୍ରଭୁବନୁ ପାରିଜାତ । ବଳେ ଆଣିବୁ ଗୋପୀନାଥ ॥ ୬୭

ବୀରରାଜାଙ୍କ କନ୍ୟା ଆଣି । ବିଭା ହୋଇବୁ ଚକ୍ରପାଣି ॥ ୬୮

ଜରାସନ୍ଧର ଭୟେ ଯାଇ । ସମୁଦ୍ରେ ଦ୍ୱାରକା ଭିଆଇ ॥ ୬୯

ନୃଗରାଜାଙ୍କୁ ସୁଖ ଦେବୁ । କୃକଲାଶ ରୂପ ନାଶିବୁ ॥ ୭୦

ତୋହର ପୁରେ ଶକ୍ରାଜିତ । ତୋତେ ବରିବ ଗୋପୀନାଥ ॥ ୭୧

ସତ୍ୟଭାମାର ତୁଲେ ମଣି । ତୋହର ପାଦେ ଦେବ ଆଣି ॥ ୭୨

ଯମର ଘରୁ ପୁତ୍ର ଆଣି । ତୋଷିବୁ ଗୁରୁଙ୍କ ଘରଣୀ ॥ ୭୩

ଘୋର ଦଇତ୍ୟ ପୁŠଣ୍ତରୀକ । ତାହାକୁ ମାରି ଦେବୁ ମୋକ୍ଷ ॥ ୭୪

ଦହନ କରି କାଶୀପୁର । ଯୁଦ୍ଧେ ମାରିବୁ ଦନ୍ତବକ୍ର ॥ ୭୫

ପାଣ୍ତŠବ ଯଜ୍ଞସଭା ତଳେ । ଚକ୍ରେ ଛେଦିବୁ ଶିଶୁପାଳେ ॥ ୭୬

ଦ୍ୱାରକା ପୁରେ ବନମାଳୀ । ଯେତେ କରିବୁ ସୁଖକେଳି ॥ ୭୭

ମୁଁ ତାହା ଦେଖିବି ଲୋଚନେ । ପୁରାଣେ ଶୁଣିଅଛି କର୍ଣ୍ଣେ ॥ ୭୮

ଅର୍ଜ୍ଜୁନ ରଥେ ତୁ ସାରଥି । ମୁଁ ପୁଣି ଥିବି ତୋ'ର କତି ॥ ୭୯

ଅନେକ ରାଜା ସୈନ୍ୟବଳ । ସଂହାର କରିବୁ ଗୋପାଳ ॥ ୮୦

ଶୁଦ୍ଧ ବିବେକ ନିରଞ୍ଜନ । ଆଦି ଅନାଦି ସ୍ଥୂଳ ଶୂନ୍ୟ ॥ ୮୧

ଅଶେଷ ପୁଣ୍ୟଫଳ ଦାତା । ତୁମ୍ଭେ ଜଗତ ପିତାମାତା ॥ ୮୨

ଆପଣା ମହିମା ବିସ୍ତାରି । ଗୁଣ ପ୍ରକାଶୁ ନରହରି ॥ ୮୩

ମନୁଷ୍ୟ ଦେହେ ଅବତାର । ଯାଦବବଂଶର ଠାକୁର ॥ ୮୪

ଏମନ୍ତେ ବ୍ରହ୍ମାର ନନ୍ଦନ । ଆନନ୍ଦେ କଲେ ସାମଗାନ ॥ ୮୫

ଗୋବିନ୍ଦ ଆଜ୍ଞା ଶିରେ ଘେନି । ଗଲେ ନାରଦ ମହାମୁନି ॥ ୮୬

ଏମନ୍ତେ ଅସୁର ସଂହାରି । ଗୋପେ ବିଜୟ ନରହରି ॥ ୮୭

ଶୁକ ଉବାଚ

ଏବେ ହୋ ଶୁଣ ନରନାଥ । କୃଷ୍ଣର ଲୀଳା ଭାଗବତ ॥ ୮୮

ଦିନେକ ପ୍ରଭୁ ଭଗବାନ । ବାଳକ ମେଳେ ଗଲେ ବନ ॥ ୮୯

ଗିରିକନ୍ଦରେ ଘୋରବନେ । ଗାଈ ଚରାନ୍ତି ତୋଷମନେ ॥ ୯୦

ହସି ବୋଲନ୍ତି ଦାମୋଦର । ଏମନ୍ତ ଖେଳଅଛି ମୋର ॥ ୯୧

ଥୋକାଏ ହୁଅ ତୁମ୍ଭେ ଚୋର । ଥୋକାଏ ହୁଅ ରାତ୍ରପାଳ ॥ ୯୨

ଖେଳିବା କଦମ୍ବର ତଳ । ଏମନ୍ତ କହି ଆଦିମୂଳ ॥ ୯୩

ଥୋକାଏ ହୁଅ ପଶୁଗଣ । ଛାଗଳ ମହିଷ ହରିଣ ॥ ୯୪

ଥୋକାଏ ହୁଅ ଦŠଣ୍ତୁଆସି । ହସି କହନ୍ତି ବ୍ରହ୍ମରାଶି ॥ ୯୫

ତକ୍ଷଣେ କରି ସନମତ । ପୋଏ ହୋଇଲେ ଯୂଥ ଯୂଥ ॥ ୯୬

ଥୋକେ ହୋଇଲେ ଗୃହବାସୀ । ଥୋକାଏ ଚୋର ଦŠଣ୍ତୁଆସୀ ॥ ୯୭

ଏମନ୍ତେ ଖେଳଲୀଳା କରି । ଖେଳନ୍ତି ବନେ ନରହରି ॥ ୯୮

ଶୁଣ ରାଜନ ବିପରୀତ । ଅସୁର ମିଳିଲା ତୁରିତ ॥ ୯୯

ମୟଦଇତ୍ୟର କୁମର । ନାମ ତାହାର ବ୍ୟୋମାସୁର ॥ ୧୦୦

ମାୟାଗୋପାଳ ରୂପ ଧରି । ଅନେକ ନେଲା ଚୋରି କରି ॥ ୧୦୧

ଗିରିକ୍ରୋଟରେ ଲୁଚାଇଲା । ଦ୍ୱାରେ ପାଷାଣ ଅଚ୍ଛାଦିଲା ॥ ୧୦୨

ଏମନ୍ତେ ନେଲା ବେଳ ଦଶ । ରହିଲେ ପାଞ୍ଚ ସାତ ଶେଷ ॥ ୧୦୩

ଗୋପକୁମରଙ୍କୁ ଅନାଇଁ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥ ୧୦୪

ଦଇତ୍ୟ ମୋତେ ମାୟା କଲା । ମୋର ବାଳକ ହରିନେଲା ॥ ୧୦୫

ଭଲା ମୁଁ କଲି ଖେଳ ରସ । ମୋର ଗୋପାଳେ ଗଲେ ନାଶ ॥ ୧୦୬

ଦଇତ୍ୟ ନେଇ ଗିରିବରେ । ଲୁଚାଇ ଢ଼ାଙ୍କିଛି ଦୁଆରେ ॥ ୧୦୭

କୃଷ୍ଣ ଧାଇଁଲେ ଧାତିକାରେ । ମିଳିଲେ ପର୍ବତ କନ୍ଦରେ ॥ ୧୦୮

ବେନିବାଳକ ଯାକି କାଖେ । ଦଇତ୍ୟ ଚଳେ ଗିରିପାଖେ ॥ ୧୦୯

ତାହାର କେଶ ବାମକରେ । କୃଷ୍ଣ ଧଇଲେ କୋପଭରେ ॥ ୧୧୦

ତକ୍ଷଣେ ନିଜ ରୂପ ହୋଇ । ପଳାଇ ଲୋଡ଼ଇ ଛଡ଼ାଇ ॥ ୧୧୧

କୃଷ୍ଣ ଧଇଲେ ତାର ହସ୍ତ । ଘୂରାଇ ପକାଇଲେ ପଥ ॥ ୧୧୨

ପଶୁଙ୍କ ପ୍ରାୟ ମୁŠଣ୍ତମୋଡ଼ି । ପଡ଼ିଲା ଦେଇ ଘୋରରଡ଼ି ॥ ୧୧୩

ତକ୍ଷଣେ ଛାଡ଼ିଲା ଜୀବନ । କୃଷ୍ଣର ଦେହେ ହେଲା ଲୀନ ॥ ୧୧୪

ପର୍ବତ କ୍ରୋଟଦ୍ୱାରେ ଯାଇ । ଦ୍ୱାର ଫେଇଲେ ଭାବଗ୍ରାହୀ ॥ ୧୧୫

ଗୋପବାଳକ ଉଦ୍ଧରିଲେ । ଦେବେ କୁସୁମ ବରଷିଲେ ॥ ୧୧୬

ଆନନ୍ଦେ ଘେନି ଗୋପବାଳ । ଗୋପେ ବିଜୟ ଆଦିମୂଳ ॥ ୧୧୭

ଏବେ ସରିଲା ବନକେଳି । ମଥୁରା ଯିବେ ବନମାଳୀ ॥ ୧୧୮

ତାରିଲେ ଗୋପ ନରନାରୀ । ଭକତ ବନ୍ଧୁ ଦଇତ୍ୟାରି ॥ ୧୧୯

ଭକତଜନ ତାରିବାରେ । ଗୋରୁ ଚରାଇ ବନଘୋରେ ॥ ୧୨୦

ବାଳକ ରୂପେ ଅବତାର । ବଢ଼ିଲେ ନନ୍ଦର ମନ୍ଦିର ॥ ୧୨୧

ମଥୁରାପୁର ନରନାରୀ । ପୂର୍ବେ ଅଛନ୍ତି ତପ କରି ॥ ୧୨୨

ନୟନେ ଦେଖି କୃଷ୍ଣରୂପ । ଖଣ୍ତିବେ ଭବବନ୍ଧ ତାପ ॥ ୧୨୩

ସୁଜନଜନେ ଶୁଣ ଧୀରେ । କୃଷ୍ଣ ଚରିତ କ‰ର୍ଣ୍ଣଦ୍ୱାରେ ॥ ୧୨୪

ରାମଗୋବିନ୍ଦ ବାଳକେଳି । ଗୁନ୍ଥି ଲମ୍ବାଅ କଣ୍ଠେ ମାଳୀ ॥ ୧୨୫

ଚିତ୍ତ ନିରୋପି କୃଷ୍ଣ ପାୟେ । ନ ବୁଡ଼ ଭବଜଳେ ମୋହେ ॥ ୧୨୬

କହଇ ଦାସ ଜଗନ୍ନାଥ । ଗୀତ ବିନୋଦେ ଭାଗବତ ॥ ୧୨୭

ଭକତଜନେ ଏହା ଗାଇ । କୃଷ୍ଣଲୀଳାରେ ମନ ଦେଇ ॥ ୧୨୮

ହୋଇବ ଭବଜଳୁଁ ପାର । କୃପା କରିବେ ଦାମୋଦର ॥ ୧୨୯

ଭକତଜନଙ୍କର ହିତ । ରଚିଲି ଶିରୀଭାଗବତ ॥ ୧୩୦

ଶୁଣି ସୁଜନେ ହୁଅ ତୋଷ । କହଇ ଜଗନ୍ନାଥ ଦାସ ॥ ୧୩୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କେଶୀବ୍ୟୋମାସୁରବଧୋ ନାମ ଚତ୍ୱାରିଂଶୋଽଧ୍ୟାୟଃ ॥

* * *