ଦଶମ ସ୍କନ୍ଧ

ଊନଚତ୍ୱାରିଂଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ପରୀକ୍ଷ ନୃପମଣି । ସ୍ୱର୍ଗେ ଶୁଭିଲା ଜୟବାଣୀ ॥

ଆକାଶେ ଥିଲେ ଯେ ନାରଦ । ଜାଣିଲେ ଷ‹ଣ୍ଢାସୁର ବଧ ॥

ଆନନ୍ଦ ମନେ ଦେବ ଋଷି । କୃଷ୍ଣ ମହିମା ପରଶଂସି ॥

ମଥୁରା ନବରେ ମିଳିଲେ । କଂସ ରାଜାର ସଭାତଳେ ॥

ଦେଖି ଉଠିଲା ଭୋଜବୀର । ନମିଲା ମୁନିଙ୍କ ପୟର ॥

ଆନନ୍ଦେ ଶିରେ କର ଦେଇ । ଆସନେ ବସାଇଲେ ନେଇ ॥

ସ୍ୱଭାବେ ଭୋଜବଂଶେ ରାଜା । ମୁନିଚରଣେ କଲା ପୂଜା ॥

କୁଶଳ ବାରତା ପଚାରି । ବିଶ୍ୱାସ କରି ପାଦ ଧରି ॥

କଂସର ଭକ୍ତିରେ ନାରଦ । କହନ୍ତି ପାଇ ମନେଖେଦ ॥

ତୁ ରାଜା ମୋହର ବିଶ୍ୱାସ । ହେଳେ ହୋଇବୁ ପ୍ରାଣେ ନାଶ ॥ ୧୦

ତୋତେ ମୋହର ଚିତ୍ତେ ଦୟା । ପୂର୍ବେ ମୁଁ କହିଗଲି ଯାହା ॥ ୧୧

ତୁ ରାଜା ନ ହେଜିଲୁ ମନେ । ଏବେ ମରିବୁ ଅଳ୍ପଦିନେ ॥ ୧୨

ଶୁଣିଲେ ପାଇବୁ ତୁ ଖେଦ । ମୁଖୁଁ ମୋ' ନସ୍ଫୁରଇ ପଦ ॥ ୧୩

ଦେବତାମାନେ ତୋ ବଇରୀ । ତୋ'ର ମରଣେ କୂଟ କରି ॥ ୧୪

ଗୋପେ ଯାଦବେ ଅବତାର । ଦେବକୀ ବସୁଦେବ ଘର ॥ ୧୫

ହରିଙ୍କି କରାଇଲେ ଜନ୍ମ । ଭିଣୋଇ କଲା ଏଡ଼େ କର୍ମ ॥ ୧୬

ଅଷ୍ଟମ ଗର୍ଭେ ଏହା ନାରୀ । ରାତ୍ରେ ପ୍ରସବିଲା ମୁରାରି ॥ ୧୭

ତୋ'ର ଭିଣୋଇ ତାହା ନେଇ । ଅଇଲା ନନ୍ଦଘରେ ଥୋଇ ॥ ୧୮

କନ୍ୟାଏ ଥିଲା ତା'ର ଘରେ । ତୁ ତାହା କଚାଡ଼ିଲୁ ଶିଳେ ॥ ୧୯

ଦେବଙ୍କ ବୋଲେ ମହାମାୟା । ହୋଇଲେ ବାଳରୂପ କାୟା ॥ ୨୦

ତୋହର ହାତୁ ଶୂନ୍ୟେ ଗଲା । ତେବେହେଁ ଜ୍ଞାନ ତୋନୋହିଲା ॥ ୨୧

କହିଲା ତୋର ମୃତ୍ୟୁଭେଦ । ତେବେହେଁ ନୋହିଲା ତୋ'ଖେଦ ॥ ୨୨

ରୋହିଣୀ ବସୁଦେବ ନାରୀ । ପଳାଇଗଲେ ତୋତେ ଡ଼ରି ॥ ୨୩

ତାହାର ଗର୍ଭ ହୋଇଥିଲା । ସେହି କୁମରେ ପ୍ରସବିଲା ॥ ୨୪

ହରିର ଅଂଶେ ଅବତାର । ସେ ତୋତେ ମାରିବେଟି ବୀର ॥ ୨୫

ରାମ ଗୋବିନ୍ଦ ବେନିଭାଇ । ବଢ଼ିଲେ ଗୋପପୁରେ ଥାଇ ॥ ୨୬

ବସୁଦେବର ମିତ୍ର ନନ୍ଦ । ସେ ତୋତେକଲା ଏଡ଼େ ଛନ୍ଦ ॥ ୨୭

ପୂତନା ଆଦି ଷ‹ଣ୍ଢା ଯାଏ । ସବୁ ମାଇଲେ ବେନିପୋଏ ॥ ୨୮

ଇନ୍ଦ୍ରର ଦର୍ପ କରି ଚୂର । କରେ ତୋଳିଲା ଗିରିବର ॥ ୨୯

କାଳୀୟ କାଳିନ୍ଦୀରେ ଥିଲା । ତାହାର ଡ଼ରେ ପଳାଇଲା ॥ ୩୦

କେତେ କହିବି ଗୁଣ ତା'ର । ଦେବଦାନବେ ଅଗୋଚର ॥ ୩୧

ଏମନ୍ତ ବୋଲି ମୁନିବର । କହିଲେ ସମସ୍ତ ବିଚାର ॥ ୩୨

ଶୁଣି ଅସୁର ଥରହର । କାତରେ କମ୍ପଇ ଶରୀର ॥ ୩୩

ଖଡଗ ଧରି ନିଜ କରେ । ବେଗେ ଉଠିଲା କୋପଭରେ ॥ ୩୪

ବସୁଦେବକୁ ଅଣାଇଲା । ଅନେକ ମାଡ଼ ମରାଇଲା ॥ ୩୫

ହାଣିବ ବୋଲି କୋପଭର । ନାରଦ ଧଇଲେ ତା' କର ॥ ୩୬

ନାରଦ ବଚନେ ବିଶ୍ୱାସ । ପାଦେ ଭରିଲା ଲୈାହପାଶ ॥ ୩୭

ଧନସମ୍ପଦ ଜୂର କଲା । ବନ୍ଦୀ ମନ୍ଦିରେ ରଖାଇଲା ॥ ୩୮

କଂସ ଆଗରେ ବ୍ରହ୍ମାସୁତ । କହନ୍ତି ବଚନ ନିୟତ ॥ ୩୯

ଶୁଣ ତୁ ଭୋଜ ନୃପନାଥ । ମୁହିଁ କହଇ ତୋ'ର ହି୍ତ ॥ ୪୦

କୃଷ୍ଣ ଯେ ତୋହର ବଇରୀ । ମର୍ତ୍ତ୍ୟମŠଣ୍ତଳେ ଅବତରି ॥ ୪୧

ଅବଶ୍ୟ ମାରିବ ସେ ତୋତେ । କଂସ ତୁ ଜାଣିଥା ଯୁକତେ ॥ ୪୨

କୃଷ୍ଣଙ୍କୁ ସଂହାରିଲେ ତୁହି । ରାଜ୍ୟେଣ ଥିବୁ ସୁସ୍ଥ ହୋଇ ॥ ୪୩

ବହୁତ ଉପାୟ କରିବୁ । ବୀରଙ୍କ ହସ୍ତେ ମରାଇବୁ ॥ ୪୪

କେଶୀ ଯେ ଅଛି ତୋ'ର ପାଶ । ସେ ତୋ'ର ଜୀବନ ବିଶ୍ୱାସ ॥ ୪୫

ପାରଇ ନାନା ମୂର୍ତ୍ତି ଧରି । ତାହାକୁ ପେଷ ଦŠଣ୍ତଧାରୀ ॥ ୪୬

ଏହାର ମରଣେ ତୋହର । ମାଲେ ଯେ ମୁଷ୍ଟିକ ଚାଣୂର ॥ ୪୭

ଏହାଙ୍କ ଥା'ନ୍ତେ କିସ ଭୀତି । ଯାଦବେ ତୋହର ଅପ୍ରୀତି ॥ ୪୮

ଏମନ୍ତ କହି ବ୍ରହ୍ମାସୁତ । ଆକାଶେ ଚଳିଲେ ତୁରିତ ॥ ୪୯

ମୁନି ଅନ୍ତରେ ଭୋଜରାୟେ । ଭାଳଇ ଜୀବନର ଭୟେ ॥ ୫୦

କେଶୀଦଇତ୍ୟକୁ ଅଣାଇଁ । କହଇ ବିଶ୍ୱାସ କରାଇ ॥ ୫୧

ତୁ ମୋର ଭ୍ରାତ ସହୋଦର । ବହନ ଯାଆ ଗୋପପୁର ॥ ୫୨

ବସୁଦେବର ପୁତ୍ର ଦୁଇ । ରାମଗୋବିନ୍ଦ ବେନିଭାଇ ॥ ୫୩

ଗୁପ‌ତେ ନନ୍ଦଘରେ ଥାଇ । ବଢ଼ିଲେ ବଳବନ୍ତ ହୋଇ ॥ ୫୪

ଯେତେ ଅସୁର ମୋର ଗଲେ । ଗୋପରେ ଥାଇ ସଂହାରିଲେ ॥ ୫୫

ଦୁହିଁଙ୍କି କର ପ୍ରାଣେ ନାଶ । ଦେବି ସମ୍ପଦ ଗ୍ରାମ ଦେଶ ॥ ୫୬

ଜୀବନ ରହିବ ମୋହର । ହେ ଭ୍ରାତ ବିଳମ୍ବ ନ କର ॥ ୫୭

କଂସର ଆଜ୍ଞା ଘେନି ଶିରେ । କେଶୀ ଚଳିଲା ଗୋପପୁରେ ॥ ୫୮

ଚାଣୁର ମୁଷ୍ଟିକର ମେଳେ । ଦର୍ପିଷ୍ଟ ମହାବଳୀୟାରେ ॥ ୫୯

ଗଜକୁବଳୟା ମାହୁନ୍ତ । ପାତ୍ର ସାମନ୍ତ ଇଷ୍ଟ ମିତ୍ର ॥ ୬୦

ଅଣାଇଁ କହଇ ଅସୁର । ଜଣ ଜଣକେ ଧରି କର ॥ ୬୧

ଭୋ ବୀର ମୁଷ୍ଟିକ ଚାଣୂର । କହି ଯେ ଗଲେ ମୁନିବର ॥ ୬୨

ବସୁଦେବ ତା' ପୁତ୍ରଦୁଇ । ଗୋପରେ ଅଇଲା ଲୁଚାଇ ॥ ୬୩

ଗୁପ‌ତେ ନନ୍ଦଘରେ ଥାଇ । ବଢ଼ିଲେ ବଳବନ୍ତ ହୋଇ ॥ ୬୪

ଯେତେକ ବୀର ମୋର ଗଲେ । ଗୋଟିଏ ବାହୁଡ଼ି ନଇଲେ ॥ ୬୫

ଦିନକୁ ଦିନ ବଳୀୟାର । କେମନ୍ତେ କରିବି ସଂହାର ॥ ୬୬

ତାହାଙ୍କୁ ଅଣାଇବି ଧରି । ଏଥେ ମାରିବି କୂଟ କରି ॥ ୬୭

ମାଲବିନ୍ଧାଣେ ମରାଇବି । ତେବେଟି ଜୀବନ ପାଇବି ॥ ୬୮

ସେ ମୋର ବୀରଙ୍କୁ ମାଇଲା । ବନସ୍ତେ କେହି ନ ଦେଖିଲା ॥ ୬୯

ମୁଁ ଆଣି ମଥୁରାରେ ଥୋଇ । ମାଲଙ୍କ ହସ୍ତେ ତାଙ୍କୁ ଦେଇ ॥ ୭୦

ମାରନ୍ତେ ଦେଖିବେ ସକଳ । ଯାଦବ ଭୋଜବଂଶ ବୀର ॥ ୭୧

ରଙ୍ଗସଭାଏ କରାଇବି । ଏମନ୍ତେ ଶତ୍ରୁ ସଂହାରିବି ॥ ୭୨

ତୁମ୍ଭେ ସକଳେ ମୋର ମିତ୍ର । ବେଗେ ନିବାର ନନ୍ଦସୁତ ॥ ୭୩

ଦେବଇଁ ସମ୍ପଦ ବହୁତ । ଗଜତୁରଙ୍ଗ ଯୂଥ ଯୂଥ ॥ ୭୪

ଶୁଣ ହୋ ପାତ୍ର ମନ୍ତ୍ରୀ ମୋର । ମଞ୍ଚା କରାଇବ ଅପାର ॥ ୭୫

ତୁମ୍ଭେ ସକଳେ ଦେଖୁଥିବ । ମୋହର ଶତ୍ରୁ ନାଶଯିବ ॥ ୭୬

ଦେବକୀ ବସୁଦେବ ଆସି । ମଞ୍ଚା ଉପରେ ଥିବେ ବସି ॥ ୭୭

ତୁମ୍ଭେ କରିବ ମାଲପଣ । ଦେଖିବେ ପୁତ୍ରଙ୍କ ମରଣ ॥ ୭୮

ମାହୁନ୍ତ ଥିବ ରଙ୍ଗଦ୍ୱାରେ । ବସି କୁବଳୟାପୀଡ଼ରେ ॥ ୭୯

ମାରିବ ସଭାତଳେ ନେଇ । ଦନ୍ତେ ଗୁନ୍ଥାଇ ବେନିଭାଇ ॥ ୮୦

ଅନେକ ଧନରତ୍ନ ଦେବି । ମୋହର ମଇତ୍ର କରିବି ॥ ୮୧

ଶୁଣ ହୋ ପାତ୍ରମନ୍ତ୍ରୀ ମୋର । ତୁମ୍ଭେ ଭିଆଅ ଧନୁଘର ॥ ୮୨

ଶୁକଳ ଚତୁŸର୍ଦ୍ଦଶୀ ଦିନେ । ପୂଜା କରିବ ରାତ୍ରମାନେ ॥ ୮୩

ଛେଳି ମହିଷ ବଳିଭୋଜା । କ୍ଷେତ୍ରପାଳଙ୍କୁ କର ପୂଜା । ୮୪

ଘୋଷଣା ଦିଅ ଚାରିଦିଗେ । ଗ୍ରାମ ପାଟଣା ପୁରଲାଗେ ॥ ୮୫

ଜନପରଜା ରଙ୍କି ଦୁଃଖୀ । ଆସିବେ ଧନୁଯାତ୍ରା ଦେଖି ॥ ୮୬

ଦେବଇଁ ଧନ ବସ୍ତ୍ର ଅନ୍ନ । ତୁଳାପୁରୁଷ ଆଦିଦାନ ॥ ୮୭

ଏମନ୍ତ କହି କଂସ ଗଲା । ଭିତର ପୁରେ ବିଜେକଲା ॥ ୮୮

ଅକ୍ରୁର ନାମେ ମନ୍ତ୍ରୀବର । ଯାଦବ ବଂଶେ ବଳୀୟାର ॥ ୮୯

କଂସର ବିଶ୍ୱାସ ଅପାର । ଡ଼କାଇ ଆଣିଲା ସତ୍ୱର ॥ ୯୦

ତାହାର କରେ ହସ୍ତ ଦେଇ । କହଇ ଏକାନ୍ତେ ବସାଇ ॥ ୯୧

ଭୋ ମିତ ଶୁଣ ମୋ' ଉତ୍ତର । ବିଶ୍ୱାସୀ ଅଟୁ ତୁ ମୋହର ॥ ୯୨

ଇଷ୍ଟ ବନ୍ଧୁରେ ସତ୍ୟ କହି । ବେଦପୁରାଣେ ଏ ଅଛଇ ॥ ୯୩

ତୋ' ତହୁଁ ନାହିଁ ଅନ୍ୟ ମିତ୍ର । ତୁ ମୋର ପ୍ରାଣ ପଞ୍ଚଭୂତ ॥ ୯୪

ତୋହର ବଳେ ଆଜ ମୁହିଁ । ଶତ୍ରୁ ସଂହାରିତେ ଲୋଡ଼ଇ ॥ ୯୫

ଯେସନେ ବିଷ୍ଣୁ ଆଶ୍ରେ କରି । ଦେବେ ହୁଅନ୍ତି ସୁଖଚାରୀ ॥ ୯୬

ନନ୍ଦଗୋକୁଳେ ବେଗେ ଯାଅ । ମୋହର ହିତେ ଯେବେ ଥାଅ ॥ ୯୭

ତୋହର ବଳେ ମୁଁ ନିଶ୍ଚିନ୍ତ । ଭୋ ମିତ୍ର କହିଲିଟି ସତ୍ୟ ॥ ୯୮

ବସୁଦେବର ପୁତ୍ର ଦୁଇ । ରାମଗୋବିନ୍ଦ ବେନିଭାଇ ॥ ୯୯

ଥୋଇଲା ନେଇ ନନ୍ଦଘରେ । ଲୁଚାଇ ବସୁଦେବ ଡ଼ରେ ॥ ୧୦୦

ତୁ ବେଗେ ରଥ ଘେନିଯାଅ । ମୋର ଛାମୁରେ ଆଣିଦିଅ ॥ ୧୦୧

ଦେବକୀ ବିଭା ହେଲା ଯେବେ । ମୋତେ ଯା କହିଥିଲେ ଦେବେ ॥ ୧୦୨

ସେ କଥା ହୋଇଲା ଯୁକତେ । ନାରଦ କହିଗଲେ ମୋତେ ॥ ୧୦୩

ମୋତେ ମାରିବେ ବେନିଭାଇ । ଏ କଥା ଉଚିତ ନୁହଁଇ ॥ ୧୦୪

ଗୋକୁଳେ ଥାଇ ବଳୀୟାର । ମାଇଲେ ଅନେକ ଅସୁର ॥ ୧୦୫

ବାଳୁତ କାଳୁଁ ତା'ଙ୍କୁ ଧରି । ବେଗେ ମୁଁ ପକାଇବି ମାରି ॥ ୧୦୬

ତେବେ ମୋହର ମନସ୍ଥିର । ଭୋ ମିତ୍ର ଧରୁଅଛି କର ॥ ୧୦୭

ନନ୍ଦଯଶୋଦାଙ୍କର ସଙ୍ଗେ । ଘେନାଇ ଆସ ଯାଇ ବେଗେ ॥ ୧୦୮

ଗୋରସ ଆଣ ଶତେଭାର । ଧନୁ ଉତ୍ସ›ବ ଯାତ୍ରା ମୋର ॥ ୧୦୯

ଅଣାଇ ମଥୁରା ନବରେ । ବନ୍ଦୀ କରିବି ବନ୍ଦୀଘରେ ॥ ୧୧୦

ରାମଗୋବିନ୍ଦ ଅଣାଇବି । ହସ୍ତୀର ଦନ୍ତେ ଗୁନ୍ଥାଇବି ॥ ୧୧୧

ଯେବେ ଉବୁରିବେ ସେଠାରୁ । ମାଲେ ଅଛନ୍ତି ମହାମେରୁ ॥ ୧୧୨

ଏହାଙ୍କ ହସ୍ତେ ମରାଇବି । ତେବେ ସେ ଜୀବନ ପାଇବି ॥ ୧୧୩

ମେହାର ଯଦୁବଂଶ ବାଦୀ । ସବୁଙ୍କୁ ପକାଇବି ଛେଦି ॥ ୧୧୪

ନନ୍ଦଯଶୋଦା ବସୁଦେବ । ଦେବକୀ ଯେତେକ ଯାଦବ ॥ ୧୧୫

ଏହାଙ୍କୁ ପେଷି ଯମପୁର । ତେବେ ଜୀବନ ସ୍ଥିର ମୋର ॥ ୧୧୬

ଉଗ୍ରସେନଙ୍କୁ ଧରି ଆଣି । ଏଠାରେ ପକାଇବି ହାଣି ॥ ୧୧୭

ଦେବକନାମେ ତା'ର ଭାଇ । ମୋର ମରଣ ସେ ଲୋଡ଼ଇ ॥ ୧୧୮

ମୋର ବଇରୀଛନ୍ତି ଯେତେ । ଭୋ ମିତ୍ର ମାରିବି ଏମନ୍ତେ ॥ ୧୧୯

ତେବେ ସେ ମହୀ ଅକଣ୍ଟକେ । ଭୋଗ କରିବି ମୁହିଁ ଏକେ ॥ ୧୨୦

ଶ୍ୱଶୁର ଜରାସନ୍ଧ ମୋର । ସଙ୍ଗାତ ଦ୍ୱିବିନ୍ଦ ବାନର ॥ ୧୨୧

ଶୂର ନାରକା ବାଣାସୁର । ଅଛନ୍ତି ମହା ମହା ବୀର ॥ ୧୨୨

ଶାଲ୍ୱକ ଦନ୍ତବକ୍ର ବୀର । ପୁଣ୍ତ୍ରକ କାଶୀ-ରାଜେଶ୍ୱର ॥ ୧୨୩

ଏ ମୋର ସମ ବଳୀୟାର । ମୋତେ ଡରଇ ସୁନାସୀର ॥ ୧୨୪

ଭୋ ମିତ୍ର ଯାଆ ବେଗ ହୋଇ । ଧନୁ ଉତ୍ସବ ଯାତ୍ରା କହି ॥ ୧୨୫

ବହନ ଆଣ ବେନିଭାଇ । ମିତ୍ର ମୋହର ଯେବେ ତୁହି ॥ ୧୨୬

ସେ ବିଷ୍ଣୁଅଂଶେ ଜାତ ହୋଇ । ରାମଗୋବିନ୍ଦ ବେନିଭାଇ ॥ ୧୨୭

ବିଚାରେ ବଳବାନ କରି । ତା'ଙ୍କ ମରଣ ମନେ ଧରି ॥ ୧୨୮

ଯେତେକ ବୀର ମୋର ଗଲେ । ଗୋଟିଏ ବାହୁଡ଼ି ନଇଲେ ॥ ୧୨୯

ତାହାଙ୍କ ବଳ ପରିମାଣି । ବଳେ ନୋହଇ ତା'ଙ୍କୁ ଆଣି ॥ ୧୩୦

ତୁ ଯେଣୁ ବିଷ୍ଣୁଭକ୍ତଜନ । ତୋରେ ସଦୟ ଭଗବାନ ॥ ୧୩୧

ବହନ କରି ଭାବେ କହି । ବେଗେ ତୁ ଘେନି ଆସ ଯାଇ ॥ ୧୩୨

ଟାଣ ନ କହି ଆଣ ବେଗେ । ରଥେ ବସାଇ ତୋର ସଙ୍ଗେ ॥ ୧୩୩

ତୋହର ଭକ୍ତିଭାବ ଘେନି । ଏଥେ ଆସିବେ ଭାଇ ବେନି ॥ ୧୩୪

ଏମନ୍ତ କଂସ ବୋଲ ଶୁଣି । ଅକ୍ରୁର ମନେ ମନେ ଗୁଣି ॥ ୧୩୫

ଅକ୍ରୁର ଉବାଚ

ବୋଲଇ ଶୁଣ ନରନାଥ । ଏ କଥା ତୋହର ଉଚିତ ॥ ୧୩୬

ଶତ୍ରୁକୁ ବୁଦ୍ଧିବଳେ ମାରି । ତେବେ ଜୀବନ ସୁଖେ ଧରି ॥ ୧୩୭

କହଇ ଶୁଣ ନୃପବର । ଦଇବବଳ ବଳୀୟାର ॥ ୧୩୮

ଯେ ଯାହା କର୍ମଫଳ ବଳେ । ଭୋଗ କରନ୍ତି ମହୀତଳେ ॥ ୧୩୯

ମର୍ତ୍ତ୍ୟେମାନବ ଦେହ ବହି । ଲାଭ ଅଲାଭ ନ ଜାଣଇ ॥ ୧୪୦

ଯେ ଯାହା ପୂର୍ବେ ଥାଇ କରି । ଭୁଞ୍ଜଇ ସେ ଫଳ ଆବୋରି ॥ ୧୪୧

ଶୋକ ହରଷ ବେନିପଥେ । ମିଳନ୍ତି କର୍ମର ଆୟତ୍ତେ ॥ ୧୪୨

କର୍ମ ଯେ ବଡ଼ ବୁଦ୍ଧିଦାତା । କର୍ମ ହିଁ ଅଲେଖ ବିଧାତା ॥ ୧୪୩

ଯେବେ ତୋ' କର୍ମ ବଳୀୟାର । ଭୋଗ କରିବୁ ଦିବ୍ୟପୁର ॥ ୧୪୪

ବିବିଧ ରତ୍ନ ଅଶ୍ୱଗଜ । କରୀଦଶନଖଟ ଶେଯ ॥ ୧୪୫

ଅମୂଲ୍ୟପୁର ବାରସ୍ୱତୀ । ଦେବେ କରିବେ ତୋତେ ସ୍ତୁତି ॥ ୧୪୬

ଯଦି ତୋ କର୍ମ ବିଡ଼ମ୍ବନ । ହୋଇବ ଅକାଳ ମରଣ ॥ ୧୪୭

ଭଣଜା ହସ୍ତେ ଯେବେ ମୃତ୍ୟୁ । ଯାହା କହିଛି କୁଶକେତୁ ॥ ୧୪୮

ଏଥକୁ ନିଷତ ହୋଇଲେ । ଆଉ କି ଥିବ ଦେହ ଭଲେ ॥ ୧୪୯

ତୋହର ଆଜ୍ଞା ଶିରେ ଧରି । ଭୋ ରାଜା ଯିବି ଗୋପପୁରୀ ॥ ୧୫୦

ଶୁଣି ସନ୍ତୋଷ ଭୋଜରାଜା । ଅକ୍ରୁରେ କଲା ଦିବ୍ୟପୂଜା ॥ ୧୫୧

କଂସ ପଶିଲା ନିଜ ପୁର । ଅକ୍ରୁର ହୋଇଲା ବାହାର ॥ ୧୫୨

ପଥେ ସେ ବିଚାରଇ ମନେ । କୃଷ୍ଣଙ୍କୁ ଦେଖିବି କେସନେ ॥ ୧୫୩

ସତେ କି ଦେଖିବି ଶ୍ରୀମୁଖ । ଖŠଣ୍ତିବି କୋଟିଜନ୍ମ ଦୁଃଖ ॥ ୧୫୪

ମିଳିଲା ନିଜ ପୁରେ ଯାଇ । ଗୋବିନ୍ଦପାଦେ ଚିତ୍ତ ଦେଇ ॥ ୧୫୫

କହଇ ଦାସ ଜଗନ୍ନାଥ । ଅକ୍ରୁର ସଜକଲା ରଥ ॥ ୧୫୬

ସେ ରଥ ପଛେ ଥାଇ ଧୀରେ । ମନ ମୋ' ଯାଉ ଗୋପପୁରେ ॥ ୧୫୭

ସୁଜନେ ଆସ ସଙ୍ଗମେଳେ । କୃଷ୍ଣ ଦେଖିବା ବେନିଡ଼ୋଳେ ॥ ୧୫୮

ଅକ୍ରୁର ରଥେ ମନ ଥୁଅ । ସଂସାର ବନ୍ଧେ ଧନ୍ଦି ନୁହଁ ॥ ୧୫୯

ବାରେ ଦେଖିଲେ କୃଷ୍ଣ ରୂପ । ଆଉ କି ଥିବ ମନେ ତାପ ॥ ୧୬୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁରସମ୍ପ୍ରେଷଣଂ ନାମ ଊନଚତ୍ୱାରିଂଶୋଽଧ୍ୟାୟଃ ॥

* * *