ଦଶମ ସ୍କନ୍ଧ
ଊନଚତ୍ୱାରିଂଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ପରୀକ୍ଷ ନୃପମଣି । ସ୍ୱର୍ଗେ ଶୁଭିଲା ଜୟବାଣୀ ॥ ୧
ଆକାଶେ ଥିଲେ ଯେ ନାରଦ । ଜାଣିଲେ ଷଣ୍ଢାସୁର ବଧ ॥ ୨
ଆନନ୍ଦ ମନେ ଦେବ ଋଷି । କୃଷ୍ଣ ମହିମା ପରଶଂସି ॥ ୩
ମଥୁରା ନବରେ ମିଳିଲେ । କଂସ ରାଜାର ସଭାତଳେ ॥ ୪
ଦେଖି ଉଠିଲା ଭୋଜବୀର । ନମିଲା ମୁନିଙ୍କ ପୟର ॥ ୫
ଆନନ୍ଦେ ଶିରେ କର ଦେଇ । ଆସନେ ବସାଇଲେ ନେଇ ॥ ୬
ସ୍ୱଭାବେ ଭୋଜବଂଶେ ରାଜା । ମୁନିଚରଣେ କଲା ପୂଜା ॥ ୭
କୁଶଳ ବାରତା ପଚାରି । ବିଶ୍ୱାସ କରି ପାଦ ଧରି ॥ ୮
କଂସର ଭକ୍ତିରେ ନାରଦ । କହନ୍ତି ପାଇ ମନେଖେଦ ॥ ୯
ତୁ ରାଜା ମୋହର ବିଶ୍ୱାସ । ହେଳେ ହୋଇବୁ ପ୍ରାଣେ ନାଶ ॥ ୧୦
ତୋତେ ମୋହର ଚିତ୍ତେ ଦୟା । ପୂର୍ବେ ମୁଁ କହିଗଲି ଯାହା ॥ ୧୧
ତୁ ରାଜା ନ ହେଜିଲୁ ମନେ । ଏବେ ମରିବୁ ଅଳ୍ପଦିନେ ॥ ୧୨
ଶୁଣିଲେ ପାଇବୁ ତୁ ଖେଦ । ମୁଖୁଁ ମୋ' ନସ୍ଫୁରଇ ପଦ ॥ ୧୩
ଦେବତାମାନେ ତୋ ବଇରୀ । ତୋ'ର ମରଣେ କୂଟ କରି ॥ ୧୪
ଗୋପେ ଯାଦବେ ଅବତାର । ଦେବକୀ ବସୁଦେବ ଘର ॥ ୧୫
ହରିଙ୍କି କରାଇଲେ ଜନ୍ମ । ଭିଣୋଇ କଲା ଏଡ଼େ କର୍ମ ॥ ୧୬
ଅଷ୍ଟମ ଗର୍ଭେ ଏହା ନାରୀ । ରାତ୍ରେ ପ୍ରସବିଲା ମୁରାରି ॥ ୧୭
ତୋ'ର ଭିଣୋଇ ତାହା ନେଇ । ଅଇଲା ନନ୍ଦଘରେ ଥୋଇ ॥ ୧୮
କନ୍ୟାଏ ଥିଲା ତା'ର ଘରେ । ତୁ ତାହା କଚାଡ଼ିଲୁ ଶିଳେ ॥ ୧୯
ଦେବଙ୍କ ବୋଲେ ମହାମାୟା । ହୋଇଲେ ବାଳରୂପ କାୟା ॥ ୨୦
ତୋହର ହାତୁ ଶୂନ୍ୟେ ଗଲା । ତେବେହେଁ ଜ୍ଞାନ ତୋନୋହିଲା ॥ ୨୧
କହିଲା ତୋର ମୃତ୍ୟୁଭେଦ । ତେବେହେଁ ନୋହିଲା ତୋ'ଖେଦ ॥ ୨୨
ରୋହିଣୀ ବସୁଦେବ ନାରୀ । ପଳାଇଗଲେ ତୋତେ ଡ଼ରି ॥ ୨୩
ତାହାର ଗର୍ଭ ହୋଇଥିଲା । ସେହି କୁମରେ ପ୍ରସବିଲା ॥ ୨୪
ହରିର ଅଂଶେ ଅବତାର । ସେ ତୋତେ ମାରିବେଟି ବୀର ॥ ୨୫
ରାମ ଗୋବିନ୍ଦ ବେନିଭାଇ । ବଢ଼ିଲେ ଗୋପପୁରେ ଥାଇ ॥ ୨୬
ବସୁଦେବର ମିତ୍ର ନନ୍ଦ । ସେ ତୋତେକଲା ଏଡ଼େ ଛନ୍ଦ ॥ ୨୭
ପୂତନା ଆଦି ଷଣ୍ଢା ଯାଏ । ସବୁ ମାଇଲେ ବେନିପୋଏ ॥ ୨୮
ଇନ୍ଦ୍ରର ଦର୍ପ କରି ଚୂର । କରେ ତୋଳିଲା ଗିରିବର ॥ ୨୯
କାଳୀୟ କାଳିନ୍ଦୀରେ ଥିଲା । ତାହାର ଡ଼ରେ ପଳାଇଲା ॥ ୩୦
କେତେ କହିବି ଗୁଣ ତା'ର । ଦେବଦାନବେ ଅଗୋଚର ॥ ୩୧
ଏମନ୍ତ ବୋଲି ମୁନିବର । କହିଲେ ସମସ୍ତ ବିଚାର ॥ ୩୨
ଶୁଣି ଅସୁର ଥରହର । କାତରେ କମ୍ପଇ ଶରୀର ॥ ୩୩
ଖଡଗ ଧରି ନିଜ କରେ । ବେଗେ ଉଠିଲା କୋପଭରେ ॥ ୩୪
ବସୁଦେବକୁ ଅଣାଇଲା । ଅନେକ ମାଡ଼ ମରାଇଲା ॥ ୩୫
ହାଣିବ ବୋଲି କୋପଭର । ନାରଦ ଧଇଲେ ତା' କର ॥ ୩୬
ନାରଦ ବଚନେ ବିଶ୍ୱାସ । ପାଦେ ଭରିଲା ଲୈାହପାଶ ॥ ୩୭
ଧନସମ୍ପଦ ଜୂର କଲା । ବନ୍ଦୀ ମନ୍ଦିରେ ରଖାଇଲା ॥ ୩୮
କଂସ ଆଗରେ ବ୍ରହ୍ମାସୁତ । କହନ୍ତି ବଚନ ନିୟତ ॥ ୩୯
ଶୁଣ ତୁ ଭୋଜ ନୃପନାଥ । ମୁହିଁ କହଇ ତୋ'ର ହି୍ତ ॥ ୪୦
କୃଷ୍ଣ ଯେ ତୋହର ବଇରୀ । ମର୍ତ୍ତ୍ୟମଣ୍ତଳେ ଅବତରି ॥ ୪୧
ଅବଶ୍ୟ ମାରିବ ସେ ତୋତେ । କଂସ ତୁ ଜାଣିଥା ଯୁକତେ ॥ ୪୨
କୃଷ୍ଣଙ୍କୁ ସଂହାରିଲେ ତୁହି । ରାଜ୍ୟେଣ ଥିବୁ ସୁସ୍ଥ ହୋଇ ॥ ୪୩
ବହୁତ ଉପାୟ କରିବୁ । ବୀରଙ୍କ ହସ୍ତେ ମରାଇବୁ ॥ ୪୪
କେଶୀ ଯେ ଅଛି ତୋ'ର ପାଶ । ସେ ତୋ'ର ଜୀବନ ବିଶ୍ୱାସ ॥ ୪୫
ପାରଇ ନାନା ମୂର୍ତ୍ତି ଧରି । ତାହାକୁ ପେଷ ଦଣ୍ତଧାରୀ ॥ ୪୬
ଏହାର ମରଣେ ତୋହର । ମାଲେ ଯେ ମୁଷ୍ଟିକ ଚାଣୂର ॥ ୪୭
ଏହାଙ୍କ ଥା'ନ୍ତେ କିସ ଭୀତି । ଯାଦବେ ତୋହର ଅପ୍ରୀତି ॥ ୪୮
ଏମନ୍ତ କହି ବ୍ରହ୍ମାସୁତ । ଆକାଶେ ଚଳିଲେ ତୁରିତ ॥ ୪୯
ମୁନି ଅନ୍ତରେ ଭୋଜରାୟେ । ଭାଳଇ ଜୀବନର ଭୟେ ॥ ୫୦
କେଶୀଦଇତ୍ୟକୁ ଅଣାଇଁ । କହଇ ବିଶ୍ୱାସ କରାଇ ॥ ୫୧
ତୁ ମୋର ଭ୍ରାତ ସହୋଦର । ବହନ ଯାଆ ଗୋପପୁର ॥ ୫୨
ବସୁଦେବର ପୁତ୍ର ଦୁଇ । ରାମଗୋବିନ୍ଦ ବେନିଭାଇ ॥ ୫୩
ଗୁପତେ ନନ୍ଦଘରେ ଥାଇ । ବଢ଼ିଲେ ବଳବନ୍ତ ହୋଇ ॥ ୫୪
ଯେତେ ଅସୁର ମୋର ଗଲେ । ଗୋପରେ ଥାଇ ସଂହାରିଲେ ॥ ୫୫
ଦୁହିଁଙ୍କି କର ପ୍ରାଣେ ନାଶ । ଦେବି ସମ୍ପଦ ଗ୍ରାମ ଦେଶ ॥ ୫୬
ଜୀବନ ରହିବ ମୋହର । ହେ ଭ୍ରାତ ବିଳମ୍ବ ନ କର ॥ ୫୭
କଂସର ଆଜ୍ଞା ଘେନି ଶିରେ । କେଶୀ ଚଳିଲା ଗୋପପୁରେ ॥ ୫୮
ଚାଣୁର ମୁଷ୍ଟିକର ମେଳେ । ଦର୍ପିଷ୍ଟ ମହାବଳୀୟାରେ ॥ ୫୯
ଗଜକୁବଳୟା ମାହୁନ୍ତ । ପାତ୍ର ସାମନ୍ତ ଇଷ୍ଟ ମିତ୍ର ॥ ୬୦
ଅଣାଇଁ କହଇ ଅସୁର । ଜଣ ଜଣକେ ଧରି କର ॥ ୬୧
ଭୋ ବୀର ମୁଷ୍ଟିକ ଚାଣୂର । କହି ଯେ ଗଲେ ମୁନିବର ॥ ୬୨
ବସୁଦେବ ତା' ପୁତ୍ରଦୁଇ । ଗୋପରେ ଅଇଲା ଲୁଚାଇ ॥ ୬୩
ଗୁପତେ ନନ୍ଦଘରେ ଥାଇ । ବଢ଼ିଲେ ବଳବନ୍ତ ହୋଇ ॥ ୬୪
ଯେତେକ ବୀର ମୋର ଗଲେ । ଗୋଟିଏ ବାହୁଡ଼ି ନଇଲେ ॥ ୬୫
ଦିନକୁ ଦିନ ବଳୀୟାର । କେମନ୍ତେ କରିବି ସଂହାର ॥ ୬୬
ତାହାଙ୍କୁ ଅଣାଇବି ଧରି । ଏଥେ ମାରିବି କୂଟ କରି ॥ ୬୭
ମାଲବିନ୍ଧାଣେ ମରାଇବି । ତେବେଟି ଜୀବନ ପାଇବି ॥ ୬୮
ସେ ମୋର ବୀରଙ୍କୁ ମାଇଲା । ବନସ୍ତେ କେହି ନ ଦେଖିଲା ॥ ୬୯
ମୁଁ ଆଣି ମଥୁରାରେ ଥୋଇ । ମାଲଙ୍କ ହସ୍ତେ ତାଙ୍କୁ ଦେଇ ॥ ୭୦
ମାରନ୍ତେ ଦେଖିବେ ସକଳ । ଯାଦବ ଭୋଜବଂଶ ବୀର ॥ ୭୧
ରଙ୍ଗସଭାଏ କରାଇବି । ଏମନ୍ତେ ଶତ୍ରୁ ସଂହାରିବି ॥ ୭୨
ତୁମ୍ଭେ ସକଳେ ମୋର ମିତ୍ର । ବେଗେ ନିବାର ନନ୍ଦସୁତ ॥ ୭୩
ଦେବଇଁ ସମ୍ପଦ ବହୁତ । ଗଜତୁରଙ୍ଗ ଯୂଥ ଯୂଥ ॥ ୭୪
ଶୁଣ ହୋ ପାତ୍ର ମନ୍ତ୍ରୀ ମୋର । ମଞ୍ଚା କରାଇବ ଅପାର ॥ ୭୫
ତୁମ୍ଭେ ସକଳେ ଦେଖୁଥିବ । ମୋହର ଶତ୍ରୁ ନାଶଯିବ ॥ ୭୬
ଦେବକୀ ବସୁଦେବ ଆସି । ମଞ୍ଚା ଉପରେ ଥିବେ ବସି ॥ ୭୭
ତୁମ୍ଭେ କରିବ ମାଲପଣ । ଦେଖିବେ ପୁତ୍ରଙ୍କ ମରଣ ॥ ୭୮
ମାହୁନ୍ତ ଥିବ ରଙ୍ଗଦ୍ୱାରେ । ବସି କୁବଳୟାପୀଡ଼ରେ ॥ ୭୯
ମାରିବ ସଭାତଳେ ନେଇ । ଦନ୍ତେ ଗୁନ୍ଥାଇ ବେନିଭାଇ ॥ ୮୦
ଅନେକ ଧନରତ୍ନ ଦେବି । ମୋହର ମଇତ୍ର କରିବି ॥ ୮୧
ଶୁଣ ହୋ ପାତ୍ରମନ୍ତ୍ରୀ ମୋର । ତୁମ୍ଭେ ଭିଆଅ ଧନୁଘର ॥ ୮୨
ଶୁକଳ ଚତୁର୍ଦ୍ଦଶୀ ଦିନେ । ପୂଜା କରିବ ରାତ୍ରମାନେ ॥ ୮୩
ଛେଳି ମହିଷ ବଳିଭୋଜା । କ୍ଷେତ୍ରପାଳଙ୍କୁ କର ପୂଜା । ୮୪
ଘୋଷଣା ଦିଅ ଚାରିଦିଗେ । ଗ୍ରାମ ପାଟଣା ପୁରଲାଗେ ॥ ୮୫
ଜନପରଜା ରଙ୍କି ଦୁଃଖୀ । ଆସିବେ ଧନୁଯାତ୍ରା ଦେଖି ॥ ୮୬
ଦେବଇଁ ଧନ ବସ୍ତ୍ର ଅନ୍ନ । ତୁଳାପୁରୁଷ ଆଦିଦାନ ॥ ୮୭
ଏମନ୍ତ କହି କଂସ ଗଲା । ଭିତର ପୁରେ ବିଜେକଲା ॥ ୮୮
ଅକ୍ରୁର ନାମେ ମନ୍ତ୍ରୀବର । ଯାଦବ ବଂଶେ ବଳୀୟାର ॥ ୮୯
କଂସର ବିଶ୍ୱାସ ଅପାର । ଡ଼କାଇ ଆଣିଲା ସତ୍ୱର ॥ ୯୦
ତାହାର କରେ ହସ୍ତ ଦେଇ । କହଇ ଏକାନ୍ତେ ବସାଇ ॥ ୯୧
ଭୋ ମିତ ଶୁଣ ମୋ' ଉତ୍ତର । ବିଶ୍ୱାସୀ ଅଟୁ ତୁ ମୋହର ॥ ୯୨
ଇଷ୍ଟ ବନ୍ଧୁରେ ସତ୍ୟ କହି । ବେଦପୁରାଣେ ଏ ଅଛଇ ॥ ୯୩
ତୋ' ତହୁଁ ନାହିଁ ଅନ୍ୟ ମିତ୍ର । ତୁ ମୋର ପ୍ରାଣ ପଞ୍ଚଭୂତ ॥ ୯୪
ତୋହର ବଳେ ଆଜ ମୁହିଁ । ଶତ୍ରୁ ସଂହାରିତେ ଲୋଡ଼ଇ ॥ ୯୫
ଯେସନେ ବିଷ୍ଣୁ ଆଶ୍ରେ କରି । ଦେବେ ହୁଅନ୍ତି ସୁଖଚାରୀ ॥ ୯୬
ନନ୍ଦଗୋକୁଳେ ବେଗେ ଯାଅ । ମୋହର ହିତେ ଯେବେ ଥାଅ ॥ ୯୭
ତୋହର ବଳେ ମୁଁ ନିଶ୍ଚିନ୍ତ । ଭୋ ମିତ୍ର କହିଲିଟି ସତ୍ୟ ॥ ୯୮
ବସୁଦେବର ପୁତ୍ର ଦୁଇ । ରାମଗୋବିନ୍ଦ ବେନିଭାଇ ॥ ୯୯
ଥୋଇଲା ନେଇ ନନ୍ଦଘରେ । ଲୁଚାଇ ବସୁଦେବ ଡ଼ରେ ॥ ୧୦୦
ତୁ ବେଗେ ରଥ ଘେନିଯାଅ । ମୋର ଛାମୁରେ ଆଣିଦିଅ ॥ ୧୦୧
ଦେବକୀ ବିଭା ହେଲା ଯେବେ । ମୋତେ ଯା କହିଥିଲେ ଦେବେ ॥ ୧୦୨
ସେ କଥା ହୋଇଲା ଯୁକତେ । ନାରଦ କହିଗଲେ ମୋତେ ॥ ୧୦୩
ମୋତେ ମାରିବେ ବେନିଭାଇ । ଏ କଥା ଉଚିତ ନୁହଁଇ ॥ ୧୦୪
ଗୋକୁଳେ ଥାଇ ବଳୀୟାର । ମାଇଲେ ଅନେକ ଅସୁର ॥ ୧୦୫
ବାଳୁତ କାଳୁଁ ତା'ଙ୍କୁ ଧରି । ବେଗେ ମୁଁ ପକାଇବି ମାରି ॥ ୧୦୬
ତେବେ ମୋହର ମନସ୍ଥିର । ଭୋ ମିତ୍ର ଧରୁଅଛି କର ॥ ୧୦୭
ନନ୍ଦଯଶୋଦାଙ୍କର ସଙ୍ଗେ । ଘେନାଇ ଆସ ଯାଇ ବେଗେ ॥ ୧୦୮
ଗୋରସ ଆଣ ଶତେଭାର । ଧନୁ ଉତ୍ସବ ଯାତ୍ରା ମୋର ॥ ୧୦୯
ଅଣାଇ ମଥୁରା ନବରେ । ବନ୍ଦୀ କରିବି ବନ୍ଦୀଘରେ ॥ ୧୧୦
ରାମଗୋବିନ୍ଦ ଅଣାଇବି । ହସ୍ତୀର ଦନ୍ତେ ଗୁନ୍ଥାଇବି ॥ ୧୧୧
ଯେବେ ଉବୁରିବେ ସେଠାରୁ । ମାଲେ ଅଛନ୍ତି ମହାମେରୁ ॥ ୧୧୨
ଏହାଙ୍କ ହସ୍ତେ ମରାଇବି । ତେବେ ସେ ଜୀବନ ପାଇବି ॥ ୧୧୩
ମେହାର ଯଦୁବଂଶ ବାଦୀ । ସବୁଙ୍କୁ ପକାଇବି ଛେଦି ॥ ୧୧୪
ନନ୍ଦଯଶୋଦା ବସୁଦେବ । ଦେବକୀ ଯେତେକ ଯାଦବ ॥ ୧୧୫
ଏହାଙ୍କୁ ପେଷି ଯମପୁର । ତେବେ ଜୀବନ ସ୍ଥିର ମୋର ॥ ୧୧୬
ଉଗ୍ରସେନଙ୍କୁ ଧରି ଆଣି । ଏଠାରେ ପକାଇବି ହାଣି ॥ ୧୧୭
ଦେବକନାମେ ତା'ର ଭାଇ । ମୋର ମରଣ ସେ ଲୋଡ଼ଇ ॥ ୧୧୮
ମୋର ବଇରୀଛନ୍ତି ଯେତେ । ଭୋ ମିତ୍ର ମାରିବି ଏମନ୍ତେ ॥ ୧୧୯
ତେବେ ସେ ମହୀ ଅକଣ୍ଟକେ । ଭୋଗ କରିବି ମୁହିଁ ଏକେ ॥ ୧୨୦
ଶ୍ୱଶୁର ଜରାସନ୍ଧ ମୋର । ସଙ୍ଗାତ ଦ୍ୱିବିନ୍ଦ ବାନର ॥ ୧୨୧
ଶୂର ନାରକା ବାଣାସୁର । ଅଛନ୍ତି ମହା ମହା ବୀର ॥ ୧୨୨
ଶାଲ୍ୱକ ଦନ୍ତବକ୍ର ବୀର । ପୁଣ୍ତ୍ରକ କାଶୀ-ରାଜେଶ୍ୱର ॥ ୧୨୩
ଏ ମୋର ସମ ବଳୀୟାର । ମୋତେ ଡରଇ ସୁନାସୀର ॥ ୧୨୪
ଭୋ ମିତ୍ର ଯାଆ ବେଗ ହୋଇ । ଧନୁ ଉତ୍ସବ ଯାତ୍ରା କହି ॥ ୧୨୫
ବହନ ଆଣ ବେନିଭାଇ । ମିତ୍ର ମୋହର ଯେବେ ତୁହି ॥ ୧୨୬
ସେ ବିଷ୍ଣୁଅଂଶେ ଜାତ ହୋଇ । ରାମଗୋବିନ୍ଦ ବେନିଭାଇ ॥ ୧୨୭
ବିଚାରେ ବଳବାନ କରି । ତା'ଙ୍କ ମରଣ ମନେ ଧରି ॥ ୧୨୮
ଯେତେକ ବୀର ମୋର ଗଲେ । ଗୋଟିଏ ବାହୁଡ଼ି ନଇଲେ ॥ ୧୨୯
ତାହାଙ୍କ ବଳ ପରିମାଣି । ବଳେ ନୋହଇ ତା'ଙ୍କୁ ଆଣି ॥ ୧୩୦
ତୁ ଯେଣୁ ବିଷ୍ଣୁଭକ୍ତଜନ । ତୋରେ ସଦୟ ଭଗବାନ ॥ ୧୩୧
ବହନ କରି ଭାବେ କହି । ବେଗେ ତୁ ଘେନି ଆସ ଯାଇ ॥ ୧୩୨
ଟାଣ ନ କହି ଆଣ ବେଗେ । ରଥେ ବସାଇ ତୋର ସଙ୍ଗେ ॥ ୧୩୩
ତୋହର ଭକ୍ତିଭାବ ଘେନି । ଏଥେ ଆସିବେ ଭାଇ ବେନି ॥ ୧୩୪
ଏମନ୍ତ କଂସ ବୋଲ ଶୁଣି । ଅକ୍ରୁର ମନେ ମନେ ଗୁଣି ॥ ୧୩୫
ଅକ୍ରୁର ଉବାଚ
ବୋଲଇ ଶୁଣ ନରନାଥ । ଏ କଥା ତୋହର ଉଚିତ ॥ ୧୩୬
ଶତ୍ରୁକୁ ବୁଦ୍ଧିବଳେ ମାରି । ତେବେ ଜୀବନ ସୁଖେ ଧରି ॥ ୧୩୭
କହଇ ଶୁଣ ନୃପବର । ଦଇବବଳ ବଳୀୟାର ॥ ୧୩୮
ଯେ ଯାହା କର୍ମଫଳ ବଳେ । ଭୋଗ କରନ୍ତି ମହୀତଳେ ॥ ୧୩୯
ମର୍ତ୍ତ୍ୟେମାନବ ଦେହ ବହି । ଲାଭ ଅଲାଭ ନ ଜାଣଇ ॥ ୧୪୦
ଯେ ଯାହା ପୂର୍ବେ ଥାଇ କରି । ଭୁଞ୍ଜଇ ସେ ଫଳ ଆବୋରି ॥ ୧୪୧
ଶୋକ ହରଷ ବେନିପଥେ । ମିଳନ୍ତି କର୍ମର ଆୟତ୍ତେ ॥ ୧୪୨
କର୍ମ ଯେ ବଡ଼ ବୁଦ୍ଧିଦାତା । କର୍ମ ହିଁ ଅଲେଖ ବିଧାତା ॥ ୧୪୩
ଯେବେ ତୋ' କର୍ମ ବଳୀୟାର । ଭୋଗ କରିବୁ ଦିବ୍ୟପୁର ॥ ୧୪୪
ବିବିଧ ରତ୍ନ ଅଶ୍ୱଗଜ । କରୀଦଶନଖଟ ଶେଯ ॥ ୧୪୫
ଅମୂଲ୍ୟପୁର ବାରସ୍ୱତୀ । ଦେବେ କରିବେ ତୋତେ ସ୍ତୁତି ॥ ୧୪୬
ଯଦି ତୋ କର୍ମ ବିଡ଼ମ୍ବନ । ହୋଇବ ଅକାଳ ମରଣ ॥ ୧୪୭
ଭଣଜା ହସ୍ତେ ଯେବେ ମୃତ୍ୟୁ । ଯାହା କହିଛି କୁଶକେତୁ ॥ ୧୪୮
ଏଥକୁ ନିଷତ ହୋଇଲେ । ଆଉ କି ଥିବ ଦେହ ଭଲେ ॥ ୧୪୯
ତୋହର ଆଜ୍ଞା ଶିରେ ଧରି । ଭୋ ରାଜା ଯିବି ଗୋପପୁରୀ ॥ ୧୫୦
ଶୁଣି ସନ୍ତୋଷ ଭୋଜରାଜା । ଅକ୍ରୁରେ କଲା ଦିବ୍ୟପୂଜା ॥ ୧୫୧
କଂସ ପଶିଲା ନିଜ ପୁର । ଅକ୍ରୁର ହୋଇଲା ବାହାର ॥ ୧୫୨
ପଥେ ସେ ବିଚାରଇ ମନେ । କୃଷ୍ଣଙ୍କୁ ଦେଖିବି କେସନେ ॥ ୧୫୩
ସତେ କି ଦେଖିବି ଶ୍ରୀମୁଖ । ଖଣ୍ତିବି କୋଟିଜନ୍ମ ଦୁଃଖ ॥ ୧୫୪
ମିଳିଲା ନିଜ ପୁରେ ଯାଇ । ଗୋବିନ୍ଦପାଦେ ଚିତ୍ତ ଦେଇ ॥ ୧୫୫
କହଇ ଦାସ ଜଗନ୍ନାଥ । ଅକ୍ରୁର ସଜକଲା ରଥ ॥ ୧୫୬
ସେ ରଥ ପଛେ ଥାଇ ଧୀରେ । ମନ ମୋ' ଯାଉ ଗୋପପୁରେ ॥ ୧୫୭
ସୁଜନେ ଆସ ସଙ୍ଗମେଳେ । କୃଷ୍ଣ ଦେଖିବା ବେନିଡ଼ୋଳେ ॥ ୧୫୮
ଅକ୍ରୁର ରଥେ ମନ ଥୁଅ । ସଂସାର ବନ୍ଧେ ଧନ୍ଦି ନୁହଁ ॥ ୧୫୯
ବାରେ ଦେଖିଲେ କୃଷ୍ଣ ରୂପ । ଆଉ କି ଥିବ ମନେ ତାପ ॥ ୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁରସମ୍ପ୍ରେଷଣଂ ନାମ ଊନଚତ୍ୱାରିଂଶୋଽଧ୍ୟାୟଃ ॥
* * *