ଦଶମ ସ୍କନ୍ଧ
ଅଷ୍ଟତ୍ରିଂଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ ପରୀକ୍ଷିତ୍ । ଗୋପେ ଅସୁର ଉପଗତ ॥ ୧
ଅରିଷ୍ଟ ନାମେ ଷଣ୍ଢରୂପୀ । ମିଳିଲା ବନଗିରି ବ୍ୟାପୀ ॥ ୨
ବୃଷଭରୂପୀ ମହାକାୟେ । ଅବନୀ ଖୋଳୁଅଛି ପାୟେ ॥ ୩
ଗର୍ଜଇ ଘୋରନାଦ କରି । ପାଦେ କମ୍ପଇ ବସୁନ୍ଧରୀ ॥ ୪
ଲାଞ୍ଜ ଉଭାରି ବେଗେ ଧାଇଁ । ଶୃଙ୍ଗେ ଖୋଳଇ ଉଚ୍ଚଭୂଇଁ ॥ ୫
ଅଳପ ଅଳପ ମୂତଇ । ଚକ୍ଷୁ ବୁଜିଣ ପୁଣ ଚାହିଁ ॥ ୬
ଶୁଣି ତାହାର ଘୋରନାଦ । ଗାଈ ଗୁଆଳୀଙ୍କ ବିଷାଦ ॥ ୭
ପତନ ହୋଇ ଗର୍ଭତଳେ । ଦେବେ ଡ଼ରନ୍ତି ସ୍ୱର୍ଗଆଳେ ॥ ୮
ପିଠି ଉପରେ ଚୁଳ ଦେଖି । ପର୍ବତ ପ୍ରାୟ ଉପଲକ୍ଷ୍ୟି ॥ ୯
ମେଘ ଦିଶନ୍ତି ତା' ଉପରେ । ଶୃଙ୍ଗଯୁଗଳ ତୀକ୍ଷ୍ଣଧାରେ ॥ ୧୦
ଅସୁର ବଡ଼ ଭୟଙ୍କର । ଗର୍ଜଇ ଅତି ଘୋରତର ॥ ୧୧
ଗୋପୀଗୋପାଳ ଦେଖି ଡ଼ରେ । ପଳାଇ ଗଳେ ବନଘୋରେ ॥ ୧୨
ଗୋରୁଏ ପଳାଇଲେ ଦେଖି । ଭୟେ ବୁଜିଲେ ବେନିଆଖି ॥ ୧୩
ପଡ଼ିଲା ଗୋପପୁରେ ହୁରି । ଡ଼ାକନ୍ତି କୃଷ୍ଣନାମ ଧରି ॥ ୧୪
ରଖ ଗୋକୁଳ ଦାମୋଦର । ଆମ୍ଭେ ଯେ ଶରଣ ତୋହର ॥ ୧୫
ବିକଳ ଦେଖିଣ ଗୋକୁଳ । ଧାଇଁଲେ ପ୍ରଭୁ ଆଦିମୂଳ ॥ ୧୬
ଆନନ୍ଦେ ତୋଳି ବେନି ଭୁଜ । ଡ଼ାକନ୍ତି ପ୍ରଭୁ ଦେବରାଜ ॥ ୧୭
ଭୟ ନ କର ତୁମ୍ଭେ କେହି । ଅସୁର ସଂହାରିବି ମୁହିଁ ॥ ୧୮
ଏମନ୍ତ ବୋଲି ନରହରି । ଡ଼ାକିଲେ ଷଣ୍ଢ ନାମ ଧରି ॥ ୧୯
ରେ ରେ ଦଇତ୍ୟ ଷଣ୍ଢାସୁର । କିପାଁ ଅଇଲୁ ଗୋପପୁର ॥ ୨୦
ଦୁଷ୍ଟଦଳନ ବାନା ମୋର । ଆଜି ପେଷିବି ଯମପୁର ॥ ୨୧
ଧାଇଁଲେ ବାହାନାଦ କରି । ସ୍ୱର୍ଗେ ଦେଖନ୍ତି ଦେବନାରୀ ॥ ୨୨
ଗୋବିନ୍ଦ ଦେଲେ କରତାଳ । ଶୁଣି ଅସୁର ଅସମ୍ଭାଳ ॥ ୨୩
ପଛେ ଅଛନ୍ତି ଭାବଗ୍ରାହୀ । ବାଳକକନ୍ଧେ ହସ୍ତ ଦେଇ ॥ ୨୪
କୃଷ୍ଣର ଶୁଣି କରତାଳି । କୋପେ ଅସୁର ପରଜ୍ୱଳି ॥ ୨୫
କ୍ଷୁରେ ଖୋଳଇ ମହୀସ୍ଥଳ । ଲାଞ୍ଜ ବୁଲାଇ ଅନ୍ତରାଳ ॥ ୨୬
ମେଘେ ଉଡ଼ିଲେ ଲାଞ୍ଜବାଏ । ନିଶ୍ୱାସ ଖରତର ବହେ ॥ ୨୭
ଆଗେ ଉଭାରି ଶୃଙ୍ଗ ଦୁଇ । ଚକ୍ଷୁ ବୁଜିଲା କୃଷ୍ଣେ ଚାହିଁ ॥ ୨୮
ଷଣ୍ଢ ଧାଇଁଲା ଧାତିକାରେ । ବଜ୍ର ଯେସନେ ଇନ୍ଦ୍ରକରେ ॥ ୨୯
ଆଗ ହୋଇଲେ ଭାବଗ୍ରାହୀ । କରେ ଧଇଲେ ଶୃଙ୍ଗ ଦୁଇ ॥ ୩୦
ଅସୁର ନ ପାରିଲା ଯାଇ । ପଛକୁ ଦେଲେ ହାବୁଡ଼ାଇ ॥ ୩୧
ଅସୁର ପାଇ ମହାତ୍ରାସ । ଘୁଞ୍ଚିଲା ଭେଡ଼ା ଅଷ୍ଟାଦଶ ॥ ୩୨
ଯେହ୍ନେ ଉଭାରି ବେନିଗଜ । ପଛେ ଘୁଞ୍ଚିଲେ ଦେବରାଜ ॥ ୩୩
ଦଇତ୍ୟ ମୂର୍ଚ୍ଛାଗତ ହୋଇ । ପୁଣି ଉଠିଲା ଜ୍ଞାନ ପାଇ ॥ ୩୪
ଧାଇଁଲା ପବନହୁଁ ଖର । ଶୃଙ୍ଗ ଧଇଲେ ଚକ୍ରଧର ॥ ୩୫
ଅସୁର ଦେହେ ପାଦ ଦେଇ । ତଳେ ପାଡ଼ିଲେ ବେଗେ ନେଇ ॥ ୩୬
ପଛ ଚରଣ ପାଦେ ଚାପି । ମୁଣ୍ତ ମୋଡ଼ିଲେ ବିଶ୍ୱରୂପୀ ॥ ୩୭
ଓଦା ବସନ ପ୍ରାୟେ ମୋଡ଼ି । ତା'ର ମସ୍ତକୁ ଶୃଙ୍ଗ ଝାଡ଼ି ॥ ୩୮
ମୁଖରୁ ବହିଲା ରୁଧିର । ବେଗେ ଛାଡ଼ିଲା ମୂତ୍ର ମଳ ॥ ୩୯
ଚାରିଚରଣ ପ୍ରସାରିଲା । ଗୋବିନ୍ଦ ମୁଖକୁ ଚାହିଁଲା ॥ ୪୦
ପ୍ରାଣ ଛାଡ଼ିଲା ମହାବଳୀ । ଦେଖନ୍ତି ସ୍ୱର୍ଗଲୋକେ ମିଳି ॥ ୪୧
ଦେବେ କରନ୍ତି ପୁଷ୍ପ ବୃଷ୍ଟି । ଶ୍ରୀକୃଷ୍ଣ ନାଶିଲେ ଅରିଷ୍ଟି ॥ ୪୨
ଏମନ୍ତେ ଅସୁର ନିବାରି । ଉଶ୍ୱାସ କଲେ ଗୋପପୁରୀ ॥ ୪୩
ଗୋପୀ-ଗୋପାଳ ନନ୍ଦମେଳେ । ସ୍ତୁତି କରନ୍ତି ପାଦତଳେ ॥ ୪୪
ଗୋପୀଏ ଚାହାଁନ୍ତି ଶ୍ରୀମୁଖ । ଖଣ୍ତିଲେ ଭବଭୟ-ଦୁଃଖ ॥ ୪୫
କୃଷ୍ଣ ଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୪୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଷଣ୍ଢାସୁରମୋକ୍ଷଣଂ ନାମ ଅଷ୍ଟତ୍ରିଂଶୋଽଧ୍ୟାୟଃ ॥
* * *