ଦଶମ ସ୍କନ୍ଧ
ସପ୍ତତ୍ରିଂଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ପରୀକ୍ଷ ଦଣ୍ତଧାରୀ । ଗୋପନଗର ନରନାରୀ ॥ ୧
କୃଷ୍ଣ ବନକୁ ଯିବା ଚାହିଁ । କହନ୍ତି ଯଶୋଦା ବସାଇ ॥ ୨
ଗୋପୀଜନ ଉବାଚ
ଶୁଣ ଗୋ ନନ୍ଦର ଘରଣୀ । ତୋ' ସୁତ କୃଷ୍ଣର କାହାଣୀ ॥ ୩
ବାଙ୍କନୟନ ଚାଳି ଧୀରେ । ମୁରଲୀ ଲଗାଇ ଅଧରେ ॥ ୪
ଅଙ୍ଗୁଳି ବେଣୁ ରନ୍ଧ୍ରେ ଦେଇ । ତ୍ରିଭଙ୍ଗ ଛନ୍ଦେ ଉଭା ହୋଇ ॥ ୫
ବାମକପୋଳ ଢ଼ାଳି ଧୀରେ । ନିବେଶି ବାମ ବାହୁମୂଳେ ॥ ୬
କପାଳେ କସ୍ତୁରୀ ବିରାଜେ । ପୀତବସନ କଟି ସାଜେ ॥ ୭
ଯମୁନା କଦମ୍ବର ମୂଳେ । ବେଣୁ ବଜାନ୍ତେ କୁତୂହଳେ ॥ ୮
ଆକାଶେ ସିଦ୍ଧଗଣ ତୁଲେ । ଦେବକାମିନୀ ମୋହ ଗଲେ ॥ ୯
ଲଜ୍ଜା ଛାଡ଼ିଲେ କାମଭୋଳେ । କେଶବସନ ଅସମ୍ଭାଳେ ॥ ୧୦
ଶୁଣ ଗୋ ବେଣୁଧର ମାତା । ତୋ'ର କୁମର ଚିତ୍ର କଥା ॥ ୧୧
ହୃଦେ ଲମ୍ବାଇ ବନମାଳ । ଅଳପ ହସି ତୋ'ର ବାଳ ॥ ୧୨
ବେଣୁ ବଜାଏ ଯେବେ ବନେ । ଆରତ ହୋନ୍ତି ଜନ୍ତୁଗଣେ ॥ ୧୩
ଗୋରୁ ମହିଷ ମୃଗଯୂଥ । ଶୁଣି ତୋ' ସୁତ ବେଣୁଗୀତ ॥ ୧୪
ତୃଣ କବଳ ଉପେକ୍ଷିଲେ । ମୁରଲୀ ନାଦେ ଚିତ୍ତ ଦେଲେ ॥ ୧୫
ବତ୍ସାଏ ମୁଖ ଦେଇ ସ୍ତନେ । ଶୁଣନ୍ତି ମୁଦ୍ରିତ ଲୋଚନେ ॥ ୧୬
ଚିତ୍ରପ୍ରତିମା ପ୍ରାୟ ହୋଇ । ଜନ୍ତୁଙ୍କ ଚକ୍ଷୁ ନ ଚଳଇ ॥ ୧୭
ପୁଷ୍ପ ସ୍ତବକେ ଶିଖୀ ପୁଚ୍ଛ । ରଙ୍ଗ ମୃତ୍ତିକା ମାଲକାଛ ॥ ୧୮
ଆମ୍ଭ କୁମର ଘେନି ସଙ୍ଗେ । ଗୋରୁଙ୍କୁ ଚରାନ୍ତି ସୁରଙ୍ଗେ ॥ ୧୯
ନଦୀଏ ନ ବହନ୍ତି ଘନେ । ଶୁଣି ତୋ' ସୁତ ବେଣୁସ୍ୱନେ ॥ ୨୦
ଅତି ସଧୀରେ ବହେ ବାରି । ପବନେ ଉଜାଣି ଲହରୀ ॥ ୨୧
ତା' ପାଦରଜେ ଚିତ୍ତ ଦେଇ । ବହଇ କି ସେ ସ୍ଥିର ହୋଇ ॥ ୨୨
ପବନ ଆଣିବ ଉଡ଼ାଇ । ଆମ୍ଭେ ତରିବୁ ରେଣୁ ପାଇ ॥ ୨୩
ଆଦି ପୁରୁଷ ପ୍ରାୟ ସେହି । ଆମ୍ଭ ବାଳକ ସଙ୍ଗେ ଥାଇ ॥ ୨୪
ଗିରି ନିକଟେ ପଶୁଗଣେ । ଚରନ୍ତି ତୃଣ ତୋଷମନେ ॥ ୨୫
ଗୋରୁଙ୍କ ନାମ ବେଣୁସ୍ୱନେ । ଡାକନ୍ତି ମଧୁର ବଚନେ ॥ ୨୬
ଲତାଏ ତରୁଙ୍କୁ ଆବୋରି । ଫଳ ପଲ୍ଲବ ପୁଷ୍ପେ ଭରି ॥ ୨୭
ଢ଼ାଳନ୍ତି ଚାମର ପରାଏ । ବସନ୍ତ ସୁଶୀତଳ ବାୟେ ॥ ୨୮
ବୃକ୍ଷେ ହୋଇଲେ ପୁଲକିତ । ଶୁଣି ତା' ମୁରଲୀର ଗୀତ ॥ ୨୯
ମଧୁ ବରଷିଲେ ଗହଳ । ଯେହ୍ନେ ନୟନୁ ଅଶ୍ରୁଜଳ ॥ ୩୦
ସୁନ୍ଦରବର ତୋ କୁମର । ତୁଳସୀମାଳ ଲମ୍ବେ ଊର ॥ ୩୧
ଗନ୍ଧେ ଭ୍ରମର ନ ଛାଡ଼ନ୍ତି । ବେଣୁ ଶବଦେ ଆବୋରନ୍ତି ॥ ୩୨
ନଦୀ ତଡ଼ାଗ ଜଳେ ଥାଇ । ହଂସ ସାରସେ ସ୍ଥିର ହୋଇ ॥ ୩୩
ମନ ନିରୋପି ବେଣୁସ୍ୱନେ । ମୁଦ୍ରିତ ହୋଇଲେ ଲୋଚନେ ॥ ୩୪
ନାନା କୁସୁମେ ବେଶ ହୋଇ । ରୋହିଣୀସୁତ ସଙ୍ଗେ ଥାଇ ॥ ୩୫
ବେଣୁ ଶବଦେ ତୋ'ର ବଳା । ଅଶେଷ ବ୍ରହ୍ମାଣ୍ତ ମୋହିଲା ॥ ୩୬
ଇନ୍ଦ୍ରବଚନେ ମେଘମାଳେ । ସୁନ୍ଦର ଗଗନମଣ୍ତଳେ ॥ ୩୭
ମିତ୍ରର ଶ୍ରମ ବନେ ଚାହିଁ । ମେଘେ ଢ଼ାଙ୍କିଲେ ଛତ୍ର ହୋଇ ॥ ୩୮
ଗୋପେ ବିବିଧ ରସେ ପୂରି । ଶିଖିଛି ବେଣୁନାଦ କରି ॥ ୩୯
ସପତ ସ୍ୱରେ ବେଣୁବାଇ । ବାଙ୍କନୟନେ ରଙ୍ଗେ ଚାହିଁ ॥ ୪୦
ତୋ'ର ନନ୍ଦନ ବେଣୁସ୍ୱରେ । ବ୍ରହ୍ମାଶଙ୍କର ଇନ୍ଦ୍ରତୁଲେ ॥ ୪୧
ମୁନିଙ୍କ ସଙ୍ଗେ ବନ ମଧ୍ୟେ । ମୋହ ହୋଇଲେ ବେଣୁନାଦେ ॥ ୪୨
ଅପୂର୍ବ ଶୁଣ କୃଷ୍ଣମାଏ । ଧ୍ୱଜ ଅଙ୍କୁଶ ପଦ୍ମପାୟେ ॥ ୪୩
ଚିତ୍ରିତ କଲା ବନଭୂଇଁ । ମତ୍ତମାତଙ୍ଗ ପ୍ରାୟ ହୋଇ ॥ ୪୪
ତା'ର ଚାଲିବା ଦେଖି ମାଏ । ଚାଲିତ ନ ପାରୁଁ ଭେଡ଼ାଏ ॥ ୪୫
ବୃକ୍ଷଙ୍କ ଗତି ଆମ୍ଭେ ଭଜୁ । ଚାହିଁ ନ ପାରି ଚକ୍ଷୁ ବୁଜୁ ॥ ୪୬
ମଦନଶରେ ହେଉଁ ଭୋଳ । ଫିଟଇ କବରୀ ଅଞ୍ଚଳ ॥ ୪୭
ମଣି-ଗୁଞ୍ଜରା ଶିରେ ଧରି । ଗାଈଙ୍କ ପଛେ ବନେଚାରୀ ॥ ୪୮
ତୁଳସୀମାଳା ଶୋହେ ହୃଦେ । ଭୁଜ ଗୋପାଳ ପୁଅ କନ୍ଧେ ॥ ୪୯
ମଧୁର ସ୍ୱରେ ବେଣୁବାଇ । ଚାଲନ୍ତି ଚଉଦିଗେ ଚାହିଁ ॥ ୫୦
ହରିଣୀଗଣ କୃଷ୍ଣ ଚାହିଁ । ବେଣୁ ଶବଦେ ଚିତ୍ତ ଦେଇ ॥ ୫୧
ଛାଡ଼ିଣ ସୁତ ଗୃହବାସ । କ୍ଷଣେ ନ ଛାଡ଼ନ୍ତି ତା' ପାଶ ॥ ୫୨
ସକଳ ଗୁଣଙ୍କର ସିନ୍ଧୁ । ମୁଖମଣ୍ତଳ ପୂର୍ଣ୍ଣଇନ୍ଦୁ ॥ ୫୩
ଉତ୍ତରୀଛଳେ କୁନ୍ଦମାଳ । ସଙ୍ଗତେ ଗୋରୁ ଗୋପବାଳ ॥ ୫୪
କାଳିନ୍ଦୀତଟେ ତୋ' କୁମର । ହୃଦୟ ଭେଦିଲା ଆମ୍ଭର ॥ ୫୫
ପବନ ଯୋଗେ ବୃକ୍ଷଡ଼ାଳେ । ଲାଗନ୍ତି ତା'ର ପାଦତଳେ ॥ ୫୬
ତ୍ରିଦଶେ ବାଦ୍ୟନାଦ କରି । ସ୍ତୁତି କରନ୍ତି ବ୍ରହ୍ମଚାରୀ ॥ ୫୭
ବିବିଧ ଅଙ୍ଗଭଙ୍ଗୀ ତା'ର । ମହିମା କେ କରୁ ଗୋଚର ॥ ୫୮
ଇନ୍ଦ୍ରର ଛଳେ ତୋ' କୁମର । କରେ ତୋଳିଲା ଗିରିବର ॥ ୫୯
ବ୍ରହ୍ମା ଶଙ୍କର ଆଦିକରି । ବନ୍ଦିଲେ ତା'ର ପାଦ ଧରି ॥ ୬୦
ଗୋଧନ ଘେନି ଦିନ ଅନ୍ତେ । ଗୋପେ ସେ ଆସନ୍ତି ଉଷତେ ॥ ୬୧
ଗୋଧୂଳି ଭୂଷଣ ଶରୀର । ଜୀବନ ଦହେ ଗୋ ଆମ୍ଭର ॥ ୬୨
ଗୋପବାଳକ ଇଷ୍ଟଦାତା । ଦେବକୀ ଦେବୀ ଯା'ର ମାତା ॥ ୬୩
ନକ୍ଷତ୍ର ପ୍ରାୟ ଗୋପବାଳ । ତୋ' ସୁତ ଶଶାଙ୍କମଣ୍ତଳ ॥ ୬୪
ବେନିଲୋଚନ ମତ୍ତଭୋଳେ । ନାଚେ ଗୋପାଳ ପୁଅମେଳେ ॥ ୬୫
ଗୋରୁଙ୍କ ଧୂଳି ମୁଖେ ମିଶି । ବଦରୀ ଫଳ ପ୍ରାୟ ଦିଶି ॥ ୬୬
ରତ୍ନକୁଣ୍ତଳ କର୍ଣ୍ଣେ ଶୋହେ । ରୂପେ କୋଟିଏ କାମମୋହେ ॥ ୬୭
ଚାଲଇ ମତ୍ତଗଜ ଛନ୍ଦ । ମୁଖ ତା ପୂର୍ଣ୍ଣମୀର ଚାନ୍ଦ ॥ ୬୮
ଆମ୍ଭେ ଗୋ ଚାହିଁ ତା'ର ମୁଖ । ଖଣ୍ତୁ ବିରହ ତାପ ଦୁଃଖ ॥ ୬୯
ଶୁକ ଉବାଚ
ନନ୍ଦଘରଣୀ ଆଗେଯାଇ । ଏମନ୍ତ କୃଷ୍ଣଲୀଳା କହି ॥ ୭୦
ଗୋଟିଏ କୃଷ୍ଣ ପାଦେ ଚିତ୍ତ । ଦିନକୁ ଦିନ ଅପ୍ରମିତ ॥ ୭୧
ଛାଡ଼ିଲେ ଭବବନ୍ଧ-ଭ୍ରମ । କୃଷ୍ଣ ହୁଁ ନ ଜାଣନ୍ତି ଆନ ॥ ୭୨
ସେ ଗୋପୀଗୋପଙ୍କ ପୟରେ । ମନ ମୋ ରହୁ ନିରନ୍ତରେ ॥ ୭୩
ନାମ ମୋହର ଜଗନ୍ନାଥ । ଭକତି ଛାଡ଼ି ଅରକ୍ଷିତ ॥ ୭୪
ବ୍ରାହ୍ମଣକୁଳେ ଜାତ ହୋଇ । ହରି ଭକତି ମୋର ନାହିଁ ॥ ୭୫
ସୁଜନଜନେ ହରିପଥେ । ସେବକ କରି ନିଅ ମୋତେ ॥ ୭୬
ନିବିଡ଼-ମୋହ-ଜଡ଼େ ଥାଇ । କୃଷ୍ଣଚରଣେ ମନ କାହିଁ ॥ ୭୭
ଏ ଘୋର-ସଂସାର-ସାଗର । ଏଣେ ହୋ ବିଶ୍ୱାସ ନ କର ॥ ୭୮
ନିରତେ ଭଜ ଦୃଢ଼ଚିତ୍ତେ । ହରିଚରଣ ଅବିରତେ ॥ ୭୯
ବ୍ରହ୍ମ ହୁଁ କୀଟ ଜନ୍ମଯାଏ । ସକଳେ ଛାଡ଼ି ମାୟାମୋହେ ॥ ୮୦
କେବଳ ଗୋବିନ୍ଦ ଭରସା । ଛାଡ଼ ସକଳ ମାୟା ଆଶା ॥ ୮୧
ପଥିକ ଯେହ୍ନେ ପଥଶ୍ରମେ । ମିଳନ୍ତି ବୃକ୍ଷର ଆଶ୍ରମେ ॥ ୮୨
ଶ୍ରମ ସରିଲେ ଯେଝାମତେ । ଚଳନ୍ତି ବୃକ୍ଷ ଥାଇପଥେ ॥ ୮୩
ଏସନ ସଂସାର କୁଟୁମ୍ବ । ସୁଖ ଦୁଃଖରେ ପରାଭବ ॥ ୮୪
ଗୋବିନ୍ଦ ବିନା ଆଶ୍ରେ ତା'ର । ଅନ୍ୟଥା ନାହିଁ ପ୍ରତିକାର ॥ ୮୫
ପୁରାଣ ଶିରି ଭାଗବତ । ବାଇଙ୍କ ପ୍ରାୟେ କଲି ଗୀତ ॥ ୮୬
ପଣ୍ତିତେ ନ କରିବା ହାସ । ତୁମ୍ଭ ଶ୍ରୀଚରଣେ ମୁଁ ଦାସ ॥ ୮୭
ବିନୋଇ ହୋଇଣ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୮୮
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବୃନ୍ଦାବନ କ୍ରୀଡ଼ାୟାଂ ଗୋପିକାଯୁଗଳଗୀତଂ ନାମ
ସପ୍ତତ୍ରିଂଶୋଽଧ୍ୟାୟଃ ॥
* * *