ଦଶମ ସ୍କନ୍ଧ
ଷଟ୍ତ୍ରିଂଶ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । କୃଷ୍ଣ ଚରିତ ଭାଗବତ ॥ ୧
ଦିନେକ ଦେବ ଦଇତ୍ୟାରି । ସଙ୍ଗତେ ଘେନି ଗୋପନାରୀ ॥ ୨
ବଳଦେବଙ୍କୁ ଘେନି ସଙ୍ଗେ । ମିଳିଲେ ବୃନ୍ଦାବନ ଲାଗେ ॥ ୩
ଶୀତଳ-ବସନ୍ତର ବାୟେ । ବନେ ବିଜୟ ଦେବରାୟେ ॥ ୪
ଶଶାଙ୍କ-କିରଣେ ରଜନୀ । ସୁନ୍ଦର ଦିଶେ ବନଭୂମି ॥ ୫
ରାମଗୋବିନ୍ଦ ଗୋପନାରୀ । ବିବିଧମତେ ନାନାକେଳି ॥ ୬
ମଧ୍ୟେ ବିଜୟ ହଳଧର । ଗୋପୀ ସାନନ୍ଦେ ଗୀତସ୍ୱର ॥ ୭
କୃଷ୍ଣ କରନ୍ତି ଗୀତନାଦ । ହରିଲେ କାମିନୀ ବିଷାଦ ॥ ୮
କୁନ୍ଦ ମଲ୍ଲିକା ଗନ୍ଧସାର । ଶୀତଳ ବହଇ ସମୀର ॥ ୯
ଗୋବିନ୍ଦ ଗୀତ ଶୁଣି କର୍ଣ୍ଣେ । ମୂର୍ଚ୍ଛିତ ହେଲେ ପଶୁଗଣେ ॥ ୧୦
ପୁଲକ ହୋନ୍ତି ବୃକ୍ଷପନ୍ତି । ସ୍ୱର୍ଗେ ଦେବତା କଲେ ସ୍ତୁତି ॥ ୧୧
ଶୁଣି ଗୋବିନ୍ଦ ଗୀତନାଦ । ଗୋପୀ ପାଇଲେ ମନେ ଖେଦ ॥ ୧୨
କଟିମେଖଳା ଝୀନବାସ । କବରୀ ହୋଇଲା ଉଶ୍ୱାସ ॥ ୧୩
ମଦନଭୋଳେ ଗୀତଗାଇ । ଗୋପୀ ମୋହିଲେ ଭାବଗ୍ରାହୀ ॥ ୧୪
ଏମନ୍ତ ଶୁଣି ନରନାଥ । ସର୍ପେ ହୋଇଲା ଶଙ୍ଖଚୂଡ଼ ॥ ୧୫
ଦେଖନ୍ତି ରାମ ବନମାଳୀ । ଗୋପୀଙ୍କ ମଧ୍ୟେ ଆସି ମିଳି ॥ ୧୬
ଉତ୍ତର ଦିଗୁଁ ଫୁଫୁ କରି । ଦେଖି ପଳାନ୍ତି ବ୍ରଜନାରୀ ॥ ୧୭
ଡ଼ାକନ୍ତି ରାମକୃଷ୍ଣ ରଖ । ଏବନେ ହୋଇଲୁ ନିରେଖ ॥ ୧୮
ଶାର୍ଦ୍ଦୁଳେ ଦେଖି ଗୋରୁପଲ । ଯେହ୍ନେ ପଳାନ୍ତି ଅନ୍ତରାଳ ॥ ୧୯
ଶୁଣି ଧାଇଁଲେ ବେନିଭାଇ । ନଡ଼ର ବୋଲି ଡ଼ାକ ଦେଇ ॥ ୨୦
କରେ ଉପାଡ଼ି ବେନିଶାଳ । ମିଳିଲେ ଗୋପୀଙ୍କର ମେଳ ॥ ୨୧
ଯମର ଦୂତ ପ୍ରାୟେ ହୋଇ । ଦେଖି ଶଙ୍ଖଚୂଡ଼ ପଳାଇ ॥ ୨୨
ଗୋପକାମିନୀ ମଧ୍ୟେ ଥିଲା । ଜୀବନ ଭୟେ ପଳାଇଲା ॥ ୨୩
ତାହାର ଶିରେ ମଣି ଚାହିଁ । ବେଗେ ଧାଇଁଲେ ଭାବଗ୍ରାହୀ ॥ ୨୪
ପଛେ ରହିଲେ ହଳଧାରୀ । ଗୋପକାମିନୀଙ୍କି ଆବୋରି ॥ ୨୫
ପଛେ ଗୋଡ଼ାନ୍ତେ ନାରାୟଣ । ସର୍ପ ହୋଇଲା ବଳ କ୍ଷୀଣ ॥ ୨୬
ମୁଷ୍ଟି ପ୍ରହାରି ସର୍ପ ଶିରେ । ମଣି ଘେନିଲେ କୃଷ୍ଣ କରେ ॥ ୨୭
ଗୋବିନ୍ଦ ମୁଷ୍ଟି ଶିରେ ଲାଗି । ସର୍ପ ହୋଇଲା ମୋକ୍ଷଭାଗୀ ॥ ୨୮
ଗୋବିନ୍ଦ ମଣି ଘେନି କରେ । ମିଳିଲେ ରାମର ଛାମୁରେ ॥ ୨୯
ରାମର କରେ ମଣି ଦେଇ । ପ୍ରଣାମ କଲେ ଭାବଗ୍ରାହୀ ॥ ୩୦
ସେ ରାମକୃଷ୍ଣ ପାଦଗତେ । ନମଇଁ ଦାସ ଜଗନ୍ନାଥେ ॥ ୩୧
କର ସୁଦୟା ବେନିଭାଇ । ମରୁଛି ଭବେ ପଡ଼ି ମୁହିଁ ॥ ୩୨
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶଙ୍ଖଚୂଡ଼ବଧୋ ନାମ ଷଟ୍ତ୍ରିଂଶୋଽଧ୍ୟାୟଃ ॥
* * *