ଦଶମ ସ୍କନ୍ଧ

ପଞ୍ଚତ୍ରିଂଶ ଅଧ୍ୟାୟ

ଶୁକ ଉବାଚ

କହନ୍ତି ଶୁକ ପୁଣ୍ୟକର୍ମା । ଶୁଣ ହୋ ଶ୍ରୀକୃଷ୍ଣ ମହିମା ॥

ଦିନେକ ନନ୍ଦ ଆଦି ଲୋକେ । ତୀର୍ଥ ଉତ୍ସ›ବ କଉତୁକେ ॥

ଅମ୍ବିକାପୂଜାର ବିଧାନେ । ଗୋପୀଗୋପାଳ ତୋଷମନେ ॥

ଶକଟେ ନାନାଦ୍ରବ୍ୟ ଭରି । ଗୋପୁଁ ବାହାର ନରନାରୀ ॥

କାନନେ ମିଳିଲେ ସକଳେ । ନିର୍ମଳ ସରସ୍ୱତୀ କୂଳେ ॥

ଗୋପାଳେ ନିତ୍ୟକର୍ମ ସାରି । ପୁଜିଲେ ଶଙ୍କର ଗଉରୀ ॥

ବିବିଧ ଦ୍ରବ୍ୟ ଉପହାରେ । ତୋଷିଲେ ଭବାନୀଶଙ୍କରେ ॥

ଗୋରୁ କାଞ୍ଚନ ମିଷ୍ଟଅନ୍ନ । ଶିବ ସନ୍ତୋଷେ ଦେଲେ ଦାନ ॥

ବୋଲନ୍ତି ଦେବ ତ୍ରିଲୋଚନ । ଆମ୍ଭରେ ହୋଇବା ପ୍ରସନ୍ନ ॥

ସୁଲଭ ଲତା ତୃଣ ଜଳ । ଯେମନ୍ତେ ଗୋରୁ ଦ୍ୟନ୍ତି କ୍ଷୀର ॥ ୧୦

ସର୍ବବିପଦ ବିଘ୍ନନାଶ । ଭୋ ଦେବଦେବ ବିଶ୍ୱବାସ ॥ ୧୧

ଏମନ୍ତ ବୋଲି ସ୍ତୁତି କଲେ । ହର-ଚଣ୍ତିଙ୍କି ଆରାଧିଲେ ॥ ୧୨

ଆନନ୍ଦେ ବଞ୍ଚିଲେ ଦିବସ । ନୃତ୍ୟଖଟଣି ଗୀତରସ ॥ ୧୩

ବ୍ରତ ଆଚରି ଶୁଚିମନ୍ତେ । ସେବନେ ଶୋଇଲେ ନିଶ୍ଚିନ୍ତେ ॥ ୧୪

ନନ୍ଦ ସୁନନ୍ଦ ଆଦିକରି । ଗୋପର ଯେତେ ନରନାରୀ ॥ ୧୫

ରଜନୀ ଘୋର ଅନ୍ଧକାର । ଯଶୋଦା କୋଳେ ଦାମୋଦର ॥ ୧୬

ଘୋର ଗହନ ଅର୍ଦ୍ଧନିଶି । ସର୍ପେ ମିଳିଲା ତହିଁ ଆସି ॥ ୧୭

କେହି ନଦେଖିଲେ ନୟନେ । ମିଳିଲା ନନ୍ଦର ଶୟନେ ॥ ୧୮

ମୁଖ ବିସ୍ତାରି ମହାକାୟେ । କୋପେ ଗିଳିଲା କଣ୍ଠଯାଏ ॥ ୧୯

ସର୍ପଉଦରେ ଥାଇ ନନ୍ଦ । ବିକଳେ ଡ଼ାକଇ ଗୋବିନ୍ଦ ॥ ୨୦

ହେ କୃଷ୍ଣ ସର୍ପ ବଳୀୟାର । ଗିଳିଲା ମୋହର ଶରୀର ॥ ୨୧

ବହନ ଆସ ବେନିଭାଇ । ପିତା ତୁମ୍ଭର ନାଶ ଯାଇ ॥ ୨୨

ନନ୍ଦର ଦେଖିଣ ବିକଳ । ଗୋପାଳେ ପାଡ଼ନ୍ତି ଚହଳ ॥ ୨୩

ଉଠି ଧାଇଁଲେ ଧାତିକାରେ । କାଷ୍ଠ-ପାଷାଣ ଘେନି କରେ ॥ ୨୪

ସର୍ପ ଉପରେ ନେଇ ପିଟି । ନନ୍ଦ ଶରୀରେ ଅଛି ଘୋଟି ॥ ୨୫

କୃଷ୍ଣ ଧାଇଁଲେ ତାହା ଶୁଣି । ନିଦ୍ରା ଉପେକ୍ଷି ସେହିକ୍ଷଣି ॥ ୨୬

ସର୍ପକୁ ଦେଖି କୋପଭରେ । ପାଦ ପ୍ରହାରିଲେ ଉପରେ ॥ ୨୭

କୃଷ୍ଣର ଲାଗି ଶ୍ରୀପୟର । ପ୍ରାଣ ଛାଡ଼ିଲା ଅଜଗର ॥ ୨୮

ତକ୍ଷଣେ ନିଜ ରୂପ ହୋଇ । ତେଜେ ବିରାଜେ ବନଭୂଇଁ ॥ ୨୯

ଦିବ୍ୟପୁରୁଷ ଅବତାର । ତୁଲ୍ୟ ନୁହଁନ୍ତି ବିଦ୍ୟାଧର ॥ ୩୦

ଗଞ୍ଜଇ ଦଶଦିଶ ଦେହେ । ପଡ଼ିଲା କୃଷ୍ଣ ପଦ୍ମ‌ପାୟେ ॥ ୩୧

ଦେଖି ତାହାର ଦିବ୍ୟଭେକ । ହସିଲେ ପ୍ରଭୁ ପଦ୍ମମୁଖ ॥ ୩୨

ବିବିଧ ରତ୍ନମାଳ ରେଖ । ଶରଦଚନ୍ଦ୍ର ପାୟେ ମୁଖ ॥ ୩୩

ବିବିଧ ଆଭରଣ ଦେହେ । ଶିର ଦେଇଛି କୃଷ୍ଣପାୟେ ॥ ୩୪

ବୋଲନ୍ତି ଦେବକୀନନ୍ଦନ । କୋମଳ ମଧୁର ବଚନ ॥ ୩୫

ଏ ତ ଅଟଇ ବିପରୀତ । ସର୍ପ ଉଦରୁ ତୋର ଜାତ ॥ ୩୬

ତୋ ରୂପେ ପଟାନ୍ତର ନାହିଁ । କିପାଇଁ ଥିଲୁ ସର୍ପ ହୋଇ ॥ ୩୭

କହ ଏ କେବଣ ବେଭାର । ଶୁଣିତେ ଶରଧା ମୋହର ॥ ୩୮

ସଂସାରେ ତୋ'ର ରୂପ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥ ୩୯

ଏଗତି ପାଇଲୁ କେମନ୍ତେ । ସର୍ପଶରୀର ବିପରୀତେ ॥ ୪୦

କୃଷ୍ଣବଚନ ଶୁଣି ଧୀରେ । କରଅଞ୍ଜଳି ଦେଇ ଶିରେ ॥ ୪୧

ବେନି ଲୋଚନୁ ବହେ ନୀର । ବୋଲଇ ଶୁଣ ବେଣୁଧର ॥ ୪୨

ଭୋ ନାଥ ଶୁଣିମା ଅନନ୍ତ । ମୁଁ ଇନ୍ଦ୍ର ଦେବତାର ସୁତ ॥ ୪୩

ଅତି ସୁନ୍ଦର ରୂପ ଦେଖି । ପିତା ମୋ' ନାମ ଉପଲକ୍ଷ୍ୟି ॥ ୪୪

ରୂପେ ମୋହିଲି ତିନିପୁର । ସୁଦରଶନ ନାମ ମୋର ॥ ୪୫

ଶୁଣିମା ପ୍ରଭୁ ଦାଶରଥି । ଗର୍ବେ ହୋଇ ମୁଢ଼ମତି ॥ ୪୬

ଅଙ୍ଗିରା ଋଷିଙ୍କର ବାଳେ । ଖେଳନ୍ତି କଳ୍ପବୃକ୍ଷ ତଳେ ॥ ୪୭

ଦଇବେ ଋଷିଙ୍କ କୁମର । ତପସାଧନେ ଅସୁନ୍ଦର ॥ ୪୮

ତାହାଙ୍କୁ ବୋଇଲି ଧିକ୍କାରି । ଏ ଦେହ କିପାଁ ଅଛ ଧରି ॥ ୪୯

ଦେଖ ମୋହର ଦିବ୍ୟରୂପ । ଶ୍ରମେ କି ସାଧୁଅଛ ତପ ॥ ୫୦

ରକତ ମାଂସ ଦେହେ ନାହିଁ । ଶୁଭ୍ର ଦିଶିବ ତୁମ୍ଭେ କାହିଁ ॥ ୫୧

ମୁଖକୁ ନାହିଁ ପଟାନ୍ତର । ଯେସନେ ଚମ୍ପକ ବାନର ॥ ୫୨

କର ଚରଣ ବେକ ଜିଣି । ଯେସନେ ଭଲ୍ଲୁକ ଚାହାଣି ॥ ୫୩

ଏମନ୍ତ ଉପହାସ କଲି । ଖେଳର ସ୍ଥାନରେ ମିଳିଲି ॥ ୫୪

ଶୁଣି ଚାହିଁଲେ କୋପବହି । ବୋଇଲେ ସର୍ପ ହୁଅ ତୁହି ॥ ୫୫

କୁତ୍ସିତ ଅଜଗର ରୂପୀ । ରହିବୁ ବନଗିରି ବ୍ୟାପୀ ॥ ୫୬

ବନଗହନେ ପାଅ ଦୁଃଖ । ଯେହୁ ପଡ଼ିବ ତୋର ମୁଖ ॥ ୫୭

ସେ ବଳି ହୋଇବ ତୋହର । ପାଇଲେ କରିବୁ ଆହାର ॥ ୫୮

ଗରବ ବହିଲୁ ଯେ ମନେ । ସର୍ପ ତୁ ହୁଅ ବୃନ୍ଦାବନେ ॥ ୫୯

ଶୁଣି ଯୋଡ଼ିଲି ବେନିକର । ଭୟେ କମ୍ପିଲି ଥରହର ॥ ୬୦

ପଡ଼ି ତାହାଙ୍କ ପାଦତଳେ । କାନ୍ଦିଲି ଜୀବନ ବିକଳେ ॥ ୬୧

ମୋ'ର ବିକଳ ଦେଖି ମନେ । ଦୟା ବସିଲା ମୁନିଜନେ ॥ ୬୨

ବୋଇଲେ ଯାଅ ମଞ୍ଚପୁର । ଏ ଦେହେ ହୁଅ ଅଜଗର ॥ ୬୩

ମଥୁରା ବୃନ୍ଦାବନ ଲାଗେ । ଗୋବର୍ଦ୍ଧନର ପୂର୍ବଭାଗେ ॥ ୬୪

ସାରଦା ନଦୀର ଉତ୍ତରରେ । ଥାଅ ତୁ କୁଞ୍ଜବନ ଘୋରେ ॥ ୬୫

ଭାରା-ନିବାରଣେ ମୁରାରି । ମନୁଷ୍ୟଦେହେ ଅବତରି ॥ ୬୬

ଗୋପାଳ ମେଳେ ଯାତ୍ରାକାଳେ । ଭେଟିବୁ ସରସ୍ୱତୀକୂଳେ ॥ ୬୭

ନନ୍ଦକୁ ଗିଳିବୁ ତୁ ଯାଇ । ଦେଖି ଧାଇଁବେ ଭାବଗ୍ରାହୀ ॥ ୬୮

ତୋହର ଉପରେ ଶ୍ରୀଧର । କୋପେ ପ୍ରହାରିବେ ପୟର ॥ ୬୯

ତେବେ ହୋଇବୁ ଶାପୁଁ ପାର । ପୁଣି ଆସିବୁ ନିଜପୁର ॥ ୭୦

ତେଣୁ ହୋଇଲି ଅଜଗର । ତୁ ହରି କଲୁ ମୋତେ ପାର ॥ ୭୧

ତୁ ଯେ ଜଗତଜନ ବନ୍ଧୁ । ମୋତେ ଉଦ୍ଧର ଦୟାସିନ୍ଧୁ ॥ ୭୨

ମୋତେ ପ୍ରସନ୍ନ ହୁଅ ହରି । ପୁରାଣ- ପୁରୁଷ-ମୁରାରି ॥ ୭୩

ଲାଗିଣ ତୋହର ପୟର । ହୋଇଲି ପ୍ରହ୍ମଶାପୁଁ ପାର ॥ ୭୪

ଭୋନାଥ ଶରଣ ତୋହର । ଅଶେଷ-ବ୍ରହ୍ମାŠଣ୍ତ-ଠାକୁର ॥ ୭୫

ଏବେ ମୁଁ ହୋଇଲି ମୁକତ । ମେଲାଣି ଦିଅ ଜଗନ୍ନାଥ ॥ ୭୬

ତୋହର ନାମ କର୍ଣ୍ଣେ ଶୁଣି । ତରନ୍ତି ଭବଜଳୁଁ ପ୍ରାଣୀ ॥ ୭୭

ଧନଜୀବନ ଆଦି କରି । ପବିତ୍ର ହୋନ୍ତି ନରନାରୀ ॥ ୭୮

ତୋହର ପାଦ ଲାଗି ମୁହିଁ । ନିସ୍ତାର ହୋଇଲି ଗୋସାଇଁ ॥ ୭୯

ସୁଦରଶନ ଏତେ କହି । ପୟରେ ଶିର ଦେଲା ନେଇ ॥ ୮୦

କୃଷ୍ଣଙ୍କୁ ପ୍ରଦକ୍ଷିଣ କଲା । ତକ୍ଷଣେ ଗଗନେ ଚଳିଲା ॥ ୮୧

ଦେବବିମାନେ ବସି କରି । ଯାଇ ମିଳିଲା ସ୍ୱର୍ଗପୁରୀ ॥ ୮୨

ନନ୍ଦକୁ ରଖିଲେ ଗୋବିନ୍ଦ । ଗୋପାଳେ ଦେଖିଣ ଆନନ୍ଦ ॥ ୮୩

କୃଷ୍ଣ ମହିମା ଗୁଣ ଦେଖି । ଗୋପଗୋପୀ ଭୟ ଉପେକ୍ଷି ॥ ୮୪

ସୁଖେ ପହିଲା ଘୋର ନିଶି । ରବିକିରଣ ପରକାଶି ॥ ୮୫

ହରଗଉରୀ ପୂଜା ସାରି । ଗୋପେ ଚଳିଲେ ନରନାରୀ ॥ ୮୬

ଗୋପାଳେ ସକଳ ସମ୍ଭାର । ଘେନି ଚଳିଲେ ଗୋପପୁର ॥ ୮୭

ଯା'ନ୍ତେ କହନ୍ତି କୃଷ୍ଣକଥା । ଛାଡ଼ିଲେ ମନୁ ଦୁଃଖ ଚିନ୍ତା ॥ ୮୮

ଇନ୍ଦ୍ର କୁମରେ କୃଷ୍ଣ ତାରି । ଗୋପେ ବିଜୟ ନରହରି ॥ ୮୯

ପରୀକ୍ଷେ ଶୁକମୁନି କହେ । ସୁଜନଜନେ କର ଲୟେ ॥ ୯୦

କହଇ ଦାସ ଜଗନ୍ନାଥ । ହରିଚରିତ ଭାଗବତ ॥ ୯୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ବିଜୟେ ସୁଦର୍ଶନ ମୋକ୍ଷଣଂ ନାମ ପଞ୍ଚତ୍ରିଂଶୋଽଧ୍ୟାୟଃ ॥

* * *