ଦଶମ ସ୍କନ୍ଧ
ପଞ୍ଚତ୍ରିଂଶ ଅଧ୍ୟାୟ
ଶୁକ ଉବାଚ
କହନ୍ତି ଶୁକ ପୁଣ୍ୟକର୍ମା । ଶୁଣ ହୋ ଶ୍ରୀକୃଷ୍ଣ ମହିମା ॥ ୧
ଦିନେକ ନନ୍ଦ ଆଦି ଲୋକେ । ତୀର୍ଥ ଉତ୍ସବ କଉତୁକେ ॥ ୨
ଅମ୍ବିକାପୂଜାର ବିଧାନେ । ଗୋପୀଗୋପାଳ ତୋଷମନେ ॥ ୩
ଶକଟେ ନାନାଦ୍ରବ୍ୟ ଭରି । ଗୋପୁଁ ବାହାର ନରନାରୀ ॥ ୪
କାନନେ ମିଳିଲେ ସକଳେ । ନିର୍ମଳ ସରସ୍ୱତୀ କୂଳେ ॥ ୫
ଗୋପାଳେ ନିତ୍ୟକର୍ମ ସାରି । ପୁଜିଲେ ଶଙ୍କର ଗଉରୀ ॥ ୬
ବିବିଧ ଦ୍ରବ୍ୟ ଉପହାରେ । ତୋଷିଲେ ଭବାନୀଶଙ୍କରେ ॥ ୭
ଗୋରୁ କାଞ୍ଚନ ମିଷ୍ଟଅନ୍ନ । ଶିବ ସନ୍ତୋଷେ ଦେଲେ ଦାନ ॥ ୮
ବୋଲନ୍ତି ଦେବ ତ୍ରିଲୋଚନ । ଆମ୍ଭରେ ହୋଇବା ପ୍ରସନ୍ନ ॥ ୯
ସୁଲଭ ଲତା ତୃଣ ଜଳ । ଯେମନ୍ତେ ଗୋରୁ ଦ୍ୟନ୍ତି କ୍ଷୀର ॥ ୧୦
ସର୍ବବିପଦ ବିଘ୍ନନାଶ । ଭୋ ଦେବଦେବ ବିଶ୍ୱବାସ ॥ ୧୧
ଏମନ୍ତ ବୋଲି ସ୍ତୁତି କଲେ । ହର-ଚଣ୍ତିଙ୍କି ଆରାଧିଲେ ॥ ୧୨
ଆନନ୍ଦେ ବଞ୍ଚିଲେ ଦିବସ । ନୃତ୍ୟଖଟଣି ଗୀତରସ ॥ ୧୩
ବ୍ରତ ଆଚରି ଶୁଚିମନ୍ତେ । ସେବନେ ଶୋଇଲେ ନିଶ୍ଚିନ୍ତେ ॥ ୧୪
ନନ୍ଦ ସୁନନ୍ଦ ଆଦିକରି । ଗୋପର ଯେତେ ନରନାରୀ ॥ ୧୫
ରଜନୀ ଘୋର ଅନ୍ଧକାର । ଯଶୋଦା କୋଳେ ଦାମୋଦର ॥ ୧୬
ଘୋର ଗହନ ଅର୍ଦ୍ଧନିଶି । ସର୍ପେ ମିଳିଲା ତହିଁ ଆସି ॥ ୧୭
କେହି ନଦେଖିଲେ ନୟନେ । ମିଳିଲା ନନ୍ଦର ଶୟନେ ॥ ୧୮
ମୁଖ ବିସ୍ତାରି ମହାକାୟେ । କୋପେ ଗିଳିଲା କଣ୍ଠଯାଏ ॥ ୧୯
ସର୍ପଉଦରେ ଥାଇ ନନ୍ଦ । ବିକଳେ ଡ଼ାକଇ ଗୋବିନ୍ଦ ॥ ୨୦
ହେ କୃଷ୍ଣ ସର୍ପ ବଳୀୟାର । ଗିଳିଲା ମୋହର ଶରୀର ॥ ୨୧
ବହନ ଆସ ବେନିଭାଇ । ପିତା ତୁମ୍ଭର ନାଶ ଯାଇ ॥ ୨୨
ନନ୍ଦର ଦେଖିଣ ବିକଳ । ଗୋପାଳେ ପାଡ଼ନ୍ତି ଚହଳ ॥ ୨୩
ଉଠି ଧାଇଁଲେ ଧାତିକାରେ । କାଷ୍ଠ-ପାଷାଣ ଘେନି କରେ ॥ ୨୪
ସର୍ପ ଉପରେ ନେଇ ପିଟି । ନନ୍ଦ ଶରୀରେ ଅଛି ଘୋଟି ॥ ୨୫
କୃଷ୍ଣ ଧାଇଁଲେ ତାହା ଶୁଣି । ନିଦ୍ରା ଉପେକ୍ଷି ସେହିକ୍ଷଣି ॥ ୨୬
ସର୍ପକୁ ଦେଖି କୋପଭରେ । ପାଦ ପ୍ରହାରିଲେ ଉପରେ ॥ ୨୭
କୃଷ୍ଣର ଲାଗି ଶ୍ରୀପୟର । ପ୍ରାଣ ଛାଡ଼ିଲା ଅଜଗର ॥ ୨୮
ତକ୍ଷଣେ ନିଜ ରୂପ ହୋଇ । ତେଜେ ବିରାଜେ ବନଭୂଇଁ ॥ ୨୯
ଦିବ୍ୟପୁରୁଷ ଅବତାର । ତୁଲ୍ୟ ନୁହଁନ୍ତି ବିଦ୍ୟାଧର ॥ ୩୦
ଗଞ୍ଜଇ ଦଶଦିଶ ଦେହେ । ପଡ଼ିଲା କୃଷ୍ଣ ପଦ୍ମପାୟେ ॥ ୩୧
ଦେଖି ତାହାର ଦିବ୍ୟଭେକ । ହସିଲେ ପ୍ରଭୁ ପଦ୍ମମୁଖ ॥ ୩୨
ବିବିଧ ରତ୍ନମାଳ ରେଖ । ଶରଦଚନ୍ଦ୍ର ପାୟେ ମୁଖ ॥ ୩୩
ବିବିଧ ଆଭରଣ ଦେହେ । ଶିର ଦେଇଛି କୃଷ୍ଣପାୟେ ॥ ୩୪
ବୋଲନ୍ତି ଦେବକୀନନ୍ଦନ । କୋମଳ ମଧୁର ବଚନ ॥ ୩୫
ଏ ତ ଅଟଇ ବିପରୀତ । ସର୍ପ ଉଦରୁ ତୋର ଜାତ ॥ ୩୬
ତୋ ରୂପେ ପଟାନ୍ତର ନାହିଁ । କିପାଇଁ ଥିଲୁ ସର୍ପ ହୋଇ ॥ ୩୭
କହ ଏ କେବଣ ବେଭାର । ଶୁଣିତେ ଶରଧା ମୋହର ॥ ୩୮
ସଂସାରେ ତୋ'ର ରୂପ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥ ୩୯
ଏଗତି ପାଇଲୁ କେମନ୍ତେ । ସର୍ପଶରୀର ବିପରୀତେ ॥ ୪୦
କୃଷ୍ଣବଚନ ଶୁଣି ଧୀରେ । କରଅଞ୍ଜଳି ଦେଇ ଶିରେ ॥ ୪୧
ବେନି ଲୋଚନୁ ବହେ ନୀର । ବୋଲଇ ଶୁଣ ବେଣୁଧର ॥ ୪୨
ଭୋ ନାଥ ଶୁଣିମା ଅନନ୍ତ । ମୁଁ ଇନ୍ଦ୍ର ଦେବତାର ସୁତ ॥ ୪୩
ଅତି ସୁନ୍ଦର ରୂପ ଦେଖି । ପିତା ମୋ' ନାମ ଉପଲକ୍ଷ୍ୟି ॥ ୪୪
ରୂପେ ମୋହିଲି ତିନିପୁର । ସୁଦରଶନ ନାମ ମୋର ॥ ୪୫
ଶୁଣିମା ପ୍ରଭୁ ଦାଶରଥି । ଗର୍ବେ ହୋଇ ମୁଢ଼ମତି ॥ ୪୬
ଅଙ୍ଗିରା ଋଷିଙ୍କର ବାଳେ । ଖେଳନ୍ତି କଳ୍ପବୃକ୍ଷ ତଳେ ॥ ୪୭
ଦଇବେ ଋଷିଙ୍କ କୁମର । ତପସାଧନେ ଅସୁନ୍ଦର ॥ ୪୮
ତାହାଙ୍କୁ ବୋଇଲି ଧିକ୍କାରି । ଏ ଦେହ କିପାଁ ଅଛ ଧରି ॥ ୪୯
ଦେଖ ମୋହର ଦିବ୍ୟରୂପ । ଶ୍ରମେ କି ସାଧୁଅଛ ତପ ॥ ୫୦
ରକତ ମାଂସ ଦେହେ ନାହିଁ । ଶୁଭ୍ର ଦିଶିବ ତୁମ୍ଭେ କାହିଁ ॥ ୫୧
ମୁଖକୁ ନାହିଁ ପଟାନ୍ତର । ଯେସନେ ଚମ୍ପକ ବାନର ॥ ୫୨
କର ଚରଣ ବେକ ଜିଣି । ଯେସନେ ଭଲ୍ଲୁକ ଚାହାଣି ॥ ୫୩
ଏମନ୍ତ ଉପହାସ କଲି । ଖେଳର ସ୍ଥାନରେ ମିଳିଲି ॥ ୫୪
ଶୁଣି ଚାହିଁଲେ କୋପବହି । ବୋଇଲେ ସର୍ପ ହୁଅ ତୁହି ॥ ୫୫
କୁତ୍ସିତ ଅଜଗର ରୂପୀ । ରହିବୁ ବନଗିରି ବ୍ୟାପୀ ॥ ୫୬
ବନଗହନେ ପାଅ ଦୁଃଖ । ଯେହୁ ପଡ଼ିବ ତୋର ମୁଖ ॥ ୫୭
ସେ ବଳି ହୋଇବ ତୋହର । ପାଇଲେ କରିବୁ ଆହାର ॥ ୫୮
ଗରବ ବହିଲୁ ଯେ ମନେ । ସର୍ପ ତୁ ହୁଅ ବୃନ୍ଦାବନେ ॥ ୫୯
ଶୁଣି ଯୋଡ଼ିଲି ବେନିକର । ଭୟେ କମ୍ପିଲି ଥରହର ॥ ୬୦
ପଡ଼ି ତାହାଙ୍କ ପାଦତଳେ । କାନ୍ଦିଲି ଜୀବନ ବିକଳେ ॥ ୬୧
ମୋ'ର ବିକଳ ଦେଖି ମନେ । ଦୟା ବସିଲା ମୁନିଜନେ ॥ ୬୨
ବୋଇଲେ ଯାଅ ମଞ୍ଚପୁର । ଏ ଦେହେ ହୁଅ ଅଜଗର ॥ ୬୩
ମଥୁରା ବୃନ୍ଦାବନ ଲାଗେ । ଗୋବର୍ଦ୍ଧନର ପୂର୍ବଭାଗେ ॥ ୬୪
ସାରଦା ନଦୀର ଉତ୍ତରରେ । ଥାଅ ତୁ କୁଞ୍ଜବନ ଘୋରେ ॥ ୬୫
ଭାରା-ନିବାରଣେ ମୁରାରି । ମନୁଷ୍ୟଦେହେ ଅବତରି ॥ ୬୬
ଗୋପାଳ ମେଳେ ଯାତ୍ରାକାଳେ । ଭେଟିବୁ ସରସ୍ୱତୀକୂଳେ ॥ ୬୭
ନନ୍ଦକୁ ଗିଳିବୁ ତୁ ଯାଇ । ଦେଖି ଧାଇଁବେ ଭାବଗ୍ରାହୀ ॥ ୬୮
ତୋହର ଉପରେ ଶ୍ରୀଧର । କୋପେ ପ୍ରହାରିବେ ପୟର ॥ ୬୯
ତେବେ ହୋଇବୁ ଶାପୁଁ ପାର । ପୁଣି ଆସିବୁ ନିଜପୁର ॥ ୭୦
ତେଣୁ ହୋଇଲି ଅଜଗର । ତୁ ହରି କଲୁ ମୋତେ ପାର ॥ ୭୧
ତୁ ଯେ ଜଗତଜନ ବନ୍ଧୁ । ମୋତେ ଉଦ୍ଧର ଦୟାସିନ୍ଧୁ ॥ ୭୨
ମୋତେ ପ୍ରସନ୍ନ ହୁଅ ହରି । ପୁରାଣ- ପୁରୁଷ-ମୁରାରି ॥ ୭୩
ଲାଗିଣ ତୋହର ପୟର । ହୋଇଲି ପ୍ରହ୍ମଶାପୁଁ ପାର ॥ ୭୪
ଭୋନାଥ ଶରଣ ତୋହର । ଅଶେଷ-ବ୍ରହ୍ମାଣ୍ତ-ଠାକୁର ॥ ୭୫
ଏବେ ମୁଁ ହୋଇଲି ମୁକତ । ମେଲାଣି ଦିଅ ଜଗନ୍ନାଥ ॥ ୭୬
ତୋହର ନାମ କର୍ଣ୍ଣେ ଶୁଣି । ତରନ୍ତି ଭବଜଳୁଁ ପ୍ରାଣୀ ॥ ୭୭
ଧନଜୀବନ ଆଦି କରି । ପବିତ୍ର ହୋନ୍ତି ନରନାରୀ ॥ ୭୮
ତୋହର ପାଦ ଲାଗି ମୁହିଁ । ନିସ୍ତାର ହୋଇଲି ଗୋସାଇଁ ॥ ୭୯
ସୁଦରଶନ ଏତେ କହି । ପୟରେ ଶିର ଦେଲା ନେଇ ॥ ୮୦
କୃଷ୍ଣଙ୍କୁ ପ୍ରଦକ୍ଷିଣ କଲା । ତକ୍ଷଣେ ଗଗନେ ଚଳିଲା ॥ ୮୧
ଦେବବିମାନେ ବସି କରି । ଯାଇ ମିଳିଲା ସ୍ୱର୍ଗପୁରୀ ॥ ୮୨
ନନ୍ଦକୁ ରଖିଲେ ଗୋବିନ୍ଦ । ଗୋପାଳେ ଦେଖିଣ ଆନନ୍ଦ ॥ ୮୩
କୃଷ୍ଣ ମହିମା ଗୁଣ ଦେଖି । ଗୋପଗୋପୀ ଭୟ ଉପେକ୍ଷି ॥ ୮୪
ସୁଖେ ପହିଲା ଘୋର ନିଶି । ରବିକିରଣ ପରକାଶି ॥ ୮୫
ହରଗଉରୀ ପୂଜା ସାରି । ଗୋପେ ଚଳିଲେ ନରନାରୀ ॥ ୮୬
ଗୋପାଳେ ସକଳ ସମ୍ଭାର । ଘେନି ଚଳିଲେ ଗୋପପୁର ॥ ୮୭
ଯା'ନ୍ତେ କହନ୍ତି କୃଷ୍ଣକଥା । ଛାଡ଼ିଲେ ମନୁ ଦୁଃଖ ଚିନ୍ତା ॥ ୮୮
ଇନ୍ଦ୍ର କୁମରେ କୃଷ୍ଣ ତାରି । ଗୋପେ ବିଜୟ ନରହରି ॥ ୮୯
ପରୀକ୍ଷେ ଶୁକମୁନି କହେ । ସୁଜନଜନେ କର ଲୟେ ॥ ୯୦
କହଇ ଦାସ ଜଗନ୍ନାଥ । ହରିଚରିତ ଭାଗବତ ॥ ୯୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ବିଜୟେ ସୁଦର୍ଶନ ମୋକ୍ଷଣଂ ନାମ ପଞ୍ଚତ୍ରିଂଶୋଽଧ୍ୟାୟଃ ॥
* * *