ଦଶମ ସ୍କନ୍ଧ

ଚତୁସ୍ତ୍ରିଂଶ ଅଧ୍ୟାୟ

କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ॥

ଶୁକ ଉବାଚ

ଗୋପୀଏ କୃଷ୍ଣ ବୋଲ ଶୁଣି । ଚିନ୍ତା ଛାଡିଲେ ମନେ ଗୁଣି ॥

ସେ ବାଲିକୁଦେ ହୃଷୀକେଶ । ଆରମ୍ଭ କଲେ କେଳିରସ ॥

ରାସଉତ୍ସ›ବେ ବ୍ରଜନାରୀ । ଏକର କର ଆରେ ଧରି ॥

ଅନନ୍ତ ମାୟାଯୋଗ କରି । ଷୋଳସହସ୍ର ରୂପ ଧରି ॥

ଗୋପୀ କେ ଗୋବିନ୍ଦ ଗୋଟିଏ । ସ୍ୱର୍ଗେ ଦେଖନ୍ତି ଦେବତାଏ ॥

କେ କଣ୍ଠତଟେ ଭିଡ଼ି ତୋଷେ । ଚୁମ୍ବନ ଦିଅନ୍ତି ହରଷେ ॥

କୃଷ୍ଣର ଦେଖି କ୍ରୀଡ଼ାରସ । ତ୍ରିଦଶେ ହୋଇଲେ ହରଷ ॥

ଗନ୍ଧର୍ବ ଯକ୍ଷ ଅପସରୀ । ବିମାନେ ଗଗନେ ସଞ୍ଚରି ॥

ଦେଖନ୍ତି ଗୋବିନ୍ଦର କେଳି । ସପତ-ସ୍ୱର୍ଗଲୋକେ ମିଳି ॥ ୧୦

ଦୁନ୍ଦୁଭିନାଦ ଗୀତସ୍ୱରେ । କୁସୁମ ବରଷନ୍ତି ଶିରେ ॥ ୧୧

ଗନ୍ଧର୍ବେ ଅପସରୀ ମେଳେ । ନୃତ୍ୟ କରନ୍ତି ରସଭୋଳେ ॥ ୧୨

ହରି-ବିନୋଦେ ବ୍ରଜନାରୀ । ଆନନ୍ଦେ ବୃନ୍ଦାବନେ ପୁରି ॥ ୧୩

ଅମରେ ସ୍ୱଦାରା ସହିତେ । ବିମାନେ ବସି ଶୂନ୍ୟପଥେ ॥ ୧୪

ଦେଖନ୍ତି ଗୋବିନ୍ଦର ନୃତ୍ୟ । ସମସ୍ତେ ହୋଇ ମୋହଗତ ॥ ୧୫

ଗୋପୀଙ୍କ ଢ଼ଳିବାର ଗତି । ଅଙ୍ଗଭଙ୍ଗିମା ଝଲକନ୍ତି ॥ ୧୬

ବଳୟ ନୂପୁର ଶବଦେ । କିଙ୍କିଣି ତାଳ ଗୀତନାଦେ ॥ ୧୭

କେହି ନ ଶୁଣନ୍ତି ଗହଳେ । କୃଷ୍ଣର ମାୟାଯୋଗ ବଳେ ॥ ୧୮

ନୀଳପର୍ବତ ମଧ୍ୟେ କରି । ଯେସନେ ସୁବ‰ର୍ଣ୍ଣପାଚେରୀ ॥ ୧୯

ଗୋପୀଙ୍କ ମଧ୍ୟେ ଶିରୀରଙ୍ଗ । ସୁନ୍ଦର କୋଟିଏ ଅନଙ୍ଗ ॥ ୨୦

ନୃତ୍ୟ କରନ୍ତି ଗୋପନାରୀ । ଗୀତେ ମୋହିଲେ ନରହରି ॥ ୨୧

ବେନି ଯୁବତୀ କନ୍ଧେ କର । ଦେଇଣ ଉଭା ଚକ୍ରଧର ॥ ୨୨

ଏ ବିଧି ସବୁ ନାରୀ କନ୍ଧେ । ଭୁଜଯୁଗଳ ଦେଇ ଛନ୍ଦେ ॥ ୨୩

ଯେହ୍ନେ କନକକଣ୍ଠି ବେନି । ମଧ୍ୟରେ ଶୋହେ ନୀଳମଣି ॥ ୨୪

ହୋଇଣ ଅନେକ ପୀରତି । ମଣ୍ତŠଳ ଆକାର ଯୁବତୀ ॥ ୨୫

ପାଦ ଚାଳନ୍ତି ଅଙ୍ଗଭଙ୍ଗେ । ଭ୍ରୁକୁଟି କୁଟିଳ ଅପାଙ୍ଗେ ॥ ୨୬

କୁଚମŠଣ୍ତଳୁ ବସ୍ତ୍ର ଚଳି । ନାଚନ୍ତି ଦେଇ କରତାଳି ॥ ୨୭

ମୁଖେ ଶୋହଇ ଶ୍ରମଝାଳ । କବରୀ ଖସି ଫୁଲମାଳ ॥ ୨୮

ବସ୍ତ୍ର ପଡ଼ଇ ଫିଟି ତଳେ । କଟୀମେଖଳା ଅସମ୍ଭାଳେ ॥ ୨୯

ବିଜୁଳି ଯେହ୍ନେ ନୀଳମେଘେ । ଦିଶନ୍ତି ଗୋବିନ୍ଦର ଲାଗେ ॥ ୩୦

ଗୋପୀଏ ମିଳି ନୃତ୍ୟରସେ । ଗାବନ୍ତି ଗୀତ ମନତୋଷେ ॥ ୩୧

ଅତି ସୁସ୍ୱରେ କଲେ ଗାନ । ଶବଦେ ପୂରିଲା ଗଗନ ॥ ୩୨

ଏକ ଗୋପିକା କୃଷ୍ଣ ସଙ୍ଗେ । ଆଳାପ କଲା ଗୀତରାଗେ ॥ ୩୩

ଷଡ଼ଜ ଆଦି ପଞ୍ଚସ୍ୱର । ମୋହିଲା କମଳାର ବର ॥ ୩୪

ସେ ନାଦ ଘେନି ଆର ଗୋପୀ । ଆଳାପ କଲାକ ନିରୋପି ॥ ୩୫

ଧ୍ରୁବତାଳରେ ବିଶ୍ରାମିଲା । ଶୁଣି ହସନ୍ତି ନନ୍ଦବଳା ॥ ୩୬

କେ ଶ୍ରମେ କୃଷ୍ଣ ପାଶେ ଥାଇ । ଭୁଜେ ଆଲିଙ୍ଗନ କରଇ ॥ ୩୭

କୃଷ୍ଣର କନ୍ଧେ ଦେଇ ହସ୍ତ । ଶିଥିଳ ହେଲା ଝୀନବସ୍ତ୍ର ॥ ୩୮

କବରୀ ଫିଟି ଫୁଲମାଳେ । ଅବନୀ ପଡ଼ିଲେ ଗହଳେ ॥ ୩୯

ଶ୍ରୀକୃଷ୍ଣ ଭୁଜ ଧରି ଗୋପୀ । ଆଘ୍ରାଣ କଲା ଶ୍ୱାସ କ୍ଷେପି ॥ ୪୦

ଚନ୍ଦନେ ସାମଳିଲା ହୋଇ । ଉତ୍ପଳ ପ୍ରାୟେକ ବାସଇ ॥ ୪୧

ଆଘ୍ରାଣ କରି ନାସା ଦ୍ୱାରେ । ରୋମାଞ୍ଚ ହୋଇଲା ଶରୀରେ ॥ ୪୨

କେ ଗୋପୀ ନାଟଶ୍ରମ ପାଇ । ଗୋବିନ୍ଦ କ‰ର୍ଣ୍ଣମୂଳେ ଯାଇ ॥ ୪୩

କୁŠଣ୍ତଳ ତଳେ ମୁଖ ଦେଲା । ଚୁମ୍ବନ୍ତେ ତାମ୍ବୁଳ ପାଇଲା ॥ ୪୪

କେ ଭୁଜ ଧରି କୁଚେ ଚାପି । କେ ମୁଖେ ଚାହାଁନ୍ତି ନିରୋପି ॥ ୪୫

କଟିମେଖଳା କ୍ଷୁଦ୍ରଘଣ୍ଟି । ଶବଦ କରି ନୃତ୍ୟେ ଫୁଟି ॥ ୪୬

ଗୋବିନ୍ଦ କର ଦେଇ ଶିରେ । ଶ୍ରମ ଛାଡ଼ିଲେ ସୁଖଭରେ ॥ ୪୭

କୃଷ୍ଣଙ୍କୁ କାନ୍ତପଣେ ପାଇ । ଗୋପୀ ରମିଲେ ତୋଷ ହୋଇ ॥ ୪୮

ହରିର କଣ୍ଠେ ଭୁଜ ଦେଇ । ତୋଷେ ରମିଲେ ଗୀତ ଗାଇ ॥ ୪୯

ନୀଳ ଉତ୍ପଳ ଗୋପୀ କ‰ର୍ଣ୍ଣେ । ଅଳକେ ଶୋହେ ଝାଳ ଶ୍ରମେ ॥ ୫୦

ବଳୟ ନୂପୁର ଶବଦେ । ଗୋବିନ୍ଦ ନାଚନ୍ତି ଆନନ୍ଦେ ॥ ୫୧

ଭ୍ରମିଣ ରଙ୍ଗେ ନୃତ୍ୟକରି । ରାସ ଉ›ତ୍ସବେ ବ୍ରଜନାରୀ ॥ ୫୨

କବରୀ ଫିଟି ଫୁଲମାଳ । କଟିମେଖଳା ଅସମ୍ଭାଳ ॥ ୫୩

ଏମନ୍ତେ ନାନାରସ ବନ୍ଧେ । ଗୋବିନ୍ଦ ରମନ୍ତି ଆନନ୍ଦେ ॥ ୫୪

କୁବେର ଯେହ୍ନେ ଗିରିଶିଖେ । କିନ୍ନରୀ ରମେ ଆତ୍ମା ସୁଖେ ॥ ୫୫

ବାଳକ ନିଜ ବିମ୍ବ ଦେଖି । ଖେଳଇ ଯେହ୍ନେ ହୋଇ ସୁଖୀ ॥ ୫୬

କୃଷ୍ଣର ଅଙ୍ଗସଙ୍ଗ ଲାଗି । ଗୋପୀ ହୋଇଲେ ଶ୍ରମଭାଗୀ ॥ ୫୭

କେଶ ବସନ ସ୍ତନବାସ । ଖସିଲେ ଭୂଷଣ ଅଶେଷ ॥ ୫୮

କୃଷ୍ଣର କ୍ରୀଡ଼ାରସ ଦେଖି । ତ୍ରିଦଶବଧୂଜନେ ସୁଖୀ ॥ ୫୯

ନକ୍ଷତ୍ରଗଣ ଚନ୍ଦ୍ର ସଙ୍ଗେ । ସକଳେ ପୀଡ଼ିଲେ ଅନଙ୍ଗେ ॥ ୬୦

ଗୋପୀକେ କୃଷ୍ଣରୂପ ହୋଇ । ଲୀଳାବିନୋଦେ ଭାବଗ୍ରାହୀ ॥ ୬୧

ଯାହାର ନାହିଁ ରୂପରେଖ । ଗୋପୀଙ୍କି ଦେଲେ ଆତ୍ମା ସୁଖ ॥ ୬୨

ଗୋପୀଙ୍କ ମୁଖେ ଘର୍ମ ଚାହିଁ । କରେ ପୋଛନ୍ତି ଭାବଗ୍ରାହୀ ॥ ୬୩

ଯେ ଯାହା ଅଳଙ୍କାର ଭରି । ଗୋପୀ ଚାହାନ୍ତି ନରହରି ॥ ୬୪

କୃଷ୍ଣ ନଖକ୍ଷତ ପାଇଁ । ଆନନ୍ଦେ ପୁଲକିତ ହୋଇ ॥ ୬୫

କୃଷ୍ଣର କର୍ମଗୁଣ ମୁଖେ । କହନ୍ତି ଏକକୁ ଆରକେ ॥ ୬୬

ବ୍ରଜକାମିନୀ ଘେନି ସଙ୍ଗେ । ସ୍ତନକୁଙ୍କୁମ କୃଷ୍ଣ ଅଙ୍ଗେ ॥ ୬୭

ବ୍ରହ୍ମଯାମିନୀ ଅବଶେଷ । ସମୟ ଜାଣି ହୃଷିକେଶ ॥ ୬୮

ଜଳକ୍ରୀଡ଼ାକୁ ମନ କରି । ଗୋପୀଙ୍କି ଘେନି ବନମାଳୀ ॥ ୬୯

ପଶିଲେ କାଳିନ୍ଦୀ ଭିତରେ । ଶ୍ରମ-ଆରତ ଖଣ୍ତିବାରେ ॥ ୭୦

କରିଣୀଯୂଥେ ଗଜ ଯେହ୍ନେ । ଗୋପୀଙ୍କ ଶ୍ରମ ଜାଣି ମନେ ॥ ୭୧

ଗୋବିନ୍ଦ ଦେହେ ଗୋପନାରୀ । ଜଳ ସିଞ୍ଚନ୍ତି କରେ ଧରି ॥ ୭୨

କଟାକ୍ଷେ ଚାହାଁନ୍ତି ଶ୍ରୀମୁଖ । ଖଣ୍ତିଲେ କୋଟିଜନ୍ମ ଦୁଃଖ ॥ ୭୩

ବିମାନେ ଥାଇ ଦେବନାରୀ । ପୁଷ୍ପ ବରଷି ସ୍ତୁତି କରି ॥ ୭୪

ଗଜେନ୍ଦ୍ର ପ୍ରାୟ ରଙ୍ଗମେଳେ । ଲୀଳା ବିନୋଦେ ନଦୀଜଳେ ॥ ୭୫

ଚନ୍ଦ୍ର କିରଣେ ବନଭୂମି । ସୁନ୍ଦର ପ୍ରକାଶେ ଯାମିନୀ ॥ ୭୬

ବ୍ରଜଅବଳା ଘେନି ସଙ୍ଗେ । କୃଷ୍ଣ କ୍ରୀଡ଼ନ୍ତି ସୁଖରଙ୍ଗେ ॥ ୭୭

ଯାହାର ନାହିଁ ରସଚ୍ୟୁତ । ଅଚ୍ୟୁତ ନାମ ତେଣୁ ଖ୍ୟାତ ॥ ୭୮

ଶୁଣି ଅଭିମନ୍ୟୁନନ୍ଦନ । ଚାହିଁଲେ ଶୁକଙ୍କ ବଦନ ॥ ୭୯

ସଭୟେ କହଇ ମଧୁର । ଚରଣେ ଦେଇ ବେନିକର ॥ ୮୦

ପରୀକ୍ଷିତ ଉବାଚ ୮୧

ଭୋ ମୁନି ଅସମ୍ଭବ ବାଣୀ । ସଂଶୟ ଲାଗିଲା ତ ଶୁଣି ॥ ୮୨

ମନୁଷ୍ୟ ଅଂଶେ ଜାତ ହୋଇ । ଅଖିଳ-ବ୍ରହ୍ମାଣ୍ତŠ-ଗୋସାଇଁ ॥ ୮୩

ଅଧର୍ମ ନାଶିବାର ଆଶେ । ଜାତ ହୋଇଲେ ଯଦୁବଂଶେ ॥ ୮୪

ଧର୍ମ‌ପାଳନ ନରହରି । ସେ କିପାଁ ଅଧର୍ମ ଆଚରି ॥ ୮୫

ଜଗତଜନ ଗୁରୁ ପିତା । ନୀତି ଅନୀତି ଅଧିଷ୍ଠାତା ॥ ୮୬

ଯା' ନାମ ମୁକତିପସରା । ସେ କିପାଁ କଲେ ପରଦାରା ॥ ୮୭

ମହାନିଶାରେ ଜଳେ ପଶି । କ୍ରୀଡ଼ା କଲେକ ବ୍ରହ୍ମରାଶି ॥ ୮୮

ବେଦ-ବିରୋଧୀ କର୍ମ କରି । ନିଷେଧବନ୍ଧ ପରିହରି ॥ ୮୯

ସଂସାରେ ନୁହିଁଇ ଏ ଭଲ । କର୍ମକାଣ୍ତŠକୁ ଯେହୁ ସଲ ॥ ୯୦

ଈଶ୍ୱର ହୋଇ ହୀନକର୍ମ । କିପାଁ ଛାଡ଼ିଲେ ନିଜ ଧର୍ମ ॥ ୯୧

ନିଜ ମହିମା ଆତ୍ମାରତ । ସେ କିମ୍ବା କଲେ ବିପରୀତ ॥ ୯୨

କି ଅଭିପ୍ରାୟ ନ ଜାଣଇ । ସଂଶୟ ଛେଦ ମୋ ଗୋସାଇଁ ॥ ୯୩

ରାଜା ବଦନ ଚାହିଁ ମୁନି । କହନ୍ତି କୃଷ୍ଣ ଭାବ ଘେନି ॥ ୯୪

ଶୁକ ଉବାଚ ୯୫

ଶୁଣ ରାଜନ ଭାଗବତ । ଏ ବଡ଼ଲୋକଙ୍କର ମତ ॥ ୯୬

ଏହାଙ୍କ କର୍ମ ବିପରୀତ । ଯେଣୁ ଏ ତେଜେ ବଳବନ୍ତ ॥ ୯୭

ତେଣୁଟି ଦୋଷଗୁଣ ନାହିଁ । ଅଗ୍ନି ଯେସନେ ସର୍ବ ଦହି ॥ ୯୮

ସତ୍ୟପୁରୁଷ ଆତ୍ମାରତ । ଆବୋରି ଅଛଇ ଜଗତ ॥ ୯୯

ତୁ ଅବା ବେଦକର୍ମ କହୁ । ବେଦପାଦରୁ ଜନ୍ମ ଯେହୁ ॥ ୧୦୦

ତେଣୁ ସେ ନମାନନ୍ତି ତାହା । ଖଟାନ୍ତି ପରିଚାରେ ଯାହା ॥ ୧୦୧

ଏହାଙ୍କ ମତ ଯେ ଆଚରି । ମନବଚନେ ଦେହ ଧରି ॥ ୧୦୨

ତୁ ଅବା ବୋଲୁ ମହିଲୋକେ । ଏକଥା କରିବେଟି ଥୋକେ ॥ ୧୦୩

ବଡ଼ର କର୍ମ ଅନୁସରି । ସାନ କି ତାହା କରିପାରି ॥ ୧୦୪

ଯେବେ କରିବେ ମୂଢ଼ପଣେ । ନାଶ ହୋଇବେ ତତ୍‌କ୍ଷଣ ॥ ୧୦୫

ଜଳଧିମନ୍ଥନର ବିଷ । ରୁଦ୍ରହୁଁ ଆନେ ନାହିଁ ଗ୍ରାସ ॥ ୧୦୬

କୃଷ୍ଣ ଯେ ଧଇଲେ ମନ୍ଦର । ଦ୍ୱାଦଶଯୁଣ ଗିରିବର ॥ ୧୦୭

ଆନର ଶକ୍ୟ ନୋହେ କରି । ଅଙ୍ଗୁଳି ଅଗ୍ରେ ଗିରି ଧରି ॥ ୧୦୮

ଏହାଙ୍କ ବଚନ ହିଁ ସତ୍ୟ । ଆନ ନ କରନ୍ତି ଏମନ୍ତ ॥ ୧୦୯

ଯେ ବୁଦ୍ଧିମନ୍ତ ସାଧୁ ଧୀର । ସେ ନ କରିବେ ଏ ବେଭାର ॥ ୧୧୦

ଈଶ୍ୱର ଆଦିଙ୍କର ମତ । ଅଳପଜନେ ବିପରୀତ ॥ ୧୧୧

ପଶୁ-ମନୁଷ୍ୟ-ଦେବଙ୍କର । ଈଶ୍ୱରଙ୍କର ସେ ଈଶ୍ୱର ॥ ୧୧୨

ଯାହାର ଦେହବୁଦ୍ଧି ନାହିଁ । ଶୁଭ-ଅଶୁଭ ତାର କାହିଁ ॥ ୧୧୩

ଯାହାର ପାଦପଦ୍ମ ଧୂଳି । ଆନନ୍ଦ ହୋଇ ଶିରେ ବୋଳି ॥ ୧୧୪

ନିଶ୍ଚଳ ଯୋଗେ ଶ୍ରମ କରି । କର୍ମ ନାଶନ୍ତି ବ୍ରହ୍ମଚାରୀ ॥ ୧୧୫

ଯାହାର ପଦ୍ମ‌ପାଦ ବାରି । ଆନନ୍ଦେ ଶିବ ଶିରେ ଧରି ॥ ୧୧୬

ତାହାର ଜନ୍ମବନ୍ଧ ନାହିଁ । ଇଚ୍ଛା ସମ୍ପଦ ଯା'ର ଦେହୀ ॥ ୧୧୭

ଗୋପୀ ଗୋପାଳ ଆଦିକରି । ଜନ୍ତୁ ଜୀବନ ଯେ ଆବୋରି ॥ ୧୧୮

ଜଗତଜନ ତାରିବାରେ । ଯେ ଜାତ ମନୁଷ୍ୟ ଶରୀରେ ॥ ୧୧୯

ତା'ର ଚରିତ ମନେ ଚିନ୍ତି । ଭକତିପଥ ଆବୋରନ୍ତି ॥ ୧୨୦

ଗୋପେ ଗୋବିନ୍ଦ ମାୟା ମୋହି । କୋପ ନ କଲେ ଗୋପୀ ଚାହିଁ ॥ ୧୨୧

ପାଶେ ଥିବାର ପ୍ରାୟେ ମଣି । ଗୋପାଳେ ଦେଖନ୍ତି ତରୁଣୀ ॥ ୧୨୨

ପୂର୍ବହୁଁ ଅଧିକ ସେନେହ । ଯୁବତୀଜନେ ନାହିଁ କୋହ ॥ ୧୨୩

ଶୁଣ ରାଜନ କୃଷ୍ଣରସ । ବ୍ରହ୍ମଯାମିନୀ ହେଲା ଶେଷ ॥ ୧୨୪

ଏମନ୍ତେ ରଜନୀ ପାହିଲା । ଗଗନେ ଅରୁଣ ଦିଶିଲା ॥ ୧୨୫

କୃଷ୍ଣର ଅଙ୍ଗସଙ୍ଗ ପାଇ । ଗୋପୀଏ ଗଲେ ତୋଷ ହୋଇ ॥ ୧୨୬

କୃଷ୍ଣ ଚରଣେ ଦେଇ ମନ । ମିଳିଲେ ଯେ ଯାହା ଭୁବନ ॥ ୧୨୭

ଗୋପୀ ଗୋବିନ୍ଦ କେଳିବନ । ଏଣେ ଯେ ହୋନ୍ତି ସାବଧାନ ॥ ୧୨୮

ଭକତି ହୃଦେ ପରିମାଣି । ଏଣେ ଭେଟିବେ ଚକ୍ରପାଣି ॥ ୧୨୯

ସକଳ ଦୁରିତରୁ ତରେ । ସେ ନ ପଡ଼ଇ ମାୟା ଘୋରେ ॥ ୧୩୦

ବୋଲଇ ଦାସ ଜଗନ୍ନାଥ । ରାସଉତ୍ସ›ବ ଭାଗବତ ॥ ୧୩୧

ସୁଜନଜନେ ଏହା ଚିନ୍ତି । ଏଣେ ଛାଡ଼ିବ ମନଭ୍ରାନ୍ତି ॥ ୧୩୨

ଭକତି ହୋଇବ ତୁମ୍ଭର । ହେଳେ ତରିବ ମାୟାଘୋର ॥ ୧୩୩

ମୁଁ ଛାର ହୀନ ମୂଢ଼ପଣେ । ସେବଇ ତୁମ୍ଭର ଚରଣେ ॥ ୧୩୪

ମୋହର ନ ଘେନିବା ଦୋଷ । ଗୀତେ କହିଲି କୃଷ୍ଣରସ ॥ ୧୩୫

ପୁରାଣ କଲି ଗୀତରସ । ଯାହା ବୋଇଲେ ପୀତବାସ ॥ ୧୩୬

କେ ତାହା କରିବଟି ଆନ । ସବୁରି ପ୍ରଭୁ ଭଗବାନ ॥ ୧୩୭

ଯହୁଁ ମୁଁ ହରିସେବା କଲି । ଭାବେଣ ତୃପତ ନୋହିଲି ॥ ୧୩୮

ଆଜ୍ଞା ମାଗିଲି ପାଦେ ପଡ଼ି । ଧ୍ୟାନ ଧାରଣା କର୍ମ ଛାଡ଼ି ॥ ୧୩୯

ମୋ ମନ ହୋଇଲା ପ୍ରସନ୍ନ । ଆଜ୍ଞା ଯେ ଦେଲେ ଭଗବାନ ॥ ୧୪୦

ପୁରାଣ ଦେଶଭାଷା ଗୀତ । ରଚିବୁ ଶିରୀଭାଗବତ ॥ ୧୪୧

ତୋହର ହୃଦେ ଆମ୍ଭେ ଥାଇ । ପଦକୁ ପଦ ଦେବୁ କହି ॥ ୧୪୨

ଅଠର ସହସ୍ର ଶୋଳକ । ଟୀକା ବଖାଣ ଏକୁ ଏକ ॥ ୧୪୩

ପୂର୍ବେ ପରୀକ୍ଷିତ ଆଗର । କହିଲେ ଶୁକ ମୁନିବର ॥ ୧୪୪

ତାହା ପ୍ରକାଶ ମଞ୍ଚେ କର । ଆଜ୍ଞା ସେ ଦେଲେ ଦାମୋଦର ॥ ୧୪୫

ତେଣୁ ମୁଁ ଏ ଗ୍ରନ୍ଥରେ ପଶି । ଗୀତ ପ୍ରବନ୍ଧରସେ ରସି ॥ ୧୪୬

ସୁଜନେ ଶୁଣ ଏକ ଚିତ୍ତେ । ହରିଙ୍କି ଭଜ ଅନୁବ୍ରତେ ॥ ୧୪୭

ପୁରାଣ ଶିରୀଭାଗବତ । ବେଦର ମଧ୍ୟେ ସାରସ୍ୱତ ॥ ୧୪୮

ଶୁକ କହିଲେ ଯେଉଁ କଥା । ଶୁଣିଲେ ଛାଡ଼େ ଭାବବ୍ୟଥା ॥ ୧୪୯

ଶ୍ରୀକୃଷ୍ଣ ଗୋପକ୍ରୀଡ଼ା ରସ । କହଇ ଜଗନ୍ନାଥ ଦାସ ॥ ୧୫୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ା ବ‰ର୍ଣ୍ଣ‌ନଂ ନାମ ଚତୁଃତ୍ରିଂଶୋଽଧ୍ୟାୟଃ ॥

* * *