ଦଶମ ସ୍କନ୍ଧ
ତ୍ରୟତ୍ରିଂଶ ଅଧ୍ୟାୟ
କହନ୍ତି ଶୁକ ମହାମୁନି । ଶୁଣ ରାଜନ ଚୂଡ଼ାମଣି ॥
ଏମନେ ବନେ ଗୋପନାରୀ । କାନ୍ଦନ୍ତି କୃଷ୍ଣନାମ ଧରି ॥ ୧
ଜୀବନ କୃଷ୍ଣପାଦେ ଦେଇ । ଦିଶ-ଆକାଶ ନ ଦିଶଇ ॥ ୨
ରୋଦନ ଉଚ୍ଚସ୍ୱରେ ଧ୍ୱନି । କ୍ଷତ ହରିଣୀପ୍ରାୟେ ଜାଣି ॥ ୩
ଗୋପୀଙ୍କ ରୋଦନ ଶବଦ । ରାତ୍ରେ କୋକିଳସ୍ୱର ନାଦ ॥ ୪
ଶୁକ ଝିଙ୍କାରୀ ପକ୍ଷୀକୁଳ । ଶୁଣିଲେ ଗୋପୀଙ୍କ ବିକଳ ॥ ୫
ପୃଥ୍ୱୀ ସହିତେ ଶୋକ କରି । ଆକାଶ ଦିଗେ ଧ୍ୱନି ପୂରି ॥ ୬
ଶ୍ରୀହରି ନାମ କୀରିତନ । ରୋଦନ କରି ଅଚେତନ ॥ ୭
ଭକ୍ତବତ୍ସଳ ଦୟାନିଧି । ଶରଣ ସୋଦର ବାରିଧି ॥ ୮
ଭକତଜନ ମୋକ୍ଷପାଳ । ଶୁଣିଲେ ଗୋପୀଙ୍କ ବିକଳ ॥ ୯
ଭାବକୁ ନିକଟ ମୁରାରି । ଗର୍ବ ଯେ କଲେ ଗୋପନାରୀ ॥ ୧୦
ବନେ ଅନେକ ଦୁଃଖ ଦେଇ । ତୋଷ ହୋଇଲେ ଭାବଗ୍ରାହୀ ॥ ୧୧
ଯେସନେ ଜଳଦେ ବିଜୁଳି । ଗୋପୀଙ୍କ ମଧ୍ୟେ ଯାଇ ମିଳି ॥ ୧୨
ନୀଳ ଶରୀର ପୀତବାସ । ମୁଖପଙ୍କଜେ ମନ୍ଦହାସ ॥ ୧୩
କଣ୍ଠେ ଲମ୍ବଇ ବନମାଳ । ସୁନ୍ଦର ମଦନଗୋପାଳ ॥ ୧୪
ଭୁଜ ବିସ୍ତାରି ନରହରି । ଡ଼ାକନ୍ତି ଆସ ଗୋପନାରୀ ॥ ୧୫
ଗୋପୀ ଚାହିଁଲେ ତାହା ଶୁଣି । ମଧ୍ୟେ ବିଜୟ ଚକ୍ରପାଣି ॥ ୧୬
ଜୀବନ ପାଇଲେ ସକଳେ । ଗୋପୀ ଉଠିଲେ ଏକାବେଳେ ॥ ୧୭
ପତଙ୍ଗଅନଳକୁ ଚାହିଁ । ଯେହ୍ନେ ପଡ଼ନ୍ତି ବେଗେ ଧାଇଁ ॥ ୧୮
ବହନ ବେଢ଼ିଲେ ମୁରାରି । ଧନ୍ୟଜୀବନ ବ୍ରଜନାରୀ ॥ ୧୯
ପରମଆତ୍ମା ପୁରୁଷକୁ । ପାଇଣ ଦମ୍ଭ କଲେ ବୁକୁ ॥ ୨୦
ଅଙ୍ଗୁଳି ଛନ୍ଦନ୍ତି କେ କରେ । ଚରଣ ଭିଡ଼ନ୍ତି ନିର୍ଭରେ ॥ ୨୧
କେ ବାହୁମୂଳେ କୋଳ କଲା । କେ ପାଦ ଅଙ୍ଗୁଳି ଧଇଲା ॥ ୨୨
କେ ପିଠି କୋଳକରି ରହି । କେ ଜାନୁ ଧଇଲାକ ଯାଇ ॥ ୨୩
କେ ମୁଖେ ମୁଖଭରି ଚାହେଁ । କେ ସ୍ତମ୍ଭ ପ୍ରାୟେ ହୋଇ ରହେ ॥ ୨୪
କେ ଗୋପୀ ନୟନ ଆକର୍ଷି । କଟାକ୍ଷ ଭାବେ ଦରହାସି ॥ ୨୫
ବେଢ଼ି ଧଇଲେ ନାରାୟଣ । ବିଚିତ୍ର ଭଙ୍ଗିମା କରିଣ ॥ ୨୬
ପଣତେ ବାନ୍ଧି ବନମାଳୀ । ଆନନ୍ଦେ ଦେଲେ ହୁଳହୁଳି ॥ ୨୭
କେ କୁଚ ପରେ ଆଲିଙ୍ଗନ । କେ ମୁଖେ ଦିଅନ୍ତି ଚୁମ୍ବନ ॥ ୨୮
କେ ଗୋପୀ ଅଧରେ ଅଧର । ତାମ୍ବୁଳ କରନ୍ତି ଆହାର ॥ ୨୯
କେ ବେନିହସ୍ତେ ପାଦ ଧରି । ସ୍ତନେ ଚାପଇ ଗୋପନାରୀ ॥ ୩୦
କେ ଗୋପୀ ହୃଦେ ହସ୍ତ ଦେଇ । କଟାକ୍ଷ-ନୟନେ ଅନାଇଁ ॥ ୩୧
କେ ଦୂରୁଁ ଚାହେଁ କୋପକରି । ସୁରଙ୍ଗ ଅଧର କାମୋଡ଼ି ॥ ୩୨
କେ ଯାଇ ନ ପାରେ ଗହଳେ । ଧୀରେ ଚାହଁଇ ବେନିଡ଼ୋଳେ ॥ ୩୩
ଚକ୍ଷୁ ବୁଜିଣ ରସଭରେ । ଗୋବିନ୍ଦେ ଦେଖିଲା ଭିତରେ ॥ ୩୪
ଅଣ୍ତାଳି କଲା ଆଲିଙ୍ଗନ । ତାପ ଛାଡ଼ିଲା ଗୋପୀମନ ॥ ୩୫
କେ ରୂପ ଦେଖି ଚକ୍ଷୁ ବୁଜି । ପୁଲକ କଲା ରୋମରାଜି ॥ ୩୬
ଆନନ୍ଦମନେ ଧ୍ୟାନ କଲା । ଯୋଗୀଙ୍କ ପ୍ରାୟେ ସେ ରହିଲା ॥ ୩୭
କୃଷ୍ଣର ଦର୍ଶନେ ଆନନ୍ଦ । ଛାଡ଼ିଲେ ମନୁ ଚିନ୍ତା ଖେଦ ॥ ୩୮
ବ୍ରହ୍ମସମାଧି ଲଭି ଜନେ । ନିଶ୍ଚଳ ହୋନ୍ତି ଯୋଗଧ୍ୟାନେ ॥ ୩୯
ତକ୍ଷଣେ ଉଠିଲେ ମୁରାରି । ଆବୋରିଛନ୍ତି ବ୍ରଜନାରୀ ॥ ୪୦
ଯେସନେ ବ୍ରହ୍ମ ଗୁଣବନ୍ତ । ଅଧିକ ଶୋଭା ଗୋପୀନାଥ ॥ ୪୧
ଗୋପୀଙ୍କି ଘେନି ବନମାଳୀ । ଯମୁନା ବାଲିକୁଦେ ମିଳି ॥ ୪୨
କୁନ୍ଦ ମନ୍ଦାର ଫୁଲ ଗନ୍ଧ । ବିକାଶେ ଭ୍ରମର ସମ୍ପଦ ॥ ୪୩
ଶରଦଚନ୍ଦ୍ର ଯେହ୍ନେ ଝଳି । ନିର୍ମଳ ବିରାଜଇ ବାଲି ॥ ୪୪
କୃଷ୍ଣର ଦେହବର୍ଣ୍ଣ ଝଳି । ଯେସନେ ବିରାଜେ ବିଜୁଳି ॥ ୪୫
ପାଇଣ କୃଷ୍ଣ ଅଙ୍ଗସଙ୍ଗ । ତାପ ଛାଡ଼ିଲେ ଗୋପୀଅଙ୍ଗ ॥ ୪୬
ବ୍ରହ୍ମ ବିଚାରେ ଜ୍ଞାନ ପାଇ । ଯେହ୍ନେ ପଣ୍ତିତ ତୋଷ ହୋଇ ॥ ୪୭
ପାଲଟି ପାଡ଼ିଲେ ବସନ । କୃଷ୍ଣଙ୍କୁ ବସାଇ ଆସନ ॥ ୪୮
ବୋଲନ୍ତି ବସ ପ୍ରାଣନାଥ । ବୁଲି ଯେ ଅଛ ଘୋରପଥ ॥ ୪୯
ବସ୍ତ୍ର ଆସନେ କୃଷ୍ଣ ବସି । ଗୋପୀଙ୍କ ମୁଖ ଚାହିଁ ହସି ॥ ୫୦
ଯାହାଙ୍କୁ ହୃଦେ ଯୋଗୀଜନେ । ବସାନ୍ତି କଳ୍ପିତ ଆସନେ ॥ ୫୧
ଦିବ୍ୟ କନକ ସିଂହାସନ । ପାଟପତନି ବିଦ୍ୟମାନ ॥ ୫୨
ଅମରବୃନ୍ଦ ଏକମେଳେ । ଆସନ କରନ୍ତି ନିରୋଳେ ॥ ୫୩
ବସାଇ ନ ପାରନ୍ତି ହରି । ଧ୍ୟାନପଥରେ ଅନୁସରି ॥ ୫୪
ସେ ସ୍ୱାମୀ ପାଲଟା ବସନେ । ପାଡ଼ିଣ କଲେକ ଆସନେ ॥ ୫୫
ଭାବକୁ ହୋଏ ଏଡ଼େ ବାଇ । ପୂର୍ବେ ପାଲଟାବସ୍ତ୍ର ବହି ॥ ୫୬
ଗୋପୀଙ୍କ ଭାବ ହୃଦେ ଧରି । ମଧ୍ୟେ ବିଜୟ ନରହରି ॥ ୫୭
ଅଶେଷ-ବ୍ରହ୍ମାଣ୍ତ-ଠାକୁର । ରୂପେ କି ଦେବା ପଟାନ୍ତର ॥ ୫୮
କୃଷ୍ଣେ ବସାଇ ଗୋପୀଜନେ । ଚାହାାଁନ୍ତି କଟାକ୍ଷ ନୟନେ ॥ ୫୯
ହରିର ବେନିଭୁଜ ଧରି । କୋପେ ବୋଲନ୍ତି ଗୋପନାରୀ ॥ ୬୦
ତୁ ଧୂର୍ତ୍ତ ଚତୁର ନାଗର । ଆମ୍ଭଙ୍କୁ ଛାଡ଼ି ବନଘୋର ॥ ୬୧
ତୁ ପୁଣି ଯାଉ ଏକା ହୋଇ । ସଖୀ ଗୋଟିଏ ସଙ୍ଗେ ଲଇଁ ॥ ୬୨
ନିଶାରେ ଛାଡ଼ି ଗଲୁ କେଣେ । ଆମ୍ଭେ ବୁଲିଲୁ ବଣେ ବଣେ ॥ ୬୩
ଏଡ଼େ ନିଷ୍ଠୁର ତୋ'ର ଦେହୀ । ବିପିନେ ଛାଡ଼ି ଗଲୁ କାହିଁ ॥ ୬୪
ଆମ୍ଭେ ତ ନୋହୁ ତୋ'ର ରିପୁ । ତୋହର ନାମ ହୃଦେ ଜପୁ ॥ ୬୫
ଆମ୍ଭଙ୍କୁ ନିର୍ଦ୍ଦୟା ତୋହର । ଏବେ ଜାଣିଲୁ ବେଣୁଧର ॥ ୬୬
ବିଶ୍ୱାସେ ପୂତନା ପରାଣ । ପିଇ ଯେ ଅଛୁ ନାରାୟଣ ॥ ୬୭
ଏତେ କହିଣ ଗୋପନାରୀ । ବିମ୍ବଅଧର କରେ ଧରି ॥ ୬୮
ଶ୍ରୀମୁଖୁଁ କଲେ ମଧୁପାନ । ଆକର୍ଷି ଦେଲେକି ଚୁମ୍ବନ ॥ ୬୯
ଧନ୍ୟ ଜୀବନ ଗୋପବଧୁ । ଭାବେ ପାଇଲେ ସୁଖସିନ୍ଧୁ ॥ ୭୦
ସମସ୍ତେ ବେଢ଼ିଣ ବସିଲେ । ବିଚ୍ଛେଦ କଥା ପଚାରିଲେ ॥ ୭୧
ବୋଲନ୍ତି ଶୁଣ ପ୍ରାଣନାଥ । ଆମ୍ଭେ ଦେଖିଲୁ ବିପରୀତ ॥ ୭୨
ଭଜନ୍ତା ଜନେ କେ ଭଜଇ । ନ ଭଜିଲେ ବା ଭଜେ କେହି ॥ ୭୩
ଯେ ଯା'କୁ ଭାବେଣ ଭଜଇ । ସେ ପୁଣି ତାହାକୁ ତେଜଇ ॥ ୭୪
ଭୋ ନାଥ ତୋହର ପରାୟେ । ଭାବେ ନ ଭଜନ୍ତି ଥୋକାଏ ॥ ୭୫
ସେ ବେନିକୁଳ ନ ଭଜନ୍ତି । ଭୋ ନାଥ ଫେଡ଼ ମନୁ ଭ୍ରାନ୍ତି ॥ ୭୬
ଶୁଣି ବୋଲନ୍ତି କୃଷ୍ଣ ହସି । ବରଜଯୁବତୀ ଆଶ୍ୱାସି ॥ ୭୭
ଶୁଣ ସକଳ ଗୋପନାରୀ । ଯେ ଯାହା ଭାବେ ପ୍ରୀତିକରି ॥ ୭୮
ଏକ ଆରେକ ଉପକାରେ । ଭଜନ୍ତି ସଂସାର ବେଭାରେ ॥ ୭୯
ଯହିଁ ସୁହୃଦପଣ ନାହିଁ । ଭାବ ନ ଦେଖିଲେ ଛାଡ଼ଇ ॥ ୮୦
ଭାବ ନ ଦେଖିଲେ ଭଜଇ । ତାତ ଜନନୀ ପ୍ରାୟ ହୋଇ ॥ ୮୧
ତାହାକୁ ବୋଲି ବଡ଼ପଣ । ସେ ପାଇ ବିଷ୍ଣୁର ଚରଣ ॥ ୮୨
ଥୋକେ ଭକତ ନ ଭଜନ୍ତି । ଆତ୍ମବଡ଼ିମା ପ୍ରକାଶନ୍ତି ॥ ୮୩
ସେ ଗୁରୁଦ୍ରୋହ ଦୋଷ ପାଇ । ଉଭୟ ଲୋକେ ସୁଖ ନାହିଁ ॥ ୮୪
ଶୁଣ ଗୁଆଳୀ ସାବଧାନେ । ମୋତେଭଜନ୍ତି ଯେତେ ଜନେ ॥ ୮୫
ତାହାଙ୍କୁ ଭଜୁଥାଇ ମୁହିଁ । ମୁ ତାଙ୍କ ଭକତି ଜାଣଇଁ ॥ ୮୬
ମୋତେ ଯେ ଭକତି କରନ୍ତି । ନିଶ୍ଚଳ ହୋଏ ତାଙ୍କ ମତି ॥ ୮୭
ଦରିଦ୍ର ଯେହ୍ନେ ଧନ ପାଇ । ପ୍ରାଣୁ ଅଧିକ ସମ୍ଭାଳଇ ॥ ୮୮
କାଳେ ହରାଇ ସେହି ଧନ । ବିଷାଦ ହୋଏ ତାର ମନ ॥ ୮୯
ଭାଳଇ ଧନେ ମନ ଦେଇ । କ୍ଷୁଧା ପିପାସା ନ ଲାଗଇ ॥ ୯୦
ପୁଣି ପ୍ରାପତ ହୋଏ ଧନ । ଆତ୍ମାରୁ ଅଧିକେ ଯତନ ॥ ୯୧
ତେମନ୍ତ ହୋଇ ନରଲୋକେ । ଭକତି କରୁଥା'ନ୍ତି ଥୋକେ ॥ ୯୨
ତୁମ୍ଭେ ତେମନ୍ତ ପ୍ରାୟେ ହୋଇ । ମୋହର ପାଦେ ଚିତ୍ତ ଦେଇ ॥ ୯୩
ଲୋକ ବେଭାର ବେଦପଥ । ଛାଡ଼ି ଭଜିଲ ଅବିରତ ॥ ୯୪
ପ୍ରେମେ ବିଳାପ କଲ ଯେତେ । ଶୁଣିଲି ତୁମ୍ଭର ସଙ୍ଗତେ ॥ ୯୫
ପଛେ ମୁଁ ଥାଇ ତୁମ୍ଭ ତୁଲେ । ଭକତି ଜାଣିଲଇଁ ଭଲେ ॥ ୯୬
ଗରବ କଲ ତୁମ୍ଭେ ଯାହା । ମନେ ମୁଁ ଜାଣିଲଇଁ ତାହା ॥ ୯୭
ସେ ଘେନି ହୋଇଲି ଅନ୍ତର । ଗର୍ବଗଞ୍ଜନ-ବାନା ମୋର ॥ ୯୮
ତୁମ୍ଭର ଗର୍ବ ଗଞ୍ଜିବାରେ । ଅଦୃଶ୍ୟ ହୋଇଲି ଅନ୍ଧାରେ ॥ ୯୯
ତୁମ୍ଭର ପ୍ରେମଭକ୍ତି ଜାଣି । ଆସି ମିଳିଲି ଏବେ ପୁଣି ॥ ୧୦୦
ଏ କଥା ମୋର ଭଲପଣ । ତୁମ୍ଭଙ୍କୁ ହୋଇଲା କାରଣ ॥ ୧୦୧
ଆବର ଗର୍ବ ନ କରିବ । ମୋ' ନାମ ନିରତେ ଭାବିବ ॥ ୧୦୨
ମୋତେ ନ କର ତୁମ୍ଭେ ରୋଷ । ମୁଁ ତୁମ୍ଭ ପୁରାଇବି ଆଶ ॥ ୧୦୩
ତୁମ୍ଭର ଭାବ ମୁଁ ଜାଣଇ । ଛନ୍ଦ କୁଟିଳ ମାୟା ନାହିଁ ॥ ୧୦୪
ଅନେକ କାଳେହେଁ ତୁମ୍ଭର । ଶୁଝି ନ ପାରେ ଉପକାର ॥ ୧୦୫
ମୋହର ମାୟାର ଶାଙ୍କୋଳି । ଭାବେ କାଟିଲ ଗୋବାଳୀ ॥ ୧୦୬
ତୁମ୍ଭର ଜନ୍ମ ବନ୍ଧ ନାହିଁ । ମୋତେ କିଣିଲ ଭାବ ଦେଇ ॥ ୧୦୭
ମୋ'ର ଭକତି ଯେ ଲୋଡ଼ନ୍ତି । ସେ ମୋ'ର ପଥ ଆବୋରନ୍ତି ॥ ୧୦୮
ମୁହିଁ ଠାକୁର ତାହାଙ୍କର । ସୁଜନଜନଙ୍କ ବେଭାର ॥ ୧୦୯
କହଇ ଦାସ ଜଗନ୍ନାଥ । ମୁଁ କୃଷ୍ଣ ସେବକର ଭୃତ୍ୟ ॥ ୧୧୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ ଗୋପୀସାନ୍ତ୍ୱନଂ ନାମ ତ୍ରୟତ୍ରିଂଶୋଽଧ୍ୟାୟଃ ॥
* * *