ଦଶମ ସ୍କନ୍ଧ

ତ୍ରୟତ୍ରିଂ‌ଶ ଅଧ୍ୟାୟ

କହନ୍ତି ଶୁକ ମହାମୁନି । ଶୁଣ ରାଜନ ଚୂଡ଼ାମଣି ॥

ଏମନେ ବନେ ଗୋପନାରୀ । କାନ୍ଦନ୍ତି କୃଷ୍ଣନାମ ଧରି ॥

ଜୀବନ କୃଷ୍ଣପାଦେ ଦେଇ । ଦିଶ-ଆକାଶ ନ ଦିଶଇ ॥

ରୋଦନ ଉଚ୍ଚସ୍ୱରେ ଧ୍ୱନି । କ୍ଷତ ହରିଣୀପ୍ରାୟେ ଜାଣି ॥

ଗୋପୀଙ୍କ ରୋଦନ ଶବଦ । ରାତ୍ରେ କୋକିଳସ୍ୱର ନାଦ ॥

ଶୁକ ଝିଙ୍କାରୀ ପକ୍ଷୀକୁଳ । ଶୁଣିଲେ ଗୋପୀଙ୍କ ବିକଳ ॥

ପୃଥ୍ୱୀ ସହିତେ ଶୋକ କରି । ଆକାଶ ଦିଗେ ଧ୍ୱନି ପୂରି ॥

ଶ୍ରୀହରି ନାମ କୀରିତନ । ରୋଦନ କରି ଅଚେତନ ॥

ଭକ୍ତବତ୍ସ›ଳ ଦୟାନିଧି । ଶରଣ ସୋଦର ବାରିଧି ॥

ଭକତଜନ ମୋକ୍ଷପାଳ । ଶୁଣିଲେ ଗୋପୀଙ୍କ ବିକଳ ॥

ଭାବକୁ ନିକଟ ମୁରାରି । ଗର୍ବ ଯେ କଲେ ଗୋପନାରୀ ॥ ୧୦

ବନେ ଅନେକ ଦୁଃଖ ଦେଇ । ତୋଷ ହୋଇଲେ ଭାବଗ୍ରାହୀ ॥ ୧୧

ଯେସନେ ଜଳଦେ ବିଜୁଳି । ଗୋପୀଙ୍କ ମଧ୍ୟେ ଯାଇ ମିଳି ॥ ୧୨

ନୀଳ ଶରୀର ପୀତବାସ । ମୁଖପଙ୍କଜେ ମନ୍ଦହାସ ॥ ୧୩

କଣ୍ଠେ ଲମ୍ବଇ ବନମାଳ । ସୁନ୍ଦର ମଦନଗୋପାଳ ॥ ୧୪

ଭୁଜ ବିସ୍ତାରି ନରହରି । ଡ଼ାକନ୍ତି ଆସ ଗୋପନାରୀ ॥ ୧୫

ଗୋପୀ ଚାହିଁଲେ ତାହା ଶୁଣି । ମଧ୍ୟେ ବିଜୟ ଚକ୍ରପାଣି ॥ ୧୬

ଜୀବନ ପାଇଲେ ସକଳେ । ଗୋପୀ ଉଠିଲେ ଏକାବେଳେ ॥ ୧୭

ପତଙ୍ଗଅନଳକୁ ଚାହିଁ । ଯେହ୍ନେ ପଡ଼ନ୍ତି ବେଗେ ଧାଇଁ ॥ ୧୮

ବହନ ବେଢ଼ିଲେ ମୁରାରି । ଧନ୍ୟଜୀବନ ବ୍ରଜନାରୀ ॥ ୧୯

ପରମଆତ୍ମା ପୁରୁଷକୁ । ପାଇଣ ଦମ୍ଭ କଲେ ବୁକୁ ॥ ୨୦

ଅଙ୍ଗୁଳି ଛନ୍ଦନ୍ତି କେ କରେ । ଚରଣ ଭିଡ଼ନ୍ତି ନିର୍ଭରେ ॥ ୨୧

କେ ବାହୁମୂଳେ କୋଳ କଲା । କେ ପାଦ ଅଙ୍ଗୁଳି ଧଇଲା ॥ ୨୨

କେ ପିଠି କୋଳକରି ରହି । କେ ଜାନୁ ଧଇଲାକ ଯାଇ ॥ ୨୩

କେ ମୁଖେ ମୁଖଭରି ଚାହେଁ । କେ ସ୍ତମ୍ଭ ପ୍ରାୟେ ହୋଇ ରହେ ॥ ୨୪

କେ ଗୋପୀ ନୟନ ଆକର୍ଷି । କଟାକ୍ଷ ଭାବେ ଦରହାସି ॥ ୨୫

ବେଢ଼ି ଧଇଲେ ନାରାୟଣ । ବିଚିତ୍ର ଭଙ୍ଗିମା କରିଣ ॥ ୨୬

ପଣତେ ବାନ୍ଧି ବନମାଳୀ । ଆନନ୍ଦେ ଦେଲେ ହୁଳହୁଳି ॥ ୨୭

କେ କୁଚ ପରେ ଆଲିଙ୍ଗନ । କେ ମୁଖେ ଦିଅନ୍ତି ଚୁମ୍ବନ ॥ ୨୮

କେ ଗୋପୀ ଅଧରେ ଅଧର । ତାମ୍ବୁଳ କରନ୍ତି ଆହାର ॥ ୨୯

କେ ବେନିହସ୍ତେ ପାଦ ଧରି । ସ୍ତନେ ଚାପଇ ଗୋପନାରୀ ॥ ୩୦

କେ ଗୋପୀ ହୃଦେ ହସ୍ତ ଦେଇ । କଟାକ୍ଷ-ନୟନେ ଅନାଇଁ ॥ ୩୧

କେ ଦୂରୁଁ ଚାହେଁ କୋପକରି । ସୁରଙ୍ଗ ଅଧର କାମୋଡ଼ି ॥ ୩୨

କେ ଯାଇ ନ ପାରେ ଗହଳେ । ଧୀରେ ଚାହଁଇ ବେନିଡ଼ୋଳେ ॥ ୩୩

ଚକ୍ଷୁ ବୁଜିଣ ରସଭରେ । ଗୋବିନ୍ଦେ ଦେଖିଲା ଭିତରେ ॥ ୩୪

ଅଣ୍ତାଳି କଲା ଆଲିଙ୍ଗନ । ତାପ ଛାଡ଼ିଲା ଗୋପୀମନ ॥ ୩୫

କେ ରୂପ ଦେଖି ଚକ୍ଷୁ ବୁଜି । ପୁଲକ କଲା ରୋମରାଜି ॥ ୩୬

ଆନନ୍ଦମନେ ଧ୍ୟାନ କଲା । ଯୋଗୀଙ୍କ ପ୍ରାୟେ ସେ ରହିଲା ॥ ୩୭

କୃଷ୍ଣର ଦର୍ଶନେ ଆନନ୍ଦ । ଛାଡ଼ିଲେ ମନୁ ଚିନ୍ତା ଖେଦ ॥ ୩୮

ବ୍ରହ୍ମସମାଧି ଲଭି ଜନେ । ନିଶ୍ଚଳ ହୋନ୍ତି ଯୋଗଧ୍ୟାନେ ॥ ୩୯

ତକ୍ଷଣେ ଉଠିଲେ ମୁରାରି । ଆବୋରିଛନ୍ତି ବ୍ରଜନାରୀ ॥ ୪୦

ଯେସନେ ବ୍ରହ୍ମ ଗୁଣବନ୍ତ । ଅଧିକ ଶୋଭା ଗୋପୀନାଥ ॥ ୪୧

ଗୋପୀଙ୍କି ଘେନି ବନମାଳୀ । ଯମୁନା ବାଲିକୁଦେ ମିଳି ॥ ୪୨

କୁନ୍ଦ ମନ୍ଦାର ଫୁଲ ଗନ୍ଧ । ବିକାଶେ ଭ୍ରମର ସମ୍ପଦ ॥ ୪୩

ଶରଦଚନ୍ଦ୍ର ଯେହ୍ନେ ଝଳି । ନିର୍ମଳ ବିରାଜଇ ବାଲି ॥ ୪୪

କୃଷ୍ଣର ଦେହବ‰ର୍ଣ୍ଣ ଝଳି । ଯେସନେ ବିରାଜେ ବିଜୁଳି ॥ ୪୫

ପାଇଣ କୃଷ୍ଣ ଅଙ୍ଗସଙ୍ଗ । ତାପ ଛାଡ଼ିଲେ ଗୋପୀଅଙ୍ଗ ॥ ୪୬

ବ୍ରହ୍ମ ବିଚାରେ ଜ୍ଞାନ ପାଇ । ଯେହ୍ନେ ପଣ୍ତିତ ତୋଷ ହୋଇ ॥ ୪୭

ପାଲଟି ପାଡ଼ିଲେ ବସନ । କୃଷ୍ଣଙ୍କୁ ବସାଇ ଆସନ ॥ ୪୮

ବୋଲନ୍ତି ବସ ପ୍ରାଣନାଥ । ବୁଲି ଯେ ଅଛ ଘୋରପଥ ॥ ୪୯

ବସ୍ତ୍ର ଆସନେ କୃଷ୍ଣ ବସି । ଗୋପୀଙ୍କ ମୁଖ ଚାହିଁ ହସି ॥ ୫୦

ଯାହାଙ୍କୁ ହୃଦେ ଯୋଗୀଜନେ । ବସାନ୍ତି କଳ୍ପିତ ଆସନେ ॥ ୫୧

ଦିବ୍ୟ କନକ ସିଂହାସନ । ପାଟପତନି ବିଦ୍ୟମାନ ॥ ୫୨

ଅମରବୃନ୍ଦ ଏକମେଳେ । ଆସନ କରନ୍ତି ନିରୋଳେ ॥ ୫୩

ବସାଇ ନ ପାରନ୍ତି ହରି । ଧ୍ୟାନପଥରେ ଅନୁସରି ॥ ୫୪

ସେ ସ୍ୱାମୀ ପାଲଟା ବସନେ । ପାଡ଼ିଣ କଲେକ ଆସନେ ॥ ୫୫

ଭାବକୁ ହୋଏ ଏଡ଼େ ବାଇ । ପୂର୍ବେ ପାଲଟାବସ୍ତ୍ର ବହି ॥ ୫୬

ଗୋପୀଙ୍କ ଭାବ ହୃଦେ ଧରି । ମଧ୍ୟେ ବିଜୟ ନରହରି ॥ ୫୭

ଅଶେଷ-ବ୍ରହ୍ମାŠଣ୍ତ-ଠାକୁର । ରୂପେ କି ଦେବା ପଟାନ୍ତର ॥ ୫୮

କୃଷ୍ଣେ ବସାଇ ଗୋପୀଜନେ । ଚାହାାଁନ୍ତି କଟାକ୍ଷ ନୟନେ ॥ ୫୯

ହରିର ବେନିଭୁଜ ଧରି । କୋପେ ବୋଲନ୍ତି ଗୋପନାରୀ ॥ ୬୦

ତୁ ଧୂର୍ତ୍ତ ଚତୁର ନାଗର । ଆମ୍ଭଙ୍କୁ ଛାଡ଼ି ବନଘୋର ॥ ୬୧

ତୁ ପୁଣି ଯାଉ ଏକା ହୋଇ । ସଖୀ ଗୋଟିଏ ସଙ୍ଗେ ଲଇଁ ॥ ୬୨

ନିଶାରେ ଛାଡ଼ି ଗଲୁ କେଣେ । ଆମ୍ଭେ ବୁଲିଲୁ ବଣେ ବଣେ ॥ ୬୩

ଏଡ଼େ ନିଷ୍ଠୁର ତୋ'ର ଦେହୀ । ବିପିନେ ଛାଡ଼ି ଗଲୁ କାହିଁ ॥ ୬୪

ଆମ୍ଭେ ତ ନୋହୁ ତୋ'ର ରିପୁ । ତୋହର ନାମ ହୃଦେ ଜପୁ ॥ ୬୫

ଆମ୍ଭଙ୍କୁ ନିŸର୍ଦ୍ଦୟା ତୋହର । ଏବେ ଜାଣିଲୁ ବେଣୁଧର ॥ ୬୬

ବିଶ୍ୱାସେ ପୂତନା ପରାଣ । ପିଇ ଯେ ଅଛୁ ନାରାୟଣ ॥ ୬୭

ଏତେ କହିଣ ଗୋପନାରୀ । ବିମ୍ବଅଧର କରେ ଧରି ॥ ୬୮

ଶ୍ରୀମୁଖୁଁ କଲେ ମଧୁପାନ । ଆକର୍ଷି ଦେଲେକି ଚୁମ୍ବନ ॥ ୬୯

ଧନ୍ୟ ଜୀବନ ଗୋପବଧୁ । ଭାବେ ପାଇଲେ ସୁଖସିନ୍ଧୁ ॥ ୭୦

ସମସ୍ତେ ବେଢ଼ିଣ ବସିଲେ । ବିଚ୍ଛେଦ କଥା ପଚାରିଲେ ॥ ୭୧

ବୋଲନ୍ତି ଶୁଣ ପ୍ରାଣନାଥ । ଆମ୍ଭେ ଦେଖିଲୁ ବିପରୀତ ॥ ୭୨

ଭଜନ୍ତା ଜନେ କେ ଭଜଇ । ନ ଭଜିଲେ ବା ଭଜେ କେହି ॥ ୭୩

ଯେ ଯା'କୁ ଭାବେଣ ଭଜଇ । ସେ ପୁଣି ତାହାକୁ ତେଜଇ ॥ ୭୪

ଭୋ ନାଥ ତୋହର ପରାୟେ । ଭାବେ ନ ଭଜନ୍ତି ଥୋକାଏ ॥ ୭୫

ସେ ବେନିକୁଳ ନ ଭଜନ୍ତି । ଭୋ ନାଥ ଫେଡ଼ ମନୁ ଭ୍ରାନ୍ତି ॥ ୭୬

ଶୁଣି ବୋଲନ୍ତି କୃଷ୍ଣ ହସି । ବରଜଯୁବତୀ ଆଶ୍ୱାସି ॥ ୭୭

ଶୁଣ ସକଳ ଗୋପନାରୀ । ଯେ ଯାହା ଭାବେ ପ୍ରୀତିକରି ॥ ୭୮

ଏକ ଆରେକ ଉପକାରେ । ଭଜନ୍ତି ସଂସାର ବେଭାରେ ॥ ୭୯

ଯହିଁ ସୁହୃଦପଣ ନାହିଁ । ଭାବ ନ ଦେଖିଲେ ଛାଡ଼ଇ ॥ ୮୦

ଭାବ ନ ଦେଖିଲେ ଭଜଇ । ତାତ ଜନନୀ ପ୍ରାୟ ହୋଇ ॥ ୮୧

ତାହାକୁ ବୋଲି ବଡ଼ପଣ । ସେ ପାଇ ବିଷ୍ଣୁର ଚରଣ ॥ ୮୨

ଥୋକେ ଭକତ ନ ଭଜନ୍ତି । ଆତ୍ମବଡ଼ିମା ପ୍ରକାଶନ୍ତି ॥ ୮୩

ସେ ଗୁରୁଦ୍ରୋହ ଦୋଷ ପାଇ । ଉଭୟ ଲୋକେ ସୁଖ ନାହିଁ ॥ ୮୪

ଶୁଣ ଗୁଆଳୀ ସାବଧାନେ । ମୋତେଭଜନ୍ତି ଯେତେ ଜନେ ॥ ୮୫

ତାହାଙ୍କୁ ଭଜୁଥାଇ ମୁହିଁ । ମୁ ତାଙ୍କ ଭକତି ଜାଣଇଁ ॥ ୮୬

ମୋତେ ଯେ ଭକତି କରନ୍ତି । ନିଶ୍ଚଳ ହୋଏ ତାଙ୍କ ମତି ॥ ୮୭

ଦରିଦ୍ର ଯେହ୍ନେ ଧନ ପାଇ । ପ୍ରାଣୁ ଅଧିକ ସମ୍ଭାଳଇ ॥ ୮୮

କାଳେ ହରାଇ ସେହି ଧନ । ବିଷାଦ ହୋଏ ତାର ମନ ॥ ୮୯

ଭାଳଇ ଧନେ ମନ ଦେଇ । କ୍ଷୁଧା ପିପାସା ନ ଲାଗଇ ॥ ୯୦

ପୁଣି ପ୍ରାପତ ହୋଏ ଧନ । ଆତ୍ମାରୁ ଅଧିକେ ଯତନ ॥ ୯୧

ତେମନ୍ତ ହୋଇ ନରଲୋକେ । ଭକତି କରୁଥା'ନ୍ତି ଥୋକେ ॥ ୯୨

ତୁମ୍ଭେ ତେମନ୍ତ ପ୍ରାୟେ ହୋଇ । ମୋହର ପାଦେ ଚିତ୍ତ ଦେଇ ॥ ୯୩

ଲୋକ ବେଭାର ବେଦପଥ । ଛାଡ଼ି ଭଜିଲ ଅବିରତ ॥ ୯୪

ପ୍ରେମେ ବିଳାପ କଲ ଯେତେ । ଶୁଣିଲି ତୁମ୍ଭର ସଙ୍ଗତେ ॥ ୯୫

ପଛେ ମୁଁ ଥାଇ ତୁମ୍ଭ ତୁଲେ । ଭକତି ଜାଣିଲଇଁ ଭଲେ ॥ ୯୬

ଗରବ କଲ ତୁମ୍ଭେ ଯାହା । ମନେ ମୁଁ ଜାଣିଲଇଁ ତାହା ॥ ୯୭

ସେ ଘେନି ହୋଇଲି ଅନ୍ତର । ଗର୍ବଗଞ୍ଜନ-ବାନା ମୋର ॥ ୯୮

ତୁମ୍ଭର ଗର୍ବ ଗଞ୍ଜିବାରେ । ଅଦୃଶ୍ୟ ହୋଇଲି ଅନ୍ଧାରେ ॥ ୯୯

ତୁମ୍ଭର ପ୍ରେମଭକ୍ତି ଜାଣି । ଆସି ମିଳିଲି ଏବେ ପୁଣି ॥ ୧୦୦

ଏ କଥା ମୋର ଭଲପଣ । ତୁମ୍ଭଙ୍କୁ ହୋଇଲା କାରଣ ॥ ୧୦୧

ଆବର ଗର୍ବ ନ କରିବ । ମୋ' ନାମ ନିରତେ ଭାବିବ ॥ ୧୦୨

ମୋତେ ନ କର ତୁମ୍ଭେ ରୋଷ । ମୁଁ ତୁମ୍ଭ ପୁରାଇବି ଆଶ ॥ ୧୦୩

ତୁମ୍ଭର ଭାବ ମୁଁ ଜାଣଇ । ଛନ୍ଦ କୁଟିଳ ମାୟା ନାହିଁ ॥ ୧୦୪

ଅନେକ କାଳେହେଁ ତୁମ୍ଭର । ଶୁଝି ନ ପାରେ ଉପକାର ॥ ୧୦୫

ମୋହର ମାୟାର ଶାଙ୍କୋଳି । ଭାବେ କାଟିଲ ଗୋବାଳୀ ॥ ୧୦୬

ତୁମ୍ଭର ଜନ୍ମ ବନ୍ଧ ନାହିଁ । ମୋତେ କିଣିଲ ଭାବ ଦେଇ ॥ ୧୦୭

ମୋ'ର ଭକତି ଯେ ଲୋଡ଼ନ୍ତି । ସେ ମୋ'ର ପଥ ଆବୋରନ୍ତି ॥ ୧୦୮

ମୁହିଁ ଠାକୁର ତାହାଙ୍କର । ସୁଜନଜନଙ୍କ ବେଭାର ॥ ୧୦୯

କହଇ ଦାସ ଜଗନ୍ନାଥ । ମୁଁ କୃଷ୍ଣ ସେବକର ଭୃତ୍ୟ ॥ ୧୧୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ ଗୋପୀସାନ୍ତ୍ୱନଂ ନାମ ତ୍ରୟତ୍ରିଂଶୋଽଧ୍ୟାୟଃ ॥

* * *