ଦଶମ ସ୍କନ୍ଧ

ଦ୍ୱାତ୍ରିଂଶ ଅଧ୍ୟାୟ

ଶୁକ ଉବାଚ

ଗୋପୀଏ ବସି ବାଲିକୁଦେ । କାନ୍ଦନ୍ତି ଶୋକ ଗଦଗଦେ ॥

ଗୋପୀଜନ ଉବାଚ

ଭୋ ନାଥ ଯଶୋଦା କୁମର । ତୋ ଜନ୍ମ କାଳୁଁ ଗୋପପୁର ॥

ଦାରିଦ୍ର୍ୟ ଦୁଃଖ ତ ନ ଜାଣି । ଆମ୍ଭର ଘରେ କମଳିନୀ ॥

ଅନେକ ହୋଇଲା ସମ୍ପଦ । କେ କହୁ ଆମ୍ଭର ଆନନ୍ଦ ॥

ଆମ୍ଭ ଜୀବନ ଅଟୁ ତୁହି । ତୋ ତହୁଁ ଅନ୍ୟ ଗତି ନାହିଁ ॥

ତୋ'ର ସମ୍ପଦ ଭୋଗ କରି । ତୋ' ମୁଖ ଚାହିଁ ଦିନ ହରି ॥

ମୁରଲୀନାଦେ ଅଣାଇଲୁ । ମୁଖୁଁ ଅମୀୟରସ ଦେଲୁ ॥

ଘୋର-ଗହନ-ବନେ ଥୋଇ । ଅନାଥ କରି ଗଲୁ କାହିଁ ॥

ଏବେ ଦେଖାଅ ପଦ୍ମମୁଖ । ବାରେ ଜୀବନ ଆମ୍ଭ ରଖ ॥

ତୋହର ଆଶେ ବ୍ରଜନାରୀ । ଏ ବନେ ତୋତେ ଅନୁସରି ॥ ୧୦

ଆମ୍ଭର ଆରତ ବିନାଶୁ । କୋଟିଏ କାମ ପ୍ରାୟେ ଦିଶୁ ॥ ୧୧

ତୋ'ର ସେବକ ଦୁଃଖ ନାଶୁ । ନିରେଖଜନଙ୍କୁ ଆଶ୍ୱାସୁ ॥ ୧୨

ତୋର ସେବକ ଆମ୍ଭେମାନେ । ତୋ ମୁଖ ନ ଦେଖୁଁ ନୟନେ ॥ ୧୩

ପଥ ନ ଦିଶେ ରାତ୍ରକାଳେ । ବୁଡ଼ାଇ ଗଲୁ ଶୋକଜଳେ ॥ ୧୪

ଭୋ ନାଥ କମଳଲୋଚନ । ଦେଖାଅ ନିର୍ମଳ ବଦନ ॥ ୧୫

ତୋ' ମୁଖକମଳର ତେଜେ । ଶରଦ-ପଦ୍ମ-ଶିରୀ ଗଞ୍ଜେ ॥ ୧୬

ସେ ଧନେ କିଣିଲୁ ଆମ୍ଭନ୍ତ । ଏ ବନେ କଲୁ ତୁ ଅନାଥ ॥ ୧୭

ସୁରତନାଥ ତୁ ଆମ୍ଭର । କିଣିଲା ଦାସୀ ଆମ୍ଭେ ତୋ'ର ॥ ୧୮

ଯାହାକୁ କିଣି ଧନ ଦେଇ । କେ ତାହା ଛାଡ଼େ ଭାବଗ୍ରାହୀ ॥ ୧୯

ସେ କି ନୋହଇ ତା'ର ବଧ । ବେଦ ପୁରାଣେ ଏହି ବାଦ ॥ ୨୦

ଅନେକ ଦୁଖୁଁ ଅଛୁ ରଖି । ଏବେ ତୁ କଲୁ ନିରିମାଖୀ ॥ ୨୧

ବକ ଉଦକ ଅଘାସୁର । ଇନ୍ଦ୍ର ବରଷା ମହାଘୋର ॥ ୨୨

ବନ ଅନଳ ଷଣ୍ଢା ମୁଖୁଁ । ତୁ ନାଥ ରଖିଛୁ ଆମ୍ଭଙ୍କୁ ॥ ୨୩

ତୋହର ପାଦ ଆଶ୍ରେ କରି । ଜନ୍ମ ମରଣକୁ ନ ଡ଼ରି ॥ ୨୪

ତୁ ନୋହୁଁ ଯଶୋଦା କୁମର । ଜୀବନ ଅଟୁ ପ୍ରାଣୀଙ୍କର ॥ ୨୫

ସକଳ ଜନ୍ତୁ ହୃଦେ ଥାଇ । ଅନ୍ତର ଜାଣୁ ଭାବଗ୍ରାହୀ ॥ ୨୬

ତୋତେ ଚିନ୍ତିଲା ବେଦବର । ନାଶିଲୁ ଅବନୀର ଭାର ॥ ୨୭

ତେଣୁ ଯାଦବକୁଳେ ଜାତ । ତୋହର ନାହିଁ ଆଦି ଅନ୍ତ ॥ ୨୮

ଭୋ ବୃଷ୍ଣିବଂଶ ଚୂଡ଼ାମଣି । ଆମ୍ଭର ଶିରେ ଦିଅ ପାଣି ॥ ୨୯

ତୋହର କର ବ୍ରହ୍ମରାଶି । ଜନ୍ମ ମରଣ ଭୟ ନାଶି ॥ ୩୦

ପଦ୍ମ ହୁଁ ଅତି ସୁକୁମାର । କମଳା ବରିଅଛି ବର ॥ ୩୧

ତୋହର ପାଦପଦ୍ମ ଦୁଇ । ବନେ ଗୋରୁଙ୍କ ପଛେ ଥାଇ ॥ ୩୨

ପ୍ରଣତଦେହୀ ପାପ ନାଶ । ଜଳଧିତନୟାନିବାସ ॥ ୩୩

ସହସ୍ର ଫଣା କାଳୀୟର । ସୁନ୍ଦର କଲା ଯେ ପୟର ॥ ୩୪

ଆମ୍ଭର କୁଚେ ତା' ଲଗାଅ । କାମ ଅନଳ ତୁ ଲିଭାଅ ॥ ୩୫

ତୋହର ମଧୁର ବଚନ । ହୃଦେ ଭାବନ୍ତି ମୁନିଜନ ॥ ୩୬

ଆମ୍ଭେ ତୋହର ପରିବାରୀ । ମୂର୍ଚ୍ଛିତ ହୋଇଲୁ ମୁରାରି ॥ ୩୭

ତୋ'ର ଅଧରୁ ସୁଧା ଦେଇ । ଜୀବନ ରଖ ଭାବଗ୍ରାହୀ ॥ ୩୮

ତୋ'ର ଚରିତ ସୁଧାବାରି । ଶ୍ରୁତିଯୁଗଳେ ପାନ କରି ॥ ୩୯

ଜନ୍ମ ମରଣ ତାପ ନାଶେ । ଦୂରିତମାନ ଦେହୁ ଧ୍ୱଂସେ ॥ ୪୦

ମଙ୍ଗଳ କରେ ଶ୍ରୁତିପଥେ । ଯେ ଯାହା ବିଚାରେ ଜଗତେ ॥ ୪୧

ତେଣେ ଯେ ହୋଇ ଉନମତ୍ତା । ସେ ନର ଚଉବର୍ଗଦାତା ॥ ୪୨

ତୋ' ଦରହସିତ ବଦନ । କୋମଳ ମଧୁର ବଚନ ॥ ୪୩

ଧ୍ୟାନମଙ୍ଗଳ ତୋ' ବିହାର । ଏକାନ୍ତ କଥା ହୃଦହାର ॥ ୪୪

କପଟ ପ୍ରାୟ ତୋ'ର ରୀତି । ଆମ୍ଭର ମନ ଏ ଦହନ୍ତି ॥ ୪୫

ତୁନାଥ ଗୋରୁଙ୍କର ମେଳେ । କାନନେ ଯାଉ ଯେତେବେଳେ ॥ ୪୬

କୋମଳ ପାଦପଦ୍ମ ଚାହିଁ । ଆମ୍ଭର ହୃଦୟ ଦହଇ ॥ ୪୭

କଣ୍ଟା ପାଷାଣ ତୃଣ ଲାଗି । ନ ପୁଣ ହୋଏ ଦୁଃଖଭୋଗୀ ॥ ୪୮

ଯେବେ ଲୋଚନେ ଦେଖୁଁ ତାହା । ତେବେ ସେ ସ୍ଥିର ହୋଏ ହିଆ ॥ ୪୯

ବନୁ ଯେ ଆସୁ ଦିନଅନ୍ତେ । ଆତୁର ହୋଇ ଦେଖୁଁ ପଥେ ॥ ୫୦

କପୋଳେ କୁଟୀଳ କୁନ୍ତଳ । ହୃଦେ ଲମ୍ବଇ ବନମାଳ ॥ ୫୧

ଗୋରଜ ଦେଖି ତୋ'ର ଦେହେ । ଆମ୍ଭ ଜୀବନ କାମ ଦହେ ॥ ୫୨

ତୋ'ର ଅଭୟ ପଦ୍ମ‌ପାଦ । ଶରଣଜନଙ୍କ ସମ୍ପଦ ॥ ୫୩

କମଳା ଦଣ୍ତେŠ ନ ଛାଡ଼ଇ । ଆପଦ କାଳେ ଯାହା ଧ୍ୟାୟି ॥ ୫୪

ଅନେକ ସୁଖ ପ୍ରସରଇ । ରଖ ଆମ୍ଭଙ୍କୁ ସ୍ତନେ ଦେଇ ॥ ୫୫

ସୁରତ ପଣେ ବଳୀୟାର । ଶୋକ ବିନାଶେ ପ୍ରାଣୀଙ୍କର ॥ ୫୬

ସୁସ୍ୱର ବେଣୁ ଯେ ଅଧରେ । ଜନ୍ମ ମରଣ ତାପ ହରେ ॥ ୫୭

ତୁ ସେ ଅଧର ସୁଧାରସ । ଦେଇ ଆମ୍ଭର ମନ ତୋଷ ॥ ୫୮

ଗୋରୁ ଚରାଇ ଯାଉ ବନେ । ତୋତେ ନ ଦେଖିଲେ ନୟନେ ॥ ୫୯

ନିମିଷ ଯୁଗ ପ୍ରାୟ ମଣୁ । ଗୁରୁ ଗଉରବ ନ ଗଣୁ ॥ ୬୦

ତୁଯେତେବେଳେ ଗୋପେ ପଶୁ । ପଥେ ମୁରଲୀ ନାଦ ଘୋଷୁ ॥ ୬୧

କୁଟୀଳ-କୁନ୍ତଳ-ବଦନ । ଦେଖି ନ ଚଳଇ ନୟନ ॥ ୬୨

ପତି ତନୟ ବନ୍ଧୁ ଭାଇ । ଆମ୍ଭେ ତେଜିଲୁ ତୋ'ର ପାଇଁ ॥ ୬୩

ସୁସ୍ୱରେ ଗାଉ ବେଣୁଗୀତ । ଆମ୍ଭେ ହୋଇଲୁ ମୂରୁଛିତ ॥ ୬୪

ରାତ୍ରେ ଆଣିଲୁ ଘୋରବନେ । ଆମ୍ଭଙ୍କୁ ତେଜିଲୁ କେସନେ ॥ ୬୫

ଏଡ଼େ ନିŸର୍ଦ୍ଦୟ ତୋ'ଶରୀର । ବିଶ୍ୱାସ ନାଶିଲୁ ଆମ୍ଭର ॥ ୬୬

ଶୁଣି ତୋ' ଏକାନ୍ତ ବଚନ । ହୃଦୟ ଦହଇ ମଦନ ॥ ୬୭

ଅଳପ ହାସ୍ୟ ମୁଖ ଦେଖି । ପିଛାଡ଼ି ନ ପାରୁ ଯେ ଆଖି ॥ ୬୮

ତୋହର ଶ୍ରୀମୁଖ ଅନାଇଁ । ଆମ୍ଭର ମନ ନ ରହଇ ॥ ୬୯

ଆମ୍ଭ ଆରତ ଖଣ୍ତିବାରେ । ତୋର ଜନମ ଗୋପପୁରେ ॥ ୭୦

ସୁଫଳ କରଇ ସଂସାର । ଦେହୁ ଖଣ୍ତŠଇ ତମଘୋର ॥ ୭୧

ତୋ' ପାଦୁଁ ଆନଗତି ନାହିଁ । ନିରାଶ ନ କର ଗୋସାଇଁ ॥ ୭୨

ଯେବଣ ପାଦ ଆମ୍ଭେ ଧରି । ସ୍ତନେ ନ ଚାପୁ ଗୋପନାରୀ ॥ ୭୩

କର୍କଶସ୍ତନ ଯେ ଆମ୍ଭରି । ପ୍ରାସ କରିବ ବୋଲି ଡ଼ରି ॥ ୭୪

ସେ ବେନିପାଦେ ତୃଣାଙ୍କୁରେ । ଏବେ ଚାଲିଲୁ ବନଘୋରେ ॥ ୭୫

ନ ପୁଣ କ୍ଷତ ହୋଏ ପାଦ । ମନରେ ଲଭୁଛୁଁ ବିଷାଦ ॥ ୭୬

ତୋହର ଦାସ ଜଗନ୍ନାଥ । ସେ ପାଦେ ରଖ ଗୋପୀନାଥ ॥ ୭୭

ବୁଡ଼ିଲି ଘୋର ଭବଜଳେ । ଉଦ୍ଧରି ଥୁଅ ନେଇ କୂଳେ ॥ ୭୮

ପୁରାଣରସ ଭାଗବତ । କହଇ ଦାସ ଜଗନ୍ନାଥ ॥ ୭୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ ଗୋପୀଗୀତଂ ନାମ ଦ୍ୱାତ୍ରିଂଶୋଽଧ୍ୟାୟଃ ॥

* * *