ଦଶମ ସ୍କନ୍ଧ
ଦ୍ୱାତ୍ରିଂଶ ଅଧ୍ୟାୟ
ଶୁକ ଉବାଚ
ଗୋପୀଏ ବସି ବାଲିକୁଦେ । କାନ୍ଦନ୍ତି ଶୋକ ଗଦଗଦେ ॥ ୧
ଗୋପୀଜନ ଉବାଚ
ଭୋ ନାଥ ଯଶୋଦା କୁମର । ତୋ ଜନ୍ମ କାଳୁଁ ଗୋପପୁର ॥ ୨
ଦାରିଦ୍ର୍ୟ ଦୁଃଖ ତ ନ ଜାଣି । ଆମ୍ଭର ଘରେ କମଳିନୀ ॥ ୩
ଅନେକ ହୋଇଲା ସମ୍ପଦ । କେ କହୁ ଆମ୍ଭର ଆନନ୍ଦ ॥ ୪
ଆମ୍ଭ ଜୀବନ ଅଟୁ ତୁହି । ତୋ ତହୁଁ ଅନ୍ୟ ଗତି ନାହିଁ ॥ ୫
ତୋ'ର ସମ୍ପଦ ଭୋଗ କରି । ତୋ' ମୁଖ ଚାହିଁ ଦିନ ହରି ॥ ୬
ମୁରଲୀନାଦେ ଅଣାଇଲୁ । ମୁଖୁଁ ଅମୀୟରସ ଦେଲୁ ॥ ୭
ଘୋର-ଗହନ-ବନେ ଥୋଇ । ଅନାଥ କରି ଗଲୁ କାହିଁ ॥ ୮
ଏବେ ଦେଖାଅ ପଦ୍ମମୁଖ । ବାରେ ଜୀବନ ଆମ୍ଭ ରଖ ॥ ୯
ତୋହର ଆଶେ ବ୍ରଜନାରୀ । ଏ ବନେ ତୋତେ ଅନୁସରି ॥ ୧୦
ଆମ୍ଭର ଆରତ ବିନାଶୁ । କୋଟିଏ କାମ ପ୍ରାୟେ ଦିଶୁ ॥ ୧୧
ତୋ'ର ସେବକ ଦୁଃଖ ନାଶୁ । ନିରେଖଜନଙ୍କୁ ଆଶ୍ୱାସୁ ॥ ୧୨
ତୋର ସେବକ ଆମ୍ଭେମାନେ । ତୋ ମୁଖ ନ ଦେଖୁଁ ନୟନେ ॥ ୧୩
ପଥ ନ ଦିଶେ ରାତ୍ରକାଳେ । ବୁଡ଼ାଇ ଗଲୁ ଶୋକଜଳେ ॥ ୧୪
ଭୋ ନାଥ କମଳଲୋଚନ । ଦେଖାଅ ନିର୍ମଳ ବଦନ ॥ ୧୫
ତୋ' ମୁଖକମଳର ତେଜେ । ଶରଦ-ପଦ୍ମ-ଶିରୀ ଗଞ୍ଜେ ॥ ୧୬
ସେ ଧନେ କିଣିଲୁ ଆମ୍ଭନ୍ତ । ଏ ବନେ କଲୁ ତୁ ଅନାଥ ॥ ୧୭
ସୁରତନାଥ ତୁ ଆମ୍ଭର । କିଣିଲା ଦାସୀ ଆମ୍ଭେ ତୋ'ର ॥ ୧୮
ଯାହାକୁ କିଣି ଧନ ଦେଇ । କେ ତାହା ଛାଡ଼େ ଭାବଗ୍ରାହୀ ॥ ୧୯
ସେ କି ନୋହଇ ତା'ର ବଧ । ବେଦ ପୁରାଣେ ଏହି ବାଦ ॥ ୨୦
ଅନେକ ଦୁଖୁଁ ଅଛୁ ରଖି । ଏବେ ତୁ କଲୁ ନିରିମାଖୀ ॥ ୨୧
ବକ ଉଦକ ଅଘାସୁର । ଇନ୍ଦ୍ର ବରଷା ମହାଘୋର ॥ ୨୨
ବନ ଅନଳ ଷଣ୍ଢା ମୁଖୁଁ । ତୁ ନାଥ ରଖିଛୁ ଆମ୍ଭଙ୍କୁ ॥ ୨୩
ତୋହର ପାଦ ଆଶ୍ରେ କରି । ଜନ୍ମ ମରଣକୁ ନ ଡ଼ରି ॥ ୨୪
ତୁ ନୋହୁଁ ଯଶୋଦା କୁମର । ଜୀବନ ଅଟୁ ପ୍ରାଣୀଙ୍କର ॥ ୨୫
ସକଳ ଜନ୍ତୁ ହୃଦେ ଥାଇ । ଅନ୍ତର ଜାଣୁ ଭାବଗ୍ରାହୀ ॥ ୨୬
ତୋତେ ଚିନ୍ତିଲା ବେଦବର । ନାଶିଲୁ ଅବନୀର ଭାର ॥ ୨୭
ତେଣୁ ଯାଦବକୁଳେ ଜାତ । ତୋହର ନାହିଁ ଆଦି ଅନ୍ତ ॥ ୨୮
ଭୋ ବୃଷ୍ଣିବଂଶ ଚୂଡ଼ାମଣି । ଆମ୍ଭର ଶିରେ ଦିଅ ପାଣି ॥ ୨୯
ତୋହର କର ବ୍ରହ୍ମରାଶି । ଜନ୍ମ ମରଣ ଭୟ ନାଶି ॥ ୩୦
ପଦ୍ମ ହୁଁ ଅତି ସୁକୁମାର । କମଳା ବରିଅଛି ବର ॥ ୩୧
ତୋହର ପାଦପଦ୍ମ ଦୁଇ । ବନେ ଗୋରୁଙ୍କ ପଛେ ଥାଇ ॥ ୩୨
ପ୍ରଣତଦେହୀ ପାପ ନାଶ । ଜଳଧିତନୟାନିବାସ ॥ ୩୩
ସହସ୍ର ଫଣା କାଳୀୟର । ସୁନ୍ଦର କଲା ଯେ ପୟର ॥ ୩୪
ଆମ୍ଭର କୁଚେ ତା' ଲଗାଅ । କାମ ଅନଳ ତୁ ଲିଭାଅ ॥ ୩୫
ତୋହର ମଧୁର ବଚନ । ହୃଦେ ଭାବନ୍ତି ମୁନିଜନ ॥ ୩୬
ଆମ୍ଭେ ତୋହର ପରିବାରୀ । ମୂର୍ଚ୍ଛିତ ହୋଇଲୁ ମୁରାରି ॥ ୩୭
ତୋ'ର ଅଧରୁ ସୁଧା ଦେଇ । ଜୀବନ ରଖ ଭାବଗ୍ରାହୀ ॥ ୩୮
ତୋ'ର ଚରିତ ସୁଧାବାରି । ଶ୍ରୁତିଯୁଗଳେ ପାନ କରି ॥ ୩୯
ଜନ୍ମ ମରଣ ତାପ ନାଶେ । ଦୂରିତମାନ ଦେହୁ ଧ୍ୱଂସେ ॥ ୪୦
ମଙ୍ଗଳ କରେ ଶ୍ରୁତିପଥେ । ଯେ ଯାହା ବିଚାରେ ଜଗତେ ॥ ୪୧
ତେଣେ ଯେ ହୋଇ ଉନମତ୍ତା । ସେ ନର ଚଉବର୍ଗଦାତା ॥ ୪୨
ତୋ' ଦରହସିତ ବଦନ । କୋମଳ ମଧୁର ବଚନ ॥ ୪୩
ଧ୍ୟାନମଙ୍ଗଳ ତୋ' ବିହାର । ଏକାନ୍ତ କଥା ହୃଦହାର ॥ ୪୪
କପଟ ପ୍ରାୟ ତୋ'ର ରୀତି । ଆମ୍ଭର ମନ ଏ ଦହନ୍ତି ॥ ୪୫
ତୁନାଥ ଗୋରୁଙ୍କର ମେଳେ । କାନନେ ଯାଉ ଯେତେବେଳେ ॥ ୪୬
କୋମଳ ପାଦପଦ୍ମ ଚାହିଁ । ଆମ୍ଭର ହୃଦୟ ଦହଇ ॥ ୪୭
କଣ୍ଟା ପାଷାଣ ତୃଣ ଲାଗି । ନ ପୁଣ ହୋଏ ଦୁଃଖଭୋଗୀ ॥ ୪୮
ଯେବେ ଲୋଚନେ ଦେଖୁଁ ତାହା । ତେବେ ସେ ସ୍ଥିର ହୋଏ ହିଆ ॥ ୪୯
ବନୁ ଯେ ଆସୁ ଦିନଅନ୍ତେ । ଆତୁର ହୋଇ ଦେଖୁଁ ପଥେ ॥ ୫୦
କପୋଳେ କୁଟୀଳ କୁନ୍ତଳ । ହୃଦେ ଲମ୍ବଇ ବନମାଳ ॥ ୫୧
ଗୋରଜ ଦେଖି ତୋ'ର ଦେହେ । ଆମ୍ଭ ଜୀବନ କାମ ଦହେ ॥ ୫୨
ତୋ'ର ଅଭୟ ପଦ୍ମପାଦ । ଶରଣଜନଙ୍କ ସମ୍ପଦ ॥ ୫୩
କମଳା ଦଣ୍ତେ ନ ଛାଡ଼ଇ । ଆପଦ କାଳେ ଯାହା ଧ୍ୟାୟି ॥ ୫୪
ଅନେକ ସୁଖ ପ୍ରସରଇ । ରଖ ଆମ୍ଭଙ୍କୁ ସ୍ତନେ ଦେଇ ॥ ୫୫
ସୁରତ ପଣେ ବଳୀୟାର । ଶୋକ ବିନାଶେ ପ୍ରାଣୀଙ୍କର ॥ ୫୬
ସୁସ୍ୱର ବେଣୁ ଯେ ଅଧରେ । ଜନ୍ମ ମରଣ ତାପ ହରେ ॥ ୫୭
ତୁ ସେ ଅଧର ସୁଧାରସ । ଦେଇ ଆମ୍ଭର ମନ ତୋଷ ॥ ୫୮
ଗୋରୁ ଚରାଇ ଯାଉ ବନେ । ତୋତେ ନ ଦେଖିଲେ ନୟନେ ॥ ୫୯
ନିମିଷ ଯୁଗ ପ୍ରାୟ ମଣୁ । ଗୁରୁ ଗଉରବ ନ ଗଣୁ ॥ ୬୦
ତୁଯେତେବେଳେ ଗୋପେ ପଶୁ । ପଥେ ମୁରଲୀ ନାଦ ଘୋଷୁ ॥ ୬୧
କୁଟୀଳ-କୁନ୍ତଳ-ବଦନ । ଦେଖି ନ ଚଳଇ ନୟନ ॥ ୬୨
ପତି ତନୟ ବନ୍ଧୁ ଭାଇ । ଆମ୍ଭେ ତେଜିଲୁ ତୋ'ର ପାଇଁ ॥ ୬୩
ସୁସ୍ୱରେ ଗାଉ ବେଣୁଗୀତ । ଆମ୍ଭେ ହୋଇଲୁ ମୂରୁଛିତ ॥ ୬୪
ରାତ୍ରେ ଆଣିଲୁ ଘୋରବନେ । ଆମ୍ଭଙ୍କୁ ତେଜିଲୁ କେସନେ ॥ ୬୫
ଏଡ଼େ ନିର୍ଦ୍ଦୟ ତୋ'ଶରୀର । ବିଶ୍ୱାସ ନାଶିଲୁ ଆମ୍ଭର ॥ ୬୬
ଶୁଣି ତୋ' ଏକାନ୍ତ ବଚନ । ହୃଦୟ ଦହଇ ମଦନ ॥ ୬୭
ଅଳପ ହାସ୍ୟ ମୁଖ ଦେଖି । ପିଛାଡ଼ି ନ ପାରୁ ଯେ ଆଖି ॥ ୬୮
ତୋହର ଶ୍ରୀମୁଖ ଅନାଇଁ । ଆମ୍ଭର ମନ ନ ରହଇ ॥ ୬୯
ଆମ୍ଭ ଆରତ ଖଣ୍ତିବାରେ । ତୋର ଜନମ ଗୋପପୁରେ ॥ ୭୦
ସୁଫଳ କରଇ ସଂସାର । ଦେହୁ ଖଣ୍ତଇ ତମଘୋର ॥ ୭୧
ତୋ' ପାଦୁଁ ଆନଗତି ନାହିଁ । ନିରାଶ ନ କର ଗୋସାଇଁ ॥ ୭୨
ଯେବଣ ପାଦ ଆମ୍ଭେ ଧରି । ସ୍ତନେ ନ ଚାପୁ ଗୋପନାରୀ ॥ ୭୩
କର୍କଶସ୍ତନ ଯେ ଆମ୍ଭରି । ପ୍ରାସ କରିବ ବୋଲି ଡ଼ରି ॥ ୭୪
ସେ ବେନିପାଦେ ତୃଣାଙ୍କୁରେ । ଏବେ ଚାଲିଲୁ ବନଘୋରେ ॥ ୭୫
ନ ପୁଣ କ୍ଷତ ହୋଏ ପାଦ । ମନରେ ଲଭୁଛୁଁ ବିଷାଦ ॥ ୭୬
ତୋହର ଦାସ ଜଗନ୍ନାଥ । ସେ ପାଦେ ରଖ ଗୋପୀନାଥ ॥ ୭୭
ବୁଡ଼ିଲି ଘୋର ଭବଜଳେ । ଉଦ୍ଧରି ଥୁଅ ନେଇ କୂଳେ ॥ ୭୮
ପୁରାଣରସ ଭାଗବତ । କହଇ ଦାସ ଜଗନ୍ନାଥ ॥ ୭୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ ଗୋପୀଗୀତଂ ନାମ ଦ୍ୱାତ୍ରିଂଶୋଽଧ୍ୟାୟଃ ॥
* * *