ଦଶମ ସ୍କନ୍ଧ
ଏକତ୍ରିଂଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ ତୋଷମନେ । କୃଷ୍ଣ ଯେ ଗଲେ ଅନ୍ତର୍ଦ୍ଧାନେ ॥ ୧
ଗୋପଯୁବତୀ ନଦୀକୂଳେ । ଘଡ଼ିକେ ଜାଣିଲେ ସକଳେ ॥ ୨
କୃଷ୍ଣ ନ ଦେଖି ବନଘୋରେ । ଭୟେ ଚିନ୍ତନ୍ତି ସେ କାତରେ ॥ ୩
କମ୍ପନ୍ତି ଚଉଦିଗେ ଚାହିଁ । ରଜନୀ ଅଛି ଅର୍ଦ୍ଧ ହୋଇ ॥ ୪
ଶ୍ରୀକୃଷ୍ଣ ମାୟା ଘେନି ମେଘେ । ମିଳିଲେ ଶଶାଙ୍କର ଲାଗେ ॥ ୫
ଦେଖି ବିକଳ ଗୋପନାରୀ । ଡ଼ାକନ୍ତି କୃଷ୍ଣ ନାମ ଧରି ॥ ୬
ଭୋ ନାଥ ଆସ ତୁ ବହନ । ମେଘ ଆଚ୍ଛାଦିଲା ଗଗନ ॥ ୭
ବିଶେଷେ ଯମୁନାର ତୀରେ । ମେଘ ଅନ୍ଧାର ଘନଘୋରେ ॥ ୮
ଅନାଥ କରି ଗଲୁ କାହିଁ । ଅନ୍ଧାରେ ପଥ ନ ଦିଶଇ ॥ ୯
ଏମନ୍ତେ କରନ୍ତି ରୋଦନ । କ୍ଷଣ କ୍ଷଣକେ ଅଚେତନ ॥ ୧୦
ନିଶି ଅନ୍ଧାର ବନଘୋରେ । ରୋଦନ କଲେ ଉଚ୍ଚସ୍ୱରେ ॥ ୧୧
ବାଳୁତ ପ୍ରାୟ ହୋଇ କାନ୍ଦି । ଏକ ଅରକେ ଛନ୍ଦାଛନ୍ଦି ॥ ୧୨
କୃଷ୍ଣର ପ୍ରୀତି ଅନୁରାଗ । ଅଳପ ହାସ ମୁଖ ରଙ୍ଗ ॥ ୧୩
ମଧୁର ଚାହିଁବାର ରସେ । ମନ ନିବେଶି କୃଷ୍ଣ ପାଶେ ॥ ୧୪
ବାଳୁତ କାଳୁ ଯେତେ କଲା । ସୁମରି ଗୋବିନ୍ଦର ଲୀଳା ॥ ୧୫
ମନ ନିବେଶି କୃଷ୍ଣ ଦେହେ । ଗୋପୀପଡ଼ିଲେ ଶୋକ ମୋହେ ॥ ୧୬
ପୁଣି ଉଠିଲେ ଜ୍ଞାନ ପାଇ । କହନ୍ତି ବାଇ ପ୍ରାୟ ହୋଇ ॥ ୧୭
କେ ବୋଲେ ମୁହିଁ ନାରାୟଣ । ସେବଲୋ ମୋହରି ଚରଣ ॥ ୧୮
କେ ବୋଲେ ମୁହିଁ ନନ୍ଦବାଳ । ଦେଖ ମୋ ଶିରେ ଗୁଞ୍ଜାମାଳ ॥ ୧୯
ପୁଣି ଗୋପୀଏ ଆଗସରି । ବୋଲଇ ମୁହିଁ ନରହରି ॥ ୨୦
ଦେଖ ମୋଶିଙ୍ଗା ବେଣୁ ବେତ । ମୁଖେ ବଜାଇ ବେନି ହସ୍ତ ॥ ୨୧
ତ୍ରିଭଙ୍ଗ ଛନ୍ଦେ ଉଭା ହୋଇ । ବୋଲଇ ନନ୍ଦସୁତ ମୁହିଁ ॥ ୨୨
କେ ବୋଲେ ଦେଖିଲଇଁ ହରି । ସଖୀ ଗୋଟିଏ ସଙ୍ଗକରି ॥ ୨୩
ଜାଣଇଁ ଏହି ପଥେ ଗଲା । ମୁରଲୀ ଘେନି ନନ୍ଦବାଳା ॥ ୨୪
ପୁଣି ଉଠିଲେ ଧାତିକାରେ । ପଶିଲେ ଲତାକୁଞ୍ଜ ଘୋରେ ॥ ୨୫
ଖୋଜନ୍ତି ପଶି ବନେ ବନ । ଡ଼ାକନ୍ତି ଆସ ନନ୍ଦନାନ ॥ ୨୬
ବାତୁଳଙ୍କର ପ୍ରାୟ ହୋଇ । ପୁଚ୍ଛନ୍ତି ଆକାଶକୁ ଚାହିଁ ॥ ୨୭
ବୋଲନ୍ତି ଚାହିଁ ତରୁଗଣ । ତୁମ୍ଭେ ଦେଖିଲ ନାରାୟଣ ॥ ୨୮
କ୍ରୋଟ ଭିତରେ ଥୋଇଅଛ । ଏ କଥା ଅଟଇ ପ୍ରତ୍ୟକ୍ଷ ॥ ୨୯
ଅଶ୍ୱତ୍ଥ ବଟ ଶାଳବୃକ୍ଷେ । ତୁମ୍ଭେ କି ଦେଖିଲ ପ୍ରତ୍ୟକ୍ଷେ ॥ ୩୦
ପଣସ ଅସନ ବକୁଳ । ଚମ୍ପା ବରୁଣ ନାଗେଶ୍ୱର ॥ ୩୧
ବିଶେଷେ ଉଚ୍ଚବୃକ୍ଷ ଅଟ । ଦେଖିଯେ ଥିବ ନନ୍ଦଚାଟ ॥ ୩୨
ତୁମ୍ଭେ ବୋଲିବ କିପାଁ ଲୋଡ଼ । ପରର ପାଇଁ ମୁଣ୍ତକୋଡ଼ ॥ ୩୩
ଏମନ୍ତ ବୋଲ ଅବା ବୃକ୍ଷ । ଆମ୍ଭ ଜୀବନ ନନ୍ଦ ବତ୍ସ ॥ ୩୪
ମଧୁର ହାସ୍ୟେ ଆମ୍ଭ ମନ । ବାନ୍ଧିଣ ନେଲେ ନନ୍ଦନାନ ॥ ୩୫
ହେ କୁରୁବକ ନାଗେଶ୍ୱର । ଚମ୍ପା ପୁନ୍ନାଗ କନିଅର ॥ ୩୬
ତୁମ୍ଭ ପୀରତି ଘେନି ଚିତ୍ତେ । ଗୋବିନ୍ଦ ଗଲେ କି ଏ ପଥେ ॥ ୩୭
ତୁ ଯେ ତୁଳସୀ ହରିପ୍ରିୟା । ଲୁଚାଇ କରୁଅଛୁ ମାୟା ॥ ୩୮
ଗୋବିନ୍ଦ ହୃଦେ ଲମ୍ବିଥାଉ । ଆମ୍ଭେ ପଚାରିଲେ ନ କହୁ ॥ ୩୯
ଆମ୍ଭେ ତୋ' କଥା ଭଲେ ଜାଣି । ତୁ ଯେ ଆମ୍ଭର ସପତଣୀ ॥ ୪୦
ମାଳତୀ ମଲ୍ଲୀ ଜାଈ ଯୁଇ । ତୁମ୍ଭେ ଦେଖିଲ ଭାବଗ୍ରାହୀ ॥ ୪୧
କୃଷ୍ଣର ନଖକ୍ଷତ ଲାଗି । ନପୁଣ ହୋଇଛ ସୁହାଗୀ ॥ ୪୨
ହେ ଚୂତ ପଣସ ପିଆଳ । ଅସନ ଜମ୍ବୁ କୋବିଦାର ॥ ୪୩
ବେଲ ବକୁଳ ଲିମ୍ବଯୁଥେ । ଗୋବିନ୍ଦ ଗଲେ କି ଏପଥେ ॥ ୪୪
ତୁମ୍ଭେ ଯେ ଯମୁନାର ତୀରେ । ଥାଅ ଯେ ଫଳପୁଷ୍ପ ଭରେ ॥ ୪୫
ପରେଣ କର ଉପକାର । ଏ ତୁମ୍ଭ ମହତ ବିଚାର ॥ ୪୬
କହ ଶ୍ରୀକୃଷ୍ଣ ଗଲେ କାହିଁ । ମରିବୁ ତା ମୁଖ ନ ଚାହିଁ ॥ ୪୭
ଯା'ନ୍ତେ ଦେଖିଲେ ବନଦେଶେ । ଅବନୀ ନ ଦିଶଇ ଘାସେ ॥ ୪୮
ତାହାକୁ ଚାହିଁ ଗୋପନାରୀ । ବୋଲନ୍ତି ଦେଖିଲୁକି ହରି ॥ ୪୯
ଏଣେ ଯେ ଗଲେ କୃଷ୍ଣ ଧାଇଁ । ତାପାଦ ଲାଗି ତୋର ଦେହୀ ॥ ୫୦
ପୁଲକ ହୋଇ ଅଛି ଦେଖ । ଆମ୍ଭେ ଯେ ହୋଇଲୁ ନିରେଖ ॥ ୫୧
ହରିଣୀ ଯୂଥଙ୍କୁ ଅନାଇ । ବୋଲନ୍ତି ଶୋକଭର ହୋଇ ॥ ୫୨
ଆମ୍ଭେ ଜାଣିଲୁ ସତ୍ୟ ଆଜ । ତୁମ୍ଭେ ଦେଖିଲ ଦେବରାଜ ॥ ୫୩
ହରି-ଚରଣଯୁଗ ଦେଖି । ନିର୍ମଳ କରିଅଛ ଆଖି ॥ ୫୪
ଏକ ଗୋପିକା ପଛେ ଥାଇ । ବୋଲଇ ଗୋପୀଙ୍କି ଅନାଇଁ ॥ ୫୫
କୃଷ୍ଣ ଏବାଟେ ଯାଉଥିଲେ । କୁସୁମମାଳ ଛାଡ଼ିଗଲେ ॥ ୫୬
ବହନ ଆଣିଲା ସାଉଁଟି । ଦେଖାଇ କୁନ୍ଦମାଳ ଗୋଟି ॥ ୫୭
ଯେ ନାରୀ କୃଷ୍ଣେ ଘେନିଗଲା । ଏମାଳ ତା'ର ହୃଦେ ଥିଲା ॥ ୫୮
କୃଷ୍ଣର ଆଲିଙ୍ଗନ କାଳେ । ଛିଡ଼ି ଗୋ ପଡ଼ିଅଛି ତଳେ ॥ ୫୯
ତେଣୁ ଗୋ ସୁଗନ୍ଧ ଏହାର । ଏବେ ପାଇବା ଦାମୋଦର ॥ ୬୦
ପ୍ରିୟାର କାନ୍ଧେ ଦେଇ ହାତ । ଏପଥେ ଗଲେ ଗୋପୀନାଥ ॥ ୬୧
ପଦ୍ମଗୋଟିଏ ଘେନି କରେ । ବୃକ୍ଷଙ୍କ ଫଳପୁଷ୍ପ ଭରେ ॥ ୬୨
ପଶି ଯେ ଗଲେ ଏଇବାଟେ । ଦେଖିଣ ନମନ୍ତି ଉଚ୍ଚାଟେ ॥ ୬୩
ପୁଣି ଗୋପିଏ ବୃକ୍ଷେ ଚାହିଁ । ମାଳତୀ ଯା'ର ହୃଦେ ଥାଇ ॥ ୬୪
ବୋଲଇ କେତେ ସଉଭାଗୀ । ଦେଖ ଗୋ କୃଷ୍ଣ ନଖ ଲାଗି ॥ ୬୫
ପୁଲକ ହୋଇଛି ଶରୀର । ଯେଣୁ ଲାଗିଲା କୃଷ୍ଣକର ॥ ୬୬
ଏମନ୍ତେ ହୋଇ ଉନମତ୍ତ । କୃଷ୍ଣର ପାଦେ ଦେଇ ଚିତ୍ତ ॥ ୬୭
ନଟନାରୀଙ୍କ ହଟମତେ । ଗୁଣ ପ୍ରକାଶ କଲେ ଅନ୍ତେ ॥ ୬୮
ମିଳିଲେ ମହାବନ ଘୋରେ । କାଳିନ୍ଦୀପୁଲିନ ତଟରେ ॥ ୬୯
ଉଜ୍ଜ୍ୱଳ ଚନ୍ଦ୍ରମା କିରଣ । ପିକ ଝିଙ୍କାରୀ ଶୁକ ତାନ ॥ ୭୦
ଏକାନ୍ତ ସ୍ଥାନେ ସର୍ବେ ବସି । କୃଷ୍ଣର ନାମ ଗୁଣ ଘୋଷି ॥ ୭୧
ଏକ ଗୋପିକା ଆଗ ସରି । କୋଳେ ଚାପିଲା ଗୋପନାରୀ ॥ ୭୨
ତାହାର କୁଚେ ମୁଖ ଦେଇ । ନିର୍ଭରେ ଦେଲାକ ପକାଇ ॥ ୭୩
ବୋଲଇ ମୁହିଁ ନାରାୟଣ । ଶୋଷିଲି ପୂତନାର ପ୍ରାଣ ॥ ୭୪
ମୋତେ ଲୋ ଭଜ ଗୋପନାରୀ । ଚାପଇ କରେ କର ଧରି ॥ ୭୫
ଏକ ଗୋପିକା ପଛେ ଥିଲା । ଚରଣେ ଛନ୍ଦି ପକାଇଲା ॥ ୭୬
ବୋଲଇ ମୁହିଁ ଦାମୋଦର । ପାଦେ ଶକଟ କଲି ଚୁର ॥ ୭୭
ଏକ ଗୋପୀକି କରି କାନ୍ଧେ । ପକାଇ ବୋଲଇ ଆନନ୍ଦେ ॥ ୭୮
ଦେଖ ମାଇଲି ତୃଣାବର୍ତ୍ତ । ମୁଁ ହାଦେ ଯଶୋଦାର ସୁତ ॥ ୭୯
କେ ଗୋପୀ ଉଦୁଖଳେ ଟାଣି । ଗୁରୁଣ୍ତେ ବଜାଇ କିଙ୍କିଣୀ ॥ ୮୦
ବୋଲଇ ମୋତେ ସେବାକର । ମୁଁ ସେ ଲୋ ଯଶୋଦାକୁମର ॥ ୮୧
ମୋ ଗର୍ଭେ ଥିଲାଟି ଜଗତ । ଯାହା ଦେଖିଲା ମୋର ମାତ ॥ ୮୨
କେ ବେନି ରାମକୃଷ୍ଣ ହୋଏ । ବାଛୁରୀ ଗୋପାଳ ଥୋକାଏ ॥ ୮୩
ପୁଣି ହିଁ ଏକଇ ଗୋପୀଏ । ହୋଇଲା ବତ୍ସାସୁର ପ୍ରାୟେ ॥ ୮୪
ଏକ ଗୋପୀଏ ଧରି କରେ । ବୁଲାଇ ପିଟିଲା ବୃକ୍ଷରେ ॥ ୮୫
ବୋଲଇ ମୁହିଁ ଦାମୋଦର । ଦେଖ ମାଇଲି ବତ୍ସାସୁର ॥ ୮୬
ଆର ଗୋପୀଏ ବୃକ୍ଷଡ଼ାଳେ । ଧରି ଚିରିଲା ବେନିଫାଳେ ॥ ୮୭
ବୋଲେ ମୁଁ ଯଶୋଦା କୁମର । ଦେଖ ଚିରିଲି ବକାସୁର ॥ ୮୮
କେ ବୃକ୍ଷଡ଼ାଳେ ମୁଖ ଦେଇ । ଗୀତ ସୁସ୍ୱରେ ବେଣୁ ବାଇ ॥ ୮୯
ଏକର କନ୍ଧେ ଦେଇ ହସ୍ତ । ଚାଲଇ ଯେହ୍ନେ ଗୋପୀନାଥ ॥ ୯୦
ବୋଲଇ ମୁହିଁ ବେଣୁଧର । ଦେଖ ମୋ' ଚାଲିବା ସୁନ୍ଦର ॥ ୯୧
ପୁଣି ଗୋପୀଏ ଆଗସରି । ବୋଲଇ ହୃଦେ ହସ୍ତ ମାରି ॥ ୯୨
ଇନ୍ଦ୍ର ଛାରକୁ କିପାଁ ଡ଼ର । ଆଜ ତୋଳିବି ଗିରିବର ॥ ୯୩
କେତେ ଲୋ ବରଷିବ ଆଜ । ବଜ୍ର ପାଷାଣ ଦେବରାଜ ॥ ୯୪
ଶାଢ଼ୀ ପାଲଟି ବାମକରେ । ତୋଳିଲା ଅଙ୍ଗୁଳି ଅଗ୍ରରେ ॥ ୯୫
ଏକ ଗୋପିକା ବେଗେ ଧାଇଁ । ଆରକ ଶିରେ ପାଦ ଦେଇ ॥ ୯୬
ବୋଲଇ ପଳାଅ କାଳୀୟ । କାଳନ୍ଦୀ ହ୍ରଦରେ ନ ରହ ॥ ୯୭
ଖଳନାଶନ ବାନା ମୋର । ଅମୃତ କରିବଇଁ ନୀର ॥ ୯୮
ତୋହର ପ୍ରାୟ ଖଳଜନ । ନାଶିବୁ ଯେତେ ଦୁଷ୍ଟମାନ ॥ ୯୯
କେ ଗୋପୀ ଡ଼ାକଇ ସୁସ୍ୱରେ । ନୟନ ବୁଜି ଧାତିକାରେ ॥ ୧୦୦
ଅନଳ ଲିଭାଇବି ମୁହିଁ । ବସଲୋ ମୁଖେ କର ଦେଇ ॥ ୧୦୧
କେ ଗୋପୀ ଫୁଲମାଳ ଘେନି । କୋପେ ବୋଲଇ ଶିର ଝୁଣି ॥ ୧୦୨
ଲବଣୀ ଖାଉ ତୁ ଚୋରାଇ । ରୋଳେ ବାନ୍ଧିବି ତୋତେ ନେଇ ॥ ୧୦୩
ଆକର୍ଷି ପିନ୍ଧିଲା ବସନ । ବାନ୍ଧୁ ଅଛଇ ମନେ ମନ ॥ ୧୦୪
କେ ଗୋପୀ ଚାଲେ ଗୁଳୁଗୁଞ୍ଜା । କଟୀରେ ରୋଳ ବସ୍ତ୍ର ସଞ୍ଜା ॥ ୧୦୫
ବୋଲଇ ମୁହିଁ ନାରାୟଣ । ଭାଙ୍ଗିଲି ଯାମଳା ଅର୍ଜୁନ ॥ ୧୦୬
ଏମନ୍ତେ କୃଷ୍ଣ ଗୁଣମାନ । ଦେହେ ପୁରୋଇ ଗୋପୀଜନ ॥ ୧୦୭
କଳ୍ପନା ଭାବେ ଗୁଣ ବହି । ଯେ ଆତ୍ମା ପୂର୍ଣ୍ଣାନନ୍ଦ ଦେହି ॥ ୧୦୮
ହେ ନୃପ ସଂଶୟ ନ କର । ଯେ ଗୋପୀ-ଗୋଧନ ଗୋପାଳ ॥ ୧୦୯
ଦ୍ୱାଦଶ ବୃନ୍ଦାବନ ଯେତେ । ସବୁ ହିଁ କୃଷ୍ଣ ଗର୍ଭଗତେ ॥ ୧୧୦
ଯେ ହରି ସେହୁ ଗୋପନାରୀ । ଗୋପୀ ଗୋପାଳ କୃଷ୍ଣସରି ॥ ୧୧୧
ଏମନ୍ତେ ଗୋପୀ ବାଇପଣେ । ରାତ୍ରେ ବୁଲନ୍ତି ବନେ ବନେ ॥ ୧୧୨
ଯାଉଁ ଦେଖିଲେ ବାଲିକୁଦ । ପଡ଼ିଛି ଗୋବିନ୍ଦର ପାଦ ॥ ୧୧୩
ଚିହ୍ନିଲେ କୃଷ୍ଣପାଦ ବୋଲି । ଗୋପୀ ଧାଇଁଲେ ପେଲାପେଲି ॥ ୧୧୪
ଧ୍ୱଜ ଅଙ୍କୁଶ ପଦ୍ମଚିହ୍ନ । ଦେଖି ଆନନ୍ଦ କଲେ ମନ ॥ ୧୧୫
କୃଷ୍ଣର ପାଦ ଅନୁସରି । ବନେ ଚାଲନ୍ତି ଗୋପନାରୀ ॥ ୧୧୬
ପୁଣି କେତେହେଁ ଦୂର ଯାଇ । ବୋଲନ୍ତି କୃଷ୍ଣ ପାଦ ଚାହିଁ ॥ ୧୧୭
ଦେଖ ଗୋ ଚରଣ ପାଖର । ପଡ଼ିଛି କାହାର ପୟର ॥ ୧୧୮
ଯାହାକୁ କୃଷ୍ଣ ଘେନିଗଲା । ସେ ତା'ର ପାଶେ ଯାଉଥିଲା ॥ ୧୧୯
ଧନ୍ୟଗୋ ତାହାର ଜୀବନ । ମୋହିଲା ଯଶୋଦା ନନ୍ଦନ ॥ ୧୨୦
କେତେ ଏ କୃଷ୍ଣେ ଆରାଧିଲା । ଏକାନ୍ତେ କୃଷ୍ଣଙ୍କୁ ରମିଲା ॥ ୧୨୧
ଯେ ପାଦ ବ୍ରହ୍ମା ତ୍ରିପୁରାରି । ଲଭିବା ପାଇଁ ଆଶା କରି ॥ ୧୨୨
ଲକ୍ଷ୍ମୀ ଯା ସେବଇ ନିରତେ । ଏ ତାହା ଲଭିଲା ଏକାନ୍ତେ ॥ ୧୨୩
ତାହାର ପାଦ ବର୍ଣ୍ଣ ଚିହ୍ନ । ଦହଇ ଆମ୍ଭର ଜୀବନ ॥ ୧୨୪
କୃଷ୍ଣ ଅଧର ସୁଧାପାନ । ଯାହାଟି ଗୋପୀଙ୍କ ଜୀବନ ॥ ୧୨୫
ଏକାନ୍ତେ ନେଇ ପାନ କଲା । କେତେ ଗୋ ତପ କରିଥିଲା ॥ ୧୨୬
ପୁଣି ନଦେଖିଲେ ପୟର । ଗହଳେ ଅଛି ତୃଣାଙ୍କୁର ॥ ୧୨୭
ବୋଲନ୍ତି କୋମଳ ତା' ପାଦ । ଯେଣୁ ପାଇଲା ତୃଣେ ଖେଦ ॥ ୧୨୮
ତେଣୁ ତାହାକୁ କନ୍ଧେ କଲେ । ନ ଦିଶେ ପାଦଚିହ୍ନ ଭଲେ ॥ ୧୨୯
ପୁଣି କ୍ଷଣକେ ପାଦ ଦେଖି । ଗୋପୀଏ ଚାହାନ୍ତି ନିରେଖି ॥ ୧୩୦
ଦେଖ ଗୋ କୃଷ୍ଣ ପୟର । ଅଧିକେ ଦିଶଇ ଗଭୀର ॥ ୧୩୧
ଯାହାକୁ କୃଷ୍ଣ ନେଉଥିଲା । ସେ ବାମା ଫୁଟିଣ ରହିଲା ॥ ୧୩୨
କନ୍ଧେ ବସାଇ ନେଲା ପ୍ରାୟେ । ପାଦ ଗଭୀର ଦେଖ ମାଏ ॥ ୧୩୩
କୃଷ୍ଣ ଯାହାକୁ ନେଉଥିଲା । ଏଠାରେ କବରୀ ଖସିଲା ॥ ୧୩୪
କନ୍ଧୁ ଓହ୍ଲାଇ ତା'ର ଅର୍ଥେ । ଫୁଲ ତୋଳିଲା ପରା ଏଥେ ॥ ୧୩୫
ଅଗ୍ରପାଦରେ ଠିଆ ହୋଇ । ଦେଖ ଏ ଚିହ୍ନି ତ ଦିଶଇ ॥ ୧୩୬
ବସିଣ ଖୋଷିଛି କବରୀ । ପିଚା ଆକୃତି ଅନୁସରି ॥ ୧୩୭
ପାଦ ଉପରେ ତା'କୁ ତୋଳି । ଦେଖ ଗୋ ଫୁଲ ଅଛି ପଡ଼ି ॥ ୧୩୮
ରମଣ କଲା ତା'ର ତୁଲେ । କଥା ଥୋଇଲା ମହୀତଳେ ॥ ୧୩୯
ଦେଖ କାମିନୀ ଦୁଷ୍ଟପଣ । ବଶ ଗୋ କଲା ନାରାୟଣ ॥ ୧୪୦
ଶୁଣ ପରୀକ୍ଷ ରାସକେଳି । ଯାହାକୁ ନେଇ ବନମାଳୀ ॥ ୧୪୧
ସେ ଗୋପୀ କୃଷ୍ଣ ପଛେ ଥାଇ । ଗରବ ମନେ ବିଚାରଇ ॥ ୧୪୨
ମୁଁ ଯେ ମୋହିଲି ହରି ଚିତ୍ତ । ମୋ ତହୁଁ ନାହିଁ ଭାଗ୍ୟବନ୍ତ ॥ ୧୪୩
ତାହା ଜାଣିଲେ ଭାବଗ୍ରାହୀ । ଗର୍ବ ବହିଲା ଏହା ଦେହୀ ॥ ୧୪୪
ମାୟା ମୋହିଲେ ଗୋପୀ ମନ । କୃଷ୍ଣଙ୍କୁ ବୋଲଇ ବଚନ ॥ ୧୪୫
ଭୋ ନାଥ ନ ପାରଇ ଯାଇ । ନିଅତୁ କନ୍ଧରେ ବସାଇ ॥ ୧୪୬
ମୋହରେ ଅଛି ଯେବେ ମନ । ବିଶେଷେ ଘୋର ବୃନ୍ଧବନ ॥ ୧୪୭
ମୁଁ ଏବେ ନ ପାରଇ ଚାଲି । ଶୁଣି ହସିଲେ ବନମାଳୀ ॥ ୧୪୮
ବୋଇଲେ ବସ ମୋର କାନ୍ଧେ । କୃଷ୍ଣ ବସିଲେ ବାଲିକୁଦେ ॥ ୧୪୯
ଶୁଣି ଗୋପିକା ତୋଷ ହୋଇ । ବସିଲା କୃଷ୍ଣକାନ୍ଧେ ଯାଇ ॥ ୧୫୦
ଉଠିଲେ ପ୍ରଭୁ ଚକ୍ରଧର । କାମିନୀ ଧରିଅଛି ଶିର ॥ ୧୫୧
କେତେ ହେଁ ଦୂର ବନେ ଯାଇ । ଅନ୍ତର ହେଲେ ଭାବଗ୍ରାହୀ ॥ ୧୫୨
ଗୋପୀ ପଡ଼ିଲା ମୁଖ ମାଡ଼ି । ଅଧର ଓଷ୍ଠ ଗଲା ଛିଡ଼ି ॥ ୧୫୩
ଦଣ୍ତେ ହୋଇଲା ମୂରୁଛିତ । ଉଠି ଲୋଡ଼ଇ ଗୋପୀନାଥ ॥ ୧୫୪
ସେ କାହିଁ ପାଇବ ମୁରାରି । ଗର୍ବଗଞ୍ଜନ ନରହରି ॥ ୧୫୫
ବିକଳେ ଚଉଦିଗେ ଚାହିଁ । କାନ୍ଦଇ ମୁଣ୍ତେ କର ଦେଇ ॥ ୧୫୬
ଆସ ବହନ ଗୋପୀନାଥ । ଗହଳେ ନ ଦିଶଇ ପଥ ॥ ୧୫୭
ମୋତେ ନିଶ୍ଚୟେ ନାଶ କଲୁ । ଗୋପୀଙ୍କ ସଙ୍ଗ ଛଡ଼ାଇଲୁ ॥ ୧୫୮
ପୂର୍ବର ଭାଗ୍ୟେ ତୋତେ ଦେଖି । ଏବେ ହୋଇଲି ନିରିମାଖୀ ॥ ୧୫୯
ଏକା କରିଣ ମୋତେ ଆଣି । ସୁଖେ ରମିଲୁ ବେଣୁପାଣି ॥ ୧୬୦
ମୁଁ ଦୁଃଖୀ କଲି ଦ୍ରୋହ କର୍ମ । ମତ୍ତେ ଦୋଇଲି ମତିଭ୍ରମ ॥ ୧୬୧
କନ୍ଧରେ ବସାଅ ବୋଇଲି । ଅଜ୍ଞାନେ ଦେହ ପାସୋରିଲି ॥ ୧୬୨
ଅବଳାଜନ୍ମ ମାତ୍ର କେତେ । ଯହୁଁ ମୁଁ ରମିଲି ଏକାନ୍ତେ ॥ ୧୬୩
କି ଦୋଷ କଲି ମୁହିଁ ତୋରେ । ନିବେଶି ଗଲୁ ବନଘୋରେ ॥ ୧୬୪
ଏମନ୍ତେ କାନ୍ଦଇ ତରୁଣୀ । କୃଷ୍ଣ ହସିଲେ ତାହା ଶୁଣି ॥ ୧୬୫
ଭାବକୁ ନିକଟ ଗୋସାଇଁ । ଭାବେ ପାଲଟାବସ୍ତ୍ର ବହି ॥ ୧୬୬
ନିକଟେ ଥାଇ ନ ଦିଶନ୍ତି । ଗରବ କ୍ଷଣେ ନ ସହନ୍ତି ॥ ୧୬୭
ଗୋପୀଏ ଯାଉଥିଲେ ବନେ । ତା'ର ରୋଦନ ଶୁଣି କର୍ଣ୍ଣେ ॥ ୧୬୮
ନିକଟେ ମିଳିଲେ ତାହାର । ତୋଳିଲେ ଧରି ବେନି କର ॥ ୧୬୯
ସଚେତ କରି ପଚାରିଲେ । ବୋଇଲେ ଥିଲୁ କୃଷ୍ଣ ତୁଲେ ॥ ୧୭୦
ଏକା କରିଣ ତୋତେ ଆଣି । କି କି ଗୋ କଲେ ବେଣୁପାଣି ॥ ୧୭୧
ପୁରୁଷ ଦଇନ୍ୟ ବେଭାର । ପକାଇ ହୋଇଲା ଅନ୍ତର ॥ ୧୭୨
ତୋତେ ପକାଇ ଘୋରବନେ । ଗୋବିନ୍ଦ ଗଲେ କେଉଁସ୍ଥାନେ ॥ ୧୭୩
ଏଡ଼େ ନିଷ୍ଠୁର ତା'ର ଦେହୀ । ପୂତନା ପ୍ରାଣ ଅଛି ଖାଇ ॥ ୧୭୪
ଅନେକ ହତ୍ୟା ଅଛି କରି । ଏବେ ଖାଇବ ଗୋପନାରୀ ॥ ୧୭୫
ଅଇଲୁ ତା'ର ବେଣୁସ୍ୱନେ । ଘୋର ଗହନ ବୃନ୍ଦାବନେ ॥ ୧୭୬
ଛାଡ଼ିଲୁ ଗୃହ ସୁତ କାନ୍ତ । ଏବନେ ହୋଇଲୁଁ ଅନାଥ ॥ ୧୭୭
ଏମନ୍ତ ପଥ ଅନୁସରି । କାନ୍ଦନ୍ତି କୃଷ୍ଣଙ୍କୁ ସୁମରି ॥ ୧୭୮
ସଖୀକି ହୃଦେ କୋଳକରି । କାନ୍ଦନ୍ତି ଷୋଳସସ୍ର ନାରୀ ॥ ୧୭୯
ସାହେର ଶବଦ ରୋଦନ । ଉଚ୍ଚବିଳାପ ବହୁସ୍ୱନ ॥ ୧୮୦
ଚେତନା କରଇ ଅଥିର । ହୃଦରେ କ୍ରୋଧ ଗୁରୁତର ॥ ୧୮୧
ସଖୀକି ପଚାରନ୍ତି ପୁଣି । କାହିଁ ଛାଡ଼ିଲୁ ବେଣୁପାଣି ॥ ୧୮୨
ସେ ନାରୀ ସଖୀ ଆଗେ କହି । ଯାହା ସେ କଲେ ଭାବଗ୍ରାହୀ ॥ ୧୮୩
ତାହାର ଗର୍ବମାନ ଯେତେ । କହିଲା ସଖୀଙ୍କ ଅଗ୍ରତେ ॥ ୧୮୪
ଶୁଣି ବିକଳ ଗୋପନାରୀ । ଉଚ୍ଚେ ବିଳାପଧ୍ୱନି କରି ॥ ୧୮୫
କାନନେ ପଶିଲେ ସକଳେ । ଷୋଳସହସ୍ର ଏକାବେଳେ ॥ ୧୮୬
ବୃକ୍ଷଗହଳ ଛାୟା ଦେଖି । ଅନ୍ଧାର ପ୍ରାୟ ଉପଲକ୍ଷ୍ୟି ॥ ୧୮୭
ଭୟେ ବାହୁଡ଼ିଲେ ସକଳେ । ପୁଣି ମିଳିଲେ ନଦୀକୂଳେ ॥ ୧୮୮
ମନ ନିବେଶି କୃଷ୍ଣପାଦେ । କାନ୍ଦନ୍ତି ଶୋକ ଗଦଗଦେ ॥ ୧୮୯
ଦେହ-ସଂସାର ପାସୋରିଲେ । ମରଣପଥ ଆବୋରିଲେ ॥ ୧୯୦
କୃଷ୍ଣଚରଣେ ମନ ଦେଇ । କାନ୍ଦନ୍ତି ଶୋକଭର ହୋଇ ॥ ୧୯୧
ନିର୍ମଳ ବାଲୁକା ବିଶେଷି । ସକଳ ସଖୀ ତହିଁ ବସି ॥ ୧୯୨
ସମାଧି ଯୋଗଧ୍ୟାନ ପ୍ରାୟେ । କୃଷ୍ଣ ଚରଣେ କରି ଲୟେ ॥ ୧୯୩
କୋଟି ସମ୍ପଦ ଦୂର କଲେ । ବ୍ରହ୍ମପ୍ରଦୀପ ଦେଖାଇଲେ ॥ ୧୯୪
ସେ ଗୋପୀ ଗୋବିନ୍ଦର ପାୟେ । ସୁଜନ ଜନ କର ଲୟେ ॥ ୧୯୫
ହରିଚରିତ ଭାଗବତ । ଅମୃତ ରସମୟ ଗୀତ ॥ ୧୯୬
ଏଣେ କରିବା ମନତୋଷ । କହଇ ଜଗନ୍ନାଥ ଦାସ ॥ ୧୯୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ କୃଷ୍ଣାନ୍ୱେଷଣଂ ନାମ ଏକତ୍ରିଂଶୋଽଧ୍ୟାୟଃ ॥
* * *