ଦଶମ ସ୍କନ୍ଧ

ଏକତ୍ରିଂଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ତୋଷମନେ । କୃଷ୍ଣ ଯେ ଗଲେ ଅନ୍ତର୍ଦ୍ଧାନେ ॥

ଗୋପଯୁବତୀ ନଦୀକୂଳେ । ଘଡ଼ିକେ ଜାଣିଲେ ସକଳେ ॥

କୃଷ୍ଣ ନ ଦେଖି ବନଘୋରେ । ଭୟେ ଚିନ୍ତନ୍ତି ସେ କାତରେ ॥

କମ୍ପନ୍ତି ଚଉଦିଗେ ଚାହିଁ । ରଜନୀ ଅଛି ଅର୍ଦ୍ଧ ହୋଇ ॥

ଶ୍ରୀକୃଷ୍ଣ ମାୟା ଘେନି ମେଘେ । ମିଳିଲେ ଶଶାଙ୍କର ଲାଗେ ॥

ଦେଖି ବିକଳ ଗୋପନାରୀ । ଡ଼ାକନ୍ତି କୃଷ୍ଣ ନାମ ଧରି ॥

ଭୋ ନାଥ ଆସ ତୁ ବହନ । ମେଘ ଆଚ୍ଛାଦିଲା ଗଗନ ॥

ବିଶେଷେ ଯମୁନାର ତୀରେ । ମେଘ ଅନ୍ଧାର ଘନଘୋରେ ॥

ଅନାଥ କରି ଗଲୁ କାହିଁ । ଅନ୍ଧାରେ ପଥ ନ ଦିଶଇ ॥

ଏମନ୍ତେ କରନ୍ତି ରୋଦନ । କ୍ଷଣ କ୍ଷଣକେ ଅଚେତନ ॥ ୧୦

ନିଶି ଅନ୍ଧାର ବନଘୋରେ । ରୋଦନ କଲେ ଉଚ୍ଚସ୍ୱରେ ॥ ୧୧

ବାଳୁତ ପ୍ରାୟ ହୋଇ କାନ୍ଦି । ଏକ ଅରକେ ଛନ୍ଦାଛନ୍ଦି ॥ ୧୨

କୃଷ୍ଣର ପ୍ରୀତି ଅନୁରାଗ । ଅଳପ ହାସ ମୁଖ ରଙ୍ଗ ॥ ୧୩

ମଧୁର ଚାହିଁବାର ରସେ । ମନ ନିବେଶି କୃଷ୍ଣ ପାଶେ ॥ ୧୪

ବାଳୁତ କାଳୁ ଯେତେ କଲା । ସୁମରି ଗୋବିନ୍ଦର ଲୀଳା ॥ ୧୫

ମନ ନିବେଶି କୃଷ୍ଣ ଦେହେ । ଗୋପୀପଡ଼ିଲେ ଶୋକ ମୋହେ ॥ ୧୬

ପୁଣି ଉଠିଲେ ଜ୍ଞାନ ପାଇ । କହନ୍ତି ବାଇ ପ୍ରାୟ ହୋଇ ॥ ୧୭

କେ ବୋଲେ ମୁହିଁ ନାରାୟଣ । ସେବଲୋ ମୋହରି ଚରଣ ॥ ୧୮

କେ ବୋଲେ ମୁହିଁ ନନ୍ଦବାଳ । ଦେଖ ମୋ ଶିରେ ଗୁଞ୍ଜାମାଳ ॥ ୧୯

ପୁଣି ଗୋପୀଏ ଆଗସରି । ବୋଲଇ ମୁହିଁ ନରହରି ॥ ୨୦

ଦେଖ ମୋଶିଙ୍ଗା ବେଣୁ ବେତ । ମୁଖେ ବଜାଇ ବେନି ହସ୍ତ ॥ ୨୧

ତ୍ରିଭଙ୍ଗ ଛନ୍ଦେ ଉଭା ହୋଇ । ବୋଲଇ ନନ୍ଦସୁତ ମୁହିଁ ॥ ୨୨

କେ ବୋଲେ ଦେଖିଲଇଁ ହରି । ସଖୀ ଗୋଟିଏ ସଙ୍ଗକରି ॥ ୨୩

ଜାଣଇଁ ଏହି ପଥେ ଗଲା । ମୁରଲୀ ଘେନି ନନ୍ଦବାଳା ॥ ୨୪

ପୁଣି ଉଠିଲେ ଧାତିକାରେ । ପଶିଲେ ଲତାକୁଞ୍ଜ ଘୋରେ ॥ ୨୫

ଖୋଜନ୍ତି ପଶି ବନେ ବନ । ଡ଼ାକନ୍ତି ଆସ ନନ୍ଦନାନ ॥ ୨୬

ବାତୁଳଙ୍କର ପ୍ରାୟ ହୋଇ । ପୁଚ୍ଛନ୍ତି ଆକାଶକୁ ଚାହିଁ ॥ ୨୭

ବୋଲନ୍ତି ଚାହିଁ ତରୁଗଣ । ତୁମ୍ଭେ ଦେଖିଲ ନାରାୟଣ ॥ ୨୮

କ୍ରୋଟ ଭିତରେ ଥୋଇଅଛ । ଏ କଥା ଅଟଇ ପ୍ରତ୍ୟକ୍ଷ ॥ ୨୯

ଅଶ୍ୱତ୍‌ଥ ବଟ ଶାଳବୃକ୍ଷେ । ତୁମ୍ଭେ କି ଦେଖିଲ ପ୍ରତ୍ୟକ୍ଷେ ॥ ୩୦

ପଣସ ଅସନ ବକୁଳ । ଚମ୍ପା ବରୁଣ ନାଗେଶ୍ୱର ॥ ୩୧

ବିଶେଷେ ଉଚ୍ଚବୃକ୍ଷ ଅଟ । ଦେଖିଯେ ଥିବ ନନ୍ଦଚାଟ ॥ ୩୨

ତୁମ୍ଭେ ବୋଲିବ କିପାଁ ଲୋଡ଼ । ପରର ପାଇଁ ମୁଣ୍ତŠକୋଡ଼ ॥ ୩୩

ଏମନ୍ତ ବୋଲ ଅବା ବୃକ୍ଷ । ଆମ୍ଭ ଜୀବନ ନନ୍ଦ ବତ୍ସ› ॥ ୩୪

ମଧୁର ହାସ୍ୟେ ଆମ୍ଭ ମନ । ବାନ୍ଧିଣ ନେଲେ ନନ୍ଦନାନ ॥ ୩୫

ହେ କୁରୁବକ ନାଗେଶ୍ୱର । ଚମ୍ପା ପୁନ୍ନାଗ କନିଅର ॥ ୩୬

ତୁମ୍ଭ ପୀରତି ଘେନି ଚିତ୍ତେ । ଗୋବିନ୍ଦ ଗଲେ କି ଏ ପଥେ ॥ ୩୭

ତୁ ଯେ ତୁଳସୀ ହରିପ୍ରିୟା । ଲୁଚାଇ କରୁଅଛୁ ମାୟା ॥ ୩୮

ଗୋବିନ୍ଦ ହୃଦେ ଲମ୍ବିଥାଉ । ଆମ୍ଭେ ପଚାରିଲେ ନ କହୁ ॥ ୩୯

ଆମ୍ଭେ ତୋ' କଥା ଭଲେ ଜାଣି । ତୁ ଯେ ଆମ୍ଭର ସପତଣୀ ॥ ୪୦

ମାଳତୀ ମଲ୍ଲୀ ଜାଈ ଯୁଇ । ତୁମ୍ଭେ ଦେଖିଲ ଭାବଗ୍ରାହୀ ॥ ୪୧

କୃଷ୍ଣର ନଖକ୍ଷତ ଲାଗି । ନପୁଣ ହୋଇଛ ସୁହାଗୀ ॥ ୪୨

ହେ ଚୂତ ପଣସ ପିଆଳ । ଅସନ ଜମ୍ବୁ କୋବିଦାର ॥ ୪୩

ବେଲ ବକୁଳ ଲିମ୍ବଯୁଥେ । ଗୋବିନ୍ଦ ଗଲେ କି ଏପଥେ ॥ ୪୪

ତୁମ୍ଭେ ଯେ ଯମୁନାର ତୀରେ । ଥାଅ ଯେ ଫଳପୁଷ୍ପ ଭରେ ॥ ୪୫

ପରେଣ କର ଉପକାର । ଏ ତୁମ୍ଭ ମହତ ବିଚାର ॥ ୪୬

କହ ଶ୍ରୀକୃଷ୍ଣ ଗଲେ କାହିଁ । ମରିବୁ ତା ମୁଖ ନ ଚାହିଁ ॥ ୪୭

ଯା'ନ୍ତେ ଦେଖିଲେ ବନଦେଶେ । ଅବନୀ ନ ଦିଶଇ ଘାସେ ॥ ୪୮

ତାହାକୁ ଚାହିଁ ଗୋପନାରୀ । ବୋଲନ୍ତି ଦେଖିଲୁକି ହରି ॥ ୪୯

ଏଣେ ଯେ ଗଲେ କୃଷ୍ଣ ଧାଇଁ । ତାପାଦ ଲାଗି ତୋର ଦେହୀ ॥ ୫୦

ପୁଲକ ହୋଇ ଅଛି ଦେଖ । ଆମ୍ଭେ ଯେ ହୋଇଲୁ ନିରେଖ ॥ ୫୧

ହରିଣୀ ଯୂଥଙ୍କୁ ଅନାଇ । ବୋଲନ୍ତି ଶୋକଭର ହୋଇ ॥ ୫୨

ଆମ୍ଭେ ଜାଣିଲୁ ସତ୍ୟ ଆଜ । ତୁମ୍ଭେ ଦେଖିଲ ଦେବରାଜ ॥ ୫୩

ହରି-ଚରଣଯୁଗ ଦେଖି । ନିର୍ମଳ କରିଅଛ ଆଖି ॥ ୫୪

ଏକ ଗୋପିକା ପଛେ ଥାଇ । ବୋଲଇ ଗୋପୀଙ୍କି ଅନାଇଁ ॥ ୫୫

କୃଷ୍ଣ ଏବାଟେ ଯାଉଥିଲେ । କୁସୁମମାଳ ଛାଡ଼ିଗଲେ ॥ ୫୬

ବହନ ଆଣିଲା ସାଉଁଟି । ଦେଖାଇ କୁନ୍ଦମାଳ ଗୋଟି ॥ ୫୭

ଯେ ନାରୀ କୃଷ୍ଣେ ଘେନିଗଲା । ଏମାଳ ତା'ର ହୃଦେ ଥିଲା ॥ ୫୮

କୃଷ୍ଣର ଆଲିଙ୍ଗନ କାଳେ । ଛିଡ଼ି ଗୋ ପଡ଼ିଅଛି ତଳେ ॥ ୫୯

ତେଣୁ ଗୋ ସୁଗନ୍ଧ ଏହାର । ଏବେ ପାଇବା ଦାମୋଦର ॥ ୬୦

ପ୍ରିୟାର କାନ୍ଧେ ଦେଇ ହାତ । ଏପଥେ ଗଲେ ଗୋପୀନାଥ ॥ ୬୧

ପଦ୍ମଗୋଟିଏ ଘେନି କରେ । ବୃକ୍ଷଙ୍କ ଫଳପୁଷ୍ପ ଭରେ ॥ ୬୨

ପଶି ଯେ ଗଲେ ଏଇବାଟେ । ଦେଖିଣ ନମନ୍ତି ଉଚ୍ଚାଟେ ॥ ୬୩

ପୁଣି ଗୋପିଏ ବୃକ୍ଷେ ଚାହିଁ । ମାଳତୀ ଯା'ର ହୃଦେ ଥାଇ ॥ ୬୪

ବୋଲଇ କେତେ ସଉଭାଗୀ । ଦେଖ ଗୋ କୃଷ୍ଣ ନଖ ଲାଗି ॥ ୬୫

ପୁଲକ ହୋଇଛି ଶରୀର । ଯେଣୁ ଲାଗିଲା କୃଷ୍ଣକର ॥ ୬୬

ଏମନ୍ତେ ହୋଇ ଉନମତ୍ତ । କୃଷ୍ଣର ପାଦେ ଦେଇ ଚିତ୍ତ ॥ ୬୭

ନଟନାରୀଙ୍କ ହଟମତେ । ଗୁଣ ପ୍ରକାଶ କଲେ ଅନ୍ତେ ॥ ୬୮

ମିଳିଲେ ମହାବନ ଘୋରେ । କାଳିନ୍ଦୀପୁଲିନ ତଟରେ ॥ ୬୯

ଉଜ୍ଜ୍ୱଳ ଚନ୍ଦ୍ରମା କିରଣ । ପିକ ଝିଙ୍କାରୀ ଶୁକ ତାନ ॥ ୭୦

ଏକାନ୍ତ ସ୍ଥାନେ ସର୍ବେ ବସି । କୃଷ୍ଣର ନାମ ଗୁଣ ଘୋଷି ॥ ୭୧

ଏକ ଗୋପିକା ଆଗ ସରି । କୋଳେ ଚାପିଲା ଗୋପନାରୀ ॥ ୭୨

ତାହାର କୁଚେ ମୁଖ ଦେଇ । ନିର୍ଭରେ ଦେଲାକ ପକାଇ ॥ ୭୩

ବୋଲଇ ମୁହିଁ ନାରାୟଣ । ଶୋଷିଲି ପୂତନାର ପ୍ରାଣ ॥ ୭୪

ମୋତେ ଲୋ ଭଜ ଗୋପନାରୀ । ଚାପଇ କରେ କର ଧରି ॥ ୭୫

ଏକ ଗୋପିକା ପଛେ ଥିଲା । ଚରଣେ ଛନ୍ଦି ପକାଇଲା ॥ ୭୬

ବୋଲଇ ମୁହିଁ ଦାମୋଦର । ପାଦେ ଶକଟ କଲି ଚୁର ॥ ୭୭

ଏକ ଗୋପୀକି କରି କାନ୍ଧେ । ପକାଇ ବୋଲଇ ଆନନ୍ଦେ ॥ ୭୮

ଦେଖ ମାଇଲି ତୃଣାବର୍ତ୍ତ । ମୁଁ ହାଦେ ଯଶୋଦାର ସୁତ ॥ ୭୯

କେ ଗୋପୀ ଉଦୁଖଳେ ଟାଣି । ଗୁରୁଣ୍ତେŠ ବଜାଇ କିଙ୍କିଣୀ ॥ ୮୦

ବୋଲଇ ମୋତେ ସେବାକର । ମୁଁ ସେ ଲୋ ଯଶୋଦାକୁମର ॥ ୮୧

ମୋ ଗର୍ଭେ ଥିଲାଟି ଜଗତ । ଯାହା ଦେଖିଲା ମୋର ମାତ ॥ ୮୨

କେ ବେନି ରାମକୃଷ୍ଣ ହୋଏ । ବାଛୁରୀ ଗୋପାଳ ଥୋକାଏ ॥ ୮୩

ପୁଣି ହିଁ ଏକଇ ଗୋପୀଏ । ହୋଇଲା ବ›ତ୍ସାସୁର ପ୍ରାୟେ ॥ ୮୪

ଏକ ଗୋପୀଏ ଧରି କରେ । ବୁଲାଇ ପିଟିଲା ବୃକ୍ଷରେ ॥ ୮୫

ବୋଲଇ ମୁହିଁ ଦାମୋଦର । ଦେଖ ମାଇଲି ବତ୍ସାସୁର ॥ ୮୬

ଆର ଗୋପୀଏ ବୃକ୍ଷଡ଼ାଳେ । ଧରି ଚିରିଲା ବେନିଫାଳେ ॥ ୮୭

ବୋଲେ ମୁଁ ଯଶୋଦା କୁମର । ଦେଖ ଚିରିଲି ବକାସୁର ॥ ୮୮

କେ ବୃକ୍ଷଡ଼ାଳେ ମୁଖ ଦେଇ । ଗୀତ ସୁସ୍ୱରେ ବେଣୁ ବାଇ ॥ ୮୯

ଏକର କନ୍ଧେ ଦେଇ ହସ୍ତ । ଚାଲଇ ଯେହ୍ନେ ଗୋପୀନାଥ ॥ ୯୦

ବୋଲଇ ମୁହିଁ ବେଣୁଧର । ଦେଖ ମୋ' ଚାଲିବା ସୁନ୍ଦର ॥ ୯୧

ପୁଣି ଗୋପୀଏ ଆଗସରି । ବୋଲଇ ହୃଦେ ହସ୍ତ ମାରି ॥ ୯୨

ଇନ୍ଦ୍ର ଛାରକୁ କିପାଁ ଡ଼ର । ଆଜ ତୋଳିବି ଗିରିବର ॥ ୯୩

କେତେ ଲୋ ବରଷିବ ଆଜ । ବଜ୍ର ପାଷାଣ ଦେବରାଜ ॥ ୯୪

ଶାଢ଼ୀ ପାଲଟି ବାମକରେ । ତୋଳିଲା ଅଙ୍ଗୁଳି ଅଗ୍ରରେ ॥ ୯୫

ଏକ ଗୋପିକା ବେଗେ ଧାଇଁ । ଆରକ ଶିରେ ପାଦ ଦେଇ ॥ ୯୬

ବୋଲଇ ପଳାଅ କାଳୀୟ । କାଳନ୍ଦୀ ହ୍ରଦରେ ନ ରହ ॥ ୯୭

ଖଳନାଶନ ବାନା ମୋର । ଅମୃତ କରିବଇଁ ନୀର ॥ ୯୮

ତୋହର ପ୍ରାୟ ଖଳଜନ । ନାଶିବୁ ଯେତେ ଦୁଷ୍ଟମାନ ॥ ୯୯

କେ ଗୋପୀ ଡ଼ାକଇ ସୁସ୍ୱରେ । ନୟନ ବୁଜି ଧାତିକାରେ ॥ ୧୦୦

ଅନଳ ଲିଭାଇବି ମୁହିଁ । ବସଲୋ ମୁଖେ କର ଦେଇ ॥ ୧୦୧

କେ ଗୋପୀ ଫୁଲମାଳ ଘେନି । କୋପେ ବୋଲଇ ଶିର ଝୁଣି ॥ ୧୦୨

ଲବଣୀ ଖାଉ ତୁ ଚୋରାଇ । ରୋଳେ ବାନ୍ଧିବି ତୋତେ ନେଇ ॥ ୧୦୩

ଆକର୍ଷି ପିନ୍ଧିଲା ବସନ । ବାନ୍ଧୁ ଅଛଇ ମନେ ମନ ॥ ୧୦୪

କେ ଗୋପୀ ଚାଲେ ଗୁଳୁଗୁଞ୍ଜା । କଟୀରେ ରୋଳ ବସ୍ତ୍ର ସଞ୍ଜା ॥ ୧୦୫

ବୋଲଇ ମୁହିଁ ନାରାୟଣ । ଭାଙ୍ଗିଲି ଯାମଳା ଅର୍ଜୁନ ॥ ୧୦୬

ଏମନ୍ତେ କୃଷ୍ଣ ଗୁଣମାନ । ଦେହେ ପୁରୋଇ ଗୋପୀଜନ ॥ ୧୦୭

କଳ୍ପନା ଭାବେ ଗୁଣ ବହି । ଯେ ଆତ୍ମା ପୂ‰ର୍ଣ୍ଣାନନ୍ଦ ଦେହି ॥ ୧୦୮

ହେ ନୃପ ସଂଶୟ ନ କର । ଯେ ଗୋପୀ-ଗୋଧନ ଗୋପାଳ ॥ ୧୦୯

ଦ୍ୱାଦଶ ବୃନ୍ଦାବନ ଯେତେ । ସବୁ ହିଁ କୃଷ୍ଣ ଗର୍ଭଗତେ ॥ ୧୧୦

ଯେ ହରି ସେହୁ ଗୋପନାରୀ । ଗୋପୀ ଗୋପାଳ କୃଷ୍ଣସରି ॥ ୧୧୧

ଏମନ୍ତେ ଗୋପୀ ବାଇପଣେ । ରାତ୍ରେ ବୁଲନ୍ତି ବନେ ବନେ ॥ ୧୧୨

ଯାଉଁ ଦେଖିଲେ ବାଲିକୁଦ । ପଡ଼ିଛି ଗୋବିନ୍ଦର ପାଦ ॥ ୧୧୩

ଚିହ୍ନିଲେ କୃଷ୍ଣପାଦ ବୋଲି । ଗୋପୀ ଧାଇଁଲେ ପେଲାପେଲି ॥ ୧୧୪

ଧ୍ୱଜ ଅଙ୍କୁଶ ପଦ୍ମଚିହ୍ନ । ଦେଖି ଆନନ୍ଦ କଲେ ମନ ॥ ୧୧୫

କୃଷ୍ଣର ପାଦ ଅନୁସରି । ବନେ ଚାଲନ୍ତି ଗୋପନାରୀ ॥ ୧୧୬

ପୁଣି କେତେହେଁ ଦୂର ଯାଇ । ବୋଲନ୍ତି କୃଷ୍ଣ ପାଦ ଚାହିଁ ॥ ୧୧୭

ଦେଖ ଗୋ ଚରଣ ପାଖର । ପଡ଼ିଛି କାହାର ପୟର ॥ ୧୧୮

ଯାହାକୁ କୃଷ୍ଣ ଘେନିଗଲା । ସେ ତା'ର ପାଶେ ଯାଉଥିଲା ॥ ୧୧୯

ଧନ୍ୟଗୋ ତାହାର ଜୀବନ । ମୋହିଲା ଯଶୋଦା ନନ୍ଦନ ॥ ୧୨୦

କେତେ ଏ କୃଷ୍ଣେ ଆରାଧିଲା । ଏକାନ୍ତେ କୃଷ୍ଣଙ୍କୁ ରମିଲା ॥ ୧୨୧

ଯେ ପାଦ ବ୍ରହ୍ମା ତ୍ରିପୁରାରି । ଲଭିବା ପାଇଁ ଆଶା କରି ॥ ୧୨୨

ଲକ୍ଷ୍ମୀ ଯା ସେବଇ ନିରତେ । ଏ ତାହା ଲଭିଲା ଏକାନ୍ତେ ॥ ୧୨୩

ତାହାର ପାଦ ବ‰ର୍ଣ୍ଣ ଚିହ୍ନ । ଦହଇ ଆମ୍ଭର ଜୀବନ ॥ ୧୨୪

କୃଷ୍ଣ ଅଧର ସୁଧାପାନ । ଯାହାଟି ଗୋପୀଙ୍କ ଜୀବନ ॥ ୧୨୫

ଏକାନ୍ତେ ନେଇ ପାନ କଲା । କେତେ ଗୋ ତପ କରିଥିଲା ॥ ୧୨୬

ପୁଣି ନଦେଖିଲେ ପୟର । ଗହଳେ ଅଛି ତୃଣାଙ୍କୁର ॥ ୧୨୭

ବୋଲନ୍ତି କୋମଳ ତା' ପାଦ । ଯେଣୁ ପାଇଲା ତୃଣେ ଖେଦ ॥ ୧୨୮

ତେଣୁ ତାହାକୁ କନ୍ଧେ କଲେ । ନ ଦିଶେ ପାଦଚିହ୍ନ ଭଲେ ॥ ୧୨୯

ପୁଣି କ୍ଷଣକେ ପାଦ ଦେଖି । ଗୋପୀଏ ଚାହାନ୍ତି ନିରେଖି ॥ ୧୩୦

ଦେଖ ଗୋ କୃଷ୍ଣ ପୟର । ଅଧିକେ ଦିଶଇ ଗଭୀର ॥ ୧୩୧

ଯାହାକୁ କୃଷ୍ଣ ନେଉଥିଲା । ସେ ବାମା ଫୁଟିଣ ରହିଲା ॥ ୧୩୨

କନ୍ଧେ ବସାଇ ନେଲା ପ୍ରାୟେ । ପାଦ ଗଭୀର ଦେଖ ମାଏ ॥ ୧୩୩

କୃଷ୍ଣ ଯାହାକୁ ନେଉଥିଲା । ଏଠାରେ କବରୀ ଖସିଲା ॥ ୧୩୪

କନ୍ଧୁ ଓହ୍ଲାଇ ତା'ର ଅର୍ଥେ । ଫୁଲ ତୋଳିଲା ପରା ଏଥେ ॥ ୧୩୫

ଅଗ୍ରପାଦରେ ଠିଆ ହୋଇ । ଦେଖ ଏ ଚିହ୍ନି ତ ଦିଶଇ ॥ ୧୩୬

ବସିଣ ଖୋଷିଛି କବରୀ । ପିଚା ଆକୃତି ଅନୁସରି ॥ ୧୩୭

ପାଦ ଉପରେ ତା'କୁ ତୋଳି । ଦେଖ ଗୋ ଫୁଲ ଅଛି ପଡ଼ି ॥ ୧୩୮

ରମଣ କଲା ତା'ର ତୁଲେ । କଥା ଥୋଇଲା ମହୀତଳେ ॥ ୧୩୯

ଦେଖ କାମିନୀ ଦୁଷ୍ଟପଣ । ବଶ ଗୋ କଲା ନାରାୟଣ ॥ ୧୪୦

ଶୁଣ ପରୀକ୍ଷ ରାସକେଳି । ଯାହାକୁ ନେଇ ବନମାଳୀ ॥ ୧୪୧

ସେ ଗୋପୀ କୃଷ୍ଣ ପଛେ ଥାଇ । ଗରବ ମନେ ବିଚାରଇ ॥ ୧୪୨

ମୁଁ ଯେ ମୋହିଲି ହରି ଚିତ୍ତ । ମୋ ତହୁଁ ନାହିଁ ଭାଗ୍ୟବନ୍ତ ॥ ୧୪୩

ତାହା ଜାଣିଲେ ଭାବଗ୍ରାହୀ । ଗର୍ବ ବହିଲା ଏହା ଦେହୀ ॥ ୧୪୪

ମାୟା ମୋହିଲେ ଗୋପୀ ମନ । କୃଷ୍ଣଙ୍କୁ ବୋଲଇ ବଚନ ॥ ୧୪୫

ଭୋ ନାଥ ନ ପାରଇ ଯାଇ । ନିଅତୁ କନ୍ଧରେ ବସାଇ ॥ ୧୪୬

ମୋହରେ ଅଛି ଯେବେ ମନ । ବିଶେଷେ ଘୋର ବୃନ୍ଧବନ ॥ ୧୪୭

ମୁଁ ଏବେ ନ ପାରଇ ଚାଲି । ଶୁଣି ହସିଲେ ବନମାଳୀ ॥ ୧୪୮

ବୋଇଲେ ବସ ମୋର କାନ୍ଧେ । କୃଷ୍ଣ ବସିଲେ ବାଲିକୁଦେ ॥ ୧୪୯

ଶୁଣି ଗୋପିକା ତୋଷ ହୋଇ । ବସିଲା କୃଷ୍ଣକାନ୍ଧେ ଯାଇ ॥ ୧୫୦

ଉଠିଲେ ପ୍ରଭୁ ଚକ୍ରଧର । କାମିନୀ ଧରିଅଛି ଶିର ॥ ୧୫୧

କେତେ ହେଁ ଦୂର ବନେ ଯାଇ । ଅନ୍ତର ହେଲେ ଭାବଗ୍ରାହୀ ॥ ୧୫୨

ଗୋପୀ ପଡ଼ିଲା ମୁଖ ମାଡ଼ି । ଅଧର ଓଷ୍ଠ ଗଲା ଛିଡ଼ି ॥ ୧୫୩

ଦଣ୍ତେŠ ହୋଇଲା ମୂରୁଛିତ । ଉଠି ଲୋଡ଼ଇ ଗୋପୀନାଥ ॥ ୧୫୪

ସେ କାହିଁ ପାଇବ ମୁରାରି । ଗର୍ବଗଞ୍ଜନ ନରହରି ॥ ୧୫୫

ବିକଳେ ଚଉଦିଗେ ଚାହିଁ । କାନ୍ଦଇ ମୁଣ୍ତେŠ କର ଦେଇ ॥ ୧୫୬

ଆସ ବହନ ଗୋପୀନାଥ । ଗହଳେ ନ ଦିଶଇ ପଥ ॥ ୧୫୭

ମୋତେ ନିଶ୍ଚୟେ ନାଶ କଲୁ । ଗୋପୀଙ୍କ ସଙ୍ଗ ଛଡ଼ାଇଲୁ ॥ ୧୫୮

ପୂର୍ବର ଭାଗ୍ୟେ ତୋତେ ଦେଖି । ଏବେ ହୋଇଲି ନିରିମାଖୀ ॥ ୧୫୯

ଏକା କରିଣ ମୋତେ ଆଣି । ସୁଖେ ରମିଲୁ ବେଣୁପାଣି ॥ ୧୬୦

ମୁଁ ଦୁଃଖୀ କଲି ଦ୍ରୋହ କର୍ମ । ମତ୍ତେ ଦୋଇଲି ମତିଭ୍ରମ ॥ ୧୬୧

କନ୍ଧରେ ବସାଅ ବୋଇଲି । ଅଜ୍ଞାନେ ଦେହ ପାସୋରିଲି ॥ ୧୬୨

ଅବଳାଜନ୍ମ ମାତ୍ର କେତେ । ଯହୁଁ ମୁଁ ରମିଲି ଏକାନ୍ତେ ॥ ୧୬୩

କି ଦୋଷ କଲି ମୁହିଁ ତୋରେ । ନିବେଶି ଗଲୁ ବନଘୋରେ ॥ ୧୬୪

ଏମନ୍ତେ କାନ୍ଦଇ ତରୁଣୀ । କୃଷ୍ଣ ହସିଲେ ତାହା ଶୁଣି ॥ ୧୬୫

ଭାବକୁ ନିକଟ ଗୋସାଇଁ । ଭାବେ ପାଲଟାବସ୍ତ୍ର ବହି ॥ ୧୬୬

ନିକଟେ ଥାଇ ନ ଦିଶନ୍ତି । ଗରବ କ୍ଷଣେ ନ ସହନ୍ତି ॥ ୧୬୭

ଗୋପୀଏ ଯାଉଥିଲେ ବନେ । ତା'ର ରୋଦନ ଶୁଣି କର୍ଣ୍ଣେ ॥ ୧୬୮

ନିକଟେ ମିଳିଲେ ତାହାର । ତୋଳିଲେ ଧରି ବେନି କର ॥ ୧୬୯

ସଚେତ କରି ପଚାରିଲେ । ବୋଇଲେ ଥିଲୁ କୃଷ୍ଣ ତୁଲେ ॥ ୧୭୦

ଏକା କରିଣ ତୋତେ ଆଣି । କି କି ଗୋ କଲେ ବେଣୁପାଣି ॥ ୧୭୧

ପୁରୁଷ ଦଇନ୍ୟ ବେଭାର । ପକାଇ ହୋଇଲା ଅନ୍ତର ॥ ୧୭୨

ତୋତେ ପକାଇ ଘୋରବନେ । ଗୋବିନ୍ଦ ଗଲେ କେଉଁସ୍ଥାନେ ॥ ୧୭୩

ଏଡ଼େ ନିଷ୍ଠୁର ତା'ର ଦେହୀ । ପୂତନା ପ୍ରାଣ ଅଛି ଖାଇ ॥ ୧୭୪

ଅନେକ ହତ୍ୟା ଅଛି କରି । ଏବେ ଖାଇବ ଗୋପନାରୀ ॥ ୧୭୫

ଅଇଲୁ ତା'ର ବେଣୁସ୍ୱନେ । ଘୋର ଗହନ ବୃନ୍ଦାବନେ ॥ ୧୭୬

ଛାଡ଼ିଲୁ ଗୃହ ସୁତ କାନ୍ତ । ଏବନେ ହୋଇଲୁଁ ଅନାଥ ॥ ୧୭୭

ଏମନ୍ତ ପଥ ଅନୁସରି । କାନ୍ଦନ୍ତି କୃଷ୍ଣଙ୍କୁ ସୁମରି ॥ ୧୭୮

ସଖୀକି ହୃଦେ କୋଳକରି । କାନ୍ଦନ୍ତି ଷୋଳସସ୍ର ନାରୀ ॥ ୧୭୯

ସାହେର ଶବଦ ରୋଦନ । ଉଚ୍ଚବିଳାପ ବହୁସ୍ୱନ ॥ ୧୮୦

ଚେତନା କରଇ ଅଥିର । ହୃଦରେ କ୍ରୋଧ ଗୁରୁତର ॥ ୧୮୧

ସଖୀକି ପଚାରନ୍ତି ପୁଣି । କାହିଁ ଛାଡ଼ିଲୁ ବେଣୁପାଣି ॥ ୧୮୨

ସେ ନାରୀ ସଖୀ ଆଗେ କହି । ଯାହା ସେ କଲେ ଭାବଗ୍ରାହୀ ॥ ୧୮୩

ତାହାର ଗର୍ବମାନ ଯେତେ । କହିଲା ସଖୀଙ୍କ ଅଗ୍ରତେ ॥ ୧୮୪

ଶୁଣି ବିକଳ ଗୋପନାରୀ । ଉଚ୍ଚେ ବିଳାପଧ୍ୱନି କରି ॥ ୧୮୫

କାନନେ ପଶିଲେ ସକଳେ । ଷୋଳସହସ୍ର ଏକାବେଳେ ॥ ୧୮୬

ବୃକ୍ଷଗହଳ ଛାୟା ଦେଖି । ଅନ୍ଧାର ପ୍ରାୟ ଉପଲକ୍ଷ୍ୟି ॥ ୧୮୭

ଭୟେ ବାହୁଡ଼ିଲେ ସକଳେ । ପୁଣି ମିଳିଲେ ନଦୀକୂଳେ ॥ ୧୮୮

ମନ ନିବେଶି କୃଷ୍ଣପାଦେ । କାନ୍ଦନ୍ତି ଶୋକ ଗଦଗଦେ ॥ ୧୮୯

ଦେହ-ସଂସାର ପାସୋରିଲେ । ମରଣପଥ ଆବୋରିଲେ ॥ ୧୯୦

କୃଷ୍ଣଚରଣେ ମନ ଦେଇ । କାନ୍ଦନ୍ତି ଶୋକଭର ହୋଇ ॥ ୧୯୧

ନିର୍ମଳ ବାଲୁକା ବିଶେଷି । ସକଳ ସଖୀ ତହିଁ ବସି ॥ ୧୯୨

ସମାଧି ଯୋଗଧ୍ୟାନ ପ୍ରାୟେ । କୃଷ୍ଣ ଚରଣେ କରି ଲୟେ ॥ ୧୯୩

କୋଟି ସମ୍ପଦ ଦୂର କଲେ । ବ୍ରହ୍ମପ୍ରଦୀପ ଦେଖାଇଲେ ॥ ୧୯୪

ସେ ଗୋପୀ ଗୋବିନ୍ଦର ପାୟେ । ସୁଜନ ଜନ କର ଲୟେ ॥ ୧୯୫

ହରିଚରିତ ଭାଗବତ । ଅମୃତ ରସମୟ ଗୀତ ॥ ୧୯୬

ଏଣେ କରିବା ମନତୋଷ । କହଇ ଜଗନ୍ନାଥ ଦାସ ॥ ୧୯୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ କୃଷ୍ଣାନ୍ୱେଷଣଂ ନାମ ଏକତ୍ରିଂଶୋଽଧ୍ୟାୟଃ ॥

* * *