ଦଶମ ସ୍କନ୍ଧ

ତ୍ରିଂ‌ଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ପରୀକ୍ଷ ନରନାଥ । କୃଷ୍ଣଚରିତ ଭାଗବତ ॥

ଶରଦକାଳର ଯେ ଶଶୀ । ମଲ୍ଲିକାପୁଷ୍ପ ପ୍ରାୟେ ଦିଶି ॥

ଦେଖି ସାନନ୍ଦ ଦାମୋଦର । ମାୟାମନୁଷ୍ୟ ମାୟାଧର ॥

ଗୋବିନ୍ଦ ବିଚାରନ୍ତି ମନେ । ଆଜ ରମିବା ବୃନ୍ଦାବନେ ॥

ଷୋଳସହସ୍ର ଗୋପନାରୀ । ମୋତେ ବରିଲେ ତପ କରି ॥

ମୁଁ ତାଙ୍କ ପୂରାଇବି ଆଶ । ସେ ମୋର ଭକତ ବିଶ୍ୱାସ ॥

ଅନେକ ଜନ୍ମେ ତପ କରି । ଏବେ ହୋଇଲେ ଗୋପନାରୀ ॥

ରମିଣ ଦେବି ନିଜପୁର । ଆଜ ମୁଁ କରିବି ନିସ୍ତାର ॥

ଏତେ ବିଚାରି ବନମାଳୀ । ଘେନିଲେ ବିରହ ମୁରଲୀ ॥

ସ୍ୱଭାବେ ଶରଦର କାଳ । ପବନ ବହେ ପରିମଳ ॥ ୧୦

ଫୁଟିଲେ ଜଳସ୍ଥଳେ ଫୁଲ । ସୁଗନ୍ଧ ଶୀତଳ ଅମୂଲ୍ୟ ॥ ୧୧

ଗଗନେ ପ୍ରକାଶିଲା ଶଶୀ । ନିର୍ମଳ ବିରାଜଇ ନିଶି ॥ ୧୨

ଚନ୍ଦ୍ରମଣ୍ତŠଳ ଅଖŠଣ୍ତିତ । ଦେଖି ଉଷତ ଗୋପୀନାଥ ॥ ୧୩

ଲକ୍ଷ୍ମୀର ମୁଖପ୍ରାୟ ଦିଶି । କିରଣେ ଦଶଦିଗ ତୋଷି ॥ ୧୪

କାଳିନ୍ଦୀକୂଳେ ବ୍ରହ୍ମରାଶି । ସହସ୍ରଯୁଗେ ଯାହା ଘୋଷି ॥ ୧୫

ତ୍ରିଭଙ୍ଗ ଛନ୍ଦେ ହୋଇ ଉଭା । ଚାରୁ ଅଧରେ ବେଣୁ ଶୋଭା ॥ ୧୬

ଗୋପୀଙ୍କ ନାମ ଧରି ଧୀରେ । ମୁରଲୀ ଡ଼ାକଇ ସୁସ୍ୱରେ ॥ ୧୭

ଗୋପୀଏ ଥିଲେ ନିଜ ପୁରେ । ନାଦ ଶୁଣିଲେ ଯେଝା ଘରେ ॥ ୧୮

ଦଣ୍ତେ ଶୁଣିଲେ ସ୍ଥିର କରି । ବେଣୁ ଡ଼ାକଇ ନାମ ଧରି ॥ ୧୯

ଶୁଣି ହୋଇଲେ ଛନଛନ । ବ୍ୟାପାରେ ନ ଲାଗିଲା ମନ ॥ ୨୦

କର ଚରଣ ନଚଳଇ । ମଦନେ କମ୍ପୁଅଛି ଦେହୀ ॥ ୨୧

ନାଦେ ମୋହିଲେ ବନମାଳୀ । ଷୋଳସହସ୍ର ଗୋପବାଳୀ ॥ ୨୨

ଏକକୁ ଆରେକ ଲୁଚାଇ । ଧାଇଁଲେ ଅସମ୍ଭାଳ ହୋଇ ॥ ୨୩

ବୋଲନ୍ତି ନ ପୁଣ ଏଜାଣି । ମୋତେ ହୋଇବ ସପତଣୀ ॥ ୨୪

ଆଗେ ମୁଁ ଯିବି ବୃନ୍ଦାବନେ । ରମିବି ନନ୍ଦର ନନ୍ଦନେ ॥ ୨୫

ଦେଖିବି ନୟନ ପୂରାଇ । ମୋହର ନାମେ ବେଣୁ ବାଇ ॥ ୨୬

କିପା ଡ଼ାକଇ ରାତ୍ରକାଳେ । ଉଭାରି କଦମ୍ବର ମୂଳେ ॥ ୨୭

ଜଳକ୍ରୀଡ଼ାର ବେଳେ ଗଲା । ଆମ୍ଭର ବସ୍ତ୍ର ଚୋରି କଲା ॥ ୨୮

କଦମ୍ବବୃକ୍ଷେ ନେଇ ଥୋଇ । ମାଗିଲେ ବସ୍ତ୍ର ନ ଦିଅଇ ॥ ୨୯

ଉଲଗ୍ନେ ଜଳମଧ୍ୟେ ଥାଇ । ଶୀତେ କମ୍ପଇ ଆମ୍ଭ ଦେହୀ ॥ ୩୦

ଅନେକ ବିନୟ ହୋଇଲୁ । ଦନ୍ତରେ ତିରଣ ଧଇଲୁ ॥ ୩୧

ବୋଇଲା ଉଠିଆସ ଜଳୁ । ଯେ ଯାହା ବସ୍ତ୍ର ନିଅ ଡ଼ାଳୁ ॥ ୩୨

ଯେ ଯାହା ବସ୍ତ୍ର ଚିହ୍ନି ନିଅ । ନୋହିଲେ ଜଳମଧ୍ୟେ ଥାଅ ॥ ୩୩

ତା'ର ବଚନେ ଲଜ୍ଜା ଛାଡ଼ି । ଆଣି ପିନ୍ଧୁଲୁ ଯେଝା ଶାଢ଼ୀ ॥ ୩୪

ଆମ୍ଭର ଶୁଦ୍ଧମନ ଜାଣି । ହସି ବୋଇଲେ ବେଣୁ ପାଣି ॥ ୩୫

ଦେବତା ପୂଜି ନଦୀତୀରେ । ମୋତେ ଯେ ବରିଅଛ ବରେ ॥ ୩୬

ସେ କଥା କରିବଇଁ ମୁହିଁ । ନିୟମ କଲେ ବେଣୁ ଛୁଇଁ ॥ ୩୭

ସେ କଥା ସୁମରିଲେ ଆଜ । ଆମ୍ଭର ଛଡ଼ାଇବେ ଲାଜ ॥ ୩୮

ପତି ତନୟ ଛନ୍ତି କୋଳେ । କେମନ୍ତେ ଯିବୁ ରାତ୍ରକାଳେ ॥ ୩୯

ନ ଗଲେ ନ ରହେ ଜୀବନ । କାଳ ହୋଇଲା ବେଣୁ ସ୍ୱନ ॥ ୪୦

ଏମନ୍ତେ ହୋଇଲେ ବାହାର । ମଦନେ କମ୍ପଇ ଶରୀର ॥ ୪୧

କେ ଗୋପୀ ଦୁହୁଁଥିଲା ଗାଈ । ବାଛୁରୀ ବାନ୍ଧି ଛନ୍ଦ ଦେଇ ॥ ୪୨

ମୁରଲୀ ଶୁଣି କ‰ର୍ଣ୍ଣମୂଳେ । ଦୁହୁଣୀ ପକାଇଲା ତଳେ ॥ ୪୩

ମୁରଲୀ ଧ୍ୱନି ଶୁଣି ବେଗେ । ଧାଇଁଲା ବୃନ୍ଦାବନ ଲାଗେ ॥ ୪୪

କେ ବସି କାଢ଼ୁଥିଲା ସର । ମୁରଲୀ ଶୁଣିଲା ସୁସ୍ୱର ॥ ୪୫

ଡ଼ାକଇ ତା'ର ନାମ ଧରି । ବେଗେ ଧାଇଁଲା ଗୋପନାରୀ ॥ ୪୬

କେ କରୁଥିଲା ଦଧି ଯୋଗ । ଶୁଣି ଧାଇଁଲା ବେଗବେଗ ॥ ୪୭

କେ ଦୁଧ ଚୁଲିରେ ବସାଇ । ମୁରଲୀ ଶୁଣି ଗଲା ଧାଇଁ ॥ ୪୮

କେ କୋଳେ ବାଳକ ବସାଇ । ଦୁଧ ପିଆଉଁ ଗୀତ ଗାଇ ॥ ୪୯

କ‰ର୍ଣ୍ଣେ ଶୁଣିଲା ବେଣୁଧ୍ୱନି । ଡ଼ାକଇ ତା'ର ନାମ ଘେନି ॥ ୫୦

ବାଳକ ପକାଇଲା ତଳେ । ଧାଇଁଲା ମଦନ ବିକଳେ ॥ ୫୧

ସ୍ୱାମୀ ଶୟନସ୍ଥାନେ ଥାଇ । କେ ଗୋପୀ ଚରଣ ଚାପଇ ॥ ୫୨

ମୁରଲୀ ତା'ର ନାମ ଧରି । ଡାକଇ ଆସ ବେଗ କରି ॥ ୫୩

ପତି ଚରଣ ଥୋଇ ତଳେ । ବେଗେ ଧାଇଁଲା କାମଭୋଳେ ॥ ୫୪

କେ ବସି ଭୁଞ୍ଜୁଥିଲା ଅନ୍ନ । କର୍ଣ୍ଣେ ଶୁଣିଲା ବେଣୁସ୍ୱନ ॥ ୫୫

ବୋଲଇ ଆସ ତୁହି ବେଗେ । କୃଷ୍ଣଙ୍କୁ ଦେଖ ବନଭାଗେ ॥ ୫୬

ଶୁଣି ଭୋଜନ ଉପେକ୍ଷିଲା । ହସ୍ତ ପଖାଳି ନ ପାରିଲା ॥ ୫୭

ବେଗେ ଧାଇଁଲା ବୃନ୍ଦାବନ । ଯେଣେ ଶୁଭଇ ବେଣୁସ୍ୱନ ॥ ୫୮

କେ ବସି ଲିପୁଥିଲା ଘର । ମୁରଲୀ ଶୁଣିଲା କ‰ର୍ଣ୍ଣର ॥ ୫୯

ବୋଲଇ ଆସ ତୁ ବହନେ । ହରିଙ୍କି ରମ ବୃନ୍ଦାବନେ ॥ ୬୦

ଘର ବ୍ୟାପାର ଉପେକ୍ଷିଲା । ବେଗେ ସେ ବୃନ୍ଦାବନେ ଗଲା ॥ ୬୧

କେ ବସିଥିଲା ନିଜ ଘରେ । କଜ୍ଜ୍ୱଳପାତି ଘେନି କରେ ॥ ୬୨

ଏକ ଲୋଚନେ ରଞ୍ଜିଥିଲା । ତା' ନାମେ ମୁରଲୀ ଡ଼ାକିଲା ॥ ୬୩

ଧାମଇଁ ଅସମ୍ଭାଳ ହୋଇ । କଜ୍ଜ୍ୱଳପାତି କରେ ଲଇଁ ॥ ୬୪

କେ ଗୋପୀ ବସ୍ତ୍ରତଳେ ଥୋଇ । କୁଙ୍କୁମ ଶରୀରେ ଲେପଇ ॥ ୬୫

କ‰ର୍ଣ୍ଣେ ଶୁଣିଲା ବେଣୁଧ୍ୱନି । ଉଠିଲା କରେ ବସ୍ତ୍ର ଘେନି ॥ ୬୬

ଜ୍ଞାନ ହାରିଲା କାମଭୋଳେ । ପିନ୍ଧିଲା କନ୍ଧରୁ ଅଞ୍ଚଳେ ॥ ୬୭

କେ ଗୋପୀ କୃଷ୍ଣନାମ ଧରି । ଗୃହ ବ୍ୟାପାର ଗୃହେ କରି ॥ ୬୮

ଶୁଣିଲା କୃଷ୍ଣ-ବେଣୁନାଦ । ମଦନବାଣେ ତନୁ ଖେଦ ॥ ୬୯

କେହୁ ତାମ୍ବୁଳ ଭୁଞ୍ଜୁଥିଲା । ଅର୍ଦ୍ଧେକ ହସ୍ତରେ ଘେନିଲା ॥ ୭୦

କେହୁ ପାହୁଡ଼ ଗୋଡୁ କାଢ଼ି । ଲେଉଟି ନ ପାରିଲା ଭରି ॥ ୭୧

କେହି ତିଳକ ଘେନୁଥିଲା । ଅର୍ଦ୍ଧେ ତିଳକ ସେ ଲିହିଲା ॥ ୭୨

କେ ଗୋପୀ ରତ୍ନଚାପସରି । ଚରଣେ ବାନ୍ଧିଲା ପାସୋରି ॥ ୭୩

ମୁରଲୀନାଦ ଅନୁସରି । ବନେ ଧାଇଁଲା ଗୋପନାରୀ ॥ ୭୪

ଏମନ୍ତେ କହିବଇଁ କେତେ । ଷୋଳସହସ୍ର ଯେଝାମତେ ॥ ୭୫

କାହାର ସ୍ୱାମୀ ବଳବନ୍ତ । ଆଗରେ ଓଗାଳିଲା ପଥ ॥ ୭୬

କାହାର ପୁତ୍ର ଗୋଡ଼ାଇଲା । ଶ୍ୱଶୁର ଖୁଡ଼ୁତା ମଉଳା ॥ ୭୭

ଭାଇ ଭଣଜା ଇଷ୍ଟ ମିତ୍ର । ଆଗରୁ ଓଗାଳିଲେ ପଥ ॥ ୭୮

ବୋଲନ୍ତି ଗୋପୀଙ୍କି ଅନାଇ । ଏ କଥା ଉଚିତ ନୁହଁଇ ॥ ୭୯

ରଜନୀକାଳେ ଯାଅ ବନ । ଲଜ୍ଜା କି ଛାଡ଼ିଲା ବଦନ ॥ ୮୦

ଶୁଣି ବୋଲନ୍ତି ଗୋପବାଳୀ । ବନେ ବିଜୟ ବନମାଳୀ ॥ ୮୧

ଶୁଣ ଶୁଭଇ ବେଣୁନାଦ । ମୁରଲୀ ବଡ଼ଇ ଆନନ୍ଦ ॥ ୮୨

କ୍ଷଣେ ମୁରଲୀ ନାଦ ଶୁଣି । ଆମ୍ଭେ ଆସିବୁ ଏହିକ୍ଷଣି ॥ ୮୩

ଦାସବତ୍ସ›ଳ ଭଗବାନ । ମୋହିଲେ ଗୋପାଳଙ୍କ ମନ ॥ ୮୪

ତୁŠଣ୍ତରୁ ନ ଇଲା ଉତ୍ତର । ବାହୁଡ଼ିଗଲେ ଯେଝା ଘର ॥ ୮୫

ଏକ ଗୋପିକା କ୍ଷୀଣଦେହୀ । ଗହଳେ ନ ପାରିଲା ଯାଇ ॥ ୮୬

ତାହାର ସ୍ୱାମୀ କର ଧରି । ଘରେ ଆଣିଲା ନିଜ ନାରୀ ॥ ୮୭

ଗମ୍ଭୀରୀ ଭିତରେ ବାନ୍ଧିଲା । ଅନେକ ମାଡ ହିଁ ମାଇଲା ॥ ୮୮

ଦ୍ୱାରେ କବାଟ ଦେଲା କିଳି । ବିକଳେ କାନ୍ଦଇ ଗୁଆଳୀ ॥ ୮୯

ମୁରଲୀ ତା'ର ନାମ ଧରି । ଡ଼ାକଇ ଆସ ବେଗକରି ॥ ୯୦

ସେ ଗୋପୀ ବନ୍ଧନରେ ପଡ଼ି । କାନ୍ଦଇ ସ୍ତମ୍ଭେ ମୁଣ୍ତŠକୋଡ଼ି ॥ ୯୧

କୃଷ୍ଣର ଦେହେ ଦେଇ ମନ । କ୍ଷଣକ୍ଷଣକେ ଅଚେତନ ॥ ୯୨

ସହି ନ ପାରି ତାପଭର । ବେନିଲୋଚନ କଲା ସ୍ଥିର ॥ ୯୩

ନୟନ ପିତୁଳି ଲେଉଟି । ଭିତରେ କଲା ଏକଦୃଷ୍ଟି ॥ ୯୪

ଧ୍ୟାନେ ଦେଖିଲା ଭଗବାନ । ନିର୍ଭରେ କଲା ଆଲିଙ୍ଗନ ॥ ୯୫

ଡ଼ାକିଲା କୃଷ୍ଣ ତ୍ରାହି ତ୍ରାହି । ପ୍ରାଣ ଛାଡ଼ିଲା ଚୁମ୍ବ ଦେଇ ॥ ୯୬

ଜୀବନ ଛାଡ଼ି ରସଭରେ । ପଶିଲା ଗୋବିନ୍ଦ ଶରୀରେ ॥ ୯୭

ଶୁଣି ପରୀକ୍ଷ ଦଣ୍ତŠଧାରୀ । ମୁନି ଚରଣତଳେ ପଡ଼ି ॥ ୯୮

ବୋଲଇ ହେଲି କୃତକୃତ୍ୟ । ଶୁଣି ଚରିତ ଭାଗବତ ॥ ୯୯

ଭୋ ମୁନି ହୋଇଲି ଚକିତ । ତୁମ୍ଭେ କହିଲ ବିପରୀତ ॥ ୧୦୦

ପରପୁରୁଷେ ମନ ଦେଇ । ଯେ ନାରୀ ଏକାନ୍ତେ ରମଇଁ ॥ ୧୦୧

ବିଟପୀବାଦ ହୋଇ ତାରେ । ନରକେ ପଡ଼ଇ ନିର୍ଭରେ ॥ ୧୦୨

ସେ କିମ୍ବା ଗୋବିନ୍ଦେ ପଶିଲା । ମୋତେ ତ ସନ୍ଦେହ ଲାଗିଲା ॥ ୧୦୩

ସ୍ୱଭାବେ ସ୍ତିରୀ ଜନ୍ମ ହୋଇ । ଧର୍ମ-ଅଧର୍ମ ନ ଜାଣଇ ॥ ୧୦୪

ପରପୁରୁଷେ ମନ ଦେଲା । ସେ କିପାଁ କୃଷ୍ଣଙ୍କୁ ପାଇଲା ॥ ୧୦୫

ଶୁଣି ହସିଲେ ମୁନିବର । ବୋଲନ୍ତି ଶୁଣ ଦŠଣ୍ତଧର ॥ ୧୦୬

ପୂର୍ବେ ମୁଁ କହିଅଛି ତୋତେ । ପୁରାଣ ଶିରୀଭାଗବତେ ॥ ୧୦୭

କୃଷ୍ଣଙ୍କୁ କରି ଶତ୍ରୁବଳ । ମୋକ୍ଷ ହେଇଲା ଶିଶୁପାଳ ॥ ୧୦୮

ଏ ଆଦି ଅରିପଣ କଲେ । ପଶିଲେ କୃଷ୍ଣର ଶରୀରେ ॥ ୧୦୯

ମିତ୍ର ସ୍ୱଭାବେ ଦାମୋଦର । ଏ ଆଦି ଯେତେ ମିତ୍ରବର ॥ ୧୧୦

ମିତ୍ର ଅଇରୀ ଯେଣୁ ନାହିଁ । ତରିଲେ ସୂକ୍ଷ୍ମ‌ପଦ ପାଇ ॥ ୧୧୧

ତାହାଙ୍କୁ ପ୍ରିୟପଣେ ସେବି । କିପାଁ ନୋହିବେ ମୋକ୍ଷଭାଗୀ ॥ ୧୧୨

ଭକତ ତାରିବାର ଆଶେ । ବ୍ରହ୍ମ ପ୍ରକାଶି ଅଛି ଅଂଶେ ॥ ୧୧୩

ନିର୍ଗୁଣ ହୋଇ ଗୁଣବନ୍ତ । ଦାସବ›ତ୍ସଳ ଗୋପୀନାଥ ॥ ୧୧୪

ତାହାର ନାହିଁ କାମ କ୍ରୋଧ । ଏକଇ ସ୍ୱଭାବ ସୁହୃଦ ॥ ୧୧୫

ଯାହାର ମନ ହୋଏ ଲୟେ । ସେ ପ୍ରାଣୀ ପଶେ କୃଷ୍ଣଦେହେ ॥ ୧୧୬

ଏଣେ ତୁ ସନ୍ଦେହ ନ କର । ମହାମହିମା ଯୋଗେଶ୍ୱର ॥ ୧୧୭

ଏଣେ ନ କର ଖେଦଚିତ୍ତ । କହଇ ଶୁଣ ଭାଗବତ ॥ ୧୧୮

ଗୋପୀଏ ଗଲେ ରାତ୍ରକାଳେ । ମିଳିଲେ କଦମ୍ବର ତଳେ ॥ ୧୧୯

ଷୋଳସହସ୍ର ଗୋପବାଳୀ । ଦେଖିଲେ ପ୍ରଭୁ ବନମାଳୀ ॥ ୧୨୦

ନାନା କୁସୁମେ ପରିମଳ । ହୃଦେ ଲମ୍ବଇ ବନମାଳ ॥ ୧୨୧

ଗୁଞ୍ଜରାପାଟି ତାଳୁମୂଳ । ଶ୍ରବଣେ ମକର କୁଣ୍ତŠଳ ॥ ୧୨୨

ନୁପୁର କଙ୍କଣ ବିରାଜେ । ରତ୍ନମେଖଳା କଟିମାଝେ ॥ ୧୨୩

ପୀତବସନ ବେଣୁଧର । ନିବିଡ଼ ସୁରଙ୍ଗ ଅଧର ॥ ୧୨୪

କୋଟିଏ କାମ ନୋହେ ସରି । ଦେଖି ଉଷତ ଗୋପନାରୀ ॥ ୧୨୫

ଅନଳ ଦେଖିଣ ପତଙ୍ଗ । ଯେହ୍ନେ ଧାମନ୍ତି ଉଦ୍‌ବେଗ ॥ ୧୨୬

ବେଢ଼ିଲେ ଶତେପୁର ହୋଇ । କମ୍ପନ୍ତି କୃଷ୍ଣଙ୍କୁ ଅନାଇଁ ॥ ୧୨୭

ଗୋପୀଙ୍କି ଦେଖି ବନମାଳୀ । ବଦନୁ ଥୋଇଲେ ମୁରଲୀ ॥ ୧୨୮

କୋମଳ ମଦୁର ବଚନ । କହନ୍ତି ପ୍ରଭୁ ଭଗବାନ ॥ ୧୨୯

ଶୁଣ ଗୋ ବ୍ରଜବଧୂ ଜନେ । ତୁମ୍ଭେ ଅଇଲ କିପାଁ ବନେ ॥ ୧୩୦

ଗୋପର କହ ଭଲ କଥା । ନନ୍ଦ-ଯଶୋଦାଙ୍କ ବାରତା ॥ ୧୩୧

ଗୋପେ କି ଆପଦ ପଡ଼ିଲା । ମୋତେ ତ ସନ୍ଦେହ ଲାଗିଲା ॥ ୧୩୨

ଗୋରୁଗୋପାଳେ ନେଲେ ବାନ୍ଧି । ତୁମ୍ଭେ ଅଇଲ ବନେ କାନ୍ଦି ॥ ୧୩୩

ସର୍ବ ସମ୍ପଦ କଲେ ଜୂର । କି ଅବା ମିଳିଲେ ଅସୁର ॥ ୧୩୪

ଏମନ୍ତ ପ୍ରାୟ ମୁଁ ମଣଇ । କିପାଁ ଅଇଲ ବନେ ଧାଇଁ ॥ ୧୩୫

ଭଲେ ଅଇଲ ମୋ' ନିକଟେ । ବଣା ନୋହିଲ ବଣବାଟେ ॥ ୧୩୬

ପତି-ତନୟ ଛାଡ଼ି କରି । ଗୃହ କୀରତି ପରିହରି ॥ ୧୩୭

କିପାଁ ଅଇଲ ଘୋରବନ । ନୁହଁଇ ଉଚିତ ବିଧାନ ॥ ୧୩୮

ଭାଗ୍ୟେ ମୁଁ ବାଉଥିଲି ବେଣୁ । ମୋତେ ଭେଟିଲ ଆସି ତେଣୁ ॥ ୧୩୯

ରଜନୀ ହୋଇଛି ଅପାର । ବନ ଗହନ କୁଞ୍ଜ ଘୋର ॥ ୧୪୦

ବ୍ୟାଘ୍ର ଭଲ୍ଲୁକ ବନଜୀବେ । ତୁମ୍ଭଙ୍କୁ ଦେଖିଲେ ଖାଇବେ ॥ ୧୪୧

ବେଗେ ବାହୁଡ଼ିଯାଅ ଘର । ରଜନୀ ହେଉଛି ଉଛୁର ॥ ୧୪୨

ସ୍ୱଭାବେ ସ୍ତିରୀଜନ୍ମ ହୋଇ । ବନେ ତୁମ୍ଭର ଭୟ ନାହିଁ ॥ ୧୪୩

ନିଶ୍ଚେ ହୋଇବ ଆଜ ନାଶ । ମରଣେ କଲଟି ବିଶ୍ୱାସ ॥ ୧୪୪

ଯାଅ ନ ଥାଅ ବନଘୋରେ । ତୁମ୍ଭଙ୍କୁ ଲୋଡ଼ୁଥିବେ ଘରେ ॥ ୧୪୫

ମାତା ପିଅର ପୁତ୍ର ଭାଇ । ଲୋଡୁ ଯେ ଥିବେ ନାମ ରାଇ ॥ ୧୪୬

ଯେ ଯାହା ସ୍ୱାମୀ କୋପଚିତ୍ତେ । ଲୋଡ଼ିବେ ଘରଦ୍ୱାର ପଥେ ॥ ୧୪୭

ନ ପାଇ କରିବେଟି ରୋଷ । ତୁମ୍ଭେ ହୋଇବ ଜାତି ନାଶ ॥ ୧୪୮

ବନ୍ଧୁ ବାନ୍ଧବେ ତୁମ୍ଭ ଘର । ଅନ୍ନ ନ କରିବେ ଆହାର ॥ ୧୪୯

ଜଳ ହିଁ ନକରିବେ ପାନ । ତୁମ୍ଭେ ହୋଇବ ଜାତିହୀନ ॥ ୧୫୦

ନ ଜାଣି ଯେବେ ଗୋ ଅଇଲ । ବହନ କର ମୋର ବୋଲ ॥ ୧୫୧

ଦେଖିଲ ବନ ପରିମଳ । ନାନା କୁସୁମେ ନଦୀଜଳ ॥ ୧୫୨

ମଳୟ ପବନ ଶୀତଳ । ତରୁପଲ୍ଲବେ ଭୃଙ୍ଗମେଳ ॥ ୧୫୩

ବହନ ଯାଅ ଗୋପପୁର । ନିଜ ପତିଙ୍କି ସେବା କର ॥ ୧୫୪

ଗାଈଙ୍କ ଗୋଡ଼େ ବତ୍ସା ବାନ୍ଧି । ତୁମ୍ଭେ ଯେ ଦୁହୁଁଥିଲ ଛନ୍ଦି ॥ ୧୫୫

କ୍ଷୀର ନ ପାଇଣ ବାଛୁରୀ । କାନ୍ଦନ୍ତି ହମ୍ବା ରାବ କରି ॥ ୧୫୬

ବାଳକ ଧରିଥିଲ କୋଳେ । ପକାଇ ଅଇଲ ଯେ ତଳେ ॥ ୧୫୭

ଛିଡ଼ିଲା ଓଷ୍ଟ ଦନ୍ତ ପାଟି । କାନ୍ଦନ୍ତି ତୁଣ୍ତେŠ ଭରି ମାଟି ॥ ୧୫୮

ବହନ ନିଜ ପୁରେ ଯାଅ । ସ୍ତନ୍ୟ ପିଆଇ ଗାଈ ଦୁହଁ ॥ ୧୫୯

ଯେବେ ଅଇଲ ବେଣୁ ନାଦେ । ମୋ' ରୂପ ଦେଖିବାର ସଧେ ॥ ୧୬୦

ଏବେ ଦେଖିଲ ମୋର ଦେହ । ଯାଅ ଗୋ ଦଣ୍ତେ ହେଁ ନ ରହ ॥ ୧୬୧

ସ୍ୱାମୀଙ୍କ ସଙ୍ଗେ ପ୍ରୀତିକର । ଉଚିତ ଧର୍ମ ଗୋ ତୁମ୍ଭର ॥ ୧୬୨

ସ୍ୱାମୀର ଯେତେ ଇଷ୍ଟଜନ । ବାଳତନୟଙ୍କ ପୋଷଣ ॥ ୧୬୩

ଏ ନିତ୍ୟକର୍ମ ଗୋ ତୁମ୍ଭର । ପୁଣି ବୋଲନ୍ତି ବେଣୁଧର ॥ ୧୬୪

ପୂର୍ବ ଅର୍ଜିଲା କର୍ମ ଲଇ । ଯେ ଯାହା ସ୍ୱାମୀ ଗୋ ମିଳଇ ॥ ୧୬୫

ସେ ଯେତେ ହୋଏ ଅସୁନ୍ଦର । ଦୁଃଖୀ ଦରିଦ୍ର ବ୍ୟାଧିକର ॥ ୧୬୬

ତାହାଙ୍କୁ ନ କରିବ ସାନ । ସେ ବିଷ୍ଣୁଦେବଙ୍କ ସମାନ ॥ ୧୬୭

ତାହାଙ୍କ ପାଦେ ଏକଚିତ୍ତେ । ସେବା କରିବ ଅବିରତେ ॥ ୧୬୮

ଏ ମାୟା ସଂସାର ବେଭାର । ଯାହା ସଞ୍ଚିଲା ବେଦବର ॥ ୧୬୯

ଏହା ଯେ ନ କରନ୍ତି ଭଲେ । ନରକେ ଯା'ନ୍ତି ଅନ୍ତଃକାଳେ ॥ ୧୭୦

ପରପୁରୁଷେ ଚିତ୍ତ ଦେଇ । ଯେ ନାରୀ ରମେ ଦେହ ବହି ॥ ୧୭୧

ତାହାଙ୍କ ନାହିଁ ସୁଖ ଲେଶ । ନରକେ ହୁଅନ୍ତି ପ୍ରବେଶ ॥ ୧୭୨

ନିନ୍ଦିତ ହୋ'ନ୍ତି ବେନିଲୋକେ । ନିରାଶ ହୋ'ନ୍ତି ସ୍ୱାମୀ ସୁଖେ ॥ ୧୭୩

ବିଧବା ହୋନ୍ତି ଜନ୍ମ ସାତ । ଯେ ନାରୀ ସ୍ୱାମୀ ଅଭକତ ॥ ୧୭୪

ମୋତେ ଅଇଲ ଯେବେ ଦେଖି । ଏତେକେ ପୂରିଲାନି ଆଖି ॥ ୧୭୫

ଯେ ମୋତେ ଦୂରେ ଥାଇ ଚିନ୍ତି । ମନ ବଚନ ମୋତେ ଦ୍ୟନ୍ତି ॥ ୧୭୬

ବେଗେ ହୁଅନ୍ତି ଭବୁଁ ପାର । ଖŠଣ୍ତଇ ଭ୍ରମ ତାହାଙ୍କର ॥ ୧୭୭

ଯେ ମୋର ନିକଟେ ରହଇ । ସେ ପ୍ରାଣୀ ମୋତେ ନ ଭଜଇ ॥ ୧୭୮

ମାୟାରେ ହୋଏ ଛନଛନ । ବିଷୟାଜଡ଼େ ଥାଇ ମନ ॥ ୧୭୯

ସେ ମୋତେ ପାଇବ କେମନ୍ତ । ହସି ବୋଲନ୍ତି ଗୋପୀନାଥ ॥ ୧୮୦

ମୁନି ବୋଲନ୍ତି ରାୟେ ଶୁଣ । ଯାହା କହିଲେ ନାରାୟଣ ॥ ୧୮୧

କେ ତାହା କରିବଟି ଆନ । ସବୁରି ପ୍ରଭୁ ଭଗବାନ ॥ ୧୮୨

ଗୋପିଏ କୃଷ୍ଣକଥା ଶୁଣି । ଚିନ୍ତା ବିକଳେ ମନେ ଗୁଣି ॥ ୧୮୩

ବଜ୍ରପଡ଼ିଲା ଯେହ୍ନେ ଶିର । ବଦନୁ ନ ଇଲା ଉତ୍ତର ॥ ୧୮୪

ନିଃଶ୍ୱାସ ବହେ ଖରତର । ଶୁଖିଲା ସୁରଙ୍ଗ ଅଧର ॥ ୧୮୫

ଦଶନେ ଅଧର କାମୋଡ଼ି । କରଯୁଗଳ ଶିରେ ତାଡ଼ି ॥ ୧୮୬

ଚରଣ ଅଙ୍ଗୁଳିର ଅଗ୍ରେ । ଭୂମି ଚିରନ୍ତି କାମ ବ୍ୟଗ୍ରେ ॥ ୧୮୭

କମ୍ପଇ ବିକଳେ ଶରୀର । ବେନି ଲୋଚନୁ ବହେ ନୀର ॥ ୧୮୮

ଅଞ୍ଜନ କୁଙ୍କୁମର ସଙ୍ଗେ । ଲୁହ ପଡ଼ଇ କୁଚଯୁଗେ ॥ ୧୮୯

ଦୁଃଖସାଗରେ ନିମଜ୍ଜିଲେ । ସଭୟେ ଲୋଚନ ବୁଜିଲେ ॥ ୧୯୦

ହୋଇଲେ ମୃତପିଣ୍ତŠ ପ୍ରାୟେ । ଦେଖନ୍ତି ପ୍ରଭୁ ଦେବରାୟେ ॥ ୧୯୧

କୃଷ୍ଣ ନିଷ୍ଠୁର ବୋଲ ଶୁଣି । ଧର୍ମ ଅଧର୍ମ ମନେ ଗୁଣି ॥ ୧୯୨

ଯାହାର ପାଇଁ ଗୃହବାସ । ଛାଡ଼ିଲୁ ଜୀବନର ଆଶ ॥ ୧୯୩

ତା'ର ନିଷ୍ଠୁର କଥା ପାଇ । ଜୀବନ ଦଣ୍ତେŠ ନ ରହଇ ॥ ୧୯୪

ବେନି ଲୋଚନ ଘଷି କରେ । କୃଷ୍ଣଙ୍କୁ ଚାହିଁଲେ ସଧୀରେ ॥ ୧୯୫

ପାଦେ ପଡ଼ିଲେ ଏକାବେଳେ । କହନ୍ତି ଜୀବନ ବିକଳେ ॥ ୧୯୬

ଶିର ଲଗାଇ ପଦ୍ମ‌ପାଦେ । ବୋଲନ୍ତି ଶୋକ ଗଦଗଦେ ॥ ୧୯୭

ଭୋ ନାଥ ପ୍ରଭୁ ଭାବଗ୍ରାହୀ । ଏମନ୍ତ ବୋଲୁ କାହିଁପାଇଁ ॥ ୧୯୮

ତୁ ନୋହୁ ଯଶୋଦାନନ୍ଦନ । ଅନାଦି ପ୍ରଭୁ ନିରଞ୍ଜନ ॥ ୧୯୯

ଆମ୍ଭେ ଅଭାଗୀ ଦୁଃଖିନାରୀ । ଆଉ କି ଯିବୁ ଗୋପପୁରୀ ॥ ୨୦୦

ଛାଡ଼ିଲୁ ବିଷୟା-ବିଷାଦ । ପାଇ ତୋହର ପଦ୍ମ‌ପାଦ ॥ ୨୦୧

ଲକ୍ଷ୍ମୀ ଯା' ନ ଛାଡ଼ଇ କ୍ଷଣେ । ଗଙ୍ଗା ରହିଲା ନଖକୋଣେ ॥ ୨୦୨

ସେ ପାଦ ପାଇ ଆମ୍ଭେ ସୁଖୀ । ଏବେ ହୋଇଲୁ ନିରିମାଖୀ ॥ ୨୦୩

ଆମ୍ଭଙ୍କୁ ତେଜୁ କାହିଁପାଇଁ । ତୋ' ତହୁଁ ଆନଗତି ନାହିଁ ॥ ୨୦୪

ତୋ' ପାଦପଙ୍କଜର ମୂଳେ । ଜ୍ଞାନୀ ଚିନ୍ତନ୍ତି ଯୋଗବଳେ ॥ ୨୦୫

ସେ ପାଦପଦ୍ମ ଆମ୍ଭେ ପାଇ । କାହିଁକି ଯିବୁ ଭାବଗ୍ରାହୀ ॥ ୨୦୬

ତୋହର ପାଇଁ ଦାମୋଦର । ଛାଡ଼ିଲୁ ପତି ସୁତ ଘର ॥ ୨୦୭

ଭଜନ୍ତି ଯେ ତୋହର ନାମ । ତାହାଙ୍କୁ ନାହିଁ ଦୁଃଖଶ୍ରମ ॥ ୨୦୮

ଆମ୍ଭେ ତୋ ପାଦେ ଚିତ୍ତ ଦେଇ । ନିରାଶ ହୋଇଲୁ ଗୋସାଇଁ ॥ ୨୦୯

ଉଭୟେ ନ ପାଇଲୁ କୂଳ । ତୁ ଯେ ବୋଲାଉ ଆଦିମୂଳ ॥ ୨୧୦

ଧର୍ମବକତାଙ୍କର ଗୁରୁ । ତୋ'ର ମହିମା ମହାମେରୁ ॥ ୨୧୧

ଯାହା ବୋଇଲୁ ବେଦମତେ । ଭୋନାଥ ଶୁଣ ଏକଚିତ୍ତେ ॥ ୨୧୨

ଏ ଯେ ତୋହର ସାଧୁପଣ । ସେବିବୁଁ ସ୍ୱାମୀଙ୍କ ଚରଣ ॥ ୨୧୩

ଏ କଥା ଉଚିତ ତୋହର । ଭୋ ନାଥ ଶୁଣ ବେଦସାର ॥ ୨୧୪

ତୁ ଯେ ସକଳ ପ୍ରାଣୀଙ୍କର । ଦେହ ଜୀବନର ଠାକୁର ॥ ୨୧୫

ଯେ ପ୍ରାଣୀ ତୋହରେ ଭଜଇ । ତାହାର ଜନ୍ମବନ୍ଧ ନାହିଁ ॥ ୨୧୬

ଅନେକ ପୁଣ୍ୟ କରିଥିଲେ । ତୋ' ନାମ ଧରି ଅନ୍ତଃକାଳେ ॥ ୨୧୭

ଅଭୟବ୍ରହ୍ମେ ସେ ପଶନ୍ତି । ଆମ୍ଭର ନାହିଁ ମନେ ଭ୍ରାନ୍ତି ॥ ୨୧୮

ଆଉ କି ଗୋପପୁର ଯିବୁଁ । ପତି-ତନୟ ଆବୋରିବୁଁ ॥ ୨୧୯

ଆମ୍ଭର ତେଣେ ନାହିଁ ଆଶା । ତୋ ନାମ କରିଛୁ ଭରସା ॥ ୨୨୦

ମନ କି ନ ଜାଣୁ ଆମ୍ଭର । ଆଶା-ବିଶ୍ରାମ-ବାନା ତୋ'ର ॥ ୨୨୧

କାଳିନ୍ଦୀତୀରେ ବ୍ରତ କରି । ପୂଜିଲୁ ଶଙ୍କର ଗଉରୀ ॥ ୨୨୨

ବର ମାଗିଲୁ ଆମ୍ଭେ ଯାହା । ଭୋ ନାଥ ନ ଜାଣୁ କି ତାହା ॥ ୨୨୩

ଆମ୍ଭର ବସ୍ତ୍ର ଚୋରି କରି । ତୁ ଯେ ବୋଇଲୁ ନରହରି ॥ ୨୨୪

ରମିବି ବୃନ୍ଦାବନେ ମୁହିଁ । ନିୟମ କଲୁ ବେଣୁ ଛୁଇଁ ॥ ୨୨୫

ଆମ୍ଭର ସାକ୍ଷୀ ଏ ମୁରଲୀ । କିପାଁ ପାସୋରୁ ବନମାଳୀ ॥ ୨୨୬

ତୋହର ଯେବେ ଦୟା ନାହିଁ । କିପାଁ ରାଇଲୁ ବେଣୁ ବାଇ ॥ ୨୨୭

ଆମ୍ଭର ମନ ନିଜ ଘରେ । ବୁଡ଼ାଇ ଥିଲୁ ମୁହାଁସରେ ॥ ୨୨୮

ଶ୍ରବଣେ ମୁରଲୀ ଶୁଭିଲା । କରଚରଣ ନ ଚଳିଲା ॥ ୨୨୯

ଜୀବନ ହରିଲୁ ଆମ୍ଭର । ଏବେ ତ କହିଲୁ ନିଷ୍ଠୁର ॥ ୨୩୦

ଭୋ ନାଥ କର ପ୍ରାଣ ରକ୍ଷା । ଆମ୍ଭେ ପାଇଲୁ ବେଣୁ ଦୀକ୍ଷା ॥ ୨୩୧

ତୋ'ର ଅଧରାମୃତ ରସ । ଆମ୍ଭର ମୁଖରେ ବରଷ ॥ ୨୩୨

ଜୀବନ ରଖ ନନ୍ଦବାଳ । ଆମ୍ଭର ପୂରିଲାଟି କାଳ ॥ ୨୩୩

କ୍ରୋଟ-ଅନଳ ପ୍ରାୟ ହୋଇ । କାମ ଅନଳ ହୃଦ ଦହି ॥ ୨୩୪

ଲିଭାଅ ମୁଖୁଁ ରସ ଦେଇ । ଦାସବତ୍ସ›ଳ ଭାବଗ୍ରାହୀ ॥ ୨୩୫

ଯେବେ ନ ରଖୁ ବନମାଳୀ । ମରିବୁ ସକଳ ଗୁଆଳୀ ॥ ୨୩୬

ହତ୍ୟା ହୋଇବ ତୋର କନ୍ଧେ । ଶୁଣି ହସନ୍ତି ଆଦିକନ୍ଦେ ॥ ୨୩୭

ଗୋପୀ ବୋଲନ୍ତି କୃଷ୍ଣେ ଚାହିଁ । ପୂତନା ପ୍ରାଣ ଅଛୁ ଖାଇ ॥ ୨୩୮

ତୁ କାହିଁ ରଖିବୁ ଆମ୍ଭନ୍ତ । ନିଶ୍ଚୟେ ହୋଇଲୁ କୃତାନ୍ତ ॥ ୨୩୯

ମରିବୁ ତୋହର ଉପରେ । ଜୀବନ ନ ରହେ ଶରୀରେ ॥ ୨୪୦

ଭୋ ନାଥ ତୋହର ପୟରେ । କମଳା ସେବେ ନିରନ୍ତରେ ॥ ୨୪୧

ଆମ୍ଭର ପ୍ରିୟ ଅଟୁ ତୁହି । ଆଶା ନ ଛେଦ ଭାବଗ୍ରାହୀ ॥ ୨୪୨

ତୋହର ପାଦର ତୁଳସୀ । ମାଳା କରିଣ ବ୍ରହ୍ମରାଶି ॥ ୨୪୩

କବରୀଭାର ସଜ କରି । ତୋ ପାଦେ ସେବିବୁ ମୁରାରି ॥ ୨୪୪

ତୋହର ପାଦ ହୃଦଗତେ । ମୁନିଏ ଭଜୁଥାନ୍ତି ନିତ୍ୟେ ॥ ୨୪୫

ସେ ପାଦେ ପଶିଲୁ ଶରଣ । ଜୀବନ ରଖ ନାରାୟଣ ॥ ୨୪୬

ତୋ'ର ଚରଣ ନରହରି । ସ୍ତନ-ବଦନ-ଶିରେ ଧରି ॥ ୨୪୭

ଆମ୍ଭର ତାପ ହୃଦୁଁ ଯିବ । ଶରଣ ରଖ ପଦ୍ମନାଭ ॥ ୨୪୮

ତୋ'ର ସମ୍ପଦ ଭୋଗ କରି । ତୋ' ମୁଖ ଚାହିଁ ଦିନ ହରି ॥ ୨୪୯

ତୋ'ର ସୁନ୍ଦର ରୂପ ଦେଖି । ପିଛାଡ଼ି ନ ପାରୁଁ ଯେ ଆଖି ॥ ୨୫୦

ତୋହର ରୂପ ହୃଦେ ଗୁଣି । ବ୍ରହ୍ମାଣ୍ତେŠ ଯେତେକ ତରୁଣୀ ॥ ୨୫୧

କେ ଦେହ ଧରିବ ନିର୍ଭରେ । ଶୁଣିଲା ନାହିଁ ତିନିପୁରେ ॥ ୨୫୨

ତୋ' ରୂପ ଦେଖି ପଶୁ ବନେ । ପୁଲ ହୋନ୍ତି ତରୁଗଣେ ॥ ୨୫୩

ବୋଲନ୍ତି ଶୁକ ମୁନିବର । ଶୁଣ ହୋ କୃଷ୍ଣ ରସ ସାର ॥ ୨୫୪

ଦେଖିଣ ଗୋପୀଙ୍କ ବିକଳ । ଦୟା ବସିଲା ଆଦିମୂଳ ॥ ୨୫୫

ଆନନ୍ଦେ ବେନିଭୁଜ ତୋଳି । ଆସ ବୋଇଲେ ବନମାଳୀ ॥ ୨୫୬

ବାହୁ ବିସ୍ତାରି କଲେ କୋଳ । ବିଶ୍ୱସ୍ୱରୂପୀ ଆଦିମୂଳ ॥ ୨୫୭

ଆକର୍ଷି ଆଣି ନିଜ କରେ । ହୃଦେ ଲଗାଇ କୋଳ କଲେ ॥ ୨୫୮

ଟାକି ଯେ ଥିଲା ଯୋଗମାୟା । ଶୂନ୍ୟରେ ବିକାଶିଲା କାୟା ॥ ୨୫୯

ଅତ୍ୟନ୍ତ ଦିବ୍ୟରୂପମାନ । ସୁରେଖ ତିଳକ ବଦନ ॥ ୨୬୦

ଅଙ୍ଗେ ଆଦିତ୍ୟରତ୍ନ ଶୋଭା । ଅଗ୍ନିଧଉତ ବାସ ପ୍ରଭା ॥ ୨୬୧

କପାଳେ ମଳୟ ଚନ୍ଦନ । ତାମ୍ବୁଳେ ସୁରଙ୍ଗ ବଦନ ॥ ୨୬୨

ମେଘେ ବିଜୁଳି ଯେହ୍ନେ ଜାଣି । ସୁରେଖ ତିଳକ ତରୁଣୀ ॥ ୨୬୩

କୃଷ୍ଣର ବେନିଭୁଜେ ପଶି । ତାପ ଛାଡ଼ିଲେ ଶୁଭ୍ରକେଶୀ ॥ ୨୬୪

ତକ୍ଷଣେ ପାଇଲେ ଜୀବନ । ହରଷ ଗୋପୀଙ୍କର ମନ ॥ ୨୬୫

କୃଷ୍ଣଙ୍କୁ ବେଢ଼ିଲେ ଯୁବତୀ । ଗଗନେ ଯେହ୍ନେ ତାରାପନ୍ତି ॥ ୨୬୬

ଗୋପୀଏ ତୋଷମନ ହୋଇ । ପୁଷ୍ପ ତୋଳନ୍ତି ବନେ ଯାଇ ॥ ୨୬୭

ମାଳା ଗୁନ୍ଥିଲେ ଯତ୍ନ କରି । ବର ବରିଲେ ନରହରି ॥ ୨୬୮

କାଳିନ୍ଦୀ ବାଲିକୁଦେ ଯାଇ । ଗୋପୀଙ୍କ ମଧ୍ୟେ ଭାବଗ୍ରାହୀ ॥ ୨୬୯

ଯୋଗମାୟାର ବଳେ ହରି । ଷୋଳସହସ୍ର ରୂପ ଧରି ॥ ୨୭୦

ହୋଇଲେ ବେନି-ବେନିଜନ । ଗୋପୀ ରମିଲେ ଭଗବାନ ॥ ୨୭୧

ରତି ପŠଣ୍ତିତ ବଳବନ୍ତ । ତୋଷିଲେ ଗୋପୀଙ୍କର ଚିତ୍ତ ॥ ୨୭୨

କୃଷ୍ଣରମଣ ରସ ପାଇ । ଜ୍ଞାନ ହାରିଲେ ସର୍ବଗୋଇ ॥ ୨୭୩

ସବୁରି ଦେହେ ନଖକ୍ଷତ । ସବୁ କୁଚରେ ପଦ୍ମହସ୍ତ ॥ ୨୭୪

ସକଳେ ଆଲିଙ୍ଗନ ପାଇ । ହରଷ ହୋଇ ସର୍ବଗୋଈ ॥ ୨୭୫

ମନେ ବିଚାର କଲେ ନାରୀ । ସ୍ୱାମୀର ଗର୍ବ ମନେ ଧରି ॥ ୨୭୬

ଆମ୍ଭର ପ୍ରାୟ ଭାଗ୍ୟବନ୍ତ । ନାହିଁ ନୋହିବ ଏ ଜଗତ ॥ ୨୭୭

ରମିଲୁ ଅନାଦି ପୁରୁଷ । ଆମ୍ଭରେ ହରି ହେଲେ ବଶ ॥ ୨୭୮

କୃଷ୍ଣ ଭକତ ଆମ୍ଭ ପ୍ରାୟେ । ସ୍ୱର୍ଗେ ନୋହିବେ ଦେବତାଏ ॥ ୨୭୯

ଏମନ୍ତେ ମନେ ଗର୍ବ ବହି । ତାହା ଜାଣିଲେ ଭାବଗ୍ରାହୀ ॥ ୨୮୦

ଗୋପୀଙ୍କ ଭାବ ଜାଣିବାରେ । ମାୟା ମୋହିଲେ ନଦୀତୀରେ ॥ ୨୮୧

ଗୋପୀଏ ବୃନ୍ଦାବତୀ ନାମେ । ଥିଲା ସେ କୃଷ୍ଣ ସନ୍ନିଧାନେ ॥ ୨୮୨

ପୂର୍ବେ ସେ ଅଛି ତପ କରି । ଗୋବିନ୍ଦ ତା'ର ଭୁଜ ଧରି ॥ ୨୮୩

ଛନ୍ଦିଲେ ଗୋପୀଙ୍କର ମନ । କୃଷ୍ଣ ହୋଇଲେ ଅନ୍ତର୍ଦ୍ଧାନ ॥ ୨୮୪

ବୋଲଇ ଦାସ ଜଗନ୍ନାଥ । ବନେ ନିରୋପି କୃଷ୍ଣପଥ ॥ ୨୮୫

ମୋହର ମନ ଗୋଡ଼ାଇଲା । କୃଷ୍ଣଙ୍କୁ ଭେଟ ନ ପାଇଲା ॥ ୨୮୬

ବାହୁଡ଼ି ହୋଇଲା ନିରାଶ । ସୁଜନେ ବୃନ୍ଦାବନେ ପଶ ॥ ୨୮୭

ମୁଁ ଅବା ହରିଙ୍କି ଅନାଇଁ । କାହିଁ ପାଇବି ଭାବଗ୍ରାହୀ ॥ ୨୮୮

ମୁଁ ଅବା କେତେକ ମାତର । କାହିଁ ପାଇବି ଚକ୍ରଧର ॥ ୨୮୯

ପାମର ହୀନ ମୋ'ର ବୁଦ୍ଧି । କୃଷ୍ଣ ଚରଣେ ମନ ଖେଦି ॥ ୨୯୦

ମୋ ଛାର ପାଇବଇଁ କାହିଁ । ଯାହାର ଆଦି ଅନ୍ତ ନାହିଁ ॥ ୨୯୧

ସେ ଦୟାମୟ ହରିପାଦେ । ମନ ମୋ' ରହୁ ଅପ୍ରମାଦେ ॥ ୨୯୨

ସୁଜନଜନଙ୍କର ହିତ । କହଇ ଦାସ ଜଗନ୍ନାଥ ॥ ୨୯୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଭଗବତୋ ରସକ୍ରୀଡ଼ାବର୍ଣ୍ଣନଂ ନାମ ତ୍ରିଂଶୋଽଧ୍ୟାୟଃ ।

* * *