ଦଶମ ସ୍କନ୍ଧ

ଉନତ୍ରିଂଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ପରୀକ୍ଷ ରାଜଋଷି । ନନ୍ଦ ଯେ କଲେ ଏକାଦଶୀ ॥

ପୂଜା କରାଇ ଚକ୍ରଧର । ରାତ୍ରେ ହୋଇଲେ ଉଜାଗର ॥

ଉଛୁର ପାରଣାର ବେଳା । ଯମୁନା ରାତ୍ର ଥାଉଁଗଲା ॥

ବରୁଣ ରାଜା ତାହା ଜାଣି । ଦୂତ ପେଷିଲା ପରିମାଣି ॥

ବୋଲଇ ଆଣ ହୋ ନନ୍ଦକୁ । ଏଠାରେ ଦେଖିବା କୃଷ୍ଣଙ୍କୁ ॥

ଆଜ୍ଞା ପ୍ରମାଣେ ଦୂତ ଗଲେ । ଯମୁନାଜଳେ ଲୁଚିଥିଲେ ॥

ଏମନ୍ତ ସମୟରେ ନନ୍ଦ । ଯମୁନା ସ୍ନାହାନେ ଆନନ୍ଦ ॥

ଢ଼ାଳ କଠଉ ବସ୍ତ୍ର କୂଳେ । ଥୋଇ ପଶିଲା ଯାଇ ଜଳେ ॥

ବରୁଣ ଦୂତେ ଲୁଚିଥିଲେ । ନନ୍ଦକୁ ଯାଇଣ ଧଇଲେ ॥

ନନ୍ଦ ବୋଲଇ ନାହିଁ ଦୋଷ । କାହାକୁ କଲି ଅବା କିସ ॥ ୧୦

କିପାଇଁ ଧରିନିଅ ମୋତେ । ଜାଣିଲେ ଯିବଇଁ ପରତେ ॥ ୧୧

ଗୋବିନ୍ଦ ମୋହର ତନୟ । ଧନକୁ ମୋର ନାହିଁ ଭୟ ॥ ୧୨

ଯେତେ ଲୋଡ଼ିବ ଧନ ଦେବି । ଦୋଷ କହିଲେ ମୁଁ ଜାଣିବି ॥ ୧୩

ନନ୍ଦର ବୋଲ ନ ଶୁଣିଲେ । ଦୂତେ ଯେ ଧରି ଘେନିଗଲେ ॥ ୧୪

ନନ୍ଦର ଧରି ବେନିକର । ମିଳିଲେ ବରୁଣ ଛାମୁର ॥ ୧୫

ଦେଖି ବରୁଣ ତୋଷ ହୋଇ । ନନ୍ଦଙ୍କୁ ଆସନେ ବସାଇ ॥ ୧୬

ବୋଲଇ ନିସ୍ତରିଲି ଆଜ । ଏବେ ଦେଖିବି ଦେବରାଜ ॥ ୧୭

ଅନେକ ପୂଜା ସନମାନ । ନନ୍ଦଙ୍କୁ କରଇ ବରୁଣ ॥ ୧୮

ପୂଜା ଗୌରବେ ନନ୍ଦ ରହି । ଏଣେ ଆଦିତ୍ୟ ଉଦେ ହୋଇ ॥ ୧୯

ଅମୃତ ପାକ ଯେ ସମ୍ପାଇ । ଯଶୋଦା ଛନ୍ତି ବାଟ ଚାହିଁ ॥ ୨୦

ଅପାର ହୋଇଲାଣି ବେଳ । ରନ୍ଧନ ହୋଇଲା ଶୀତଳ ॥ ୨୧

ମନ ବଚନେ ଯଶୋବନ୍ତ । ଯେସନେ ଅନାଏ ଯୁବତୀ ॥ ୨୨

ବାରତା ନ ପାଇଲେ ଯହୁଁ । ମନ ଚଞ୍ଚଳ କଲେ ତହୁଁ ॥ ୨୩

ଏବେ ହେଁ ନଇଲେଟି ନନ୍ଦ । କି ଅବା ପଡ଼ିଲା ପ୍ରମାଦ ॥ ୨୪

ନନ୍ଦର କଲା ଯେତେ ଗୁଣ । ସୁମରି କରଇ କାରୁଣ୍ୟ ॥ ୨୫

ନନ୍ଦକୁ ନ ଦେଖି ଗୋପାଳେ । କାଳିନ୍ଦୀ ନିକଟେ ମିଳିଲେ ॥ ୨୬

ସ୍ନାନଶକୁନ ଦେଖି କୂଳେ । ଖୋଜନ୍ତି ଯାଇ ଜଳସ୍ଥଳେ ॥ ୨୭

ନ ଦେଖି ଅତି ଶୋକଭରେ । କହିଲେ ଯଶୋଦା ଆଗରେ ॥ ୨୮

ଯଶୋଦା ଶୁଣି ମୋହଗଲା । ନିଚେଷ୍ଟେ ଭୂମିରେ ଶୋଇଲା ॥ ୨୯

ଗୋପୀଏ ମିଳିଲେ ତୁରିତେ । ତୋଳି ଧଇଲେ କୃଷ୍ଣମାତେ ॥ ୩୦

ଉଠି ଲୋଡ଼ନ୍ତି ଯଶୋବନ୍ତୀ । ରୋଦନ୍ତି ଗୋକୁଳ ଯୁବତୀ ॥ ୩୧

ଉଚ୍ଚେ ରୋଦନ୍ତି ଗୋପପୁର । ନନ୍ଦକୁ ଗିଳିଲା କୁମ୍ଭୀର ॥ ୩୨

ଗୋପାଳେ ଧାଇଁ ଅତି ଖରେ । କହିଲେ ଗୋବିନ୍ଦ ଛାମୁରେ ॥ ୩୩

ଶୁଣି ଚକିତ ଭାବଗ୍ରାହୀ । କହନ୍ତି ରାମଙ୍କୁ ଅନାଇଁ ॥ ୩୪

ପିତାଙ୍କୁ ନେଇଛି ବରୁଣ । ପୂଜିବ ମୋହର ଚରଣ ॥ ୩୫

ଏମନ୍ତେ ଧାଇଁ ବେନିଭାଇ । ଯମୁନାତଟେ ହେଲେ ଯାଇ ॥ ୩୬

ଦେଖି ଧାମନ୍ତି ଯଶୋବନ୍ତୀ । ଯେସନେ ଅନାଥ ଯୁବତୀ ॥ ୩୭

ନନ୍ଦର କଲା ଯେତେ ଗୁଣ । ସୁମରି କରଇ କାରୁଣ୍ୟ ॥ ୩୮

ବୋଲଇ କୃଷ୍ଣମୁଖ ଚାହିଁ । ଅନାଥ ହୋଇଲି ତ ମୁହିଁ ॥ ୩୯

କୃଷ୍ଣ କହନ୍ତି ଶୁଣ ମାତ । ଏକ୍ଷଣି ଆଣିବି ମୁଁ ତାତ ॥ ୪୦

ଏଥକୁ କାନ୍ଦ କାହିଁପାଇଁ । ମୁହିଁ ଆଣିବି ତାତ ଯାଇ ॥ ୪୧

ରାମଙ୍କୁ ବୋଲନ୍ତି ଅଚ୍ୟୁତ । ତୁ ସ୍ୱାମୀ ରହିଥାଅ ଏଥ ॥ ୪୨

ମୁହିଁ ପିତାଙ୍କୁ ଆଣେ ଯାଇ । ବୋଲନ୍ତି ବ୍ରହ୍ମାŠଣ୍ତ ଗୋସାଇଁ ॥ ୪୩

ସମସ୍ତେ ଯାଅ ନିଜ ଘରେ । କହି ଚଳିଲେ କୃଷ୍ଣ ଖରେ ॥ ୪୪

ବରୁଣପରେ ଦଇତ୍ୟାରି । ମିଳିଲେ ନିଜ ରୂପ ଧରି ॥ ୪୫

ଦେଖି ସାନନ୍ଦ ଜଳରାଜା । କୃଷ୍ଣଚରଣେ କଲା ପୂଜା ॥ ୪୬

ବିବିଧମତେ ଉପହାର । ଜାଣଇଁ ପୂଜାର ବେଭାର ॥ ୪୭

ଅନେକ ମଣିରତ୍ନ ଦେଇ । ପୂଜା କରଇ ଜଳସାଇଁ ॥ ୪୮

ବନ୍ଦଇ କୃଷ୍ଣର ଚରଣେ । କୁଟୁମ୍ବ ଘେନି ପ୍ରଦକ୍ଷିଣେ ॥ ୪୯

ପୂଜି ପଡ଼ିଲା କୃଷ୍ଣପାଦେ । ବୋଲଇ ଶୋକ ଗଦଗଦେ ॥ ୫୦

ଆଜ ଜୀବନ ମୋର ଧନ୍ୟ । ଦେଖିଲି ପ୍ରଭୁ ନିରଞ୍ଜନ ॥ ୫୧

ସୁତ-କୁଟୁମ୍ବ-ଘରଦ୍ୱାର । ପବିତ୍ର ହୋଇଲା ମୋହର ॥ ୫୨

ଯାହାର ପାଦରଜ ପାଇ । ଜନ୍ମ ମରଣ ଭୟ ନାହିଁ ॥ ୫୩

ବ୍ରହ୍ମା ଶଙ୍କର ଯା'ର ନିତ୍ୟେ । ନାମ ଜପନ୍ତି ହୃଦଗତେ ॥ ୫୪

ତୋହର ପାଦେ ଧ୍ୟାନ କରି । ସୁଖେ ତରନ୍ତି ଭବଭାରି ॥ ୫୫

ଅରୂପ ରୂପରାଶି ହୋଇ । ମନୁଷ୍ୟ ଦେହେ ବେନି ଭାଇ ॥ ୫୬

ଯେ ରୂପ ଦେଖିବାର ପାଇଁ । ନିରତେ ହୃଦରେ ଗୁଣଇ ॥ ୫୭

ବିଚାରେଁ ନନ୍ଦକୁ ଆଣିବି । ଗୋବିନ୍ଦ ଚରଣେ ପୂଜିବି ॥ ୫୮

ଭୋ ଦେବ ବା‚ଞ୍ଛାକଳ୍ପତରୁ । ତୋ'ର ମହିମା ମହାମେରୁ ॥ ୫୯

ଯେ ଯାହା ମନେ ତହିଁ ବା‚ଞ୍ଛି । ତୁ ତାହା ଦେଉ ଶିରୀବ›ତ୍ସି ॥ ୬୦

ମୋହର ମନବା‚ଞ୍ଛା ପୁରି । ଚରଣେ ଦେଖିଲି ମୁରାରି ॥ ୬୧

ଭୋ ନାଥ ଗର୍ବ ବହି ମୁହିଁ । ତୋର ପିତାକୁ ଆଣିଲଇଁ ॥ ୬୨

ତୋତେ ଦେଖିବା ମୋର ସଧ । ଭୋ ନାଥ କଲି ଅପରାଧ ॥ ୬୩

କ୍ଷମାସାଗର ନରହରି । ଶରଣସୋଦର ମୁରାରି ॥ ୬୪

ବରୁଣେ ଚାହିଁଣ ଶ୍ରୀବ›ତ୍ସି । ବୋଇଲେ ତାତ କାହିଁ ଅଛି ॥ ୬୫

ଶୁଣି ସାନନ୍ଦ ଜଳପତି । ନନ୍ଦକୁ ଆଣିଲା ତଡ଼ତି ॥ ୬୬

ବୋଇଲେ ଶିରେ ଦେଇ କର । ଭୋ ନାଥ ନିଅ ତୋ' ପିଅର ॥ ୬୭

ବରୁଣଭାବ ହୃଦେ ଘେନି । ଦାସବ›ତ୍ସଳ ଅନ୍ତର୍ଯ୍ୟାମୀ ॥ ୬୮

ନନ୍ଦର କରେ ଦେଇ ହସ୍ତ । ଗୋପେ ମିଳିଲେ ଗୋପୀନାଥ ॥ ୬୯

ଗୋପାଳେ ଦେଖିଣ ହରଷ । ଆସି ମିଳିଲେ ନନ୍ଦପାଶ ॥ ୭୦

ନନ୍ଦକୁ ପୁଚ୍ଛନ୍ତି ବାରତା । ଯଶୋଦା ଛାଡ଼ିଲାକି ଚିନ୍ତା ॥ ୭୧

ନନ୍ଦ ବୋଲଇ ମୋତେ ହରି । ନେଲା ଯେ ଜଳ ଅଧିକାରୀ ॥ ୭୨

ଦେଖିଲା କୃଷ୍ଣର ବଦନ । ଆଣି ସମର୍ପି ତତ୍‌କ୍ଷଣ ॥ ୭୩

ଗୋପେ ବୋଲନ୍ତି ତାହା ଶୁଣି । ନନ୍ଦ-ବଚନ ପରିମାଣି ॥ ୭୪

ବୋଲନ୍ତି ବରୁଣ ଯେ ନେଲା । କୃଷ୍ଣଙ୍କୁ ଦେଖି ଛାଡ଼ିଦେଲା ॥ ୭୫

ନୋହିଲେ ମରନ୍ତା ପିଅର । ଭାଗ୍ୟ ଦିଶିଲା ଗୋପପୁର ॥ ୭୬

ନନ୍ଦ ଆନନ୍ଦମନ ହୋଇ । ବୋଲନ୍ତି ଗୋପାଳଙ୍କୁ ଚାହିଁ ॥ ୭୭

ଦେଖିଲି ବରୁଣ ଭୁବନ । ନିର୍ମଳ ହୋଇଲା ନୟନ ॥ ୭୮

ଗୋପେ ବୋଲନ୍ତି ତାହା ଶୁଣି । ନନ୍ଦବଚନ ମନେ ଗୁଣି ॥ ୭୯

ତୁ ଭାଗ୍ୟବନ୍ତ ଗୋପବୀର । ଯାର କୁମର ଦାମୋଦର ॥ ୮୦

ଆମ୍ଭେ ଦେଖିବୁ ତାହା କାହିଁ । ମର୍ତ୍ତ୍ୟେ ମାନବ ଦେହ ବହି ॥ ୮୧

ଆମ୍ଭର ଗତି ତୋ' କୁମର । ଗୋକୁଳ ଶରଣ ତାହାର ॥ ୮୨

ଗୋପଙ୍କ ମନ କୃଷ୍ଣ ଜାଣି । ମାୟା ମୋହିଲେ ଚକ୍ରପାଣି ॥ ୮୩

ବୋଲନ୍ତି ଜୀବର ବେଭାର । ଭ୍ରମଇଁ ମାୟାଜଡ଼ ଘୋର ॥ ୮୪

ଆପଣା ଗତି ନ ଜାଣଇ । ନାନା ଯୋନିରେ ଦେହ ବହି ॥ ୮୫

ଗୋପେ ମୋସଙ୍ଗେ ଭାବକଲେ । ଏହାଙ୍କୁ ଦେଖାଇବି ଭଲେ ॥ ୮୬

ତକ୍ଷଣେ ଦେଖାଇଲେ ନେଇ । ବରୁଣ ପୁରେ ଭାବଗ୍ରାହୀ ॥ ୮୭

ପୁଣି ଦେଖାଇ ନିଜପୁର । ଯେ ବଇକୁଣ୍ଠର ବେଭାର ॥ ୮୮

ଅନନ୍ତ ସତ୍ୟଜ୍ଞାନ ଜ୍ୟୋତି । ବ୍ରହ୍ମାଶଙ୍କର ଯାହା ଚିନ୍ତି ॥ ୮୯

ଗୋପ-ଗୋପାଳେ କରି ଦୟା । ମାୟାରେ ଦେଖାଇଲେ ତାହା ॥ ୯୦

ମାୟା ଛାଡ଼ିଲେ ଭଗବାନ । ଗୋପାଳେ ପାଇଲେ ଚେତନ ॥ ୯୧

ଶୁଣ ପରୀକ୍ଷ ପୁଣ୍ୟଦେହା । ଅକ୍ରୁର ଦେଖିବଟି ତାହା ॥ ୯୨

ଚେତନା ପାଇଲେ ଗୋପାଳେ । ଆନନ୍ଦେ କୃଷ୍ଣ କଲେ କୋଳେ ॥ ୯୩

ହରି ମହିମା ଗୋପେ ଦେଖି । ଆନନ୍ଦେ ନୟନେ ନିରେଖି ॥ ୯୪

ଚକିତେ ନିଜପୁରେ ଯାଇ । କହନ୍ତି ଗୋପୀଙ୍କି ବସାଇ ॥ ୯୫

ସେ ଗୋପୀ-ଗୋପାଳଙ୍କ ପାୟେ । ସୁଜନଜନେ କର ଲୟେ ॥ ୯୬

କୃଷ୍ଣ କରିବେ ମୋତେ ତ୍ରାହି । କୃଷ୍ଣହୁଁ ଅନ୍ୟଗତି ନାହିଁ ॥ ୯୭

କୃଷ୍ଣ ଚରଣେ ଅବିରତ । ନମଇଁ ଦାସ ଜଗନ୍ନାଥ ॥ ୯୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଊନତ୍ରିଂଶୋଽଧ୍ୟାୟଃ ॥

* * *