ଦଶମ ସ୍କନ୍ଧ
ଅଷ୍ଟବିଂଶ ଅଧ୍ୟାୟ
ବ୍ୟାସନନ୍ଦନ ହରଷିତ । ବୋଲନ୍ତି ଶୁଣ ନରନାଥ ॥ ୧
କୃଷ୍ଣଙ୍କୁ କରି ଅପରାଧ । ଇନ୍ଦ୍ର ପାଇଲା ମନେ ଖେଦ ॥ ୨
ଭାଳଇ ମନର ବିଷାଦେ । ଦ୍ରୋହ ଯେ କଲି ପଦ୍ମପାଦେ ॥ ୩
ଅଜ୍ଞାନେ ହୋଇଲି ମୁଁ ବାଇ । ଆଉ ସମ୍ପଦ ମୋର କାହିଁ ॥ ୪
କାହାରେ ପଶିବି ଶରଣ । ନିଶ୍ଚୟ ହୋଇଲା ମରଣ ॥ ୫
ଯାହାର ମହିମା ଅନନ୍ତ । ହୃଦରେ ଅଛଇ ଜଗତ ॥ ୬
ତା'ରେ ବଇରୀପଣ ହୋଇ । କେ ଥିଲା ଥିବ ଦେହ ବହି ॥ ୭
କି ବୁଦ୍ଧି କରିବଇଁ ଆଜ । ଭୟେ କମ୍ପଇ ଦେବରାଜ ॥ ୮
ସୁରଭି ସ୍ୱର୍ଗପୁରେ ଥିଲା । ଇନ୍ଦ୍ରର ରୋଦନ ଶୁଣିଲା ॥ ୯
ବୋଲଇ ଇନ୍ଦ୍ର ମୁଖ ଚାହିଁ । ରୋଦନ କରୁ କାହିଁପାଇଁ ॥ ୧୦
ଇନ୍ଦ୍ର ବୋଇଲେ ଶୁଣ ମାତ । କୃଷ୍ଣ ନ ଭାବି ଚଉମାଥ ॥ ୧୧
ବତ୍ସା ବାଳକ ହରିନେଲା । ଆପଣା ଭୁବନେ ଥୋଇଲା ॥ ୧୨
କୃଷ୍ଣ ତା'ଜାଣି ବିଚାରିଲେ । ବତ୍ସା ବାଳକ ଭିଆଇଲେ ॥ ୧୩
ଲଜ୍ଜା ପାଇଲେ ବେଦପତି । ବେଦେ ଅନେକ କଲେ ସ୍ତୁତି ॥ ୧୪
ଏ କଥା ଥିଲି ମୁହିଁ ଜାଣି । କାଳେ ପାସୋର ଗଲା ପୁଣି ॥ ୧୫
ନ ଜାଣି ହୋଇଲଇଁ ବଣା । ଲୋଚନ ଥାଇ ହେଲି କଣା ॥ ୧୬
କେମନ୍ତେ ଚାହିଁବି ତା' ମୁଖ । ଏତେ ହୋଇଲା ବଡ଼ଦୁଃଖ ॥ ୧୭
ସୁରଭି ବୋଇଲେ ତୁ ଜାଣି । ଦ୍ରୋହ ଚିନ୍ତୁଲୁ ଚକ୍ରପାଣି ॥ ୧୮
ଏମନ୍ତେ କଲୁ ଅପରାଧ । ସେ ତୋତେ ଦେଇଛି ସମ୍ପଦ ॥ ୧୯
ଅଜ୍ଞାନ ମତ୍ତବୁଦ୍ଧି ଫଳେ । ଦ୍ରୋହ ଯେ କଲୁ ପାଦତଳେ ॥ ୨୦
ମହିମା ନ ଜାଣୁ ତାହାର । ଅଶେଷ-ବ୍ରହ୍ମାଣ୍ତ-ଠାକୁର ॥ ୨୧
ଦାସବତ୍ସଳ ପାଦଯୁଗେ । ଶରଣ ପଶଯାଇ ବେଗେ ॥ ୨୨
ତୋ'ର ରକ୍ଷକ କେହି ନାହିଁ । ବିଶ୍ୱ ସଂସାରେ ଦେହ ବହି ॥ ୨୩
ଶୋକ ସଂହରି ଦେବରାୟ । ଶରଣ ପଶ କୃଷ୍ଣପାୟେ ॥ ୨୪
ମୋହର ପଛେ ଥାଅ ତୁହି । କୃଷ୍ଣଙ୍କୁ ଭେଟାଇବି ନେଇ ॥ ୨୫
ସ୍ତୁତି କରିବି ତୋ'ର ପାଇଁ । ତାହାର ନାମ ଭାବଗ୍ରାହୀ ॥ ୨୬
ଚରଣେ ପଶ ଯା'ଶରଣ । ତୋତେ ରଖିବେ ନାରାୟଣ ॥ ୨୭
ଏମନ୍ତ କହି ଲୋକମାତ । ଘେନି ଚଳିଲେ ସୁରନାଥ ॥ ୨୮
ମିଳିଲେ ବୃନ୍ଦାବନେ ଯାଇ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥ ୨୯
ଗାଈ ଚରାଉଥିଲେ ବନେ । ଗୋପାଳମେଳେ ବେଣୁସ୍ୱନେ ॥ ୩୦
ଘୋର ଗହନେ ପଶିଗଲେ । ଗୋପାଳ ପୋଏ ନଜାଣିଲେ ॥ ୩୧
ଇନ୍ଦ୍ର ସୁରଭି ଯହିଁ ଛନ୍ତି । ଜାଣିଲେ ପ୍ରଭୁ ଶିରୀପତି ॥ ୩୨
ମିଳିଲେ ସୁରଭିର ଲାଗେ । ଇନ୍ଦ୍ର ହିଁ ଅଛି ପୃଷ୍ଠଭାଗେ ॥ ୩୩
ସୁରଭି ଦେଖି ତୋଷଚିତ୍ତେ । ନମିଲା କୃଷ୍ଣ ପାଦଗତେ ॥ ୩୪
ସ୍ତୁତି କରଇ କୃଷ୍ଣେ ଚାହିଁ । ବୋଲଇ ଶିରେ କରଦେଇ ॥ ୩୫
ଭୋ ନାଥ ଶୁଣ ନରହରି । ଇନ୍ଦ୍ର ଯେ ତୋତେ ହେୟ କରି ॥ ୩୬
ଘୋର ବରଷଣ ବିବାଦେ । ଦ୍ରୋହ ଯେ କଲା ପଦ୍ମପାଦେ ॥ ୩୭
ସମ୍ପଦ ଦେଇଛୁ ତାହାରେ । ଏବେ ଶରଣ ତୋ'ପୟରେ ॥ ୩୮
ଲୁଚିଣ ଅଛି ମୋର ପଛେ । ଭୋ ନାଥ ଦେଖସି ପ୍ରତ୍ୟକ୍ଷେ ॥ ୩୯
ଶୁଣି ଚାହିଁଲେ ଗିରିଧର । ବାସବ ପଡ଼ିଲା ପୟର ॥ ୪୦
ଭୟେ କମ୍ପଇ ତା'ର ଦେହୀ । ଦନ୍ତେ ତିରଣ ଅଛି ଦେଇ ॥ ୪୧
ପୁଣି ଉଠିଲା ଭୟଚିତ୍ତେ । କର ଅଞ୍ଜଳି ଦେଇ ମାଥେ ॥ ୪୨
ଶିର ନିବେଶି ପଦ୍ମପାଦେ । ବୋଲଇ ଶୋକ ଗଦଗଦେ ॥ ୪୩
ଇନ୍ଦ୍ର ଉବାଚ
ଭୋ ନାଥ ଆଦିନିରଞ୍ଜନ । ଜ୍ୟୋତି ପ୍ରକାଶ ମହାଶୂନ୍ୟ ॥ ୪୪
ଗୁଣେ ପ୍ରକାଶ ତୋ'ର ନାହିଁ । ଭକତହିତେ ବହୁ ଦେହୀ ॥ ୪୫
ମାୟା-ମୋହିତ-ଭବଜଳେ । ତୋର ବିାହାର ଯୋଗବଳେ ॥ ୪୬
ଲୋଭର ମୂଳେ ଷଡ଼ ଅରି । ତୋହର ମହିମା ଆବୋରି ॥ ୪୭
ନିରତେ ଭ୍ରମାନ୍ତି ଶୟଳେ । ତୋହର ମାୟାଚକ୍ର ବଳେ ॥ ୪୮
ଜଗତ ହୋଏ ଆତଯାତ । ତୋହର ମାୟାରେ ଅନନ୍ତ ॥ ୪୯
ତୁହି ସେ ମାୟାକୁ ଆବୋରି । ଶରୀର ବହୁ ନରହରି ॥ ୫୦
ଦୁଷ୍ଟଙ୍କୁ ଦଣ୍ତିବାରେ ଆଶେ । ସାଧୁଙ୍କୁ ରଖୁ ତୁ ବିଶ୍ୱାସେ ॥ ୫୧
ଜଗତ-ତାତ-ମାତ ତୁହି । ତୁ ଦଣ୍ତଧର ଭାବଗ୍ରାହୀ ॥ ୫୨
ତୋହର ସମ୍ପଦ ଆବୋରି । ଯେ ବୋଲେ ମୋହରି ମୋହରି ॥ ୫୩
ତାହାଙ୍ଗ ଗର୍ବ ନାଶିବାରେ । ଜନମ ହେଉ ଏ ସଂସାରେ ॥ ୫୪
ମୋହର ପ୍ରାୟେ ଜ୍ଞାନ ହାରି । ଯେ ତୋର ସମ୍ପଦ ଆବୋରି ॥ ୫୫
ଗର୍ବବହନ୍ତି ଦୁଷ୍ଟ ଚିତ୍ତେ । ତାହାଙ୍କୁ ଦଣ୍ତୁ ତୁ ଉଚିତେ ॥ ୫୬
ଗର୍ବଗଞ୍ଜନ ତୋର ଦେଖି । ଭୟେ ମୁଦ୍ରିତ ବେନି ଆଖି ॥ ୫୭
ତକ୍ଷଣ ଗର୍ବ ଦୂରକରି । ତୋହର ମହିମା ସୁମରି ॥ ୫୮
ତୋତେ ଭଜନ୍ତି ସାଧୁଚିତ୍ତେ । ଖଳନାଶନ ଦେଖି ତୋତେ ॥ ୫୯
ଏବେ ମୁଁ କଲି ଅପରାଧ । ଭୋ ନାଥ ରଖ ପଦ୍ମପାଦ ॥ ୬୦
ଏ ଅପରାଧ କ୍ଷମାକର । ଭୋ ନାଥ ଶରଣ ତୋହର ॥ ୬୧
ଅଜ୍ଞାନମତେ ଭୋଗ ପାଇ । ଭୋଳ ହୋଇଲି ଭାବଗ୍ରାହୀ ॥ ୬୨
ଭାରାନିବାରେ ତୋ'ର ଜାତ । ତୋହର ସଞ୍ଚିଲା ଜଗତ ॥ ୬୩
ଅବନୀଭାରା ନାଶ କରି । ସାଧୁଙ୍କୁ ରଖୁ ନରହରି ॥ ୬୪
ନମଇ ପରମ ମଙ୍ଗଳ । ପରମ ଆତ୍ମା ଆଦିମୂଳ ॥ ୬୫
ନମଇଁ ବସୁଦେବ ସୁତ । ଯାଦବବଂଶ ଦଇବତ ॥ ୬୬
ଶୁଦ୍ଧମୂରତି ଦିବ୍ୟଜ୍ଞାନ । ଇଚ୍ଛାଏ ହେଉ ନାନାବର୍ଣ୍ଣ ॥ ୬୭
ସକଳଜୀବ ଆଦିପିତା । ନମଇଁ କଇବଲ୍ୟଦାତା ॥ ୬୮
ତୁ ଦେଲୁ ଇନ୍ଦ୍ରପଦ ମୋତେ । ଦ୍ରୋହ ଚିନ୍ତିଲି ମୁହିଁ ତୋତେ ॥ ୬୯
ଅଳପ ଲୋକ ମୁଁ ସ୍ୱଭାବେ । ମୋତେ ଥୋଇଲୁ ଇନ୍ଦ୍ରପଦେ ॥ ୭୦
ମୁଁ ଛାର ନୁହଁଇ ଭାଜନ । ତୁ କି ନ ଜାଣୁ ଭଗବାନ ॥ ୭୧
ଅଳପଲୋକେ ସୁଖ ଦେଲେ । ଆବୋରି ନ ପାରଇ ଭଲେ ॥ ୭୨
ଏଣୁ ହୋଇଲି ଅପରାଧୀ । ତୁ ନାଥ କରୁଣା ବାରିଧି ॥ ୭୩
ତୋ'ର ଚରଣୁଁ ନାହିଁ ଆନ । ଶରଣ ରଖ ଭଗବାନ ॥ ୭୪
ଶୁକ ବୋଲନ୍ତି ଶୁଣ ରାୟେ । କମ୍ପଇ ବାସବର କାୟେ ॥ ୭୫
ଦାସବତ୍ସଳ ଭାବଗ୍ରାହୀ । ବୋଲନ୍ତି ଇନ୍ଦ୍ରମୁଖ ଚାହିଁ ॥ ୭୬
ମେଘ-ଗମ୍ଭୀର ପ୍ରାୟ ବାଣୀ । ହସି କହନ୍ତି ଚକ୍ରପାଣି ॥ ୭୭
ଭଗବାନ ଉବାଚ
ଶୁଣ ହୋ ତ୍ରିଦଶର ନାଥ । ତୋ'ର ଦେଖିଲୁ ଦୁଷ୍ଟଚିତ୍ତ ॥ ୭୮
ମୋର ସମ୍ପଦେ ଅନ୍ଧ ହୋଇ । ମୋତେ ନ ଚିହ୍ନୁ ଗର୍ବ ବହି ॥ ୭୯
ତୋତେଟି ଅଛି ମୋର ଦୟା । ତେଣୁଟି ଦେଖାଇଲି ମାୟା ॥ ୮୦
ଭାଙ୍ଗିଲି ତୋ'ର ଯଜ୍ଞକର୍ମ । ତୁ ଯେଣୁ ହେଲୁ ମତିଭ୍ରମ ॥ ୮୧
ଛାଡ଼ିଲୁ ମୋର ପାଦଚିନ୍ତା । ସମ୍ପଦେ ହୋଇଲୁ ଅଚେତା ॥ ୮୨
ଯେ ମୋ ସମ୍ପଦେ ଅନ୍ଧ ହୋଇ । ଅଜ୍ଞାନେ ମୋତେ ନ ଜାଣଇ ॥ ୮୩
ସେ ଅପରାଧେ ଦଣ୍ତ ପାଇ । ତାହାର ସୁଖ ଲେଶ ନାହିଁ ॥ ୮୪
ଯାହାକୁ ହୁଅଇ ସଦୟେ । ସମ୍ପଦ ହରଇ ଥୋକାଏ ॥ ୮୫
ପୁଣି ଜାଣଇ ଯେବେ ମୋତେ । ନାମ ଜପଇ ହୃଦଗତେ ॥ ୮୬
ମୋହର ଭାବେ ଯେ ପଶଇ । ଜନ୍ମ-ମରଣ ତାର ନାହିଁ ॥ ୮୭
ଏବେ ତୁ ନିଜପୁରେ ଯାଅ । ମୋହର ପାଦେ ଚିତ୍ତ ଦିଅ ॥ ୮୮
ମୋହର ଆଜ୍ଞା ଘେନି ଶିରେ । ଗର୍ବ ନ ଥାଉ ତୋ' ଶରୀରେ ॥ ୮୯
ଇନ୍ଦ୍ରକୁ ଦେଖି ତୋଷଚିତ୍ତ । ସୁରଭି ନମଇ ଅଚ୍ୟୁତ ॥ ୯୦
ତକ୍ଷଣେ ହୃଷ୍ଟମୁଖ ହୋଇ । ସ୍ତୁତି କରଇ କୃଷ୍ଣେ ଚାହିଁ ॥ ୯୧
ହେ କୃଷ୍ଣ ତୁ ପରମଯୋଗୀ । ବିଶ୍ୱ ସଂସାରେ ବିଶ୍ୱଭୋଗୀ ॥ ୯୨
ତୁ ଆମ୍ଭ ପାଳକ ଗୋପାଳ । ନମସ୍ତେ ପ୍ରଭୁ ଆଦିମୂଳ ॥ ୯୩
ଆମ୍ଭର ଇନ୍ଦ୍ର ଅଟୁ ତୁହି । ତୋ' ପାଦୁଁ ଅନ୍ୟ ଗତି ନାହିଁ ॥ ୯୪
ଗୋରୁ-ବ୍ରାହ୍ମଣ-ଦେବଙ୍କର । ତୁ ନାଥ ଶରଣ ସୋଦର ॥ ୯୫
ବ୍ରହ୍ମାବଚନେ ମୁହିଁ ତୋତେ । ପୂଜିବି ଅଭିଷେକ ମତେ ॥ ୯୬
ତୁ ନାଥ ଗୋକୁଳର ଇନ୍ଦ୍ର । ନାମ ମୁଁ ଦେବଇଁ ଗୋବିନ୍ଦ ॥ ୯୭
ତକ୍ଷଣେ ଇନ୍ଦ୍ର ଚଳିଗଲା । ମେଘମାନଙ୍କୁ ଆଜ୍ଞା ଦେଲା ॥ ୯୮
ଅଇରାବତ ଦିଗପାଳେ । ପାରିଜାତକ ଗଙ୍ଗାଜଳେ ॥ ୯୯
ବ୍ରହ୍ମଣେ ମିଳି ବେଦନାଦେ । କୃଷ୍ଣେ ସଞ୍ଚିଲେ ଇନ୍ଦ୍ରପଦେ ॥ ୧୦୦
ସୁରଭି କ୍ଷୀର ବରଷିଲା । ଗୋବିନ୍ଦ ବୋଲି ନାମ ଦେଲା ॥ ୧୦୧
ନାରଦ ଆଦି ବିଦ୍ୟାଧରେ । ତୁମ୍ବୁରୁ ଚାରଣ କିନ୍ନରେ ॥ ୧୦୨
ଗୀତବିନୋଦେ ନୃତ୍ୟରଙ୍ଗେ । ସୁସ୍ୱରେ ବାଦ୍ୟନାଦ ସଙ୍ଗେ ॥ ୧୦୩
ପୁଷ୍ପ ବରଷି ସ୍ତୁତି ଭଣି । ସୁନ୍ଦର ଦିଶଇ ଧରଣୀ ॥ ୧୦୪
ସୁରଭି ପୟେ ଇନ୍ଦ୍ର ଜଳେ । ଆନନ୍ଦ ହୋଇଲେ ସକଳେ ॥ ୧୦୫
ମେଦିନୀ କ୍ଷୀର ନୀର ପାଇ । ବରଷାକାଳ ପ୍ରାୟ ହୋଇ ॥ ୧୦୬
ସରସ ହୋଇ ମହୀରୂହେ । ମଧୁ ବରଷିଲେ ଥୋକାଏ ॥ ୧୦୭
ଶସ୍ୟ ହୋଇଲା ଆକର୍ଷଣେ । ମଣିଏ ଉପୁଜିଲେ ବନେ ॥ ୧୦୮
ଗୋବିନ୍ଦ ନାମ ଶୁଣି କର୍ଣ୍ଣେ । ହିଂସା ଛାଡ଼ିଲେ ପଶୁଗଣେ ॥ ୧୦୯
ଗୋବିନ୍ଦ ଆଜ୍ଞା ଘେନି ଶିରେ । ଦେବେ ଚଳିଲେ ନିଜପୁରେ ॥ ୧୧୦
ସୁରଭି ଗଲା ତୋଷ ହୋଇ । ଗୋବିନ୍ଦପାଦ ହୃଦେ ଧ୍ୟାୟି ॥ ୧୧୧
ସୁଜନେ ଗୋବିନ୍ଦର ପାଦେ । ଚିତ୍ତକୁ ମଜ୍ଜାଅ ଆନନ୍ଦେ ॥ ୧୧୨
ଗୋବିନ୍ଦ ନାମ ଭେଳା କରି । ହେଳେ ତରିବ ଭବବାରି ॥ ୧୧୩
ସେ ହରି କରୁଣା ସାଗର । ନିର୍ଦ୍ଦୟାଭାବ ନାହିଁ ତା'ର ॥ ୧୧୪
ବୋଲଇ ଦାସ ଜଗନ୍ନାଥ । ଗୋବିନ୍ଦପାଦେ ଦେଇ ଚିତ୍ତ ॥ ୧୧୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଇନ୍ଦ୍ରସ୍ତୁତିନାମ ଅଷ୍ଟାବିଂଶୋଽଧ୍ୟାୟଃ ॥
* * *