ଦଶମ ସ୍କନ୍ଧ

ଅଷ୍ଟବିଂଶ ଅଧ୍ୟାୟ

ବ୍ୟାସନନ୍ଦନ ହରଷିତ । ବୋଲନ୍ତି ଶୁଣ ନରନାଥ ॥

କୃଷ୍ଣଙ୍କୁ କରି ଅପରାଧ । ଇନ୍ଦ୍ର ପାଇଲା ମନେ ଖେଦ ॥

ଭାଳଇ ମନର ବିଷାଦେ । ଦ୍ରୋହ ଯେ କଲି ପଦ୍ମ‌ପାଦେ ॥

ଅଜ୍ଞାନେ ହୋଇଲି ମୁଁ ବାଇ । ଆଉ ସମ୍ପଦ ମୋର କାହିଁ ॥

କାହାରେ ପଶିବି ଶରଣ । ନିଶ୍ଚୟ ହୋଇଲା ମରଣ ॥

ଯାହାର ମହିମା ଅନନ୍ତ । ହୃଦରେ ଅଛଇ ଜଗତ ॥

ତା'ରେ ବଇରୀପଣ ହୋଇ । କେ ଥିଲା ଥିବ ଦେହ ବହି ॥

କି ବୁଦ୍ଧି କରିବଇଁ ଆଜ । ଭୟେ କମ୍ପଇ ଦେବରାଜ ॥

ସୁରଭି ସ୍ୱର୍ଗପୁରେ ଥିଲା । ଇନ୍ଦ୍ରର ରୋଦନ ଶୁଣିଲା ॥

ବୋଲଇ ଇନ୍ଦ୍ର ମୁଖ ଚାହିଁ । ରୋଦନ କରୁ କାହିଁପାଇଁ ॥ ୧୦

ଇନ୍ଦ୍ର ବୋଇଲେ ଶୁଣ ମାତ । କୃଷ୍ଣ ନ ଭାବି ଚଉମାଥ ॥ ୧୧

ବତ୍ସା ବାଳକ ହରିନେଲା । ଆପଣା ଭୁବନେ ଥୋଇଲା ॥ ୧୨

କୃଷ୍ଣ ତା'ଜାଣି ବିଚାରିଲେ । ବତ୍ସା ବାଳକ ଭିଆଇଲେ ॥ ୧୩

ଲଜ୍ଜା ପାଇଲେ ବେଦପତି । ବେଦେ ଅନେକ କଲେ ସ୍ତୁତି ॥ ୧୪

ଏ କଥା ଥିଲି ମୁହିଁ ଜାଣି । କାଳେ ପାସୋର ଗଲା ପୁଣି ॥ ୧୫

ନ ଜାଣି ହୋଇଲଇଁ ବଣା । ଲୋଚନ ଥାଇ ହେଲି କଣା ॥ ୧୬

କେମନ୍ତେ ଚାହିଁବି ତା' ମୁଖ । ଏତେ ହୋଇଲା ବଡ଼ଦୁଃଖ ॥ ୧୭

ସୁରଭି ବୋଇଲେ ତୁ ଜାଣି । ଦ୍ରୋହ ଚିନ୍ତୁଲୁ ଚକ୍ରପାଣି ॥ ୧୮

ଏମନ୍ତେ କଲୁ ଅପରାଧ । ସେ ତୋତେ ଦେଇଛି ସମ୍ପଦ ॥ ୧୯

ଅଜ୍ଞାନ ମତ୍ତବୁଦ୍ଧି ଫଳେ । ଦ୍ରୋହ ଯେ କଲୁ ପାଦତଳେ ॥ ୨୦

ମହିମା ନ ଜାଣୁ ତାହାର । ଅଶେଷ-ବ୍ରହ୍ମାଣ୍ତŠ-ଠାକୁର ॥ ୨୧

ଦାସବତ୍ସ›ଳ ପାଦଯୁଗେ । ଶରଣ ପଶଯାଇ ବେଗେ ॥ ୨୨

ତୋ'ର ରକ୍ଷକ କେହି ନାହିଁ । ବିଶ୍ୱ ସଂସାରେ ଦେହ ବହି ॥ ୨୩

ଶୋକ ସଂହରି ଦେବରାୟ । ଶରଣ ପଶ କୃଷ୍ଣପାୟେ ॥ ୨୪

ମୋହର ପଛେ ଥାଅ ତୁହି । କୃଷ୍ଣଙ୍କୁ ଭେଟାଇବି ନେଇ ॥ ୨୫

ସ୍ତୁତି କରିବି ତୋ'ର ପାଇଁ । ତାହାର ନାମ ଭାବଗ୍ରାହୀ ॥ ୨୬

ଚରଣେ ପଶ ଯା'ଶରଣ । ତୋତେ ରଖିବେ ନାରାୟଣ ॥ ୨୭

ଏମନ୍ତ କହି ଲୋକମାତ । ଘେନି ଚଳିଲେ ସୁରନାଥ ॥ ୨୮

ମିଳିଲେ ବୃନ୍ଦାବନେ ଯାଇ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥ ୨୯

ଗାଈ ଚରାଉଥିଲେ ବନେ । ଗୋପାଳମେଳେ ବେଣୁସ୍ୱନେ ॥ ୩୦

ଘୋର ଗହନେ ପଶିଗଲେ । ଗୋପାଳ ପୋଏ ନଜାଣିଲେ ॥ ୩୧

ଇନ୍ଦ୍ର ସୁରଭି ଯହିଁ ଛନ୍ତି । ଜାଣିଲେ ପ୍ରଭୁ ଶିରୀପତି ॥ ୩୨

ମିଳିଲେ ସୁରଭିର ଲାଗେ । ଇନ୍ଦ୍ର ହିଁ ଅଛି ପୃଷ୍ଠଭାଗେ ॥ ୩୩

ସୁରଭି ଦେଖି ତୋଷଚିତ୍ତେ । ନମିଲା କୃଷ୍ଣ ପାଦଗତେ ॥ ୩୪

ସ୍ତୁତି କରଇ କୃଷ୍ଣେ ଚାହିଁ । ବୋଲଇ ଶିରେ କରଦେଇ ॥ ୩୫

ଭୋ ନାଥ ଶୁଣ ନରହରି । ଇନ୍ଦ୍ର ଯେ ତୋତେ ହେୟ କରି ॥ ୩୬

ଘୋର ବରଷଣ ବିବାଦେ । ଦ୍ରୋହ ଯେ କଲା ପଦ୍ମ‌ପାଦେ ॥ ୩୭

ସମ୍ପଦ ଦେଇଛୁ ତାହାରେ । ଏବେ ଶରଣ ତୋ'ପୟରେ ॥ ୩୮

ଲୁଚିଣ ଅଛି ମୋର ପଛେ । ଭୋ ନାଥ ଦେଖସି ପ୍ରତ୍ୟକ୍ଷେ ॥ ୩୯

ଶୁଣି ଚାହିଁଲେ ଗିରିଧର । ବାସବ ପଡ଼ିଲା ପୟର ॥ ୪୦

ଭୟେ କମ୍ପଇ ତା'ର ଦେହୀ । ଦନ୍ତେ ତିରଣ ଅଛି ଦେଇ ॥ ୪୧

ପୁଣି ଉଠିଲା ଭୟଚିତ୍ତେ । କର ଅଞ୍ଜଳି ଦେଇ ମାଥେ ॥ ୪୨

ଶିର ନିବେଶି ପଦ୍ମ‌ପାଦେ । ବୋଲଇ ଶୋକ ଗଦଗଦେ ॥ ୪୩

ଇନ୍ଦ୍ର ଉବାଚ

ଭୋ ନାଥ ଆଦିନିରଞ୍ଜନ । ଜ୍ୟୋତି ପ୍ରକାଶ ମହାଶୂନ୍ୟ ॥ ୪୪

ଗୁଣେ ପ୍ରକାଶ ତୋ'ର ନାହିଁ । ଭକତହିତେ ବହୁ ଦେହୀ ॥ ୪୫

ମାୟା-ମୋହିତ-ଭବଜଳେ । ତୋର ବିାହାର ଯୋଗବଳେ ॥ ୪୬

ଲୋଭର ମୂଳେ ଷଡ଼ ଅରି । ତୋହର ମହିମା ଆବୋରି ॥ ୪୭

ନିରତେ ଭ୍ରମାନ୍ତି ଶୟଳେ । ତୋହର ମାୟାଚକ୍ର ବଳେ ॥ ୪୮

ଜଗତ ହୋଏ ଆତଯାତ । ତୋହର ମାୟାରେ ଅନନ୍ତ ॥ ୪୯

ତୁହି ସେ ମାୟାକୁ ଆବୋରି । ଶରୀର ବହୁ ନରହରି ॥ ୫୦

ଦୁଷ୍ଟଙ୍କୁ ଦŠଣ୍ତିବାରେ ଆଶେ । ସାଧୁଙ୍କୁ ରଖୁ ତୁ ବିଶ୍ୱାସେ ॥ ୫୧

ଜଗତ-ତାତ-ମାତ ତୁହି । ତୁ ଦŠଣ୍ତଧର ଭାବଗ୍ରାହୀ ॥ ୫୨

ତୋହର ସମ୍ପଦ ଆବୋରି । ଯେ ବୋଲେ ମୋହରି ମୋହରି ॥ ୫୩

ତାହାଙ୍ଗ ଗର୍ବ ନାଶିବାରେ । ଜନମ ହେଉ ଏ ସଂସାରେ ॥ ୫୪

ମୋହର ପ୍ରାୟେ ଜ୍ଞାନ ହାରି । ଯେ ତୋର ସମ୍ପଦ ଆବୋରି ॥ ୫୫

ଗର୍ବବହନ୍ତି ଦୁଷ୍ଟ ଚିତ୍ତେ । ତାହାଙ୍କୁ ଦŠଣ୍ତୁ ତୁ ଉଚିତେ ॥ ୫୬

ଗର୍ବଗଞ୍ଜନ ତୋର ଦେଖି । ଭୟେ ମୁଦ୍ରିତ ବେନି ଆଖି ॥ ୫୭

ତକ୍ଷଣ ଗର୍ବ ଦୂରକରି । ତୋହର ମହିମା ସୁମରି ॥ ୫୮

ତୋତେ ଭଜନ୍ତି ସାଧୁଚିତ୍ତେ । ଖଳନାଶନ ଦେଖି ତୋତେ ॥ ୫୯

ଏବେ ମୁଁ କଲି ଅପରାଧ । ଭୋ ନାଥ ରଖ ପଦ୍ମ‌ପାଦ ॥ ୬୦

ଏ ଅପରାଧ କ୍ଷମାକର । ଭୋ ନାଥ ଶରଣ ତୋହର ॥ ୬୧

ଅଜ୍ଞାନମତେ ଭୋଗ ପାଇ । ଭୋଳ ହୋଇଲି ଭାବଗ୍ରାହୀ ॥ ୬୨

ଭାରାନିବାରେ ତୋ'ର ଜାତ । ତୋହର ସଞ୍ଚିଲା ଜଗତ ॥ ୬୩

ଅବନୀଭାରା ନାଶ କରି । ସାଧୁଙ୍କୁ ରଖୁ ନରହରି ॥ ୬୪

ନମଇ ପରମ ମଙ୍ଗଳ । ପରମ ଆତ୍ମା ଆଦିମୂଳ ॥ ୬୫

ନମଇଁ ବସୁଦେବ ସୁତ । ଯାଦବବଂଶ ଦଇବତ ॥ ୬୬

ଶୁଦ୍ଧମୂରତି ଦିବ୍ୟଜ୍ଞାନ । ଇଚ୍ଛାଏ ହେଉ ନାନାବ‰ର୍ଣ୍ଣ ॥ ୬୭

ସକଳଜୀବ ଆଦିପିତା । ନମଇଁ କଇବଲ୍ୟଦାତା ॥ ୬୮

ତୁ ଦେଲୁ ଇନ୍ଦ୍ରପଦ ମୋତେ । ଦ୍ରୋହ ଚିନ୍ତିଲି ମୁହିଁ ତୋତେ ॥ ୬୯

ଅଳପ ଲୋକ ମୁଁ ସ୍ୱଭାବେ । ମୋତେ ଥୋଇଲୁ ଇନ୍ଦ୍ରପଦେ ॥ ୭୦

ମୁଁ ଛାର ନୁହଁଇ ଭାଜନ । ତୁ କି ନ ଜାଣୁ ଭଗବାନ ॥ ୭୧

ଅଳପଲୋକେ ସୁଖ ଦେଲେ । ଆବୋରି ନ ପାରଇ ଭଲେ ॥ ୭୨

ଏଣୁ ହୋଇଲି ଅପରାଧୀ । ତୁ ନାଥ କରୁଣା ବାରିଧି ॥ ୭୩

ତୋ'ର ଚରଣୁଁ ନାହିଁ ଆନ । ଶରଣ ରଖ ଭଗବାନ ॥ ୭୪

ଶୁକ ବୋଲନ୍ତି ଶୁଣ ରାୟେ । କମ୍ପଇ ବାସବର କାୟେ ॥ ୭୫

ଦାସବତ୍ସ›ଳ ଭାବଗ୍ରାହୀ । ବୋଲନ୍ତି ଇନ୍ଦ୍ରମୁଖ ଚାହିଁ ॥ ୭୬

ମେଘ-ଗମ୍ଭୀର ପ୍ରାୟ ବାଣୀ । ହସି କହନ୍ତି ଚକ୍ରପାଣି ॥ ୭୭

ଭଗବାନ ଉବାଚ

ଶୁଣ ହୋ ତ୍ରିଦଶର ନାଥ । ତୋ'ର ଦେଖିଲୁ ଦୁଷ୍ଟଚିତ୍ତ ॥ ୭୮

ମୋର ସମ୍ପଦେ ଅନ୍ଧ ହୋଇ । ମୋତେ ନ ଚିହ୍ନୁ ଗର୍ବ ବହି ॥ ୭୯

ତୋତେଟି ଅଛି ମୋର ଦୟା । ତେଣୁଟି ଦେଖାଇଲି ମାୟା ॥ ୮୦

ଭାଙ୍ଗିଲି ତୋ'ର ଯଜ୍ଞକର୍ମ । ତୁ ଯେଣୁ ହେଲୁ ମତିଭ୍ରମ ॥ ୮୧

ଛାଡ଼ିଲୁ ମୋର ପାଦଚିନ୍ତା । ସମ୍ପଦେ ହୋଇଲୁ ଅଚେତା ॥ ୮୨

ଯେ ମୋ ସମ୍ପଦେ ଅନ୍ଧ ହୋଇ । ଅଜ୍ଞାନେ ମୋତେ ନ ଜାଣଇ ॥ ୮୩

ସେ ଅପରାଧେ ଦŠଣ୍ତ ପାଇ । ତାହାର ସୁଖ ଲେଶ ନାହିଁ ॥ ୮୪

ଯାହାକୁ ହୁଅଇ ସଦୟେ । ସମ୍ପଦ ହରଇ ଥୋକାଏ ॥ ୮୫

ପୁଣି ଜାଣଇ ଯେବେ ମୋତେ । ନାମ ଜପଇ ହୃଦଗତେ ॥ ୮୬

ମୋହର ଭାବେ ଯେ ପଶଇ । ଜନ୍ମ-ମରଣ ତାର ନାହିଁ ॥ ୮୭

ଏବେ ତୁ ନିଜପୁରେ ଯାଅ । ମୋହର ପାଦେ ଚିତ୍ତ ଦିଅ ॥ ୮୮

ମୋହର ଆଜ୍ଞା ଘେନି ଶିରେ । ଗର୍ବ ନ ଥାଉ ତୋ' ଶରୀରେ ॥ ୮୯

ଇନ୍ଦ୍ରକୁ ଦେଖି ତୋଷଚିତ୍ତ । ସୁରଭି ନମଇ ଅଚ୍ୟୁତ ॥ ୯୦

ତକ୍ଷଣେ ହୃଷ୍ଟମୁଖ ହୋଇ । ସ୍ତୁତି କରଇ କୃଷ୍ଣେ ଚାହିଁ ॥ ୯୧

ହେ କୃଷ୍ଣ ତୁ ପରମଯୋଗୀ । ବିଶ୍ୱ ସଂସାରେ ବିଶ୍ୱଭୋଗୀ ॥ ୯୨

ତୁ ଆମ୍ଭ ପାଳକ ଗୋପାଳ । ନମସ୍ତେ ପ୍ରଭୁ ଆଦିମୂଳ ॥ ୯୩

ଆମ୍ଭର ଇନ୍ଦ୍ର ଅଟୁ ତୁହି । ତୋ' ପାଦୁଁ ଅନ୍ୟ ଗତି ନାହିଁ ॥ ୯୪

ଗୋରୁ-ବ୍ରାହ୍ମଣ-ଦେବଙ୍କର । ତୁ ନାଥ ଶରଣ ସୋଦର ॥ ୯୫

ବ୍ରହ୍ମାବଚନେ ମୁହିଁ ତୋତେ । ପୂଜିବି ଅଭିଷେକ ମତେ ॥ ୯୬

ତୁ ନାଥ ଗୋକୁଳର ଇନ୍ଦ୍ର । ନାମ ମୁଁ ଦେବଇଁ ଗୋବିନ୍ଦ ॥ ୯୭

ତକ୍ଷଣେ ଇନ୍ଦ୍ର ଚଳିଗଲା । ମେଘମାନଙ୍କୁ ଆଜ୍ଞା ଦେଲା ॥ ୯୮

ଅଇରାବତ ଦିଗପାଳେ । ପାରିଜାତକ ଗଙ୍ଗାଜଳେ ॥ ୯୯

ବ୍ରହ୍ମଣେ ମିଳି ବେଦନାଦେ । କୃଷ୍ଣେ ସଞ୍ଚିଲେ ଇନ୍ଦ୍ରପଦେ ॥ ୧୦୦

ସୁରଭି କ୍ଷୀର ବରଷିଲା । ଗୋବିନ୍ଦ ବୋଲି ନାମ ଦେଲା ॥ ୧୦୧

ନାରଦ ଆଦି ବିଦ୍ୟାଧରେ । ତୁମ୍ବୁରୁ ଚାରଣ କିନ୍ନରେ ॥ ୧୦୨

ଗୀତବିନୋଦେ ନୃତ୍ୟରଙ୍ଗେ । ସୁସ୍ୱରେ ବାଦ୍ୟନାଦ ସଙ୍ଗେ ॥ ୧୦୩

ପୁଷ୍ପ ବରଷି ସ୍ତୁତି ଭଣି । ସୁନ୍ଦର ଦିଶଇ ଧରଣୀ ॥ ୧୦୪

ସୁରଭି ପୟେ ଇନ୍ଦ୍ର ଜଳେ । ଆନନ୍ଦ ହୋଇଲେ ସକଳେ ॥ ୧୦୫

ମେଦିନୀ କ୍ଷୀର ନୀର ପାଇ । ବରଷାକାଳ ପ୍ରାୟ ହୋଇ ॥ ୧୦୬

ସରସ ହୋଇ ମହୀରୂହେ । ମଧୁ ବରଷିଲେ ଥୋକାଏ ॥ ୧୦୭

ଶସ୍ୟ ହୋଇଲା ଆକର୍ଷଣେ । ମଣିଏ ଉପୁଜିଲେ ବନେ ॥ ୧୦୮

ଗୋବିନ୍ଦ ନାମ ଶୁଣି କ‰ର୍ଣ୍ଣେ । ହିଂସା ଛାଡ଼ିଲେ ପଶୁଗଣେ ॥ ୧୦୯

ଗୋବିନ୍ଦ ଆଜ୍ଞା ଘେନି ଶିରେ । ଦେବେ ଚଳିଲେ ନିଜପୁରେ ॥ ୧୧୦

ସୁରଭି ଗଲା ତୋଷ ହୋଇ । ଗୋବିନ୍ଦପାଦ ହୃଦେ ଧ୍ୟାୟି ॥ ୧୧୧

ସୁଜନେ ଗୋବିନ୍ଦର ପାଦେ । ଚିତ୍ତକୁ ମଜ୍ଜାଅ ଆନନ୍ଦେ ॥ ୧୧୨

ଗୋବିନ୍ଦ ନାମ ଭେଳା କରି । ହେଳେ ତରିବ ଭବବାରି ॥ ୧୧୩

ସେ ହରି କରୁଣା ସାଗର । ନିŸର୍ଦ୍ଦୟାଭାବ ନାହିଁ ତା'ର ॥ ୧୧୪

ବୋଲଇ ଦାସ ଜଗନ୍ନାଥ । ଗୋବିନ୍ଦପାଦେ ଦେଇ ଚିତ୍ତ ॥ ୧୧୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଇନ୍ଦ୍ରସ୍ତୁତିନାମ ଅଷ୍ଟାବିଂଶୋଽଧ୍ୟାୟଃ ॥

* * *