ଦଶମ ସ୍କନ୍ଧ
ସପ୍ତବିଂଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ପାଣ୍ତବ-ଚୂଡ଼ାମଣି । ନନ୍ଦନନ୍ଦନ କର୍ମବାଣୀ ॥ ୧
ଗୋପୀ ଗୋପାଳେ ରୁଣ୍ତ ହୋଇ । କହନ୍ତି ନନ୍ଦକୁ ବସାଇ ॥ ୨
ମନୁଷ୍ୟ ନୋହେ ତୋ ବାଳକ । ଏହାର କର୍ମମାନ ଦେଖ ॥ ୩
କେଉଁ ଦେବତା ଗୋପ୍ୟ ହୋଇ । ଜନ୍ମ ହୋଇଲା ଦେହ ବହି ॥ ୪
ଆମ୍ଭର ବଂଶେଜାତ ହୋଇ । ଏମନ୍ତ ଦେଖିଲା ତ ନାହିଁ ॥ ୫
ସାତ ବରଷ ତୋର ବାଳ । କରେ ତୋଳିଲା ଗିରିବର ॥ ୬
ନଳିନୀ ଯେହ୍ନେ ଗଜ-କରେ । ପର୍ବତ ତୋଳିଲା ସଧୀରେ ॥ ୭
ତିନିଦିନର ତୋର ସୁତ । ପୂତନା ପ୍ରାଣ କଲା ହତ ॥ ୮
ଅନ୍ତୁଡ଼ି ଉଠିଆରୀ ଦିନେ । ଶକଟ ଭାଙ୍ଗିଲା ଚରଣେ ॥ ୯
ଦିନେକ ଦ୍ୱାରେ ବସିଥିଲା । ତୃଣାବର୍ତ୍ତ ଯେ ହରିନେଲା ॥ ୧୦
ଗଗନେ ନେଇ ତା' ମାଇଲା । ଶିଳାରେ ପଡ଼ି ଉବୁରିଲା ॥ ୧୧
ଦଧିମନ୍ଥନ ବେଳେ ଧରି । ରୋଳେ ବାନ୍ଧିଲା ତୋର ନାରୀ ॥ ୧୨
ଘରୁ ବାହାର ହୋଇଗଲା । ବୃକ୍ଷର ତଳରେ ମିଳିଲା ॥ ୧୩
ବୃକ୍ଷ ମଧ୍ୟରେ ପଶିଗଲା । ଯାମଳା ଅର୍ଜୁନ ଭାଙ୍ଗିଲା ॥ ୧୪
ଅଘା ଦଇତ ବାଳକାଳେ । ମାଇଲା କୁମାରଙ୍କ ମେଳେ ॥ ୧୫
ଦିନେକ ବକ ଗିଳୁଥିଲା । ସେ ପୁଣି କେମନ୍ତେ ଜାଣିଲା ॥ ୧୬
ବକାସୁରକୁ କରେ ଧରି । ଚିରିଲା ବେନିଫାଳ କରି ॥ ୧୭
ଧେନୁକା ତାଳବନେ ନାଶି । ଫଳ ଆଣିଲା ମନ ତୋଷି ॥ ୧୮
ପ୍ରଳମ୍ବା ଯୁଦ୍ଧେ ମରାଇଲା । ଗୋକୁଳ ଅନଳୁଁ ତାରିଲା ॥ ୧୯
ଜାଣୁ ନା କାଳୀୟର କଥା । କେ ତା'ରେ ଅଛି ସାମରଥା ॥ ୨୦
ହେଳେ ଗଞ୍ଜିଲା ତା'ର ବଳ । ଅମୃତ କଲା ବିଷଜଳ ॥ ୨୧
ଲୋଚନେ ତା'ର ମୁଖ ଚାହିଁ । ଗୋପୀଗୋପାଳେ ହେଉଁ ବାଇ ॥ ୨୨
ଆମ୍ଭର ବଡ଼ଇ ମୁହାଁସ । ବାଳକେ ନଛାଡ଼ନ୍ତି ପାଶ ॥ ୨୩
ଏବେ ତୋଳିଲା ଗିରିବର । ସାତବରଷ ତୋ' କୁମର ॥ ୨୪
ଆମ୍ଭେ ପାଇଲୁ ମନେ ଶଙ୍କା । ନନ୍ଦ ତୁ ଏଥେ ଥାଅ ଏକା ॥ ୨୫
କିଏ ଅସୁର ତୋ'ର କୋଳେ । ଆମ୍ଭଙ୍କୁ ଗିଳିବ ସେ ହେଳେ ॥ ୨୬
ପଳାଇଯିବୁ ତୋର ପୁରୁ । ତୋର ସୁତକୁ ଆମ୍ଭେ ଡ଼ରୁ ॥ ୨୭
ଦଇବେ ଆମେ ରାଜଦ୍ରୋହୀ । ଏ ପୁରେ ନ ରହିବୁ କେହି ॥ ୨୮
ଯେତେ ଅସୁର ମଲେ ଏଥ । ସମସ୍ତେ ରାଜା ଅମନାତ୍ୟ ॥ ୨୯
ରାଜବଇରୀ ପଣ ହୋଇ । କେ ପ୍ରଜା ନଗ୍ରେ ଥାଇ ରହି ॥ ୩୦
ଏବେ ହୋଇଲା ବଡ଼ ଭୟ । ଯଜ୍ଞ ଭାଙ୍ଗିଲା ତୋର ପୁଅ ॥ ୩୧
ଇନ୍ଦ୍ରର ତୁଲେ ବାଦ କରି । କେ ରହିପାରେ ମର୍ତ୍ତ୍ୟପୁରୀ ॥ ୩୨
ନନ୍ଦ ବୋଇଲା ତାହା ଶୁଣି । ଗୋପବଚନ ପରିମାଣି ॥ ୩୩
ଶୁଣ ସକଳ ଗୋପଜନ । ଗର୍ଗ ଋଷିଙ୍କର ବଚନ ॥ ୩୪
ପୁତ୍ରଙ୍କ ନାମକର୍ମ କାଳେ । ମୋତେ କହିଲେ ଏକମେଳେ ॥ ୩୫
ବୋଇଲେ ତୋର ପୁତ୍ରକଥା । ଜାଣଇଁ ଜନ୍ମର ବାରତା ॥ ୩୬
ଚାରିଯୁଗରେ ଚାରିବର୍ଣ୍ଣ । ଶୁକ୍ଳ ଶୋଣିତ ପୀତ ଶ୍ୟାମ ॥ ୩୭
ପୂର୍ବେ ଏ ବସୁଦେବ ଘରେ । ଜନ୍ମିଲା ଦେବକୀ ଉଦରେ ॥ ୩୮
ଏହାର ନାମ ବାସୁଦେବ । ବିଦିତ ବୋଲନ୍ତି ସାଧବ ॥ ୩୯
ଏହାର ନାମ ଗୁଣ ଯେତେ । ମୁହିଁ ଜାଣଇ ଯୋଗମତେ ॥ ୪୦
ଗୋକୁଳ ତାରିବ ଏ ଭଲେ । ସୁଖେ ବଞ୍ଚିବ ଏହା ତୁଲେ ॥ ୪୧
ପୂର୍ବେ ସାଧବେ ସିଦ୍ଧେ ରହି । ତରିଲେ ଏହା ପାଦ ଧ୍ୟାୟି ॥ ୪୨
ଏହାର ପାଦେ ସେବା କରି । ହେଳେ ତରିବେ ନରନାରୀ ॥ ୪୩
ହେ ନନ୍ଦ ଶୁଣ ସାବଧାନ । ମନୁଷ୍ୟ ନୋହେ ତୋ' ନନ୍ଦନ ॥ ୪୪
ଦେଖ ଏହାର ବର୍ଣ୍ଣଚିହ୍ନ । ପ୍ରତ୍ୟକ୍ଷେ ବିଷ୍ଣୁର ସମାନ ॥ ୪୫
ଏମନ୍ତ କହିଗଲେ ମୁନି । ତାହାଙ୍କ ବୋଲ ଶିରେ ଘେନି ॥ ୪୬
ମଣିଲି ନାରାୟଣ ପ୍ରାୟ । ତୁମ୍ଭେ ନ କର ମନେ ଭୟ ॥ ୪୭
ପୁତ୍ରର ଜନ୍ମ ତିନିଦିନେ । ଅଇଲି ମଥୁରା ଭୁବନେ ॥ ୪୮
କଂସ ବିଡ଼ିଆକର ଘେନି । ରହିଲି ସେଦିନ ରଜନୀ ॥ ୪୯
ନବରେ ଦେଖି ବସୁଦେବ । ସେ ମୋର ପ୍ରିୟ ମିତ୍ରଭାବ ॥ ୫୦
ଏହାର ଯେତେ କଥାମାନ । ଯାହା କହିଲେ ତପୋଧନ ॥ ୫୧
ମୁଁ ହାଦେ ହେଜୁଥାଇ ବସି । ପ୍ରିୟବଚନ ଅହର୍ନିଶି ॥ ୫୨
ଆବର କଥା ଏକ ଶୁଣ । କହି ଅଛନ୍ତି ତପୋଧନ ॥ ୫୩
ଏ ପୁତ୍ର ଯେତେ ଯେତେ କଥା । ଏଥକୁ ନ କରିବୁ ବ୍ୟଥା ॥ ୫୪
ଯେତେ ଅରିଷ୍ଟ ତୋର ପୁରେ । ମରିବେ ଯେତେକ ଅସୁରେ ॥ ୫୫
ଏଥକୁ ନ ପାଇବୁ ଚିନ୍ତା । ତୋ' ପୁତ୍ର ପ୍ରତ୍ୟକ୍ଷେ ବିଧାତା ॥ ୫୬
ମୋତେ ଅଛନ୍ତି ଏତେ କହି । ଏଥକୁ ନ ବିଚାର କେହି ॥ ୫୭
ଏମନ୍ତ ନନ୍ଦ ମୁଖୁଁ ଶୁଣି । ଗର୍ଗବଚନ ମନେ ଗୁଣି ॥ ୫୮
ନନ୍ଦବଚନେ ମନଦେଇ । ଶଙ୍କା ଛାଡ଼ିଲେ କୃଷ୍ଣେ ଚାହିଁ ॥ ୫୯
ଆନନ୍ଦେ ଆଲିଙ୍ଗନ କରି । ମାୟା ମୋହିଲେ ନରହରି ॥ ୬୦
ଗୋପାଳେ ହୋଇଲେ ହରଷ । କୃଷ୍ଣଙ୍କୁ ଚାହିଁ ହସହସ ॥ ୬୧
ଆନନ୍ଦେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ କର ତ୍ରାହି ॥ ୬୨
ବାସବ ତ୍ରାସୁ ଯେ ତାଲିଲା । ପର୍ବତ କରେ ଉପାଡ଼ିଲା ॥ ୬୩
ସେ ଆମ୍ଭ ରଖୁ ସର୍ବକାଳେ । ଗୋରୁ ଗୋପାଳ ଏକମେଳେ ॥ ୬୪
ଶରଣ ଗଲୁଁ ତା'ର ପାଦେ । ଗୋପାଳେ ବୋଲନ୍ତି ଆନନ୍ଦେ ॥ ୬୫
ହରିଚରିତ ସୁଧାବାରି । ଶ୍ରୁତିଯୁଗଳେ ପାନ କରି ॥ ୬୬
ଆନନ୍ଦମନେ କର ଲୟ । ହେଲେ ତାରିବେ ଦେବରାୟ ॥ ୬୭
ସୁଜନଜନେ ଏଣେ ରସ । ହେଳେ ଖଣ୍ତିବ ମୋହପାଶ ॥ ୬୮
ହରିଚରଣ ଆଶ୍ରା କର । ଆଉ ନ ଥିବ ଦୁଃଖ ଘୋର ॥ ୬୯
ବୋଲଇ ଦାସ ଜଗନ୍ନାଥ । ଗୀତ ପ୍ରବନ୍ଧେ ଭାଗବତ ॥ ୭୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ସପ୍ତବିଂଶୋଽଧ୍ୟାୟଃ ॥
* * *