ଦଶମ ସ୍କନ୍ଧ

ଷଡ଼୍‌ବିଂଶ ଅଧ୍ୟାୟ

ପରୀକ୍ଷରାଜା ମୁଖ ଚାହିଁ । ଶୁକ କହନ୍ତି ତୋଷ ହୋଇ ॥

ଶୁକ ଉବାଚ

ଶୁଣ ହୋ କୁରୁନୃପମଣି । ସ୍ୱର୍ଗେ ଜାଣିଲେ ବଜ୍ରପାଣି ॥

କୃଷ୍ଣର ଦେଖି ଦୁଷ୍ଟପଣ । କୋପେ କମ୍ପିଲା ସୁରରାଣ ॥

କହଇ ଦେବଙ୍କୁ ବସାଇ । ମେଘ ପବନକୁ ଅଣାଇ ॥

ପ୍ରଳୟକାରୀ ମେଘଗଣ । ଅନାଇଁ କହେ ମଘବାନ ॥

ଶୁଣ ପବନ ମେଘମାଳେ । ମୋ' ପୂଜା ଭାଙ୍ଗିଲେ ଗୋପାଳେ ॥

ଯଶୋଦାସୁତ କୃଷ୍ଣ ବୋଲେ । ଗୋପାଳେ ମୋତେ ନ ମାନିଲେ ॥

ବାଳକ କୃଷ୍ଣ ବୋଲି ନାମ । ତା ବେଲେ କଲେ ଏଡ଼େ କର୍ମ ॥

ମନୁଷ୍ୟ ହୋଇ ବଳୀୟାର । ପୂଜା ଭାଙ୍ଗିଲା ଗୋପେ ମୋର ॥

ଗଉଡ଼େ କୃଷ୍ଣ ସଙ୍ଗେ ଭୋଳ । ମୁଁ ଆଜ ପୂରାଇବି କାଳ ॥ ୧୦

ଏ ଅପମାନ କେବା ସହି । ସ୍ୱର୍ଗରେ ଇନ୍ଦ୍ରପଦ ବହି ॥ ୧୧

ସମ୍ପଦ-ମତ୍ତଗର୍ବ ଅନ୍ଧେ । ସିନ୍ଧୁ ତରିବେ ବାଲିବନ୍ଧେ ॥ ୧୨

ଦଦରା ନାବେ ଯେହ୍ନେ ବସି । ସମୁଦ୍ରତରଣେ ସାହସୀ ॥ ୧୩

ଭବତରଣେ ପଥ ଲୋଡ଼ି । ପଣ୍ତିତେ ଧର୍ମଶାସ୍ତ୍ର ଛାଡ଼ି ॥ ୧୪

ଏମନ୍ତ ମଣିଲେ ଗୋପାଳେ । ନନ୍ଦବାଳକ କୃଷ୍ଣ ବୋଲେ ॥ ୧୫

ବାଳକ ସପତବରଷ । ତାବୋଲେ କରିଲେ ବିଶ୍ୱାସ ॥ ୧୬

ବାଳୁତ ପ୍ରାୟ ଖେଳୁଥାଇ । ପାଠପଠନ ନ ଜାଣଇ ॥ ୧୭

ଗାଈ ଚରାଇ ବନେ ବନେ । ଗୋପାଳ ସଙ୍ଗେ ବେଣୁସ୍ୱନେ ॥ ୧୮

ପଣ୍ତିତ ପ୍ରାୟ ତା'କୁ ମଣି । ମୋହର ମହିମା ନ ଜାଣି ॥ ୧୯

ଏଡ଼େ ଅନୀତି ଆଚରିଲେ । ଆଜ ସଂଗ୍ରାମ କୃଷ୍ଣ ତୁଲେ ॥ ୨୦

ଜାଣିବା କୃଷ୍ଣ ଆଶ୍ରେ କରି । କେମନ୍ତେ ଥିବେ ଗୋପପୁରୀ ॥ ୨୧

ଗୋରୁ ଗୋପାଳ କୃଷ୍ଣ ଆଦି । ଏ ମୋର ଯଜ୍ଞଭଙ୍ଗେ ବାଦୀ ॥ ୨୨

ଏହାଙ୍କୁ କର ବେଗେ ନାଶ । ଆବୋରି ବୃନ୍ଦାବନଦେଶ ॥ ୨୩

ତୁମ୍ଭେ ପ୍ରଳୟ ଚାରିମେଘେ । ଗୋପେ ବରଷ ଯାଇ ବେଗେ ॥ ୨୪

ଶୁଣ ପବନ ଅଣଚାଶ । ଏ ଚାରିମେଘେ ତୁମ୍ଭେ ମିଶ ॥ ୨୫

ବିଜୁଳି ଘୋରନାଦ ଘେନି । ଶବଦେ କମ୍ପାଅ ମେଦିନୀ ॥ ୨୬

ବଜ୍ର ପାଷାଣ ସଙ୍ଗେ ବାରି । ବରଷ ଘୋରନାଦ କରି ॥ ୨୭

ମୁଁ ପୁଣି ତୁମ୍ଭ ପଛେ ଥାଇ । ଅଇରାବତରେ ଆରୋହୀ ॥ ୨୮

ବଜ୍ର ମାରିବି ନିରନ୍ତରେ । ଅନଳଜ୍ୟୋତି ପରଖରେ ॥ ୨୯

ନନ୍ଦସମ୍ପଦ କରି ନାଶ । ତେବେ ହୋଇବ ମନତୋଷ ॥ ୩୦

ରିପୁ ନ ସାଧନ୍ତି ଯେ ପ୍ରାଣୀ । ତାହାଙ୍କୁ ମନୁଷ୍ୟେ ନ ଗଣି ॥ ୩୧

ଶୁକ କହନ୍ତି ରାଜା ଆଗେ । ଇନ୍ଦ୍ରର ବୋଲେ ଚାରିମେଘେ ॥ ୩୨

ପବନ ଘେନି ଚଳିଗଲେ । ଗୋପନଗରକୁ ବେଢ଼ିଲେ ॥ ୩୩

ଗୋପନଗର ସୀମା ଯେତେ । ରୁନ୍ଧିଲେ ଦିଗ-ଶୂନ୍ୟପଥେ ॥ ୩୪

ବିଜୁଳିନାଦ ଖରତର । ଦିବସେ କଲେ ଅନ୍ଧକାର ॥ ୩୫

ପବନ ଘୋରନାଦ କରି । ଶବଦେ କମ୍ପେ ବସୁନ୍ଧରୀ ॥ ୩୬

ହସ୍ତୀର ଶୁଣ୍ଢ ପ୍ରାୟ ଜଳ । ଧାରା ବରଷନ୍ତି ଗହଳ ॥ ୩୭

ଜଳର ସଙ୍ଗେ ଶିଳା ପଡ଼ି । ଶବଦ ମେଘ ଘଡ଼ଘଡ଼ି ॥ ୩୮

ଦଣ୍ତŠକେ ଉଛୁଳିଲା ମହୀ । ସ୍ଥଳ ଗଭୀର ନ ଦିଶଇ ॥ ୩୯

ଶୀତ ପବନ ସଙ୍ଗେ ବାରି । କମ୍ପନ୍ତି ଗୋପ ନରନାରୀ ॥ ୪୦

ଗୋପାଳେ ଦେଖି ବିପରୀତ । ବୋଇଲେ ହୋଇଲୁ ଅନାଥ ॥ ୪୧

ଯଶୋଦା ନନ୍ଦନର ବୋଲେ । ବିବାଦ କଲୁ ଇନ୍ଦ୍ରତୁଲେ ॥ ୪୨

ବାଳବଚନ ସତ୍ୟ କରି । ଅନାଥ ହେଲୁ ଗୋପପୁରୀ ॥ ୪୩

କାହାରେ ପଶିବୁଁ ଶରଣ । ଅକାଳେ ହୋଇଲା ମରଣ ॥ ୪୪

ଅନାଥ ହୋଇଲୁ ଗୋକୁଳ । ଡ଼ାକନ୍ତ ରଖ ଆଦିମୂଳ ॥ ୪୫

ହେ କୃଷ୍ଣ ତୋ'ର ବୋଲ କରି । ନିଶ୍ଚେ ବୁଡ଼ିଲା ଗୋପଶିରୀ ॥ ୪୬

ଗୋରୁଏ ଶିଳା ଜଳେ କମ୍ପି । କୃଷ୍ଣଙ୍କୁ ଚାହାଁନ୍ତି ନିରୋପି ॥ ୪୭

ଲାଞ୍ଜେ ଆଚ୍ଛାଦି ମୁଖଦେଶେ । ମିଳିଲେ ଗୋବିନ୍ଦର ପାଶେ ॥ ୪୮

ବୃଦ୍ଧ ବାଳକେ ଥରହର । ଡ଼ାକନ୍ତି ରଖ ଦାମୋଦର ॥ ୪୯

ତୋରେ ଶରଣ ଗୋପପୁର । ତୁ ନାଥ ଆମ୍ଭ ବଳୀୟାର ॥ ୫୦

ତୁ ନାଥ ଆମ୍ଭର ପରାଣ । ତୋ ବେଳେ ଗଲା ଆମ୍ଭ ପ୍ରାଣ ॥ ୫୧

ଥୋକେ ବୋଲନ୍ତି କୃଷ୍ଣ ବୋଲେ । ବିବାଦ କଲୁଁ ଇନ୍ଦ୍ର ତୁଲେ ॥ ୫୨

ଏ କାହିଁ ରଖିବ ଗୋକୁଳ । ମନୁଷ୍ୟଜନ୍ମ ନନ୍ଦବାଳ ॥ ୫୩

ସକଳେ ହୋଇଲୁ ନିରେଖ । ଡ଼ାକନ୍ତି ନାରାୟଣ ରଖ ॥ ୫୪

ମଧୁସୂଦନ ଚକ୍ରଧର । ଅନାଦି ଧର୍ମ ନିରାକାର ॥ ୫୫

ତୋର ଶରଣୁଁ ଅନ୍ୟ ନାହିଁ । ଗୋକୁଳ ରଖ ଭାବଗ୍ରାହୀ ॥ ୫୬

ଇନ୍ଦ୍ରର ହୋଇଲୁଁ ବଇରୀ । ବୁଡ଼ିଲା ଗୋପପୁର ଶିରୀ ॥ ୫୭

ସକଳେ ହୋଇଲୁ ନିରାଶ । ଛାଡ଼ିଲୁଁ ଜୀବନର ଆଶ ॥ ୫୮

ଗୋପର ଦେଖିଣ ବିକଳ । ହସି ବୋଲନ୍ତି ନନ୍ଦବାଳ ॥ ୫୯

ଏତ ଅଋତୁ ବରଷଣ । ପ୍ରଚଣ୍ତŠ ପବନ ପାଷାଣ ॥ ୬୦

ବରଷା ଋତୁ ଏ ନୁହଁଇ । ଇନ୍ଦ୍ର ବରଷେ କୋପ ବହି ॥ ୬୧

ବାସବ ମୋତେ ନ ଜାଣଇ । ମନୁଷ୍ୟ ପ୍ରାୟେକ ମଣଇ ॥ ୬୨

ମୋହର ଜୀବନ ଗୋକୁଳ । ଏହାଙ୍କୁ କରଇ ବିକଳ ॥ ୬୩

ମୋତେ ସେ କଲା ଏଡ଼େ କର୍ମ । ଭୋଳେ ହୋଇଲା ମତିଭ୍ରମ ॥ ୬୪

ପୂର୍ବେ ଏ ଅଛି ତପ ଦାହୀ । ମୋହର ପାଦେ ଚିତ୍ତ ଦେଇ ॥ ୬୫

କେମନ୍ତେ ନାଶିବି ସମ୍ପଦ । ମୋହର ଦେଲା ଇନ୍ଦ୍ରପଦ ॥ ୬୬

ଏହାର ଗର୍ବ ଆଜ ନାଶି । ପୁଣି ମୁଁ ସ୍ଥାପିବି ଆଶ୍ୱାସି ॥ ୬୭

ମୋହର ଭାବ ଯେ ଜାଣଇ । ତାହାର ଦେହେ ଗର୍ବ ନାହିଁ ॥ ୬୮

ଗର୍ବଗଞ୍ଜନେ ବାନା ମୋର । ଦୁଷ୍ଟଦଳନେ ଅବତାର ॥ ୬୯

ମୋର ସମ୍ପଦ ଗୋପପୁରୀ । ମୁହିଁ ସେ ଗୋପପୁର ଶିରୀ ॥ ୭୦

ମୋତେ ମାରିବ ବୋଲେ କୋପେ । ଇନ୍ଦ୍ର ହିଁ ଆସିଅଛି ଗୋପେ ॥ ୭୧

ଅଇରାବତ ସେ ଆରୋହି । ବଜ୍ର ମାରଇ ମୋତେ ଚାହିଁ ॥ ୭୨

ଆଜ ମୁଁ ରଖିବି ଗୋକୁଳ । କେ ସହୁ ଗୋରୁଙ୍କ ବିକଳ ॥ ୭୩

ଏମନ୍ତ ବିଚାରି ଅନନ୍ତ । ବଢ଼ାଇ ଦେଲେ ବାମହସ୍ତ ॥ ୭୪

ପର୍ବତ ଥିଲା ନଦୀତୀରେ । ଗୋବିନ୍ଦ ଉପାଡ଼ିଲେ ହେଳେ ॥ ୭୫

ଅଚଳ ମୃତ୍ତବନ୍ତ ହୋଇ । ଶ୍ରୀଭୁଜେ ବସିଲାକ ଯାଇ ॥ ୭୬

ଜାଣି ସେ କୃଷ୍ଣ ନିଜ ଧାମ । ପର୍ବତ ତେଜିଲା ଆଶ୍ରମ ॥ ୭୭

ଯହୁଁ ସେ ପ୍ରଭୁ ଦେବରାଜ । ବିସ୍ତାର କଲେ ମହାଭୁଜ ॥ ୭୮

କରେ ପର୍ବତ ବସାଇଲେ । ବିଶ୍ୱମୂରତି ପ୍ରକାଶିଲେ ॥ ୭୯

ଛତ୍ର ପ୍ରାୟେକ ଗିରି ତୋଳି । ଡ଼ାକନ୍ତି ପ୍ରଭୁ ବନମାଳୀ ॥ ୮୦

ହେ ତାତ ମାତ ଗୋପବାଳେ । ବହନ ପଶ ଗିରିତଳେ ॥ ୮୧

ଗୋରୁ ଗୋପାଳ ଆଦିକରି । ସର୍ବସମ୍ପଦ ନରନାରୀ ॥ ୮୨

ନିର୍ଭୟ ହୋଇ ସର୍ବେ ପଶ । ମନେ ନ କର କିଛି ତ୍ରାସ ॥ ୮୩

ହସି ବୋଲନ୍ତି ପୀତବାସ । ତୁମ୍ଭେ ଯେ ମୋହର ବିଶ୍ୱାସ ॥ ୮୪

ମୋହର କରେ ଗିରି ଥିବ । ତୁମ୍ଭ ଉପରେ ନ ପଡ଼ିବ ॥ ୮୫

ପୁଷ୍ପ ହୁଁ ଉଶ୍ୱାସଟି ମୋତେ । ତୁମ୍ଭେ ନ ଯାଅ ଅପରତେ ॥ ୮୬

ତୁମ୍ଭର ହିତେ ଗିରିବରେ । ଦେଖ ତୋଳିଲି ବାମକରେ ॥ ୮୭

ତୁମ୍ଭେ ଯେ ମଲେ ହତ୍ୟା ମୋର । କହନ୍ତି ପ୍ରଭୁ ଦାମୋଦର ॥ ୮୮

ତୁମ୍ଭର ହିତେ ମୋହ ଦେହୀ । ଜନ୍ମିଛି ନରଦେହ ବହି ॥ ୮୯

ମୋହର ବୋଲେ ଯଜ୍ଞ ଭାଜି । ଏବେ ହୋଇଲେ ଇଦ୍ରେ ଗଞ୍ଜି ॥ ୯୦

ମୁଁ ଆଜ ରଖିବି ତୁମ୍ଭଙ୍କୁ । କିମ୍ପାଇ ଡ଼ର ବାସବକୁ ॥ ୯୧

ନିର୍ଭୟ ଚିତ୍ତେ ସର୍ବେପଶ । ପର୍ବତ ବଡ଼ଇ ଉଶ୍ୱାସ ॥ ୯୨

ଭୃତ୍ୟଙ୍କ ଛଳେ ନରହରି । ତୋଳିଲେ ଗୋବର୍ଦ୍ଧନ ଗିରି ॥ ୯୩

କୃଷ୍ଣବଚନେ ସୁଖଭୋଳେ । ପଶିଲେ ପର୍ବତର ତଳେ ॥ ୯୪

ଯାହାର ଘରେ ଯେତେ ଦ୍ରବ୍ୟ । ପଶିଲେ ସଙ୍ଗେ ଘେନି ସର୍ବ ॥ ୯୫

ଗିରିକନ୍ଦରେ ଗଲେ ପଶି । ଶ୍ରୀକୃଷ୍ଣ ବଚନେ ବିଶ୍ୱାସି ॥ ୯୬

ଦାସବତ୍ସାଳ ବନମାଳୀ । ପୁଷ୍ପର ପ୍ରାୟେ ଗିରି ତୋଳି ॥ ୯୭

ବାମ-କନିଷ୍ଠ-ଅଙ୍ଗୁଳିରେ । ଗୋବିନ୍ଦ ବସାଇଲେ ଧୀରେ ॥ ୯୮

ଅଙ୍ଗୁଳି-ଅଗ୍ରେ ଗିରି ଦେଖି । ଭୟେ ବୁଜିଲେ ସର୍ବେ ଆଖି ॥ ୯୯

ଗୋପୀଏ ଗୁରୁଙ୍କର ମେଳେ । ଅନାଇ କାନ୍ଦନ୍ତି ବିକଳେ ॥ ୧୦୦

ବୋଲନ୍ତି ଏବେ ନାଶଗଲୁ । ଗିରିକନ୍ଦରେ ପ୍ରାଣ ଦେଲୁ ॥ ୧୦୧

ସାତ ବରଷ ପୁଅ କରେ । ପର୍ବତ ଅଙ୍ଗୁଳି ଅଗ୍ରରେ ॥ ୧୦୨

ଏ କେତେବେଳ ଧରିଥିବ । ପବନ ବହିଲେ ପଡ଼ିବ ॥ ୧୦୩

କୋପ କରିଛି ଇନ୍ଦ୍ରରାଜା । ଆମେ ନ ଦେଲୁ ବଳି ଭୋଜା ॥ ୧୦୪

ନନ୍ଦର ସୁତ ଆମ୍ଭ କାଳ । ତୋବୋଲେ ବୁଡ଼ିଲା ଗୋକୁଳ ॥ ୧୦୫

ଏମନ୍ତେ ପର୍ବତକୁ ଚାହିଁ । ଗୋପୀଙ୍କ ଦେହେ ପ୍ରାଣ ନାହିଁ ॥ ୧୦୬

ସମସ୍ତ ଚକ୍ଷୁ ଏକମେଳେ । ଥୋଇଲେ କୃଷ୍ଣ କରତଳେ ॥ ୧୦୭

କ୍ଷୁଧା ପିପାସେ ନାହିଁ ମନ । ନିମିଷେ କଲେ ସାତଦିନ ॥ ୧୦୮

କୃଷ୍ଣର ମାୟାଯୋଗ ବଳେ । ରାତ୍ର ଦିବସ ନ ଜାଣିଲେ ॥ ୧୦୯

କୃଷ୍ଣଙ୍କୁ ବୋଲନ୍ତି ଗୋପାଳେ । ଗିରି ଧଇଲୁ ବାଳକାଳେ ॥ ୧୧୦

ଆମ୍ଭଙ୍କୁ ଲାଗୁଅଛି ଭୟ । ମରଣ ହୋଇଲା ନିଶ୍ଚୟ ॥ ୧୧୧

ଆସ ହୋ ଗୋପାଳେ ସମସ୍ତେ । ଗିରି ଧରିବା ଯେଝାମତେ ॥ ୧୧୨

ବାଳୁତ ପୁଅ ହସ୍ତେ ମେରୁ । ଏଡ଼େ ଅଚଳ ମହାଗରୁ ॥ ୧୧୩

ପଡ଼ିଲେ ସମସ୍ତେ ମରିବା । ଯେ ଯାହା ମତେ ଧରିଥିବା ॥ ୧୧୪

ଏତକ ବୋଲିଣ ଗୋପାଳେ । ଲଉଡ଼ି ଦେଲେ ଗିରିମୂଳେ ॥ ୧୧୫

ଯେ ଯାହା ଅନୁରୂପେ ଧରି । ରହିଲେ ଗୋପ ନରନାରୀ ॥ ୧୧୬

ଇନ୍ଦ୍ର ଯେ ଶୂନ୍ୟେ ରହିଥିଲା । ସପତ ଦିନ ବରଷିଲା ॥ ୧୧୭

ପ୍ରଳୟକାରୀ ମେଘମାଳ । ଫୁଟିଣ ହୋଇଲେ ନିର୍ଜଳ ॥ ୧୧୮

ପବନ ଚଳି ନ ପାରିଲେ । ଅଳପ ଅଳପ ବହିଲେ ॥ ୧୧୯

ବିଜୁଳି ମେଘେ ଲୀନ ହେଲା । ଶବଦ ନିଶ୍ଚଳ ହୋଇଲା ॥ ୧୨୦

ଦେଖି କମ୍ପିଲା ସୁରପତି । ଆରୋହି ଐରାବତ ହସ୍ତୀ ॥ ୧୨୧

ଆପଣା କରେ ବଜ୍ର ଘେନି । କୋପେ ଧାଇଁଲା ସସ୍ରଯୋନି ॥ ୧୨୨

ସହସ୍ର ଧାର ଶକ୍ତି ତୋଳି । ମନେ ଜାଣିଲେ ବନମାଳୀ ॥ ୧୨୩

ଇନ୍ଦ୍ର ଯେ ଆସୁଅଛି ରଙ୍ଗେ । ମାରିବ ଗୋବର୍ଦ୍ଧନ ଅଙ୍ଗେ ॥ ୧୨୪

ବଜ୍ରେ ପର୍ବତ ହେବ ଧ୍ୱଂସ । ଗୋପୀଗୋପାଳେ ଯିବେ ନାଶ ॥ ୧୨୫

ଏତେ ବିଚାରି ଚକ୍ରଧାରୀ । ପର୍ବତ ଚକ୍ରେଣ ଉହାଡ଼ି ॥ ୧୨୬

କୋପ ଯେ ହୋଇ ସୁରପତି । ବଜ୍ର ପ୍ରହାର କଲା ଧାତି ॥ ୧୨୭

ପର୍ବତେ ପଡ଼ି ବଜ୍ର ଶର । ଝଲକି ଉଠିଲା ଅନଳ ॥ ୧୨୮

ଦେଖି କ୍ରୋଧଇ ସୁରେଶ୍ୱର । ପୁଣି କଲାକ ସେ ପ୍ରହାର ॥ ୧୨୯

ବାସବ ଦେହେ ଶସ୍ତ୍ର ବାଜି । ପୁଣି ପିଟିଲା ଗଳଗାଜି ॥ ୧୩୦

ଚକ୍ରେ ପଡ଼ନ୍ତେ ବଜ୍ରଶର । ମୁଖରୁ ବହିଲା ରୁଧିର ॥ ୧୩୧

ସର୍ମ ପାଇଲା ସୁରପତି । ଜାଣିଲା ନିଶ୍ଚେ ଏ ଶ୍ରୀପତି ॥ ୧୩୨

ଇନ୍ଦ୍ରର କରେ ଶସ୍ତ୍ର ନାହିଁ । ବୋଲଇ ମେଘକୁ ଅନାଇ ॥ ୧୩୩

ଆଉ କି ଗର୍ବ ଅଛି ମୋର । ଗିରି ତୋଳିଲେ ଦାମୋଦର ॥ ୧୩୪

ରଖିଲେ ଗୋପପୁର ଶିରୀ । ଆସ ହୋ ଯିବା ନିଜ ପୁରୀ ॥ ୧୩୫

ଏମନ୍ତ ବୋଲି ବାହୁଡ଼ିଲା । ନିଜ ଭୁବନେ ବିଜେ କଲା ॥ ୧୩୬

କୃଷ୍ଣ ଯେ ଥିଲେ ଗିରିତୋଳି । ଜାଣିଲେ ମେଘେ ଗଲେ ଚଳି ॥ ୧୩୭

ହାରିଣ ବାହୁଡ଼ିଲା ଇନ୍ଦ୍ର । ଜାଣିଲେ ପ୍ରଭୁ ଆଦିକନ୍ଦ ॥ ୧୩୮

ବୋଲନ୍ତି ଗୋପାଳଙ୍କୁ ଚାହିଁ । ବାହାର ହୁଅ ବେଗ ହୋଇ ॥ ୧୩୯

ଗଗନ ନିର୍ମଳ ଦିଶିଲା । ରବି କିରଣ ପ୍ରକାଶିଲା ॥ ୧୪୦

ସକଳ ଜଳ ନଦୀମାର୍ଗେ । ପଶିଲେ ସମୁଦ୍ର ସଂଯୋଗେ ॥ ୧୪୧

ପବନ ବହିଲା ଉଶ୍ୱାସ । ଦିଶିଲା ବନ ଦିଗ ଦେଶ ॥ ୧୪୨

ଏବେ ବାହାର ହୁଅ ବେଗେ । ନିର୍ମଳ ବନଭୂମି ଭାଗେ ॥ ୧୪୩

ପର୍ବତ ଧରି ନ ପାରଇ । ପଡ଼ିଲେ ମୋର ଦୋଷ ନାହିଁ ॥ ୧୪୪

ଶୁଣି ଗୋପାଳେ ଥରହର । ବାହାର ହୋଇଲେ ସତ୍ୱର ॥ ୧୪୫

ଯେ ଯାହା ଧନ ଦ୍ରବ୍ୟ ଲଇ । ବୃଦ୍ଧ ବାଳକ ବତ୍ସା ଗାଈ ॥ ୧୪୬

ବାହାର ହୋଇଲେ ସକଳେ । କୃଷ୍ଣ ଚାହିଁଲେ ଗିରିତଳେ ॥ ୧୪୭

ଦେଖିଲେ ତଳେ ନାହିଁ କେହି । ଗୋପୀ ଗୋପାଳ ବତ୍ସା ଗାଈ ॥ ୧୪୮

ପରମାନନ୍ଦ ତୋଷମନେ । ଗିରି ସ୍ଥାପିଲେ ଯଥାସ୍ଥାନେ ॥ ୧୪୯

ଦେଖନ୍ତି ସ୍ୱର୍ଗେ ଦେବତାଏ । ହରଷେ କଲେ ଜୟେ ଜୟେ ॥ ୧୫୦

ନିବେଶି ନିଜ ସ୍ଥାନେ ଗିରି । ଗୋପେ ମିଳିଲେ ନରହରି ॥ ୧୫୧

କୃଷ୍ଣଙ୍କୁ ଦେଖିଣ ଗୋପାଳେ । ଧରନ୍ତି ଜଣେ ଜଣେ କୋଳେ ॥ ୧୫୨

ଦଧି ଅକ୍ଷତ ଜଳ ଘେନି । କୃଷ୍ଣଙ୍କୁ ସିଞ୍ଚନ୍ତି କାମିନୀ ॥ ୧୫୩

ନନ୍ଦ ରୋହିଣୀ ଯଶୋବନ୍ତୀ । କୃଷ୍ଣଙ୍କୁ କୋଳରେ ବସାନ୍ତି ॥ ୧୫୪

ଆଶିଷ ଦ୍ୟନ୍ତି ସ୍ନେହଭରେ । ଗୋରଜ ଲେପନ୍ତି ଶରୀରେ ॥ ୧୫୫

ଆକାଶେ ଥାଇ ଦେବନାରୀ । ସିଦ୍ଧ-ଚାରଣେ ସ୍ତୁତି କରି ॥ ୧୫୬

ଦୁନ୍ଦୁଭି ବାଦ୍ୟ ଗୀତନାଦେ । ଗନ୍ଧର୍ବେ ମଙ୍ଗଳ ଶବଦେ ॥ ୧୫୭

ପୁଷ୍ପ ବରଷି ସ୍ତୁତି କରି । ରଙ୍ଗେ ନାଚନ୍ତି ଅପସରୀ ॥ ୧୫୮

ଦିନକୁ ଦିନ ଅତି ରସ । ଗୋକୁଳେ ରାମ ହୃଷିକେଶ ॥ ୧୫୯

କୃଷ୍ଣ ମହିମା ଦେଖ ଜନେ । ଆନନ୍ଦ ଗୋପାଳଙ୍କ ମନେ ॥ ୧୬୦

ହରି ମହିମା ହୃଦେ ଧରି । ଦିନ ବଞ୍ଚନ୍ତି ଗୋପନାରୀ ॥ ୧୬୧

ସେ ଗିରିଧର ପଦ୍ମ‌ପାଦେ । ମୋ' ଚିତ୍ତ ରହୁ ଅପ୍ରମାଦେ ॥ ୧୬୨

ସେ ରାମକୃଷ୍ଣ ପାଦେ ଆଶ । କହଇ ଜଗନ୍ନାଥ ଦାସ ॥ ୧୬୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଷଡ଼ବିଂଶୋଽଧ୍ୟାୟଃ ॥

* * *