ଦଶମ ସ୍କନ୍ଧ
ଷଡ଼୍ବିଂଶ ଅଧ୍ୟାୟ
ପରୀକ୍ଷରାଜା ମୁଖ ଚାହିଁ । ଶୁକ କହନ୍ତି ତୋଷ ହୋଇ ॥ ୧
ଶୁକ ଉବାଚ
ଶୁଣ ହୋ କୁରୁନୃପମଣି । ସ୍ୱର୍ଗେ ଜାଣିଲେ ବଜ୍ରପାଣି ॥ ୨
କୃଷ୍ଣର ଦେଖି ଦୁଷ୍ଟପଣ । କୋପେ କମ୍ପିଲା ସୁରରାଣ ॥ ୩
କହଇ ଦେବଙ୍କୁ ବସାଇ । ମେଘ ପବନକୁ ଅଣାଇ ॥ ୪
ପ୍ରଳୟକାରୀ ମେଘଗଣ । ଅନାଇଁ କହେ ମଘବାନ ॥ ୫
ଶୁଣ ପବନ ମେଘମାଳେ । ମୋ' ପୂଜା ଭାଙ୍ଗିଲେ ଗୋପାଳେ ॥ ୬
ଯଶୋଦାସୁତ କୃଷ୍ଣ ବୋଲେ । ଗୋପାଳେ ମୋତେ ନ ମାନିଲେ ॥ ୭
ବାଳକ କୃଷ୍ଣ ବୋଲି ନାମ । ତା ବେଲେ କଲେ ଏଡ଼େ କର୍ମ ॥ ୮
ମନୁଷ୍ୟ ହୋଇ ବଳୀୟାର । ପୂଜା ଭାଙ୍ଗିଲା ଗୋପେ ମୋର ॥ ୯
ଗଉଡ଼େ କୃଷ୍ଣ ସଙ୍ଗେ ଭୋଳ । ମୁଁ ଆଜ ପୂରାଇବି କାଳ ॥ ୧୦
ଏ ଅପମାନ କେବା ସହି । ସ୍ୱର୍ଗରେ ଇନ୍ଦ୍ରପଦ ବହି ॥ ୧୧
ସମ୍ପଦ-ମତ୍ତଗର୍ବ ଅନ୍ଧେ । ସିନ୍ଧୁ ତରିବେ ବାଲିବନ୍ଧେ ॥ ୧୨
ଦଦରା ନାବେ ଯେହ୍ନେ ବସି । ସମୁଦ୍ରତରଣେ ସାହସୀ ॥ ୧୩
ଭବତରଣେ ପଥ ଲୋଡ଼ି । ପଣ୍ତିତେ ଧର୍ମଶାସ୍ତ୍ର ଛାଡ଼ି ॥ ୧୪
ଏମନ୍ତ ମଣିଲେ ଗୋପାଳେ । ନନ୍ଦବାଳକ କୃଷ୍ଣ ବୋଲେ ॥ ୧୫
ବାଳକ ସପତବରଷ । ତାବୋଲେ କରିଲେ ବିଶ୍ୱାସ ॥ ୧୬
ବାଳୁତ ପ୍ରାୟ ଖେଳୁଥାଇ । ପାଠପଠନ ନ ଜାଣଇ ॥ ୧୭
ଗାଈ ଚରାଇ ବନେ ବନେ । ଗୋପାଳ ସଙ୍ଗେ ବେଣୁସ୍ୱନେ ॥ ୧୮
ପଣ୍ତିତ ପ୍ରାୟ ତା'କୁ ମଣି । ମୋହର ମହିମା ନ ଜାଣି ॥ ୧୯
ଏଡ଼େ ଅନୀତି ଆଚରିଲେ । ଆଜ ସଂଗ୍ରାମ କୃଷ୍ଣ ତୁଲେ ॥ ୨୦
ଜାଣିବା କୃଷ୍ଣ ଆଶ୍ରେ କରି । କେମନ୍ତେ ଥିବେ ଗୋପପୁରୀ ॥ ୨୧
ଗୋରୁ ଗୋପାଳ କୃଷ୍ଣ ଆଦି । ଏ ମୋର ଯଜ୍ଞଭଙ୍ଗେ ବାଦୀ ॥ ୨୨
ଏହାଙ୍କୁ କର ବେଗେ ନାଶ । ଆବୋରି ବୃନ୍ଦାବନଦେଶ ॥ ୨୩
ତୁମ୍ଭେ ପ୍ରଳୟ ଚାରିମେଘେ । ଗୋପେ ବରଷ ଯାଇ ବେଗେ ॥ ୨୪
ଶୁଣ ପବନ ଅଣଚାଶ । ଏ ଚାରିମେଘେ ତୁମ୍ଭେ ମିଶ ॥ ୨୫
ବିଜୁଳି ଘୋରନାଦ ଘେନି । ଶବଦେ କମ୍ପାଅ ମେଦିନୀ ॥ ୨୬
ବଜ୍ର ପାଷାଣ ସଙ୍ଗେ ବାରି । ବରଷ ଘୋରନାଦ କରି ॥ ୨୭
ମୁଁ ପୁଣି ତୁମ୍ଭ ପଛେ ଥାଇ । ଅଇରାବତରେ ଆରୋହୀ ॥ ୨୮
ବଜ୍ର ମାରିବି ନିରନ୍ତରେ । ଅନଳଜ୍ୟୋତି ପରଖରେ ॥ ୨୯
ନନ୍ଦସମ୍ପଦ କରି ନାଶ । ତେବେ ହୋଇବ ମନତୋଷ ॥ ୩୦
ରିପୁ ନ ସାଧନ୍ତି ଯେ ପ୍ରାଣୀ । ତାହାଙ୍କୁ ମନୁଷ୍ୟେ ନ ଗଣି ॥ ୩୧
ଶୁକ କହନ୍ତି ରାଜା ଆଗେ । ଇନ୍ଦ୍ରର ବୋଲେ ଚାରିମେଘେ ॥ ୩୨
ପବନ ଘେନି ଚଳିଗଲେ । ଗୋପନଗରକୁ ବେଢ଼ିଲେ ॥ ୩୩
ଗୋପନଗର ସୀମା ଯେତେ । ରୁନ୍ଧିଲେ ଦିଗ-ଶୂନ୍ୟପଥେ ॥ ୩୪
ବିଜୁଳିନାଦ ଖରତର । ଦିବସେ କଲେ ଅନ୍ଧକାର ॥ ୩୫
ପବନ ଘୋରନାଦ କରି । ଶବଦେ କମ୍ପେ ବସୁନ୍ଧରୀ ॥ ୩୬
ହସ୍ତୀର ଶୁଣ୍ଢ ପ୍ରାୟ ଜଳ । ଧାରା ବରଷନ୍ତି ଗହଳ ॥ ୩୭
ଜଳର ସଙ୍ଗେ ଶିଳା ପଡ଼ି । ଶବଦ ମେଘ ଘଡ଼ଘଡ଼ି ॥ ୩୮
ଦଣ୍ତକେ ଉଛୁଳିଲା ମହୀ । ସ୍ଥଳ ଗଭୀର ନ ଦିଶଇ ॥ ୩୯
ଶୀତ ପବନ ସଙ୍ଗେ ବାରି । କମ୍ପନ୍ତି ଗୋପ ନରନାରୀ ॥ ୪୦
ଗୋପାଳେ ଦେଖି ବିପରୀତ । ବୋଇଲେ ହୋଇଲୁ ଅନାଥ ॥ ୪୧
ଯଶୋଦା ନନ୍ଦନର ବୋଲେ । ବିବାଦ କଲୁ ଇନ୍ଦ୍ରତୁଲେ ॥ ୪୨
ବାଳବଚନ ସତ୍ୟ କରି । ଅନାଥ ହେଲୁ ଗୋପପୁରୀ ॥ ୪୩
କାହାରେ ପଶିବୁଁ ଶରଣ । ଅକାଳେ ହୋଇଲା ମରଣ ॥ ୪୪
ଅନାଥ ହୋଇଲୁ ଗୋକୁଳ । ଡ଼ାକନ୍ତ ରଖ ଆଦିମୂଳ ॥ ୪୫
ହେ କୃଷ୍ଣ ତୋ'ର ବୋଲ କରି । ନିଶ୍ଚେ ବୁଡ଼ିଲା ଗୋପଶିରୀ ॥ ୪୬
ଗୋରୁଏ ଶିଳା ଜଳେ କମ୍ପି । କୃଷ୍ଣଙ୍କୁ ଚାହାଁନ୍ତି ନିରୋପି ॥ ୪୭
ଲାଞ୍ଜେ ଆଚ୍ଛାଦି ମୁଖଦେଶେ । ମିଳିଲେ ଗୋବିନ୍ଦର ପାଶେ ॥ ୪୮
ବୃଦ୍ଧ ବାଳକେ ଥରହର । ଡ଼ାକନ୍ତି ରଖ ଦାମୋଦର ॥ ୪୯
ତୋରେ ଶରଣ ଗୋପପୁର । ତୁ ନାଥ ଆମ୍ଭ ବଳୀୟାର ॥ ୫୦
ତୁ ନାଥ ଆମ୍ଭର ପରାଣ । ତୋ ବେଳେ ଗଲା ଆମ୍ଭ ପ୍ରାଣ ॥ ୫୧
ଥୋକେ ବୋଲନ୍ତି କୃଷ୍ଣ ବୋଲେ । ବିବାଦ କଲୁଁ ଇନ୍ଦ୍ର ତୁଲେ ॥ ୫୨
ଏ କାହିଁ ରଖିବ ଗୋକୁଳ । ମନୁଷ୍ୟଜନ୍ମ ନନ୍ଦବାଳ ॥ ୫୩
ସକଳେ ହୋଇଲୁ ନିରେଖ । ଡ଼ାକନ୍ତି ନାରାୟଣ ରଖ ॥ ୫୪
ମଧୁସୂଦନ ଚକ୍ରଧର । ଅନାଦି ଧର୍ମ ନିରାକାର ॥ ୫୫
ତୋର ଶରଣୁଁ ଅନ୍ୟ ନାହିଁ । ଗୋକୁଳ ରଖ ଭାବଗ୍ରାହୀ ॥ ୫୬
ଇନ୍ଦ୍ରର ହୋଇଲୁଁ ବଇରୀ । ବୁଡ଼ିଲା ଗୋପପୁର ଶିରୀ ॥ ୫୭
ସକଳେ ହୋଇଲୁ ନିରାଶ । ଛାଡ଼ିଲୁଁ ଜୀବନର ଆଶ ॥ ୫୮
ଗୋପର ଦେଖିଣ ବିକଳ । ହସି ବୋଲନ୍ତି ନନ୍ଦବାଳ ॥ ୫୯
ଏତ ଅଋତୁ ବରଷଣ । ପ୍ରଚଣ୍ତ ପବନ ପାଷାଣ ॥ ୬୦
ବରଷା ଋତୁ ଏ ନୁହଁଇ । ଇନ୍ଦ୍ର ବରଷେ କୋପ ବହି ॥ ୬୧
ବାସବ ମୋତେ ନ ଜାଣଇ । ମନୁଷ୍ୟ ପ୍ରାୟେକ ମଣଇ ॥ ୬୨
ମୋହର ଜୀବନ ଗୋକୁଳ । ଏହାଙ୍କୁ କରଇ ବିକଳ ॥ ୬୩
ମୋତେ ସେ କଲା ଏଡ଼େ କର୍ମ । ଭୋଳେ ହୋଇଲା ମତିଭ୍ରମ ॥ ୬୪
ପୂର୍ବେ ଏ ଅଛି ତପ ଦାହୀ । ମୋହର ପାଦେ ଚିତ୍ତ ଦେଇ ॥ ୬୫
କେମନ୍ତେ ନାଶିବି ସମ୍ପଦ । ମୋହର ଦେଲା ଇନ୍ଦ୍ରପଦ ॥ ୬୬
ଏହାର ଗର୍ବ ଆଜ ନାଶି । ପୁଣି ମୁଁ ସ୍ଥାପିବି ଆଶ୍ୱାସି ॥ ୬୭
ମୋହର ଭାବ ଯେ ଜାଣଇ । ତାହାର ଦେହେ ଗର୍ବ ନାହିଁ ॥ ୬୮
ଗର୍ବଗଞ୍ଜନେ ବାନା ମୋର । ଦୁଷ୍ଟଦଳନେ ଅବତାର ॥ ୬୯
ମୋର ସମ୍ପଦ ଗୋପପୁରୀ । ମୁହିଁ ସେ ଗୋପପୁର ଶିରୀ ॥ ୭୦
ମୋତେ ମାରିବ ବୋଲେ କୋପେ । ଇନ୍ଦ୍ର ହିଁ ଆସିଅଛି ଗୋପେ ॥ ୭୧
ଅଇରାବତ ସେ ଆରୋହି । ବଜ୍ର ମାରଇ ମୋତେ ଚାହିଁ ॥ ୭୨
ଆଜ ମୁଁ ରଖିବି ଗୋକୁଳ । କେ ସହୁ ଗୋରୁଙ୍କ ବିକଳ ॥ ୭୩
ଏମନ୍ତ ବିଚାରି ଅନନ୍ତ । ବଢ଼ାଇ ଦେଲେ ବାମହସ୍ତ ॥ ୭୪
ପର୍ବତ ଥିଲା ନଦୀତୀରେ । ଗୋବିନ୍ଦ ଉପାଡ଼ିଲେ ହେଳେ ॥ ୭୫
ଅଚଳ ମୃତ୍ତବନ୍ତ ହୋଇ । ଶ୍ରୀଭୁଜେ ବସିଲାକ ଯାଇ ॥ ୭୬
ଜାଣି ସେ କୃଷ୍ଣ ନିଜ ଧାମ । ପର୍ବତ ତେଜିଲା ଆଶ୍ରମ ॥ ୭୭
ଯହୁଁ ସେ ପ୍ରଭୁ ଦେବରାଜ । ବିସ୍ତାର କଲେ ମହାଭୁଜ ॥ ୭୮
କରେ ପର୍ବତ ବସାଇଲେ । ବିଶ୍ୱମୂରତି ପ୍ରକାଶିଲେ ॥ ୭୯
ଛତ୍ର ପ୍ରାୟେକ ଗିରି ତୋଳି । ଡ଼ାକନ୍ତି ପ୍ରଭୁ ବନମାଳୀ ॥ ୮୦
ହେ ତାତ ମାତ ଗୋପବାଳେ । ବହନ ପଶ ଗିରିତଳେ ॥ ୮୧
ଗୋରୁ ଗୋପାଳ ଆଦିକରି । ସର୍ବସମ୍ପଦ ନରନାରୀ ॥ ୮୨
ନିର୍ଭୟ ହୋଇ ସର୍ବେ ପଶ । ମନେ ନ କର କିଛି ତ୍ରାସ ॥ ୮୩
ହସି ବୋଲନ୍ତି ପୀତବାସ । ତୁମ୍ଭେ ଯେ ମୋହର ବିଶ୍ୱାସ ॥ ୮୪
ମୋହର କରେ ଗିରି ଥିବ । ତୁମ୍ଭ ଉପରେ ନ ପଡ଼ିବ ॥ ୮୫
ପୁଷ୍ପ ହୁଁ ଉଶ୍ୱାସଟି ମୋତେ । ତୁମ୍ଭେ ନ ଯାଅ ଅପରତେ ॥ ୮୬
ତୁମ୍ଭର ହିତେ ଗିରିବରେ । ଦେଖ ତୋଳିଲି ବାମକରେ ॥ ୮୭
ତୁମ୍ଭେ ଯେ ମଲେ ହତ୍ୟା ମୋର । କହନ୍ତି ପ୍ରଭୁ ଦାମୋଦର ॥ ୮୮
ତୁମ୍ଭର ହିତେ ମୋହ ଦେହୀ । ଜନ୍ମିଛି ନରଦେହ ବହି ॥ ୮୯
ମୋହର ବୋଲେ ଯଜ୍ଞ ଭାଜି । ଏବେ ହୋଇଲେ ଇଦ୍ରେ ଗଞ୍ଜି ॥ ୯୦
ମୁଁ ଆଜ ରଖିବି ତୁମ୍ଭଙ୍କୁ । କିମ୍ପାଇ ଡ଼ର ବାସବକୁ ॥ ୯୧
ନିର୍ଭୟ ଚିତ୍ତେ ସର୍ବେପଶ । ପର୍ବତ ବଡ଼ଇ ଉଶ୍ୱାସ ॥ ୯୨
ଭୃତ୍ୟଙ୍କ ଛଳେ ନରହରି । ତୋଳିଲେ ଗୋବର୍ଦ୍ଧନ ଗିରି ॥ ୯୩
କୃଷ୍ଣବଚନେ ସୁଖଭୋଳେ । ପଶିଲେ ପର୍ବତର ତଳେ ॥ ୯୪
ଯାହାର ଘରେ ଯେତେ ଦ୍ରବ୍ୟ । ପଶିଲେ ସଙ୍ଗେ ଘେନି ସର୍ବ ॥ ୯୫
ଗିରିକନ୍ଦରେ ଗଲେ ପଶି । ଶ୍ରୀକୃଷ୍ଣ ବଚନେ ବିଶ୍ୱାସି ॥ ୯୬
ଦାସବତ୍ସାଳ ବନମାଳୀ । ପୁଷ୍ପର ପ୍ରାୟେ ଗିରି ତୋଳି ॥ ୯୭
ବାମ-କନିଷ୍ଠ-ଅଙ୍ଗୁଳିରେ । ଗୋବିନ୍ଦ ବସାଇଲେ ଧୀରେ ॥ ୯୮
ଅଙ୍ଗୁଳି-ଅଗ୍ରେ ଗିରି ଦେଖି । ଭୟେ ବୁଜିଲେ ସର୍ବେ ଆଖି ॥ ୯୯
ଗୋପୀଏ ଗୁରୁଙ୍କର ମେଳେ । ଅନାଇ କାନ୍ଦନ୍ତି ବିକଳେ ॥ ୧୦୦
ବୋଲନ୍ତି ଏବେ ନାଶଗଲୁ । ଗିରିକନ୍ଦରେ ପ୍ରାଣ ଦେଲୁ ॥ ୧୦୧
ସାତ ବରଷ ପୁଅ କରେ । ପର୍ବତ ଅଙ୍ଗୁଳି ଅଗ୍ରରେ ॥ ୧୦୨
ଏ କେତେବେଳ ଧରିଥିବ । ପବନ ବହିଲେ ପଡ଼ିବ ॥ ୧୦୩
କୋପ କରିଛି ଇନ୍ଦ୍ରରାଜା । ଆମେ ନ ଦେଲୁ ବଳି ଭୋଜା ॥ ୧୦୪
ନନ୍ଦର ସୁତ ଆମ୍ଭ କାଳ । ତୋବୋଲେ ବୁଡ଼ିଲା ଗୋକୁଳ ॥ ୧୦୫
ଏମନ୍ତେ ପର୍ବତକୁ ଚାହିଁ । ଗୋପୀଙ୍କ ଦେହେ ପ୍ରାଣ ନାହିଁ ॥ ୧୦୬
ସମସ୍ତ ଚକ୍ଷୁ ଏକମେଳେ । ଥୋଇଲେ କୃଷ୍ଣ କରତଳେ ॥ ୧୦୭
କ୍ଷୁଧା ପିପାସେ ନାହିଁ ମନ । ନିମିଷେ କଲେ ସାତଦିନ ॥ ୧୦୮
କୃଷ୍ଣର ମାୟାଯୋଗ ବଳେ । ରାତ୍ର ଦିବସ ନ ଜାଣିଲେ ॥ ୧୦୯
କୃଷ୍ଣଙ୍କୁ ବୋଲନ୍ତି ଗୋପାଳେ । ଗିରି ଧଇଲୁ ବାଳକାଳେ ॥ ୧୧୦
ଆମ୍ଭଙ୍କୁ ଲାଗୁଅଛି ଭୟ । ମରଣ ହୋଇଲା ନିଶ୍ଚୟ ॥ ୧୧୧
ଆସ ହୋ ଗୋପାଳେ ସମସ୍ତେ । ଗିରି ଧରିବା ଯେଝାମତେ ॥ ୧୧୨
ବାଳୁତ ପୁଅ ହସ୍ତେ ମେରୁ । ଏଡ଼େ ଅଚଳ ମହାଗରୁ ॥ ୧୧୩
ପଡ଼ିଲେ ସମସ୍ତେ ମରିବା । ଯେ ଯାହା ମତେ ଧରିଥିବା ॥ ୧୧୪
ଏତକ ବୋଲିଣ ଗୋପାଳେ । ଲଉଡ଼ି ଦେଲେ ଗିରିମୂଳେ ॥ ୧୧୫
ଯେ ଯାହା ଅନୁରୂପେ ଧରି । ରହିଲେ ଗୋପ ନରନାରୀ ॥ ୧୧୬
ଇନ୍ଦ୍ର ଯେ ଶୂନ୍ୟେ ରହିଥିଲା । ସପତ ଦିନ ବରଷିଲା ॥ ୧୧୭
ପ୍ରଳୟକାରୀ ମେଘମାଳ । ଫୁଟିଣ ହୋଇଲେ ନିର୍ଜଳ ॥ ୧୧୮
ପବନ ଚଳି ନ ପାରିଲେ । ଅଳପ ଅଳପ ବହିଲେ ॥ ୧୧୯
ବିଜୁଳି ମେଘେ ଲୀନ ହେଲା । ଶବଦ ନିଶ୍ଚଳ ହୋଇଲା ॥ ୧୨୦
ଦେଖି କମ୍ପିଲା ସୁରପତି । ଆରୋହି ଐରାବତ ହସ୍ତୀ ॥ ୧୨୧
ଆପଣା କରେ ବଜ୍ର ଘେନି । କୋପେ ଧାଇଁଲା ସସ୍ରଯୋନି ॥ ୧୨୨
ସହସ୍ର ଧାର ଶକ୍ତି ତୋଳି । ମନେ ଜାଣିଲେ ବନମାଳୀ ॥ ୧୨୩
ଇନ୍ଦ୍ର ଯେ ଆସୁଅଛି ରଙ୍ଗେ । ମାରିବ ଗୋବର୍ଦ୍ଧନ ଅଙ୍ଗେ ॥ ୧୨୪
ବଜ୍ରେ ପର୍ବତ ହେବ ଧ୍ୱଂସ । ଗୋପୀଗୋପାଳେ ଯିବେ ନାଶ ॥ ୧୨୫
ଏତେ ବିଚାରି ଚକ୍ରଧାରୀ । ପର୍ବତ ଚକ୍ରେଣ ଉହାଡ଼ି ॥ ୧୨୬
କୋପ ଯେ ହୋଇ ସୁରପତି । ବଜ୍ର ପ୍ରହାର କଲା ଧାତି ॥ ୧୨୭
ପର୍ବତେ ପଡ଼ି ବଜ୍ର ଶର । ଝଲକି ଉଠିଲା ଅନଳ ॥ ୧୨୮
ଦେଖି କ୍ରୋଧଇ ସୁରେଶ୍ୱର । ପୁଣି କଲାକ ସେ ପ୍ରହାର ॥ ୧୨୯
ବାସବ ଦେହେ ଶସ୍ତ୍ର ବାଜି । ପୁଣି ପିଟିଲା ଗଳଗାଜି ॥ ୧୩୦
ଚକ୍ରେ ପଡ଼ନ୍ତେ ବଜ୍ରଶର । ମୁଖରୁ ବହିଲା ରୁଧିର ॥ ୧୩୧
ସର୍ମ ପାଇଲା ସୁରପତି । ଜାଣିଲା ନିଶ୍ଚେ ଏ ଶ୍ରୀପତି ॥ ୧୩୨
ଇନ୍ଦ୍ରର କରେ ଶସ୍ତ୍ର ନାହିଁ । ବୋଲଇ ମେଘକୁ ଅନାଇ ॥ ୧୩୩
ଆଉ କି ଗର୍ବ ଅଛି ମୋର । ଗିରି ତୋଳିଲେ ଦାମୋଦର ॥ ୧୩୪
ରଖିଲେ ଗୋପପୁର ଶିରୀ । ଆସ ହୋ ଯିବା ନିଜ ପୁରୀ ॥ ୧୩୫
ଏମନ୍ତ ବୋଲି ବାହୁଡ଼ିଲା । ନିଜ ଭୁବନେ ବିଜେ କଲା ॥ ୧୩୬
କୃଷ୍ଣ ଯେ ଥିଲେ ଗିରିତୋଳି । ଜାଣିଲେ ମେଘେ ଗଲେ ଚଳି ॥ ୧୩୭
ହାରିଣ ବାହୁଡ଼ିଲା ଇନ୍ଦ୍ର । ଜାଣିଲେ ପ୍ରଭୁ ଆଦିକନ୍ଦ ॥ ୧୩୮
ବୋଲନ୍ତି ଗୋପାଳଙ୍କୁ ଚାହିଁ । ବାହାର ହୁଅ ବେଗ ହୋଇ ॥ ୧୩୯
ଗଗନ ନିର୍ମଳ ଦିଶିଲା । ରବି କିରଣ ପ୍ରକାଶିଲା ॥ ୧୪୦
ସକଳ ଜଳ ନଦୀମାର୍ଗେ । ପଶିଲେ ସମୁଦ୍ର ସଂଯୋଗେ ॥ ୧୪୧
ପବନ ବହିଲା ଉଶ୍ୱାସ । ଦିଶିଲା ବନ ଦିଗ ଦେଶ ॥ ୧୪୨
ଏବେ ବାହାର ହୁଅ ବେଗେ । ନିର୍ମଳ ବନଭୂମି ଭାଗେ ॥ ୧୪୩
ପର୍ବତ ଧରି ନ ପାରଇ । ପଡ଼ିଲେ ମୋର ଦୋଷ ନାହିଁ ॥ ୧୪୪
ଶୁଣି ଗୋପାଳେ ଥରହର । ବାହାର ହୋଇଲେ ସତ୍ୱର ॥ ୧୪୫
ଯେ ଯାହା ଧନ ଦ୍ରବ୍ୟ ଲଇ । ବୃଦ୍ଧ ବାଳକ ବତ୍ସା ଗାଈ ॥ ୧୪୬
ବାହାର ହୋଇଲେ ସକଳେ । କୃଷ୍ଣ ଚାହିଁଲେ ଗିରିତଳେ ॥ ୧୪୭
ଦେଖିଲେ ତଳେ ନାହିଁ କେହି । ଗୋପୀ ଗୋପାଳ ବତ୍ସା ଗାଈ ॥ ୧୪୮
ପରମାନନ୍ଦ ତୋଷମନେ । ଗିରି ସ୍ଥାପିଲେ ଯଥାସ୍ଥାନେ ॥ ୧୪୯
ଦେଖନ୍ତି ସ୍ୱର୍ଗେ ଦେବତାଏ । ହରଷେ କଲେ ଜୟେ ଜୟେ ॥ ୧୫୦
ନିବେଶି ନିଜ ସ୍ଥାନେ ଗିରି । ଗୋପେ ମିଳିଲେ ନରହରି ॥ ୧୫୧
କୃଷ୍ଣଙ୍କୁ ଦେଖିଣ ଗୋପାଳେ । ଧରନ୍ତି ଜଣେ ଜଣେ କୋଳେ ॥ ୧୫୨
ଦଧି ଅକ୍ଷତ ଜଳ ଘେନି । କୃଷ୍ଣଙ୍କୁ ସିଞ୍ଚନ୍ତି କାମିନୀ ॥ ୧୫୩
ନନ୍ଦ ରୋହିଣୀ ଯଶୋବନ୍ତୀ । କୃଷ୍ଣଙ୍କୁ କୋଳରେ ବସାନ୍ତି ॥ ୧୫୪
ଆଶିଷ ଦ୍ୟନ୍ତି ସ୍ନେହଭରେ । ଗୋରଜ ଲେପନ୍ତି ଶରୀରେ ॥ ୧୫୫
ଆକାଶେ ଥାଇ ଦେବନାରୀ । ସିଦ୍ଧ-ଚାରଣେ ସ୍ତୁତି କରି ॥ ୧୫୬
ଦୁନ୍ଦୁଭି ବାଦ୍ୟ ଗୀତନାଦେ । ଗନ୍ଧର୍ବେ ମଙ୍ଗଳ ଶବଦେ ॥ ୧୫୭
ପୁଷ୍ପ ବରଷି ସ୍ତୁତି କରି । ରଙ୍ଗେ ନାଚନ୍ତି ଅପସରୀ ॥ ୧୫୮
ଦିନକୁ ଦିନ ଅତି ରସ । ଗୋକୁଳେ ରାମ ହୃଷିକେଶ ॥ ୧୫୯
କୃଷ୍ଣ ମହିମା ଦେଖ ଜନେ । ଆନନ୍ଦ ଗୋପାଳଙ୍କ ମନେ ॥ ୧୬୦
ହରି ମହିମା ହୃଦେ ଧରି । ଦିନ ବଞ୍ଚନ୍ତି ଗୋପନାରୀ ॥ ୧୬୧
ସେ ଗିରିଧର ପଦ୍ମପାଦେ । ମୋ' ଚିତ୍ତ ରହୁ ଅପ୍ରମାଦେ ॥ ୧୬୨
ସେ ରାମକୃଷ୍ଣ ପାଦେ ଆଶ । କହଇ ଜଗନ୍ନାଥ ଦାସ ॥ ୧୬୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଷଡ଼ବିଂଶୋଽଧ୍ୟାୟଃ ॥
* * *