ଦଶମ ସ୍କନ୍ଧ
ପଞ୍ଚବିଂଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ ଚୂଡ଼ାମଣି । ଗୋପନଗରେ ଚକ୍ରପାଣି ॥ ୧
ରୋହିଣୀ ନନ୍ଦନର ତୁଲେ । ଦିନ ହରନ୍ତି ଗୋପମେଳେ ॥ ୨
ଗୋପାଳେ ମିଳି ଏକଦିନେ । ଇନ୍ଦ୍ରର ଉତ୍ସବ ବିଧାନେ ॥ ୩
ସକଳେ ବିଚାରନ୍ତି ବସି । କୃଷ୍ଣ ମିଳିଲେ ମଧ୍ୟେ ଆସି ॥ ୪
ଅଶେଷ-ବ୍ରହ୍ମାଣ୍ତ-ଠାକୁର । ଜାଣନ୍ତି ଗୋପଙ୍କ ବିଚାର ॥ ୫
ଲୋକବେଭାରେ ଭାବଗ୍ରାହୀ । ବୋଲନ୍ତି ନନ୍ଦ ମୁଖ ଚାହିଁ ॥ ୬
ବୃଦ୍ଧ ଗୋପାଳେ ଛନ୍ତି ଯେତେ । ବିଶ୍ୱାସକର ଯେଝାମତେ ॥ ୭
ନନ୍ଦକୁ ପୁଚ୍ଛନ୍ତି ଅନନ୍ତ । ଇନ୍ଦ୍ରଉତ୍ସବର ବୃତ୍ତାନ୍ତ ॥ ୮
ଭୋ ତାତ କେବଣ ଉତ୍ସବ । ଏ କଥା କହ ସର୍ବଭାବ ॥ ୯
ତୁମ୍ଭ ବିଚାର ଯଜ୍ଞମତେ । ଉଦ୍ଦେଶ୍ୟ ଜାଣିବୁ କେମନ୍ତେ ॥ ୧୦
କେବଣ ମତେ ସାଧ୍ୟ କରି । ଯଜ୍ଞ କରନ୍ତି ନରନାରୀ ॥ ୧୧
ଏ ଯଜ୍ଞ କଲେ କିସ ଫଳ । ହସି କହନ୍ତି ନନ୍ଦବାଳ ॥ ୧୨
ଭୋ ତାତ ହୋଇବା ପ୍ରସନ୍ନ । କହ ଏ ପୂଜାର ବିଧାନ ॥ ୧୩
ଗୁପତ ନ କର ପିଅର । ଏ ସାଧୁଜନଙ୍କ ବେଭାର ॥ ୧୪
ଭାବ-ସେବକେ ସତ୍ୟ କହି । ବିଶେଷ ତୋ'ର ପୁତ୍ର ମୁହିଁ ॥ ୧୫
ସମଦରଶୀ ଯା'ର ଚିତ୍ତ । ନାହିଁ ତାହାର ରିପୁ ମିତ୍ର ॥ ୧୬
ସଂସାରଧର୍ମେ ଥାଇ ଜନ୍ତୁ । ଇଚ୍ଛନ୍ତି ନାନାକର୍ମ ହେତୁ ॥ ୧୭
ଜାଣି ନ ଜାଣି ଫଳ ଆଶେ । କର୍ମସାଧନ୍ତି ମନତୋଷେ ॥ ୧୮
ଦଇବମତେ ଫଳ ହୋଇ । ଯେ ଯାହା କର୍ମବଳେ ପାଇ ॥ ୧୯
ବେଦପୁରାଣ-କ୍ରିୟା ଘେନି । କର୍ମ ସାଧନ୍ତି ବିପ୍ର ମୁନି ॥ ୨୦
ତୁମ୍ଭେ ସାଧିବ କେଉଁମତେ । ବିଚାରି କହ ତାତ ମୋତେ ॥ ୨୧
କୃଷ୍ଣ ବଚନ ନନ୍ଦ ଶୁଣି । କୋଳେ ବସାଇ ଚକ୍ରପାଣି ॥ ୨୨
ବୋଲଇ ଶୁଣ ଦାମୋଦର । ପୂଜା କରିବୁ ସୁରେଶ୍ୱର ॥ ୨୩
ତା'ର ଆଜ୍ଞାରେ ମେଘମାଳ । ସଂସାରେ ବରଷନ୍ତି ଜଳ ॥ ୨୪
ମେଦିନୀ ଜଳଯୋଗ ପାଇ । ଅନେକ ଶସ୍ୟ ଉପୁଜାଇ ॥ ୨୫
ଜୀବିକା ହୋଇ ପ୍ରାଣୀଙ୍କର । ତେବେ ସେ ବଞ୍ଚଇ ସଂସାର ॥ ୨୬
ଶସ୍ୟ-ସମ୍ପଦ ଘେନି ଜନେ । ଯଜ୍ଞ କରନ୍ତି ତୋଷମନେ ॥ ୨୭
ନାନା ଦେବତା ଯଜ୍ଞେ ଦାହୀ । ପୂଜି ଅନେକ ଫଳ ପାଇ ॥ ୨୮
ଏମନ୍ତେ ଯେ ଯାହାର ମତେ । ଇନ୍ଦ୍ରଙ୍କୁ ପୂଜନ୍ତି ଜଗତେ ॥ ୨୯
ଯେ ଯାହା ମତେ ନାନା ଯାଗ । କରି ଲଭନ୍ତି ତିନିବର୍ଗ ॥ ୩୦
ଇଷ୍ଟଦେବତା ଶୁଭକାଳେ । ପୂଜା କରନ୍ତି ମହୀତଳେ ॥ ୩୧
ଯେ ନର ଲୋଭବଶ ହୋଇ । ଇଷ୍ଟଦେବତା ନ ପୂଜଇ ॥ ୩୨
ତାହାର ନାହିଁ ସୁଖଲେଶ । ଆପଦ ହୋଏ ପରବେଶ ॥ ୩୩
ନନ୍ଦ ବଚନ କୃଷ୍ଣ ଶୁଣି । ବୃଦ୍ଧ ଗୋପାଳେ ଯାହା ଭଣି ॥ ୩୪
ଇନ୍ଦ୍ର ବିଷୟେ କୋପକରି । ନନ୍ଦକୁ ବୋଲନ୍ତି ମୁରାରି ॥ ୩୫
କୃଷ୍ଣ ବୋଲନ୍ତି ଶୁଣ ତାତ । ଜଗତ କର୍ମେ ଆତଯାତ ॥ ୩୬
ଏ ଜୀବ ଆତ୍ମା କର୍ମ ଘେନି । ଗତ ଆଗତ ପଥଶ୍ରମୀ ॥ ୩୭
କର୍ମର ମତେ ଦୁଃଖସୁଖ । ଜନ୍ମମରଣ ହୋଏ ଦେଖ ॥ ୩୮
କର୍ମଟି ଦୁଃଖସୁଖଦାତା । ବିଶ୍ୱ ସଂସାରେ ବଳବନ୍ତା ॥ ୩୯
ଭୋ ତାତ କର୍ମପାଦେ ସେବ । କର୍ମହୁଁ ନାହିଁ ଅନ୍ୟ ଦେବ ॥ ୪୦
କର୍ମଭୂଞ୍ଜନ୍ତା ପ୍ରାଣୀଙ୍କର । ଇନ୍ଦ୍ର ତ ନୋହଇ ଠାକୁର ॥ ୪୧
କର୍ମ-ସଞ୍ଚିଲା ଏ ଜଗତ । ସ୍ୱଭାବେ ହୋନ୍ତି ଆତଯାତ ॥ ୪୨
କର୍ମର ବଳେ ଦେହ ଘେନି । ଜୀବ ଭ୍ରମଇ ନାନାଯୋନି ॥ ୪୩
କର୍ମ ଯେ ଶତ୍ରୁମିତ୍ର ହୋଇ । ଗୁରୁଙ୍କ ପ୍ରାୟେ ଶିକ୍ଷା ଦେଇ ॥ ୪୪
ସକଳେ କର୍ମ ସେବା କର । କହନ୍ତି ପ୍ରଭୁ ଦାମୋଦର ॥ ୪୫
ଯେ ପ୍ରାଣୀ ନିଜକର୍ମ ଛାଡ଼ି । ଅନ୍ୟ ଜୀବିକା ଲୋଭେ ଲୋଡ଼ି ॥ ୪୬
ଦୁର୍ଗତିପଥ ଆବୋରୋନ୍ତି । ଯେସନେ ବିଟପୀ ଯୁବତୀ ॥ ୪୭
ଭୋ ତାତ ଶୁଣ କର୍ମକଥା । ବେଦପୁରାଣେ ଯେ ବ୍ୟବସ୍ଥା ॥ ୪୮
ବ୍ରାହ୍ମଣଆଦି ଚାରିବର୍ଣ୍ଣ । ଯେ ଯାହା ମତେ ବୃତ୍ତି ଭିନ୍ନ ॥ ୪୯
ବେଦବିଚାରେ ଷଟକର୍ମ । ବ୍ରାହ୍ମଣ ଜନର ଏ ଧର୍ମ ॥ ୫୦
ଭୂମିପାଳନ ଶୂରବନ୍ତ । ଦାନ-ପୌରୁଷ କ୍ଷତ୍ରିବୃତ୍ତ ॥ ୫୧
କୃଷି ବାଣିଜ୍ୟ ଗୋରୁବୃତ୍ତି । ବୈଶ୍ୟଜନଙ୍କର ଏ ଗତି ॥ ୫୨
ବ୍ରାହ୍ମଣପାଦେ ସେବାକରି । ଶୂଦ୍ରେ ହୋଇବେ ସୁଖଚାରୀ ॥ ୫୩
ଏ ଚାରି ବର୍ଣ୍ଣର ବେଭାର । ବୈଶ୍ୟଙ୍କ ମତଟି ଆମ୍ଭର ॥ ୫୪
ଭୋ ତାତ ଶୁଣ ଆଦିଅନ୍ତ । ଯେମନ୍ତ କହଇ ବେଦାନ୍ତ ॥ ୫୫
ସୃଷ୍ଟିର କାଳେ ନାରାୟଣ । ଆଗେ ସର୍ଜିଲା ତିନିଗୁଣ ॥ ୫୬
ରଜୋଗୁଣରୁ ବ୍ରହ୍ମା ହୋଇ । ସତ୍ତ୍ୱଗୁଣକୁ ବିଷ୍ଣୁ ପାଇ ॥ ୫୭
ରୁଦ୍ରଙ୍କୁ ଦେଲେ ତମୋଗୁଣ । ସୃଷ୍ଟି ପାଳନ ସଂହାରଣ ॥ ୫୮
ବ୍ରହ୍ମାଭିଆଣେ ମେଘମାଳ । ସଂସାରେ ବରଷନ୍ତି ଜଳ ॥ ୫୯
ଜନ୍ତୁ ଜୀବିକା ତେଣେ ହୋଇ । ଇଦ୍ରେ ତ ପ୍ରୟୋଜନ ନାହିଁ ॥ ୬୦
ଇନ୍ଦ୍ରର ଭାଗ୍ୟେ ବଡ଼ପଣ । ଜଗତ ବିଷ୍ଣୁର ଭିଆଣ ॥ ୬୧
ଗ୍ରାମପାଟଣା ଦେଶ ପୁରେ । ଇନ୍ଦ୍ରକୁ ପୂଜିବେ ବେଭାରେ ॥ ୬୨
ବନଗହନେ ଆମ୍ଭ ଘର । ଗୋରୁ ଚରାଉ ନଦୀତୀର ॥ ୬୩
ନିର୍ଝର ଜଳପାନ କରି । ଆମ୍ଭ ଦେବତା ବନଗିରି ॥ ୬୪
ତୁମ୍ଭର ଯଜ୍ଞ ଯେବେ ସତ୍ୟ । କହଇ ଶୁଣ ଏକଚିତ୍ତ ॥ ୬୫
ଗୋରୁ ବ୍ରାହ୍ମଣ ପ୍ରୀତିଫଳେ । ଯଜ୍ଞ କରିବା ଗିରିତଳେ ॥ ୬୬
ପୂଜିବା ଗୋବର୍ଦ୍ଧନ ଶିରେ । ଯେ ଇନ୍ଦ୍ର ଯଜ୍ଞର ସମ୍ଭାରେ ॥ ୬୭
ଦ୍ୱିଗୁଣ କରି ବଳି ଭୋଜା । ସୁଖେ କରିବା ଗିରିପୂଜା ॥ ୬୮
ନାନା ବ୍ୟଞ୍ଜନ ଷଡ଼ରସ । ପିଷ୍ଟକ ପ୍ରପାନ ପାୟସ ॥ ୬୯
ଗୋରସ ଘୃତ ସରପୁଳି । ନାନାପିଷ୍ଟକେ ଖଣ୍ତ ବୋଳି ॥ ୭୦
ଅନଳ ପୂଜା ହୋମ କର । ଋତ୍ୱିଜ ଚାରି ବେଦୁଁ ବର ॥ ୭୧
ପୂର୍ଣ୍ଣ ଆହୂତି ଯଜ୍ଞ ଅନ୍ତେ । ଦକ୍ଷିଣା ଦିଅ ଯଥୋଚିତ୍ତେ ॥ ୭୨
ଗୋରୁ କାଞ୍ଚନ ତିଳ ଅନ୍ନ । ଅତିଥି ପୂଜାର ବିଧାନ ॥ ୭୩
ଯେ ଯାହା ମତେ ତୋଷ କରି । ସୁଖେ ଭୁଞ୍ଜିବେ ନରନାରୀ ॥ ୭୪
କୋମଳତୃଣ ଅନ୍ନ ସଙ୍ଗେ । ଗୋରୁଙ୍କୁ ଭୁଞ୍ଜାଇବା ରଙ୍ଗେ ॥ ୭୫
ପର୍ବତେ ବଳି ଭୋଜା ଦେଇ । ସକଳେ ଅଳଙ୍କାର ଲାଇ ॥ ୭୬
କରିବା ଗିରି ପ୍ରଦକ୍ଷିଣ । ଆରାଧି ଅନଳ ବ୍ରାହ୍ମଣ ॥ ୭୭
ମୋହର ମତେ ଏ ଯୋଗାଇ । କୃଷ୍ଣ ବୋଲନ୍ତି ନନ୍ଦେ ଚାହିଁ ॥ ୭୮
ଶୁକ କହନ୍ତି ରାଜା ଆଗେ । ଶୁଣି ଗୋପାଳେ ଉଦ୍ବେଗେ ॥ ୭୯
କୃଷ୍ଣବଚନ ପ୍ରତିପାଳି । ନନ୍ଦକୁ ମଧ୍ୟେ ଘେନି ଭାଳି ॥ ୮୦
ଶ୍ରୀକୃଷ୍ଣ ବଚନ ପ୍ରଶଂସି । ମିଳିଲେ ଯେଝା ଘରେ ଆସି ॥ ୮୧
ଦ୍ୱିଗୁଣେ ନାନା ଦ୍ରବ୍ୟ ଘେନି । କରନ୍ତି ବାଦ୍ୟ ଶଙ୍ଖଧ୍ୱନି ॥ ୮୨
ପର୍ବତତଳେ ଯାଇ ମିଳି । କାମିନୀ ଦ୍ୟନ୍ତି ହୁଳହୁଳି ॥ ୮୩
ଯଜ୍ଞ ଆରମ୍ଭି ଗିରିତଳେ । ପୂଜିଲେ ଗୋ-ବିପ୍ର-ଅନଳେ ॥ ୮୪
ଯେ ଯାହା ମତେ ଦେଲେ ଦାନ । ସୁବର୍ଣ୍ଣ ବସ୍ତ୍ର ଗୋରୁ ଅନ୍ନ ॥ ୮୫
ଦେବ ଅତିଥି ତୋଷ କରି । ଭୋଜନ କଲେ ନରନାରୀ ॥ ୮୬
ବିବିଧ ଅଳଙ୍କାର ଲାଇ । ଗୋରୁ ବ୍ରାହ୍ମଣ ମଧ୍ୟେ ଥାଇ ॥ ୮୭
ପର୍ବତ କଲେ ପ୍ରଦକ୍ଷିଣ । ଗୋରୁଙ୍କୁ ଦେଲେ ଅନ୍ନ ତୃଣ ॥ ୮୮
ଶକଟ ମଣ୍ତିଲେ ଗୋପାଳେ । ଦିବ୍ୟବସନ ରତ୍ନମାଳେ ॥ ୮୯
ବାଳକ କୋଳେ ଘେନି ନାରୀ । ନନ୍ଦ ଯଶୋଦା ଆଦିକରି ॥ ୯୦
ରୋହିଣୀ ଯଶୋଦାର ମେଳେ । ରାମ ଗୋବିନ୍ଦ ଘେନି କୋଳେ ॥ ୯୧
ଶଙ୍ଖ ମହୁରୀ ନାଦ ଭେରୀ । ମୁରଲୀ ନାଦେ ଗୀତ ସ୍ଫୁରି ॥ ୯୨
ବୁଲନ୍ତି ଗିରି ଚାରିଦିଗେ । କୃଷ୍ଣ ଆନନ୍ଦ ବଳି ଯୋଗେ ॥ ୯୩
ଗୋବିନ୍ଦ ଯୋଗମାୟା ବଳେ । ପର୍ବତ ଶିଖେ ବିଜେ କଲେ ॥ ୯୪
ଯଶୋଦା କୋଳେ ଛନ୍ତି ବସି । ଗୋପୀ ଗୋପାଳଙ୍କୁ ବିଶ୍ୱାସି ॥ ୯୫
ପର୍ବତ ଶିଖେ ବିଶ୍ୱରୂପୀ । ଟେକି ଚାହାଁନ୍ତି ଗୋପଗୋପୀ ॥ ୯୬
ବେନି ଯୋଜନ ଲମ୍ବେ ଭୁଜ । ଶିରେ ଲାଗଇ ଗ୍ରହରାଜ ॥ ୯୭
ଶ୍ୟାମସୁନ୍ଦର ତନୁବର୍ଣ୍ଣ । ଗୋପଙ୍କୁ ଚାହିଁ ସାବଧାନ ॥ ୯୮
ବୋଲନ୍ତି ହୋଇଲି ମୁଁ ତୋଷ । ତୁମ୍ଭର ପୂରାଇବି ଆଶ ॥ ୯୯
ନିଶ୍ଚିନ୍ତ ହୋଇଥାଅ ବନେ । ମୋହର ପୂଜାର ବିଧାନେ ॥ ୧୦୦
ଖଣ୍ତିବି ସକଳ ଆପଦ । ଗୋକୁଳ ହୋଇବ ଆନନ୍ଦ ॥ ୧୦୧
ତଳେ ଲମ୍ବାଇ ବେନି ଭୁଜ । ବଳି ଭୁଞ୍ଜନ୍ତି ଗିରିରାଜ ॥ ୧୦୨
ଗୋପୀ ଗୋପାଳଙ୍କୁ ଅନାଇଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୧୦୩
ଦେଖ ହୋ ପର୍ବତ ମହିମା । ଯଜ୍ଞର ବଳେ ପୁଣ୍ୟକର୍ମା ॥ ୧୦୪
ପ୍ରସନ୍ନ ହୋଇଲେଟି ଆଜ । କିସ କରିବେ ଦେବରାଜ ॥ ୧୦୫
ଏତେହେଁ କାଳ କଲ ପୂଜା । ଦେବତା ନ ଖାଇଲା ଭୋଜା ॥ ୧୦୬
ଏମନ୍ତ ଦିଅଁ ଅଛି କାହିଁ । ହସ୍ତ ପ୍ରସାରି ବଳି ଖାଇ ॥ ୧୦୭
ଇନ୍ଦ୍ରର ଚିହ୍ନ ବର୍ଣ୍ଣ ନାହିଁ । ନ ଜାଣି ପୂଜ ବାଇ ହୋଇ ॥ ୧୦୮
ଏମନ୍ତ ନ ଦେଖିଲ ଦିନେ । ବଳି ଭୁଞ୍ଜଇ ତୋଷମନେ ॥ ୧୦୯
ଏବେ ତୁମ୍ଭର ଚିନ୍ତା ନାହିଁ । ନିଶ୍ଚିନ୍ତେ ଥିବ ଏହା ଧ୍ୟାୟି ॥ ୧୧୦
ଏ ଆମ୍ଭ ପୁରାଇବେ ଆଶା । ଏଣେ ସେ ଆମ୍ଭର ଭରସା ॥ ୧୧୧
ଏହାଙ୍କୁ ନମସ୍କାର କର । ଏ ଆମ୍ଭ ଜୀବନ ଠାକୁର ॥ ୧୧୨
ଏହାଙ୍କୁ ଅବଜ୍ଞା ଯେ କରି । ପଡ଼ିବେ ନରକ ଆବୋରି ॥ ୧୧୩
ଏ ଆମ୍ଭ ରଖିବେ ଗୋକୁଳ । ବୋଲନ୍ତି ପ୍ରଭୁ ଆଦିମୂଳ ॥ ୧୧୪
ଏମନ୍ତ କହି ବନମାଳୀ । ଆପଣେ କଲେ ନିଉଛାଳି ॥ ୧୧୫
ଦେଖି ଆନନ୍ଦ ଗୋପଗୋପୀ । ନମିଲେ ପର୍ବତ ନିରୋପି ॥ ୧୧୬
ବୋଲନ୍ତି ଆମ୍ଭେ ଭାଗ୍ୟବନ୍ତ । ପ୍ରତ୍ୟକ୍ଷେ ଦେଖିଲୁ ପର୍ବତ ॥ ୧୧୭
କଲ୍ୟାଣ ହେଉ ନନ୍ଦବାଳେ । ଏ ଆମ୍ଭ ରଖିବ ଗୋକୁଳେ ॥ ୧୧୮
ଏମନ୍ତ ପୂଜାବିଧି କଲେ । ଗୋପେ ମିଳିଲେ ସନ୍ଧ୍ୟାକାଳେ ॥ ୧୧୯
କୃଷ୍ଣ ଚରିତ ପରଶଂସି । ମିଳିଲେ ନିଜ ପୁରେ ଆସି ॥ ୧୨୦
ସେ ହରିଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୨୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପଞ୍ଚବିଂଶୋଽଧ୍ୟାୟଃ ॥
* * *