ଦଶମ ସ୍କନ୍ଧ

ଚତୁବିଂଶ ଅଧ୍ୟାୟ

ଶୁକ ଉବାଚ

ପରୀକ୍ଷେ ଚାହିଁ ଶୁକମୁନି । କହନ୍ତି କୃଷ୍ଣଭାବ ଘେନି ॥

ବାଳକେ କୃଷ୍ଣକୁ ଅନାଇଁ । ବୋଲନ୍ତି ଶିରେ କରଦେଇ ॥

ହେ ରାମକୃଷ୍ଣ କର ତ୍ରାହି । କ୍ଷୁଧାରେ କମ୍ପୁଅଛି ଦେହୀ ॥

ଆଣିତ ନ ପାରିଲୁ ଅନ୍ନ । ରାତ୍ରହୁଁ କଲ ବେଣୁସ୍ୱନ ॥

ଘର ହୋଇଲା ଦୂରପଥ । ଆଜ ତ ହୋଇଲୁ ଅନାଥ ॥

ବାଳକ ବୋଲ ଶୁଣି କର୍ଣ୍ଣେ । ଗୋବିନ୍ଦ ବିଚାରନ୍ତି ମନେ ॥

ଅନେକ ଜନ୍ମେ ଦୁଃଖ ସହି । ବ୍ରାହ୍ମଣୀଛନ୍ତି ମୋତେ ଧ୍ୟାୟି ॥

ତାହାଙ୍କୁ ନିସ୍ତାରିବି ଆଜ । ଏଣେ ମୋହର ବଡ଼କାର୍ଯ୍ୟ ॥

ପୁଅଙ୍କ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥

ଏ ଯେ ଦିଶଇ ଧୂମବ‰ର୍ଣ୍ଣ । ନିକଟେ ଅଶୋକ-ବିପିନ ॥ ୧୦

ଯଜ୍ଞ କରନ୍ତି ବିପ୍ରେ ଯହିଁ । ତହିଁକି ଯାଅ ବେଗ ହୋଇ ॥ ୧୧

ବିଚାରି ବେଦ-ବ୍ରହ୍ମଦୀକ୍ଷା । ଯଜ୍ଞେ କରନ୍ତି ସ୍ୱର୍ଗ ଇଚ୍ଛା ॥ ୧୨

ଧନ-ବସନ-ଅନ୍ନ ଭୋଜା । ଅତିଥି କରୁଥାନ୍ତି ପୂଜା ॥ ୧୩

ଅତିଥିମତେ ତୁମ୍ଭେ ଯାଅ । ମୋର ମାଗିଲା ବୋଲି କହ ॥ ୧୪

ରାମ ଅଛନ୍ତି କୃଷ୍ଣ ସଙ୍ଗେ । ଅନ୍ନପୁଡ଼ାଏ ଦିଅ ବେଗେ ॥ ୧୫

ଶୁଣି ସାନନ୍ଦମନ ହୋଇ । ଯଜ୍ଞେ ମିଳିଲେ ପୋଏ ଯାଇ ॥ ୧୬

କପୋଳେ ଦେଇ ବେନିକର । ନ ମିଲେ ବିପ୍ରଙ୍କ ପୟର ॥ ୧୭

ଉଠିଲେ ଶିରେ କର ଦେଇ । କହନ୍ତି ବିପ୍ରଙ୍କୁ ଅନାଇଁ ॥ ୧୮

ଶୁଣିମା ସାବଧାନ ହୋଇ । ବନେ ବିଜୟ ବେନିଭାଇ ॥ ୧୯

ରାମ-ଗୋବିନ୍ଦ ଗୋପମେଳେ । ଫୁଟିଲେ କ୍ଷୁଧାର ବିକଳେ ॥ ୨୦

ଅଶୋକ ବୃକ୍ଷତଳେ ରହି । ଆମ୍ଭଙ୍କୁ ଦେଲେ ପଠିଆଇ ॥ ୨୧

ଅନ୍ନପୁଡ଼ାଏ ସ୍ୱାମୀ ଦେବ । ଭୁଞ୍ଜିବେ ଶ୍ରୀରାମ-ମାଧବ ॥ ୨୨

ଘରୁ ଆଣନ୍ତି ପ୍ରତିଦିନେ । ବନେ ଭୁଞ୍ଜନ୍ତି ତୋଷମନେ ॥ ୨୩

ରାତ୍ର ହିଁ ବନେ ଆଗସରି । ଅନ୍ନ ଯେ ଅଇଲୁ ପାସୋରି ॥ ୨୪

ଏଠାକୁ ଦୂର ଗୋପପୁର । କ୍ଷୁଧାଏ କମ୍ପଇ ଶରୀର ॥ ୨୫

ଆମ୍ଭଙ୍କୁ ରାଇ କୃଷ୍ଣ ପେଷି । ଅଛନ୍ତି ବୃକ୍ଷତଳେ ବସି ॥ ୨୬

ତାହାଙ୍କୁ ଯେବେ କର ସ୍ନେହ । ଅନ୍ନପୁଡ଼ାଏ ବେଗେ ଦିଅ ॥ ୨୭

ଯଜ୍ଞର ସ୍ୱଭାବ ଏମନ୍ତ । ଅତିଥି ପୂଜିବା ଯୁକତ ॥ ୨୮

ବ୍ରାହ୍ମଣେ ଶୁଣି ନ ଶୁଣିଲେ । ମନଚଞ୍ଚଳେ ଯଜ୍ଞ କଲେ ॥ ୨୯

ହରିର ମାୟାଚକ୍ରେ ପଡ଼ି । ଅଳପକର୍ମେ ପୁଣ୍ୟ ଲୋଡ଼ି ॥ ୩୦

ମନ ବୁଡ଼ାଇଛନ୍ତି ଯଜ୍ଞେ । ବ୍ରାହ୍ମଣ ଜନ୍ମର ସ୍ୱଭାବେ ॥ ୩୧

ଯେ ହରି ଦେଶକାଳ ପାତ୍ର । ଯଜ୍ଞାଦିଧର୍ମର ଦୈବତ ॥ ୩୨

ଯଜ୍ଞଭୋକତା ଆଦି କରି । ସର୍ବସମ୍ପଦ ନରହରି ॥ ୩୩

ପରମବ୍ରହ୍ମ ନ ଚିହ୍ନିଲେ । ମନୁଷ୍ୟବୁଦ୍ଧି ଆଚରିଲେ ॥ ୩୪

ଦେବା ନ ଦେବା ନ ବୋଇଲେ । ଗୋପାଳେ ନିରାଶ ହୋଇଲେ ॥ ୩୫

ଘଡ଼ିଏ ଥାଇ ଦୁଃଖସୁଖେ । ପୁଣି ମିଳିଲେ କୃଷ୍ଣପାଖେ ॥ ୩୬

ବୋଲନ୍ତି ଶିରେ କରଦେଇ । ଅନ୍ନ ମାଗିଲୁ ଆମ୍ଭେ ଯାଇ ॥ ୩୭

ତୋକଥା ଶୁଣି ନ ଶୁଣିଲେ । ଦେବା ନ ଦେବା ନ ବୋଇଲେ ॥ ୩୮

ଆମ୍ଭେ ଅଇଲୁ ଦୁଃଖପାଇ । ଶୁଣି ହସନ୍ତି ବେନିଭାଇ ॥ ୩୯

ବୋଲନ୍ତି ଶୁଣ ଗୋପପୋଏ । ଯାଅ ବ୍ରାହ୍ମଣଘର ଯାଏ ॥ ୪୦

ବ୍ରାହ୍ମଣୀମାନେ ଛନ୍ତି ଘରେ । ସେ ମୋତେ ଜାଣନ୍ତି ଅନ୍ତରେ ॥ ୪୧

ମୋ ଭାବ ନିତ୍ୟେ ସେ ଚିନ୍ତନ୍ତି । ମୋହର ଦର୍ଶନ ଇଚ୍ଛନ୍ତି ॥ ୪୨

ତାହାଙ୍କୁ ଅନ୍ନ ମାଗ ଯାଇ । ଭୁଞ୍ଜିବା ଉଦର ପୂରାଇ ॥ ୪୩

ବାଳକେ ଦୟା ସେ କରନ୍ତି । ଅତିଥି ଧର୍ମମତେ ଥାନ୍ତି ॥ ୪୪

ନାନାବ୍ୟଞ୍ଜନ ଆଣି ଦେବେ । ବେଗେ ବାହୁଡ଼ିଯାଅ ଏବେ ॥ ୪୫

ଗୋବିନ୍ଦ ଆଜ୍ଞା ଘେନି ଶିରେ । ପୋଏ ଚଳିଲେ ବିପ୍ରଘରେ ॥ ୪୬

ବ୍ରାହ୍ମଣୀମାନେ ଛନ୍ତି ବସି । ଅଳକ ତିଳକ ପ୍ରକାଶି ॥ ୪୭

ସ୍ତିରୀ ସ୍ୱଭାବେ ଅଳଙ୍କାର । ମଙ୍ଗଳନାଦେ ଗୀତସ୍ୱର ॥ ୪୮

କୃଷ୍ଣରନାମ ତୁଣ୍ତେ ଗାଇ । ପୋଏ ମିଳିଲେ ଘରେ ଯାଇ ॥ ୪୯

ଚରଣେ ଗଡ଼ଘାଲି ଶୋଇ । ବୋଲନ୍ତି ଶିରେ କରଦେଇ ॥ ୫୦

ଶୁଣିମା ସାବଧାନେ ମାଏ । ଆମ୍ଭେ ସକଳ ଗୋପପୋଏ ॥ ୫୧

ରାମ-ଗୋବିନ୍ଦ ଆମ୍ଭ ତୁଲେ । ବନରେ ଗାଈ ରଖିଥିଲେ ॥ ୫୨

କ୍ଷୁଧା-ଅନଳେ ଦୁଃଖଶ୍ରମେ । ବିଜୟ ଅଶୋକ ବିପିନେ ॥ ୫୩

ଆମ୍ଭଙ୍କୁ ରାଇ ବେନିଭାଇ । ଏଥକୁ ଦେଲେ ପଠିଆଇ ॥ ୫୪

ଅନ୍ନପୁଡ଼ାଏ ମାଏ ଦେବ । ଭୁଞ୍ଜିବେ ଶ୍ରୀରାମ-ମାଧବ ॥ ୫୫

ବହନ ଦିଅ ମାଏ ଅନ୍ନ । ତେବେ ସେ ପାଇବେ ଜୀବନ ॥ ୫୬

ଆମ୍ଭର ଦେଖୁଅଛ ଦେହ । ଦେବା ନ ଦେବା ବେଗେ କହ ॥ ୫୭

ଶୁଣି ଉଷତ ବିପ୍ରନାରୀ । ସକଳ ଚରଚା ପାସୋରି ॥ ୫୮

ଆନନ୍ଦେ ପୁଲକିତ ହୋଇ । ନୟନୁ ଅଶ୍ରୁଜଳ ବହି ॥ ୫୯

କୃଷ୍ଣର ନାମ ଜପୁଛନ୍ତି । ଫିଟିଲା ଭବବନ୍ଧ-ଭ୍ରାନ୍ତି ॥ ୬୦

ତକ୍ଷଣେ ଶୁଚିମନ୍ତ ହୋଇ । ଘରେ ପଶିଲେ ବେଗେ ଯାଇ ॥ ୬୧

ଅନ୍ନ ବ୍ୟଞ୍ଜନ ଷଡ଼ରସେ । ଆନନ୍ଦେ ବାଢ଼ିଲେ ବିଶେଷେ ॥ ୬୨

ବିବିଧପାତ୍ରେ ଅନ୍ନ ଘେନି । ବାହାର ହୋଇଲେ କାମିନୀ ॥ ୬୩

ଆନନ୍ଦେ ଦେଲେ ହୁଳହୁଳି । ଯେସନେ ସମୁଦ୍ର ଉଛୁଳି ॥ ୬୪

ସମ୍ପଦ ତୁଚ୍ଛପ୍ରାୟ କରି । ଏକ ଆରକେ ଆଗସରି ॥ ୬୫

ବିପ୍ରେ ଯେ ଯଜ୍ଞଶାଳ ଥିଲେ । ଗୋଡ଼ାଇ ଆଗେ ଓଗାଳିଲେ ॥ ୬୬

ବୋଲନ୍ତି କୋପଭର ହୋଇ । ତୁମ୍ଭଙ୍କୁ କେହୁ କଲାବାଇ ॥ ୬୭

ଗୋପାଳେ ବନେ ବେଣୁବାଇ । ବୁଲନ୍ତି ଗାଈଙ୍କି ଚରାଇ ॥ ୬୮

ତା'ଙ୍କ ନିକଟେ ତୁମ୍ଭେ ଗଲେ । ଆଉ କି ଥିବ ଜାତି-କୁଳେ ॥ ୬୯

ଭଲେ ବାହୁଡ଼ିଯାଅ ଘର । ଗଉଡ଼େ ବନେ ବଳୀୟାର ॥ ୭୦

ବ୍ରାହ୍ମଣୀ ନ ଶୁଣିଲେ ତାହା । କୃଷ୍ଣରେ ବଳିଛି ଉତ୍ସାହା ॥ ୭୧

ଗହଳେ ଗଲେ ପେଲା ପେଲି । ସ୍ୱାମୀଙ୍କି ପକାଇଲେ ଠେଲି ॥ ୭୨

ସମୁଦ୍ରେ ଆସନ୍ତେ ଲହରୀ । ତା' ବାଲିବନ୍ଧ କି ଆବୋରି ॥ ୭୩

କୃଷ୍ଣ ଭକ୍ତିରେ ବଳବନ୍ତା । ତେଣୁ ସେ ସ୍ୱାମୀଙ୍କି ଜିଣନ୍ତା ॥ ୭୪

ବ୍ରାହ୍ମଣେ ଧରି ନ ପାରିଲେ । ଯଜ୍ଞଶାଳକୁ ବାହୁଡ଼ିଲେ ॥ ୭୫

ଏକ ବ୍ରାହ୍ମଣୀ କ୍ଷୀଣଦେହୀ । ଗହଳେ ନ ପାରିଲା ଯାଇ ॥ ୭୬

ଦରିଦ୍ରପଣେ ଦୁଃଖ ପାଇ । ଅନ୍ନ-ବସନ ନ ମିଳଇ ॥ ୭୭

କୃଷ୍ଣହୁଁ ନ ଜାଣଇ ଆନ । ମନ-ବଚନେ ନିତ୍ୟେ ଧ୍ୟାନ ॥ ୭୮

ଅନେକ ଜନ୍ମେ ଦୁଃଖ ପାଇ । ତାହା ଜାଣନ୍ତି ଭାବଗ୍ରାହୀ ॥ ୭୯

ତାହାର ସ୍ୱାମୀ ଧରି କରେ । ନେଇ ବାନ୍ଧିଲା ନିଜ ଘରେ ॥ ୮୦

ମାଡ଼ ମାଇଲା ରୋଷଭରେ । ରୋଳେ ବାନ୍ଧିଲା ଧାତିକାରେ ॥ ୮୧

ଦ୍ୱାର କବାଟ ଆଣ୍ଟେ କିଳି । ଯଜ୍ଞଶାଳାରେ ଯାଇ ମିଳି ॥ ୮୨

ବ୍ରାହ୍ମଣୀ ହୋଇଲା ମୂର୍ଚ୍ଛିତ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୮୩

ପୁଣି କ୍ଷଣକେ ଜ୍ଞାନ ପାଇ । ବୋଲଇ କାନ୍ଦି କୃଷ୍ଣ ତ୍ରାହି ॥ ୮୪

ଗଲେ ଯେ ବିପ୍ରନାରୀମାନେ । ମିଳିଲେ ଅଶୋକ-ବିିପିନେ ॥ ୮୫

ବୃକ୍ଷର ତଳେ ଗୋପମେଳେ । କୃଷ୍ଣ ଦେଖିଲେ ଚର୍ମଡ଼ୋଳେ ॥ ୮୬

ଶ୍ୟମସୁନ୍ଦର ତନୁ ବ‰ର୍ଣ୍ଣ । ପୀତବସନ ଶୋଭାବନ ॥ ୮୭

କଙ୍କଣ କୁŠଣ୍ତଳ ବିରାଜେ । ତେଜେ କୋଟିଏ କାମଗଞ୍ଜେ ॥ ୮୮

ରଙ୍ଗମୃତ୍ତିକା ଅଙ୍ଗେ ବୋଲି । ମୟୂରପୁଚ୍ଛ ଗୁଞ୍ଜମାଳୀ ॥ ୮୯

ଆମ୍ବବଉଳ ଜାମୁଡ଼ାଳ । ହୃଦେ ଲମ୍ବଇ ବନମାଳ ॥ ୯୦

ପାଦେ କଠାଉ ରଙ୍ଗସାର । ଶ୍ରୀଦାମ କନ୍ଧେ ବାମକର ॥ ୯୧

ଦକ୍ଷିଣ କରେ ପଦ୍ମଘେନି । ଧୀରେ ଘୂରାନ୍ତି ଅନ୍ତର୍ଯ୍ୟାମି ॥ ୯୨

କ‰ର୍ଣ୍ଣରେ ନୀଳ ଉତପଳ । ସୁନ୍ଦର ଅଳକା କପୋଳ ॥ ୯୩

ଯେସନେ ନଟବର ବେଶ । ରଙ୍ଗ ଅଧରେ ମନ୍ଦହାସ ॥ ୯୪

ଈଷିତ ହାସ୍ୟମୁଖ ହୋଇ । ବ୍ରାହ୍ମଣୀମାନଙ୍କୁ ଅନାଇଁ ॥ ୯୫

ବ୍ରାହ୍ମଣନାରୀ କୃଷ୍ଣ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥ ୯୬

ଦେହ ତିନ୍ତିଲା ଅଶ୍ରୁଜଳେ । ଅନ୍ନ ଥୋଇଲେ କାଖୁଁ ତଳେ ॥ ୯୭

ତକ୍ଷଣେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ॥ ୯୮

ଅନଳ ଦେଖିଣ ପତଙ୍ଗ । ଯେହ୍ନେ ହୁଅନ୍ତି ଉଦ୍‌ବେଗ ॥ ୯୯

ବୋଲନ୍ତି କରିବା ଗୋ କୋଳ । ଜୀବନ ହୋଇବ ସୁଫଳ ॥ ୧୦୦

କେ ବୋଲେ ଏମନ୍ତ ନୁହଁଇ । ବ୍ରାହ୍ମଣେ ନ ଦେବେଟି ଯାଇ ॥ ୧୦୧

ପରପୁରୁଷ କୋଳ କଲେ । ବିପ୍ରେ ଦŠଣ୍ତିବେ ଘରେ ଗଲେ ॥ ୧୦୨

ଏମନ୍ତ ବିଚାରନ୍ତି ରହି । କୃଷ୍ଣବଦନେ ଚକ୍ଷୁ ଦେଇ ॥ ୧୦୩

କଣ୍ଠ-କୁଣ୍ଠିତ ରସଭର । ଅଧର କମ୍ପେ ଥରହର ॥ ୧୦୪

ପୁଣ ପୁଲକଭରେ କୁଚ । ଜାନୁ କମ୍ପଇ ଘନଘଞ୍ଚ ॥ ୧୦୫

ପଡ଼ିଲେ ପଞ୍ଚଶରେ ଘାରି । କୃଷ୍ଣଙ୍କୁ ଦେଖି ବିପ୍ରନାରୀ ॥ ୧୦୬

ଆତ୍ମା ହୋଇଲା ମୋହଗତ । ପଞ୍ଚପରାଣ କଣ୍ଠାଗ୍ରତ ॥ ୧୦୭

ଚକ୍ଷୁ ବୁଜିଲେ ଭାବଭରେ । କୃଷ୍ଣଙ୍କୁ ଦେଖିଲେ ଭିତରେ ॥ ୧୦୮

ହୃଦୟେ ଦେଖି ନାରାୟଣ । ନିବିଡ଼େ କଲେ ଆଲିଙ୍ଗନ ॥ ୧୦୯

ତାପ ଛାଡ଼ିଲେ ବିପ୍ରନାରୀ । ଜନ୍ମମରଣ ଆଦିକରି ॥ ୧୧୦

ଯେହ୍ନେ ଜ୍ଞାନୀଙ୍କ ସଙ୍ଗ ପାଇ । ବିଷୟଖେଦ ନ ଲାଗଇ ॥ ୧୧୧

ଜ୍ଞାନକୁ ପାଇ ଦିନେ ଦିନେ । ତାପ ଛାଡ଼ନ୍ତି ଯେହ୍ନେ ଜନେ ॥ ୧୧୨

ପୁଣି କ୍ଷଣକେ ଚକ୍ଷୁ ଫେଇ । ଦେଖନ୍ତି ନୟନ ପୂରାଇ ॥ ୧୧୩

ଚିତ୍ରପ୍ରତିମା ପ୍ରାୟ ହୋଇ । ମନ ବୁଡ଼ିଲା କୃଷ୍ଣ ତହିଁ ॥ ୧୧୪

ଜାଣିଲେ ପ୍ରଭୁ ଭଗବାନ । ବୋଲନ୍ତି ମଧୁର ବଚନ ॥ ୧୧୫

ଭଲେ ଅଇଲଟିକି ପଥେ । ମୋ' ରୂପ ଦେଖିବା ନିମନ୍ତେ ॥ ୧୧୬

ଆସଗୋ ବିପ୍ରନାରୀଗଣ । ନମଇଁ ତୁମ୍ଭର ଚରଣ ॥ ୧୧୭

ତୁମ୍ଭ ଚରଣରେଣୁ ଶିରେ । ଘେନି ସଂସାରୁ ପ୍ରାଣୀ ତରେ ॥ ୧୧୮

ବସ ଏ ବୃକ୍ଷତଳେ ଆଇ । ମୋତେ ଅଇଲ ଅନ୍ନ ଦେଇ ॥ ୧୧୯

ଆଜ ପବିତ୍ର ମୋର ଦେହୀ । ହୋଇବ ଯଜ୍ଞଅନ୍ନ ଖାଇ ॥ ୧୨୦

ତୁମ୍ଭଙ୍କୁ କି କରିବା ସେବା । ବିଚାରି ମୋତେ ଆଜ୍ଞା ଦେବା ॥ ୧୨୧

ଜ୍ଞାନୀଏ ଆତ୍ମଜ୍ଞାନ ପାଇ । ଧ୍ୟାନେ ଚିନ୍ତନ୍ତି ମୋର ଦେହୀ ॥ ୧୨୨

ତୁମ୍ଭର ସ୍ୱାମୀ ସେବା ପ୍ରାୟେ । ଜ୍ଞାନୀ କରନ୍ତି ମୋତେ ଲୟେ ॥ ୧୨୩

ଏବେ ଦେଖିଲ ମୋ' ଶରୀର । ନିଜ ମନ୍ଦିରେ ବିଜେକର ॥ ୧୨୪

ତୁମ୍ଭର ସ୍ୱାମୀପାଦେ ସେବ । ଯେବେ ଏ ସଂସାରୁ ତରିବ ॥ ୧୨୫

ବେଗେ ଘରକୁ ଯାଅ ଆଇ । ପୂ‰ର୍ଣ୍ଣଆହୂତି ବେଳ ହୋଇ ॥ ୧୨୬

ତୁମ୍ଭଙ୍କୁ ଘେନି ବିପ୍ରବରେ । ପୁଣ୍ୟ ସାଧିବେ ନିଜ ଘରେ ॥ ୧୨୭

ଶୁଣି ଗୋବିନ୍ଦ ମୁଖୁଁ ବାଣୀ । ବିକଳେ ବୋଲନ୍ତି ବ୍ରାହ୍ମଣୀ ॥ ୧୨୮

ଭୋ ନାଥ କମଳଲୋଚନ । ଅଶେଷ ଦୁଃଖ ବିମୋଚନ ॥ ୧୨୯

ତୋହର ଆଦିଅନ୍ତ ନାହିଁ । ପ୍ରକୃତି ତୋତେ ନ ଜାଣଇ ॥ ୧୩୦

ଅଶେଷ-ବ୍ରହ୍ମାଣ୍ତŠ-ଗୋସାଇଁ । ଏମନ୍ତ ବୋଲ କାହିଁପାଇଁ ॥ ୧୩୧

ଆମ୍ଭେ ଛାଡ଼ିଲୁ ମୋହପାଶ । ତୋହର ପାଦମୂଳେ ଆଶ ॥ ୧୩୨

ତୋହର ଚରଣ ତୁଳସୀ । କବରୀଭାରେ ତାହା ଖୋସି ॥ ୧୩୩

କବରୀଭାର ସଜ କରି । ତୋପାଦେ ସେବିବୁଁ ମୁରାରି ॥ ୧୩୪

ଖଟିବୁ ପାଦପଦ୍ମତଳେ । ଅଶେଷ ଜନ୍ମ ପୁଣ୍ୟଫଳେ ॥ ୧୩୫

ସ୍ୱାମୀ-ତନୟ-ବନ୍ଧୁ-ଗୁରୁ । ତେଜିଲୁଁ ତୋହର କୃପାରୁ ॥ ୧୩୬

ଅଷ୍ଟାଙ୍ଗ ଯୋଗଲୟେ ବସି । ତୋ' ରୂପ ଚିନ୍ତନ୍ତି ସନ୍ନ୍ୟାସୀ ॥ ୧୩୭

ତାହା ପାଇଲୁଁ ପୁଣ୍ୟବଳେ । ଭୋନାଥ ରଖ ପାଦତଳେ ॥ ୧୩୮

ଇଷ୍ଟ କୁଟୁମ୍ବେ କାର୍ଯ୍ୟ ନାହିଁ । ବଞ୍ଚିବୁ ତୋ ମୁଖ ଅନାଇଁ ॥ ୧୩୯

ଏଠାରେ ଯେବେ ଆମ୍ଭେ ଯିବୁ । ଘରେ ତ ପଶି ନ ପାରିବୁ ॥ ୧୪୦

ବନ୍ଧୁ-ପିଅର-ପୁତ୍ର-ପତି । ଆମ୍ଭଙ୍କୁ ବୋଲିବେ ଅସତୀ ॥ ୧୪୧

ସଂସାରେ ନ ବୋଲିବେ ଭଲ । ବିଚାରି କହ ଆଦିମୂଳ ॥ ୧୪୨

ଉଭୟକୁଳ ନ ପାଇଲୁ । ଏବେ ନିଶ୍ଚୟ ନାଶ ଗଲୁ ॥ ୧୪୩

କିସ କରିବୁ ଘରେ ଯାଇ । ତୋ' ତହୁଁ ଆନଗତି ନାହିଁ ॥ ୧୪୪

ହସି ବୋଲନ୍ତି ଭଗବାନ । ଏମନ୍ତ ନବିଚାର ମନ ॥ ୧୪୫

ମୋର ଚରଣେ ଚିତ୍ତ ଦେଇ । ଚŠଣ୍ତାଳଘରେ ଯେବେ ଥାଇ ॥ ୧୪୬

ସଂସାର ତା'ର ପାଦେ ପୂଜେ । ଯେ ମୋର ନାମ ନିତ୍ୟେଭଜେ ॥ ୧୪୭

ତୁମ୍ଭଙ୍କୁ ଦେଖି ସ୍ୱାମୀଗଣେ । ଖଟିବେ ତୁମ୍ଭର ଚରଣେ ॥ ୧୪୮

ତୁମ୍ଭଙ୍କୁ ନୟନେ ଦେଖିବେ । ଜନ୍ମ ମରଣର ପାଶୋରିବେ ॥ ୧୪୯

ମୋର ମହିମା ଶୁଣନାରୀ । ଯେମୋର ନିକଟେ ଆବୋରୀ ॥ ୧୫୦

ମୋକ୍ଷବିଧାନେ ଯେ ଭଜଇ । ମୋହର ତହିଁ ମନ ଦେଇ ॥ ୧୫୧

ମୋତେ ପାଇବା ଆଶେ ଜଗି । ବିଘ୍ନେ ହୁଅନ୍ତି ଦୁଃଖଭାଗୀ ॥ ୧୫୨

ମୋହର ଆଦି ଅନ୍ତ ନାହିଁ । ପ୍ରାଣୀ ପାଇବେ ମୋତେ କାହିଁ ॥ ୧୫୩

ଯେ ମୋତେ ଦୂରେ ଥାଇ ଚିନ୍ତି । ସେ ମୋତେ ନିକଟେ ଦେଖନ୍ତି ॥ ୧୫୪

ମନ-ବଚନ ଦ୍ୟନ୍ତି ମୋତେ । ମୁଁ ଥାଇ ତା'ଙ୍କ ହୃଦଗତେ ॥ ୧୫୫

ବେଗେ ମନ୍ଦିରେ ଯାଆ ମାଏ । ଚିତ୍ତ ନିବେଶି ମୋର ପାୟେ ॥ ୧୫୬

ସଂସାରେ ସୁଖ ଭୋଗକରି । ଅନ୍ତେ ପାଇବ ମୋର ପୁରୀ ॥ ୧୫୭

ମୋ' ପାଦେ ତୁମ୍ଭ ମନଥାଉ । ମୋ' ନାମ ଧରି ଦିନ ଯାଉ ॥ ୧୫୮

ଏବେ ତୁମ୍ଭଙ୍କୁ ବୋଲୁଁ ଯାହା । ହେତୁ କରିଣ ଘେନ ତାହା ॥ ୧୫୯

ତୁମ୍ଭେ ସ୍ୱଭାବେ ସ୍ତିରୀଜନ୍ମ । ନଜାଣ ବେଦ ଅଧ୍ୟୟନ ॥ ୧୬୦

ଶାସ୍ତ୍ର ସ୍ମୃତି ଯେ ତୁମ୍ଭ ନାହିଁ । ନାମ ଭଜିବ ଗୀତ ଗାଇ ॥ ୧୬୧

ନିଶ୍ଚଳେ ନାମ-ଗୁଣ ଭଜି । ମୋତେ ପାଇବ ଗୁଣେ ରଞ୍ଜି ॥ ୧୬୨

ତୁମ୍ଭଙ୍କୁ ମୋର ବଡ଼ ଦୟେ । ଗୃହେ ଚଳିବା ଏବେ ମାଏ ॥ ୧୬୩

ଏ କଥା ଶୁଣି ବିପ୍ରନାରୀ । କୃଷ୍ଣବଚନ ଚିତ୍ତେ ଧରି ॥ ୧୬୪

ହରଷ-ବିସ୍ମୟେ ଆରତ । ଏବେ ହୋ ଶୁଣ ନରନାଥ ॥ ୧୬୫

କୃଷ୍ଣବଚନେ ଛାଡ଼ି ଭ୍ରାନ୍ତି । ପାଦେ ପଡ଼ିଲେ ବିପ୍ରସତୀ ॥ ୧୬୬

ଚରଣରେଣୁ ଘେନି ଶିରେ । ବ୍ରାହ୍ମଣୀ ଗଲେ ନିଜ ପୁରେ ॥ ୧୬୭

କୃଷ୍ଣର ପାଦେ ଚିତ୍ତ ଦେଇ । ଆନନ୍ଦ କେ ପାରିବ କହି ॥ ୧୬୮

ମଙ୍ଗଳ-ହୁଳହୁଳି-ନାଦେ । କର ନିବେଶି କାନ୍ଧେ କାନ୍ଧେ ॥ ୧୬୯

ମଙ୍ଗଳନାଦେ ଗୀତ ଗାଇ । ନାଚନ୍ତି କୃଷ୍ଣଭାବ ବହି ॥ ୧୭୦

ଶୁଣ ରାଜନ ଚୂଡ଼ାମଣି । ବନ୍ଧନେ ଥିଲା ଯେ ବ୍ରାହ୍ମଣୀ ॥ ୧୭୧

ଶୁଣିଲା ହୁଳହୁଳି ନାଦ । ବ୍ରାହ୍ମଣୀମାନଙ୍କ ଆନନ୍ଦ ॥ ୧୭୨

ଆତ୍ମାକୁ କହେ ରୋଷ ବହି । ନିର୍ଲ୍ଲଜ ଅଛୁ କାହିଁପାଇଁ ॥ ୧୭୩

ତୁ ଛାର ଅତ୍ୟନ୍ତ ପାତକୀ । କୃଷ୍ଣଙ୍କୁ ନ ପାରିଲୁ ଦେଖି ॥ ୧୭୪

ଯାହାର ନାମ ହୃଦେ ଧରି । ଶଙ୍କର ନିତ୍ୟେ ବ୍ରହ୍ମଚାରୀ ॥ ୧୭୫

ତୁ ଛାର ନ କଲୁ ଯେ ପୁଣ୍ୟ । ବ୍ରାହ୍ମଣୀମାନେ ବଡ଼ ଧନ୍ୟ ॥ ୧୭୬

କୃଷ୍ଣଙ୍କୁ ଦେଖିଲେ ନୟନେ । ଆଜ୍ଞା ଶୁଣିଲେ ବେନିକର୍ଣ୍ଣେ ॥ ୧୭୭

କିସ ପାଇବୁ ମୋ' ଶରୀରେ । ଦରିଦ୍ର ଦୁଃଖୀ ନିରନ୍ତରେ ॥ ୧୭୮

ଏତେ ବୋଲିଣ ମନକରି । ହୃଦରେ କୃଷ୍ଣନାମ ଧରି ॥ ୧୭୯

ଉଚ୍ଚେ ରଟିଲା ନାମ ଗୁଣ । ତ୍ରାହି କରିବା ନାରାୟଣ ॥ ୧୮୦

ହେ କୃଷ୍ଣ ପରମମଙ୍ଗଳ । ଦାସବତ୍ସ›ଳ ଆଦିମୂଳ ॥ ୧୮୧

ମୁଁ ଛାର କୋଟିକେ ଅନ୍ତର । କାହିଁ ପାଇବି ତୋ' ପୟର ॥ ୧୮୨

ଏ ଛାର ଜୀବନ ନ ଥାଉ । ଗୋବିନ୍ଦନାମ ଶୁଣି ଯାଉ ॥ ୧୮୩

ମୁଣ୍ତŠ ମାଇଲା ସ୍ତମ୍ଭେ ନେଇ । ପ୍ରାଣ ଛାଡ଼ିଲା କୃଷ୍ଣଧ୍ୟାୟି ॥ ୧୮୪

କୃଷ୍ଣର ପାଦେ ମନ ଥିଲା । ତୁŠଣ୍ତରେ ନାମ ଉଚ୍ଚାରିଲା ॥ ୧୮୫

ତକ୍ଷଣେ ଦିବ୍ୟରୂପ ହୋଇ । ପଶିଲା କୃଷ୍ଣ-ଦେହେ ଯାଇ ॥ ୧୮୬

ଭକତବନ୍ଧୁ ଭାବଗ୍ରାହୀ । ହୃଦରେ ଠାବ ଦେଲେ ନେଇ ॥ ୧୮୭

ଏବେ ହୋ ଶୁଣ ମହୀପାଳ । ଶ୍ରୀକୃଷ୍ଣ-କ୍ରଡ଼ା-କୁତୂହଳ ॥ ୧୮୮

ଦାସବତ୍ସ›ଳ ଭାବଗ୍ରାହୀ । ବୋଲନ୍ତି ପୁଅଙ୍କୁ ଅନାଇଁ ॥ ୧୮୯

ଅନ୍ନଭୋଜନ କର ବସି । ଆନନ୍ଦେ ନିଜ ଆତ୍ମା ତୋଷି ॥ ୧୯୦

ଶୁଣି ସାନନ୍ଦ ଗୋପପୋଏ । ସଙ୍ଗେ ଭୁଞ୍ଜିଲେ ଦେବରାୟେ ॥ ୧୯୧

ସ୍ୱର୍ଗେ ଦେଖନ୍ତି ଦେବତାଏ । ଗୋପଙ୍କ ସ୍ନେହ କୃଷ୍ଣଠାଏଁ ॥ ୧୯୨

ଏମନ୍ତ ଲୀଳା ବନମାଳୀ । ଗୋପୀ-ଗୋପାଳ ମେଳେ କେଳି ॥ ୧୯୩

ଅନନ୍ତ ପ୍ରଭୁ ଆଦିମୂଳ । ଗୋପେ ମିଳିଲେ ରାତ୍ରକାଳ ॥ ୧୯୪

ବ୍ରାହ୍ମଣେ ନିଜ ନାରୀ ଦେଖି । କୃଷ୍ଣର ଭାବ ଉପଲକ୍ଷ୍ୟି ॥ ୧୯୫

ବେଦ-ପୁରାଣେ ପରିମାଣି । ନିଶ୍ଚେ ଜାଣିଲେ ଚକ୍ରପାଣି ॥ ୧୯୬

ଭକତି ଦେଖି ନାରୀଙ୍କର । ମନେ ପାଇଲେ ଖେଦଭର ॥ ୧୯୭

ବୋଲନ୍ତି ଆତ୍ମନିନ୍ଦା କରି । ଜଣଜଣକେ ନାମ ଧରି ॥ ୧୯୮

ଶ୍ରୀକୃଷ୍ଣେ କଲୁଁ ଅପରାଧ । ଧିକ ଆମ୍ଭର ବ୍ରହ୍ମ‌ପଦ ॥ ୧୯୯

ବେଦ-ପୁରାଣ ଯେତେ ପଢ଼ୁଁ । ଧିକ ଆମ୍ଭର ଆତ୍ମା ପୋଡ଼ୁ ॥ ୨୦୦

ବେଦ-ପୁରାଣ ଦୀକ୍ଷା ପାଇ । ଯେ କୃଷ୍ଣଭାବ ନ ଜାଣଇ ॥ ୨୦୧

ଧିକ ତାହାର ଜନ୍ମ-କର୍ମ । ଅନେକ ମତେ ହୋଏ ଭ୍ରମ ॥ ୨୦୨

ଏମନ୍ତ ବିଚାରି ବ୍ରାହ୍ମଣେ । ଧନ୍ୟ ବୋଲନ୍ତି ନାରୀଗଣେ ॥ ୨୦୩

ଯେ ଯାହା ପତ୍ନୀମୁଖ ଚାହିଁ । ତୋଷ ହୋଇଲେ ଯଜ୍ଞଦାହୀ ॥ ୨୦୪

କୃଷ୍ଣର ମାୟା ଅଗୋଚର । ଭ୍ରମନ୍ତି ବ୍ରହ୍ମାଶିବସୁର ॥ ୨୦୫

ଜଗତଗୁରୁପଣେ ଥାଇ । ବ୍ରାହ୍ମଣ ନାମ ଆମ୍ଭେ ବହି ॥ ୨୦୬

ସ୍ତିରୀଙ୍କି ନୋହିଲୁ ଭାଜନ । ଏହାଙ୍କ ନାହିଁ ଦିବ୍ୟଜ୍ଞାନ ॥ ୨୦୭

କେମନ୍ତେ କୃଷ୍ଣଙ୍କୁ ଜାଣିଲେ । ପୂର୍ବେ ଏ କେତେ ତପ କଲେ ॥ ୨୦୮

ଦେଖ ଆମ୍ଭର କର୍ମଫଳ । ଅନ୍ନ ମାଗିଲେ ଆଦିମୂଳ ॥ ୨୦୯

ଯଜ୍ଞେ ପୂଜୁଛୁଁ ଯା'ର ପାଦ । ପ୍ରତ୍ୟକ୍ଷେ ମିଳିଲେ ଗୋବିନ୍ଦ ॥ ୨୧୦

ତାହାଙ୍କୁ ନ ଚିହ୍ନୁଲୁ ମୋହେ । ଜୀବନ ଅଛି କିମ୍ବା ଦେହେ ॥ ୨୧୧

ଯେ ହରି ଦେଶ-କାଳ-ପାତ୍ର । ମଙ୍ଗଳ-ଦିବ୍ୟ-ବେଦତତ୍ତ୍ୱ ॥ ୨୧୨

ବିପ୍ର ଅନଳ ଦେବଗଣ । ଯଜ୍ଞକରତା ଜନାŸର୍ଦ୍ଦନ ॥ ୨୧୩

ସକଳ ପ୍ରଭୁ ଭଗବାନ । ନ ଜାଣି ହୋଇଲୁ ଅଜ୍ଞାନ ॥ ୨୧୪

କମଳା ଥାଇ ପାଦତଳେ । ବଦନ ନିରୋପି ନିଶ୍ଚଳେ ॥ ୨୧୫

ଚଞ୍ଚଳା ପଦ୍ମ‌ପାଦେ ସେବି । ଭାବି ନ ପାଇଲା ସାଧବୀ ॥ ୨୧୬

ଅନାଦି ପ୍ରଭୁ ଯୋଗେଶ୍ୱର । ଗୁପତେ ଅଛି ନନ୍ଦଘର ॥ ୨୧୭

ଜାଣି ନ ପାରିଲୁ ସକଳେ । କୃଷ୍ଣର ମାୟା-ଯୋଗ-ବଳେ ॥ ୨୧୮

ନମଉଁ ପ୍ରଭୁ ଯୋଗେଶ୍ୱର । ଗତି-ମୁକତି ଗଦାଧର ॥ ୨୧୯

ତୋହର ମାୟାଚକ୍ରେ ଭ୍ରମି । ଆମ୍ଭେ ବୋଲାଉ ନିତ୍ୟକର୍ମୀ ॥ ୨୨୦

ଅନେକ କଲୁ ଅପରାଧ । ତ୍ରାହି କରିବା ପଦ୍ମନାଭ ॥ ୨୨୧

ଏମନ୍ତ ବୋଲି ଗୋଡ଼ାଇଲେ । ବନେ ଅନେକ ଦୂର ଗଲେ ॥ ୨୨୨

କୃଷ୍ଣ ନ ଦେଖି ଘୋରବନେ । ବ୍ରାହ୍ମଣେ ବିଚାରନ୍ତି ମନେ ॥ ୨୨୩

ଗୋବିନ୍ଦ ବିଜେ ନନ୍ଦଘରେ । ଜାତ ହୋଇଲେ ମଧୁପୁରେ ॥ ୨୨୪

ଆମ୍ଭେ ନ ଯିବା ଗୋପପୁର । ନ ପୁଣ ଜାଣେ କଂସାସୁର ॥ ୨୨୫

ମଥୁରା ଯେତେବେଳେ ଯିବେ । କୃଷ୍ଣ କଂସକୁ ସଂହାରିବେ ॥ ୨୨୬

କୃଷ୍ଣେ ଦେଖିବା ରାମ ତୁଲେ । ଏମନ୍ତ ବୋଲି ବାହୁଡ଼ିଲେ ॥ ୨୨୭

ସୁଜନେ ଶୁଣ କ‰ର୍ଣ୍ଣଦ୍ୱାରେ । ନ ବୁଡ଼ ସଂସାର ସାଗରେ ॥ ୨୨୮

ସକଳ ପ୍ରାଣୀ ହୃଦେ ଥାଇ । ଭ୍ରମ କରାନ୍ତି ଭାବଗ୍ରାହୀ ॥ ୨୨୯

ତାହାର ନାମ ଉଚ୍ଚାରିଲେ । ଭ୍ରମ ନ ଥାଇ ଆତ୍ମାତୁଲେ ॥ ୨୩୦

କହିଲି ଏ ପରମତତ୍ତ୍ୱ । କୃଷ୍ଣସେବକ ବଳବନ୍ତ ॥ ୨୩୧

ରେ ମନ କୃଷ୍ଣ ଆଶ୍ରେକର । ସର୍ବ ଆପଦ ହେବ ଦୂର ॥ ୨୩୨

କହଇ ଦାସ ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୨୩୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଯଜ୍ଞପତ୍ନୀ ଉଦ୍ଧରଣଂ ନାମ ଚତୁର୍ବିଂଶୋଽଧ୍ୟାୟଃ ।

* * *