ଦଶମ ସ୍କନ୍ଧ
ଚତୁବିଂଶ ଅଧ୍ୟାୟ
ଶୁକ ଉବାଚ
ପରୀକ୍ଷେ ଚାହିଁ ଶୁକମୁନି । କହନ୍ତି କୃଷ୍ଣଭାବ ଘେନି ॥ ୧
ବାଳକେ କୃଷ୍ଣକୁ ଅନାଇଁ । ବୋଲନ୍ତି ଶିରେ କରଦେଇ ॥ ୨
ହେ ରାମକୃଷ୍ଣ କର ତ୍ରାହି । କ୍ଷୁଧାରେ କମ୍ପୁଅଛି ଦେହୀ ॥ ୩
ଆଣିତ ନ ପାରିଲୁ ଅନ୍ନ । ରାତ୍ରହୁଁ କଲ ବେଣୁସ୍ୱନ ॥ ୪
ଘର ହୋଇଲା ଦୂରପଥ । ଆଜ ତ ହୋଇଲୁ ଅନାଥ ॥ ୫
ବାଳକ ବୋଲ ଶୁଣି କର୍ଣ୍ଣେ । ଗୋବିନ୍ଦ ବିଚାରନ୍ତି ମନେ ॥ ୬
ଅନେକ ଜନ୍ମେ ଦୁଃଖ ସହି । ବ୍ରାହ୍ମଣୀଛନ୍ତି ମୋତେ ଧ୍ୟାୟି ॥ ୭
ତାହାଙ୍କୁ ନିସ୍ତାରିବି ଆଜ । ଏଣେ ମୋହର ବଡ଼କାର୍ଯ୍ୟ ॥ ୮
ପୁଅଙ୍କ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥ ୯
ଏ ଯେ ଦିଶଇ ଧୂମବର୍ଣ୍ଣ । ନିକଟେ ଅଶୋକ-ବିପିନ ॥ ୧୦
ଯଜ୍ଞ କରନ୍ତି ବିପ୍ରେ ଯହିଁ । ତହିଁକି ଯାଅ ବେଗ ହୋଇ ॥ ୧୧
ବିଚାରି ବେଦ-ବ୍ରହ୍ମଦୀକ୍ଷା । ଯଜ୍ଞେ କରନ୍ତି ସ୍ୱର୍ଗ ଇଚ୍ଛା ॥ ୧୨
ଧନ-ବସନ-ଅନ୍ନ ଭୋଜା । ଅତିଥି କରୁଥାନ୍ତି ପୂଜା ॥ ୧୩
ଅତିଥିମତେ ତୁମ୍ଭେ ଯାଅ । ମୋର ମାଗିଲା ବୋଲି କହ ॥ ୧୪
ରାମ ଅଛନ୍ତି କୃଷ୍ଣ ସଙ୍ଗେ । ଅନ୍ନପୁଡ଼ାଏ ଦିଅ ବେଗେ ॥ ୧୫
ଶୁଣି ସାନନ୍ଦମନ ହୋଇ । ଯଜ୍ଞେ ମିଳିଲେ ପୋଏ ଯାଇ ॥ ୧୬
କପୋଳେ ଦେଇ ବେନିକର । ନ ମିଲେ ବିପ୍ରଙ୍କ ପୟର ॥ ୧୭
ଉଠିଲେ ଶିରେ କର ଦେଇ । କହନ୍ତି ବିପ୍ରଙ୍କୁ ଅନାଇଁ ॥ ୧୮
ଶୁଣିମା ସାବଧାନ ହୋଇ । ବନେ ବିଜୟ ବେନିଭାଇ ॥ ୧୯
ରାମ-ଗୋବିନ୍ଦ ଗୋପମେଳେ । ଫୁଟିଲେ କ୍ଷୁଧାର ବିକଳେ ॥ ୨୦
ଅଶୋକ ବୃକ୍ଷତଳେ ରହି । ଆମ୍ଭଙ୍କୁ ଦେଲେ ପଠିଆଇ ॥ ୨୧
ଅନ୍ନପୁଡ଼ାଏ ସ୍ୱାମୀ ଦେବ । ଭୁଞ୍ଜିବେ ଶ୍ରୀରାମ-ମାଧବ ॥ ୨୨
ଘରୁ ଆଣନ୍ତି ପ୍ରତିଦିନେ । ବନେ ଭୁଞ୍ଜନ୍ତି ତୋଷମନେ ॥ ୨୩
ରାତ୍ର ହିଁ ବନେ ଆଗସରି । ଅନ୍ନ ଯେ ଅଇଲୁ ପାସୋରି ॥ ୨୪
ଏଠାକୁ ଦୂର ଗୋପପୁର । କ୍ଷୁଧାଏ କମ୍ପଇ ଶରୀର ॥ ୨୫
ଆମ୍ଭଙ୍କୁ ରାଇ କୃଷ୍ଣ ପେଷି । ଅଛନ୍ତି ବୃକ୍ଷତଳେ ବସି ॥ ୨୬
ତାହାଙ୍କୁ ଯେବେ କର ସ୍ନେହ । ଅନ୍ନପୁଡ଼ାଏ ବେଗେ ଦିଅ ॥ ୨୭
ଯଜ୍ଞର ସ୍ୱଭାବ ଏମନ୍ତ । ଅତିଥି ପୂଜିବା ଯୁକତ ॥ ୨୮
ବ୍ରାହ୍ମଣେ ଶୁଣି ନ ଶୁଣିଲେ । ମନଚଞ୍ଚଳେ ଯଜ୍ଞ କଲେ ॥ ୨୯
ହରିର ମାୟାଚକ୍ରେ ପଡ଼ି । ଅଳପକର୍ମେ ପୁଣ୍ୟ ଲୋଡ଼ି ॥ ୩୦
ମନ ବୁଡ଼ାଇଛନ୍ତି ଯଜ୍ଞେ । ବ୍ରାହ୍ମଣ ଜନ୍ମର ସ୍ୱଭାବେ ॥ ୩୧
ଯେ ହରି ଦେଶକାଳ ପାତ୍ର । ଯଜ୍ଞାଦିଧର୍ମର ଦୈବତ ॥ ୩୨
ଯଜ୍ଞଭୋକତା ଆଦି କରି । ସର୍ବସମ୍ପଦ ନରହରି ॥ ୩୩
ପରମବ୍ରହ୍ମ ନ ଚିହ୍ନିଲେ । ମନୁଷ୍ୟବୁଦ୍ଧି ଆଚରିଲେ ॥ ୩୪
ଦେବା ନ ଦେବା ନ ବୋଇଲେ । ଗୋପାଳେ ନିରାଶ ହୋଇଲେ ॥ ୩୫
ଘଡ଼ିଏ ଥାଇ ଦୁଃଖସୁଖେ । ପୁଣି ମିଳିଲେ କୃଷ୍ଣପାଖେ ॥ ୩୬
ବୋଲନ୍ତି ଶିରେ କରଦେଇ । ଅନ୍ନ ମାଗିଲୁ ଆମ୍ଭେ ଯାଇ ॥ ୩୭
ତୋକଥା ଶୁଣି ନ ଶୁଣିଲେ । ଦେବା ନ ଦେବା ନ ବୋଇଲେ ॥ ୩୮
ଆମ୍ଭେ ଅଇଲୁ ଦୁଃଖପାଇ । ଶୁଣି ହସନ୍ତି ବେନିଭାଇ ॥ ୩୯
ବୋଲନ୍ତି ଶୁଣ ଗୋପପୋଏ । ଯାଅ ବ୍ରାହ୍ମଣଘର ଯାଏ ॥ ୪୦
ବ୍ରାହ୍ମଣୀମାନେ ଛନ୍ତି ଘରେ । ସେ ମୋତେ ଜାଣନ୍ତି ଅନ୍ତରେ ॥ ୪୧
ମୋ ଭାବ ନିତ୍ୟେ ସେ ଚିନ୍ତନ୍ତି । ମୋହର ଦର୍ଶନ ଇଚ୍ଛନ୍ତି ॥ ୪୨
ତାହାଙ୍କୁ ଅନ୍ନ ମାଗ ଯାଇ । ଭୁଞ୍ଜିବା ଉଦର ପୂରାଇ ॥ ୪୩
ବାଳକେ ଦୟା ସେ କରନ୍ତି । ଅତିଥି ଧର୍ମମତେ ଥାନ୍ତି ॥ ୪୪
ନାନାବ୍ୟଞ୍ଜନ ଆଣି ଦେବେ । ବେଗେ ବାହୁଡ଼ିଯାଅ ଏବେ ॥ ୪୫
ଗୋବିନ୍ଦ ଆଜ୍ଞା ଘେନି ଶିରେ । ପୋଏ ଚଳିଲେ ବିପ୍ରଘରେ ॥ ୪୬
ବ୍ରାହ୍ମଣୀମାନେ ଛନ୍ତି ବସି । ଅଳକ ତିଳକ ପ୍ରକାଶି ॥ ୪୭
ସ୍ତିରୀ ସ୍ୱଭାବେ ଅଳଙ୍କାର । ମଙ୍ଗଳନାଦେ ଗୀତସ୍ୱର ॥ ୪୮
କୃଷ୍ଣରନାମ ତୁଣ୍ତେ ଗାଇ । ପୋଏ ମିଳିଲେ ଘରେ ଯାଇ ॥ ୪୯
ଚରଣେ ଗଡ଼ଘାଲି ଶୋଇ । ବୋଲନ୍ତି ଶିରେ କରଦେଇ ॥ ୫୦
ଶୁଣିମା ସାବଧାନେ ମାଏ । ଆମ୍ଭେ ସକଳ ଗୋପପୋଏ ॥ ୫୧
ରାମ-ଗୋବିନ୍ଦ ଆମ୍ଭ ତୁଲେ । ବନରେ ଗାଈ ରଖିଥିଲେ ॥ ୫୨
କ୍ଷୁଧା-ଅନଳେ ଦୁଃଖଶ୍ରମେ । ବିଜୟ ଅଶୋକ ବିପିନେ ॥ ୫୩
ଆମ୍ଭଙ୍କୁ ରାଇ ବେନିଭାଇ । ଏଥକୁ ଦେଲେ ପଠିଆଇ ॥ ୫୪
ଅନ୍ନପୁଡ଼ାଏ ମାଏ ଦେବ । ଭୁଞ୍ଜିବେ ଶ୍ରୀରାମ-ମାଧବ ॥ ୫୫
ବହନ ଦିଅ ମାଏ ଅନ୍ନ । ତେବେ ସେ ପାଇବେ ଜୀବନ ॥ ୫୬
ଆମ୍ଭର ଦେଖୁଅଛ ଦେହ । ଦେବା ନ ଦେବା ବେଗେ କହ ॥ ୫୭
ଶୁଣି ଉଷତ ବିପ୍ରନାରୀ । ସକଳ ଚରଚା ପାସୋରି ॥ ୫୮
ଆନନ୍ଦେ ପୁଲକିତ ହୋଇ । ନୟନୁ ଅଶ୍ରୁଜଳ ବହି ॥ ୫୯
କୃଷ୍ଣର ନାମ ଜପୁଛନ୍ତି । ଫିଟିଲା ଭବବନ୍ଧ-ଭ୍ରାନ୍ତି ॥ ୬୦
ତକ୍ଷଣେ ଶୁଚିମନ୍ତ ହୋଇ । ଘରେ ପଶିଲେ ବେଗେ ଯାଇ ॥ ୬୧
ଅନ୍ନ ବ୍ୟଞ୍ଜନ ଷଡ଼ରସେ । ଆନନ୍ଦେ ବାଢ଼ିଲେ ବିଶେଷେ ॥ ୬୨
ବିବିଧପାତ୍ରେ ଅନ୍ନ ଘେନି । ବାହାର ହୋଇଲେ କାମିନୀ ॥ ୬୩
ଆନନ୍ଦେ ଦେଲେ ହୁଳହୁଳି । ଯେସନେ ସମୁଦ୍ର ଉଛୁଳି ॥ ୬୪
ସମ୍ପଦ ତୁଚ୍ଛପ୍ରାୟ କରି । ଏକ ଆରକେ ଆଗସରି ॥ ୬୫
ବିପ୍ରେ ଯେ ଯଜ୍ଞଶାଳ ଥିଲେ । ଗୋଡ଼ାଇ ଆଗେ ଓଗାଳିଲେ ॥ ୬୬
ବୋଲନ୍ତି କୋପଭର ହୋଇ । ତୁମ୍ଭଙ୍କୁ କେହୁ କଲାବାଇ ॥ ୬୭
ଗୋପାଳେ ବନେ ବେଣୁବାଇ । ବୁଲନ୍ତି ଗାଈଙ୍କି ଚରାଇ ॥ ୬୮
ତା'ଙ୍କ ନିକଟେ ତୁମ୍ଭେ ଗଲେ । ଆଉ କି ଥିବ ଜାତି-କୁଳେ ॥ ୬୯
ଭଲେ ବାହୁଡ଼ିଯାଅ ଘର । ଗଉଡ଼େ ବନେ ବଳୀୟାର ॥ ୭୦
ବ୍ରାହ୍ମଣୀ ନ ଶୁଣିଲେ ତାହା । କୃଷ୍ଣରେ ବଳିଛି ଉତ୍ସାହା ॥ ୭୧
ଗହଳେ ଗଲେ ପେଲା ପେଲି । ସ୍ୱାମୀଙ୍କି ପକାଇଲେ ଠେଲି ॥ ୭୨
ସମୁଦ୍ରେ ଆସନ୍ତେ ଲହରୀ । ତା' ବାଲିବନ୍ଧ କି ଆବୋରି ॥ ୭୩
କୃଷ୍ଣ ଭକ୍ତିରେ ବଳବନ୍ତା । ତେଣୁ ସେ ସ୍ୱାମୀଙ୍କି ଜିଣନ୍ତା ॥ ୭୪
ବ୍ରାହ୍ମଣେ ଧରି ନ ପାରିଲେ । ଯଜ୍ଞଶାଳକୁ ବାହୁଡ଼ିଲେ ॥ ୭୫
ଏକ ବ୍ରାହ୍ମଣୀ କ୍ଷୀଣଦେହୀ । ଗହଳେ ନ ପାରିଲା ଯାଇ ॥ ୭୬
ଦରିଦ୍ରପଣେ ଦୁଃଖ ପାଇ । ଅନ୍ନ-ବସନ ନ ମିଳଇ ॥ ୭୭
କୃଷ୍ଣହୁଁ ନ ଜାଣଇ ଆନ । ମନ-ବଚନେ ନିତ୍ୟେ ଧ୍ୟାନ ॥ ୭୮
ଅନେକ ଜନ୍ମେ ଦୁଃଖ ପାଇ । ତାହା ଜାଣନ୍ତି ଭାବଗ୍ରାହୀ ॥ ୭୯
ତାହାର ସ୍ୱାମୀ ଧରି କରେ । ନେଇ ବାନ୍ଧିଲା ନିଜ ଘରେ ॥ ୮୦
ମାଡ଼ ମାଇଲା ରୋଷଭରେ । ରୋଳେ ବାନ୍ଧିଲା ଧାତିକାରେ ॥ ୮୧
ଦ୍ୱାର କବାଟ ଆଣ୍ଟେ କିଳି । ଯଜ୍ଞଶାଳାରେ ଯାଇ ମିଳି ॥ ୮୨
ବ୍ରାହ୍ମଣୀ ହୋଇଲା ମୂର୍ଚ୍ଛିତ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୮୩
ପୁଣି କ୍ଷଣକେ ଜ୍ଞାନ ପାଇ । ବୋଲଇ କାନ୍ଦି କୃଷ୍ଣ ତ୍ରାହି ॥ ୮୪
ଗଲେ ଯେ ବିପ୍ରନାରୀମାନେ । ମିଳିଲେ ଅଶୋକ-ବିିପିନେ ॥ ୮୫
ବୃକ୍ଷର ତଳେ ଗୋପମେଳେ । କୃଷ୍ଣ ଦେଖିଲେ ଚର୍ମଡ଼ୋଳେ ॥ ୮୬
ଶ୍ୟମସୁନ୍ଦର ତନୁ ବର୍ଣ୍ଣ । ପୀତବସନ ଶୋଭାବନ ॥ ୮୭
କଙ୍କଣ କୁଣ୍ତଳ ବିରାଜେ । ତେଜେ କୋଟିଏ କାମଗଞ୍ଜେ ॥ ୮୮
ରଙ୍ଗମୃତ୍ତିକା ଅଙ୍ଗେ ବୋଲି । ମୟୂରପୁଚ୍ଛ ଗୁଞ୍ଜମାଳୀ ॥ ୮୯
ଆମ୍ବବଉଳ ଜାମୁଡ଼ାଳ । ହୃଦେ ଲମ୍ବଇ ବନମାଳ ॥ ୯୦
ପାଦେ କଠାଉ ରଙ୍ଗସାର । ଶ୍ରୀଦାମ କନ୍ଧେ ବାମକର ॥ ୯୧
ଦକ୍ଷିଣ କରେ ପଦ୍ମଘେନି । ଧୀରେ ଘୂରାନ୍ତି ଅନ୍ତର୍ଯ୍ୟାମି ॥ ୯୨
କର୍ଣ୍ଣରେ ନୀଳ ଉତପଳ । ସୁନ୍ଦର ଅଳକା କପୋଳ ॥ ୯୩
ଯେସନେ ନଟବର ବେଶ । ରଙ୍ଗ ଅଧରେ ମନ୍ଦହାସ ॥ ୯୪
ଈଷିତ ହାସ୍ୟମୁଖ ହୋଇ । ବ୍ରାହ୍ମଣୀମାନଙ୍କୁ ଅନାଇଁ ॥ ୯୫
ବ୍ରାହ୍ମଣନାରୀ କୃଷ୍ଣ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥ ୯୬
ଦେହ ତିନ୍ତିଲା ଅଶ୍ରୁଜଳେ । ଅନ୍ନ ଥୋଇଲେ କାଖୁଁ ତଳେ ॥ ୯୭
ତକ୍ଷଣେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ॥ ୯୮
ଅନଳ ଦେଖିଣ ପତଙ୍ଗ । ଯେହ୍ନେ ହୁଅନ୍ତି ଉଦ୍ବେଗ ॥ ୯୯
ବୋଲନ୍ତି କରିବା ଗୋ କୋଳ । ଜୀବନ ହୋଇବ ସୁଫଳ ॥ ୧୦୦
କେ ବୋଲେ ଏମନ୍ତ ନୁହଁଇ । ବ୍ରାହ୍ମଣେ ନ ଦେବେଟି ଯାଇ ॥ ୧୦୧
ପରପୁରୁଷ କୋଳ କଲେ । ବିପ୍ରେ ଦଣ୍ତିବେ ଘରେ ଗଲେ ॥ ୧୦୨
ଏମନ୍ତ ବିଚାରନ୍ତି ରହି । କୃଷ୍ଣବଦନେ ଚକ୍ଷୁ ଦେଇ ॥ ୧୦୩
କଣ୍ଠ-କୁଣ୍ଠିତ ରସଭର । ଅଧର କମ୍ପେ ଥରହର ॥ ୧୦୪
ପୁଣ ପୁଲକଭରେ କୁଚ । ଜାନୁ କମ୍ପଇ ଘନଘଞ୍ଚ ॥ ୧୦୫
ପଡ଼ିଲେ ପଞ୍ଚଶରେ ଘାରି । କୃଷ୍ଣଙ୍କୁ ଦେଖି ବିପ୍ରନାରୀ ॥ ୧୦୬
ଆତ୍ମା ହୋଇଲା ମୋହଗତ । ପଞ୍ଚପରାଣ କଣ୍ଠାଗ୍ରତ ॥ ୧୦୭
ଚକ୍ଷୁ ବୁଜିଲେ ଭାବଭରେ । କୃଷ୍ଣଙ୍କୁ ଦେଖିଲେ ଭିତରେ ॥ ୧୦୮
ହୃଦୟେ ଦେଖି ନାରାୟଣ । ନିବିଡ଼େ କଲେ ଆଲିଙ୍ଗନ ॥ ୧୦୯
ତାପ ଛାଡ଼ିଲେ ବିପ୍ରନାରୀ । ଜନ୍ମମରଣ ଆଦିକରି ॥ ୧୧୦
ଯେହ୍ନେ ଜ୍ଞାନୀଙ୍କ ସଙ୍ଗ ପାଇ । ବିଷୟଖେଦ ନ ଲାଗଇ ॥ ୧୧୧
ଜ୍ଞାନକୁ ପାଇ ଦିନେ ଦିନେ । ତାପ ଛାଡ଼ନ୍ତି ଯେହ୍ନେ ଜନେ ॥ ୧୧୨
ପୁଣି କ୍ଷଣକେ ଚକ୍ଷୁ ଫେଇ । ଦେଖନ୍ତି ନୟନ ପୂରାଇ ॥ ୧୧୩
ଚିତ୍ରପ୍ରତିମା ପ୍ରାୟ ହୋଇ । ମନ ବୁଡ଼ିଲା କୃଷ୍ଣ ତହିଁ ॥ ୧୧୪
ଜାଣିଲେ ପ୍ରଭୁ ଭଗବାନ । ବୋଲନ୍ତି ମଧୁର ବଚନ ॥ ୧୧୫
ଭଲେ ଅଇଲଟିକି ପଥେ । ମୋ' ରୂପ ଦେଖିବା ନିମନ୍ତେ ॥ ୧୧୬
ଆସଗୋ ବିପ୍ରନାରୀଗଣ । ନମଇଁ ତୁମ୍ଭର ଚରଣ ॥ ୧୧୭
ତୁମ୍ଭ ଚରଣରେଣୁ ଶିରେ । ଘେନି ସଂସାରୁ ପ୍ରାଣୀ ତରେ ॥ ୧୧୮
ବସ ଏ ବୃକ୍ଷତଳେ ଆଇ । ମୋତେ ଅଇଲ ଅନ୍ନ ଦେଇ ॥ ୧୧୯
ଆଜ ପବିତ୍ର ମୋର ଦେହୀ । ହୋଇବ ଯଜ୍ଞଅନ୍ନ ଖାଇ ॥ ୧୨୦
ତୁମ୍ଭଙ୍କୁ କି କରିବା ସେବା । ବିଚାରି ମୋତେ ଆଜ୍ଞା ଦେବା ॥ ୧୨୧
ଜ୍ଞାନୀଏ ଆତ୍ମଜ୍ଞାନ ପାଇ । ଧ୍ୟାନେ ଚିନ୍ତନ୍ତି ମୋର ଦେହୀ ॥ ୧୨୨
ତୁମ୍ଭର ସ୍ୱାମୀ ସେବା ପ୍ରାୟେ । ଜ୍ଞାନୀ କରନ୍ତି ମୋତେ ଲୟେ ॥ ୧୨୩
ଏବେ ଦେଖିଲ ମୋ' ଶରୀର । ନିଜ ମନ୍ଦିରେ ବିଜେକର ॥ ୧୨୪
ତୁମ୍ଭର ସ୍ୱାମୀପାଦେ ସେବ । ଯେବେ ଏ ସଂସାରୁ ତରିବ ॥ ୧୨୫
ବେଗେ ଘରକୁ ଯାଅ ଆଇ । ପୂର୍ଣ୍ଣଆହୂତି ବେଳ ହୋଇ ॥ ୧୨୬
ତୁମ୍ଭଙ୍କୁ ଘେନି ବିପ୍ରବରେ । ପୁଣ୍ୟ ସାଧିବେ ନିଜ ଘରେ ॥ ୧୨୭
ଶୁଣି ଗୋବିନ୍ଦ ମୁଖୁଁ ବାଣୀ । ବିକଳେ ବୋଲନ୍ତି ବ୍ରାହ୍ମଣୀ ॥ ୧୨୮
ଭୋ ନାଥ କମଳଲୋଚନ । ଅଶେଷ ଦୁଃଖ ବିମୋଚନ ॥ ୧୨୯
ତୋହର ଆଦିଅନ୍ତ ନାହିଁ । ପ୍ରକୃତି ତୋତେ ନ ଜାଣଇ ॥ ୧୩୦
ଅଶେଷ-ବ୍ରହ୍ମାଣ୍ତ-ଗୋସାଇଁ । ଏମନ୍ତ ବୋଲ କାହିଁପାଇଁ ॥ ୧୩୧
ଆମ୍ଭେ ଛାଡ଼ିଲୁ ମୋହପାଶ । ତୋହର ପାଦମୂଳେ ଆଶ ॥ ୧୩୨
ତୋହର ଚରଣ ତୁଳସୀ । କବରୀଭାରେ ତାହା ଖୋସି ॥ ୧୩୩
କବରୀଭାର ସଜ କରି । ତୋପାଦେ ସେବିବୁଁ ମୁରାରି ॥ ୧୩୪
ଖଟିବୁ ପାଦପଦ୍ମତଳେ । ଅଶେଷ ଜନ୍ମ ପୁଣ୍ୟଫଳେ ॥ ୧୩୫
ସ୍ୱାମୀ-ତନୟ-ବନ୍ଧୁ-ଗୁରୁ । ତେଜିଲୁଁ ତୋହର କୃପାରୁ ॥ ୧୩୬
ଅଷ୍ଟାଙ୍ଗ ଯୋଗଲୟେ ବସି । ତୋ' ରୂପ ଚିନ୍ତନ୍ତି ସନ୍ନ୍ୟାସୀ ॥ ୧୩୭
ତାହା ପାଇଲୁଁ ପୁଣ୍ୟବଳେ । ଭୋନାଥ ରଖ ପାଦତଳେ ॥ ୧୩୮
ଇଷ୍ଟ କୁଟୁମ୍ବେ କାର୍ଯ୍ୟ ନାହିଁ । ବଞ୍ଚିବୁ ତୋ ମୁଖ ଅନାଇଁ ॥ ୧୩୯
ଏଠାରେ ଯେବେ ଆମ୍ଭେ ଯିବୁ । ଘରେ ତ ପଶି ନ ପାରିବୁ ॥ ୧୪୦
ବନ୍ଧୁ-ପିଅର-ପୁତ୍ର-ପତି । ଆମ୍ଭଙ୍କୁ ବୋଲିବେ ଅସତୀ ॥ ୧୪୧
ସଂସାରେ ନ ବୋଲିବେ ଭଲ । ବିଚାରି କହ ଆଦିମୂଳ ॥ ୧୪୨
ଉଭୟକୁଳ ନ ପାଇଲୁ । ଏବେ ନିଶ୍ଚୟ ନାଶ ଗଲୁ ॥ ୧୪୩
କିସ କରିବୁ ଘରେ ଯାଇ । ତୋ' ତହୁଁ ଆନଗତି ନାହିଁ ॥ ୧୪୪
ହସି ବୋଲନ୍ତି ଭଗବାନ । ଏମନ୍ତ ନବିଚାର ମନ ॥ ୧୪୫
ମୋର ଚରଣେ ଚିତ୍ତ ଦେଇ । ଚଣ୍ତାଳଘରେ ଯେବେ ଥାଇ ॥ ୧୪୬
ସଂସାର ତା'ର ପାଦେ ପୂଜେ । ଯେ ମୋର ନାମ ନିତ୍ୟେଭଜେ ॥ ୧୪୭
ତୁମ୍ଭଙ୍କୁ ଦେଖି ସ୍ୱାମୀଗଣେ । ଖଟିବେ ତୁମ୍ଭର ଚରଣେ ॥ ୧୪୮
ତୁମ୍ଭଙ୍କୁ ନୟନେ ଦେଖିବେ । ଜନ୍ମ ମରଣର ପାଶୋରିବେ ॥ ୧୪୯
ମୋର ମହିମା ଶୁଣନାରୀ । ଯେମୋର ନିକଟେ ଆବୋରୀ ॥ ୧୫୦
ମୋକ୍ଷବିଧାନେ ଯେ ଭଜଇ । ମୋହର ତହିଁ ମନ ଦେଇ ॥ ୧୫୧
ମୋତେ ପାଇବା ଆଶେ ଜଗି । ବିଘ୍ନେ ହୁଅନ୍ତି ଦୁଃଖଭାଗୀ ॥ ୧୫୨
ମୋହର ଆଦି ଅନ୍ତ ନାହିଁ । ପ୍ରାଣୀ ପାଇବେ ମୋତେ କାହିଁ ॥ ୧୫୩
ଯେ ମୋତେ ଦୂରେ ଥାଇ ଚିନ୍ତି । ସେ ମୋତେ ନିକଟେ ଦେଖନ୍ତି ॥ ୧୫୪
ମନ-ବଚନ ଦ୍ୟନ୍ତି ମୋତେ । ମୁଁ ଥାଇ ତା'ଙ୍କ ହୃଦଗତେ ॥ ୧୫୫
ବେଗେ ମନ୍ଦିରେ ଯାଆ ମାଏ । ଚିତ୍ତ ନିବେଶି ମୋର ପାୟେ ॥ ୧୫୬
ସଂସାରେ ସୁଖ ଭୋଗକରି । ଅନ୍ତେ ପାଇବ ମୋର ପୁରୀ ॥ ୧୫୭
ମୋ' ପାଦେ ତୁମ୍ଭ ମନଥାଉ । ମୋ' ନାମ ଧରି ଦିନ ଯାଉ ॥ ୧୫୮
ଏବେ ତୁମ୍ଭଙ୍କୁ ବୋଲୁଁ ଯାହା । ହେତୁ କରିଣ ଘେନ ତାହା ॥ ୧୫୯
ତୁମ୍ଭେ ସ୍ୱଭାବେ ସ୍ତିରୀଜନ୍ମ । ନଜାଣ ବେଦ ଅଧ୍ୟୟନ ॥ ୧୬୦
ଶାସ୍ତ୍ର ସ୍ମୃତି ଯେ ତୁମ୍ଭ ନାହିଁ । ନାମ ଭଜିବ ଗୀତ ଗାଇ ॥ ୧୬୧
ନିଶ୍ଚଳେ ନାମ-ଗୁଣ ଭଜି । ମୋତେ ପାଇବ ଗୁଣେ ରଞ୍ଜି ॥ ୧୬୨
ତୁମ୍ଭଙ୍କୁ ମୋର ବଡ଼ ଦୟେ । ଗୃହେ ଚଳିବା ଏବେ ମାଏ ॥ ୧୬୩
ଏ କଥା ଶୁଣି ବିପ୍ରନାରୀ । କୃଷ୍ଣବଚନ ଚିତ୍ତେ ଧରି ॥ ୧୬୪
ହରଷ-ବିସ୍ମୟେ ଆରତ । ଏବେ ହୋ ଶୁଣ ନରନାଥ ॥ ୧୬୫
କୃଷ୍ଣବଚନେ ଛାଡ଼ି ଭ୍ରାନ୍ତି । ପାଦେ ପଡ଼ିଲେ ବିପ୍ରସତୀ ॥ ୧୬୬
ଚରଣରେଣୁ ଘେନି ଶିରେ । ବ୍ରାହ୍ମଣୀ ଗଲେ ନିଜ ପୁରେ ॥ ୧୬୭
କୃଷ୍ଣର ପାଦେ ଚିତ୍ତ ଦେଇ । ଆନନ୍ଦ କେ ପାରିବ କହି ॥ ୧୬୮
ମଙ୍ଗଳ-ହୁଳହୁଳି-ନାଦେ । କର ନିବେଶି କାନ୍ଧେ କାନ୍ଧେ ॥ ୧୬୯
ମଙ୍ଗଳନାଦେ ଗୀତ ଗାଇ । ନାଚନ୍ତି କୃଷ୍ଣଭାବ ବହି ॥ ୧୭୦
ଶୁଣ ରାଜନ ଚୂଡ଼ାମଣି । ବନ୍ଧନେ ଥିଲା ଯେ ବ୍ରାହ୍ମଣୀ ॥ ୧୭୧
ଶୁଣିଲା ହୁଳହୁଳି ନାଦ । ବ୍ରାହ୍ମଣୀମାନଙ୍କ ଆନନ୍ଦ ॥ ୧୭୨
ଆତ୍ମାକୁ କହେ ରୋଷ ବହି । ନିର୍ଲ୍ଲଜ ଅଛୁ କାହିଁପାଇଁ ॥ ୧୭୩
ତୁ ଛାର ଅତ୍ୟନ୍ତ ପାତକୀ । କୃଷ୍ଣଙ୍କୁ ନ ପାରିଲୁ ଦେଖି ॥ ୧୭୪
ଯାହାର ନାମ ହୃଦେ ଧରି । ଶଙ୍କର ନିତ୍ୟେ ବ୍ରହ୍ମଚାରୀ ॥ ୧୭୫
ତୁ ଛାର ନ କଲୁ ଯେ ପୁଣ୍ୟ । ବ୍ରାହ୍ମଣୀମାନେ ବଡ଼ ଧନ୍ୟ ॥ ୧୭୬
କୃଷ୍ଣଙ୍କୁ ଦେଖିଲେ ନୟନେ । ଆଜ୍ଞା ଶୁଣିଲେ ବେନିକର୍ଣ୍ଣେ ॥ ୧୭୭
କିସ ପାଇବୁ ମୋ' ଶରୀରେ । ଦରିଦ୍ର ଦୁଃଖୀ ନିରନ୍ତରେ ॥ ୧୭୮
ଏତେ ବୋଲିଣ ମନକରି । ହୃଦରେ କୃଷ୍ଣନାମ ଧରି ॥ ୧୭୯
ଉଚ୍ଚେ ରଟିଲା ନାମ ଗୁଣ । ତ୍ରାହି କରିବା ନାରାୟଣ ॥ ୧୮୦
ହେ କୃଷ୍ଣ ପରମମଙ୍ଗଳ । ଦାସବତ୍ସଳ ଆଦିମୂଳ ॥ ୧୮୧
ମୁଁ ଛାର କୋଟିକେ ଅନ୍ତର । କାହିଁ ପାଇବି ତୋ' ପୟର ॥ ୧୮୨
ଏ ଛାର ଜୀବନ ନ ଥାଉ । ଗୋବିନ୍ଦନାମ ଶୁଣି ଯାଉ ॥ ୧୮୩
ମୁଣ୍ତ ମାଇଲା ସ୍ତମ୍ଭେ ନେଇ । ପ୍ରାଣ ଛାଡ଼ିଲା କୃଷ୍ଣଧ୍ୟାୟି ॥ ୧୮୪
କୃଷ୍ଣର ପାଦେ ମନ ଥିଲା । ତୁଣ୍ତରେ ନାମ ଉଚ୍ଚାରିଲା ॥ ୧୮୫
ତକ୍ଷଣେ ଦିବ୍ୟରୂପ ହୋଇ । ପଶିଲା କୃଷ୍ଣ-ଦେହେ ଯାଇ ॥ ୧୮୬
ଭକତବନ୍ଧୁ ଭାବଗ୍ରାହୀ । ହୃଦରେ ଠାବ ଦେଲେ ନେଇ ॥ ୧୮୭
ଏବେ ହୋ ଶୁଣ ମହୀପାଳ । ଶ୍ରୀକୃଷ୍ଣ-କ୍ରଡ଼ା-କୁତୂହଳ ॥ ୧୮୮
ଦାସବତ୍ସଳ ଭାବଗ୍ରାହୀ । ବୋଲନ୍ତି ପୁଅଙ୍କୁ ଅନାଇଁ ॥ ୧୮୯
ଅନ୍ନଭୋଜନ କର ବସି । ଆନନ୍ଦେ ନିଜ ଆତ୍ମା ତୋଷି ॥ ୧୯୦
ଶୁଣି ସାନନ୍ଦ ଗୋପପୋଏ । ସଙ୍ଗେ ଭୁଞ୍ଜିଲେ ଦେବରାୟେ ॥ ୧୯୧
ସ୍ୱର୍ଗେ ଦେଖନ୍ତି ଦେବତାଏ । ଗୋପଙ୍କ ସ୍ନେହ କୃଷ୍ଣଠାଏଁ ॥ ୧୯୨
ଏମନ୍ତ ଲୀଳା ବନମାଳୀ । ଗୋପୀ-ଗୋପାଳ ମେଳେ କେଳି ॥ ୧୯୩
ଅନନ୍ତ ପ୍ରଭୁ ଆଦିମୂଳ । ଗୋପେ ମିଳିଲେ ରାତ୍ରକାଳ ॥ ୧୯୪
ବ୍ରାହ୍ମଣେ ନିଜ ନାରୀ ଦେଖି । କୃଷ୍ଣର ଭାବ ଉପଲକ୍ଷ୍ୟି ॥ ୧୯୫
ବେଦ-ପୁରାଣେ ପରିମାଣି । ନିଶ୍ଚେ ଜାଣିଲେ ଚକ୍ରପାଣି ॥ ୧୯୬
ଭକତି ଦେଖି ନାରୀଙ୍କର । ମନେ ପାଇଲେ ଖେଦଭର ॥ ୧୯୭
ବୋଲନ୍ତି ଆତ୍ମନିନ୍ଦା କରି । ଜଣଜଣକେ ନାମ ଧରି ॥ ୧୯୮
ଶ୍ରୀକୃଷ୍ଣେ କଲୁଁ ଅପରାଧ । ଧିକ ଆମ୍ଭର ବ୍ରହ୍ମପଦ ॥ ୧୯୯
ବେଦ-ପୁରାଣ ଯେତେ ପଢ଼ୁଁ । ଧିକ ଆମ୍ଭର ଆତ୍ମା ପୋଡ଼ୁ ॥ ୨୦୦
ବେଦ-ପୁରାଣ ଦୀକ୍ଷା ପାଇ । ଯେ କୃଷ୍ଣଭାବ ନ ଜାଣଇ ॥ ୨୦୧
ଧିକ ତାହାର ଜନ୍ମ-କର୍ମ । ଅନେକ ମତେ ହୋଏ ଭ୍ରମ ॥ ୨୦୨
ଏମନ୍ତ ବିଚାରି ବ୍ରାହ୍ମଣେ । ଧନ୍ୟ ବୋଲନ୍ତି ନାରୀଗଣେ ॥ ୨୦୩
ଯେ ଯାହା ପତ୍ନୀମୁଖ ଚାହିଁ । ତୋଷ ହୋଇଲେ ଯଜ୍ଞଦାହୀ ॥ ୨୦୪
କୃଷ୍ଣର ମାୟା ଅଗୋଚର । ଭ୍ରମନ୍ତି ବ୍ରହ୍ମାଶିବସୁର ॥ ୨୦୫
ଜଗତଗୁରୁପଣେ ଥାଇ । ବ୍ରାହ୍ମଣ ନାମ ଆମ୍ଭେ ବହି ॥ ୨୦୬
ସ୍ତିରୀଙ୍କି ନୋହିଲୁ ଭାଜନ । ଏହାଙ୍କ ନାହିଁ ଦିବ୍ୟଜ୍ଞାନ ॥ ୨୦୭
କେମନ୍ତେ କୃଷ୍ଣଙ୍କୁ ଜାଣିଲେ । ପୂର୍ବେ ଏ କେତେ ତପ କଲେ ॥ ୨୦୮
ଦେଖ ଆମ୍ଭର କର୍ମଫଳ । ଅନ୍ନ ମାଗିଲେ ଆଦିମୂଳ ॥ ୨୦୯
ଯଜ୍ଞେ ପୂଜୁଛୁଁ ଯା'ର ପାଦ । ପ୍ରତ୍ୟକ୍ଷେ ମିଳିଲେ ଗୋବିନ୍ଦ ॥ ୨୧୦
ତାହାଙ୍କୁ ନ ଚିହ୍ନୁଲୁ ମୋହେ । ଜୀବନ ଅଛି କିମ୍ବା ଦେହେ ॥ ୨୧୧
ଯେ ହରି ଦେଶ-କାଳ-ପାତ୍ର । ମଙ୍ଗଳ-ଦିବ୍ୟ-ବେଦତତ୍ତ୍ୱ ॥ ୨୧୨
ବିପ୍ର ଅନଳ ଦେବଗଣ । ଯଜ୍ଞକରତା ଜନାର୍ଦ୍ଦନ ॥ ୨୧୩
ସକଳ ପ୍ରଭୁ ଭଗବାନ । ନ ଜାଣି ହୋଇଲୁ ଅଜ୍ଞାନ ॥ ୨୧୪
କମଳା ଥାଇ ପାଦତଳେ । ବଦନ ନିରୋପି ନିଶ୍ଚଳେ ॥ ୨୧୫
ଚଞ୍ଚଳା ପଦ୍ମପାଦେ ସେବି । ଭାବି ନ ପାଇଲା ସାଧବୀ ॥ ୨୧୬
ଅନାଦି ପ୍ରଭୁ ଯୋଗେଶ୍ୱର । ଗୁପତେ ଅଛି ନନ୍ଦଘର ॥ ୨୧୭
ଜାଣି ନ ପାରିଲୁ ସକଳେ । କୃଷ୍ଣର ମାୟା-ଯୋଗ-ବଳେ ॥ ୨୧୮
ନମଉଁ ପ୍ରଭୁ ଯୋଗେଶ୍ୱର । ଗତି-ମୁକତି ଗଦାଧର ॥ ୨୧୯
ତୋହର ମାୟାଚକ୍ରେ ଭ୍ରମି । ଆମ୍ଭେ ବୋଲାଉ ନିତ୍ୟକର୍ମୀ ॥ ୨୨୦
ଅନେକ କଲୁ ଅପରାଧ । ତ୍ରାହି କରିବା ପଦ୍ମନାଭ ॥ ୨୨୧
ଏମନ୍ତ ବୋଲି ଗୋଡ଼ାଇଲେ । ବନେ ଅନେକ ଦୂର ଗଲେ ॥ ୨୨୨
କୃଷ୍ଣ ନ ଦେଖି ଘୋରବନେ । ବ୍ରାହ୍ମଣେ ବିଚାରନ୍ତି ମନେ ॥ ୨୨୩
ଗୋବିନ୍ଦ ବିଜେ ନନ୍ଦଘରେ । ଜାତ ହୋଇଲେ ମଧୁପୁରେ ॥ ୨୨୪
ଆମ୍ଭେ ନ ଯିବା ଗୋପପୁର । ନ ପୁଣ ଜାଣେ କଂସାସୁର ॥ ୨୨୫
ମଥୁରା ଯେତେବେଳେ ଯିବେ । କୃଷ୍ଣ କଂସକୁ ସଂହାରିବେ ॥ ୨୨୬
କୃଷ୍ଣେ ଦେଖିବା ରାମ ତୁଲେ । ଏମନ୍ତ ବୋଲି ବାହୁଡ଼ିଲେ ॥ ୨୨୭
ସୁଜନେ ଶୁଣ କର୍ଣ୍ଣଦ୍ୱାରେ । ନ ବୁଡ଼ ସଂସାର ସାଗରେ ॥ ୨୨୮
ସକଳ ପ୍ରାଣୀ ହୃଦେ ଥାଇ । ଭ୍ରମ କରାନ୍ତି ଭାବଗ୍ରାହୀ ॥ ୨୨୯
ତାହାର ନାମ ଉଚ୍ଚାରିଲେ । ଭ୍ରମ ନ ଥାଇ ଆତ୍ମାତୁଲେ ॥ ୨୩୦
କହିଲି ଏ ପରମତତ୍ତ୍ୱ । କୃଷ୍ଣସେବକ ବଳବନ୍ତ ॥ ୨୩୧
ରେ ମନ କୃଷ୍ଣ ଆଶ୍ରେକର । ସର୍ବ ଆପଦ ହେବ ଦୂର ॥ ୨୩୨
କହଇ ଦାସ ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୨୩୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଯଜ୍ଞପତ୍ନୀ ଉଦ୍ଧରଣଂ ନାମ ଚତୁର୍ବିଂଶୋଽଧ୍ୟାୟଃ ।
* * *