ଦଶମ ସ୍କନ୍ଧ

ତ୍ରୟୋବିଂଶ ଅଧ୍ୟାୟ

ଶୁକ ଉବାଚ

କହନ୍ତି ବ୍ୟାସଙ୍କ କୁମର । ଶୁଣ ରାଜନ ରସଭର ॥

ଶରଦଋତୁ ପୂ‰ର୍ଣ୍ଣ ହେଲା । ହେମନ୍ତ ଋତୁ ପ୍ରସରିଲା ॥

କୃଷ୍ଣ-ଆଦେଶେ ଗୋପପୁରୀ । ଯେତେ ଉପୁଜିଲେ କୁମାରୀ ॥

କୃଷ୍ଣ ଭଜନ ପୁଣ୍ୟଫଳେ । ରମିଲେ ବୃନ୍ଦାବନ ସ୍ଥଳେ ॥

ତୁଲ୍ୟବୟସୀ ନବବେଶେ । ଖେଳନ୍ତି ନାନା ଖେଳରସେ ॥

ହେମନ୍ତ ଋତୁ ଦେଖି ବନେ । କଳ୍ପିଲେ ଗଉରୀ ପୂଜନେ ॥

ବେଣୁ-ଶବଦେ ଗୀତରସ । ଗୋପୀଏ ହୋଇଲେ ହରଷ ॥

ହବିଷ୍ୟ ଭୁଞ୍ଜି ଏକବାରେ । ଦେବୀ ପୂଜନ୍ତି ନଦୀତୀରେ ॥

ଅଳପ ରାତ୍ର ଥାଉଁ ନିତ୍ୟେ । ଯମୁନା ଯା'ନ୍ତି ତୋଷଚିତ୍ତେ ॥

ସ୍ନାହାନ ସାରି ଶୀତଜଳେ । ବାଲୁକା ସ୍ଥାପି ନଦୀତୀରେ ॥ ୧୦

ପୂଜନ୍ତି ନାନା ଦ୍ରବ୍ୟଘେନି । ଜୟ ଶବଦେ ଗୀତ ଧ୍ୱନି ॥ ୧୧

ହର ଗଉରୀ କରି ଧ୍ୟାନ । ମନେ ଚିନ୍ତନ୍ତି ଭଗବାନ ॥ ୧୨

ପୂଜାର ଅନ୍ତେ ପାଦେ ପଡ଼ି । ଗୁପତେ କରନ୍ତି ଗୁହାରି ॥ ୧୩

ହେ କାତ୍ୟାୟନି ମହାମାୟି । ପରମ ଯୋଗେଶ୍ୱରୀ ତୁହି ॥ ୧୪

ଭୋ ମାତ ଶଙ୍କର-ଯୁବତୀ । ନନ୍ଦକୁମର ଦିଅ ପତି ॥ ୧୫

ଆନ ବରେଣ କାର୍ଯ୍ୟ ନାହିଁ । ପ୍ରସନ୍ନ ହୁଅ ମାତ ତୁହି ॥ ୧୬

ଷୋଳ ସହସ୍ର ଗୋପନାରୀ । ବର ଇଚ୍ଛିଲେ ନରହରି ॥ ୧୭

ଏକ ଅରକେ ନ ଜାଣନ୍ତି । ମନେ ବରିଲେ କୃଷ୍ଣେପତି ॥ ୧୮

ବୋଲନ୍ତି କୃଷ୍ଣ ବର ହେଉ । ତା' ପାଦ ସେବି ଦିନ ଯାଉ ॥ ୧୯

କୃଷ୍ଣ-ରମଣଭାବ ଆଶେ । ତପ ସାଧିଲେ ଏକମାସେ ॥ ୨୦

ପ୍ରଭାତୁଁ ଉଠି ଗୋପବାଳୀ । ଆନନ୍ଦେ ଦେଲେ ହୁଳହୁଳି ॥ ୨୧

ଚାଲନ୍ତି ଯୂଥ ଯୂଥ ହୋଇ । ମଙ୍ଗଳ ନାଦେ ଗୀତ ଗାଇ ॥ ୨୨

ଏକ ଆରେକ ଭୂଜ କନ୍ଧେ । କୃଷ୍ଣ ଭଜନ୍ତି ଗୀତବନ୍ଧେ ॥ ୨୩

ବିବିଧ ହାସ୍ୟରସ ଭରେ । ମିଳିଲେ ଯମୁନାର ତୀରେ ॥ ୨୪

ବସ୍ତ୍ର ପାଲଟି କୂଳେ ଥୋଇ । ଜଳେ ପଶିଲେ ଗୀତଗାଇ ॥ ୨୫

ଅନନ୍ଦ କେ କରିବ ଅନ୍ତ । ଯାହା ରମିବେ ଗୋପୀନାଥ ॥ ୨୬

ଏକ ଆରକେ ଜଳ ଫିଙ୍ଗେ । ବୁଡ଼ି ଉଠନ୍ତି ନାନା ରଙ୍ଗେ ॥ ୨୭

ବୁଡ଼ନ୍ତି ଏକୁ ଆରେ ଧରି । ମୁଖେ ସିଞ୍ଚନ୍ତି ଫୁ ଫୁ କରି ॥ ୨୮

କରନ୍ତି ହାସ୍ୟ-ପରିହାସ । ଏମନ୍ତେ ଜଳେ ଖେଳରସ ॥ ୨୯

ଶୁଣ ପରୀକ୍ଷ ନୃପବର । ତାହା ଜାଣିଲେ ଦାମୋଦର ॥ ୩୦

ଗୋପବାଳକ ଘେନି ସଙ୍ଗେ । ମିଳିଲେ ନଦୀତୀରେ ରଙ୍ଗେ ॥ ୩୧

କୂଳେ ଦେଖିଲେ ବସ୍ତ୍ରରାଶି । ପବନେ କହନ୍ତି ବିଶ୍ୱାସି ॥ ୩୨

ଶୁଣ ପବନ ମୋର ବାଣୀ । ବସ୍ତ୍ର ତୁ ଥୁଅ ବୃକ୍ଷେ ଆଣି ॥ ୩୩

ଗୋବିନ୍ଦ ଆଜ୍ଞା ଘେନି ଶିରେ । ପବନ ବହିଲା ସଧୀରେ ॥ ୩୪

ତକ୍ଷଣେ ପ୍ରଭୁ ଦାମୋଦର । ଉଠିଲେ କଦମ୍ବ ବୃକ୍ଷର ॥ ୩୫

ବସ୍ତ୍ର ଯେ ନଦୀତୀରେ ଥଲା । ପବନ ଯୋଗେ ଉଡ଼ିଗଲା ॥ ୩୬

କଦମ୍ବ ବୃକ୍ଷେ ଯାଇ ପଡ଼ି । ଦେଖି ହସନ୍ତି ନରହରି ॥ ୩୭

ଗୋପଙ୍କୁ ଚାହିଁ ଆଦିକନ୍ଦ । ବୋଇଲେ ଡାଳେ ବସ୍ତ୍ର ବାନ୍ଧ ॥ ୩୮

ଆଜ୍ଞା ପାଇଣ ଗୋପପୋଏ । ବୃକ୍ଷରେ ଉଠିଲେ ନିର୍ଭୟେ ॥ ୩୯

ଗୋପାଳେ ଉଠି ବୃକ୍ଷ ଡାଳେ । ବସ୍ତ୍ର ବାନ୍ଧିଲେ ମାଳେ ମାଳେ ॥ ୪୦

ବାଳକେ ବୃକ୍ଷ ଡାଳେ ଥାଇ । ନାଚନ୍ତି କରତାଳି ଦେଇ ॥ ୪୧

ମୁରଲୀ ଧ୍ୱନି ଉଚ୍ଚସ୍ୱର । ମଧ୍ୟେ ବିଜୟ ଦାମୋଦର ॥ ୪୨

ଗୋପୀଏ ଥିଲେ ଜଳ ମଧ୍ୟେ । କ‰ର୍ଣ୍ଣେ ଶୁଣିଲେ ବେଣୁ ନାଦେ ॥ ୪୩

ସଂଭ୍ରମେ ଛାଡ଼ି ଜଳକେଳି । ବୃକ୍ଷକୁ ଚାହାନ୍ତି ନିରୋଳି ॥ ୪୪

ବୋଲନ୍ତି ବୃକ୍ଷେ ଏତ କିସ । ଦେଖ ଗୋ ଦଇବ ଭବିଷ୍ୟ ॥ ୪୫

ଏଠାକୁ କେମନ୍ତେ ଅଇଲା । ବାଳକ ମେଳେ ନନ୍ଦବାଳା ॥ ୪୬

କେବୋଲେ ଏ ବନେ ନ ଥାଇ । ଆଜ ଅଇଲା କିସ ପାଇଁ ॥ ୪୭

କେବୋଲେ ଭଲ ତ ହୋଇଲା । ବ୍ରତ ଗୋ ଆଜହୁଁ ସରିଲା ॥ ୪୮

କେ ବୋଲେ ଦେଖ ବୃକ୍ଷ ଡାଳେ । ଅନେକ ଉଡ଼ଇ ଚିରାଳେ ॥ ୪୯

କୂଳକୁ ଚାହିଁଣ ବୋଲନ୍ତି । ମରଣ ହୋଇଲା ଏଘାନ୍ତି ॥ ୫୦

ପାଲଟା ବସ୍ତ୍ର କୂଳେ ନାହିଁ । ଚକିତେ ଚଉଦିଗେ ଚାହିଁ ॥ ୫୧

ବୋଲନ୍ତି ବସ୍ତ୍ର କେଣେ ଗଲା । ଏଡ଼େ ଗୋ ପବନ ବହିଲା ॥ ୫୨

ଉଡ଼ି କେବଣ ଦିଗେ ଗଲା । ଲଜ୍ଜା ତ ମରଣୁଁ ବଳିଲା ॥ ୫୩

କିସ କରିବୁ ଆଜ ଜଳେ । କନ୍ୟାଏ ଭାଳନ୍ତି ବିକଳେ ॥ ୫୪

ଦାସବତ୍ସ›ଳ ଭାବଗ୍ରାହୀ । କହନ୍ତି ଗୋପୀଙ୍କୁ ଅନାଇ ॥ ୫୫

ବସ୍ତ୍ର ଗୋ ବନେ ପଡ଼ିଥିଲା । ପବନ ଉଡ଼ାଇ ଆଣିଲା ॥ ୫୬

ରୁଣ୍ତାଇ ବସ୍ତ୍ର ଆମ୍ଭେ ଆଣି । ବୃକ୍ଷେ ବାନ୍ଧିଲୁ ଏହିକ୍ଷଣି ॥ ୫୭

ଏ ଯେବେ ତୁମ୍ଭର ହୋଇଲା । ଆମ୍ଭର ଯଶ ଉପୁଜିଲା ॥ ୫୮

ଯେ ଯାହା ବସ୍ତ୍ର ଆସି ନିଅ । ଶୀତଳ ଜଳେ ଗୋ ନ ଥାଅ ॥ ୫୯

ଶୁଣି ଚକିତ ଗୋପବାଳୀ । ବୋଲନ୍ତି ପଡ଼ିଲୁ ପଞ୍ଚାଳି ॥ ୬୦

ଏକ ଆରକେ ମୁଖ ଚାହିଁ । ବୋଲନ୍ତି ଗାଲେ ହସ୍ତ ଦେଇ ॥ ୬୧

କେମନ୍ତେ ଉପେକ୍ଷିବା ଲାଜ । ମରଣୁଁ ବଳିଲା ତ ଆଜ ॥ ୬୨

ଶ୍ରୀକୃଷ୍ଣ ମୁଖକୁ ଅନାଇ । ବୋଲନ୍ତି କୋପଭର ହୋଇ ॥ ୬୩

ତୁ ଅଟୁ ଯଶୋଦା କୁମର । ପିଅର ନନ୍ଦ ମହାଖୁଡ଼ ॥ ୬୪

ଜାଣିଲୁ ତୋର ବଡ଼ପଣ । ଆମ୍ଭର ବସ୍ତ୍ର ବେଗେ ଆଣ ॥ ୬୫

ପକାଇ ଦିଅ ବେଗେ କାଢ଼ି । ବୃକ୍ଷୁ ପାଲଟା ଆମ୍ଭ ଶାଢ଼ୀ ॥ ୬୬

ଏଡ଼େ ନିର୍ଲ୍ଲଜପଣ ତୋ'ର । କେବେ ଶିଖିଲୁ ବେଣୁଧର ॥ ୬୭

ଶୁଣି ବୋଲନ୍ତି ଦାମୋଦର । ଏ ବଡ଼ ଅନୀତି ତୁମ୍ଭର ॥ ୬୮

ଯେ ପ୍ରାଣୀ ପରଉପକାରୀ । ତାହାକୁ ପଥେ ନେଇ ମାରି ॥ ୬୯

ପବନ ନେଉଥିଲା ବଳେ । ଆଣି ବାନ୍ଧିଲି ବୃକ୍ଷଡାଳେ ॥ ୭୦

ତହିଁର ଫଳ ମୁଁ ପାଇଲି । ତୁମ୍ଭଙ୍କୁ ବସ୍ତ୍ର ଯେ ଯାଚିଲି ॥ ୭୧

ମୁଁ ତ ନ କଲି ପରିହାସ । ତୁମ୍ଭେତ ମୋହର ବିଶ୍ୱାସ ॥ ୭୨

ଏବେ ଗୋ ବସ୍ତ୍ର ଆସି ନିଅ । ନ ଜାଣି କେତେ ଗାଳି ଦିଅ ॥ ୭୩

ମୋହର ଦେହେ ମିଥ୍ୟା ନାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥ ୭୪

ଶୁଣି ସାନନ୍ଦମନ ହୋଇ । ଗୋପୀ ବୋଲନ୍ତି କୃଷ୍ଣେ ଚାହିଁ ॥ ୭୫

ତୁ କୃଷ୍ଣ ଗୋପପୁର ସାର । ବନ୍ଧୁବାନ୍ଧବ ଆମ୍ଭେ ତୋର ॥ ୭୬

ବସ୍ତ୍ର ପକାଇ ଦିଅ ତଳେ । ପଡ଼ୁଛୁ ତୋର ପାଦତଳେ ॥ ୭୭

ଶ୍ୟାମସୁନ୍ଦର ତୋ ଚରଣେ । ସେବା କରିବୁ ଦାସୀପଣେ ॥ ୭୮

ତୁ ଯେବେ ନ ଦେବୁ ପକାଇ । କହିବୁ କଂସ ଆଗେ ଯାଇ ॥ ୭୯

ଶୁଣି ବୋଲନ୍ତି ଚକ୍ରଧର । ତୁମେ ହୋ ଦାସୀ ଯେବେ ମୋର ॥ ୮୦

ତେବେ କରିବ ମୋ' ଉତ୍ତର । ନ ଜାଣି କିମ୍ବା କୋପ କର ॥ ୮୧

ଯେ ଯାହା ବସ୍ତ୍ର ବାଛି ନିଅ । ନ ଦେଲେ ରାଜା ଆଗେ କହ ॥ ୮୨

କଂସକୁ କିସ ମୋର ଡ଼ର । ସୋଦର ମଉଳା ମୋହର ॥ ୮୩

ତାହାକୁ ମୋର ଭୟ ନାହିଁ । ଅନ୍ୟାୟ ନ କଲି ନା ମୁହିଁ ॥ ୮୪

ବସ୍ତ୍ର ପବନ ନେଉଥିଲା । ଆଣିବା ଦୋଷ ମୋ' ହୋଇଲା ॥ ୮୫

ଏ କଥା ତୁମ୍ଭଙ୍କୁ ଯୋଗାଇ । ଧର୍ମ ହିଁ ଅଛଇ ଅନାଇ ॥ ୮୬

ତୁମ୍ଭେ ଅଧର୍ମେ ଯିବ ନାଶ । ରାଜା କରିବ ମୋର କିସ ॥ ୮୭

କୃଷ୍ଣ ମୋହନ କଥା ଶୁଣି । ଗୋପୀଏ ମନେ ମନେ ଗୁଣି ॥ ୮୮

କଣ୍ଠ-ପ୍ରମାଣ ଜଳେ ଥାଇ । କମ୍ପନ୍ତି କୃଷ୍ଣ ମୁଖ ଚାହିଁ ॥ ୮୯

ହରିଙ୍କୁ ଜିଣି ନ ପାରିଲେ । ନିର୍ଭୟେ ଲାଜ ଉପେକ୍ଷିଲେ ॥ ୯୦

ଯୋନି ଆଚ୍ଛାଦି ବାମକରେ । ତୀରେ ଉଠିଲେ ଲାଜଭରେ ॥ ୯୧

ଦୟାସାଗର ଭାବଗ୍ରାହୀ । ବୃକ୍ଷର ଡାଳୁ ବସ୍ତ୍ର ଫେଇ ॥ ୯୨

ପାଲଟାବସ୍ତ୍ର ଘେନି କନ୍ଧେ । ବୃକ୍ଷରୁ ଓହ୍ଲାଇ ଆନନ୍ଦେ ॥ ୯୩

ଗୋପୀଙ୍କ ଶୁଦ୍ଧଭାବ ଚାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥ ୯୪

ଏ ନୁହେଁ ତୁମ୍ଭର ଉଚିତ । ବିଶେଷ କରିଅଛ ବ୍ରତ ॥ ୯୫

ବିବସ୍ତ୍ର ହୋଇ ଦିଅଁ ଆଗେ । ତୀରେ ଉଠିଲ ଆସି ବେଗେ ॥ ୯୬

ଏ ବଡ଼ ଅପରାଧ ହୋଇ । ନରକେ ପଡ଼ିବଟି ଯାଇ ॥ ୯୭

ଏ ଦୋଷ ନ ଥାଉ ତୁମ୍ଭର । ଦେବତା କର ନମସ୍କାର ॥ ୯୮

ହସି ବୋଲନ୍ତେ ବନମାଳୀ । ଶୁଣି ଚକିତ ଗୋପବାଳୀ ॥ ୯୯

କପାଳେ ଦେଇ ଏକ କର । ଦେବତା କଲେ ନମସ୍କାର ॥ ୧୦୦

ଦେଖି ବୋଲନ୍ତି ଯଦୁପତି । ଶୁଣ ଗୋ ବରଜ ଯୁବତୀ ॥ ୧୦୧

ଏକ ହସ୍ତକେ ନମସ୍କାର । ଏ ତୁମ୍ଭ କେବଣ ଆଚାର ॥ ୧୦୨

ଶାସ୍ତ୍ର ଶୁଣିଲା ତୁମ୍ଭ ନାହିଁ । ମୁଁ ତାହା ଅଳପ ଜାଣଇ ॥ ୧୦୩

ଶୁଣ ଗୋ ନାରୀ ଏକଚିତ୍ତେ । ବିପ୍ରେ କହନ୍ତି ବେଦମତେ ॥ ୧୦୪

ଯେ ଦେବ ଗୁରୁ ଏକକରେ । ନମନ୍ତି ଅଜ୍ଞାନବେଭାରେ ॥ ୧୦୫

ତାହାର ଛେଦି ଯେବେ କର । ସେ ଅପରାଧୁଁ ହୋଇପାର ॥ ୧୦୬

ନୋହିଲେ ଯେତେ ଜନ୍ମ ହୋଇ । କରଯୁଗଳ ତା ନ ଥାଇ ॥ ୧୦୭

ଶୁଣି କୁମାରୀ ରସଭର । କପାଳେ ଦେଲେ ବେନିକର ॥ ୧୦୮

ହୃଦୟେ ଲାଜ ଭୟ ନାହିଁ । ଦେଖି ସାନନ୍ଦ ଭାବଗ୍ରାହୀ ॥ ୧୦୯

ନିର୍ମଳଚିତ୍ତ ତାହାଙ୍କର । ଜାଣିଲେ ବ୍ରହ୍ମାŠଣ୍ତଠାକୁର ॥ ୧୧୦

ଗୋପୀଙ୍କ ଭାବେ ତୋଷହୋଇ । ଯେ ଯାହା ବସ୍ତ୍ର ଦେଲେ ନେଇ ॥ ୧୧୧

ଗୋପୀଏ ପିନ୍ଧି ଯେଝା ବାସ । ମନସାନନ୍ଦେ ହସହସ ॥ ୧୧୨

ଦେବତା ପୂଜାର ବିଧାନେ । କୃଷ୍ଣଙ୍କୁ ବରିଛନ୍ତି ମନେ ॥ ୧୧୩

ଲାଜେ ରହିଲେ ଶିରପୋତି । କୃଷ୍ଣଙ୍କୁ ଚାହିଁ ନ ପାରନ୍ତି ॥ ୧୧୪

କୃଷ୍ଣ ଜାଣିଲେ ତା'ଙ୍କ ମନ । ଗୋପୀଙ୍କି ହୋଇ ସାବଧାନ ॥ ୧୧୫

ହସି କହନ୍ତି ଜନାŸର୍ଦ୍ଦନ । ମୁହିଁ ଜାଣଇଁ ତୁମ୍ଭ ମନ ॥ ୧୧୬

ଯାହା ମାଗିଲ ଦିଅଁ ପୂଜି । ସେ କଥା ଅଛଇ ମୁଁ ହେଜି ॥ ୧୧୭

ମୁହିଁ କରିବି ତାହା ସତ୍ୟ । ବୋଲନ୍ତି ପ୍ରଭୁ ଗୋପୀନାଥ ॥ ୧୧୮

ମୋର ଚରଣେ ଯା'ର ଚିତ୍ତ । ପୁଣି ବିଷୟେ ହେଲେ ରତ ॥ ୧୧୯

ଜନ୍ମ-ମରଣ ତା'ର ନାହିଁ । ଭାଜିଲାଧାନ ପ୍ରାୟ ହୋଇ ॥ ୧୨୦

ଏ ବୃନ୍ଦାବନେ ଗୁପ୍ତେ ଥାଇ । ତୁମ୍ଭଙ୍କୁ ରମିବଇଁ ମୁହିଁ ॥ ୧୨୧

ସଂକଳ୍ପ କଲ ବ୍ରତ କରି । ହସି ବୋଲନ୍ତି ନରହରି ॥ ୧୨୨

ଏମନ୍ତେ କୃଷ୍ଣଆଜ୍ଞା ପାଇ । ଗୋପୀଏ ଗଲେ ତୋଷ ହୋଇ ॥ ୧୨୩

ଗୋବିନ୍ଦପାଦେ ଚିତ୍ତ ଥୋଇ । ମିଳିଲେ ନିଜ ପୁରେ ଯାଇ ॥ ୧୨୪

ଗୋପାଳ ମେଳେ ଦାମୋଦର । ଗାଈ ଚରାଇ ଗଲେ ଦୂର ॥ ୧୨୫

ନିଦାଘ ରବିତେଜ ଲାଗି । ପୋଏ ହୋଇଲେ ଦୁଃଖଭାଗୀ ॥ ୧୨୬

ଚରାନ୍ତି ଗୋରୁ ଗୋପମେଳେ । ଶୀତଳ ତରୁଛାୟା ତଳେ ॥ ୧୨୭

ବୃକ୍ଷକୁ ଚାହିଁ ଦାମୋଦର । କହନ୍ତି ପୁଅଙ୍କ ଆଗର ॥ ୧୨୮

ହେ ସ୍ତୋକକୃଷ୍ଣ ମିତ୍ର ମୋର । ଶ୍ରୀଦାମ ଅର୍ଜୁନ ସୁବଳ ॥ ୧୨୯

ଅଂଶୁ ବିଶାଳ ଦେବପ୍ରସ୍ଥ । ଦେଖ ଏ ବୃକ୍ଷଙ୍କ ମହତ୍ତ୍ୱ ॥ ୧୩୦

ପରେ କରନ୍ତି ଉପକାର । ସୁଜନ ପ୍ରାଣୀଙ୍କ ବେଭାର ॥ ୧୩୧

ଶୀତ ବରଷା ଗ୍ରୀଷ୍ମ ଦୁଃଖ । ସହି ଆମ୍ଭଙ୍କୁ ଦ୍ୟନ୍ତି ସୁଖ ॥ ୧୩୨

ଧନ୍ୟ ଜୀବନ ଏହାଙ୍କର । ସାଧନ୍ତି ପ୍ରାଣୀ ଉପକାର ॥ ୧୩୩

ସୁଜନ ଘରେ ଯେହ୍ନେ ଯାଇ । ଅତିଥି ନିରାଶ ନୁହଇ ॥ ୧୩୪

ପତ୍ର କୁସୁମ ଫଳ ଛାଇ । ମୂଳ ବକଳ ଦାରୁ ଦେଇ ॥ ୧୩୫

କ୍ଷାର ଅଙ୍ଗାର ଭସ୍ମ ଅଠା । ଗୃହକୁ ସାଜି ବାଡ଼ କଣ୍ଟା ॥ ୧୩୬

ଏତେ ପ୍ରକାରେ ସେବା କରି । ନିତ୍ୟେ ଏ ପରଉପକାରୀ ॥ ୧୩୭

ଏହାଙ୍କ ପ୍ରାୟେ ଯେବେ ହୋଇ । ସଂସାର ମଧ୍ୟେ ଦେହ ବହି ॥ ୧୩୮

ମନ-ବଚନ-ଧନେ କରି । ଯେ ହୋଏ ପର-ଉପକାରୀ ॥ ୧୩୯

ଦିନ ହରନ୍ତି ଦୁଃଖ ସୁଖେ । ସେ ଧନ୍ୟ ଇହପରଲୋକେ ॥ ୧୪୦

ପୁଷ୍ପ-ପଲ୍ଲବ-ଫଳ-ଦଳେ । ତରୁର ଲମ୍ବ ଡ଼ାଳ ତଳେ ॥ ୧୪୧

ଗୋରୁ ଗୋପାଳ ଘେନି ସଙ୍ଗେ । ମିଳିଲେ ଯମୁନାର ଲାଗେ ॥ ୧୪୨

ଶୀତଳ ଜଳ ପାନକରି । ବୃକ୍ଷର ତଳେ ନରହରି ॥ ୧୪୩

କୃଷ୍ଣଙ୍କୁ ଚାହିଁ ଗୋପବାଳେ । କହନ୍ତି କ୍ଷୁଧାର ଆକୁଳେ ॥ ୧୪୪

ସେ ରାମ କୃଷ୍ଣର ଅଗ୍ରତ । ନମଇଁ ଦାସ ଜଗନ୍ନାଥ ॥ ୧୪୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧ ପୂର୍ବାର୍ଦ୍ଧେ ଗୋପୀବସ୍ତ୍ରାପହାରୋ ନାମ ତ୍ରୟୋବିଂଶୋଽଧ୍ୟାୟଃ ॥

* * *