ଦଶମ ସ୍କନ୍ଧ
ଦ୍ୱାବିଂଶ ଅଧ୍ୟାୟ
ଶୁକ ଉବାଚ
ଶରଦ କାଳର ସ୍ୱାଭାବେ । ଗୋବିନ୍ଦ ବୃନ୍ଦାବନ ଠାବେ ॥ ୧
ନଦୀ ପୋଖରୀ ଜଳରାଶି । ସୁଗନ୍ଧ ଫୁଲେ ପରଶଂସି ॥ ୨
ବନକୁସୁମ ତରୁଡ଼ାଳେ । ଶୁକ କୋକିଳ ଭୃଙ୍ଗମେଳେ ॥ ୩
ବନଗହନ ଗିରିତଳେ । ଗାଈ ଚରାନ୍ତି ଗୋପବାଳେ ॥ ୪
ଆନନ୍ଦେ ବେଣୁ ନାଦକରି । ବନେ ବିଜୟ ନରହରି ॥ ୫
କୃଷ୍ଣ ମୁରଲୀ ନାଦ ଶୁଣି । ଗୋପୀଏ ଏକୁ ଆରେ ଭଣି ॥ ୬
କୃଷ୍ଣଲୀଳାରେ ଚିତ୍ତ ଦେଇ । ଅନଙ୍ଗରସ ଭାବେ ମୋହି ॥ ୭
ମନ ନିବେଶି କୃଷ୍ଟ ପାଦେ । ଗୋପୀଏ କହନ୍ତି ଆନନ୍ଦେ ॥ ୮
ଶୁଣ ଗୋ ସଖୀ କୃଷ୍ଣ କଥା । କାନନେ ଯେମନ୍ତ ବ୍ୟବସ୍ଥା ॥ ୯
ମୟୂରପୁଚ୍ଛ ଶିରେ ଶୋହେ । ତରୁଣୀଜନ ମନ ମୋହେ ॥ ୧୦
କର୍ଣ୍ଣେ ଖଞ୍ଜିତ କନିଅର । ସୁନ୍ଦର ସୁରଙ୍ଗ୍ ଅଧର ॥ ୧୧
ପୀତବସନ କଟୀତଟେ । ଲମ୍ବଇ ବନମାଳା କଣ୍ଠେ ॥ ୧୨
ବିବିଧ ନଟବେଶ ହୋଇ । ମଧୁରେ ବେଣୁ ନାଦ ବାଇ ॥ ୧୩
ଆନନ୍ଦେ ଶିଶୁଗଣ ସଙ୍ଗେ । କ୍ରୀଡ଼ନ୍ତି ବୃନ୍ଦାବନ ଲାଗେ ॥ ୧୪
ମୁରଲୀନାଦ ଶୁଭେ ବନେ । ଭୋ ସଖି ଶୁଣ ସାବଧାନେ ॥ ୧୫
ଗୋପାଳ ମେଳେ ନନ୍ଦସୁତ । ଗୋରୁ ଚରାନ୍ତି ଗୋପୀନାଥ ॥ ୧୬
ଚକ୍ଷୁ ବହନ୍ତି ଯେତେ ପ୍ରାଣୀ । କେ ପାରୁ ତା'ଙ୍କ ପୁଣ୍ୟ ଗଣି ॥ ୧୭
ଗୋପାଳ ମେଳେ କୃଷ୍ଣ ଦେଖି । ନିର୍ମଳ କଲେ ଚର୍ମ ଆଖି ॥ ୧୮
ଚୂତ ପଲ୍ଲବେ ଶିଖିପୁଚ୍ଛ । କଟୀରେ ପୀତ ନୀଳକାଛ ॥ ୧୯
ହୃଦେ କଦମ୍ବ ପଦ୍ମମାଳ । ରଙ୍ଗ ମୃତ୍ତିକା ଶ୍ରମଝାଳ ॥ ୨୦
ଗୋପାଳ ମେଳେ ବେନିଭାଇ । କି ପଟାନ୍ତର ଦେବା ସହି ॥ ୨୧
ରଙ୍ଗସଭାର ତଳେ ସାର । ଯେହ୍ନେ ଯୁଗଳ ନୃତ୍ୟକାର ॥ ୨୨
ଦେଖ ଗୋ ମୁରଲୀର ଭାଗ୍ୟ । ଅମୃତ ଅଧରେ ସଂଯୋଗ ॥ ୨୩
ଅନେକ ଜନ୍ମେ ପୁଣ୍ୟ ଦାହି । କୃଷ୍ଣ ଅଧର ପୁଟେ ଥାଇ ॥ ୨୪
ସବୁ ଖାଇଲା ସୁଧାରସ । ଗୋପୀଙ୍କି ନାହିଁ ଅବଶେଷ ॥ ୨୫
ଗୋପୀଙ୍କ ଠାରେ ଗର୍ବ ବହେ । ସୁହୃଦ ସପତଣୀ ପ୍ରାୟେ ॥ ୨୬
ନଦୀଏ ହୋଇ ସ୍ଥିରଗତି । ବୃକ୍ଷେ ଅଶ୍ରୁଜଳ ସ୍ରବନ୍ତି ॥ ୨୭
ଭୂମି ଆନନ୍ଦ ବୃନ୍ଦାବନେ । ଗୋବିନ୍ଦ-ପାଦପଦ୍ମ-ଚିହ୍ନେ ॥ ୨୮
କୃଷ୍ଣ-ମୁରଲୀନାଦ ଚାହିଁ । ଜନ୍ତୁଙ୍କ ଚକ୍ଷୁ ନ ଚଳଇ ॥ ୨୯
ମୃଗ ମୟୂର ପଶୁ ଯେତେ । ଗିରିକନ୍ଦରେ ଯୂଥେ ଯୂଥେ ॥ ୩୦
ଧନ୍ୟ ଏ ହରିଣ ଯୁବତୀ । ବେଣୁ ଶୁଣନ୍ତି କୃଷ୍ଣ କତି ॥ ୩୧
ଆବୋରି କୃଷ୍ଣ ମୁଖସାର । ନୟନେ ଦ୍ୟନ୍ତି ଉପହାର ॥ ୩୨
ଦେବକାମିନୀ ଶୂନ୍ୟେ ଥାଇ । ମୁରଲୀ ନାଦେ ମନଦେଇ ॥ ୩୩
ବଦନ-ନୟନ-ଆନନ୍ଦ । ଶୁଣି ମୋହନ-ବେଣୁନାଦ ॥ ୩୪
ବିମାନେ ଥାଇ ମୋହମାନ । ଫିଟିଲା କବରୀ-ବସନ ॥ ୩୫
ଗୋରୁଏ କୃଷ୍ଣ-ଗୀତ ଶୁଣି । ଚଳି ନ ପାରନ୍ତି ଧରଣୀ ॥ ୩୬
ତୃଣ କବଳ ତୁଣ୍ତେ କରି । ବେଶୁ ଶୁଣନ୍ତି କର୍ଣ୍ଣ ଡେରି ॥ ୩୭
ବତ୍ସାଏ ସ୍ତନେ ମୁଖ ଦେଇ । ବେଣୁ ଶୁଣନ୍ତି ସ୍ଥିର ହୋଇ ॥ ୩୮
ପକ୍ଷୀଏ ମୁନିଙ୍କର ତୁଲେ । ଧ୍ୟାନ କରନ୍ତି ବୃକ୍ଷ ଡାଳେ ॥ ୩୯
ନଦୀଏ ଶୁଣି ବେଣୁଗୀତ । ଅନଙ୍ଗବାଣେ ମୋହଗତ ॥ ୪୦
ଉର୍ମିର ଛଳେ ଭୁଜ ତୋଳି । କୋଳ କରିବେ ବନମାଳୀ ॥ ୪୧
କମଳ ଉପହାର ଦେଇ । ପୂଜା କରନ୍ତି ପାଦ ଦୁଇ ॥ ୪୨
ଇନ୍ଦ୍ର ଯେ ଦେଖୁଥିଲା ରହି । ମୁରଲୀ ନାଦେ ଚିତ୍ତ ଦେଇ ॥ ୪୩
ରାମ-ଗୋବିନ୍ଦ ଗୋପମେଳେ । ଫୁଟିଲେ ଶ୍ରମ ଘର୍ମ ଝାଳେ ॥ ୪୪
ଦଇବେ ଗୋବିନ୍ଦର ମିତ୍ର । ଉପରେ କଲା ମେଘଛତ୍ର ॥ ୪୫
ଶବରନାରୀମାନେ ଧନ୍ୟ । ଶୁଣ ଗୋ ତାହାଙ୍କର ପୁଣ୍ୟ ॥ ୪୬
ସ୍ତିରୀଙ୍କ ସ୍ତନ ବିଲେ ପନ । କୁଙ୍କୁମ ଅଗୁରୁ ଚନ୍ଦନ ॥ ୪୭
କୃଷ୍ଣର ପାଦଯୁଗେ ଥିଲା । କୋମଳ ଘାସେ ଗୋ ଲାଗିଲା ॥ ୪୮
କୃଷ୍ଣର ଶୁଣି ବେଣୁସ୍ୱନ । ଅନଙ୍ଗେ ହୋଇଲେ ଅଜ୍ଞାନ ॥ ୪୯
କୁଙ୍କୁମ ତୃଣ ମଧ୍ୟୁଁ ତୋଳି । ସ୍ତନ-ବଦନେ ତାହା ବୋଳି ॥ ୫୦
ବେଗେ ଛାଡ଼ିଲେ ମନତାପ । ଦେଖନ୍ତି ରାମକୃଷ୍ଣ ରୂପ ॥ ୫୧
ଦେଖ ଗୋ ଗିରି ଗୋବର୍ଦ୍ଧନ । ପୂର୍ବେ ଅନେକ କଲା ପୁଣ୍ୟ ॥ ୫୨
ହରି ସେବକ ଶିରୋମଣି । କୋମଳ ତୃଣ କନ୍ଦପାଣି ॥ ୫୩
ଏ ଉପହାରେ ସେ ଆନନ୍ଦ । ପୂଜିଲା ଗୋବିନ୍ଦର ପାଦ ॥ ୫୪
ଗୋରୁ-ଗୋପାଳ ଘେନି ସଙ୍ଗେ । ବେଣୁ ବଜାନ୍ତି କୃଷ୍ଣ ରଙ୍ଗେ ॥ ୫୫
ପ୍ରାଣୀଙ୍କି କଲେ ବିପରୀତ । ମୋହିତ ହୋଇଲେ ସମସ୍ତ ॥ ୫୬
ଶୁଣ ରାଜନ ତୋଷଚିତ୍ତେ । ଗୋପୀ କହନ୍ତି ଖେଦମତେ ॥ ୫୭
କୃଷ୍ଣର ପାଦେ ମନଦେଇ । ଦିନ ହରନ୍ତି ମୁଖ ଚାହିଁ ॥ ୫୮
ଗୋବିନ୍ଦ ମୁରଲୀର ନାଦ । ଶୁଣନ୍ତେ ଖଣ୍ତଇ ଆପଦ ॥ ୫୯
ସୁଜନେ ଶୁଣ ବେଣୁଗୀତ । କହଇ ଦାସ ଜଗନ୍ନାଥ ॥ ୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବେଣୁଗୀତଂ ନାମ ଦ୍ୱାବିଂଶୋଽଧ୍ୟାୟଃ ॥
* * *