ଦଶମ ସ୍କନ୍ଧ

ଏକବିଂଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ହରିରସ । ତୁ ଅଟୁ ଗୋବିନ୍ଦର ଦାସ ॥

କୃଷ୍ଣ ମହିମା ଶୁଣି କ‰ର୍ଣ୍ଣେ । ଗୋପୀ ଗୋପାଳ ତୋଷମନେ ॥

ରାମକୃଷ୍ଣଙ୍କୁ ପରଶଂସି । କିଏ ଦେବତା ଏଥେ ଆସି ॥

ନୋହିଲେ ଏଡ଼େ କର୍ମ କାହିଁ । ବିଷମ ସଂକଟୁ ତାରଇ ॥

ପରମାନନ୍ଦ ମୁଖ ଚାହିଁ । ଚିନ୍ତା ଛାଡ଼ିଲେ ତୋଷ ହୋଇ ॥

ଏମନ୍ତେ ଗ୍ରୀଷ୍ମକାଳ ଗଲା । ବରଷା ଋତୁ ପ୍ରସରିଲା ॥

ସକଳ ଋତୁଙ୍କର ସାର । ଶସ୍ୟ-ସମ୍ପଦ ମଞ୍ଚପୁର ॥

ମେଘେ ମିଳିଲେ ଶୂନ୍ୟପଥେ । ବିଜୁଳି-ପବନ ସଙ୍ଗତେ ॥

ଭୂମି-ସାଗର ଶୂନ୍ୟ ବ୍ୟାପୀ । ନୀଳ ଜିମୂତ ବିଶ୍ୱରୂପୀ ॥

ଆକାଶ ମେଘାଚ୍ଛନ୍ନ ହୋଇ । ଜ୍ୟୋତି ପ୍ରକାଶ ନ ଦିଶଇ ॥ ୧୦

ଗୁଣେ ଆଚ୍ଛନ୍ନ ବ୍ରହ୍ମ ଯେହ୍ନେ । ଆକାଶ ନଦିଶେ ତେସନେ ॥ ୧୧

ଭୂମିର ରସ ଅଷ୍ଟମାସ । ଆଦିତ୍ୟ କରିଥିଲା ଗ୍ରାସ ॥ ୧୨

ତେଜେ ଅବନୀ ଦୁଃଖ ଚାହିଁ । ଜଳ ଛାଡ଼ିଲା ତୋଷ ହୋଇ ॥ ୧୩

ଘୋର-ଶବଦେ ମେଘମାଳ । ଗର୍ଜିଣ ବରଷନ୍ତି ଜଳ ॥ ୧୪

ପ୍ରାଣୀ-ଜୀବନ ଜଳରାଶି । କରୁଣାଚିତ୍ତରେ ବରଷି ॥ ୧୫

ପୃଥିବୀ ରବିତେଜ ତ୍ରାସେ । ତାପିତ ଥିଲା ଅଷ୍ଟମାସେ ॥ ୧୬

ଜଳ ପାଇଲା ତୋଷଚିତ୍ତେ । ତପସ୍ୱୀଜନଙ୍କର ମତେ ॥ ୧୭

ତପସ୍ୟା ଫଳ ଯେହ୍ନେ ପାଇ । ଭୁଞ୍ଜନ୍ତି ଅତି ସୁଖୀ ହୋଇ ॥ ୧୮

ଖଦ୍ୟୋତ କୀଟ ନିଶାମୁଖେ । ଜଗତ ଆବୋରିଲେ ସୁଖେ ॥ ୧୯

ପାଷଣ୍ତେŠ ଯେହ୍ନେ କଳିଯୁଗେ । ବେଦ ନିନ୍ଦନ୍ତି ପାପ ଯୋଗେ ॥ ୨୦

ମŠଣ୍ତୁକେ ମେଘନାଦ ଶୁଣି । ଗର୍ଜିନ୍ତି ଆବୋରିଣ ପାଣି ॥ ୨୧

ରଜନୀ ଅନ୍ତେ ବିପ୍ରଜନେ । କରନ୍ତି ବେଦଧ୍ୱନି ଯେହ୍ନେ ॥ ୨୨

ଅଳପ ନଦୀଏ ପୂରିଲେ । ଲହରି ଘେନି ଉଛୁଳିଲେ ॥ ୨୩

ପୁଣି ଶୁଖନ୍ତି ଜଳଅନ୍ତେ । ଅଳପ ଲୋକଙ୍କର ମତେ ॥ ୨୪

ତୃଣରେ ଇନ୍ଦ୍ର ଗୋପ ମିଶି । ସୈନ୍ୟ ସଂପଦ ପ୍ରାୟ ଦିଶି ॥ ୨୫

ଛତୁଏ ଛତ୍ର ପ୍ରାୟ ହୋଇ । ରାଜାଙ୍କ ପ୍ରାୟ ଦିଶେ ମହୀ ॥ ୨୬

ନାନାପ୍ରକାରେ ଶସ୍ୟରାଶି । ଏଣେ ପୂରିତ ମହୀ ଦିଶି ॥ ୨୭

ଶସ୍ୟ-ସଂପଦେ କ୍ଷେତ୍ରମାନେ । ଦେଖି ଆନନ୍ଦ କୃଷିଜନେ ॥ ୨୮

ଦରିଦ୍ରଙ୍କର କୃଷିନାଶେ । ତାପ କରାଇଲେ ବିଶେଷେ ॥ ୨୯

ଦଇବ ବଳ ଅବିଶ୍ୱାସେ । ତାପକେ ପାଇଲେ ବିଶେଷେ ॥ ୩୦

ଅଶେଷ ଜୀବ ଜଳସ୍ଥଳେ । ଜଳ ଭକ୍ଷିଲେ କୁତୂହଳେ ॥ ୩୧

ଦିନକୁ ଦିନ ପୁଷ୍ଟ ହୋଇ । ହରିସେବକ ପ୍ରାୟ ରହି ॥ ୩୨

ସମୁଦ୍ର-ନଦୀଙ୍କର ମେଳେ । କଲ୍ଲୋଳ ଉଠେ ପୁଣ୍ୟଜଳେ ॥ ୩୩

ଅଳପ ଯୋଗୀଙ୍କର ଚିତ୍ତ । ଯେହ୍ନେ ଚଞ୍ଚଳଗୁଣେ ଗ୍ରସ୍ତ ॥ ୩୪

ପର୍ବେତେ ଜଳଧାରା ଘାଏ । ଛିଡ଼ନ୍ତେ ନ କରନ୍ତି ଭୟେ ॥ ୩୫

କୃଷ୍ଣ-ଆଶ୍ରିତ ପ୍ରାଣୀ ଯେହ୍ନେ । ଦୁଃଖିତ ନୁହନ୍ତି ବ୍ୟସନେ ॥ ୩୬

ପଥ ହୋଇଲା ତୃଣମୟ । ବାଟର ନ ମିଳିଲା ଥୟ ॥ ୩୭

ବ୍ରାହ୍ମଣେ ବେଦ ପାସୋରିଲେ । ଯେମନ୍ତେ ହ୍ୱନ୍ତି ପଚାରିଲେ ॥ ୩୮

ଜଗତବନ୍ଧୁ ମେଘମାଳେ । ବିଜୁଳି ନ ରହେ ନିଶ୍ଚଳେ ॥ ୩୯

ଗୁଣି ପୁରୁଷ ଥାଉଁ ମେଳେ । ବିଟପୀ ମନ ଯେହ୍ନେ ଟଳେ ॥ ୪୦

ଜଳଦ ମଧ୍ୟେ ଇନ୍ଦ୍ରଚାପ । ଦିଶଇ ନୀଳ-ପୀତରୂପ ॥ ୪୧

ତୃତୀୟ ଗୁଣେ ହୋଇ ଯୁତ । ନିର୍ଗୁଣ-ପୁରୁଷ ଯେମନ୍ତ ॥ ୪୨

ଚନ୍ଦ୍ର ନଦିଶେ ମେଘାଚ୍ଛନ୍ନେ । ମିଥ୍ୟା-ବଚନେ ସତ୍ୟ ଯେହ୍ନେ ॥ ୪୩

ମୟୂରେ ଗିରିଶିଖେ ଥାଇ । ନୃତ୍ୟ କରନ୍ତି ମେଘେ ଚାହିଁ ॥ ୪୪

ଅତିଥି ଦେଖି ଭକ୍ତଜନେ । ଯେସନେ ତୋଷ ହ୍ୱନ୍ତି ମନେ ॥ ୪୫

ବୃକ୍ଷଙ୍କ ମୂଳେ ଜଳ ପଶି । ଫଳ-ପଲ୍ଲବ ପରକାଶି ॥ ୪୬

ତପର ଅନ୍ତେ ଫଳ ପାଇ । ତପସ୍ୱୀ ଯେହ୍ନେ ତୁଷ୍ଟ ହୋଇ ॥ ୪୭

ଜଳ କୁକ୍କୁଟ ଆଦି ହଂସ । ପଙ୍କ-କଣ୍ଟକେ କଲେ ବାସ ॥ ୪୮

ଦୁଃଖ-କଷଣେ ନରନାରୀ । ଯେସନେ ଗୃହେ ବାସକରି ॥ ୪୯

ଜଳପ୍ରବାହେ ବନ୍ଧ ଭାଙ୍ଗେ । ଯେହ୍ନେ ପାଷାଣ୍ତେŠ ବେଦମାର୍ଗେ ॥ ୫୦

ପବନ ଯୋଗେ ମେଘ ବଢ଼ି । ଅମୃତ ପ୍ରାୟ ଜଳ ଛାଡ଼ି ॥ ୫୧

ବିପ୍ରଙ୍କ ବୋଲେ ମହୀପାଳେ । ଯେହ୍ନେ ଦିଅନ୍ତି ଦାନକାଳେ ॥ ୫୨

ବରଷା ରସେ ବନ ଭୂଇଁ । ଖର୍ଜ୍ଜୁର ଜମ୍ବୁମୟ ହୋଇ ॥ ୫୩

ଗୋରୁ ଗୋପାଳ ସଙ୍ଗେ ଘେନି । ବନେ ବିଜୟ ଭାଇବେନି ॥ ୫୪

ଗାଈଏ ସ୍ତନଭର ହୋଇ । କŸର୍ଦ୍ଦମେ ନପାରନ୍ତି ଯାଇ ॥ ୫୫

କୃଷ୍ଣର ଡାକ ଶୁଣି କ‰ର୍ଣ୍ଣେ । ନିକଟେ ମିଳିଲେ ବହନେ ॥ ୫୬

କାନନେ ଯେତେ ଜୀବ ଥିଲେ । ଗିରିକନ୍ଦରେ ଆଶ୍ରେ କଲେ ॥ ୫୭

ସକଳ ବୃକ୍ଷେ ମଧୁ ସ୍ରବେ । ବରଷା ଋତୁର ସ୍ୱଭାବେ ॥ ୫୮

ଗାଈ ଚରାନ୍ତି ନନ୍ଦବାଳ । ଭକ୍ଷନ୍ତି ଫଳ କନ୍ଦମୂଳ ॥ ୫୯

ବସନ୍ତି ବୃକ୍ଷଙ୍କର ତଳେ । ଦିନ ହରନ୍ତି କୁତୂହଳେ ॥ ୬୦

ଦଧିଅନ୍ନାଦି ଘରୁ ଆଣି । ଜଳ ନିକଟେ ଚକ୍ରପାଣି ॥ ୬୧

ଗୋପାଳ ମେଳେ ବେନିଭାଇ । ଭୁଞ୍ଜନ୍ତି ଶିଳାପରେ ଥୋଇ ॥ ୬୨

କୋମଳ ଘାସେ ପଶୁଗଣେ । ଚରନ୍ତି ମୁଦ୍ରିତ ଲୋଚନେ ॥ ୬୩

ବରଷା ଦେଖି ବ୍ରହ୍ମରାଶି । ନିଜ ମହିମା ପରଶଂସି ॥ ୬୪

ବନେ ବୁଲନ୍ତି ନନ୍ଦବାଳ । ପ୍ରବେଶ ଶରଦର କାଳ ॥ ୬୫

ଶୁକଳ ମେଘ ଶୂନ୍ୟେ ଦିଶି । ବିଷ୍ଣୁର ତେଜ ପରକାଶି ॥ ୬୬

ଭୂମିରେ ଯେତେ ଜଳ ଥିଲା । ଶରଦେ ନିର୍ମଳ ହୋଇଲା ॥ ୬୭

ଭ୍ରଷ୍ଟ ଯୋଗୀଙ୍କ ଚିତ୍ତ ଯେହ୍ନେ । ପୁଣି ନିର୍ମଳ ଯୋଗ ଧ୍ୟାନେ ॥ ୬୮

ଶରଦ ଭୟେ ମେଘ ଗଲା । ଆକାଶ ନିର୍ମଳ ଦିଶିଲା ॥ ୬୯

ଭାଙ୍ଗିଲା ଜନ୍ତୁଙ୍କ ଗହଳ । ଜଳୁ ହରିଲା ପଙ୍କ-ମଳ ॥ ୭୦

ହରି ଭକତି ବଳେ ଯେହ୍ନେ । ପାତକ ନ ଲଗାଇ ମନେ ॥ ୭୧

ସକଳ ଜଳ ଛାଡ଼ି ମେଘେ । ଶୁଭ୍ର ଦିଶିଲେ ଶୂନ୍ୟମାର୍ଗେ ॥ ୭୨

ସଂସାର ମୋହ ଛାଡ଼ି ଜନେ । ଯେହ୍ନେ ଦିଶନ୍ତି ଯୋଗଧ୍ୟାନେ ॥ ୭୩

ପର୍ବତେ ଯେତେ ଜଳ ଥିଲା । ସଞ୍ଚରି ଭୂମିରେ ପଡ଼ିଲା ॥ ୭୪

ଉତ୍ତମ ଶିଷ୍ୟେ ତୋଷ ହୋଇ । ଗୁରୁ ଯେସନେ ଜ୍ଞାନ ଦେଇ ॥ ୭୫

ଅଳପ ଜଳେ ଜନ୍ତୁ ଥାଇ । ରବି କିରଣେ ଭୟ ପାଇ ॥ ୭୬

ଜୀବନ ଦିନୁ ଦିନ କ୍ଷୀଣ । ଦରିଦ୍ର-କୁଟୁମ୍ବ ଯେସନ ॥ ୭୭

ଗଭୀର ଜଳେ ମୀନ ଥିଲେ । ରବି କିରଣ ନ ଜାଣିଲେ ॥ ୭୮

ଜଳେ ରମନ୍ତି ତୋଷ ଚିତ୍ତେ । ଅଜ୍ଞାନୀ ଜନଙ୍କର ମତେ ॥ ୭୯

ଭୂମିରେ ପଙ୍କ ଧୀରେ ଧୀରେ । ଶୁଖିଲେ ଶରଦ ଶିଶିରେ ॥ ୮୦

ଯେସନେ ଯୋଗଲୟ ପାଇ । ଅଜ୍ଞାନ ଭାବ କ୍ଷୟ ଯାଇ ॥ ୮୧

ଶରଦ ଋତୁ ଗୁଣ ଭେଦି । ନିଶ୍ଚଳ ହୋଇଲା ବାରିଧି ॥ ୮୨

ବେଦ-ବେଦାନ୍ତେ ପାଇ ତତ୍ତ୍ୱ । ଯେସନେ ଜ୍ଞାନୀଙ୍କର ଚିତ୍ତ ॥ ୮୩

କୃଷକେ ମିଳି ଧାନ୍ୟକ୍ଷେତ୍ରେ । ଜଳ ବାନ୍ଧିଲେ ଦୃଢ଼ମତେ ॥ ୮୪

ଯୋଗୀଏ ପବନର ବଳେ । ଇନ୍ଦ୍ରି ରୁନ୍ଧନ୍ତି ଯେହ୍ନେ କାଳେ ॥ ୮୫

ଶରଦ-ରବି-ତେଜ ଲାଗି । ଜନ୍ତୁଏ ହୋନ୍ତି ଦୁଃଖଭାଗୀ ॥ ୮୬

ରଜନୀନାଥ ତାହା ହରି । ଯେହ୍ନେ ଗୋବିନ୍ଦ ବ୍ରଜନାରୀ ॥ ୮୭

ନିର୍ମଳ ଦିଶେ ଶୂନ୍ୟପଥ । ଗ୍ରହ ନକ୍ଷତ୍ର ନିଶିନାଥ ॥ ୮୮

ଶବଦ ବ୍ରହ୍ମ ଜାଣି ଯେହ୍ନେ । ସାଧୁ ପୁରୁଷଙ୍କର ମନେ ॥ ୮୯

ନକ୍ଷତ୍ରଗଣ ମଧ୍ୟେ ଶଶୀ । ଅଖଣ୍ତŠମŠଣ୍ତଳ ପ୍ରକାଶି ॥ ୯୦

ଯାଦବ ଭୋଜବଂଶ ମଧ୍ୟେ । ଗୋବିନ୍ଦ ଯେସନେ ଆନନ୍ଦେ ॥ ୯୧

ଚନ୍ଦ୍ର କୁମୁଦ ଜଳରାଶି । ପବନ ପ୍ରସରନ୍ତେ ନିଶି ॥ ୯୨

ଗାଈ ହରିଣୀ ପକ୍ଷୀ ନାରୀ । ଶରଦ ଋତୁ ମଧ୍ୟେ ଚାରି ॥ ୯୩

ଇଚ୍ଛନ୍ତି ନିଜ ସ୍ୱାମୀ ସଙ୍ଗ । ମାୟାଭିଆଣ ଶିରୀରଙ୍ଗ ॥ ୯୪

କୁମୁଦ ବିନା ଜଳ ଫୁଲେ । ଆନନ୍ଦ ଦିବାକର ତୁଲେ ॥ ୯୫

ରାଜାର ତେଜେ ପ୍ରଜା ଯେହ୍ନେ । ଆନନ୍ଦ ହୋନ୍ତି ଚୋର ବିନେ ॥ ୯୬

ପୁରପାଟଣା ଗ୍ରାମ ଭୂଇଁ । ଚନ୍ଦ୍ର ଉ›ତ୍ସବ ବିରାଜଇ ॥ ୯୭

କୃଷ୍ଣର ମାୟା ଶସ୍ୟରାଶି । ଦେଖି ମାନବେ ପରଶଂସି ॥ ୯୮

ଋଷି-ନୃପତି-ବଣିଜାରେ । ପ୍ରବାସ କଲେ ଯେ ଯାହାରେ ॥ ୯୯

ଆୟୁଷ ଅନ୍ତେ ଯେହ୍ନେ ସିଦ୍ଧେ । କାଳେ ଭୁଞ୍ଜନ୍ତି ବ୍ରହ୍ମ‌ପଦେ ॥ ୧୦୦

ମୁନି କହନ୍ତି ରାଜା ଆଗେ । ବାଳକ ଲୀଳା ରସ ଭାବେ ॥ ୧୦୧

ଶରଦ କାଳେ ବନଚାରୀ । ରାମ ଗୋପାଳ ନରହରି ॥ ୧୦୨

ହରି ଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୦୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପ୍ରାବୃଟ୍ ଶରଦ୍ ବ‰ର୍ଣ୍ଣ‌ନଂ ନାମ ଏକବିଂଶୋଽଧ୍ୟାୟଃ ॥

* * *