ଦଶମ ସ୍କନ୍ଧ
ଏକବିଂଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ ହରିରସ । ତୁ ଅଟୁ ଗୋବିନ୍ଦର ଦାସ ॥ ୧
କୃଷ୍ଣ ମହିମା ଶୁଣି କର୍ଣ୍ଣେ । ଗୋପୀ ଗୋପାଳ ତୋଷମନେ ॥ ୨
ରାମକୃଷ୍ଣଙ୍କୁ ପରଶଂସି । କିଏ ଦେବତା ଏଥେ ଆସି ॥ ୩
ନୋହିଲେ ଏଡ଼େ କର୍ମ କାହିଁ । ବିଷମ ସଂକଟୁ ତାରଇ ॥ ୪
ପରମାନନ୍ଦ ମୁଖ ଚାହିଁ । ଚିନ୍ତା ଛାଡ଼ିଲେ ତୋଷ ହୋଇ ॥ ୫
ଏମନ୍ତେ ଗ୍ରୀଷ୍ମକାଳ ଗଲା । ବରଷା ଋତୁ ପ୍ରସରିଲା ॥ ୬
ସକଳ ଋତୁଙ୍କର ସାର । ଶସ୍ୟ-ସମ୍ପଦ ମଞ୍ଚପୁର ॥ ୭
ମେଘେ ମିଳିଲେ ଶୂନ୍ୟପଥେ । ବିଜୁଳି-ପବନ ସଙ୍ଗତେ ॥ ୮
ଭୂମି-ସାଗର ଶୂନ୍ୟ ବ୍ୟାପୀ । ନୀଳ ଜିମୂତ ବିଶ୍ୱରୂପୀ ॥ ୯
ଆକାଶ ମେଘାଚ୍ଛନ୍ନ ହୋଇ । ଜ୍ୟୋତି ପ୍ରକାଶ ନ ଦିଶଇ ॥ ୧୦
ଗୁଣେ ଆଚ୍ଛନ୍ନ ବ୍ରହ୍ମ ଯେହ୍ନେ । ଆକାଶ ନଦିଶେ ତେସନେ ॥ ୧୧
ଭୂମିର ରସ ଅଷ୍ଟମାସ । ଆଦିତ୍ୟ କରିଥିଲା ଗ୍ରାସ ॥ ୧୨
ତେଜେ ଅବନୀ ଦୁଃଖ ଚାହିଁ । ଜଳ ଛାଡ଼ିଲା ତୋଷ ହୋଇ ॥ ୧୩
ଘୋର-ଶବଦେ ମେଘମାଳ । ଗର୍ଜିଣ ବରଷନ୍ତି ଜଳ ॥ ୧୪
ପ୍ରାଣୀ-ଜୀବନ ଜଳରାଶି । କରୁଣାଚିତ୍ତରେ ବରଷି ॥ ୧୫
ପୃଥିବୀ ରବିତେଜ ତ୍ରାସେ । ତାପିତ ଥିଲା ଅଷ୍ଟମାସେ ॥ ୧୬
ଜଳ ପାଇଲା ତୋଷଚିତ୍ତେ । ତପସ୍ୱୀଜନଙ୍କର ମତେ ॥ ୧୭
ତପସ୍ୟା ଫଳ ଯେହ୍ନେ ପାଇ । ଭୁଞ୍ଜନ୍ତି ଅତି ସୁଖୀ ହୋଇ ॥ ୧୮
ଖଦ୍ୟୋତ କୀଟ ନିଶାମୁଖେ । ଜଗତ ଆବୋରିଲେ ସୁଖେ ॥ ୧୯
ପାଷଣ୍ତେ ଯେହ୍ନେ କଳିଯୁଗେ । ବେଦ ନିନ୍ଦନ୍ତି ପାପ ଯୋଗେ ॥ ୨୦
ମଣ୍ତୁକେ ମେଘନାଦ ଶୁଣି । ଗର୍ଜିନ୍ତି ଆବୋରିଣ ପାଣି ॥ ୨୧
ରଜନୀ ଅନ୍ତେ ବିପ୍ରଜନେ । କରନ୍ତି ବେଦଧ୍ୱନି ଯେହ୍ନେ ॥ ୨୨
ଅଳପ ନଦୀଏ ପୂରିଲେ । ଲହରି ଘେନି ଉଛୁଳିଲେ ॥ ୨୩
ପୁଣି ଶୁଖନ୍ତି ଜଳଅନ୍ତେ । ଅଳପ ଲୋକଙ୍କର ମତେ ॥ ୨୪
ତୃଣରେ ଇନ୍ଦ୍ର ଗୋପ ମିଶି । ସୈନ୍ୟ ସଂପଦ ପ୍ରାୟ ଦିଶି ॥ ୨୫
ଛତୁଏ ଛତ୍ର ପ୍ରାୟ ହୋଇ । ରାଜାଙ୍କ ପ୍ରାୟ ଦିଶେ ମହୀ ॥ ୨୬
ନାନାପ୍ରକାରେ ଶସ୍ୟରାଶି । ଏଣେ ପୂରିତ ମହୀ ଦିଶି ॥ ୨୭
ଶସ୍ୟ-ସଂପଦେ କ୍ଷେତ୍ରମାନେ । ଦେଖି ଆନନ୍ଦ କୃଷିଜନେ ॥ ୨୮
ଦରିଦ୍ରଙ୍କର କୃଷିନାଶେ । ତାପ କରାଇଲେ ବିଶେଷେ ॥ ୨୯
ଦଇବ ବଳ ଅବିଶ୍ୱାସେ । ତାପକେ ପାଇଲେ ବିଶେଷେ ॥ ୩୦
ଅଶେଷ ଜୀବ ଜଳସ୍ଥଳେ । ଜଳ ଭକ୍ଷିଲେ କୁତୂହଳେ ॥ ୩୧
ଦିନକୁ ଦିନ ପୁଷ୍ଟ ହୋଇ । ହରିସେବକ ପ୍ରାୟ ରହି ॥ ୩୨
ସମୁଦ୍ର-ନଦୀଙ୍କର ମେଳେ । କଲ୍ଲୋଳ ଉଠେ ପୁଣ୍ୟଜଳେ ॥ ୩୩
ଅଳପ ଯୋଗୀଙ୍କର ଚିତ୍ତ । ଯେହ୍ନେ ଚଞ୍ଚଳଗୁଣେ ଗ୍ରସ୍ତ ॥ ୩୪
ପର୍ବେତେ ଜଳଧାରା ଘାଏ । ଛିଡ଼ନ୍ତେ ନ କରନ୍ତି ଭୟେ ॥ ୩୫
କୃଷ୍ଣ-ଆଶ୍ରିତ ପ୍ରାଣୀ ଯେହ୍ନେ । ଦୁଃଖିତ ନୁହନ୍ତି ବ୍ୟସନେ ॥ ୩୬
ପଥ ହୋଇଲା ତୃଣମୟ । ବାଟର ନ ମିଳିଲା ଥୟ ॥ ୩୭
ବ୍ରାହ୍ମଣେ ବେଦ ପାସୋରିଲେ । ଯେମନ୍ତେ ହ୍ୱନ୍ତି ପଚାରିଲେ ॥ ୩୮
ଜଗତବନ୍ଧୁ ମେଘମାଳେ । ବିଜୁଳି ନ ରହେ ନିଶ୍ଚଳେ ॥ ୩୯
ଗୁଣି ପୁରୁଷ ଥାଉଁ ମେଳେ । ବିଟପୀ ମନ ଯେହ୍ନେ ଟଳେ ॥ ୪୦
ଜଳଦ ମଧ୍ୟେ ଇନ୍ଦ୍ରଚାପ । ଦିଶଇ ନୀଳ-ପୀତରୂପ ॥ ୪୧
ତୃତୀୟ ଗୁଣେ ହୋଇ ଯୁତ । ନିର୍ଗୁଣ-ପୁରୁଷ ଯେମନ୍ତ ॥ ୪୨
ଚନ୍ଦ୍ର ନଦିଶେ ମେଘାଚ୍ଛନ୍ନେ । ମିଥ୍ୟା-ବଚନେ ସତ୍ୟ ଯେହ୍ନେ ॥ ୪୩
ମୟୂରେ ଗିରିଶିଖେ ଥାଇ । ନୃତ୍ୟ କରନ୍ତି ମେଘେ ଚାହିଁ ॥ ୪୪
ଅତିଥି ଦେଖି ଭକ୍ତଜନେ । ଯେସନେ ତୋଷ ହ୍ୱନ୍ତି ମନେ ॥ ୪୫
ବୃକ୍ଷଙ୍କ ମୂଳେ ଜଳ ପଶି । ଫଳ-ପଲ୍ଲବ ପରକାଶି ॥ ୪୬
ତପର ଅନ୍ତେ ଫଳ ପାଇ । ତପସ୍ୱୀ ଯେହ୍ନେ ତୁଷ୍ଟ ହୋଇ ॥ ୪୭
ଜଳ କୁକ୍କୁଟ ଆଦି ହଂସ । ପଙ୍କ-କଣ୍ଟକେ କଲେ ବାସ ॥ ୪୮
ଦୁଃଖ-କଷଣେ ନରନାରୀ । ଯେସନେ ଗୃହେ ବାସକରି ॥ ୪୯
ଜଳପ୍ରବାହେ ବନ୍ଧ ଭାଙ୍ଗେ । ଯେହ୍ନେ ପାଷାଣ୍ତେ ବେଦମାର୍ଗେ ॥ ୫୦
ପବନ ଯୋଗେ ମେଘ ବଢ଼ି । ଅମୃତ ପ୍ରାୟ ଜଳ ଛାଡ଼ି ॥ ୫୧
ବିପ୍ରଙ୍କ ବୋଲେ ମହୀପାଳେ । ଯେହ୍ନେ ଦିଅନ୍ତି ଦାନକାଳେ ॥ ୫୨
ବରଷା ରସେ ବନ ଭୂଇଁ । ଖର୍ଜ୍ଜୁର ଜମ୍ବୁମୟ ହୋଇ ॥ ୫୩
ଗୋରୁ ଗୋପାଳ ସଙ୍ଗେ ଘେନି । ବନେ ବିଜୟ ଭାଇବେନି ॥ ୫୪
ଗାଈଏ ସ୍ତନଭର ହୋଇ । କର୍ଦ୍ଦମେ ନପାରନ୍ତି ଯାଇ ॥ ୫୫
କୃଷ୍ଣର ଡାକ ଶୁଣି କର୍ଣ୍ଣେ । ନିକଟେ ମିଳିଲେ ବହନେ ॥ ୫୬
କାନନେ ଯେତେ ଜୀବ ଥିଲେ । ଗିରିକନ୍ଦରେ ଆଶ୍ରେ କଲେ ॥ ୫୭
ସକଳ ବୃକ୍ଷେ ମଧୁ ସ୍ରବେ । ବରଷା ଋତୁର ସ୍ୱଭାବେ ॥ ୫୮
ଗାଈ ଚରାନ୍ତି ନନ୍ଦବାଳ । ଭକ୍ଷନ୍ତି ଫଳ କନ୍ଦମୂଳ ॥ ୫୯
ବସନ୍ତି ବୃକ୍ଷଙ୍କର ତଳେ । ଦିନ ହରନ୍ତି କୁତୂହଳେ ॥ ୬୦
ଦଧିଅନ୍ନାଦି ଘରୁ ଆଣି । ଜଳ ନିକଟେ ଚକ୍ରପାଣି ॥ ୬୧
ଗୋପାଳ ମେଳେ ବେନିଭାଇ । ଭୁଞ୍ଜନ୍ତି ଶିଳାପରେ ଥୋଇ ॥ ୬୨
କୋମଳ ଘାସେ ପଶୁଗଣେ । ଚରନ୍ତି ମୁଦ୍ରିତ ଲୋଚନେ ॥ ୬୩
ବରଷା ଦେଖି ବ୍ରହ୍ମରାଶି । ନିଜ ମହିମା ପରଶଂସି ॥ ୬୪
ବନେ ବୁଲନ୍ତି ନନ୍ଦବାଳ । ପ୍ରବେଶ ଶରଦର କାଳ ॥ ୬୫
ଶୁକଳ ମେଘ ଶୂନ୍ୟେ ଦିଶି । ବିଷ୍ଣୁର ତେଜ ପରକାଶି ॥ ୬୬
ଭୂମିରେ ଯେତେ ଜଳ ଥିଲା । ଶରଦେ ନିର୍ମଳ ହୋଇଲା ॥ ୬୭
ଭ୍ରଷ୍ଟ ଯୋଗୀଙ୍କ ଚିତ୍ତ ଯେହ୍ନେ । ପୁଣି ନିର୍ମଳ ଯୋଗ ଧ୍ୟାନେ ॥ ୬୮
ଶରଦ ଭୟେ ମେଘ ଗଲା । ଆକାଶ ନିର୍ମଳ ଦିଶିଲା ॥ ୬୯
ଭାଙ୍ଗିଲା ଜନ୍ତୁଙ୍କ ଗହଳ । ଜଳୁ ହରିଲା ପଙ୍କ-ମଳ ॥ ୭୦
ହରି ଭକତି ବଳେ ଯେହ୍ନେ । ପାତକ ନ ଲଗାଇ ମନେ ॥ ୭୧
ସକଳ ଜଳ ଛାଡ଼ି ମେଘେ । ଶୁଭ୍ର ଦିଶିଲେ ଶୂନ୍ୟମାର୍ଗେ ॥ ୭୨
ସଂସାର ମୋହ ଛାଡ଼ି ଜନେ । ଯେହ୍ନେ ଦିଶନ୍ତି ଯୋଗଧ୍ୟାନେ ॥ ୭୩
ପର୍ବତେ ଯେତେ ଜଳ ଥିଲା । ସଞ୍ଚରି ଭୂମିରେ ପଡ଼ିଲା ॥ ୭୪
ଉତ୍ତମ ଶିଷ୍ୟେ ତୋଷ ହୋଇ । ଗୁରୁ ଯେସନେ ଜ୍ଞାନ ଦେଇ ॥ ୭୫
ଅଳପ ଜଳେ ଜନ୍ତୁ ଥାଇ । ରବି କିରଣେ ଭୟ ପାଇ ॥ ୭୬
ଜୀବନ ଦିନୁ ଦିନ କ୍ଷୀଣ । ଦରିଦ୍ର-କୁଟୁମ୍ବ ଯେସନ ॥ ୭୭
ଗଭୀର ଜଳେ ମୀନ ଥିଲେ । ରବି କିରଣ ନ ଜାଣିଲେ ॥ ୭୮
ଜଳେ ରମନ୍ତି ତୋଷ ଚିତ୍ତେ । ଅଜ୍ଞାନୀ ଜନଙ୍କର ମତେ ॥ ୭୯
ଭୂମିରେ ପଙ୍କ ଧୀରେ ଧୀରେ । ଶୁଖିଲେ ଶରଦ ଶିଶିରେ ॥ ୮୦
ଯେସନେ ଯୋଗଲୟ ପାଇ । ଅଜ୍ଞାନ ଭାବ କ୍ଷୟ ଯାଇ ॥ ୮୧
ଶରଦ ଋତୁ ଗୁଣ ଭେଦି । ନିଶ୍ଚଳ ହୋଇଲା ବାରିଧି ॥ ୮୨
ବେଦ-ବେଦାନ୍ତେ ପାଇ ତତ୍ତ୍ୱ । ଯେସନେ ଜ୍ଞାନୀଙ୍କର ଚିତ୍ତ ॥ ୮୩
କୃଷକେ ମିଳି ଧାନ୍ୟକ୍ଷେତ୍ରେ । ଜଳ ବାନ୍ଧିଲେ ଦୃଢ଼ମତେ ॥ ୮୪
ଯୋଗୀଏ ପବନର ବଳେ । ଇନ୍ଦ୍ରି ରୁନ୍ଧନ୍ତି ଯେହ୍ନେ କାଳେ ॥ ୮୫
ଶରଦ-ରବି-ତେଜ ଲାଗି । ଜନ୍ତୁଏ ହୋନ୍ତି ଦୁଃଖଭାଗୀ ॥ ୮୬
ରଜନୀନାଥ ତାହା ହରି । ଯେହ୍ନେ ଗୋବିନ୍ଦ ବ୍ରଜନାରୀ ॥ ୮୭
ନିର୍ମଳ ଦିଶେ ଶୂନ୍ୟପଥ । ଗ୍ରହ ନକ୍ଷତ୍ର ନିଶିନାଥ ॥ ୮୮
ଶବଦ ବ୍ରହ୍ମ ଜାଣି ଯେହ୍ନେ । ସାଧୁ ପୁରୁଷଙ୍କର ମନେ ॥ ୮୯
ନକ୍ଷତ୍ରଗଣ ମଧ୍ୟେ ଶଶୀ । ଅଖଣ୍ତମଣ୍ତଳ ପ୍ରକାଶି ॥ ୯୦
ଯାଦବ ଭୋଜବଂଶ ମଧ୍ୟେ । ଗୋବିନ୍ଦ ଯେସନେ ଆନନ୍ଦେ ॥ ୯୧
ଚନ୍ଦ୍ର କୁମୁଦ ଜଳରାଶି । ପବନ ପ୍ରସରନ୍ତେ ନିଶି ॥ ୯୨
ଗାଈ ହରିଣୀ ପକ୍ଷୀ ନାରୀ । ଶରଦ ଋତୁ ମଧ୍ୟେ ଚାରି ॥ ୯୩
ଇଚ୍ଛନ୍ତି ନିଜ ସ୍ୱାମୀ ସଙ୍ଗ । ମାୟାଭିଆଣ ଶିରୀରଙ୍ଗ ॥ ୯୪
କୁମୁଦ ବିନା ଜଳ ଫୁଲେ । ଆନନ୍ଦ ଦିବାକର ତୁଲେ ॥ ୯୫
ରାଜାର ତେଜେ ପ୍ରଜା ଯେହ୍ନେ । ଆନନ୍ଦ ହୋନ୍ତି ଚୋର ବିନେ ॥ ୯୬
ପୁରପାଟଣା ଗ୍ରାମ ଭୂଇଁ । ଚନ୍ଦ୍ର ଉତ୍ସବ ବିରାଜଇ ॥ ୯୭
କୃଷ୍ଣର ମାୟା ଶସ୍ୟରାଶି । ଦେଖି ମାନବେ ପରଶଂସି ॥ ୯୮
ଋଷି-ନୃପତି-ବଣିଜାରେ । ପ୍ରବାସ କଲେ ଯେ ଯାହାରେ ॥ ୯୯
ଆୟୁଷ ଅନ୍ତେ ଯେହ୍ନେ ସିଦ୍ଧେ । କାଳେ ଭୁଞ୍ଜନ୍ତି ବ୍ରହ୍ମପଦେ ॥ ୧୦୦
ମୁନି କହନ୍ତି ରାଜା ଆଗେ । ବାଳକ ଲୀଳା ରସ ଭାବେ ॥ ୧୦୧
ଶରଦ କାଳେ ବନଚାରୀ । ରାମ ଗୋପାଳ ନରହରି ॥ ୧୦୨
ହରି ଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପ୍ରାବୃଟ୍ ଶରଦ୍ ବର୍ଣ୍ଣନଂ ନାମ ଏକବିଂଶୋଽଧ୍ୟାୟଃ ॥
* * *