ଦଶମ ସ୍କନ୍ଧ

ବିଂଶ ଅଧ୍ୟାୟ

କହନ୍ତି ବ୍ୟାସମୁନି ସୁତ । ଶୁଣ ରାଜନ ପରୀକ୍ଷିତ ॥

ଖେଳନ୍ତି ରାମ ନରହରି । ଗୋରୁଏ ଗଲେ ବନେଚରି ॥

ଚରନ୍ତେ ତୃଣ ଲୋଭେ ଗାଈ । ପଶିଲେ ଗିରିକୁଞ୍ଜେ ଯାଇ ॥

ଅଜା ମହିଷୀ ଗୋରୁ ସଙ୍ଗେ । ପ୍ରବେଶ କୁଞ୍ଜବନ ଲାଗେ ॥

ଅନଳ ଆବୋରିଲା ଆସି । କୁଞ୍ଜ ଗହନେ ଛନ୍ତି ପଶି ॥

ବିକଳେ ଚଉଦିଗେ ଚାହିଁ । କାନ୍ଦନ୍ତି କୃଷ୍ଣ ମନେ ଧ୍ୟାୟି ॥

ପୋଏ ଯେ ଥିଲେ କୃଷ୍ଣ ସଙ୍ଗେ । ଖେଳୁଁ ଚାହିଁଲେ ଚାରିଦିଗେ ॥

ବିକଳେ ଖେଦମନେ ଧାଇଁ । ଲୋଡ଼ନ୍ତି ବନେ ବତ୍ସା ଗାଈ ॥

ଗୋରୁଙ୍କ ଖୋଜ ଅନୁସରି । ଡାକନ୍ତି ଗାଈ ନାମଧରି ॥

ଗାଈଙ୍କି ନ ଦେଖି ବିକଳ । ପଛେ ଅଛନ୍ତି ଆଦିମୂଳ ॥ ୧୦

ବତ୍ସା ନ ପାଇ କୁଞ୍ଜବନେ । ପୋଏ କାନ୍ଦନ୍ତି ଦୁଃଖମନେ ॥ ୧୧

ତୃଷିତ ହୋଇ ବାହୁଡ଼ିଲେ । କୃଷ୍ଣର ନିକଟେ ମିଳିଲେ ॥ ୧୨

ପୁଅଙ୍କ ଦୁଃଖ ଦେଖି ହରି । ବୃକ୍ଷେ ଉଠିଲେ ଅନୁସରି ॥ ୧୩

ନୀଳ-ଜୀମୂତ ଦେହ ହରି । ପୀତବସନ ବନମାଳୀ ॥ ୧୪

ମେଘ-ଗମ୍ଭୀର ରସଭରେ । ଗୋରୁଙ୍କୁ ଡାକନ୍ତି ସୁସ୍ୱରେ ॥ ୧୫

ଗୋରୁଏ ନାମ ଶୁଣି କ‰ର୍ଣ୍ଣେ । ହୁଙ୍କାର କଲେ ତୋଷମନେ ॥ ୧୬

ଏମନ୍ତେ ବେଢ଼ିଲା ଅନଳ । ଯେସନେ ପ୍ରଳୟର କାଳ ॥ ୧୭

ପବନ ବହେ ଖରତର । ପ୍ରଚଣ୍ତŠ ତେଜ ମହାଘୋର ॥ ୧୮

ଅନଳ ଦେଖି ଗୋପବାଳେ । କୃଷ୍ଣଙ୍କୁ ଡାକନ୍ତି ବିକଳେ ॥ ୧୯

ହେ ରାମକୃଷ୍ଣ ଆସ ବେଗେ । ଅଗ୍ନି ବେଢ଼ିଲା ଚାରିଦିଗେ ॥ ୨୦

ଆମ୍ଭେ ତୋହର ବନ୍ଧୁବଳ । ତୋହରେ ଶରଣ ଗୋକୁଳ ॥ ୨୧

ମୁନି ବୋଲନ୍ତି ଶୁଣ ରାୟେ । ଗୋକୁଳେ କୃଷ୍ଣ କଲେ ଦୟେ ॥ ୨୨

କୃଷ୍ଣ ବୋଇଲେ ଯେଝାମତେ । ଚକ୍ଷୁ ଲୁଚାଅ ବେନିହସ୍ତେ ॥ ୨୩

ଶୁଣି ଲୋଚନେ କର ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ॥ ୨୪

ଗୋବିନ୍ଦ ଯୋଗମାୟା ବଳେ । ଅଗ୍ନି ଗିଳିଲେ କଣ୍ଠନାଳେ ॥ ୨୫

ଗୋପକୁମରେ ବେଗେ ଧାଇଁ । ମିଳିଲେ ବଟତଳେ ଯାଇ ॥ ୨୬

ଭାŠଣ୍ତୀର ତଳେ ଚକ୍ଷୁ ଫେଇ । ସଭୟେ ଚଉଦିଗେ ଚାହିଁ ॥ ୨୭

ଗୋରୁଏ ମିଳିଲେ ତକ୍ଷଣ । ରଙ୍ଗେ ନାଚନ୍ତି ନାରାୟଣ ॥ ୨୮

କୃଷ୍ଣଙ୍କୁ ଚାହିଁ ଗୋପପୋଏ । ଗୁପତେ ଭାଳନ୍ତି ଥୋକାଏ ॥ ୨୯

କି ଏ କେବଣ ଦେବତାଏ । ଜାତ ହୋଇଛି ନରଦେହେ ॥ ୩୦

ଅନେକ ସଙ୍କଟୁ ତାରିଲେ । ଯଶୋଦା ଭାଗ୍ୟେ ଜାତ କଲେ ॥ ୩୧

ଏମନ୍ତେ ଗୋପାଳଙ୍କ ମନ । ଜାଣିଲେ ପ୍ରଭୁ ଭଗବାନ ॥ ୩୨

ମାୟାରେ ମୋହିଲେ କୁମର । ବିଶ୍ୱ ପ୍ରପଞ୍ଚ ଖେଡ଼ଘର ॥ ୩୩

ଏମନ୍ତେ ରବି-ଅସ୍ତକାଳେ । ଗୋବିନ୍ଦ ଘେନି ଗୋପବାଳେ ॥ ୩୪

ଗୋପେ ହୋଇଲେ ପରବେଶ । ବେଣୁ ଶବଦେ ଗୀତରସ ॥ ୩୫

ଗୋପୀଏ ନ ଦେଖି ଶ୍ରୀପତି । ଘଡ଼ିକ ଯୁଗ ସେ ମଣନ୍ତି ॥ ୩୬

ରାମଗୋବିନ୍ଦ ମୁଖ ଚାହିଁ । ଚିନ୍ତା ଛାଡ଼ିଲେ ତୋଷ ହୋଇ ॥ ୩୭

ଘରେ କହିଲେ ପୁଅମାନେ । ଆମ୍ଭେ ଯେ ଗଲୁ ବୃନ୍ଦାବନେ ॥ ୩୮

ଖେଳ ଖେଳିଲୁ ବେନିବଳ । ରାଜା-ପରଜା ଖେଳ ସାର ॥ ୩୯

ପ୍ରଳମ୍ବ ନାମେଣ ଅସୁର । ଖେଳ ଭିତରେ ଥିଲା ବୀର ॥ ୪୦

ରାମକୁ ବହି ନେଉଥିଲା । ଜାଣି ସେ ମୁଥ ପ୍ରହାରିଲା ॥ ୪୧

ମୁଣ୍ତŠ ହୋଇଲା ଶତେ ଚୁର । ଗର୍ଜିଣ ପଡ଼ିଲା ଅସୁର ॥ ୪୨

ଗୋବରଧନ ଗିରି ଲାଗେ । ପଡ଼ିଣ ଅଛି ମହୀଭାଗେ ॥ ୪୩

ତହୁଁଣ କୁଞ୍ଜ ବନେ ଗଲୁ । ଗାଈବାଛୁରୀ ନ ପାଇଲୁ ॥ ୪୪

ଲୋଡ଼ିଲୁ ଗହନ ବନରେ । ଅଗ୍ନି ବେଢ଼ିଲା ଧାତିକାରେ ॥ ୪୫

ବନେ ଅନଳ ତେଜ ଦିଶି । ଡାକିଲୁ ରଖ ବ୍ରହ୍ମରାଶି ॥ ୪୬

ପ୍ରତ୍ୟକ୍ଷେ ଅନଳ ଦେଖିଲୁ । ଆରତେ କୃଷ୍ଣ ସୁମରିଲୁ ॥ ୪୭

କୃଷ୍ଣ ବୋଇଲେ ଆଖି ବୁଜ । ଅନଳ ଲିଭାଇବୁଁ ଆଜ ॥ ୪୮

ତାହାର ବୋଲେ ଆଖିମାନ । ହସ୍ତରେ ବୁଜିଲୁ ବହନ ॥ ୪୯

ଦଣ୍ତŠକେ ଫେଡ଼ିଣ ଚାହିଁଲୁ । ତେଡ଼େ ଅନଳ ନ ଦେଖିଲୁ ॥ ୫୦

କେବଣ ମନ୍ତ୍ର କୃଷ୍ଣ କଲା । ତେଡ଼େ ଅନଳ ଲିଭାଇଲା ॥ ୫୧

ପୁଅଙ୍କ କଥାମାନ ଶୁଣି । ବିଷାଦ ବରଜତରୁଣୀ ॥ ୫୨

ଗୋପାଳେ ହରଷ ବିସ୍ମୟେ । ତ୍ରାସ ଲାଗିଲା ସର୍ବଦେହେ ॥ ୫୩

ଯୋଗମାୟାରେ ମୋହ ହୋଇ । କ୍ଷଣକେ ପାସୋରିଲେ ତାହିଁ ॥ ୫୪

ପୁତ୍ରଙ୍କ ସ୍ନେହଭାବ ଘେନି । ଭଜନ୍ତି ଗୋପର କାମିନୀ ॥ ୫୫

ସୁଜନେ କୃଷ୍ଣପାଦେ ଚିନ୍ତ । ସଂସାରେ ନୁହଁ ଭ୍ରମଚିତ୍ତ ॥ ୫୬

ସମ୍ପଦ ସ୍ୱପ୍ନପ୍ରାୟ ଦେଖ । ଧ୍ୟାନେଣ ଚିନ୍ତ ପଦ୍ମମୁଖ ॥ ୫୭

ବ୍ରାହ୍ମଣ କୁଳେ ଜାତ ହୋଇ । ବିଷ୍ଣୁବାସନା ମୋର ନାହିଁ ॥ ୫୮

ସାଧୁଚରଣେ ଆଶ୍ରେ ମୋର । ଉଧର କୃଷ୍ଣ-ହଳଧର ॥ ୫୯

ହରିଚରଣେ ଦିଅ ମନ । ଯେ ହରି ବିପତ୍ତିନାଶନ ॥ ୬୦

ଆବର ଯେତେ ଦ୍ରବ୍ୟମାନ । ସେ ସର୍ବ ନିଶିର ସ୍ୱପନ ॥ ୬୧

ସଂସାରୁ ତରିବ ଯେମନ୍ତ । ଭଣଇଁ ଦାସ ଜଗନ୍ନାଥ ॥ ୬୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦାବାଗ୍ନିପାନଂ ନାମ ବିଂଶୋଽଧ୍ୟାୟଃ ॥

* * *