ଦଶମ ସ୍କନ୍ଧ
ବିଂଶ ଅଧ୍ୟାୟ
କହନ୍ତି ବ୍ୟାସମୁନି ସୁତ । ଶୁଣ ରାଜନ ପରୀକ୍ଷିତ ॥ ୧
ଖେଳନ୍ତି ରାମ ନରହରି । ଗୋରୁଏ ଗଲେ ବନେଚରି ॥ ୨
ଚରନ୍ତେ ତୃଣ ଲୋଭେ ଗାଈ । ପଶିଲେ ଗିରିକୁଞ୍ଜେ ଯାଇ ॥ ୩
ଅଜା ମହିଷୀ ଗୋରୁ ସଙ୍ଗେ । ପ୍ରବେଶ କୁଞ୍ଜବନ ଲାଗେ ॥ ୪
ଅନଳ ଆବୋରିଲା ଆସି । କୁଞ୍ଜ ଗହନେ ଛନ୍ତି ପଶି ॥ ୫
ବିକଳେ ଚଉଦିଗେ ଚାହିଁ । କାନ୍ଦନ୍ତି କୃଷ୍ଣ ମନେ ଧ୍ୟାୟି ॥ ୬
ପୋଏ ଯେ ଥିଲେ କୃଷ୍ଣ ସଙ୍ଗେ । ଖେଳୁଁ ଚାହିଁଲେ ଚାରିଦିଗେ ॥ ୭
ବିକଳେ ଖେଦମନେ ଧାଇଁ । ଲୋଡ଼ନ୍ତି ବନେ ବତ୍ସା ଗାଈ ॥ ୮
ଗୋରୁଙ୍କ ଖୋଜ ଅନୁସରି । ଡାକନ୍ତି ଗାଈ ନାମଧରି ॥ ୯
ଗାଈଙ୍କି ନ ଦେଖି ବିକଳ । ପଛେ ଅଛନ୍ତି ଆଦିମୂଳ ॥ ୧୦
ବତ୍ସା ନ ପାଇ କୁଞ୍ଜବନେ । ପୋଏ କାନ୍ଦନ୍ତି ଦୁଃଖମନେ ॥ ୧୧
ତୃଷିତ ହୋଇ ବାହୁଡ଼ିଲେ । କୃଷ୍ଣର ନିକଟେ ମିଳିଲେ ॥ ୧୨
ପୁଅଙ୍କ ଦୁଃଖ ଦେଖି ହରି । ବୃକ୍ଷେ ଉଠିଲେ ଅନୁସରି ॥ ୧୩
ନୀଳ-ଜୀମୂତ ଦେହ ହରି । ପୀତବସନ ବନମାଳୀ ॥ ୧୪
ମେଘ-ଗମ୍ଭୀର ରସଭରେ । ଗୋରୁଙ୍କୁ ଡାକନ୍ତି ସୁସ୍ୱରେ ॥ ୧୫
ଗୋରୁଏ ନାମ ଶୁଣି କର୍ଣ୍ଣେ । ହୁଙ୍କାର କଲେ ତୋଷମନେ ॥ ୧୬
ଏମନ୍ତେ ବେଢ଼ିଲା ଅନଳ । ଯେସନେ ପ୍ରଳୟର କାଳ ॥ ୧୭
ପବନ ବହେ ଖରତର । ପ୍ରଚଣ୍ତ ତେଜ ମହାଘୋର ॥ ୧୮
ଅନଳ ଦେଖି ଗୋପବାଳେ । କୃଷ୍ଣଙ୍କୁ ଡାକନ୍ତି ବିକଳେ ॥ ୧୯
ହେ ରାମକୃଷ୍ଣ ଆସ ବେଗେ । ଅଗ୍ନି ବେଢ଼ିଲା ଚାରିଦିଗେ ॥ ୨୦
ଆମ୍ଭେ ତୋହର ବନ୍ଧୁବଳ । ତୋହରେ ଶରଣ ଗୋକୁଳ ॥ ୨୧
ମୁନି ବୋଲନ୍ତି ଶୁଣ ରାୟେ । ଗୋକୁଳେ କୃଷ୍ଣ କଲେ ଦୟେ ॥ ୨୨
କୃଷ୍ଣ ବୋଇଲେ ଯେଝାମତେ । ଚକ୍ଷୁ ଲୁଚାଅ ବେନିହସ୍ତେ ॥ ୨୩
ଶୁଣି ଲୋଚନେ କର ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ॥ ୨୪
ଗୋବିନ୍ଦ ଯୋଗମାୟା ବଳେ । ଅଗ୍ନି ଗିଳିଲେ କଣ୍ଠନାଳେ ॥ ୨୫
ଗୋପକୁମରେ ବେଗେ ଧାଇଁ । ମିଳିଲେ ବଟତଳେ ଯାଇ ॥ ୨୬
ଭାଣ୍ତୀର ତଳେ ଚକ୍ଷୁ ଫେଇ । ସଭୟେ ଚଉଦିଗେ ଚାହିଁ ॥ ୨୭
ଗୋରୁଏ ମିଳିଲେ ତକ୍ଷଣ । ରଙ୍ଗେ ନାଚନ୍ତି ନାରାୟଣ ॥ ୨୮
କୃଷ୍ଣଙ୍କୁ ଚାହିଁ ଗୋପପୋଏ । ଗୁପତେ ଭାଳନ୍ତି ଥୋକାଏ ॥ ୨୯
କି ଏ କେବଣ ଦେବତାଏ । ଜାତ ହୋଇଛି ନରଦେହେ ॥ ୩୦
ଅନେକ ସଙ୍କଟୁ ତାରିଲେ । ଯଶୋଦା ଭାଗ୍ୟେ ଜାତ କଲେ ॥ ୩୧
ଏମନ୍ତେ ଗୋପାଳଙ୍କ ମନ । ଜାଣିଲେ ପ୍ରଭୁ ଭଗବାନ ॥ ୩୨
ମାୟାରେ ମୋହିଲେ କୁମର । ବିଶ୍ୱ ପ୍ରପଞ୍ଚ ଖେଡ଼ଘର ॥ ୩୩
ଏମନ୍ତେ ରବି-ଅସ୍ତକାଳେ । ଗୋବିନ୍ଦ ଘେନି ଗୋପବାଳେ ॥ ୩୪
ଗୋପେ ହୋଇଲେ ପରବେଶ । ବେଣୁ ଶବଦେ ଗୀତରସ ॥ ୩୫
ଗୋପୀଏ ନ ଦେଖି ଶ୍ରୀପତି । ଘଡ଼ିକ ଯୁଗ ସେ ମଣନ୍ତି ॥ ୩୬
ରାମଗୋବିନ୍ଦ ମୁଖ ଚାହିଁ । ଚିନ୍ତା ଛାଡ଼ିଲେ ତୋଷ ହୋଇ ॥ ୩୭
ଘରେ କହିଲେ ପୁଅମାନେ । ଆମ୍ଭେ ଯେ ଗଲୁ ବୃନ୍ଦାବନେ ॥ ୩୮
ଖେଳ ଖେଳିଲୁ ବେନିବଳ । ରାଜା-ପରଜା ଖେଳ ସାର ॥ ୩୯
ପ୍ରଳମ୍ବ ନାମେଣ ଅସୁର । ଖେଳ ଭିତରେ ଥିଲା ବୀର ॥ ୪୦
ରାମକୁ ବହି ନେଉଥିଲା । ଜାଣି ସେ ମୁଥ ପ୍ରହାରିଲା ॥ ୪୧
ମୁଣ୍ତ ହୋଇଲା ଶତେ ଚୁର । ଗର୍ଜିଣ ପଡ଼ିଲା ଅସୁର ॥ ୪୨
ଗୋବରଧନ ଗିରି ଲାଗେ । ପଡ଼ିଣ ଅଛି ମହୀଭାଗେ ॥ ୪୩
ତହୁଁଣ କୁଞ୍ଜ ବନେ ଗଲୁ । ଗାଈବାଛୁରୀ ନ ପାଇଲୁ ॥ ୪୪
ଲୋଡ଼ିଲୁ ଗହନ ବନରେ । ଅଗ୍ନି ବେଢ଼ିଲା ଧାତିକାରେ ॥ ୪୫
ବନେ ଅନଳ ତେଜ ଦିଶି । ଡାକିଲୁ ରଖ ବ୍ରହ୍ମରାଶି ॥ ୪୬
ପ୍ରତ୍ୟକ୍ଷେ ଅନଳ ଦେଖିଲୁ । ଆରତେ କୃଷ୍ଣ ସୁମରିଲୁ ॥ ୪୭
କୃଷ୍ଣ ବୋଇଲେ ଆଖି ବୁଜ । ଅନଳ ଲିଭାଇବୁଁ ଆଜ ॥ ୪୮
ତାହାର ବୋଲେ ଆଖିମାନ । ହସ୍ତରେ ବୁଜିଲୁ ବହନ ॥ ୪୯
ଦଣ୍ତକେ ଫେଡ଼ିଣ ଚାହିଁଲୁ । ତେଡ଼େ ଅନଳ ନ ଦେଖିଲୁ ॥ ୫୦
କେବଣ ମନ୍ତ୍ର କୃଷ୍ଣ କଲା । ତେଡ଼େ ଅନଳ ଲିଭାଇଲା ॥ ୫୧
ପୁଅଙ୍କ କଥାମାନ ଶୁଣି । ବିଷାଦ ବରଜତରୁଣୀ ॥ ୫୨
ଗୋପାଳେ ହରଷ ବିସ୍ମୟେ । ତ୍ରାସ ଲାଗିଲା ସର୍ବଦେହେ ॥ ୫୩
ଯୋଗମାୟାରେ ମୋହ ହୋଇ । କ୍ଷଣକେ ପାସୋରିଲେ ତାହିଁ ॥ ୫୪
ପୁତ୍ରଙ୍କ ସ୍ନେହଭାବ ଘେନି । ଭଜନ୍ତି ଗୋପର କାମିନୀ ॥ ୫୫
ସୁଜନେ କୃଷ୍ଣପାଦେ ଚିନ୍ତ । ସଂସାରେ ନୁହଁ ଭ୍ରମଚିତ୍ତ ॥ ୫୬
ସମ୍ପଦ ସ୍ୱପ୍ନପ୍ରାୟ ଦେଖ । ଧ୍ୟାନେଣ ଚିନ୍ତ ପଦ୍ମମୁଖ ॥ ୫୭
ବ୍ରାହ୍ମଣ କୁଳେ ଜାତ ହୋଇ । ବିଷ୍ଣୁବାସନା ମୋର ନାହିଁ ॥ ୫୮
ସାଧୁଚରଣେ ଆଶ୍ରେ ମୋର । ଉଧର କୃଷ୍ଣ-ହଳଧର ॥ ୫୯
ହରିଚରଣେ ଦିଅ ମନ । ଯେ ହରି ବିପତ୍ତିନାଶନ ॥ ୬୦
ଆବର ଯେତେ ଦ୍ରବ୍ୟମାନ । ସେ ସର୍ବ ନିଶିର ସ୍ୱପନ ॥ ୬୧
ସଂସାରୁ ତରିବ ଯେମନ୍ତ । ଭଣଇଁ ଦାସ ଜଗନ୍ନାଥ ॥ ୬୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦାବାଗ୍ନିପାନଂ ନାମ ବିଂଶୋଽଧ୍ୟାୟଃ ॥
* * *