ଦଶମ ସ୍କନ୍ଧ

ଉନବିଂଶ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ନରନାଥ । ଅମୃତ କୃଷ୍ଣର ଚରିତ ॥

ଗୋପାଳେ ବୃନ୍ଦାବନେ ଥିଲେ । ସୁସ୍ଥେ ରଜନୀ ପୁହାଇଲେ ॥

ରାମ ଗୋବିନ୍ଦ ଘେନି ସଙ୍ଗେ । ମିଳିଲେ ଗୋପପୁର ଲାଗେ ॥

ଯେଝା ମନ୍ଦିରେ ଗୋପେ ଯାଇ । କହନ୍ତି ବୃଦ୍ଧଙ୍କୁ ବସାଇ ॥

କୃଷ୍ଣର ଯେତେ କର୍ମମାନ । ଶୁଣି ସକଳେ ତୋଷମନ ॥

ମାୟାଗୋପାଳ ରୂପ ହୋଇ । କ୍ରୀଡ଼ା କରନ୍ତି ବେନିଭାଇ ॥

ଏମନ୍ତେ ଶୁଣ ପରୀକ୍ଷିତ । ସ୍ୱଭାବେ ସରିଲା ବସନ୍ତ ॥

ନିଦାଘ କାଳ ଆଗମନେ । ଘର୍ମ ନ ଲାଗେ ବୃନ୍ଦାବନେ ॥

ସର୍ବଦା ବସନ୍ତ ପବନ । ସଧୀରେ ବହେ ଦିନୁ ଦିନ ॥

ବସନ୍ତ ନୋହେ ନା ଦୁର୍ଲ୍ଲଭ । ଯେ ବନେ ଶ୍ରୀରାମ ମାଧବ ॥ ୧୦

ନଦୀ ନିର୍ଝର ଜଳନାଦ । ନିବିଡ଼ ଝିଙ୍କାରି ଶବଦ ॥ ୧୧

ଅତି ଶୀତଳ ବନସ୍ଥଳୀ । ନିର୍ଝର ଜଳକଣା ମିଳି ॥ ୧୨

ନଦୀ ତଡ଼ାଗ ପ୍ରସ୍ରବଣ । ପବନ ଯୋଗେ ସ୍ନିଗ୍ଧବନ ॥ ୧୩

ଜଳେ ଅଛନ୍ତି ପୁଷ୍ପ ଯେତେ । କମଳ କୁମୁଦ ସହିତେ ॥ ୧୪

ତାହାଙ୍କ ରେଣୁ ଘେନି ବଳେ । ପବନ ବହେ କୁତୂହଳେ ॥ ୧୫

ଏଣୁ ସେ ବୃନ୍ଦାବନ ଦେଶେ । ନିଦାଘ ଗ୍ରୀଷମ ନ ପଶେ ॥ ୧୬

ଘନ ଗହନ ବନଭୂମି । ତେଣୁ ନୁହଁନ୍ତି ଜୀବେ ଶ୍ରମୀ ॥ ୧୭

ଅତି ଗଭୀର ନଦୀଜଳେ । ଲହରୀ ଉଠେ ବାୟୁବଳେ ॥ ୧୮

ପଙ୍କ ଦ୍ରବଇ ବେନିତଟେ । ସେ ଜଳେ ଗ୍ରୀଷ୍ମ ତ୍ରାସ କଟେ ॥ ୧୯

ତେଣୁ ଏ ବନଭୂମି ଦେଶ । ନ ଲାଗେ ଆଦିତ୍ୟର ତ୍ରାସ ॥ ୨୦

ଅରୁଣ ତେଜ ନ ଲାଗଇ । ଯହିଁ ବିଜୟ ଭାବଗ୍ରାହୀ ॥ ୨୧

ସ୍ୱଭାବେ କୁସୁମିତ ବନ । ମୃଗ ମୟୂର ପକ୍ଷୀସ୍ୱନ ॥ ୨୨

କୋକିଳ ସାରସ ନିକର । ଭ୍ରମରଧ୍ୱନି ମନୋହର ॥ ୨୩

ଏମନ୍ତେ ପ୍ରଭୁ ବନମାଳୀ । ଗୋପବାଳକ ମଧ୍ୟେ କେଳି ॥ ୨୪

ଆନନ୍ଦେ ଗୀତ ବେଣୁଧ୍ୱନି । ଗାଈ-ଗୋବତ୍ସା ସଙ୍ଗେ ଘେନି ॥ ୨୫

ମିଳିଲେ ବୃନ୍ଦାବନେ ଯାଇ । ରଙ୍ଗେ ନାଚନ୍ତି ବେନିଭାଇ ॥ ୨୬

ସଦାବସନ୍ତ ବୃନ୍ଦାବନେ । ନାନା କୁସୁମ ଫଳମାନେ ॥ ୨୭

ଯହିଁ ଗୋବିନ୍ଦ ବନଚାରୀ । ମିଶେଷ ସଙ୍ଗେ ହଳଧାରୀ ॥ ୨୮

ଶୀତଳ ଛାୟା ବୃକ୍ଷତଳେ । ଭ୍ରମର ପନ୍ତି ଫୁଲଡ଼ାଳେ ॥ ୨୯

ଶୋଭିତ ସରୋବର ଫୁଲ । ସୁଗନ୍ଧ ଶୀତଳ ଅମୂଲ୍ୟ ॥ ୩୦

ଅରୁଣ ତେଜ ନ ଲାଗଇ । ବନର ବହ୍ନି ବନେ ଥାଇ ॥ ୩୧

କୋମଳ ତୃଣ ଯୂଥେ ଯୂଥେ । ଗୋରୁଏ ଚରନ୍ତି ନିଶ୍ଚିନ୍ତେ ॥ ୩୨

ଯମୁନା ଜଳ ବୃକ୍ଷମୂଳେ । ପବନ ବହଇ ଶୀତଳେ ॥ ୩୩

ବନକୁସୁମ ପରିମଳ । ଦେଖି ସାନନ୍ଦ ଆଦିମୂଳ ॥ ୩୪

ବାଳକକ୍ରୀଡ଼ା ସାବଧାନେ । କୃଷ୍ଣ ବିଜୟେ ବୃନ୍ଦାବନେ ॥ ୩୫

ସେ ବନେ ଚରାଇଲେ ଗାଈ । ଗୋପେ ନାଚନ୍ତି ବେଣୁ ବାଇ ॥ ୩୬

ଶିରେ ଗୁଞ୍ଜରା ଜାମୁଡ଼ାଳୀ । ରତ୍ନଭୂଷଣ ଫୁଲମାଳୀ ॥ ୩୭

ପ୍ରବାଳ-ବରହିସ୍ତବକ । ଧାତୁଭୂଷଣ ରଙ୍ଗେରଖ ॥ ୩୮

ବାଳକେ ରାମକୃଷ୍ଣ ମେଳେ । ଯୁଦ୍ଧ କରନ୍ତି ବାହୁବଳେ ॥ ୩୯

ରାମଗୋବିନ୍ଦ ଗୋପସୁତେ । ଖେଳନ୍ତି ନୃତ୍ୟଗୀତ ଯୁତେ ॥ ୪୦

କୃଷ୍ଣର ନୃତ୍ୟ ଗୋପେ ଦେଖି । ମିଳିଲେ ଗୋବତ୍ସା ଉପେକ୍ଷି ॥ ୪୧

କେ ତାଳି ବାଇ ମନୋହରେ । ଗମ୍ଭୀର ଗୀତନାଦ ସ୍ୱରେ ॥ ୪୨

ଶିଙ୍ଗା ମୁରଲୀନାଦ ପୁରି । କେ ସାଧୁ ଧନ୍ୟ ଧନ୍ୟ କରି ॥ ୪୩

ଦେବେଯେ ଥିଲେ ଶୂନ୍ୟପଥେ । ମିଳିଲେ କୃଷ୍ଣର ଅଗ୍ରତେ ॥ ୪୪

ମାୟାବାଳକ ରୂପ ହୋଇ । କୃଷ୍ଣର ଚଉପାଶେ ଥାଇ ॥ ୪୫

ସ୍ତୁତି କରନ୍ତି କୃଷ୍ଣ ରାମେ । ଭାଟେ ଯେସନେ ଗୁଣଗାନେ ॥ ୪୬

ଏକ ଆରକେ ସାଧୁଭଣି । ଶୁଣ ପାଣ୍ତŠବ ଚୂଡ଼ାମଣି ॥ ୪୭

ତାଣ୍ତŠବ ରସେ ସୁଖେ ହରି । ବୃନ୍ଦା ବନରେ କ୍ରୀଡ଼ା କରି ॥ ୪୮

କୃଷ୍ଣର ନୃତ୍ୟ ଦେଖି ପୋଏ । ରାମଙ୍କୁ ବେଢ଼ିଲେ ଥୋକାଏ ॥ ୪୯

ଖେମଟାରସେ ଗୀତ ଗାଇ । କେ ଧାଏଁ ଶିଙ୍ଗାନାଦ ଦେଇ ॥ ୫୦

ତାଳି ମୁରଲୀ ଗାଲତୁର । ନାଚନ୍ତି ବ୍ରହ୍ମାଣ୍ତŠ ଠାକୁର ॥ ୫୧

ନୃତ୍ୟର ଅନ୍ତେ ପରଶଂସି । କେ ତହିଁ କହନ୍ତି ବିଶ୍ୱାସି ॥ ୫୨

ଥୋକେ କରନ୍ତି ନାନା ସ୍ତୁତି । ହରଷେ ପୁଷ୍ପ ପରଷନ୍ତି ॥ ୫୩

କୃଷ୍ଣ ସଙ୍ଗେ ନୃତ୍ୟ କରି । ବୁଲନ୍ତି ବୃନ୍ଦାବନେ ହେରି ॥ ୫୪

କେ ବଳେ ଏକୁ ଆରେ ଧରି । ଡାକନ୍ତି ବାହାନାଦ କରି ॥ ୫୫

କୃଷ୍ଣ ଉଠିଲେ ଉଚ୍ଚବୃକ୍ଷେ । ଫଳ ତୋଳିଲେ ନାନା ଶାଖେ ॥ ୫୬

ପୋଏ ତୋଳିଲେ ଯେଝାମତେ । ଅମର ଲୋକେ ଯୂଥେ ଯୂଥେ ॥ ୫୭

ଏକ ଆରକେ ମରାମରି । କେ ସାକ୍ଷୀ କରନ୍ତି ମୁରାରି ॥ ୫୮

କର ଚରଣ ଧରି ଛନ୍ଦେ । ଯୁଦ୍ଧ କରନ୍ତି ନାନା ବନ୍ଧେ ॥ ୫୯

କେ ପଛେ ଥାଇ ଚକ୍ଷୁ ବୁଜି । ନାମ ଧରନ୍ତି ମନେ ହେଜି ॥ ୬୦

ମୃଗଙ୍କ ପ୍ରାୟ କେହୁ ଧାଇଁ । ପକ୍ଷୀଙ୍କ ପ୍ରାୟ କେ ଉଡ଼ଇ ॥ ୬୧

ଭେକର ପ୍ରାୟ କେ ଡିଅଁନ୍ତି । ଚାଲନ୍ତି ଯେହ୍ନେ ହଂସପନ୍ତି ॥ ୬୨

ବସ୍ତ୍ର ବାନ୍ଧନ୍ତି ବୃକ୍ଷ ଡାଳେ । ଦୋଳି କରନ୍ତି କୁତୁହଳେ ॥ ୬୩

ପର୍ବତ କୁଞ୍ଜ ନଦୀକୂଳେ । ଖେଳନ୍ତି ରାମକୃଷ୍ଣ ମେଳେ ॥ ୬୪

ଗାଈ ଚରାଇ ବେଣୁବାଇ । ବନେ ଖେଳନ୍ତି ବେନି ଭାଇ ॥ ୬୫

ଏମନ୍ତେ କଂସ ଅନୁଚର । ବନେ ମିଳିଲା ନଦୀତୀର ॥ ୬୬

ପ୍ରଳମ୍ବ ନାମେ ମହାବଳୀ । ଲୁଚି ଦେଖଇ କୃଷ୍ଣକେଳି ॥ ୬୭

କ୍ଷଣକେ ସହି ନ ପାରିଲା । ଗୋପାଳ ରୂପେକ ହୋଇଲା ॥ ୬୮

ପ୍ରଳମ୍ବ ବିଚାରଇ ମନେ । କୃଷ୍ଣଙ୍କୁ ମାରିବି କେସନେ ॥ ୬୯

ପୁଅଙ୍କ ମେଳେ ଥିବି ବସି । ମୋର ନିକଟେ ଯେବେ ଆସି ॥ ୭୦

ମୁŠଣ୍ତ ମୋଡ଼ିବି ଧରି କରେ । କହିବି କଂସର ଛାମୁରେ ॥ ୭୧

ଏମନ୍ତ ବିଚାରିଲା ମନେ । ଲତାରେ ଥାଇ ବୃନ୍ଦାବନେ ॥ ୭୨

ମାୟା ଗୋପାଳ ରୂପ ହୋଇ । ମିଳିଲା ଗୋପ ମଧ୍ୟେ ଯାଇ ॥ ୭୩

ତାହା ଜାଣିଲେ ଭାବଗ୍ରାହୀ । କହନ୍ତି ଗୋପାଳଙ୍କୁ ଚାହିଁ ॥ ୭୪

ବାଳକେ ଶୁଣ ମୋ' ଉତ୍ତର । ମୁହିଁ ଜାଣଇଁ ଖେଡ଼ସାର ॥ ୭୫

ରାଜା ପରଜା ଖେଳ ଅଛି । ଆସ ଖେଳିବା ବଳ ଆଞ୍ଚି ॥ ୭୬

ଶୁଣି ସାନନ୍ଦ ମନେ ହସି । ରୁଣ୍ତŠ ହୋଇଲେ ପୋଏ ଆସି ॥ ୭୭

ରାମ ଗୋବିନ୍ଦେ କରି ରାଜା । ସକଳେ ହୋଇଲେ ପରଜା ॥ ୭୮

ଅଧେ ହୋଇଲେ ରାମ ଆଡ଼େ । ଥୋକେ ହୋଇଲେ କୃଷ୍ଣବାଡ଼େ ॥ ୭୯

କୃଷ୍ଣ ବୋଇଲେ ଦୁଇ ଦୁଇ । ବଳ କଷିବା ଯୁଦ୍ଧ ବିହି ॥ ୮୦

ଯୋଡ଼ି ଯୋଡ଼ିଏ ଏକ ସଙ୍ଗେ । ଯୁଦ୍ଧ କରିବା ନାନା ରଙ୍ଗେ ॥ ୮୧

ଖେଳ ପାଞ୍ଚିଲେ ଗୋପପୋଏ । ମାୟା ଭିଆଣ ଦେବରାୟେ ॥ ୮୨

ଜଣ ଜଣକେ ନାମ ଧରି । ଯୁନ୍ଧେ ପେଷିଲେ ନରହରି ॥ ୮୩

ଶ୍ରୀଦାମ ନାମ ଗୋପବାଳେ । ଯୁଝିଲା ଗୋବିନ୍ଦର ତୁଲେ ॥ ୮୪

ପ୍ରଳମ୍ବାସୁର ତୁଲେ ରାମ । କୃଷ୍ଣ ତୁଲେ ଭଦ୍ରସେନ ॥ ୮୫

ଏତେ ଭିଆଇ ଭାବଗ୍ରାହୀ । ବୋଲନ୍ତି ଗୋପାଳଙ୍କୁ ଚାହିଁ ॥ ୮୬

ଯୁଦ୍ଧ କରିବା ପୀଢ଼ କରି । ସଂଗ୍ରାମେ ଯେ ଯାହାକୁ ହାରି ॥ ୮୭

ଭାଣ୍ତୀର ବଟ ତଳେ ନେଇ । ଥୋଇବ କନ୍ଧରେ ବସାଇ ॥ ୮୮

ହେଉ ବୋଇଲେ ଗୋପବାଳେ । ଯୁଝନ୍ତି ଯେ ଯାହାର ବଳେ ॥ ୮୯

ହାରିଲେ ବୃକ୍ଷମୂଳେ ନେଇ । ଛାଡ଼ନ୍ତି କନ୍ଧରେ ବସାଇ ॥ ୯୦

ଏମନ୍ତେ ପ୍ରଭୁ ଦଇତାରି । ଶ୍ରୀଦାମ ତୁଲେ ଯୁଦ୍ଧ କରି ॥ ୯୧

ତାହାକୁ ଯୁଦ୍ଧେ କୃଷ୍ଣ ହାରି । ବଟେ ଛାଡ଼ିଲେ କଦ୍ଧେ କରି ॥ ୯୨

ଏବେ ହୋ ଶୁଣ ରସକଥା । ପ୍ରଳମ୍ବ ଅସୁର ବାରତା ॥ ୯୩

ପ୍ରଳମ୍ବାସୁର ରାମ ସଙ୍ଗେ । ପଡ଼ିଲା ପଞ୍ଚାପଞ୍ଚି ରଙ୍ଗେ ॥ ୯୪

ଯୁଦ୍ଧ କରନ୍ତେ ଗୁରୁତର । ରାମକୁ ହାରିଲା ଅସୁର ॥ ୯୫

ତକ୍ଷଣେ ବସାଇଲା କନ୍ଧେ । ଅସୁର ଭାଳଇ ଆନନ୍ଦେ ॥ ୯୬

ଏହାକୁ ବଟ ଯାଏ ନେଇ । ଘେନିଣ ପଳାଇବି ମୁହିଁ ॥ ୯୭

ମୁଣ୍ତŠ ମୋଡ଼ିବି ବନେ ପଶି । ପୁଣି ମିଳିବ ଏଥେ ଆସି ॥ ୯୮

କୃଷ୍ଣ ପଡ଼ିବ ଯେତେବେଳେ । ଘେନି ଉଡ଼ିବି ଅନ୍ତରାଳେ ॥ ୯୯

କଂସ ଛାମୁରେ ଦେବି ନେଇ । ନିଶ୍ଚିନ୍ତେ ଭୁଞ୍ଜିବ ସେ ମହୀ ॥ ୧୦୦

ଏତେ ବିଚାରି ମହାସୁର । କନ୍ଧେ ବସାଇ ହଳଧର ॥ ୧୦୧

ଭାŠଣ୍ତୀରବଟ ଗଲା ଜିଣି । ତାହା ଜାଣିଲେ ହଳପାଣି ॥ ୧୦୨

କୋଟିଏ ମେରୁ ଯେହ୍ନେ ଭାର । ଚଳି ନପାରିଲା ଅସୁର ॥ ୧୦୩

ତକ୍ଷଣେ ନିଜରୂପ ଧରି । ଅସୁର ଗଗନେ ସଞ୍ଚରି ॥ ୧୦୪

ନୀଳ-ଜୀମୂତ-ଦେହ କାନ୍ତି । ମଣିକଙ୍କଣ ଝଟକନ୍ତି ॥ ୧୦୫

ସ୍ୱାଭାବେ ନାନା ଅଳଙ୍କାର । ତେଜେ ବିରାଜିଲା ଅସୁର ॥ ୧୦୬

କି ଅବା ଦେବା ପଟାନ୍ତର । ଯାହାର କନ୍ଧେ ହଳଧର ॥ ୧୦୭

ବିଜୁଳି ଯେହ୍ନେ କଳାମେଘେ । ଯେସନେ ଶଶାଙ୍କର ଲାଗେ ॥ ୧୦୮

ଗଗନେ ବେଗେ ଯାଉଅଛି । ତା' ଦେଖି ରାମ ମନେ ପାଞ୍ଚି ॥ ୧୦୯

ଭ୍ରୂକୁଟି କୁଟିଳ ପ୍ରପଞ୍ଚ । ବିକଟ ଦନ୍ତ ତୀକ୍ଷ୍‌ଣ ଉଚ୍ଚ ॥ ୧୧୦

ସୁବ‰ର୍ଣ୍ଣ ତେଜେ ଦେହ ଝଳି । ନୀଳମେଘରେ କି ବିଜୁଳି ॥ ୧୧୧

ତକ୍ଷଣେ ପ୍ରଭୁ ହଳଧର । ଜାଣିଲେ ନିଶ୍ଚୟ ଅସୁର ॥ ୧୧୨

ମୁଷ୍ଟିଏ ପ୍ରହାରିଲେ ମୁଣ୍ତେŠ । ବଜ୍ର ଯେସନେ ଗିରିଖଣ୍ତେŠ ॥ ୧୧୩

ମୁଣ୍ତŠ ହୋଇଲା ଶତେ ଚୂର । ଶବଦ କଲା ମହାଘୋର ॥ ୧୧୪

ରୁଧିର ଉଦ୍‌ଗାରିଲା ମୁଖେ । ପଡ଼ିଲା ଗୋବର୍ଦ୍ଧନ ପାଖେ ॥ ୧୧୫

ଦେଖି ଚକିତ ଗୋପପୋଏ । ସ୍ୱର୍ଗେ ଯେ ଥିଲେ ଦେବତାଏ ॥ ୧୧୬

ସକଳେ ସାଧୁ ସାଧୁ ଭଣି । କୁସୁମ ବରଷିଲେ ଆଣି ॥ ୧୧୭

ରାମଙ୍କୁ ଧରି ଗୋପବାଳେ । କୋଳ କରିଣ ଚୁମ୍ବ ଦେଲେ ॥ ୧୧୮

ଅବନୀ ହୋଇଲା ଆନନ୍ଦ । ବାଳମୂରତି ଆଦିକନ୍ଦ ॥ ୧୧୯

ସେ ରାମଚରଣେ ବିଶ୍ୱାସ । ଶରଣ ଜଗନ୍ନାଥ ଦାସ ॥ ୧୨୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପ୍ରଳମ୍ବବଧୋ ନାମ ଊନବିଂଶୋଽଧ୍ୟାୟଃ ॥

* * *