ଦଶମ ସ୍କନ୍ଧ

ଅଷ୍ଟାଦଶ ଅଧ୍ୟାୟ

ରାଜା ଉବାଚ

ବୋଲନ୍ତି ଅଭିମନ୍ୟୁ ସୁତ । ଭୋ ମୁନି କହ ଭାଗବତ ॥

କେବଣ ହେତୁ କାଳୀସର୍ପ । ଛାଡ଼ିଲା ରମଣକ ଦ୍ୱୀପ ॥

ଗରୁଡ଼େ କରି ଅପରାଧ । ଲୁଚି ଯେ ଥିଲା କାଳୀ ହ୍ରଦ ॥

ହରିଚରଣ-ଚିହ୍ନ ଶିରେ । ଧରିଣ ଗଲା ନିଜ ପୁରେ ॥

ଏ କଥା କହ ମୁନି ମୋତେ । ସଂସାରୁ ତରିବି ଯେମନ୍ତେ ॥

କହନ୍ତି ଶୁକମୁନି ତୋଷେ । ଶ୍ରୀକୃଷ୍ଣ ଚରଣ ବିଶ୍ୱାସେ ॥

ଶୁକ ଉବାଚ

ଶୁଣ ହୋ କାଳୀୟର କଥା । ତୁ ମୋକ୍ଷପଦେ ଶୁଦ୍ଧଚେତା ॥

ବ୍ରହ୍ମା ଯେ ବ୍ରହ୍ମାŠଣ୍ତ ଭିଆଇ । ଯେ ଯାହା ରୂପେ ଠାବ ଦେଇ ॥

କାଳୀୟ ଆଦି ଯେତେ ସର୍ପେ । ଥୋଇଲା ରମଣକଦ୍ୱୀପେ ॥

ନିର୍ଭୟ ହୋଇଥା'ନ୍ତି ତହିଁ । ଗରୁଡ଼େ ବଳିଭୋଜା ଦେଇ ॥ ୧୦

ବନ-ଗହନେ ବୃକ୍ଷମୂଳେ । ଗରୁଡେ ପୂଜନ୍ତି ସକଳେ ॥ ୧୧

ମାସକେ ନାନା ଉପହାର । ପାଳି ପଡ଼ଇ ଯେଝାଘର ॥ ୧୨

ସେ ବଳିଭୋଜା ଦେଇ ତୋଷେ । ପୂଜନ୍ତି ଜୀବନର ଆଶେ ॥ ୧୩

ଏମନ୍ତେ କାଳୀୟର ଘରେ । ପାଳି ପଡ଼ିଲା ଏକବାରେ ॥ ୧୪

ନାଗେ କହିଲେ ତା'ର ଆଗେ । ଗରୁଡ଼ ପୂଜା ତୋ'ର ଭାଗେ ॥ ୧୫

ଶୁଣି କାଳୀୟ ତୋଷଚିତ୍ତେ । ସଞ୍ଚା ସେ କଲା ନାନା ମତେ ॥ ୧୬

ଦଇବେ ନାଗଙ୍କର ରାଜା । ଅନେକ କଲା ବଳିଭୋଜା ॥ ୧୭

ବୃକ୍ଷର ମୂଳେ ନେଇ ଥୋଇ । ଅନେକ ବାଦ୍ୟନାଦ ବାଇ ॥ ୧୮

କାଳୀୟ ବିଚାରଇ ଦେଖି । ଗରୁଡ଼ ବୋଲି କେତେପକ୍ଷୀ ॥ ୧୯

ଏତେକ ଭୋଜା ତା'ଙ୍କୁ ଦେବି । ତେବେ ସେ ନିର୍ଭୟ ହୋଇବି ॥ ୨୦

ଏ ବଡ଼ ଲଜ୍ଜା ମୋତେ ହୋଇ । ବାସୁକି ମୋର ସାନଭାଇ ॥ ୨୧

ଏକ ଫଣାକେ ମହୀଧରି । ମୁଁ କିମ୍ବା ଗରୁଡ଼କୁ ଡ଼ରି ॥ ୨୨

ସହସ୍ର ଫଣା ଅଛି ମୋର । ଗରୁଡ଼ କେତେ ବଳୀୟାର ॥ ୨୩

ଏକା ପିଅର ପୁଅ ଆମ୍ଭେ । ସେ କିମ୍ବା ଏଡ଼େ ବଡ଼ ଦମ୍ଭେ ॥ ୨୪

ଆଜ ଗଞ୍ଜିବି ତାର ବଳ । ନିର୍ଭୟ ହେଉ ନାଗକୁଳ ॥ ୨୫

କେ ଅବା ନ ଜାଣନ୍ତି ମୋତେ । ବ୍ରହ୍ମାŠଣ୍ତ ମଧ୍ୟେ ଛନ୍ତି ଯେତେ ॥ ୨୬

ଏତେ ବିଚାରି ସର୍ପ ମନେ । ସବୁ ଖାଇଲା ଦୁଷ୍ଟପଣେ ॥ ୨୭

ଯେତେକ ନାଗବଳ ଥିଲେ । ତାହାର ଦୁର୍ବୁଦ୍ଧି ଦେଖିଲେ ॥ ୨୮

ଭୟେ ହୋଇଲେ ଥରହର । ଖଗନାଥଙ୍କୁ ବଡ଼ ଡ଼ର ॥ ୨୯

ନାଗଙ୍କୁ ବୋଇଲାକ ରାଇ । ଏଠାରେ ନ ଥିବଟି କେହି ॥ ୩୦

ଯାଅରେ ବୋଲି ଆଜ୍ଞା ଦେଲା । ଆପଣେ ବନସ୍ତେ ରହିଲା ॥ ୩୧

ସହସ୍ରଫଣା ଫୁ ଫୁ କରି । ବଦନୁଁ ଗରଳ ଉଦ୍‌ଗାରି ॥ ୩୨

ଏମନ୍ତେ ରଜନୀ ହୋଇଲା । ଗରୁଡ଼ ପକ୍ଷୀ ବିଜେ କଲା ॥ ୩୩

ଗଗନ ପୂରିଲା ଶବଦେ । କାନନେ ମିଳିଲା ଆନନ୍ଦେ ॥ ୩୪

ବୃକ୍ଷମୂଳକୁ ଦେଲା ଚାହିଁ । ଦେଖିଲା ବଳିଭୋଜା ନାହିଁ ॥ ୩୫

ମନେ ପାଇଲା ଗରୁତାପ । ମିଳିଲା କାଳୀୟ ସମୀପ ॥ ୩୬

କୋପେ ଚାହଁଇ ଖଗନାଥ । ଆବୋରି କାଳୀୟର ପଥ ॥ ୩୭

ଗର୍ଜେ ଗରୁଡ଼ କୋପଭରେ । କାଳୀୟ ମିଳିଲା ଛାମୁରେ ॥ ୩୮

ସହସ୍ରଫଣା ମେଘପ୍ରାୟେ । ଦଂଶିଲା ଗରୁଡ଼ର କାୟେ ॥ ୩୯

ଅର୍ଦ୍ଧଯୋଜନ ଘୁଞ୍ଚିଗଲା । ପୁଣି ହିଁ ଆଗେ ଓଗାଳିଲା ॥ ୪୦

ବିନତାସୁତ ବେଗେ ଧାଇଁ । ଚାପୋଡ଼େ ପ୍ରହାରିଲା ନେଇ ॥ ୪୧

ହରିଙ୍କି ବହଇ ଯେ କନ୍ଧେ । ସେ କି ପଡ଼ଇ ପରମାଦେ ॥ ୪୨

ଗରୁଡ଼ ପକ୍ଷଘାତ ପାଇ । କାଳୀୟ ମୂର୍ଚ୍ଛାଗତ ହୋଇ ॥ ୪୩

ଘଡ଼ିକେ ଚେତନା ପାଇଲା । ପବନୁଁ ବେଗେ ପଳାଇଲା ॥ ୪୪

କାଳନ୍ଦୀହ୍ରଦେ ପଶିଗଲା । ପାତାଳ-ବିବରେ ଲୁଚିଲା ॥ ୪୫

ନିର୍ଭୟେ ନିଶ୍ଚିନ୍ତେ ରହିଲା । ଗରୁଡ଼ ତହିଁ ନ ପଶିଲା ॥ ୪୬

କାଳୀୟ ଜାଣଇ ତଦନ୍ତ । ଗରୁଡ଼ ନ ପଶଇ ଏଥ ॥ ୪୭

ପୂର୍ବେ ସେ ଅଛି ଶାପ ପାଇ । କାଳିନ୍ଦୀ ହ୍ରଦକୁ ନ ଯାଇ ॥ ୪୮

ନିଶ୍ଚିନ୍ତେ ନାଗବଳ ସଙ୍ଗେ । ଜଳେ ରହିଲା ନବରଙ୍ଗେ ॥ ୪୯

ଗରୁଡ଼ ଦେଖି ବାହୁଡ଼ିଲା । ନିଜ ଭୁବନେ ବିଜେ କଲା ॥ ୫୦

ଶୁଣି ସାନନ୍ଦ ମହୀପତି । ମୁନିଙ୍କି ଚାହିଁ ତୋଷମତି ॥ ୫୧

ପରୀକ୍ଷିତ ଉବାଚ

ବୋଲଇ ନିସ୍ତରିଲି ମୁହିଁ । ତୋ'ର ବଚନେ ମନ ଦେଇ ॥ ୫୨

ଭୋ ମୁନି ଅସମ୍ଭବ କଥା । ଗରୁଡ଼ ମହା ବଳବନ୍ତା ॥ ୫୩

ଗୋବିନ୍ଦ ଯାହାର ଠାକୁର । କେ ତା'ର ତୁଲେ ବଳୀୟାର ॥ ୫୪

କାଳିନ୍ଦୀ ଜଳେ ନ ପଶିଲା । ମୋତେ ତ ସନ୍ଦେହ ଲାଗିଲା ॥ ୫୫

ହସି ବୋଲନ୍ତି ବ୍ୟାସସୁତ । ଶୁଣ ହୋ ନୃପତି ତଦନ୍ତ ॥ ୫୬

ଶୁକ ଉବାଚ

ପୂର୍ବେ ସେ ନଦୀତୀରେ ବନେ । ତପ କରନ୍ତି ମୁନିଜନେ ॥ ୫୭

ସୌଭରି ନାମେ ବ୍ରହ୍ମଋଷି । ତପ କରନ୍ତି ତଟେ ବସି ॥ ୫୮

ମୁନି ନିକଟେ ମୀନଗଣେ । କ୍ରୀଡ଼ା କରନ୍ତି ଅନୁକ୍ଷଣେ ॥ ୫୯

ବିଶ୍ୱାସ ଭାବେ ନିତିନିତି । ମୁନିଙ୍କି ନ କରନ୍ତି ଭୀତି ॥ ୬୦

ଦିନେକ ପ୍ରଭାତର କାଳେ । ଆସି ମିଳିଲେ ମ›ତ୍ସ୍ୟବାଳେ ॥ ୬୧

ରୋହିତ ନାମେ ମତ୍ସ୍ୟରାଜ । ଖେଳଇ ଉଦ୍ଭାରିଣ ଲାଞ୍ଜ ॥ ୬୨

ମୀନ ବାଳକେ କ୍ରୀଡ଼ା କରି । ଦେଖନ୍ତି ମୁନି ସଉଭରି ॥ ୬୩

ଏମନ୍ତେ ଗରୁଡ଼ ମିଳିଲା । କାଳିନ୍ଦୀ ଜଳେ ଓହ୍ଲାଇଲା ॥ ୬୪

ଆହାର ଯତ୍ନେ ଖୋଜୁଥିଲା । ଜଳରେ ମୀନକୁ ଦେଖିଲା ॥ ୬୫

ନିଶ୍ଚଳେ ମୀନ ଚରୁଥିଲା । ଜଳ ହାନ୍ଦୋଳ କରିଦେଲା ॥ ୬୬

ନିଶ୍ଚିନ୍ତେ ବିହରଇ ମତ୍ସ୍ୟ । ମୁନି ତା' ଦେଖନ୍ତି ପ୍ରତ୍ୟକ୍ଷ ॥ ୬୭

ମୁନି ବୋଲନ୍ତି ରହ ରହ । ଏମାନେ ମୋର ନିଜ ଦେହ ॥ ୬୮

ଏହାକୁ ନ କର ଆହାର । ଏ ତୋ'ର କେବଣ ବେଭାର ॥ ୬୯

ଗରୁଡ଼ ନ ଶୁଣିଲା କର୍ଣ୍ଣେ । ରୋହିତେ ଗିଳିଲା ବହନେ ॥ ୭୦

ଦେଖି ଚକିତ ମୁନିବର । କୋପେ କମ୍ପିଲେ ଗୁରୁତର ॥ ୭୧

ବୋଲନ୍ତି ହରିଙ୍କି ଏ ବହି । ଏହାକୁ କୋପ ନ ଯୋଗାଇ ॥ ୭୨

ମୁହିଁ ଏହାକୁ କଲେ ନାଶ । କୋପ କରିବେ ପୀତବାସ ॥ ୭୩

ଏମନ୍ତେ ଚିତ୍ତ ସ୍ଥିର କରି । କୋପେ ବୋଲନ୍ତି ସଉଭରି ॥ ୭୪

ରେ ରେ ଗରୁଡ଼ ଏଡ଼େ ଗର୍ବ । ମୋତେ ଦେଖାଇଲୁ ସ୍ୱଭାବ ॥ ୭୫

ମୋହର ମନେ ଦେଲୁ ତାପ । ଉଚିତେ ଘେନ ମୋର ଶାପ ॥ ୭୬

କାଳିନ୍ଦୀ ହ୍ରଦେ ନ ପଶିବୁ । ଜୀବନେ ଯେତେ କାଳ ଥିବୁ ॥ ୭୭

ଯେବେ ପଶିବୁ ଦୁଷ୍ଟପଣେ । ଭସ୍ମ ହୋଇବୁ ତତ୍‌କ୍ଷଣେ ॥ ୭୮

ଶୁଣି ଗରୁଡ଼ ପଳାଇଲା । କାଳିନ୍ଦୀହ୍ରଦେ ନ ପଶିଲା ॥ ୭୯

ତାହା କାଳୀୟ ଜାଣିଥିଲା । ପଳାଇ ତହିଁ ସେ ଲୁଚିଲା ॥ ୮୦

ଲୁଚିଲାଠାରୁ ନେଇ ପୁଣି । ଏମନ୍ତ କଲେ ଚକ୍ରପାଣି ॥ ୮୧

ଶୁଣ ପରୀକ୍ଷ ଦŠଣ୍ତଧାରୀ । କୂଳେ ବିଜୟ ନରହରି ॥ ୮୨

କାଳୀୟ ସ୍ୱକୁଟୁମ୍ବ ଘେନି । ପୂଜି ଯେ ଗଲା ପାଦବେନି ॥ ୮୩

କୃଷ୍ଣର ଦେଖିଣ ବଦନ । ଆନନ୍ଦ ଯଶୋଦାର ମନ ॥ ୮୪

ଗୋପୀ ଗୋପାଳେ ବେଗେଧାଇଁ । କୋଳ କରନ୍ତି ଚୁମ୍ବ ଦେଇ ॥ ୮୫

କୃଷ୍ଣଙ୍କୁ ପାଇଣ ସମସ୍ତେ । ଚିନ୍ତା ଛାଡ଼ିଲେ ହୃଦଗତେ ॥ ୮୬

କୃଷ୍ଣଙ୍କୁ ଦେଖି ହଳଧର । କୋଳ କରନ୍ତି ସ୍ନେହଭର ॥ ୮୭

ଗାଈ ଗୋବତ୍ସା ଦେଖି ତୋଷେ । ରହିଲେ ମନର ହରଷେ ॥ ୮୮

ଆସି ମିଳିଲେ ବିପ୍ରଜନ । ନନ୍ଦକୁ ବୋଲନ୍ତି ବଚନ ॥ ୮୯

ବୋଲନ୍ତି ଭାଗ୍ୟବନ୍ତ ତୁହିଁ । ଏମନ୍ତ ଦେଖିଲା ତ ନାହିଁ ॥ ୯୦

ଏତେ ଆପଦୁଁ ପୁତ୍ର ତରି । ନିଶ୍ଚୟେ ରଖିଲେ ମୁରାରି ॥ ୯୧

ପୂର୍ବେ ସୁକୃତ ଯା'ର ଥାଇ । ସକଳ ଦୁସ୍ତରୁ ତରଇ ॥ ୯୨

କାଳୀୟ ବିଷଜ୍ୱାଳାବାଏ । ପକ୍ଷୀଏ ନ ଉଡ଼ନ୍ତି ଭୟେ ॥ ୯୩

ଏଡ଼େ ଗରଳ କଲା ନାଶ । ପ୍ରତ୍ୟେକ୍ଷ ବିଷ୍ଣୁ ତୋ'ର ଶିଷ ॥ ୯୪

କଲ୍ୟାଣ ହେଉ ତୋ' କୁମରେ । ବୋଲି ଚଳିଲେ ବିପ୍ରବରେ ॥ ୯୫

ଏମନ୍ତେ ହୋଇଲା ରଜନୀ । ଗୋପାଳେ ରାମକୃଷ୍ଣ ଘେନି ॥ ୯୬

ଗୋପକୁ ଯାଇ ନ ପାରିଲେ । ରଜନୀ ବଞ୍ଚିବା ବୋଇଲେ ॥ ୯୭

କ୍ଷୁଧା-ପିପାସା-ଦୁଃଖ ଭରେ । ଶୋଇଲେ କାଳିନ୍ଦୀର ତୀରେ ॥ ୯୮

ଏମନ୍ତ ଶୁଣ ମହୀପତି । ଅଗ୍ନି ବେଢ଼ିଲା ଚଉକତି ॥ ୯୯

ଦଇବେ ନିଦାଘର କାଳ । ପବନ ବହଇ ପ୍ରବଳ ॥ ୧୦୦

ପ୍ରଳୟାନଳ ପ୍ରାୟ ହୋଇ । ବେଢ଼ିଲା ଗୋପାଳଙ୍କୁ ଯାଇ ॥ ୧୦୧

ନିଦ୍ରାରେ ନ ଜାଣନ୍ତି କେହି । ରଜନୀ ଅର୍ଦ୍ଧ ଅଛି ହୋଇ ॥ ୧୦୨

ପ୍ରତ୍ୟେକ୍ଷେ ଗୋପାଳେ ଦେଖିଲେ । ବେଗେ ଶୟନ ଉପେକ୍ଷିଲେ ॥ ୧୦୩

ଅଗ୍ନି ଜଳଇ ପରଖର । ପବନ ଯୋଗେ ବଳୀୟାର ॥ ୧୦୪

ଦେଖି ଗୋପାଳେ ଖରତରେ । ପଶିଲେ କାଳନ୍ଦୀ ଭିତରେ ॥ ୧୦୫

ଡାକନ୍ତି ରଖ ନାରାୟଣ । ଗୋକୁଳେ ତୋହର ଶରଣ ॥ ୧୦୬

ଆମ୍ଭଙ୍କୁ ସଂକଟୁ ତାରିଲୁ । ତୁ ନାଥ ପରମ ଦୟାଳୁ ॥ ୧୦୭

ଏବେ ଆପଦୁଁ ରଖ ତୁହି । ଅନାଥ ହୋଇଲୁ ଗୋସାଇଁ ॥ ୧୦୮

ଗାଈ ଗୋପାଳ ଗୋପ ଆଦି । ଅନଳ ଆଣିଲା ନିରୋଧି ॥ ୧୦୯

ଗୋକୁଳ କଷ୍ଟ ଦେଖି ହରି । ଅନନ୍ତମାୟା ଯୋଗକରି ॥ ୧୧୦

ଦାସବତ୍ସ›ଳ ଗୋପୀନାଥ । ଅନଳ କଲେ ଗର୍ଭଗତ ॥ ୧୧୧

ମାୟାରେ ମେଘମାନେ ଆସି । ବୃଷ୍ଟି କରନ୍ତି ବନେ ପଶି ॥ ୧୧୨

ତକ୍ଷଣେ ଅନଳ ଲିଭିଲା । ରବି କିରଣ ପ୍ରକାଶିଲା ॥ ୧୧୩

ଶୁଭେ ପାହିଲା ଘୋର ନିଶି । ନିର୍ମଳ ଦଶ ଦିଗ ଦିଶି ॥ ୧୧୪

ଯେ ହରି ମହିମା ଅନନ୍ତ । ଅନନ୍ତ ଶକ୍ତି ଗୁଣେ ଯୁତ ॥ ୧୧୫

ଗୋପୀ-ଗୋପାଳେ ରକ୍ଷା କରି । ଗୋପେ ମିଳିଲେ ନରହରି ॥ ୧୧୬

ସେ ହରି ଚରଣାରବିନ୍ଦେ । ମୋ ମନ-ଭ୍ରମର ଆନନ୍ଦେ ॥ ୧୧୭

ନିଶ୍ଚିନ୍ତେ ମକରନ୍ଦ ରସ । ସେବଇ ଜଗନ୍ନାଥ ଦାସ ॥ ୧୧୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦାବାଗ୍ନି ମୋଚନଂ ନାମ ଅଷ୍ଟାଦଶୋଽଧ୍ୟାୟଃ ॥

* * *