ଦଶମ ସ୍କନ୍ଧ

ସପ୍ତଦଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ କୃଷ୍ଣ କଥା । ଯେଣେ ଖŠଣ୍ତିବ ଭବବ୍ୟଥା ॥

ରଜନୀ ହୋଇଲା ପ୍ରଭାତ । ବନେ ଚଳିଲେ ଗୋପୀନାଥ ॥

ଗୋପ-ଗୋବ›ତ୍ସା ସଙ୍ଗେ ଘେନି । ସୁସ୍ୱରେ କଲେ ବେଣୁ ଧ୍ୱନି ॥

ଗୋପାଳେ ବନୁ ପୁଷ୍ପ ତୋଳି । କାଳିନ୍ଦୀ ହ୍ରଦ ତଟେ ମିଳି ॥

ତୀରେ କଦମ୍ବ ତରୁ ବନ । ଦେଖି ବାଳକେ ତୋଷମନ ॥

ବୃକ୍ଷେ ଉଠିଲେ ଧାତିକାରେ । ଗାଈ ଚରାନ୍ତି ନଦୀତୀରେ ॥

ଗୋବିନ୍ଦ ବୃକ୍ଷତଳେ ରହି । ବିଚାର କଲେ ଭାବଗ୍ରାହୀ ॥

ଗଭୀର ନିର୍ମଳ ଶୀତଳ । ବିଷେ ଦୂଷିତ ପୁଣ୍ୟଜଳ ॥

ଏ ଜଳେ କାଳୀୟ ନ ଥିବ । ଜଳ ପିଇବେ ସର୍ବଜୀବ ॥

ଏମନ୍ତ ମନେ ବିଚାରିଲେ । କଦମ୍ବ ବୃକ୍ଷରେ ଉଠିଲେ ॥ ୧୦

ଉଚ୍ଚ ଶିଖର ଡାଳେ ରହି । ହଲାନ୍ତି ଜଳକୁ ଅନାଇଁ ॥ ୧୧

ଶୁଣି ପରୀକ୍ଷ ମନତୋଷେ । ମୁନିଙ୍କି ବୋଲନ୍ତି ହରଷେ ॥ ୧୨

ପରୀକ୍ଷିତ ଉବାଚ

ଭୋ ମୁନି କାଳିନ୍ଦୀ ହ୍ରଦର । କାଳୀୟ କରିଥିଲା ଘର ॥ ୧୩

ଗୋବିନ୍ଦେ କି କଲାକ ଦୋଷ । କିମ୍ପା ତା' ଗର୍ବ କଲେ ନାଶ ॥ ୧୪

ଅଗାଧ ଜଳୁଁ ହୃଷୀକେଶ । ସର୍ପକୁ ଦେଲେ ପରବାସ ॥ ୧୫

ଅନେକ ଦିନୁଁ ଥିଲା ଜଳେ । କି ଦୋଷ କଲା ପାଦତଳେ ॥ ୧୬

କିମ୍ପା ନିର୍ବାସିଲେ ମୁରାରି । କହିବା ଶୁକ ବ୍ରହ୍ମଚାରୀ ॥ ୧୭

ହରିର ମହିମା ଅଶେଷ । ସଂସାର ହିତେ ପରକାଶ ॥ ୧୮

ମାୟା ମନୁଷ୍ୟ ଅବତାର । ଗୁପତେ ଛନ୍ତି ନନ୍ଦଘର ॥ ୧୯

ତା'ର ଚରିତ ଯେବା ଶୁଣି । ଅମୃତ ରସମୟ ବାଣୀ ॥ ୨୦

ସାଧବଜନଙ୍କର ମତେ । କେ ଛାଡ଼ି ପାରିବ ତା' ଚିତ୍ତେ ॥ ୨୧

କହ ତାହାଙ୍କ ବାଳକେଳି । ବୋଲେ ପରୀକ୍ଷ ଦଣ୍ତŠଧାରୀ ॥ ୨୨

କାଳୀୟ ଦର୍ପ ଚୂରି କେହ୍ନେ । ଏ କଥା ଶୁଣିବି ମୁଁ କ‰ର୍ଣ୍ଣେ ॥ ୨୩

ଶୁକ ଉବାଚ

ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥ ୨୪

ଭାରା ନିବାରେ ନରହରି । ମନୁଷ୍ୟ ଦେହେ ଅବତରି ॥ ୨୫

ଦୁଷ୍ଟ ନିବାରି ସନ୍ଥ ପାଳି । ଦୟା ସାଗର ବନମାଳୀ ॥ ୨୬

କାଳୀୟ ବିଷେ ଜଳ ନାଶ । ଜନ୍ତୁଏ ନ କରନ୍ତି ଗ୍ରାସ ॥ ୨୭

ଗରଳ ଯୋଗେ ଜଳବାୟେ । ପକ୍ଷୀଏ ନ ଉଡ଼ନ୍ତି ଭୟେ ॥ ୨୮

ବିଶେଷେ ଗରଳ ଲହରୀ । ଜଳ ପିଅନ୍ତେ ଜନ୍ତୁ ମରି ॥ ୨୯

ଏମନ୍ତ ଦେଖି ବନମାଳୀ । ବିଚାର କଲେ ମନେ ଭାଳି ॥ ୩୦

ମୋହର ନୋହଇ ସହିଲା । କାଳୀ ଅନୀତି ଆଚରିଲା ॥ ୩୧

ଭାରା ନିବାରେ ମୋର ଜନ୍ମ । ଏମନ୍ତେ ବିଚାରିଣ ମନ ॥ ୩୨

ଦାସବତ୍ସ›ଳ ହୃଷୀକେଶ । ଗାଢ଼େ ପିନ୍ଧିଲେ ପୀତବାସ ॥ ୩୩

ଆନନ୍ଦେ ବାହାସ୍ପୋଟ ମାରି । କଦମ୍ବ ଡାଳେ କରେ ଧରି ॥ ୩୪

ଜଳେ ପଡ଼ିଲେ କୃଷ୍ଣ ଡ଼େଇଁ । ଦେବେ ଦେଖନ୍ତି ସ୍ୱର୍ଗେ ରହି ॥ ୩୫

ଜଳ ଯେ ଉଛୁଳିଲା ବେଗେ । ଶତେକ ଧନୁ ଚାରିଦିଗେ ॥ ୩୬

କୃଷ୍ଣର ବଳ ଅପ୍ରମିତ । ସ୍ୱଭାବେ ମହିମା ଅନନ୍ତ ॥ ୩୭

ଖେଳନ୍ତି ବେନିଭୁଜ ତାଡ଼ି । ଶବଦ ମେଘ ଘଡ଼ଘଡ଼ି ॥ ୩୮

କାଳୀୟ ଶୁଣିଲା ପାତାଳେ । କିସ ଶବଦ ମୋର ଜଳେ ॥ ୩୯

ଦେଖିବ ବୋଲି ବିଜେକଲା । ସହସ୍ରଫଣା ଉଭାରିଲା ॥ ୪୦

ନୟନେ ଦେଖିଲା ମାଧବ । କୋପେ କମ୍ପଇ ଚକ୍ଷୁଶ୍ରବ ॥ ୪୧

ନୀଳଜୀମୂତ ଦେହକାନ୍ତି । ମଣିକଙ୍କଣ ଝଟକନ୍ତି ॥ ୪୨

ଶ୍ରୀବତ୍ସ› ଚିହ୍ନ ପୀତବାସ । ରଙ୍ଗଅଧରେ ମନ୍ଦହାସ ॥ ୪୩

ନିଶ୍ଚିନ୍ତେ ଖେଳନ୍ତି ମୁରାରି । ସର୍ପ ଧାଇଁଲା କୋପ କରି ॥ ୪୪

କୋମଳ-ଚରଣେ ଦଂଶିଲା । ଦେହ ନିବିଡ଼େ ବନ୍ଦୀ କଲା ॥ ୪୫

ଗୋପାଳେ ବୃକ୍ଷଡ଼ାଳେ ଥିଲେ । ଜଳେ କୃଷ୍ଣଙ୍କୁ ଅନାଇଲେ ॥ ୪୬

କାଳୀୟ କରିଛି ବନ୍ଧନ । ୠରଳ ବହଇ ବଦନ ॥ ୪୭

ନାଗରେ ବନ୍ଧନ ଶରୀର । ଦେଖି ବାଳକେ ଥରହର ॥ ୪୮

ମନନୟନ କୃଷ୍ଣ ଦେହେ । ଢ଼ଳି ପଡ଼ିଲେ ଶୋକମୋହେ ॥ ୪୯

କାନ୍ଦନ୍ତି କୃଷ୍ଣଙ୍କୁ ଅନାଇଁ । ବିକଳ କେ ପାରିବ କହି ॥ ୫୦

ହୃଦେ ତାଡ଼ନ୍ତି ବେନି ପାଣି । ମୂର୍ଚ୍ଛିତେ ପଡ଼ିଲେ ଧରଣୀ ॥ ୫୧

ଗୋରୁଏ କୃଷ୍ଣଙ୍କୁ ଅନାଇଁ । କାନ୍ଦନ୍ତି ଚଉଦିଗ ଚାହିଁ ॥ ୫୨

କୃଷ୍ଣର ଦେହେ ଚକ୍ଷୁ ଦେଇ । ଚିତ୍ର-ପ୍ରତିମା ପ୍ରାୟ ରହି ॥ ୫୩

ବତ୍ସାଏ କାନ୍ଦିଣ ବିକଳ । ଆବୋରି କଦମ୍ବର ତଳ ॥ ୫୪

ଗୋକୁଳେ ପଡ଼ିଲା ଅରିଷ୍ଟି । ରୁଧିର ସଙ୍ଗେ ଜଳ ବୃଷ୍ଟି ॥ ୫୫

ଭୂମି କମ୍ପଇ ଥରହର । ଦିବସେ ଘୋର ଅନ୍ଧକାର ॥ ୫୬

ଗଗନେ ଶୁଭେ ଘୋରନାଦ । ତ୍ରିବିଧ ରିଷ୍ଟ ପରମାଦ ॥ ୫୭

ଦେଖି ଗୋପାଳେ ଖରତରେ । ମିଳିଲେ ନନ୍ଦର ମନ୍ଦିରେ ॥ ୫୮

ବୋଲନ୍ତି କାହିଁ ତୋ କୁମର । ରିଷ୍ଟ ପଡ଼ିଲା ଗୋପପୁର ॥ ୫୯

ଶୁଣି ଯଶୋଦା ଥରହର । ରାମର କରେ ଦେଇ କର ॥ ୬୦

ନନ୍ଦ ବୋଇଲା କୃଷ୍ଣ ନାହିଁ । ବନେ ଯେ ଘେନିଗଲା ଗାଈ ॥ ୬୧

ଅନନ୍ତ ଅଛି ମୋର ଘରେ । ରିଷ୍ଟ ପଡ଼ିଲା ଗୋପପୁରେ ॥ ୬୨

ନନ୍ଦ ହୋଇଲା ସ୍ତମ୍ଭୀଭୂତ । କାନ୍ଦଇ ପ୍ରାଣ କଣ୍ଠଗତ ॥ ୬୩

କି ବୁଦ୍ଧି କରିବଇଁ ମୁହିଁ । କେମନ୍ତେ କୃଷ୍ଣ ଦେଖିବଇଁ ॥ ୬୪

ଯଶୋଦା ଶୁଣି ମୋହମାନ । ଧରଣୀ ପଡ଼ି ଅଚେତନ ॥ ୬୫

ଶୁଣି କାନ୍ଦନ୍ତି ଗୋପନାରୀ । ଚହଳ ଚଉଦିଗେ ପୂରି ॥ ୬୬

ଲୋଡ଼ନ୍ତି ଯଶୋଦାର ସୁତ । କ୍ଷଣ କ୍ଷଣକେ ମୋହଗତ ॥ ୬୭

ସକଳେ ରାମ ଘେନି ସଙ୍ଗେ । ଚଳିଲେ ବୃନ୍ଦାବନ ଲାଗେ ॥ ୬୮

ରୋହିଣୀ ସୁତ ମନେ ଗୁଣି । କୃଷ୍ଣ-ପ୍ରଭାବ ପରିମାଣି ॥ ୬୯

ଅଳପ ଅଳପ ହସିଲେ । ବଚନେ କିଛି ନକହିଲେ ॥ ୭୦

କୃଷ୍ଣ-ଚରଣଚିହ୍ନ ଚାହିଁ । ଚଳନ୍ତି ଅଙ୍ଗୁଳି ଦେଖାଇ ॥ ୭୧

କମଳ ଜବାଂକୁଶ ଚିହ୍ନ । ଗାଈଙ୍କ ପାଦ ଖୋଜମାନ ॥ ୭୨

କାଳିନ୍ଦୀ ନିକଟେ ମିଳିଲେ । ଲହରୀ ଗଗନେ ପ୍ରକାଶି ॥ ୭୩

ହ୍ରଦେ ଦେଖିଲେ ଜଳରାଶି । ଲହରୀ ଗଗନେ ପ୍ରକାଶି ॥ ୭୪

ଜଳେ ଦେଖିଲେ ଦାମୋଦର । ନାଗରେ ବନ୍ଧନ ଶରୀର ॥ ୭୫

ବିଷ-ଅନଳେ ଅଚେତନ । ଗରଳ ବହଇ ବଦନ ॥ ୭୬

ଦେଖି ରୋଦନ୍ତି ଉଚ୍ଚସ୍ୱରେ । ଗୋରୁ-ଗୋପାଳ ତୀରେତୀରେ ॥ ୭୭

ଗୋପୀଙ୍କ ଦୃଷ୍ଟି କୃଷ୍ଣ ଦେହେ । କାନ୍ଦନ୍ତି ଅତି ମାୟାମୋହେ ॥ ୭୮

ବିକଳେ ହୋଇଲେ ମୂର୍ଚ୍ଛିତ । ନିର୍ଜୀବ ହୋଇ ଭୂମିଗତ ॥ ୭୯

ପ୍ରଳୟ ମଣିଲେ ଜଗତ । କୃଷ୍ଣର ଦେହେ ସର୍ପାଘାତ ॥ ୮୦

ଯଶୋଦା ଦେଖି ମୋହ ଗଲା । ଗୋପୀଙ୍କ ସାହସ ଉଡ଼ିଲା ॥ ୮୧

କୃଷ୍ଣଙ୍କୁ ଚାହିଁ ଅଚେତନ । ନନ୍ଦର ଦେହେ ନାହିଁ ଜ୍ଞାନ ॥ ୮୨

ବାଳୁତ କାଳୁ ଯେତେ ଗୁଣ । ସୁମରି କାନ୍ଦେ ପୁଣ ପୁଣ ॥ ୮୩

ଆହା ଦଇବ ଏହା କଲୁ । ସୁଖରେ ଭେଳା ବୁଡ଼ାଇଲୁ ॥ ୮୪

ଜଳେ ପଶନ୍ତେ କୃଷ୍ଣମାତ । ଗୋପୀ ଧଇଲେ ପାଦ ହସ୍ତ ॥ ୮୫

ନିଶ୍ଚୟ ଦେଖି ହଳଧର । ଅବୋରି କାଳିନ୍ଦୀର ତୀର ॥ ୮୬

ରାମ ବୋଲନ୍ତି ରହ ରହ । ଦେଖିବା ଶ୍ରୀକୃଷ୍ଣର ଦେହ ॥ ୮୭

ଗୋକୁଳ ମନ ଜାଣି ହରି । କାଳୀୟ ଅଛି ଦେହେ ଜଡ଼ି ॥ ୮୮

କୃଷ୍ଣର ଶରୀର ବଢ଼ିଲା । କାଳୀୟ ଛନ୍ଦି ନ ପାରିଲା ॥ ୮୯

କୃଷ୍ଣର ଦେହଭାଗ ଲାଗି । ସର୍ପର ଗଣ୍ଠି ଛନ୍ଦ ଭାଙ୍ଗି ॥ ୯୦

ତକ୍ଷଣେ କୃଷ୍ଣଙ୍କୁ ଛାଡ଼ିଲା । ସମ୍ଭାଳି ନ ପାରି ବୁଡ଼ିଲା ॥ ୯୧

ଉଠିଲା ଖଣ୍ତେŠ ଦୂରେ ଯାଇ । ଗର୍ଜିଲା କୃଷ୍ଣଙ୍କୁ ଅନାଇ ॥ ୯୨

ଫଣା ସହସ୍ରେ ଉଭାରିଲା । ଗରଳ ଅଗ୍ନି ଉଦ୍‌ଗାରିଲା ॥ ୯୩

ଜିହ୍ୱା ବୁଲାଇ ଅନ୍ତରାଳେ । ନାଗ କୋଟିଏ ଛନ୍ତି ମେଳେ ॥ ୯୪

ନାଗେ କରନ୍ତି ଫୁ ଫୁ କାର । ବିଷେ ପିଙ୍ଗଳ ଦୃଷ୍ଟି ତା'ର ॥ ୯୫

କୋପେ କୃଷ୍ଣଙ୍କୁ ଗୋଡ଼ାଇଲା । ଶବଦେ ବ୍ରହ୍ମାŠଣ୍ତ କମ୍ପିଲା ॥ ୯୬

ମାୟା ମନୁଷ୍ୟ ଅବତାର । ତୀରେ ଦେଖନ୍ତି ସୁର ନର ॥ ୯୭

ସର୍ପଙ୍କୁ ଚାହିଁ ନରହରି । ବୁଡ଼ିଲେ ସର୍ପେ ମାୟାକରି ॥ ୯୮

କାଳୀୟ ଖୋଜିଲା ଅନେକ । ଗଭୀର ଜଳ ଦୀର୍ଘପାଖ ॥ ୯୯

ଲୋଡ଼ି ନ ପାଇ ଦାମୋଦର । ପୁଣି ତୋଳିଲା ନିଜ ଶିର ॥ ୧୦୦

କୃଷ୍ଣଙ୍କୁ ଦେଖିଲା ନିକଟେ । ଗୋପୀ-ଗୋପାଳେ ଜଳତଟେ ॥ ୧୦୧

ଦେଖି ପଳାନ୍ତି ଚକ୍ରଧର । ଘୂରିଲେ ମଣ୍ତŠଳ ଆକାର ॥ ୧୦୨

ସର୍ପ ଗୋଡ଼ାଇ ନ ପାରିଲା । ଫୁଟିଣ ଗରଳ ଛାଡ଼ିଲା ॥ ୧୦୩

କୃଷ୍ଣଙ୍କୁ ଆଗ ପଛେ ଚାହିଁ । ଗର୍ଜଇ ରସନା ବୁଲାଇ ॥ ୧୦୪

ଦଂଶଇ ପୁନଃ ପୁନଃ ପାୟେ । ଗରଳ ଛାଡ଼େ କୃଷ୍ଣ ଦେହେ ॥ ୧୦୫

ଗୋବିନ୍ଦ କୋପେ ଗୁରୁତର । ଉଠିଲେ କାଳୀୟର ଶିର ॥ ୧୦୬

ସର୍ପର ଶିରେ ମଣି ଥିଲା । ଶ୍ରୀକୃଷ୍ଣ ଚରଣେ ଲାଗିଲା ॥ ୧୦୭

ମଣିର ତେଜ ରଙ୍ଗବ‰ର୍ଣ୍ଣ । ସୁନ୍ଦର ଶ୍ରୀକୃଷ୍ଣ ଚରଣ ॥ ୧୦୮

ତ୍ରିଭଙ୍ଗୀ ଛନ୍ଦେ ଉଭା ହୋଇ । ନାଚନ୍ତି ଗୋପାଳଙ୍କୁ ଚାହିଁ ॥ ୧୦୯

ଶ୍ରୀକୃଷ୍ଣ ନୃତ୍ୟ ଦେବେ ଚାହିଁ । ମିଳିଲେ ବୃନ୍ଦାବନେ ଯାଇ ॥ ୧୧୦

ତାŠଣ୍ତବ ରସେ ଗୀତ ଗାଇ । ଗନ୍ଧର୍ବେ ବେଣୁ ବୀଣା ବାଇ ॥ ୧୧୧

ମୃଦଙ୍ଗ ତାଳ ବାଦ୍ୟ କରି । ରଙ୍ଗେ ନାଚନ୍ତି ଅପସରୀ ॥ ୧୧୨

କୁସୁମ ବରଷିଲେ ଆଣି । ଯେ ଯାହା ମତେ ସ୍ତୁତି ଭଣି ॥ ୧୧୩

ଶୁଣି ସାନନ୍ଦ ବନମାଳୀ । ନୃତ୍ୟ କରନ୍ତି ପାଦଚାଳି ॥ ୧୧୪

କାଳୀୟ ପ୍ରାଣ କଣ୍ଠାଗ୍ରତ । ସହସ୍ରେ ଫଣା ମୂରୁଛିତ ॥ ୧୧୫

ଯେବଣ ଫଣା ଉଚ୍ଚେ ଥାଇ । ତହିଁ ଉଠନ୍ତି କୃଷ୍ଣ ଡ଼େଇଁ ॥ ୧୧୬

ରୋଷେ ନାଚନ୍ତି ପାଦ ଚାଳି । ରୁଧିର ସର୍ପ ମୁଖୁ ଗଳି ॥ ୧୧୭

କାଳୀୟ ମନେ ବିଚାରିଲା । ନିଶ୍ଚୟେ ମରଣ ହୋଇଲା ॥ ୧୧୮

ହରିରେ ପଶିବି ଶରଣ । ଡ଼ାକିଲା ରଖ ନାରାୟଣ ॥ ୧୧୯

କାଳୀୟ ଶିରେ କୃଷ୍ଣ ଥାଇ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥ ୧୨୦

ଦାସବ›ତ୍ସଳ ପୀତବାସ । ତକ୍ଷଣେ ହୋଇଲେ ଉଶ୍ୱାସ ॥ ୧୨୧

କାଳୀୟ ଜୀବନ ପାଇଲା । ଶ୍ରୀକୃଷ୍ଣ ମୁଖକୁ ଚାହିଁଲା ॥ ୧୨୨

ସଭୟେ ନ ପାରଇ କହି । ତ୍ରାସେ କମ୍ପଇ ତା'ର ଦେହି ॥ ୧୨୩

ଶତେକ ପତ୍ନୀ ତା'ର ଥିଲେ । ସ୍ୱାମୀର ମରଣ ଜାଣିଲେ ॥ ୧୨୪

ଶ୍ରୀହରି ମହିମା ଜାଣନ୍ତି । ନାମ ଜପନ୍ତି ଦିବାରାତି ॥ ୧୨୫

ସୁତ ଦୁହିତା ଆଗ କରି । କରେ ଘେନିଲେ ଅର୍ଘ୍ୟଥାଳୀ ॥ ୧୨୬

ଗନ୍ଧ ଚନ୍ଦନ ନାନାମଣି । ନିର୍ମଳ ପଦ୍ମମାଳ ଘେନି ॥ ୧୨୭

ଶ୍ରୀକୃଷ୍ଣ ନିକଟେ ମିଳିଲେ । ବାଳକ ତଳେ ଶୁଆଇଲେ ॥ ୧୨୮

ପାଦେ ପଡ଼ିଲେ ସର୍ପବାଳୀ । ଦେଖି ସାନନ୍ଦ ବନମାଳୀ ॥ ୧୨୯

କେଶ ବସନ ଅସମ୍ଭାଳ । ନୟନୁ ଝରେ ଅଶ୍ରୁଜଳ ॥ ୧୩୦

ଉଠି କରନ୍ତି ଜୟେ ଜୟେ । ସ୍ୱର୍ଗେ ଦେଖନ୍ତି ଦେବତାୟେ ॥ ୧୩୧

ବୋଲନ୍ତି ଶରଣ ତୋହର । ତ୍ରାହି କରିବା ଚକ୍ରଧର ॥ ୧୩୨

ଦୋଷୀକୁ ଦŠଣ୍ତିବା ଯୁକତ । ଭାରା ନିବାରେ ତୁହି ଜାତ ॥ ୧୩୩

ତୋହର ଶତ୍ରୁ ମିତ୍ର ନାହିଁ । ତୋ'ର ଭିଆଣ ସର୍ବଦେହୀ ॥ ୧୩୪

ଭକତି କରନ୍ତି ଯେ ତୋତେ । ଯେ ଅବା ଭଜେ ଶତ୍ରୁମତେ ॥ ୧୩୫

ଦୁହିଁଙ୍କୁ ଦେଉ ଏକଗତି । ଦୟାସାଗର ଦାଶରଥି ॥ ୧୩୬

ଆମ୍ଭଙ୍କୁ କଲୁ ଅନୁଗ୍ରହ । ହେଲେ ନାଶିଲୁ ଦମ୍ଭ ମୋହ ॥ ୧୩୭

ସର୍ପ ହୋଇଲା ପାପକାରୀ । ତୋତେ ପାଇଲା ନରହରି ॥ ୧୩୮

ଏହାରେ ତରିଲୁ ସକଳ । ବନ୍ଧୁ ବାନ୍ଧବ ନାଗକୁଳ ॥ ୧୩୯

ପୂର୍ବେ ଏ କେତେ ତପ କଲା । ଅନେକ ଅନ୍ନଦାନ ଦେଲା ॥ ୧୪୦

ଜଳ ଦେଉଳ ନାନାମତେ । ପ୍ରାଣୀଙ୍କି ଦୟା ହୃଦ୍‌ଗତେ ॥ ୧୪୧

ତୋ' ନାମ-କୀର୍ତ୍ତନେ ଆନନ୍ଦ । ତେଣୁ ପାଇଲା ପଦ୍ମ‌ପାଦ ॥ ୧୪୨

କେତେ ବା ଅଛି ତପକରି । ତୋ' ପାଦରଜ ଶିରେ ଧରି ॥ ୧୪୩

ଯାହା ପାଇଲା ବଳି ପୁଣି । ତପ କରଇ କମଳିନୀ ॥ ୧୪୪

ଯାହା ପାଇବେ ବୋଲି ପୁଣି । ତପ କରନ୍ତି ସୁରମୁନି ॥ ୧୪୫

ତୋ ପାଦରଜ ପାଇ ଜନେ । ଅଧିକ ନବାଞ୍ଛ‚ନ୍ତି ମନେ ॥ ୧୪୬

ସ୍ୱର୍ଗ ଭୋଗକୁ ତୁଚ୍ଛ କରି । ବ୍ରହ୍ମ‌ପଦକୁ ନବିଚାରି ॥ ୧୪୭

ଏକାଙ୍ଗରାଜପଣେ ସଧ । ଯୋଗ-ସମାଧି-ଚତୁର୍ବେଦ ॥ ୧୪୮

ଯୋଗସିଦ୍ଧିକୁ ନ ଇଚ୍ଛଇ । ନିର୍ବାଣପଦ ନ ମାଗଇ ॥ ୧୪୯

ଏଣେ ନୁହନ୍ତି ସାବଧାନ । ତୋ' ପାଦେ ଥାଇ ଯାର ମନ ॥ ୧୫୦

ଦୁର୍ଲ୍ଲଭ ଅଟୁ ଦୁଷ୍ଟ ଚିତ୍ତେ । ଏ ତୋତେ ପାଇଲା କେମନ୍ତେ ॥ ୧୫୧

ତମ ଗୁଣରେ ଅଛି ଭେଦି । ବିଶେଷେ ସର୍ପ ଏ ପ୍ରମାଦି ॥ ୧୫୨

ତୋତେ ଏ ନିକଟେ ପାଇଲା । ଯେଣୁ ଏ ପୂର୍ବେ ତପ କଲା ॥ ୧୫୩

ନିର୍ଗୁଣ-ଆତ୍ମା ଗୁଣବନ୍ତ । ନମସ୍ତେ ପ୍ରଭୁ ଜଗନ୍ନାଥ ॥ ୧୫୪

ପଞ୍ଚଭୂତଙ୍କ ଆତ୍ମା ତୁହି । ତୋହର ଆଦିଅନ୍ତ ନାହିଁ ॥ ୧୫୫

ଜ୍ଞାନବିଜ୍ଞାନ-ନିଧି ହେଉ । ତ୍ରିଗୁଣେ ମାୟାରୂପ ବହୁ ॥ ୧୫୬

ସୃଷ୍ଟି ପାଳନ କରୁ ଅନ୍ତ । ତୁ କାଳରୂପୀ ଗୋପୀନାଥ ॥ ୧୫୭

ଅନନ୍ତ ରୂପ ସୂକ୍ଷ୍ମମୟ । ତ୍ରିଗୁଣ-ଭେଦେ ବହୁ ଦେହ ॥ ୧୫୮

ନିଗମମତେ ମାୟାକରି । ଜଗତେ ହେଉ ରୂପଧାରୀ ॥ ୧୫୯

ତୋହର ଦେହେ ତିନିଲୋକେ । କର୍ମ ଭୁଞ୍ଜନ୍ତି ଦୁଃଖସୁଖେ ॥ ୧୬୦

ଯେ ତୋତେ ସାଧୁପଣେ ଭଜେ । ସେ ତୋ'ର ଦେଲାଫଳ ଭୁଞ୍ଜେ ॥ ୧୬୧

ତୋତେ ଯେ ନ ଜାଣଇ ଚିତ୍ତେ । ସେ ପ୍ରାଣୀ ତରିବେ କେମନ୍ତେ ॥ ୧୬୨

ଆମ୍ଭର ସ୍ୱାମୀ ଏକବେଳେ । ଦ୍ରୋହ ଯେ କଲା ପାଦତଳେ ॥ ୧୬୩

ଏ ଦୋଷ ସହିବା ମୁରାରି । ଆମେ ତୋହର ପରିବାରୀ ॥ ୧୬୪

ପ୍ରାଣ ଛାଡ଼ିବ ଏହିକ୍ଷଣି । ତୁ କି ନ ଜାଣୁ ଚକ୍ରପାଣି ॥ ୧୬୫

ଆମ୍ଭଙ୍କୁ ଦିଅ ସ୍ୱାମୀ ଦାନ । ତୋରେ ଶରଣ ଭଗବାନ ॥ ୧୬୬

ଏବେ କରିବୁ କିସ କହ । ବିଚାର କରି ଆଜ୍ଞା ଦିଅ ॥ ୧୬୭

ପରୀକ୍ଷେ ଶୁକ ମୁନି କହେ । ଶୁଣି ହରଷ ଦେବରାୟେ ॥ ୧୬୮

ନାଗକାମିନୀ ସ୍ତୁତି ଶୁଣି । ଦୟାସାଗର କମ୍ବୁପାଣି ॥ ୧୬୯

ପାଦ ପ୍ରହାର ଛାଡ଼ି କରି । ଉଶ୍ୱାସ ହୋଇଲେ ମୁରାରି ॥ ୧୭୦

କାଳୀୟ ଜୀବନ ପାଇଲା । ଶ୍ରୀକୃଷ୍ଣ ମୁଖକୁ ଚାହିଁଲା ॥ ୧୭୧

ସଭୟେ ଶୋକ ଗଦଗଦେ । ପୁଣି ପଡ଼ଇ କୃଷ୍ଣପାଦେ ॥ ୧୭୨

କାଳୀୟ ଉବାଚ

ବୋଲଇ ଶୁଣ ନାରାୟଣ । ଜଗତ ତୋହର ଭିଆଣ ॥ ୧୭୩

ସର୍ପରେ ଜାତ କଲୁ ମୋତେ । ସ୍ୱଭାବ ଛାଡ଼ିବି କେମନ୍ତେ ॥ ୧୭୪

ତାମସଗୁଣେ ଜାତ କରି । ଗରଳେ କଲୁ ଅଧିକାରୀ ॥ ୧୭୫

ତେଣୁ ମୁଁ କ୍ରୋଧେ ବଶ ହୋଇ । ସ୍ୱଭାବ ଛାଡ଼ି ନ ପାରଇ ॥ ୧୭୬

ତୋହର ମାୟା ଜାଣୁ ତୁହି । ଭୋନାଥ ରଖ ଭାବଗ୍ରାହୀ ॥ ୧୭୭

ତାମସଗୁଣେ ହୋଇ ବଦ୍ଧ । ତୋତେ ମୁଁ କଲି ଅପରାଧ ॥ ୧୭୮

ଏଣୁ ନିଷ୍ଠୁର ମୋ' ସ୍ୱଭାବ । ବିଚାରି ଦŠଣ୍ତ ପଦ୍ମନାଭ ॥ ୧୭୯

ଯେ ତୋର ଇଚ୍ଛା ମୋତେ କର । ତୋରେ ଶରଣ ଚକ୍ରଧର ॥ ୧୮୦

ସର୍ପ ବିକଳ କ‰ର୍ଣ୍ଣେ ଶୁଣି । ଦୟାସାଗର ବେଣୁପାଣି ॥ ୧୮୧

ବୋଲନ୍ତି ସର୍ପମୁଖ ଚାହିଁ । କାଳିନ୍ଦୀ ହ୍ରଦେ ନ ଥା' ତୁହି ॥ ୧୮୨

ବନ୍ଧୁବାନ୍ଧବ ଘେନି ସଙ୍ଗେ । ସମୁଦ୍ରେ ପଶ ଯାଇ ବେଗେ ॥ ୧୮୩

ଜଳଧି ଦ୍ୱୀପ ମଧ୍ୟଗତେ । ଗରୁଡ଼ ଭୟ ନାହିଁ ତୋତେ ॥ ୧୮୪

ମୋହର ପାଦ ତୋ'ର ଶିରେ । ଲାଗିଲା ସହସ୍ର ଫଣାରେ ॥ ୧୮୫

ଗରୁଡ଼ ଦେଖି ନିସ୍ତରିବ । ତୋହର ଚରଣେ ପଡ଼ିବ ॥ ୧୮୬

ନିର୍ଭୟ ହୋଇ ବେଗେ ଯାଅ । ମୋର ଭକତି ହୃଦେ ବହ ॥ ୧୮୭

ଏଜଳ ଅମୃତ ମୁଁ କରି । ଗରଳ ଦୂରେ ପରିହରି ॥ ୧୮୮

ଏ ବନେ ଯେତେ ବନଚାରୀ । ଆନନ୍ଦେ ଜଳପାନ କରି ॥ ୧୮୯

ସୁଖେ ବଞ୍ଚିବେ ସର୍ବଜୀବେ । ଏ ବନେ ନିଶ୍ଚିନ୍ତେ ରହିବେ ॥ ୧୯୦

ଶୁଣ କାଳୀୟ ମୋ' ଉତ୍ତର । କହଇ ତୋତେ ଦେଇ ବର ॥ ୧୯୧

ତୋ'ର ମୋହର ଏ ଚରିତ । ଯେ ସୁମରିବେ ଅବିରତ ॥ ୧୯୨

ସର୍ପ-ବିଘାତେ ନାହିଁ ବାଧା । ଯେ ମୋତେ ସୁମରେ ତ୍ରିସନ୍ଧ୍ୟା ॥ ୧୯୩

ଏ ଜଳେ ସ୍ନାହାନ କରିବେ । ପିତୃତର୍ପଣେ ପିଣ୍ତŠ ଦେବେ ॥ ୧୯୪

ଆହାର ତେଜି ଉପବାସେ । ଜାଗର ଦେଇ ନଦୀପାଶେ ॥ ୧୯୫

ମୋ' ନାମେ ରଜନୀ ବଞ୍ଚିବେ । ସକଳ ପାପୁଁ ସେ ତରିବେ ॥ ୧୯୬

ଶ୍ରୀହରି ଆଜ୍ଞା ଘେନି ଶିରେ । ତୀରେ ଉଠିଲା ଧାତିକାରେ ॥ ୧୯୭

କୁଟୁମ୍ବ ଘେନିଣ ସଙ୍ଗରେ । ପୂଜିଲା ଗୋବିନ୍ଦ ପୟରେ ॥ ୧୯୮

ଗନ୍ଧଚନ୍ଦନ ରଙ୍ଗବାସ । ଅମୂଲ୍ୟ ରତ୍ନ ମଣି ତ୍ରାସ ॥ ୧୯୯

କମଳମାଳା କଣ୍ଠେ ଦେଇ । ନାଚେ ଆନନ୍ଦେ ଗୀତ ଗାଇ ॥ ୨୦୦

କୁଟୁମ୍ବ ଘେନି ପ୍ରଦକ୍ଷିଣ । କାଳୀୟ କଲା ପୁଣ ପୁଣ ॥ ୨୦୧

ଉତ୍ତରଦିଗକୁ ଚାହିଁଲା । ଗୋବିନ୍ଦ ଆଦେଶେ ଚଳିଲା ॥ ୨୦୨

ପଶିଲା ସାହେର ଭିତରେ । ହରିଚରଣ ବହି ଶିରେ ॥ ୨୦୩

ଜଳଧିପତି ପୂଜା କଲା । ନାଗ ଗୋତ୍ରଙ୍କୁ ଠାବ ଦେଲା ॥ ୨୦୪

କୃଷ୍ଣର ଅନୁରାଗୁଁ କରି । ପୂଜା ପାଇଲା ଖଗଅରି ॥ ୨୦୫

ସେଦିନୁ ଜଳପାନ କରି । ଆନନ୍ଦ ଗୋପ ନରନାରୀ ॥ ୨୦୬

ସେ ହରି ଚରଣ କମଳେ । ମନ ମୋ ରହୁ ସୁଖଭୋଳେ ॥ ୨୦୭

ସୁଜନେ ଶୁଣ ମୋ ବଚନ । କୃଷ୍ଣ ଚରଣେ ଦେଇ ମନ ॥ ୨୦୮

ହୃଦେ ଚିନ୍ତିବ ନରହରି । ସୁଖେ ତରିବ ଭବବାରି ॥ ୨୦୯

ଭକତଜନେ ଏଣେ ରସ । କହଇ ଜଗନ୍ନାଥ ଦାସ ॥ ୨୧୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କାଳୀୟମୋକ୍ଷଣଂ ନାମ ସପ୍ତଦଶୋଽଧ୍ୟାୟଃ ॥

* * *