ଦଶମ ସ୍କନ୍ଧ
ସପ୍ତଦଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ କୃଷ୍ଣ କଥା । ଯେଣେ ଖଣ୍ତିବ ଭବବ୍ୟଥା ॥ ୧
ରଜନୀ ହୋଇଲା ପ୍ରଭାତ । ବନେ ଚଳିଲେ ଗୋପୀନାଥ ॥ ୨
ଗୋପ-ଗୋବତ୍ସା ସଙ୍ଗେ ଘେନି । ସୁସ୍ୱରେ କଲେ ବେଣୁ ଧ୍ୱନି ॥ ୩
ଗୋପାଳେ ବନୁ ପୁଷ୍ପ ତୋଳି । କାଳିନ୍ଦୀ ହ୍ରଦ ତଟେ ମିଳି ॥ ୪
ତୀରେ କଦମ୍ବ ତରୁ ବନ । ଦେଖି ବାଳକେ ତୋଷମନ ॥ ୫
ବୃକ୍ଷେ ଉଠିଲେ ଧାତିକାରେ । ଗାଈ ଚରାନ୍ତି ନଦୀତୀରେ ॥ ୬
ଗୋବିନ୍ଦ ବୃକ୍ଷତଳେ ରହି । ବିଚାର କଲେ ଭାବଗ୍ରାହୀ ॥ ୭
ଗଭୀର ନିର୍ମଳ ଶୀତଳ । ବିଷେ ଦୂଷିତ ପୁଣ୍ୟଜଳ ॥ ୮
ଏ ଜଳେ କାଳୀୟ ନ ଥିବ । ଜଳ ପିଇବେ ସର୍ବଜୀବ ॥ ୯
ଏମନ୍ତ ମନେ ବିଚାରିଲେ । କଦମ୍ବ ବୃକ୍ଷରେ ଉଠିଲେ ॥ ୧୦
ଉଚ୍ଚ ଶିଖର ଡାଳେ ରହି । ହଲାନ୍ତି ଜଳକୁ ଅନାଇଁ ॥ ୧୧
ଶୁଣି ପରୀକ୍ଷ ମନତୋଷେ । ମୁନିଙ୍କି ବୋଲନ୍ତି ହରଷେ ॥ ୧୨
ପରୀକ୍ଷିତ ଉବାଚ
ଭୋ ମୁନି କାଳିନ୍ଦୀ ହ୍ରଦର । କାଳୀୟ କରିଥିଲା ଘର ॥ ୧୩
ଗୋବିନ୍ଦେ କି କଲାକ ଦୋଷ । କିମ୍ପା ତା' ଗର୍ବ କଲେ ନାଶ ॥ ୧୪
ଅଗାଧ ଜଳୁଁ ହୃଷୀକେଶ । ସର୍ପକୁ ଦେଲେ ପରବାସ ॥ ୧୫
ଅନେକ ଦିନୁଁ ଥିଲା ଜଳେ । କି ଦୋଷ କଲା ପାଦତଳେ ॥ ୧୬
କିମ୍ପା ନିର୍ବାସିଲେ ମୁରାରି । କହିବା ଶୁକ ବ୍ରହ୍ମଚାରୀ ॥ ୧୭
ହରିର ମହିମା ଅଶେଷ । ସଂସାର ହିତେ ପରକାଶ ॥ ୧୮
ମାୟା ମନୁଷ୍ୟ ଅବତାର । ଗୁପତେ ଛନ୍ତି ନନ୍ଦଘର ॥ ୧୯
ତା'ର ଚରିତ ଯେବା ଶୁଣି । ଅମୃତ ରସମୟ ବାଣୀ ॥ ୨୦
ସାଧବଜନଙ୍କର ମତେ । କେ ଛାଡ଼ି ପାରିବ ତା' ଚିତ୍ତେ ॥ ୨୧
କହ ତାହାଙ୍କ ବାଳକେଳି । ବୋଲେ ପରୀକ୍ଷ ଦଣ୍ତଧାରୀ ॥ ୨୨
କାଳୀୟ ଦର୍ପ ଚୂରି କେହ୍ନେ । ଏ କଥା ଶୁଣିବି ମୁଁ କର୍ଣ୍ଣେ ॥ ୨୩
ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥ ୨୪
ଭାରା ନିବାରେ ନରହରି । ମନୁଷ୍ୟ ଦେହେ ଅବତରି ॥ ୨୫
ଦୁଷ୍ଟ ନିବାରି ସନ୍ଥ ପାଳି । ଦୟା ସାଗର ବନମାଳୀ ॥ ୨୬
କାଳୀୟ ବିଷେ ଜଳ ନାଶ । ଜନ୍ତୁଏ ନ କରନ୍ତି ଗ୍ରାସ ॥ ୨୭
ଗରଳ ଯୋଗେ ଜଳବାୟେ । ପକ୍ଷୀଏ ନ ଉଡ଼ନ୍ତି ଭୟେ ॥ ୨୮
ବିଶେଷେ ଗରଳ ଲହରୀ । ଜଳ ପିଅନ୍ତେ ଜନ୍ତୁ ମରି ॥ ୨୯
ଏମନ୍ତ ଦେଖି ବନମାଳୀ । ବିଚାର କଲେ ମନେ ଭାଳି ॥ ୩୦
ମୋହର ନୋହଇ ସହିଲା । କାଳୀ ଅନୀତି ଆଚରିଲା ॥ ୩୧
ଭାରା ନିବାରେ ମୋର ଜନ୍ମ । ଏମନ୍ତେ ବିଚାରିଣ ମନ ॥ ୩୨
ଦାସବତ୍ସଳ ହୃଷୀକେଶ । ଗାଢ଼େ ପିନ୍ଧିଲେ ପୀତବାସ ॥ ୩୩
ଆନନ୍ଦେ ବାହାସ୍ପୋଟ ମାରି । କଦମ୍ବ ଡାଳେ କରେ ଧରି ॥ ୩୪
ଜଳେ ପଡ଼ିଲେ କୃଷ୍ଣ ଡ଼େଇଁ । ଦେବେ ଦେଖନ୍ତି ସ୍ୱର୍ଗେ ରହି ॥ ୩୫
ଜଳ ଯେ ଉଛୁଳିଲା ବେଗେ । ଶତେକ ଧନୁ ଚାରିଦିଗେ ॥ ୩୬
କୃଷ୍ଣର ବଳ ଅପ୍ରମିତ । ସ୍ୱଭାବେ ମହିମା ଅନନ୍ତ ॥ ୩୭
ଖେଳନ୍ତି ବେନିଭୁଜ ତାଡ଼ି । ଶବଦ ମେଘ ଘଡ଼ଘଡ଼ି ॥ ୩୮
କାଳୀୟ ଶୁଣିଲା ପାତାଳେ । କିସ ଶବଦ ମୋର ଜଳେ ॥ ୩୯
ଦେଖିବ ବୋଲି ବିଜେକଲା । ସହସ୍ରଫଣା ଉଭାରିଲା ॥ ୪୦
ନୟନେ ଦେଖିଲା ମାଧବ । କୋପେ କମ୍ପଇ ଚକ୍ଷୁଶ୍ରବ ॥ ୪୧
ନୀଳଜୀମୂତ ଦେହକାନ୍ତି । ମଣିକଙ୍କଣ ଝଟକନ୍ତି ॥ ୪୨
ଶ୍ରୀବତ୍ସ ଚିହ୍ନ ପୀତବାସ । ରଙ୍ଗଅଧରେ ମନ୍ଦହାସ ॥ ୪୩
ନିଶ୍ଚିନ୍ତେ ଖେଳନ୍ତି ମୁରାରି । ସର୍ପ ଧାଇଁଲା କୋପ କରି ॥ ୪୪
କୋମଳ-ଚରଣେ ଦଂଶିଲା । ଦେହ ନିବିଡ଼େ ବନ୍ଦୀ କଲା ॥ ୪୫
ଗୋପାଳେ ବୃକ୍ଷଡ଼ାଳେ ଥିଲେ । ଜଳେ କୃଷ୍ଣଙ୍କୁ ଅନାଇଲେ ॥ ୪୬
କାଳୀୟ କରିଛି ବନ୍ଧନ । ୠରଳ ବହଇ ବଦନ ॥ ୪୭
ନାଗରେ ବନ୍ଧନ ଶରୀର । ଦେଖି ବାଳକେ ଥରହର ॥ ୪୮
ମନନୟନ କୃଷ୍ଣ ଦେହେ । ଢ଼ଳି ପଡ଼ିଲେ ଶୋକମୋହେ ॥ ୪୯
କାନ୍ଦନ୍ତି କୃଷ୍ଣଙ୍କୁ ଅନାଇଁ । ବିକଳ କେ ପାରିବ କହି ॥ ୫୦
ହୃଦେ ତାଡ଼ନ୍ତି ବେନି ପାଣି । ମୂର୍ଚ୍ଛିତେ ପଡ଼ିଲେ ଧରଣୀ ॥ ୫୧
ଗୋରୁଏ କୃଷ୍ଣଙ୍କୁ ଅନାଇଁ । କାନ୍ଦନ୍ତି ଚଉଦିଗ ଚାହିଁ ॥ ୫୨
କୃଷ୍ଣର ଦେହେ ଚକ୍ଷୁ ଦେଇ । ଚିତ୍ର-ପ୍ରତିମା ପ୍ରାୟ ରହି ॥ ୫୩
ବତ୍ସାଏ କାନ୍ଦିଣ ବିକଳ । ଆବୋରି କଦମ୍ବର ତଳ ॥ ୫୪
ଗୋକୁଳେ ପଡ଼ିଲା ଅରିଷ୍ଟି । ରୁଧିର ସଙ୍ଗେ ଜଳ ବୃଷ୍ଟି ॥ ୫୫
ଭୂମି କମ୍ପଇ ଥରହର । ଦିବସେ ଘୋର ଅନ୍ଧକାର ॥ ୫୬
ଗଗନେ ଶୁଭେ ଘୋରନାଦ । ତ୍ରିବିଧ ରିଷ୍ଟ ପରମାଦ ॥ ୫୭
ଦେଖି ଗୋପାଳେ ଖରତରେ । ମିଳିଲେ ନନ୍ଦର ମନ୍ଦିରେ ॥ ୫୮
ବୋଲନ୍ତି କାହିଁ ତୋ କୁମର । ରିଷ୍ଟ ପଡ଼ିଲା ଗୋପପୁର ॥ ୫୯
ଶୁଣି ଯଶୋଦା ଥରହର । ରାମର କରେ ଦେଇ କର ॥ ୬୦
ନନ୍ଦ ବୋଇଲା କୃଷ୍ଣ ନାହିଁ । ବନେ ଯେ ଘେନିଗଲା ଗାଈ ॥ ୬୧
ଅନନ୍ତ ଅଛି ମୋର ଘରେ । ରିଷ୍ଟ ପଡ଼ିଲା ଗୋପପୁରେ ॥ ୬୨
ନନ୍ଦ ହୋଇଲା ସ୍ତମ୍ଭୀଭୂତ । କାନ୍ଦଇ ପ୍ରାଣ କଣ୍ଠଗତ ॥ ୬୩
କି ବୁଦ୍ଧି କରିବଇଁ ମୁହିଁ । କେମନ୍ତେ କୃଷ୍ଣ ଦେଖିବଇଁ ॥ ୬୪
ଯଶୋଦା ଶୁଣି ମୋହମାନ । ଧରଣୀ ପଡ଼ି ଅଚେତନ ॥ ୬୫
ଶୁଣି କାନ୍ଦନ୍ତି ଗୋପନାରୀ । ଚହଳ ଚଉଦିଗେ ପୂରି ॥ ୬୬
ଲୋଡ଼ନ୍ତି ଯଶୋଦାର ସୁତ । କ୍ଷଣ କ୍ଷଣକେ ମୋହଗତ ॥ ୬୭
ସକଳେ ରାମ ଘେନି ସଙ୍ଗେ । ଚଳିଲେ ବୃନ୍ଦାବନ ଲାଗେ ॥ ୬୮
ରୋହିଣୀ ସୁତ ମନେ ଗୁଣି । କୃଷ୍ଣ-ପ୍ରଭାବ ପରିମାଣି ॥ ୬୯
ଅଳପ ଅଳପ ହସିଲେ । ବଚନେ କିଛି ନକହିଲେ ॥ ୭୦
କୃଷ୍ଣ-ଚରଣଚିହ୍ନ ଚାହିଁ । ଚଳନ୍ତି ଅଙ୍ଗୁଳି ଦେଖାଇ ॥ ୭୧
କମଳ ଜବାଂକୁଶ ଚିହ୍ନ । ଗାଈଙ୍କ ପାଦ ଖୋଜମାନ ॥ ୭୨
କାଳିନ୍ଦୀ ନିକଟେ ମିଳିଲେ । ଲହରୀ ଗଗନେ ପ୍ରକାଶି ॥ ୭୩
ହ୍ରଦେ ଦେଖିଲେ ଜଳରାଶି । ଲହରୀ ଗଗନେ ପ୍ରକାଶି ॥ ୭୪
ଜଳେ ଦେଖିଲେ ଦାମୋଦର । ନାଗରେ ବନ୍ଧନ ଶରୀର ॥ ୭୫
ବିଷ-ଅନଳେ ଅଚେତନ । ଗରଳ ବହଇ ବଦନ ॥ ୭୬
ଦେଖି ରୋଦନ୍ତି ଉଚ୍ଚସ୍ୱରେ । ଗୋରୁ-ଗୋପାଳ ତୀରେତୀରେ ॥ ୭୭
ଗୋପୀଙ୍କ ଦୃଷ୍ଟି କୃଷ୍ଣ ଦେହେ । କାନ୍ଦନ୍ତି ଅତି ମାୟାମୋହେ ॥ ୭୮
ବିକଳେ ହୋଇଲେ ମୂର୍ଚ୍ଛିତ । ନିର୍ଜୀବ ହୋଇ ଭୂମିଗତ ॥ ୭୯
ପ୍ରଳୟ ମଣିଲେ ଜଗତ । କୃଷ୍ଣର ଦେହେ ସର୍ପାଘାତ ॥ ୮୦
ଯଶୋଦା ଦେଖି ମୋହ ଗଲା । ଗୋପୀଙ୍କ ସାହସ ଉଡ଼ିଲା ॥ ୮୧
କୃଷ୍ଣଙ୍କୁ ଚାହିଁ ଅଚେତନ । ନନ୍ଦର ଦେହେ ନାହିଁ ଜ୍ଞାନ ॥ ୮୨
ବାଳୁତ କାଳୁ ଯେତେ ଗୁଣ । ସୁମରି କାନ୍ଦେ ପୁଣ ପୁଣ ॥ ୮୩
ଆହା ଦଇବ ଏହା କଲୁ । ସୁଖରେ ଭେଳା ବୁଡ଼ାଇଲୁ ॥ ୮୪
ଜଳେ ପଶନ୍ତେ କୃଷ୍ଣମାତ । ଗୋପୀ ଧଇଲେ ପାଦ ହସ୍ତ ॥ ୮୫
ନିଶ୍ଚୟ ଦେଖି ହଳଧର । ଅବୋରି କାଳିନ୍ଦୀର ତୀର ॥ ୮୬
ରାମ ବୋଲନ୍ତି ରହ ରହ । ଦେଖିବା ଶ୍ରୀକୃଷ୍ଣର ଦେହ ॥ ୮୭
ଗୋକୁଳ ମନ ଜାଣି ହରି । କାଳୀୟ ଅଛି ଦେହେ ଜଡ଼ି ॥ ୮୮
କୃଷ୍ଣର ଶରୀର ବଢ଼ିଲା । କାଳୀୟ ଛନ୍ଦି ନ ପାରିଲା ॥ ୮୯
କୃଷ୍ଣର ଦେହଭାଗ ଲାଗି । ସର୍ପର ଗଣ୍ଠି ଛନ୍ଦ ଭାଙ୍ଗି ॥ ୯୦
ତକ୍ଷଣେ କୃଷ୍ଣଙ୍କୁ ଛାଡ଼ିଲା । ସମ୍ଭାଳି ନ ପାରି ବୁଡ଼ିଲା ॥ ୯୧
ଉଠିଲା ଖଣ୍ତେ ଦୂରେ ଯାଇ । ଗର୍ଜିଲା କୃଷ୍ଣଙ୍କୁ ଅନାଇ ॥ ୯୨
ଫଣା ସହସ୍ରେ ଉଭାରିଲା । ଗରଳ ଅଗ୍ନି ଉଦ୍ଗାରିଲା ॥ ୯୩
ଜିହ୍ୱା ବୁଲାଇ ଅନ୍ତରାଳେ । ନାଗ କୋଟିଏ ଛନ୍ତି ମେଳେ ॥ ୯୪
ନାଗେ କରନ୍ତି ଫୁ ଫୁ କାର । ବିଷେ ପିଙ୍ଗଳ ଦୃଷ୍ଟି ତା'ର ॥ ୯୫
କୋପେ କୃଷ୍ଣଙ୍କୁ ଗୋଡ଼ାଇଲା । ଶବଦେ ବ୍ରହ୍ମାଣ୍ତ କମ୍ପିଲା ॥ ୯୬
ମାୟା ମନୁଷ୍ୟ ଅବତାର । ତୀରେ ଦେଖନ୍ତି ସୁର ନର ॥ ୯୭
ସର୍ପଙ୍କୁ ଚାହିଁ ନରହରି । ବୁଡ଼ିଲେ ସର୍ପେ ମାୟାକରି ॥ ୯୮
କାଳୀୟ ଖୋଜିଲା ଅନେକ । ଗଭୀର ଜଳ ଦୀର୍ଘପାଖ ॥ ୯୯
ଲୋଡ଼ି ନ ପାଇ ଦାମୋଦର । ପୁଣି ତୋଳିଲା ନିଜ ଶିର ॥ ୧୦୦
କୃଷ୍ଣଙ୍କୁ ଦେଖିଲା ନିକଟେ । ଗୋପୀ-ଗୋପାଳେ ଜଳତଟେ ॥ ୧୦୧
ଦେଖି ପଳାନ୍ତି ଚକ୍ରଧର । ଘୂରିଲେ ମଣ୍ତଳ ଆକାର ॥ ୧୦୨
ସର୍ପ ଗୋଡ଼ାଇ ନ ପାରିଲା । ଫୁଟିଣ ଗରଳ ଛାଡ଼ିଲା ॥ ୧୦୩
କୃଷ୍ଣଙ୍କୁ ଆଗ ପଛେ ଚାହିଁ । ଗର୍ଜଇ ରସନା ବୁଲାଇ ॥ ୧୦୪
ଦଂଶଇ ପୁନଃ ପୁନଃ ପାୟେ । ଗରଳ ଛାଡ଼େ କୃଷ୍ଣ ଦେହେ ॥ ୧୦୫
ଗୋବିନ୍ଦ କୋପେ ଗୁରୁତର । ଉଠିଲେ କାଳୀୟର ଶିର ॥ ୧୦୬
ସର୍ପର ଶିରେ ମଣି ଥିଲା । ଶ୍ରୀକୃଷ୍ଣ ଚରଣେ ଲାଗିଲା ॥ ୧୦୭
ମଣିର ତେଜ ରଙ୍ଗବର୍ଣ୍ଣ । ସୁନ୍ଦର ଶ୍ରୀକୃଷ୍ଣ ଚରଣ ॥ ୧୦୮
ତ୍ରିଭଙ୍ଗୀ ଛନ୍ଦେ ଉଭା ହୋଇ । ନାଚନ୍ତି ଗୋପାଳଙ୍କୁ ଚାହିଁ ॥ ୧୦୯
ଶ୍ରୀକୃଷ୍ଣ ନୃତ୍ୟ ଦେବେ ଚାହିଁ । ମିଳିଲେ ବୃନ୍ଦାବନେ ଯାଇ ॥ ୧୧୦
ତାଣ୍ତବ ରସେ ଗୀତ ଗାଇ । ଗନ୍ଧର୍ବେ ବେଣୁ ବୀଣା ବାଇ ॥ ୧୧୧
ମୃଦଙ୍ଗ ତାଳ ବାଦ୍ୟ କରି । ରଙ୍ଗେ ନାଚନ୍ତି ଅପସରୀ ॥ ୧୧୨
କୁସୁମ ବରଷିଲେ ଆଣି । ଯେ ଯାହା ମତେ ସ୍ତୁତି ଭଣି ॥ ୧୧୩
ଶୁଣି ସାନନ୍ଦ ବନମାଳୀ । ନୃତ୍ୟ କରନ୍ତି ପାଦଚାଳି ॥ ୧୧୪
କାଳୀୟ ପ୍ରାଣ କଣ୍ଠାଗ୍ରତ । ସହସ୍ରେ ଫଣା ମୂରୁଛିତ ॥ ୧୧୫
ଯେବଣ ଫଣା ଉଚ୍ଚେ ଥାଇ । ତହିଁ ଉଠନ୍ତି କୃଷ୍ଣ ଡ଼େଇଁ ॥ ୧୧୬
ରୋଷେ ନାଚନ୍ତି ପାଦ ଚାଳି । ରୁଧିର ସର୍ପ ମୁଖୁ ଗଳି ॥ ୧୧୭
କାଳୀୟ ମନେ ବିଚାରିଲା । ନିଶ୍ଚୟେ ମରଣ ହୋଇଲା ॥ ୧୧୮
ହରିରେ ପଶିବି ଶରଣ । ଡ଼ାକିଲା ରଖ ନାରାୟଣ ॥ ୧୧୯
କାଳୀୟ ଶିରେ କୃଷ୍ଣ ଥାଇ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥ ୧୨୦
ଦାସବତ୍ସଳ ପୀତବାସ । ତକ୍ଷଣେ ହୋଇଲେ ଉଶ୍ୱାସ ॥ ୧୨୧
କାଳୀୟ ଜୀବନ ପାଇଲା । ଶ୍ରୀକୃଷ୍ଣ ମୁଖକୁ ଚାହିଁଲା ॥ ୧୨୨
ସଭୟେ ନ ପାରଇ କହି । ତ୍ରାସେ କମ୍ପଇ ତା'ର ଦେହି ॥ ୧୨୩
ଶତେକ ପତ୍ନୀ ତା'ର ଥିଲେ । ସ୍ୱାମୀର ମରଣ ଜାଣିଲେ ॥ ୧୨୪
ଶ୍ରୀହରି ମହିମା ଜାଣନ୍ତି । ନାମ ଜପନ୍ତି ଦିବାରାତି ॥ ୧୨୫
ସୁତ ଦୁହିତା ଆଗ କରି । କରେ ଘେନିଲେ ଅର୍ଘ୍ୟଥାଳୀ ॥ ୧୨୬
ଗନ୍ଧ ଚନ୍ଦନ ନାନାମଣି । ନିର୍ମଳ ପଦ୍ମମାଳ ଘେନି ॥ ୧୨୭
ଶ୍ରୀକୃଷ୍ଣ ନିକଟେ ମିଳିଲେ । ବାଳକ ତଳେ ଶୁଆଇଲେ ॥ ୧୨୮
ପାଦେ ପଡ଼ିଲେ ସର୍ପବାଳୀ । ଦେଖି ସାନନ୍ଦ ବନମାଳୀ ॥ ୧୨୯
କେଶ ବସନ ଅସମ୍ଭାଳ । ନୟନୁ ଝରେ ଅଶ୍ରୁଜଳ ॥ ୧୩୦
ଉଠି କରନ୍ତି ଜୟେ ଜୟେ । ସ୍ୱର୍ଗେ ଦେଖନ୍ତି ଦେବତାୟେ ॥ ୧୩୧
ବୋଲନ୍ତି ଶରଣ ତୋହର । ତ୍ରାହି କରିବା ଚକ୍ରଧର ॥ ୧୩୨
ଦୋଷୀକୁ ଦଣ୍ତିବା ଯୁକତ । ଭାରା ନିବାରେ ତୁହି ଜାତ ॥ ୧୩୩
ତୋହର ଶତ୍ରୁ ମିତ୍ର ନାହିଁ । ତୋ'ର ଭିଆଣ ସର୍ବଦେହୀ ॥ ୧୩୪
ଭକତି କରନ୍ତି ଯେ ତୋତେ । ଯେ ଅବା ଭଜେ ଶତ୍ରୁମତେ ॥ ୧୩୫
ଦୁହିଁଙ୍କୁ ଦେଉ ଏକଗତି । ଦୟାସାଗର ଦାଶରଥି ॥ ୧୩୬
ଆମ୍ଭଙ୍କୁ କଲୁ ଅନୁଗ୍ରହ । ହେଲେ ନାଶିଲୁ ଦମ୍ଭ ମୋହ ॥ ୧୩୭
ସର୍ପ ହୋଇଲା ପାପକାରୀ । ତୋତେ ପାଇଲା ନରହରି ॥ ୧୩୮
ଏହାରେ ତରିଲୁ ସକଳ । ବନ୍ଧୁ ବାନ୍ଧବ ନାଗକୁଳ ॥ ୧୩୯
ପୂର୍ବେ ଏ କେତେ ତପ କଲା । ଅନେକ ଅନ୍ନଦାନ ଦେଲା ॥ ୧୪୦
ଜଳ ଦେଉଳ ନାନାମତେ । ପ୍ରାଣୀଙ୍କି ଦୟା ହୃଦ୍ଗତେ ॥ ୧୪୧
ତୋ' ନାମ-କୀର୍ତ୍ତନେ ଆନନ୍ଦ । ତେଣୁ ପାଇଲା ପଦ୍ମପାଦ ॥ ୧୪୨
କେତେ ବା ଅଛି ତପକରି । ତୋ' ପାଦରଜ ଶିରେ ଧରି ॥ ୧୪୩
ଯାହା ପାଇଲା ବଳି ପୁଣି । ତପ କରଇ କମଳିନୀ ॥ ୧୪୪
ଯାହା ପାଇବେ ବୋଲି ପୁଣି । ତପ କରନ୍ତି ସୁରମୁନି ॥ ୧୪୫
ତୋ ପାଦରଜ ପାଇ ଜନେ । ଅଧିକ ନବାଞ୍ଛନ୍ତି ମନେ ॥ ୧୪୬
ସ୍ୱର୍ଗ ଭୋଗକୁ ତୁଚ୍ଛ କରି । ବ୍ରହ୍ମପଦକୁ ନବିଚାରି ॥ ୧୪୭
ଏକାଙ୍ଗରାଜପଣେ ସଧ । ଯୋଗ-ସମାଧି-ଚତୁର୍ବେଦ ॥ ୧୪୮
ଯୋଗସିଦ୍ଧିକୁ ନ ଇଚ୍ଛଇ । ନିର୍ବାଣପଦ ନ ମାଗଇ ॥ ୧୪୯
ଏଣେ ନୁହନ୍ତି ସାବଧାନ । ତୋ' ପାଦେ ଥାଇ ଯାର ମନ ॥ ୧୫୦
ଦୁର୍ଲ୍ଲଭ ଅଟୁ ଦୁଷ୍ଟ ଚିତ୍ତେ । ଏ ତୋତେ ପାଇଲା କେମନ୍ତେ ॥ ୧୫୧
ତମ ଗୁଣରେ ଅଛି ଭେଦି । ବିଶେଷେ ସର୍ପ ଏ ପ୍ରମାଦି ॥ ୧୫୨
ତୋତେ ଏ ନିକଟେ ପାଇଲା । ଯେଣୁ ଏ ପୂର୍ବେ ତପ କଲା ॥ ୧୫୩
ନିର୍ଗୁଣ-ଆତ୍ମା ଗୁଣବନ୍ତ । ନମସ୍ତେ ପ୍ରଭୁ ଜଗନ୍ନାଥ ॥ ୧୫୪
ପଞ୍ଚଭୂତଙ୍କ ଆତ୍ମା ତୁହି । ତୋହର ଆଦିଅନ୍ତ ନାହିଁ ॥ ୧୫୫
ଜ୍ଞାନବିଜ୍ଞାନ-ନିଧି ହେଉ । ତ୍ରିଗୁଣେ ମାୟାରୂପ ବହୁ ॥ ୧୫୬
ସୃଷ୍ଟି ପାଳନ କରୁ ଅନ୍ତ । ତୁ କାଳରୂପୀ ଗୋପୀନାଥ ॥ ୧୫୭
ଅନନ୍ତ ରୂପ ସୂକ୍ଷ୍ମମୟ । ତ୍ରିଗୁଣ-ଭେଦେ ବହୁ ଦେହ ॥ ୧୫୮
ନିଗମମତେ ମାୟାକରି । ଜଗତେ ହେଉ ରୂପଧାରୀ ॥ ୧୫୯
ତୋହର ଦେହେ ତିନିଲୋକେ । କର୍ମ ଭୁଞ୍ଜନ୍ତି ଦୁଃଖସୁଖେ ॥ ୧୬୦
ଯେ ତୋତେ ସାଧୁପଣେ ଭଜେ । ସେ ତୋ'ର ଦେଲାଫଳ ଭୁଞ୍ଜେ ॥ ୧୬୧
ତୋତେ ଯେ ନ ଜାଣଇ ଚିତ୍ତେ । ସେ ପ୍ରାଣୀ ତରିବେ କେମନ୍ତେ ॥ ୧୬୨
ଆମ୍ଭର ସ୍ୱାମୀ ଏକବେଳେ । ଦ୍ରୋହ ଯେ କଲା ପାଦତଳେ ॥ ୧୬୩
ଏ ଦୋଷ ସହିବା ମୁରାରି । ଆମେ ତୋହର ପରିବାରୀ ॥ ୧୬୪
ପ୍ରାଣ ଛାଡ଼ିବ ଏହିକ୍ଷଣି । ତୁ କି ନ ଜାଣୁ ଚକ୍ରପାଣି ॥ ୧୬୫
ଆମ୍ଭଙ୍କୁ ଦିଅ ସ୍ୱାମୀ ଦାନ । ତୋରେ ଶରଣ ଭଗବାନ ॥ ୧୬୬
ଏବେ କରିବୁ କିସ କହ । ବିଚାର କରି ଆଜ୍ଞା ଦିଅ ॥ ୧୬୭
ପରୀକ୍ଷେ ଶୁକ ମୁନି କହେ । ଶୁଣି ହରଷ ଦେବରାୟେ ॥ ୧୬୮
ନାଗକାମିନୀ ସ୍ତୁତି ଶୁଣି । ଦୟାସାଗର କମ୍ବୁପାଣି ॥ ୧୬୯
ପାଦ ପ୍ରହାର ଛାଡ଼ି କରି । ଉଶ୍ୱାସ ହୋଇଲେ ମୁରାରି ॥ ୧୭୦
କାଳୀୟ ଜୀବନ ପାଇଲା । ଶ୍ରୀକୃଷ୍ଣ ମୁଖକୁ ଚାହିଁଲା ॥ ୧୭୧
ସଭୟେ ଶୋକ ଗଦଗଦେ । ପୁଣି ପଡ଼ଇ କୃଷ୍ଣପାଦେ ॥ ୧୭୨
କାଳୀୟ ଉବାଚ
ବୋଲଇ ଶୁଣ ନାରାୟଣ । ଜଗତ ତୋହର ଭିଆଣ ॥ ୧୭୩
ସର୍ପରେ ଜାତ କଲୁ ମୋତେ । ସ୍ୱଭାବ ଛାଡ଼ିବି କେମନ୍ତେ ॥ ୧୭୪
ତାମସଗୁଣେ ଜାତ କରି । ଗରଳେ କଲୁ ଅଧିକାରୀ ॥ ୧୭୫
ତେଣୁ ମୁଁ କ୍ରୋଧେ ବଶ ହୋଇ । ସ୍ୱଭାବ ଛାଡ଼ି ନ ପାରଇ ॥ ୧୭୬
ତୋହର ମାୟା ଜାଣୁ ତୁହି । ଭୋନାଥ ରଖ ଭାବଗ୍ରାହୀ ॥ ୧୭୭
ତାମସଗୁଣେ ହୋଇ ବଦ୍ଧ । ତୋତେ ମୁଁ କଲି ଅପରାଧ ॥ ୧୭୮
ଏଣୁ ନିଷ୍ଠୁର ମୋ' ସ୍ୱଭାବ । ବିଚାରି ଦଣ୍ତ ପଦ୍ମନାଭ ॥ ୧୭୯
ଯେ ତୋର ଇଚ୍ଛା ମୋତେ କର । ତୋରେ ଶରଣ ଚକ୍ରଧର ॥ ୧୮୦
ସର୍ପ ବିକଳ କର୍ଣ୍ଣେ ଶୁଣି । ଦୟାସାଗର ବେଣୁପାଣି ॥ ୧୮୧
ବୋଲନ୍ତି ସର୍ପମୁଖ ଚାହିଁ । କାଳିନ୍ଦୀ ହ୍ରଦେ ନ ଥା' ତୁହି ॥ ୧୮୨
ବନ୍ଧୁବାନ୍ଧବ ଘେନି ସଙ୍ଗେ । ସମୁଦ୍ରେ ପଶ ଯାଇ ବେଗେ ॥ ୧୮୩
ଜଳଧି ଦ୍ୱୀପ ମଧ୍ୟଗତେ । ଗରୁଡ଼ ଭୟ ନାହିଁ ତୋତେ ॥ ୧୮୪
ମୋହର ପାଦ ତୋ'ର ଶିରେ । ଲାଗିଲା ସହସ୍ର ଫଣାରେ ॥ ୧୮୫
ଗରୁଡ଼ ଦେଖି ନିସ୍ତରିବ । ତୋହର ଚରଣେ ପଡ଼ିବ ॥ ୧୮୬
ନିର୍ଭୟ ହୋଇ ବେଗେ ଯାଅ । ମୋର ଭକତି ହୃଦେ ବହ ॥ ୧୮୭
ଏଜଳ ଅମୃତ ମୁଁ କରି । ଗରଳ ଦୂରେ ପରିହରି ॥ ୧୮୮
ଏ ବନେ ଯେତେ ବନଚାରୀ । ଆନନ୍ଦେ ଜଳପାନ କରି ॥ ୧୮୯
ସୁଖେ ବଞ୍ଚିବେ ସର୍ବଜୀବେ । ଏ ବନେ ନିଶ୍ଚିନ୍ତେ ରହିବେ ॥ ୧୯୦
ଶୁଣ କାଳୀୟ ମୋ' ଉତ୍ତର । କହଇ ତୋତେ ଦେଇ ବର ॥ ୧୯୧
ତୋ'ର ମୋହର ଏ ଚରିତ । ଯେ ସୁମରିବେ ଅବିରତ ॥ ୧୯୨
ସର୍ପ-ବିଘାତେ ନାହିଁ ବାଧା । ଯେ ମୋତେ ସୁମରେ ତ୍ରିସନ୍ଧ୍ୟା ॥ ୧୯୩
ଏ ଜଳେ ସ୍ନାହାନ କରିବେ । ପିତୃତର୍ପଣେ ପିଣ୍ତ ଦେବେ ॥ ୧୯୪
ଆହାର ତେଜି ଉପବାସେ । ଜାଗର ଦେଇ ନଦୀପାଶେ ॥ ୧୯୫
ମୋ' ନାମେ ରଜନୀ ବଞ୍ଚିବେ । ସକଳ ପାପୁଁ ସେ ତରିବେ ॥ ୧୯୬
ଶ୍ରୀହରି ଆଜ୍ଞା ଘେନି ଶିରେ । ତୀରେ ଉଠିଲା ଧାତିକାରେ ॥ ୧୯୭
କୁଟୁମ୍ବ ଘେନିଣ ସଙ୍ଗରେ । ପୂଜିଲା ଗୋବିନ୍ଦ ପୟରେ ॥ ୧୯୮
ଗନ୍ଧଚନ୍ଦନ ରଙ୍ଗବାସ । ଅମୂଲ୍ୟ ରତ୍ନ ମଣି ତ୍ରାସ ॥ ୧୯୯
କମଳମାଳା କଣ୍ଠେ ଦେଇ । ନାଚେ ଆନନ୍ଦେ ଗୀତ ଗାଇ ॥ ୨୦୦
କୁଟୁମ୍ବ ଘେନି ପ୍ରଦକ୍ଷିଣ । କାଳୀୟ କଲା ପୁଣ ପୁଣ ॥ ୨୦୧
ଉତ୍ତରଦିଗକୁ ଚାହିଁଲା । ଗୋବିନ୍ଦ ଆଦେଶେ ଚଳିଲା ॥ ୨୦୨
ପଶିଲା ସାହେର ଭିତରେ । ହରିଚରଣ ବହି ଶିରେ ॥ ୨୦୩
ଜଳଧିପତି ପୂଜା କଲା । ନାଗ ଗୋତ୍ରଙ୍କୁ ଠାବ ଦେଲା ॥ ୨୦୪
କୃଷ୍ଣର ଅନୁରାଗୁଁ କରି । ପୂଜା ପାଇଲା ଖଗଅରି ॥ ୨୦୫
ସେଦିନୁ ଜଳପାନ କରି । ଆନନ୍ଦ ଗୋପ ନରନାରୀ ॥ ୨୦୬
ସେ ହରି ଚରଣ କମଳେ । ମନ ମୋ ରହୁ ସୁଖଭୋଳେ ॥ ୨୦୭
ସୁଜନେ ଶୁଣ ମୋ ବଚନ । କୃଷ୍ଣ ଚରଣେ ଦେଇ ମନ ॥ ୨୦୮
ହୃଦେ ଚିନ୍ତିବ ନରହରି । ସୁଖେ ତରିବ ଭବବାରି ॥ ୨୦୯
ଭକତଜନେ ଏଣେ ରସ । କହଇ ଜଗନ୍ନାଥ ଦାସ ॥ ୨୧୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କାଳୀୟମୋକ୍ଷଣଂ ନାମ ସପ୍ତଦଶୋଽଧ୍ୟାୟଃ ॥
* * *