ଦଶମ ସ୍କନ୍ଧ

ଷୋଡ଼ଶ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ପରୀକ୍ଷିତ । ଶ୍ରୀକୃଷ୍ଣ ବାଳକ ଚରିତ ॥

ଷଡ଼ବରଷେ ନରହରି । କାନନେ ଚରାନ୍ତି ବାଛୁରୀ ॥

ଦିନକୁ ଦିନ ବଳୀୟାର । ଗାଈ ଜଗିଲେ ଦାମୋଦର ॥

ରୋହିଣୀସୁତ ଘେନି ସଙ୍ଗେ । ବନେ ଖେଳନ୍ତି ନାନା ରଙ୍ଗେ ॥

ଦିନେକ କୃଷ୍ଣ ବେଣୁନାଦେ । ବାଳକେ ମିଳିଲେ ଆନନ୍ଦେ ॥

କୃଷ୍ଣଙ୍କୁ ବେଢ଼ି ଗୋପବାଳେ । ବେଣୁ ବଜାନ୍ତି କୁତୂହଳେ ॥

ଆଗେ ଅଡ଼ାଇ ବତ୍ସା ଗାଈ । ମିଳିଲେ କୃଷ୍ଣ ବନେ ଯାଇ ॥

କୋମଳ ଘାସ ନାନା ଫୁଲ । କୋକିଳ ଶବଦେ ଚହଳ ॥

ମୟୁରନାଦ ଭୃଙ୍ଗ ମେଳେ । ଗନ୍ଧକୁସୁମ ଜଳସ୍ଥଳେ ॥

ନବପଲ୍ଲବ ତରୁସ୍ଥିତ । କୋମଳ ବହଇ ମରୁତ ॥ ୧୦

ପଦ୍ମ କୁମୁଦ ଗନ୍ଧ ଘେନି । ଆନନ୍ଦେ ବିରାଜେ ଅବନୀ ॥ ୧୧

ଦେଖିଣ ଆନନ୍ଦ ଶ୍ରୀରଙ୍ଗ । ବାଳକମେଳେ ରାମ ସଙ୍ଗ ॥ ୧୨

ଫଳ କୁସୁମ ତରୁଗଣେ । ଲାଗନ୍ତି ରାମର ଚରଣେ ॥ ୧୩

ଦେଖି ହସିଲେ ଦାମୋଦର । ରାମଙ୍କୁ ବୋଲନ୍ତି ମଧୁର ॥ ୧୪

ଶ୍ରୀକୃଷ୍ଣ ଉବାଚ

ଭୋ ଦେବ ଦେଖ ତରୁଗଣେ । ଲୋଟନ୍ତି ତୁମ୍ଭର ଚରଣେ ॥ ୧୫

ଦେବେ ନ ପାନ୍ତି ଯାହା ଖୋଜି । ତାହାଙ୍କୁ ତରୁଗଣେ ଭଜି ॥ ୧୬

ତରିବେ ଭବବନ୍ଧ ତାପୁଁ । ବୃକ୍ଷ ହୋଇଲେ କେଉଁ ପାପୁ ॥ ୧୭

ଏ ଯେ ଭ୍ରମର-ପକ୍ଷୀଗଣେ । ନାଦେ ଭଜନ୍ତି ତୋ' ଚରଣେ ॥ ୧୮

ଦେବେ ଗୁପତେ ବନଚାରୀ । ତୋତେ ପୂଜନ୍ତି ଧ୍ୟାନକରି ॥ ୧୯

ପକ୍ଷୀ ସ୍ୱରୂପେ ମୁନିଗଣେ । ମନ ନିରୋପି ତୋ' ଚରଣେ ॥ ୨୦

ଦେଖ ଏ ମୟୂରଙ୍କ ନୃତ୍ୟ । ମୃଗଯୁବତୀ ଯୂଥ ଯୂଥ ॥ ୨୧

ଗୋପୀଙ୍କ ପ୍ରାୟେ ଛନ୍ତି ରହି । ଦେଖନ୍ତି ନୟନ ପୁରୋଇ ॥ ୨୨

ଦେଖ ଗଭୀର ପିକନାଦ । ଶୁଣନ୍ତେ ଖଣ୍ତେ ମନଖେଦ ॥ ୨୩

ସାଧୁଜନଙ୍କ ପ୍ରାୟେ ହୋଇ । ଭାବନ୍ତି ତୋ' ମୁଖ ଅନାଇଁ ॥ ୨୪

ଏ ପୁଣ୍ୟବନ୍ତ ମହୀଧର । ଲାଗୁଛି ତୋହର ପୟର ॥ ୨୫

ତୋ'ପାଦ ଲାଗି ବୃକ୍ଷଲତା । ପୁଣ୍ୟେ ହୋଇଲେ ବଳବନ୍ତା ॥ ୨୬

ନଦୀ ପର୍ବତ ଖଗ ମୃଗ । ନିଶ୍ଚେ ଲଭିବେ ମୋକ୍ଷଯୋଗ ॥ ୨୭

ଶୁକ ଉବାଚ

ଏମନ୍ତେ ରାମକୁ ଦେଖାଇ । ମିଳିଲେ ନଦୀକୂଳେ ଯାଇ ॥ ୨୮

ଗାଈ ଚରାନ୍ତି ବେଣୁ ବାଇ । ଆନନ୍ଦ କେ ପାରିବ କହି ॥ ୨୯

ଗୋପାଳପୋଏ ଗୀତନାଦେ । ଶ୍ରୀକୃଷ୍ଣ ନାଚନ୍ତି ଆନନ୍ଦେ ॥ ୩୦

ଗୋପ କୁମରେ ପରଶଂସି । ମୁରଲୀନାଦେ ବ୍ରହ୍ମରାଶି ॥ ୩୧

ହଂସର ରାବ ଶୁଣି ଡ଼ାକି । ନାଚନ୍ତି ମୟୂରଙ୍କୁ ଦେଖି ॥ ୩୨

ଶୁକ କୋକିଳ ନାଦ ଶୁଣି । ମୁରଲୀ ନାଦେ ତାହା ଭଣି ॥ ୩୩

ଗୋରୁଙ୍କୁ ଡ଼ାକନ୍ତି ସୁସ୍ୱରେ । ଗମ୍ଭୀରେ ନାମ ଧରି ଧୀରେ ॥ ୩୪

ପକ୍ଷୀଙ୍କ ନାଦ ଶୁଣି ଡ଼ାକି । ପଶୁଙ୍କୁ ଚାହାଁନ୍ତି ନିରେଖି ॥ ୩୫

ବେଳ ହୋଇଲା ଅବସାନ । ଫୁଟିଲେ ରୋହିଣୀନନ୍ଦନ ॥ ୩୬

ରାମର ଶ୍ରମ ଅନୁସରି । ବୃକ୍ଷରେ ଉଠିଲେ ମୁରାରି ॥ ୩୭

କୋମଳ ପତ୍ର ବୃକ୍ଷୁ ଆଣି । ଶଯ୍ୟା ପାରିଲେ ଚକ୍ରପାଣି ॥ ୩୮

ତହିଁ ଶୁଆଇ ହଳଧରେ । ପାଦ ଚାପନ୍ତି ଧୀରେ ଧୀରେ ॥ ୩୯

ଗୋପାଳପୋଏ ନୃତ୍ୟ କରି । ମନ ତୋଷିଲେ ହଳଧାରୀ ॥ ୪୦

କେଳି କରନ୍ତି ନାନାରଙ୍ଗେ । ବେଣୁ ବଜାନ୍ତି କୃଷ୍ଣ ସଙ୍ଗେ ॥ ୪୧

ଉଠିଣ ରାମ ପରଶଂସି । ହସ୍ତ ଧଇଲେ ବ୍ରହ୍ମରାଶି ॥ ୪୨

କୃଷ୍ଣ କରନ୍ତି ରଙ୍ଗେ ନୃତ୍ୟ । ଗୋପାଳେ ବେଣୁନାଦେ ଗୀତ ॥ ୪୩

କୃଷ୍ଣର ଶ୍ରମ ଦେଖି ପୋଏ । ପଲ୍ଲବ ଆଣିଲେ ଥୋକାଏ ॥ ୪୪

ବୃକ୍ଷର ମୂଳେ ଶଯ୍ୟା କରି । ତହିଁ ଶୁଆଇଲେ ମୁରାରି ॥ ୪୫

ଜାନୁରେ ରଖି ସୀମସ୍ଥାନ । କେ ବସି ଚାପନ୍ତି ଚରଣ ॥ ୪୬

ପତ୍ର-ବିଞ୍ଚଣା କରି ବିଞ୍ଚି । କେ ପାଣି କୃଷ୍ଣଦେହେ ସିଞ୍ଚି ॥ ୪୭

ସୁସ୍ୱରେ କଲେ ଗୀତରସ । ଯେଣେ ହୋଇବ ମନତୋଷ ॥ ୪୮

ଏମନ୍ତେ ଗୋପବାଳ ସଙ୍ଗେ । କୃଷ୍ଣ ଖେଳନ୍ତି ନାନାରଙ୍ଗେ ॥ ୪୯

ସୁଦାମା ନାମେ ଗୋପସୁତ । କୃଷ୍ଣର ମିତ୍ର ସେ ଯୁକତ ॥ ୫୦

ସୁବଳ ସ୍ତୋକକୃଷ୍ଣ ଆଦି । ଏମନ୍ତ ନାମ ପରସିଦ୍ଧି ॥ ୫୧

ରାମ ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୫୨

ଭୋ ରାମ ଶୁଣ ସାବଧାନ । ଆଗେ ଯେ ଦିଶେ ତାଳବନ ॥ ୫୩

ସୁପକ୍ୱଫଳ ରସମୟେ । ଦେଖ ଲୋଭିତ ଦେବତାଏ ॥ ୫୪

ପାଚିଣ ପଡ଼ୁଅଛି ତଳେ । ପୁରୁଷେ ପ୍ରମାଣ ବହଳେ ॥ ୫୫

ବୃକ୍ଷେ ଅଛଇ ଅପ୍ରମିତ । ଗନ୍ଧେ ଲୋଭିତ ଆମ୍ଭ ଚିତ୍ତ ॥ ୫୬

ପୂର୍ବେ ଏ ଫଳ ଲୋକେ ଖା'ନ୍ତି । ଏବେ ତ ଯାଇ ନପାରନ୍ତି ॥ ୫୭

ଧେନୁକ ନାମେ ମହାସୁର । ସେ ତାଳବନେ ତା'ର ଘର ॥ ୫୮

ବନ୍ଧୁବାନ୍ଧବ ଅପ୍ରମିତେ । ସେ ବନେ ଅଛନ୍ତି ନିଶ୍ଚିନ୍ତେ ॥ ୫୯

ତାହାର ଭୟେ ଲୋକେ ଡ଼ରି । ତିନି ଭୁବନେପଡ଼େ ହୁରି ॥ ୬୦

ଦେବେ ଡ଼ରନ୍ତି ତାର ନାଏଁ । ପ୍ରଚଣ୍ତେ ପବନ ନ ବହେ ॥ ୬୧

ଡ଼ରାଏ ଭୂତରୂପ ହୋଇ । ଲୋକେ ନ ଯା'ନ୍ତି ତାଳ ଖାଇ ॥ ୬୨

ସୀମା ଆବୋରି ପୁର କରି । ସେ ପୁରେ ପଶି ତ ନ ପାରି ॥ ୬୩

ଅପାରଦିନୁ ସେହୁ ବାଟ । ପଡ଼ି ଅଛଇ ନନ୍ଦଚାଟ ॥ ୬୪

ବୃଦ୍ଧେ କହନ୍ତି ପୂର୍ବବାଣୀ । ସେ ବନେ ଭୂତ ଥାଇ ପୁଣି ॥ ୬୫

ଡ଼ରି ନ'ଯାନ୍ତି ତହିଁ ଲୋକେ । ସେ ବନେ ନ ଆସନ୍ତି ଥୋକେ ॥ ୬୬

ତୁ ନାଥ ହୋଇଲେ ସଦୟେ । ସେ ଫଳ ଭୁଞ୍ଜିବୁ ଥୋକାଏ ॥ ୬୭

ଗୋପପୁରକୁ ନେବୁ ବହି । ଶୁଣି ହସନ୍ତି ବେନିଭାଇ ॥ ୬୮

ବୋଲନ୍ତି କଢ଼ାଅ ସେ ପଥ । ଆଗ ହୋଇଲେ ଗୋପୀନାଥ ॥ ୬୯

ତା' ଦେଖି ରୋହିଣୀକୁମର । ଧାଇଁଲେ ପବନହୁଁ ଖର ॥ ୭୦

ବେଗେ ପଶିଲେ ତାଳବନେ । ଗୋପାଳେ ମିଳିଲେ ବହନେ ॥ ୭୧

ରୋହିଣୀସୁତ ଆଗ ହୋଇ । ବୃକ୍ଷକୁ ଦେଲେ ଦୋହଲାଇ ॥ ୭୨

ଫଳ ଝାଡ଼ିଲେ ବୃକ୍ଷ ଚାଳି । ଘୋରଶବଦେ ମହାବଳୀ ॥ ୭୩

ବୃକ୍ଷକୁ ବୃକ୍ଷ ଦେହ ଲାଗି । ସକଳେ ପଡୁଛନ୍ତି ଭାଙ୍ଗି ॥ ୭୪

ଫଳ ପଡ଼ିଲା ସବୁ ଝଡ଼ି । ଶବଦ ମେଘ ଘଡ଼ଘଡ଼ି ॥ ୭୫

ବନରେ ଚହଳ ପଡ଼ିଲା । ତାଳ ବିପିନ ଭାଜିଗଲା ॥ ୭୬

ଧେନୁକାସୁର ବୀରମଣି । ଲୋକମୁଖରୁ ତାହା ଶୁଣି ॥ ୭୭

ପ୍ରତିଜ୍ଞା କରି ମହାବଳୀ । ବେଗେ ଧାଇଁଲା ପରଜ୍ୱଳି ॥ ୭୮

ଭାଜିବା ଦେଖି ତାଳବନ । ଅସୁର କଲା ଘୋର ସ୍ୱନ ॥ ୭୯

ଶବଦେ ଅବନୀ କମ୍ପିଲା । ରାମର ନିକଟେ ମିଳିଲା ॥ ୮୦

ବେନିଚରଣ ତୋଳି ବେଗେ । ମାଇଲା ହଳଧର ଅଙ୍ଗେ ॥ ୮୧

କ୍ଷଣକେ ପଛଘୁଞ୍ଚା ଦେଇ । ପୁଣି ମାଇଲା ପାଦ ନେଇ ॥ ୮୨

ଗŸର୍ଦ୍ଦ‌ଭ ସ୍ୱଭାବେ ଶବଦ । କରି ମାଇଲା ବେନିପାଦ ॥ ୮୩

ଅନନ୍ତ କୋପେ ଗୁରୁତର । ଆକର୍ଷି ଧଇଲେ ପୟର ॥ ୮୪

ବେନି ଚରଣ ଧରି କରେ । ବୁଲାଇ ପିଟିଲେ ବୃକ୍ଷରେ ॥ ୮୫

କରେ ଘୂରାନ୍ତେ ହଳଧର । ଜୀବନ ଛାଡ଼ିଲା ଅସୁର ॥ ୮୬

ତାଳ ସଙ୍ଗତେ ମୃତପିŠଣ୍ତ । ମାଡ଼ି ପଡ଼ିଲା ଭୂମିଖଣ୍ତŠ ॥ ୮୭

ବନ୍ଧୁ କୁଟୁମ୍ବ ତା'ର ଯେତେ । ରାକ୍ଷସ ବଳ ଅପ୍ରମିତେ ॥ ୮୮

ଧାଇଁଲେ ଅତି ଖରତରେ । ମିଳିଲେ ରାମର ଛାମୁରେ ॥ ୮୯

ମାରନ୍ତି ପାଦଘାତ କରି । ଦେଖି ଧାଇଁଲେ ହଳଧାରୀ ॥ ୯୦

ପଛ-ଚରଣ କରେ ଧରି । ବୁଲାଇ ଅନ୍ତରାଳ କରି ॥ ୯୧

ଏକ ଆରକେ ପ୍ରହାରିଲେ । ନିମିଷ ମାତ୍ରେ ସଂହାରିଲେ ॥ ୯୨

ଅସୁରଙ୍କର ଦେହ ସଙ୍ଗେ । ତାଳ ପଡ଼ିଲା ଭୂମିଭାଗେ ॥ ୯୩

ମେଘ ଯେସନେ ଢ଼ାଙ୍କେ ଶୂନ୍ୟ । ଅସୁର ଦେହେ ବ୍ୟାପେ ବନ ॥ ୯୪

ଦେଖି ସାନନ୍ଦ ଦେବତାଏ । ଆକାଶେ କଲେ ଜୟେ ଜୟେ ॥ ୯୫

ପୁଷ୍ପ ବରଷି ଦେବତାଏ । ନିର୍ଭୟ ହୋଇଲେ ଥୋକାଏ ॥ ୯୬

ତାଳ ଭୁଞ୍ଜିଲେ ଗୋପପୋଏ । ଘରକୁ ଆଣିଲେ ଥୋକାଏ ॥ ୯୭

ସେଦିନୁ ଗୋପ ନରନାରୀ । ନିର୍ଭୟେ ତାଳ ଭୋଗ କରି ॥ ୯୮

ସେ ବନେ ଚରାଇଲେ ଗାଈ । ନିଶ୍ଚିନ୍ତେ ଶିଙ୍ଗା ବେଣୁ ବାଇ ॥ ୯୯

ଦିନ ଅନ୍ତରେ ଗୋପେ ପଶି । ପଥେ ମୁରଲୀ ନାଦ ଘୋଷି ॥ ୧୦୦

ଗୋପବାଳକ ମଧ୍ୟେ ଥାଇ । ରଙ୍ଗେ ନାଚନ୍ତି ବେନିଭାଇ ॥ ୧୦୧

ଗୋରଜ ଭୂଷଣ ଶରୀରେ । ଗୁଞ୍ଜ ମୟୂରପୁଚ୍ଛ ଶିରେ ॥ ୧୦୨

ହୃଦେ ଲମ୍ବଇ ବନମାଳ । କରେ ସୁରଙ୍ଗ ତାଳଫଳ ॥ ୧୦୩

ଗୋପୀଏ ରାମକୃଷ୍ଣ ଦେଖି । ନିର୍ମଳ କଲେ ଚର୍ମଆଖି ॥ ୧୦୪

ଶ୍ରୀକୃଷ୍ଣ ଚାହିଁ ରସଭରେ । ମିଳିଲେ ନନ୍ଦର ମନ୍ଦିରେ ॥ ୧୦୫

ଆନନ୍ଦେ ଯଶୋଦା ରୋହିଣୀ । କୋଳେ ବସାନ୍ତି ପୁତ୍ରେ ଆଣି ॥ ୧୦୬

ପୁତ୍ରଙ୍କୁ ମାଜଣା କରାଇ । ସର ଲବଣି ଅନ୍ନ ଦେଇ ॥ ୧୦୭

ଶେଯେ ଶୁଆଇ ପୁତ୍ରବେନି । ସୁସ୍ୱରେ କଳେ ଗୀତଧ୍ୱନି ॥ ୧୦୮

ଏମନ୍ତେ ବଞ୍ଚିଲେ ରଜନୀ । ପରୀକ୍ଷେ କହେ ଶୁକମୁନି ॥ ୧୦୯

ପ୍ରଭାତେ ଉଠି ଦାମୋଦର । ବନେ ଚଳିଲେ ଧାତିକାର ॥ ୧୧୦

ଗୋପ କୁମରେ ଗାଈ ଘେନି । ଆନନ୍ଦେ କଲେ ବେଣୁଧ୍ୱନି ॥ ୧୧୧

ଘରେ ରହିଲେ ହଳଧର । କୃଷ୍ଣ ବିଜୟେ ନଦୀତୀର ॥ ୧୧୨

ଗୋରୁ ଚରାନ୍ତି ବନେପଶି । ରବି କିରଣ ପରକାଶି ॥ ୧୧୩

ତୃଷ୍ଣାରେ ନ ପାରନ୍ତି ଚଳି । କାଳିନ୍ଦୀ ହ୍ରଦେ ଯାଇ ମିଳି ॥ ୧୧୪

ସକଳେ କଲେ ଜଳପାନ । ତକ୍ଷଣେ ଛାଡ଼ିଲେ ଜୀବନ ॥ ୧୧୫

ଗୋରୁ ଗୋପାଳପୋଏ ମରି । ଦେଖି ଚକିତ ନରହରି ॥ ୧୧୬

ହ୍ରଦକୁ ଗୋବିନ୍ଦ ଅନାଇ । ବିଚାର କଲେ ଭାବଗ୍ରାହୀ ॥ ୧୧୭

ଗରୁଡ଼ ପକ୍ଷୀରାଜ ଡରେ । କାଳୀୟ ଅଛି କାଳିନ୍ଦୀରେ ॥ ୧୧୮

ତାହାର ବିଷେ ଜଳ ନାଶ । ଜନ୍ତୁଏ ନ କରନ୍ତି ଗ୍ରାସ ॥ ୧୧୯

ଏ ଜଳ ବୃନ୍ଦାବନେ ଥିଲେ । ପ୍ରାଣ ପାଇବ କେହୁ ଭଲେ ॥ ୧୨୦

ଭାରା ନିବାରେ ମୁହିଁ ଜାତ । ପୋଏ ହୋଇଲେ ପ୍ରାଣେ ହତ ॥ ୧୨୧

ନିର୍ବିଷ କରିବଇଁ ଆଜ । ଏଣେ ମୋହର ବଡ଼ କାର୍ଯ୍ୟ ॥ ୧୨୨

ଏତେ ବିଚାରି ଭାବଗ୍ରାହୀ । ଅମୃତ ନୟନେ ଅନାଇଁ ॥ ୧୨୩

ଗୋପବାଳକ ଗୋରୁ ସଙ୍ଗେ । ଜୀବନ ଦେଲେ ଶିରୀରଙ୍ଗେ ॥ ୧୨୪

ଗୋରୁ ବାଳକ ସଙ୍ଗ କରି । ଗୋପେ ମିଳିଲେ ନରହରି ॥ ୧୨୫

ସେ ହରିଚରଣ କମଳେ । ଚିତ୍ତ ମୋ ରହୁ ଭୃଙ୍ଗମେଳେ ॥ ୧୨୬

ହେ ଦୟାନିଧି ଦୟାକରି । ଏ ଦୀନ ଜନେ କର ପାରି ॥ ୧୨୭

କୃଷ୍ଣ ଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୨୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଧେନୁକବଧୋ ନାମ ଷୋଡ଼ଶୋଽଧ୍ୟାୟଃ ॥

* * *