ଦଶମ ସ୍କନ୍ଧ
ଷୋଡ଼ଶ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ଶୁଣ ପରୀକ୍ଷିତ । ଶ୍ରୀକୃଷ୍ଣ ବାଳକ ଚରିତ ॥ ୧
ଷଡ଼ବରଷେ ନରହରି । କାନନେ ଚରାନ୍ତି ବାଛୁରୀ ॥ ୨
ଦିନକୁ ଦିନ ବଳୀୟାର । ଗାଈ ଜଗିଲେ ଦାମୋଦର ॥ ୩
ରୋହିଣୀସୁତ ଘେନି ସଙ୍ଗେ । ବନେ ଖେଳନ୍ତି ନାନା ରଙ୍ଗେ ॥ ୪
ଦିନେକ କୃଷ୍ଣ ବେଣୁନାଦେ । ବାଳକେ ମିଳିଲେ ଆନନ୍ଦେ ॥ ୫
କୃଷ୍ଣଙ୍କୁ ବେଢ଼ି ଗୋପବାଳେ । ବେଣୁ ବଜାନ୍ତି କୁତୂହଳେ ॥ ୬
ଆଗେ ଅଡ଼ାଇ ବତ୍ସା ଗାଈ । ମିଳିଲେ କୃଷ୍ଣ ବନେ ଯାଇ ॥ ୭
କୋମଳ ଘାସ ନାନା ଫୁଲ । କୋକିଳ ଶବଦେ ଚହଳ ॥ ୮
ମୟୁରନାଦ ଭୃଙ୍ଗ ମେଳେ । ଗନ୍ଧକୁସୁମ ଜଳସ୍ଥଳେ ॥ ୯
ନବପଲ୍ଲବ ତରୁସ୍ଥିତ । କୋମଳ ବହଇ ମରୁତ ॥ ୧୦
ପଦ୍ମ କୁମୁଦ ଗନ୍ଧ ଘେନି । ଆନନ୍ଦେ ବିରାଜେ ଅବନୀ ॥ ୧୧
ଦେଖିଣ ଆନନ୍ଦ ଶ୍ରୀରଙ୍ଗ । ବାଳକମେଳେ ରାମ ସଙ୍ଗ ॥ ୧୨
ଫଳ କୁସୁମ ତରୁଗଣେ । ଲାଗନ୍ତି ରାମର ଚରଣେ ॥ ୧୩
ଦେଖି ହସିଲେ ଦାମୋଦର । ରାମଙ୍କୁ ବୋଲନ୍ତି ମଧୁର ॥ ୧୪
ଶ୍ରୀକୃଷ୍ଣ ଉବାଚ
ଭୋ ଦେବ ଦେଖ ତରୁଗଣେ । ଲୋଟନ୍ତି ତୁମ୍ଭର ଚରଣେ ॥ ୧୫
ଦେବେ ନ ପାନ୍ତି ଯାହା ଖୋଜି । ତାହାଙ୍କୁ ତରୁଗଣେ ଭଜି ॥ ୧୬
ତରିବେ ଭବବନ୍ଧ ତାପୁଁ । ବୃକ୍ଷ ହୋଇଲେ କେଉଁ ପାପୁ ॥ ୧୭
ଏ ଯେ ଭ୍ରମର-ପକ୍ଷୀଗଣେ । ନାଦେ ଭଜନ୍ତି ତୋ' ଚରଣେ ॥ ୧୮
ଦେବେ ଗୁପତେ ବନଚାରୀ । ତୋତେ ପୂଜନ୍ତି ଧ୍ୟାନକରି ॥ ୧୯
ପକ୍ଷୀ ସ୍ୱରୂପେ ମୁନିଗଣେ । ମନ ନିରୋପି ତୋ' ଚରଣେ ॥ ୨୦
ଦେଖ ଏ ମୟୂରଙ୍କ ନୃତ୍ୟ । ମୃଗଯୁବତୀ ଯୂଥ ଯୂଥ ॥ ୨୧
ଗୋପୀଙ୍କ ପ୍ରାୟେ ଛନ୍ତି ରହି । ଦେଖନ୍ତି ନୟନ ପୁରୋଇ ॥ ୨୨
ଦେଖ ଗଭୀର ପିକନାଦ । ଶୁଣନ୍ତେ ଖଣ୍ତେ ମନଖେଦ ॥ ୨୩
ସାଧୁଜନଙ୍କ ପ୍ରାୟେ ହୋଇ । ଭାବନ୍ତି ତୋ' ମୁଖ ଅନାଇଁ ॥ ୨୪
ଏ ପୁଣ୍ୟବନ୍ତ ମହୀଧର । ଲାଗୁଛି ତୋହର ପୟର ॥ ୨୫
ତୋ'ପାଦ ଲାଗି ବୃକ୍ଷଲତା । ପୁଣ୍ୟେ ହୋଇଲେ ବଳବନ୍ତା ॥ ୨୬
ନଦୀ ପର୍ବତ ଖଗ ମୃଗ । ନିଶ୍ଚେ ଲଭିବେ ମୋକ୍ଷଯୋଗ ॥ ୨୭
ଶୁକ ଉବାଚ
ଏମନ୍ତେ ରାମକୁ ଦେଖାଇ । ମିଳିଲେ ନଦୀକୂଳେ ଯାଇ ॥ ୨୮
ଗାଈ ଚରାନ୍ତି ବେଣୁ ବାଇ । ଆନନ୍ଦ କେ ପାରିବ କହି ॥ ୨୯
ଗୋପାଳପୋଏ ଗୀତନାଦେ । ଶ୍ରୀକୃଷ୍ଣ ନାଚନ୍ତି ଆନନ୍ଦେ ॥ ୩୦
ଗୋପ କୁମରେ ପରଶଂସି । ମୁରଲୀନାଦେ ବ୍ରହ୍ମରାଶି ॥ ୩୧
ହଂସର ରାବ ଶୁଣି ଡ଼ାକି । ନାଚନ୍ତି ମୟୂରଙ୍କୁ ଦେଖି ॥ ୩୨
ଶୁକ କୋକିଳ ନାଦ ଶୁଣି । ମୁରଲୀ ନାଦେ ତାହା ଭଣି ॥ ୩୩
ଗୋରୁଙ୍କୁ ଡ଼ାକନ୍ତି ସୁସ୍ୱରେ । ଗମ୍ଭୀରେ ନାମ ଧରି ଧୀରେ ॥ ୩୪
ପକ୍ଷୀଙ୍କ ନାଦ ଶୁଣି ଡ଼ାକି । ପଶୁଙ୍କୁ ଚାହାଁନ୍ତି ନିରେଖି ॥ ୩୫
ବେଳ ହୋଇଲା ଅବସାନ । ଫୁଟିଲେ ରୋହିଣୀନନ୍ଦନ ॥ ୩୬
ରାମର ଶ୍ରମ ଅନୁସରି । ବୃକ୍ଷରେ ଉଠିଲେ ମୁରାରି ॥ ୩୭
କୋମଳ ପତ୍ର ବୃକ୍ଷୁ ଆଣି । ଶଯ୍ୟା ପାରିଲେ ଚକ୍ରପାଣି ॥ ୩୮
ତହିଁ ଶୁଆଇ ହଳଧରେ । ପାଦ ଚାପନ୍ତି ଧୀରେ ଧୀରେ ॥ ୩୯
ଗୋପାଳପୋଏ ନୃତ୍ୟ କରି । ମନ ତୋଷିଲେ ହଳଧାରୀ ॥ ୪୦
କେଳି କରନ୍ତି ନାନାରଙ୍ଗେ । ବେଣୁ ବଜାନ୍ତି କୃଷ୍ଣ ସଙ୍ଗେ ॥ ୪୧
ଉଠିଣ ରାମ ପରଶଂସି । ହସ୍ତ ଧଇଲେ ବ୍ରହ୍ମରାଶି ॥ ୪୨
କୃଷ୍ଣ କରନ୍ତି ରଙ୍ଗେ ନୃତ୍ୟ । ଗୋପାଳେ ବେଣୁନାଦେ ଗୀତ ॥ ୪୩
କୃଷ୍ଣର ଶ୍ରମ ଦେଖି ପୋଏ । ପଲ୍ଲବ ଆଣିଲେ ଥୋକାଏ ॥ ୪୪
ବୃକ୍ଷର ମୂଳେ ଶଯ୍ୟା କରି । ତହିଁ ଶୁଆଇଲେ ମୁରାରି ॥ ୪୫
ଜାନୁରେ ରଖି ସୀମସ୍ଥାନ । କେ ବସି ଚାପନ୍ତି ଚରଣ ॥ ୪୬
ପତ୍ର-ବିଞ୍ଚଣା କରି ବିଞ୍ଚି । କେ ପାଣି କୃଷ୍ଣଦେହେ ସିଞ୍ଚି ॥ ୪୭
ସୁସ୍ୱରେ କଲେ ଗୀତରସ । ଯେଣେ ହୋଇବ ମନତୋଷ ॥ ୪୮
ଏମନ୍ତେ ଗୋପବାଳ ସଙ୍ଗେ । କୃଷ୍ଣ ଖେଳନ୍ତି ନାନାରଙ୍ଗେ ॥ ୪୯
ସୁଦାମା ନାମେ ଗୋପସୁତ । କୃଷ୍ଣର ମିତ୍ର ସେ ଯୁକତ ॥ ୫୦
ସୁବଳ ସ୍ତୋକକୃଷ୍ଣ ଆଦି । ଏମନ୍ତ ନାମ ପରସିଦ୍ଧି ॥ ୫୧
ରାମ ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୫୨
ଭୋ ରାମ ଶୁଣ ସାବଧାନ । ଆଗେ ଯେ ଦିଶେ ତାଳବନ ॥ ୫୩
ସୁପକ୍ୱଫଳ ରସମୟେ । ଦେଖ ଲୋଭିତ ଦେବତାଏ ॥ ୫୪
ପାଚିଣ ପଡ଼ୁଅଛି ତଳେ । ପୁରୁଷେ ପ୍ରମାଣ ବହଳେ ॥ ୫୫
ବୃକ୍ଷେ ଅଛଇ ଅପ୍ରମିତ । ଗନ୍ଧେ ଲୋଭିତ ଆମ୍ଭ ଚିତ୍ତ ॥ ୫୬
ପୂର୍ବେ ଏ ଫଳ ଲୋକେ ଖା'ନ୍ତି । ଏବେ ତ ଯାଇ ନପାରନ୍ତି ॥ ୫୭
ଧେନୁକ ନାମେ ମହାସୁର । ସେ ତାଳବନେ ତା'ର ଘର ॥ ୫୮
ବନ୍ଧୁବାନ୍ଧବ ଅପ୍ରମିତେ । ସେ ବନେ ଅଛନ୍ତି ନିଶ୍ଚିନ୍ତେ ॥ ୫୯
ତାହାର ଭୟେ ଲୋକେ ଡ଼ରି । ତିନି ଭୁବନେପଡ଼େ ହୁରି ॥ ୬୦
ଦେବେ ଡ଼ରନ୍ତି ତାର ନାଏଁ । ପ୍ରଚଣ୍ତେ ପବନ ନ ବହେ ॥ ୬୧
ଡ଼ରାଏ ଭୂତରୂପ ହୋଇ । ଲୋକେ ନ ଯା'ନ୍ତି ତାଳ ଖାଇ ॥ ୬୨
ସୀମା ଆବୋରି ପୁର କରି । ସେ ପୁରେ ପଶି ତ ନ ପାରି ॥ ୬୩
ଅପାରଦିନୁ ସେହୁ ବାଟ । ପଡ଼ି ଅଛଇ ନନ୍ଦଚାଟ ॥ ୬୪
ବୃଦ୍ଧେ କହନ୍ତି ପୂର୍ବବାଣୀ । ସେ ବନେ ଭୂତ ଥାଇ ପୁଣି ॥ ୬୫
ଡ଼ରି ନ'ଯାନ୍ତି ତହିଁ ଲୋକେ । ସେ ବନେ ନ ଆସନ୍ତି ଥୋକେ ॥ ୬୬
ତୁ ନାଥ ହୋଇଲେ ସଦୟେ । ସେ ଫଳ ଭୁଞ୍ଜିବୁ ଥୋକାଏ ॥ ୬୭
ଗୋପପୁରକୁ ନେବୁ ବହି । ଶୁଣି ହସନ୍ତି ବେନିଭାଇ ॥ ୬୮
ବୋଲନ୍ତି କଢ଼ାଅ ସେ ପଥ । ଆଗ ହୋଇଲେ ଗୋପୀନାଥ ॥ ୬୯
ତା' ଦେଖି ରୋହିଣୀକୁମର । ଧାଇଁଲେ ପବନହୁଁ ଖର ॥ ୭୦
ବେଗେ ପଶିଲେ ତାଳବନେ । ଗୋପାଳେ ମିଳିଲେ ବହନେ ॥ ୭୧
ରୋହିଣୀସୁତ ଆଗ ହୋଇ । ବୃକ୍ଷକୁ ଦେଲେ ଦୋହଲାଇ ॥ ୭୨
ଫଳ ଝାଡ଼ିଲେ ବୃକ୍ଷ ଚାଳି । ଘୋରଶବଦେ ମହାବଳୀ ॥ ୭୩
ବୃକ୍ଷକୁ ବୃକ୍ଷ ଦେହ ଲାଗି । ସକଳେ ପଡୁଛନ୍ତି ଭାଙ୍ଗି ॥ ୭୪
ଫଳ ପଡ଼ିଲା ସବୁ ଝଡ଼ି । ଶବଦ ମେଘ ଘଡ଼ଘଡ଼ି ॥ ୭୫
ବନରେ ଚହଳ ପଡ଼ିଲା । ତାଳ ବିପିନ ଭାଜିଗଲା ॥ ୭୬
ଧେନୁକାସୁର ବୀରମଣି । ଲୋକମୁଖରୁ ତାହା ଶୁଣି ॥ ୭୭
ପ୍ରତିଜ୍ଞା କରି ମହାବଳୀ । ବେଗେ ଧାଇଁଲା ପରଜ୍ୱଳି ॥ ୭୮
ଭାଜିବା ଦେଖି ତାଳବନ । ଅସୁର କଲା ଘୋର ସ୍ୱନ ॥ ୭୯
ଶବଦେ ଅବନୀ କମ୍ପିଲା । ରାମର ନିକଟେ ମିଳିଲା ॥ ୮୦
ବେନିଚରଣ ତୋଳି ବେଗେ । ମାଇଲା ହଳଧର ଅଙ୍ଗେ ॥ ୮୧
କ୍ଷଣକେ ପଛଘୁଞ୍ଚା ଦେଇ । ପୁଣି ମାଇଲା ପାଦ ନେଇ ॥ ୮୨
ଗର୍ଦ୍ଦଭ ସ୍ୱଭାବେ ଶବଦ । କରି ମାଇଲା ବେନିପାଦ ॥ ୮୩
ଅନନ୍ତ କୋପେ ଗୁରୁତର । ଆକର୍ଷି ଧଇଲେ ପୟର ॥ ୮୪
ବେନି ଚରଣ ଧରି କରେ । ବୁଲାଇ ପିଟିଲେ ବୃକ୍ଷରେ ॥ ୮୫
କରେ ଘୂରାନ୍ତେ ହଳଧର । ଜୀବନ ଛାଡ଼ିଲା ଅସୁର ॥ ୮୬
ତାଳ ସଙ୍ଗତେ ମୃତପିଣ୍ତ । ମାଡ଼ି ପଡ଼ିଲା ଭୂମିଖଣ୍ତ ॥ ୮୭
ବନ୍ଧୁ କୁଟୁମ୍ବ ତା'ର ଯେତେ । ରାକ୍ଷସ ବଳ ଅପ୍ରମିତେ ॥ ୮୮
ଧାଇଁଲେ ଅତି ଖରତରେ । ମିଳିଲେ ରାମର ଛାମୁରେ ॥ ୮୯
ମାରନ୍ତି ପାଦଘାତ କରି । ଦେଖି ଧାଇଁଲେ ହଳଧାରୀ ॥ ୯୦
ପଛ-ଚରଣ କରେ ଧରି । ବୁଲାଇ ଅନ୍ତରାଳ କରି ॥ ୯୧
ଏକ ଆରକେ ପ୍ରହାରିଲେ । ନିମିଷ ମାତ୍ରେ ସଂହାରିଲେ ॥ ୯୨
ଅସୁରଙ୍କର ଦେହ ସଙ୍ଗେ । ତାଳ ପଡ଼ିଲା ଭୂମିଭାଗେ ॥ ୯୩
ମେଘ ଯେସନେ ଢ଼ାଙ୍କେ ଶୂନ୍ୟ । ଅସୁର ଦେହେ ବ୍ୟାପେ ବନ ॥ ୯୪
ଦେଖି ସାନନ୍ଦ ଦେବତାଏ । ଆକାଶେ କଲେ ଜୟେ ଜୟେ ॥ ୯୫
ପୁଷ୍ପ ବରଷି ଦେବତାଏ । ନିର୍ଭୟ ହୋଇଲେ ଥୋକାଏ ॥ ୯୬
ତାଳ ଭୁଞ୍ଜିଲେ ଗୋପପୋଏ । ଘରକୁ ଆଣିଲେ ଥୋକାଏ ॥ ୯୭
ସେଦିନୁ ଗୋପ ନରନାରୀ । ନିର୍ଭୟେ ତାଳ ଭୋଗ କରି ॥ ୯୮
ସେ ବନେ ଚରାଇଲେ ଗାଈ । ନିଶ୍ଚିନ୍ତେ ଶିଙ୍ଗା ବେଣୁ ବାଇ ॥ ୯୯
ଦିନ ଅନ୍ତରେ ଗୋପେ ପଶି । ପଥେ ମୁରଲୀ ନାଦ ଘୋଷି ॥ ୧୦୦
ଗୋପବାଳକ ମଧ୍ୟେ ଥାଇ । ରଙ୍ଗେ ନାଚନ୍ତି ବେନିଭାଇ ॥ ୧୦୧
ଗୋରଜ ଭୂଷଣ ଶରୀରେ । ଗୁଞ୍ଜ ମୟୂରପୁଚ୍ଛ ଶିରେ ॥ ୧୦୨
ହୃଦେ ଲମ୍ବଇ ବନମାଳ । କରେ ସୁରଙ୍ଗ ତାଳଫଳ ॥ ୧୦୩
ଗୋପୀଏ ରାମକୃଷ୍ଣ ଦେଖି । ନିର୍ମଳ କଲେ ଚର୍ମଆଖି ॥ ୧୦୪
ଶ୍ରୀକୃଷ୍ଣ ଚାହିଁ ରସଭରେ । ମିଳିଲେ ନନ୍ଦର ମନ୍ଦିରେ ॥ ୧୦୫
ଆନନ୍ଦେ ଯଶୋଦା ରୋହିଣୀ । କୋଳେ ବସାନ୍ତି ପୁତ୍ରେ ଆଣି ॥ ୧୦୬
ପୁତ୍ରଙ୍କୁ ମାଜଣା କରାଇ । ସର ଲବଣି ଅନ୍ନ ଦେଇ ॥ ୧୦୭
ଶେଯେ ଶୁଆଇ ପୁତ୍ରବେନି । ସୁସ୍ୱରେ କଳେ ଗୀତଧ୍ୱନି ॥ ୧୦୮
ଏମନ୍ତେ ବଞ୍ଚିଲେ ରଜନୀ । ପରୀକ୍ଷେ କହେ ଶୁକମୁନି ॥ ୧୦୯
ପ୍ରଭାତେ ଉଠି ଦାମୋଦର । ବନେ ଚଳିଲେ ଧାତିକାର ॥ ୧୧୦
ଗୋପ କୁମରେ ଗାଈ ଘେନି । ଆନନ୍ଦେ କଲେ ବେଣୁଧ୍ୱନି ॥ ୧୧୧
ଘରେ ରହିଲେ ହଳଧର । କୃଷ୍ଣ ବିଜୟେ ନଦୀତୀର ॥ ୧୧୨
ଗୋରୁ ଚରାନ୍ତି ବନେପଶି । ରବି କିରଣ ପରକାଶି ॥ ୧୧୩
ତୃଷ୍ଣାରେ ନ ପାରନ୍ତି ଚଳି । କାଳିନ୍ଦୀ ହ୍ରଦେ ଯାଇ ମିଳି ॥ ୧୧୪
ସକଳେ କଲେ ଜଳପାନ । ତକ୍ଷଣେ ଛାଡ଼ିଲେ ଜୀବନ ॥ ୧୧୫
ଗୋରୁ ଗୋପାଳପୋଏ ମରି । ଦେଖି ଚକିତ ନରହରି ॥ ୧୧୬
ହ୍ରଦକୁ ଗୋବିନ୍ଦ ଅନାଇ । ବିଚାର କଲେ ଭାବଗ୍ରାହୀ ॥ ୧୧୭
ଗରୁଡ଼ ପକ୍ଷୀରାଜ ଡରେ । କାଳୀୟ ଅଛି କାଳିନ୍ଦୀରେ ॥ ୧୧୮
ତାହାର ବିଷେ ଜଳ ନାଶ । ଜନ୍ତୁଏ ନ କରନ୍ତି ଗ୍ରାସ ॥ ୧୧୯
ଏ ଜଳ ବୃନ୍ଦାବନେ ଥିଲେ । ପ୍ରାଣ ପାଇବ କେହୁ ଭଲେ ॥ ୧୨୦
ଭାରା ନିବାରେ ମୁହିଁ ଜାତ । ପୋଏ ହୋଇଲେ ପ୍ରାଣେ ହତ ॥ ୧୨୧
ନିର୍ବିଷ କରିବଇଁ ଆଜ । ଏଣେ ମୋହର ବଡ଼ କାର୍ଯ୍ୟ ॥ ୧୨୨
ଏତେ ବିଚାରି ଭାବଗ୍ରାହୀ । ଅମୃତ ନୟନେ ଅନାଇଁ ॥ ୧୨୩
ଗୋପବାଳକ ଗୋରୁ ସଙ୍ଗେ । ଜୀବନ ଦେଲେ ଶିରୀରଙ୍ଗେ ॥ ୧୨୪
ଗୋରୁ ବାଳକ ସଙ୍ଗ କରି । ଗୋପେ ମିଳିଲେ ନରହରି ॥ ୧୨୫
ସେ ହରିଚରଣ କମଳେ । ଚିତ୍ତ ମୋ ରହୁ ଭୃଙ୍ଗମେଳେ ॥ ୧୨୬
ହେ ଦୟାନିଧି ଦୟାକରି । ଏ ଦୀନ ଜନେ କର ପାରି ॥ ୧୨୭
କୃଷ୍ଣ ଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୨୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଧେନୁକବଧୋ ନାମ ଷୋଡ଼ଶୋଽଧ୍ୟାୟଃ ॥
* * *