ଦଶମ ସ୍କନ୍ଧ

ପଞ୍ଚଦଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ପରୀକ୍ଷ ମହୀପତି । ବ୍ରହ୍ମାର ମନୁ ଗଲା ଭ୍ରାନ୍ତି ॥

ସଭୟେ ବେନି କରଯୋଡ଼ି । କ୍ଷଣ କ୍ଷଣକେ ପାୟେ ପଡ଼ି ॥

କୃଷ୍ଣ ଚରଣେ ଦେଇ ଶିର । ସ୍ତୁତି କରଇ ବେଦବର ॥

ନମସ୍ତେ ବ୍ରହ୍ମାଣ୍ତŠ ଠାକୁର । ତୋହର ମାୟା ଏ ସଂସାର ॥

ତୋ ତନୁ ନୀଳଘନ ତ୍ରାସ । ବିଜୁଳି ପ୍ରାୟ ପୀତବାସ ॥

ଗୁଞ୍ଜରା ପାଟି ଶିଖି ପୁଚ୍ଛ । ଏଣେ ନିର୍ମଳ ଚୂଳ ସଞ୍ଚ ॥

ଅଳପ ସ୍ଥିତ ରଙ୍ଗ ମୁଖ । ଚିନ୍ତିଲେ ଖଣ୍ତେ ଭବଦୁଃଖ ॥

ବନମାଳାଏ ଲମ୍ବେ ଉରେ । ଅନ୍ନ ପୁଡ଼ାଏ ବାମକରେ ॥

ବେତ ମୁରଲୀ ଶିଙ୍ଗା କରେ । କମଳା ସେବଇ ପୟରେ ॥

ଏ ଯେତେ ବାଛୁରୀ କୁମର । ତୋହର ଶରୀରୁ ବାହାର ॥ ୧୦

ତୋ ଅବତାର ମୋର ହିତେ । ସୁଖ ସମ୍ପଦ ଅବିରତେ ॥ ୧୧

ଇଚ୍ଛାରେ ହୋଇଅଛୁ ଜାତ । ତୋର ନିର୍ମାଣ ପଞ୍ଚଭୂତ ॥ ୧୨

ଏ ଦେହ ମହିମା ନ ଜାଣୁ । ମୁଁ ବ୍ରହ୍ମା ରୁଦ୍ର ମୁନିମନୁ ॥ ୧୩

ବୁଦ୍ଧି ବିଚାର ଅନୁମାନି । ବେଦ ପୁରାଣେ ପରିମାଣି ॥ ୧୪

ଯେ ଜ୍ଞାନଯୋଗେ ଇନ୍ଦ୍ରି ଜିଣେ । ତୋର ମହିମା ନ ପ୍ରମାଣେ ॥ ୧୫

ସେ ପ୍ରାଣୀ ହୁଅଇ ନିରାଶ । କେବଳ ଲଭେ ଦେହପ୍ରାସ ॥ ୧୬

ଜ୍ଞାନର ପଥ ଛାଡ଼ି ଥୋକେ । ତୋତେ ଚିନ୍ତନ୍ତି ସନ୍ଥ ଲୋକେ ॥ ୧୭

ସାଧୁଜନଙ୍କ ମୁଖୁ ଶୁଣି । ତୋର ମହିମା ମନେ ଗୁଣି ॥ ୧୮

ମନବଚନ କରି ଏକ । ହେଲେ ଜିଣନ୍ତି ତିନିଲୋକ ॥ ୧୯

ତୋର ଚରଣେ ଭାବ ଛାଡ଼ି । ଯେ ଯା'ନ୍ତି ଯୋଗପଥ ମାଡ଼ି ॥ ୨୦

ମନ ବଚନ ହୃଦେ ଛନ୍ଦି । ତପେ ଇନ୍ଦ୍ରିୟବଳ ରୁନ୍ଧି ॥ ୨୧

ଯେତେ କରନ୍ତି ଦେହଶ୍ରମ । ତୋର ମାୟାରେ ହୋନ୍ତି ଭ୍ରମ ॥ ୨୨

କେବଳ ଲାଭ ଦେହପ୍ରାସ । ସେ ପ୍ରାଣୀ ହୁଅନ୍ତି ନିରାଶ ॥ ୨୩

ତŠଣ୍ତୁଳ ଆଶେ ଚଷୁ କୁଟି । ଯେହ୍ନେ ମରନ୍ତି ପ୍ରାଣୀ ଫୁଟି ॥ ୨୪

ନିରାଶ ହୋନ୍ତି ବେନିପଥ । ପଶୁ ଯୋନିରେ ହୋନ୍ତି ଜାତ ॥ ୨୫

ତୋତେ ନ ପାଇ ନରହରି । ଭ୍ରମନ୍ତି ତୋ' ମାୟା ଆବୋରି ॥ ୨୬

ପୂର୍ବେ ଅନେକ ମୁନିଜନ । ସେବିଲେ ତୋହର ଚରଣ ॥ ୨୭

ନିଜ କରମ ଫଳ ଭୁଞ୍ଜି । ତୋ' ଗତି ଏକୁ ଆରେ ହେଜି ॥ ୨୮

ପାଇଲେ ତୋ' ପରମ ପଦ । ଖŠଣ୍ତିଲେ ବିଷୟ-ବିଷାଦ ॥ ୨୯

ନିର୍ମଳ ଆତ୍ମା ମୁନିଗଣେ । ତୋର ମହିମା ପରିମାଣେ ॥ ୩୦

ତୋର ବିକାର ନ ପାଇଲେ । ଭକତି ହେଜି ତରିଗଲେ ॥ ୩୧

ନିର୍ଗୁଣ ଆତ୍ମା ଗୁଣବନ୍ତ । ତୋର ମହିମା ଗୋପୀନାଥ ॥ ୩୨

ବ୍ରହ୍ମାଣ୍ତେ ଦେହବନ୍ତ ହୋଇ । ତୋ' ଗୁଣ କେ ପାରିବ କହି ॥ ୩୩

ଭୂମିରେ ଯେତେ ରେଣୁଛନ୍ତି । ଆକାଶେ ଯେତେ ତାରାପନ୍ତି ॥ ୩୪

ବରଷା ଧାରା ପଡ଼େ ଯେତେ । କେ ଗଣିପାରେ ଏ ଜଗତେ ॥ ୩୫

ଏ ତିନି ଗଣନେ ସମର୍ଥ । କେହି ବା ଥିବେ ଏ ଜଗତ ॥ ୩୬

ତୋର ମହିମା ଗୁଣ ଗୁଣି । କେହି ନ ପାରେ ଚକ୍ରପାଣି ॥ ୩୭

ଯାହାକୁ ହେଉ ତୁ ସଦୟେ । ସେ ନ ପଡ଼ଇ ମାୟାମୋହେ ॥ ୩୮

ତୋର ଭକତି ହୃଦେ ହେଜି । ଅର୍ଜିଲା କର୍ମଫଳ ଭୁଞ୍ଜି ॥ ୩୯

ଚିତ୍ତ ନିବେଶି ତୋର ପାଦେ । ସଂସାରୁ ଯା'ନ୍ତି ମୋକ୍ଷପଦେ ॥ ୪୦

ଅଜ୍ଞାନ ପଣ ଦେଖ ମୋର । ତୋତେ ଭŠଣ୍ତିଲି ମାୟାଧର ॥ ୪୧

ମାୟାବୀମାନଙ୍କର ଶ୍ରେଷ୍ଠ । ତୋ' ସଙ୍ଗେ କଲି ମାୟା-ହଟ ॥ ୪୨

ଅନଳ ଶିଖା କି ଅନଳ । ସଙ୍ଗତେ ହୋଇପାରେ ତୁଲ ॥ ୪୩

ଅଳପ ଲୋକେ ଅଧିକାର । ତୁ କିପାଁ ଦେଲୁ ଦାମୋଦର ॥ ୪୪

ଅଳପ ଲୋକେ ଆଧି ଦେଲେ । ସମ୍ଭାଳି ନ ପାରଇ ଭଲେ ॥ ୪୫

ବ୍ରହ୍ମା ବୋଲି ମୁଁ ବହି ଗର୍ବ । ତୋତେ ଭŠଣ୍ତିଲି ପଦ୍ମନାଭ ॥ ୪୬

ଏଣୁ ହୋଇଲି ଅପରାଧୀ । ତୁ ନାଥ କରୁଣା ବାରିଧି ॥ ୪୭

ମୋ' ଅପରାଧ କ୍ଷମାକର । ଭୋ ନାଥ ଶରଣ ତୋହର ॥ ୪୮

ମୁଁ ତୋର ନାଭିପଦୁଁ ଜାତ । ତୁ କି ନ ଜାଣୁ ଜଗନ୍ନାଥ ॥ ୪୯

ମୁଁ ତୋର ଯେତେକ ଅନ୍ତର । ତୁ କି ନ ଜାଣୁ ଚକ୍ରଧର ॥ ୫୦

ଅବନୀ ଆଦି ପଞ୍ଚଭୂତେ । ମନ ଚେତନା ଅହଂକୃତେ ॥ ୫୧

ଜୀବ ପରମ ଭାବ ବହି । ବ୍ରହ୍ମାŠଣ୍ତ ପାଳୁ ଭାବଗ୍ରାହୀ ॥ ୫୨

କେତେ ବ୍ରହ୍ମାŠଣ୍ତ ରୋମମୂଳେ । ଉଡୁ ଅଛନ୍ତି ଅନ୍ତରାଳେ ॥ ୫୩

ଜଳାକବାଟି ବାଟେ ଯେହ୍ନେ । ରେଣୁଏ ଉଡ଼ନ୍ତି ଗଗନେ ॥ ୫୪

ମୁଁ ଏକ ଅŠଣ୍ତ ମଧ୍ୟେ ରହି । ସପ୍ତ ଚାଖŠଣ୍ତ ଦେହ ବହି ॥ ୫୫

ଅଛଇ ଜୀବ ଆତ୍ମା ଧରି । ତୋ' ମାୟା-ପଟଳ ଆବୋରି ॥ ୫୬

ଏତେ ଅନ୍ତର ତୋର ମୋର । ତୋତେ ଭଣ୍ତିଲି ମୁଁ ପାମର ॥ ୫୭

ଗର୍ଭ ଭିତରେ ସୁତ ଥାଇ । ସେ ଯେହ୍ନେ ପାଦ ପ୍ରହାରଇ ॥ ୫୮

ସେ ଅପରାଧ ଚିତ୍ତେ ଘେନି । କୋପ କି କରଇ ଜନନୀ ॥ ୫୯

ତୋ' ନାଭିକମଳୁ ମୁଁ ଜାତ । ତୋତେ ଭଣ୍ତିଲି ଜଗନ୍ନାଥ ॥ ୬୦

ତୋହର ଉଦରେ ପଶିଲି । ଅଶେଷ ବ୍ରହ୍ମାŠଣ୍ତ ଦେଖିଲି ॥ ୬୧

ଜଳଧି ଶୟନର କାଳେ । ଏ କଥା ଜାଣନ୍ତି ସକଳେ ॥ ୬୨

ନଭ-ଅବନୀ ଦେହବ୍ୟାପୀ । ତୁ ନାଥ ନାରାୟଣ ରୂପୀ ॥ ୬୩

ସକଳ ନର ଆତ୍ମା ହେଉ । ତେଣୁ ନାରାୟଣ ବୋଲାଉ ॥ ୬୪

ପ୍ରଳୟଜଳେ ଥିଲୁ ଶୋଇ । ତୋ ରୂପ ଦେଖିଲଇଁ ମୁହିଁ ॥ ୬୫

ଦେଖି ସାନନ୍ଦ ମୋର ମନ । ତୁ କି ନଜାଣୁ ଜନାŸର୍ଦ୍ଦନ ॥ ୬୬

ମିଥ୍ୟା ନୁହଁଇ ନା ଏ କଥା । ତୋତେହେଁ ସାକ୍ଷୀ ତୋରମାତା ॥ ୬୭

ଗୋପାଳକୁମରଙ୍କ ମେଳେ । ମାଟି ଭକ୍ଷିଲୁ ଯେତେବେଳେ ॥ ୬୮

ଯଶୋଦା ଦେଖିଲା ତୋ ତୁଣ୍ତŠ । ଉଦରେ ଅଶେଷ ବ୍ରହ୍ମାŠଣ୍ତ ॥ ୬୯

ବାହାର ଭିତର ଆଚ୍ଛାଦି । ତୋ' ମାୟାବଳେ ଅଛୁ ରୁନ୍ଧି ॥ ୭୦

ଏବେ ଏ ବୃନ୍ଦାବନେ ମୋତେ । ମାୟା ନ କଲୁ କେତେ କେତେ ॥ ୭୧

ପ୍ରଥମେ ଦେଖିଲଇଁ ଏକ । କ୍ଷଣକେ ହୋଇଲୁ ଅନେକ ॥ ୭୨

ଯେତେ ବାଛୁରୀ ଗୋପପୋଏ । ଦିଶିଲେ ତୋହରି ପରାୟେ ॥ ୭୩

ନୀଳ ଶରୀର ଚାରିକର । ବ୍ରହ୍ମାଏ ଖଟନ୍ତି ପୟର ॥ ୭୪

ତୁହି ତୋହର ମାୟା ବହୁ । ବ୍ରହ୍ମା-ଶଙ୍କର ରୂପ ବହୁ ॥ ୭୫

ସୃଷ୍ଟିର ଅଗ୍ରେ ମୋତେ କରି । ସଙ୍ଖୋଳି ଦେଲୁ ବେଦଚାରି ॥ ୭୬

ଜଗତ କରାଇ ଭିଆଣ । ତୁ ତାହା ପାଳୁ ନାରାୟଣ ॥ ୭୭

ଭୂତ-ଭାବନ ରୂପ ବହୁ । ଭକତ ହିତେ ନିତ୍ୟେ ଥାଉ ॥ ୭୮

ଶଙ୍କର ରୂପେ କରୁ ଅନ୍ତ । ଏଣୁ ତୁ ବୋଲାଉ ଅନନ୍ତ ॥ ୭୯

ଦେବ ବ୍ରାହ୍ମଣ ଋଷି ପଶୁ । ଏତେ ଶରୀର ତୁ ପ୍ରକାଶୁ ॥ ୮୦

ଦୁଷ୍ଟ ନିବାରି ସନ୍ଥ ପାଳୁ । ଦୟାରେ ଧର୍ମ ତୁ ସମ୍ଭାଳୁ ॥ ୮୧

ସଂସାରେ ହେଉ ଅବତାର । ଦୁଷ୍ଟଦଳନ ବାନା ତୋର ॥ ୮୨

ତୁ ନାଥ ଧର୍ମ କରୁ ରକ୍ଷା । ଖଳନାଶନ ତୋର ଦୀକ୍ଷା ॥ ୮୩

କାହିଁ କିପରି କିସ ପାଇଁ । କେତେବେଳେ ବା ଖେଳୁ ତୁହି ॥ ୮୪

ବିସ୍ତାରି ତୋର ଯୋଗମାୟା । କେ ଜାଣିପାରେପ୍ରଭୁ ଏହା ॥ ୮୫

ଯୋଗେଶ୍ୱରଙ୍କୁ ଅଗୋଚର । ଭୋ ନାଥ ଏ ଲୀଳା ତୋହର ॥ ୮୬

ତେଣୁ ତୋ ମାୟାର ଜଗତ । ତୋ' ତହୁଁ ହୋନ୍ତି ଆତଜାତ ॥ ୮୭

ବିଜୁଳି ଝଟକ ଯେସନ । ମେଘରେ ଦିଶି ହୋନ୍ତି ଲୀନ ॥ ୮୮

ତୁନାଥ ପୁରୁଷ ପୁରାଣ । ଜ୍ୟୋତି ସ୍ୱରୂପ ଠୁଳଶୂନ୍ୟ ॥ ୮୯

ନିୟତ ପୂ‰ର୍ଣ୍ଣ ନିରଞ୍ଜନ । ଉପାଧିହୀନ ସୁଖପୂ‰ର୍ଣ୍ଣ ॥ ୯୦

ସକଳ ଜନ୍ତୁ ମଧ୍ୟେ ତୁହି । ବିହରୁ ଆତ୍ମାରୂପ ହୋଇ ॥ ୯୧

ଗୁରୁ ବଚନୁ ଜ୍ଞାନସାର । ପାଇ ଯେ କରନ୍ତି ବିଚାର ॥ ୯୨

ଭକ୍ତି ଭାବରେ ଜ୍ଞାନଲାଭ । ହୁଅଇ ଯା'ର ପଦ୍ମନାଭ ॥ ୯୩

ଭବ ଜଳଧି ସେ ତରନ୍ତି । ମାୟା-ପଟଳେ ନ ପଡ଼ନ୍ତି ॥ ୯୪

ଆତ୍ମାକୁ ଆତ୍ମଜ୍ଞାନେ ଜାଣି । ଚିନ୍ତା ନ କରେ ଯେଉଁ ପ୍ରାଣୀ ॥ ୯୫

ଅଜ୍ଞାନ ଭାବେ ଜ୍ଞାନ ନାଶ । ରଜ୍ଜୁରେ ଯେହ୍ନେ ସର୍ପତ୍ରାସ ॥ ୯୬

ଜୀବର ବନ୍ଧ-ମୋକ୍ଷ ଦୁଇ । ଅଜ୍ଞାନ ଭାବୁଁ ଜାତ ହୋଇ ॥ ୯୭

ତୋହର ତତ୍ତ୍ୱ ଯେ ଜାଣଇ । ତାହାର ବନ୍ଧ-ମୋକ୍ଷ ନାହିଁ ॥ ୯୮

ଆଦିତ୍ୟ ସଦା ପ୍ରକାଶିଲେ । ନ ଥା'ନ୍ତା ଦିବାରାତ୍ର ଭଲେ ॥ ୯୯

ତେସନେ ସଦା ସର୍ବସ୍ଥାନ । ସମାନ ଭାବେ ଅଛ ପୂ‰ର୍ଣ୍ଣ ॥ ୧୦୦

ତୋତେ ଯେ ନ ପାରନ୍ତି ଚିନ୍ତି । ଆତ୍ମାକୁ ବାହାରେ ଲୋଡ଼ନ୍ତି ॥ ୧୦୧

ଶ୍ରମ ଯେ ଲାଭ ତାହାଙ୍କର । ନାହିଁ ତୋ' ଭିତର ବାହାର ॥ ୧୦୨

ଯେ ତୋତେ ଶରୀରେ ଲୋଡ଼ନ୍ତି । ସୂକ୍ଷ୍ମ ସ୍ୱରୂପ ରୂପେ ଚିନ୍ତି ॥ ୧୦୩

ଅଜ୍ଞାନ ନାଶେ ତାହାଙ୍କର । ଭବ ସାଗରୁ ହୋନ୍ତି ପାର ॥ ୧୦୪

ଏ ଜ୍ଞାନୀ ଲୋକଙ୍କର ମତ । ତୋହର ଦୟାରେ ଅନନ୍ତ ॥ ୧୦୫

ତୋତେ ନିରୋପି ଏ ଶରୀରେ । ଶରୀର-ଭ୍ରାନ୍ତି ଦୂର କରେ ॥ ୧୦୬

ନିକଟେ ସର୍ପ ଯା'ର ଥାଇ । ସେ କି ଆନକୁ ପାରେ ଚାହିଁ ॥ ୧୦୭

ସର୍ପର ପ୍ରାୟ ତୋ' ସ୍ୱରୂପେ । ଜ୍ଞାନୀଏ ଜାଗରିତ ଆପେ ॥ ୧୦୮

ତୋର ଦୟାରେ ତୋତେ ଜାଣି । ଭାବି ତରନ୍ତି ସାଧୁପ୍ରାଣୀ ॥ ୧୦୯

ତୋ' ଅନୁଗ୍ରହ ଯାରେ ନାହିଁ । ବ୍ରହ୍ମାଣ୍ତେŠ ଲୋଡ଼ିଲେ ନ ପାଇ ॥ ୧୧୦

କେତେ କହିବି ନାଥ ତୋତେ । ଏମନ୍ତ ଆଜ୍ଞା ହେଉ ମୋତେ ॥ ୧୧୧

ନାନା-ଯୋନିରେ ଜାତ କର । ତୋ'ର ସେବକ ମଧ୍ୟେ ବର ॥ ୧୧୨

ଅପ୍ରାଧ କ୍ଷମାକର ମୋତେ । ତୋ' ପାଦେ ସେବଇଁ ଯେମନ୍ତେ ॥ ୧୧୩

ଗୋପେ ଅଛନ୍ତି ଯେତେ ଜନ । କେ ତା'ଙ୍କ ପୁଣ୍ୟ କରୁ ଆନ ॥ ୧୧୪

ହୋଇଣ ବାଛୁରୀ-କୁମର । ସ୍ତନ୍ୟ ପିଇଲୁ ତାହାଙ୍କର ॥ ୧୧୫

ତୋ' ମନରଞ୍ଜନେ ଅନନ୍ତ । ଯଜ୍ଞେ ନୋହିଲେ ସମରଥ ॥ ୧୧୬

ନନ୍ଦ-ଯଶୋଦା ଗୋପୀ-ଗୋପ । ଅନେକ କରିଛନ୍ତି ତପ ॥ ୧୧୭

ତୁ ନାଥ ମିତ୍ର ତାହାଙ୍କର । ବ୍ରହ୍ମା-ଶଙ୍କରେ ଅଗୋଚର ॥ ୧୧୮

ତୋ'ପାଦ ପଦ୍ମରେ ଅମୃତ । ତେଣେ ଲୋଭିତ ଯା'ର ଚିତ୍ତ ॥ ୧୧୯

ମନ ଭ୍ରମରେ କରି ପାନ । ତେଜିବେ ତୋ' ମାୟା ଅଜ୍ଞାନ ॥ ୧୨୦

କୀଟପତଙ୍ଗ ରୂପ ହୋଇ । ଗୋକୁଳେ ପଡ଼ିଥିବି ମୁହିଁ ॥ ୧୨୧

ଗୋପଜନଙ୍କ ପାଦଧୂଳି । ଦେହରେ ହେଉଥିବି ବୋଳି ॥ ୧୨୨

ଦେବେ ନ ପାନ୍ତି ଯା'କୁ ଖୋଜି । ଗୋପୀଏ ମିତ୍ରପଣେ ଭଜି ॥ ୧୨୩

ପୂତନା କରି ଶତ୍ରୁପଣ । ତୋ'ଦେହେ ପଶି ହେଲା ଲୀନ ॥ ୧୨୪

ଏଣୁ ତୋ' ନାହିଁ ମିତ୍ର ଅରି । ଜଗୁ ଜୀବନ ନରହରି ॥ ୧୨୫

ତୋର ଚରଣେ ଗୋପୀନାଥ । ଶରଣ ନ ପଶେ ଯାବତ ॥ ୧୨୬

ତାବତ କାମ-କ୍ରୋଧ ବଳେ । ଡ଼କା କରନ୍ତି ଅବହେଳେ ॥ ୧୨୭

ଗୃହ ହୁଅଇ ବନ୍ଦିଘର । ମୋହ ଶାଙ୍କୁଳି ଏ ପୟର ॥ ୧୨୮

ଦାରା ତନୟ ମୋହେ ଜଡ଼ି । ଦୁଃଖ ସଂକଟେ ଥା'ନ୍ତି ପଡ଼ି ॥ ୧୨୯

ଶରଣ ଜନର ଆନନ୍ଦ । ବଢ଼ାଇବାକୁ ଆଦିକନ୍ଦ ॥ ୧୩୦

ଅରୂପ ହୋଇ ରୂପ ଧରୁ । ପୁତ୍ରାଦି ରୂପେ ଲୀଳା କରୁ ॥ ୧୩୧

ଯେ ବୋଲେ ତୋହର ମହିମା । ଜାଣଇ ବୋଲି ଗୁଣସୀମା ॥ ୧୩୨

ସେ ଜାଣୁ ମୁହିଁ ତ ବହୁତ । ବିଚାରି ନ ପାଇଲି ଅନ୍ତ ॥ ୧୩୩

ତୁ ଅନ୍ତର୍ଯ୍ୟାମୀ ଜଗନ୍ନାଥ । ତୋ'ର ଏ ଦେହ ଏଜଗତ ॥ ୧୩୪

ଅଧିକ କି କହିବି ଆଉ । କିସ କରିବି ଆଜ୍ଞା ହେଉ ॥ ୧୩୫

ତୁ ବୃଷ୍ଣିବଂଶ-ଦିନକର । ପାଷŠଣ୍ତ ଧର୍ମ-ତମ ହର ॥ ୧୩୬

ଭୂମି ଦେବତା ଗୋ-ବ୍ରାହ୍ମଣ । ସମୁଦ୍ରକୁ ଯେ ଚନ୍ଦ୍ର ସମ ॥ ୧୩୭

ଭାରା ନିବାରୁ ଦୁଷ୍ଟ ନାଶି । ନମୋ ନମସ୍ତେ ବ୍ରହ୍ମରାଶି ॥ ୧୩୮

ଶୁକ ଉବାଚ

ଶୁକ ବୋଲନ୍ତି ଶୁଣ ରାୟ । ବ୍ରହ୍ମା ଛାଡ଼ିଲା ମନୁ ଭୟ ॥ ୧୩୯

ପାଦେ ପଡ଼ିଲା ଶତେବାର । ବାହୁଡ଼ି ଗଲା ନିଜ ପୁର ॥ ୧୪୦

ବତ୍ସା ବାଳକ ଆଣିଦେଲା । ବିକଳେ କୃଷ୍ଣଙ୍କୁ ଚାହିଁଲା ॥ ୧୪୧

ବ୍ରହ୍ମାର ମୁଖକୁ ଅନାଇ । ବୋଲନ୍ତି ବ୍ରହ୍ମାଣ୍ତŠ ଗୋସାଇଁ ॥ ୧୪୨

ହସି ବୋଲନ୍ତି ଚକ୍ରଧର । ବିଧାତା ଯାଅ ନିଜପୁର ॥ ୧୪୩

ବ୍ରହ୍ମାଣ୍ତŠ ପାଳ ସୁଖେ ଯାଇ । ମୋହର ପାଦେ ଚିତ୍ତ ଦେଇ ॥ ୧୪୪

ଗୋବିନ୍ଦ ଆଜ୍ଞା ଘେନି ଶିରେ । ବ୍ରହ୍ମା ଚଳିଲେ ନିଜପୁରେ ॥ ୧୪୫

ମାୟା ମୋହିଲେ ଦେବରାୟେ । ଭୋଜନ କରୁଛନ୍ତି ପୋଏ ॥ ୧୪୬

କୃଷ୍ଣ ଆଣିଲେ ବତ୍ସା ଲୋଡ଼ି । ଅନ୍ନପୁଡ଼ାଏ କରେ ଧରି ॥ ୧୪୭

ଥୋକାଏ ତୁଣ୍ତେŠ ଅଛି ଭାତ । ପୋଏ ଦେଖିଲେ ଗୋପୀନାଥ ॥ ୧୪୮

କୃଷ୍ଣର ଅଙ୍ଗୁ ବହେ ଝାଳ । ଡ଼ାକନ୍ତି ଆସ ନନ୍ଦବାଳ ॥ ୧୪୯

ଏକଇ ଗ୍ରାସ ନାହୁଁ ଖାଇ । ଲୋଡ଼ି ଆଣିଲୁ ବ›ତ୍ସା ଯାଇ ॥ ୧୫୦

ଆସି ତୋହର ଠାବେ ବସ । ଶୁଣି ଗୋବିନ୍ଦ ହସ ହସ ॥ ୧୫୧

ଶୁଣ ରାଜନ ହରିରସ । ଯାହା କହିଲେ ବେଦବ୍ୟାସ ॥ ୧୫୨

ଗୋପାଳ କୁମର ବାଛୁରୀ । ଶରୀରୁ ଯାହା ଜାତ କରି ॥ ୧୫୩

ସର୍ବ ଶରୀରେ ସଂହରିଲେ । ସଙ୍ଗପୁଅଙ୍କୁ ଘେନି ତୁଲେ ॥ ୧୫୪

ଅନ୍ନ ଭୁଞ୍ଜନ୍ତି କୃଷ୍ଣ ବସି । ଗୋପାଳପୁଏ ପରଶଂସି ॥ ୧୫୫

ଭୋଜନ ସାରି ଜଳେ ଯାଇ । କର-ଚରଣ-ମୁଖ ଧୋଇ ॥ ୧୫୬

ବେଳ ହୋଇଲା ଅବସାନ । ଗୋପେ ଚଳିଲେ ଭଗବାନ ॥ ୧୫୭

ପଥେ ଅଘାର ଦେହ ଚାହିଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୧୫୮

ନିତ୍ୟେ ଖେଳିବା ଏଥେ ପଶି । ଶୁଣି ଗୋପାଳପୋଏ ହସି ॥ ୧୫୯

ଗ୍ରାମ ନିକଟେ ପୋଏ ଯାଇ । ଅତି ସାନନ୍ଦେ ବେଣୁ ବାଇ ॥ ୧୬୦

ମୟୂର ପୁଚ୍ଛ ଗୁଞ୍ଜମାଳୀ । ଗୁଞ୍ଜରା ପାଟି ରଙ୍ଗ ଢାଳି ॥ ୧୬୧

ଗୋରଜ ଶୋହେ କୃଷ୍ଣ ଦେହେ । ବେଢ଼ି ନାଚନ୍ତି ଗୋପପୋଏ ॥ ୧୬୨

ଗୋପୀଙ୍କ ନୟନ ଆନନ୍ଦ । ହୃଦୟ ପୂ‰ର୍ଣ୍ଣିମାର ଚାନ୍ଦ ॥ ୧୬୩

ପୋଏ ମିଳିଲେ ଯେଝା ଘରେ । କହିଲେ ମାତାଙ୍କ ଛାମୁରେ ॥ ୧୬୪

ସର୍ପ ଆମ୍ଭଙ୍କୁ ଗିଳୁଥିଲା । ଆପଦୁଁ ଗୋବିନ୍ଦ ରଖିଲା ॥ ୧୬୫

ସର୍ପ ଯେ ପାଟି ଫାଡ଼ିଥିଲା । କୃଷ୍ଣ ତା' ତାଳୁ ବିଦାରିଲା ॥ ୧୬୬

ସେବାଟେ ହୋଇଲୁ ବାହାର । ପଛେ ଗୋ ଥିଲା ଦାମୋଦର ॥ ୧୬୭

ଶୁଣି ଚକିତ ଗୋପନାରୀ । ଭୟେ ବୋଲନ୍ତି ହରି ହରି ॥ ୧୬୮

ଶୁଣି ପରୀକ୍ଷ ନୃପବର । ଶୁକକୁ ବୋଲଇ ଉତ୍ତର ॥ ୧୬୯

ପରୀକ୍ଷିତ ଉବାଚ

ଭୋ ମୁନି ନିଜ ସୁତ ପାଇ । କେମନ୍ତ କଲେ ଗୋପଗୋଈ ॥ ୧୭୦

ମାୟା ବାଳକେ ସ୍ନେହ ଯେତେ । ନିଜ ବାଳକେ କଲେ କେତେ ॥ ୧୭୧

ଏଣେ ତ ମୋହର ସନ୍ଦେହ । ଭ୍ରାନ୍ତି ମୋ' ଯାଉ ମୁନି କହ ॥ ୧୭୨

ଶୁକ ଉବାଚ

ଶୁକ ବୋଲନ୍ତି ଶୁଣ ରାୟେ । ଜଗତ ଅଛି ମାୟାମୋହେ ॥ ୧୭୩

ଆତ୍ମାକୁ ନ କରନ୍ତି ଚିନ୍ତା । ବିଷୟ-ଜଡ଼େ ବଳବନ୍ତା ॥ ୧୭୪

ସୁତ କଳତ୍ର ଦେହ ବିତ୍ତ । ସ୍ନେହେ ଜଡ଼ିତ ଅବିରତ ॥ ୧୭୫

ତଥାପି ଜାଣ ରାଜା ତୁହି । ଆତ୍ମାହୁଁ ପ୍ରିୟ କେହି ନାହିଁ ॥ ୧୭୬

ସୁତ କଳତ୍ର ଦେହଭଙ୍ଗ । ଜରାବ୍ୟାଧିରେ କ୍ଷୀଣ ଅଙ୍ଗ ॥ ୧୭୭

ହେଲେ ହେଁ ପୁଣି ପ୍ରାଣୀ କେହି । ଜୀବନ ଆଶା କି ଛାଡ଼ଇ ॥ ୧୭୮

କୃଷ୍ଣ ତୋ' ଜୀବର ଜୀବନ । କିମ୍ବା ନୋହିବେ ପ୍ରିୟତମ ॥ ୧୭୯

ଏଣେ ପୁତ୍ରଙ୍କୁ କଲେ ଦୟା । ବିଶେଷେ ଗୋବିନ୍ଦର ମାୟା ॥ ୧୮୦

ପୂର୍ବହୁଁ ଅତି ସ୍ନେହଭରେ । କୃଷ୍ଣେ ପାଳିଲେ ଗୋପପୁରେ ॥ ୧୮୧

ସେ ହରିପାଦେ ଦେଇ ମନ । ନିରତେ କରଇ ଯେ ଧ୍ୟାନ ॥ ୧୮୨

ବିପଦେ ତା'ର ନାହିଁ ଭ୍ରାନ୍ତି । ଭବସାଗରୁ ତରି ଯା'ନ୍ତି ॥ ୧୮୩

କୁମାର କାଳେ ବନମାଳୀ । ଯେମନ୍ତ କଲେ ବାଳକେଳି ॥ ୧୮୪

ଷଡ଼ବରଷ ହୋଏ ଏବେ । ଯେତେକ କଲେ ବାଳଭାବେ ॥ ୧୮୫

ଏଣେ ତୁ ହୁଅ ସାବଧାନ । ଖଣ୍ତିବୁ ମୋହ ଜଡ଼ ଭ୍ରମ ॥ ୧୮୬

ଦାସର ଦାସ ଜଗନ୍ନାଥ । ଗୀତେ ଗାଇଲା ଭାଗବତ ॥ ୧୮୭

ପଣ୍ତିତେ ନ ଘେନିବ ଦୋଷ । ହରିଚରିତ ସୁଧାରସ ॥ । ୧୮୮

କୃଷ୍ଣ ସବୁରି ଦେହେ ଥାଇ । ଯାହାକୁ ଯେମନ୍ତ ବୁଝାଇ ॥ ୧୮୯

କେ କରି ପାରିବ ତା' ଆନ । ଚିତ୍ତକୁ ସାକ୍ଷୀ ଭଗବାନ ॥ ୧୯୦

ମୋ' ମନ ମୋହିଲେ ମୁରାରି । ପୁରାଣ ଗୀତ ଅର୍ଥ କରି ॥ ୧୯୧

ଏଣୁ ମୋହର ଜ୍ଞାନ ନାହିଁ । ବାଳୁତଜନ ପ୍ରାୟ ହୋଇ ॥ ୧୯୨

ସୁଜନେ ଏଣେ ମନ ଦେଲେ । କୃଷ୍ଣ ଭେଟିବ ତୁମ୍ଭେ ଭଲେ ॥ ୧୯୩

ସେ ଦୟାନିଧି ହେଲେ ଭେଟ । ନ ଥିବ ଏ ସଂସାର କଷ୍ଟ ॥ ୧୯୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବ୍ରହ୍ମସ୍ତୁତିର୍ନାମ ପଞ୍ଚଦଶୋଽଧ୍ୟାୟଃ ॥

* * *