ଦଶମ ସ୍କନ୍ଧ
ପଞ୍ଚଦଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ପରୀକ୍ଷ ମହୀପତି । ବ୍ରହ୍ମାର ମନୁ ଗଲା ଭ୍ରାନ୍ତି ॥ ୧
ସଭୟେ ବେନି କରଯୋଡ଼ି । କ୍ଷଣ କ୍ଷଣକେ ପାୟେ ପଡ଼ି ॥ ୨
କୃଷ୍ଣ ଚରଣେ ଦେଇ ଶିର । ସ୍ତୁତି କରଇ ବେଦବର ॥ ୩
ନମସ୍ତେ ବ୍ରହ୍ମାଣ୍ତ ଠାକୁର । ତୋହର ମାୟା ଏ ସଂସାର ॥ ୪
ତୋ ତନୁ ନୀଳଘନ ତ୍ରାସ । ବିଜୁଳି ପ୍ରାୟ ପୀତବାସ ॥ ୫
ଗୁଞ୍ଜରା ପାଟି ଶିଖି ପୁଚ୍ଛ । ଏଣେ ନିର୍ମଳ ଚୂଳ ସଞ୍ଚ ॥ ୬
ଅଳପ ସ୍ଥିତ ରଙ୍ଗ ମୁଖ । ଚିନ୍ତିଲେ ଖଣ୍ତେ ଭବଦୁଃଖ ॥ ୭
ବନମାଳାଏ ଲମ୍ବେ ଉରେ । ଅନ୍ନ ପୁଡ଼ାଏ ବାମକରେ ॥ ୮
ବେତ ମୁରଲୀ ଶିଙ୍ଗା କରେ । କମଳା ସେବଇ ପୟରେ ॥ ୯
ଏ ଯେତେ ବାଛୁରୀ କୁମର । ତୋହର ଶରୀରୁ ବାହାର ॥ ୧୦
ତୋ ଅବତାର ମୋର ହିତେ । ସୁଖ ସମ୍ପଦ ଅବିରତେ ॥ ୧୧
ଇଚ୍ଛାରେ ହୋଇଅଛୁ ଜାତ । ତୋର ନିର୍ମାଣ ପଞ୍ଚଭୂତ ॥ ୧୨
ଏ ଦେହ ମହିମା ନ ଜାଣୁ । ମୁଁ ବ୍ରହ୍ମା ରୁଦ୍ର ମୁନିମନୁ ॥ ୧୩
ବୁଦ୍ଧି ବିଚାର ଅନୁମାନି । ବେଦ ପୁରାଣେ ପରିମାଣି ॥ ୧୪
ଯେ ଜ୍ଞାନଯୋଗେ ଇନ୍ଦ୍ରି ଜିଣେ । ତୋର ମହିମା ନ ପ୍ରମାଣେ ॥ ୧୫
ସେ ପ୍ରାଣୀ ହୁଅଇ ନିରାଶ । କେବଳ ଲଭେ ଦେହପ୍ରାସ ॥ ୧୬
ଜ୍ଞାନର ପଥ ଛାଡ଼ି ଥୋକେ । ତୋତେ ଚିନ୍ତନ୍ତି ସନ୍ଥ ଲୋକେ ॥ ୧୭
ସାଧୁଜନଙ୍କ ମୁଖୁ ଶୁଣି । ତୋର ମହିମା ମନେ ଗୁଣି ॥ ୧୮
ମନବଚନ କରି ଏକ । ହେଲେ ଜିଣନ୍ତି ତିନିଲୋକ ॥ ୧୯
ତୋର ଚରଣେ ଭାବ ଛାଡ଼ି । ଯେ ଯା'ନ୍ତି ଯୋଗପଥ ମାଡ଼ି ॥ ୨୦
ମନ ବଚନ ହୃଦେ ଛନ୍ଦି । ତପେ ଇନ୍ଦ୍ରିୟବଳ ରୁନ୍ଧି ॥ ୨୧
ଯେତେ କରନ୍ତି ଦେହଶ୍ରମ । ତୋର ମାୟାରେ ହୋନ୍ତି ଭ୍ରମ ॥ ୨୨
କେବଳ ଲାଭ ଦେହପ୍ରାସ । ସେ ପ୍ରାଣୀ ହୁଅନ୍ତି ନିରାଶ ॥ ୨୩
ତଣ୍ତୁଳ ଆଶେ ଚଷୁ କୁଟି । ଯେହ୍ନେ ମରନ୍ତି ପ୍ରାଣୀ ଫୁଟି ॥ ୨୪
ନିରାଶ ହୋନ୍ତି ବେନିପଥ । ପଶୁ ଯୋନିରେ ହୋନ୍ତି ଜାତ ॥ ୨୫
ତୋତେ ନ ପାଇ ନରହରି । ଭ୍ରମନ୍ତି ତୋ' ମାୟା ଆବୋରି ॥ ୨୬
ପୂର୍ବେ ଅନେକ ମୁନିଜନ । ସେବିଲେ ତୋହର ଚରଣ ॥ ୨୭
ନିଜ କରମ ଫଳ ଭୁଞ୍ଜି । ତୋ' ଗତି ଏକୁ ଆରେ ହେଜି ॥ ୨୮
ପାଇଲେ ତୋ' ପରମ ପଦ । ଖଣ୍ତିଲେ ବିଷୟ-ବିଷାଦ ॥ ୨୯
ନିର୍ମଳ ଆତ୍ମା ମୁନିଗଣେ । ତୋର ମହିମା ପରିମାଣେ ॥ ୩୦
ତୋର ବିକାର ନ ପାଇଲେ । ଭକତି ହେଜି ତରିଗଲେ ॥ ୩୧
ନିର୍ଗୁଣ ଆତ୍ମା ଗୁଣବନ୍ତ । ତୋର ମହିମା ଗୋପୀନାଥ ॥ ୩୨
ବ୍ରହ୍ମାଣ୍ତେ ଦେହବନ୍ତ ହୋଇ । ତୋ' ଗୁଣ କେ ପାରିବ କହି ॥ ୩୩
ଭୂମିରେ ଯେତେ ରେଣୁଛନ୍ତି । ଆକାଶେ ଯେତେ ତାରାପନ୍ତି ॥ ୩୪
ବରଷା ଧାରା ପଡ଼େ ଯେତେ । କେ ଗଣିପାରେ ଏ ଜଗତେ ॥ ୩୫
ଏ ତିନି ଗଣନେ ସମର୍ଥ । କେହି ବା ଥିବେ ଏ ଜଗତ ॥ ୩୬
ତୋର ମହିମା ଗୁଣ ଗୁଣି । କେହି ନ ପାରେ ଚକ୍ରପାଣି ॥ ୩୭
ଯାହାକୁ ହେଉ ତୁ ସଦୟେ । ସେ ନ ପଡ଼ଇ ମାୟାମୋହେ ॥ ୩୮
ତୋର ଭକତି ହୃଦେ ହେଜି । ଅର୍ଜିଲା କର୍ମଫଳ ଭୁଞ୍ଜି ॥ ୩୯
ଚିତ୍ତ ନିବେଶି ତୋର ପାଦେ । ସଂସାରୁ ଯା'ନ୍ତି ମୋକ୍ଷପଦେ ॥ ୪୦
ଅଜ୍ଞାନ ପଣ ଦେଖ ମୋର । ତୋତେ ଭଣ୍ତିଲି ମାୟାଧର ॥ ୪୧
ମାୟାବୀମାନଙ୍କର ଶ୍ରେଷ୍ଠ । ତୋ' ସଙ୍ଗେ କଲି ମାୟା-ହଟ ॥ ୪୨
ଅନଳ ଶିଖା କି ଅନଳ । ସଙ୍ଗତେ ହୋଇପାରେ ତୁଲ ॥ ୪୩
ଅଳପ ଲୋକେ ଅଧିକାର । ତୁ କିପାଁ ଦେଲୁ ଦାମୋଦର ॥ ୪୪
ଅଳପ ଲୋକେ ଆଧି ଦେଲେ । ସମ୍ଭାଳି ନ ପାରଇ ଭଲେ ॥ ୪୫
ବ୍ରହ୍ମା ବୋଲି ମୁଁ ବହି ଗର୍ବ । ତୋତେ ଭଣ୍ତିଲି ପଦ୍ମନାଭ ॥ ୪୬
ଏଣୁ ହୋଇଲି ଅପରାଧୀ । ତୁ ନାଥ କରୁଣା ବାରିଧି ॥ ୪୭
ମୋ' ଅପରାଧ କ୍ଷମାକର । ଭୋ ନାଥ ଶରଣ ତୋହର ॥ ୪୮
ମୁଁ ତୋର ନାଭିପଦୁଁ ଜାତ । ତୁ କି ନ ଜାଣୁ ଜଗନ୍ନାଥ ॥ ୪୯
ମୁଁ ତୋର ଯେତେକ ଅନ୍ତର । ତୁ କି ନ ଜାଣୁ ଚକ୍ରଧର ॥ ୫୦
ଅବନୀ ଆଦି ପଞ୍ଚଭୂତେ । ମନ ଚେତନା ଅହଂକୃତେ ॥ ୫୧
ଜୀବ ପରମ ଭାବ ବହି । ବ୍ରହ୍ମାଣ୍ତ ପାଳୁ ଭାବଗ୍ରାହୀ ॥ ୫୨
କେତେ ବ୍ରହ୍ମାଣ୍ତ ରୋମମୂଳେ । ଉଡୁ ଅଛନ୍ତି ଅନ୍ତରାଳେ ॥ ୫୩
ଜଳାକବାଟି ବାଟେ ଯେହ୍ନେ । ରେଣୁଏ ଉଡ଼ନ୍ତି ଗଗନେ ॥ ୫୪
ମୁଁ ଏକ ଅଣ୍ତ ମଧ୍ୟେ ରହି । ସପ୍ତ ଚାଖଣ୍ତ ଦେହ ବହି ॥ ୫୫
ଅଛଇ ଜୀବ ଆତ୍ମା ଧରି । ତୋ' ମାୟା-ପଟଳ ଆବୋରି ॥ ୫୬
ଏତେ ଅନ୍ତର ତୋର ମୋର । ତୋତେ ଭଣ୍ତିଲି ମୁଁ ପାମର ॥ ୫୭
ଗର୍ଭ ଭିତରେ ସୁତ ଥାଇ । ସେ ଯେହ୍ନେ ପାଦ ପ୍ରହାରଇ ॥ ୫୮
ସେ ଅପରାଧ ଚିତ୍ତେ ଘେନି । କୋପ କି କରଇ ଜନନୀ ॥ ୫୯
ତୋ' ନାଭିକମଳୁ ମୁଁ ଜାତ । ତୋତେ ଭଣ୍ତିଲି ଜଗନ୍ନାଥ ॥ ୬୦
ତୋହର ଉଦରେ ପଶିଲି । ଅଶେଷ ବ୍ରହ୍ମାଣ୍ତ ଦେଖିଲି ॥ ୬୧
ଜଳଧି ଶୟନର କାଳେ । ଏ କଥା ଜାଣନ୍ତି ସକଳେ ॥ ୬୨
ନଭ-ଅବନୀ ଦେହବ୍ୟାପୀ । ତୁ ନାଥ ନାରାୟଣ ରୂପୀ ॥ ୬୩
ସକଳ ନର ଆତ୍ମା ହେଉ । ତେଣୁ ନାରାୟଣ ବୋଲାଉ ॥ ୬୪
ପ୍ରଳୟଜଳେ ଥିଲୁ ଶୋଇ । ତୋ ରୂପ ଦେଖିଲଇଁ ମୁହିଁ ॥ ୬୫
ଦେଖି ସାନନ୍ଦ ମୋର ମନ । ତୁ କି ନଜାଣୁ ଜନାର୍ଦ୍ଦନ ॥ ୬୬
ମିଥ୍ୟା ନୁହଁଇ ନା ଏ କଥା । ତୋତେହେଁ ସାକ୍ଷୀ ତୋରମାତା ॥ ୬୭
ଗୋପାଳକୁମରଙ୍କ ମେଳେ । ମାଟି ଭକ୍ଷିଲୁ ଯେତେବେଳେ ॥ ୬୮
ଯଶୋଦା ଦେଖିଲା ତୋ ତୁଣ୍ତ । ଉଦରେ ଅଶେଷ ବ୍ରହ୍ମାଣ୍ତ ॥ ୬୯
ବାହାର ଭିତର ଆଚ୍ଛାଦି । ତୋ' ମାୟାବଳେ ଅଛୁ ରୁନ୍ଧି ॥ ୭୦
ଏବେ ଏ ବୃନ୍ଦାବନେ ମୋତେ । ମାୟା ନ କଲୁ କେତେ କେତେ ॥ ୭୧
ପ୍ରଥମେ ଦେଖିଲଇଁ ଏକ । କ୍ଷଣକେ ହୋଇଲୁ ଅନେକ ॥ ୭୨
ଯେତେ ବାଛୁରୀ ଗୋପପୋଏ । ଦିଶିଲେ ତୋହରି ପରାୟେ ॥ ୭୩
ନୀଳ ଶରୀର ଚାରିକର । ବ୍ରହ୍ମାଏ ଖଟନ୍ତି ପୟର ॥ ୭୪
ତୁହି ତୋହର ମାୟା ବହୁ । ବ୍ରହ୍ମା-ଶଙ୍କର ରୂପ ବହୁ ॥ ୭୫
ସୃଷ୍ଟିର ଅଗ୍ରେ ମୋତେ କରି । ସଙ୍ଖୋଳି ଦେଲୁ ବେଦଚାରି ॥ ୭୬
ଜଗତ କରାଇ ଭିଆଣ । ତୁ ତାହା ପାଳୁ ନାରାୟଣ ॥ ୭୭
ଭୂତ-ଭାବନ ରୂପ ବହୁ । ଭକତ ହିତେ ନିତ୍ୟେ ଥାଉ ॥ ୭୮
ଶଙ୍କର ରୂପେ କରୁ ଅନ୍ତ । ଏଣୁ ତୁ ବୋଲାଉ ଅନନ୍ତ ॥ ୭୯
ଦେବ ବ୍ରାହ୍ମଣ ଋଷି ପଶୁ । ଏତେ ଶରୀର ତୁ ପ୍ରକାଶୁ ॥ ୮୦
ଦୁଷ୍ଟ ନିବାରି ସନ୍ଥ ପାଳୁ । ଦୟାରେ ଧର୍ମ ତୁ ସମ୍ଭାଳୁ ॥ ୮୧
ସଂସାରେ ହେଉ ଅବତାର । ଦୁଷ୍ଟଦଳନ ବାନା ତୋର ॥ ୮୨
ତୁ ନାଥ ଧର୍ମ କରୁ ରକ୍ଷା । ଖଳନାଶନ ତୋର ଦୀକ୍ଷା ॥ ୮୩
କାହିଁ କିପରି କିସ ପାଇଁ । କେତେବେଳେ ବା ଖେଳୁ ତୁହି ॥ ୮୪
ବିସ୍ତାରି ତୋର ଯୋଗମାୟା । କେ ଜାଣିପାରେପ୍ରଭୁ ଏହା ॥ ୮୫
ଯୋଗେଶ୍ୱରଙ୍କୁ ଅଗୋଚର । ଭୋ ନାଥ ଏ ଲୀଳା ତୋହର ॥ ୮୬
ତେଣୁ ତୋ ମାୟାର ଜଗତ । ତୋ' ତହୁଁ ହୋନ୍ତି ଆତଜାତ ॥ ୮୭
ବିଜୁଳି ଝଟକ ଯେସନ । ମେଘରେ ଦିଶି ହୋନ୍ତି ଲୀନ ॥ ୮୮
ତୁନାଥ ପୁରୁଷ ପୁରାଣ । ଜ୍ୟୋତି ସ୍ୱରୂପ ଠୁଳଶୂନ୍ୟ ॥ ୮୯
ନିୟତ ପୂର୍ଣ୍ଣ ନିରଞ୍ଜନ । ଉପାଧିହୀନ ସୁଖପୂର୍ଣ୍ଣ ॥ ୯୦
ସକଳ ଜନ୍ତୁ ମଧ୍ୟେ ତୁହି । ବିହରୁ ଆତ୍ମାରୂପ ହୋଇ ॥ ୯୧
ଗୁରୁ ବଚନୁ ଜ୍ଞାନସାର । ପାଇ ଯେ କରନ୍ତି ବିଚାର ॥ ୯୨
ଭକ୍ତି ଭାବରେ ଜ୍ଞାନଲାଭ । ହୁଅଇ ଯା'ର ପଦ୍ମନାଭ ॥ ୯୩
ଭବ ଜଳଧି ସେ ତରନ୍ତି । ମାୟା-ପଟଳେ ନ ପଡ଼ନ୍ତି ॥ ୯୪
ଆତ୍ମାକୁ ଆତ୍ମଜ୍ଞାନେ ଜାଣି । ଚିନ୍ତା ନ କରେ ଯେଉଁ ପ୍ରାଣୀ ॥ ୯୫
ଅଜ୍ଞାନ ଭାବେ ଜ୍ଞାନ ନାଶ । ରଜ୍ଜୁରେ ଯେହ୍ନେ ସର୍ପତ୍ରାସ ॥ ୯୬
ଜୀବର ବନ୍ଧ-ମୋକ୍ଷ ଦୁଇ । ଅଜ୍ଞାନ ଭାବୁଁ ଜାତ ହୋଇ ॥ ୯୭
ତୋହର ତତ୍ତ୍ୱ ଯେ ଜାଣଇ । ତାହାର ବନ୍ଧ-ମୋକ୍ଷ ନାହିଁ ॥ ୯୮
ଆଦିତ୍ୟ ସଦା ପ୍ରକାଶିଲେ । ନ ଥା'ନ୍ତା ଦିବାରାତ୍ର ଭଲେ ॥ ୯୯
ତେସନେ ସଦା ସର୍ବସ୍ଥାନ । ସମାନ ଭାବେ ଅଛ ପୂର୍ଣ୍ଣ ॥ ୧୦୦
ତୋତେ ଯେ ନ ପାରନ୍ତି ଚିନ୍ତି । ଆତ୍ମାକୁ ବାହାରେ ଲୋଡ଼ନ୍ତି ॥ ୧୦୧
ଶ୍ରମ ଯେ ଲାଭ ତାହାଙ୍କର । ନାହିଁ ତୋ' ଭିତର ବାହାର ॥ ୧୦୨
ଯେ ତୋତେ ଶରୀରେ ଲୋଡ଼ନ୍ତି । ସୂକ୍ଷ୍ମ ସ୍ୱରୂପ ରୂପେ ଚିନ୍ତି ॥ ୧୦୩
ଅଜ୍ଞାନ ନାଶେ ତାହାଙ୍କର । ଭବ ସାଗରୁ ହୋନ୍ତି ପାର ॥ ୧୦୪
ଏ ଜ୍ଞାନୀ ଲୋକଙ୍କର ମତ । ତୋହର ଦୟାରେ ଅନନ୍ତ ॥ ୧୦୫
ତୋତେ ନିରୋପି ଏ ଶରୀରେ । ଶରୀର-ଭ୍ରାନ୍ତି ଦୂର କରେ ॥ ୧୦୬
ନିକଟେ ସର୍ପ ଯା'ର ଥାଇ । ସେ କି ଆନକୁ ପାରେ ଚାହିଁ ॥ ୧୦୭
ସର୍ପର ପ୍ରାୟ ତୋ' ସ୍ୱରୂପେ । ଜ୍ଞାନୀଏ ଜାଗରିତ ଆପେ ॥ ୧୦୮
ତୋର ଦୟାରେ ତୋତେ ଜାଣି । ଭାବି ତରନ୍ତି ସାଧୁପ୍ରାଣୀ ॥ ୧୦୯
ତୋ' ଅନୁଗ୍ରହ ଯାରେ ନାହିଁ । ବ୍ରହ୍ମାଣ୍ତେ ଲୋଡ଼ିଲେ ନ ପାଇ ॥ ୧୧୦
କେତେ କହିବି ନାଥ ତୋତେ । ଏମନ୍ତ ଆଜ୍ଞା ହେଉ ମୋତେ ॥ ୧୧୧
ନାନା-ଯୋନିରେ ଜାତ କର । ତୋ'ର ସେବକ ମଧ୍ୟେ ବର ॥ ୧୧୨
ଅପ୍ରାଧ କ୍ଷମାକର ମୋତେ । ତୋ' ପାଦେ ସେବଇଁ ଯେମନ୍ତେ ॥ ୧୧୩
ଗୋପେ ଅଛନ୍ତି ଯେତେ ଜନ । କେ ତା'ଙ୍କ ପୁଣ୍ୟ କରୁ ଆନ ॥ ୧୧୪
ହୋଇଣ ବାଛୁରୀ-କୁମର । ସ୍ତନ୍ୟ ପିଇଲୁ ତାହାଙ୍କର ॥ ୧୧୫
ତୋ' ମନରଞ୍ଜନେ ଅନନ୍ତ । ଯଜ୍ଞେ ନୋହିଲେ ସମରଥ ॥ ୧୧୬
ନନ୍ଦ-ଯଶୋଦା ଗୋପୀ-ଗୋପ । ଅନେକ କରିଛନ୍ତି ତପ ॥ ୧୧୭
ତୁ ନାଥ ମିତ୍ର ତାହାଙ୍କର । ବ୍ରହ୍ମା-ଶଙ୍କରେ ଅଗୋଚର ॥ ୧୧୮
ତୋ'ପାଦ ପଦ୍ମରେ ଅମୃତ । ତେଣେ ଲୋଭିତ ଯା'ର ଚିତ୍ତ ॥ ୧୧୯
ମନ ଭ୍ରମରେ କରି ପାନ । ତେଜିବେ ତୋ' ମାୟା ଅଜ୍ଞାନ ॥ ୧୨୦
କୀଟପତଙ୍ଗ ରୂପ ହୋଇ । ଗୋକୁଳେ ପଡ଼ିଥିବି ମୁହିଁ ॥ ୧୨୧
ଗୋପଜନଙ୍କ ପାଦଧୂଳି । ଦେହରେ ହେଉଥିବି ବୋଳି ॥ ୧୨୨
ଦେବେ ନ ପାନ୍ତି ଯା'କୁ ଖୋଜି । ଗୋପୀଏ ମିତ୍ରପଣେ ଭଜି ॥ ୧୨୩
ପୂତନା କରି ଶତ୍ରୁପଣ । ତୋ'ଦେହେ ପଶି ହେଲା ଲୀନ ॥ ୧୨୪
ଏଣୁ ତୋ' ନାହିଁ ମିତ୍ର ଅରି । ଜଗୁ ଜୀବନ ନରହରି ॥ ୧୨୫
ତୋର ଚରଣେ ଗୋପୀନାଥ । ଶରଣ ନ ପଶେ ଯାବତ ॥ ୧୨୬
ତାବତ କାମ-କ୍ରୋଧ ବଳେ । ଡ଼କା କରନ୍ତି ଅବହେଳେ ॥ ୧୨୭
ଗୃହ ହୁଅଇ ବନ୍ଦିଘର । ମୋହ ଶାଙ୍କୁଳି ଏ ପୟର ॥ ୧୨୮
ଦାରା ତନୟ ମୋହେ ଜଡ଼ି । ଦୁଃଖ ସଂକଟେ ଥା'ନ୍ତି ପଡ଼ି ॥ ୧୨୯
ଶରଣ ଜନର ଆନନ୍ଦ । ବଢ଼ାଇବାକୁ ଆଦିକନ୍ଦ ॥ ୧୩୦
ଅରୂପ ହୋଇ ରୂପ ଧରୁ । ପୁତ୍ରାଦି ରୂପେ ଲୀଳା କରୁ ॥ ୧୩୧
ଯେ ବୋଲେ ତୋହର ମହିମା । ଜାଣଇ ବୋଲି ଗୁଣସୀମା ॥ ୧୩୨
ସେ ଜାଣୁ ମୁହିଁ ତ ବହୁତ । ବିଚାରି ନ ପାଇଲି ଅନ୍ତ ॥ ୧୩୩
ତୁ ଅନ୍ତର୍ଯ୍ୟାମୀ ଜଗନ୍ନାଥ । ତୋ'ର ଏ ଦେହ ଏଜଗତ ॥ ୧୩୪
ଅଧିକ କି କହିବି ଆଉ । କିସ କରିବି ଆଜ୍ଞା ହେଉ ॥ ୧୩୫
ତୁ ବୃଷ୍ଣିବଂଶ-ଦିନକର । ପାଷଣ୍ତ ଧର୍ମ-ତମ ହର ॥ ୧୩୬
ଭୂମି ଦେବତା ଗୋ-ବ୍ରାହ୍ମଣ । ସମୁଦ୍ରକୁ ଯେ ଚନ୍ଦ୍ର ସମ ॥ ୧୩୭
ଭାରା ନିବାରୁ ଦୁଷ୍ଟ ନାଶି । ନମୋ ନମସ୍ତେ ବ୍ରହ୍ମରାଶି ॥ ୧୩୮
ଶୁକ ଉବାଚ
ଶୁକ ବୋଲନ୍ତି ଶୁଣ ରାୟ । ବ୍ରହ୍ମା ଛାଡ଼ିଲା ମନୁ ଭୟ ॥ ୧୩୯
ପାଦେ ପଡ଼ିଲା ଶତେବାର । ବାହୁଡ଼ି ଗଲା ନିଜ ପୁର ॥ ୧୪୦
ବତ୍ସା ବାଳକ ଆଣିଦେଲା । ବିକଳେ କୃଷ୍ଣଙ୍କୁ ଚାହିଁଲା ॥ ୧୪୧
ବ୍ରହ୍ମାର ମୁଖକୁ ଅନାଇ । ବୋଲନ୍ତି ବ୍ରହ୍ମାଣ୍ତ ଗୋସାଇଁ ॥ ୧୪୨
ହସି ବୋଲନ୍ତି ଚକ୍ରଧର । ବିଧାତା ଯାଅ ନିଜପୁର ॥ ୧୪୩
ବ୍ରହ୍ମାଣ୍ତ ପାଳ ସୁଖେ ଯାଇ । ମୋହର ପାଦେ ଚିତ୍ତ ଦେଇ ॥ ୧୪୪
ଗୋବିନ୍ଦ ଆଜ୍ଞା ଘେନି ଶିରେ । ବ୍ରହ୍ମା ଚଳିଲେ ନିଜପୁରେ ॥ ୧୪୫
ମାୟା ମୋହିଲେ ଦେବରାୟେ । ଭୋଜନ କରୁଛନ୍ତି ପୋଏ ॥ ୧୪୬
କୃଷ୍ଣ ଆଣିଲେ ବତ୍ସା ଲୋଡ଼ି । ଅନ୍ନପୁଡ଼ାଏ କରେ ଧରି ॥ ୧୪୭
ଥୋକାଏ ତୁଣ୍ତେ ଅଛି ଭାତ । ପୋଏ ଦେଖିଲେ ଗୋପୀନାଥ ॥ ୧୪୮
କୃଷ୍ଣର ଅଙ୍ଗୁ ବହେ ଝାଳ । ଡ଼ାକନ୍ତି ଆସ ନନ୍ଦବାଳ ॥ ୧୪୯
ଏକଇ ଗ୍ରାସ ନାହୁଁ ଖାଇ । ଲୋଡ଼ି ଆଣିଲୁ ବତ୍ସା ଯାଇ ॥ ୧୫୦
ଆସି ତୋହର ଠାବେ ବସ । ଶୁଣି ଗୋବିନ୍ଦ ହସ ହସ ॥ ୧୫୧
ଶୁଣ ରାଜନ ହରିରସ । ଯାହା କହିଲେ ବେଦବ୍ୟାସ ॥ ୧୫୨
ଗୋପାଳ କୁମର ବାଛୁରୀ । ଶରୀରୁ ଯାହା ଜାତ କରି ॥ ୧୫୩
ସର୍ବ ଶରୀରେ ସଂହରିଲେ । ସଙ୍ଗପୁଅଙ୍କୁ ଘେନି ତୁଲେ ॥ ୧୫୪
ଅନ୍ନ ଭୁଞ୍ଜନ୍ତି କୃଷ୍ଣ ବସି । ଗୋପାଳପୁଏ ପରଶଂସି ॥ ୧୫୫
ଭୋଜନ ସାରି ଜଳେ ଯାଇ । କର-ଚରଣ-ମୁଖ ଧୋଇ ॥ ୧୫୬
ବେଳ ହୋଇଲା ଅବସାନ । ଗୋପେ ଚଳିଲେ ଭଗବାନ ॥ ୧୫୭
ପଥେ ଅଘାର ଦେହ ଚାହିଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୧୫୮
ନିତ୍ୟେ ଖେଳିବା ଏଥେ ପଶି । ଶୁଣି ଗୋପାଳପୋଏ ହସି ॥ ୧୫୯
ଗ୍ରାମ ନିକଟେ ପୋଏ ଯାଇ । ଅତି ସାନନ୍ଦେ ବେଣୁ ବାଇ ॥ ୧୬୦
ମୟୂର ପୁଚ୍ଛ ଗୁଞ୍ଜମାଳୀ । ଗୁଞ୍ଜରା ପାଟି ରଙ୍ଗ ଢାଳି ॥ ୧୬୧
ଗୋରଜ ଶୋହେ କୃଷ୍ଣ ଦେହେ । ବେଢ଼ି ନାଚନ୍ତି ଗୋପପୋଏ ॥ ୧୬୨
ଗୋପୀଙ୍କ ନୟନ ଆନନ୍ଦ । ହୃଦୟ ପୂର୍ଣ୍ଣିମାର ଚାନ୍ଦ ॥ ୧୬୩
ପୋଏ ମିଳିଲେ ଯେଝା ଘରେ । କହିଲେ ମାତାଙ୍କ ଛାମୁରେ ॥ ୧୬୪
ସର୍ପ ଆମ୍ଭଙ୍କୁ ଗିଳୁଥିଲା । ଆପଦୁଁ ଗୋବିନ୍ଦ ରଖିଲା ॥ ୧୬୫
ସର୍ପ ଯେ ପାଟି ଫାଡ଼ିଥିଲା । କୃଷ୍ଣ ତା' ତାଳୁ ବିଦାରିଲା ॥ ୧୬୬
ସେବାଟେ ହୋଇଲୁ ବାହାର । ପଛେ ଗୋ ଥିଲା ଦାମୋଦର ॥ ୧୬୭
ଶୁଣି ଚକିତ ଗୋପନାରୀ । ଭୟେ ବୋଲନ୍ତି ହରି ହରି ॥ ୧୬୮
ଶୁଣି ପରୀକ୍ଷ ନୃପବର । ଶୁକକୁ ବୋଲଇ ଉତ୍ତର ॥ ୧୬୯
ପରୀକ୍ଷିତ ଉବାଚ
ଭୋ ମୁନି ନିଜ ସୁତ ପାଇ । କେମନ୍ତ କଲେ ଗୋପଗୋଈ ॥ ୧୭୦
ମାୟା ବାଳକେ ସ୍ନେହ ଯେତେ । ନିଜ ବାଳକେ କଲେ କେତେ ॥ ୧୭୧
ଏଣେ ତ ମୋହର ସନ୍ଦେହ । ଭ୍ରାନ୍ତି ମୋ' ଯାଉ ମୁନି କହ ॥ ୧୭୨
ଶୁକ ଉବାଚ
ଶୁକ ବୋଲନ୍ତି ଶୁଣ ରାୟେ । ଜଗତ ଅଛି ମାୟାମୋହେ ॥ ୧୭୩
ଆତ୍ମାକୁ ନ କରନ୍ତି ଚିନ୍ତା । ବିଷୟ-ଜଡ଼େ ବଳବନ୍ତା ॥ ୧୭୪
ସୁତ କଳତ୍ର ଦେହ ବିତ୍ତ । ସ୍ନେହେ ଜଡ଼ିତ ଅବିରତ ॥ ୧୭୫
ତଥାପି ଜାଣ ରାଜା ତୁହି । ଆତ୍ମାହୁଁ ପ୍ରିୟ କେହି ନାହିଁ ॥ ୧୭୬
ସୁତ କଳତ୍ର ଦେହଭଙ୍ଗ । ଜରାବ୍ୟାଧିରେ କ୍ଷୀଣ ଅଙ୍ଗ ॥ ୧୭୭
ହେଲେ ହେଁ ପୁଣି ପ୍ରାଣୀ କେହି । ଜୀବନ ଆଶା କି ଛାଡ଼ଇ ॥ ୧୭୮
କୃଷ୍ଣ ତୋ' ଜୀବର ଜୀବନ । କିମ୍ବା ନୋହିବେ ପ୍ରିୟତମ ॥ ୧୭୯
ଏଣେ ପୁତ୍ରଙ୍କୁ କଲେ ଦୟା । ବିଶେଷେ ଗୋବିନ୍ଦର ମାୟା ॥ ୧୮୦
ପୂର୍ବହୁଁ ଅତି ସ୍ନେହଭରେ । କୃଷ୍ଣେ ପାଳିଲେ ଗୋପପୁରେ ॥ ୧୮୧
ସେ ହରିପାଦେ ଦେଇ ମନ । ନିରତେ କରଇ ଯେ ଧ୍ୟାନ ॥ ୧୮୨
ବିପଦେ ତା'ର ନାହିଁ ଭ୍ରାନ୍ତି । ଭବସାଗରୁ ତରି ଯା'ନ୍ତି ॥ ୧୮୩
କୁମାର କାଳେ ବନମାଳୀ । ଯେମନ୍ତ କଲେ ବାଳକେଳି ॥ ୧୮୪
ଷଡ଼ବରଷ ହୋଏ ଏବେ । ଯେତେକ କଲେ ବାଳଭାବେ ॥ ୧୮୫
ଏଣେ ତୁ ହୁଅ ସାବଧାନ । ଖଣ୍ତିବୁ ମୋହ ଜଡ଼ ଭ୍ରମ ॥ ୧୮୬
ଦାସର ଦାସ ଜଗନ୍ନାଥ । ଗୀତେ ଗାଇଲା ଭାଗବତ ॥ ୧୮୭
ପଣ୍ତିତେ ନ ଘେନିବ ଦୋଷ । ହରିଚରିତ ସୁଧାରସ ॥ । ୧୮୮
କୃଷ୍ଣ ସବୁରି ଦେହେ ଥାଇ । ଯାହାକୁ ଯେମନ୍ତ ବୁଝାଇ ॥ ୧୮୯
କେ କରି ପାରିବ ତା' ଆନ । ଚିତ୍ତକୁ ସାକ୍ଷୀ ଭଗବାନ ॥ ୧୯୦
ମୋ' ମନ ମୋହିଲେ ମୁରାରି । ପୁରାଣ ଗୀତ ଅର୍ଥ କରି ॥ ୧୯୧
ଏଣୁ ମୋହର ଜ୍ଞାନ ନାହିଁ । ବାଳୁତଜନ ପ୍ରାୟ ହୋଇ ॥ ୧୯୨
ସୁଜନେ ଏଣେ ମନ ଦେଲେ । କୃଷ୍ଣ ଭେଟିବ ତୁମ୍ଭେ ଭଲେ ॥ ୧୯୩
ସେ ଦୟାନିଧି ହେଲେ ଭେଟ । ନ ଥିବ ଏ ସଂସାର କଷ୍ଟ ॥ ୧୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବ୍ରହ୍ମସ୍ତୁତିର୍ନାମ ପଞ୍ଚଦଶୋଽଧ୍ୟାୟଃ ॥
* * *