ଦଶମ ସ୍କନ୍ଧ
ଚତୁର୍ଦ୍ଦଶ ଅଧ୍ୟାୟ
ସୂତ ଉବାଚ
ଅଘା ଦଇତ୍ୟ ନାଶ ଶୁଣି । ପରୀକ୍ଷ ମନେ ମନେ ଗୁଣି ॥ ୧
କୃଷ୍ଣ ଚରିତ ଅଗୋଚର । ଦେଖି ଚକିତ ବେଦବର ॥ ୨
ସନ୍ଦେହ ବାକ୍ୟ ଶୁଣି ରାୟେ । ନମଇଁ ଶୁକମୁନି ପାୟେ ॥ ୩
ରାଜା ଉବାଚ
ଭୋମୁନି ତୁ ତ ପୁଣ୍ୟଚେତା । ହରିବ ଏ ମୋହର ଚିନ୍ତା ॥ ୪
ସନ୍ଦେହ ଫେଡ଼ିବା ମୋହର । ମାୟା କି କଲେ ଚକ୍ରଧର ॥ ୫
ସର୍ପର ଗର୍ଭୁ ଦାମୋଦର । ତାରିଲେ ବାଛୁରୀ କୁମର ॥ ୬
ମାତାଙ୍କ ଆଗେ ଗୋପସୁତେ । କହିଲେ ବରଷକ ଅନ୍ତେ ॥ ୭
ସର୍ପ ଆମ୍ଭଙ୍କୁ ଗିଳିଥିଲା । ଆଜ ଗୋ ଶ୍ରୀକୃଷ୍ଣ ରଖିଲା ॥ ୮
ତୁମ୍ଭର ଉଦର ଶୀତଳ । କଲ୍ୟାଣ ନେଉ ନନ୍ଦବାଳ ॥ ୯
ଏମନ୍ତ ବୋଲିଣ କୁମରେ । କହିଲେ ଯେ ଯାହାର ଘରେ ॥ ୧୦
ଆବର କଥାଏ ସଂଶୟ । ଭୋ ମୁନିବର ମୋତେ କହ ॥ ୧୧
ଅଘା ଜୀବନ ଦେହୁ ଛାଡ଼ି । ଗଗନପଥେ ଥିଲା ଉଡ଼ି ॥ ୧୨
ସେ କେହ୍ନେ ବାହୁଡ଼ି ଅଇଲା । ଗୋବିନ୍ଦ ଶରୀରେ ପଶିଲା ॥ ୧୩
ଏ ବେନି କଥା ଅଗୋଚର । ବିଚାରି କହ ମୁନିବର ॥ ୧୪
ଏ ବଡ଼ ସଂଶୟ ମୋ' ଚିତ୍ତେ । ଭୋ ମୁନି ନ ଯାଇ ପରତେ ॥ ୧୫
ବରଷେ ଥିଲେ ପୋଏ କାହିଁ । କିବା ମୋହିଲେ ଭାବଗ୍ରାହୀ ॥ ୧୬
ଏ କଥା ମୋତେ କଉତୁକ । କାହିଁ ବଞ୍ଚିଲେ ବରଷକ ॥ ୧୭
ମୋର ଜୀବନ ହେଉ ସୁଖ । ତୋ ବାଣୀ ଶୁଣି ଯାଉ ଦୁଃଖ ॥ ୧୮
କ୍ଷତ୍ରିୟ ବଂଶେ ମୁହିଁ ଜାତ । ଧନ୍ୟ ମୋହର ତାତ ମାତ ॥ ୧୯
ହରିଚରିତ ସୁଧାଜଳ । ତୋ ମୁଖୁଁ ଗଳୁଛି ନିର୍ମଳ ॥ ୨୦
ସେଜଳେ ଧୋଇ ମୋର ଚିତ୍ତ । ମରଣେ ହୋଇବି ନିଶ୍ଚିନ୍ତ ॥ ୨୧
ସୂତ ଉବାଚ
ଶୁଣି ପରୀକ୍ଷ ବାଣୀ କର୍ଣ୍ଣେ । ମୁନି ବସିଲେ ଯୋଗଧ୍ୟାନେ ॥ ୨୨
ଆନନ୍ଦେ ପୁଲକିତ ହୋଇ । ଗୋବିନ୍ଦ ପାଦେ ଚିତ୍ତ ଦେଇ ॥ ୨୩
ବେନି ଲୋଚନୁ ବହେ ନୀର । ବୋଲନ୍ତି ଶୁଣ ନୃପବର ॥ ୨୪
ଶୁକ ଉବାଚ
ହରି ସେବକ ଶିରୋମଣି । ଶୁଣ ଶ୍ରୀଭାଗବତ ବାଣୀ ॥ ୨୫
ସାଧୁଙ୍କ ମଧ୍ୟେ ତୁହି ସାଧୁ । ତରିବୁ ଭବ ପରମାଦୁ ॥ ୨୬
ଯେତେ କହିଲି ଭାଗବତ । ତୋଷ ନୋହିଲା ତୋର ଚିତ୍ତ ॥ ୨୭
ତୁପୁଣ୍ୟ ପୁରୁଷ ବିବେକ । ହେଳେ ଜିଣିଲୁ ତିନିଲୋକ ॥ ୨୮
ସାଧୁଜନଙ୍କର ଏ ଗତି । ଯେସନେ ବିଟପୀ ଯୁବତୀ ॥ ୨୯
ସ୍ୱାମୀ ସେବାରେ ରହି ପୁଣ । ବିଟପେ ଦେଇଥାଇ ମନ ॥ ୩୦
ସଂସାରେ ଥାଇ ଯେ ଏମନ୍ତ । ନିକଟେ ପାଇ ସେ ଅନନ୍ତ ॥ ୩୧
ଏବେ ତୁ ଶୁଣ ସ୍ଥିର ହୋଇ । ଭାବ ସେବକେ ଏହା କହି ॥ ୩୨
ଯାହା ତୁ ପୁଚ୍ଛିଲୁ ନୃପତି । ବାଳୁତମାନଙ୍କର ଗତି ॥ ୩୩
ଅଘାର ଜୀବନ ମୋକ୍ଷଣ । ଆଗ କହିବା ତାହାଶୁଣ ॥ ୩୪
ପଛେ କହିବା ବନଭୋଜା । ଶୁଣ ତୁ ସୋମବଂଶୀ ରାଜା ॥ ୩୫
ଅଘାର ମୁଖେ ଦେବହରି । କଣ୍ଠରେ ରହିଲେ ଆବୋରି ॥ ୩୬
ତାଳୁ ଫାଟିଣ ପ୍ରାଣଗଲା । ଶ୍ରୀକୃଷ୍ଣ ମୁଖ ନ ଦେଖିଲା ॥ ୩୭
ମନେ ବିଚାର କଲା ଜୀବ । ସଂସାର ସୁଖ ପଦ୍ମନାଭ ॥ ୩୮
ଏହାର ଶ୍ରୀଚରଣ ଧରି । ଭବୁ ଶଙ୍କର ଗଲେ ତରି ॥ ୩୯
ମୋହର ଆନେ କିସ କାର୍ଯ୍ୟ । ଏ ସେ ଦେବାଧି ଦେବରାଜ ॥ ୪୦
ଏତେକ ବିଚାରି ଲେଉଟି । ଗର୍ଭେ ପଶିଲା ତାଳୁ ଫାଟି ॥ ୪୧
ଚାହିଁଲା ଶ୍ରୀକୃଷ୍ଣର ମୁଖ । ତେଜିଲା ଭବ ଭୟ ଦୁଃଖ ॥ ୪୨
ପ୍ରାଣ ପବନ ପଞ୍ଚଭୂତ । ଅଖଣ୍ତ ସୁଖ ଜ୍ଞାନତତ୍ତ୍ୱ ॥ ୪୩
ଶ୍ରୀହରି ଶରୀରେ ମିଶିଲା । ନିର୍ବାଣ ମୁକ୍ତି ସେ ଲଭିଲା ॥ ୪୪
ଅର୍ଦ୍ଧ ଆକାଶେ ସୁରଗଣ । ଦେଖିଲେ ଅଘାର ମୋକ୍ଷଣ ॥ ୪୫
ବ୍ରହ୍ମ ଲୋକରୁ ବ୍ରହ୍ମାଆସି । ସନକ ଆଦି ବ୍ରହ୍ମଋଷି ॥ ୪୬
ଦେଖିଣ ରିପୁ ମୋକ୍ଷ ଗତି । କୃଷ୍ଣଙ୍କୁ ପ୍ରଶଂସା କରନ୍ତି ॥ ୪୭
ବସିଣ ହଂସ ବାହାନରେ । ଚତୁର୍ବଦନେ ସ୍ତୁତି କରେ ॥ ୪୮
ପିତା ଦେଖିଲେ ବୃନ୍ଦାବନ । କାଳିନ୍ଦୀ ସକଳ ପୁଲୀନ ॥ ୪୯
ମନେ ବିଚାର ବେଦପତି । ଦେଖିବେ ପୁଅଙ୍କର ଗତି ॥ ୫୦
ଅନ୍ତର ହୋଇଣ ରହିଲେ । ଶୁଣ ରାଜନ ଏହା ଭଲେ ॥ ୫୧
ମରଣୁଁ ତରି ଗୋପବାଳେ । ମିଳିଲେ ଯମୁନାର କୂଳେ ॥ ୫୨
ନିର୍ମଳ ଦେଖି ବାଲିକୁଦ । ଶ୍ରୀକୃଷ୍ଣ ହୋଇଲେ ଆନନ୍ଦ ॥ ୫୩
ଗୋପାଳ ପୁଅଙ୍କୁ ଅନାଇଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୫୪
ଦେଖ ସୁସଞ୍ଚ ବାଲିକୁଦ । ଚାହାନ୍ତେ ଲାଗଇ ଆନନ୍ଦ ॥ ୫୫
ନିର୍ମଳ ଯମୁନାର ଜଳ । ପବନ ବହଇ ଶୀତଳ ॥ ୫୬
ନାନା କୁସୁମେ ଜଳ ସ୍ଥଳ । ସୁବାସ ବହେ ପରିମଳ ॥ ୫୭
ଶୁକ କୋକିଳ ନାଦ ଭଣି । ଭ୍ରମରେ ମନୋହର ଧ୍ୱନି ॥ ୫୮
ନବ ପଲ୍ଲବ ତରୁଗଣ । ମୟୂର କଣ୍ଠନାଦ ଶୁଣ ॥ ୫୯
ଏଠାରେ ହୁଅ ଏକମେଳ । ବୋଲନ୍ତି ପ୍ରଭୁ ଆଦିମୂଳ ॥ ୬୦
ବତ୍ସା କରନ୍ତୁ ଜଳପାନ । ସକଳେ କରିବା ସ୍ନାହାନ ॥ ୬୧
ଦେଖ କୋମଳ ଘାସ ତୀରେ । ବାଛୁରୀ ଚରନ୍ତୁ ସଧୀରେ ॥ ୬୨
ଅନ୍ନ ଭୋଜନ ବସି କର । ପଞ୍ଚପରାଣ ହେଉ ସ୍ଥିର ॥ ୬୩
ବେଳ ହିଁ ହେଉଛି ଉଛୁର । କ୍ଷୁଧାଏ ଦେହ ଥରହର ॥ ୬୪
ମରୁଣୁଁ ଉବୁରିଲ ଆଜି । ପେଟ ପୁରୋଇ ଅନ୍ନଭୁଞ୍ଜି ॥ ୬୫
ତୁମ୍ଭମାନଙ୍କୁ ଯେ ଯୋଗାଇ । ହସି ବୋଲନ୍ତି ଭାବଗ୍ରାହୀ ॥ ୬୬
କୃଷ୍ଣର ବୋଲ ଶୁଣି ପୋଏ । ହରଷ ହୋଇଲେ ଥୋକାଏ ॥ ୬୭
ଚାହିଁଲେ କୃଷ୍ଣଙ୍କୁ ଆନନେ୍ଦ । ଅନ୍ନ ଥୋଇଲେ ବାଲିକୁଦେ ॥ ୬୮
ବତ୍ସାଙ୍କୁ ଜଳ ପିଆଇଲେ । କୋମଳ ଘାସେ ଛାଡ଼ିଦେଲେ ॥ ୬୯
ସାରିଲେ ଗୋପ ପୋଏ ସ୍ନାନ । ସନ୍ତୋଷେ କଲେ ଜଳପାନ ॥ ୭୦
ତୀରେ ଉଠିଲେ ଧାତିକାରେ । ଅନ୍ନ ଫେଇଲେ ଯେ ଯାହାରେ ॥ ୭୧
କେ ବୃକ୍ଷୁ ପତ୍ର ତୋଳି ଆଣି । ବିଷ୍ଣୁ ସୁମରି ସିଞ୍ଚେ ପାଣି ॥ ୭୨
ପାଷାଣ ଆଣନ୍ତି କେ ଯାଇ । ଅନ୍ନ ବାଢ଼ନ୍ତି ତାହା ଧୋଇ ॥ ୭୩
ବସ୍ତ୍ର ପାଡ଼ନ୍ତି ପୀତ ନୀଳ । କେ ବୃକ୍ଷୁ ଆଣନ୍ତି ବକଳ ॥ ୭୪
ଯେ ଯାହା ମତେ ଅନ୍ନ ଥୋଇ । କୃଷ୍ଣ ବୋଲନ୍ତି ତାହା ଚାହିଁ ॥ ୭୫
ଅନ୍ନ ଦେଖାଅ ସବୁ ମୋତେ । ବ୍ୟଞ୍ଜନ ଆଣିଛ କେ କେତେ ॥ ୭୬
ଶୁଣି ସାନନ୍ଦ ମନେ ପୋଏ । ମଧ୍ୟେ ବସିଲେ ଦେବରାୟେ ॥ ୭୭
ଯେ ଯାହା ଅନ୍ନପୁଡ଼ା ଫେଡ଼ି । କହନ୍ତି ବେନିକର ଯୋଡ଼ି ॥ ୭୮
ଦେଖ ଶ୍ରୀକୃଷ୍ଣ ମୋର ଭାତ । ବ୍ୟଞ୍ଜନ ଆଣିଛି ବହୁତ ॥ ୭୯
ବଗଡ଼ା ଅନ୍ନ କେ ଆଣିଲା । ବେଲ କରଡ଼ି ଲୁଣ ଅଁଳା ॥ ୮୦
କେ ବୋଲେ ଦଧିଅନ୍ନ ମୋର । ନିର୍ମଳ ଦେଖ ଦାମୋଦର ॥ ୮୧
କେ ବୋଲେ ସରୁଭାତ ମୁହିଁ । ଆଣିଛି ଖାଇବାର ପାଇଁ ॥ ୮୨
କେ ବୋଲେ ତୁଚ୍ଛା ଅନ୍ନ ମୋର । ଭୁଞ୍ଜିବି ପଛେ ଗୋଳି ନୀର ॥ ୮୩
ଏମନ୍ତେ ନେଇ ଦେଖାଇଲେ । ବେଢ଼ି ଗୋବିନ୍ଦଙ୍କୁ ବସିଲେ ॥ ୮୪
ଶ୍ରୀକୃଷ୍ଣ ଭୁଞ୍ଜିବାର ଆଶେ । ବେଣୁ ଖୋଷିଲେ ବାମପାଶେ ॥ ୮୫
କାଖେ ଯାକିଲେ ଶିଙ୍ଗା ବେତ । ଅନ୍ନ ପୁଡ଼ାଏ ବାମହସ୍ତ ॥ ୮୬
ଅଙ୍ଗୁଳି ସନ୍ଧିରେ ଅଏଁଳା । ହୃଦେ ଲମ୍ବଇ ବନମାଳା ॥ ୮୭
ପୁଅଙ୍କୁ ବୋଲେ ଭାବଗ୍ରାହୀ । ବସ ମଣ୍ତାଳାକାର ହୋଇ ॥ ୮୮
ତୁମ୍ଭଙ୍କୁ ପରଷଇ ଅନ୍ନ । ନିଶ୍ଚିନ୍ତେ କର ହୋ ଭୋଜନ ॥ ୮୯
ଶ୍ରୀକୃଷ୍ଣ ବୋଲେ ବ୍ରଜପୋଏ । ବସି ମଣ୍ତଳାକାର ହୋଏ ॥ ୯୦
ସହସ୍ରେ କେଶର କମଳ । ଯେହ୍ନେ ବେଷ୍ଟିତ ପଦ୍ମଦଳ ॥ ୯୧
ଶୋଭା ପାଇଲା ବୃନ୍ଦାବନ । ହରଷେ କରନ୍ତି ଭୋଜନ ॥ ୯୨
ସକଳ ପୁଅଙ୍କୁ ପରଷି । ମଧ୍ୟେ ବସିଲେ ବ୍ରହ୍ମରାଶି ॥ ୯୩
କୃଷ୍ଣର ଗୋଷ୍ଠୀ ପଦ୍ମପ୍ରାୟେ । ସ୍ୱର୍ଗେ ଦେଖନ୍ତି ଦେବତାଏ ॥ ୯୪
ବିବିଧ ମତେ ପରିହାସ । ଗୋପ କୁମରେ ହସ ହସ ॥ ୯୫
ଦିବ୍ୟ ବ୍ୟଞ୍ଜନ ମୁଖେ ଭରି । ବୋଲନ୍ତି ଶୁଣ ନରହରି ॥ ୯୬
ଏ ସ୍ୱାଦ ଅଧିକ ମୋହର । ଗ୍ରାସେ ଭୋଜନ ତୁମ୍ଭେ କର ॥ ୯୭
ଶ୍ରୀକୃଷ୍ଣ ଅଧରେ ଦିଅନ୍ତି । ଏକକୁ ଅରେକ କହନ୍ତି ॥ ୯୮
ଆନନ୍ଦ ଗୋପାଳଙ୍କ ମନ । ହରଷେ କରନ୍ତି ଭୋଜନ ॥ ୯୯
ଯଜ୍ଞ ଭୋକତା ବାଳକେଳି । ଦେଖନ୍ତି ସ୍ୱର୍ଗଲୋକେ ମିଳି ॥ ୧୦୦
ମଧ୍ୟେ ବସାଇ ପୀତବାସ । ବାଳକେ ହୁଅନ୍ତି ହରଷ ॥ ୧୦୧
ଗୋବିନ୍ଦ କ୍ରୀଡ଼ାରସ ରଙ୍ଗେ । ଗୋପାଳ ବାଳକଙ୍କ ସଙ୍ଗେ ॥ ୧୦୨
ହରଷେ ହୋଇ ମତ୍ତଭୋଳ । ଏ କିସ ମଦନ ଗୋପାଳ ॥ ୧୦୩
ଅନ୍ନ ଲୋଚିଏ ଘେନି କରେ । ଦିଅନ୍ତି ପୁଅଙ୍କ ହସ୍ତରେ ॥ ୧୦୪
ପୋଏ ତା 'ଘେନି ଯା'ନ୍ତି ଦୂରେ । ଭୁଞ୍ଜନ୍ତି ଲତା ଅଭ୍ୟନ୍ତରେ ॥ ୧୦୫
ହସି ବୋଲନ୍ତି ପୁଣି ଆସି । ବୋଲନ୍ତି ଦେବ ବ୍ରହ୍ମରାଶି ॥ ୧୦୬
କେହୁ ବୋଲନ୍ତି ମୋତେ ଦିଅ । ହରଷ ନାଦ ଗହ ଗହ ॥ ୧୦୭
ପୁଣି ଦଅନ୍ତି ନନ୍ଦବାଳ । ଭୁଞ୍ଜନ୍ତି ନାଚନ୍ତି ଗୋପାଳ ॥ ୧୦୮
ହରି ଚହଳ ଘନ ଘନ । ଭୁଞ୍ଜନ୍ତି ପ୍ରଭୁ ଭଗବାନ ॥ ୧୦୯
ଏମନ୍ତେ ଅବଶେଷେ ଭୋଜି । ନୃତ୍ୟ କରନ୍ତି ମନମଜ୍ଜି ॥ ୧୧୦
ସ୍ୱର୍ଗେ ଦେଖନ୍ତି ଦେବବୃନ୍ଦ । ଗୋପାଳ ପୁଅଙ୍କ ଆନନ୍ଦ ॥ ୧୧୧
ବ୍ରହ୍ମା ଯେ ଦେଖୁଥିଲେ ଶୂନ୍ୟେ । ଆସି ମିଳିଲେ ବୃନ୍ଦାବନେ ॥ ୧୧୨
ଦେଖିଣ ଗୋବିନ୍ଦର ଗତି । ମନେ ଚିନ୍ତଇ ବେଦପତି ॥ ୧୧୩
ଅଳପ ଦିନେ ଭଗବାନ । ଗୋକୁଳେ ପଡ଼ି ହେଲେ ଭ୍ରମ ॥ ୧୧୪
ଆତ୍ମାକୁ ନ ଚିହ୍ନଇ କିଛି । ଗୋପାଳମେଳେ ଭୁଞ୍ଜୁ ଅଛି ॥ ୧୧୫
ଏହାର ଅବିବେକ ପଣ । କେହ୍ନେ ବୋଲାଇ ନାରାୟଣ ॥ ୧୧୬
ଏ କଥା ଜାଣିବା କେମନ୍ତେ । ସନ୍ଦେହ ଲାଗିଲା ତ ମୋତେ ॥ ୧୧୭
ଦେଖିଲି ଅସୁର ମୋକ୍ଷଣ । ଏବେ ଭୁଞ୍ଜଇ ପୁଡ଼ା ଅନ୍ନ ॥ ୧୧୮
ପୁଅଙ୍କ ଉଚ୍ଛିଷ୍ଟ ବ୍ୟଞ୍ଜନ । ଆପଣେ କରଇ ଭୋଜନ ॥ ୧୧୯
ଯେବେ ଅଟଇ ଚକ୍ରଧର । ମୋର ମାୟାରୁ ହେଉ ପାର ॥ ୧୨୦
ଏହାକୁ ମାୟା ମୁଁ କରିବି । ବତ୍ସା ବାଳକ ହରି ନେବି ॥ ୧୨୧
ଦେଖିବି ଏହାର ବିକଳ । କେମନ୍ତେ ରଖିବ ଗୋକୁଳ ॥ ୧୨୨
ଏମନ୍ତ ବିଚାରଇ ବସି । ଅନ୍ନ ଭୁଞ୍ଜନ୍ତି ବ୍ରହ୍ମରାଶି ॥ ୧୨୩
କୋମଳ ତୃଣ ଚରି ଚରି । ଗହନେ ପଶିଲେ ବାଛୁରୀ ॥ ୧୨୪
ମାୟାରେ ବ୍ରହ୍ମା ତାହା ହରି । ରଖିଲେ କମଣ୍ତଳେ ଭରି ॥ ୧୨୫
ଗୋପାଳେ ବତ୍ସା ନ ଦେଖିଲେ । ଅନ୍ନଭୋଜନ ଉପେକ୍ଷିଲେ ॥ । ୧୨୬
ଚକିତେ ଚଉଦିଗେ ଚାହିଁ । ବୋଲନ୍ତି କୃଷ୍ଣଙ୍କୁ ଅନାଇଁ ॥ ୧୨୭
ବତ୍ସାଏ ଗଲେ କେଉଁ କତି । ଶୁଣିମା ପ୍ରଭୁ ଦାଶରଥି ॥ ୧୨୮
ନିକଟେ ବତ୍ସା ନ ଦିଶଇ । ଯେଝାରେ ଆଣିବୁ ଅଡ଼ାଇ ॥ ୧୨୯
ଶୁଣି ବୋଲନ୍ତି କୃଷ୍ଣ ହସି । ମୁହିଁ ଆଣିବି ବନେ ପଶି ॥ ୧୩୦
ସମସ୍ତେ ଏହିଠାରେ ଥାଅ । ଅନ୍ନ ବ୍ୟଞ୍ଜନ ସବୁ ଖାଅ ॥ ୧୩୧
ଆମ୍ଭେ ଆସିବୁ ବତ୍ସା ଲୋଡ଼ି । ବୋଲିଣ ଘେନିଲେ ଲଉଡି ॥ ୧୩୨
ସୁଖେ ଭୋଜନ ପାନ କର । କହି ଚଳିଲେ ବେଣୁଧର ॥ ୧୩୩
ପଞ୍ଚଗରାସ ତୁଣ୍ତେ ଭରି । ଅନ୍ନ ପୁଡ଼ାଏ କରେ ଧରି ॥ ୧୩୪
ଗିରି କାନନ ନଦୀତୀରେ । ଖୋଜନ୍ତି ଝାଳ ଜରଜରେ ॥ ୧୩୫
କୃଷ୍ଣେ ନ ଦେଖି ବେଦପତି । ମିଳିଲେ କୁମରଙ୍କ କତି ॥ ୧୩୬
ମାୟାର ବଳେ ଜ୍ଞାନ ହରି । ପୁଅଙ୍କୁ କମଣ୍ତଳେ ଭରି ॥ ୧୩୭
ତକ୍ଷଣେ ଘେନିଣ ଚଳିଲେ । ପର୍ବତ କ୍ରୋଟରେ ରଖିଲେ ॥ ୧୩୮
ବୃନ୍ଦାବନକୁ ଅନାଇଲେ । ନିଜ ଭୁବନେ ବିଜେ କଲେ ॥ ୧୩୯
ବତ୍ସା ନ ପାଇ ବନମାଳୀ । ପୁଣି ଭୋଜନ ସ୍ଥାନେ ମିଳି ॥ ୧୪୦
ଦେଖିଲେ ଗୋପପୋଏ ନାହିଁ । ଚକିତେ ଚଉଦିଗେ ଚାହିଁ ॥ ୧୪୧
ବାଳକେ କେଣେ ଗଲେ ବୋଲି । ଡାକନ୍ତି ଯେଝା ନାମ ଧରି ॥ ୧୪୨
ବତ୍ସା ବାଳକେ ବନେ ଖୋଜି । ଡାକନ୍ତି ଗତିପଥ ହେଜି ॥ ୧୪୩
ବୋଲନ୍ତି କିସ ବିପରୀତ । କେ ନେଲା ବତ୍ସା ଗୋପସୁତ ॥ ୧୪୪
ବେଳ ହୋଇଲା ଅବସାନ । ଗୋରୁଏ ମିଳିଲେ ସଦନ ॥ ୧୪୫
ବତ୍ସା ନ ଦେଖି ଗାଈମାନେ । ଧାଇଁ ଲୋଡ଼ନ୍ତି ନାନା ସ୍ଥାନେ ॥ ୧୪୬
ଗୋପାଳେ ରଖି ନ ପାରନ୍ତି । ଗୋରୁଏ ବନକୁ ଧାମନ୍ତି ॥ ୧୪୭
ଗୋରୁଙ୍କ ଦେଖିଣ ବିକଳ । ଗୋପାଳେ ପାଡ଼ନ୍ତି ଚହଳ ॥ ୧୪୮
ସହି ନ ପାରିଲାକି ନନ୍ଦ । ଡାକଇ ଗୋବିନ୍ଦ ଗୋବିନ୍ଦ ॥ ୧୪୯
ରାମ ଗୋବିନ୍ଦ ବନମାଳୀ । ନନ୍ଦ ଡାକିଲା ନାମ ଧରି ॥ ୧୫୦
ଡାକଇ ବୃନ୍ଦାବନେ ପଶି । ବତ୍ସା ନ ପାଇ ବ୍ରହ୍ମରାଶି ॥ ୧୫୧
ଧ୍ୟାନେ ନିରୋପି ଦେବେ ଚାହିଁ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥ ୧୫୨
ବିଧାତା ମୋତେ ମାୟା କରି । ବତ୍ସାବାଳକେ ନେଲା ହରି ॥ ୧୫୩
ମୋତେ ଦେଖାଇଲା ସ୍ୱଭାବ । ଆଜ ଗଞ୍ଜିବି ତା'ର ଗର୍ବ ॥ ୧୫୪
ଗୋପ ଯୁବତୀଙ୍କର ହିତେ । ବ୍ରହ୍ମାଙ୍କୁ ଗଞ୍ଜିବା ନିମନ୍ତେ ॥ ୧୫୫
ଉଭୟ ରୂପ ଅଙ୍ଗୀକାର । ଜଗତନାଥ ମାୟାଧର ॥ ୧୫୬
ନିଜ ସ୍ୱାଭାବ ସୁମରିଲେ । ଆମ୍ଭେଟି ଈଶ୍ୱର ଜାଣିଲେ ॥ ୧୫୭
ବ୍ରହ୍ମା ଶଙ୍କର ମୋର ଦାସ । ସ୍ୱର୍ଗ ଭୁବନ ଚତୁର୍ଦ୍ଦଶ ॥ ୧୫୮
ଆମ୍ଭେ ତ ଅଟୁ ପ୍ରଜାପତି । ସଂସାର ସଂହାରଣ ନୀତି ॥ ୧୫୯
ମୋହର ସଞ୍ଚିଲା ଏ ସର୍ବ । କିପାଁ ମାଗିବି କଲା ଗର୍ବ ॥ ୧୬୦
ଦେବେ କରିବେ ଉପହାସ । ମାଗନ୍ତେ ନାହିଁ ପଉରୁଷ ॥ ୧୬୧
କୋଟି ବ୍ରହ୍ମାଣ୍ତ ଗର୍ଭୁ ଜାତ । ବତ୍ସା ବାଳକ କେତେ ମାତ୍ର ॥ ୧୬୨
ମାୟା ଭିଆଣ ଜଗନ୍ନାଥ । ଗର୍ଭୁ ସକଳ କଲେ ଜାତ ॥ ୧୬୩
ଏମନ୍ତେ ପ୍ରଭୁ ନରହରି । ବତ୍ସାବାଳକ ରୂପ ଧରି ॥ ୧୬୪
ଯେତେ ବାଛୁରୀ ଗୋପସୁତ । କୃଷ୍ଣ ଦେହରୁ ହେଲେ ଜାତ ॥ ୧୬୫
ଯାହାର ଯେମନ୍ତ ସ୍ୱଭାବ । ମାୟାଭିଆଣ ପଦ୍ମନାଭ ॥ ୧୬୬
ବିବିଧ ବନ୍ଧେ କାଛା ପିନ୍ଧି । ଚୂଳେ ମୟୂରପୁଚ୍ଛ ବାନ୍ଧି ॥ ୧୬୭
ଗୁଞ୍ଜରାପାଟି ଫୁଲମାଳେ । ରତ୍ନକୁଣ୍ତଳ ଗଣ୍ତସ୍ଥଳେ ॥ ୧୬୮
କର ପୟର ଶିକା ଡ଼ାଳି । କଣ୍ଠେ ମୁକୁତା ବିଦମାଳୀ ॥ ୧୬୯
ବେଣୁ କଠାଉ ଶିଙ୍ଗା ବେତ । ଯାହାର ସ୍ୱରୂପ ଯେମନ୍ତ ॥ ୧୭୦
ଯାହାର ବଚନ ଯେମନ୍ତ । ରୂପ ବୟସ ସେହି ମତ ॥ ୧୭୧
ଯେ ଯେତେ ଉଚ୍ଚ ସଞ୍ଚ ସ୍ଥୂଳ । ଯାହାର ଯେମନ୍ତ କୁନ୍ତଳ ॥ ୧୭୨
ଓଁକାରୁ ଯେହ୍ନେ ବେଦ କ୍ଷରି । ସର୍ବ-ସ୍ୱରୂପ ନରହରି ॥ ୧୭୩
ରୂପୁଁ ଅନେକ ରୂପ କଲେ । ବିଶ୍ୱ-ପ୍ରପଞ୍ଚ ଦେଖାଇଲେ ॥ ୧୭୪
ବେଳ ହୋଇଲା ଅବସାନ । ଗୋପେ ଚଳିଲେ ଭଗବାନ ॥ ୧୭୫
ଆପେ ବାଛୁରୀ ଆପେ ପୋଏ । ଆତ୍ମାକୁ ଆପଣେ ଅଡ଼ାଏ ॥ ୧୭୬
ପ୍ରବେଶ ଗୋପପୁର ଲାଗେ । ପୋଏ ନାଚନ୍ତି ନାନାରଙ୍ଗେ ॥ ୧୭୭
ମୁରଲୀ ଶୁଣି ଗୋପନାରୀ । ପାଛୋଟି ଗଲେ ଆଗସରି ॥ ୧୭୮
ପୁତ୍ରଙ୍କୁ ଦେଖି ସ୍ନେହଭରେ । ହୃଦେ ଚାପିଲେ ତୋଳି କରେ ॥ ୧୭୯
ଯେଝା ବାଳକ ଧରି କୋଳେ । ସ୍ନେହ କରନ୍ତି କୁତୂହଳେ ॥ ୧୮୦
ଆନନ୍ଦ କେ ପାରିବ କହି । ସ୍ତନ୍ୟ ପିଆନ୍ତି ଚୁମ୍ବ ଦେଇ ॥ ୧୮୧
ଯଶୋଦା ରୋହିଣୀ ମିଳିଲେ । ରାମ-କୃଷ୍ଣଙ୍କୁ କୋଳ କଲେ ॥ ୧୮୨
ଆନନ୍ଦେ ପିଆବନ୍ତି ସ୍ତନ୍ୟ । ଶ୍ରୀମୁଖେ ଦିଅନ୍ତି ଚୁମ୍ବନ ॥ ୧୮୩
ବୋଲନ୍ତି ଲୁଚିଯିବି ତୋର । ଆଜ ତ ବନସ୍ତେ ଉଛୁର ॥ ୧୮୪
କୃଷ୍ଣ ବୋଲନ୍ତି ଶୁଣ ମାଏ । ଗଲୁଁ ଥୋକାଏ ଦୂର ଯାଏଁ ॥ ୧୮୫
ତେଣୁ ସେ ହୋଇଲା ଉଛୁର । ଭାବେ ଭଣ୍ତିଲେ ଚକ୍ରଧର ॥ ୧୮୬
ଗୋବତ୍ସା ଗଲେ ଯେଝା ଘରେ । ଗୋପୀ ମିଳିଲେ ନିଜ ପୁରେ ॥ ୧୮୭
ପୁତ୍ରଙ୍କୁ ମାଜଣା କରାଇ । ଦଧି-ଲବଣି ଅନ୍ନ ଦେଇ ॥ ୧୮୮
ଯେଝାରେ କରାଇ ଶୟନ । ଆନନ୍ଦ ଗୋପୀଙ୍କର ମନ ॥ ୧୮୯
ରାତ୍ରେ ଅଇଲେ ବନୁଁ ଗାଈ । ହମ୍ବାଳି ଛାଡ଼ିଣ ବୋବାଇ ॥ ୧୯୦
କୋଳେ ଆବୋରି ବତ୍ସା ଲେହି । ସ୍ତନ ପିଆନ୍ତି ସ୍ନେହ ବହି ॥ ୧୯୧
କି ପୁଣ୍ୟ ଗୋପୀଜନଙ୍କର । କୋଳେ ଧଇଲେ ଚକ୍ରଧର ॥ ୧୯୨
ପୂର୍ବେ ଅଛନ୍ତି ତପ କରି । ସ୍ତନ୍ୟ ପିଆନ୍ତି ନରହରି ॥ ୧୯୩
ପୁଣ୍ୟ କେ କହୁ ତାହାଙ୍କର । ଯାହା ନ ପା'ନ୍ତି ବ୍ରହ୍ମା ହର ॥ ୧୯୪
ଏ କଥା ନଜାଣନ୍ତି କେହି । ମାୟା ଭିଆଣ ଭାବଗ୍ରାହୀ ॥ ୧୯୫
ନିତ୍ୟେ ଚରାନ୍ତି ବତ୍ସା ବନେ । ଗୋପେ ମିଳନ୍ତି ରାତ୍ରମାନେ ॥ ୧୯୬
ଏମନ୍ତେ ପୂରିଲା ବରଷ । ଶୁଣ ରାଜନ କୃଷ୍ଣ ରସ ॥ ୧୯୭
ଦିନେକ ରାମ ଘେନି ସଙ୍ଗେ । ବନେ ମିଳିଲେ ଶିରୀରଙ୍ଗେ ॥ ୧୯୮
ପର୍ବତ ନାମ ଗୋବର୍ଦ୍ଧନ । କାଳିନ୍ଦୀତୀରେ ବୃନ୍ଦାବନ ॥ ୧୯୯
ଗୋପକୁମର ଘେନି ହରି । ସେ ବନେ ଚରାନ୍ତି ବାଛୁରୀ ॥ ୨୦୦
ପର୍ବତେ ଗାଈ ଚରୁଥିଲେ । ତଳେ ବତ୍ସାଙ୍କୁ ଅନାଇଲେ ॥ ୨୦୧
ଦେଖି ଧାଇଁଲେ ଅତି ଖରେ । ତଳେ ମିଳିଲେ ସ୍ନେହଭରେ ॥ ୨୦୨
ଉର୍ଦ୍ଧ୍ୱେ ଲାଙ୍ଗୁଳ-ମୁଖ ହୋଇ । ପର୍ବତୁଁ ପଡ଼ନ୍ତେ ଓହ୍ଲାଇ ॥ ୨୦୩
ଗୋପାଳେ ଓଗାଳିଲେ ଆସି । କରେ ଲଉଡ଼ିମାନ ତ୍ରାସି ॥ ୨୦୪
ତା'ଙ୍କ ବାରଣ ନ ମାନିଲେ । ପର୍ବତ ତଳେଣ ମିଳିଲେ ॥ ୨୦୫
ଆବୋରି ଯେ ଯାହାର ବତ୍ସା । ହମ୍ବାଳି ଲିହିବାରେ ଇଚ୍ଛା ॥ ୨୦୬
ସ୍ତନ୍ୟ ପିଆନ୍ତି ଦେହ ଲିହି । ହୁଙ୍କାର ନାଦେ ସର୍ବ ଗାଈ ॥ ୨୦୭
ଓଗାଳି ନ ପାରି ଗୋପାଳେ । ଲଜ୍ଜାରେ ରହିଲେ ସକଳେ ॥ ୨୦୮
ଗୋପାଳେ ଥିଲେ ଗିରି ପରେ । ତଳେ ମିଳିଲେ ଧାତିକାରେ ॥ ୨୦୯
ପୁତ୍ରଙ୍କୁ କହନ୍ତି ପିଅର । କିମ୍ବା ଆଣିଲ ବତ୍ସାପଲ ॥ ୨୧୦
ପିଇଲେ ସକଳ ବାଛୁରୀ । ଓଗାଳ ନ ପାରିଲୁ କରି ॥ ୨୧୧
ମାୟା କୁମାର ମୁଖ ଚାହିଁ । ଗୋପାଳେ ହୋଇଲେକି ମୋହି ॥ ୨୧୨
ନିଜ ବାଳକ ଦେଖି ତଳେ । ସ୍ନେହେକରିଲେ କାଖେ କୋଳେ ॥ ୨୧୩
ଚୁମ୍ବନ ଦେଇ ହୃଦେ ଚାପି । ସ୍ନେହେ ବୁଜିଲେ ବେନି ଆଖି ॥ ୨୧୪
ଗୋରୁ-ଗୋପାଳ ସ୍ନେହଭରେ । ଦେଖିଣ ରୋହିଣୀ-କୁମରେ ॥ ୨୧୫
ଭାଳନ୍ତି ବୃକ୍ଷତଳେ ରହି । ଏମନ୍ତ ଦେଖିଲା ତ ନାହିଁ ॥ ୨୧୬
ପୂର୍ବହୁଁ ସ୍ନେହ ତ ଅତ୍ୟନ୍ତ । ଏ କଥା ଜାଣିବା କେମନ୍ତ ॥ ୨୧୭
ମୋତେ ତ ସନ୍ଦେହ ଲାଗିଲା । କିମ୍ବା ଗୋବିନ୍ଦ ମାୟା କଲା ॥ ୨୧୮
ରାମ ଚାହିଁଲେ ଯୋଗବଳେ । ଯେତେ ବାଛୁରୀ ଗୋପବାଳେ ॥ ୨୧୯
ଦିଶନ୍ତି ଚାରି ଚାରି ଭୁଜ । କୋଟିଏ କାମ ଜିଣି ତେଜ ॥ ୨୨୦
ପୀତବସନ କଟୀ ମାଝେ । ମଣି କୁଣ୍ତଳ ରବି ଗଞ୍ଜେ ॥ ୨୨୧
ଦେଖି ଚକିତ ହଳଧର । କୃଷ୍ଣଙ୍କୁ କହନ୍ତି ମଧୁର ॥ ୨୨୨
ଦେବତା ଋଷି ଏ ନୁହନ୍ତି । ତୋହର ପ୍ରାୟେକ ଦିଶନ୍ତି ॥ ୨୨୩
ନିଜ ବାଳକ-ବତ୍ସା କାହିଁ । ତୋ' ତହୁଁ ଆନ ନ ଦିଶଇ ॥ ୨୨୪
ମାୟା କି କରିଅଛୁ ମୋତେ । କେମନ୍ତେ ଯିବଇଁ ପରତେ ॥ ୨୨୫
ହସି ବୋଲନ୍ତି ନନ୍ଦବାଳା । ବ୍ରହ୍ମା କଷଣ ମୋତେ ଦେଲା ॥ ୨୨୬
ବନେ ଭୋଜନ ଦେଖି ମୋର । ହରିଲ ବାଛୁରୀ-କୁମର ॥ ୨୨୭
ଏମାନ ଭିଆଇଲି ମୁହିଁ । ଶୁଣିମା ସାବଧାନ ହୋଇ ॥ ୨୨୮
ଶୁଣି ସାନନ୍ଦ ବଳରାମ । କୃଷ୍ଣଙ୍କୁ ଦିଅନ୍ତି ଚୁମ୍ବନ ॥ ୨୨୯
ଗୋପେ ମିଳିଲେ ରାତ୍ରକାଳେ । ଶୟନ ଯଶୋଦାର କୋଳେ ॥ ୨୩୦
ରଜନୀ ହୋଇଲା ପ୍ରଭାତ । ବନେ ଚଳିଲେ ଗୋପୀନାଥ ॥ ୨୩୧
ବ୍ରହ୍ମା ଯେ ବତ୍ସା ହରି ନେଲା । ମଞ୍ଚକୁ ବରଷେ ହୋଇଲା ॥ ୨୩୨
ବିଧାତା ବିଚାରଇ ମନେ । କୃଷ୍ଣେ ଭେଟିବି ବୃନ୍ଧାବନେ ॥ ୨୩୩
କେମନ୍ତ କଲେ ଦାମୋଦର । ଆଜ ଦେଖିବି ଗୋପପୁର ॥ ୨୩୪
ବ୍ରହ୍ମା ବିଚାରି ଏହା ମନେ । ବେଗେ ମିଳିଲା ବୃନ୍ଦାବନେ ॥ ୨୩୫
ଦେଖିଲା ଯମୁନାର କୂଳେ । ବତ୍ସା-ବାଳକ କୃଷ୍ଣମେଳେ ॥ ୨୩୬
ମୁରଲୀ ବାଇ ନାନାଛନ୍ଦେ । ବାଳକେ ନାଚନ୍ତି ଆନନ୍ଦେ ॥ ୨୩୭
ନିଶ୍ଚିନ୍ତେ ଚରାନ୍ତି ବାଛୁରୀ । ମଧ୍ୟେ ବିଜୟ ନରହରି ॥ ୨୩୮
ଦେଖି ଚକିତ ପ୍ରଜାପତି । ବନେ ଚାହଁଇ ଚଉକତି ॥ ୨୩୯
ଚକିତ ଚିତ୍ତେ ଛନ୍ନ ଛନ୍ନ । ବିଧାତା ବିଚାରଇ ମନ ॥ ୨୪୦
ବତ୍ସା ବାଳକ ମୁହିଁ ନେଇ । ମାୟା ଶୟଳେ ଅଛି ଥୋଇ ॥ ୨୪୧
ଏହାଙ୍କୁ କାହୁଁ ଭିଆଇଲା । ଏମନ୍ତ ବୋଲି ବାହୁଡ଼ିଲା ॥ ୨୪୨
ଦେଖିଲା ନିଜ ପୁରେ ଯାଇ । ବତ୍ସା ବାଳକେ ଛନ୍ତି ଶୋଇ ॥ ୨୪୩
ପୁଣି ମିଳିଲା ନଦୀତୀରେ । ବାଳକେ ଅଛନ୍ତି ସେଠାରେ ॥ ୨୪୪
ଆନନ୍ଦେ ଚରାନ୍ତି ବାଛୁରୀ । ନାଚନ୍ତି ବେଣୁନାଦ କରି ॥ ୨୪୫
ଉଭୟ ସଙ୍କଟେ ବିଧାତା । ମନେ ପାଇଲା ଗୁରୁ ଚିନ୍ତା ॥ ୨୪୬
ପୁଣି ଦେଖିଲା ଯାଇ ଘରେ । ଆସି ମିଳିଲା ନଦୀତୀରେ ॥ ୨୪୭
ବିଧାତା ବିଚାରି ଚକିତ । ବୋଲଇ ଏ କି ବିପରୀତ ॥ ୨୪୮
ମୋର ଭୁବନେ ଶୋଇଛନ୍ତି । ପୁଣି ଏ ବନେ ଚରୁଛନ୍ତି ॥ ୨୪୯
ଏହାଙ୍କୁ କାହୁଁ ଏ ଆଣିଲା । ମୋତେ ତ ସନ୍ଦେହ ଲାଗିଲା ॥ ୨୫୦
କି ବୁଦ୍ଧି କରିବଇଁ ଆଜ । ମୋତେ ହୋଇଲା ବଡ଼ ଲାଜ ॥ ୨୫୧
ଯେବେ ମୁଁ ବତ୍ସା ଦେବି ଆଣି । କୋପ କରିବେ ଚକ୍ରପାଣି ॥ ୨୫୨
କିବା ମୋହର ବଡ଼ପଣ । ହାସ୍ୟ କରିବେ ଦେବଗଣ ॥ ୨୫୩
କରିବି କେବଣ ଉପାୟ । ନ ପୁଣ କୋପେ ଦେବରାୟ ॥ ୨୫୪
କୋପ କରିଣ ଶିରୀବତ୍ସୀ । ଆନ ବ୍ରହ୍ମାଏ ଭିଆଇଛି ॥ ୨୫୫
ନୁହଇ ମୋହର ସଞ୍ଚିଲା । ଆନ ବ୍ରହ୍ମା କି ଭିଆଇଲା ॥ ୨୫୬
ବାଳକ ବାଛୁରୀ ଭିଆଇ । ଗୋବିନ୍ଦ ଅଛି କି ଲୁଚାଇ ॥ ୨୫୭
ନିଜ ମାୟାରେ ନିଜେ ଜଡ଼ି । ବ୍ରହ୍ମା ଭ୍ରମିଲା ପଥ ହୁଡ଼ି ॥ ୨୫୮
ମାୟା ମୋହିଲେ ଭଗବାନ । ଆନ ମାୟା ଯେ ବିଡ଼ମ୍ବନ ॥ ୨୫୯
ଘୋର ଅନ୍ଧାର ରାତ୍ରମାନେ । କୁହୁଡ଼ି ଦିଶେ କି ଗଗନେ ॥ ୨୬୦
ଦିବସେ ଜୁଳୁଜୁଳା ପୋକ । ପ୍ରକାଶି ପାରେ କି ଆଲୋକ ॥ ୨୬୧
କ୍ଷଣକେ ହୋଇଲା ସଚେତ । ପୁଣି ଚାହଁଇ ଭୟଚିତ୍ତ ॥ ୨୬୨
ଯେତେ ବାଛୁରୀ ଗୋପବାଳେ । ବ୍ରହ୍ମାଙ୍କୁ ଦିଶନ୍ତି ସକଳେ ॥ ୨୬୩
ନୀଳ-ଜଳଦ ତୁନୁକାନ୍ତି । ପୀତବସନ ଝଟକନ୍ତି ॥ ୨୬୪
ଶ୍ରବଣେ କୁଣ୍ତଳ ବିରାଜେ । ରବିଶଙ୍କ ତେଜ ଗଞ୍ଜେ ॥ ୨୬୫
ଶ୍ରୀବତ୍ସ ଚିହ୍ନ କଣ୍ଠେ ମଣି । କଟୀରେ ରତ୍ନ-ଓଡ଼ିଆଣି ॥ ୨୬୬
ମର୍କତସ୍ତମ୍ଭ ଭୁଜ ଚାରି । ଶଙ୍ଖ-କମଳ-ଗଦାଧାରୀ ॥ ୨୬୭
ଦକ୍ଷିଣ କରେ ଚକ୍ର ଶୋହେ । ରୂପେ କୋଟିଏ କାମ ମୋହେ ॥ ୨୬୮
କରେ କଙ୍କଣ ହୃଦେ ହାର । ଚରଣେ ବାଜେଣି ନୂପୁର ॥ ୨୬୯
କୋମଳ ତୁଳସୀର ମାଳେ । କଣ୍ଠୁ ଲମ୍ବଇ ପାଦତଳେ ॥ ୨୭୦
ବିକଟ-କମଳ-ଲୋଚନ । ଅଧର ବିମ୍ବଫଳ ବର୍ଣ୍ଣ ॥ ୨୭୧
ଯା'ର ମହିଁମା ପରିମାଣି । ବେଦ-ପୁରାଣେ ନୋହେ ଜାଣି ॥ ୨୭୨
ସ୍ତୁତି କରନ୍ତି ସୁରମୁନି । ପାଦେ କିଙ୍କର ପଦ୍ମଯୋନି ॥ ୨୭୩
ଅଶେଷ ବ୍ରହ୍ମାଣ୍ତ ଠାକୁର । ବ୍ରହ୍ମାଏ ଖଟନ୍ତି ପୟର ॥ ୨୭୪
ପୂଜନ୍ତି ନାନା ଉପହାରେ । ନୃତ୍ୟ କରନ୍ତି ଗୀତସ୍ୱରେ ॥ ୨୭୫
ସ୍ତମ୍ଭରୁ ବ୍ରହ୍ମ ପରିଯନ୍ତେ । ବ୍ରହ୍ମାଣ୍ତେ ଅଛନ୍ତି ଯେ ଯେତେ ॥ ୨୭୬
ପଞ୍ଚ ଇନ୍ଦ୍ରିୟ ପଞ୍ଚଭୂତ । ଯେ ଅଧିଷ୍ଠାତା ଦଇବତ ॥ ୨୭୭
ବୁଦ୍ଧି ଚେତନା ଅହଙ୍କାର । ଯେତେ ଏ ମନର ବିକାର ॥ ୨୭୮
ଯେଝା ବିଷୟ ଅନୁରୂପେ । ଖଟନ୍ତି ବ୍ରହ୍ମାଙ୍କ ସମୀପେ ॥ ୨୭୯
ଅଣିମା ଆଦି ଅଷ୍ଟନିଧି । କଳା ସ୍ୱଭାବେ କର୍ମସାଧି ॥ ୨୮୦
ସୃଷ୍ଟି କରନ୍ତି ଅପ୍ରମିତ । ଚଞ୍ଚଳ ବ୍ରହ୍ମାଙ୍କର ଚିତ୍ତ ॥ ୨୮୧
ଖଟନ୍ତି ଗୋବିନ୍ଦ ପୟର । ଦେଖି ଚକିତ ବେଦବର ॥ ୨୮୨
କୋଟି ଅଂଶରେ ତୁଲ୍ୟ ନୋହେ । ସ୍ୱରୂପ ବ୍ରବ୍ମାଙ୍କର ପ୍ରାୟେ ॥ ୨୮୩
ଏମନ୍ତ କୃଷ୍ଣମାୟା ଦେଖି । ଭୟେ ବୁଜିଲା ଅଷ୍ଟ ଆଖି ॥ ୨୮୪
ଯେସନେ ଦେବୀ ପୂଜା ଯୋଗେ । କାଷ୍ଠପିତୁଳା ଥୋଇ ଆଗେ ॥ ୨୮୫
ତେସନେ ହୋଇ ବେଦବର । ରହିଲା ଶ୍ରୀକୃଷ୍ଣ ଛାମୁର ॥ ୨୮୬
ବେଦେ ଗୋଚର ନୋହେ ଯେହୁ । ମହାମହିମ ମହାବାହୁ ॥ ୨୮୭
ପ୍ରମାଣି ନ ପାଇଲା ଅନ୍ତ । ବ୍ରହ୍ମା ହୋଇଲା ମୋହଗତ ॥ ୨୮୮
କଣ୍ଠେ ହୋଇଲା ପଞ୍ଚପ୍ରାଣ । ଜାଣିଲେ କମଳାରମଣ ॥ ୨୮୯
ଅଦୃଶ୍ୟ ଇନ୍ଦ୍ର ଜାଲ ମାୟା । ବିଶ୍ୱ ମୂରତି ଯା'ର କାୟା ॥ ୨୯୦
ମନେ ବିଚାରି ଚକ୍ରଧର । ଜାଣିଲେ ବ୍ରହ୍ମାର ଆତୁର ॥ ୨୯୧
ବୋଇଲେ ଅଳପ କର୍ମର । ଜ୍ଞାନ ହାରିଲା ବେଦବର ॥ ୨୯୨
ଏବେ କରିବା କର୍ମ ଯେତେ । ଧାତା କି ଜୀଇବ ଜୀବିତେ ॥ ୨୯୩
ବିଚାରି ପଟଳ କାଢ଼ିଲେ । ନିଜ ସ୍ୱରୂପ ଦେଖାଇଲେ ॥ ୨୯୪
ବ୍ରହ୍ମାଙ୍କୁ କୃଷ୍ଣ ଦୟା କଲେ । ମାୟା-ପଟଳ ଉହାଡ଼ିଲେ ॥ ୨୯୫
ଜ୍ଞାନ ପାଇଲା ପ୍ରଜାପତି । ଉଠି ଚାହିଁଲା ଚଉକତି ॥ ୨୯୬
ଦେଖିଲା ବୃନ୍ଦାବନ ଲାଗେ । ଲକ୍ଷ୍ମୀ ବିଜୟ ଚଉଦିଗେ ॥ ୨୯୭
ବନ୍ୟଜନ୍ତୁଙ୍କ ହିଂସା ନାହିଁ । ଚରନ୍ତି ମିତ୍ର ପ୍ରାୟ ହୋଇ ॥ ୨୯୮
ଦେଖିଲା କଦମ୍ବର ତଳେ । କୃଷ୍ଣ ନାଚନ୍ତି କୁତୂହଳେ ॥ ୨୯୯
ପୁଣି ଦେଖିଲା କେହି ନାହିଁ । ଚକିତେ ଚଉଦିଗେ ଚାହିଁ ॥ ୩୦୦
ସଭୟ ଚିତ୍ତେ ଛନଛନ । ଆରତେ ବୁଜିଲା ନୟନ ॥ ୩୦୧
ଘଡ଼ିକେ ପୁଣି ଅନାଇଲା । ଦେଖଇ ଗୋବିନ୍ଦର ଲୀଳା ॥ ୩୦୨
କରେଣ ଅନ୍ନପୁଡ଼ା ଘେନି । ବତ୍ସା ଖୋଜନ୍ତି ବନେ ଭ୍ରମି ॥ ୩୦୩
ଦେଖି ବାହନ ଉପେକ୍ଷିଲା । କୃଷ୍ଣର ନିକଟେ ମିଳିଲା ॥ ୩୦୪
ପାଦେ ପଡ଼ିଲା ବେଦବର । ଅବନୀ ଦିଶିଲା ସୁନ୍ଦର ॥ ୩୦୫
ନୀଳ-ପାଷାଣ ତଳେ ଥାଇ । ସୁବର୍ଣ୍ଣ ଯେମନ୍ତେ ଦିଶଇ ॥ ୩୦୬
ଚାରି ମୁକୁଟ ଶିରେ ଥିଲା । କୃଷ୍ଣର ଚରଣେ ଲାଗିଲା ॥ ୩୦୭
ବେନି ଚରଣେ ଶିର ଦେଇ । ଭୟେ ବୋଲଇ ତ୍ରାହି ତ୍ରାହି ॥ ୩୦୮
ପୂଜିଲା ଗୋବିନ୍ଦ ପୟର । ଦେଇ ବିବିଧ ଉପହାର ॥ ୩୦୯
ପାଦ ଧୋଇଲା ଚକ୍ଷୁ ଲୁହେ । ମନ ନିବେଶି କୃଷ୍ଣପାୟେ ॥ ୩୧୦
ଶତେକ ବେଳ ପାୟେ ପଡ଼ି । ଉଠିଲା ବେନିକର ଯୋଡ଼ି ॥ ୩୧୧
ସ୍ତୁତି କରଇ ଚାରିବେଦେ । ଆନନ୍ଦେ ଶୋକ ଗଦଗଦେ ॥ ୩୧୨
ସେ ହରି ଚରଣ-କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୩୧୩
ବତ୍ସା-ହରଣ ଏହୁ ଛାନ୍ଦ । ଏଣେ ଛାଡ଼ିବ ମୋହ-ଫାନ୍ଦ ॥ ୩୧୪
ଗର୍ବ ଗଞ୍ଜନ ଯା'ର ବାନା । ଭକ୍ତ-ଜନଙ୍କ ବଜ୍ର-ସେହ୍ନା ॥ ୩୧୫
ଭକ୍ତ ବତ୍ସଳ ନରହରି । ଯାହାର ନାହିଁ ମିତ୍ର ଅରି ॥ ୩୧୬
ଶ୍ରୀକୃଷ୍ଣ ପାଦେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୩୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବ୍ରହ୍ମା ଗର୍ବଗଞ୍ଜନେ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ॥
* * *