ଦଶମ ସ୍କନ୍ଧ

ତ୍ରୟୋଦଶ ଅଧ୍ୟାୟ

ଶୁକ ଉବାଚ

ବୋଲନ୍ତି ବ୍ୟାସମୁନି ଶିଷ । ଶୁଣ ରାଜନ କୃଷ୍ଣରସ ॥

ଗୋପ ନଗରେ ଶିରୀରଙ୍ଗେ । ଖେଳନ୍ତି କୁମାରଙ୍କ ସଙ୍ଗେ ॥

ଦିନ ହରନ୍ତି ବୃନ୍ଦାବନେ । ଘରେ ମିଳନ୍ତି ରାତ୍ରମାନେ ॥

ଏମନ୍ତେ ବୃନ୍ଦାବନେ କେଳି । ରାମ ଗୋବିନ୍ଦ ଗୋପବାଳୀ ॥

ଦିନେକ ପ୍ରଭୁ ଦେବରାଜ । ରାତ୍ରହୁଁ ଉପେକ୍ଷିଲେ ଶେଯ ॥

ରଜନୀ ଅଛି ବେନି ଘଡ଼ି । ନିଦ୍ରା ଉପେକ୍ଷି ନରହରି ॥

ମାତାଙ୍କୁ ଡାକି ବନମାଳୀ । ପୟରେ କଲେ ନିଉଛାଳି ॥

ଆଜ ମୁଁ ନ ଭୁଞ୍ଜିବି ଘରେ । ଅନ୍ନ ପୁଡ଼ାଏ ଦିଅ ମୋରେ ॥

ଦଇବେ ନିଦାଘର କାଳ । ଖରା ଲାଗନ୍ତେ ବହେ ଝାଳ ॥

ଶୀତଳ ବେଳୁ ଯିବୁ ବନ । ଅନ୍ନ ତୁ ଦିଅ ଗୋ ବହନ ॥ ୧୦

ଶୁଣି ସାନନ୍ଦ ନନ୍ଦରାଣୀ । ଅନ୍ନ ବାଢ଼ିଲେ ଘରୁ ଆଣି ॥ ୧୧

ନାନା ବ୍ୟଞ୍ଜନ ଗୁଡ଼ ଦଧି । ପୁଡ଼ା ଗୋଟିଏ ଦେଲେ ବାନ୍ଧି ॥ ୧୨

ଶିକାରେ ଘେନି ଅନ୍ନ ପୁଡ଼ା । ଶିଙ୍ଗା କାହାଳୀ ବେତଯୋଡ଼ା ॥ ୧୩

ଛନ୍ଦ ଦଉଡ଼ି କନ୍ଧେ ଘେନି । ଗୋବିନ୍ଦ କଲେ ଶିଙ୍ଗାଧ୍ୱନି ॥ ୧୪

ଗୋପ କୁମରେ ଥିଲେ ଶୋଇ । କ‰ର୍ଣ୍ଣେ ଶୁଭିଲା ନାଦ ଯାଇ ॥ ୧୫

ବନେ ଭୁଞ୍ଜିବା ଆଜ ଅନ୍ନ । କରିବା କ୍ରୀଡ଼ାରସମାନ ॥ ୧୬

ରାତ୍ରେ ସଂକେତ କରିଥିଲେ । ପ୍ରଭାତେ ବେଣୁଧ୍ୱନି କଲେ ॥ ୧୭

ଯେ ଯାହା ନାମ ଧରି ଡାକି । ବାଳକେ ଶୟନ ଉପେକ୍ଷି ॥ ୧୮

ନନ୍ଦର ଦ୍ୱାରେ ଯାଇ ମିଳି । ଦେଖିଲେ ରାମ ବନମାଳୀ ॥ ୧୯

ବୋଲନ୍ତି ପ୍ରଭୁ ଦେବରାଜ । ଆମ୍ଭର ପ୍ରାୟେ ହୁଅ ସଜ ॥ ୨୦

ଶୁଣି ମିଳିଲେ ଯେଝା ଘରେ । ଅନ୍ନ ଘେନିଲେ ବାମକରେ ॥ ୨୧

ବେଣୁ କଠଉ ଶିଙ୍ଗା ବେତ । ବାଛୁରୀ ଫେଇ ଯୂଥଯୂଥ ॥ ୨୨

ମୁରଲୀ ବଜାଇ ତୁରିତେ । ଆଗେ ମିଳିଲେ ନନ୍ଦସୁତେ ॥ । ୨୩

ଅନ୍ତ କରିବି କେତେ ମୁହିଁ । ବାଛୁରୀ ଗଣିତା ନ ଯାଇ ॥ ୨୪

ଚଳାଇ ବତ୍ସା ଯୂଥଯୂଥ । ପଛେ ବିଜୟେ ଗୋପୀନାଥ ॥ ୨୫

ବନେ ପଶନ୍ତି ଏକମେଳେ । ଶୁଭଇ ମୁଖରାଗ ଗୋଳେ ॥ ୨୬

ସକଳେ ଏକରୁଣ୍ତŠ ହୋଇ । ନାଚନ୍ତି ଶିଙ୍ଗା ବେଣୁ ବାଇ ॥ ୨୭

ଖେମଟା ଛନ୍ଦେ କରତାଳି । ମଧ୍ୟେ ନାଚନ୍ତି ବନମାଳୀ ॥ ୨୮

ବିବିଧ ଅଳଙ୍କାର ଲାଇ । ନାଚନ୍ତି ମନେ ତୋଷ ହୋଇ ॥ ୨୯

ମଣି ମୁକୁତା କ‰ର୍ଣ୍ଣଫୁଲ । ନୂପୁର କଙ୍କଣ ଅମୂଲ୍ୟ ॥ ୩୦

କଟୀ ମେଖଳା ରତ୍ନ ଛନ୍ଦି । ଶିରେ ଗୁଞ୍ଜରା ପାଟି ବାନ୍ଧି ॥ ୩୧

ଶିରେ ମୟୂର ପୁଚ୍ଛ ଚୂଳ । କ‰ର୍ଣ୍ଣରେ କୋମଳ ପତର ॥ ୩୨

କଣ୍ଠେ ଶୋଭିତ ରତ୍ନହାର । ନିବିଡ଼ ସୁରଙ୍ଗ ଅଧର ॥ ୩୩

ରଙ୍ଗ ମୃତ୍ତିକା ଅଙ୍ଗେ ବୋଳି । ପଇତା ଗରଗଡ଼ ମାଳୀ ॥ ୩୪

କଙ୍କଣ ନୂପୁର ଶବଦେ । ନାଚନ୍ତି ଏକୁ ଆରେ ବାଦେ ॥ ୩୫

କେ କାହା ଅନ୍ନପୁଡ଼ା ବଳେ । ନେଇ ଲୁଚାନ୍ତି ବୁଦାତଳେ ॥ ୩୬

କେ କାନ୍ଦି କୃଷ୍ଣଙ୍କୁ କହନ୍ତି । ଆଜ୍ଞା ପ୍ରମାଣେ ଆଣି ଦ୍ୟନ୍ତି ॥ ୩୭

ଏକ ଆରକେ ପୀଢ଼ କରି । ଗୋଡ଼ାଇ ଛୁଅନ୍ତି ମୁରାରି ॥ ୩୮

କେ କାହା ନାମ ଧରି ବାଦେ । ଦୂରୁ ଡାକନ୍ତି ବେଣୁ ନାଦେ ॥ ୩୯

ଶୁକ କୋକିଳ ନାଦ ଶୁଣି । ପୋଏ ନାଚନ୍ତି ତାହା ଭଣି ॥ ୪୦

ପକ୍ଷୀ ଉଡ଼ନ୍ତେ ଛାୟା ଦେଖି । ଧାମନ୍ତି ବାଛୁରୀ ଉପେକ୍ଷି ॥ ୪୧

ଦେଖି ମୟୂର ହଂସ ଚାଲି । ପୋଏ ଚାଲନ୍ତି ପେଲାପେଲି ॥ ୪୨

ବକଙ୍କ ସଙ୍ଗେ ଯାଇ ବସି । ଭେକର ତୁଲେ ଯା'ନ୍ତି ଭାସି ॥ ୪୩

ବାନର ପୁଅଙ୍କୁ ଧରନ୍ତି । ଖେଳାଇ ପୁଣି ଛାଡ଼ି ଦ୍ୟନ୍ତି ॥ ୪୪

ସେ ଯାଇ ଉଠନ୍ତି ବୃକ୍ଷରେ । ପଲ୍ଲବେ ଲୁଚନ୍ତି କାତରେ ॥ ୪୫

ପୋଏ ହୁଅନ୍ତି ସେହି ମତ । ଡାକନ୍ତି ଆସ ଗୋପୀନାଥ ॥ ୪୬

ଆପଣା ଛାଇ ଦେଖି ଜଳେ । ହସନ୍ତି ନାନା କୁତୂହଳେ ॥ ୪୭

କାନନେ ପ୍ରତିନାଦ ଶୁଣି । ହସନ୍ତି ନାନା ଗାଳି ଭଣି ॥ ୪୮

ଏମନ୍ତେ ଗୋବିନ୍ଦର ମେଳେ । ବାଳକେ ନାନା କୁତୂହଳେ ॥ ୪୯

ଅନେକ ଜନ୍ମେ ତପ କରି । ନିକଟେ ପାଇଲେ ମୁରାରି ॥ ୫୦

କେ କହୁ ତା'ଙ୍କ ପୁଣ୍ୟଫଳ । ବେଦ ନ ଜାଣେ ଆଦିମୂଳ ॥ ୫୧

ଅନେକ ତପଯଜ୍ଞେ ବନ୍ଦି । ମନ ପବନ ହୃଦେ ଛନ୍ଦି ॥ ୫୨

ଜ୍ଞାନୀ ଚିନ୍ତନ୍ତି ଯୋଗବଳେ । ସେ ଖେଳେ ଗୋପାଳଙ୍କ ମେଳେ ॥ ୫୩

ମନୁଷ୍ୟ ଦେହ ମଞ୍ଚେ ବହି । କେ ପାରେ ତା'ଙ୍କ ପୁଣ୍ୟ କହି ॥ ୫୪

ଯାହାର ପାଦ ଜଳ ପାଇ । ଆନନ୍ଦେ ଶଙ୍କର ନାଚଇ ॥ ୫୫

ଯା' ନାମ ଚାରି ବେଦ ଭଣେ । ସେହି ଗୋପାଳ ସଙ୍ଗେ ଜଣେ ॥ ୫୬

ଏମନ୍ତେ ଶୁଣ ନୃପମଣି । ଶ୍ରୀକୃଷ୍ଣ ମହିମା ନ ଜାଣି ॥ ୫୭

ଅଘା ନାମେଣ ସେ ଅସୁର । କଂସ ଆଦେଶ ଘେନି ଶିର ॥ ୫୮

ମିଳିଲା ବୃନ୍ଦାବନେ ଯାଇ । କଂସର ମିତ୍ରପଣ ହୋଇ ॥ ୫୯

ବୃକ୍ଷର ଉହାଡ଼େ ରହିଲା । ଗୋପାଳ ପୁଅଙ୍କୁ ଚାହିଁଲା ॥ ୬୦

ମଧ୍ୟେ ଦେଖିଲା ଭଗବାନ । ହୃଦରେ ଶ୍ରୀବତ୍ସ› ଲାଞ୍ଛନ ॥ ୬୧

ବୋଲଇ ଏ ମୋର ବଇରୀ । ବେନି ସୋଦର ଅଛି ମାରି ॥ ୬୨

କଂସକୁ କରିବ ଏ ନାଶ । ଯାଦବେ ଏହାର ବିଶ୍ୱାସ ॥ ୬୩

ନିଶ୍ଚୟେ ରିପୁ ଏ ମୋହର । ମାରିଛି ବେନି ସହୋଦର ॥ ୬୪

ପୂତନା ବହେଣୀ ମୋହର । ଜ୍ୟେଷ୍ଠଭ୍ରାତ ମୋ' ବକାସୁର ॥ ୬୫

ଏହାଙ୍କୁ ଜଳ ତିଳ ଦେଇ । ଆଜ ଉଦ୍ଧାରି ବଇଁ ମୁହିଁ ॥ ୬୬

କୃଷ୍ଣ ବାଛୁରୀ ଗୋପ ପୋଏ । ମୋତେ ଦିଶନ୍ତି ତିଳ ପ୍ରାୟେ ॥ ୬୭

ଜିହ୍ୱା ମୋହର ତମ୍ବାପାତ୍ରୀ । କୁଶ ହୋଇବ ଦନ୍ତପନ୍ତି ॥ ୬୮

ଖର ନିଃଶ୍ୱାସ ମନ୍ତ୍ରସ୍ୱରେ । ତର୍ପଣ କରିବି ରୁଧିରେ ॥ ୬୯

ଗୋପେ ମିଳିବି ରାତ୍ରେ ଯାଇ । ଗିଳିବି ଯେତେ ଜନ୍ତୁ ଗାଈ ॥ ୭୦

ତେବେ ହୋଇବ ମନସ୍ଥିର । ଆକାଶେ ବସିବେ ସୋଦର ॥ ୭୧

ପୁଣି ବିଚାରୁ ଅଛି ରହି । ଗୋକୁଳେ ମୋର କାର୍ଯ୍ୟ ନାହିଁ ॥ ୭୨

ବାଳକେ ବାଛୁରୀ ସହିତେ । ଏ ବନେ ଗିଳିବ ତୁରିତେ ॥ ୭୩

ପୁତ୍ରେ ନ ପାଇ ବାପ ମାଏ । ଭାଳିଣ ମରିବେ ଥୋକାଏ ॥ ୭୪

ପ୍ରାଣୀଙ୍କ ପ୍ରାଣ ପୁତ୍ରଦେହେ । ଏଣୁ ମରିବେ ମାୟାମୋହେ ॥ ୭୫

ଏମନ୍ତେ ସାଧିବି ବଇରୀ । ଗିଳିବି ସର୍ପରୂପ ଧରି ॥ ୭୬

ବିଚାର କଲା ଏହି ମତ । ଅସୁର ଅତି ବଳବନ୍ତ ॥ ୭୭

ଯାହାର ନାମେ ଦେବେ ଡରି । ଗଗନେ ପଡୁଥାଇ ହୁରି ॥ ୭୮

ଅମୃତ ଖାଇ ଦେବଗଣ । ଚିନ୍ତନ୍ତି ଅସୁର ମରଣ ॥ ୭୯

ଯେବେ ମରିବ ଅଘାସୁର । ଆମ୍ଭ ଅରିଷ୍ଟ ଯିବ ଦୂର ॥ ୮୦

ବ୍ରହ୍ମା ଡରନ୍ତି ନିରନ୍ତର । ଶୂନ୍ୟେ କମ୍ପନ୍ତି ସାତପୁର ॥ ୮୧

ଅଘାର ନାମେ ଥରହର । ଭୟେ କମ୍ପଇ ସୁନାସୀର ॥ ୮୨

ହୋଇଲା ଅଜଗର ରୂପୀ । ଯୋଜନ ଯାଏଁ ଦେହ ବ୍ୟାପି ॥ ୮୩

ପୂର୍ବ ଦିଗକୁ ମୁଖ କଲା । ସ୍ୱଭାବେ ତୁŠଣ୍ତ ବିସ୍ତାରିଲା ॥ ୮୪

ଉପର ପାଟି କଲା ମେଘେ । ଅଧର ଓଷ୍ଟ ମହୀଭାଗେ ॥ ୮୫

ଜିହ୍ୱା ବୁଲାଇ ଅନ୍ତରାଳ । ଦନ୍ତପର୍ବତ ଶୃଙ୍ଗମାଳ ॥ ୮୬

ତୁŠଣ୍ତ ଦିଶଇ ଅନ୍ଧକାର । ବିଷପବନ ଖରତର ॥ ୮୭

ପଶ୍ଚିମ ଦିଗେ ଯା'ନ୍ତି ଚଳି । ଗୋରୁ ଗୋପାଳ ବନମାଳୀ ॥ ୮୮

ମାୟା ଅସୁର ମୁଖ ଲାଗେ । ପୋଏ ମିଳିଲେ ଆସି ବେଗେ ॥ ୮୯

ବିଷ ପବନ ଖର ଶ୍ୱାସ । ଦେହେ ଲାଗନ୍ତେ ବଡ଼ ତ୍ରାସ ॥ ୯୦

ଚକିତେ ଚଉଦିଗେ ଚାହିଁ । ବୋଲନ୍ତି ଏକୁ ଆରେ ରହି ॥ ୯୧

କିଏ ଭାଜିଲା ଗିରିଖŠଣ୍ତ । ବିସ୍ତାର କରିଅଛି ତୁŠଣ୍ତ ॥ ୯୨

କେ ବୋଲେ ମେଘ କାମରୂପୀ । ଭୂମି ଗଗନେ ଅଛି ବ୍ୟାପୀ ॥ ୯୩

କେ ବୋଲେ ସର୍ପ ଏ ସ୍ୱରୂପ । ଅରୁଣ ବେନି ପାଟି ଦେଖ ॥ ୯୪

ଆମିଷ ପ୍ରାୟେ ପୂତିଗନ୍ଧ । ରୁକ୍ଷ ପବନ ମନ୍ଦମନ୍ଦ ॥ ୯୫

କେ ବୋଲେ ପୋଡୁଅଛି ବନ । ଜନ୍ତୁଏ ହୁଅନ୍ତି ଦହନ ॥ ୯୬

ତେଣୁ ଆମିଷଗନ୍ଧ ଦେଖ । ଏହାକୁ ଭଲେ ହୋ ନିରେଖ ॥ ୯୭

ବାମ ଦକ୍ଷିଣେ ଜିହ୍ୱା ଚାଳି । ଚା‚ଞ୍ଛିଲା ବାଟ ପ୍ରାୟେ ଝଳି ॥ ୯୮

ଜାଣିଲୁ ସର୍ପ ଏ ଶରୀର । ମରଣ ହୋଇଲା ଆମ୍ଭର ॥ ୯୯

ଥୋକେ ବୋଲନ୍ତି କିମ୍ବା ଡର । ଆମ୍ଭର କୃଷ୍ଣ ବଳୀଆର ॥ ୧୦୦

ଯେବେ ଏ ଆମ୍ଭଙ୍କୁ ଗିଳିବ । ବକର ପ୍ରାୟେ ନାଶ ଯିବ ॥ ୧୦୧

କ୍ଷଣକେ ମରିବଟି ଏହି । ଏମନ୍ତେ ପଛକୁ ଅନାଇଁ ॥ ୧୦୨

ପଶିଲେ କରତାଳି ମାରି । ଆଗରେ ଅଡ଼ାନ୍ତି ବାଛୁରୀ ॥ ୧୦୩

କେ ବୋଲେ ଆଗ ହୋ ନପଶ । ନିକଟେ ନାହିଁ ପୀତବାସ ॥ ୧୦୪

ଚାହିଁଲେ କୃଷ୍ଣ ଛନ୍ତି ଦୂରେ । ଡାକନ୍ତି ଆସ ଖରତରେ ॥ ୧୦୫

ଦୂରୁ ଡାକନ୍ତି ଦାମୋଦର । ନ ପଶ ସର୍ପର ଉଦର ॥ ୧୦୬

ନ ଜାଣି ସର୍ବ ଏକମେଳେ । ଯେତେ ବାଛୁରୀ ଗୋପବାଳେ ॥ ୧୦୭

କୃଷ୍ଣର ବୋଲ ନ ଶୁଣିଲେ । ଅସୁର ଉଦରେ ପଶିଲେ ॥ ୧୦୮

କୃଷ୍ଣ ଧାଇଁଲେ ମାୟାମୋହେ । ଡାକନ୍ତି ରହ ରହ ପୋଏ ॥ ୧୦୯

ତୁଣ୍ତŠ ନିକଟେ ଚକ୍ରଧର । ଦେଖି ବିଚାରଇ ଅସୁର ॥ ୧୧୦

ଏହାର ନାମ ବାସୁଦେବ । ଏ ତ କଂସକୁ ସଂହାରିବ ॥ ୧୧୧

ଗର୍ଭେ ପଶିଲେ ମୋର ଯେତେ । ବଇରୀ ନୁହନ୍ତି ବାଳୁତେ ॥ ୧୧୨

ପ୍ରଭୁ ବଇରୀ ଗୋତ୍ରହତ । ଏହା ଯେ ନ କରେ ନିପାତ ॥ ୧୧୩

ତାହାର ଦେହ ଅକାରଣ । ସେ ଛାର କିସ ବଡ଼ପଣ ॥ ୧୧୪

ପ୍ରଭୁ ଝିଙ୍ଗାସ ଯେବେ ଶୁଣି । ନାନା ବିଚାରେ ପରିମାଣି ॥ ୧୧୫

ମାରି ପାରିଲେ ହୋଏ ଭଲ । ନିଜ ଶରୀରେ ଯେହୁ ଶଲ ॥ ୧୧୬

ଏ ମୋର ପ୍ରଭୁର ବଇରୀ । ବେନି ସୋଦର ଅଛି ମାରି ॥ ୧୧୭

ଗର୍ଭେ ପଶିବ ଯେତେବେଳେ । ପାଟି ପାଡ଼ିବି ଅବହେଳେ ॥ ୧୧୮

କୃଷ୍ଣ ଜାଣିଲେ ତା'ର ମନ । ବିଚାର କଲେ ଭଗବାନ ॥ ୧୧୯

ଯେବେ ନ ପଶିବଇଁ ମୁହିଁ । ବ›ତ୍ସା ବାଳକ ମୁଁ ନ ପାଇ ॥ ୧୨୦

ଅସୁର ଉଦର ଅନଳ । ତୃଣ ପ୍ରାୟେକ ଗୋପବାଳ ॥ ୧୨୧

କି ବୁଦ୍ଧି କରିବଇଁ ଆଜ । ହେଳାଏ ହରାଇଲି କାର୍ଯ୍ୟ ॥ ୧୨୨

କେମନ୍ତେ ମାରିବି ଅସୁର । ବାଳକେ ହୋଇବେ ବାହାର ॥ ୧୨୩

କୃଷ୍ଣ ଚାହିଁଲେ ସ୍ଥିର ଦୃଷ୍ଟି । ଅସୁର ନ ପାଡ଼ଇ ପାଟି ॥ ୧୨୪

ଦେବେ ଦେଖନ୍ତି ଶୂନ୍ୟେ ରହି । ତୁଣ୍ତେŠ ପଶିଲେ ଭାବଗ୍ରାହୀ ॥ ୧୨୫

ଦେବେ କରନ୍ତି ହାହାକାର । ପାଟି ପାଡ଼ିଲା ଅଘାସୁର ॥ ୧୨୬

ଦେବଙ୍କୁ ଲାଗିଲା ବିଷାଦ । ଅସୁର ହୋଇଲା ଆନନ୍ଦ ॥ ୧୨୭

ସର୍ପ ଉଦରେ ଭଗବାନ । ଜାଣିଲେ ଦେବତାଙ୍କ ମନ ॥ ୧୨୮

ଦାସ ବତ୍ସ›ଳ ନନ୍ଦବଳା । ରୁନ୍ଧିଲ ଦାନବର ଗଳା ॥ ୧୨୯

ଗିଳି ନ ପାରି ସେ ଦଇତ୍ୟ । ଶବଦ କଲା ଗର୍ଭଗତ ॥ ୧୩୦

ପ୍ରାଣ ହୋଇଲା ଛଟପଟ । ଫୁଲିଲା ଅସୁରର ପେଟ ॥ ୧୩୧

ଅସୁର ହେଲା ମହାକାୟ । କଣ୍ଠେ ବଢ଼ିଲେ ଦେବରାୟ ॥ ୧୩୨

ବଢ଼ନ୍ତେ ଗୋବିନ୍ଦ ଶରୀର । ତାଳୁ ଫାଟିଲା ଧାତିକାର ॥ ୧୩୩

ପ୍ରାଣ ଗମିଲା ଶୂନ୍ୟପଥେ । କୃଷ୍ଣ ପଶିଲେ ଗର୍ଭଗତେ ॥ ୧୩୪

ଅଘାର ଜୀବ ଯିବା କାଳେ । ବାଳକ ବତ୍ସା ସବୁ ମଲେ ॥ ୧୩୫

ଅମୃତ ନୟନେ ଚାହିଁଲେ । ସକଳ ଜୀବନ ପାଇଲେ ॥ ୧୩୬

ଗର୍ଭ ଭିତରେ ଯେତେ ଥିଲେ । କୃଷ୍ଣଙ୍କୁ ସମସ୍ତେ ଦେଖିଲେ ॥ ୧୩୭

କୃଷ୍ଣ ବୋଇଲେ ବତ୍ସା ଘେନି । ବାହାର ହୁଅ ଏହିକ୍ଷଣି ॥ ୧୩୮

ଉପରେ ଦେଖି ତାଳୁ ଦ୍ୱାର । ଗୋପାଳେ ହୋଇଲେ ବାହାର ॥ ୧୩୯

ଆଗେ ବାଛୁରୀ କଲେ ପାରି । ଗର୍ଭେ ରହିଲେ ଦଇତ୍ୟାରି ॥ ୧୪୦

ଦେଖିଲେ ଗର୍ଭେ କେହି ନାହିଁ । ବାହାର ହେଲେ ଭାବଗ୍ରାହୀ ॥ ୧୪୧

ଅଘା ଜୀବନ ଶୂନ୍ୟେ ଗଲା । ପୁଣି ଲେଉଟି ଅନାଇଲା ॥ ୧୪୨

ତାଳୁ ବାହାର ବ୍ରହ୍ମରାଶି । କାଳମେଘରୁ ଯେହ୍ନେ ଶଶୀ ॥ ୧୪୩

ଜୀବନ ଲେଉଟିଲା ବେଗେ । ତେଜ ବିରାଜେ ଦଶଦିଗେ ॥ ୧୪୪

ସ୍ୱର୍ଗେ ଦେଖନ୍ତି ଦେବତାଏ । ପଶିଲା ଗୋବିନ୍ଦର ଦେହେ ॥ ୧୪୫

ଦେଖି ଚକିତ ତିନିପୁର । ଦେବେ କରନ୍ତି ଜୟକାର ॥ ୧୪୬

କୁସୁମ ବରଷିଲେ ଆଣି । ବ୍ରାହ୍ମଣେ ବେଦସ୍ତୁତି ଭଣି ॥ ୧୪୭

ନାଚନ୍ତି ଅପସରୀ ବୃନ୍ଦ । ଗନ୍ଧର୍ବେ ଗୀତ ବାଦ୍ୟନାଦ ॥ ୧୪୮

ଆକାଶେ କଲେ ଜୟେ ଜୟେ । ଶୁଭିଲା ବ୍ରହ୍ମଲୋକ ଯାଏ ॥ ୧୪୯

ବ୍ରହ୍ମାର ସମାଧି ଭାଜିଲା । ହଂସ ବାହାନେ ବିଜେ କଲା ॥ ୧୫୦

କୃଷ୍ଣଙ୍କୁ ଦେଖି ବୃନ୍ଦାବନେ । ସ୍ତୁତି କରଇ ତୋଷମନେ ॥ ୧୫୧

କୃଷ୍ଣ ମହିମା ବ୍ରହ୍ମା ଦେଖି । ତୋଷେ ବୁଜିଲେ ଅଷ୍ଟଆଖି ॥ ୧୫୨

କୃଷ୍ଣଚରିତ ମନେ ଗୁଣି । ଚତୁର ମୁଖେ ବେଦ ଭଣି ॥ ୧୫୩

ରାଜନ ଶୁଣ ସାବଧାନେ । ସଂଶୟ ନ କର ତୁ ମନେ ॥ ୧୫୪

ମନୁଷ୍ୟ ଦେହେ ଅବତାର । ପଞ୍ଚବରଷ ଦାମୋଦର ॥ ୧୫୫

ଘୋର ଦାନବ ସଂହାରିଲେ । ବ›ତ୍ସାବାଳକ ଉଦ୍ଧାରିଲେ ॥ ୧୫୬

ସଂଶୟ ମନେ ତୁ ନ କର । କୃଷ୍ଣେ ପଶିଲା ଅଘାସୁର ॥ ୧୫୭

ମିତ୍ର ଅଇରି ନାହିଁ ଯା'ର । ଭାବକୁ ଥାଇ ନିକଟର ॥ ୧୫୮

ଯାହାର ପାଦପୂଜା କରି । ପ୍ରାଣୀ ତରନ୍ତି ଭବବାରି ॥ ୧୫୯

ଗୋପୀ ଗୋପାଳ ଯା'ର ସଙ୍ଗେ । ତରିଲେ ଭବଜଳୁ ରଙ୍ଗେ ॥ ୧୬୦

ଏ କଥାମାନ କଉତୁକେ । ପୋଏ କହିଲେ ବରଷକେ ॥ ୧୬୧

ଆଜ ମାଇଲେ ସର୍ପ ହରି । ଶୁଣି ବିଷାଦ ନରନାରୀ ॥ ୧୬୨

ଯମୁନା ତୀରେ ଅଘାନାଶ । ଦେବଲୋକରୁ ଗଲା ତ୍ରାସ ॥ ୧୬୩

ଶ୍ରୀକୃଷ୍ଣ ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୬୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅଘାସୁରବଧୋ ନାମ ତ୍ରୟୋଦଶୋଽଧ୍ୟାୟଃ ॥

* * *