ଦଶମ ସ୍କନ୍ଧ
ତ୍ରୟୋଦଶ ଅଧ୍ୟାୟ
ଶୁକ ଉବାଚ
ବୋଲନ୍ତି ବ୍ୟାସମୁନି ଶିଷ । ଶୁଣ ରାଜନ କୃଷ୍ଣରସ ॥ ୧
ଗୋପ ନଗରେ ଶିରୀରଙ୍ଗେ । ଖେଳନ୍ତି କୁମାରଙ୍କ ସଙ୍ଗେ ॥ ୨
ଦିନ ହରନ୍ତି ବୃନ୍ଦାବନେ । ଘରେ ମିଳନ୍ତି ରାତ୍ରମାନେ ॥ ୩
ଏମନ୍ତେ ବୃନ୍ଦାବନେ କେଳି । ରାମ ଗୋବିନ୍ଦ ଗୋପବାଳୀ ॥ ୪
ଦିନେକ ପ୍ରଭୁ ଦେବରାଜ । ରାତ୍ରହୁଁ ଉପେକ୍ଷିଲେ ଶେଯ ॥ ୫
ରଜନୀ ଅଛି ବେନି ଘଡ଼ି । ନିଦ୍ରା ଉପେକ୍ଷି ନରହରି ॥ ୬
ମାତାଙ୍କୁ ଡାକି ବନମାଳୀ । ପୟରେ କଲେ ନିଉଛାଳି ॥ ୭
ଆଜ ମୁଁ ନ ଭୁଞ୍ଜିବି ଘରେ । ଅନ୍ନ ପୁଡ଼ାଏ ଦିଅ ମୋରେ ॥ ୮
ଦଇବେ ନିଦାଘର କାଳ । ଖରା ଲାଗନ୍ତେ ବହେ ଝାଳ ॥ ୯
ଶୀତଳ ବେଳୁ ଯିବୁ ବନ । ଅନ୍ନ ତୁ ଦିଅ ଗୋ ବହନ ॥ ୧୦
ଶୁଣି ସାନନ୍ଦ ନନ୍ଦରାଣୀ । ଅନ୍ନ ବାଢ଼ିଲେ ଘରୁ ଆଣି ॥ ୧୧
ନାନା ବ୍ୟଞ୍ଜନ ଗୁଡ଼ ଦଧି । ପୁଡ଼ା ଗୋଟିଏ ଦେଲେ ବାନ୍ଧି ॥ ୧୨
ଶିକାରେ ଘେନି ଅନ୍ନ ପୁଡ଼ା । ଶିଙ୍ଗା କାହାଳୀ ବେତଯୋଡ଼ା ॥ ୧୩
ଛନ୍ଦ ଦଉଡ଼ି କନ୍ଧେ ଘେନି । ଗୋବିନ୍ଦ କଲେ ଶିଙ୍ଗାଧ୍ୱନି ॥ ୧୪
ଗୋପ କୁମରେ ଥିଲେ ଶୋଇ । କର୍ଣ୍ଣେ ଶୁଭିଲା ନାଦ ଯାଇ ॥ ୧୫
ବନେ ଭୁଞ୍ଜିବା ଆଜ ଅନ୍ନ । କରିବା କ୍ରୀଡ଼ାରସମାନ ॥ ୧୬
ରାତ୍ରେ ସଂକେତ କରିଥିଲେ । ପ୍ରଭାତେ ବେଣୁଧ୍ୱନି କଲେ ॥ ୧୭
ଯେ ଯାହା ନାମ ଧରି ଡାକି । ବାଳକେ ଶୟନ ଉପେକ୍ଷି ॥ ୧୮
ନନ୍ଦର ଦ୍ୱାରେ ଯାଇ ମିଳି । ଦେଖିଲେ ରାମ ବନମାଳୀ ॥ ୧୯
ବୋଲନ୍ତି ପ୍ରଭୁ ଦେବରାଜ । ଆମ୍ଭର ପ୍ରାୟେ ହୁଅ ସଜ ॥ ୨୦
ଶୁଣି ମିଳିଲେ ଯେଝା ଘରେ । ଅନ୍ନ ଘେନିଲେ ବାମକରେ ॥ ୨୧
ବେଣୁ କଠଉ ଶିଙ୍ଗା ବେତ । ବାଛୁରୀ ଫେଇ ଯୂଥଯୂଥ ॥ ୨୨
ମୁରଲୀ ବଜାଇ ତୁରିତେ । ଆଗେ ମିଳିଲେ ନନ୍ଦସୁତେ ॥ । ୨୩
ଅନ୍ତ କରିବି କେତେ ମୁହିଁ । ବାଛୁରୀ ଗଣିତା ନ ଯାଇ ॥ ୨୪
ଚଳାଇ ବତ୍ସା ଯୂଥଯୂଥ । ପଛେ ବିଜୟେ ଗୋପୀନାଥ ॥ ୨୫
ବନେ ପଶନ୍ତି ଏକମେଳେ । ଶୁଭଇ ମୁଖରାଗ ଗୋଳେ ॥ ୨୬
ସକଳେ ଏକରୁଣ୍ତ ହୋଇ । ନାଚନ୍ତି ଶିଙ୍ଗା ବେଣୁ ବାଇ ॥ ୨୭
ଖେମଟା ଛନ୍ଦେ କରତାଳି । ମଧ୍ୟେ ନାଚନ୍ତି ବନମାଳୀ ॥ ୨୮
ବିବିଧ ଅଳଙ୍କାର ଲାଇ । ନାଚନ୍ତି ମନେ ତୋଷ ହୋଇ ॥ ୨୯
ମଣି ମୁକୁତା କର୍ଣ୍ଣଫୁଲ । ନୂପୁର କଙ୍କଣ ଅମୂଲ୍ୟ ॥ ୩୦
କଟୀ ମେଖଳା ରତ୍ନ ଛନ୍ଦି । ଶିରେ ଗୁଞ୍ଜରା ପାଟି ବାନ୍ଧି ॥ ୩୧
ଶିରେ ମୟୂର ପୁଚ୍ଛ ଚୂଳ । କର୍ଣ୍ଣରେ କୋମଳ ପତର ॥ ୩୨
କଣ୍ଠେ ଶୋଭିତ ରତ୍ନହାର । ନିବିଡ଼ ସୁରଙ୍ଗ ଅଧର ॥ ୩୩
ରଙ୍ଗ ମୃତ୍ତିକା ଅଙ୍ଗେ ବୋଳି । ପଇତା ଗରଗଡ଼ ମାଳୀ ॥ ୩୪
କଙ୍କଣ ନୂପୁର ଶବଦେ । ନାଚନ୍ତି ଏକୁ ଆରେ ବାଦେ ॥ ୩୫
କେ କାହା ଅନ୍ନପୁଡ଼ା ବଳେ । ନେଇ ଲୁଚାନ୍ତି ବୁଦାତଳେ ॥ ୩୬
କେ କାନ୍ଦି କୃଷ୍ଣଙ୍କୁ କହନ୍ତି । ଆଜ୍ଞା ପ୍ରମାଣେ ଆଣି ଦ୍ୟନ୍ତି ॥ ୩୭
ଏକ ଆରକେ ପୀଢ଼ କରି । ଗୋଡ଼ାଇ ଛୁଅନ୍ତି ମୁରାରି ॥ ୩୮
କେ କାହା ନାମ ଧରି ବାଦେ । ଦୂରୁ ଡାକନ୍ତି ବେଣୁ ନାଦେ ॥ ୩୯
ଶୁକ କୋକିଳ ନାଦ ଶୁଣି । ପୋଏ ନାଚନ୍ତି ତାହା ଭଣି ॥ ୪୦
ପକ୍ଷୀ ଉଡ଼ନ୍ତେ ଛାୟା ଦେଖି । ଧାମନ୍ତି ବାଛୁରୀ ଉପେକ୍ଷି ॥ ୪୧
ଦେଖି ମୟୂର ହଂସ ଚାଲି । ପୋଏ ଚାଲନ୍ତି ପେଲାପେଲି ॥ ୪୨
ବକଙ୍କ ସଙ୍ଗେ ଯାଇ ବସି । ଭେକର ତୁଲେ ଯା'ନ୍ତି ଭାସି ॥ ୪୩
ବାନର ପୁଅଙ୍କୁ ଧରନ୍ତି । ଖେଳାଇ ପୁଣି ଛାଡ଼ି ଦ୍ୟନ୍ତି ॥ ୪୪
ସେ ଯାଇ ଉଠନ୍ତି ବୃକ୍ଷରେ । ପଲ୍ଲବେ ଲୁଚନ୍ତି କାତରେ ॥ ୪୫
ପୋଏ ହୁଅନ୍ତି ସେହି ମତ । ଡାକନ୍ତି ଆସ ଗୋପୀନାଥ ॥ ୪୬
ଆପଣା ଛାଇ ଦେଖି ଜଳେ । ହସନ୍ତି ନାନା କୁତୂହଳେ ॥ ୪୭
କାନନେ ପ୍ରତିନାଦ ଶୁଣି । ହସନ୍ତି ନାନା ଗାଳି ଭଣି ॥ ୪୮
ଏମନ୍ତେ ଗୋବିନ୍ଦର ମେଳେ । ବାଳକେ ନାନା କୁତୂହଳେ ॥ ୪୯
ଅନେକ ଜନ୍ମେ ତପ କରି । ନିକଟେ ପାଇଲେ ମୁରାରି ॥ ୫୦
କେ କହୁ ତା'ଙ୍କ ପୁଣ୍ୟଫଳ । ବେଦ ନ ଜାଣେ ଆଦିମୂଳ ॥ ୫୧
ଅନେକ ତପଯଜ୍ଞେ ବନ୍ଦି । ମନ ପବନ ହୃଦେ ଛନ୍ଦି ॥ ୫୨
ଜ୍ଞାନୀ ଚିନ୍ତନ୍ତି ଯୋଗବଳେ । ସେ ଖେଳେ ଗୋପାଳଙ୍କ ମେଳେ ॥ ୫୩
ମନୁଷ୍ୟ ଦେହ ମଞ୍ଚେ ବହି । କେ ପାରେ ତା'ଙ୍କ ପୁଣ୍ୟ କହି ॥ ୫୪
ଯାହାର ପାଦ ଜଳ ପାଇ । ଆନନ୍ଦେ ଶଙ୍କର ନାଚଇ ॥ ୫୫
ଯା' ନାମ ଚାରି ବେଦ ଭଣେ । ସେହି ଗୋପାଳ ସଙ୍ଗେ ଜଣେ ॥ ୫୬
ଏମନ୍ତେ ଶୁଣ ନୃପମଣି । ଶ୍ରୀକୃଷ୍ଣ ମହିମା ନ ଜାଣି ॥ ୫୭
ଅଘା ନାମେଣ ସେ ଅସୁର । କଂସ ଆଦେଶ ଘେନି ଶିର ॥ ୫୮
ମିଳିଲା ବୃନ୍ଦାବନେ ଯାଇ । କଂସର ମିତ୍ରପଣ ହୋଇ ॥ ୫୯
ବୃକ୍ଷର ଉହାଡ଼େ ରହିଲା । ଗୋପାଳ ପୁଅଙ୍କୁ ଚାହିଁଲା ॥ ୬୦
ମଧ୍ୟେ ଦେଖିଲା ଭଗବାନ । ହୃଦରେ ଶ୍ରୀବତ୍ସ ଲାଞ୍ଛନ ॥ ୬୧
ବୋଲଇ ଏ ମୋର ବଇରୀ । ବେନି ସୋଦର ଅଛି ମାରି ॥ ୬୨
କଂସକୁ କରିବ ଏ ନାଶ । ଯାଦବେ ଏହାର ବିଶ୍ୱାସ ॥ ୬୩
ନିଶ୍ଚୟେ ରିପୁ ଏ ମୋହର । ମାରିଛି ବେନି ସହୋଦର ॥ ୬୪
ପୂତନା ବହେଣୀ ମୋହର । ଜ୍ୟେଷ୍ଠଭ୍ରାତ ମୋ' ବକାସୁର ॥ ୬୫
ଏହାଙ୍କୁ ଜଳ ତିଳ ଦେଇ । ଆଜ ଉଦ୍ଧାରି ବଇଁ ମୁହିଁ ॥ ୬୬
କୃଷ୍ଣ ବାଛୁରୀ ଗୋପ ପୋଏ । ମୋତେ ଦିଶନ୍ତି ତିଳ ପ୍ରାୟେ ॥ ୬୭
ଜିହ୍ୱା ମୋହର ତମ୍ବାପାତ୍ରୀ । କୁଶ ହୋଇବ ଦନ୍ତପନ୍ତି ॥ ୬୮
ଖର ନିଃଶ୍ୱାସ ମନ୍ତ୍ରସ୍ୱରେ । ତର୍ପଣ କରିବି ରୁଧିରେ ॥ ୬୯
ଗୋପେ ମିଳିବି ରାତ୍ରେ ଯାଇ । ଗିଳିବି ଯେତେ ଜନ୍ତୁ ଗାଈ ॥ ୭୦
ତେବେ ହୋଇବ ମନସ୍ଥିର । ଆକାଶେ ବସିବେ ସୋଦର ॥ ୭୧
ପୁଣି ବିଚାରୁ ଅଛି ରହି । ଗୋକୁଳେ ମୋର କାର୍ଯ୍ୟ ନାହିଁ ॥ ୭୨
ବାଳକେ ବାଛୁରୀ ସହିତେ । ଏ ବନେ ଗିଳିବ ତୁରିତେ ॥ ୭୩
ପୁତ୍ରେ ନ ପାଇ ବାପ ମାଏ । ଭାଳିଣ ମରିବେ ଥୋକାଏ ॥ ୭୪
ପ୍ରାଣୀଙ୍କ ପ୍ରାଣ ପୁତ୍ରଦେହେ । ଏଣୁ ମରିବେ ମାୟାମୋହେ ॥ ୭୫
ଏମନ୍ତେ ସାଧିବି ବଇରୀ । ଗିଳିବି ସର୍ପରୂପ ଧରି ॥ ୭୬
ବିଚାର କଲା ଏହି ମତ । ଅସୁର ଅତି ବଳବନ୍ତ ॥ ୭୭
ଯାହାର ନାମେ ଦେବେ ଡରି । ଗଗନେ ପଡୁଥାଇ ହୁରି ॥ ୭୮
ଅମୃତ ଖାଇ ଦେବଗଣ । ଚିନ୍ତନ୍ତି ଅସୁର ମରଣ ॥ ୭୯
ଯେବେ ମରିବ ଅଘାସୁର । ଆମ୍ଭ ଅରିଷ୍ଟ ଯିବ ଦୂର ॥ ୮୦
ବ୍ରହ୍ମା ଡରନ୍ତି ନିରନ୍ତର । ଶୂନ୍ୟେ କମ୍ପନ୍ତି ସାତପୁର ॥ ୮୧
ଅଘାର ନାମେ ଥରହର । ଭୟେ କମ୍ପଇ ସୁନାସୀର ॥ ୮୨
ହୋଇଲା ଅଜଗର ରୂପୀ । ଯୋଜନ ଯାଏଁ ଦେହ ବ୍ୟାପି ॥ ୮୩
ପୂର୍ବ ଦିଗକୁ ମୁଖ କଲା । ସ୍ୱଭାବେ ତୁଣ୍ତ ବିସ୍ତାରିଲା ॥ ୮୪
ଉପର ପାଟି କଲା ମେଘେ । ଅଧର ଓଷ୍ଟ ମହୀଭାଗେ ॥ ୮୫
ଜିହ୍ୱା ବୁଲାଇ ଅନ୍ତରାଳ । ଦନ୍ତପର୍ବତ ଶୃଙ୍ଗମାଳ ॥ ୮୬
ତୁଣ୍ତ ଦିଶଇ ଅନ୍ଧକାର । ବିଷପବନ ଖରତର ॥ ୮୭
ପଶ୍ଚିମ ଦିଗେ ଯା'ନ୍ତି ଚଳି । ଗୋରୁ ଗୋପାଳ ବନମାଳୀ ॥ ୮୮
ମାୟା ଅସୁର ମୁଖ ଲାଗେ । ପୋଏ ମିଳିଲେ ଆସି ବେଗେ ॥ ୮୯
ବିଷ ପବନ ଖର ଶ୍ୱାସ । ଦେହେ ଲାଗନ୍ତେ ବଡ଼ ତ୍ରାସ ॥ ୯୦
ଚକିତେ ଚଉଦିଗେ ଚାହିଁ । ବୋଲନ୍ତି ଏକୁ ଆରେ ରହି ॥ ୯୧
କିଏ ଭାଜିଲା ଗିରିଖଣ୍ତ । ବିସ୍ତାର କରିଅଛି ତୁଣ୍ତ ॥ ୯୨
କେ ବୋଲେ ମେଘ କାମରୂପୀ । ଭୂମି ଗଗନେ ଅଛି ବ୍ୟାପୀ ॥ ୯୩
କେ ବୋଲେ ସର୍ପ ଏ ସ୍ୱରୂପ । ଅରୁଣ ବେନି ପାଟି ଦେଖ ॥ ୯୪
ଆମିଷ ପ୍ରାୟେ ପୂତିଗନ୍ଧ । ରୁକ୍ଷ ପବନ ମନ୍ଦମନ୍ଦ ॥ ୯୫
କେ ବୋଲେ ପୋଡୁଅଛି ବନ । ଜନ୍ତୁଏ ହୁଅନ୍ତି ଦହନ ॥ ୯୬
ତେଣୁ ଆମିଷଗନ୍ଧ ଦେଖ । ଏହାକୁ ଭଲେ ହୋ ନିରେଖ ॥ ୯୭
ବାମ ଦକ୍ଷିଣେ ଜିହ୍ୱା ଚାଳି । ଚାଞ୍ଛିଲା ବାଟ ପ୍ରାୟେ ଝଳି ॥ ୯୮
ଜାଣିଲୁ ସର୍ପ ଏ ଶରୀର । ମରଣ ହୋଇଲା ଆମ୍ଭର ॥ ୯୯
ଥୋକେ ବୋଲନ୍ତି କିମ୍ବା ଡର । ଆମ୍ଭର କୃଷ୍ଣ ବଳୀଆର ॥ ୧୦୦
ଯେବେ ଏ ଆମ୍ଭଙ୍କୁ ଗିଳିବ । ବକର ପ୍ରାୟେ ନାଶ ଯିବ ॥ ୧୦୧
କ୍ଷଣକେ ମରିବଟି ଏହି । ଏମନ୍ତେ ପଛକୁ ଅନାଇଁ ॥ ୧୦୨
ପଶିଲେ କରତାଳି ମାରି । ଆଗରେ ଅଡ଼ାନ୍ତି ବାଛୁରୀ ॥ ୧୦୩
କେ ବୋଲେ ଆଗ ହୋ ନପଶ । ନିକଟେ ନାହିଁ ପୀତବାସ ॥ ୧୦୪
ଚାହିଁଲେ କୃଷ୍ଣ ଛନ୍ତି ଦୂରେ । ଡାକନ୍ତି ଆସ ଖରତରେ ॥ ୧୦୫
ଦୂରୁ ଡାକନ୍ତି ଦାମୋଦର । ନ ପଶ ସର୍ପର ଉଦର ॥ ୧୦୬
ନ ଜାଣି ସର୍ବ ଏକମେଳେ । ଯେତେ ବାଛୁରୀ ଗୋପବାଳେ ॥ ୧୦୭
କୃଷ୍ଣର ବୋଲ ନ ଶୁଣିଲେ । ଅସୁର ଉଦରେ ପଶିଲେ ॥ ୧୦୮
କୃଷ୍ଣ ଧାଇଁଲେ ମାୟାମୋହେ । ଡାକନ୍ତି ରହ ରହ ପୋଏ ॥ ୧୦୯
ତୁଣ୍ତ ନିକଟେ ଚକ୍ରଧର । ଦେଖି ବିଚାରଇ ଅସୁର ॥ ୧୧୦
ଏହାର ନାମ ବାସୁଦେବ । ଏ ତ କଂସକୁ ସଂହାରିବ ॥ ୧୧୧
ଗର୍ଭେ ପଶିଲେ ମୋର ଯେତେ । ବଇରୀ ନୁହନ୍ତି ବାଳୁତେ ॥ ୧୧୨
ପ୍ରଭୁ ବଇରୀ ଗୋତ୍ରହତ । ଏହା ଯେ ନ କରେ ନିପାତ ॥ ୧୧୩
ତାହାର ଦେହ ଅକାରଣ । ସେ ଛାର କିସ ବଡ଼ପଣ ॥ ୧୧୪
ପ୍ରଭୁ ଝିଙ୍ଗାସ ଯେବେ ଶୁଣି । ନାନା ବିଚାରେ ପରିମାଣି ॥ ୧୧୫
ମାରି ପାରିଲେ ହୋଏ ଭଲ । ନିଜ ଶରୀରେ ଯେହୁ ଶଲ ॥ ୧୧୬
ଏ ମୋର ପ୍ରଭୁର ବଇରୀ । ବେନି ସୋଦର ଅଛି ମାରି ॥ ୧୧୭
ଗର୍ଭେ ପଶିବ ଯେତେବେଳେ । ପାଟି ପାଡ଼ିବି ଅବହେଳେ ॥ ୧୧୮
କୃଷ୍ଣ ଜାଣିଲେ ତା'ର ମନ । ବିଚାର କଲେ ଭଗବାନ ॥ ୧୧୯
ଯେବେ ନ ପଶିବଇଁ ମୁହିଁ । ବତ୍ସା ବାଳକ ମୁଁ ନ ପାଇ ॥ ୧୨୦
ଅସୁର ଉଦର ଅନଳ । ତୃଣ ପ୍ରାୟେକ ଗୋପବାଳ ॥ ୧୨୧
କି ବୁଦ୍ଧି କରିବଇଁ ଆଜ । ହେଳାଏ ହରାଇଲି କାର୍ଯ୍ୟ ॥ ୧୨୨
କେମନ୍ତେ ମାରିବି ଅସୁର । ବାଳକେ ହୋଇବେ ବାହାର ॥ ୧୨୩
କୃଷ୍ଣ ଚାହିଁଲେ ସ୍ଥିର ଦୃଷ୍ଟି । ଅସୁର ନ ପାଡ଼ଇ ପାଟି ॥ ୧୨୪
ଦେବେ ଦେଖନ୍ତି ଶୂନ୍ୟେ ରହି । ତୁଣ୍ତେ ପଶିଲେ ଭାବଗ୍ରାହୀ ॥ ୧୨୫
ଦେବେ କରନ୍ତି ହାହାକାର । ପାଟି ପାଡ଼ିଲା ଅଘାସୁର ॥ ୧୨୬
ଦେବଙ୍କୁ ଲାଗିଲା ବିଷାଦ । ଅସୁର ହୋଇଲା ଆନନ୍ଦ ॥ ୧୨୭
ସର୍ପ ଉଦରେ ଭଗବାନ । ଜାଣିଲେ ଦେବତାଙ୍କ ମନ ॥ ୧୨୮
ଦାସ ବତ୍ସଳ ନନ୍ଦବଳା । ରୁନ୍ଧିଲ ଦାନବର ଗଳା ॥ ୧୨୯
ଗିଳି ନ ପାରି ସେ ଦଇତ୍ୟ । ଶବଦ କଲା ଗର୍ଭଗତ ॥ ୧୩୦
ପ୍ରାଣ ହୋଇଲା ଛଟପଟ । ଫୁଲିଲା ଅସୁରର ପେଟ ॥ ୧୩୧
ଅସୁର ହେଲା ମହାକାୟ । କଣ୍ଠେ ବଢ଼ିଲେ ଦେବରାୟ ॥ ୧୩୨
ବଢ଼ନ୍ତେ ଗୋବିନ୍ଦ ଶରୀର । ତାଳୁ ଫାଟିଲା ଧାତିକାର ॥ ୧୩୩
ପ୍ରାଣ ଗମିଲା ଶୂନ୍ୟପଥେ । କୃଷ୍ଣ ପଶିଲେ ଗର୍ଭଗତେ ॥ ୧୩୪
ଅଘାର ଜୀବ ଯିବା କାଳେ । ବାଳକ ବତ୍ସା ସବୁ ମଲେ ॥ ୧୩୫
ଅମୃତ ନୟନେ ଚାହିଁଲେ । ସକଳ ଜୀବନ ପାଇଲେ ॥ ୧୩୬
ଗର୍ଭ ଭିତରେ ଯେତେ ଥିଲେ । କୃଷ୍ଣଙ୍କୁ ସମସ୍ତେ ଦେଖିଲେ ॥ ୧୩୭
କୃଷ୍ଣ ବୋଇଲେ ବତ୍ସା ଘେନି । ବାହାର ହୁଅ ଏହିକ୍ଷଣି ॥ ୧୩୮
ଉପରେ ଦେଖି ତାଳୁ ଦ୍ୱାର । ଗୋପାଳେ ହୋଇଲେ ବାହାର ॥ ୧୩୯
ଆଗେ ବାଛୁରୀ କଲେ ପାରି । ଗର୍ଭେ ରହିଲେ ଦଇତ୍ୟାରି ॥ ୧୪୦
ଦେଖିଲେ ଗର୍ଭେ କେହି ନାହିଁ । ବାହାର ହେଲେ ଭାବଗ୍ରାହୀ ॥ ୧୪୧
ଅଘା ଜୀବନ ଶୂନ୍ୟେ ଗଲା । ପୁଣି ଲେଉଟି ଅନାଇଲା ॥ ୧୪୨
ତାଳୁ ବାହାର ବ୍ରହ୍ମରାଶି । କାଳମେଘରୁ ଯେହ୍ନେ ଶଶୀ ॥ ୧୪୩
ଜୀବନ ଲେଉଟିଲା ବେଗେ । ତେଜ ବିରାଜେ ଦଶଦିଗେ ॥ ୧୪୪
ସ୍ୱର୍ଗେ ଦେଖନ୍ତି ଦେବତାଏ । ପଶିଲା ଗୋବିନ୍ଦର ଦେହେ ॥ ୧୪୫
ଦେଖି ଚକିତ ତିନିପୁର । ଦେବେ କରନ୍ତି ଜୟକାର ॥ ୧୪୬
କୁସୁମ ବରଷିଲେ ଆଣି । ବ୍ରାହ୍ମଣେ ବେଦସ୍ତୁତି ଭଣି ॥ ୧୪୭
ନାଚନ୍ତି ଅପସରୀ ବୃନ୍ଦ । ଗନ୍ଧର୍ବେ ଗୀତ ବାଦ୍ୟନାଦ ॥ ୧୪୮
ଆକାଶେ କଲେ ଜୟେ ଜୟେ । ଶୁଭିଲା ବ୍ରହ୍ମଲୋକ ଯାଏ ॥ ୧୪୯
ବ୍ରହ୍ମାର ସମାଧି ଭାଜିଲା । ହଂସ ବାହାନେ ବିଜେ କଲା ॥ ୧୫୦
କୃଷ୍ଣଙ୍କୁ ଦେଖି ବୃନ୍ଦାବନେ । ସ୍ତୁତି କରଇ ତୋଷମନେ ॥ ୧୫୧
କୃଷ୍ଣ ମହିମା ବ୍ରହ୍ମା ଦେଖି । ତୋଷେ ବୁଜିଲେ ଅଷ୍ଟଆଖି ॥ ୧୫୨
କୃଷ୍ଣଚରିତ ମନେ ଗୁଣି । ଚତୁର ମୁଖେ ବେଦ ଭଣି ॥ ୧୫୩
ରାଜନ ଶୁଣ ସାବଧାନେ । ସଂଶୟ ନ କର ତୁ ମନେ ॥ ୧୫୪
ମନୁଷ୍ୟ ଦେହେ ଅବତାର । ପଞ୍ଚବରଷ ଦାମୋଦର ॥ ୧୫୫
ଘୋର ଦାନବ ସଂହାରିଲେ । ବତ୍ସାବାଳକ ଉଦ୍ଧାରିଲେ ॥ ୧୫୬
ସଂଶୟ ମନେ ତୁ ନ କର । କୃଷ୍ଣେ ପଶିଲା ଅଘାସୁର ॥ ୧୫୭
ମିତ୍ର ଅଇରି ନାହିଁ ଯା'ର । ଭାବକୁ ଥାଇ ନିକଟର ॥ ୧୫୮
ଯାହାର ପାଦପୂଜା କରି । ପ୍ରାଣୀ ତରନ୍ତି ଭବବାରି ॥ ୧୫୯
ଗୋପୀ ଗୋପାଳ ଯା'ର ସଙ୍ଗେ । ତରିଲେ ଭବଜଳୁ ରଙ୍ଗେ ॥ ୧୬୦
ଏ କଥାମାନ କଉତୁକେ । ପୋଏ କହିଲେ ବରଷକେ ॥ ୧୬୧
ଆଜ ମାଇଲେ ସର୍ପ ହରି । ଶୁଣି ବିଷାଦ ନରନାରୀ ॥ ୧୬୨
ଯମୁନା ତୀରେ ଅଘାନାଶ । ଦେବଲୋକରୁ ଗଲା ତ୍ରାସ ॥ ୧୬୩
ଶ୍ରୀକୃଷ୍ଣ ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୬୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅଘାସୁରବଧୋ ନାମ ତ୍ରୟୋଦଶୋଽଧ୍ୟାୟଃ ॥
* * *