ଦଶମ ସ୍କନ୍ଧ

ଦ୍ୱାଦଶ ଅଧ୍ୟାୟ

କୃଷ୍ଣ ଚରଣେ ଦେଇ ମନ । କହନ୍ତି ବ୍ୟାସଙ୍କ ନନ୍ଦନ ॥

ଶୁକ ଉବାଚ

ଶୁଣ ପରୀକ୍ଷ ମହୀପାଳ । ଗୋପରେ ଶୁଭିଲା ଚହଳ ॥

ଭାଜିଣ ବେନି ବୃକ୍ଷ ପଡ଼ି । ଶୁଭିଲା ମେଘ ଘଡ଼ଘଡ଼ି ॥

ଭୂମି କମ୍ପଇ ଥରହର । ଗୋପାଳ ହୋଇଲେ ବାହାର ॥

ବୋଇଲେ ଏକୁ ଆରେ ଚାହିଁ । ଏ କି ଶବଦ କାହୁଁ ହୋଇ ॥

ନିର୍ଘାତ ଶୁଭିଲା ତ ଗୋଳ । ଗଗନେ ନାହିଁ ମେଘମାଳ ॥

କାହୁଁ ଏ ଶବଦ ଶୁଭିଲା । ଜାଣିଲେ ଅର୍ଜୁନ ଭାଜିଲା ॥

ତକ୍ଷଣେ ମିଳିଲେ ସକଳେ । ଯାମଳା ଅର୍ଜୁନର ତଳେ ॥

ବୋଲନ୍ତି ଭାଜିଲା କେମନ୍ତ । ପବନ ନାହିଁ ବଳବନ୍ତ ॥

ଶସ୍ତ୍ରେ ଛେଦିଲା ନାହିଁ କେହି । ଭିତରେ ମଞ୍ଜକିଳା ନାହିଁ ॥ ୧୦

କିମ୍ବା ପଡ଼ିଲା ମହୀତଳେ । ବେନି ଅର୍ଜୁନ ଏକାବେଳେ ॥ ୧୧

ଡାଳ ଦେଖନ୍ତେ ଏକ ଏକ । ଦେଖିଲେ ପଡ଼ିଛି ବାଳକ ॥ ୧୨

ଚକିତ ହୋଇ କଲେ କୋଳ । ବନ୍ଧନ ହୋଇଅଛି ରୋଳ ॥ ୧୩

କେ ନାରୀ କଲା ଏଡ଼େ କର୍ମ । ଚିହ୍ନିଲେ ଯଶୋଦା ନନ୍ଦନ ॥ ୧୪

ବାଳକେ ବୃକ୍ଷମୂଳେ ଥିଲେ । ଗୋପାଳମାନଙ୍କୁ କହିଲେ ॥ ୧୫

ଯଶୋଦା ରୋଳେ ବାନ୍ଧିଗଲା । ତଳେ ତା' ସୁତ କାନ୍ଦୁଥିଲା ॥ ୧୬

ବେନି ବୃକ୍ଷର ମଧ୍ୟେ ପଶି । ରୋଳ ସେ ଟାଣିଲା ଆକର୍ଷି ॥ ୧୭

ବୃକ୍ଷେ ପଡ଼ିଲେ ବେଗେ ଭାଙ୍ଗି । ଏହାର ଦେହ ଯହୁଁ ଲାଗି ॥ ୧୮

ବେନି ପୁରୁଷେ ଏହି ବୃକ୍ଷେ । ବାହାର ହୋଇଲେ ପ୍ରତ୍ୟେକ୍ଷ ॥ ୧୯

ତେଜେ ଗଞ୍ଜନ୍ତି ନିଶାକର । ଏହାର ପାଦେ ଦେଇ ଶିର ॥ ୨୦

କି କି ବୋଇଲେ ତା' ନ ଜାଣି । ଉତ୍ତରେ ଗଲେ ଏହିକ୍ଷଣି ॥ ୨୧

ଶୁଣି ହସିଲେ ଗୋପ ଲୋକେ । ବୋଲନ୍ତି ଏକକୁ ଆରକେ ॥ ୨୨

ବାଳବଚନ କାହିଁ ସତ୍ୟ । ମାୟା ମୋହିଲେ ଗୋପୀନାଥ ॥ ୨୩

ବନ୍ଧନ କଟୀଭାଗୁଁ ଫେଇ । ନନ୍ଦରକୋଳେ ଦେଲେ ନେଇ ॥ ୨୪

ଶୁଣି ମିଳିଲେ ନନ୍ଦ ନାରୀ । କୃଷ୍ଣଙ୍କୁ ଆଣ କୋଳକରି ॥ ୨୫

ଗ୍ରହ ଶଙ୍କିତେ ବ୍ରଜବାଳୀ । କୃଷ୍ଣଙ୍କୁ କଲେ ନିଉଛାଳି ॥ ୨୬

ଆନନ୍ଦ କଲେ ଗୀତ ଗାଇ । କୃଷ୍ଣ ନାଚନ୍ତି ତାଳି ଦେଇ ॥ ୨୭

ଗୋପୀ ବୋଲନ୍ତି କୃଷ୍ଣ ଶୁଣ । ଘର ଭିତରୁ ଆଣ ମାଣ ॥ ୨୮

ପାଣ୍ତୋଇ କଠାଉ ମସୁଣି । ଆଣ ତୁ ଦୁଧର ଦୁହୁଁଣୀ ॥ ୨୯

ଶୁଣି ଗୋବିନ୍ଦ ଘରେ ଯାଇ । ଆଣନ୍ତି କନ୍ଧେ ଶିରେ ବହି ॥ ୩୦

ଥୋଇ କରନ୍ତି କଉତୁକ । ଆହୁରି ଆଣିବଇଁ ଦେଖ ॥ ୩୧

ଭକତ ଜନଙ୍କୁ ସୁଫଳ । ଗୋପେ ଦେଖନ୍ତି ନନ୍ଦବାଳ ॥ ୩୨

ଭକତ ଜନେ ଦ୍ୟନ୍ତି ଦେଖା । ଗୋପେ ଅଇଲା କୋଳିବିକା ॥ ୩୩

ଡାକଇ କୋଳି କୋଳି ବାଣୀ । କୃଷ୍ଣ ଧାଇଁଲେ ତାହା ଶୁଣି ॥ ୩୪

ବସନ ନାହିଁ କଟୀଭାଗେ । ମିଳିଲେ ଧାନରାଣି ଲାଗେ ॥ ୩୫

ଧାନ ଆଞ୍ଜୋଳି ପେଟେ ଦେଇ । ବେଗେ ଧାଇଁଲେ ଭାବଗ୍ରାହୀ ॥ ୩୬

ମିଳିଲେ କୋଳିବିକା ଲାଗେ । ମାଣ ପାତିଲା ଦେଖି ବେଗେ ॥ ୩୭

କୃଷ୍ଣର ଦୃଷ୍ଟି ଅଛି ଫଳେ । ଧାନ ପଡ଼ିଲା ସବୁ ତଳେ ॥ ୩୮

ତକ୍ଷଣେ ଝାଡ଼ି ବେନିକର । ଆଞ୍ଜୋଳି କଲେ ଦାମୋଦର ॥ ୩୯

କର ପୂରୋଇ ଦେଲା ଫଳ । ବୋଲନ୍ତି ପ୍ରଭୁ ଚକ୍ରଧର ॥ ୪୦

ଭାଣ୍ତେ ତ ଅଛି କେତେ କୋଳି । ଟେକି ଚାହିଁଲେ ବନମାଳୀ ॥ ୪୧

ରତ୍ନ ହୋଇଲା ତତ୍‌କ୍ଷଣ । ଘରେ ମିଳିଲେ ନାରାୟଣ ॥ ୪୨

ଏବେ ହୋ ଶୁଣ ନରନାଥ । କୃଷ୍ଣର ବାଳକ ଚରିତ ॥ ୪୩

ଗୋକୁଳ ମଧ୍ୟେ ଏକ ନଦୀ । ବହଇ ବୃନ୍ଦାବନ ଭେଦି ॥ ୪୪

ସେ ନଦୀତୀରେ ଏକଦିନେ । ରାମ ଗୋବିନ୍ଦ ତୋଷମନେ ॥ ୪୫

ଖେଳନ୍ତି ନାନା କୁତୂହଳେ । ଗୋପବାଳକ ଗଣମେଳେ ॥ ୪୬

ଉଛୁର ଦେଖିଣ ରୋହିଣୀ । ଚଞ୍ଚଳେ ଗଲେ ପୁତ୍ରେ ଆଣି ॥ ୪୭

ଡାକନ୍ତି ମଧୁର ବଚନେ । ଗୋବିନ୍ଦ ନ ଶୁଣନ୍ତି କର୍ଣ୍ଣେ ॥ ୪୮

କୋପେ ରୋହିଣୀ ବାହୁଡ଼ିଲା । ଯଶୋଦା ଛାମୁରେ କହିଲା ॥ ୪୯

ଶୁଣି ଯଶୋଦା ଗଲା ଖରେ । କୃଷ୍ଣ ଦେଖିଲା ନଦୀତୀରେ ॥ ୫୦

ପୁତ୍ରର ସ୍ନେହ-ମାୟା-ମୋହେ । ସ୍ତନଯୁଗଳୁ କ୍ଷୀର ବହେ ॥ ୫୧

କୃଷ୍ଣ-କମଳ-ମୁଖ ଚାହିଁ । ଡାକଇ ଅଙ୍ଗୁଳି ଦେଖାଇ ॥ ୫୨

ଆସ ମୋ ତାତ ପିଅ ସ୍ତନ୍ୟ । ଶ୍ରମେ ଆକୁଳ ତୋ' ବଦନ ॥ ୫୩

ଭୋଜନ ହୋଇଲା ଉଛୁର । ଆସ ତୁ ବେଗେ ଯିବା ଘର ॥ ୫୪

ହେ ରାମ ଆସ କୃଷ୍ଣ ଘେନି । ବହୁତ ଦେବଇଁ ଲବଣି ॥ ୫୫

ପିତା ଭୋଜନ-ବେଳ ହୋଇ । ସଙ୍ଗେ ଭୁଞ୍ଜିବ ବେନି ଭାଇ ॥ ୫୬

ବାଳକେ ଯା'ନ୍ତି ଯେଝା ଘର । ବେଳ ଯେ ହେଉଛି ଉଛୁର ॥ ୫୭

ଦେହ ତୋ ଧୂଳିରେ ଧୂସର । ଜନ୍ମ ନକ୍ଷତ୍ର ଆଜ ତୋ'ର ॥ ୫୮

ଅରିଷ୍ଟ-ଖŠଣ୍ତନେ ତୋହର । ବିପ୍ରଙ୍କୁ ଗୋରୁ ଦାନ କର ॥ ୫୯

ଦେଖ ବାଳକେ ତୋ'ର ସଙ୍ଗେ । ବିବିଧ ଅଳଙ୍କାର ଅଙ୍ଗେ ॥ ୬୦

ସ୍ନାନ ଭୋଜନ ଆସି କର । ଦେବଇଁ ନାନା ଅଳଙ୍କାର ॥ ୬୧

ଏମନ୍ତ ବୋଲି ନନ୍ଦରାଣୀ । କରେ ଧରିଲେ ଚକ୍ରପାଣି ॥ ୬୨

ରାମଙ୍କୁ କାଖରେ ବସାଇ । ଘରେ ମିଳିଲେ ଦେବୀ ଯାଇ ॥ ୬୩

କରାଇ ସ୍ନାହାନ ଭୋଜନ । ରଞ୍ଜିଲେ ରାମକୃଷ୍ଣ ମନ ॥ ୬୪

ଭୋଜନ ସାରି ଆଚମନ । ଆନନ୍ଦେ କରାଇ ଶୟନ ॥ ୬୫

ବିପ୍ରଙ୍କୁ ଆଣି ସେ ଡ଼କାଇ । ତାହାଙ୍କୁ ଗୋରୁଦାନ ଦେଇ ॥ ୬୬

ଅସ୍ତ ହୋଇଲେ ଦିନକର । ଗୋପାଳେ କରନ୍ତି ବିଚାର ॥ ୬୭

ଏକ ଆରକେ ଅବହେଳେ । ନନ୍ଦର ଦ୍ୱାରେ ମେଳ ହେଲେ ॥ ୬୮

ବସିଲେ ନନ୍ଦ ଉପନନ୍ଦ । ମଧ୍ୟେ ଅନନ୍ତ ଆଦିକନ୍ଦ ॥ ୬୯

ଗୋପାଳେ କରନ୍ତି ବିଚାର । ଶୁଭ ନ ଦିଶେ ଗୋପପୁର ॥ ୭୦

କହ କି କରିବା ଉପାୟ । ପୁତ୍ରଙ୍କୁ ଉପୁଜିଲା ଭୟ ॥ ୭୧

ଶୁଣି ଉଠିଲେ ଉପନନ୍ଦ । ଯାହାର ଜୀବନ ଗୋବିନ୍ଦ ॥ ୭୨

ଜ୍ଞାନବୟସେ ବୃଦ୍ଧପଣ । ଗୋପଙ୍କୁ କହଇ କାରଣ ॥ ୭୩

ଶିରେ ନିବେଶି ବେନିକର । ସଭୟେ କହଇ ଉତ୍ତର ॥ ୭୪

ଚାଲ ନ ଥିବା ଗୋପପୁରେ । ଘର କରିବା ଆନ ଠାରେ ॥ ୭୫

ଅନେକ ପଡ଼ିଲା ପ୍ରମାଦ । ପୁତ୍ରେ ତ ଆମ୍ଭର ସମ୍ପଦ ॥ ୭୬

ଦେଖ ଯଶୋଦାପୁତ୍ର ସଙ୍ଗେ । ଆମ୍ଭ ବାଳକେ ନାଶଯିବେ ॥ ୭୭

ଅଳପ ଦିନେ ମହାଭୟେ । ଆପଦ ପଡ଼ିଲା ଥୋକାଏ ॥ ୭୮

ତୋ'ର ପୁତ୍ରକୁ ଦେଖ ନନ୍ଦ । କେତେ ନ ପଡ଼ିଲା ପ୍ରମାଦ ॥ ୭୯

ପୂତନା ମୁଖୁଁ ଅଛି ତରି । ଶୂନ୍ୟେ ଦଇତ୍ୟ ନେଲା ହରି ॥ ୮୦

ଶକଟ ଉପରେ ପଡ଼ିଲା । ସେ ବେଳେ ଗୋବିନ୍ଦ ରଖିଲା ॥ ୮୧

ଏବେ ତରିଲା ପରମାଦୁ । ଯାମଳା ଅର୍ଜ୍ଜୁନ ଆପଦୁ ॥ ୮୨

ଚାଲ ନ ଥିବା ଏ ନଗର । ନାଶ ନ ହେଉ ଗୋପପୁର ॥ ୮୩

ଯଶୋଦା ଯେବେ ନ ଛାଡ଼ିବ । ଏକା ପୁତ୍ରକୁ ନ ପାଇବ ॥ ୮୪

ଚାଲ ଆପଦ ନୋହୁ ଯିବା । ତେବେ ସେ ପୁତ୍ରଙ୍କୁ ପାଇବା ॥ ୮୫

ସକଳେ ଦୃଢ଼ କର ମନେ । ଘର କରିବା ବୃନ୍ଦାବନେ ॥ ୮୬

ବହୁତ ଫଳ କନ୍ଦମୂଳ । ନିର୍ମଳ ଯମୁନାର ଜଳ ॥ ୮୭

ପର୍ବତ ନାମେ ଗୋବର୍ଦ୍ଧନ । ଗୋରୁଙ୍କୁ ଅଛି ଜଳ ତୃଣ ॥ ୮୮

ଗୋପୀଗୋପାଳ ତୋଷ ହେବେ । ବହୁତ କ୍ଷୀର ଗାଈ ଦେବେ ॥ ୮୯

କାଲି ପ୍ରଭାତୁ ହୁଅ ସଜ । ଭାର ଶକଟ ବେଗେ ସାଜ ॥ ୯୦

ଗୋଧନ ଚଳିଯା'ନ୍ତି ବେଗେ । ଗୋପ ବାଳକେ ଘେନି ସଙ୍ଗେ ॥ ୯୧

ସୁଖେ ରହିବା ବୃନ୍ଦାବନେ । କିଛି ନ ଭାଳ ତୁମ୍ଭେ ମନେ ॥ ୯୨

ଶୁଣି ମଣିଲେ ଗୋପହି୍ତ । ନିଜ ଭୁବନେ ଉପଗତ ॥ ୯୩

ଯେଝାରେ ଘେନିଣ ସମ୍ପଦ । ଯା'ନ୍ତେ କରନ୍ତି ଶିଙ୍ଗାନାଦ ॥ ୯୪

ନନ୍ଦ ଯଶୋଦା ଏକମେଳେ । ରୋହିଣୀ ସୁତ ଘେନି କୋଳେ ॥ ୯୫

ପାଶେ ଚଳନ୍ତି ଗୋପୀନାଥ । ଗାବନ୍ତି ନାନାରଙ୍ଗେ ଗୀତ ॥ ୯୬

ଶକଟମାନ ଯା'ନ୍ତେ ଖର । ଧୂଳିରେ ଛିନ୍ନ ଦିବାକର ॥ ୯୭

ମିଳିଲେ ବୃନ୍ଦାବନେ ଯାଇ । କୃଷ୍ଣଚରିତ ଗୀତ ଗାଇ ॥ ୯୮

ଗୋପାଳେ ଧନୁଶର ଘେନି । ନାନା ଶବଦେ ବେଣୁଧ୍ୱନି ॥ ୯୯

ଯାଇ ହୋଇଲେ ବୃନ୍ଦାବନ । ଆନନ୍ଦ ଗୋପୀଙ୍କର ମନ ॥ ୧୦୦

ଯେ ବନେ ବିଜେ ଗୋପୀନାଥ । ସର୍ବଦା ବହଇ ବସନ୍ତ ॥ ୧୦୧

ସୀମା ଆବୋରି ଗୋପପୁର । ଯେଝାରେ ତୋଳିଲେ ମନ୍ଦିର ॥ ୧୦୨

ଗ୍ରାମର ମଧ୍ୟେ ନନ୍ଦଘର । ଯହିଁ ବିଜୟ ଦାମୋଦର ॥ ୧୦୩

କୃଷ୍ଣ ଦେଖିଲେ ଗୋବର୍ଦ୍ଧନ । ଯମୁନା ନଦୀ ବୃନ୍ଦାବନ ॥ ୧୦୪

ଦେସା ଖିନନ୍ଦ ବେନି ଭାଇ । ବୋଲନ୍ତି ନନ୍ଦୁକୁ ବସାଇ ॥ ୧୦୫

ଯେତେ ଅଛନ୍ତି ବ›ତ୍ସା ଘରେ । ଆମ୍ଭେ ରଖିବୁ ନଦୀତୀରେ ॥ ୧୦୬

ଭୋ ତାତ ନାହିଁ ତୁ ନ କର । ବ›ତ୍ସା ରଖିବୁ ଆମ୍ଭେ ତୋ'ର ॥ ୧୦୭

ନନ୍ଦ ବୋଇଲେ ତୋଷ ହୋଇ । କାଲିହୁଁ ବ›ତ୍ସା ରଖ ନେଇ ॥ ୧୦୮

ପିତାର ବଚନେ ମୁରାରି । ସାନନ୍ଦେ ଚରାନ୍ତି ବାଛୁରୀ ॥ ୧୦୯

ଗ୍ରାମ ନିକଟେ ଥା'ନ୍ତି ନିତ୍ୟେ । ବନେ ନଯା'ନ୍ତି ଭୟଚିତ୍ତେ ॥ ୧୧୦

ବ୍ୟାଘ୍ର ଭଲ୍ଲୁକ ସିଂହ ତ୍ରାସେ । ବ›ତ୍ସା ଚରାନ୍ତି ଗ୍ରାମ ପାଶେ ॥ ୧୧୧

ଗୋପାଳ ପୋଏ ଥା'ନ୍ତି ସଙ୍ଗେ । ଖେଳନ୍ତି ନାନା ରସ ରଙ୍ଗେ ॥ ୧୧୨

କ୍ଷଣ କ୍ଷଣକେ ବେଣୁନାଦ । କେ କହୁ କୃଷ୍ଣର ଆନନ୍ଦ ॥ ୧୧୩

ଏକ ଆରକେ ଭୁଜ ଧରି । ଯୁଝନ୍ତି ବାହାନାଦ କରି ॥ ୧୧୪

ବେଲ ଅଏଁଳା କଣ୍ଟା ଫଳେ । ତୋଳି ଆଣନ୍ତି ବୃକ୍ଷୁଁ ବାଳେ ॥ ୧୧୫

ଏକ ଆରେକେ ମରାମରି । ସାକ୍ଷୀ କରାନ୍ତି ରାମହରି ॥ ୧୧୬

ନାନା ପକ୍ଷୀଙ୍କ ନାଦ ଶୁଣି । ପୋଏ ନାଚନ୍ତି ତାହା ଶୁଣି ॥ ୧୧୭

ଦିନେ ଯମୁନାତୀରେ ହରି । ଆନନ୍ଦେ ଚରାନ୍ତି ବାଛୁରୀ ॥ ୧୧୮

କଂସ ଆଦେଶ ବତ୍ସାସୁର । ଆସି ମିଳିଲା ଧାତିକାର ॥ ୧୧୯

କୃଷ୍ଣର ମୁଖକୁ ଚାହିଁଲା । ବାଛୁରୀ ରୂପକୁ ଧଇଲା ॥ ୧୨୦

ବତ୍ସା ଗହଳେ ଗଲା ପଶି । ରାମଙ୍କୁ ଦେଖାନ୍ତି ଶ୍ରୀବତ୍ସୀ ॥ ୧୨୧

ଦେଖ ଦଇତ୍ୟ ବତ୍ସା ପାଶେ । ଆମ୍ଭଙ୍କୁ ମାରିବାର ଆଶେ ॥ ୧୨୨

ମାୟା ବାଛୁରୀ ରୂପ ହୋଇ । କହି ହସନ୍ତି ଭାବଗ୍ରାହୀ ॥ ୧୨୩

ଅସୁର ବିଚାରଇ ମନେ । କୃଷ୍ଣଙ୍କୁ ମାରିବି କେସନେ ॥ ୧୨୪

ନିକଟେ ମିଳିଲେ ମୋହର । ପାଦେ କରିବି ଶତେ ଚୁର ॥ ୧୨୫

ତାହା ଜାଣିଲେ ନାରାୟଣ । ମୋହିଲେ କୁମାରଙ୍କ ମନ ॥ ୧୨୬

କଇଥ ଗଛ ଦେଖି ପୋଏ । ବୋଲନ୍ତି ରାମଙ୍କୁ ଥୋକାଏ ॥ ୧୨୭

ଏ ଫଳ ଦିଶଇ ସୁସଞ୍ଚ । ହସ୍ତ ନ ପାଏ ବଡ଼ ଉଚ୍ଚ ॥ ୧୨୮

ତୁ ରାମ ଅତି ବଳୀୟାର । ଫଳ ଥୋକାଏ ବୃକ୍ଷୁ ତୋଳ ॥ ୧୨୯

ଶୁଣି ସାନନ୍ଦ ବନମାଳୀ । ବତ୍ସା ନିକଟେ ଯାଇ ମିଳି ॥ ୧୩୦

ବେନିଚରଣ ଧରି କରେ । ବୁଲାଇ ପିଟିଲେ ବୃକ୍ଷରେ ॥ ୧୩୧

କରେ ଘୂରାନ୍ତେ ପ୍ରାଣ ଗଲା । ଜୀବନ ଗୋବିନ୍ଦେ ପଶିଲା ॥ ୧୩୨

ଦେବେ ଚକିତ ତାହା ଦେଖି । ବ୍ରହ୍ମା ହୋଇଲେ ଅତି ସୁଖୀ ॥ ୧୩୩

ଅସୁର ଦେହ ଲାଗି କରି । ଫଳ ପଡ଼ିଲା ବୃକ୍ଷୁ ଝଡ଼ି ॥ ୧୩୪

ବାଳକେ ଦେଖିଣ ଚକିତ । ବୋଲନ୍ତି ଧନ୍ୟ ନନ୍ଦସୁତ ॥ ୧୩୫

ଆନନ୍ଦେ ଦେବତାଏ ସ୍ତୁତି । କୃଷ୍ଣଙ୍କୁ କଲେ ପୁଷ୍ପବୃଷ୍ଟି ॥ ୧୩୬

ଏମନ୍ତେ ରାମ ବନମାଳୀ । ବତ୍ସା ରଖନ୍ତେ ବନେ କେଳି ॥ ୧୩୭

ସକାଳେ ଦଧି ଗୁଡ଼ ଅନ୍ନ । ଭୁଞ୍ଜନ୍ତି ରାମ ଭଗବାନ ॥ ୧୩୮

ନିତ୍ୟେ ଯମୁନାତୀରେ ଯାଇ । ବତ୍ସା ରଖନ୍ତି ବେନିଭାଇ ॥ ୧୩୯

ଗୋପାଳ ପୁଅ ଘେନି ସଙ୍ଗେ । ବନେ ବିହରି ନାନାରଙ୍ଗେ ॥ ୧୪୦

ବାଳକେ ଯେଝା ବତ୍ସା ଘେନି । ଚରାନ୍ତି କରି ବେଣୁ ଧ୍ୱନି ॥ ୧୪୧

ଦିନେ ନିଦାଘେ ଖରାବେଳେ । ମିଳିଲେ ଯାଇ ନଦୀକୂଳେ ॥ ୧୪୨

ବତ୍ସାଙ୍କୁ ପିଆଇ ବହନ । ସକଳେ କଲେ ଜଳପାନ ॥ ୧୪୩

କଂସର ମିତ୍ର ବକାସୁର । ସଧୀରେ ବିହରଇ ନୀର ॥ ୧୪୪

କୃଷ୍ଣଙ୍କୁ ଦେଖି କାମରୂପୀ । କ୍ଷଣ କ୍ଷଣକେ ତନୁବ୍ୟାପୀ ॥ ୧୪୫

ନିଜ ସ୍ୱଭାବେ ମହାକାୟେ । ଦେଖି ଡରିଲେ ଗୋପପୋଏ ॥ ୧୪୬

ଏ ବନେ ଏଡେ ବକ ଥାଇ । କହନ୍ତି ରାମଙ୍କୁ ଦେଖାଇ ॥ ୧୪୭

ଗୋପାଳ ପୋଏ ପରଶଂସି । ପର୍ବତଖଣ୍ତŠ ପ୍ରାୟେ ଦିଶି ॥ ୧୪୮

ତ୍ରାସେ ଉଠିଲେ ବେଗେ ତୀର । ଦେଖି ଧାଇଁଲା ବକାସୁର ॥ ୧୪୯

ଘୋର ଶବଦ ବେଗେ କଲା । ତକ୍ଷଣେ କୃଷ୍ଣଙ୍କୁ ଗିଳିଲା ॥ ୧୫୦

କୃଷ୍ଣ ନ ଦେଖି ଗୋପବାଳେ । ଢଳି ପଡ଼ିଲେ ମହୀତଳେ ॥ ୧୫୧

ଉଠିଣ କରନ୍ତି ରୋଦନ । ଚକିତେ ଚାହିଁ ଛନ୍ନଛନ୍ନ ॥ ୧୫୨

ବକାର ତାଳୁ ମୂଳେ ରହି । ତାହା ଜାଣିଲେ ଭାବଗ୍ରାହୀ ॥ ୧୫୩

ଦାସବ›ତ୍ସଳ ନରହରି । ବେଗେ ଅନଳ ରୂପ ଧରି ॥ ୧୫୪

ପ୍ରଳୟ ଅଗ୍ନି ଜିଣି ତେଜ । ତା'ଳୁ ଦହିଲେ ଦେବରାଜ ॥ ୧୫୫

ତକ୍ଷଣେ ଘୋର ନାଦକରି । କୃଷ୍ଣଙ୍କୁ ପକାଇ ଉଦାରି ॥ ୧୫୬

ଧୀରେ ଛାହିଁଲା ବକାସୁର । ସୁନ୍ଦର ଦିଶିଲା ଶରୀର ॥ ୧୫୭

ଦେଖି ଶ୍ରୀକୃଷ୍ଣ କଳେବର । ପୁଣି ଧାଇଁଲା ରୋଷଭର ॥ ୧୫୮

କୃଷ୍ଣର ଦେହେ କ୍ଷତ ନାହିଁ । ଅସୁର ମନେ ବିଚାରଇ ॥ ୧୫୯

ପୁଣି ବିଚାରୁଅଛି ମନେ । ଏହାକୁ ମାରିବି କେସନେ ॥ ୧୬୦

ଏହାର ସୁକୁମାର ପିଣ୍ତŠ । ଥଣ୍ତେ କରିବି ଖŠଣ୍ତ ଖଣ୍ତŠ ॥ ୧୬୧

ବିସ୍ତାରି ବେନିପାଟି ତୋଳି । ବେଗେ ଧାଇଁଲା ମହାବଳୀ ॥ ୧୬୨

ଶୂନ୍ୟେ ଦେଖନ୍ତି ଦେବଗଣ । ଆଗ ହୋଇଲେ ନାରାୟଣ ॥ ୧୬୩

କରେ ଧଇଲେ ବେନିପାଟି । ଅସୁର ନ ପାରିଲା ଉଠି ॥ ୧୬୪

ବାଳକ ମେଳେଣ ଶ୍ରୀହରି । ଚିରିଲେ ବେନିଫାଳ କରି ॥ ୧୬୫

ଦେଖି ସାନନ୍ଦେ ବୃନ୍ଦାରକେ । କୁସୁମ ବରଷିଲେ ଥୋକେ ॥ ୧୬୬

ଦୁନ୍ଦୁଭି ବାଦ୍ୟନାଦ କରି । ରଙ୍ଗେ ନାଚନ୍ତି ଅପସରୀ ॥ ୧୬୭

ବାଳକେ ଦେଖିଣ ଚକିତ । ମାୟା ମୋହିଲେ ଗୋପୀନାଥ ॥ ୧୬୮

ତକ୍ଷଣେ ଆଲିଙ୍ଗନ କରି । ଗୋଠକୁ ଆଣିଲେ ବାଛୁରୀ ॥ ୧୬୯

ପୋଏ କହିଲେ ଯେଝାଘରେ । ପୁଣି ମିଳିଲେ ନନ୍ଦଦ୍ୱାରେ ॥ ୧୭୦

ବକର ତୁŠଣ୍ତୁ ଉବୁରିଲା । ଭାଗ୍ୟ ଗୋ ଯଶୋଦାର ଥିଲା ॥ ୧୭୧

ଶୁଣି ଚକିତ ଗୋପଗୋପୀ । କୃଷ୍ଣଙ୍କୁ ଚାହାନ୍ତି ନିରୋପି ॥ ୧୭୨

ବୋଲନ୍ତି ଧର୍ମ ତିନିଲୋକେ । ସତ୍ୟ ବେଭାର ଜନମୁଖେ ॥ ୧୭୩

ନିର୍ଦ୍ଦୋଷ ପ୍ରାଣୀ ହିଂସା କରି । ଆପଣେ ଯାଉଛନ୍ତି ମରି ॥ ୧୭୪

ଏ ପୋଏ ବାଳକ ସ୍ୱଭାବେ । ଏହାଙ୍କୁ ହିଂସନ୍ତି ଦାନବେ ॥ ୧୭୫

ତେଣୁ ହୁଅନ୍ତି ମୃତ୍ୟୁ ସଙ୍ଗ । ଅନଳେ ଯେସନେ ପତଙ୍ଗ ॥ ୧୭୬

ପŠଣ୍ତିତଜନଙ୍କର କଥା । କେବେ ହେଁ ନୁହଁଇ ଅନ୍ୟଥା ॥ ୧୭୭

ଯାହା କହିଲେ ଗାର୍ଗ୍ୟଋଷି । ରାମକୃଷ୍ଣଙ୍କୁ ପରଶଂସି ॥ ୧୭୮

ସେ କଥା ହୋଇଲା ପ୍ରମାଣ । ଏହାଙ୍କୁ ରଖୁ ନାରାୟଣ ॥ ୧୭୯

ଆପଦ ଦେଖି ନନ୍ଦରାୟେ । ଶାନ୍ତି କରାଇଲେ ଥୋକାଏ ॥ ୧୮୦

ଗୋପେ ଗୋବିନ୍ଦ ଅଙ୍ଗସଙ୍ଗେ । ତରିଲେ ଭବଜଳୁ ରଙ୍ଗେ ॥ ୧୮୧

ସେ ହରି ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୮୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଦ୍ୱାଦଶୋଽଧ୍ୟାୟଃ ।

* * *