ଦଶମ ସ୍କନ୍ଧ
ଦ୍ୱାଦଶ ଅଧ୍ୟାୟ
କୃଷ୍ଣ ଚରଣେ ଦେଇ ମନ । କହନ୍ତି ବ୍ୟାସଙ୍କ ନନ୍ଦନ ॥ ୧
ଶୁକ ଉବାଚ
ଶୁଣ ପରୀକ୍ଷ ମହୀପାଳ । ଗୋପରେ ଶୁଭିଲା ଚହଳ ॥ ୨
ଭାଜିଣ ବେନି ବୃକ୍ଷ ପଡ଼ି । ଶୁଭିଲା ମେଘ ଘଡ଼ଘଡ଼ି ॥ ୩
ଭୂମି କମ୍ପଇ ଥରହର । ଗୋପାଳ ହୋଇଲେ ବାହାର ॥ ୪
ବୋଇଲେ ଏକୁ ଆରେ ଚାହିଁ । ଏ କି ଶବଦ କାହୁଁ ହୋଇ ॥ ୫
ନିର୍ଘାତ ଶୁଭିଲା ତ ଗୋଳ । ଗଗନେ ନାହିଁ ମେଘମାଳ ॥ ୬
କାହୁଁ ଏ ଶବଦ ଶୁଭିଲା । ଜାଣିଲେ ଅର୍ଜୁନ ଭାଜିଲା ॥ ୭
ତକ୍ଷଣେ ମିଳିଲେ ସକଳେ । ଯାମଳା ଅର୍ଜୁନର ତଳେ ॥ ୮
ବୋଲନ୍ତି ଭାଜିଲା କେମନ୍ତ । ପବନ ନାହିଁ ବଳବନ୍ତ ॥ ୯
ଶସ୍ତ୍ରେ ଛେଦିଲା ନାହିଁ କେହି । ଭିତରେ ମଞ୍ଜକିଳା ନାହିଁ ॥ ୧୦
କିମ୍ବା ପଡ଼ିଲା ମହୀତଳେ । ବେନି ଅର୍ଜୁନ ଏକାବେଳେ ॥ ୧୧
ଡାଳ ଦେଖନ୍ତେ ଏକ ଏକ । ଦେଖିଲେ ପଡ଼ିଛି ବାଳକ ॥ ୧୨
ଚକିତ ହୋଇ କଲେ କୋଳ । ବନ୍ଧନ ହୋଇଅଛି ରୋଳ ॥ ୧୩
କେ ନାରୀ କଲା ଏଡ଼େ କର୍ମ । ଚିହ୍ନିଲେ ଯଶୋଦା ନନ୍ଦନ ॥ ୧୪
ବାଳକେ ବୃକ୍ଷମୂଳେ ଥିଲେ । ଗୋପାଳମାନଙ୍କୁ କହିଲେ ॥ ୧୫
ଯଶୋଦା ରୋଳେ ବାନ୍ଧିଗଲା । ତଳେ ତା' ସୁତ କାନ୍ଦୁଥିଲା ॥ ୧୬
ବେନି ବୃକ୍ଷର ମଧ୍ୟେ ପଶି । ରୋଳ ସେ ଟାଣିଲା ଆକର୍ଷି ॥ ୧୭
ବୃକ୍ଷେ ପଡ଼ିଲେ ବେଗେ ଭାଙ୍ଗି । ଏହାର ଦେହ ଯହୁଁ ଲାଗି ॥ ୧୮
ବେନି ପୁରୁଷେ ଏହି ବୃକ୍ଷେ । ବାହାର ହୋଇଲେ ପ୍ରତ୍ୟେକ୍ଷ ॥ ୧୯
ତେଜେ ଗଞ୍ଜନ୍ତି ନିଶାକର । ଏହାର ପାଦେ ଦେଇ ଶିର ॥ ୨୦
କି କି ବୋଇଲେ ତା' ନ ଜାଣି । ଉତ୍ତରେ ଗଲେ ଏହିକ୍ଷଣି ॥ ୨୧
ଶୁଣି ହସିଲେ ଗୋପ ଲୋକେ । ବୋଲନ୍ତି ଏକକୁ ଆରକେ ॥ ୨୨
ବାଳବଚନ କାହିଁ ସତ୍ୟ । ମାୟା ମୋହିଲେ ଗୋପୀନାଥ ॥ ୨୩
ବନ୍ଧନ କଟୀଭାଗୁଁ ଫେଇ । ନନ୍ଦରକୋଳେ ଦେଲେ ନେଇ ॥ ୨୪
ଶୁଣି ମିଳିଲେ ନନ୍ଦ ନାରୀ । କୃଷ୍ଣଙ୍କୁ ଆଣ କୋଳକରି ॥ ୨୫
ଗ୍ରହ ଶଙ୍କିତେ ବ୍ରଜବାଳୀ । କୃଷ୍ଣଙ୍କୁ କଲେ ନିଉଛାଳି ॥ ୨୬
ଆନନ୍ଦ କଲେ ଗୀତ ଗାଇ । କୃଷ୍ଣ ନାଚନ୍ତି ତାଳି ଦେଇ ॥ ୨୭
ଗୋପୀ ବୋଲନ୍ତି କୃଷ୍ଣ ଶୁଣ । ଘର ଭିତରୁ ଆଣ ମାଣ ॥ ୨୮
ପାଣ୍ତୋଇ କଠାଉ ମସୁଣି । ଆଣ ତୁ ଦୁଧର ଦୁହୁଁଣୀ ॥ ୨୯
ଶୁଣି ଗୋବିନ୍ଦ ଘରେ ଯାଇ । ଆଣନ୍ତି କନ୍ଧେ ଶିରେ ବହି ॥ ୩୦
ଥୋଇ କରନ୍ତି କଉତୁକ । ଆହୁରି ଆଣିବଇଁ ଦେଖ ॥ ୩୧
ଭକତ ଜନଙ୍କୁ ସୁଫଳ । ଗୋପେ ଦେଖନ୍ତି ନନ୍ଦବାଳ ॥ ୩୨
ଭକତ ଜନେ ଦ୍ୟନ୍ତି ଦେଖା । ଗୋପେ ଅଇଲା କୋଳିବିକା ॥ ୩୩
ଡାକଇ କୋଳି କୋଳି ବାଣୀ । କୃଷ୍ଣ ଧାଇଁଲେ ତାହା ଶୁଣି ॥ ୩୪
ବସନ ନାହିଁ କଟୀଭାଗେ । ମିଳିଲେ ଧାନରାଣି ଲାଗେ ॥ ୩୫
ଧାନ ଆଞ୍ଜୋଳି ପେଟେ ଦେଇ । ବେଗେ ଧାଇଁଲେ ଭାବଗ୍ରାହୀ ॥ ୩୬
ମିଳିଲେ କୋଳିବିକା ଲାଗେ । ମାଣ ପାତିଲା ଦେଖି ବେଗେ ॥ ୩୭
କୃଷ୍ଣର ଦୃଷ୍ଟି ଅଛି ଫଳେ । ଧାନ ପଡ଼ିଲା ସବୁ ତଳେ ॥ ୩୮
ତକ୍ଷଣେ ଝାଡ଼ି ବେନିକର । ଆଞ୍ଜୋଳି କଲେ ଦାମୋଦର ॥ ୩୯
କର ପୂରୋଇ ଦେଲା ଫଳ । ବୋଲନ୍ତି ପ୍ରଭୁ ଚକ୍ରଧର ॥ ୪୦
ଭାଣ୍ତେ ତ ଅଛି କେତେ କୋଳି । ଟେକି ଚାହିଁଲେ ବନମାଳୀ ॥ ୪୧
ରତ୍ନ ହୋଇଲା ତତ୍କ୍ଷଣ । ଘରେ ମିଳିଲେ ନାରାୟଣ ॥ ୪୨
ଏବେ ହୋ ଶୁଣ ନରନାଥ । କୃଷ୍ଣର ବାଳକ ଚରିତ ॥ ୪୩
ଗୋକୁଳ ମଧ୍ୟେ ଏକ ନଦୀ । ବହଇ ବୃନ୍ଦାବନ ଭେଦି ॥ ୪୪
ସେ ନଦୀତୀରେ ଏକଦିନେ । ରାମ ଗୋବିନ୍ଦ ତୋଷମନେ ॥ ୪୫
ଖେଳନ୍ତି ନାନା କୁତୂହଳେ । ଗୋପବାଳକ ଗଣମେଳେ ॥ ୪୬
ଉଛୁର ଦେଖିଣ ରୋହିଣୀ । ଚଞ୍ଚଳେ ଗଲେ ପୁତ୍ରେ ଆଣି ॥ ୪୭
ଡାକନ୍ତି ମଧୁର ବଚନେ । ଗୋବିନ୍ଦ ନ ଶୁଣନ୍ତି କର୍ଣ୍ଣେ ॥ ୪୮
କୋପେ ରୋହିଣୀ ବାହୁଡ଼ିଲା । ଯଶୋଦା ଛାମୁରେ କହିଲା ॥ ୪୯
ଶୁଣି ଯଶୋଦା ଗଲା ଖରେ । କୃଷ୍ଣ ଦେଖିଲା ନଦୀତୀରେ ॥ ୫୦
ପୁତ୍ରର ସ୍ନେହ-ମାୟା-ମୋହେ । ସ୍ତନଯୁଗଳୁ କ୍ଷୀର ବହେ ॥ ୫୧
କୃଷ୍ଣ-କମଳ-ମୁଖ ଚାହିଁ । ଡାକଇ ଅଙ୍ଗୁଳି ଦେଖାଇ ॥ ୫୨
ଆସ ମୋ ତାତ ପିଅ ସ୍ତନ୍ୟ । ଶ୍ରମେ ଆକୁଳ ତୋ' ବଦନ ॥ ୫୩
ଭୋଜନ ହୋଇଲା ଉଛୁର । ଆସ ତୁ ବେଗେ ଯିବା ଘର ॥ ୫୪
ହେ ରାମ ଆସ କୃଷ୍ଣ ଘେନି । ବହୁତ ଦେବଇଁ ଲବଣି ॥ ୫୫
ପିତା ଭୋଜନ-ବେଳ ହୋଇ । ସଙ୍ଗେ ଭୁଞ୍ଜିବ ବେନି ଭାଇ ॥ ୫୬
ବାଳକେ ଯା'ନ୍ତି ଯେଝା ଘର । ବେଳ ଯେ ହେଉଛି ଉଛୁର ॥ ୫୭
ଦେହ ତୋ ଧୂଳିରେ ଧୂସର । ଜନ୍ମ ନକ୍ଷତ୍ର ଆଜ ତୋ'ର ॥ ୫୮
ଅରିଷ୍ଟ-ଖଣ୍ତନେ ତୋହର । ବିପ୍ରଙ୍କୁ ଗୋରୁ ଦାନ କର ॥ ୫୯
ଦେଖ ବାଳକେ ତୋ'ର ସଙ୍ଗେ । ବିବିଧ ଅଳଙ୍କାର ଅଙ୍ଗେ ॥ ୬୦
ସ୍ନାନ ଭୋଜନ ଆସି କର । ଦେବଇଁ ନାନା ଅଳଙ୍କାର ॥ ୬୧
ଏମନ୍ତ ବୋଲି ନନ୍ଦରାଣୀ । କରେ ଧରିଲେ ଚକ୍ରପାଣି ॥ ୬୨
ରାମଙ୍କୁ କାଖରେ ବସାଇ । ଘରେ ମିଳିଲେ ଦେବୀ ଯାଇ ॥ ୬୩
କରାଇ ସ୍ନାହାନ ଭୋଜନ । ରଞ୍ଜିଲେ ରାମକୃଷ୍ଣ ମନ ॥ ୬୪
ଭୋଜନ ସାରି ଆଚମନ । ଆନନ୍ଦେ କରାଇ ଶୟନ ॥ ୬୫
ବିପ୍ରଙ୍କୁ ଆଣି ସେ ଡ଼କାଇ । ତାହାଙ୍କୁ ଗୋରୁଦାନ ଦେଇ ॥ ୬୬
ଅସ୍ତ ହୋଇଲେ ଦିନକର । ଗୋପାଳେ କରନ୍ତି ବିଚାର ॥ ୬୭
ଏକ ଆରକେ ଅବହେଳେ । ନନ୍ଦର ଦ୍ୱାରେ ମେଳ ହେଲେ ॥ ୬୮
ବସିଲେ ନନ୍ଦ ଉପନନ୍ଦ । ମଧ୍ୟେ ଅନନ୍ତ ଆଦିକନ୍ଦ ॥ ୬୯
ଗୋପାଳେ କରନ୍ତି ବିଚାର । ଶୁଭ ନ ଦିଶେ ଗୋପପୁର ॥ ୭୦
କହ କି କରିବା ଉପାୟ । ପୁତ୍ରଙ୍କୁ ଉପୁଜିଲା ଭୟ ॥ ୭୧
ଶୁଣି ଉଠିଲେ ଉପନନ୍ଦ । ଯାହାର ଜୀବନ ଗୋବିନ୍ଦ ॥ ୭୨
ଜ୍ଞାନବୟସେ ବୃଦ୍ଧପଣ । ଗୋପଙ୍କୁ କହଇ କାରଣ ॥ ୭୩
ଶିରେ ନିବେଶି ବେନିକର । ସଭୟେ କହଇ ଉତ୍ତର ॥ ୭୪
ଚାଲ ନ ଥିବା ଗୋପପୁରେ । ଘର କରିବା ଆନ ଠାରେ ॥ ୭୫
ଅନେକ ପଡ଼ିଲା ପ୍ରମାଦ । ପୁତ୍ରେ ତ ଆମ୍ଭର ସମ୍ପଦ ॥ ୭୬
ଦେଖ ଯଶୋଦାପୁତ୍ର ସଙ୍ଗେ । ଆମ୍ଭ ବାଳକେ ନାଶଯିବେ ॥ ୭୭
ଅଳପ ଦିନେ ମହାଭୟେ । ଆପଦ ପଡ଼ିଲା ଥୋକାଏ ॥ ୭୮
ତୋ'ର ପୁତ୍ରକୁ ଦେଖ ନନ୍ଦ । କେତେ ନ ପଡ଼ିଲା ପ୍ରମାଦ ॥ ୭୯
ପୂତନା ମୁଖୁଁ ଅଛି ତରି । ଶୂନ୍ୟେ ଦଇତ୍ୟ ନେଲା ହରି ॥ ୮୦
ଶକଟ ଉପରେ ପଡ଼ିଲା । ସେ ବେଳେ ଗୋବିନ୍ଦ ରଖିଲା ॥ ୮୧
ଏବେ ତରିଲା ପରମାଦୁ । ଯାମଳା ଅର୍ଜ୍ଜୁନ ଆପଦୁ ॥ ୮୨
ଚାଲ ନ ଥିବା ଏ ନଗର । ନାଶ ନ ହେଉ ଗୋପପୁର ॥ ୮୩
ଯଶୋଦା ଯେବେ ନ ଛାଡ଼ିବ । ଏକା ପୁତ୍ରକୁ ନ ପାଇବ ॥ ୮୪
ଚାଲ ଆପଦ ନୋହୁ ଯିବା । ତେବେ ସେ ପୁତ୍ରଙ୍କୁ ପାଇବା ॥ ୮୫
ସକଳେ ଦୃଢ଼ କର ମନେ । ଘର କରିବା ବୃନ୍ଦାବନେ ॥ ୮୬
ବହୁତ ଫଳ କନ୍ଦମୂଳ । ନିର୍ମଳ ଯମୁନାର ଜଳ ॥ ୮୭
ପର୍ବତ ନାମେ ଗୋବର୍ଦ୍ଧନ । ଗୋରୁଙ୍କୁ ଅଛି ଜଳ ତୃଣ ॥ ୮୮
ଗୋପୀଗୋପାଳ ତୋଷ ହେବେ । ବହୁତ କ୍ଷୀର ଗାଈ ଦେବେ ॥ ୮୯
କାଲି ପ୍ରଭାତୁ ହୁଅ ସଜ । ଭାର ଶକଟ ବେଗେ ସାଜ ॥ ୯୦
ଗୋଧନ ଚଳିଯା'ନ୍ତି ବେଗେ । ଗୋପ ବାଳକେ ଘେନି ସଙ୍ଗେ ॥ ୯୧
ସୁଖେ ରହିବା ବୃନ୍ଦାବନେ । କିଛି ନ ଭାଳ ତୁମ୍ଭେ ମନେ ॥ ୯୨
ଶୁଣି ମଣିଲେ ଗୋପହି୍ତ । ନିଜ ଭୁବନେ ଉପଗତ ॥ ୯୩
ଯେଝାରେ ଘେନିଣ ସମ୍ପଦ । ଯା'ନ୍ତେ କରନ୍ତି ଶିଙ୍ଗାନାଦ ॥ ୯୪
ନନ୍ଦ ଯଶୋଦା ଏକମେଳେ । ରୋହିଣୀ ସୁତ ଘେନି କୋଳେ ॥ ୯୫
ପାଶେ ଚଳନ୍ତି ଗୋପୀନାଥ । ଗାବନ୍ତି ନାନାରଙ୍ଗେ ଗୀତ ॥ ୯୬
ଶକଟମାନ ଯା'ନ୍ତେ ଖର । ଧୂଳିରେ ଛିନ୍ନ ଦିବାକର ॥ ୯୭
ମିଳିଲେ ବୃନ୍ଦାବନେ ଯାଇ । କୃଷ୍ଣଚରିତ ଗୀତ ଗାଇ ॥ ୯୮
ଗୋପାଳେ ଧନୁଶର ଘେନି । ନାନା ଶବଦେ ବେଣୁଧ୍ୱନି ॥ ୯୯
ଯାଇ ହୋଇଲେ ବୃନ୍ଦାବନ । ଆନନ୍ଦ ଗୋପୀଙ୍କର ମନ ॥ ୧୦୦
ଯେ ବନେ ବିଜେ ଗୋପୀନାଥ । ସର୍ବଦା ବହଇ ବସନ୍ତ ॥ ୧୦୧
ସୀମା ଆବୋରି ଗୋପପୁର । ଯେଝାରେ ତୋଳିଲେ ମନ୍ଦିର ॥ ୧୦୨
ଗ୍ରାମର ମଧ୍ୟେ ନନ୍ଦଘର । ଯହିଁ ବିଜୟ ଦାମୋଦର ॥ ୧୦୩
କୃଷ୍ଣ ଦେଖିଲେ ଗୋବର୍ଦ୍ଧନ । ଯମୁନା ନଦୀ ବୃନ୍ଦାବନ ॥ ୧୦୪
ଦେସା ଖିନନ୍ଦ ବେନି ଭାଇ । ବୋଲନ୍ତି ନନ୍ଦୁକୁ ବସାଇ ॥ ୧୦୫
ଯେତେ ଅଛନ୍ତି ବତ୍ସା ଘରେ । ଆମ୍ଭେ ରଖିବୁ ନଦୀତୀରେ ॥ ୧୦୬
ଭୋ ତାତ ନାହିଁ ତୁ ନ କର । ବତ୍ସା ରଖିବୁ ଆମ୍ଭେ ତୋ'ର ॥ ୧୦୭
ନନ୍ଦ ବୋଇଲେ ତୋଷ ହୋଇ । କାଲିହୁଁ ବତ୍ସା ରଖ ନେଇ ॥ ୧୦୮
ପିତାର ବଚନେ ମୁରାରି । ସାନନ୍ଦେ ଚରାନ୍ତି ବାଛୁରୀ ॥ ୧୦୯
ଗ୍ରାମ ନିକଟେ ଥା'ନ୍ତି ନିତ୍ୟେ । ବନେ ନଯା'ନ୍ତି ଭୟଚିତ୍ତେ ॥ ୧୧୦
ବ୍ୟାଘ୍ର ଭଲ୍ଲୁକ ସିଂହ ତ୍ରାସେ । ବତ୍ସା ଚରାନ୍ତି ଗ୍ରାମ ପାଶେ ॥ ୧୧୧
ଗୋପାଳ ପୋଏ ଥା'ନ୍ତି ସଙ୍ଗେ । ଖେଳନ୍ତି ନାନା ରସ ରଙ୍ଗେ ॥ ୧୧୨
କ୍ଷଣ କ୍ଷଣକେ ବେଣୁନାଦ । କେ କହୁ କୃଷ୍ଣର ଆନନ୍ଦ ॥ ୧୧୩
ଏକ ଆରକେ ଭୁଜ ଧରି । ଯୁଝନ୍ତି ବାହାନାଦ କରି ॥ ୧୧୪
ବେଲ ଅଏଁଳା କଣ୍ଟା ଫଳେ । ତୋଳି ଆଣନ୍ତି ବୃକ୍ଷୁଁ ବାଳେ ॥ ୧୧୫
ଏକ ଆରେକେ ମରାମରି । ସାକ୍ଷୀ କରାନ୍ତି ରାମହରି ॥ ୧୧୬
ନାନା ପକ୍ଷୀଙ୍କ ନାଦ ଶୁଣି । ପୋଏ ନାଚନ୍ତି ତାହା ଶୁଣି ॥ ୧୧୭
ଦିନେ ଯମୁନାତୀରେ ହରି । ଆନନ୍ଦେ ଚରାନ୍ତି ବାଛୁରୀ ॥ ୧୧୮
କଂସ ଆଦେଶ ବତ୍ସାସୁର । ଆସି ମିଳିଲା ଧାତିକାର ॥ ୧୧୯
କୃଷ୍ଣର ମୁଖକୁ ଚାହିଁଲା । ବାଛୁରୀ ରୂପକୁ ଧଇଲା ॥ ୧୨୦
ବତ୍ସା ଗହଳେ ଗଲା ପଶି । ରାମଙ୍କୁ ଦେଖାନ୍ତି ଶ୍ରୀବତ୍ସୀ ॥ ୧୨୧
ଦେଖ ଦଇତ୍ୟ ବତ୍ସା ପାଶେ । ଆମ୍ଭଙ୍କୁ ମାରିବାର ଆଶେ ॥ ୧୨୨
ମାୟା ବାଛୁରୀ ରୂପ ହୋଇ । କହି ହସନ୍ତି ଭାବଗ୍ରାହୀ ॥ ୧୨୩
ଅସୁର ବିଚାରଇ ମନେ । କୃଷ୍ଣଙ୍କୁ ମାରିବି କେସନେ ॥ ୧୨୪
ନିକଟେ ମିଳିଲେ ମୋହର । ପାଦେ କରିବି ଶତେ ଚୁର ॥ ୧୨୫
ତାହା ଜାଣିଲେ ନାରାୟଣ । ମୋହିଲେ କୁମାରଙ୍କ ମନ ॥ ୧୨୬
କଇଥ ଗଛ ଦେଖି ପୋଏ । ବୋଲନ୍ତି ରାମଙ୍କୁ ଥୋକାଏ ॥ ୧୨୭
ଏ ଫଳ ଦିଶଇ ସୁସଞ୍ଚ । ହସ୍ତ ନ ପାଏ ବଡ଼ ଉଚ୍ଚ ॥ ୧୨୮
ତୁ ରାମ ଅତି ବଳୀୟାର । ଫଳ ଥୋକାଏ ବୃକ୍ଷୁ ତୋଳ ॥ ୧୨୯
ଶୁଣି ସାନନ୍ଦ ବନମାଳୀ । ବତ୍ସା ନିକଟେ ଯାଇ ମିଳି ॥ ୧୩୦
ବେନିଚରଣ ଧରି କରେ । ବୁଲାଇ ପିଟିଲେ ବୃକ୍ଷରେ ॥ ୧୩୧
କରେ ଘୂରାନ୍ତେ ପ୍ରାଣ ଗଲା । ଜୀବନ ଗୋବିନ୍ଦେ ପଶିଲା ॥ ୧୩୨
ଦେବେ ଚକିତ ତାହା ଦେଖି । ବ୍ରହ୍ମା ହୋଇଲେ ଅତି ସୁଖୀ ॥ ୧୩୩
ଅସୁର ଦେହ ଲାଗି କରି । ଫଳ ପଡ଼ିଲା ବୃକ୍ଷୁ ଝଡ଼ି ॥ ୧୩୪
ବାଳକେ ଦେଖିଣ ଚକିତ । ବୋଲନ୍ତି ଧନ୍ୟ ନନ୍ଦସୁତ ॥ ୧୩୫
ଆନନ୍ଦେ ଦେବତାଏ ସ୍ତୁତି । କୃଷ୍ଣଙ୍କୁ କଲେ ପୁଷ୍ପବୃଷ୍ଟି ॥ ୧୩୬
ଏମନ୍ତେ ରାମ ବନମାଳୀ । ବତ୍ସା ରଖନ୍ତେ ବନେ କେଳି ॥ ୧୩୭
ସକାଳେ ଦଧି ଗୁଡ଼ ଅନ୍ନ । ଭୁଞ୍ଜନ୍ତି ରାମ ଭଗବାନ ॥ ୧୩୮
ନିତ୍ୟେ ଯମୁନାତୀରେ ଯାଇ । ବତ୍ସା ରଖନ୍ତି ବେନିଭାଇ ॥ ୧୩୯
ଗୋପାଳ ପୁଅ ଘେନି ସଙ୍ଗେ । ବନେ ବିହରି ନାନାରଙ୍ଗେ ॥ ୧୪୦
ବାଳକେ ଯେଝା ବତ୍ସା ଘେନି । ଚରାନ୍ତି କରି ବେଣୁ ଧ୍ୱନି ॥ ୧୪୧
ଦିନେ ନିଦାଘେ ଖରାବେଳେ । ମିଳିଲେ ଯାଇ ନଦୀକୂଳେ ॥ ୧୪୨
ବତ୍ସାଙ୍କୁ ପିଆଇ ବହନ । ସକଳେ କଲେ ଜଳପାନ ॥ ୧୪୩
କଂସର ମିତ୍ର ବକାସୁର । ସଧୀରେ ବିହରଇ ନୀର ॥ ୧୪୪
କୃଷ୍ଣଙ୍କୁ ଦେଖି କାମରୂପୀ । କ୍ଷଣ କ୍ଷଣକେ ତନୁବ୍ୟାପୀ ॥ ୧୪୫
ନିଜ ସ୍ୱଭାବେ ମହାକାୟେ । ଦେଖି ଡରିଲେ ଗୋପପୋଏ ॥ ୧୪୬
ଏ ବନେ ଏଡେ ବକ ଥାଇ । କହନ୍ତି ରାମଙ୍କୁ ଦେଖାଇ ॥ ୧୪୭
ଗୋପାଳ ପୋଏ ପରଶଂସି । ପର୍ବତଖଣ୍ତ ପ୍ରାୟେ ଦିଶି ॥ ୧୪୮
ତ୍ରାସେ ଉଠିଲେ ବେଗେ ତୀର । ଦେଖି ଧାଇଁଲା ବକାସୁର ॥ ୧୪୯
ଘୋର ଶବଦ ବେଗେ କଲା । ତକ୍ଷଣେ କୃଷ୍ଣଙ୍କୁ ଗିଳିଲା ॥ ୧୫୦
କୃଷ୍ଣ ନ ଦେଖି ଗୋପବାଳେ । ଢଳି ପଡ଼ିଲେ ମହୀତଳେ ॥ ୧୫୧
ଉଠିଣ କରନ୍ତି ରୋଦନ । ଚକିତେ ଚାହିଁ ଛନ୍ନଛନ୍ନ ॥ ୧୫୨
ବକାର ତାଳୁ ମୂଳେ ରହି । ତାହା ଜାଣିଲେ ଭାବଗ୍ରାହୀ ॥ ୧୫୩
ଦାସବତ୍ସଳ ନରହରି । ବେଗେ ଅନଳ ରୂପ ଧରି ॥ ୧୫୪
ପ୍ରଳୟ ଅଗ୍ନି ଜିଣି ତେଜ । ତା'ଳୁ ଦହିଲେ ଦେବରାଜ ॥ ୧୫୫
ତକ୍ଷଣେ ଘୋର ନାଦକରି । କୃଷ୍ଣଙ୍କୁ ପକାଇ ଉଦାରି ॥ ୧୫୬
ଧୀରେ ଛାହିଁଲା ବକାସୁର । ସୁନ୍ଦର ଦିଶିଲା ଶରୀର ॥ ୧୫୭
ଦେଖି ଶ୍ରୀକୃଷ୍ଣ କଳେବର । ପୁଣି ଧାଇଁଲା ରୋଷଭର ॥ ୧୫୮
କୃଷ୍ଣର ଦେହେ କ୍ଷତ ନାହିଁ । ଅସୁର ମନେ ବିଚାରଇ ॥ ୧୫୯
ପୁଣି ବିଚାରୁଅଛି ମନେ । ଏହାକୁ ମାରିବି କେସନେ ॥ ୧୬୦
ଏହାର ସୁକୁମାର ପିଣ୍ତ । ଥଣ୍ତେ କରିବି ଖଣ୍ତ ଖଣ୍ତ ॥ ୧୬୧
ବିସ୍ତାରି ବେନିପାଟି ତୋଳି । ବେଗେ ଧାଇଁଲା ମହାବଳୀ ॥ ୧୬୨
ଶୂନ୍ୟେ ଦେଖନ୍ତି ଦେବଗଣ । ଆଗ ହୋଇଲେ ନାରାୟଣ ॥ ୧୬୩
କରେ ଧଇଲେ ବେନିପାଟି । ଅସୁର ନ ପାରିଲା ଉଠି ॥ ୧୬୪
ବାଳକ ମେଳେଣ ଶ୍ରୀହରି । ଚିରିଲେ ବେନିଫାଳ କରି ॥ ୧୬୫
ଦେଖି ସାନନ୍ଦେ ବୃନ୍ଦାରକେ । କୁସୁମ ବରଷିଲେ ଥୋକେ ॥ ୧୬୬
ଦୁନ୍ଦୁଭି ବାଦ୍ୟନାଦ କରି । ରଙ୍ଗେ ନାଚନ୍ତି ଅପସରୀ ॥ ୧୬୭
ବାଳକେ ଦେଖିଣ ଚକିତ । ମାୟା ମୋହିଲେ ଗୋପୀନାଥ ॥ ୧୬୮
ତକ୍ଷଣେ ଆଲିଙ୍ଗନ କରି । ଗୋଠକୁ ଆଣିଲେ ବାଛୁରୀ ॥ ୧୬୯
ପୋଏ କହିଲେ ଯେଝାଘରେ । ପୁଣି ମିଳିଲେ ନନ୍ଦଦ୍ୱାରେ ॥ ୧୭୦
ବକର ତୁଣ୍ତୁ ଉବୁରିଲା । ଭାଗ୍ୟ ଗୋ ଯଶୋଦାର ଥିଲା ॥ ୧୭୧
ଶୁଣି ଚକିତ ଗୋପଗୋପୀ । କୃଷ୍ଣଙ୍କୁ ଚାହାନ୍ତି ନିରୋପି ॥ ୧୭୨
ବୋଲନ୍ତି ଧର୍ମ ତିନିଲୋକେ । ସତ୍ୟ ବେଭାର ଜନମୁଖେ ॥ ୧୭୩
ନିର୍ଦ୍ଦୋଷ ପ୍ରାଣୀ ହିଂସା କରି । ଆପଣେ ଯାଉଛନ୍ତି ମରି ॥ ୧୭୪
ଏ ପୋଏ ବାଳକ ସ୍ୱଭାବେ । ଏହାଙ୍କୁ ହିଂସନ୍ତି ଦାନବେ ॥ ୧୭୫
ତେଣୁ ହୁଅନ୍ତି ମୃତ୍ୟୁ ସଙ୍ଗ । ଅନଳେ ଯେସନେ ପତଙ୍ଗ ॥ ୧୭୬
ପଣ୍ତିତଜନଙ୍କର କଥା । କେବେ ହେଁ ନୁହଁଇ ଅନ୍ୟଥା ॥ ୧୭୭
ଯାହା କହିଲେ ଗାର୍ଗ୍ୟଋଷି । ରାମକୃଷ୍ଣଙ୍କୁ ପରଶଂସି ॥ ୧୭୮
ସେ କଥା ହୋଇଲା ପ୍ରମାଣ । ଏହାଙ୍କୁ ରଖୁ ନାରାୟଣ ॥ ୧୭୯
ଆପଦ ଦେଖି ନନ୍ଦରାୟେ । ଶାନ୍ତି କରାଇଲେ ଥୋକାଏ ॥ ୧୮୦
ଗୋପେ ଗୋବିନ୍ଦ ଅଙ୍ଗସଙ୍ଗେ । ତରିଲେ ଭବଜଳୁ ରଙ୍ଗେ ॥ ୧୮୧
ସେ ହରି ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୮୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଦ୍ୱାଦଶୋଽଧ୍ୟାୟଃ ।
* * *