ଦଶମ ସ୍କନ୍ଧ
ଏକାଦଶ ଅଧ୍ୟାୟ
ଶୁକ ବଚନ ଶୁଣି ରାୟେ । ପଡ଼ଇ ପୁନଃ ପୁନଃ ପାୟେ ॥ ୧
ମନ ଆନନ୍ଦେ ନୃପବର । ମୁନିଙ୍କି ବୋଲନ୍ତି ଉତ୍ତର ॥ ୨
ପରୀକ୍ଷିତ ଉବାଚ
ଭୋ ମୁନି କୁବେର କୁମରେ । ବୃକ୍ଷ ହୋଇଲେ ଗୋପପୁରେ ॥ ୩
କି ଦୋଷ କଲେ ନାରଦରେ । ଶାପ ପାଇଲେ କି ପାପରେ ॥ ୪
ଯାହାଙ୍କ ଦେହେ ନାହିଁ ରୋଷ । ବିଶେଷେ ଗୋବିନ୍ଦର ଦାସ ॥ ୫
ପିତାର ଦିଗପାଳ ପଦ । ଅର୍ଜିଲେ ଅନେକ ସମ୍ପଦ ॥ ୬
ଏଡ଼େ ଅନୀତି ଆଚରିଲେ । ନିର୍ଗୁଣ ମୁନିଙ୍କି ଚାଳିଲେ ॥ ୭
ତେଣୁ ହୋଇଲେ ବୃକ୍ଷ ଦୁଇ । ଗୋପ ନଗରେ ବେନିଭାଇ ॥ ୮
ସେକଥା କହ ମୁନିବର । ନିର୍ମଳ ହେଉ ମୋ ଶରୀର ॥ ୯
ମୁନି ବୋଲନ୍ତି ତାହା ଶୁଣି । କୃଷ୍ଣଚରିତ ମନେ ଗୁଣି ॥ ୧୦
ଶୁକ ଉବାଚ
ନଳକୂବର ମଣିଗ୍ରୀବ । ତପେ ତୋଷିଲେ ସଦାଶିବ ॥ ୧୧
ପ୍ରସନ୍ନ ହୋଇ ଉମାକାନ୍ତ । ବର ଯାଚିଲେ ବିଶ୍ୱନାଥ ॥ ୧୨
ଶୁଣି ସାନନ୍ଦ ବେନିଭାଇ । କହନ୍ତି ଶିରେ କର ଦେଇ ॥ ୧୩
ଆନ ସମ୍ପଦେ କାର୍ଯ୍ୟ ନାହିଁ । ଶୁଣିମା ତ୍ରୈଲୋକ୍ୟ ଗୋସାଇଁ ॥ ୧୪
ଶତେକ ଯକ୍ଷ-ଅପସରୀ । ଆମ୍ଭେ ରମିବୁ ବନେ ହେରି ॥ ୧୫
ଅସ୍ତୁ ବୋଇଲେ ଶୂଳପାଣି । ଦଇବ ମିଳାଇଲା ଆଣି ॥ ୧୬
କନ୍ୟା ସମେତେ ବେନିଭାଇ । ମିଳିଲେ ଗଙ୍ଗାତୀରେ ଯାଇ ॥ ୧୭
ବାରୁଣୀ ମଦ୍ୟ କଲେ ପାନ । ଭୋଳେ ହୋଇଲେ ହତଜ୍ଞାନ ॥ ୧୮
ଦଇବେ ନିଦାଘର କାଳ । ଡେଇଁ ପଶିଲେ ଗଙ୍ଗାଜଳ ॥ ୧୯
ବସ୍ତ୍ର ପାଲଟି ବୃକ୍ଷତଳେ । କନ୍ୟାଏ ପଶିଗଲେ ଜଳେ ॥ ୨୦
କରନ୍ତି ନାନା ରଙ୍ଗେ କେଳି । ହାସ-ପରିହାସ-ଢମାଳି ॥ ୨୧
ଏମନ୍ତ ସମୟେ ନାରଦ । ଯା'ନ୍ତେ କରନ୍ତି ବୀଣାବାଦ୍ୟ ॥ ୨୨
ଆଶ୍ରମ ନାମେ ବଦରିକା । ତହିଁକି ଯାଉଛନ୍ତି ଏକା ॥ ୨୩
ହରି ଭକତି ହୃଦେ ଧ୍ୟାୟୀ । ନାଚନ୍ତି ବୀଣାବାଦ୍ୟ ବାଇ ॥ ୨୪
କନ୍ୟାୟେ ନାରଦଙ୍କୁ ଦେଖି । ତକ୍ଷଣେ କ୍ରୀଡ଼ାନ୍ତ ଉପେକ୍ଷି ॥ ୨୫
ଜଳୁ ଉତୁରି ଯେଝାମତେ । ବସ୍ତ୍ର ସେ ପିନ୍ଧିଲେ ତୁରିତେ ॥ ୨୬
ଭୟେ କମ୍ପନ୍ତି ଥରହର । ନ ପୁଣ କୋପେ ମୁନିବର ॥ ୨୭
ଲୁଚିଲେ ବୃକ୍ଷଙ୍କର ପଛେ । ନାରଦ ଦେଖନ୍ତି ପ୍ରତ୍ୟେକ୍ଷ ॥ ୨୮
ଜଳେ କ୍ରୀଡ଼ନ୍ତି ବେନିଭାଇ । ଦେଖିଲେ କନ୍ୟାମାନ ନାହିଁ ॥ ୨୯
ଭୋଳେ ଚାହାନ୍ତି ଦଶଦିଗେ । ବସ୍ତ୍ର ହିଁ ନାହିଁ କଟୀଭାଗେ ॥ ୩୦
ମଦ୍ୟେ ଅରୁଣ ବେନିଆଖି । ମୁନିଙ୍କି ଚାହାନ୍ତି ନିରେଖି ॥ ୩୧
ଦେଖି ନାରଦ ମୁନିବର । ବୀଣା ଶବଦ କଲେ ସ୍ଥିର ॥ ୩୨
କୂଳେ ରହିଲେ ଆଡ଼ ହୋଇ । ଦୟାରେ ବିଚାରନ୍ତି ଚାହିଁ ॥ ୩୩
ଏ ବେନି କୁବେର ନନ୍ଦନ । ମଦେ ହୋଇଲେ ହତଜ୍ଞାନ ॥ ୩୪
ଦଇବ କଲା ୟାଙ୍କୁ ନାଶ । ତେଣୁ ହୋଇଲା ବୁଦ୍ଧିଭ୍ରଂଶ ॥ ୩୫
ସ୍ୱଭାବେ ରଜୋଗୁଣ ଛନ୍ଦେ । ଅଜ୍ଞାନ ହେଲେ ମୋହବନ୍ଧେ ॥ ୩୬
କେ ଏହା ପାରେ ଆନ କରି । ଯାବତ ଥାଇ ଦେହ ଧରି ॥ ୩୭
ବହୁତ ଥାଇ ଯା'ର ଧନ । ବନ୍ଧୁରେ ସେହି ଶ୍ରେଷ୍ଠ ଜନ ॥ ୩୮
ପର ରମଣୀ ଯେହୁ ହରେ । ଯେ ପ୍ରାଣୀ ମଦ୍ୟପାନ କରେ ॥ ୩୯
ଜୁଆ ଖେଳନ୍ତି ଭୋଳ ହୋଇ । ଚୋରି କରନ୍ତି ଲୋଭ ବହି ॥ ୪୦
ଐଶ୍ୱର୍ଯ୍ୟ ମଦର ଲକ୍ଷଣ । ତ୍ରିବିଧ ଅଟେ ଏହା ଜାଣ ॥ ୪୧
ବହୁ ସ୍ତ୍ରୀସଙ୍ଗ ସୁରାପାନ । ଦ୍ୟୁତ-କ୍ରୀଡ଼ାରେ ରସେ ମନ ॥ ୪୨
ଧିକ ଏ ଅଇଶ୍ୱର୍ଯ୍ୟ ଜାଣ । ପରରେ ଦିଅନ୍ତି କଷଣ ॥ ୪୩
ଏକ ଆରକେ ହିଂସା ବହି । ନରକେ ପଡୁଥା'ନ୍ତି ଯାଇ ॥ ୪୪
ନଶ୍ୱର-ଦେହକୁ ଅଜର । ଅମର ପରା କରି ସ୍ଥିର ॥ ୪୫
ଜୀବ ହିଂସନ୍ତି ଆନନ୍ଦରେ । ଶୋଚନା ନ ଥାଇ ମନରେ ॥ ୪୬
ମାଂସ ଭକ୍ଷଣେ ପଶୁ ମାରେ । ଯେ ଦୟା ଧର୍ମ ନ ବିଚାରେ ॥ ୪୭
ଦେହକୁ ବୋଲନ୍ତି ମୋହର । ପାପକୁ ନାହିଁ ଯା'ର ଡର ॥ ୪୮
ଅଜ୍ଞାନ ମୋହେ ହୋନ୍ତି ମତ୍ତ । ନରକେ ପଡ଼ନ୍ତି ତୁରିତ ॥ ୪୯
ଦେହରୁ ପ୍ରାଣ ଗଲେ ଛାଡ଼ି । ରହଇ ମୃତପିଣ୍ତ ପଡ଼ି ॥ ୫୦
ଭୂଦେବ ନରଦେବ ହେଲେ । ଅନ୍ତେ ଏ ନାଶ ଲଭେ ଲଭେ ॥ ୫୧
ଏ ଦେହୁ ଜୀବ ଯିବା କାଳେ । ପଶଇ ଭସ୍ମକୀଟ ମେଳେ ॥ ୫୨
ଏ ଦେହ ପାଇଁ ମାରେ ଜନ୍ତୁ । ଅଜ୍ଞାନ ନରକର ହେତୁ ॥ ୫୩
ଜ୍ଞାନ ହୁଅଇ ଏତେ ଭ୍ରମ । ଜନ୍ମ ମରଣେ ପଥଶ୍ରମ ॥ ୫୪
ଏ ଦେହ କହିବା କାହାର । ମାତାପିତା ବା ବନ୍ଧୁଙ୍କର ॥ ୫୫
କି ଅନ୍ନଦାତା କି ରାଜାର । କି ଅଗ୍ନି ଶ୍ୱାନ ଶୃଗାଳର ॥ ୫୬
କି ଅବା ନିଜର ଏ ଦେହ । କେ ଏହା କରିବ ନିର୍ଣ୍ଣୟ ॥ ୫୭
ଅଥବା ବଳ ଅଛି ଯା'ର । ତାହାର ଏଥେ ଅଧିକାର ॥ ୫୮
ଅବ୍ୟକ୍ତ ତହୁଁ ଜାତ ହୋଇ । ପୁଣି ସେ ତହିଁରେ ମିଶଇ ॥ ୫୯
ଏ ଦେହ ପାଇଁ ଜନ୍ତୁ ମାରେ । ମୂଢ଼ ନ ହେଲେ କେବା କରେ ॥ ୬୦
ସମ୍ପଦ ମଦେ ଯେହୁ ଅନ୍ଧ । ସମ୍ପଦ-ନାଶ ତା ଔଷଧ ॥ ୬୧
ଦରିଦ୍ର ପଣେ ଦୁଃଖ ପାଇ । ଆତ୍ମାକୁ ଜଗତେ ଦେଖଇ ॥ ୬୨
କଣ୍ଟା ନ ବହେ ଯା ଚରଣ । ସେ କି ଜାଣଇ ସେ କଷଣ ॥ ୬୩
ସୁଖୀ ନ ଜାଣେ ପର ବ୍ୟଥା । ଜୀବ ମାରଣେ ସାମରଥା ॥ ୬୪
ଯାହାର ଦେହେ କ୍ଷତ ହୋଇ । ସେ ଜାଣେ ସୁଖଦୁଃଖ ଦୁଇ ॥ ୬୫
ଦରିଦ୍ର ଜନ କ୍ଳେଶ ପାଇ । ଇନ୍ଦ୍ରିୟ ଭୋଗେ ନ ରସଇ ॥ ୬୬
କ୍ଷୁଧାରେ ଶୁଷ୍କ ଯା' ଶରୀର । ସେ କାହୁଁ ହିଂସିବ ଅପର ॥ ୬୭
ଏଣୁ ଦୁଃଖୀର ଦୁଃଖୀପଣ । ପରମ ତପସ୍ୟା ସମାନ ॥ ୬୮
ହରି ଭକତ ସାଧୁଜନ । ସଙ୍ଗ ଲଭଇ ଅକିଞ୍ଚନ ॥ ୬୯
ସମ ମଣଇ ଦୁଃଖସୁଖେ । ତାହାକୁ ନାରାୟଣ ରଖେ ॥ ୭୦
ଏତେ ବିଚାରି ମୁନିବର । ଚଞ୍ଚଳ ଚିତ୍ତକଲେ ସ୍ଥିର ॥ ୭୧
ବୋଲନ୍ତି ଦୟାଭାବ ଚିତ୍ତେ । ନାଶ ଏ ଯିବେ ଏହି ମତେ ॥ ୭୨
ଦଇବେ ଗର୍ବ ଏହାଙ୍କର । ଅଜ୍ଞାନ ସଂସାର ବେଭାର ॥ ୭୩
ମାଗିଲେ ଶତେକନ୍ୟା ରତି । ଏ ମୂଢ଼େ କିଛି ନ ଜାଣନ୍ତି ॥ ୭୪
ଭୋଳ ହୋଇଲେ ମଦ୍ୟ ଖାଇ । ଏବେ ତରିବେ ବେନିଭାଇ ॥ ୭୫
ଦେହକୁ ନ ଜାଣନ୍ତି ଭୋଳେ । ବୃକ୍ଷ ହୋଇବେ ଏକତୁଲେ ॥ ୭୬
କୋପେ ବୋଲନ୍ତି ମୁନିବର । ଶୁଣ ହେ କୁବେର କୁମର ॥ ୭୭
ଅର୍ଜୁନ ବୃକ୍ଷ ରୂପ ହୋଇ । କାଳ ବଞ୍ଚିବ ବେନିଭାଇ ॥ ୭୮
ମୋତେ ଯେ ନଚିହ୍ନିଲ ବ୍ରହ୍ମ । ତେଣୁ ହୋଇବ ଉଚ୍ଚଦ୍ରୁମ ॥ ୭୯
ଏତେ ବୋଲିଣ ମୁନି ଗଲେ । କନ୍ୟାଏ ତାହାଙ୍କୁ କହିଲେ ॥ ୮୦
ଶାପ ବିହିଲେ ମହାଋଷି । ବୋଇଲେ ସ୍ଥାବର ହୁଅସି ॥ ୮୧
ଶୁଣି କମ୍ପିଲେ ଭାଇ ବେନି । ଯାଇ ଭେଟିଲେ ବ୍ରହ୍ମମୁନି ॥ ୮୨
ପାଦେ ପଡ଼ିଣ ମାଗି ଗତି । ବୋଇଲେ ଶୁଣ ବ୍ରହ୍ମଯତି ॥ ୮୩
ଆମ୍ଭର ମତି-ଭୋଳପଣେ । ଗର୍ବ ବହିଲୁ ଅକାରଣେ ॥ ୮୪
ଅମୋଘ-ବଚନ ଏ ତୋର । ବିଅର୍ଥ ନୋହେ ମୁନିବର ॥ ୮୫
ଉତ୍ତମକୁଳେ ହୋଇ ଜନ୍ମ । କଲୁ ଯେ ପାପ ନୀତିମାନ ॥ ୮୬
ଏମନ୍ତେ କାନ୍ଦି ଉଚ୍ଚସ୍ୱରେ । ବୋଲନ୍ତି କୁବେର-କୁମରେ ॥ ୮୭
ବିକଳ ଦେଖି ବ୍ରହ୍ମଋଷି । ବୋଇଲେ ବଚନ ଆଶ୍ୱାସି ॥ ୮୮
ଆମ୍ଭ ବଚନ ମିଥ୍ୟା ନୋହି । ବୃକ୍ଷ ହୋଇବ ବେନିଭାଇ ॥ ୮୯
ନନ୍ଦ-ବରଜେ ଦେହଧରି । ବୃକ୍ଷ ହୋଇବ ମର୍ତ୍ତ୍ୟପୁରୀ ॥ ୯୦
ଅଷ୍ଟାବିଂଶତି ଦ୍ୱାପରେଣ । ଜନ୍ମ ଲଢ଼ିବେ ନାରାୟଣ ॥ ୯୧
ବିଷ୍ଣୁର ଦିବ୍ୟରୂପ ଚାହିଁ । ସ୍ୱର୍ଗେ ଆସିବ ବେନିଭାଇ ॥ ୯୨
ଯହୁଁ କରୁଣା ଶୂଳ ପାଣି । ଶତେକ କନ୍ୟା ଦେଲେ ଆଣି ॥ ୯୩
ତୁମ୍ଭର ଶାପ ମୋକ୍ଷ ଯାଏ । ଏମାନେ ଥିବେ ସେହିଠାଏ ॥ ୯୪
ଈଶ୍ୱର ବର ନୋହେ ଆନ । ଆସି ରମିବ କନ୍ୟାମାନ ॥ ୯୫
ଅର୍ଜୁନବୃକ୍ଷ ରୂପ ହୋଇ । ଗୋପେ ଜନମ ବେନିଭାଇ ॥ ୯୬
ଶତେ-ବରଷ ଦେବମତେ । କୃଷ୍ଣଙ୍କୁ ଭେଟ ଶାପଅନ୍ତେ ॥ ୯୭
ଭକତି ହେଉ କୃଷ୍ଣପାଦେ । ଶାପୁଁ ତରିବ ଅପ୍ରମାଦେ ॥ ୯୮
ମୁନିଶାପରେ ବେନିଭାଇ । ବୃକ୍ଷ ହୋଇଲେ ଗୋପେ ଯାଇ ॥ ୯୯
ଶୁଣ ପାଣ୍ତବ-ଚୂଡ଼ାମଣି । ରୋଳ ଟାଣିଲେ ଚକ୍ରପାଣି ॥ ୧୦୦
ବୃକ୍ଷରେ ଦେଇ ବେନିହସ୍ତ । ମନେ ଚିନ୍ତନ୍ତି ଗୋପୀନାଥ ॥ ୧୦୧
ନାରଦ-ବଚନ ମୋହର । ପାଳିବା ଉଚିତ ବେଭାର ॥ ୧୦୨
ଦାସବତ୍ସଳ ବ୍ରହ୍ମରାଶି । ବୃକ୍ଷଙ୍କ ମଧ୍ୟେ ଗଲେ ପଶି ॥ ୧୦୩
ରୋଳ ଲାଗନ୍ତେ ବେନିବୃକ୍ଷେ । ଗୋବିନ୍ଦ ଟାଣିଲେ ପ୍ରତ୍ୟେକ୍ଷେ ॥ ୧୦୪
ଉପୁଡ଼ି ଗଲା ବେନି ମୂଳ । ପଡ଼ି କମ୍ପିଲେ ପତ୍ର-ଡ଼ାଳ ॥ ୧୦୫
ଶବଦ ମେଘ-ଘଡ଼ଘଡ଼ି । ପଡ଼ିଲେ କୃଷ୍ଣ-ଦେହ ଛାଡ଼ି ॥ ୧୦୬
ଦେହ ଲାଗନ୍ତେ ଭାବଗ୍ରାହୀ । ବାହାର ହେଲେ ବେନିଭାଇ ॥ ୧୦୭
ଅନଳ ପ୍ରାୟେ ତେଜରାଶି । ଗଞ୍ଜନ୍ତି ଦିବାକର-ଶଶୀ ॥ ୧୦୮
କୃଷ୍ଣଙ୍କୁ ଦେଖି ବେନିଭାଇ । ଚରଣେ ଶିର ଦେଲେ ନେଇ ॥ ୧୦୯
ଚିତ୍ତ ନିବେଶି ପଦ୍ମପାଦେ । ବୋଲନ୍ତି ଶୋକ-ଗଦଗଦେ ॥ ୧୧୦
କୃଷ୍ଣ-ପରମାନନ୍ଦ ହରି । ପରମପୁରୁଷ-ମୁରାରି ॥ ୧୧୧
ଲୀଳାଏ କରି ବିଶ୍ୱମାୟା । ଭକ୍ତଜନରେ କରୁ ଦୟା ॥ ୧୧୨
ତୋହର ରୂପ ଗୁଣ ଯେତେ । ବିପ୍ରେ ଜାଣନ୍ତି ବେଦମତେ ॥ ୧୧୩
ପୃଥିବୀ ଆଦି ପଞ୍ଚଭୂତ । ମନ-ଇନ୍ଦ୍ରିୟ-ଆତ୍ମତତ୍ତ୍ୱ ॥ ୧୧୪
କାଳସ୍ୱଭାବେ ଜନ୍ମ-ମୃତ୍ୟୁ । ଜୀବ-ପରମ ଆତ୍ମା ହେତୁ ॥ ୧୧୫
ଭକତ ଜନ ନିସ୍ତାରଣେ । ଶରୀର ବହୁ ତୁ କାରଣେ ॥ ୧୧୬
ତୋ' ନାମ ପରମ ମଙ୍ଗଳ । ତ୍ରାହି କରିବା ଆଦିମୂଳ ॥ ୧୧୭
ଅଷ୍ଟାଙ୍ଗଯୋଗ ଧ୍ୟାନ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥ ୧୧୮
ନାରଦ ଭେଟିବାର ଫଳେ । ତୋତେ ଦେଖିଲୁ ଚର୍ମଡୋଳେ ॥ ୧୧୯
ଚକ୍ଷୁ-ଶ୍ରବଣ-ବୁଦ୍ଧି-ଶିର । ମନ-ବଚନ ବେନିକର ॥ ୧୨୦
ତୋହର ପାଦେ ନିତ୍ୟେ ଥାଉ । ତୋ' ନାମ ଧରି ଦିନ ଯାଉ ॥ ୧୨୧
ଅନେକ ଜନ୍ମେ ତପ କରି । ତୋତେ ଭେଟିଲୁ ନରହରି ॥ ୧୨୨
ତୋର ସେବକ ମିତ୍ରପଣେ । ଖଟିବୁ ତୋହର ଚରଣେ ॥ ୧୨୩
ଏମନ୍ତେ ବେନିକର ଯୋଡ଼ି । ଆଜ୍ଞା ମାଗିଲେ ପାୟେ ପଡ଼ି ॥ ୧୨୪
ହସି ବୋଲନ୍ତି ଭାବଗ୍ରାହୀ । ସାଧୁଙ୍କ ସଙ୍ଗ ଫଳ ଏହି ॥ ୧୨୫
ନାରଦ ଭେଟିବାର ଫଳୁ । ହେଳେ ତରିଲ ଭବଜଳୁ ॥ ୧୨୬
ମୋହର ପାଦେ ଯା'ର ମନ । ମୋ' ନାମ କରନ୍ତି କୀର୍ତ୍ତନ ॥ ୧୨୭
ପରେ କରନ୍ତି ଦୟାଚିତ୍ତ । ମାୟାରେ ନୁହନ୍ତି ମୋହିତ ॥ ୧୨୮
ଏହାଙ୍କ ଦରଶନ ପାଇ । ପାପ ତାହାଙ୍କୁ ନ ଲାଗଇ ॥ ୧୨୯
ଶୁଣ ହେ କୁବେର କୁମରେ । ନିଶ୍ଚିନ୍ତେ ଯାଅ ନିଜ ପୁରେ ॥ ୧୩୦
ଭକତି କରି ମୋର ପାଦେ । ମୋତେ ପାଇବ ଅପ୍ରମାଦେ ॥ ୧୩୧
କୃଷ୍ଣ-ବଚନ ଶିରେ ଧରି । ଉତ୍ତର ପଥେ ଗଲେ ଚଳି ॥ ୧୩୨
ଭକ୍ତ ବତ୍ସଳ ପୀତବାସ । କ୍ଷମା କରିବେ ମୋର ଦୋଷ ॥ ୧୩୩
ସେ ହରିଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୩୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଏକାଦଶୋଽଧ୍ୟାୟଃ ।
* * *