ଦଶମ ସ୍କନ୍ଧ

ଏକାଦଶ ଅଧ୍ୟାୟ

ଶୁକ ବଚନ ଶୁଣି ରାୟେ । ପଡ଼ଇ ପୁନଃ ପୁନଃ ପାୟେ ॥

ମନ ଆନନ୍ଦେ ନୃପବର । ମୁନିଙ୍କି ବୋଲନ୍ତି ଉତ୍ତର ॥

ପରୀକ୍ଷିତ ଉବାଚ

ଭୋ ମୁନି କୁବେର କୁମରେ । ବୃକ୍ଷ ହୋଇଲେ ଗୋପପୁରେ ॥

କି ଦୋଷ କଲେ ନାରଦରେ । ଶାପ ପାଇଲେ କି ପାପରେ ॥

ଯାହାଙ୍କ ଦେହେ ନାହିଁ ରୋଷ । ବିଶେଷେ ଗୋବିନ୍ଦର ଦାସ ॥

ପିତାର ଦିଗପାଳ ପଦ । ଅର୍ଜିଲେ ଅନେକ ସମ୍ପଦ ॥

ଏଡ଼େ ଅନୀତି ଆଚରିଲେ । ନିର୍ଗୁଣ ମୁନିଙ୍କି ଚାଳିଲେ ॥

ତେଣୁ ହୋଇଲେ ବୃକ୍ଷ ଦୁଇ । ଗୋପ ନଗରେ ବେନିଭାଇ ॥

ସେକଥା କହ ମୁନିବର । ନିର୍ମଳ ହେଉ ମୋ ଶରୀର ॥

ମୁନି ବୋଲନ୍ତି ତାହା ଶୁଣି । କୃଷ୍ଣଚରିତ ମନେ ଗୁଣି ॥ ୧୦

ଶୁକ ଉବାଚ

ନଳକୂବର ମଣିଗ୍ରୀବ । ତପେ ତୋଷିଲେ ସଦାଶିବ ॥ ୧୧

ପ୍ରସନ୍ନ ହୋଇ ଉମାକାନ୍ତ । ବର ଯାଚିଲେ ବିଶ୍ୱନାଥ ॥ ୧୨

ଶୁଣି ସାନନ୍ଦ ବେନିଭାଇ । କହନ୍ତି ଶିରେ କର ଦେଇ ॥ ୧୩

ଆନ ସମ୍ପଦେ କାର୍ଯ୍ୟ ନାହିଁ । ଶୁଣିମା ତ୍ରୈଲୋକ୍ୟ ଗୋସାଇଁ ॥ ୧୪

ଶତେକ ଯକ୍ଷ-ଅପସରୀ । ଆମ୍ଭେ ରମିବୁ ବନେ ହେରି ॥ ୧୫

ଅସ୍ତୁ ବୋଇଲେ ଶୂଳପାଣି । ଦଇବ ମିଳାଇଲା ଆଣି ॥ ୧୬

କନ୍ୟା ସମେତେ ବେନିଭାଇ । ମିଳିଲେ ଗଙ୍ଗାତୀରେ ଯାଇ ॥ ୧୭

ବାରୁଣୀ ମଦ୍ୟ କଲେ ପାନ । ଭୋଳେ ହୋଇଲେ ହତଜ୍ଞାନ ॥ ୧୮

ଦଇବେ ନିଦାଘର କାଳ । ଡେଇଁ ପଶିଲେ ଗଙ୍ଗାଜଳ ॥ ୧୯

ବସ୍ତ୍ର ପାଲଟି ବୃକ୍ଷତଳେ । କନ୍ୟାଏ ପଶିଗଲେ ଜଳେ ॥ ୨୦

କରନ୍ତି ନାନା ରଙ୍ଗେ କେଳି । ହାସ-ପରିହାସ-ଢମାଳି ॥ ୨୧

ଏମନ୍ତ ସମୟେ ନାରଦ । ଯା'ନ୍ତେ କରନ୍ତି ବୀଣାବାଦ୍ୟ ॥ ୨୨

ଆଶ୍ରମ ନାମେ ବଦରିକା । ତହିଁକି ଯାଉଛନ୍ତି ଏକା ॥ ୨୩

ହରି ଭକତି ହୃଦେ ଧ୍ୟାୟୀ । ନାଚନ୍ତି ବୀଣାବାଦ୍ୟ ବାଇ ॥ ୨୪

କନ୍ୟାୟେ ନାରଦଙ୍କୁ ଦେଖି । ତକ୍ଷଣେ କ୍ରୀଡ଼ାନ୍ତ ଉପେକ୍ଷି ॥ ୨୫

ଜଳୁ ଉତୁରି ଯେଝାମତେ । ବସ୍ତ୍ର ସେ ପିନ୍ଧିଲେ ତୁରିତେ ॥ ୨୬

ଭୟେ କମ୍ପନ୍ତି ଥରହର । ନ ପୁଣ କୋପେ ମୁନିବର ॥ ୨୭

ଲୁଚିଲେ ବୃକ୍ଷଙ୍କର ପଛେ । ନାରଦ ଦେଖନ୍ତି ପ୍ରତ୍ୟେକ୍ଷ ॥ ୨୮

ଜଳେ କ୍ରୀଡ଼ନ୍ତି ବେନିଭାଇ । ଦେଖିଲେ କନ୍ୟାମାନ ନାହିଁ ॥ ୨୯

ଭୋଳେ ଚାହାନ୍ତି ଦଶଦିଗେ । ବସ୍ତ୍ର ହିଁ ନାହିଁ କଟୀଭାଗେ ॥ ୩୦

ମଦ୍ୟେ ଅରୁଣ ବେନିଆଖି । ମୁନିଙ୍କି ଚାହାନ୍ତି ନିରେଖି ॥ ୩୧

ଦେଖି ନାରଦ ମୁନିବର । ବୀଣା ଶବଦ କଲେ ସ୍ଥିର ॥ ୩୨

କୂଳେ ରହିଲେ ଆଡ଼ ହୋଇ । ଦୟାରେ ବିଚାରନ୍ତି ଚାହିଁ ॥ ୩୩

ଏ ବେନି କୁବେର ନନ୍ଦନ । ମଦେ ହୋଇଲେ ହତଜ୍ଞାନ ॥ ୩୪

ଦଇବ କଲା ୟାଙ୍କୁ ନାଶ । ତେଣୁ ହୋଇଲା ବୁଦ୍ଧିଭ୍ରଂଶ ॥ ୩୫

ସ୍ୱଭାବେ ରଜୋଗୁଣ ଛନ୍ଦେ । ଅଜ୍ଞାନ ହେଲେ ମୋହବନ୍ଧେ ॥ ୩୬

କେ ଏହା ପାରେ ଆନ କରି । ଯାବତ ଥାଇ ଦେହ ଧରି ॥ ୩୭

ବହୁତ ଥାଇ ଯା'ର ଧନ । ବନ୍ଧୁରେ ସେହି ଶ୍ରେଷ୍ଠ ଜନ ॥ ୩୮

ପର ରମଣୀ ଯେହୁ ହରେ । ଯେ ପ୍ରାଣୀ ମଦ୍ୟପାନ କରେ ॥ ୩୯

ଜୁଆ ଖେଳନ୍ତି ଭୋଳ ହୋଇ । ଚୋରି କରନ୍ତି ଲୋଭ ବହି ॥ ୪୦

ଐଶ୍ୱର୍ଯ୍ୟ ମଦର ଲକ୍ଷଣ । ତ୍ରିବିଧ ଅଟେ ଏହା ଜାଣ ॥ ୪୧

ବହୁ ସ୍ତ୍ରୀସଙ୍ଗ ସୁରାପାନ । ଦ୍ୟୁତ-କ୍ରୀଡ଼ାରେ ରସେ ମନ ॥ ୪୨

ଧିକ ଏ ଅଇଶ୍ୱର୍ଯ୍ୟ ଜାଣ । ପରରେ ଦିଅନ୍ତି କଷଣ ॥ ୪୩

ଏକ ଆରକେ ହିଂସା ବହି । ନରକେ ପଡୁଥା'ନ୍ତି ଯାଇ ॥ ୪୪

ନଶ୍ୱର-ଦେହକୁ ଅଜର । ଅମର ପରା କରି ସ୍ଥିର ॥ ୪୫

ଜୀବ ହିଂସନ୍ତି ଆନନ୍ଦରେ । ଶୋଚନା ନ ଥାଇ ମନରେ ॥ ୪୬

ମାଂସ ଭକ୍ଷଣେ ପଶୁ ମାରେ । ଯେ ଦୟା ଧର୍ମ ନ ବିଚାରେ ॥ ୪୭

ଦେହକୁ ବୋଲନ୍ତି ମୋହର । ପାପକୁ ନାହିଁ ଯା'ର ଡର ॥ ୪୮

ଅଜ୍ଞାନ ମୋହେ ହୋନ୍ତି ମତ୍ତ । ନରକେ ପଡ଼ନ୍ତି ତୁରିତ ॥ ୪୯

ଦେହରୁ ପ୍ରାଣ ଗଲେ ଛାଡ଼ି । ରହଇ ମୃତପିŠଣ୍ତ ପଡ଼ି ॥ ୫୦

ଭୂଦେବ ନରଦେବ ହେଲେ । ଅନ୍ତେ ଏ ନାଶ ଲଭେ ଲଭେ ॥ ୫୧

ଏ ଦେହୁ ଜୀବ ଯିବା କାଳେ । ପଶଇ ଭସ୍ମକୀଟ ମେଳେ ॥ ୫୨

ଏ ଦେହ ପାଇଁ ମାରେ ଜନ୍ତୁ । ଅଜ୍ଞାନ ନରକର ହେତୁ ॥ ୫୩

ଜ୍ଞାନ ହୁଅଇ ଏତେ ଭ୍ରମ । ଜନ୍ମ ମରଣେ ପଥଶ୍ରମ ॥ ୫୪

ଏ ଦେହ କହିବା କାହାର । ମାତାପିତା ବା ବନ୍ଧୁଙ୍କର ॥ ୫୫

କି ଅନ୍ନଦାତା କି ରାଜାର । କି ଅଗ୍ନି ଶ୍ୱାନ ଶୃଗାଳର ॥ ୫୬

କି ଅବା ନିଜର ଏ ଦେହ । କେ ଏହା କରିବ ନି‰ର୍ଣ୍ଣୟ ॥ ୫୭

ଅଥବା ବଳ ଅଛି ଯା'ର । ତାହାର ଏଥେ ଅଧିକାର ॥ ୫୮

ଅବ୍ୟକ୍ତ ତହୁଁ ଜାତ ହୋଇ । ପୁଣି ସେ ତହିଁରେ ମିଶଇ ॥ ୫୯

ଏ ଦେହ ପାଇଁ ଜନ୍ତୁ ମାରେ । ମୂଢ଼ ନ ହେଲେ କେବା କରେ ॥ ୬୦

ସମ୍ପଦ ମଦେ ଯେହୁ ଅନ୍ଧ । ସମ୍ପଦ-ନାଶ ତା ଔଷଧ ॥ ୬୧

ଦରିଦ୍ର ପଣେ ଦୁଃଖ ପାଇ । ଆତ୍ମାକୁ ଜଗତେ ଦେଖଇ ॥ ୬୨

କଣ୍ଟା ନ ବହେ ଯା ଚରଣ । ସେ କି ଜାଣଇ ସେ କଷଣ ॥ ୬୩

ସୁଖୀ ନ ଜାଣେ ପର ବ୍ୟଥା । ଜୀବ ମାରଣେ ସାମରଥା ॥ ୬୪

ଯାହାର ଦେହେ କ୍ଷତ ହୋଇ । ସେ ଜାଣେ ସୁଖଦୁଃଖ ଦୁଇ ॥ ୬୫

ଦରିଦ୍ର ଜନ କ୍ଳେଶ ପାଇ । ଇନ୍ଦ୍ରିୟ ଭୋଗେ ନ ରସଇ ॥ ୬୬

କ୍ଷୁଧାରେ ଶୁଷ୍କ ଯା' ଶରୀର । ସେ କାହୁଁ ହିଂସିବ ଅପର ॥ ୬୭

ଏଣୁ ଦୁଃଖୀର ଦୁଃଖୀପଣ । ପରମ ତପସ୍ୟା ସମାନ ॥ ୬୮

ହରି ଭକତ ସାଧୁଜନ । ସଙ୍ଗ ଲଭଇ ଅକିଞ୍ଚନ ॥ ୬୯

ସମ ମଣଇ ଦୁଃଖସୁଖେ । ତାହାକୁ ନାରାୟଣ ରଖେ ॥ ୭୦

ଏତେ ବିଚାରି ମୁନିବର । ଚଞ୍ଚଳ ଚିତ୍ତକଲେ ସ୍ଥିର ॥ ୭୧

ବୋଲନ୍ତି ଦୟାଭାବ ଚିତ୍ତେ । ନାଶ ଏ ଯିବେ ଏହି ମତେ ॥ ୭୨

ଦଇବେ ଗର୍ବ ଏହାଙ୍କର । ଅଜ୍ଞାନ ସଂସାର ବେଭାର ॥ ୭୩

ମାଗିଲେ ଶତେକନ୍ୟା ରତି । ଏ ମୂଢ଼େ କିଛି ନ ଜାଣନ୍ତି ॥ ୭୪

ଭୋଳ ହୋଇଲେ ମଦ୍ୟ ଖାଇ । ଏବେ ତରିବେ ବେନିଭାଇ ॥ ୭୫

ଦେହକୁ ନ ଜାଣନ୍ତି ଭୋଳେ । ବୃକ୍ଷ ହୋଇବେ ଏକତୁଲେ ॥ ୭୬

କୋପେ ବୋଲନ୍ତି ମୁନିବର । ଶୁଣ ହେ କୁବେର କୁମର ॥ ୭୭

ଅର୍ଜୁନ ବୃକ୍ଷ ରୂପ ହୋଇ । କାଳ ବଞ୍ଚିବ ବେନିଭାଇ ॥ ୭୮

ମୋତେ ଯେ ନଚିହ୍ନିଲ ବ୍ରହ୍ମ । ତେଣୁ ହୋଇବ ଉଚ୍ଚଦ୍ରୁମ ॥ ୭୯

ଏତେ ବୋଲିଣ ମୁନି ଗଲେ । କନ୍ୟାଏ ତାହାଙ୍କୁ କହିଲେ ॥ ୮୦

ଶାପ ବିହିଲେ ମହାଋଷି । ବୋଇଲେ ସ୍ଥାବର ହୁଅସି ॥ ୮୧

ଶୁଣି କମ୍ପିଲେ ଭାଇ ବେନି । ଯାଇ ଭେଟିଲେ ବ୍ରହ୍ମମୁନି ॥ ୮୨

ପାଦେ ପଡ଼ିଣ ମାଗି ଗତି । ବୋଇଲେ ଶୁଣ ବ୍ରହ୍ମଯତି ॥ ୮୩

ଆମ୍ଭର ମତି-ଭୋଳପଣେ । ଗର୍ବ ବହିଲୁ ଅକାରଣେ ॥ ୮୪

ଅମୋଘ-ବଚନ ଏ ତୋର । ବିଅର୍ଥ ନୋହେ ମୁନିବର ॥ ୮୫

ଉତ୍ତମକୁଳେ ହୋଇ ଜନ୍ମ । କଲୁ ଯେ ପାପ ନୀତିମାନ ॥ ୮୬

ଏମନ୍ତେ କାନ୍ଦି ଉଚ୍ଚସ୍ୱରେ । ବୋଲନ୍ତି କୁବେର-କୁମରେ ॥ ୮୭

ବିକଳ ଦେଖି ବ୍ରହ୍ମଋଷି । ବୋଇଲେ ବଚନ ଆଶ୍ୱାସି ॥ ୮୮

ଆମ୍ଭ ବଚନ ମିଥ୍ୟା ନୋହି । ବୃକ୍ଷ ହୋଇବ ବେନିଭାଇ ॥ ୮୯

ନନ୍ଦ-ବରଜେ ଦେହଧରି । ବୃକ୍ଷ ହୋଇବ ମର୍ତ୍ତ୍ୟପୁରୀ ॥ ୯୦

ଅଷ୍ଟାବିଂଶତି ଦ୍ୱାପରେଣ । ଜନ୍ମ ଲଢ଼ିବେ ନାରାୟଣ ॥ ୯୧

ବିଷ୍ଣୁର ଦିବ୍ୟରୂପ ଚାହିଁ । ସ୍ୱର୍ଗେ ଆସିବ ବେନିଭାଇ ॥ ୯୨

ଯହୁଁ କରୁଣା ଶୂଳ ପାଣି । ଶତେକ କନ୍ୟା ଦେଲେ ଆଣି ॥ ୯୩

ତୁମ୍ଭର ଶାପ ମୋକ୍ଷ ଯାଏ । ଏମାନେ ଥିବେ ସେହିଠାଏ ॥ ୯୪

ଈଶ୍ୱର ବର ନୋହେ ଆନ । ଆସି ରମିବ କନ୍ୟାମାନ ॥ ୯୫

ଅର୍ଜୁନବୃକ୍ଷ ରୂପ ହୋଇ । ଗୋପେ ଜନମ ବେନିଭାଇ ॥ ୯୬

ଶତେ-ବରଷ ଦେବମତେ । କୃଷ୍ଣଙ୍କୁ ଭେଟ ଶାପଅନ୍ତେ ॥ ୯୭

ଭକତି ହେଉ କୃଷ୍ଣପାଦେ । ଶାପୁଁ ତରିବ ଅପ୍ରମାଦେ ॥ ୯୮

ମୁନିଶାପରେ ବେନିଭାଇ । ବୃକ୍ଷ ହୋଇଲେ ଗୋପେ ଯାଇ ॥ ୯୯

ଶୁଣ ପାŠଣ୍ତବ-ଚୂଡ଼ାମଣି । ରୋଳ ଟାଣିଲେ ଚକ୍ରପାଣି ॥ ୧୦୦

ବୃକ୍ଷରେ ଦେଇ ବେନିହସ୍ତ । ମନେ ଚିନ୍ତନ୍ତି ଗୋପୀନାଥ ॥ ୧୦୧

ନାରଦ-ବଚନ ମୋହର । ପାଳିବା ଉଚିତ ବେଭାର ॥ ୧୦୨

ଦାସବତ୍ସ›ଳ ବ୍ରହ୍ମରାଶି । ବୃକ୍ଷଙ୍କ ମଧ୍ୟେ ଗଲେ ପଶି ॥ ୧୦୩

ରୋଳ ଲାଗନ୍ତେ ବେନିବୃକ୍ଷେ । ଗୋବିନ୍ଦ ଟାଣିଲେ ପ୍ରତ୍ୟେକ୍ଷେ ॥ ୧୦୪

ଉପୁଡ଼ି ଗଲା ବେନି ମୂଳ । ପଡ଼ି କମ୍ପିଲେ ପତ୍ର-ଡ଼ାଳ ॥ ୧୦୫

ଶବଦ ମେଘ-ଘଡ଼ଘଡ଼ି । ପଡ଼ିଲେ କୃଷ୍ଣ-ଦେହ ଛାଡ଼ି ॥ ୧୦୬

ଦେହ ଲାଗନ୍ତେ ଭାବଗ୍ରାହୀ । ବାହାର ହେଲେ ବେନିଭାଇ ॥ ୧୦୭

ଅନଳ ପ୍ରାୟେ ତେଜରାଶି । ଗଞ୍ଜନ୍ତି ଦିବାକର-ଶଶୀ ॥ ୧୦୮

କୃଷ୍ଣଙ୍କୁ ଦେଖି ବେନିଭାଇ । ଚରଣେ ଶିର ଦେଲେ ନେଇ ॥ ୧୦୯

ଚିତ୍ତ ନିବେଶି ପଦ୍ମପାଦେ । ବୋଲନ୍ତି ଶୋକ-ଗଦଗଦେ ॥ ୧୧୦

କୃଷ୍ଣ-ପରମାନନ୍ଦ ହରି । ପରମପୁରୁଷ-ମୁରାରି ॥ ୧୧୧

ଲୀଳାଏ କରି ବିଶ୍ୱମାୟା । ଭକ୍ତଜନରେ କରୁ ଦୟା ॥ ୧୧୨

ତୋହର ରୂପ ଗୁଣ ଯେତେ । ବିପ୍ରେ ଜାଣନ୍ତି ବେଦମତେ ॥ ୧୧୩

ପୃଥିବୀ ଆଦି ପଞ୍ଚଭୂତ । ମନ-ଇନ୍ଦ୍ରିୟ-ଆତ୍ମତତ୍ତ୍ୱ ॥ ୧୧୪

କାଳସ୍ୱଭାବେ ଜନ୍ମ-ମୃତ୍ୟୁ । ଜୀବ-ପରମ ଆତ୍ମା ହେତୁ ॥ ୧୧୫

ଭକତ ଜନ ନିସ୍ତାରଣେ । ଶରୀର ବହୁ ତୁ କାରଣେ ॥ ୧୧୬

ତୋ' ନାମ ପରମ ମଙ୍ଗଳ । ତ୍ରାହି କରିବା ଆଦିମୂଳ ॥ ୧୧୭

ଅଷ୍ଟାଙ୍ଗଯୋଗ ଧ୍ୟାନ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥ ୧୧୮

ନାରଦ ଭେଟିବାର ଫଳେ । ତୋତେ ଦେଖିଲୁ ଚର୍ମଡୋଳେ ॥ ୧୧୯

ଚକ୍ଷୁ-ଶ୍ରବଣ-ବୁଦ୍ଧି-ଶିର । ମନ-ବଚନ ବେନିକର ॥ ୧୨୦

ତୋହର ପାଦେ ନିତ୍ୟେ ଥାଉ । ତୋ' ନାମ ଧରି ଦିନ ଯାଉ ॥ ୧୨୧

ଅନେକ ଜନ୍ମେ ତପ କରି । ତୋତେ ଭେଟିଲୁ ନରହରି ॥ ୧୨୨

ତୋର ସେବକ ମିତ୍ରପଣେ । ଖଟିବୁ ତୋହର ଚରଣେ ॥ ୧୨୩

ଏମନ୍ତେ ବେନିକର ଯୋଡ଼ି । ଆଜ୍ଞା ମାଗିଲେ ପାୟେ ପଡ଼ି ॥ ୧୨୪

ହସି ବୋଲନ୍ତି ଭାବଗ୍ରାହୀ । ସାଧୁଙ୍କ ସଙ୍ଗ ଫଳ ଏହି ॥ ୧୨୫

ନାରଦ ଭେଟିବାର ଫଳୁ । ହେଳେ ତରିଲ ଭବଜଳୁ ॥ ୧୨୬

ମୋହର ପାଦେ ଯା'ର ମନ । ମୋ' ନାମ କରନ୍ତି କୀର୍ତ୍ତନ ॥ ୧୨୭

ପରେ କରନ୍ତି ଦୟାଚିତ୍ତ । ମାୟାରେ ନୁହନ୍ତି ମୋହିତ ॥ ୧୨୮

ଏହାଙ୍କ ଦରଶନ ପାଇ । ପାପ ତାହାଙ୍କୁ ନ ଲାଗଇ ॥ ୧୨୯

ଶୁଣ ହେ କୁବେର କୁମରେ । ନିଶ୍ଚିନ୍ତେ ଯାଅ ନିଜ ପୁରେ ॥ ୧୩୦

ଭକତି କରି ମୋର ପାଦେ । ମୋତେ ପାଇବ ଅପ୍ରମାଦେ ॥ ୧୩୧

କୃଷ୍ଣ-ବଚନ ଶିରେ ଧରି । ଉତ୍ତର ପଥେ ଗଲେ ଚଳି ॥ ୧୩୨

ଭକ୍ତ ବତ୍ସ›ଳ ପୀତବାସ । କ୍ଷମା କରିବେ ମୋର ଦୋଷ ॥ ୧୩୩

ସେ ହରିଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୩୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଏକାଦଶୋଽଧ୍ୟାୟଃ ।

* * *