ଦଶମ ସ୍କନ୍ଧ
ଦଶମ ଅଧ୍ୟାୟ
ଶୁକ ଉବାଚ
ନମଇଁ ପ୍ରଭୁ ବନମାଳୀ । ସୁଖସାଗର ବାଳକେଳି ॥ ୧
ଦିନେକ ଦେବୀ ଯଶୋବନ୍ତୀ । ସେବକୀମାନ ହକାରନ୍ତି ॥ ୨
ଆଜ୍ଞା ପ୍ରମାଣେ ଦାସୀଗଣେ । ଆସି ମିଳିଲେ ଜଣେ ଜଣେ ॥ ୩
ଯଶୋଦା ବୋଲନ୍ତି ଉତ୍ତର । ଘର ବେଭାର ତୁମ୍ଭେ କର ॥ ୪
ଦଧିମନ୍ଥିବି ଆଜ ମୁହିଁ । ଲବଣି କେତେ ଜାଣିବଇଁ ॥ ୫
ମନେ ଜାଣିଲେ ଭାବଗ୍ରାହୀ । ଭକ୍ତଜନଙ୍କ ସତ୍ୟ ପାଇଁ ॥ ୬
ଗୋପୀ ଯେ କହିଥିଲେ ଗତେ । ମୋହର କଥାମାନ ଯେତେ ॥ ୭
ସେକଥା କରିବଇଁ ସତ୍ୟେ । ଯଶୋଦା ଯିବନା ପରତେ ॥ ୮
ମାୟା ମୋହିଲେ ନରହରି । ଦାସଜନଙ୍କ ସତ୍ୟେ କରି ॥ ୯
ଏମନ୍ତ ବୋଲି ଆଜ୍ଞାଦେଲେ । ମନ୍ଥନ ଦଣ୍ତ ଅଣାଇଲେ ॥ ୧୦
ମନ ଆନନ୍ଦେ ନନ୍ଦନାରୀ । ଦଧିଭାଣ୍ତରେ ଖୁଆଭରି ॥ ୧୧
ଯଶୋଦା ହୋଇଲାକ ସଜ । ଯାହାର ସୁତ ଦେବରାଜ ॥ ୧୨
ପିନ୍ଧି ସୁରଙ୍ଗ ପାଟଶାଢ଼ି । ରତ୍ନମେଖଳା ଅଛି ଭିଡ଼ି ॥ ୧୩
ପୃଥୁଳ ନିତମ୍ବ ଯୁଗଳ । ସୁବର୍ଣ୍ଣ ଚୁଡ଼ି ବେନିକର ॥ ୧୪
ବେନିସ୍ତନରୁ କ୍ଷୀର ଝରେ । ନୂପୁର ବାଜଇ ପୟରେ ॥ ୧୫
ହୃଦରେ ହାର କର୍ଣ୍ଣେ କାପ । ଶିରେ ସୀମନ୍ତ ଦିବ୍ୟରୂପ ॥ ୧୬
ଖୁଆ ଦଉଡ଼ି ଧରି କରେ । ବାମ ଦକ୍ଷିଣେ ଚାଲେ ଧୀରେ ॥ ୧୭
ଦଉଡ଼ି ଟାଣିବାର ଡ଼ରେ । ବସ୍ତ୍ର ନରହେ ଦେବୀ ଶିରେ ॥ ୧୮
କବରୀ ଫିଟି ଲୋଟେ ତଳେ । ପୁଷ୍ପ ପଡ଼ନ୍ତି ମାଳେ ମାଳେ ॥ ୧୯
ହୃଦେ କମ୍ପନ୍ତି ପୟୋଧର । କଙ୍କଣ ନାଦ ବେନିକର ॥ ୨୦
ମୁଖେ ଶୋଭିତ ଶ୍ରମଝାଳ । ରଙ୍ଗ ଅଧରେ ସୁକପୋଳ ॥ ୨୧
ଦଧି ମନ୍ଥଇ ମନତୋଷେ । କୃଷ୍ଣ ମିଳିଲେ ତା'ର ପାଶେ ॥ ୨୨
ସ୍ତନ୍ୟ ପିଇବା ଆଶେ ହରି । ଜନନୀ ବସ୍ତ୍ର କରେ ଧରି ॥ ୨୩
ଦେଖି ଯଶୋଦା କୋପଭର । କୃଷ୍ଣଙ୍କୁ ବୋଲନ୍ତି ଉତ୍ତର ॥ ୨୪
ଯାଅ ନଧର ଏତେବେଳେ । ପଛେ ଘେନିବି ତୋତେକୋଳେ ॥ ୨୫
ଶୁଣି କାନ୍ଦନ୍ତି ବନମାଳୀ । ଦେଖି ଯଶୋଦା ଦେଇ ଗାଳି ॥ ୨୬
କୃଷ୍ଣଙ୍କୁ କରାଇଲେ ତୁନି । ସୁସ୍ୱରେ କରି ଗୀତଧ୍ୱନି ॥ ୨୭
ବାଳୁତ କାଳୁ ଯେତେ ଜାଣି । ସୁମରି ଗାଏ ନନ୍ଦରାଣୀ ॥ ୨୮
କୋଇଲି ଛନ୍ଦେ ଗାଇ ଗୀତ । ଶୁଣି କାନ୍ଦନ୍ତି ଗୋପୀନାଥ ॥ ୨୯
ହସ୍ତ ବଢ଼ାଇ ଗୋପୀନାଥେ । ଖୁଆ ଧଇଲେ ବାମହସ୍ତେ ॥ ୩୦
ଯଶୋଦା ନପାରିଲା ଚାଳି । କୋଳେ ଧଇଲା ବନମାଳୀ ॥ ୩୧
ସ୍ତନ୍ୟ ପିଆଇ ତୋଷମନ । ଶ୍ରୀମୁଖେ ଦେଲାକ ଚୁମ୍ବନ ॥ ୩୨
ଶୁଣ ପରୀକ୍ଷ ଏକଚିତ୍ତ । ଏମନ୍ତ ହୋଇ ବିପରୀତ ॥ ୩୩
ଚୁଲିରେ ବସିଥିଲା କ୍ଷୀର । ଚାହିଁଲେ ପ୍ରଭୁ ଚକ୍ରଧର ॥ ୩୪
ତକ୍ଷଣେ ପଡ଼ିଲା ଉତୁରି । ଦେଖିଲା ଯଶୋଦା ସୁନ୍ଦରୀ ॥ ୩୫
କୃଷ୍ଣଙ୍କୁ ପକାଇଲା ତଳେ । ଅଜ୍ଞାନ-ମୋହ-ମାୟା-ଭୋଳେ ॥ ୩୬
ଧାମଇଁ କରେ ଜଳ ଘେନି । ପଡ଼ି କାନ୍ଦନ୍ତି ଅନ୍ତର୍ଯ୍ୟାମି ॥ ୩୭
କୋପ ବସିଲା କୃଷ୍ଣଙ୍କର । ଦନ୍ତେ କାମୋଡ଼ିଲେ ଅଧର ॥ ୩୮
ଉଠିଲେ ଭବସୁଖଦାତା । ଘରୁ ଆଣିଲେ ଶିଳପୁତା ॥ ୩୯
ପିଟିଲେ ଦଧିଭାଣ୍ତେ ନେଇ । ଭାଜି ଗୋରସ ଗଲା ବହି ॥ ୪୦
ତା' ଦେଖି ଗୋବିନ୍ଦ କାତରେ । ଲୁଚିଲେ ଗମ୍ଭୀରି ଭିତରେ ॥ ୪୧
ଘରେ ଲବଣି ଥିଲା ଯେତେ । ସବୁ ଖାଇଲେ ବେନିହସ୍ତେ ॥ ୪୨
କ୍ଷୀର ଉତାରି ଗୋପବାଳୀ । ପୁଣି ମନ୍ଥନ ସ୍ଥାନେ ମିଳି ॥ ୪୩
ଦେଖ ଚକିତ ଗାଲେ ହସ୍ତ । ଏଡ଼େ କରମ କଲା ସୁତ ॥ ୪୪
ବାଳୁତ କାଳୁ ଏଡ଼େ କୋପୀ । ସତ କହନ୍ତି ମୋତେ ଗୋପୀ ॥ ୪୫
ତାହାଙ୍କୁ ନିନ୍ଦିଲି ମୁଁ କୋପେ । ଏବେ ତ ଦେଖିଲି ସ୍ୱରୂପେ ॥ ୪୬
ଆଜ କରିବି ପ୍ରତିଫଳ । ଗୋପୀଏ ଛାଡ଼ନ୍ତି ଚହଳ ॥ ୪୭
ବଢ଼ିଲା କହୁଁ କହୁଁ କୋପ । ଯଷ୍ଟି ପ୍ରହାରେ ଯେହ୍ନେ ସର୍ପ ॥ ୪୮
ଛାଟ ଲୁଚାଇ ପଛଭାଗେ । ମିଳିଲା ଗମ୍ଭୀରିର ଲାଗେ ॥ ୪୯
ଦ୍ୱାରେ ଚାହିଁଲେ ଦେବୀ ଧୀର । ଦେଖିଲେ ପ୍ରଭୁ ଦାମୋଦର ॥ ୫୦
ରୋଳ ଉପରେ ଗୋପୀନାଥ । ଶିକା ଧରିଣ ବାମହସ୍ତ ॥ ୫୧
ଶିକାରେ ଥିଲା ଯେ ଲବଣି । କୃଷ୍ଣ ତା' ବେନିକରେ ଆଣି ॥ ୫୨
ମାର୍ଜାରୀ ପାଞ୍ଚ ସାତ ମେଳେ । ଲବଣି ଖାନ୍ତି କୁତୂହଳେ ॥ ୫୩
ଦ୍ୱାରକୁ ଚାହିଁ ଚକ୍ରଧର । ଭୟେ କମ୍ପନ୍ତି ଯେହ୍ନେ ଚୋର ॥ ୫୪
ଦେଖି ଯଶୋଦା ପରଜ୍ୱଳି । ଯଷ୍ଟି ଉଞ୍ଚାଇ ଦେଲେ ଗାଳି ॥ ୫୫
ଆଜ କରିବି ଖଣ୍ତ ଖଣ୍ତ । ଛାଟେ ପିଟିବି ତୋର ପିଣ୍ତ ॥ ୫୬
ଦେଖି ଚକିତ ଭାବଗ୍ରାହୀ । ରୋଳୁଁ ପଡ଼ିଲେ ବେଗେ ଡ଼େଇଁ ॥ ୫୭
କୃଷ୍ଣ ପଳାନ୍ତି ଭୟ ଘେନି । ପଛେ ଗୋଡ଼ାନ୍ତି ନନ୍ଦରାଣୀ ॥ ୫୮
ପଳାନ୍ତି ପଛକୁ ଅନାଇଁ । ପଛେ ଯଶୋଦା ଛନ୍ତି ଧାଇଁ ॥ ୫୯
ଯାହାର ନାହିଁ ଆଦି ଅନ୍ତ । ଧ୍ୟାନେ ଚିନ୍ତନ୍ତି ମୁନି ସନ୍ଥ ॥ ୬୦
ତାହାଙ୍କୁ ପୁତ୍ର ପ୍ରାୟେ ମଣି । ପଛେ ଧାମଇଁ ଗୋପାଳୁଣୀ ॥ ୬୧
ପୃଥୁ ନିତମ୍ବ ପାୟୋଧରେ । ଗୋଡ଼ାଇ ନପାରଇ ଖରେ ॥ ୬୨
ପୁଣି ଗୋଡ଼ାଇ ପଛେ ଝୁଣ୍ଟି । ଘଡ଼ିକେ ଉଠି ଘର୍ମେ ଫୁଟି ॥ ୬୩
ପୁଣି ଗୋଡ଼ାଇ ପୁଣ ପଡ଼ି । ପାୟେକ ଉଠିଣ ହାବୋଡ଼ି ॥ ୬୪
କେଶ ଫିଟିଲା ଶ୍ରମଝାଳେ । ଫୁଲ ପଡ଼ଇ ଫିଟି ତଳେ ॥ ୬୫
ଏମନ୍ତ ଯଶୋଦାର ଗତି । ଦେଖି ଆନନ୍ଦ ଶିରୀପତି ॥ ୬୬
ଯାହାର ଆଦି ଅନ୍ତ ନାହିଁ । ଯଶୋଦା ପାଇବ ତା' କାହିଁ ॥ ୬୭
ଜାଣିଣ ଯଶୋଦା ବିକଳ । ଲେଉଟି ଚାହେଁ ଆଦିମୂଳ ॥ ୬୮
ମନେ ବିଚାର ଭାବଗ୍ରାହୀ । ଯଶୋଦାଠାରେ ଦୟା ବହି ॥ ୬୯
ଯେବେ ମୁଁ ଯିବିଟି ପଳାଇ । କେ ମୋତେ ପାରିବ ଗୋଡ଼ାଇ ॥ ୭୦
ଏତେ ବିଚାରି ଦୟାନିଧି । ରଜ୍ଜୁରେ ହୋଇବଇଁ ବନ୍ଦୀ ॥ ୭୧
ମାତାର ଶ୍ରମ ମନେ ଜାଣି । ରହିଲେ ପ୍ରଭୁ ବେନୁପାଣି ॥ ୭୨
ଧାଇଁ ଧଇଲେ ଦେବୀ କରେ । ଛାଟ ଉଞ୍ଚାଇ କୋପଭରେ ॥ ୭୩
ଭୟେ କମ୍ପନ୍ତି ଚକ୍ରଧର । ଚକ୍ଷୁ ଘଷନ୍ତି ବାମକର ॥ ୭୪
କୃଷ୍ଣ ବିକଳ ଦେଖି ମାତା । ଛାଟ ପକାଇ କଲେ ଚିନ୍ତା ॥ ୭୫
ବୋଲଇ ବାନ୍ଧିବି ଏହାରେ । ବ୍ୟାପାର କରୁଥିବି ଘରେ ॥ ୭୬
ରୋଳେ ଖଟାଇ ଥିବି ନିତି । ଏଣେ ନ ଥିବ ମୋର ଭୀତି ॥ ୭୭
ଏତେ ବିଚାରି ନନ୍ଦନାରୀ । ରୋଳ ଆଣିଲା ବେଗ କରି ॥ ୭୮
ଦଉଡ଼ି ଦେଖି ମାତା ହାତେ । କାନ୍ଦନ୍ତି ପ୍ରଭୁ ଗୋପୀନାଥେ ॥ ୭୯
ଅଣ୍ଟାରେ ଯୋଚିଲାକ ନେଇ । ବେନି ଅଙ୍ଗୁଳ ନ ଅଣ୍ଟଇ ॥ ୮୦
ତକ୍ଷଣେ ଦୀର୍ଘ ରଜ୍ଜୁ ଆଣି । ନେଇ ଯୋଖିଲା ନନ୍ଦରାଣୀ ॥ ୮୧
ଯୋଖନ୍ତେ ପୁଣି ସେ ତୁଟିଲା । ବେନି ଅଙ୍ଗୁଳ ନ ଅଣ୍ଟିଲା ॥ ୮୨
ପୁଣି ଯୋଖିଲା ଖଣ୍ତ ଦୁଇ । ବେନି ଅଙ୍ଗୁଳ ନ ଅଣ୍ଟଇ ॥ ୮୩
ପୁଣି ପଶିଲା ଘରେ ଯାଇ । ଦଉଡ଼ି ଆଣେ କନ୍ଧେ ବହି ॥ ୮୪
ଏମନ୍ତେ ଘରେ ଯେତେ ଥିଲା । ଯୋଖନ୍ତେ ପୁଣି ନଅଣ୍ଟିଲା ॥ ୮୫
ସାହି ପଡ଼ିଶା ଯେତେ ଘର । ଦଉଡ଼ି ଆଣେ କୋପଭର ॥ ୮୬
ତାହା ଯୋଖିଲା ବେଗେ ନେଇ । ଦେଖିଲା ପୁଣି ନଅଣ୍ଟଇ ॥ ୮୭
କେବେହେଁ ନ ପାରିଲା ବାନ୍ଧି । କରଚରଣ ତଳେ ରୁନ୍ଧି ॥ ୮୮
ଗୋପୀ ଅଇଲେ ତାହା ଶୁଣି । ଯଶୋଦା ବାନ୍ଧେ ପୁଣ ପୁଣି ॥ ୮୯
ଗୋପୀ ହସନ୍ତି ତାହା ଚାହିଁ । ସମସ୍ତେ ମୁଖେ ବସ୍ତ୍ର ଦେଇ ॥ ୯୦
ଏକ ଆରେକ କରତାଳି । ମାରନ୍ତି ହୋଇ କୁତୂହଳି ॥ ୯୧
ବୋଲନ୍ତି ପରିହାସ ବାଣୀ । ଦଉଡ଼ି ନ ପାରିଲୁ ଆଣି ॥ ୯୨
ରାଣୀ ବୋଲାଅ ଗୋପପୁରେ । ନାନା ଭଣ୍ତାର ତୋର ଘରେ ॥ ୯୩
ଦଉଡ଼ି ନାହିଁ ତୋ' ଭୁବନେ । ବାଳକ ବାନ୍ଧିବୁ କେସନେ ॥ ୯୪
ଶୁଣି ଯଶୋଦା ଲାଜ ପାଇ । ରହିଲା ଭୂମିକୁ ଅନାଇ ॥ ୯୫
ସଂକୋଚେ ହୋଇ ଜରଜର । କାତରେ କମ୍ପଇ ଶରୀର ॥ ୯୬
କେଶ ବସନ ଅସମ୍ଭାଳ । ଖୋସାରୁ ଖସେ ଫୁଲମାଳ ॥ ୯୭
ଯଶୋଦା ଶ୍ରମ ଦେଖି ହରି । ନିଜ ବନ୍ଧନେ ମନକରି ॥ ୯୮
ତକ୍ଷଣେ ଦଉଡ଼ି ଅଣ୍ଟିଲା । କୃଷ୍ଣଙ୍କୁ ରୋଳେ ଖଟାଇଲା ॥ ୯୯
ଯେ ହରି ତିନିଗୁଣେ ଛନ୍ଦି । ସଂସାର କରିଅଛି ବନ୍ଦୀ ॥ ୧୦୦
ତାଙ୍କୁ ବାନ୍ଧିଲା ନନ୍ଦନାରୀ । ପୂର୍ବେ ଅନେକ ତପକରି ॥ ୧୦୧
ମାତାଙ୍କୁ ଯେତେ ଦୟା କଲେ । ବ୍ରହ୍ମା ଶଙ୍କର ନ ପାଇଲେ ॥ ୧୦୨
କମଳା ସେବେ ପଦ୍ମପାଦ । ସେହି ନ ପାଇଲା ପ୍ରସାଦ ॥ ୧୦୩
ଭକତ ଜନେ ଯେତେ ଦୟା । ଜ୍ଞାନୀ ପାଇବେ କାହିଁ ତାହା ॥ ୧୦୪
ଜନନୀ ବାନ୍ଧିଗଲା ରୋଳେ । ଯାମଳା ଅର୍ଜୁନର ତଳେ ॥ ୧୦୫
ଗୃହ ବ୍ୟାପାରେ ଦେଲା ମନ । ଏବେ ତୁ ଶୁଣ ହୋ ରାଜନ ॥ ୧୦୬
କୃଷ୍ଣ ଚାହିଁଲେ ବୃକ୍ଷ ଦୁଇ । ବିଚାର କଲେ ଭାବଗ୍ରାହୀ ॥ ୧୦୭
ପୂର୍ବେ କୁବେର ବେନିସୁତେ । ବୃକ୍ଷ ହୋଇଲେ ଭୋଳ ଚିତ୍ତେ ॥ ୧୦୮
ନାରଦ ତହୁଁ ଶାପ ପାଇ । ଅନେକ କାଳୁ ଛନ୍ତି ରହି ॥ ୧୦୯
ସେ ମୁନି ବୋଲିଛନ୍ତି ଯାହା । ଅବଶ୍ୟ କରିବି ମୁଁ ତାହା ॥ ୧୧୦
ଏତେ ବିଚାରି ବନମାଳୀ । ରୋଳ ଟାଣିଲେ ପାଦ ଚାଳି ॥ ୧୧୧
ମିଳିଲେ ବେନି ବୃକ୍ଷ ତଳେ । ଟେକି ଚାହିଁଲେ ବେନି ଡୋଳେ ॥ ୧୧୨
ସେ ହରି ଚରଣପଙ୍କଜ । ସୁଜନଜନେ ନିତ୍ୟ ଭଜ ॥ ୧୧୩
ଏହା ଶୁଣନ୍ତେ ନରନାରୀ । ହେଳେ ତରିବେ ଭବବାରି ॥ ୧୧୪
ଶ୍ରୀକୃଷ୍ଣ ବାଳକ ଚରିତ । କହଇ ଦାସ ଜଗନ୍ନାଥ ॥ ୧୧୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଷଷ୍ଟୋଽଧ୍ୟାୟଃ ।
* * *