ଦଶମ ସ୍କନ୍ଧ

ଦଶମ ଅଧ୍ୟାୟ

ଶୁକ ଉବାଚ

ନମଇଁ ପ୍ରଭୁ ବନମାଳୀ । ସୁଖସାଗର ବାଳକେଳି ॥

ଦିନେକ ଦେବୀ ଯଶୋବନ୍ତୀ । ସେବକୀମାନ ହକାରନ୍ତି ॥

ଆଜ୍ଞା ପ୍ରମାଣେ ଦାସୀଗଣେ । ଆସି ମିଳିଲେ ଜଣେ ଜଣେ ॥

ଯଶୋଦା ବୋଲନ୍ତି ଉତ୍ତର । ଘର ବେଭାର ତୁମ୍ଭେ କର ॥

ଦଧିମନ୍ଥିବି ଆଜ ମୁହିଁ । ଲବଣି କେତେ ଜାଣିବଇଁ ॥

ମନେ ଜାଣିଲେ ଭାବଗ୍ରାହୀ । ଭକ୍ତଜନଙ୍କ ସତ୍ୟ ପାଇଁ ॥

ଗୋପୀ ଯେ କହିଥିଲେ ଗତେ । ମୋହର କଥାମାନ ଯେତେ ॥

ସେକଥା କରିବଇଁ ସତ୍ୟେ । ଯଶୋଦା ଯିବନା ପରତେ ॥

ମାୟା ମୋହିଲେ ନରହରି । ଦାସଜନଙ୍କ ସତ୍ୟେ କରି ॥

ଏମନ୍ତ ବୋଲି ଆଜ୍ଞାଦେଲେ । ମନ୍ଥନ ଦଣ୍ତŠ ଅଣାଇଲେ ॥ ୧୦

ମନ ଆନନ୍ଦେ ନନ୍ଦନାରୀ । ଦଧିଭାŠଣ୍ତରେ ଖୁଆଭରି ॥ ୧୧

ଯଶୋଦା ହୋଇଲାକ ସଜ । ଯାହାର ସୁତ ଦେବରାଜ ॥ ୧୨

ପିନ୍ଧି ସୁରଙ୍ଗ ପାଟଶାଢ଼ି । ରତ୍ନମେଖଳା ଅଛି ଭିଡ଼ି ॥ ୧୩

ପୃଥୁଳ ନିତମ୍ବ ଯୁଗଳ । ସୁବ‰ର୍ଣ୍ଣ ଚୁଡ଼ି ବେନିକର ॥ ୧୪

ବେନିସ୍ତନରୁ କ୍ଷୀର ଝରେ । ନୂପୁର ବାଜଇ ପୟରେ ॥ ୧୫

ହୃଦରେ ହାର କ‰ର୍ଣ୍ଣେ କାପ । ଶିରେ ସୀମନ୍ତ ଦିବ୍ୟରୂପ ॥ ୧୬

ଖୁଆ ଦଉଡ଼ି ଧରି କରେ । ବାମ ଦକ୍ଷିଣେ ଚାଲେ ଧୀରେ ॥ ୧୭

ଦଉଡ଼ି ଟାଣିବାର ଡ଼ରେ । ବସ୍ତ୍ର ନରହେ ଦେବୀ ଶିରେ ॥ ୧୮

କବରୀ ଫିଟି ଲୋଟେ ତଳେ । ପୁଷ୍ପ ପଡ଼ନ୍ତି ମାଳେ ମାଳେ ॥ ୧୯

ହୃଦେ କମ୍ପନ୍ତି ପୟୋଧର । କଙ୍କଣ ନାଦ ବେନିକର ॥ ୨୦

ମୁଖେ ଶୋଭିତ ଶ୍ରମଝାଳ । ରଙ୍ଗ ଅଧରେ ସୁକପୋଳ ॥ ୨୧

ଦଧି ମନ୍ଥଇ ମନତୋଷେ । କୃଷ୍ଣ ମିଳିଲେ ତା'ର ପାଶେ ॥ ୨୨

ସ୍ତନ୍ୟ ପିଇବା ଆଶେ ହରି । ଜନନୀ ବସ୍ତ୍ର କରେ ଧରି ॥ ୨୩

ଦେଖି ଯଶୋଦା କୋପଭର । କୃଷ୍ଣଙ୍କୁ ବୋଲନ୍ତି ଉତ୍ତର ॥ ୨୪

ଯାଅ ନଧର ଏତେବେଳେ । ପଛେ ଘେନିବି ତୋତେକୋଳେ ॥ ୨୫

ଶୁଣି କାନ୍ଦନ୍ତି ବନମାଳୀ । ଦେଖି ଯଶୋଦା ଦେଇ ଗାଳି ॥ ୨୬

କୃଷ୍ଣଙ୍କୁ କରାଇଲେ ତୁନି । ସୁସ୍ୱରେ କରି ଗୀତଧ୍ୱନି ॥ ୨୭

ବାଳୁତ କାଳୁ ଯେତେ ଜାଣି । ସୁମରି ଗାଏ ନନ୍ଦରାଣୀ ॥ ୨୮

କୋଇଲି ଛନ୍ଦେ ଗାଇ ଗୀତ । ଶୁଣି କାନ୍ଦନ୍ତି ଗୋପୀନାଥ ॥ ୨୯

ହସ୍ତ ବଢ଼ାଇ ଗୋପୀନାଥେ । ଖୁଆ ଧଇଲେ ବାମହସ୍ତେ ॥ ୩୦

ଯଶୋଦା ନପାରିଲା ଚାଳି । କୋଳେ ଧଇଲା ବନମାଳୀ ॥ ୩୧

ସ୍ତନ୍ୟ ପିଆଇ ତୋଷମନ । ଶ୍ରୀମୁଖେ ଦେଲାକ ଚୁମ୍ବନ ॥ ୩୨

ଶୁଣ ପରୀକ୍ଷ ଏକଚିତ୍ତ । ଏମନ୍ତ ହୋଇ ବିପରୀତ ॥ ୩୩

ଚୁଲିରେ ବସିଥିଲା କ୍ଷୀର । ଚାହିଁଲେ ପ୍ରଭୁ ଚକ୍ରଧର ॥ ୩୪

ତକ୍ଷଣେ ପଡ଼ିଲା ଉତୁରି । ଦେଖିଲା ଯଶୋଦା ସୁନ୍ଦରୀ ॥ ୩୫

କୃଷ୍ଣଙ୍କୁ ପକାଇଲା ତଳେ । ଅଜ୍ଞାନ-ମୋହ-ମାୟା-ଭୋଳେ ॥ ୩୬

ଧାମଇଁ କରେ ଜଳ ଘେନି । ପଡ଼ି କାନ୍ଦନ୍ତି ଅନ୍ତର୍ଯ୍ୟାମି ॥ ୩୭

କୋପ ବସିଲା କୃଷ୍ଣଙ୍କର । ଦନ୍ତେ କାମୋଡ଼ିଲେ ଅଧର ॥ ୩୮

ଉଠିଲେ ଭବସୁଖଦାତା । ଘରୁ ଆଣିଲେ ଶିଳପୁତା ॥ ୩୯

ପିଟିଲେ ଦଧିଭାଣ୍ତେŠ ନେଇ । ଭାଜି ଗୋରସ ଗଲା ବହି ॥ ୪୦

ତା' ଦେଖି ଗୋବିନ୍ଦ କାତରେ । ଲୁଚିଲେ ଗମ୍ଭୀରି ଭିତରେ ॥ ୪୧

ଘରେ ଲବଣି ଥିଲା ଯେତେ । ସବୁ ଖାଇଲେ ବେନିହସ୍ତେ ॥ ୪୨

କ୍ଷୀର ଉତାରି ଗୋପବାଳୀ । ପୁଣି ମନ୍ଥନ ସ୍ଥାନେ ମିଳି ॥ ୪୩

ଦେଖ ଚକିତ ଗାଲେ ହସ୍ତ । ଏଡ଼େ କରମ କଲା ସୁତ ॥ ୪୪

ବାଳୁତ କାଳୁ ଏଡ଼େ କୋପୀ । ସତ କହନ୍ତି ମୋତେ ଗୋପୀ ॥ ୪୫

ତାହାଙ୍କୁ ନିନ୍ଦିଲି ମୁଁ କୋପେ । ଏବେ ତ ଦେଖିଲି ସ୍ୱରୂପେ ॥ ୪୬

ଆଜ କରିବି ପ୍ରତିଫଳ । ଗୋପୀଏ ଛାଡ଼ନ୍ତି ଚହଳ ॥ ୪୭

ବଢ଼ିଲା କହୁଁ କହୁଁ କୋପ । ଯଷ୍ଟି ପ୍ରହାରେ ଯେହ୍ନେ ସର୍ପ ॥ ୪୮

ଛାଟ ଲୁଚାଇ ପଛଭାଗେ । ମିଳିଲା ଗମ୍ଭୀରିର ଲାଗେ ॥ ୪୯

ଦ୍ୱାରେ ଚାହିଁଲେ ଦେବୀ ଧୀର । ଦେଖିଲେ ପ୍ରଭୁ ଦାମୋଦର ॥ ୫୦

ରୋଳ ଉପରେ ଗୋପୀନାଥ । ଶିକା ଧରିଣ ବାମହସ୍ତ ॥ ୫୧

ଶିକାରେ ଥିଲା ଯେ ଲବଣି । କୃଷ୍ଣ ତା' ବେନିକରେ ଆଣି ॥ ୫୨

ମାର୍ଜାରୀ ପାଞ୍ଚ ସାତ ମେଳେ । ଲବଣି ଖାନ୍ତି କୁତୂହଳେ ॥ ୫୩

ଦ୍ୱାରକୁ ଚାହିଁ ଚକ୍ରଧର । ଭୟେ କମ୍ପନ୍ତି ଯେହ୍ନେ ଚୋର ॥ ୫୪

ଦେଖି ଯଶୋଦା ପରଜ୍ୱଳି । ଯଷ୍ଟି ଉଞ୍ଚାଇ ଦେଲେ ଗାଳି ॥ ୫୫

ଆଜ କରିବି ଖଣ୍ତŠ ଖଣ୍ତŠ । ଛାଟେ ପିଟିବି ତୋର ପିŠଣ୍ତ ॥ ୫୬

ଦେଖି ଚକିତ ଭାବଗ୍ରାହୀ । ରୋଳୁଁ ପଡ଼ିଲେ ବେଗେ ଡ଼େଇଁ ॥ ୫୭

କୃଷ୍ଣ ପଳାନ୍ତି ଭୟ ଘେନି । ପଛେ ଗୋଡ଼ାନ୍ତି ନନ୍ଦରାଣୀ ॥ ୫୮

ପଳାନ୍ତି ପଛକୁ ଅନାଇଁ । ପଛେ ଯଶୋଦା ଛନ୍ତି ଧାଇଁ ॥ ୫୯

ଯାହାର ନାହିଁ ଆଦି ଅନ୍ତ । ଧ୍ୟାନେ ଚିନ୍ତନ୍ତି ମୁନି ସନ୍ଥ ॥ ୬୦

ତାହାଙ୍କୁ ପୁତ୍ର ପ୍ରାୟେ ମଣି । ପଛେ ଧାମଇଁ ଗୋପାଳୁଣୀ ॥ ୬୧

ପୃଥୁ ନିତମ୍ବ ପାୟୋଧରେ । ଗୋଡ଼ାଇ ନପାରଇ ଖରେ ॥ ୬୨

ପୁଣି ଗୋଡ଼ାଇ ପଛେ ଝୁଣ୍ଟି । ଘଡ଼ିକେ ଉଠି ଘର୍ମେ ଫୁଟି ॥ ୬୩

ପୁଣି ଗୋଡ଼ାଇ ପୁଣ ପଡ଼ି । ପାୟେକ ଉଠିଣ ହାବୋଡ଼ି ॥ ୬୪

କେଶ ଫିଟିଲା ଶ୍ରମଝାଳେ । ଫୁଲ ପଡ଼ଇ ଫିଟି ତଳେ ॥ ୬୫

ଏମନ୍ତ ଯଶୋଦାର ଗତି । ଦେଖି ଆନନ୍ଦ ଶିରୀପତି ॥ ୬୬

ଯାହାର ଆଦି ଅନ୍ତ ନାହିଁ । ଯଶୋଦା ପାଇବ ତା' କାହିଁ ॥ ୬୭

ଜାଣିଣ ଯଶୋଦା ବିକଳ । ଲେଉଟି ଚାହେଁ ଆଦିମୂଳ ॥ ୬୮

ମନେ ବିଚାର ଭାବଗ୍ରାହୀ । ଯଶୋଦାଠାରେ ଦୟା ବହି ॥ ୬୯

ଯେବେ ମୁଁ ଯିବିଟି ପଳାଇ । କେ ମୋତେ ପାରିବ ଗୋଡ଼ାଇ ॥ ୭୦

ଏତେ ବିଚାରି ଦୟାନିଧି । ରଜ୍ଜୁରେ ହୋଇବଇଁ ବନ୍ଦୀ ॥ ୭୧

ମାତାର ଶ୍ରମ ମନେ ଜାଣି । ରହିଲେ ପ୍ରଭୁ ବେନୁପାଣି ॥ ୭୨

ଧାଇଁ ଧଇଲେ ଦେବୀ କରେ । ଛାଟ ଉଞ୍ଚାଇ କୋପଭରେ ॥ ୭୩

ଭୟେ କମ୍ପନ୍ତି ଚକ୍ରଧର । ଚକ୍ଷୁ ଘଷନ୍ତି ବାମକର ॥ ୭୪

କୃଷ୍ଣ ବିକଳ ଦେଖି ମାତା । ଛାଟ ପକାଇ କଲେ ଚିନ୍ତା ॥ ୭୫

ବୋଲଇ ବାନ୍ଧିବି ଏହାରେ । ବ୍ୟାପାର କରୁଥିବି ଘରେ ॥ ୭୬

ରୋଳେ ଖଟାଇ ଥିବି ନିତି । ଏଣେ ନ ଥିବ ମୋର ଭୀତି ॥ ୭୭

ଏତେ ବିଚାରି ନନ୍ଦନାରୀ । ରୋଳ ଆଣିଲା ବେଗ କରି ॥ ୭୮

ଦଉଡ଼ି ଦେଖି ମାତା ହାତେ । କାନ୍ଦନ୍ତି ପ୍ରଭୁ ଗୋପୀନାଥେ ॥ ୭୯

ଅଣ୍ଟାରେ ଯୋଚିଲାକ ନେଇ । ବେନି ଅଙ୍ଗୁଳ ନ ଅଣ୍ଟଇ ॥ ୮୦

ତକ୍ଷଣେ ଦୀର୍ଘ ରଜ୍ଜୁ ଆଣି । ନେଇ ଯୋଖିଲା ନନ୍ଦରାଣୀ ॥ ୮୧

ଯୋଖନ୍ତେ ପୁଣି ସେ ତୁଟିଲା । ବେନି ଅଙ୍ଗୁଳ ନ ଅଣ୍ଟିଲା ॥ ୮୨

ପୁଣି ଯୋଖିଲା ଖŠଣ୍ତ ଦୁଇ । ବେନି ଅଙ୍ଗୁଳ ନ ଅଣ୍ଟଇ ॥ ୮୩

ପୁଣି ପଶିଲା ଘରେ ଯାଇ । ଦଉଡ଼ି ଆଣେ କନ୍ଧେ ବହି ॥ ୮୪

ଏମନ୍ତେ ଘରେ ଯେତେ ଥିଲା । ଯୋଖନ୍ତେ ପୁଣି ନଅଣ୍ଟିଲା ॥ ୮୫

ସାହି ପଡ଼ିଶା ଯେତେ ଘର । ଦଉଡ଼ି ଆଣେ କୋପଭର ॥ ୮୬

ତାହା ଯୋଖିଲା ବେଗେ ନେଇ । ଦେଖିଲା ପୁଣି ନଅଣ୍ଟଇ ॥ ୮୭

କେବେହେଁ ନ ପାରିଲା ବାନ୍ଧି । କରଚରଣ ତଳେ ରୁନ୍ଧି ॥ ୮୮

ଗୋପୀ ଅଇଲେ ତାହା ଶୁଣି । ଯଶୋଦା ବାନ୍ଧେ ପୁଣ ପୁଣି ॥ ୮୯

ଗୋପୀ ହସନ୍ତି ତାହା ଚାହିଁ । ସମସ୍ତେ ମୁଖେ ବସ୍ତ୍ର ଦେଇ ॥ ୯୦

ଏକ ଆରେକ କରତାଳି । ମାରନ୍ତି ହୋଇ କୁତୂହଳି ॥ ୯୧

ବୋଲନ୍ତି ପରିହାସ ବାଣୀ । ଦଉଡ଼ି ନ ପାରିଲୁ ଆଣି ॥ ୯୨

ରାଣୀ ବୋଲାଅ ଗୋପପୁରେ । ନାନା ଭŠଣ୍ତାର ତୋର ଘରେ ॥ ୯୩

ଦଉଡ଼ି ନାହିଁ ତୋ' ଭୁବନେ । ବାଳକ ବାନ୍ଧିବୁ କେସନେ ॥ ୯୪

ଶୁଣି ଯଶୋଦା ଲାଜ ପାଇ । ରହିଲା ଭୂମିକୁ ଅନାଇ ॥ ୯୫

ସଂକୋଚେ ହୋଇ ଜରଜର । କାତରେ କମ୍ପଇ ଶରୀର ॥ ୯୬

କେଶ ବସନ ଅସମ୍ଭାଳ । ଖୋସାରୁ ଖସେ ଫୁଲମାଳ ॥ ୯୭

ଯଶୋଦା ଶ୍ରମ ଦେଖି ହରି । ନିଜ ବନ୍ଧନେ ମନକରି ॥ ୯୮

ତକ୍ଷଣେ ଦଉଡ଼ି ଅଣ୍ଟିଲା । କୃଷ୍ଣଙ୍କୁ ରୋଳେ ଖଟାଇଲା ॥ ୯୯

ଯେ ହରି ତିନିଗୁଣେ ଛନ୍ଦି । ସଂସାର କରିଅଛି ବନ୍ଦୀ ॥ ୧୦୦

ତାଙ୍କୁ ବାନ୍ଧିଲା ନନ୍ଦନାରୀ । ପୂର୍ବେ ଅନେକ ତପକରି ॥ ୧୦୧

ମାତାଙ୍କୁ ଯେତେ ଦୟା କଲେ । ବ୍ରହ୍ମା ଶଙ୍କର ନ ପାଇଲେ ॥ ୧୦୨

କମଳା ସେବେ ପଦ୍ମ‌ପାଦ । ସେହି ନ ପାଇଲା ପ୍ରସାଦ ॥ ୧୦୩

ଭକତ ଜନେ ଯେତେ ଦୟା । ଜ୍ଞାନୀ ପାଇବେ କାହିଁ ତାହା ॥ ୧୦୪

ଜନନୀ ବାନ୍ଧିଗଲା ରୋଳେ । ଯାମଳା ଅର୍ଜୁନର ତଳେ ॥ ୧୦୫

ଗୃହ ବ୍ୟାପାରେ ଦେଲା ମନ । ଏବେ ତୁ ଶୁଣ ହୋ ରାଜନ ॥ ୧୦୬

କୃଷ୍ଣ ଚାହିଁଲେ ବୃକ୍ଷ ଦୁଇ । ବିଚାର କଲେ ଭାବଗ୍ରାହୀ ॥ ୧୦୭

ପୂର୍ବେ କୁବେର ବେନିସୁତେ । ବୃକ୍ଷ ହୋଇଲେ ଭୋଳ ଚିତ୍ତେ ॥ ୧୦୮

ନାରଦ ତହୁଁ ଶାପ ପାଇ । ଅନେକ କାଳୁ ଛନ୍ତି ରହି ॥ ୧୦୯

ସେ ମୁନି ବୋଲିଛନ୍ତି ଯାହା । ଅବଶ୍ୟ କରିବି ମୁଁ ତାହା ॥ ୧୧୦

ଏତେ ବିଚାରି ବନମାଳୀ । ରୋଳ ଟାଣିଲେ ପାଦ ଚାଳି ॥ ୧୧୧

ମିଳିଲେ ବେନି ବୃକ୍ଷ ତଳେ । ଟେକି ଚାହିଁଲେ ବେନି ଡୋଳେ ॥ ୧୧୨

ସେ ହରି ଚରଣପଙ୍କଜ । ସୁଜନଜନେ ନିତ୍ୟ ଭଜ ॥ ୧୧୩

ଏହା ଶୁଣନ୍ତେ ନରନାରୀ । ହେଳେ ତରିବେ ଭବବାରି ॥ ୧୧୪

ଶ୍ରୀକୃଷ୍ଣ ବାଳକ ଚରିତ । କହଇ ଦାସ ଜଗନ୍ନାଥ ॥ ୧୧୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଷଷ୍ଟୋଽଧ୍ୟାୟଃ ।

* * *