ଦଶମ ସ୍କନ୍ଧ
ନବମ ଅଧ୍ୟାୟ
ଶୁକ ଉବାଚ
ଶୁଣ ଅଭିମନ୍ୟୁ-କୁମର । କହନ୍ତି ଶୁକ-ମୁନିବର ॥ ୧
ଗର୍ଗବଂଶରେ ମୁନି ଜାତ । ଯାଦବବଂଶ ପୁରୋହିତ ॥ ୨
ଧାର୍ମିକପଣେ ସମ ନାହିଁ । ଆଣିଲା ବସୁଦେବ ରାଇ ॥ ୩
ବସାଇ ପୂଜିଲା ପୟର । ଏକାନ୍ତେ ବୋଲଇ ଉତ୍ତର ॥ ୪
ଭୋ ମୁନି ନନ୍ଦଘରେ ମୋର । ଅଛନ୍ତି ବେନି ଯେ କୁମର ॥ ୫
କଂସର ଡ଼ରେ ମୁହିଁ ନେଇ । ଗୋପରେ ଅଛଇଁ ଲୁଚାଇ ॥ ୬
ଏବେ ଗୋପକୁ ତୁମ୍ଭେ ଯାଅ । ମୋର ପୁତ୍ରଙ୍କୁ ନାମ ଦିଅ ॥ ୭
ଏହା ଜାଣିବ ଏକା ନନ୍ଦ । ଆନ ଜାଣିଲେ ହେବ ମନ୍ଦ ॥ ୮
ବସୁଦେବର ବୋଲ ଶୁଣି । ଗୋପେ ଚଳିଲେ ଗର୍ଗମୁନି ॥ ୯
ସାମଗାୟନ କରି ଧୀରେ । ମିଳିଲେ ନନ୍ଦର ମନ୍ଦିରେ ॥ ୧୦
ଦେଖି ଆସନୁ ନନ୍ଦ ଉଠି । ଥୋକାଏ ଅଇଲେ ପାଛୋଟି ॥ ୧୧
ପବିତ୍ର ଜଳେ ପାଦ ଧୋଇ । ଆସନେ ବସାଇଲା ନେଇ ॥ ୧୨
ଚରଣ ପୂଜି ଷଡ଼ଅର୍ଘ୍ୟେ । ବିନୟ ହୋଇ ସାଧୁ ଗାର୍ଗ୍ୟେ ॥ ୧୩
ଆନନ୍ଦ କରାଇଣ ମନ । ବୋଲଇ ମଧୁର ବଚନ ॥ ୧୪
ଭୋ ମୁନି ହୋଇଲି ନିର୍ମଳ । ଘେନି ତୁମ୍ଭର ପାଦଜଳ ॥ ୧୫
ଭୂତ ଭବିଷ୍ୟତ ବର୍ତ୍ତମାନ । ଏଣେ ତୁମ୍ଭର ଦିବ୍ୟଜ୍ଞାନ ॥ ୧୬
ଅନେକ ପୁଣ୍ୟ ଥିଲା ମୋର । ତେଣୁ ପୂଜିଲି ତୋ' ପୟର ॥ ୧୭
ଭିତରପୁରେ ମୁନି ନେଇ । କହଇ ଏକାନ୍ତେ ବସାଇ ॥ ୧୮
ଶୁଣ ପଣ୍ତିତ ଚୂଡ଼ାମଣି । ମୋ ଘରେ ଅଛଇ ରୋହିଣୀ ॥ ୧୯
ବସୁଦେବର ଏ ତନୟ । ପୁଣି ହୋଇଛି ମୋର ପୁଅ ॥ ୨୦
ନାମକରଣ ଆଜ କର । ପ୍ରସନ୍ନ ହୋଇ ମୁନିବର ॥ ୨୧
କ୍ଷତ୍ରିୟ ସ୍ୱଭାବେ ଯୁକତେ । ସଂସ୍କାର କର ବେନିସୁତେ ॥ ୨୨
ତୋ ତହୁଁ ନ ଜାଣିବେ କେହି । ଏମନ୍ତ ମନ୍ଦିରେ ବସାଇ ॥ ୨୩
ମୁନି ବୋଲନ୍ତି ନନ୍ଦ ଚାହିଁ । ଏ କଥା ମୋତେ ନ ଯୋଗାଇ ॥ ୨୪
ମୁଁ ଯଦୁବଂଶେ ପୁରୋହିତ । ଏ କଥା ସଂସାରେ ବିଦିତ ॥ ୨୫
ତୋହର ଘରେ କାର୍ଯ୍ୟ କଲେ । କଂସ ଜାଣିବ ତାହା ଭଲେ ॥ ୨୬
ବସୁଦେବର ପୁତ୍ର ଏହି । ପୂର୍ବେ ଅମ୍ବିକା ଗଲେ କହି ॥ ୨୭
ଦେବକୀ ଅଷ୍ଟମ ଗର୍ଭର । ନିଶ୍ଚୟେ ହୋଇଲା କୁମର ॥ ୨୮
କେ ଅବା ଆସିଅଛି ଥୋଇ । ପୁରୋହିତ ଯେ ଗଲେ ତହିଁ ॥ ୨୯
ଏମନ୍ତ ବିଚାରି ଅସୁର । ଘେନାଇ ଯିବ ମଧୁପୁର ॥ ୩୦
ନେଇ ମାରିବ ବେନିବାଳ । ଏ କଥା ଅନର୍ଥର ମୂଳ ॥ ୩୧
ଶୁଣି ବୋଲନ୍ତି ନନ୍ଦରାୟ । ଭୋ ମୁନି ନ କର ତୁ ଭୟ ॥ ୩୨
ତୋ ତହୁଁ ନଜାଣିବେ ଆନ । ଏମନ୍ତ ଅଛି ମୋର ସ୍ଥାନ ॥ ୩୩
କହି କରାଇ ସାବଧାନ । ଆଣିଲା ହୋମର ବିଧାନ ॥ ୩୪
ଦ୍ୱିଜ ବେଭାରେ ଶୁଚିମନ୍ତ । ସଂସ୍କାର କଲେ ବେନିସୁତ ॥ ୩୫
ଗର୍ଗ୍ୟ ଅଇଲେ ଯହିଁ ପାଇଁ । ଦେଖିଲେ ନନ୍ଦପୁତ୍ର ଦୁଇ ॥ ୩୬
ନୟନେ ଦେଖି ନିସ୍ତରିଲେ । ବେଦବଚନେ ସ୍ତୁତି କଲେ ॥ ୩୭
ବିଚାରି ହୃଦେ ପରିମାଣି । ଜ୍ଞାନଦର୍ଶନେ ମୁନିମଣି ॥ ୩୮
ସଭୟ କରି ହୃଦଗତେ । ଗୋବିନ୍ଦ ଭାବ ଅନୁମତେ ॥ ୩୯
ଭୋ ବ୍ରହ୍ମ ପୁରୁଷ ଶରୀର । ମର୍ତ୍ତ୍ୟେ ହୋଇଲ ଅବତାର ॥ ୪୦
ଅବନୀଭାରା ନାଶ ଅର୍ଥେ । ଅଂଶେଣ ହୋଇଲ ସମ୍ଭୂତେ ॥ ୪୧
ନାଶିବ ଦୁଷ୍ଟ ମହାମଲ୍ଲେ । ଯେତେ ଏ ଅଛନ୍ତି ଶୟଳେ ॥ ୪୨
ଏମୋର ନୟନ ଆନନ୍ଦ । କେବଣ ତପ କଲା ନନ୍ଦ ॥ ୪୩
ଗୋରୁ ଗୋପାଳ ଗୋପସୁତ । ନଦୀ କାନନ ପରବତ ॥ ୪୪
ଗିରିକୁସୁମ ବନେ ଯେତେ । ଦ୍ୱାଦଶ-ବିପିନ ସହିତେ ॥ ୪୫
ଏହାଙ୍କ ଭାଗ୍ୟ କେହୁ କହୁ । ମାୟା-ମନୁଷ୍ୟ ମହାବାହୁ ॥ ୪୬
ଭୋ ନାଥ କମଳନୟନ । ଅଜନ୍ମା ହେଲ ତୁମ୍ଭେ ଜନ୍ମ ॥ ୪୭
ମୁଁ କୀଟ କୋଟିକେ ଅନ୍ତର । କିସ ବା ନାମ ଦେବି ତୋର ॥ ୪୮
ଅନନ୍ତ ଅବତାର ନାମ । ଅଂଶେ ହୋଇଲ ଗୁଣଧାମ ॥ ୪୯
ଏମନ୍ତ ଯେତେ ଗୁଣ କର୍ମେ । ସମସ୍ତ କହିଲେ ବଚନେ ॥ ୫୦
ମନେ ବିଚାରି ହୃଦେ ସ୍ତୁତି । କଲେ ସେ ଗାର୍ଗ୍ୟ ମହାଯତି ॥ ୫୧
ଆତ୍ମାର ଗୁଣ କର୍ମ ଅର୍ଥେ । କହନ୍ତି ନନ୍ଦର ଅଗ୍ରତେ ॥ ୫୨
ଶୁଣ ହେ ବ୍ରଜ ମହୀପତି । ଯେ ତୋର ପୁତ୍ର ନାମ ଗତି ॥ ୫୩
ରୋହିଣୀ ସୁତ ଏ ସୁନ୍ଦର । ଗୁଣେ ରଞ୍ଜିବ ସୁରନର ॥ ୫୪
ଏହାର ନାମ ରାମ ହେଉ । ଦେଖ ଆଜାନୁ ବେନି ବାହୁ ॥ ୫୫
ବଳ ଅଧିକୁ ବଳ ନାମ । ବେନି ସଂଯୋଗେ ବଳରାମ ॥ ୫୬
ଗୋବିନ୍ଦ ଆଜ୍ଞା ଘେନି ପୂର୍ବେ । ଦୁର୍ଗା ଆକର୍ଷି ଥିଲେ ଗର୍ଭେ ॥ ୫୭
ତେଣୁ ଯେ ନାମ ସଙ୍କର୍ଷଣ । ଦେଖ ସ୍ୱରୂପ ବିଚକ୍ଷଣ ॥ ୫୮
ଏ ଯେ ତୋହର ନିଜ ସୁତ । ଏହାର ଗୁଣ ଅପ୍ରମିତ ॥ ୫୯
ଏଯେତେ ଜନ୍ମ ମହୀତଳେ । ମୁହିଁ ଜାଣଇ ଯୋଗବଳେ ॥ ୬୦
ଯୁଗ ଯୁଗକେ ଆନ ବର୍ଣ୍ଣ । ଆବର ଯେତେ ଗୁଣ କର୍ମ ॥ ୬୧
ଏହାକୁ ନ ଜାଣନ୍ତି କେହି । ମୁଁ ଏହା ଅଳପ ଜାଣଇ ॥ ୬୨
ନାମ ଏହାର ଅଛି ଯେତେ । କହିବି ଏକେ ଏକେ କେତେ ॥ ୬୩
ଶ୍ୱେତ ଶୋଣିତ ପୀତ ଶ୍ୟାମ । ଯୁଗକୁ ଯୁଗ ଅନୁଆନ ॥ ୬୪
ଏବେ ଏହାର କୃଷ୍ଣ ନାମ । ଦୁଷ୍ଟ କରିବ ବିନାଶନ ॥ ୬୫
ପୂର୍ବେ ଏ ବସୁଦେବ ଘରେ । ଜନ୍ମିଲେ ଦେବକୀ ଉଦରେ ॥ ୬୬
ପିତା ଏହାର ବସୁଦେବ । ତେଣୁ ତା'ନାମ ବାସୁଦେବ ॥ ୬୭
ଯେତେକ ନାମଟି ଏହାର । ଅଳପ ଜାଣେ ଦେବବର ॥ ୬୮
ଏହାର ନାମ ଆଶ୍ରେ କରି । ହେଳେ ତରିବେ ଭବବାରି ॥ ୬୯
ପ୍ରଥମ ଯୁଗେ ଏହା ଗୁଣ । ହେ ନନ୍ଦ ସାବଧାନେ ଶୁଣ ॥ ୭୦
ବେଣରାଜାର ଅନ୍ତଃକାଳେ । ଭୂମି କମ୍ପିଲା ଟଳମଳେ ॥ ୭୧
ଏହାର ବଳ ଆଶ୍ରେ କରି । ସୁଖେ ବଞ୍ଚିଲେ ନରନାରୀ ॥ ୭୨
ଏହାର ନାମେ ଯା'ର ଭାବ । ସେ ପ୍ରାଣୀ ସଂସାରୁ ତରିବ ॥ ୭୩
ଦେଖ ଏହାର ବର୍ଣ୍ଣ ଚିହ୍ନ । ପ୍ରତ୍ୟକ୍ଷେ ବିଷ୍ଣୁର ସମାନ ॥ ୭୪
ଏଣେ ବିଶ୍ୱାସ ନନ୍ଦ କର । ତରିବୁ ଭବ ମହାଘୋର ॥ ୭୫
ଏମନ୍ତ କହି ନନ୍ଦ ଆଗେ । ମଥୁରା ଗଲେ ମୁନି ବେଗେ ॥ ୭୬
ନନ୍ଦ ସନ୍ତୋଷ ମନେ ଗୁଣି । କୃଷ୍ଣୁଙ୍କୁ ଘେନିଲା ରୋହିଣୀ ॥ ୭୭
ଯଶୋଦା ରାମ ଘେନି କୋଳେ । ସ୍ତନ୍ୟ ପିଆନ୍ତି ସୁଖଭୋଳେ ॥ ୭୮
କେତେହେଁ ଦିନ ତହିଁ ଗଲା । ଶୁଣ ହୋ ଶ୍ରୀକୃଷ୍ଣର ଲୀଳା ॥ ୭୯
ଦିନେକ ରାମ ଶିରୀଧର । ମନ୍ଦିରୁ ହୋଇଲେ ବାହାର ॥ ୮୦
ଚାଲନ୍ତି ଆଗେ ଗୁଳଗୁଞ୍ଚା । କ୍ଷଣ କ୍ଷଣକେ ପଛଘୁଞ୍ଚା ॥ ୮୧
ଚରଣେ ନୂପୁର ବାଜେଣୀ । କରେ କଙ୍କଣ କଣ୍ଠେ ମଣି ॥ ୮୨
ଚାଲନ୍ତେ ଗୋପୀଙ୍କ ଅଗଣା । କର୍ଦ୍ଦମେ ପଡ଼ି ହୋନ୍ତି ବଣା ॥ ୮୩
ପୁଣି ଚାଲନ୍ତେ ପୁଣି ବାଜେ । ପଛକୁ ଚାହିଁ ଦେବରାଜେ ॥ ୮୪
ଚରଣେ ରୁଣୁଝୁଣୁ ନାଦେ । ଗୋବିନ୍ଦ ନାଚନ୍ତି ଆନନ୍ଦେ ॥ ୮୫
ଦେଖି ଧାମନ୍ତି ବେନିମାଏ । ରାମକୃଷ୍ଣଙ୍କ ପଙ୍କ କାୟେ ॥ ୮୬
କାଖେ ବସାଇ ଘରେ ଆଣି । ଧୁଅନ୍ତି ଘେନି ବାସପାଣି ॥ ୮୭
ଝୀନବସନେ ପୋଛି ଦେହ । କ୍ଷଣକ୍ଷଣକେ ମାୟାମୋହ ॥ ୮୮
ବେନି ମାତାଏ କୋଳେ ଧରି । ସ୍ତନ୍ୟ ପିଆନ୍ତି ପେଟଭରି ॥ ୮୯
ପାଟିକେ ଦୁଇ ଦୁଇ ଦନ୍ତ । ଦେଖିଣ ଯଶୋଦା ଉଷତ ॥ ୯୦
ରୋହିଣୀ ଦେଖିଣ ସାନନ୍ଦ । ପୁତ୍ରଙ୍କୁ କୋଳ କଲା ନନ୍ଦ ॥ ୯୧
ଦିନକୁ ଦିନ ବଳୀୟାର । ବଢ଼ନ୍ତି ରାମ ଦାମୋଦର ॥ ୯୨
ଗୋପାଳ ବାଳକଙ୍କ ମେଳେ । ଗୋପୀଏ ଧରୁଥା'ନ୍ତି କୋଳେ ॥ ୯୩
ଖେଳନ୍ତି ଗୃହ ଦାଣ୍ତ ଭାଗେ । ବାଛୁରୀମାନଙ୍କର ସଙ୍ଗେ ॥ ୯୪
ଉଠନ୍ତି ବତ୍ସାଙ୍କ ଉପର । ଧୂଳି ଧୂସର କଳେବର ॥ ୯୫
ବତ୍ସାଏ ଉଠି ଯେ ପଳାନ୍ତି । ଲାଙ୍ଗୁଡ଼ ଧରି ଓଟାରନ୍ତି ॥ ୯୬
ପୁଣି ପଳାନ୍ତେ କର ଛାଡ଼ି । ତଳେ ପଡ଼ନ୍ତି ମୁହଁମାଡ଼ି ॥ ୯୭
ତୁଣ୍ତରୁ ଗଳଇ ରୁଧିର । କାନ୍ଦନ୍ତି ବ୍ରହ୍ମାଣ୍ତ ଠାକୁର ॥ ୯୮
ଘରୁ ବାହାର ହୋଇ ଗୋପୀ । କୃଷ୍ଣଙ୍କୁ ଚାହାନ୍ତି ନିରୋପି ॥ ୯୯
ଧୂଳି ଝାଡ଼ନ୍ତି ବାସ୍ତ୍ର ଘେନି । କୋଳ କରନ୍ତି ପୁତ୍ର ବେନି ॥ ୧୦୦
ଘରେ ଶୁଆଉଁ ବସ୍ତ୍ର ପାଡ଼ି । ଲୋଟି ହୁଅନ୍ତି ଗଡ଼ାଗଡ଼ି ॥ ୧୦୧
କ୍ଷଣକେ ହୁଅନ୍ତି ବାହାର । କ୍ଷଣ କ୍ଷଣକେ ଆଗୁସାର ॥ ୧୦୨
ଗୋପୀ ଧରନ୍ତି ଯାଇ କୋଳେ । ଚୁମ୍ବନ ଦ୍ୟନ୍ତି କୁତୂହଳେ ॥ ୧୦୩
ନନ୍ଦର ଘରେ ଦ୍ୟନ୍ତି ନେଇ । କହନ୍ତି ଯଶୋଦାକୁ ଚାହିଁ ॥ ୧୦୪
ଏ ତୋର କେବଣ ବିଚାର । ପୁତ୍ର ନ ଥୋଉ କିମ୍ପପାଁ ଘର ॥ ୧୦୫
ଏକ ବାଳକେ ନ ସମ୍ଭାଳୁ । ବିପଦ ପଡ଼ିଲେ ଯେ ଭାଳୁ ॥ ୧୦୬
ଶୁଣି ଯଶୋଦା କୃଷ୍ଣ ଘେନି । ରାମଙ୍କୁ ସମ୍ଭାଳେ ରୋହିଣୀ ॥ ୧୦୭
ଦିନକୁ ଦିନ ଅପ୍ରମିତେ । ଘରେ ନ ରହନ୍ତି ବାଳୁତେ ॥ ୧୦୮
ଗୋ ଶୃଙ୍ଗ ଧରିଣ ନାଚନ୍ତି । ଅଗ୍ନିର ନିକଟେ ବୁଲନ୍ତି ॥ ୧୦୯
ଡେରିଲା ଖଣ୍ତାକୁ ଚାଳନ୍ତି । ଶ୍ୱାନର ତୁଣ୍ତେ ହସ୍ତ ଦ୍ୟନ୍ତି ॥ ୧୧୦
ପଡ଼ି ଲୋଟନ୍ତି ଜଳକୁଣ୍ତେ । ହସ୍ତ ଭରନ୍ତି ସର୍ପତୁଣ୍ତେ ॥ ୧୧୧
କଣ୍ଟା ଉପରେ ଗଡ଼ିଯା'ନ୍ତି । ମାର୍ଜାରୀ ପୁଅକୁ ଧରନ୍ତି ॥ ୧୧୨
ଖେଳନ୍ତି ଅତି ବଳୀୟାର । ଗୋକୁଳେ ରାମ ଦାମୋଦର ॥ ୧୧୩
ନିତ୍ୟେ ପୁତ୍ରଙ୍କୁ ଧରିଆଣି । ପିଟନ୍ତି ଯଶୋଦା ରୋହିଣୀ ॥ ୧୧୪
ବେପାର ନ ପାରନ୍ତି କରି । ପୁଣି ଆଣନ୍ତି କୋଳେ ଧରି ॥ ୧୧୫
ଦଣ୍ତେ ହେଁ ନରହନ୍ତି ଘରେ । ବୁଲନ୍ତି ଗୋପୀଙ୍କ ମନ୍ଦିରେ ॥ ୧୧୬
ତୁଲ୍ୟବୟସ ଗୋପବାଳେ । ଖେଳନ୍ତି ରାମକୃଷ୍ଣ ତୁଲେ ॥ ୧୧୭
ଭାଙ୍ଗନ୍ତି କାହା ଦଧିଭାଣ୍ତ । ବସ୍ତ୍ର ଚିରନ୍ତି ଖଣ୍ତ ଖଣ୍ତ ॥ ୧୧୮
କାହାର ପିଆନ୍ତି ବାଛୁରୀ । ଲବଣି ଖା'ନ୍ତି ଚୋରିକରି ॥ ୧୧୯
କନ୍ଦାନ୍ତି ଦୋଳିର କୁମର । ପାଣି ଢାଳନ୍ତି କା' ଉପର ॥ ୧୨୦
ସହି ନପାରି ଗୋପବାଳୀ । ନନ୍ଦର ଘରେ ଥୋକେ ମିଳି ॥ ୧୨୧
ଗୋପୀ କହନ୍ତି ଆଗବଢ଼ି । ଯଶୋଦା ପାଦତଳେ ପଡ଼ି ॥ ୧୨୨
ସମ୍ଭାଳ ତୋର ଘରଦ୍ୱାର । ଆମ୍ଭେ ନ ଥିବୁ ଗୋପପୁର ॥ ୧୨୩
କହିବୁ ଆଉ ଗୁଣକେତେ । ଶୁଣ ଗୋ କର୍ମ କଲା ଯେତେ ॥ ୧୨୪
ଜୀବିକା ବୁଡ଼ିଲା ଆମ୍ଭର । ବତ୍ସା ମେଲାନ୍ତି ତୋ' କୁମର ॥ ୧୨୫
ଘରେ ନ ଥାଉଁ ଯେତେବେଳେ । ଚୋରି କରଇ ଅବହେଳେ ॥ ୧୨୬
ଶିକା ଦଉଡ଼ି କାଟିଦେଇ । ଲବଣି କାନ୍ଥେ ଲେପୁଥାଇ ॥ ୧୨୭
ବସ୍ତ୍ର ଚିରଇ ଘରେ ପଶି । ବୋଇଲେ ବେଗେ ଯାଏ ଋଷି ॥ ୧୨୮
ଭାଣ୍ତ ଭାଙ୍ଗଇ ଲୁଚି ଲୁଚି । କଥାକେ ଯାଉଥାଏ ଘୁଞ୍ଚି ॥ ୧୨୯
ଖୋଜିଣ ଦୁଧ ସର ଖାଇ । କାହାର ଭାଣ୍ତରେ ମୂତଇ ॥ ୧୩୦
ସର ନପାଏ ଯା'ର ଘରେ । ହାଣ୍ତି ଭାଙ୍ଗଇ କୋପଭରେ ॥ ୧୩୧
କିଛି ନପାଏ ଯା'ର ଘର । ଉଠଇ ଦୋଳିର ଉପର ॥ ୧୩୨
ଶୋଇଲା ପୁଅକୁ କନ୍ଦାଏ । ଗୋଡ଼ାଇ ଗଲେ ଗାଳିଦିଏ ॥ ୧୩୩
ଏକଇ ଗୋପୀ ରୋଷଭରେ । କହଇ ଯଶୋଦା ଆଗରେ ॥ ୧୩୪
ଯମୁନା ଯିବାବେଳେ ମୋର । ଘରେ ପଶିଲା ତୋ' କୁମର ॥ ୧୩୫
କବାଟ ଫେଡ଼ିଣ ମୋହର । ଘରେ ପଶଇ ଯେହ୍ନେ ଚୋର ॥ ୧୩୬
ତା' ଦେଖି ବାହୁଡ଼ିଲି ମୁହିଁ । ଜଳାକବାଟି ବାଟେ ଚାହିଁ ॥ ୧୩୭
ଶିକାରେ ଅଛି ମୋର ସର । ଗମ୍ଭିରୀ ବଡ଼ଇ ଅନ୍ଧାର ॥ ୧୩୮
କିଛି ନ ପାଇ ମୋର ଘରେ । ପଶିଲା ଗମ୍ଭୀରି ଭିତରେ ॥ ୧୩୯
କି ମନ୍ତ୍ର ଜାଣେ ତୋର ପୁଅ । କୋଟିଏ ସୂର୍ଯ୍ୟ ଜିଣି ଦେହ ॥ ୧୪୦
ଘୋର ଅନ୍ଧାର ଗଲା କେଣେ । ପୁଣି ଚାହିଁଲା ଏଣେତେଣେ ॥ ୧୪୧
ଦେଖିଲା ଶିକା ଅଛି ଉଚ୍ଚେ । ହସ୍ତ ନ ପାଇଲା ସୁସଞ୍ଚେ ॥ ୧୪୨
ରୋଳ ଆଣିଲା ଧାତିକାରେ । ଉଠିଲା ତଥିର ଉପରେ ॥ ୧୪୩
ସବୁ ଖାଇଲା ଦୁଧସର । ତୁଣ୍ତୁ ମୋ' ନଇଲା ଉତ୍ତର ॥ ୧୪୪
ପୁଣି ଗୋପୀଏ ହୋଇ ଆଗେ । କୋପେକହଇ ବେଗେ ବେଗେ ॥ ୧୪୫
ଭୋ ମାତ ଗଲି ନୀର ଆଣି । ତୋ' ସୁତ ଖାଇଲା ଲବଣି ॥ ୧୪୬
ଆସି ହୋଇଲି ବେଗେ ଘର । ବସିଛି ପିଣ୍ତାର ଉପର ॥ ୧୪୭
ବୋଇଲା ଗଲୁ ଏତେବେଳ । ତୋ' ଘରେ ପଶିଥିଲା ଚୋର ॥ ୧୪୮
ମୁଁ ଏବେ ବସିଅଛି ଜଗି । ଖାଇବି ଆନଘରେ ମାଗି ॥ ୧୪୯
ଖରେ ପଶିଲି ଘରେ ମୁହିଁ । ଦେଖିଲି ଗଲାଣି ପଳାଇ ॥ ୧୫୦
ପୁଣି ଗୋପୀଏ ଆଗସରି । ବୋଲଇ ଶୁଣ ନନ୍ଦନାରୀ ॥ ୧୫୧
ଦିନେକ ମୋର ଘରେ ଗଲା । କରଅଞ୍ଜଳି ପ୍ରସାରିଲା ॥ ୧୫୨
ବୋଇଲା ଫୁଟିଲି ମୁଁ ପଥେ । ଲବଣି ଦିଅ ମୋର ହସ୍ତେ ॥ ୧୫୩
ହସ୍ତ ପୂରାଇ ଦିଅ ସର । ତୋ ଘରେ ନପଶିବ ଚୋର ॥ ୧୫୪
ଶୁଣି ସାନନ୍ଦ ମନେ ମୁହିଁ । ସର ଲୁଚାଏ ଦେଲି ନେଇ ॥ ୧୫୫
ହସ୍ତ ନ ପୂରଇ ତାହାର । ବୋଲଇ ଆଣ ଧାତିକାର ॥ ୧୫୬
ପୁଣି ଥୋକାଏ ଦେଲି ନେଇ । ଦେଖିଲି ହସ୍ତ ନ ପୂରଇ ॥ ୧୫୭
ଯେତେକ ଥିଲା ଘରେ ମୋର । ଦୁଧ ଲବଣି ଘୃତ ସର ॥ ୧୫୮
ସବୁ ଢାଳିଲି ବେଗେ ନେଇ । ଦେଖିଲି ହସ୍ତ ନ ପୂରଇ ॥ ୧୫୯
ପାଖ ପଡ଼ିଶା ଯେତେ ଘର । ସବୁ ଆଣିଲି ଘୃତ ସର ॥ ୧୬୦
କେବେହେଁ କର ନ ପୂରିଲା । ପୁଣି ହିଁ ଆଣ ଲୋ ବୋଇଲା ॥ ୧୬୧
ଦେଖି ମୁଁ ହୋଇଲି ଚକିତ । ଏକା ଗ୍ରାସକେ ଗର୍ଭଗତ ॥ ୧୬୨
ହସ୍ତ ବୋଳିଲା ମୋର ମୁେ । ପଳାଇଗଲା ଦାଣ୍ତେ ଦାଣ୍ତେ ॥ ୧୬୩
ଗୋପୀଙ୍କ ଭାଷା ଶୁଣି ଶୁଣି । କୋପେ ବୋଲଇ ନନ୍ଦରାଣୀ ॥ ୧୬୪
କୃଷ୍ଣର ଧରିଛନ୍ତି କର । ଭୟେ କମ୍ପନ୍ତି ଚକ୍ରଧର ॥ ୧୬୫
ଯଶୋଦା ବୋଲଇ ଲୋ ଶୁଣ । ଜାଣିଲି ପୁତ୍ର ଦୁଷ୍ଟପଣ ॥ ୧୬୬
ତୁମ୍ଭର ଜାଣିଲି ସଦୟେ । ଦେଲଟି ଲବଣି ଟିକାଏ ॥ ୧୬୭
ଏତେକେ ବୁଡ଼ିଲା ତୋ' ଘର । ଭଣ୍ତ ଲୋ ମୋହର ଆଗର ॥ ୧୬୮
ବାଳୁତ ପୁଅ ହସ୍ତ କାହିଁ । ଶତେ ନଉତି ନପୂରଇ ॥ ୧୬୯
ଏତେ ଅନୀତି କଥା କହ । ଜାଣତ ଦୁଷ୍ଟ ମୋର ପୁଅ ॥ ୧୭୦
ଏ ଛାର ତୁମ୍ଭର ପ୍ରମାଣ । ଏଥକୁ ସାକ୍ଷୀ ନାରାୟଣ ॥ ୧୭୧
ଦାସବତ୍ସଳ ଭଗବାନ । ଚାହିଁଲେ ଗୋପୀଙ୍କ ବଦନ ॥ ୧୭୨
ଗୋପୀ କରିବେ ତା'ଙ୍କୁ କିସ । ଏମନ୍ତ ପ୍ରଭୁ ହୃଷୀକେଶ ॥ ୧୭୩
ମୋହନ କରି ହସ ହସ । ଗୋପୀ ହୋଇଲେ ସର୍ବେବଶ ॥ ୧୭୪
ତକ୍ଷଣେ ସ୍ନେହଭର ହୋଇ । ଗୋପୀଏ ଏକୁ ଆରେ ଚାହିଁ ॥ ୧୭୫
କୃଷ୍ଣର ମୁଖେ ଚୁମ୍ବ ଦେଇ । ଯେ ଯାହା ଘରକୁ ସେ ଯାଇ ॥ ୧୭୬
ଶୁଣ ପରୀକ୍ଷ ମହୀପାଳ । ବାଳକଲୀଳା ନନ୍ଦବାଳ ॥ ୧୭୭
ଦିନେକ ରାମ ବନମାଳୀ । ବାଳକ ମେଳେ ଗଲେ ଖେଳି ॥ ୧୭୮
ଆନନ୍ଦେ କ୍ରୀଡ଼ାରଙ୍ଗେ ଫୁଟି । ତୁଣ୍ତେ ଭରିଲେ କୃଷ୍ଣ ମାଟି ॥ ୧୭୯
ରାମ ଦେଖିଣ ଗଲେ ଖରେ । କହିଲେ ଯଶୋଦା ଛାମୁରେ ॥ ୧୮୦
ଶୁଣ ଜନନୀ ମୋ' ଉତ୍ତର । ମାଟି ଭକ୍ଷିଲା ତୋ' କୁମର ॥ ୧୮୧
ଯାଇ ମୁଁ ଧଇଲି ତା' ହସ୍ତ । ମାରଇ ବୋଲି ଭୟଚିତ୍ତ ॥ ୧୮୨
ବେଗେ ସେ ଛଡ଼ାଇଲା ହସ୍ତ । ମୋ ଅଙ୍ଗେ ମାଇଲା ବହୁତ ॥ ୧୮୩
ଶୁଣି ଯଶୋଦା ବେଗେ ଯାଇ । ଧଇଲେ କୃଷ୍ଣ କର ଦୁଇ ॥ ୧୮୪
କୋପ ନୟନେ ଗୋପୀ ଚାହେଁ । ଭୟେ କମ୍ପନ୍ତି ଦେବରାୟେ ॥ ୧୮୫
ଯଶୋଦା କୋପେ ପରଜ୍ୱଳି । ଛାଟ ଉଞ୍ଚାଇ ଦେଲେ ଗାଳି ॥ ୧୮୬
ସର-ଲବଣି ତୁ ପକାଉ । କାହାର ବୋଲେ ମାଟି ଖାଉ ॥ ୧୮୭
ଆଜ ମାରିବି ତୋତେ ଘରେ । କହିବି ପିତାଙ୍କ ଛାମୁରେ ॥ ୧୮୮
ପୋଏ କହିଲେ ଶୁଣ ମାଏ । ଭକ୍ଷିଲେ ମୃତ୍ତିକା ମୁଠାଏ ॥ ୧୮୯
ଶୁଣି ଯଶୋଦା କୋପ କରି । ଛାଟ ଉଞ୍ଚାଇ ଦେଲେ ଗାଳି ॥ ୧୯୦
ଅଞ୍ଚଳେ ବାନ୍ଧି ବେନି ହସ୍ତ । ଭୟେ କମ୍ପନ୍ତି ଗୋପୀନାଥ ॥ ୧୯୧
ଛାଟ ଉଞ୍ଚାନ୍ତେ ନନ୍ଦନାରୀ । କାନ୍ଦି କହନ୍ତି ନରହରି ॥ ୧୯୨
ଏହାଙ୍କ ଘରେ ମୁହିଁ ଯାଇ । ଲବଣି ଭୁଞ୍ଜଇ ଚୋରାଇ ॥ ୧୯୩
ସେ ଘେନି କହୁଛନ୍ତି ଖଚ । ତୁଣ୍ତ ମୋ' ଦେଖ ତୁ ପ୍ରତ୍ୟକ୍ଷ ॥ ୧୯୪
ବଳଦେବ ହିଁ ମୋତେ ହିଂସି । ତୋଆଗେ କହିଲେ ସେ ଆସି ॥ ୧୯୫
ମୋ ତୁଣ୍ତେ ଥିଲେ ସିନା ମାଟି । ତେବେହେଁ ମୋତେ ଛାଟେପିଟି ॥ ୧୯୬
ହସ୍ତରୁ ବେଗେ ଛାଟ ପକା । ମାଏ ବୋଇଲେ ତୁଣ୍ତ ଦେଖା ॥ ୧୯୭
ଶୁଣି ସାନନ୍ଦ ଚକ୍ରଧର । ବିସ୍ତାରି ଦେଖାନ୍ତି ଅଧର ॥ ୧୯୮
ତକ୍ଷଣେ ବେନିପାଟି ଧରି । ତୁଣ୍ତେ ଚାହିଁଲେ ନନ୍ଦନାରୀ ॥ ୧୯୯
ଦେଖଇ ଅଶେଷ ବ୍ରହ୍ମାଣ୍ତ । ସପତ-ମହୀ ନବଖଣ୍ତ ॥ ୨୦୦
ସ୍ଥଳ ସାଗର ମହୀଧର । ଶଶୀ ନକ୍ଷତ୍ର ଦିବାକର ॥ ୨୦୧
ଦିଶ ଆକାଶ ଅନ୍ତରାଳ । ଗ୍ରହ ପବନ ମେଘମାଳ ॥ ୨୦୨
ସ୍ଥାବର ଆଦି ସର୍ବଜନ୍ତୁ । ବିଶ୍ୱସଂସାରେ ଯେତେ ହେତୁ ॥ ୨୦୩
ନଗ୍ର ପାଟଣା ପୁର ଗ୍ରାମ । ନଦୀ ପର୍ବତ ଘୋରବନ ॥ ୨୦୪
ମଥୁରାପୁର ଆଦି କରି । ଗୋପନଗର ନରନାରୀ ॥ ୨୦୫
ବାଳକ ମେଳେ ନନ୍ଦଦ୍ୱାରେ । କୃଷ୍ଣଙ୍କୁ ଘେନିଛନ୍ତି କରେ ॥ ୨୦୬
ରୋହିଣୀ ଛନ୍ତି ରାମ ଘେନି । ସ୍ତୁତି କରନ୍ତି ସୁର ମୁନି ॥ ୨୦୭
ଦେଖି ଚକିତ ନନ୍ଦରାଣୀ । ମୂର୍ଚ୍ଛିତେ ପଡ଼ିଲେ ଧରଣୀ ॥ ୨୦୮
ପୁଣି କ୍ଷଣକେ ପାଇ ଜ୍ଞାନ । ଭାଳଇ ଦେଖିଲି ସ୍ୱପନ ॥ ୨୦୯
କେଉଁ ଦେବତା ମାୟା କଲା । ମୋହର ମନକୁ ମୋହିଲା ॥ ୨୧୦
କି ଅବା ହୋଇଲଇଁ ବାଇ । ଜ୍ଞାନ ହାରିଲି ଗର୍ଭ ଚାହିଁ ॥ ୨୧୧
ଏ ବଡ଼ ପଡ଼ିଲା ସଂଶୟ । ଏବେ କି ବୁଦ୍ଧି ମୋର ମୋହ ॥ ୨୧୨
ଜଗତ ଦେଖିଲି ତ ଗର୍ଭେ । ଏହା ବୁଝିବି କେଉଁ ଭାବେ ॥ ୨୧୩
ପୁତ୍ରର କାହିଁ ଏଡ଼େ ଗର୍ଭ । ଏ କି ଅନାଦି ପଦ୍ମନାଭ ॥ ୨୧୪
ସିଦ୍ଧ ପୁରୁଷ ଅବା ଜାତ । ଏହାକୁ ବୋଲଇ ମୁଁ ସୁତ ॥ ୨୧୫
କିବା ଡାକିନୀ ମାୟା କଲା । ଗର୍ଭେ ତ ଏମନ୍ତ ଦିଶିଲା ॥ ୨୧୬
ନ ପୁଣ ପଡ଼ଇ ପ୍ରମାଦ । ଶୋକେ ଯଶୋଦା ଗଦଗଦ ॥ ୨୧୭
ଏତ ନୁହଁଇ ଭଲ ଚିହ୍ନ । ମୋହର ମନ ଛନ ଛନ ॥ ୨୧୮
ଏମନ୍ତ ଭାଳି ନନ୍ଦରାଣୀ । ମନ ବଚନ ଚିତ୍ତେ ଗୁଣି ॥ ୨୧୯
ନ ଜାଣି ବାଇ ପ୍ରାୟ ହୋଇ । ଭାଳଇ ଦଶଦିଗ ଚାହିଁ ॥ ୨୨୦
ପୁଣ କ୍ଷଣକେ ଅନୁମାନି । ଚିତ୍ତେ ଚିନ୍ତଇ ଭୟ ଘେନି ॥ ୨୨୧
ଯାହାର ମାୟାଘୋର ଭ୍ରମେ । ଜୀବ ଭ୍ରମଇ ପଥଶ୍ରମେ ॥ ୨୨୨
ମୁହିଁ ମୋହର ଏ ସଂସାର । ପତି ତନୟ ବନ୍ଧୁ ମୋର ॥ ୨୨୩
ସ୍ୱାମୀର ପତ୍ନୀ ମୁହିଁ ସରି । ସର୍ବ ସମ୍ପଦ ମୁଁ ଆବୋରି ॥ ୨୨୪
ଏ ଗୋପୀ ଗୋପ ଗୋରୁ ଧନ । ସର୍ବ ଆବୋରି ମୋର ମନ ॥ ୨୨୫
ଯା'ର ମାୟାରେ ଏହି ମତି । ସେ ହରି ମୋତେ କରୁ ଗତି ॥ ୨୨୬
ଏତେ ବିଚାରି କଲା ଭୟ । ମାୟା ମୋହିଲେ ଦେବରାୟ ॥ ୨୨୭
ତକ୍ଷଣେ କୃଷ୍ଣେ କରି କୋଳ । ନମଇଁ ଦଶଦିଗ ପାଳ ॥ ୨୨୮
ଜୟ ଚଣ୍ତିକା ଗୋ ମଙ୍ଗଳା । ରଖ ମୋ ଏକଇର ବଳା ॥ ୨୨୯
ଗଜବଦନ କ୍ଷେତ୍ରପାଳେ । ପୁତ୍ର ମୋ ରଖ ସର୍ବକାଳେ ॥ ୨୩୦
ନମଇଁ ଗୋବିନ୍ଦର ପାୟେ । ରିଷ୍ଟ ଖଣ୍ତିବେ ମୋ' ତନୟେ ॥ ୨୩୧
ଏମନ୍ତ ବୋଲି କୃଷ୍ଣେ ଘେନି । ଘରେ ମିଳିଲା ନନ୍ଦରାଣୀ ॥ ୨୩୨
ଗୋରଜ କୃଷ୍ଣଦେହେ ବୋଳି । ଅନେକ କଲା ନିଉଛାଳି ॥ ୨୩୩
ପୁତ୍ରକୁ କରାଇ ସ୍ନାହାନ । ବ୍ରାହ୍ମଣେ ଦେଲା ମିଷ୍ଟଅନ୍ନ ॥ ୨୩୪
ସ୍ତନ୍ୟ ପିଆଇ କୋଳେ ଧରି । ନିଦ୍ରା କରାଇଲା ମୁରାରି ॥ ୨୩୫
ବୋଲେ ପରୀକ୍ଷ ଶୁକ ଚାହିଁ । ତୁମ୍ଭରେ ନିସ୍ତରିଲି ମୁହିଁ ॥ ୨୩୬
ନନ୍ଦ ଯଶୋଦାଙ୍କର ତପ । ଭୋ ମୁନି କହିବା ସ୍ୱରୂପ ॥ ୨୩୭
ଯାହାର ନାମ ହୃଦେ ଘେନି । ସଂସାରୁ ତରିଯା'ନ୍ତି ମୁନି ॥ ୨୩୮
ତପେ ବିଧାତା ଯାକୁ ଧାୟି । ଯା' ନାମ ଶଙ୍କର ଜପଇ ॥ ୨୩୯
ଦେବେ ନ ଜାଣନ୍ତି ଯାହାକୁ । ସେ କେହ୍ନେ ପ୍ରାପତ ନନ୍ଦକୁ ॥ ୨୪୦
ଯଶୋଦା କଲା କେଡ଼େ ଭାଗ୍ୟ । ତାହାର କୋଳେ ପଦ୍ମନାଭ ॥ ୨୪୧
ଗର୍ଭରେ ଧରି ଦଶମାସ । ଦେବକୀ ହୋଇଲା ନିରାଶ ॥ ୨୪୨
କୃଷ୍ଣର ଏତେ ବଡ଼ ମାୟା । ଏହାରେ କଲେ ଏଡ଼େ ଦୟା ॥ ୨୪୩
କହିବା ମୋତେ ମୁନିବର । ନିର୍ମଳ ହେଉ ମୋ ଶରୀର ॥ ୨୪୪
ମୁନି କହନ୍ତି ତାହା ଶୁଣି । କୃଷ୍ଣଚରିତ ମନେ ଗୁଣି ॥ ୨୪୫
ଶୁଣ ରାଜନ କୃଷ୍ଣକଥା । ସୃଷ୍ଟିର ଆଦ୍ୟକାଳେ ଧାତା ॥ ୨୪୬
ଅଷ୍ଟବସୁଙ୍କୁ ଜାତ କଲା । ଜଣ ଜଣକେ ନାମ ଦେଲା ॥ ୨୪୭
ପୁତ୍ରଙ୍କ ମଧ୍ୟେ ସାଧୁ ଧୀର । ଦ୍ରୋଣବସୁ ନାମ ଯାହାର ॥ ୨୪୮
ପତ୍ନୀର ନାମ ତାର ଧରା । ସମ ନୁହଁଇ ଅପସରା ॥ ୨୪୯
ପୁତ୍ର-ବଧୂଙ୍କୁ ରାଇ ଧୀର । ଆଦେଶ ଦେଲେ ବେଦବର ॥ ୨୫୦
ବେଦପ୍ରମାଣେ ସୃଷ୍ଟି କର । ସଂସାର ହୋଇବ ତୁମ୍ଭର ॥ ୨୫୧
ଶୁଣି ଯୋଡ଼ିଲେ ବେନିକର । ମଧୁରେ କହନ୍ତି ଉତ୍ତର ॥ ୨୫୨
ବୋଲନ୍ତି ଶିରେ କର ଦେଇ । ଭୋ ତାତ ଏଣେ କାର୍ଯ୍ୟ ନାହିଁ ॥ ୨୫୩
ଆମ୍ଭର ଚିତ୍ତ ଅପ୍ରମାଦେ । ଭକତି ହେଉ କୃଷ୍ଣପାଦେ ॥ ୨୫୪
ତେବେ କରିବୁଁ ତୋ ବଚନ । ଭୋ ତାତ ହୋଇବା ପ୍ରସନ୍ନ ॥ ୨୫୫
ସନ୍ତୋଷେ ବୋଲେ ପ୍ରଜାପତି । ଗୋବିନ୍ଦେ ହେଉ ତୁମ୍ଭ ମତି ॥ ୨୫୬
ହରିଙ୍କି ଧାୟି ତପକରି । ଶୀତ ବରଷା ଅପହରି ॥ ୨୫୭
ସୂର୍ଯ୍ୟତେଜକୁ ନାହିଁ ଭୟେ । ତପ କରନ୍ତି କୃଷ୍ଣଲୟେ ॥ ୨୫୮
ତାହା ଜାଣିଲେ ନାରାୟଣ । ବ୍ରାହ୍ମଣ ରୂପେ ପରସନ୍ନ ॥ ୨୫୯
କୃଷ୍ଣ ଆରାଧି ତପ କରି । ପୁତ୍ର ମୋ ହୋଇବେ ମୁରାରି ॥ ୨୬୦
ଏହାଉଁ ଆନ କାର୍ଯ୍ୟ ନାହିଁ । ତୁମ୍ଭ ଚରଣେ କହିଲଇଁ ॥ ୨୬୧
ଶୁଣି ହସିଲେ ଭାବଗ୍ରାହୀ । କହନ୍ତି ଦୁହିଁଙ୍କି ଅନାଇ ॥ ୨୬୨
ଗୋପରେ ହୁଅ ଯାଇ ଜାତ । ତୁମ୍ଭେ ଯେ ହୋଇବ ମହତ ॥ ୨୬୩
ଦ୍ୱାପର ଯୁଗେ ଭାରା ନାଶେ । ଜନ୍ମ ହୋଇବେ ପୀତବାସେ ॥ ୨୬୪
ଦେବକୀ ଗର୍ଭେ ହୋଇ ଜାତ । କୃଷ୍ଣ ହୋଇବେ ତୁମ୍ଭ ସୁତ ॥ ୨୬୫
ପୁତ୍ର ବୋଲାଇବେ ତୁମ୍ଭର । ଅସୁର କରିବେ ସଂହାର ॥ ୨୬୬
ଏଗାର ବତ୍ସର ତୋ ଘରେ । ବଞ୍ଚିବେ ପୁତ୍ରସ୍ନେହ ଭରେ ॥ ୨୬୭
ଗୋପରେ କରିଣ ବିହାର । ବିଜେ କରିବେ ମଧୁପୁର ॥ ୨୬୮
ନିଜ ସ୍ୱରୂପ ଧରି ହରି । ତାହାଙ୍କ ଆଶା ପୂର୍ଣ୍ଣକରି ॥ ୨୬୯
ଏତେକ କହି ନାରାୟଣ । ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ ॥ ୨୭୦
କୃଷ୍ଣ ଆଦେଶ ଘେନି ଶିରେ । ଜନ୍ମ ହୋଇଲେ ଗୋପପୁରେ ॥ ୨୭୧
କୃଷ୍ଣଙ୍କୁ ତପବଳେ ପାଇଁ । ପାଳନ୍ତି ପିତାମାତା ହୋଇ ॥ ୨୭୨
ଶୁଣ ସୁଜନେ କୃଷ୍ଣବାଣୀ । ନିର୍ମଳ ହୁଅ ମନେ ଗୁଣି ॥ ୨୭୩
ପୁରାଣ ଗୀତବନ୍ଧେ କଲି । ରାମକୃଷ୍ଣଙ୍କ ବାଳକେଳି ॥ ୨୭୪
ଏଥକୁ ହୁଅ ଦୃଢ଼ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୨୭୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ନବମୋଽଧ୍ୟାୟଃ ।
* * *