ଦଶମ ସ୍କନ୍ଧ
ଅଷ୍ଟମ ଅଧ୍ୟାୟ
ରାଜା ଉବାଚ
ନମଇଁ କୃଷ୍ଣ-ପଦ୍ମପାଦ । ଏ ମୋର ଜୀବନ-ସମ୍ପଦ ॥ ୧
ପରୀକ୍ଷ ଶୁକମୁଖ ଚାହିଁ । ବୋଲନ୍ତି କୃତକୃତ୍ୟ ହୋଇ ॥ ୨
ଗୋପ ନବରେ ନରହରି । ମାଇଲେ ପୂତନା ଅସୁରୀ ॥ ୩
ଦେବଙ୍କ ଭୟ ନିବାରିଲେ । ନିଜ ଶରୀରେ ଠାବ ଦେଲେ ॥ ୪
ଯାହାର ନାହିଁ ମିତ୍ର-ଅରି । ଚାଣ୍ତାଳୁଁ ବ୍ରହ୍ମ ଆଦି କରି ॥ ୫
ସାଧୁଙ୍କୁ ପାଳି ଦୁଷ୍ଟ ନାଶି । ଦୟାସାଗର ବ୍ରହ୍ମରାଶି ॥ ୬
ତାହାଙ୍କ ଯେତେ କର୍ମମାନ । ବାଳକ-ଚରିତ ବିଧାନ ॥ ୭
ଶୁଣି ଭଜନ୍ତି ଯେତେ ପ୍ରାଣୀ । ତରନ୍ତି ଭବ-ତରଙ୍ଗିଣୀ ॥ ୮
ମାୟା-ମନୁଷ୍ୟ ଅବତାର । ଖଣ୍ତିବେ ଅବନୀର ଭାର ॥ ୯
ଆବର କଲେ ଗୋପେ ଯାହା । କହିବା ଯେବେ ମୋତେଦୟା ॥ ୧୦
ରାଜା ପ୍ରଶନ ବାକ୍ୟ ଶୁଣି । କହନ୍ତି ଶୁକ ମହାମୁନି ॥ ୧୧
କହିବା ଶୁଣ କୃଷ୍ଣକଥା । ଯେଣେ ତୁଟିବ ଭବବ୍ୟଥା ॥ ୧୨
ଅନ୍ତୁଡ଼ି ଉଠିଆରୀ ଦିନେ । ଆସି ମିଳିଲେ ଗୋପୀଜନେ ॥ ୧୩
ମଙ୍ଗଳ ଗୀତନାଦ କରି । ସ୍ନାନ କରାଇଲେ ମୁରାରି ॥ ୧୪
ବ୍ରହ୍ମଣ ମିଳିଲେ ଥୋକାଏ । ଆଶିଷ ଦେଲେ ମାଏପୋଏ ॥ ୧୫
ଆନନ୍ଦମନେ ନନ୍ଦରାୟେ । ଧନବସନ ଦାନ ଦିଏ ॥ ୧୬
ଗୋପୀ ଆନନ୍ଦ ଗୀତରସ । ନିଦ୍ରାମୋହିତ ପୀତବାସ ॥ ୧୭
ଶକଟତଳେ ବସ୍ତ୍ର ପାଡ଼ି । ଯଶୋଦା ଶୁଆଇ ମୁରାରି ॥ ୧୮
ନିଦ୍ରା କରଇ ଗୀତ ଗାଇ । ଗୋପୀଙ୍କିଦେଲେ ସେ ବଧାଇ ॥ ୧୯
ଅକ୍ଷତ ଦେଲେ ଜଣେ ଜଣ । ପୁତ୍ରକୁ କରନ୍ତି କଲ୍ୟାଣ ॥ ୨୦
ଏମନ୍ତେ କଂସର ଅସୁର । ନାମ ଶକଟାସୁର ବୀର ॥ ୨୧
କୃଷ୍ଣଙ୍କୁ ମାରିବାର ଆଶେ । ଶକଟ ଶରୀର ପ୍ରକାଶେ ॥ ୨୨
ତାହା ଜାଣିଲେ ଭାବଗ୍ରାହୀ । ବାଳୁତ ରୂପେ ଛନ୍ତି ଶୋଇ ॥ ୨୩
ନିଦ୍ରା ଭାଜନ୍ତେ ନାରାୟଣ । କାନ୍ଦି ଲୋଡ଼ନ୍ତି ମାତାସ୍ତନ ॥ ୨୪
ଗୋଳେ ନ ଶୁଣଇ ଗୁଆଳୀ । କୃଷ୍ଣ କାନ୍ଦନ୍ତି ପାଦ ଚାଳି ॥ ୨୫
ଶକଟେ ବାଜିଲା ପୟର । ଶବଦ କଲା ମହାଘୋର ॥ ୨୬
ଶକଟ ପଡ଼ିଲାକ ଝଡ଼ି । ଦେଖି ଚକିତ ଗୋପବାଳୀ ॥ ୨୭
ଦଧି ତଇଳ ଘୃତଭାଣ୍ତ । ଭାଜି ହୋଇଲା ଖଣ୍ତ ଖଣ୍ତ ॥ ୨୮
ଶବଦ ଶୁଣି ଗୋପୀ ଧାଇଁ । ମିଳିଲେ ନନ୍ଦ ଆଦି ଯାଇ ॥ ୨୯
ଦେଖିଲେ ଯଶୋଦା କୁମର । ପଡ଼ିଛି ଶକଟ ତଳର ॥ ୩୦
କୃଷ୍ଣଙ୍କୁ ଆଣି କୋଳ କଲେ । ଏକକୁ ଆରେକ କହିଲେ ॥ ୩୧
ଏ କି ଆପଦ କାହିଁ ହୋଇ । ଏମନ୍ତ ଦେଖିଲା ତ ନାହିଁ ॥ ୩୨
ଶକଟ ଭାଜିଲା କେମନ୍ତ । ବୁଝ ହୋ ଏହାର ତଦନ୍ତ ॥ ୩୩
ଯଶୋଦା ଦେବୀ ଭାଗ୍ୟବନ୍ତ । ଆପଦୁଁ ତରିଲା ବାଳୁତ ॥ ୩୪
ଶକଟ ଭାଜିଲା କେମନ୍ତେ । ଜାଣିଲେ ଯିବା ନା ପରତେ ॥ ୩୫
ବାଳକୁମରେ ତାହା ଶୁଣି । ବୋଲନ୍ତି ଆମ୍ଭେ ଅଛୁ ଜାଣି ॥ ୩୬
ଯଶୋଦାସୁତ ପାଦଘାତେ । ଶକଟ ଭାଜିଲା ଯୁକତେ ॥ ୩୭
ତହୁଁ ପୁରୁଷେ ଜାତ ହୋଇ । ଯୋଡ଼ି ବୋଇଲା କର ଦୁଇ ॥ ୩୮
ଅନେକ ବିନୋଇ କହିଲା । ବିମାନେ ବସି ସ୍ୱର୍ଗେ ଗଲା ॥ ୩୯
ଶୁଣି ହସିଲେ ବାଳ ବୋଲ । କୃଷ୍ଣର ନ ଜାଣନ୍ତି ବଳ ॥ ୪୦
ରୋଦନ କରନ୍ତେ ମୁରାରି । ଯଶୋଦାକୋଳେଦେଲେ ନାରୀ ॥ ୪୧
କୁଗ୍ରହ ହେବା ମନେ ଚିନ୍ତି । ବିପ୍ରଙ୍କୁ ଆଣି ଗ୍ରହଶାନ୍ତି ॥ ୪୨
କରାଇ ପିଆଇଲେ ସ୍ତନ୍ୟ । ଆନନ୍ଦ ଯଶୋଦାର ମନ ॥ ୪୩
ଆନ ଶକଟ ଭିଆଇଲେ । ଦ୍ରବ୍ୟମାନଙ୍କୁ ସଜାଡ଼ିଲେ ॥ ୪୪
ବ୍ରାହ୍ମଣେ କଲେ ପଞ୍ଚାମୃତ । ଦେଖିଣ ନନ୍ଦ କୃତକୃତ୍ୟ ॥ ୪୫
ହରଷ ହୋଇ ଦେଲା ଦାନ । ଧେନୁ କାଞ୍ଚନ ବସ୍ତ୍ର ଅନ୍ନ ॥ ୪୬
ସନ୍ତୋଷ ହୋଇ ବିପ୍ରଗଣେ । କଲ୍ୟାଣ କଲେ ତୋଷମନେ ॥ ୪୭
ଆଚାର ବିଦ୍ୟାରେ ଭରସା । ପରେ ସେ ନ କରନ୍ତି ହିଂସା ॥ ୪୮
ଯାହା ବୋଲନ୍ତି ସିଦ୍ଧଜନେ । ଅନ୍ୟଥା ନୁହଇ ବଚନେ ॥ ୪୯
କହନ୍ତି ବ୍ୟାସଙ୍କ ନନ୍ଦନ । ଏମନ୍ତେ ଗଲା କେତେଦିନ ॥ ୫୦
କଂସର ଆଜ୍ଞାରେ ଦଇତ୍ୟ । ଗୋପେ ମିଳିଲା ତୃଣାବର୍ତ୍ତ ॥ ୫୧
ତାହା ଜାଣିଲେ ଦଇତ୍ୟାରି । ଯଶୋଦା କୋଳେ ଛନ୍ତି ଧରି ॥ ୫୨
ବିଚାର କଲେ ଚକ୍ରଧର । ଆଜ ସଂହାରିବି ଅସୁର ॥ ୫୩
ଜନନୀ କୋଳେ ହେଲେ ଗରୁ । ଯେହ୍ନେ ଅଚଳ ମହାମେରୁ ॥ ୫୪
ତକ୍ଷଣେ ଥୋଇଲା ଅବନୀ । ବିଚାର କଲା ଭୟ ଘେନି ॥ ୫୫
ବାଳୁତ ଏଡ଼େ ଗରୁପଣ । ନ ପୁଣ ପଡ଼ଇ କଷଣ ॥ ୫୬
ଶେଯେ ଶୁଆଇ ଗଲାଘର । କରଇ ବ୍ୟାପାର ବେଭାର ॥ ୫୭
କଂସର ଆଜ୍ଞା ପରମାଣେ । ଅସୁର ମିଳିଲା ତକ୍ଷଣେ ॥ ୫୮
ଗଗନେ ଘୋରନାଦ କରି । ଚକ୍ରପବନ ରୂପ ଧରି ॥ ୫୯
ଦିବସେ କଲା ଅନ୍ଧକାର । ଭୂମି କମ୍ପିଲା ଥରହର ॥ ୬୦
ବୃକ୍ଷେ ପଡ଼ିଲେ ମହୀତଳେ । ରେଣୁ ଉଡ଼ିଲେ ଅନ୍ତରାଳେ ॥ ୬୧
ଚାହିଁ ନ ପାରି ବେନିଘଡ଼ି । ଚକ୍ଷୁ ବୁଜିଲେ ନରନାରୀ ॥ ୬୨
ଚକ୍ରପବନ ଗଲା ଉଡ଼ି । କୃଷ୍ଣଙ୍କୁ ଦୈତ୍ୟ ନେଲା ହରି ॥ ୬୩
ପ୍ରକାଶେ ରବିର କିରଣ । ନିର୍ମଳ ଦିଶିଲା ଗଗନ ॥ ୬୪
ଘରୁ ବାହାରି ନନ୍ଦରାଣୀ । ପୁତ୍ରକୁ ଖୋଜଇ ଧରଣୀ ॥ ୬୫
କୃଷ୍ଣେ ନ ଦେଖି ହିଆକୋଡ଼ି । ଧାମଇଁ ପୁଣ ପୁଣ ପଡ଼ି ॥ ୬୬
ଘରବାହାରେ ପୁର ଲାଗେ । ବିକଳେ ଲୋଡ଼େ ଚଉଦିଗେ ॥ ୬୭
ଖୋଜି ନ ପାଇ ବନମାଳୀ । ତା' ଶୁଣି ମିଳିଲେ ଗୁଆଳୀ ॥ ୬୮
ଖୋଜନ୍ତି ଘରେ ଘରେ ପଶି । କାହିଁ ପାଇବେ ବ୍ରହ୍ମରାଶି ॥ ୬୯
ନ ଦେଖି ପ୍ରଭୁ ଚକ୍ରପାଣି । ମୋହେ ପଡ଼ିଲା ନନ୍ଦରାଣୀ ॥ ୭୦
ଗୋପୀ ଧଇଲେ ବେଗେ ଯାଇ । ବିଞ୍ଚନ୍ତି ମୁଖେ ନୀର ଦେଇ ॥ ୭୧
ଘଡ଼ିକେ ହୋଇଲା ସଚେତ । ଉଠି ଲୋଡ଼ଇ ନିଜ ସୁତ ॥ ୭୨
କେଶ ବସନ ଅସମ୍ଭାଳେ । ପଡ଼େ ଗୋପୀଙ୍କ ପାଦତଳେ ॥ ୭୩
କେ କହୁ ଯଶୋଦାର ଶୋକ । ଗୋପୀଙ୍କି ଚାହିଁଣ ନିରେଖ ॥ ୭୪
ବିକଳେ ଲୋଟଇ ଧରଣୀ । ଗୋପୀ କାନ୍ଦନ୍ତି ତାହା ଶୁଣି ॥ ୭୫
କେ କହୁ ଶୋକର ତଦନ୍ତ । ଗୋପୀ ହୋଇଲେ ମୋହଗତ ॥ ୭୬
ତାହା ଜାଣିଲେ ଜଗନ୍ନାଥ । ଆକାଶେ ଉଡୁଛି ଦଇତ୍ୟ ॥ ୭୭
ଶ୍ରୀକୃଷ୍ଣ ବିଚାରନ୍ତି ମନେ । ଅସୁର ମାରିବି କେସନେ ॥ ୭୮
ଏ ତ ନେଉଛି ଶୂନ୍ୟପଥେ । ଏତେ ବିଚାରି ଗୋପୀନାଥେ ॥ ୭୯
ଦାସବତ୍ସଳ ନନ୍ଦବଳା । ରୁନ୍ଧିଲେ ଅସୁରର ଗଳା ॥ ୮୦
କଣ୍ଠେ ଲମ୍ବିଲେ ବନମାଳୀ । ଅସୁର ନ ପାରିଲା ଚଳି ॥ ୮୧
ବ୍ରହ୍ମାଣ୍ତ କୋଟି କୋଟି ମାଳେ । ବସନ୍ତି ଯା'ର ରୋମମୂଳେ ॥ ୮୨
ଅସୁର ଚାଳିବ ତା କାହିଁ । ଭାଳଇ ଚଉଦିଗ ଚାହିଁ ॥ ୮୩
ବାଳୁତ ପୁଅ ଏଡ଼େ ଗରୁ । ପକାଇ ଦେବି ପଡ଼ି ମରୁ ॥ ୮୪
ଧରିଣ କୃଷ୍ଣ ବାମହସ୍ତେ । ତା' କଣ୍ଠ ଚାପିଲେ ତୁରିତେ ॥ ୮୫
ବେନି ଲୋଚନ ଗଲା ଫୁଟି । ପ୍ରାଣ ଛାଡ଼ିଲା ତାଳୁ ଫାଟି ॥ ୮୬
ଶବଦ କଲା ମହାଘୋର । ଶୁଣି କମ୍ପିଲେ ସୁରନର ॥ ୮୭
ଅସୁର ଘେନି କୃଷ୍ଣ କରେ । ପଡ଼ିଲେ ଶିଳାର ଉପରେ ॥ ୮୮
ଅସୁର ଦେହ ହେଲା ଚୂର । ଗୋପୀ ଦେଖିଲେ ଦାମୋଦର ॥ ୮୯
ଯମର ଘରୁ ଯେହ୍ନେ ଆସି । କୋଳ କରନ୍ତି ଗୋପୀ ହସି ॥ ୯୦
ଶିଳାରୁ ଘେନି ବନମାଳୀ । ଯଶୋଦାକୋଳେ ଦେଲେତୋଳି ॥ ୯୧
ଗୋପୀ ଗୋପାଳ ଆଦି ନନ୍ଦ । କୃଷ୍ଣଙ୍କୁ ଦେଖିଣ ସାନନ୍ଦ ॥ ୯୨
ଗୋପାଳେ ନନ୍ଦଙ୍କୁ ଅନାଇ । ବୋଲନ୍ତି ଭାଗ୍ୟବନ୍ତ ତୁହି ॥ ୯୩
କାଳର ମୁଖୁଁ ଉବୁରିଲା । ପୁତ୍ରକୁ ଗୋବିନ୍ଦ ରଖିଲା ॥ ୯୪
ଶୀତଳ ଯଶୋଦାର କୋଳ । ଆପଦୁଁ ତରିଲା କୁମର ॥ ୯୫
ଅରିଷ୍ଟ ଦେଖି ନନ୍ଦ ମନେ । ଭାଳଇ ମିତ୍ରର ବଚନେ ॥ ୯୬
ଦିନେକ ପୁତ୍ର କୋଳେ ଘେନି । କ୍ଷୀର ପିଆନ୍ତେ ନନ୍ଦ ରାଣୀ ॥ ୯୭
କୃଷ୍ଣ ବଦନେ ଉଠେ ହାଇ । ଯଶୋଦା ତୁଣ୍ତେ ଦେଲା ଚାହିଁ ॥ ୯୮
ଦେଖିଲା ଦର୍ପଣ ପରାୟେ । ବ୍ରହ୍ମାଣ୍ତ ଦିଶେ କୃଷ୍ଣ ଦେହେ ॥ ୯୯
ଆକାଶ ଆଦି ଦିଗପାଳେ । ଗ୍ରହ ନକ୍ଷତ୍ର ମେଘମାଳେ ॥ ୧୦୦
ସପତ ସିନ୍ଧୁ ବସୁନ୍ଧରୀ । ନଦୀ କାନନ ଦିଗ ଗିରି ॥ ୧୦୧
ସ୍ଥାବର ଆଦି ସର୍ବଜନ୍ତୁ । ବିଶ୍ୱ ସଂସାରେ ଯେତେ ହେତୁ ॥ ୧୦୨
ଦେଖି ଚକିତମନେ ଚାହିଁ । ହୃଦେ ଚିନ୍ତଇ ଭାବଗ୍ରାହୀ ॥ ୧୦୩
ସଭୟେ ପୁତ୍ର କୋଳେ ଘେନି । ଘରେ ପଶିଲେ ନନ୍ଦରାଣୀ ॥ ୧୦୪
ଆନନ୍ଦ କେ ପାରିବ କହି । ଯାହାର ସୁତ ଭାବଗ୍ରାହୀ ॥ ୧୦୫
ନିଦ୍ରା ମୋହିତ ହୃଷିକେଶ । ନମଇଁ ଜଗନ୍ନାଥ ଦାସ ॥ ୧୦୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଅଷ୍ଟମ ଅଧ୍ୟାୟଃ ।
* * *