ଦଶମ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ରାଜା ଉବାଚ

ନମଇଁ କୃଷ୍ଣ-ପଦ୍ମ‌ପାଦ । ଏ ମୋର ଜୀବନ-ସମ୍ପଦ ॥

ପରୀକ୍ଷ ଶୁକମୁଖ ଚାହିଁ । ବୋଲନ୍ତି କୃତକୃତ୍ୟ ହୋଇ ॥

ଗୋପ ନବରେ ନରହରି । ମାଇଲେ ପୂତନା ଅସୁରୀ ॥

ଦେବଙ୍କ ଭୟ ନିବାରିଲେ । ନିଜ ଶରୀରେ ଠାବ ଦେଲେ ॥

ଯାହାର ନାହିଁ ମିତ୍ର-ଅରି । ଚାଣ୍ତାŠଳୁଁ ବ୍ରହ୍ମ ଆଦି କରି ॥

ସାଧୁଙ୍କୁ ପାଳି ଦୁଷ୍ଟ ନାଶି । ଦୟାସାଗର ବ୍ରହ୍ମରାଶି ॥

ତାହାଙ୍କ ଯେତେ କର୍ମମାନ । ବାଳକ-ଚରିତ ବିଧାନ ॥

ଶୁଣି ଭଜନ୍ତି ଯେତେ ପ୍ରାଣୀ । ତରନ୍ତି ଭବ-ତରଙ୍ଗିଣୀ ॥

ମାୟା-ମନୁଷ୍ୟ ଅବତାର । ଖŠଣ୍ତିବେ ଅବନୀର ଭାର ॥

ଆବର କଲେ ଗୋପେ ଯାହା । କହିବା ଯେବେ ମୋତେଦୟା ॥ ୧୦

ରାଜା ପ୍ରଶନ ବାକ୍ୟ ଶୁଣି । କହନ୍ତି ଶୁକ ମହାମୁନି ॥ ୧୧

କହିବା ଶୁଣ କୃଷ୍ଣକଥା । ଯେଣେ ତୁଟିବ ଭବବ୍ୟଥା ॥ ୧୨

ଅନ୍ତୁଡ଼ି ଉଠିଆରୀ ଦିନେ । ଆସି ମିଳିଲେ ଗୋପୀଜନେ ॥ ୧୩

ମଙ୍ଗଳ ଗୀତନାଦ କରି । ସ୍ନାନ କରାଇଲେ ମୁରାରି ॥ ୧୪

ବ୍ରହ୍ମଣ ମିଳିଲେ ଥୋକାଏ । ଆଶିଷ ଦେଲେ ମାଏପୋଏ ॥ ୧୫

ଆନନ୍ଦମନେ ନନ୍ଦରାୟେ । ଧନବସନ ଦାନ ଦିଏ ॥ ୧୬

ଗୋପୀ ଆନନ୍ଦ ଗୀତରସ । ନିଦ୍ରାମୋହିତ ପୀତବାସ ॥ ୧୭

ଶକଟତଳେ ବସ୍ତ୍ର ପାଡ଼ି । ଯଶୋଦା ଶୁଆଇ ମୁରାରି ॥ ୧୮

ନିଦ୍ରା କରଇ ଗୀତ ଗାଇ । ଗୋପୀଙ୍କିଦେଲେ ସେ ବଧାଇ ॥ ୧୯

ଅକ୍ଷତ ଦେଲେ ଜଣେ ଜଣ । ପୁତ୍ରକୁ କରନ୍ତି କଲ୍ୟାଣ ॥ ୨୦

ଏମନ୍ତେ କଂସର ଅସୁର । ନାମ ଶକଟାସୁର ବୀର ॥ ୨୧

କୃଷ୍ଣଙ୍କୁ ମାରିବାର ଆଶେ । ଶକଟ ଶରୀର ପ୍ରକାଶେ ॥ ୨୨

ତାହା ଜାଣିଲେ ଭାବଗ୍ରାହୀ । ବାଳୁତ ରୂପେ ଛନ୍ତି ଶୋଇ ॥ ୨୩

ନିଦ୍ରା ଭାଜନ୍ତେ ନାରାୟଣ । କାନ୍ଦି ଲୋଡ଼ନ୍ତି ମାତାସ୍ତନ ॥ ୨୪

ଗୋଳେ ନ ଶୁଣଇ ଗୁଆଳୀ । କୃଷ୍ଣ କାନ୍ଦନ୍ତି ପାଦ ଚାଳି ॥ ୨୫

ଶକଟେ ବାଜିଲା ପୟର । ଶବଦ କଲା ମହାଘୋର ॥ ୨୬

ଶକଟ ପଡ଼ିଲାକ ଝଡ଼ି । ଦେଖି ଚକିତ ଗୋପବାଳୀ ॥ ୨୭

ଦଧି ତଇଳ ଘୃତଭାଣ୍ତŠ । ଭାଜି ହୋଇଲା ଖଣ୍ତŠ ଖଣ୍ତŠ ॥ ୨୮

ଶବଦ ଶୁଣି ଗୋପୀ ଧାଇଁ । ମିଳିଲେ ନନ୍ଦ ଆଦି ଯାଇ ॥ ୨୯

ଦେଖିଲେ ଯଶୋଦା କୁମର । ପଡ଼ିଛି ଶକଟ ତଳର ॥ ୩୦

କୃଷ୍ଣଙ୍କୁ ଆଣି କୋଳ କଲେ । ଏକକୁ ଆରେକ କହିଲେ ॥ ୩୧

ଏ କି ଆପଦ କାହିଁ ହୋଇ । ଏମନ୍ତ ଦେଖିଲା ତ ନାହିଁ ॥ ୩୨

ଶକଟ ଭାଜିଲା କେମନ୍ତ । ବୁଝ ହୋ ଏହାର ତଦନ୍ତ ॥ ୩୩

ଯଶୋଦା ଦେବୀ ଭାଗ୍ୟବନ୍ତ । ଆପଦୁଁ ତରିଲା ବାଳୁତ ॥ ୩୪

ଶକଟ ଭାଜିଲା କେମନ୍ତେ । ଜାଣିଲେ ଯିବା ନା ପରତେ ॥ ୩୫

ବାଳକୁମରେ ତାହା ଶୁଣି । ବୋଲନ୍ତି ଆମ୍ଭେ ଅଛୁ ଜାଣି ॥ ୩୬

ଯଶୋଦାସୁତ ପାଦଘାତେ । ଶକଟ ଭାଜିଲା ଯୁକତେ ॥ ୩୭

ତହୁଁ ପୁରୁଷେ ଜାତ ହୋଇ । ଯୋଡ଼ି ବୋଇଲା କର ଦୁଇ ॥ ୩୮

ଅନେକ ବିନୋଇ କହିଲା । ବିମାନେ ବସି ସ୍ୱର୍ଗେ ଗଲା ॥ ୩୯

ଶୁଣି ହସିଲେ ବାଳ ବୋଲ । କୃଷ୍ଣର ନ ଜାଣନ୍ତି ବଳ ॥ ୪୦

ରୋଦନ କରନ୍ତେ ମୁରାରି । ଯଶୋଦାକୋଳେଦେଲେ ନାରୀ ॥ ୪୧

କୁଗ୍ରହ ହେବା ମନେ ଚିନ୍ତି । ବିପ୍ରଙ୍କୁ ଆଣି ଗ୍ରହଶାନ୍ତି ॥ ୪୨

କରାଇ ପିଆଇଲେ ସ୍ତନ୍ୟ । ଆନନ୍ଦ ଯଶୋଦାର ମନ ॥ ୪୩

ଆନ ଶକଟ ଭିଆଇଲେ । ଦ୍ରବ୍ୟମାନଙ୍କୁ ସଜାଡ଼ିଲେ ॥ ୪୪

ବ୍ରାହ୍ମଣେ କଲେ ପଞ୍ଚାମୃତ । ଦେଖିଣ ନନ୍ଦ କୃତକୃତ୍ୟ ॥ ୪୫

ହରଷ ହୋଇ ଦେଲା ଦାନ । ଧେନୁ କାଞ୍ଚନ ବସ୍ତ୍ର ଅନ୍ନ ॥ ୪୬

ସନ୍ତୋଷ ହୋଇ ବିପ୍ରଗଣେ । କଲ୍ୟାଣ କଲେ ତୋଷମନେ ॥ ୪୭

ଆଚାର ବିଦ୍ୟାରେ ଭରସା । ପରେ ସେ ନ କରନ୍ତି ହିଂସା ॥ ୪୮

ଯାହା ବୋଲନ୍ତି ସିଦ୍ଧଜନେ । ଅନ୍ୟଥା ନୁହଇ ବଚନେ ॥ ୪୯

କହନ୍ତି ବ୍ୟାସଙ୍କ ନନ୍ଦନ । ଏମନ୍ତେ ଗଲା କେତେଦିନ ॥ ୫୦

କଂସର ଆଜ୍ଞାରେ ଦଇତ୍ୟ । ଗୋପେ ମିଳିଲା ତୃଣାବର୍ତ୍ତ ॥ ୫୧

ତାହା ଜାଣିଲେ ଦଇତ୍ୟାରି । ଯଶୋଦା କୋଳେ ଛନ୍ତି ଧରି ॥ ୫୨

ବିଚାର କଲେ ଚକ୍ରଧର । ଆଜ ସଂହାରିବି ଅସୁର ॥ ୫୩

ଜନନୀ କୋଳେ ହେଲେ ଗରୁ । ଯେହ୍ନେ ଅଚଳ ମହାମେରୁ ॥ ୫୪

ତକ୍ଷଣେ ଥୋଇଲା ଅବନୀ । ବିଚାର କଲା ଭୟ ଘେନି ॥ ୫୫

ବାଳୁତ ଏଡ଼େ ଗରୁପଣ । ନ ପୁଣ ପଡ଼ଇ କଷଣ ॥ ୫୬

ଶେଯେ ଶୁଆଇ ଗଲାଘର । କରଇ ବ୍ୟାପାର ବେଭାର ॥ ୫୭

କଂସର ଆଜ୍ଞା ପରମାଣେ । ଅସୁର ମିଳିଲା ତକ୍ଷଣେ ॥ ୫୮

ଗଗନେ ଘୋରନାଦ କରି । ଚକ୍ରପବନ ରୂପ ଧରି ॥ ୫୯

ଦିବସେ କଲା ଅନ୍ଧକାର । ଭୂମି କମ୍ପିଲା ଥରହର ॥ ୬୦

ବୃକ୍ଷେ ପଡ଼ିଲେ ମହୀତଳେ । ରେଣୁ ଉଡ଼ିଲେ ଅନ୍ତରାଳେ ॥ ୬୧

ଚାହିଁ ନ ପାରି ବେନିଘଡ଼ି । ଚକ୍ଷୁ ବୁଜିଲେ ନରନାରୀ ॥ ୬୨

ଚକ୍ରପବନ ଗଲା ଉଡ଼ି । କୃଷ୍ଣଙ୍କୁ ଦୈତ୍ୟ ନେଲା ହରି ॥ ୬୩

ପ୍ରକାଶେ ରବିର କିରଣ । ନିର୍ମଳ ଦିଶିଲା ଗଗନ ॥ ୬୪

ଘରୁ ବାହାରି ନନ୍ଦରାଣୀ । ପୁତ୍ରକୁ ଖୋଜଇ ଧରଣୀ ॥ ୬୫

କୃଷ୍ଣେ ନ ଦେଖି ହିଆକୋଡ଼ି । ଧାମଇଁ ପୁଣ ପୁଣ ପଡ଼ି ॥ ୬୬

ଘରବାହାରେ ପୁର ଲାଗେ । ବିକଳେ ଲୋଡ଼େ ଚଉଦିଗେ ॥ ୬୭

ଖୋଜି ନ ପାଇ ବନମାଳୀ । ତା' ଶୁଣି ମିଳିଲେ ଗୁଆଳୀ ॥ ୬୮

ଖୋଜନ୍ତି ଘରେ ଘରେ ପଶି । କାହିଁ ପାଇବେ ବ୍ରହ୍ମରାଶି ॥ ୬୯

ନ ଦେଖି ପ୍ରଭୁ ଚକ୍ରପାଣି । ମୋହେ ପଡ଼ିଲା ନନ୍ଦରାଣୀ ॥ ୭୦

ଗୋପୀ ଧଇଲେ ବେଗେ ଯାଇ । ବିଞ୍ଚନ୍ତି ମୁଖେ ନୀର ଦେଇ ॥ ୭୧

ଘଡ଼ିକେ ହୋଇଲା ସଚେତ । ଉଠି ଲୋଡ଼ଇ ନିଜ ସୁତ ॥ ୭୨

କେଶ ବସନ ଅସମ୍ଭାଳେ । ପଡ଼େ ଗୋପୀଙ୍କ ପାଦତଳେ ॥ ୭୩

କେ କହୁ ଯଶୋଦାର ଶୋକ । ଗୋପୀଙ୍କି ଚାହିଁଣ ନିରେଖ ॥ ୭୪

ବିକଳେ ଲୋଟଇ ଧରଣୀ । ଗୋପୀ କାନ୍ଦନ୍ତି ତାହା ଶୁଣି ॥ ୭୫

କେ କହୁ ଶୋକର ତଦନ୍ତ । ଗୋପୀ ହୋଇଲେ ମୋହଗତ ॥ ୭୬

ତାହା ଜାଣିଲେ ଜଗନ୍ନାଥ । ଆକାଶେ ଉଡୁଛି ଦଇତ୍ୟ ॥ ୭୭

ଶ୍ରୀକୃଷ୍ଣ ବିଚାରନ୍ତି ମନେ । ଅସୁର ମାରିବି କେସନେ ॥ ୭୮

ଏ ତ ନେଉଛି ଶୂନ୍ୟପଥେ । ଏତେ ବିଚାରି ଗୋପୀନାଥେ ॥ ୭୯

ଦାସବ›ତ୍ସଳ ନନ୍ଦବଳା । ରୁନ୍ଧିଲେ ଅସୁରର ଗଳା ॥ ୮୦

କଣ୍ଠେ ଲମ୍ବିଲେ ବନମାଳୀ । ଅସୁର ନ ପାରିଲା ଚଳି ॥ ୮୧

ବ୍ରହ୍ମାŠଣ୍ତ କୋଟି କୋଟି ମାଳେ । ବସନ୍ତି ଯା'ର ରୋମମୂଳେ ॥ ୮୨

ଅସୁର ଚାଳିବ ତା କାହିଁ । ଭାଳଇ ଚଉଦିଗ ଚାହିଁ ॥ ୮୩

ବାଳୁତ ପୁଅ ଏଡ଼େ ଗରୁ । ପକାଇ ଦେବି ପଡ଼ି ମରୁ ॥ ୮୪

ଧରିଣ କୃଷ୍ଣ ବାମହସ୍ତେ । ତା' କଣ୍ଠ ଚାପିଲେ ତୁରିତେ ॥ ୮୫

ବେନି ଲୋଚନ ଗଲା ଫୁଟି । ପ୍ରାଣ ଛାଡ଼ିଲା ତାଳୁ ଫାଟି ॥ ୮୬

ଶବଦ କଲା ମହାଘୋର । ଶୁଣି କମ୍ପିଲେ ସୁରନର ॥ ୮୭

ଅସୁର ଘେନି କୃଷ୍ଣ କରେ । ପଡ଼ିଲେ ଶିଳାର ଉପରେ ॥ ୮୮

ଅସୁର ଦେହ ହେଲା ଚୂର । ଗୋପୀ ଦେଖିଲେ ଦାମୋଦର ॥ ୮୯

ଯମର ଘରୁ ଯେହ୍ନେ ଆସି । କୋଳ କରନ୍ତି ଗୋପୀ ହସି ॥ ୯୦

ଶିଳାରୁ ଘେନି ବନମାଳୀ । ଯଶୋଦାକୋଳେ ଦେଲେତୋଳି ॥ ୯୧

ଗୋପୀ ଗୋପାଳ ଆଦି ନନ୍ଦ । କୃଷ୍ଣଙ୍କୁ ଦେଖିଣ ସାନନ୍ଦ ॥ ୯୨

ଗୋପାଳେ ନନ୍ଦଙ୍କୁ ଅନାଇ । ବୋଲନ୍ତି ଭାଗ୍ୟବନ୍ତ ତୁହି ॥ ୯୩

କାଳର ମୁଖୁଁ ଉବୁରିଲା । ପୁତ୍ରକୁ ଗୋବିନ୍ଦ ରଖିଲା ॥ ୯୪

ଶୀତଳ ଯଶୋଦାର କୋଳ । ଆପଦୁଁ ତରିଲା କୁମର ॥ ୯୫

ଅରିଷ୍ଟ ଦେଖି ନନ୍ଦ ମନେ । ଭାଳଇ ମିତ୍ରର ବଚନେ ॥ ୯୬

ଦିନେକ ପୁତ୍ର କୋଳେ ଘେନି । କ୍ଷୀର ପିଆନ୍ତେ ନନ୍ଦ ରାଣୀ ॥ ୯୭

କୃଷ୍ଣ ବଦନେ ଉଠେ ହାଇ । ଯଶୋଦା ତୁଣ୍ତେŠ ଦେଲା ଚାହିଁ ॥ ୯୮

ଦେଖିଲା ଦର୍ପଣ ପରାୟେ । ବ୍ରହ୍ମାŠଣ୍ତ ଦିଶେ କୃଷ୍ଣ ଦେହେ ॥ ୯୯

ଆକାଶ ଆଦି ଦିଗପାଳେ । ଗ୍ରହ ନକ୍ଷତ୍ର ମେଘମାଳେ ॥ ୧୦୦

ସପତ ସିନ୍ଧୁ ବସୁନ୍ଧରୀ । ନଦୀ କାନନ ଦିଗ ଗିରି ॥ ୧୦୧

ସ୍ଥାବର ଆଦି ସର୍ବଜନ୍ତୁ । ବିଶ୍ୱ ସଂସାରେ ଯେତେ ହେତୁ ॥ ୧୦୨

ଦେଖି ଚକିତମନେ ଚାହିଁ । ହୃଦେ ଚିନ୍ତଇ ଭାବଗ୍ରାହୀ ॥ ୧୦୩

ସଭୟେ ପୁତ୍ର କୋଳେ ଘେନି । ଘରେ ପଶିଲେ ନନ୍ଦରାଣୀ ॥ ୧୦୪

ଆନନ୍ଦ କେ ପାରିବ କହି । ଯାହାର ସୁତ ଭାବଗ୍ରାହୀ ॥ ୧୦୫

ନିଦ୍ରା ମୋହିତ ହୃଷିକେଶ । ନମଇଁ ଜଗନ୍ନାଥ ଦାସ ॥ ୧୦୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଅଷ୍ଟମ ଅଧ୍ୟାୟଃ ।

* * *