ଦଶମ ସ୍କନ୍ଧ
ସପ୍ତମ ଅଧ୍ୟାୟ
ଶୁକ ଉବାଚ
ଶୁକ କହନ୍ତି ରାଜା ଆଗେ । ନନ୍ଦ ଚଳିଲେ ବେଗେ ବେଗେ ॥ ୧
ବସୁଦେବର ବୋଲ ଶୁଣି । ମନେ ଚିନ୍ତଇ ଚକ୍ରପାଣି ॥ ୨
କଂସର ଆଦେଶେ ଅସୁରୀ । ପୂତନା ଚଉଦିଗେ ଫେରି ॥ ୩
ଗ୍ରାମ ପାଟଣା ପୁର ଦେଶ । ଅନେକ ଶିଶୁ କଲା ନାଶ ॥ ୪
ସ୍ତନଯୁଗଳେ ବିଷ ଭରି । ପିଆଇ ବାଳକ ସଂହାରି ॥ ୫
ଯହିଁ ବିଜୟ ଆଦିମୂଳ । ଆନନ୍ଦ ପରମ ମଙ୍ଗଳ ॥ ୬
କି କରି ପାରିବ ଅସୁରୀ । ଯାହାର ନାମେ ଯମ ଡ଼ରି ॥ ୭
ପୂତନା ବୁଲି ଚଉଦିଗେ । ମିଳିଲା ବୃନ୍ଦାବନ ଲାଗେ ॥ ୮
ରଜନୀ ହୋଇଲା ପ୍ରଭାତ । ଜାଣିଲେ ପ୍ରଭୁ ଜଗନ୍ନାଥ ॥ ୯
ଅନନ୍ତ ବିଚାରିଲେ ଚିତ୍ତେ । ପୂତନା ଅଇଲା ଗୁପତେ ॥ ୧୦
ଅନେକ ଶିଶୁ ଏ ମାଇଲା । ମୋହର ନୁହଁଇ ସହିଲା ॥ ୧୧
ଦୁଷ୍ଟ ମାରଣେ ମୋର ଜନ୍ମ । ଅସୁରୀ କଲା ଏଡ଼େ କର୍ମ ॥ ୧୨
ଏମନ୍ତ କୃଷ୍ଣ ବିଚାରିଲେ । ପୂତନା ମନ ଆକର୍ଷିଲେ ॥ ୧୩
ରାକ୍ଷସୀ ବିଚାରଇ ବସି । ଏହି ନଗରେ ଯିବି ପଶି ॥ ୧୪
ଆକାଶେ ଉଦେ ଦିନକର । ଅସୁରୀ ମାୟାର ଭଣ୍ତାର ॥ ୧୫
ମାୟାମୋହିନୀ ରୂପ ଧରି । ତିନିଭୁବନେ ନାହିଁ ସରି ॥ ୧୬
କି ତାକୁ ପଟାନ୍ତର ଦେବା । ଦେଖି ଢଳିବେ ସୁରଦେବା ॥ ୧୭
କବରୀଭାରେ ଫୁଲମାଳ । ସୁନ୍ଦର ଅଳକା କପୋଳ ॥ ୧୮
ପୃଥୁ ନିତମ୍ବ କୁଚ ଭାର । ସିଂହକଟୀକୁ ପଟାନ୍ତର ॥ ୧୯
ଝୀନ ପତନୀ ରଙ୍ଗବାସ । କଟୀମେଖଳା ରବିତ୍ରାସ ॥ ୨୦
କର୍ଣ୍ଣେ ଶୋଭିତ ରତ୍ନକାପ । ଶିରେ ସୀମନ୍ତ ଦିବ୍ୟରୂପ ॥ ୨୧
ଅଳପ କହଇ ବଚନ । ଅଣ୍ତିର କୋକିଳ ଯେସନ ॥ ୨୨
ହରିଲା ଗୋପୀଙ୍କର ମନ । ବାଳ ତରୁଣ ବୃଦ୍ଧଜନ ॥ ୨୩
ପଦ୍ମ ଗୋଟିଏ ଘେନି କରେ । ଅସୁରୀ ଚାଲଇ ସଧୀରେ ॥ ୨୪
କୁଟୀଳ ଅଳକା କପୋଳେ । ବାମ ଅଙ୍ଗୁଳି ଅଗ୍ରେ ତୋଳେ ॥ ୨୫
ପୂତନା ରୂପ ଗୋପୀ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥ ୨୬
ଗୋଡ଼ାଇ ବୋଲନ୍ତି ଯୁବତୀ । କିଏ ତେଜିଲା ବାରସ୍ୱତୀ ॥ ୨୭
ଏମନ୍ତ ଦେଖିଲା ତ ନାହିଁ । କେ ବୋଲେ ଅମ୍ବିକାଟି ଏହି ॥ ୨୮
କେବୋଲେ ଶୁଣ ମୋ ଉତ୍ତର । କୃଷ୍ଣ ଜନ୍ମିଲେ ନନ୍ଦଘର ॥ ୨୯
କମଳା ଆସିଛନ୍ତି ଦେଖି । ଜଳଧି ଶୟନ ଉପେକ୍ଷି ॥ ୩୦
କେ ବୋଲେ ଅଟଇ ଏମନ୍ତ । ପୁରାଣେ ଶୁଣିଛୁ ତଦନ୍ତ ॥ ୩୧
ଏମନ୍ତେ ଜାଣି ନ ପାରିଲେ । ସକଳେ ପଛେ ଗୋଡ଼ାଇଲେ ॥ ୩୨
ବୋଲନ୍ତି ପୂତନାକୁ ଚାହିଁ । କାହୁଁ ଅଇଲୁ ମହାମାୟି ॥ ୩୩
ପୂତନା ବୋଲଇ ମଧୁରେ । ବାଳକ ଅଛି କାହାଘରେ ॥ ୩୪
ମୋର ତନୟ ଏବେ ମଲା । ସ୍ତନ ମୋ ନୋହଇ ସହିଲା ॥ ୩୫
କାହାର ପୁତ୍ର ଅଛି ମାଏ । ସ୍ତନ୍ୟ ପିଆଇବି ଥୋକାଏ ॥ ୩୬
ଏମନ୍ତେ କହିଣ ଉତ୍ତର । ଅସୁରୀ ଚାଲେ ଧୀର ଧୀର ॥ ୩୭
ମିଳିଲା ଯାଇ ନନ୍ଦ ଦ୍ୱାର । ଦ୍ୱାରୀକି ବୋଲଇ ଉତ୍ତର ॥ ୩୮
ଗୋପୀଏ ଗଲେ ଆଗସରି । ଭିତରେ ପଶିଲା ଅସୁରୀ ॥ ୩୯
ଯଶୋଦା ଦେଖିଣ ଚକିତ । କାହୁଁ ଅଇଲା ଅଦଭୁତ ॥ ୪୦
କି ଅବା ତ୍ରିପୁର ସୁନ୍ଦରୀ । ରୂପେ ତ ନାହିଁ ସମସରି ॥ ୪୧
ପୂତନା ପାଶେଣ ମିଳିଲା । ମଧୁର ବଚନ କହିଲା ॥ ୪୨
କାହୁଁ ଅଇଲୁ ମହାତ୍ମାଣୀ । କି ଅବା ହରିର ଘରଣୀ ॥ ୪୩
କିମ୍ବା ମୋ ପୁରକୁ ଅଇଲୁ । ଏ ମୋର ମନକୁ ମୋହିଲୁ ॥ ୪୪
କିସ କରିବୁଁ ମୋତେ କହ । ଦେଖି ମୋ ରହୁନାହିଁ ଦେହ ॥ ୪୫
ପୂତନା ବୋଲଇ ଉତ୍ତର । ଶୁଣ କାମିନୀ ଭାଷା ମୋର ॥ ୪୬
ମୁଁ ହାଦେ ଦଇବଙ୍କ ନାରୀ । ଜାଣଇ ଭେଦ ମନ୍ତ୍ର କରି ॥ ୪୭
ମୋହର କ୍ଷୀର କଲେ ପାନ । ପୁତ୍ର ହୋଇବେ ବଳବାନ ॥ ୪୮
ଯଶୋଦା ହୋଇଲେ ଉଷତ । ପୁତ୍ରେ ମୋ'ହେବେ ବଳବନ୍ତ ॥ ୪୯
ଏ ଯେବେ ମୋର ଘରେ ଥାଇ । ନିରତେ ପୁତ୍ରେ କ୍ଷୀର ଦେଇ ॥ ୫୦
ବେନିକୁଚକୁ ବେନି ସୁତ । ପିଇଣ ହେବେ ବଳବନ୍ତ ॥ ୫୧
ସ୍ୱାମୀର ଛାମୁରେ କହିବି । ବହୁତ ଧନବସ୍ତ୍ର ଦେବି ॥ ୫୨
ଯଶୋଧା ଏମନ୍ତ ବିଚାର । ଘରକୁ ଆଣିଲା ଅସୁରୀ ॥ ୫୩
ଏମନ୍ତେ ଶୁଣ କଥା ରସ । ପୁତନା ଚାହେଁ ପୀତବାସ ॥ ୫୪
ବାଳକ ସ୍ୱଭାବେ ଅନନ୍ତ । ନିଦ୍ରାରେ ଦିଶନ୍ତି ଅଚେତ ॥ ୫୫
ଯଶୋଦା ମନେ ବିଚାରଇ । ନିଦ୍ରାର ବେଳେ ଦେବି ମୁହିଁ ॥ ୫୬
ଏମନ୍ତ ବୋଲିଣ ବୋଇଲେ । କୃଷ୍ଣକୁ ତୋଳିଣ ଧଇଲେ ॥ ୫୭
ଯଶୋଦା ଘେନି ବନମାଳୀ । ପୂତନା କୋଳେ ଦେଲେତୋଳି ॥ ୫୮
ତା' ଦେଖି ପୂତନା ହରଷେ । କ୍ଷୀର ସେ ଦେଲା ପୀତବାସେ ॥ ୫୯
କୃଷ୍ଣର ନଜାଣଇ ବଳ । ଆକର୍ଷି ନେଇ କଲା କୋଳ ॥ ୬୦
କୃଷ୍ଣର ମୁଖେ ଦେଲା ସ୍ତନ । ଗାଢ଼େ ଶୋଷିଲେ ଭଗବାନ ॥ ୬୧
ପଞ୍ଚ-ପରାଣ କ୍ଷୀର ସଙ୍ଗେ । ପଶିଲା ଗୋବିନ୍ଦର ଅଙ୍ଗେ ॥ ୬୨
ଜୀବ ଛାଡ଼ିଲା ଗଣ୍ଠିଛନ୍ଦ । ଅସୁରୀ କଲା ଘୋରନାଦ ॥ ୬୩
ନିଜ ଶରୀର ପ୍ରକାଶିଲା । ଛାଡ଼ ଛାଡ଼ ବୋଲି ଡ଼ାକିଲା ॥ ୬୪
ଶବଦେ କମ୍ପିଲା ବ୍ରହ୍ମାଣ୍ତ । ମାଡ଼ି ପଡ଼ିଲା ଭୂମିଖଣ୍ତ ॥ ୬୫
କର-ଚରଣ ପ୍ରସାରିଲା । ଦେଢ଼ ଯୋଜନ ଆବୋରିଲା ॥ ୬୬
ବୃକ୍ଷ ମନ୍ଦିର ଗୋରୁ ଘର । ଭାଜି ହୋଇଲେ ଶତେଚୂର ॥ ୬୭
ଶୁକ କହନ୍ତି ଶୁଣ ରାୟେ । କେ କହୁ ଅସୁରୀର କାୟେ ॥ ୬୮
ଲଙ୍ଗଳ ଈଶ ପ୍ରାୟ ଦନ୍ତ । ନାସିକା ପର୍ବତର ଅନ୍ତ ॥ ୬୯
ଖଣ୍ତପର୍ବତ ସ୍ତନ ବେନି । ଖାଙ୍କର କେଶ ତା' ମୂର୍ଦ୍ଧନି ॥ ୭୦
ପିଙ୍ଗଳ ଚକ୍ଷୁର ସ୍ୱରୂପ । ଯେହ୍ନେ ଖୋଦିତ ଅନ୍ଧକୂପ ॥ ୭୧
ନଦୀର ତଟ ପ୍ରାୟ ଜଙ୍ଘ । ଭୁଜ ଦିଶଇ ସେତୁବନ୍ଧ ॥ ୭୨
ଶୁଖିଲା ହ୍ରଦ ତା' ଉଦର । ଦେଖି କମ୍ପିଲେ ସୁରନର ॥ ୭୩
ଗୋପରେ ପଡ଼ିଲାକି ହୁରି । ଭୟେ ପଳାନ୍ତି ନରନାରୀ ॥ ୭୪
ପଡ଼ି ଭାଜିଲା କାହା ମୁଣ୍ତ । କାହାର ଦେହ ଖଣ୍ତ ଖଣ୍ତ ॥ ୭୫
ଦେଖି ଚକିତ ନନ୍ଦରାଣୀ । ଭୟେ ଚିନ୍ତଇ ଚକ୍ରପାଣି ॥ ୭୬
କ୍ଷଣକେ ହୋଇଲା ସଚେତ । ଉଠି ଲୋଡ଼ଇ ନିଜ ସୁତ ॥ ୭୭
ଗୋପୀଙ୍କି ବୋଲଇ ଉତ୍ତର । କେ ଘେନିଅଛ ମୋ' କୁମର ॥ ୭୮
ଆଣ ମୋହର କୋଳେ ଦିଅ । ପୁତ୍ର ନ ଦେଖି କମ୍ପେ ଦେହ ॥ ୭୯
ବହନ ଆଣ ପୁତ୍ର ଯାଇ । ମରିବି ତା ମୁଖ ନ ଚାହିଁ ॥ ୮୦
ଦେଖିଣ ଯଶୋଦା ବିକଳ । ଗୋପୀ ଧାମନ୍ତି ଅନ୍ତରାଳ ॥ ୮୧
ଭୟେ ଖୋଜନ୍ତି ଘରଦ୍ୱାର । ଦେଖିଲେ ପୂତନା ଉପର ॥ ୮୨
ବେନି ପର୍ବତ ମଧ୍ୟେ ରହି । ଯେସନେ ଶଶାଙ୍କ ଦିଶଇ ॥ ୮୩
ପୂତନା ସ୍ତନ ମଧ୍ୟେ ହରି । ଗୋପୀଏ ଯାଇ କୋଳକରି ॥ ୮୪
ପୁତ୍ରକୁ ଦେଖିଣ ବିସ୍ମୟେ । ଆନନ୍ଦ ହୋଇଲେ ଥୋକାଏ ॥ ୮୫
ନୟନେ ପୁତ୍ରକୁ ଦେଖିଣ । ଆନନ୍ଦ ଯଶୋଦାର ମନ ॥ ୮୬
କୋଳେ ଧରିଣ ଚୁମ୍ବ ଦେଇ । ନିଜ ମନ୍ଦିରେ ମିଳେ ଯାଇ ॥ ୮୭
ରୋହିଣୀ ଦେଖିଣ ଉଷତ । ଲୋକେ ହୋଇଲେ କୃତକୃତ୍ୟ ॥ ୮୮
ଗୋପି ମିଳିଲେ ବେଗେ ଯାଇ । ବୋଲନ୍ତି ଯଶୋଦାକୁ ଚାହିଁ ॥ ୮୯
ଆପଦୁଁ ତରିଲା କୁମର । ତୁ ଏବେ ରିଷ୍ଟ ଶାନ୍ତି କର ॥ ୯୦
ଶୁଣି ସାନନ୍ଦ ନନ୍ଦରାଣୀ । ପୁତ୍ରକୁ ଘେନିଲା ରୋହିଣୀ ॥ ୯୧
ବେଢ଼ି ବସିଲେ ଗୋପନାରୀ । ଯେତେ ଯଶୋଦା ପରିବାରୀ ॥ ୯୨
ବତ୍ସା ଗୋଟିଏ ଆଣିକରି । ତା' ଲାଞ୍ଜେ ପୁତ୍ର ଦେହ ଝାଡ଼ି ॥ ୯୩
ଗୋ ମୂତ୍ରେ କରାଇ ସ୍ନାହାନ । ଗୋରଜ କରନ୍ତି ଲେପନ ॥ ୯୪
ଗୋମୟେ ଦେଲେ ଠିଆ ଚିତା । ଯେ ପ୍ରଭୁ ଗୋ-ବ୍ରାହ୍ମଣ-ହିତା ॥ ୯୫
ହସ୍ତରେ ଦୂର୍ବାଙ୍କୁର ଘେନି । କଲ୍ୟାଣ କରନ୍ତି କାମିନୀ ॥ ୯୬
ଦ୍ୱାଦଶ ଅଙ୍ଗନ୍ୟାସ କରି । ଗୋପୀ ବୋଲନ୍ତି ନାମ ଧରି ॥ ୯୭
ଯାହାର ନାହିଁ ଆଦିଅନ୍ତ । ଚରଣ ରଖୁ ତୋ ଅନନ୍ତ ॥ ୯୮
ଯଜ୍ଞପୁରୁଷ ଶିରୀଅଙ୍ଗ । ରକ୍ଷା କରନ୍ତୁ ବେନି ଜଂଘ ॥ ୯୯
ଅଚ୍ୟୁତ ରଖୁ କଟୀଭାଗ । ଗର୍ଭ ରଖନ୍ତୁ ପଦ୍ମନାଭ ॥ ୧୦୦
ହୃଦୟ ରଖୁ ହୟଗ୍ରୀବ । କଣ୍ଠ ତୋ ରଖୁ ବାସୁଦେବ ॥ ୧୦୧
ବିଷ୍ଣୁ ତୋ ରଖୁ ବେନିଭୁଜ । ବକ୍ଷ ତୋ ରଖୁ ଗ୍ରହରାଜ ॥ ୧୦୨
ଲଲାଟ ରଖୁ ସଦାଶିବ । ମୁଖ ତୋ' ରଖନ୍ତୁ ମାଧବ ॥ ୧୦୩
ତୋର ଅଗ୍ରତେ ଚକ୍ରଧର । ପୃଷ୍ଠ ତୋ' ରଖୁ ଗଦାଧର ॥ ୧୦୪
ସାରଙ୍ଗଧର ଏକ ପାଖ । ଖଡ଼ଗଧାରୀ ଆରପାଖ ॥ ୧୦୫
ଶଙ୍ଖ ତୋ' ରଖୁ ଚାରିକୋଣ । ଉପରେ ରଖୁ ନାରାୟଣ ॥ ୧୦୬
ଗରୁଡ଼ପତି ରଖୁ ତଳେ । ମଧୁସୂଦନ ଅନ୍ତରାଳେ ॥ ୧୦୭
ହୃଷିକେଶ ତୋ ଇନ୍ଦ୍ରିଗଣ । ରଖୁ ଗୋବିନ୍ଦ ପଞ୍ଚପ୍ରାଣ ॥ ୧୦୮
ଚିତ୍ତ ତୋ ଶ୍ୱେତଦ୍ୱୀପ-ପତି । ମାଧବ ରଖୁ ତୋ'ର ମତି ॥ ୧୦୯
ଖେଳନ୍ତେ ରଖୁ ବନମାଳୀ । ଶୟନେ କୃଷ୍ଣ ପ୍ରତିପାଳି ॥ ୧୧୦
ଚାଲନ୍ତେ ଭୋଜନେ ଶୟନେ । ରଖନ୍ତୁ ଶ୍ରୀ ମଧୁସୁଦନେ ॥ ୧୧୧
ଭୂତ ବେତାଳ ପ୍ରେତଜ୍ୱର । ଗ୍ରହ ଡାକିନୀ ନିଶାଚର ॥ ୧୧୨
ଦୁଷ୍ଟ ସ୍ୱପନ ଗ୍ରହପୀଡ଼ା । ବିଷ୍ଣୁ ନାଶନ୍ତୁ ସର୍ବଅଡ଼ା ॥ ୧୧୩
ନିର୍ଭୟ କରୁ ନରସିଂହ । ବଜ୍ର ତୋ ହେଉ ସର୍ବଦେହ ॥ ୧୧୪
ଆମ୍ଭ ଆୟୁଷ ତୋତେ ହେଉ । ତୋ ଦେହ ଚିରକାଳ ରହୁ ॥ ୧୧୫
ଅଶ୍ୱତ୍ଥାମାଦି ସିଦ୍ଧ ସାତେ । ତାହାଙ୍କ ଆୟୁର୍ବଳ ଯେତେ ॥ ୧୧୬
ଏ ସର୍ବ ତୋର ଦେହେ ହେଉ । ତୋ ଯଶ ତିନିପୁରେ ଥାଉ ॥ ୧୧୭
ନ ଥାଉ ତୋତେ କେ ଜିଣନ୍ତା । ତିନି ଭୁବନେ ସାମରଥା ॥ ୧୧୮
ଏମନ୍ତେ ସ୍ନେହଭର ହୋଇ । ଯଶୋଦାକୋଳେ ଦେଲେନେଇ ॥ ୧୧୯
ସ୍ତନ୍ୟ ପିଆଇ ନନ୍ଦରାଣୀ । ଭୟେ ଚିନ୍ତଇ ଚକ୍ରପାଣି ॥ ୧୨୦
ନନ୍ଦ ଯେ ଥିଲା ମଧୁବନେ । ଆସି ମିଳିଲା ରାତ୍ରମାନେ ॥ ୧୨୧
ଦେଖିଣ ପୂତନା ଶରୀର । ଭୟେ କମ୍ପଇ ଥରହର ॥ ୧୨୨
ମିତ୍ର ବଚନ ମନେ ଗୁଣି । ସୁମରି ଦୃଢ଼େ ପରିମାଣି ॥ ୧୨୩
ଗୋପାଳମାନଙ୍କୁ ରାଇଲା । ଦହନ କର ହୋ ବୋଇଲା ॥ ୧୨୪
ନନ୍ଦ ଆଜ୍ଞାରେ ଗୋପଜନ । ବୋଲନ୍ତି କରିବୁ ଦହନ ॥ ୧୨୫
ତକ୍ଷଣେ କରି ଖଣ୍ତ ଖଣ୍ତ । ଦହିଲେ ପୂତନାର ପିଣ୍ତ ॥ ୧୨୬
ଅନଳେ ଦହନ୍ତେ ଅସୁରୀ । ଗନ୍ଧ ପ୍ରସରିଲା କସ୍ତୁରୀ ॥ ୧୨୭
ଆନନ୍ଦ ହୋଇଲେ ସକଳେ । ଗନ୍ଧ ଆମୋଦ ଦିଗ ପୂରେ ॥ ୧୨୮
ହରି ଭକ୍ଷିଲେ ଯା'ର କ୍ଷୀର । ସୁଗନ୍ଧ କେତେକ ମାତର ॥ ୧୨୯
ଅଷ୍ଟାଙ୍ଗଯୋଗେ ମୁନିଗଣେ । ଚିନ୍ତନ୍ତି ଯେ ହରିଚରଣେ ॥ ୧୩୦
କ୍ଷୀର ସଙ୍ଗତେ ପଞ୍ଚପ୍ରାଣ । ଶ୍ରୀକୃଷ୍ଣ ଦେହେ ହେଲା ଲୀନ ॥ ୧୩୧
ପାମରୀ ସ୍ୱଭାବେ ଅସୁରୀ । ଅନେକ ପାପ ଥିଲା କରି ॥ ୧୩୨
ହତ୍ୟା କହିବା ତା'ର କେତେ । ଦେହରେ ଲୋମ ଅଛି ଯେତେ ॥ ୧୩୩
କୃଷ୍ଣଙ୍କୁ କୋଳେ ବସାଇଲା । ଶ୍ରୀମୁଖ ଚାହିଁ କ୍ଷୀର ଦେଲା ॥ ୧୩୪
ଦେବକୀ ନନ୍ଦ ଯଶୋବନ୍ତୀ । ବସୁଦେବଙ୍କ ଯହିଁ ଗତି ॥ ୧୩୫
ତହିଁକି ପେଷିଲେ ମୁରାରି । ଅସୁରୀ ଗଲା ଆଗସରି ॥ ୧୩୬
ଗୋପୀ ଗୋପାଳ ଯେତେ ଗାଈ । ଯାହାଙ୍କ କ୍ଷୀର କୃଷ୍ଣ ଖାଇ ॥ ୧୩୭
ବସିଲେ ଯେତେ ଜନ କୋଳେ । ସବୁ ତରିବେ ଏକାବେଳେ ॥ ୧୩୮
ଅସୁରୀ ଦହନ କରାଇ । ଘରେ ମିଳିଲେ ନନ୍ଦ ଯାଇ ॥ ୧୩୯
ପୂତନା ଆଗମନ ଲୋକେ । କହିଲେ ନନ୍ଦ ଆଗେ ଥୋକେ ॥ ୧୪୦
ନନ୍ଦ ଯେ ବିସ୍ମୟ ହୋଇଲେ । ସକଳେ କୃଷ୍ଣ ସୁମରିଲେ ॥ ୧୪୧
ଗୋପାଳେ ବୋଲନ୍ତି ଏମନ୍ତ । ଦେଖ ସଂସାର ଅଦଭୁତ ॥ ୧୪୨
ଜାଣିଲୁ ନନ୍ଦ ଭାଗ୍ୟବନ୍ତ । ଆପଦୁଁ ତରିଲା ତା ସୁତ ॥ ୧୪୩
ଆମ୍ଭର ଅଛି ପୁଣ୍ୟବଳ । ଗୋବିନ୍ଦ ରଖିବେ ଗୋକୁଳ ॥ ୧୪୪
ନିଜ ମନ୍ଦିରେ ନନ୍ଦ ମିଳି । କୋଳେ ବସାଇ ବନମାଳୀ ॥ ୧୪୫
ଶ୍ରୀକୃଷ୍ଣ ଶିରେ ଦେଇ କର । ଚୁମ୍ବନ ଦେଲାକ ଅପାର ॥ ୧୪୬
ବିପ୍ରଙ୍କୁ ରାଇ ଗ୍ରହ ଶାନ୍ତି । କରାଇ ଚିନ୍ତଇ ଶ୍ରୀପତି ॥ ୧୪୭
ନନ୍ଦର ଆଜ୍ଞାରେ ବ୍ରାହ୍ମଣେ । କରନ୍ତି ଶାନ୍ତି ଗ୍ରହଗଣେ ॥ ୧୪୮
ଯଜ୍ଞ ଉଚିତ ପ୍ରାୟଶ୍ଚିତ । କରନ୍ତି ଧର୍ମଶାସ୍ତ୍ର ମତ ॥ ୧୪୯
ଷଡ଼ଅକ୍ଷର ମନ୍ତ୍ର ପଢ଼ି । ସିଞ୍ଚନ୍ତି କୁଶ ଘେନି ବାରି ॥ ୧୫୦
ସହସ୍ରେ ଧେନୁ-ବତ୍ସା ଦେଲେ । ସୁବର୍ଣ୍ଣ ଅଳଙ୍କାର ତୁଲେ ॥ ୧୫୧
ପ୍ରସନ୍ନ ହୋଇ ବିପ୍ରଗଣ । କୃଷ୍ଣଙ୍କୁ କରନ୍ତି କଲ୍ୟାଣ ॥ ୧୫୨
ସକଳ ରିଷ୍ଟରୁ ଅଚ୍ୟୁତ । ତୋତେ ସେ କରନ୍ତୁ ମୁକତ ॥ ୧୫୩
ଜ୍ଞାତି-ଭୋଜନ ଦେଲେ ନନ୍ଦ । ରିଷ୍ଟ ଖଣ୍ତିବେ ଆଦିକନ୍ଦ ॥ ୧୫୪
ଆନନ୍ଦେ ହୋଇ କୃତକୃତ୍ୟ । କହନ୍ତି ବ୍ୟାସଙ୍କର ସୁତ ॥ ୧୫୫
ଯେ ଶୁଣେ କୃଷ୍ଣ-ବାଳକେଳି । ଆନନ୍ଦ ହୋଇ ମନେ ଭାଳି ॥ ୧୫୬
ପୂତନା ମରଣର ବାଣୀ । କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ॥ ୧୫୭
ଅସୁରୀ ତରିଲା ଯେମନ୍ତେ । ସୁଜନେ ଯିବ ସେହି ପଥେ ॥ ୧୫୮
ଭକତି କର ଦୃଢ଼ଚିତ୍ତେ । ହରି-ଭକତଙ୍କର ମତେ ॥ ୧୫୯
ଗୀତ-ବିନୋଦ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ସପ୍ତମୋଽଧ୍ୟାୟଃ ।
* * *