ଦଶମ ସ୍କନ୍ଧ
ଷଷ୍ଠ ଅଧ୍ୟାୟ
ବ୍ୟାସକୁମର ମୁଖୁଁ ଶୁଣି । ଅମୃତ ଭାଗବତ ବାଣୀ ॥ ୧
ଆନନ୍ଦେ ପୁଲକିତ ହୋଇ । ମୁନିଚରଣେ ଶିର ଦେଇ ॥ ୨
ଉଠି ଯୋଡ଼ିଣ ବେନିକର । ରାଜନ ବୋଇଲ ଉତ୍ତର ॥ ୩
ପରୀକ୍ଷିତ ଉବାଚ
ଭୋ ମୁନି ହୋଇଲି ପବିତ୍ର । ଶୁଣି ଚରିତ ଭାଗବତ ॥ ୪
କୃଷ୍ଣଙ୍କୁ ବସୁଦେବ ନେଇ । ଅଇଲା ନନ୍ଦଘରେ ଥୋଇ ॥ ୫
ତହିଁକି କଲେ ବନମାଳୀ । ଶୁଣିବି କୃଷ୍ଣ ବାଳକେଳି ॥ ୬
କହି ପବିତ୍ର ମୋତେ କର । ସେବଇଁ ଚରଣେ ତୁମ୍ଭର ॥ ୭
ଶୁଣି ସାନନ୍ଦ ମୁନିବର । ବୋଲନ୍ତି ଶୁଣ ଦଣ୍ତଧର ॥ ୮
ଶୁକ ଉବାଚ
ନିଦ୍ରା ଜଗତ ମୋହିଥିଲା । ପାଲଟି ବସୁଦେବ ନେଲା ॥ ୯
ଦେବକୀ କୋଳରେ ରଖିଲା । କଂସର ହସ୍ତୁ ଶୂନ୍ୟେ ଗଲା ॥ ୧୦
ଏମନ୍ତେ ପାହିଲା ରଜନୀ । ଶୁଣ ତୁ ବୀର ଚୂଡ଼ାମଣି ॥ ୧୧
ଚେତି ଚାହିଁଲା ନନ୍ଦରାଣୀ । ଚିଆଇଁ ଉଠି ସୁଲକ୍ଷଣୀ ॥ ୧୨
ଦେଖିଲା ହୋଇଛି ତନୟେ । ନନ୍ଦକୁ କହିଲେ ଥୋକାଏ ॥ ୧୩
ଶୁଣି ମିଳିଲା ବେଗେ ନନ୍ଦ । ପୁତ୍ରକୁ ଦେଖିଣ ଆନନ୍ଦ ॥ ୧୪
ଯେତେ ଯଶୋଦା ପରିବାରୀ । ରାଇ ଆଣିଲେ ଗୋପନାରୀ ॥ ୧୫
ବ୍ରାହ୍ମଣେ ମିଳିଲେ ଗହଳ । ଶୁଣିଲେ ପୁତ୍ର ଜନ୍ମ ଗୋଳ ॥ ୧୬
ନନ୍ଦ ଦେଖିଣ ଦ୍ୱିଜଗଣ । ତକ୍ଷଣେ ପୂଜିଲା ଚରଣ ॥ ୧୭
ବେଗେ ସେ ହୋଇ ଶୁଚିବନ୍ତ । କାଞ୍ଚନ ଆଣିଲା ବହୁତ ॥ ୧୮
ବ୍ରାହ୍ମଣେ କଲେ ବେଦଧ୍ୱନି । ମଙ୍ଗଳ ଶୁଭଲଗ୍ନ ଘେନି ॥ ୧୯
କରାଇ ଜାତକର୍ମ ବିଧି । ଦେବତା ପିତୃଙ୍କୁ ଆରାଧି ॥ ୨୦
ବିପ୍ରଙ୍କୁ ଅନେକ ପୂଜିଲା । ବେନିନିୟୁତ ଧେନୁ ଦେଲା ॥ ୨୧
ମଣ୍ତିଣ ବସ୍ତ୍ର ଅଳଙ୍କାର । ଚନ୍ଦନ କୁସୁମ ଚାମର ॥ ୨୨
ତିଳପର୍ବତ ମାନ କରି । ଦେଲା କାଞ୍ଚନ ବସ୍ତ୍ର ଭରି ॥ ୨୩
ବିପ୍ରେ ପଢ଼ିଲେ ବେଦ ଚାରି । ରଙ୍ଗେ ନାଚନ୍ତି ଗୋପନାରୀ ॥ ୨୪
ସୂତ ମାଗଧ ବନ୍ଦୀ ମିଳି । ଗାବନ୍ତି ମଙ୍ଗଳ ଉଚ୍ଚାରି ॥ ୨୫
ବାଜଇ ବୀରତୂରୀ ଭେରୀ । ଆନନ୍ଦେ ମଙ୍ଗଳମହୁରୀ ॥ ୨୬
ନନ୍ଦର ଘରେ ପୁତ୍ରଜାତ । ଚହଳ ଶୁଭେ ଅପ୍ରମିତ ॥ ୨୭
ଗୋପନଗରେ ଯେତେ ଲୋକେ । ଚିଆଇଁ ଧାଇଁଛନ୍ତି ଥୋକେ ॥ ୨୮
ସୁଖେଣ ପାହିଲା ରଜନୀ । ବାହାର ହୋଇଲେ କାମିନୀ ॥ ୨୯
ଅଗଣା ଖରକି ପହଁରା । ଚନ୍ଦନ ଗୋଳି ଦ୍ୟନ୍ତି ଛେରା ॥ ୩୦
ଦୁଆରେ ସୁବର୍ଣ୍ଣ କଳସେ । ତୋରଣା ଲମ୍ବାନ୍ତି ହରଷେ ॥ ୩୧
ଗୋରୁଙ୍କୁ ମଣ୍ତନ୍ତି ଗୋପାଳେ । ବସ୍ତ୍ର ଭୂଷଣ ଫୁଲମାନେ ॥ ୩୨
ବୃଷଭ ସୁରଭି ବାଛୁରୀ । ହଳଦୀ ତେଲ ତାଙ୍କୁ ବୋଳି ॥ ୩୩
ଗଉଡ଼େ ଶୁଚିବନ୍ତ ହୋଇ । ଯେ ଯାହା ଅଳଙ୍କାର ନେଇ ॥ ୩୪
ହାର କଙ୍କଣ କର୍ଣ୍ଣଫୁଲ । ବାଜେଣୀ ନୂପୁର ଅମୂଲ୍ୟ ॥ ୩୫
ଏମନ୍ତେ ପିନ୍ଧି ଅଳଙ୍କାର । ହସ୍ତେ ଘେନିଲେ ଦୁର୍ବାଙ୍କୁର ॥ ୩୬
ଏକ ଆରକେ ଆଗ ହୋଇ । ମିଳିଲେ ନନ୍ଦଘରେ ଯାଇ ॥ ୩୭
ଗୋପୀଏ ନିତ୍ୟକର୍ମ ସାରି । ଦେହରେ ଅଳଙ୍କାର ଭରି ॥ ୩୮
ପିନ୍ଧିଲେ ନାନା ବସ୍ତ୍ରମାନ । ଆନନ୍ଦେ ମନ ଛନ୍ନ ଛନ୍ନ ॥ ୩୯
ହସ୍ତରେ ଘେନି ଅର୍ଘ୍ୟଥାଳୀ । ରଙ୍ଗେ ଚଳିଲେ ଗୋପବାଳୀ ॥ ୪୦
ଏକ ଆରକେ ଯା'ନ୍ତି ଜିଣି । ଚରଣେ ନୂପୁର ବାଜେଣୀ ॥ ୪୧
କେହି ଲେଉଟି ନ ଚାହାଁନ୍ତି । ଆକାଶେ ଯେହ୍ନେ ହଂସପନ୍ତି ॥ ୪୨
ଚଳନ୍ତି ଶ୍ରବଣେ କୁଣ୍ତଳ । ନିତମ୍ବ କୁଚ ହେମମାଳ ॥ ୪୩
ଆକାଶେ ଦେବେ ଛନ୍ତି ଚାହିଁ । ଗୋପୀ ଚଳନ୍ତି ଗୀତଗାଇ ॥ ୪୪
ଯା'ନ୍ତେ ବିରାଜେ ମହୀସ୍ଥଳୀ । କ୍ଷଣ କ୍ଷଣକେ ହୁଳହୁଳି ॥ ୪୫
କବରୀ ଫିଟି ଫୁଲମାଳ । ଯା'ନ୍ତେ ପଡ଼ଇ ମହୀତଳ ॥ ୪୬
କୃଷ୍ଣଙ୍କୁ ଯାଉଛନ୍ତି ଦେଖି । ଆନନ୍ଦ କେ ପାରିବ ଲେଖି ॥ ୪୭
ଦିଶଇ ନନ୍ଦ ନିଜ ବାସ । କି ଜିଣି ତପନ ତରାସ ॥ ୪୮
ଆକାଶ ମଣ୍ତଣି ପରାୟେ । ତେଜେ ସକଳ ଶୋଭାପାଏ ॥ ୪୯
କି ଜିଣି ନବଗ୍ରହ ଜ୍ୟୋତି । ତ୍ରିବିଧ ରତ୍ନ ଝଟକନ୍ତି ॥ ୫୦
ଶ୍ୱେତ ସୁରଙ୍ଗ ପୀତବାସ । ବିବିଧ ଚାରୁବର୍ଣ୍ଣେ ବସ୍ତ୍ର ॥ ୫୧
ଯହିଁ ଗୋବିନ୍ଦ ଦେହ ଧରି । କେ ତାହା ବର୍ଣ୍ଣିବ ବିଚାରି ॥ ୫୨
ନନ୍ଦର ମନ୍ଦିରେ ମିଳିଲେ । ମଙ୍ଗଳ-ଗୀତ-ନାଦ କଲେ ॥ ୫୩
ଅନ୍ତୁଡ଼ିଶାଳେ ଯାଇ ମିଳି । ହାସ୍ୟେ କେ କରନ୍ତି ଢ଼ମାଳି ॥ ୫୪
ଯଶୋଦା କୋଳେ କୃଷ୍ଣ ଦେଖି । ନିର୍ମଳ କଲେ ଚର୍ମ ଆଖି ॥ ୫୫
ଅକ୍ଷତ କୃଷ୍ଣ ଶିରେ ଦ୍ୟନ୍ତି । ଆନନ୍ଦେ କଲ୍ୟାଣ କରନ୍ତି ॥ ୫୬
ବୋଲନ୍ତି ଯଶୋଦାଙ୍କୁ ଚାହିଁ । ଧନ୍ୟ ଜୀବନ ତୋର ଆଈ ॥ ୫୭
ଆମ୍ଭ ଆୟୁଷ ଘେନି କରି । ତୋ ପୁତ୍ର ବର୍ତ୍ତୁ ଯୁଗ ଚାରି ॥ ୫୮
ଏ ଆମ୍ଭ ଗୋକୁଳ ରଖିବ । ଏହାକୁ ରଖୁ ସଦାଶିବ ॥ ୫୯
ହଳଦୀ ତେଲ ଘେନି ଥୋକେ । ବୋଲନ୍ତି ଏକକୁ ଆରକେ ॥ ୬୦
ଖେମଟା ନାଦେ କରତାଳି । ଆନନ୍ଦେ ନାଚନ୍ତି ଗୁଆଳୀ ॥ ୬୧
କରେ ବଜାନ୍ତି କରତାଳି । ଢଗଢ଼ମାଳି ରଙ୍ଗକେଳି ॥ ୬୨
ବିଜୟ ପରମ ମଙ୍ଗଳ । ଆନନ୍ଦମାନଙ୍କର ମୂଳ ॥ ୬୩
ଗୋପାଳେ ଏକକୁ ଆରକେ । ସିଞ୍ଚନ୍ତି ଦୁଧଦଧି ଥୋକେ ॥ ୬୪
ଲବଣି ଘେନି ମରାମରି । ନାଚନ୍ତି ଏକୁ ଆରେ ଧରି ॥ ୬୫
ଆନନ୍ଦ ହୋଇ ନନ୍ଦରାୟେ । ଭଣ୍ତାରେ ଫେଇଲେ ଥୋକାଏ ॥ ୬୬
ଅନେକ ଗୋରୁ ବସ୍ତ୍ର ଧନ । ତୋଷିଲେ ଜଣେ ଜଣେ ମନ ॥ ୬୭
ରୋହିଣୀ ନିକଟେ ମିଳିଲେ । ଅନେକ ଧନରତ୍ନ ଦେଲେ ॥ ୬୮
ଗୋପୀଙ୍କି କରାଇ ହରଷ । ଭୋଜନ ଦେଲେ ଷଡ଼ରସ ॥ ୬୯
ଶ୍ରୀକୃଷ୍ଣ ଜନ୍ମ ମନେ ଗୁଣି । ଗୋପେ ବିଜୟ କମଳିନୀ ॥ ୭୦
କେ କହୁ ଗୋପର ସମ୍ପଦ । ଯହିଁ ବିଜୟ ଆଦିକନ୍ଦ ॥ ୭୧
ଶୁଣ ହେ କୁରୁ ନୃପମଣି । ଜନ୍ମ ଉତ୍ସବ ଅନ୍ତେ ପୁଣି ॥ ୭୨
କଂସର ଆଡ଼ତିଆ ଥିଲା । ନନ୍ଦକୁ କ୍ଷଣେ ନଛାଡ଼ିଲା ॥ ୭୩
ଦଇବେ ଆକଟ ଅପାର । ନେବ ସେ ବରଷକ କର ॥ ୭୪
ଗୋପାଳମାନଙ୍କୁ ବସାଇ । ନନ୍ଦ ବୋଲଇ ଶୋକ ବହି ॥ ୭୫
କଂସ ଆକଟ ମୋତେ କରି । ମୁଁ ଆଜି ଯିବି ମଧୁପୁରୀ ॥ ୭୬
ପୁତ୍ରର ଚିନ୍ତା ତୁମ୍ଭେ କର । କହି ଚଳିଲା ଗୋପବୀର ॥ ୭୭
କଂସର ଛାମୁରେ ମିଳିଲା । ସୁନିଅାଁ ଧନ ଗଣିଦେଲା ॥ ୭୮
ଆନନ୍ଦ ହୋଇ ଦଣ୍ତଧାରୀ । ଦେଲା ସେ ଅଳଙ୍କାର ଭରି ॥ ୭୯
ମେଲାଣି ପାଇ ତତ୍କ୍ଷଣ । କିଣିଲା ନାନା ଦ୍ରବ୍ୟମାନ ॥ ୮୦
ଗୋପନବରେ ଯେତେ ଲୋଡ଼ା । ତାଳ ଜମ୍ବିଳ ଆମ୍ବସଢ଼ା ॥ ୮୧
ଶକଟେ ଭରି ମନ ତୋଷେ । ଏମନ୍ତେ ଦିନ ଅବଶେଷେ ॥ ୮୨
ସାରିଲା ରନ୍ଧନ ଭୋଜନ । ନିରତେ ପୁତ୍ର ତହିଁ ମନ ॥ ୮୩
ଏମନ୍ତେ ରଜନୀ ହୋଇଲା । ଘୋର ତିମିର ପ୍ରକାଶିଲା ॥ ୮୪
ନନ୍ଦର ଆଗମନ ଶୁଣି । ବସୁଦେବ ତା ମନେ ଗୁଣି ॥ ୮୫
ସ୍ୱଭାବେ ନନ୍ଦ ମିତ୍ର ମୋର । ତା'ଘରେ ବେନି ମୋ କୁମର ॥ ୮୬
ତା'ର କୁଶଳେ ମୋର ଇଷ୍ଟ । ନ ପୁଣ ଜାଣେ କଂସ ଦୁଷ୍ଟ ॥ ୮୭
ଏମନ୍ତ ମନେ ବିଚାରିଲା । ନନ୍ଦର ନିକଟେ ମିଳିଲା ॥ ୮୮
ମିତ୍ର ଆଗମ ନନ୍ଦ ଦେଖି । ଉଠିଲା ଆସନ ଉପେକ୍ଷି ॥ ୮୯
ଆନନ୍ଦେ ହୋଇ କୋଳାକୋଳ । ବସିଲେ ଯାଇ ଏକମେଳ ॥ ୯୦
ପୂର୍ବର କଥାମାନ କହି । ଏକ ଆରକେ ଭାବବହି ॥ ୯୧
ବୋଲନ୍ତି ବସୁଦେବ ହସି । ନନ୍ଦ କୁଶଳ ପରଶଂସି ॥ ୯୨
ବୃଦ୍ଧ ବୟସେ ତୋ'ର ସୁତ । ଶୁଣି ହୋଇଲି କୃତକୃତ୍ୟ ॥ ୯୩
ମନୁଷ୍ୟ ଜନ୍ମର ଏ ସାର । ବୋଲନ୍ତି ସଂସାର ବେଭାର ॥ ୯୪
ଦାରା ତନୟ ବନ୍ଧୁଗଣ । ଧନସମ୍ପଦ ଏ କାରଣ ॥ ୯୫
ଏତେ ନ ଥିଲେ ଦୁଃଖ ପାଇ । ଉଭୟଲୋକେ ସୁଖ ନାହିଁ ॥ ୯୬
ଏ ପୁଣି ନୁହଁଇନା ସତ୍ୟ । ଦର୍ପଣେ ପ୍ରତିମା ଯେମନ୍ତ ॥ ୯୭
ଚିତ୍ର ପ୍ରତିମା ପ୍ରାୟେ ଠୁଳ । ଯେମନ୍ତେ ସମୁଦ୍ର ଉଲ୍ଲୋଳ ॥ ୯୮
ଭଲେ ଅଛନ୍ତି ନା ଗୋ-କୁଳ । ତୃଣ ବୀରୁଧ କନ୍ଦମୂଳ ॥ ୯୯
ଗୋପୀଏ ଅଛନ୍ତି ନା ଭଲେ । ରୋହିଣୀ ଯଶୋଦାର ତୁଲେ ॥ ୧୦୦
ମୋହର ରୋହିଣୀର ସୁତ । ତୁମ୍ଭେ ତାହାର ତାତମାତ ॥ ୧୦୧
ପିତା ବିଚ୍ଛେଦେ ଅରକ୍ଷିତ । ତୁମ୍ଭର ପାଳିବା ଉଚିତ ॥ ୧୦୨
ମୁଁ କି କରିବି ଉପକାର । ଏତେ ଅନ୍ତରେ ଗୃହ ମୋର ॥ ୧୦୩
ଜୀବନ୍ତେ ଏକୁ ଆର ସଖା । ମରଣେ ପରଲୋକେ ଦେଖା ॥ ୧୦୪
ଏମନ୍ତ ମିତ୍ରର ସ୍ୱଭାବ । ଆନନ୍ଦେ କହେ ବସୁଦେବ ॥ ୧୦୫
ନନ୍ଦ ଯେ ବସୁଦେବ ଚାହିଁ । ବୋଲଇ ଶୋକଭର ହୋଇ ॥ ୧୦୬
ଭୋ ମିତ୍ର ବଡ଼ାଇ ବିକଳ । ନୟନୁ ବହେ ଅଶ୍ରୁଜଳ ॥ ୧୦୭
ଦେବକୀ କଲା କେତେ ପାପ । ଅଳପ ଦିନେ ବହୁତାପ ॥ ୧୦୮
ପ୍ରସବେ ବରଷେ ବରଷ । ଛ ପୁତ୍ର କଂସ କଲା ନାଶ ॥ ୧୦୯
ଏବେ ଦୁହିତାଏ ହୋଇଲା । ତାହା ମାରିବ ବୋଲି ଗଲା ॥ ୧୧୦
ଦେବକୀ ତା'ର ଧରି କର । ବୋଲଇ ଏହାକୁ ନ ମାର ॥ ୧୧୧
ସଙ୍ଖାଳି ହେଉ ବୃଦ୍ଧକାଳେ । ପଡୁଛି ତୋ'ର ପାଦତଳେ ॥ ୧୧୨
ଦେବକୀ ବୋଲ ସେ ନ କଲା । କୋଳରୁ ଛଡ଼ାଇ ଆଣିଲା ॥ ୧୧୩
ଚରଣ ଧରି କଚାଡ଼ନ୍ତେ । ହସ୍ତରୁ ଗଲା ସେ ତୁରିତେ ॥ ୧୧୪
କଂସର ମୃତ୍ୟୁ ସେ କହିଲା । ଶୂନ୍ୟମାର୍ଗରେ ଚଳିଗଲା ॥ । ୧୧୫
ଏ କଥା କର୍ମର ଆୟତ୍ତ । ଜଗତ କର୍ମେ ଆତଯାତ ॥ ୧୧୬
ଏହା ଜାଣନ୍ତି ଜ୍ଞାନୀଲୋକ । ତେଣୁ ନ ଲାଗେ ଦୁଃଖସୁଖ ॥ ୧୧୭
ବୋଲଇ ବସୁଦେବ ଶୋକେ । ଯାହା ଅର୍ଜିଲି ପୂର୍ବଲୋକେ ॥ ୧୧୮
ସେ କଥା କର୍ମଟି ମୋହର । ଭୋ ମିତ୍ର ବେଗେ ଯାଅ ଘର ॥ ୧୧୯
କଂସ ଆଦେଶ ଘେନି ଶିରେ । ଜଗତେ ବୁଲନ୍ତି ଅସୁରେ ॥ ୧୨୦
ମାରିବେ ଯେତେ ବାଳପୁଅ । ଭୋ ମିତ୍ର ଦଣ୍ତେ ହେଁ ନ ରହ ॥ ୧୨୧
କହି ଚଳିଲେ ବସୁଦେବ । ନନ୍ଦର ମନ ଉଦ୍ବେଗ ॥ ୧୨୨
ଶୁଣିଣ ମିତ୍ରର ବଚନ । ନନ୍ଦର ମନ ଛନ୍ନ ଛନ୍ନ ॥ ୧୨୩
ଶକଟେ ନାନା ଦ୍ରବ୍ୟ ଭରି । ଭୟେ ସୁମରେ ନରହରି ॥ ୧୨୪
ବଜାଇ ଶଙ୍ଖ ଭେରୀ ତୁର । ନଗରୁ ହୋଇଲା ବାହାର ॥ ୧୨୫
କୃଷ୍ଣ ଆଦେଶ ଶିରେ ଘେନି । କହନ୍ତି ଶୁକ ମହାମୁନି ॥ ୧୨୬
ସୁଜନେ ଶୁଣ କୃଷ୍ଣଲୀଳା । ଏ ଭଗସାଗରକୁ ଭେଳା ॥ ୧୨୭
ଏ ନାବେ ବସ ଭ୍ରାନ୍ତି ଛାଡ଼ି । ନ ମର ଭବଜଳେ ବୁଡ଼ି ॥ ୧୨୮
ପତ୍ନୀ ତନୟ ଗୃହବାସ । ଏଣେ ନ କରିବ ବିଶ୍ୱାସ ॥ ୧୨୯
ସମ୍ପଦ ସ୍ୱପ୍ନ ପ୍ରାୟ ଦୃଶ୍ୟ । ତେଣେ ନ କର ତୁମ୍ଭେ ଆଶ ॥ ୧୩୦
ନିରତେ ଚିନ୍ତ ନରହରି । ନ ମର ଶୂନ୍ୟେ କୋଳକରି ॥ ୧୩୧
ଗୋବିନ୍ଦ ନାମେ ଜ୍ଞାନରସ । କହଇ ଜଗନ୍ନାଥ ଦାସ ॥ ୧୩୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଦେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଷଷ୍ଟୋଽଧ୍ୟାୟଃ ।
* * *