ଦଶମ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ଶୁଣି ସାନନ୍ଦମନେ ରାଜା । ମୁନିଚରଣେ କଲେ ପୂଜା ॥

ଆନନ୍ଦେ ଲୋଟଇ ଧରଣୀ । କୁତାର୍ଥ କୃଷ୍ଣଜନ୍ମ ଶୁଣି ॥

ଭକତି ଦେଖିଣ ତାହାର । କହନ୍ତି ବ୍ୟାସଙ୍କ କୁମର ॥

ଶୁକ ଉବାଚ

ଶୁଣ ପରୀକ୍ଷ ଦଣ୍ତŠଧାରୀ । ଶିଶୁକୁମାରୀ ରାବ କରି ॥

ଶୁଣି ପ୍ରହରୀ ବେଗେ ଗଲେ । କଂସ ଛାମୁରେ ଜଣାଇଲେ ॥

ଶୁଣି ଅସୁର ମହାବଳ । ବୋଲଇ ପୂରିଲା ମୋ' କାଳ ॥

ଶଯ୍ୟା ଉପେକ୍ଷି ବେଗେ ଉଠି । ଖଡ଼ଗ୍ କଲା ଦୃଢ଼ମୁଷ୍ଟି ॥

ଧାଇଁଲା ପବନହୁଁ ଖରେ । ବେଗେ ମିଳିଲା ବନ୍ଦୀଘରେ ॥

ପିନ୍ଧିଲା ବସ୍ତ୍ର ଅସମ୍ଭାଳ । ଫିଟିଲା ଦୃଢ଼ବନ୍ଧ ବାଳ ॥

କବାଟ ଫେଡ଼ାଇ ପଶିଲା । ଦେଖି ଦେବକୀ ଭୟ କଲା ॥ ୧୦

କଂସ କମ୍ପଇ କୋପଭରେ । ରତ୍ନମୁକୁଟ ଅଛି ଶିରେ ॥ ୧୧

ଦେଖିଣ କମ୍ପଇ ଦେବକୀ । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥ ୧୨

ବୋଲଇ ଶୁଣ ନରନାଥ । ହୋଇଲା ଦୁହିତା ଏ ଜାତ ॥ ୧୩

ଏହାକୁ ସଂହାର ନ କର । ବଇରୀ ନୁହଁଇ ଏ ତୋ'ର ॥ ୧୪

ଯେବେ ତୁ କରିବୁ ସଂହାର । ପ୍ରାଣ ତେଜିବି ତୋ' ଉପର ॥ ୧୫

ଦୁହିତା ଦାନ ଦେଇ ରଖ । ନୋହିଲେ ହୋଇବି ନିରେଖ ॥ ୧୬

ସଙ୍ଖାଳି ହେଉ ବୃଦ୍ଧକାଳେ । ପଡୁଛି ତୋ'ର ପାଦତଳେ ॥ ୧୭

ତୋର ପୁତ୍ରକୁ ଏହା ଦେବି । ଆନନ୍ଦେ ବିଭା କରାଇବି ॥ ୧୮

ବହୁତ ଦେଲୁ ଗର୍ଭକଷ୍ଟ । ପୋଡ଼ୁ ନିର୍ଲ୍ଲଜ ମୋର ପେଟ ॥ ୧୯

ଆଉ ବୟସ ମୋର କାହିଁ । ପାରିବି ପୁତ୍ର ଉପୁଜାଇ ॥ ୨୦

ଶୁଣି ଦାନବ ମହାବଳୀ । କୋପେ କମ୍ପଇ ପରଜ୍ଜ୍ୱଳି ॥ ୨୧

ଦେଖିଣ ଚକିତ ଦେବକୀ । ଭୟେ ବୁଜିଲା ବେନି ଆଖି ॥ ୨୨

କୋଳରେ ଲୁଚାଇ ଦୁହିତା । ଶରଣ ଗଲି ରଖ ଭ୍ରାତା ॥ ୨୩

କଂସ ବୋଲଇ ଶିର ଝୁଣି । ତୁ ଛାର ମୋହର ବହେଣୀ ॥ ୨୪

ବସୁଦେବର ଦୋଷ ନାହିଁ । ତୁ ମୋତେ ଅଛୁ ବାଟ ଚାହିଁ ॥ ୨୫

ମୋର ମରଣ ତୋ'ର ସୁଖ । ତେଣୁ ପାଉଛୁ ତୁହି ଦୁଃଖ ॥ ୨୬

ତୁ କାହିଁ ଜାଣୁ ହରିମାୟା । ଅସୁରେ ବଡ଼ ସେ ନିŸର୍ଦ୍ଦୟା ॥ ୨୭

ନାନା ରୂପ ରେ ହୋଇ ଜାତ । ଅସୁର କରଇ ନିପାତ ॥ ୨୮

ବଇଲୋଚନ ବୀର ଥିଲା । ଭାରିଯା ରୂପେଣ ମାଇଲା ॥ ୨୯

ସ୍ତିରୀ ମୂରତି ଧରି ଚଣ୍ତୀ । ଅନେକ ଦୈତ୍ୟ ଶିର ଖŠଣ୍ତି ॥ ୩୦

ମହିଷ ମାରି ଦୁର୍ଗା ହୋଇ । ତା'ମାୟା ନ ଜାଣୁ ଲୋ ତୁହି ॥ ୩୧

ରକତବୀର୍ଯ୍ୟ ଚŠଣ୍ତମୁŠଣ୍ତ । ଘୋଟନ୍ତି ମହୀ ନବଖŠଣ୍ତ ॥ ୩୨

ଦୁର୍ଗାର ହସ୍ତେ ପ୍ରାଣ ଦେଲେ । ଆବର ଯେତେ ଦୈତ୍ୟ ଥିଲେ ॥ ୩୩

ଛ ପୁତ୍ର ଦେଇ ମୁରୁଛିଲୁ । ଏବେ ତୁ ଦୁହିତା ଇଚ୍ଛିଲୁ ॥ ୩୪

ଦୁହିତା ଆଶ ଛାଡ଼ ଆଈ । ଏ ମୋର ବଇରୀ ଅଟଇ ॥ ୩୫

ଯାହା କହିଲେ ବିଶ୍ୱକେତୁ । ଅଷ୍ଟମ ଗର୍ଭ ମୋର ଶତ୍ରୁ ॥ ୩୬

ନାରଦ କହିଛନ୍ତି ମୋତେ । ମରିବି ତୋ'ର ପୁତ୍ର ହସ୍ତେ ॥ ୩୭

ଅଷ୍ଟମଗର୍ଭ ମୋ' ବଇରୀ । ଏହାକୁ ପକାଇବି ମାରି ॥ ୩୮

ଦେବକୀ ଦୁହିତା ସେନେହ । କଂସେ କରଇ ଗରୁ କୋହ ॥ ୩୯

ଚାହିଁଲା ଅଧର କାମୋଡ଼ି । କୋଳରୁ ଆଣିଲା ଉଛୁଡ଼ି ॥ ୪୦

ବେନିଚରଣ ଧରି କରେ । ବୁଲାଇ ପିଟିଲା ଶିଳାରେ ॥ ୪୧

ଯେ ଦେବୀ ଜଗତସଂହାରେ । କାହାର ବଳ ତା'କୁ ମାରେ ॥ ୪୨

କଂସର ହସ୍ତରୁ ଉଛୁଳି । ଆକାଶେ ଯେସନେ ବିଜୁଳି ॥ ୪୩

ତେଜେ ଦଶଦିଗ ବିରାଜେ । ବେନିଚରଣ ଅଷ୍ଟଭୁଜେ ॥ ୪୪

କେ କହୁ ଦେବୀ ଆଭରଣ । ଅଙ୍ଗଦ ନୂପୁର କଙ୍କଣ ॥ ୪୫

ଗନ୍ଧଚନ୍ଦନ-ପୁଷ୍ପମାଳୀ । ତେତିଶ କୋଟି ଦେବେ ମିଳି ॥ ୪୬

ସ୍ତୁତି କରନ୍ତି ସୁର ମୁନି । କଂସକୁ ବୋଲନ୍ତି ଭବାନୀ ॥ ୪୭

ରେ କଂସ ଶୁଣ ମୋ' ଉତ୍ତର । ତୋର ବଇରୀ ଚକ୍ରଧର ॥ ୪୮

ସେ ତୋତେ କରିବେ ସଂହାର । ଆବର ଯେତେକ ଅସୁର ॥ ୪୯

ତୋହର ପାଇଁ ଦେହ ବହି । ଜାତ ହୋଇଲେ ଯହିଁ ତହିଁ ॥ ୫୦

ତୁ ମୋତେ ନ ଜାଣି କଚାଡୁ । ନିୟତ ପଥ କି କେ ହୁଡ଼ୁ ॥ ୫୧

ଦେବେ ଯେ ତୋହର ବଇରୀ । ତାହାଙ୍କ ବୋଲକୁ ତୁ ଡରି ॥ ୫୨

ଛ ପୁତ୍ର ମାଇଲୁ ଏହାର । ଧର୍ମକୁ ଛାଡ଼ିଲୁ ଅସୁର ॥ ୫୩

ଏବେ ମୁଁ କହୁଅଛି ତୋତେ । ହରିଙ୍କି ଭାବ ହୃଦଗତେ ॥ ୫୪

ସେ ବିଶ୍ୱମ୍ଭର ବିଶ୍ୱମୂର୍ତ୍ତି । ଭାବିଲେ ପାଇବୁ ମୁକତି ॥ ୫୫

ସେ ହରି ତୋହର ବଇରୀ । ତୋ'ର ମରଣେ ଅବତରି ॥ ୫୬

ସେ ଶୂନ୍ୟପୁରୁଷ ଗୋସାଇଁ । ତାହା ଭେଟିବୁ ଅବା କାହିଁ ॥ ୫୭

ଏବେ ତୁ ଶୁଣ କଂସ ବୀର । ଏ ତୋର ବହେଣୀ ସୋଦର ॥ ୫୮

ଏହାଙ୍କୁ ବନ୍ଦୀଘରୁ ଫେଡ଼ି । ବେନି ଚରଣତଳେ ପଡ଼ି ॥ ୫୯

ତୋଷିଣ ନିଅ ନିଜପୁର । ତୋ'ର ବଇରୀ ପିତାମ୍ବର ॥ ୬୦

କହି ଚଳିଲେ ନିଜସ୍ଥାନ । ଉଚ୍ଚାଟ କରି କଂସ ମନ ॥ ୬୧

ଯାହା କହିଲେ ଜଗନ୍ମାଥ । ଜଗତେ ହୋଇଲା ବିଖ୍ୟାତ ॥ ୬୨

ଦେବୀ ବଚନ କଂସ ଶୁଣି । ବିଚାର କଲା ମନେ ଗୁଣି ॥ ୬୩

ନ ଜାଣି ବିଧାତାର ଗତି । ସୋଦରେ କଲଇଁ ଅନୀତି ॥ ୬୪

ଅନେକ କଲଇଁ ମୁଁ ଦୋଷ । କେମନ୍ତେ ହୋଇବ ବିଶ୍ୱାସ ॥ ୬୫

କିସ କରିବି ବୋଲି ଭାଳି । ଚରଣୁଁ ଫେଡ଼ିଲା ଶାଙ୍କୋଳି ॥ ୬୬

ଚାହିଁଲା ଦେବକୀ ବଦନ । ବୋଲଇ ମଧୁର ବଚନ ॥ ୬୭

ଦେବକୀ ବସୁଦେବ ଶୁଣ । ତୁମ୍ଭରେ କଲି ଦ୍ରୋହପଣ ॥ ୬୮

ମୁହିଁ ତ ସ୍ୱଭାବେ ଅସୁର । ଭଣଜା ମାଇଲି ମୋହର ॥ ୬୯

ତୁମ୍ଭଙ୍କୁ ଦେଲି ପୁତ୍ରକଷ୍ଟ । ମୋହର ଧର୍ମ କଲି ନଷ୍ଟ ॥ ୭୦

ସଂସାରେ କଲି ଅପଯଶ । ନରକେ ହୋଇବି ପ୍ରବେଶ ॥ ୭୧

ଦେହ ବହିଲେ ନିଶ୍ଚେ ମରି । ସଂସାର ନୁହଁଇ କାହାରି ॥ ୭୨

ବୃକ୍ଷର ତଳେ ଯେହ୍ନେ ଆସି । ପଥୁକୀ ବିଶ୍ରାମନ୍ତି ବସି ॥ ୭୩

ପୁଣି ଚଳନ୍ତି ଶ୍ରମ ସାରି । ସେ ବୃକ୍ଷ ନୁହଁଇ କାହାରି ॥ ୭୪

ତେମନ୍ତ ମାୟା ଏ ସଂସାର । କେ ମାତା କେ ପିତା କୁମର ॥ ୭୫

ଅର୍ଜିଲା କର୍ମେ ଆତଯାତ । ମାୟାଭିଆଣ ତାତମାତ ॥ ୭୬

ବିଧି ବିଚାରେ ଯାହା କରି । ଭୁଞ୍ଜଇ ସେ ଫଳ ଆବୋରି ॥ ୭୭

ଦୋଷ କରିବା ମୋର କ୍ଷମା । ସ୍ୱଭାବେ ମୁହିଁ ଦୁରାତମା ॥ ୭୮

ଏମନ୍ତ ବୋଲି ଶୋକ କରି । ପାଦେ ପଡ଼ିଲା କରଯୋଡ଼ି ॥ ୭୯

ସହୃଦପଣ ଦେଖାଇଲା । ଅନେକ ଧନରତ୍ନ ଦେଲା ॥ ୮୦

ନିଜ ମନ୍ଦିରେ ଦେଲା ବାସ । ଅନେକ କରାଇ ବିଶ୍ୱାସ ॥ ୮୧

କଂସ ଭକତିଭାବ ଦେଖି । ସନ୍ତାପ ଛାଡ଼ିଲା ଦେବକୀ ॥ ୮୨

ସନ୍ତୋଷ ହୋଇ ବସୁଦେବ । ଦିନକୁ ଦିନ ବଡ଼ ଭାବ ॥ ୮୩

ଏମନ୍ତେ ରଜନୀ ପାହିଲା । କଂସ ସଭାରେ ବିଜେକଲା ॥ ୮୪

ଅସୁରଗଣଙ୍କୁ ବସାଇ । କହଇ ବିଶ୍ୱାସ କରାଇ ॥ ୮୫

ଶୂନ୍ୟେ ଚଣ୍ତିକା ଯାହା ଭଣି । ସବୁ କହିଲା ପରିମାଣି ॥ ୮୬

କଂସର ଦେଖିଣ କାତର । ଅସୁରେ ବୋଲନ୍ତି ଉତ୍ତର ॥ ୮୭

ଶୁଣ ହୋ ଭୋଜନୃପମଣି । ଯାହା କହିଲେ ନାରାୟଣୀ ॥ ୮୮

ତୋହର ଆଜ୍ଞା ଘେନି ଶିରେ । ବୁଲିବୁ ସକଳ ଦେଶରେ ॥ ୮୯

ଦିନକଠାରୁ ଯେତେ ବାଳ । ସବୁରି ପୂରାଇବୁ କାଳ ॥ ୯୦

ଯେତେ ବାଳକ ବସୁନ୍ଧରୀ । ସକଳ ପକାଇବୁ ମାରି ॥ ୯୧

ତୁ କିମ୍ବା ଡରୁ ଦେବଗଣେ । ସେବନ୍ତି ତୋହର ଚରଣେ ॥ ୯୨

ତୋ ତୁଲେ କେ କରୁ ସଂଗ୍ରାମ । ଦେବେ ନୁହଁନ୍ତି ସରିସମ ॥ ୯୩

ତୋହର ଶୁଣି ଧନୁଘୋଷେ । ପଳାନ୍ତି ସଂଗ୍ରାମୁଁ ତରାସେ ॥ ୯୪

ଜୀବନ ପାଇଁ ଛାଡ଼ି ରଣ । ବେଗେ ପଳାନ୍ତି ଦେବଗଣ ॥ ୯୫

କେ ପିନ୍ଧି ନ ପାରନ୍ତି ବାସ । କାହାର ଭୟେ ଫିଟେ କେଶ ॥ ୯୬

ନିସତେ ନ ପଳାନ୍ତି ଯେହୁ । ନ ମାରି ତାଙ୍କୁ ଦୟା ବହୁ ॥ ୯୭

ଜୀବନ ପାଇଁ ଯା'ର ଆଶ । ସେ ତୋ'ର କରିବେଟି କିସ ॥ ୯୮

ତହୁଁ ଅଧିକ ତିନି ଦେବ । ବ୍ରହ୍ମା ଶଙ୍କର ପଦ୍ମନାଭ ॥ ୯୯

ଆତ୍ମାର ସୁଖେ ସେ ରମନ୍ତି । ସେ କିମ୍ବା ତୋତେ ବାଦ ଚିନ୍ତି ॥ ୧୦୦

ଅଗାଧ କ୍ଷୀରସିନ୍ଧୁ ଜଳେ । ଶୟନ ଅନନ୍ତର କୋଳେ ॥ ୧୦୧

ପାଦେ ଖଟନ୍ତି ବେନି ନାରୀ । ସୁଖେ ଶୟନ ଦେବ ହରି ॥ ୧୦୨

ସେ କାହିଁ ତୋ'ର ତୁଲେ ରଣ । ମିଥ୍ୟା କହିଲେ ଦେବଗଣ ॥ ୧୦୩

ବ୍ରହ୍ମା ତ ଥାଇ ତା'ର ସୁଖେ । ଚିନ୍ତା କରଇ ତିନିଲୋକେ ॥ ୧୦୪

ତପହୁଁ ନଜାଣଇ ଆନ । ଚିନ୍ତଇ ପ୍ରଭୁ ଭଗବାନ ॥ ୧୦୫

କୃଷ୍ଣହୁଁ ନ ଜାଣଇ କିଛି । ସେ କିପାଁ ତୋତେ ବାଦ ଇଚ୍ଛି ॥ ୧୦୬

ଈଶ୍ୱର ରହେ ଭୂତମେଳେ । ଅମ୍ବିକା ଥାଇ ତା'ର କୋଳେ ॥ ୧୦୭

ସେ କିପାଁ ସମର କରିବ । ନିତ୍ୟେ ଉଦାସୀ ସଦାଶିବ ॥ ୧୦୮

ଇନ୍ଦ୍ର ତ ବଳେ ନୋହେ ସରି । ତୋତେ ତ ଦିଗପାଳେ ଡରି ॥ ୧୦୯

ତୋ'ର ବଇରୀ ଯେବେ ହରି । ସେ ଥାଇ ସର୍ବଘଟେ ପୂରି ॥ ୧୧୦

କେ ତା'କୁ ପାଇବ ତ୍ରିଲୋକେ । ଶୁଣ କହିବା କଉତୁକେ ॥ ୧୧୧

ଦେବତାମାନେ ତା'ର ମୂଳ । ଯେ ଧର୍ମ ଧରିଛି ଶୟଳ ॥ ୧୧୨

ଦେବେ ତାହାର ତହୁଁ ଜନ୍ମ । ବେଦରୁ ଯେହ୍ନେ ନିତ୍ୟକର୍ମ ॥ ୧୧୩

ଗୋରୁ ବ୍ରାହ୍ମଣ ଯଜ୍ଞଦାନ । ତୀର୍ଥ ଦକ୍ଷିଣା ତପ ଶ୍ରମ ॥ ୧୧୪

ତପ କରନ୍ତି ଯେତେ ଲୋକେ । ବିଷ୍ଣୁଙ୍କୁ ଭଜନ୍ତି ଯେ ଥୋକେ ॥ ୧୧୫

ଶ୍ରଦ୍ଧା କରନ୍ତି ଯେହୁ ଧର୍ମେ । ଦୟା କରନ୍ତି ଦୁଃଖୀଜନେ ॥ ୧୧୬

କରନ୍ତି ପର ଉପକାର । ଯମଲୋକକୁ ଯା'ର ଡ଼ର ॥ ୧୧୭

ଏହାଙ୍କ ଦେହେ ଥାଇ ହରି । ଏ ମଲେ ମରଇ ମୁରାରି ॥ ୧୧୮

ଏ ଆମ୍ଭ ଉଚିତ ବିଚାର । ଏମନ୍ତେ ଶତ୍ରୁଯିବ ମା'ର ॥ ୧୧୯

ଅଇରୀ ବାଳକାଳୁଁ ମାରି । ନ ମଲେ ଦିନୁ ଦିନ ବଢ଼ି ॥ ୧୨୦

ଦେହରେ ବ୍ୟାଧି ଜନ୍ମକାଳେ । ହେଳା ଯେ କରେ ସୁଖଭୋଳେ ॥ ୧୨୧

ସେ ଯେହ୍ନେ ନିରତେ ବଢ଼ଇ । ଶତ୍ରୁର ସ୍ୱଭାବଟି ଏହି ॥ ୧୨୨

ଆଜ୍ଞା ତୁ ଦିଅ ବେଗ କରି । ହରିଙ୍କି ପକାଇବୁ ମାରି ॥ ୧୨୩

ଭାଜିବୁ ପ୍ରସାଦ ଅଟ୍ଟାଳୀ । ଗୋରୁ ବ୍ରାହ୍ମଣ ଆଦି ମାରି ॥ ୧୨୪

ଯଜ୍ଞ ଭାଙ୍ଗିବୁ ମୁନିଙ୍କର । ଯେ ଧର୍ମନୀତିର ବେଭାର ॥ ୧୨୫

ଦ୍ୱାଦଶ ଦିବସ ବାଳକ । ଖୋଜି ମାରିବୁ ଲକ୍ଷ ଲକ୍ଷ ॥ ୧୨୬

ଧର୍ମ ବିଧ୍ୱଂସେ କର ଆଶ । ଦେବେ କରିବେ ଆନ କିସ ॥ ୧୨୭

ଏବେ ତୁ କର ସ୍ନାନ କର୍ମ । କୁଳର ଯେ ବିଧିବିଧାନ ॥ ୧୨୮

ଅସୁରବଳ ବୋଲ ଶୁଣି । କଂସ ଆନନ୍ଦମନେ ଗୁଣି ॥ ୧୨୯

ଅନେକ କଲା ପରଶଂସା । ହିତ ମଣିଲା ବିଷ୍ଣୁହିଂସା ॥ ୧୩୦

ଜଣ ଜଣକେ ଶାଢ଼ି ଦେଲା । ବଇରୀ ସଂହାର ବୋଇଲା ॥ ୧୩୧

ଅସୁରେ କଲାକ ବିଶ୍ୱାସ । ଅମୃତ ମଣିଲାକ ବିଷ ॥ ୧୩୨

କଂସ ଆଦେଶ ଘେନି ବେଗେ । ଅସୁରେ ଗଲେ ଦଶଦିଗେ ॥ ୧୩୩

ତକ୍ଷଣେ ହୋଇ କାମରୂପୀ । ପଶିଲେ ବନ ଗିରିବ୍ୟାପୀ ॥ ୧୩୪

ଗ୍ରାମ ପାଟଣା ପୁର ଦେଶ । ଅନେକ ଶିଶୁ କଲେ ନାଶ ॥ ୧୩୫

ଦାନବବୁଦ୍ଧି ମୂଢ଼ପଣ । ସାଧୁଙ୍କୁ ଦିଅନ୍ତି କଷଣ ॥ ୧୩୬

କଂସ ବଇରୀ ଅଛି କାହିଁ । ନିତ୍ୟେ ଖୋଜନ୍ତି ଭାବଗ୍ରାହୀ ॥ ୧୩୭

ତାମସ ଗୁଣ ଆଚରିଲେ । ନିକଟେ ମରଣ ଲୋଡ଼ିଲେ ॥ ୧୩୮

ଆୟୁଷ ବଳ ଯଶ ଧର୍ମ । ଲୋକ ଆଶିଷ ଶୁଭକର୍ମ ॥ ୧୩୯

ଏ ଆଦି ସର୍ବନାଶ କରେ । ଯେ ହିଂସା କରିଥା'ନ୍ତି ପରେ ॥ ୧୪୦

ସୁଜନେ ଶୁଣ ହରିକଥା । ଫିଟିବ ଭବବନ୍ଧ ବ୍ୟଥା ॥ ୧୪୧

କୀଟରୁ ବ୍ରହ୍ମଲୋକ ଯାଏ । ହିଂସ୍ରକ ହରିଙ୍କି ନ ପାଏ ॥ ୧୪୨

ସେ ହରି ଦୁଃଖୀଙ୍କ ସୋଦର । ହିଂସା ନାଶିବେ ପ୍ରଭୁ ମୋ'ର ॥ ୧୪୩

କୃଷ୍ଣର ପାଦେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୪୪

ଇତି ଶ୍ରମଦ୍ଭାଗବତେ ମହାପୁରାଣେ ପାରମହଁସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପଞ୍ଚମୋଽଧ୍ୟାୟଂ ॥

* * *