ଦଶମ ସ୍କନ୍ଧ
ପଞ୍ଚମ ଅଧ୍ୟାୟ
ଶୁଣି ସାନନ୍ଦମନେ ରାଜା । ମୁନିଚରଣେ କଲେ ପୂଜା ॥ ୧
ଆନନ୍ଦେ ଲୋଟଇ ଧରଣୀ । କୁତାର୍ଥ କୃଷ୍ଣଜନ୍ମ ଶୁଣି ॥ ୨
ଭକତି ଦେଖିଣ ତାହାର । କହନ୍ତି ବ୍ୟାସଙ୍କ କୁମର ॥ ୩
ଶୁକ ଉବାଚ
ଶୁଣ ପରୀକ୍ଷ ଦଣ୍ତଧାରୀ । ଶିଶୁକୁମାରୀ ରାବ କରି ॥ ୪
ଶୁଣି ପ୍ରହରୀ ବେଗେ ଗଲେ । କଂସ ଛାମୁରେ ଜଣାଇଲେ ॥ ୫
ଶୁଣି ଅସୁର ମହାବଳ । ବୋଲଇ ପୂରିଲା ମୋ' କାଳ ॥ ୬
ଶଯ୍ୟା ଉପେକ୍ଷି ବେଗେ ଉଠି । ଖଡ଼ଗ୍ କଲା ଦୃଢ଼ମୁଷ୍ଟି ॥ ୭
ଧାଇଁଲା ପବନହୁଁ ଖରେ । ବେଗେ ମିଳିଲା ବନ୍ଦୀଘରେ ॥ ୮
ପିନ୍ଧିଲା ବସ୍ତ୍ର ଅସମ୍ଭାଳ । ଫିଟିଲା ଦୃଢ଼ବନ୍ଧ ବାଳ ॥ ୯
କବାଟ ଫେଡ଼ାଇ ପଶିଲା । ଦେଖି ଦେବକୀ ଭୟ କଲା ॥ ୧୦
କଂସ କମ୍ପଇ କୋପଭରେ । ରତ୍ନମୁକୁଟ ଅଛି ଶିରେ ॥ ୧୧
ଦେଖିଣ କମ୍ପଇ ଦେବକୀ । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥ ୧୨
ବୋଲଇ ଶୁଣ ନରନାଥ । ହୋଇଲା ଦୁହିତା ଏ ଜାତ ॥ ୧୩
ଏହାକୁ ସଂହାର ନ କର । ବଇରୀ ନୁହଁଇ ଏ ତୋ'ର ॥ ୧୪
ଯେବେ ତୁ କରିବୁ ସଂହାର । ପ୍ରାଣ ତେଜିବି ତୋ' ଉପର ॥ ୧୫
ଦୁହିତା ଦାନ ଦେଇ ରଖ । ନୋହିଲେ ହୋଇବି ନିରେଖ ॥ ୧୬
ସଙ୍ଖାଳି ହେଉ ବୃଦ୍ଧକାଳେ । ପଡୁଛି ତୋ'ର ପାଦତଳେ ॥ ୧୭
ତୋର ପୁତ୍ରକୁ ଏହା ଦେବି । ଆନନ୍ଦେ ବିଭା କରାଇବି ॥ ୧୮
ବହୁତ ଦେଲୁ ଗର୍ଭକଷ୍ଟ । ପୋଡ଼ୁ ନିର୍ଲ୍ଲଜ ମୋର ପେଟ ॥ ୧୯
ଆଉ ବୟସ ମୋର କାହିଁ । ପାରିବି ପୁତ୍ର ଉପୁଜାଇ ॥ ୨୦
ଶୁଣି ଦାନବ ମହାବଳୀ । କୋପେ କମ୍ପଇ ପରଜ୍ଜ୍ୱଳି ॥ ୨୧
ଦେଖିଣ ଚକିତ ଦେବକୀ । ଭୟେ ବୁଜିଲା ବେନି ଆଖି ॥ ୨୨
କୋଳରେ ଲୁଚାଇ ଦୁହିତା । ଶରଣ ଗଲି ରଖ ଭ୍ରାତା ॥ ୨୩
କଂସ ବୋଲଇ ଶିର ଝୁଣି । ତୁ ଛାର ମୋହର ବହେଣୀ ॥ ୨୪
ବସୁଦେବର ଦୋଷ ନାହିଁ । ତୁ ମୋତେ ଅଛୁ ବାଟ ଚାହିଁ ॥ ୨୫
ମୋର ମରଣ ତୋ'ର ସୁଖ । ତେଣୁ ପାଉଛୁ ତୁହି ଦୁଃଖ ॥ ୨୬
ତୁ କାହିଁ ଜାଣୁ ହରିମାୟା । ଅସୁରେ ବଡ଼ ସେ ନିର୍ଦ୍ଦୟା ॥ ୨୭
ନାନା ରୂପ ରେ ହୋଇ ଜାତ । ଅସୁର କରଇ ନିପାତ ॥ ୨୮
ବଇଲୋଚନ ବୀର ଥିଲା । ଭାରିଯା ରୂପେଣ ମାଇଲା ॥ ୨୯
ସ୍ତିରୀ ମୂରତି ଧରି ଚଣ୍ତୀ । ଅନେକ ଦୈତ୍ୟ ଶିର ଖଣ୍ତି ॥ ୩୦
ମହିଷ ମାରି ଦୁର୍ଗା ହୋଇ । ତା'ମାୟା ନ ଜାଣୁ ଲୋ ତୁହି ॥ ୩୧
ରକତବୀର୍ଯ୍ୟ ଚଣ୍ତମୁଣ୍ତ । ଘୋଟନ୍ତି ମହୀ ନବଖଣ୍ତ ॥ ୩୨
ଦୁର୍ଗାର ହସ୍ତେ ପ୍ରାଣ ଦେଲେ । ଆବର ଯେତେ ଦୈତ୍ୟ ଥିଲେ ॥ ୩୩
ଛ ପୁତ୍ର ଦେଇ ମୁରୁଛିଲୁ । ଏବେ ତୁ ଦୁହିତା ଇଚ୍ଛିଲୁ ॥ ୩୪
ଦୁହିତା ଆଶ ଛାଡ଼ ଆଈ । ଏ ମୋର ବଇରୀ ଅଟଇ ॥ ୩୫
ଯାହା କହିଲେ ବିଶ୍ୱକେତୁ । ଅଷ୍ଟମ ଗର୍ଭ ମୋର ଶତ୍ରୁ ॥ ୩୬
ନାରଦ କହିଛନ୍ତି ମୋତେ । ମରିବି ତୋ'ର ପୁତ୍ର ହସ୍ତେ ॥ ୩୭
ଅଷ୍ଟମଗର୍ଭ ମୋ' ବଇରୀ । ଏହାକୁ ପକାଇବି ମାରି ॥ ୩୮
ଦେବକୀ ଦୁହିତା ସେନେହ । କଂସେ କରଇ ଗରୁ କୋହ ॥ ୩୯
ଚାହିଁଲା ଅଧର କାମୋଡ଼ି । କୋଳରୁ ଆଣିଲା ଉଛୁଡ଼ି ॥ ୪୦
ବେନିଚରଣ ଧରି କରେ । ବୁଲାଇ ପିଟିଲା ଶିଳାରେ ॥ ୪୧
ଯେ ଦେବୀ ଜଗତସଂହାରେ । କାହାର ବଳ ତା'କୁ ମାରେ ॥ ୪୨
କଂସର ହସ୍ତରୁ ଉଛୁଳି । ଆକାଶେ ଯେସନେ ବିଜୁଳି ॥ ୪୩
ତେଜେ ଦଶଦିଗ ବିରାଜେ । ବେନିଚରଣ ଅଷ୍ଟଭୁଜେ ॥ ୪୪
କେ କହୁ ଦେବୀ ଆଭରଣ । ଅଙ୍ଗଦ ନୂପୁର କଙ୍କଣ ॥ ୪୫
ଗନ୍ଧଚନ୍ଦନ-ପୁଷ୍ପମାଳୀ । ତେତିଶ କୋଟି ଦେବେ ମିଳି ॥ ୪୬
ସ୍ତୁତି କରନ୍ତି ସୁର ମୁନି । କଂସକୁ ବୋଲନ୍ତି ଭବାନୀ ॥ ୪୭
ରେ କଂସ ଶୁଣ ମୋ' ଉତ୍ତର । ତୋର ବଇରୀ ଚକ୍ରଧର ॥ ୪୮
ସେ ତୋତେ କରିବେ ସଂହାର । ଆବର ଯେତେକ ଅସୁର ॥ ୪୯
ତୋହର ପାଇଁ ଦେହ ବହି । ଜାତ ହୋଇଲେ ଯହିଁ ତହିଁ ॥ ୫୦
ତୁ ମୋତେ ନ ଜାଣି କଚାଡୁ । ନିୟତ ପଥ କି କେ ହୁଡ଼ୁ ॥ ୫୧
ଦେବେ ଯେ ତୋହର ବଇରୀ । ତାହାଙ୍କ ବୋଲକୁ ତୁ ଡରି ॥ ୫୨
ଛ ପୁତ୍ର ମାଇଲୁ ଏହାର । ଧର୍ମକୁ ଛାଡ଼ିଲୁ ଅସୁର ॥ ୫୩
ଏବେ ମୁଁ କହୁଅଛି ତୋତେ । ହରିଙ୍କି ଭାବ ହୃଦଗତେ ॥ ୫୪
ସେ ବିଶ୍ୱମ୍ଭର ବିଶ୍ୱମୂର୍ତ୍ତି । ଭାବିଲେ ପାଇବୁ ମୁକତି ॥ ୫୫
ସେ ହରି ତୋହର ବଇରୀ । ତୋ'ର ମରଣେ ଅବତରି ॥ ୫୬
ସେ ଶୂନ୍ୟପୁରୁଷ ଗୋସାଇଁ । ତାହା ଭେଟିବୁ ଅବା କାହିଁ ॥ ୫୭
ଏବେ ତୁ ଶୁଣ କଂସ ବୀର । ଏ ତୋର ବହେଣୀ ସୋଦର ॥ ୫୮
ଏହାଙ୍କୁ ବନ୍ଦୀଘରୁ ଫେଡ଼ି । ବେନି ଚରଣତଳେ ପଡ଼ି ॥ ୫୯
ତୋଷିଣ ନିଅ ନିଜପୁର । ତୋ'ର ବଇରୀ ପିତାମ୍ବର ॥ ୬୦
କହି ଚଳିଲେ ନିଜସ୍ଥାନ । ଉଚ୍ଚାଟ କରି କଂସ ମନ ॥ ୬୧
ଯାହା କହିଲେ ଜଗନ୍ମାଥ । ଜଗତେ ହୋଇଲା ବିଖ୍ୟାତ ॥ ୬୨
ଦେବୀ ବଚନ କଂସ ଶୁଣି । ବିଚାର କଲା ମନେ ଗୁଣି ॥ ୬୩
ନ ଜାଣି ବିଧାତାର ଗତି । ସୋଦରେ କଲଇଁ ଅନୀତି ॥ ୬୪
ଅନେକ କଲଇଁ ମୁଁ ଦୋଷ । କେମନ୍ତେ ହୋଇବ ବିଶ୍ୱାସ ॥ ୬୫
କିସ କରିବି ବୋଲି ଭାଳି । ଚରଣୁଁ ଫେଡ଼ିଲା ଶାଙ୍କୋଳି ॥ ୬୬
ଚାହିଁଲା ଦେବକୀ ବଦନ । ବୋଲଇ ମଧୁର ବଚନ ॥ ୬୭
ଦେବକୀ ବସୁଦେବ ଶୁଣ । ତୁମ୍ଭରେ କଲି ଦ୍ରୋହପଣ ॥ ୬୮
ମୁହିଁ ତ ସ୍ୱଭାବେ ଅସୁର । ଭଣଜା ମାଇଲି ମୋହର ॥ ୬୯
ତୁମ୍ଭଙ୍କୁ ଦେଲି ପୁତ୍ରକଷ୍ଟ । ମୋହର ଧର୍ମ କଲି ନଷ୍ଟ ॥ ୭୦
ସଂସାରେ କଲି ଅପଯଶ । ନରକେ ହୋଇବି ପ୍ରବେଶ ॥ ୭୧
ଦେହ ବହିଲେ ନିଶ୍ଚେ ମରି । ସଂସାର ନୁହଁଇ କାହାରି ॥ ୭୨
ବୃକ୍ଷର ତଳେ ଯେହ୍ନେ ଆସି । ପଥୁକୀ ବିଶ୍ରାମନ୍ତି ବସି ॥ ୭୩
ପୁଣି ଚଳନ୍ତି ଶ୍ରମ ସାରି । ସେ ବୃକ୍ଷ ନୁହଁଇ କାହାରି ॥ ୭୪
ତେମନ୍ତ ମାୟା ଏ ସଂସାର । କେ ମାତା କେ ପିତା କୁମର ॥ ୭୫
ଅର୍ଜିଲା କର୍ମେ ଆତଯାତ । ମାୟାଭିଆଣ ତାତମାତ ॥ ୭୬
ବିଧି ବିଚାରେ ଯାହା କରି । ଭୁଞ୍ଜଇ ସେ ଫଳ ଆବୋରି ॥ ୭୭
ଦୋଷ କରିବା ମୋର କ୍ଷମା । ସ୍ୱଭାବେ ମୁହିଁ ଦୁରାତମା ॥ ୭୮
ଏମନ୍ତ ବୋଲି ଶୋକ କରି । ପାଦେ ପଡ଼ିଲା କରଯୋଡ଼ି ॥ ୭୯
ସହୃଦପଣ ଦେଖାଇଲା । ଅନେକ ଧନରତ୍ନ ଦେଲା ॥ ୮୦
ନିଜ ମନ୍ଦିରେ ଦେଲା ବାସ । ଅନେକ କରାଇ ବିଶ୍ୱାସ ॥ ୮୧
କଂସ ଭକତିଭାବ ଦେଖି । ସନ୍ତାପ ଛାଡ଼ିଲା ଦେବକୀ ॥ ୮୨
ସନ୍ତୋଷ ହୋଇ ବସୁଦେବ । ଦିନକୁ ଦିନ ବଡ଼ ଭାବ ॥ ୮୩
ଏମନ୍ତେ ରଜନୀ ପାହିଲା । କଂସ ସଭାରେ ବିଜେକଲା ॥ ୮୪
ଅସୁରଗଣଙ୍କୁ ବସାଇ । କହଇ ବିଶ୍ୱାସ କରାଇ ॥ ୮୫
ଶୂନ୍ୟେ ଚଣ୍ତିକା ଯାହା ଭଣି । ସବୁ କହିଲା ପରିମାଣି ॥ ୮୬
କଂସର ଦେଖିଣ କାତର । ଅସୁରେ ବୋଲନ୍ତି ଉତ୍ତର ॥ ୮୭
ଶୁଣ ହୋ ଭୋଜନୃପମଣି । ଯାହା କହିଲେ ନାରାୟଣୀ ॥ ୮୮
ତୋହର ଆଜ୍ଞା ଘେନି ଶିରେ । ବୁଲିବୁ ସକଳ ଦେଶରେ ॥ ୮୯
ଦିନକଠାରୁ ଯେତେ ବାଳ । ସବୁରି ପୂରାଇବୁ କାଳ ॥ ୯୦
ଯେତେ ବାଳକ ବସୁନ୍ଧରୀ । ସକଳ ପକାଇବୁ ମାରି ॥ ୯୧
ତୁ କିମ୍ବା ଡରୁ ଦେବଗଣେ । ସେବନ୍ତି ତୋହର ଚରଣେ ॥ ୯୨
ତୋ ତୁଲେ କେ କରୁ ସଂଗ୍ରାମ । ଦେବେ ନୁହଁନ୍ତି ସରିସମ ॥ ୯୩
ତୋହର ଶୁଣି ଧନୁଘୋଷେ । ପଳାନ୍ତି ସଂଗ୍ରାମୁଁ ତରାସେ ॥ ୯୪
ଜୀବନ ପାଇଁ ଛାଡ଼ି ରଣ । ବେଗେ ପଳାନ୍ତି ଦେବଗଣ ॥ ୯୫
କେ ପିନ୍ଧି ନ ପାରନ୍ତି ବାସ । କାହାର ଭୟେ ଫିଟେ କେଶ ॥ ୯୬
ନିସତେ ନ ପଳାନ୍ତି ଯେହୁ । ନ ମାରି ତାଙ୍କୁ ଦୟା ବହୁ ॥ ୯୭
ଜୀବନ ପାଇଁ ଯା'ର ଆଶ । ସେ ତୋ'ର କରିବେଟି କିସ ॥ ୯୮
ତହୁଁ ଅଧିକ ତିନି ଦେବ । ବ୍ରହ୍ମା ଶଙ୍କର ପଦ୍ମନାଭ ॥ ୯୯
ଆତ୍ମାର ସୁଖେ ସେ ରମନ୍ତି । ସେ କିମ୍ବା ତୋତେ ବାଦ ଚିନ୍ତି ॥ ୧୦୦
ଅଗାଧ କ୍ଷୀରସିନ୍ଧୁ ଜଳେ । ଶୟନ ଅନନ୍ତର କୋଳେ ॥ ୧୦୧
ପାଦେ ଖଟନ୍ତି ବେନି ନାରୀ । ସୁଖେ ଶୟନ ଦେବ ହରି ॥ ୧୦୨
ସେ କାହିଁ ତୋ'ର ତୁଲେ ରଣ । ମିଥ୍ୟା କହିଲେ ଦେବଗଣ ॥ ୧୦୩
ବ୍ରହ୍ମା ତ ଥାଇ ତା'ର ସୁଖେ । ଚିନ୍ତା କରଇ ତିନିଲୋକେ ॥ ୧୦୪
ତପହୁଁ ନଜାଣଇ ଆନ । ଚିନ୍ତଇ ପ୍ରଭୁ ଭଗବାନ ॥ ୧୦୫
କୃଷ୍ଣହୁଁ ନ ଜାଣଇ କିଛି । ସେ କିପାଁ ତୋତେ ବାଦ ଇଚ୍ଛି ॥ ୧୦୬
ଈଶ୍ୱର ରହେ ଭୂତମେଳେ । ଅମ୍ବିକା ଥାଇ ତା'ର କୋଳେ ॥ ୧୦୭
ସେ କିପାଁ ସମର କରିବ । ନିତ୍ୟେ ଉଦାସୀ ସଦାଶିବ ॥ ୧୦୮
ଇନ୍ଦ୍ର ତ ବଳେ ନୋହେ ସରି । ତୋତେ ତ ଦିଗପାଳେ ଡରି ॥ ୧୦୯
ତୋ'ର ବଇରୀ ଯେବେ ହରି । ସେ ଥାଇ ସର୍ବଘଟେ ପୂରି ॥ ୧୧୦
କେ ତା'କୁ ପାଇବ ତ୍ରିଲୋକେ । ଶୁଣ କହିବା କଉତୁକେ ॥ ୧୧୧
ଦେବତାମାନେ ତା'ର ମୂଳ । ଯେ ଧର୍ମ ଧରିଛି ଶୟଳ ॥ ୧୧୨
ଦେବେ ତାହାର ତହୁଁ ଜନ୍ମ । ବେଦରୁ ଯେହ୍ନେ ନିତ୍ୟକର୍ମ ॥ ୧୧୩
ଗୋରୁ ବ୍ରାହ୍ମଣ ଯଜ୍ଞଦାନ । ତୀର୍ଥ ଦକ୍ଷିଣା ତପ ଶ୍ରମ ॥ ୧୧୪
ତପ କରନ୍ତି ଯେତେ ଲୋକେ । ବିଷ୍ଣୁଙ୍କୁ ଭଜନ୍ତି ଯେ ଥୋକେ ॥ ୧୧୫
ଶ୍ରଦ୍ଧା କରନ୍ତି ଯେହୁ ଧର୍ମେ । ଦୟା କରନ୍ତି ଦୁଃଖୀଜନେ ॥ ୧୧୬
କରନ୍ତି ପର ଉପକାର । ଯମଲୋକକୁ ଯା'ର ଡ଼ର ॥ ୧୧୭
ଏହାଙ୍କ ଦେହେ ଥାଇ ହରି । ଏ ମଲେ ମରଇ ମୁରାରି ॥ ୧୧୮
ଏ ଆମ୍ଭ ଉଚିତ ବିଚାର । ଏମନ୍ତେ ଶତ୍ରୁଯିବ ମା'ର ॥ ୧୧୯
ଅଇରୀ ବାଳକାଳୁଁ ମାରି । ନ ମଲେ ଦିନୁ ଦିନ ବଢ଼ି ॥ ୧୨୦
ଦେହରେ ବ୍ୟାଧି ଜନ୍ମକାଳେ । ହେଳା ଯେ କରେ ସୁଖଭୋଳେ ॥ ୧୨୧
ସେ ଯେହ୍ନେ ନିରତେ ବଢ଼ଇ । ଶତ୍ରୁର ସ୍ୱଭାବଟି ଏହି ॥ ୧୨୨
ଆଜ୍ଞା ତୁ ଦିଅ ବେଗ କରି । ହରିଙ୍କି ପକାଇବୁ ମାରି ॥ ୧୨୩
ଭାଜିବୁ ପ୍ରସାଦ ଅଟ୍ଟାଳୀ । ଗୋରୁ ବ୍ରାହ୍ମଣ ଆଦି ମାରି ॥ ୧୨୪
ଯଜ୍ଞ ଭାଙ୍ଗିବୁ ମୁନିଙ୍କର । ଯେ ଧର୍ମନୀତିର ବେଭାର ॥ ୧୨୫
ଦ୍ୱାଦଶ ଦିବସ ବାଳକ । ଖୋଜି ମାରିବୁ ଲକ୍ଷ ଲକ୍ଷ ॥ ୧୨୬
ଧର୍ମ ବିଧ୍ୱଂସେ କର ଆଶ । ଦେବେ କରିବେ ଆନ କିସ ॥ ୧୨୭
ଏବେ ତୁ କର ସ୍ନାନ କର୍ମ । କୁଳର ଯେ ବିଧିବିଧାନ ॥ ୧୨୮
ଅସୁରବଳ ବୋଲ ଶୁଣି । କଂସ ଆନନ୍ଦମନେ ଗୁଣି ॥ ୧୨୯
ଅନେକ କଲା ପରଶଂସା । ହିତ ମଣିଲା ବିଷ୍ଣୁହିଂସା ॥ ୧୩୦
ଜଣ ଜଣକେ ଶାଢ଼ି ଦେଲା । ବଇରୀ ସଂହାର ବୋଇଲା ॥ ୧୩୧
ଅସୁରେ କଲାକ ବିଶ୍ୱାସ । ଅମୃତ ମଣିଲାକ ବିଷ ॥ ୧୩୨
କଂସ ଆଦେଶ ଘେନି ବେଗେ । ଅସୁରେ ଗଲେ ଦଶଦିଗେ ॥ ୧୩୩
ତକ୍ଷଣେ ହୋଇ କାମରୂପୀ । ପଶିଲେ ବନ ଗିରିବ୍ୟାପୀ ॥ ୧୩୪
ଗ୍ରାମ ପାଟଣା ପୁର ଦେଶ । ଅନେକ ଶିଶୁ କଲେ ନାଶ ॥ ୧୩୫
ଦାନବବୁଦ୍ଧି ମୂଢ଼ପଣ । ସାଧୁଙ୍କୁ ଦିଅନ୍ତି କଷଣ ॥ ୧୩୬
କଂସ ବଇରୀ ଅଛି କାହିଁ । ନିତ୍ୟେ ଖୋଜନ୍ତି ଭାବଗ୍ରାହୀ ॥ ୧୩୭
ତାମସ ଗୁଣ ଆଚରିଲେ । ନିକଟେ ମରଣ ଲୋଡ଼ିଲେ ॥ ୧୩୮
ଆୟୁଷ ବଳ ଯଶ ଧର୍ମ । ଲୋକ ଆଶିଷ ଶୁଭକର୍ମ ॥ ୧୩୯
ଏ ଆଦି ସର୍ବନାଶ କରେ । ଯେ ହିଂସା କରିଥା'ନ୍ତି ପରେ ॥ ୧୪୦
ସୁଜନେ ଶୁଣ ହରିକଥା । ଫିଟିବ ଭବବନ୍ଧ ବ୍ୟଥା ॥ ୧୪୧
କୀଟରୁ ବ୍ରହ୍ମଲୋକ ଯାଏ । ହିଂସ୍ରକ ହରିଙ୍କି ନ ପାଏ ॥ ୧୪୨
ସେ ହରି ଦୁଃଖୀଙ୍କ ସୋଦର । ହିଂସା ନାଶିବେ ପ୍ରଭୁ ମୋ'ର ॥ ୧୪୩
କୃଷ୍ଣର ପାଦେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୪୪
ଇତି ଶ୍ରମଦ୍ଭାଗବତେ ମହାପୁରାଣେ ପାରମହଁସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପଞ୍ଚମୋଽଧ୍ୟାୟଂ ॥
* * *