ଦଶମ ସ୍କନ୍ଧ

ଚତୁର୍ଥ ଅଧ୍ୟାୟ

କହନ୍ତି ଶୁକମୁନି ହସି । କୃଷ୍ଣ ଚରିତ ପରଶଂସି ॥

ପରୀକ୍ଷ ମୁଖକୁ ଚାହିଁଲେ । ଆନନ୍ଦେ ଲୋଚନ ବୁଜିଲେ ॥

ସମାଧି କରି ଯୋଗଧ୍ୟାୟି । କୃଷ୍ଣ ପ୍ରସନ୍ନ ଲେଶ ପାଇ ॥

ପୁଣି କ୍ଷଣକେ ଚକ୍ଷୁ ଫେଇ । ହସି କହନ୍ତି ରାଜା ଚାହିଁ ॥

ଶୁକ ଉବାଚ

ଶୁଣ ହୋ ଶ୍ରୀକୃଷ୍ଣର ଜନ୍ମ । ଯେଣେ ଖଣ୍ତିବ ଭବଭ୍ରମ ॥

ଦେବକୀ ଦେବଗଣ ଦେଖି । ମନେ ବିଚାରେ ଶଶୀମୁଖୀ ॥

ମୁଁ ଅଟେ ମାନୁଷ ଯୁବତୀ । ଦେବେ କରନ୍ତି ମୋତେ ସ୍ତୁତି ॥

କି ଅବା ଉଦରେ ମୋହର । ବିଜୟ କଲେ ଚକ୍ରଧର ॥

ଯାଦବକୁଳ ନିସ୍ତାରଣେ । ପାପିଷ୍ଠ କଂସର ମରଣେ ॥

ଦେବଙ୍କ ଛଳେ ଅବତାର । ନାଶିବେ ଅବନୀର ଭାର ॥ ୧୦

ଏତେ ବିଚାରି ମହାମାୟା । କ୍ଷଣକେ ପାସୋରିଲା ତାହା ॥ ୧୧

ଯୋଗମାୟାର ଯୋଗବଳେ । ବିଷୟାରସ କାମଭୋଳେ ॥ ୧୨

ସୁତ ଲାଳସା ପରିବନ୍ଧେ । ତ୍ରିଗୁଣ ଭେଦ କୂଟଛନ୍ଦେ ॥ ୧୩

ମନ ମୋହିଲା ରାଜସୁତା । ନ ଜାଣେ ଗର୍ଭର ବ୍ୟବସ୍ଥା ॥ ୧୪

ମନୁଷ୍ୟ ଜନ୍ମର ସ୍ୱଭାବ । ଦେଖଇ ପତିବ୍ରତା ଗର୍ଭ ॥ ୧୫

ତଥ୍ୟ ନ କଲେ ରୂପ ହେଜି । କ୍ଷଣ କ୍ଷଣକେ ଚକ୍ଷୁ ବୁଜି ॥ ୧୬

ଶୁଖିଲା ଅଧର ଦଶନ । ଫିଟିଲା କଟୀ ପହରଣ ॥ ୧୭

ଶୁଖିଲା ପ୍ରାୟେ ବିମ୍ବାଧର । କମ୍ପିତ ମୁଖ ଭୁଜ ଊର ॥ ୧୮

ନାଭି ଲେଉଟି ଦିଶେ ଝଳି । ଟାଙ୍କୋରେ ତନୁ ରୋମାବଳୀ ॥ ୧୯

କ୍ଷଣ କ୍ଷଣକେ ଯୋଗନିଦ୍ରା । ଛାଡ଼ିଲା ସୁଖ ଭୋଗ ସୁଧା ॥ ୨୦

ନିବିଡ଼େ ଅବନୀ ଶୟନ । କ୍ଷଣେ ମଳୟ ହୁତାଶନ ॥ ୨୧

ତପତ ନିଃଶ୍ୱାସ ସମୀର । କର ଚରଣ ଥରହର ॥ ୨୨

କୋମଳପତ୍ର ଶଯ୍ୟା ଆଶେ । ମଳୟ ଚନ୍ଦନ ପ୍ରକାଶେ ॥ ୨୩

ସକଳ ସୁଖଭୋଗ ମାନ । କରାନ୍ତି ପ୍ରଭୁ ଭଗବାନ ॥ ୨୪

ଯେ ହେବ ଗୋବିନ୍ଦର ଆଈ । ତାହାର ପାପ-ବାଧା କାହିଁ ॥ ୨୫

ବିଚାର କରେ ଦେବୀ ମନେ । ଏ ଗର୍ଭ ସହିବି କେସନେ ॥ ୨୬

ଛ ବେଳ ହେଲା ପରିହାର । ଏବେ ମୋ ପ୍ରକୃତି ଅନ୍ତର ॥ ୨୭

କି ଅବା କାଳଆଶ୍ରେ ମୋତେ । ଜୀବନ ହରିବ ଯୁଗତେ ॥ ୨୮

ଏମନ୍ତେ ଦିବାରାତ୍ର ବସି । ମନେ ଭାଳଇ ଶୁଭ୍ରକେଶୀ ॥ ୨୯

ଏମନ୍ତେ ଦୁଃଖ ସୁଖ ମନେ । ଦିନ ହରଇ ମନଛନ୍ନେ ॥ ୩୦

ଶୁଭେ ହୋଇଲା ଅଷ୍ଟମାସ । ପୃଥ୍ୱୀ ମଣ୍ତିବେ ଶ୍ରୀନିବାସ ॥ ୩୧

ଶରଦ ହେମନ୍ତ ଅନ୍ତରେ । ବସନ୍ତ ଗ୍ରୀଷମ ବେଭାରେ ॥ ୩୨

ସୂର୍ଯ୍ୟଙ୍କ ତହୁଁ ଷଡ଼ଋତୁ । ପ୍ରକାଶ ଜନସୁଖ ହେତୁ ॥ ୩୩

ଋତୁଙ୍କ ମଧ୍ୟେ ଶ୍ରେଷ୍ଠବଳ । ସଂପୂ‰ର୍ଣ୍ଣ ବରଷାର କାଳ ॥ ୩୪

ଭାଦ୍ରବ ମାସ କୃଷ୍ଣପକ୍ଷେ । ସକଳ ଗ୍ରହେ ଛନ୍ତି ଉଚ୍ଚେ ॥ ୩୫

ଅଷ୍ଟମୀ ନିଶା ଅର୍ଦ୍ଧଭାଗେ । ରୋହିଣୀ ନକ୍ଷତ୍ର ସଂଯୋଗେ ॥ ୩୬

ବୃଷ ରାଶିରେ ନିଶାକର । ନକ୍ଷତ୍ର ଗ୍ରହେ ବଳୀୟାର ॥ ୩୭

ଗଭୀର ଘୋର ମେଘ ଘୋଷ । ବର୍ଗ ଉତ୍ତମ ନବଅଂଶ ॥ ୩୮

ଏହି ସମୟେ ସୁରରାୟେ । ଆକାଶେ ଉତ୍ସ›ବ କରାଏ ॥ ୩୯

ଦୁନ୍ଦୁଭି-ବାଦ୍ୟ-ନାଦ ହେରି । ରଙ୍ଗେ ନାଚନ୍ତି ଅପସରୀ ॥ ୪୦

ଦେବେ କରନ୍ତି ପୁଷ୍ପବୃଷ୍ଟି । ଖଣ୍ତିବେ ଗୋବିନ୍ଦ ଅରିଷ୍ଟି ॥ ୪୧

ଇନ୍ଦ୍ର ପବନକୁ ହକାରି । ବୋଲଇ ଯାଅ ମଧୁପୁରୀ ॥ ୪୨

ତୋହର ଗନ୍ଧ ଗୁଣ ଘେନି । ଆନନ୍ଦେ ବହିବୁ ମେଦିନୀ ॥ ୪୩

କଂସର ବନ୍ଦୀଘରେ ଯାଇ । ବହିବୁ ମଳୟ ପୁରାଇ ॥ ୪୪

ଦିଗେ ଦିଶନ୍ତୁ ପରିମଳ । ବହିବୁ ସୁଗନ୍ଧ ଶୀତଳ ॥ ୪୫

ଇନ୍ଦ୍ରର ଆଜ୍ଞା ପାଇ ବେଗେ । ସମୀର ଚଳିଗଲା ଆଗେ ॥ ୪୬

ପବନ ଗଲା ମଧୁ ପୁରେ । ବହେ ସୁଗନ୍ଧ ରସଭରେ ॥ ୪୭

ନିର୍ମଳ ଦିଶିଲା ଗଗନ । ମହୀ ମଙ୍ଗଳ ବିଦ୍ୟମାନ ॥ ୪୮

ଗ୍ରାମ ପାଟଣା ପୁର ଘୋଷ । ମଙ୍ଗଳ ବାଦ୍ୟେ ଗୀତ ରସ ॥ ୪୯

ନଦୀଏ ଉଛୁଳିଲେ ଜଳେ । ପକ୍ଷୀଙ୍କ ନାଦ ବୃକ୍ଷଡ଼ାଳେ ॥ ୫୦

ସ୍ତବକ ପୁଷ୍ପ ବନେ ଫୁଟି । ବାସ ପ୍ରସରଇ ପ୍ରକଟି ॥ ୫୧

ବିପ୍ରେ ମଙ୍ଗଳ ବେଦନାଦେ । ଅନଳେ କ୍ଷେପନ୍ତି ସମିଧେ ॥ ୫୨

ଆନନ୍ଦ ହେଉଅଛି ମହୀ । କୃଷ୍ଣ ଜନ୍ମିବେ ଦେହ ବହି ॥ ୫୩

ବଥାଏ ଦେବକୀ ଉଦର । ସ୍ୱାମୀଙ୍କି ବୋଲନ୍ତି ଉତ୍ତର ॥ ୫୪

ଭୋ ନାଥ ଚିନ୍ତ ନାରାୟଣ । କେ ସହୁ ଗର୍ଭର କଷଣ ॥ ୫୫

ଶୁଣି ବସୁଦେବ ଉଠିଲା । ଦେବକୀ କଙ୍କାଳ ଧଇଲା ॥ ୫୬

ଆବୋରି ଗୋବିନ୍ଦ ସୁମରି । ଭୟେ ଚିନ୍ତଇ ନରହରି ॥ ୫୭

ଆକାଶେ ଉଦେ ନିଶାକର । ଦେବକୀ ଉଦରୁ ବାହାର ॥ ୫୮

ନୀଳ-ଜୀମୂତ ଦେହ କାନ୍ତି । ବଳୟ ମଣି ଝଟକନ୍ତି ॥ ୫୯

ପୀତବସନ କଟୀ ଶୋହେ । ରୂପେ କୋଟିଏ କାମ ମୋହେ ॥ ୬୦

କଟୀ-ମେଖଳା ସୁନା-ସୂତା । ଉତ୍ତରୀ ସୁବ‰ର୍ଣ୍ଣ ପଇତା ॥ ୬୧

କିରୀଟ କୁଣ୍ତŠଳ କଙ୍କଣ । ପାଦେ ନୂପୁର ରୁଣଝୁଣ ॥ ୬୨

ଦିଶଇ ଶଙ୍ଖ ଚକ୍ର ତେଜ । ମର୍କତ ସ୍ତମ୍ଭ ଚାରିଭୁଜ ॥ ୬୩

ଗଦା କମଳ ଶଙ୍ଖଚକ୍ର । ଅଧର ଓଷ୍ଠ ରଙ୍ଗ ରେଖ ॥ ୬୪

ଶ୍ରୀବତ୍ସ› ଚିହ୍ନ ହୃଦେ ଶୋହେ । ରତ୍ନପାଦୁକା ବେନି ପାୟେ ॥ ୬୫

ଅପୂର୍ବ ରୂପେ ଯୋଗେଶ୍ୱର । ଦେବ ମାନବେ ଅଗୋଚର ॥ ୬୬

ଦେବକୀ ପ୍ରସବିଣ ସୁତ । ଶ୍ରମେ ହୋଇଲା ମୋହଗତ ॥ ୬୭

ପଛେ ଯେ ବସୁଦେବ ଥିଲା । କୃଷ୍ଣ ରୂପକୁ ଅନାଇଲା ॥ ୬୮

ସ୍ଥିରେ ଚାହିଁଲା ବସୁଦେବ । ଦେଖିଲା ଅନାଦି ମାଧବ ॥ ୬୯

କ୍ଷଣେ ରହିଲା ସ୍ଥିର ହୋଇ । କୃଷ୍ଣଙ୍କୁ ଚାହିଁ ବିଚାରଇ ॥ ୭୦

କୃଷ୍ଣ ହରିଲେ ପିତା ଜ୍ଞାନ । ଚକିତେ ବିଚାରଇ ମନ ॥ ୭୧

ମନରେ ଗଙ୍ଗାସ୍ନାନ କଲା । ଅୟୁତେ ଧେନୁ ଉ›ତ୍ସର୍ଗିଲା ॥ ୭୨

ଏ ପୁତ୍ରେ କଂସ ନ ମାଇଲେ । ଦେବଇଁ ଅଳଙ୍କାର ତୁଲେ ॥ ୭୩

ଏ ପୁତ୍ର ନମଲେ ମୋହର । ପୁଜିବି ବିପ୍ରଙ୍କ ପୟର ॥ ୭୪

ଚାହିଁଲା ଗୋବିନ୍ଦ ବଦନ । ପୁଣି ପାଇଲା ଦିବ୍ୟଜ୍ଞାନ ॥ ୭୫

ଭୟେ କମ୍ପଇ ତା'ଶରୀର । ଏ ତ ଅନାଦି ଚକ୍ରଧର ॥ ୭୬

ମୁ ଛାର ମନୁଷ୍ୟ ଅଧମ । କିପାଁ ଏ ହୋଇଲା ପ୍ରସନ୍ନ ॥ ୭୭

କି ବୁଦ୍ଧି କରିବଇଁ ମୁହିଁ । କଂସକୁ ଡରେ ମୋର ଦେହୀ ॥ ୭୮

ବୋଲଇ ବସୁଦେବ ଶୋକେ । ଏ କିମ୍ବା ଜାତ ମଞ୍ଚଲୋକେ ॥ ୭୯

ତେଜେ ଉଜ୍ଜ୍ୱଳ ବନ୍ଦୀଘର । ତିଳେ ହେଁ ନଦିଶେ ଅନ୍ଧାର ॥ ୮୦

କର ଅଞ୍ଜଳି ଶିରେ ଦେଇ । ସ୍ତୁତି କରଇ କୃଷ୍ଣ ଚାହିଁ ॥ ୮୧

ବସୁଦେବ ଉବାଚ

ତୋହର ଆଦି ଅନ୍ତ ନାହିଁ । ପ୍ରକୃତି ତୋତେ ନଲାଗଇ ॥ ୮୨

କେବଳ ସୂକ୍ଷ୍ମ ରୂପେ ଶୂନ୍ୟ । ମୁନିଙ୍କ ଚିତ୍ତେ ଜ୍ଞାନଗମ୍ୟ ॥ ୮୩

ତୋହର ମାୟାରେ ଜଗତ । ମହତ ଆଦି ପଞ୍ଚଭୂତ ॥ ୮୪

ତହିଁରେ ନୋହୁ ତୁ ପ୍ରବେଶ । ପ୍ରବେଶ ପ୍ରାୟ ତୋ' ପ୍ରକାଶ ॥ ୮୫

ବାହାର ଭିତରେ ଅନନ୍ତ । ସୃଷ୍ଟି କରୁ ତୁ ଆତଯାତ ॥ ୮୬

ବୁଦ୍ଧି ଲକ୍ଷଣ ଗୁଣ ଘେନି । ତୋତେ ଚିନ୍ତନ୍ତି ଆତ୍ମଜ୍ଞାନୀ ॥ ୮୭

କାହୁଁ ଦେଖିବେ ଦେହବନ୍ତ । ତୁ ଦେବ ଅନାଦି ଅଚ୍ୟୁତ ॥ ୮୮

ଜଗତ ତୋ'ର ତହୁଁ ଜାତ । ପାଳିଣ ପୁଣି କରୁ ଅନ୍ତ ॥ ୮୯

ଜଗତ ଉପୁଜିବା କାଳେ । ଅରୁଣ ବ‰ର୍ଣ୍ଣ ହେଉ ବେଳେ ॥ ୯୦

ପାଳିବା କାଳେ ଶୁକ୍ଳବ‰ର୍ଣ୍ଣ । ଜଗତେ ବୋଲାଉ ତୁ ଧର୍ମ ॥ ୯୧

ସଂହାର କାଳେ କୃଷ୍ଣରୂପ । ତୋର ବିହାର ମୋହକଳ୍ପ ॥ ୯୨

ତୁ ଏବେ ମୋରଘରେ ନାଥ । ଅଂଶେ ହୋଇଲୁ ଦେହବନ୍ତ ॥ ୯୩

ଜାଣିଲି ଯେତେକ ଅସୁର । ମାରି କରିବୁ ମହୀ ସ୍ଥିର ॥ ୯୪

ତୋ'ର ଜନମ ମୋ'ର ଘରେ । ଶୁଣିଣ କଂସ କୋପଭରେ ॥ ୯୫

ଛ ପୁତ୍ର ମାଇଲା ମୋହର । ତୁ କି ନ ଜାଣୁ ଚକ୍ରଧର ॥ ୯୬

ପ୍ରହରୀମାନେ ଜଗିଛନ୍ତି । ଶୁଣିବେ ବୋଲି ମନେ ଭୀତି ॥ ୯୭

କଂସକୁ କହିବେ ତୁରିତେ । ସେ ଆସି ମାରିବଟି ତୋତେ ॥ ୯୮

ତୋତେ ହୋ ତୁହି ରକ୍ଷାକର । ମୁଁ ଛାର ମନୁଷ୍ୟ ମାତର ॥ ୯୯

ଏମନ୍ତେ ଗଡ଼ଘାଲି ଶୋଇ । କମ୍ପଇ କୃଷ୍ଣ ମୁଖ ଚାହିଁ ॥ ୧୦୦

ଶୀତଳ ବହଇ ପବନ । ଦେବକୀ ପାଇଲା ଚେତନ ॥ ୧୦୧

ଚକ୍ଷୁ ଫେଇଣ ଚାହେଁ ଧୀରେ । ଯେହ୍ନେ ଉଦୟ ଦିନକରେ ॥ ୧୦୨

ଚାହିଁଲା ପୁତ୍ରର ବଦନ । ଚକିତେ ହୋଇ ଛନ୍ନଛନ୍ନ ॥ ୧୦୩

ଅପୂର୍ବ କାହୁଁ ଏ ଅଇଲା । ଜଗତେ ନାହିଁ ନା ଦେଖିଲା ॥ ୧୦୪

ଏ ତ ପୁରୁଷଙ୍କ ଉତ୍ତମ । କି ଅବା ପ୍ରଭୁ ଭଗବାନ ॥ ୧୦୫

ପୂ‰ର୍ଣ୍ଣ ଆନନ୍ଦ ଜ୍ଞାନମୟ । ଦେଖି ପାଇଲା ଦେବୀ ଭୟ ॥ ୧୦୬

ବିକଳେ ବେନିକର ଯୋଡ଼ି । ହା କୃଷ୍ଣ ବୋଲି ପାୟେ ପଡ଼ି ॥ ୧୦୭

ଚଞ୍ଚଳ ମନ କରି ସ୍ଥିର । ଦେବକୀ ବୋଲଇ ଉତ୍ତର ॥ ୧୦୮

ଦେବକୀ ଉବାଚ

ଭୋ ନାଥ ନିସ୍ତରିଲି ମୁହିଁ । ତୋହର ଆଦି ଅନ୍ତ ନାହିଁ ॥ ୧୦୯

ମନ ବଚନେ ହେଁ ନ ପାଇ । ପ୍ରସନ୍ନ ହୁଅ ମୋତେ ତୁହି ॥ ୧୧୦

ଜ୍ୟୋତିସ୍ୱରୂପ ନିରଞ୍ଜନ । ନିର୍ମଳ ପୁଣ୍ୟ ଦିବ୍ୟଜ୍ଞାନ ॥ ୧୧୧

ଦେବେ ଗୋଚର ନୋହେ ଯେହୁ । ଅଧ୍ୟାତ୍ମଦୀପ ମହାବାହୁ ॥ ୧୧୨

ବ୍ରହ୍ମାର ଅନ୍ତେ ମହୀ ନାଶେ । ବ୍ରହ୍ମାŠଣ୍ତ ଲୁଚନ୍ତି ଆକାଶେ ॥ ୧୧୩

ମନର ମୂଳେ ପଞ୍ଚଭୂତେ । ତୋହର ଦେହେ ଲୀନହୋନ୍ତେ ॥ ୧୧୪

ରବି ଶଶାଙ୍କ ନାହିଁ କେହି । ତୁ ମାତ୍ର ରହୁ ଶେଷ ହୋଇ ॥ ୧୧୫

ନିମିଷ ଆଦି ଯେଉଁ କାଳ । ତୋହର ଚେଷ୍ଟା ଅନ୍ତରାଳ ॥ ୧୧୬

ଏ ମର୍ତ୍ତ୍ୟେ ମୃତ୍ୟୁସର୍ପ ରୂପେ । ଦଂଶିବ ବୋଲି ମହାକୋପେ ॥ ୧୧୭

ଦେଖଇଁ ପ୍ରାଣୀଙ୍କି ନିରତ । କରଇ କ୍ଷଣେ କ୍ଷଣେ ଗ୍ରସ୍ତ ॥ ୧୧୮

ଶରଣ ତୋ'ର ପାଦେ ଯେହୁ । ସେ ମୃତ୍ୟୁ ପାଇବଟି କାହୁଁ ॥ ୧୧୯

ବାହୁଡ଼ି ହୋଏ ଯେ ନିରାଶ । ସେ ପ୍ରାଣୀ ରହେ ତୋ'ର ପାଶ ॥ ୧୨୦

ତୁ ଏବେ ହରି ରଖ ତୋତେ । କଂସକୁ ନ ଯାଇ ପରତେ ॥ ୧୨୧

ମୋର ଉଦରୁ ତୋ'ର ଜାତ । ଲୋକେ କରିବେ କାହୁଁ ସତ ॥ ୧୨୨

ତୋ' ରୂପ ନ ଜାଣନ୍ତି କେହି । କଂସକୁ ଡରେ ମୋର ଦେହୀ ॥ ୧୨୩

ଶୁଣି ବୋଲନ୍ତି ନାରାୟଣ । ଭୋ ତାତ ଶୁଣ ମୋ' ବଚନ ॥ ୧୨୪

ବ୍ରହ୍ମା ଯେ ସୃଷ୍ଟି ଭିଆଇଲା । ତୁମ୍ଭ ଦୁହିଁଙ୍କି ଜାତ କଲା ॥ ୧୨୫

ପୃଶ୍ନି ସୁତପା ନାମ ବହି । ଜନ୍ମ ହୋଇଲ ତୁମ୍ଭେ ଦୁଇ ॥ ୧୨୬

ତା'ର ଆଦେଶ ଘେନି ଶିରେ । ମିଳିଲ ଗହନ ବନରେ ॥ ୧୨୭

ଅନେକ ଦୁଃଖେ ତପ କରି । ଜଳ ପବନ ପତ୍ର ଚରି ॥ ୧୨୮

ବରଷା ଗ୍ରୀଷ୍ମ ଶୀତ ହିମେ । ଶ୍ୱାସ ନିରୋଧି ମହାଶ୍ରମେ ॥ ୧୨୯

ଶତେ ବରଷ ଦେବମତେ । ତପ ସାଧିଲ ଦୃଢ଼ଚିତ୍ତେ ॥ ୧୩୦

ନିରତେ କଲ ମୋତେ ଧ୍ୟାନ । ମୁଁ ପୁଣି ହୋଇଲି ପ୍ରସନ୍ନ ॥ ୧୩୧

ଆନନ୍ଦେ ଯାଚିଲି ମୁଁ ବର । ଜାଣିଲି ତୁମ୍ଭର ବିଚାର ॥ ୧୩୨

ମୋର ପ୍ରସନ୍ନ ଭାବ ଘେନି । ଭାବେ ବୋଇଲ ତୁମ୍ଭେ ବେନି ॥ ୧୩୩

ବୋଇଲ ଶୁଣ ଚକ୍ରଧର । ଆମ୍ଭର ହୋଇବ କୁମର ॥ ୧୩୪

ପ୍ରଥମେ ହୋଇଲି ମୁଁ ଜାତ । ନାମ ମୋ' ପୃଶ୍ନିଗର୍ଭ ଖ୍ୟାତ ॥ ୧୩୫

ଦ୍ୱିତୀୟେ କଶ୍ୟପ ଅଦିତି । ରୂପରେ ତୁମ୍ଭ ଉତପତ୍ତି ॥ ୧୩୬

ମୁଁ ପୁଣି ତୁମ୍ଭ ଗର୍ଭେ ଜାତ । ଉପେନ୍ଦ୍ର ବାମନ ବିଖ୍ୟାତ ॥ ୧୩୭

ମୋହର ନାମ ଭାବଗ୍ରାହୀ । ଜନ୍ମିଲି ପୁଣି ଦେହ ବହି ॥ ୧୩୮

ପୁତ୍ର ଲାଳସେ ପାଳି ମୋତେ । ପଶିବ ମୋ'ର ଦେହେ ଅନ୍ତେ ॥ ୧୩୯

ଦେବଙ୍କ ବଚନେ ମୁଁ ଜାତ । ଅସୁର କରିବି ନିପାତ ॥ ୧୪୦

ଆଉ କହିତେ ନାହିଁ ବେଳ । ମୋତେ ଘେନିଣ ବେଗେ ଚଳ ॥ ୧୪୧

ନନ୍ଦର ଘରେ ମୋତେ ଥୋଇ । କନ୍ୟାକୁ ଆଣ ପାଲଟାଇ ॥ ୧୪୨

ଶୁକ ଉବାଚ

ଏମନ୍ତ କହି ନରହରି । ନରବାଳୁତ ରୂପ ଧରି ॥ ୧୪୩

ଗୋବିନ୍ଦ ଆଜ୍ଞା ଘେନି ଶିରେ । କୋଳେ ଧଇଲା ଚକ୍ରଧରେ ॥ ୧୪୪

ଘେନିଣ ଦେବ ଚକ୍ରଧର । ଭୟେଣ ହୋଏ ଥରହର ॥ ୧୪୫

ଶ୍ରୀକୃଷ୍ଣ ଆଜ୍ଞା ପରମାଣେ । କବାଟ ଫିଟିଲା ତକ୍ଷଣେ ॥ ୧୪୬

ଫିଟିଲା ପୟର ଶାଙ୍କୋଳି । ପଥ କଢ଼ାଇଲା ବିଜୁଳି ॥ ୧୪୭

କୋଳରେ ଘେନି ନାରାୟଣ । ବାହାର ହୋଏ ତତ୍‌କ୍ଷଣ ॥ ୧୪୮

ନିଦ୍ରାରେ ମୋହିତ ସକଳ । ବୃଷ୍ଟି କରନ୍ତି ମେଘମାଳ ॥ ୧୪୯

ତିନ୍ତିବା ଦେଖି ଜଗନ୍ନାଥ । ଫଣା ଉହାଡ଼ିଲା ଅନନ୍ତ ॥ ୧୫୦

ଯାଆନ୍ତେ କୃଷ୍ଣଙ୍କୁ ଘେନିଣ । ପଥେ ଓଗାଳେ ଉଗ୍ରସେନ ॥ ୧୫୧

ବୋଲଇ କାହିଁର ରେ ଚୋର । ନିଶାରେ ହୋଇଛୁ ବାହାର ॥ ୧୫୨

କଂସର ଜାଣିନାହୁଁ ବାନା । ଦେବଙ୍କ ଗର୍ବ କଲା ଚୂନା ॥ ୧୫୩

ମୁହିଁ ତାହାର ରିପୁ ମିତ୍ର । ଦେଖି ବୁଲଇ ରାତ୍ରେ ପଥ ॥ ୧୫୪

ଆଜ ହାଣିବି ତୋର ଶିର । ବନ୍ଧନ କରି ନେବି ଚୋର ॥ ୧୫୫

ଶୁଣି କମ୍ପଇ ବସୁଦେବ । ବିପତ୍ତି ଦେଲୁ ହା ଦଇବ ॥ ୧୫୬

ହା କୃଷ୍ଣ ବୋଲିଣ ବିକଳ । ନୟନୁ ବହେ ଅଶ୍ରୁଜଳ ॥ ୧୫୭

ବୋଲଇ ଉଗ୍ରସେନେ ଚାହିଁ । ପୁତ୍ରକୁ ନେଉଅଛି ମୁହିଁ ॥ ୧୫୮

ବୋଲଇ ଉଗ୍ରସେନ ବୀର । କାଲି ମାରିବ କଂସାସୁର ॥ ୧୫୯

ଯେତେ ବାଳକ ତୋ'ର ଜାତ । ସବୁଙ୍କୁ କରଇ ସେ ହତ ॥ ୧୬୦

ମୁଁ କେହ୍ନେ ଛାଡ଼ିଦେବି ପଥ । ଶୁଣିଲେ କୋପିବ ଦଇତ୍ୟ ॥ ୧୬୧

ଶୁଣି ଆରତ ବସୁଦେବ । ବିକଳେ ଚିନ୍ତଇ ମାଧବ ॥ ୧୬୨

କମ୍ପଇ ବସୁଦେବ କାୟେ । ବଚନ ନ କହଇ ଭୟେ ॥ ୧୬୩

ପିଅର ବିକଳ ଦେଖିଣ । ବୋଲନ୍ତି ପ୍ରଭୁ ନାରାୟଣ ॥ ୧୬୪

ଶୁଣ ହୋ ବୀର ଉଗ୍ରସେନ । ଆମ୍ଭେ ସେ ଦେବ ଭଗବାନ ॥ ୧୬୫

ଜନମ ହୋଇ ବନ୍ଦୀଘରେ । ଦେବକୀ ଦେବୀଙ୍କ ଉଦରେ ॥ ୧୬୬

ଏବେ ଯାଉଛୁ ଗୋପପୁର । ଏ କଥା ପ୍ରଘଟ ନ କର ॥ ୧୬୭

ଭାରା ଯେ ନ ସହଇ ମହୀ । ଉଶ୍ୱାସ କରିବଇଁ ମୁହିଁ ॥ ୧୬୮

ଶୁଣି ବୋଲଇ ଉଗ୍ରସେନ । ତୁ ଯେବେ ଦେବ ଭଗବାନ ॥ ୧୬୯

ଦେଖାଅ ଶଙ୍ଖଚକ୍ର ଚିହ୍ନ । ସଂପ୍ରତେ ଯିବ ମୋର ମନ ॥ ୧୭୦

ବେଦ ବଚନେ ଦେବମାନେ । କହନ୍ତି ଶାହାସ୍ର ପୁରାଣେ ॥ ୧୭୧

ତୋହର ଚତୁର୍ଭୁଜ କର । ଦେଖାଅ ନିଜରୂପ ତୋ'ର ॥ ୧୭୨

ଭୃତ୍ୟର ତୋଷେ ଭାବଗ୍ରାହୀ । ଶଙ୍ଖଚକ୍ର ଚିହ୍ନ ଦେଖାଇ ॥ ୧୭୩

ଦେଖି ସାନନ୍ଦ ଉଗ୍ରସେନ । ଖଡଗ ପକାଇ ବହନ ॥ ୧୭୪

ବୋଲଇ ନିସ୍ତରିଲି ମୁହିଁ । ତୋ'ର ଶ୍ରୀମୁଖକୁ ଅନାଇଁ ॥ ୧୭୫

ଗୋପକୁ ଯିବ କିସ ଅର୍ଥେ । ମଥୁରା ନରହିଲ ଏଥେ ॥ ୧୭୬

ବୋଲନ୍ତି ଭକତବ›ତ୍ସଳ । ଗୋକୁଳେ ସେବକ ମୋହର ॥ ୧୭୭

ଗୋପୀ ଅଛନ୍ତି ଷୋଳସସ୍ର । ସେ ଆମ୍ଭ ନିଜ ପ୍ରାଣ ଗାତ୍ର ॥ ୧୭୮

ଅଷ୍ଟମ ବରଷ ସଂପୂ‰ର୍ଣ୍ଣ । କଂସକୁ କରିବୁ ନିଧନ ॥ ୧୭୯

ତୋତେ ଦେବଇଁ ଅଇଶ୍ୱର୍ଯ୍ୟ । ଚିନ୍ତା ନ କର ଭୋଜରାଜ ॥ ୧୮୦

ଶୁଣି ସାନନ୍ଦ ଉଗ୍ରସେନ । ଚରଣେ କଲାକ ପ୍ରଣାମ ॥ ୧୮୧

ମୁଁ ତୋ'ର ଦାସର ସେବକ । ତେଣୁ ଦେଖିଲି ତୋ' ଶ୍ରୀମୁଖ ॥ ୧୮୨

ଅନେକମତେ ସ୍ତୁତି କରି । ପୁଣି ଚରଣ ତଳେ ପଡ଼ି ॥ ୧୮୩

ଶ୍ରୀମୁଖେ ତା'କୁ ଆଜ୍ଞା ଦେଲେ । ନୃପତି ହୋଇବୁ ବୋଇଲେ ॥ ୧୮୪

ସନ୍ତୋଷ ହୋଇ ନରହରି । ଉଗ୍ରସେନକୁ ଦେଲେ ଶାଢ଼ୀ ॥ ୧୮୫

ଦେଇ ବୋଲନ୍ତି ଦେବରାଜ । ଆଜହୁଁ ମଥୁରାରେ ରାଜ ॥ ୧୮୬

ଉଗ୍ରସେନକୁ ପୁଷ୍ଠମାଳୀ । ହରଷେ କୃଷ୍ଣ ଦେଲେ ତୋଳି ॥ ୧୮୭

ପାଟେ ବାନ୍ଧିଲା ଉଗ୍ରସେନ । ବୋଲଇ ଯାଅ ଭଗବାନ ॥ ୧୮୮

ଆନନ୍ଦେ ପଥ ଛାଡ଼ିଦେଇ । ବୋଲଇ ନିସ୍ତରିଲି ମୁହିଁ ॥ ୧୮୯

ତହୁଁ ଚଳିଲେ ଚକ୍ରଧାରୀ । ପାଛୋଟି ଯାଏ ଦଣ୍ତŠଧାରୀ ॥ ୧୯୦

ଏମନ୍ତେ କିଛି ଦୂର ଗଲା । ଆଜ୍ଞା ପାଇଣ ବାହୁଡ଼ିଲା ॥ ୧୯୧

ହରଷ ଚିତ୍ତେ ବସୁଦେବ । ହୃଦେ ଚିନ୍ତଇ ପଦ୍ମନାଭ ॥ ୧୯୨

ନଦୀର ତୀରେ ଯାଇ ମିଳି । ଦେଖିଲା ଯମୁନା ଉଚ୍ଛୁଳି ॥ ୧୯୩

ଯମର ବହେଣୀ ଯୁକତ । ଗଭୀର କେ କରିବ ଅନ୍ତ ॥ ୧୯୪

ବହଇ ଅତି ଖରତର । ଫେନ-ସ୍ରୋତରେ ଭୟଙ୍କର ॥ ୧୯୫

ନଦୀରେ ପଶିଲା ବହନ । କାତରେ ଅତି ଭୟମନ ॥ ୧୯୬

ନାସାରେ ପଶନ୍ତେଣ ପାଣି । ଶିରେ ବସାଇ ଚକ୍ରପାଣି ॥ ୧୯୭

ବୁଡ଼ିଣ ଯା'ନ୍ତେ ବସୁଦେବ । ହୃଦେ ଚିନ୍ତଇ ବାସୁଦେବ ॥ ୧୯୮

ହରି ସୁମରେ ଯହୁଁ ଖରେ । ଯମୁନା ଜାଣିଲା ନିର୍ଭରେ ॥ ୧୯୯

ମୋହର ସୌଭାଗ୍ୟ ହୋଇଲା । ମାଧବ ଏଥେ ବିହରିଲା ॥ ୨୦୦

ପୂର୍ବେ ମୋ' ଯେତେ ପାପ ଥିଲା । ଶ୍ରୀକୃଷ୍ଣ ଦର୍ଶନେ ଛାଡ଼ିଲା ॥ ୨୦୧

ନାନା ସ୍ତୁତିରେ ପାଦବନ୍ଦି । କୃତାର୍ଥ ହୋଇଲା କାଳିନ୍ଦୀ ॥ ୨୦୨

ତକ୍ଷଣେ ଜଳ ଛାଡ଼ିଗଲା । ଗୋଡ଼ ଝୁଣ୍ଟିଆଣି ହୋଇଲା ॥ ୨୦୩

ହରିଙ୍କି ଦେଖି ଭୟ କଲା । ବାଲିବନ୍ତରେ ବାଟ ଦେଲା ॥ ୨୦୪

ଚଳିଲେ ନଦୀ ପାର ହୋଇ । କୃଷ୍ଣଙ୍କୁ ହୃଦରେ ଲଗାଇ ॥ ୨୦୫

ମିଳିଲେ ଯାଇ ଗୋପପୁରେ । ସଭୟେ ନନ୍ଦର ମନ୍ଦିରେ ॥ ୨୦୬

ନିଦ୍ରା ମୋହିତ ସର୍ବଜନ । ଭୟେ ଚାହଁଇ ଛନଛନ ॥ ୨୦୭

ପ୍ରସବ କରି ନନ୍ଦରାଣୀ । ଅଚେତେ ଶୟନ ଧରଣୀ ॥ ୨୦୮

ଅମ୍ବିକା ହୋଇଛନ୍ତି ଜାତ । ଜଗତ ନିଦ୍ରାରେ ମୋହିତ ॥ ୨୦୯

ଯଶୋଦା କୋଳେ କୃଷ୍ଣ ଥୋଇ । କନ୍ୟା ଆଣିଲା ପାଲଟାଇ ॥ ୨୧୦

ମିଳିଲା ଦେବକୀ ନିକଟ । ତକ୍ଷଣେ ପଡ଼ିଲା କବାଟ ॥ ୨୧୧

ଲାଗିଲା ଚରଣେ ଶାଙ୍କୋଳି । ଦୁହିତା ଛାଡ଼ିଲା ବୋବାଳି ॥ ୨୧୨

ହରି ଚରିତ ସୁଧାବାଣୀ । ଶୁଣି ନିର୍ମଳ ହୁଅ ପ୍ରାଣୀ ॥ ୨୧୩

ଶ୍ରୀକୃଷ୍ଣ ଜନ୍ମ ରସଭର । ଶୁଣି ସଂସାରୁ ହୁଅ ପାର ॥ ୨୧୪

ପରୀକ୍ଷେ କହେ ଶୁକମୁନି । ପୁରାଣ ରସଗୀତ ବାଣୀ ॥ ୨୧୫

ହରିଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥ ୨୧୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କୃଷ୍ଣଜନ୍ମନି ଚତୁର୍ଥୋଽଧ୍ୟାୟଃ ॥

* * *