ଦଶମ ସ୍କନ୍ଧ
ଚତୁର୍ଥ ଅଧ୍ୟାୟ
କହନ୍ତି ଶୁକମୁନି ହସି । କୃଷ୍ଣ ଚରିତ ପରଶଂସି ॥ ୧
ପରୀକ୍ଷ ମୁଖକୁ ଚାହିଁଲେ । ଆନନ୍ଦେ ଲୋଚନ ବୁଜିଲେ ॥ ୨
ସମାଧି କରି ଯୋଗଧ୍ୟାୟି । କୃଷ୍ଣ ପ୍ରସନ୍ନ ଲେଶ ପାଇ ॥ ୩
ପୁଣି କ୍ଷଣକେ ଚକ୍ଷୁ ଫେଇ । ହସି କହନ୍ତି ରାଜା ଚାହିଁ ॥ ୪
ଶୁକ ଉବାଚ
ଶୁଣ ହୋ ଶ୍ରୀକୃଷ୍ଣର ଜନ୍ମ । ଯେଣେ ଖଣ୍ତିବ ଭବଭ୍ରମ ॥ ୫
ଦେବକୀ ଦେବଗଣ ଦେଖି । ମନେ ବିଚାରେ ଶଶୀମୁଖୀ ॥ ୬
ମୁଁ ଅଟେ ମାନୁଷ ଯୁବତୀ । ଦେବେ କରନ୍ତି ମୋତେ ସ୍ତୁତି ॥ ୭
କି ଅବା ଉଦରେ ମୋହର । ବିଜୟ କଲେ ଚକ୍ରଧର ॥ ୮
ଯାଦବକୁଳ ନିସ୍ତାରଣେ । ପାପିଷ୍ଠ କଂସର ମରଣେ ॥ ୯
ଦେବଙ୍କ ଛଳେ ଅବତାର । ନାଶିବେ ଅବନୀର ଭାର ॥ ୧୦
ଏତେ ବିଚାରି ମହାମାୟା । କ୍ଷଣକେ ପାସୋରିଲା ତାହା ॥ ୧୧
ଯୋଗମାୟାର ଯୋଗବଳେ । ବିଷୟାରସ କାମଭୋଳେ ॥ ୧୨
ସୁତ ଲାଳସା ପରିବନ୍ଧେ । ତ୍ରିଗୁଣ ଭେଦ କୂଟଛନ୍ଦେ ॥ ୧୩
ମନ ମୋହିଲା ରାଜସୁତା । ନ ଜାଣେ ଗର୍ଭର ବ୍ୟବସ୍ଥା ॥ ୧୪
ମନୁଷ୍ୟ ଜନ୍ମର ସ୍ୱଭାବ । ଦେଖଇ ପତିବ୍ରତା ଗର୍ଭ ॥ ୧୫
ତଥ୍ୟ ନ କଲେ ରୂପ ହେଜି । କ୍ଷଣ କ୍ଷଣକେ ଚକ୍ଷୁ ବୁଜି ॥ ୧୬
ଶୁଖିଲା ଅଧର ଦଶନ । ଫିଟିଲା କଟୀ ପହରଣ ॥ ୧୭
ଶୁଖିଲା ପ୍ରାୟେ ବିମ୍ବାଧର । କମ୍ପିତ ମୁଖ ଭୁଜ ଊର ॥ ୧୮
ନାଭି ଲେଉଟି ଦିଶେ ଝଳି । ଟାଙ୍କୋରେ ତନୁ ରୋମାବଳୀ ॥ ୧୯
କ୍ଷଣ କ୍ଷଣକେ ଯୋଗନିଦ୍ରା । ଛାଡ଼ିଲା ସୁଖ ଭୋଗ ସୁଧା ॥ ୨୦
ନିବିଡ଼େ ଅବନୀ ଶୟନ । କ୍ଷଣେ ମଳୟ ହୁତାଶନ ॥ ୨୧
ତପତ ନିଃଶ୍ୱାସ ସମୀର । କର ଚରଣ ଥରହର ॥ ୨୨
କୋମଳପତ୍ର ଶଯ୍ୟା ଆଶେ । ମଳୟ ଚନ୍ଦନ ପ୍ରକାଶେ ॥ ୨୩
ସକଳ ସୁଖଭୋଗ ମାନ । କରାନ୍ତି ପ୍ରଭୁ ଭଗବାନ ॥ ୨୪
ଯେ ହେବ ଗୋବିନ୍ଦର ଆଈ । ତାହାର ପାପ-ବାଧା କାହିଁ ॥ ୨୫
ବିଚାର କରେ ଦେବୀ ମନେ । ଏ ଗର୍ଭ ସହିବି କେସନେ ॥ ୨୬
ଛ ବେଳ ହେଲା ପରିହାର । ଏବେ ମୋ ପ୍ରକୃତି ଅନ୍ତର ॥ ୨୭
କି ଅବା କାଳଆଶ୍ରେ ମୋତେ । ଜୀବନ ହରିବ ଯୁଗତେ ॥ ୨୮
ଏମନ୍ତେ ଦିବାରାତ୍ର ବସି । ମନେ ଭାଳଇ ଶୁଭ୍ରକେଶୀ ॥ ୨୯
ଏମନ୍ତେ ଦୁଃଖ ସୁଖ ମନେ । ଦିନ ହରଇ ମନଛନ୍ନେ ॥ ୩୦
ଶୁଭେ ହୋଇଲା ଅଷ୍ଟମାସ । ପୃଥ୍ୱୀ ମଣ୍ତିବେ ଶ୍ରୀନିବାସ ॥ ୩୧
ଶରଦ ହେମନ୍ତ ଅନ୍ତରେ । ବସନ୍ତ ଗ୍ରୀଷମ ବେଭାରେ ॥ ୩୨
ସୂର୍ଯ୍ୟଙ୍କ ତହୁଁ ଷଡ଼ଋତୁ । ପ୍ରକାଶ ଜନସୁଖ ହେତୁ ॥ ୩୩
ଋତୁଙ୍କ ମଧ୍ୟେ ଶ୍ରେଷ୍ଠବଳ । ସଂପୂର୍ଣ୍ଣ ବରଷାର କାଳ ॥ ୩୪
ଭାଦ୍ରବ ମାସ କୃଷ୍ଣପକ୍ଷେ । ସକଳ ଗ୍ରହେ ଛନ୍ତି ଉଚ୍ଚେ ॥ ୩୫
ଅଷ୍ଟମୀ ନିଶା ଅର୍ଦ୍ଧଭାଗେ । ରୋହିଣୀ ନକ୍ଷତ୍ର ସଂଯୋଗେ ॥ ୩୬
ବୃଷ ରାଶିରେ ନିଶାକର । ନକ୍ଷତ୍ର ଗ୍ରହେ ବଳୀୟାର ॥ ୩୭
ଗଭୀର ଘୋର ମେଘ ଘୋଷ । ବର୍ଗ ଉତ୍ତମ ନବଅଂଶ ॥ ୩୮
ଏହି ସମୟେ ସୁରରାୟେ । ଆକାଶେ ଉତ୍ସବ କରାଏ ॥ ୩୯
ଦୁନ୍ଦୁଭି-ବାଦ୍ୟ-ନାଦ ହେରି । ରଙ୍ଗେ ନାଚନ୍ତି ଅପସରୀ ॥ ୪୦
ଦେବେ କରନ୍ତି ପୁଷ୍ପବୃଷ୍ଟି । ଖଣ୍ତିବେ ଗୋବିନ୍ଦ ଅରିଷ୍ଟି ॥ ୪୧
ଇନ୍ଦ୍ର ପବନକୁ ହକାରି । ବୋଲଇ ଯାଅ ମଧୁପୁରୀ ॥ ୪୨
ତୋହର ଗନ୍ଧ ଗୁଣ ଘେନି । ଆନନ୍ଦେ ବହିବୁ ମେଦିନୀ ॥ ୪୩
କଂସର ବନ୍ଦୀଘରେ ଯାଇ । ବହିବୁ ମଳୟ ପୁରାଇ ॥ ୪୪
ଦିଗେ ଦିଶନ୍ତୁ ପରିମଳ । ବହିବୁ ସୁଗନ୍ଧ ଶୀତଳ ॥ ୪୫
ଇନ୍ଦ୍ରର ଆଜ୍ଞା ପାଇ ବେଗେ । ସମୀର ଚଳିଗଲା ଆଗେ ॥ ୪୬
ପବନ ଗଲା ମଧୁ ପୁରେ । ବହେ ସୁଗନ୍ଧ ରସଭରେ ॥ ୪୭
ନିର୍ମଳ ଦିଶିଲା ଗଗନ । ମହୀ ମଙ୍ଗଳ ବିଦ୍ୟମାନ ॥ ୪୮
ଗ୍ରାମ ପାଟଣା ପୁର ଘୋଷ । ମଙ୍ଗଳ ବାଦ୍ୟେ ଗୀତ ରସ ॥ ୪୯
ନଦୀଏ ଉଛୁଳିଲେ ଜଳେ । ପକ୍ଷୀଙ୍କ ନାଦ ବୃକ୍ଷଡ଼ାଳେ ॥ ୫୦
ସ୍ତବକ ପୁଷ୍ପ ବନେ ଫୁଟି । ବାସ ପ୍ରସରଇ ପ୍ରକଟି ॥ ୫୧
ବିପ୍ରେ ମଙ୍ଗଳ ବେଦନାଦେ । ଅନଳେ କ୍ଷେପନ୍ତି ସମିଧେ ॥ ୫୨
ଆନନ୍ଦ ହେଉଅଛି ମହୀ । କୃଷ୍ଣ ଜନ୍ମିବେ ଦେହ ବହି ॥ ୫୩
ବଥାଏ ଦେବକୀ ଉଦର । ସ୍ୱାମୀଙ୍କି ବୋଲନ୍ତି ଉତ୍ତର ॥ ୫୪
ଭୋ ନାଥ ଚିନ୍ତ ନାରାୟଣ । କେ ସହୁ ଗର୍ଭର କଷଣ ॥ ୫୫
ଶୁଣି ବସୁଦେବ ଉଠିଲା । ଦେବକୀ କଙ୍କାଳ ଧଇଲା ॥ ୫୬
ଆବୋରି ଗୋବିନ୍ଦ ସୁମରି । ଭୟେ ଚିନ୍ତଇ ନରହରି ॥ ୫୭
ଆକାଶେ ଉଦେ ନିଶାକର । ଦେବକୀ ଉଦରୁ ବାହାର ॥ ୫୮
ନୀଳ-ଜୀମୂତ ଦେହ କାନ୍ତି । ବଳୟ ମଣି ଝଟକନ୍ତି ॥ ୫୯
ପୀତବସନ କଟୀ ଶୋହେ । ରୂପେ କୋଟିଏ କାମ ମୋହେ ॥ ୬୦
କଟୀ-ମେଖଳା ସୁନା-ସୂତା । ଉତ୍ତରୀ ସୁବର୍ଣ୍ଣ ପଇତା ॥ ୬୧
କିରୀଟ କୁଣ୍ତଳ କଙ୍କଣ । ପାଦେ ନୂପୁର ରୁଣଝୁଣ ॥ ୬୨
ଦିଶଇ ଶଙ୍ଖ ଚକ୍ର ତେଜ । ମର୍କତ ସ୍ତମ୍ଭ ଚାରିଭୁଜ ॥ ୬୩
ଗଦା କମଳ ଶଙ୍ଖଚକ୍ର । ଅଧର ଓଷ୍ଠ ରଙ୍ଗ ରେଖ ॥ ୬୪
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ । ରତ୍ନପାଦୁକା ବେନି ପାୟେ ॥ ୬୫
ଅପୂର୍ବ ରୂପେ ଯୋଗେଶ୍ୱର । ଦେବ ମାନବେ ଅଗୋଚର ॥ ୬୬
ଦେବକୀ ପ୍ରସବିଣ ସୁତ । ଶ୍ରମେ ହୋଇଲା ମୋହଗତ ॥ ୬୭
ପଛେ ଯେ ବସୁଦେବ ଥିଲା । କୃଷ୍ଣ ରୂପକୁ ଅନାଇଲା ॥ ୬୮
ସ୍ଥିରେ ଚାହିଁଲା ବସୁଦେବ । ଦେଖିଲା ଅନାଦି ମାଧବ ॥ ୬୯
କ୍ଷଣେ ରହିଲା ସ୍ଥିର ହୋଇ । କୃଷ୍ଣଙ୍କୁ ଚାହିଁ ବିଚାରଇ ॥ ୭୦
କୃଷ୍ଣ ହରିଲେ ପିତା ଜ୍ଞାନ । ଚକିତେ ବିଚାରଇ ମନ ॥ ୭୧
ମନରେ ଗଙ୍ଗାସ୍ନାନ କଲା । ଅୟୁତେ ଧେନୁ ଉତ୍ସର୍ଗିଲା ॥ ୭୨
ଏ ପୁତ୍ରେ କଂସ ନ ମାଇଲେ । ଦେବଇଁ ଅଳଙ୍କାର ତୁଲେ ॥ ୭୩
ଏ ପୁତ୍ର ନମଲେ ମୋହର । ପୁଜିବି ବିପ୍ରଙ୍କ ପୟର ॥ ୭୪
ଚାହିଁଲା ଗୋବିନ୍ଦ ବଦନ । ପୁଣି ପାଇଲା ଦିବ୍ୟଜ୍ଞାନ ॥ ୭୫
ଭୟେ କମ୍ପଇ ତା'ଶରୀର । ଏ ତ ଅନାଦି ଚକ୍ରଧର ॥ ୭୬
ମୁ ଛାର ମନୁଷ୍ୟ ଅଧମ । କିପାଁ ଏ ହୋଇଲା ପ୍ରସନ୍ନ ॥ ୭୭
କି ବୁଦ୍ଧି କରିବଇଁ ମୁହିଁ । କଂସକୁ ଡରେ ମୋର ଦେହୀ ॥ ୭୮
ବୋଲଇ ବସୁଦେବ ଶୋକେ । ଏ କିମ୍ବା ଜାତ ମଞ୍ଚଲୋକେ ॥ ୭୯
ତେଜେ ଉଜ୍ଜ୍ୱଳ ବନ୍ଦୀଘର । ତିଳେ ହେଁ ନଦିଶେ ଅନ୍ଧାର ॥ ୮୦
କର ଅଞ୍ଜଳି ଶିରେ ଦେଇ । ସ୍ତୁତି କରଇ କୃଷ୍ଣ ଚାହିଁ ॥ ୮୧
ବସୁଦେବ ଉବାଚ
ତୋହର ଆଦି ଅନ୍ତ ନାହିଁ । ପ୍ରକୃତି ତୋତେ ନଲାଗଇ ॥ ୮୨
କେବଳ ସୂକ୍ଷ୍ମ ରୂପେ ଶୂନ୍ୟ । ମୁନିଙ୍କ ଚିତ୍ତେ ଜ୍ଞାନଗମ୍ୟ ॥ ୮୩
ତୋହର ମାୟାରେ ଜଗତ । ମହତ ଆଦି ପଞ୍ଚଭୂତ ॥ ୮୪
ତହିଁରେ ନୋହୁ ତୁ ପ୍ରବେଶ । ପ୍ରବେଶ ପ୍ରାୟ ତୋ' ପ୍ରକାଶ ॥ ୮୫
ବାହାର ଭିତରେ ଅନନ୍ତ । ସୃଷ୍ଟି କରୁ ତୁ ଆତଯାତ ॥ ୮୬
ବୁଦ୍ଧି ଲକ୍ଷଣ ଗୁଣ ଘେନି । ତୋତେ ଚିନ୍ତନ୍ତି ଆତ୍ମଜ୍ଞାନୀ ॥ ୮୭
କାହୁଁ ଦେଖିବେ ଦେହବନ୍ତ । ତୁ ଦେବ ଅନାଦି ଅଚ୍ୟୁତ ॥ ୮୮
ଜଗତ ତୋ'ର ତହୁଁ ଜାତ । ପାଳିଣ ପୁଣି କରୁ ଅନ୍ତ ॥ ୮୯
ଜଗତ ଉପୁଜିବା କାଳେ । ଅରୁଣ ବର୍ଣ୍ଣ ହେଉ ବେଳେ ॥ ୯୦
ପାଳିବା କାଳେ ଶୁକ୍ଳବର୍ଣ୍ଣ । ଜଗତେ ବୋଲାଉ ତୁ ଧର୍ମ ॥ ୯୧
ସଂହାର କାଳେ କୃଷ୍ଣରୂପ । ତୋର ବିହାର ମୋହକଳ୍ପ ॥ ୯୨
ତୁ ଏବେ ମୋରଘରେ ନାଥ । ଅଂଶେ ହୋଇଲୁ ଦେହବନ୍ତ ॥ ୯୩
ଜାଣିଲି ଯେତେକ ଅସୁର । ମାରି କରିବୁ ମହୀ ସ୍ଥିର ॥ ୯୪
ତୋ'ର ଜନମ ମୋ'ର ଘରେ । ଶୁଣିଣ କଂସ କୋପଭରେ ॥ ୯୫
ଛ ପୁତ୍ର ମାଇଲା ମୋହର । ତୁ କି ନ ଜାଣୁ ଚକ୍ରଧର ॥ ୯୬
ପ୍ରହରୀମାନେ ଜଗିଛନ୍ତି । ଶୁଣିବେ ବୋଲି ମନେ ଭୀତି ॥ ୯୭
କଂସକୁ କହିବେ ତୁରିତେ । ସେ ଆସି ମାରିବଟି ତୋତେ ॥ ୯୮
ତୋତେ ହୋ ତୁହି ରକ୍ଷାକର । ମୁଁ ଛାର ମନୁଷ୍ୟ ମାତର ॥ ୯୯
ଏମନ୍ତେ ଗଡ଼ଘାଲି ଶୋଇ । କମ୍ପଇ କୃଷ୍ଣ ମୁଖ ଚାହିଁ ॥ ୧୦୦
ଶୀତଳ ବହଇ ପବନ । ଦେବକୀ ପାଇଲା ଚେତନ ॥ ୧୦୧
ଚକ୍ଷୁ ଫେଇଣ ଚାହେଁ ଧୀରେ । ଯେହ୍ନେ ଉଦୟ ଦିନକରେ ॥ ୧୦୨
ଚାହିଁଲା ପୁତ୍ରର ବଦନ । ଚକିତେ ହୋଇ ଛନ୍ନଛନ୍ନ ॥ ୧୦୩
ଅପୂର୍ବ କାହୁଁ ଏ ଅଇଲା । ଜଗତେ ନାହିଁ ନା ଦେଖିଲା ॥ ୧୦୪
ଏ ତ ପୁରୁଷଙ୍କ ଉତ୍ତମ । କି ଅବା ପ୍ରଭୁ ଭଗବାନ ॥ ୧୦୫
ପୂର୍ଣ୍ଣ ଆନନ୍ଦ ଜ୍ଞାନମୟ । ଦେଖି ପାଇଲା ଦେବୀ ଭୟ ॥ ୧୦୬
ବିକଳେ ବେନିକର ଯୋଡ଼ି । ହା କୃଷ୍ଣ ବୋଲି ପାୟେ ପଡ଼ି ॥ ୧୦୭
ଚଞ୍ଚଳ ମନ କରି ସ୍ଥିର । ଦେବକୀ ବୋଲଇ ଉତ୍ତର ॥ ୧୦୮
ଦେବକୀ ଉବାଚ
ଭୋ ନାଥ ନିସ୍ତରିଲି ମୁହିଁ । ତୋହର ଆଦି ଅନ୍ତ ନାହିଁ ॥ ୧୦୯
ମନ ବଚନେ ହେଁ ନ ପାଇ । ପ୍ରସନ୍ନ ହୁଅ ମୋତେ ତୁହି ॥ ୧୧୦
ଜ୍ୟୋତିସ୍ୱରୂପ ନିରଞ୍ଜନ । ନିର୍ମଳ ପୁଣ୍ୟ ଦିବ୍ୟଜ୍ଞାନ ॥ ୧୧୧
ଦେବେ ଗୋଚର ନୋହେ ଯେହୁ । ଅଧ୍ୟାତ୍ମଦୀପ ମହାବାହୁ ॥ ୧୧୨
ବ୍ରହ୍ମାର ଅନ୍ତେ ମହୀ ନାଶେ । ବ୍ରହ୍ମାଣ୍ତ ଲୁଚନ୍ତି ଆକାଶେ ॥ ୧୧୩
ମନର ମୂଳେ ପଞ୍ଚଭୂତେ । ତୋହର ଦେହେ ଲୀନହୋନ୍ତେ ॥ ୧୧୪
ରବି ଶଶାଙ୍କ ନାହିଁ କେହି । ତୁ ମାତ୍ର ରହୁ ଶେଷ ହୋଇ ॥ ୧୧୫
ନିମିଷ ଆଦି ଯେଉଁ କାଳ । ତୋହର ଚେଷ୍ଟା ଅନ୍ତରାଳ ॥ ୧୧୬
ଏ ମର୍ତ୍ତ୍ୟେ ମୃତ୍ୟୁସର୍ପ ରୂପେ । ଦଂଶିବ ବୋଲି ମହାକୋପେ ॥ ୧୧୭
ଦେଖଇଁ ପ୍ରାଣୀଙ୍କି ନିରତ । କରଇ କ୍ଷଣେ କ୍ଷଣେ ଗ୍ରସ୍ତ ॥ ୧୧୮
ଶରଣ ତୋ'ର ପାଦେ ଯେହୁ । ସେ ମୃତ୍ୟୁ ପାଇବଟି କାହୁଁ ॥ ୧୧୯
ବାହୁଡ଼ି ହୋଏ ଯେ ନିରାଶ । ସେ ପ୍ରାଣୀ ରହେ ତୋ'ର ପାଶ ॥ ୧୨୦
ତୁ ଏବେ ହରି ରଖ ତୋତେ । କଂସକୁ ନ ଯାଇ ପରତେ ॥ ୧୨୧
ମୋର ଉଦରୁ ତୋ'ର ଜାତ । ଲୋକେ କରିବେ କାହୁଁ ସତ ॥ ୧୨୨
ତୋ' ରୂପ ନ ଜାଣନ୍ତି କେହି । କଂସକୁ ଡରେ ମୋର ଦେହୀ ॥ ୧୨୩
ଶୁଣି ବୋଲନ୍ତି ନାରାୟଣ । ଭୋ ତାତ ଶୁଣ ମୋ' ବଚନ ॥ ୧୨୪
ବ୍ରହ୍ମା ଯେ ସୃଷ୍ଟି ଭିଆଇଲା । ତୁମ୍ଭ ଦୁହିଁଙ୍କି ଜାତ କଲା ॥ ୧୨୫
ପୃଶ୍ନି ସୁତପା ନାମ ବହି । ଜନ୍ମ ହୋଇଲ ତୁମ୍ଭେ ଦୁଇ ॥ ୧୨୬
ତା'ର ଆଦେଶ ଘେନି ଶିରେ । ମିଳିଲ ଗହନ ବନରେ ॥ ୧୨୭
ଅନେକ ଦୁଃଖେ ତପ କରି । ଜଳ ପବନ ପତ୍ର ଚରି ॥ ୧୨୮
ବରଷା ଗ୍ରୀଷ୍ମ ଶୀତ ହିମେ । ଶ୍ୱାସ ନିରୋଧି ମହାଶ୍ରମେ ॥ ୧୨୯
ଶତେ ବରଷ ଦେବମତେ । ତପ ସାଧିଲ ଦୃଢ଼ଚିତ୍ତେ ॥ ୧୩୦
ନିରତେ କଲ ମୋତେ ଧ୍ୟାନ । ମୁଁ ପୁଣି ହୋଇଲି ପ୍ରସନ୍ନ ॥ ୧୩୧
ଆନନ୍ଦେ ଯାଚିଲି ମୁଁ ବର । ଜାଣିଲି ତୁମ୍ଭର ବିଚାର ॥ ୧୩୨
ମୋର ପ୍ରସନ୍ନ ଭାବ ଘେନି । ଭାବେ ବୋଇଲ ତୁମ୍ଭେ ବେନି ॥ ୧୩୩
ବୋଇଲ ଶୁଣ ଚକ୍ରଧର । ଆମ୍ଭର ହୋଇବ କୁମର ॥ ୧୩୪
ପ୍ରଥମେ ହୋଇଲି ମୁଁ ଜାତ । ନାମ ମୋ' ପୃଶ୍ନିଗର୍ଭ ଖ୍ୟାତ ॥ ୧୩୫
ଦ୍ୱିତୀୟେ କଶ୍ୟପ ଅଦିତି । ରୂପରେ ତୁମ୍ଭ ଉତପତ୍ତି ॥ ୧୩୬
ମୁଁ ପୁଣି ତୁମ୍ଭ ଗର୍ଭେ ଜାତ । ଉପେନ୍ଦ୍ର ବାମନ ବିଖ୍ୟାତ ॥ ୧୩୭
ମୋହର ନାମ ଭାବଗ୍ରାହୀ । ଜନ୍ମିଲି ପୁଣି ଦେହ ବହି ॥ ୧୩୮
ପୁତ୍ର ଲାଳସେ ପାଳି ମୋତେ । ପଶିବ ମୋ'ର ଦେହେ ଅନ୍ତେ ॥ ୧୩୯
ଦେବଙ୍କ ବଚନେ ମୁଁ ଜାତ । ଅସୁର କରିବି ନିପାତ ॥ ୧୪୦
ଆଉ କହିତେ ନାହିଁ ବେଳ । ମୋତେ ଘେନିଣ ବେଗେ ଚଳ ॥ ୧୪୧
ନନ୍ଦର ଘରେ ମୋତେ ଥୋଇ । କନ୍ୟାକୁ ଆଣ ପାଲଟାଇ ॥ ୧୪୨
ଶୁକ ଉବାଚ
ଏମନ୍ତ କହି ନରହରି । ନରବାଳୁତ ରୂପ ଧରି ॥ ୧୪୩
ଗୋବିନ୍ଦ ଆଜ୍ଞା ଘେନି ଶିରେ । କୋଳେ ଧଇଲା ଚକ୍ରଧରେ ॥ ୧୪୪
ଘେନିଣ ଦେବ ଚକ୍ରଧର । ଭୟେଣ ହୋଏ ଥରହର ॥ ୧୪୫
ଶ୍ରୀକୃଷ୍ଣ ଆଜ୍ଞା ପରମାଣେ । କବାଟ ଫିଟିଲା ତକ୍ଷଣେ ॥ ୧୪୬
ଫିଟିଲା ପୟର ଶାଙ୍କୋଳି । ପଥ କଢ଼ାଇଲା ବିଜୁଳି ॥ ୧୪୭
କୋଳରେ ଘେନି ନାରାୟଣ । ବାହାର ହୋଏ ତତ୍କ୍ଷଣ ॥ ୧୪୮
ନିଦ୍ରାରେ ମୋହିତ ସକଳ । ବୃଷ୍ଟି କରନ୍ତି ମେଘମାଳ ॥ ୧୪୯
ତିନ୍ତିବା ଦେଖି ଜଗନ୍ନାଥ । ଫଣା ଉହାଡ଼ିଲା ଅନନ୍ତ ॥ ୧୫୦
ଯାଆନ୍ତେ କୃଷ୍ଣଙ୍କୁ ଘେନିଣ । ପଥେ ଓଗାଳେ ଉଗ୍ରସେନ ॥ ୧୫୧
ବୋଲଇ କାହିଁର ରେ ଚୋର । ନିଶାରେ ହୋଇଛୁ ବାହାର ॥ ୧୫୨
କଂସର ଜାଣିନାହୁଁ ବାନା । ଦେବଙ୍କ ଗର୍ବ କଲା ଚୂନା ॥ ୧୫୩
ମୁହିଁ ତାହାର ରିପୁ ମିତ୍ର । ଦେଖି ବୁଲଇ ରାତ୍ରେ ପଥ ॥ ୧୫୪
ଆଜ ହାଣିବି ତୋର ଶିର । ବନ୍ଧନ କରି ନେବି ଚୋର ॥ ୧୫୫
ଶୁଣି କମ୍ପଇ ବସୁଦେବ । ବିପତ୍ତି ଦେଲୁ ହା ଦଇବ ॥ ୧୫୬
ହା କୃଷ୍ଣ ବୋଲିଣ ବିକଳ । ନୟନୁ ବହେ ଅଶ୍ରୁଜଳ ॥ ୧୫୭
ବୋଲଇ ଉଗ୍ରସେନେ ଚାହିଁ । ପୁତ୍ରକୁ ନେଉଅଛି ମୁହିଁ ॥ ୧୫୮
ବୋଲଇ ଉଗ୍ରସେନ ବୀର । କାଲି ମାରିବ କଂସାସୁର ॥ ୧୫୯
ଯେତେ ବାଳକ ତୋ'ର ଜାତ । ସବୁଙ୍କୁ କରଇ ସେ ହତ ॥ ୧୬୦
ମୁଁ କେହ୍ନେ ଛାଡ଼ିଦେବି ପଥ । ଶୁଣିଲେ କୋପିବ ଦଇତ୍ୟ ॥ ୧୬୧
ଶୁଣି ଆରତ ବସୁଦେବ । ବିକଳେ ଚିନ୍ତଇ ମାଧବ ॥ ୧୬୨
କମ୍ପଇ ବସୁଦେବ କାୟେ । ବଚନ ନ କହଇ ଭୟେ ॥ ୧୬୩
ପିଅର ବିକଳ ଦେଖିଣ । ବୋଲନ୍ତି ପ୍ରଭୁ ନାରାୟଣ ॥ ୧୬୪
ଶୁଣ ହୋ ବୀର ଉଗ୍ରସେନ । ଆମ୍ଭେ ସେ ଦେବ ଭଗବାନ ॥ ୧୬୫
ଜନମ ହୋଇ ବନ୍ଦୀଘରେ । ଦେବକୀ ଦେବୀଙ୍କ ଉଦରେ ॥ ୧୬୬
ଏବେ ଯାଉଛୁ ଗୋପପୁର । ଏ କଥା ପ୍ରଘଟ ନ କର ॥ ୧୬୭
ଭାରା ଯେ ନ ସହଇ ମହୀ । ଉଶ୍ୱାସ କରିବଇଁ ମୁହିଁ ॥ ୧୬୮
ଶୁଣି ବୋଲଇ ଉଗ୍ରସେନ । ତୁ ଯେବେ ଦେବ ଭଗବାନ ॥ ୧୬୯
ଦେଖାଅ ଶଙ୍ଖଚକ୍ର ଚିହ୍ନ । ସଂପ୍ରତେ ଯିବ ମୋର ମନ ॥ ୧୭୦
ବେଦ ବଚନେ ଦେବମାନେ । କହନ୍ତି ଶାହାସ୍ର ପୁରାଣେ ॥ ୧୭୧
ତୋହର ଚତୁର୍ଭୁଜ କର । ଦେଖାଅ ନିଜରୂପ ତୋ'ର ॥ ୧୭୨
ଭୃତ୍ୟର ତୋଷେ ଭାବଗ୍ରାହୀ । ଶଙ୍ଖଚକ୍ର ଚିହ୍ନ ଦେଖାଇ ॥ ୧୭୩
ଦେଖି ସାନନ୍ଦ ଉଗ୍ରସେନ । ଖଡଗ ପକାଇ ବହନ ॥ ୧୭୪
ବୋଲଇ ନିସ୍ତରିଲି ମୁହିଁ । ତୋ'ର ଶ୍ରୀମୁଖକୁ ଅନାଇଁ ॥ ୧୭୫
ଗୋପକୁ ଯିବ କିସ ଅର୍ଥେ । ମଥୁରା ନରହିଲ ଏଥେ ॥ ୧୭୬
ବୋଲନ୍ତି ଭକତବତ୍ସଳ । ଗୋକୁଳେ ସେବକ ମୋହର ॥ ୧୭୭
ଗୋପୀ ଅଛନ୍ତି ଷୋଳସସ୍ର । ସେ ଆମ୍ଭ ନିଜ ପ୍ରାଣ ଗାତ୍ର ॥ ୧୭୮
ଅଷ୍ଟମ ବରଷ ସଂପୂର୍ଣ୍ଣ । କଂସକୁ କରିବୁ ନିଧନ ॥ ୧୭୯
ତୋତେ ଦେବଇଁ ଅଇଶ୍ୱର୍ଯ୍ୟ । ଚିନ୍ତା ନ କର ଭୋଜରାଜ ॥ ୧୮୦
ଶୁଣି ସାନନ୍ଦ ଉଗ୍ରସେନ । ଚରଣେ କଲାକ ପ୍ରଣାମ ॥ ୧୮୧
ମୁଁ ତୋ'ର ଦାସର ସେବକ । ତେଣୁ ଦେଖିଲି ତୋ' ଶ୍ରୀମୁଖ ॥ ୧୮୨
ଅନେକମତେ ସ୍ତୁତି କରି । ପୁଣି ଚରଣ ତଳେ ପଡ଼ି ॥ ୧୮୩
ଶ୍ରୀମୁଖେ ତା'କୁ ଆଜ୍ଞା ଦେଲେ । ନୃପତି ହୋଇବୁ ବୋଇଲେ ॥ ୧୮୪
ସନ୍ତୋଷ ହୋଇ ନରହରି । ଉଗ୍ରସେନକୁ ଦେଲେ ଶାଢ଼ୀ ॥ ୧୮୫
ଦେଇ ବୋଲନ୍ତି ଦେବରାଜ । ଆଜହୁଁ ମଥୁରାରେ ରାଜ ॥ ୧୮୬
ଉଗ୍ରସେନକୁ ପୁଷ୍ଠମାଳୀ । ହରଷେ କୃଷ୍ଣ ଦେଲେ ତୋଳି ॥ ୧୮୭
ପାଟେ ବାନ୍ଧିଲା ଉଗ୍ରସେନ । ବୋଲଇ ଯାଅ ଭଗବାନ ॥ ୧୮୮
ଆନନ୍ଦେ ପଥ ଛାଡ଼ିଦେଇ । ବୋଲଇ ନିସ୍ତରିଲି ମୁହିଁ ॥ ୧୮୯
ତହୁଁ ଚଳିଲେ ଚକ୍ରଧାରୀ । ପାଛୋଟି ଯାଏ ଦଣ୍ତଧାରୀ ॥ ୧୯୦
ଏମନ୍ତେ କିଛି ଦୂର ଗଲା । ଆଜ୍ଞା ପାଇଣ ବାହୁଡ଼ିଲା ॥ ୧୯୧
ହରଷ ଚିତ୍ତେ ବସୁଦେବ । ହୃଦେ ଚିନ୍ତଇ ପଦ୍ମନାଭ ॥ ୧୯୨
ନଦୀର ତୀରେ ଯାଇ ମିଳି । ଦେଖିଲା ଯମୁନା ଉଚ୍ଛୁଳି ॥ ୧୯୩
ଯମର ବହେଣୀ ଯୁକତ । ଗଭୀର କେ କରିବ ଅନ୍ତ ॥ ୧୯୪
ବହଇ ଅତି ଖରତର । ଫେନ-ସ୍ରୋତରେ ଭୟଙ୍କର ॥ ୧୯୫
ନଦୀରେ ପଶିଲା ବହନ । କାତରେ ଅତି ଭୟମନ ॥ ୧୯୬
ନାସାରେ ପଶନ୍ତେଣ ପାଣି । ଶିରେ ବସାଇ ଚକ୍ରପାଣି ॥ ୧୯୭
ବୁଡ଼ିଣ ଯା'ନ୍ତେ ବସୁଦେବ । ହୃଦେ ଚିନ୍ତଇ ବାସୁଦେବ ॥ ୧୯୮
ହରି ସୁମରେ ଯହୁଁ ଖରେ । ଯମୁନା ଜାଣିଲା ନିର୍ଭରେ ॥ ୧୯୯
ମୋହର ସୌଭାଗ୍ୟ ହୋଇଲା । ମାଧବ ଏଥେ ବିହରିଲା ॥ ୨୦୦
ପୂର୍ବେ ମୋ' ଯେତେ ପାପ ଥିଲା । ଶ୍ରୀକୃଷ୍ଣ ଦର୍ଶନେ ଛାଡ଼ିଲା ॥ ୨୦୧
ନାନା ସ୍ତୁତିରେ ପାଦବନ୍ଦି । କୃତାର୍ଥ ହୋଇଲା କାଳିନ୍ଦୀ ॥ ୨୦୨
ତକ୍ଷଣେ ଜଳ ଛାଡ଼ିଗଲା । ଗୋଡ଼ ଝୁଣ୍ଟିଆଣି ହୋଇଲା ॥ ୨୦୩
ହରିଙ୍କି ଦେଖି ଭୟ କଲା । ବାଲିବନ୍ତରେ ବାଟ ଦେଲା ॥ ୨୦୪
ଚଳିଲେ ନଦୀ ପାର ହୋଇ । କୃଷ୍ଣଙ୍କୁ ହୃଦରେ ଲଗାଇ ॥ ୨୦୫
ମିଳିଲେ ଯାଇ ଗୋପପୁରେ । ସଭୟେ ନନ୍ଦର ମନ୍ଦିରେ ॥ ୨୦୬
ନିଦ୍ରା ମୋହିତ ସର୍ବଜନ । ଭୟେ ଚାହଁଇ ଛନଛନ ॥ ୨୦୭
ପ୍ରସବ କରି ନନ୍ଦରାଣୀ । ଅଚେତେ ଶୟନ ଧରଣୀ ॥ ୨୦୮
ଅମ୍ବିକା ହୋଇଛନ୍ତି ଜାତ । ଜଗତ ନିଦ୍ରାରେ ମୋହିତ ॥ ୨୦୯
ଯଶୋଦା କୋଳେ କୃଷ୍ଣ ଥୋଇ । କନ୍ୟା ଆଣିଲା ପାଲଟାଇ ॥ ୨୧୦
ମିଳିଲା ଦେବକୀ ନିକଟ । ତକ୍ଷଣେ ପଡ଼ିଲା କବାଟ ॥ ୨୧୧
ଲାଗିଲା ଚରଣେ ଶାଙ୍କୋଳି । ଦୁହିତା ଛାଡ଼ିଲା ବୋବାଳି ॥ ୨୧୨
ହରି ଚରିତ ସୁଧାବାଣୀ । ଶୁଣି ନିର୍ମଳ ହୁଅ ପ୍ରାଣୀ ॥ ୨୧୩
ଶ୍ରୀକୃଷ୍ଣ ଜନ୍ମ ରସଭର । ଶୁଣି ସଂସାରୁ ହୁଅ ପାର ॥ ୨୧୪
ପରୀକ୍ଷେ କହେ ଶୁକମୁନି । ପୁରାଣ ରସଗୀତ ବାଣୀ ॥ ୨୧୫
ହରିଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥ ୨୧୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କୃଷ୍ଣଜନ୍ମନି ଚତୁର୍ଥୋଽଧ୍ୟାୟଃ ॥
* * *