ଦଶମ ସ୍କନ୍ଧ

ତୃତୀୟ ଅଧ୍ୟାୟ

ଶୁକ ଉବାଚ

ଶୁକ ବୋଲନ୍ତି ଶୁଣ ରାୟ । କଂସ ପାଇଲା ମହାଭୟ ॥

ଦୂତ ପେଷିଲା ଚାରିଦିଗେ । ବିଶ୍ୱାସୀ ଦାନବଙ୍କ ସଙ୍ଗେ ॥

କଂସର ଯେତେ ମିତ୍ରଗଣ । ଆସି ମିଳିଲେ ଜଣେ ଜଣ ॥

ଚାଣୁର ତୃଣାବର୍ତ୍ତ ବୀର । ମୁଷ୍ଟିକ ଅଘା ଷଣ୍ଢାସୁର ॥

ଦ୍ୱିବିନ୍ଦ ନାମେଣ ବାନର । ପ୍ରଳମ୍ବା ବକା ବତ୍ସାସୁର ॥

ପୂତନା ନାମେଣ ରାକ୍ଷସୀ । ଆଗେ ମିଳିଲା ବୀରକେଶୀ ॥

ବାଣା ନାରକା ଜରାସନ୍ଧ । ସ୍ୱଭାବେ ଅଟନ୍ତି ଏ ମନ୍ଦ ॥

ଏମନ୍ତେ କହିବଇଁ କେତେ । କଂସର ମିତ୍ର ଛନ୍ତି ଯେତେ ॥

ଏହାଙ୍କୁ ବସାଇ ଆସନେ । କଂସ କହଇ ଖେଦ ମନେ ॥

ଶୁଣ ସକଳ ବୀରମଣି । ମୋହର କର୍ମଫଳ ବାଣୀ ॥ ୧୦

ନାରଦ କହିଗଲେ ମୋତେ । ଯଦୁଙ୍କୁ ନ ଯିବୁ ପରତେ ॥ ୧୧

ଯଦୁଙ୍କ ହାତେ ମୋ' ମରଣ । ଏ କଥା ଅଟଇ ପ୍ରମାଣ ॥ ୧୨

ଏମନ୍ତ କହିଗଲେ ମୁନି । ବ୍ରହ୍ମାକୁମର ମହାଜ୍ଞାନୀ ॥ ୧୩

ତୁମ୍ଭେ ଯେ ମୋହର ବିଶ୍ୱାସ । ଯଦୁଙ୍କୁ ବେଗେ କର ନାଶ ॥ ୧୪

ଶୁଣି ଅସୁରେ ପରଜ୍ୱଳି । ଯେସନେ ସମୁଦ୍ର ଉଚ୍ଛୁଳି ॥ ୧୫

ଯଦୁଙ୍କୁ ଦେଲେ କଷ୍ଟମାନ । ଯହୁଁ ରଖିବେ ଭଗବାନ ॥ ୧୬

ଯାଦବେ ଅସୁରଙ୍କ ଡରେ । ପଳାଇଗଲେ ଦେଶାନ୍ତରେ ॥ ୧୭

କେ କୁରୁ ନଗରେ ପଶିଲେ । ପାଞ୍ଚାଳ ଦେଶେ କେ ଲୁଚିଲେ ॥ ୧୮

ବିଦେହ ନିଷଧ କୋଶଳେ । ପଶିଲେ ଜୀବନ ବିକଳେ ॥ ୧୯

ଯେ ଅବା ଯାଇ ନ ପାରିଲେ । କଂସର ଶରଣ ପଶିଲେ ॥ ୨୦

କେହୁ ସେବକ ପଣେ ଦାସ । କାହାକୁ ଦେଲା ଲୌହପାଶ ॥ ୨୧

ଏମନ୍ତେ ବରଷେ ପୂରିଲା । ପୁଣି ଦେବକୀ ପ୍ରସବିଲା ॥ ୨୨

ପ୍ରହରୀ ଜଣାଇଲା ଯାଇ । ଶୁଣି ଧାଇଁଲା ରୋଷ ବହି ॥ ୨୩

ଦେବକୀ ନିକଟେ ମିଳିଲା । କୋଳୁ ବାଳକ ଉଛୁଡ଼ିଲା ॥ ୨୪

ବେନିଚରଣ ଧରି କରେ । ବୁଲାଇ ପିଟିଲା ଶିଳାରେ ॥ ୨୫

ଏମନ୍ତେ ବରଷେ ବରଷ । ଛ'ପୁତ୍ର କଲା କଂସ ନାଶ ॥ ୨୬

ଦେଖିଣ ଦେବକୀ ବିକଳ । ଦୟାସାଗର ଆଦିମୂଳ ॥ ୨୭

ଅନନ୍ତ ରୂପ ଧରି ହରି । ଦେବକୀ ଗର୍ଭେ ବିଜେ କରି ॥ ୨୮

ଏ ରୂପେ ଅନନ୍ତ ପ୍ରକାଶ । ଗର୍ଭେ ହୋଇଲେ ଅଷ୍ଟମାସ ॥ ୨୯

ଦେବକୀ ନିଜ ଦେହ ଚାହିଁ । ବିକଳେ ନିଶ୍ୱାସ ଛାଡ଼ଇ ॥ ୩୦

କେତେ ପାତକ କଲି ପୂର୍ବେ । ପୁଣି ହୋଇଲା ଆସି ଗର୍ଭେ ॥ ୩୧

କେତେ ସହିବି ଗର୍ଭକଷ୍ଟ । ବିଧାତା କଲା ମୋତେ ହଟ ॥ ୩୨

ଗର୍ଭେ ଧରଇ ଦଶମାସ । କୋଳ ଧରିତେ ନାହିଁ ଆଶ ॥ ୩୩

ଏମନ୍ତ ବିଚାରି ବିକଳ । ନୟନୁ ବହେ ଅଶ୍ରୁଜଳ ॥ ୩୪

ଦାସବ›ତ୍ସଳ ଭଗବାନ । ଜାଣିଲେ ଦେବକୀର ମନ ॥ ୩୫

ଦୁର୍ଗାଙ୍କୁ ନିକଟେ ବସାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୩୬

ଅମ୍ବିକା ଶୁଣ ମୋ' ଉତ୍ତର । ବହନ ଯାଅ ମଞ୍ଚପୁର ॥ ୩୭

ମଥୁରା-କଂସ-ବନ୍ଦୀ-ଘରେ । ମିଳିବୁ ପ୍ରଥମ ପ୍ରହରେ ॥ ୩୮

ବନ୍ଦୀ କରିଛି କଂସରାୟେ । ଏକ ଶାଙ୍କୋଳି ବେନିପାୟେ ॥ ୩୯

ବସୁଦେବଙ୍କୁ ଯେତେବେଳେ । ଧରି ଆଣିଲା କଂସ ବଳେ ॥ ୪୦

ତାହାର ପତ୍ନୀ ନନ୍ଦଘରେ । ଯାଇ ଲୁଚିଲା କଂସଡ଼ରେ ॥ ୪୧

ରୋହିଣୀ ନାମ ବିଦ୍ୟମାନ । ତାହାର ଗର୍ଭ ଅଛି ଶୂନ୍ୟ ॥ ୪୨

ଦେବକୀ ଦେବୀ ନିଦ୍ରାକାଳେ । ଗର୍ଭ ହରିବୁ ଯୋଗବଳେ ॥ ୪୩

ମିଳିବୁ ନନ୍ଦ ଘରେ ଯାଇ । ରୋହିଣୀ-ଗର୍ଭେ ତାହା ଥୋଇ ॥ ୪୪

ଜନ୍ମିବୁ ଯଶୋଦା ଉଦରେ । ମୁଁ ପୁଣି ଯିବି ମଞ୍ଚପୁରେ ॥ ୪୫

ଦେବକୀ ଗର୍ଭେ ହେବି ଜାତ । ମୋତେ ଘେନିଣ ଯିବେ ତାତ ॥ ୪୬

ତୋତେ ଆଣିବେ ମୋତେ ଥୋଇ । ଏ କଥା ନ ଜାଣିବେ କେହି ॥ ୪୭

ଏମନ୍ତ କଂସର ମରଣ । ହସି କହନ୍ତି ନାରାୟଣ ॥ ୪୮

ମଞ୍ଚେ ହୋଇବୁ ତୁ ଯେ ଜାତ । ଜଗତେ ହୋଇବୁ ବିଖ୍ୟାତ ॥ ୪୯

ଲୋକେ କରିବେ ତୋତେପୂଜା । ଅନେକ ଦେବେ ବଳିଭୋଜା ॥ ୫୦

ଭକତେ ହୋଇବୁ ପ୍ରସନ୍ନ । ଅନେକ ହେବ ତୋର ନାମ ॥ ୫୧

ଜୟା ବିଜୟା ଭଦ୍ରକାଳୀ । ମଙ୍ଗଳା ଚଣ୍ତିକା କଙ୍କାଳୀ ॥ ୫୨

କନ୍ୟକା କୃଷ୍ଣା ଯେ ମାଧବୀ । ଈଶାନୀ ଶାରଦା ବୈଷ୍ଣବୀ ॥ ୫୩

ଦୁର୍ଗା ଅମ୍ବିକା ନାରାୟଣୀ । ଏକୁ ଅନେକ ନମ ଭଣି ॥ ୫୪

ଗ୍ରାମ ଗ୍ରାମକେ କରି ସ୍ଥାନ । ପୂଜନ୍ତେ ହୋଇବୁ ପ୍ରସନ୍ନ ॥ ୫୫

ଅନେକ ନାମ ତୋ' ଜଗତେ । ଅନ୍ତ ମୁଁ କରିବଇଁ କେତେ ॥ ୫୬

ପୂଜା କରିବେ ସର୍ବସ୍ଥାନେ । ରାଜା ପରଜା ଭକ୍ତମାନେ ॥ ୫୭

ସ୍ତୁତି ପଠନ ମନ୍ତ୍ର ଧ୍ୟାନ । ଷୋଡ଼ଶ ଉପଚାର ମାନ ॥ ୫୮

ଶୁଣ ବଚନ ଆଦିମାତା । ଫେଡ଼ ଦେବକୀ ମନଚିନ୍ତା ॥ ୫୯

ଦେବକୀ ଗର୍ଭୁ ତା' ଆଣିବୁ । ରୋହିଣୀ ଗର୍ଭରେ ଥୋଇବୁ ॥ ୬୦

ତାହାଙ୍କ ନାମ ସଙ୍କର୍ଷଣ । ଲୋକରେ ହୋଇବେ ପ୍ରମାଣ ॥ ୬୧

ନାମ ହୋଇବ ବଳରାମ । ବଳେ ନୋହିବେ କେହି ସମ ॥ ୬୨

ଶୁଣି ଆନନ୍ଦମନା ହୋଇ । ମଞ୍ଚେ ଚଳିଲେ ମହାମାୟୀ ॥ ୬୩

ହରି ଆଦେଶ ଘେନି ଶିରେ । ମିଳିଲେ ମଥୁରା ନଗରେ ॥ ୬୪

କଂସରାଜାର ବନ୍ଦୀଘରେ । ମିଳିଲେ ପ୍ରଥମ ପ୍ରହରେ ॥ ୬୫

ରାତ୍ରେ ଦେବକୀ ନିଦ୍ରାକାଳେ । ଗର୍ଭ ହରିଲେ ଯୋଗବଳେ ॥ ୬୬

ଅନନ୍ତ ଘେନି ମାୟାଦମ୍ଭେ । ଥୋଇଲେ ରୋହିଣୀର ଗର୍ଭେ ॥ ୬୭

ଗର୍ଭ ସଂଯୋଗ ଦେବୀ କରି । ଦିନକୁ ଦିନ ଗର୍ଭ ଭାରି ॥ ୬୮

ସିଂହ ପୌର୍ଣ୍ଣମୀ ଦିନ ସାର । ରୋହିଣୀ ପ୍ରସବେ କୁମର ॥ ୬୯

ଧବଳ ଜ୍ୟୋତି ରୂପ ପୁଣି । ଶିରେ ଶୋହଇ ସପ୍ତଫଣୀ ॥ ୭୦

ଅପୁଆ ଘରେ ପୁଅ ଜାତ । ଆନନ୍ଦ ହୋଏ ନନ୍ଦ ଚିତ୍ତ ॥ ୭୧

ମୋହର ଘରେ ପୁତ୍ର ନାହିଁ । ଏ ମୋତେ କାରଣ ଅଟଇ ॥ ୭୨

ଯାହା ସେ ଦଇବ ନିର୍ମିତ । ଦୁର୍ଗା ହୋଇଲେ ଗର୍ଭଗତ ॥ ୭୩

ମିଳିଲେ ନନ୍ଦଘରେ ଯାଇ । କୃଷ୍ଣ ଜନ୍ମିବା ବାଟ ଚାହିଁ ॥ ୭୪

ଦେବକୀ ଗର୍ଭ ଯହୁଁ ଗଲା । ଲୋକେ ବୋଇଲେ ଭଲହେଲା ॥ ୭୫

ଭଲଟି ଗଲେ ନାରାୟଣ । ଦେବକୀ ନ ପାଉ କଷଣ ॥ ୭୬

ଥୋକେ ବୋଇଲେ ଭଲ ହେଲା । କଂସର ଡରେ ପଳାଇଲା ॥ ୭୭

ପୋଡୁ ଏ ଦେବକୀ ଭିଆଣ । କେ ବୋଲେ କର୍ଣ୍ଣେ ତା'ନ ଶୁଣ ॥ ୭୮

ଏଡ଼େ ମଡ଼ିଛୀ ଅଛି କାହିଁ । କେ ବୋଲେ ମୁଖ ତା'ନ ଚାହିଁ ॥ ୭୯

କାନ୍ଦି କେ ହୁଅନ୍ତି ବିକଳ । କେ ବୋଲେ ରଖ ଆଦିମୂଳ ॥ ୮୦

ଦେବକୀ ମନର କଷଣ । ଜାଣିଲେ ପ୍ରଭୁ ନାରାୟଣ ॥ ୮୧

ତେଜିଲେ ଜଳଧି ଶୟନ । ମଥୁରା ମିଳିଲେ ବହନ ॥ ୮୨

ବସୁଦେବର ଦେହେ ଯାଇ । ପଶିଲେ ଜ୍ୟୋତିରୂପ ହୋଇ ॥ ୮୩

ବିଷ୍ଣୁର ତେଜ ପରଚଣ୍ତŠ । ଯେହ୍ନେ ଉଦିତ ମାରତଣ୍ତŠ ॥ ୮୪

ଅମରଗୁରୁ ଲଗ୍ନ ବେଳେ । କାନ୍ତ କାମିନୀ ଏକମେଳେ ॥ ୮୫

ଜଗତ ମଙ୍ଗଳ ପୁରୁଷ । ଦେବକୀ ଉଦରେ ପ୍ରବେଶ ॥ ୮୬

ଉଦୟ କାଳେ ଯେହ୍ନେ ଶଶୀ । ପୂର୍ବ ଦିଗରୁ ପରକାଶି ॥ ୮୭

କୃଷ୍ଣଙ୍କୁ ଧରିଣ ଉଦର । ଦେବକୀ ଦିଶିଲା ସୁନ୍ଦର ॥ ୮୮

ଅନ୍ଧାର ବନ୍ଦୀଘରେ ତେଜ । ଯେହ୍ନେ ଉଦିତ ଗ୍ରହରାଜ ॥ ୮୯

ଦେବକୀ ଗର୍ଭବାସ କଥା । ଶୁଣି ପାଇଲା କଂସ ବ୍ୟଥା ॥ ୯୦

ଭୟେ ଚକିତ ମନେ ଛନ୍ନ । ମିଳିଲା ଦେବକୀ ଭୁବନ ॥ ୯୧

ସାତ କବାଟ ଫେଡ଼ାଇଲା । ଅନ୍ଧାର ଘରକୁ ଚାହିଁଲା ॥ ୯୨

ଉଦୟ ହୋଇ ଦିନକର । ଯେହ୍ନେ ନାଶଇ ତମ ଘୋର ॥ ୯୩

ଦେଖି ଚକିତ କଂସ ମନେ । ଭାଳି ବୋଲଇ ଭୟଛନ୍ନେ ॥ ୯୪

ନିଶ୍ଚୟେ ହୋଇଲା ମରଣ । ଏ ତ ଅନାଦି ନାରାୟଣ ॥ ୯୫

ଗର୍ଭେ ବିଜୟେ ବ୍ରହ୍ମରାଶି । ଏ ମୋର କାଳ ଦŠଣ୍ତଫାଶି ॥ ୯୬

ଜୀବନ ନାଶିବ ମୋହର । ଦେବକୀ ବଡ଼ଇ ସୁନ୍ଦର ॥ ୯୭

ଏ ଯେତେ ଗର୍ଭ ପ୍ରସବିଲା । ଏମନ୍ତ ବେଳେ ନ ଦିଶିଲା ॥ ୯୮

କି ବୁଦ୍ଧି କରିବଇଁ ଆଜ । ମାରିଣ ଲଭିବଇଁ କାର୍ଯ୍ୟ ॥ ୯୯

ଏସନ ମନେ ବିଚାରଇ । ମୁନି ତ ଯାଇଛନ୍ତି କହି ॥ ୧୦୦

ଯାହା କହିଲେ ବ୍ରହ୍ମସୁତ । ସେ କଥା ନୋହଇ ବିଅର୍ଥ ॥ ୧୦୧

ଯାଦବେ ମୋହର ବଇରୀ । ମୋର ମରଣ ହେତୁ କରି ॥ ୧୦୨

ଦେବକୀ ବସୁଦେବ ଆଦି । ଏ ମୋର ଅଟନ୍ତି ବିବାଦୀ ॥ ୧୦୩

ଭିଣୋଇ ଗୁଣ କର୍ମମାନ । ଯୁବତୀ କଲା ଭିନ୍ନ ଭିନ୍ନ ॥ ୧୦୪

ଆତ୍ମବହେଣୀ ମୋର ଶଲ । ମୋହରେ ନ ଇଚ୍ଛଇ ଭଲ ॥ ୧୦୫

ସପ୍ତମଗର୍ଭ କେଣେ ନେଲା । ବୋଇଲା ଗର୍ଭ ଉଭେଇଲା ॥ ୧୦୬

ଏ ଯେ ମୋହର ଅପରାଧୀ । କିସ କରିବି ଏବେ ବୁଦ୍ଧି ॥ ୧୦୭

ହସ୍ତରେ ଅଛି ମୋ' ଉପାୟ । ଛାଡ଼ିଲେ ନ ପାଇବି କାୟ ॥ ୧୦୮

ଦେବକୀ ପକାଇବି ମାରି । ଗର୍ଭ ନାଶିବି ପେଟ ଚିରି ॥ ୧୦୯

ପୁଣି ବିଚାରୁଅଛି ମନେ । ଏ କର୍ମ କରିବି କେସନେ ॥ ୧୧୦

ଜୀବନ ପାଇଁ ଏଡ଼େ ପାପ । କରି ପାଇବି ମନେ ତାପ ॥ ୧୧୧

ଉଭୟ ଲୋକେ ସୁଖ ନାହିଁ । ନରକେ ପଡ଼ିବି ମୁଁ ଯାଇ ॥ ୧୧୨

ପାପର ମଧ୍ୟେ ପରମାଦ । ସ୍ତିରୀ ଗର୍ଭିଣୀ ଶିଶୁବଧ ॥ ୧୧୩

ଏ ତିନି କର୍ମ ଯେ କରନ୍ତି । ଜୀବନ ଥାଉଁ ସେ ମରନ୍ତି ॥ ୧୧୪

ତାହାର ମରିବାର କାଳେ । ନିନ୍ଦିତ ବୋଲନ୍ତି ସକଳେ ॥ ୧୧୫

ଇହଲୋକରେ ଅପଯଶ । ମରଣେ ନରକେ ପ୍ରବେଶ ॥ ୧୧୬

ଏମନ୍ତ ମନେ ବିଚାରିଲା । ଖଡ଼ଗ ଘେନି ବାହୁଡ଼ିଲା ॥ ୧୧୭

ମିଳିଲା ନିଜପୁରେ ଯାଇ । ଭାଳଇ ଚଉଦିଗ ଚାହିଁ ॥ ୧୧୮

ହରିଙ୍କି କଲା ମହାଭୟ । କ୍ଷଣ କ୍ଷଣକେ କମ୍ପେ କାୟ ॥ ୧୧୯

ଆସନ ଶୟନ ଭୋଜନେ । ସ୍ନାନ ବିହାର ଜଳପାନେ ॥ ୧୨୦

ଗୋଡ଼ାଇଛନ୍ତି ଯେହ୍ନେ ହରି । କମ୍ପଇ ମହାଭୟ କରି ॥ ୧୨୧

ବୃକ୍ଷ କାନନ ନଦୀ ଗିରି । ସକଳ ମଣେ ନରହରି ॥ ୧୨୨

ଏମନ୍ତେ ରଜନୀ ହୋଇଲା । ଘୋର ତିମିର ପ୍ରକାଶିଲା ॥ ୧୨୩

ବ୍ରହ୍ମାଶଙ୍କର ଇନ୍ଦ୍ର ତୁଲେ । ତେତିଶ କୋଟି ଦେବବଳେ ॥ ୧୨୪

ମିଳିଲେ ମଥୁରା ନବରେ । ଦେବକୀ ଦେବୀ ବନ୍ଦୀଘରେ ॥ ୧୨୫

ପ୍ରଣାମ କଲେ ଜଣେ ଜଣେ । ଶ୍ରୀକୃଷ୍ଣ ଜନନୀ ଚରଣେ ॥ ୧୨୬

ଗର୍ଭକୁ ଚାହିଁ ଗଙ୍ଗାଧର । ସ୍ତୁତି କରନ୍ତି ବେଦବର ॥ ୧୨୭

ବାସବ ଆଦି ଦିଗପତି । ଯେ ଯାହା ମତେକଲେ ସ୍ତୁତି ॥ ୧୨୮

ଜୟ ଗୋବିନ୍ଦ ଦାମୋଦର । ସତ୍ୟ ବଚନ ସ୍ୱାମୀ ତୋ'ର ॥ ୧୨୯

ଆବୋରି ଅଛୁ ତିନି ସତ୍ୟ । ସୃଷ୍ଟିର ଆଦି ମଧ୍ୟ ଅନ୍ତ ॥ ୧୩୦

ସତ୍ୟେ ବ୍ରହ୍ମାଙ୍କୁ କଲୁ ଜାତ । ସତ୍ୟ ସ୍ୱରୂପ ତୁ ଅଚ୍ୟୁତ ॥ ୧୩୧

ସତ୍ୟେ ତୁ ପାଳୁ ବସୁନ୍ଧରୀ । ତୋ'ର ଭିଆଣ ନରହରି ॥ ୧୩୨

ସତ୍ୟର ହେଉ ତୁହି ସତ୍ୟ । ସତ୍ୟ ବଚନ ସତ୍ୟନେତ୍ର ॥ ୧୩୩

ସତ୍ୟେ ତୋହର ଆତଯାତ । ଆମ୍ଭେ ଜାଣିଲୁ ତୋ'ର ସତ୍ୟ ॥ ୧୩୪

ତୋ'ର ଏ ସଞ୍ଚିଲା ଶୟଳ । ଦୁଷ୍ଟ ନିବାରି ସନ୍ଥ ପାଳ ॥ ୧୩୫

ଅସାଧୁ ମାରି ସତ୍ୟପାଳ । ତୋହର ଶରଣ ସକଳ ॥ ୧୩୬

ସଂସାର ମଧ୍ୟେ ଦେହବୃକ୍ଷେ । ଏଥେ ତୁ ମିଳିଲୁ ପ୍ରତ୍ୟକ୍ଷେ ॥ ୧୩୭

ବୃକ୍ଷର ଯେତେ ଗୁଣମାନ । ଶରୀରେ ତୋହର ଭିଆଣ ॥ ୧୩୮

ଏକଇ ବୃକ୍ଷ ବେନିଫଳ । ଚତୁର ରସ ତିନିମୂଳ ॥ ୧୩୯

ପଞ୍ଚ ଶିକଡ଼ ତଳେ ଗଣ୍ଠି । ଆତ୍ମା ଏହାର ଷଡ଼ଗୋଟି ॥ ୧୪୦

ସାତ ବକଳ ଦେହେ ଜଡ଼ି । ଅଷ୍ଟମ ଡାଳେ ଛନ୍ତି ବେଢ଼ି ॥ ୧୪୧

ଗଣ୍ଠି ସ୍ୱଭାବେ ନବନେତ୍ର । ବିସ୍ତାର ହୋଇ ଦଶପତ୍ର ॥ ୧୪୨

ଉପରେ ଛନ୍ତି ବେନି ପକ୍ଷୀ । ଏମନ୍ତ ବୃକ୍ଷ ଦେହେ ଲକ୍ଷି ॥ ୧୪୩

ମୁନି ବୋଲନ୍ତି ରାୟେ ଶୁଣ । ଦେହେ କହିବା ବୃକ୍ଷଗୁଣ ॥ ୧୪୪

ବୃକ୍ଷର ପ୍ରାୟେ ଦେହ ଏକ । ଫଳ ଯୋଡ଼ିଏ ଦୁଃଖସୁଖ ॥ ୧୪୫

ତାମସ ରଜ ସତ୍ତ୍ୱ ଗୁଣ । ଏହାର ମୂଳଟି ପ୍ରମାଣ ॥ ୧୪୬

ଧର୍ମ ସମ୍ପଦ କାମ ମୋକ୍ଷ । ଏ ଚାରି ରସଟି ପ୍ରତ୍ୟକ୍ଷ ॥ ୧୪୭

ଶବଦ ରୂପ ରସ ଗନ୍ଧ । ସ୍ପରଶ ପଞ୍ଚମୂଳ ଛନ୍ଦ ॥ ୧୪୮

ଜନ୍ମ ହୋଇଣ ଦେହ ବହି । ବାଳୁତ ରୂପେଣ ବଢ଼ଇ ॥ ୧୪୯

ତରୁଣ ବୃଦ୍ଧ କ୍ଷୟ ମୃତ୍ୟୁ । ଆତ୍ମବିକାର ଷଡ଼ ହେତୁ ॥ ୧୫୦

ଚର୍ମ ଶୋଣିତ ମାଂସ ମେଦ । ଅସ୍ଥି ମଜ୍ଜା ଯେ ଶୁକ୍ର ଛନ୍ଦ ॥ ୧୫୧

ସପତ ବକଳ ଏହାର । ମୁନି କହନ୍ତି ଜ୍ଞାନସାର ॥ ୧୫୨

ଭୂଜଳ ଅନଳ ସମୀର । ଖ ମନ ବୁଦ୍ଧି ଅହଙ୍କାର ॥ ୧୫୩

ଏ ଅଷ୍ଟଡାଳଟି ଏହାର । ନବମ ଛିଦ୍ର ନବଦ୍ୱାର ॥ ୧୫୪

ଦଶ ଇନ୍ଦ୍ରିୟ ପତ୍ର ଲେଖି । ଜୀବ ପରମ ବେନି ପକ୍ଷୀ ॥ ୧୫୫

ଏମନ୍ତ ବୃକ୍ଷ ରୂପ ବହି । ଭାରା ଉଶ୍ୱାସି ରଖ ମହୀ ॥ ୧୫୬

ଜଗତ ତୋର ତହୁଁ ଜାତ । ଲୟ ପାଳନ ଜଗନ୍ନାଥ ॥ ୧୫୭

ତୋର ମାୟାରେ ମୂର୍ଖ ଜନ । ଆତ୍ମାକୁ ଦେଖନ୍ତି ସେ ଭିନ୍ନ ॥ ୧୫୮

ଜ୍ଞାନୀଏ ଦେଖନ୍ତି ସେ ଏକ । ମାୟାରେ ଦିଶୁ ତୁ ଅନେକ ॥ ୧୫୯

ତୁ ଏ ସଂସାର ଦୁଃଖନାଶେ । ଶରୀର ବହୁ ନାନା ଅଂଶେ ॥ ୧୬୦

ସାଧୁଙ୍କୁ ଦିଶୁ ତୁ ନିର୍ମଳ । ଖଳଲୋଚନେ ଯେହ୍ନେ କାଳ ॥ ୧୬୧

ଯେ ତୋ'ର ପାଦେ ପଦ୍ମନାଭ । କରନ୍ତି ଆତ୍ମଜ୍ଞାନେ ଭାବ ॥ ୧୬୨

ତୋହର ନାମ ନାବ କରି । ହେଳେ ତରନ୍ତି ଭବବାରି ॥ ୧୬୩

ଭୋ ନାଥ କମଳଲୋଚନ । ମାୟାରେ ମୋହୁ ପ୍ରାଣୀ ମନ ॥ ୧୬୪

ଯେ ତୋ'ର ନାମ ନ ଭଜନ୍ତି । ମାୟାପଟଳେ ବଣା ହୋନ୍ତି ॥ ୧୬୫

ତୀର୍ଥସେବନ-ଦାନ-ତପେ । ତରିଲୁ ବୋଲୁଥା'ନ୍ତି ଆପେ ॥ ୧୬୬

କରନ୍ତି ସିଦ୍ଧଙ୍କ ଉପାୟେ । ଭେଦନ୍ତି ବ୍ରହ୍ମଲୋକ ଯାଏ ॥ ୧୬୭

ତୋ'ପାଦେ ନ କରି ଆଦର । ହୃଦେ ବହନ୍ତି ଅହଙ୍କାର ॥ ୧୬୮

ତହୁଁ ପଡ଼ନ୍ତି ଦେହ ଘେନି । ଜନ୍ମ ହୁଅନ୍ତି ନାନା ଯୋନି ॥ ୧୬୯

ଯେ ତୋ'ର ତହିଁ ମିତ୍ରପଣେ । ଚିତ୍ତ ଖଟାନ୍ତି ଅନୁକ୍ଷଣେ ॥ ୧୭୦

ନିର୍ଭୟେ ଭ୍ରମନ୍ତି ସଂସାରେ । ନୃତ୍ୟ କରନ୍ତି ଜମ ଶିରେ ॥ ୧୭୧

ସତ-ନିର୍ମଳ-ଗୁଣ ଧରୁ । ଭକ୍ତଙ୍କ ପାଇଁ ଅବତରୁ ॥ ୧୭୨

ତପ-ସମାଧି-ଯୋଗ-କ୍ରିୟା । ବେଦେ କହନ୍ତି ମୁନି ଯାହା ॥ ୧୭୩

ତୋ ଆରାଧନୁଁ ନାହିଁ ଆନ । ତୁ ପୂରିଅଛୁ ସ୍ଥଳ ଶୂନ୍ୟ ॥ ୧୭୪

ତୁ ଯେବେ ନୋହିବୁ ଜଗତେ । ଅଜ୍ଞାନ ନାଶିବୁ କେମନ୍ତେ ॥ ୧୭୫

ଯେ ତୋତେ ଯେମନ୍ତ ଚିନ୍ତଇ । ଗୁଣ ପ୍ରକାଶୁ ଦେହ ବହି ॥ ୧୭୬

ତୋହର ଗୁଣ-କର୍ମମାନ । ସଂଖ୍ୟା କେ କରୁ ଭଗବାନ ॥ ୧୭୭

ମନ-ବଚନେ ହେଁ ନ ଜାଣି । କେବଳ ବେଦେ ପରିମାଣି ॥ ୧୭୮

ଶ୍ରବଣେ ତୋ'ର ନାମ ଶୁଣି । ତୋ ରୂପ ହୃଦେ ପରିମାଣି ॥ ୧୭୯

ତୋ'ପାଦପୂଜାର ବିଧାନ । ଏଣେ ଯେ ହୋନ୍ତି ସାବଧାନ ॥ ୧୮୦

ଜନ୍ମ ମରଣ ତା'ଙ୍କ ନାହିଁ । ଏମନ୍ତ ପ୍ରଭୁ ଭାବଗ୍ରାହୀ ॥ ୧୮୧

ତୋହର ପାଦୁଁ ଜାତ ମହୀ । ତା' ଦୁଃଖ ନ ପାରିଲୁ ସହି ॥ ୧୮୨

ତୋହର ପାଦରଜ ଦେଇ । ଉଶ୍ୱାସ କର ନାଥ ମହୀ ॥ ୧୮୩

ସ୍ୱର୍ଗେ ପଶିବୁ ପଦ୍ମନାଭ । ତହିଁ ଦେଖିବୁ ତୋ'ର ଭାବ ॥ ୧୮୪

ଏ ତୋ'ର ଦେହବନ୍ତ ପଣ । ଏବେ ଜାଣିଲୁ ନାରାୟଣ ॥ ୧୮୫

ମନୁଷ୍ୟ ଲୀଳାର ଯେ ଭାବ । ଯା'ରୂପ ନ ଜାଣନ୍ତି ଦେବ ॥ ୧୮୬

ମ›ତ୍ସ୍ୟ କଚ୍ଛପ ନରସିଂହ । କୋଳ ବାମନ ହଂସ ହୟ ॥ ୧୮୭

ରାଜନ ଋଷିଦେବ ବଂଶେ । ଜନ୍ମ ତୁ ହେଉ ଯୋଗଅଂଶେ ॥ ୧୮୮

ତିନି-ଭୁବନେ ଦୁଃଖ ନାଶି । ଆମ୍ଭଙ୍କୁ ପାଳୁ ବ୍ରହ୍ମରାଶି ॥ ୧୮୯

ଅବନୀ ଭାରା ଏବେ ହର । ଭୋ ନାଥ ଶରଣ ତୋହର ॥ ୧୯୦

ଏମନ୍ତେ ପାହିଲା ରଜନୀ । ଦେବକୀ ମୁଖ ଚାହିଁ ଭଣି ॥ ୧୯୧

ତୋ'ର ଉଦରେ ଜଗନ୍ନାଥ । ଜଗତ ରଖିବେ ତୋ'ସୁତ ॥ ୧୯୨

ଶୁଦ୍ଧ ଚୈତନ୍ୟ ରୂପ ଘେନି । ପ୍ରକାଶ ହୋଇବେ ମେଦିନୀ ॥ ୧୯୩

କଂସର ଭୟ ଛାଡ଼ ଆଈ । ଯାହାର ନାମେ ଦୁଃଖ ନାହିଁ ॥ ୧୯୪

ଅରୁଣ ତେଜ ପ୍ରକାଶିଲା । ଦେବଙ୍କୁ ଉଚ୍ଚାଟ ଲାଗିଲା ॥ ୧୯୫

ବ୍ରହ୍ମାଶଙ୍କର ଆଗେ କରି । ଦେବେ ଚଳିଲେ ଯେଝାପୁରୀ ॥ ୧୯୬

ଶ୍ରୀହରି-ଚରଣେ ମୋ'ଚିତ୍ତ । ସୁଜନ ହିତେ କଲି ଗୀତ ॥ ୧୯୭

ଦଶମସ୍କନ୍ଧେ ହରିବାଣୀ । ଶୁଣି ନିର୍ମଳ ହୁଅ ପ୍ରାଣୀ ॥ ୧୯୮

ପୁରାଣ କଲି ଗୀତ ରସ । କହଇ ଜଗନ୍ନାଥ ଦାସ ॥ ୧୯୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଗର୍ଭଗତ ବିଷ୍ଣୋ ବ୍ରହ୍ମାଦି କୃତ ସ୍ତୁତିର୍ନାମ ତୃତୀୟୋଽଧ୍ୟାୟଃ

* * *