ଦଶମ ସ୍କନ୍ଧ
ଦ୍ୱିତୀୟ ଅଧ୍ୟାୟ
ଶୁକ ଉବାଚ
ବନ୍ଦଇ ନୃସିଂହ ଚରଣ । କହିବି ବିଷ୍ଣୁର ପୁରାଣ ॥ ୧
ଶୁକ ବୋଲନ୍ତି ଶୁଣ ରାୟେ । ମଞ୍ଚେ ଜନ୍ମିଲେ ଦେବତାୟେ ॥ ୨
ଭୋଜବଂଶରେ ଉତ୍ପନ୍ନ । ପ୍ରତାପୀ ରାଜା ଶୁରସେନ ॥ ୩
ପୂର୍ବେ ମଥୁରା ପୁରେ ଥିଲା । ଅନେକ ନୃପତି ଜିଣିଲା ॥ ୪
ତେଣୁ କଟକ ମଧୁ ପୁରୀ । ଯହିଁ ବିଜୟ ନରହରି ॥ ୫
ସେ ରାଜା ଗୋବିନ୍ଦ ଭକତ । ତାହାର ଉଗ୍ରସେନ୍ ସୁତ ॥ ୬
ଦେବକ ନାମେ ତା'ର ଭ୍ରାତ । ଦେବକୀ ତାହାର ଦୁହିତ ॥ ୭
ରୂପେ କମଳା ନୋହେ ସରି । ସେ କନ୍ୟା ବସୁଦେବ ବରି ॥ ୮
ମାୟା ଭିଆଣ ପଦ୍ମନାଭ । କରନ୍ତି ବିବାହ ଉବ ॥ ୯
ବିଭା କରାଇ କନ୍ୟାବର । ଯାବତ ମଙ୍ଗଳ ବେଭାର ॥ ୧୦
ଜନବେଭାରେ ସେ ଦେବକ । ଅନେକ ଦେଲା ଯଉତୁକ ॥ ୧୧
ଚତୁରଶତ ହସ୍ତୀ ଦେଲା । କଣ୍ଠେ ଲମ୍ବାଇ ରତ୍ନମାଳା ॥ ୧୨
ଅଠରଶତ ରଥ ଯୁତେ । ଅଶ୍ୱ ସେ ଦେଲା ସେହି ମତେ ॥ ୧୩
ବେନି ଶତେକ ପରିବାରୀ । ଦେଲା ସେ ଅଳଙ୍କାର ଭରି ॥ ୧୪
ବାଜଇ ଭେରୀ ତୁରୀ ବାଦ୍ୟ । କେ କହୁ ବିଭାର ଆନନ୍ଦ ॥ ୧୫
ରଥେ ବସାଇ କନ୍ୟାବର । ନବରୁ ହୋଇଲେ ବାହାର ॥ ୧୬
କୁସୁମ ବରଷନ୍ତି ଘେନି । ମଙ୍ଗଳ କଲେ ଦେବ ଧ୍ୱନୀ ॥ ୧୭
ଉଗ୍ରସେନର କଂସ ସୂତ । ଦେଖିଣ ହୋଇଲା ଉଷତ ॥ ୧୮
ଯାହାର ନାମେ ଦେବେ ଡ଼ରି । ଚାଲନ୍ତି କମ୍ପେ ବସୁନ୍ଧରୀ ॥ ୧୯
ଶୁଦ୍ଧସୁବର୍ଣ୍ଣ ରଥେ ବସି । ରାଜାଏ କଂସକୁ ପ୍ରଶଂସି ॥ ୨୦
ଭଗିନୀ ପ୍ରିୟ ବନ୍ଧୁପଣେ । ରଥରେ ବସିଲା ଆପଣେ ॥ ୨୧
ଅଶ୍ୱ ଦଉଡ଼ି ଧରିକରେ । ରଥ ବାହିଲା ଧୀରେ ଧୀରେ ॥ ୨୨
ଥୋକାଏ ଦୂର ରଥଗଲା । ଆକାଶୁ ଶବଦ ଶୁଭିଲା ॥ ୨୩
ତା' ଶୁଣି ଚାହିଁଲା ଗଗନେ । ଶବଦ ଶୁଭୁଅଛି ଶୂନ୍ୟେ ॥ ୨୪
ରେ ରେ ଅସୁର କଂସ ଶୁଣ । ନଜାଣୁ ଆପଣା ମରଣ ॥ ୨୫
ଯାହାର ବାହୁ ଅଛୁ ରଥ । ତୋତେ ମାରିବେ ତା'ର ସୁତ ॥ ୨୬
ଅଷ୍ଟମ ଗର୍ଭେ ଅବତରି । ମହୀ ରଖିବେ ତୋତେ ମାରି ॥ ୨୭
ଶୁଣି ଅନ୍ତରୀକ୍ଷ ବଚନ । ରଥରୁ ଓହ୍ଲାଇ ବହନ ॥ ୨୮
କରେ ଉଞ୍ଚାଇ କରବାଳ । ଧଇଲା ଦେବକୀର ଚୂଳ ॥ ୨୯
ବୋଲଇ ଭଲ ଏ ବିଚାର । କୁମାରୀ କାଳୁ ୟାକୁ ମାର ॥ ୩୦
ମୂଳୁଁ ମାରିଲେ ଯିବ ସରି । ଦେବଙ୍କ ସଙ୍ଗେ କିମ୍ପା କଳି ॥ ୩୧
ଅଧର ଚାପି ରୋଷେ ଚାହେଁ । କମ୍ପଇ ଦେବକୀର କାୟେ ॥ ୩୨
କଂସକୁ ବସୁଦେବ ଚାହିଁ । ଭୟେ ଚିନ୍ତଇ ଭାବଗ୍ରାହୀ ॥ ୩୩
କଂସର ଭୁଜ କରେ ଧରି । ବୋଲଇ ଶୁଣ ଦଣ୍ତଧାରୀ ॥ ୩୪
ତୁ ଅଟୁ ମହତ ପୁରୁଷ । ସଂସାରେ ଅଛି ତୋ'ର ଯଶ ॥ ୩୫
ଧାର୍ମିକ ବୋଲନ୍ତି ସକଳେ । ଦେବକୀ ମାରୁ କିମ୍ପା ବଳେ ॥ ୩୬
ବିଭାର କାଳେ ଏଡ଼େ କର୍ମ । କେମନ୍ତେ ସହିବଟି ଧର୍ମ ॥ ୩୭
ଦେହର ସଙ୍ଗେ ମୃତ୍ୟୁ ଜାତ । ନାହିଁ ଏହାର ଆଦିଅନ୍ତ ॥ ୩୮
ବାଳକ ସ୍ଥବିର ତରୁଣ । ଅବଶ୍ୟ ଲଭିବେ ମରଣ ॥ ୩୯
ଦେହ ବହିଲେ ନିଶ୍ଚେ ମରି । ମରଣ ଛାରେ କିମ୍ପା ଡରି ॥ ୪୦
ଏ ଜୀବ ମରଣ ନିକଟେ । ବେଗେ ଚିନ୍ତଇ ଅନ୍ୟଘଟେ ॥ ୪୧
ଏହାର କଲା କର୍ମମାନ । ତେଣୁ ହୁଅନ୍ତି ସାବଧାନ ॥ ୪୨
କର୍ମର ବଶ ହୋଏ ଜନ୍ତୁ । ଜନ୍ମ ମରଣ କର୍ମ ହେତୁ ॥ ୪୩
ଜୋକ ଯେ ଏକଇ ଚରଣେ । ଯେସନେ ସଞ୍ଚରଇ ତୃଣେ ॥ ୪୪
ଜୀବ ଯେ କର୍ମେ ସଞ୍ଚରଇ । ଜନ୍ମ ମରଣ ନାମ ବହି ॥ ୪୫
ନିଦ୍ରାରେ ଯେସନେ ସ୍ୱପନ । ଦେଖିଣ ପାସୋରଇ ମନ ॥ ୪୬
ଦେହରେ ଥାଇ ଯେତେ କରି । ଜୀବ ଛାଡ଼ିଲେ ତା' ପାଶୋରି ॥ ୪୭
କରଇ ପରଲୋକ ଭୋଗ । ପୁଣ ହିଁ ରଜ ବୀର୍ଯ୍ୟ ଯୋଗ ॥ ୪୮
ଜନ୍ମିଣ ପାଶୋରଇ ତାହା । ଏମନ୍ତ ଅନାଦିର ମାୟା ॥ ୪୯
ଏକଇ ପୁରୁଷ ମୁରାରି । ସକଳଘଟେ ଛନ୍ତି ପୂରି ॥ ୫୦
ଶତେକ ଜଳଘଟ ଥୋଇ । ଚାହିଁଲେ ଆକାଶ ଦିଶଇ ॥ ୫୧
ପୁଣି ହିଁ କଲେ ଏକଗୋଟି । ତହିଁ ଆକାଶ ଥାଏ ଘୋଟି ॥ ୫୨
ଆକାଶ ନୁହଁଇଟି ଭିନ୍ନ । ନାଶ ହୁଅନ୍ତି ଘଟମାନ ॥ ୫୩
ଏମନ୍ତ ଆତ୍ମାର ବିବେକ । ଏହା ଜାଣନ୍ତି ଜ୍ଞାନୀ ଲୋକ ॥ ୫୪
ତୁ ଅଟୁ ମହତ ପୁରୁଷ । କିମ୍ପା ବହେଣୀ କରୁ ନାଶ ॥ ୫୫
ଜୀବ ମାରନ୍ତି ଆତ୍ମା ସୁଖେ । ଅନ୍ତେ ହେଁ ପଡ଼ନ୍ତି ନରକେ ॥ ୫୬
ଏ ସାନ ବହେଣୀ ତୋହର । ଏହାକୁ ରକ୍ଷାକର ବୀର ॥ ୫୭
ଶୁକ ବୋଲନ୍ତି ଶୁଣ ରାୟେ । ଅସୁର ସ୍ୱଭାବେ ନିର୍ଦ୍ଦୟେ ॥ ୫୮
ଧର୍ମବଚନ ନ ଶୁଣଇ । ବିଶେଷେ ତା'ର ଜ୍ଞାନ ନାହିଁ ॥ ୫୯
ଭିଣୋଇ ବୋଲ ନ ଶୁଣିଲା । ପୁଣି ହିଁ ହାଣିବି ବୋଇଲା ॥ ୬୦
ଦେଖି ବସୁଦେବ ବିଚାରି । କାନ୍ଦିଣ ସୁମରେ ମୁରାରି ॥ ୬୧
ପୁଣି ବିଚାରୁଅଛି ମନେ । ଦେବକୀ ରଖିବି କେସନେ ॥ ୬୨
କେ ସହୁ ଏହାର ବିକଳ । ରଖିବି ଲାଭ ଦେଇ ମୂଳ ॥ ୬୩
କିବା ନୋହୁଣୁ ମୋର ସୁତ । କଂସ ହୋଇବ ପ୍ରାଣେ ହତ ॥ ୬୪
କିବା ନୋହିବ ମୋର ପୁଅ । ଜାଣନ୍ତି ପ୍ରଭୁ ଦେବରାୟ ॥ ୬୫
ଏମନ୍ତେ ମନେ ବିଚାରିଲା । କଂସର ମୁଖକୁ ଚାହିଁଲା ॥ ୬୬
ବୋଲନ୍ତି ଶୁଣ ବୀର କଂସ । ଛାଡ଼ ତୁ ବହେଣୀର କେଶ ॥ ୬୭
ଏହାର ସୁତ ତୋତେ ମାରି । ଏ ତୋ'ର ନୁହଁଇ ବଇରୀ ॥ ୬୮
ଏ ଯେତେ ଶିଶୁ ପ୍ରସବିବ । ତୋ'ର ନିକଟେ ଦେବି ସର୍ବ ॥ ୬୯
ତୁ ଅଟୁ ପୁରୁଷ ମହତ । ଏ ମୋ'ର ତିନିବାର ସତ୍ୟ ॥ ୭୦
ଶୁଣନ୍ତୁ ଦଶଦିଗ ଲୋକେ । ଏଠାରେ ଅଛନ୍ତି ଯେ ଥୋକେ ॥ ୭୧
ଏକଥା ମୋହର ପ୍ରମାଣ । ଏଥକୁ ସାକ୍ଷୀ ନାରାୟଣ ॥ ୭୨
ବସୁଦେବର ବୋଲ ଶୁଣି । କଂସ ହିଁ ମନେମନେ ଗୁଣି ॥ ୭୩
ବିଚାରି ମଣିଲା ବିଶ୍ୱାସ । ଛାଡ଼ିଲା ଦେବକୀର କେଶ ॥ ୭୪
ଆନନ୍ଦ ହୋଇ ସର୍ବଜନେ । ଗଲେ ସେ ଯେ ଯାହା ଭୁବନେ ॥ ୭୫
କେତେହେଁ ଦିନ ତହିଁ ଗଲା । ଦେବକୀ ଗର୍ଭ ଉପୁଜିଲା ॥ ୭୬
ବରଷ ବରଷକେ ସୁତ । ହୋଇଲା ଏକଇ ଦୁହିତ ॥ ୭୭
ପ୍ରଥମେ ହୋଇଲା ତନୟେ । ରୂପେ ମୋହିଲା କାମ ପ୍ରାୟେ ॥ ୭୮
ସୁତକୁ ଦେଖି ବସୁଦେବ । ବିକଳେ ଚିନ୍ତଇ ମାଧବ ॥ ୭୯
ଏ ସୁତ ଦେବଇଁ କେମନ୍ତେ । ସତ୍ୟ ଯେ କରିଛି ଯୁକତେ ॥ ୮୦
ଦେବକୀ ମୁଖକୁ ଚାହିଁଲା । ହା କୃଷ୍ଣ ବୋଲି ଡାକ ଦେଲା ॥ ୮୧
କୋଳରେ ଘେନିଲା ତନୟ । ହୋଇଲା ହରଷ ବିସ୍ମୟ ॥ ୮୨
କଂସର ସଭାରେ ମିଳିଲା । ବାଳକ ତଳେ ଶୁଆଇଲା ॥ ୮୩
ଦେଖି ଚକିତ ସଭାଜନେ । କଂସ ବିଚାରୁଅଛି ମନେ ॥ ୮୪
ଏତ ନୋହଇ ମୋ' ବଇରୀ । ଅଷ୍ଟମଗର୍ଭ ମୋତେ ମାରି ॥ ୮୫
ଏହାର ମଣିଲି ମୁଁ ସତ୍ୟ । ନେଉ ଏହାର ନିଜ ସୁତ ॥ ୮୬
ହସିଣ ବସୁଦେବ ଚାହିଁ । କହଇ ବିଶ୍ୱାସ କରାଇ ॥ ୮୭
ତୋହରେ ମଣିଲି ମୁଁ ସତ୍ୟ । ନିଅ ତୋହର ନିଜ ସୁତ ॥ ୮୮
ଶୁଣି ବସୁଦେବ ଚକିତେ । କଂସକୁ ନ ଯାଇ ପରତେ ॥ ୮୯
କ୍ଷଣକେ ରହିଣ ବିଚାରି । ପୁଣି କୁମର କୋଳେ ଧରି ॥ ୯୦
ବାଟରେ କରଇ ବିଚାର । ଦୁଷ୍ଟ ଦାନବ ଦୁରାଚାର ॥ ୯୧
ଏବେ ମୁଁ ନେବି ବାହୁଡ଼ାଇ । ପୁଣି ମାରିବ କଂସ ନେଇ ॥ ୯୨
ଦେବକୀ କଷ୍ଟ ହେବ ବଡ଼ । କିସ କରିବି ମୁହିଁ ରାଢ଼ ॥ ୯୩
ହରି ଭିଆଣ କଲେ ଯାହା । ଅବଶ୍ୟ ଭୁଞ୍ଜିବିନା ତାହା ॥ ୯୪
ଏମନ୍ତେ ଦୁଃଖେ ସୁଖେ ଯାଇ । ଦେବକୀ ନିକଟେ ମିଳଇ ॥ ୯୫
ସୁତକୁ ଦେଲା ତା'ର କୋଳେ । କାନ୍ଦଇ ମାୟାମୋହ ଭୋଳେ ॥ ୯୬
ବିଚ୍ଛେଦ-ଦୁଃଖ-ମାତା-ଚିତ୍ତ । ପୁତ୍ରକୁ ପାଇଣ ଉଷତ ॥ ୯୭
ନିବିଡ଼ ସ୍ନେହେ କୋଳେ ଯାକି । ଆନନ୍ଦ କେ ପାରିବ ଲକ୍ଷ୍ୟି ॥ ୯୮
ରଜନୀ ହୋଇଲା ପ୍ରବେଶ । ମିଳିଲା ଅନ୍ତଃପୁରେ କଂସ ॥ ୯୯
ଶୀତଳ ମଣୋହି ସାରିଲା । ସୁଖେ ପଲ୍ୟଙ୍କେ ବିଜେକଲା ॥ ୧୦୦
ତକ୍ଷଣେ ମିଳିଲେ ନାରଦ । ଆନନ୍ଦେ କଲେ ବୀଣାନାଦ ॥ ୧୦୧
ଦେଖିଣ ତେଜିଲା ଶୟନ । ପ୍ରଣାମ କଲାକ ବହନ ॥ ୧୦୨
ନିଜ ଆସନେ ବସାଇଲା । ବିଶ୍ୱାସେ ଚରଣ ଚାପିଲା ॥ ୧୦୩
ଭକତି ଦେଖିଣ ନାରଦ । କହନ୍ତି ଶୋକ ଗଦଗଦ ॥ ୧୦୪
ଶୁଣ ଅସୁର ଚୂଡ଼ାମଣି । ତୋ'ର ମରଣ ମୁହିଁ ଶୁଣି ॥ ୧୦୫
ତୋ' ଦୁଃଖ ଦେଖି ମୁଁ ବିକଳ । ଦେଖ ନୟନେ ଅଶ୍ରୁଜଳ ॥ ୧୦୬
ଶୁଣ ଦାନବ ଶିରୋମଣି । ତୋ'ର ମରଣ ତଥ୍ୟବାଣୀ ॥ ୧୦୭
ଭୂମିର ଦେଖିଣ ବିକଳ । ଗୁହାରି କଲେ ଦେବବଳ ॥ ୧୦୮
ବ୍ରହ୍ମାର ତୁଲେ ଶୂଳପାଣି । କ୍ଷୀର ସମୁଦ୍ରେ ସ୍ତୁତିଭଣି ॥ ୧୦୯
ବ୍ରାହ୍ମାଙ୍କୁ କହିଲେ ଅନନ୍ତ । ମନୁଷ୍ୟେ ହୋଇବି ମୁଁ ଜାତ ॥ ୧୧୦
ମାରିବି ସକଳ ଅସୁର । ନାଶିବି ଅବନୀର ଭାରତ ॥ ୧୧୧
ଏମନ୍ତ କୂଟକଥା ମାନ । ଭିଆଣ କଲେ ଦେବଗଣ ॥ ୧୧୨
ଦେବକୀ ଅଷ୍ଟମ ଗର୍ଭର । ନିଶ୍ଚୟେ ମରଣ ତୋହର ॥ ୧୧୩
ବ୍ରହ୍ମାର ବଚନେ ମୁରାରି । ମାୟା ମନୁଷ୍ୟ ରୂପ ଧରି ॥ ୧୧୪
ତୋତେ ମାରିବେ ସେ ଅନନ୍ତ । ତୁ କିମ୍ପା ହୋଇଲୁ ନିଶ୍ଚିନ୍ତ ॥ ୧୧୫
ଦେବେ ଉପୁଜିଛନ୍ତି ଅଂଶେ । ଗୋପାଳ-ଯଦୁ-ଭୋଜବଂଶେ ॥ ୧୧୬
ନନ୍ଦ ଯଶୋଦା ଆଦି ଯେତେ । କହିବି ଏକେ ଏକେ କେତେ ॥ ୧୧୭
ଦେବକୀ ଦେବୀ ବସୁଦେବ । ଏ ଆଦି ଯେତେକ ଯାଦବ ॥ ୧୧୮
ତୋହାର ଯେତେକ ସେବକ । ଦେବତାମାନେ ଏଟି ଦେଖ ॥ ୧୧୯
ତୁ ଯହୁଁ ଦୁଷ୍ଟପଣ କଲୁ । କି ବୋଲି ବାଳକ ଛାଡ଼ିଲୁ ॥ ୧୨୦
କଂସ ବୋଇଲା ବ୍ରହ୍ମଚାରୀ । ଅଷ୍ଟମଗର୍ଭ ମୋ' ବଇରୀ ॥ ୧୨୧
ଆବର ଯେତେ ଗର୍ଭଶିଷ । ତହିଁ ମୋ' ପ୍ରୟୋଜନ କିସ ॥ ୧୨୨
କଂସର ଶୁଣି ଏ ଉତ୍ତର । ମୁନି କାଟିଲେ ଅଷ୍ଟଗାର ॥ ୧୨୩
ପ୍ରଥମେ ଗଣିଲେକ ଆଠ । ଛନ୍ଦେଣ ବୁଝାଇଲେ ପାଠ ॥ ୧୨୪
ବାମଭାଗକୁ ଲେଉଟାଇ । ପୁଣି ଗଣିଲେ ପାଠ କହି ॥ ୧୨୫
ଯେଝାର ଠାରୁ ଆଠ ହୋନ୍ତି । ଶୁଣ ହୋ ଅସୁର ନୃପତି ॥ ୧୨୬
ଏହା ଛାଡ଼ିଲେ କେଉଁ ଯଶ । ଏଣେ ହୋ ପ୍ରୟୋଜନ କିସ ॥ ୧୨୭
ଏହା ତୁ ନ କଲେ ବିଚାର । ନିକଟେ ମରିବୁ ଅସୁର ॥ ୧୨୮
କଂସକୁ କରାଇ ଉଚ୍ଚାଟ । ନାରଦ ଗଲେ ଶୂନ୍ୟବାଟ ॥ ୧୨୯
ଏମନ୍ତ ମୁନିବାକ୍ୟ ଶୁଣି । କଂସ ହିଁ ମନେମନେ ଗୁଣି ॥ ୧୩୦
ଦୁଃଖେ ରଜନୀ ପୁହାଇଲା । ନିଜ ସଭାରେ ବିଜେକଲା ॥ ୧୩୧
ଅସୁର ବଳ ଘେନି ସଙ୍ଗେ । ଧାଇଁଲା ପବନହୁଁ ବେଗେ ॥ ୧୩୨
ଦେବକୀ ମନ୍ଦିରେ ମିଳିଲା । କୋପେ ଅଧର କାମୋଡ଼ିଲା ॥ ୧୩୩
ଦେବକୀ ମୁଖକୁ ଅନାଇ । ବୋଲଇ କୋପଭର ହୋଇ ॥ ୧୩୪
ତୁ ଅଟୁ ବହେଣୀ ମୋହର । ମୋର ମରଣେ ତୋ' ବିଚାର ॥ ୧୩୫
ମୁଁ ଏହା ଜାଣିବି କେମନ୍ତେ । ଭିଣୋଇ ବୋଲେ ଗଲି ପ୍ରତେ ॥ ୧୩୬
ଏମନ୍ତେ ଅନେକ ବୋଇଲା । କୋଳୁଁ ବାଳକ ଘେନିଗଲା ॥ ୧୩୭
ବେନିଚରଣ କରେ ଧରି । ବୁଲାଇ ଅନ୍ତରାଳ କରି ॥ ୧୩୮
କୋପେ ଅନେକ ଗାଳିଦେଲା । ଶିଳା ଉପରେ କଚାଡ଼ିଲା ॥ ୧୩୯
ଦେବକୀ ବସୁଦେବ ଆଣି । ବନ୍ଧନକଲା ପାଦପାଣି ॥ ୧୪୦
ମାଡ଼ ମରାଇ ମହାରୋଷେ । ପାଦେ ଭରିଲା ଲୌହପାଶେ ॥ ୧୪୧
ଧନ-ସମ୍ପଦ କଲା ଜୂର । ଆଣି ଭରିଲା ବନ୍ଦୀଘର ॥ ୧୪୨
ସାତକବାଟ ମହାବଳ । ଲୌହକିଳିଣୀ ଅନର୍ଗଳ ॥ ୧୪୩
ପ୍ରହରୀ ଶତେକ ଜଗାଇ । କହଇ ରୋଷଭର ହୋଇ ॥ ୧୪୪
ଦେବକୀ ଯେତେ ପ୍ରସବିବ । ମୋର ଛାମୁରେ ଜଣାଇବ ॥ ୧୪୫
ଯେ ମୋର ବୋଲ ନ କରିବ । ସେହି ମୋହର ଶତ୍ରୁ ହେବ ॥ ୧୪୬
ନିଜ ପିଅର ଅଣାଇଲା । ଅନେକ ମାଡ଼ ମରାଇଲା ॥ ୧୪୭
ଶାଙ୍କୋଳି ଦେଲା ବନ୍ଦୀଘରେ । ଅନେକ ଯାଦବ ସଙ୍ଗରେ ॥ ୧୪୮
ଅସୁର ସ୍ୱଭାବେଣ କଂସ । ମାଇଲା ଆପଣାର ବଂଶ ॥ ୧୪୯
କୋପ ସଂହରି ନିଜପୁରେ । ଅସୁର ପଶିଲା ଭିତରେ ॥ ୧୫୦
କଂସ ଜାଣଇ ଯୋଗବଳେ । ମୁଁ ଜାତ ଦାନବର କୁଳେ ॥ ୧୫୧
ଅନେକବାର ମୋତେ ମାରି । ମୋକ୍ଷ ନ ଦେଲେ ନରହରି ॥ ୧୫୨
ଏବେ ମାରିବ ହରି ମୋତେ । ଭାଗ୍ୟ ମୋ କେ କରିବ ଅନ୍ତେ ॥ ୧୫୩
ଏମନ୍ତ ମେନ ବିଚାରିଲା । ଯଦୁଙ୍କ ସଙ୍ଗେ ବାଦ କଲା ॥ ୧୫୪
ଶୁଣ ସୁଜନେ ଭାଗବତ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୧୫୫
ପଣ୍ତିତେ ନ ଘେନିବା ଦୋଷ । କୃଷ୍ଣଚରିତ ସୁଧାରସ ॥ ୧୫୬
କହଇ ବିପ୍ର ଜଗନ୍ନାଥ । ହରିଚରଣେ ଦେଇ ଚିତ୍ତ ॥ ୧୫୭
ଇତି ଶ୍ରମଦ୍ଭାଗବତେ ମହାପୁରାଣେ ପାରମହଁସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ଅବତାର ଉପକ୍ରମେ ଦ୍ୱିତୀୟୋଽଧ୍ୟାୟଂ ॥
* * *