ଦଶମ ସ୍କନ୍ଧ

ଦ୍ୱିତୀୟ ଅଧ୍ୟାୟ

ଶୁକ ଉବାଚ

ବନ୍ଦଇ ନୃସିଂହ ଚରଣ । କହିବି ବିଷ୍ଣୁର ପୁରାଣ ॥

ଶୁକ ବୋଲନ୍ତି ଶୁଣ ରାୟେ । ମଞ୍ଚେ ଜନ୍ମିଲେ ଦେବତାୟେ ॥

ଭୋଜବଂଶରେ ଉତ୍‌ପନ୍ନ । ପ୍ରତାପୀ ରାଜା ଶୁରସେନ ॥

ପୂର୍ବେ ମଥୁରା ପୁରେ ଥିଲା । ଅନେକ ନୃପତି ଜିଣିଲା ॥

ତେଣୁ କଟକ ମଧୁ ପୁରୀ । ଯହିଁ ବିଜୟ ନରହରି ॥

ସେ ରାଜା ଗୋବିନ୍ଦ ଭକତ । ତାହାର ଉଗ୍ରସେନ୍ ସୁତ ॥

ଦେବକ ନାମେ ତା'ର ଭ୍ରାତ । ଦେବକୀ ତାହାର ଦୁହିତ ॥

ରୂପେ କମଳା ନୋହେ ସରି । ସେ କନ୍ୟା ବସୁଦେବ ବରି ॥

ମାୟା ଭିଆଣ ପଦ୍ମନାଭ । କରନ୍ତି ବିବାହ ଉ›ବ ॥

ବିଭା କରାଇ କନ୍ୟାବର । ଯାବତ ମଙ୍ଗଳ ବେଭାର ॥ ୧୦

ଜନବେଭାରେ ସେ ଦେବକ । ଅନେକ ଦେଲା ଯଉତୁକ ॥ ୧୧

ଚତୁରଶତ ହସ୍ତୀ ଦେଲା । କଣ୍ଠେ ଲମ୍ବାଇ ରତ୍ନମାଳା ॥ ୧୨

ଅଠରଶତ ରଥ ଯୁତେ । ଅଶ୍ୱ ସେ ଦେଲା ସେହି ମତେ ॥ ୧୩

ବେନି ଶତେକ ପରିବାରୀ । ଦେଲା ସେ ଅଳଙ୍କାର ଭରି ॥ ୧୪

ବାଜଇ ଭେରୀ ତୁରୀ ବାଦ୍ୟ । କେ କହୁ ବିଭାର ଆନନ୍ଦ ॥ ୧୫

ରଥେ ବସାଇ କନ୍ୟାବର । ନବରୁ ହୋଇଲେ ବାହାର ॥ ୧୬

କୁସୁମ ବରଷନ୍ତି ଘେନି । ମଙ୍ଗଳ କଲେ ଦେବ ଧ୍ୱନୀ ॥ ୧୭

ଉଗ୍ରସେନର କଂସ ସୂତ । ଦେଖିଣ ହୋଇଲା ଉଷତ ॥ ୧୮

ଯାହାର ନାମେ ଦେବେ ଡ଼ରି । ଚାଲନ୍ତି କମ୍ପେ ବସୁନ୍ଧରୀ ॥ ୧୯

ଶୁଦ୍ଧସୁବ‰ର୍ଣ୍ଣ ରଥେ ବସି । ରାଜାଏ କଂସକୁ ପ୍ରଶଂସି ॥ ୨୦

ଭଗିନୀ ପ୍ରିୟ ବନ୍ଧୁପଣେ । ରଥରେ ବସିଲା ଆପଣେ ॥ ୨୧

ଅଶ୍ୱ ଦଉଡ଼ି ଧରିକରେ । ରଥ ବାହିଲା ଧୀରେ ଧୀରେ ॥ ୨୨

ଥୋକାଏ ଦୂର ରଥଗଲା । ଆକାଶୁ ଶବଦ ଶୁଭିଲା ॥ ୨୩

ତା' ଶୁଣି ଚାହିଁଲା ଗଗନେ । ଶବଦ ଶୁଭୁଅଛି ଶୂନ୍ୟେ ॥ ୨୪

ରେ ରେ ଅସୁର କଂସ ଶୁଣ । ନଜାଣୁ ଆପଣା ମରଣ ॥ ୨୫

ଯାହାର ବାହୁ ଅଛୁ ରଥ । ତୋତେ ମାରିବେ ତା'ର ସୁତ ॥ ୨୬

ଅଷ୍ଟମ ଗର୍ଭେ ଅବତରି । ମହୀ ରଖିବେ ତୋତେ ମାରି ॥ ୨୭

ଶୁଣି ଅନ୍ତରୀକ୍ଷ ବଚନ । ରଥରୁ ଓହ୍ଲାଇ ବହନ ॥ ୨୮

କରେ ଉଞ୍ଚାଇ କରବାଳ । ଧଇଲା ଦେବକୀର ଚୂଳ ॥ ୨୯

ବୋଲଇ ଭଲ ଏ ବିଚାର । କୁମାରୀ କାଳୁ ୟାକୁ ମାର ॥ ୩୦

ମୂଳୁଁ ମାରିଲେ ଯିବ ସରି । ଦେବଙ୍କ ସଙ୍ଗେ କିମ୍ପା କଳି ॥ ୩୧

ଅଧର ଚାପି ରୋଷେ ଚାହେଁ । କମ୍ପଇ ଦେବକୀର କାୟେ ॥ ୩୨

କଂସକୁ ବସୁଦେବ ଚାହିଁ । ଭୟେ ଚିନ୍ତଇ ଭାବଗ୍ରାହୀ ॥ ୩୩

କଂସର ଭୁଜ କରେ ଧରି । ବୋଲଇ ଶୁଣ ଦŠଣ୍ତଧାରୀ ॥ ୩୪

ତୁ ଅଟୁ ମହତ ପୁରୁଷ । ସଂସାରେ ଅଛି ତୋ'ର ଯଶ ॥ ୩୫

ଧାର୍ମିକ ବୋଲନ୍ତି ସକଳେ । ଦେବକୀ ମାରୁ କିମ୍ପା ବଳେ ॥ ୩୬

ବିଭାର କାଳେ ଏଡ଼େ କର୍ମ । କେମନ୍ତେ ସହିବଟି ଧର୍ମ ॥ ୩୭

ଦେହର ସଙ୍ଗେ ମୃତ୍ୟୁ ଜାତ । ନାହିଁ ଏହାର ଆଦିଅନ୍ତ ॥ ୩୮

ବାଳକ ସ୍ଥବିର ତରୁଣ । ଅବଶ୍ୟ ଲଭିବେ ମରଣ ॥ ୩୯

ଦେହ ବହିଲେ ନିଶ୍ଚେ ମରି । ମରଣ ଛାରେ କିମ୍ପା ଡରି ॥ ୪୦

ଏ ଜୀବ ମରଣ ନିକଟେ । ବେଗେ ଚିନ୍ତଇ ଅନ୍ୟଘଟେ ॥ ୪୧

ଏହାର କଲା କର୍ମମାନ । ତେଣୁ ହୁଅନ୍ତି ସାବଧାନ ॥ ୪୨

କର୍ମର ବଶ ହୋଏ ଜନ୍ତୁ । ଜନ୍ମ ମରଣ କର୍ମ ହେତୁ ॥ ୪୩

ଜୋକ ଯେ ଏକଇ ଚରଣେ । ଯେସନେ ସଞ୍ଚରଇ ତୃଣେ ॥ ୪୪

ଜୀବ ଯେ କର୍ମେ ସଞ୍ଚରଇ । ଜନ୍ମ ମରଣ ନାମ ବହି ॥ ୪୫

ନିଦ୍ରାରେ ଯେସନେ ସ୍ୱପନ । ଦେଖିଣ ପାସୋରଇ ମନ ॥ ୪୬

ଦେହରେ ଥାଇ ଯେତେ କରି । ଜୀବ ଛାଡ଼ିଲେ ତା' ପାଶୋରି ॥ ୪୭

କରଇ ପରଲୋକ ଭୋଗ । ପୁଣ ହିଁ ରଜ ବୀର୍ଯ୍ୟ ଯୋଗ ॥ ୪୮

ଜନ୍ମିଣ ପାଶୋରଇ ତାହା । ଏମନ୍ତ ଅନାଦିର ମାୟା ॥ ୪୯

ଏକଇ ପୁରୁଷ ମୁରାରି । ସକଳଘଟେ ଛନ୍ତି ପୂରି ॥ ୫୦

ଶତେକ ଜଳଘଟ ଥୋଇ । ଚାହିଁଲେ ଆକାଶ ଦିଶଇ ॥ ୫୧

ପୁଣି ହିଁ କଲେ ଏକଗୋଟି । ତହିଁ ଆକାଶ ଥାଏ ଘୋଟି ॥ ୫୨

ଆକାଶ ନୁହଁଇଟି ଭିନ୍ନ । ନାଶ ହୁଅନ୍ତି ଘଟମାନ ॥ ୫୩

ଏମନ୍ତ ଆତ୍ମାର ବିବେକ । ଏହା ଜାଣନ୍ତି ଜ୍ଞାନୀ ଲୋକ ॥ ୫୪

ତୁ ଅଟୁ ମହତ ପୁରୁଷ । କିମ୍ପା ବହେଣୀ କରୁ ନାଶ ॥ ୫୫

ଜୀବ ମାରନ୍ତି ଆତ୍ମା ସୁଖେ । ଅନ୍ତେ ହେଁ ପଡ଼ନ୍ତି ନରକେ ॥ ୫୬

ଏ ସାନ ବହେଣୀ ତୋହର । ଏହାକୁ ରକ୍ଷାକର ବୀର ॥ ୫୭

ଶୁକ ବୋଲନ୍ତି ଶୁଣ ରାୟେ । ଅସୁର ସ୍ୱଭାବେ ନିŸର୍ଦ୍ଦୟେ ॥ ୫୮

ଧର୍ମବଚନ ନ ଶୁଣଇ । ବିଶେଷେ ତା'ର ଜ୍ଞାନ ନାହିଁ ॥ ୫୯

ଭିଣୋଇ ବୋଲ ନ ଶୁଣିଲା । ପୁଣି ହିଁ ହାଣିବି ବୋଇଲା ॥ ୬୦

ଦେଖି ବସୁଦେବ ବିଚାରି । କାନ୍ଦିଣ ସୁମରେ ମୁରାରି ॥ ୬୧

ପୁଣି ବିଚାରୁଅଛି ମନେ । ଦେବକୀ ରଖିବି କେସନେ ॥ ୬୨

କେ ସହୁ ଏହାର ବିକଳ । ରଖିବି ଲାଭ ଦେଇ ମୂଳ ॥ ୬୩

କିବା ନୋହୁଣୁ ମୋର ସୁତ । କଂସ ହୋଇବ ପ୍ରାଣେ ହତ ॥ ୬୪

କିବା ନୋହିବ ମୋର ପୁଅ । ଜାଣନ୍ତି ପ୍ରଭୁ ଦେବରାୟ ॥ ୬୫

ଏମନ୍ତେ ମନେ ବିଚାରିଲା । କଂସର ମୁଖକୁ ଚାହିଁଲା ॥ ୬୬

ବୋଲନ୍ତି ଶୁଣ ବୀର କଂସ । ଛାଡ଼ ତୁ ବହେଣୀର କେଶ ॥ ୬୭

ଏହାର ସୁତ ତୋତେ ମାରି । ଏ ତୋ'ର ନୁହଁଇ ବଇରୀ ॥ ୬୮

ଏ ଯେତେ ଶିଶୁ ପ୍ରସବିବ । ତୋ'ର ନିକଟେ ଦେବି ସର୍ବ ॥ ୬୯

ତୁ ଅଟୁ ପୁରୁଷ ମହତ । ଏ ମୋ'ର ତିନିବାର ସତ୍ୟ ॥ ୭୦

ଶୁଣନ୍ତୁ ଦଶଦିଗ ଲୋକେ । ଏଠାରେ ଅଛନ୍ତି ଯେ ଥୋକେ ॥ ୭୧

ଏକଥା ମୋହର ପ୍ରମାଣ । ଏଥକୁ ସାକ୍ଷୀ ନାରାୟଣ ॥ ୭୨

ବସୁଦେବର ବୋଲ ଶୁଣି । କଂସ ହିଁ ମନେମନେ ଗୁଣି ॥ ୭୩

ବିଚାରି ମଣିଲା ବିଶ୍ୱାସ । ଛାଡ଼ିଲା ଦେବକୀର କେଶ ॥ ୭୪

ଆନନ୍ଦ ହୋଇ ସର୍ବଜନେ । ଗଲେ ସେ ଯେ ଯାହା ଭୁବନେ ॥ ୭୫

କେତେହେଁ ଦିନ ତହିଁ ଗଲା । ଦେବକୀ ଗର୍ଭ ଉପୁଜିଲା ॥ ୭୬

ବରଷ ବରଷକେ ସୁତ । ହୋଇଲା ଏକଇ ଦୁହିତ ॥ ୭୭

ପ୍ରଥମେ ହୋଇଲା ତନୟେ । ରୂପେ ମୋହିଲା କାମ ପ୍ରାୟେ ॥ ୭୮

ସୁତକୁ ଦେଖି ବସୁଦେବ । ବିକଳେ ଚିନ୍ତଇ ମାଧବ ॥ ୭୯

ଏ ସୁତ ଦେବଇଁ କେମନ୍ତେ । ସତ୍ୟ ଯେ କରିଛି ଯୁକତେ ॥ ୮୦

ଦେବକୀ ମୁଖକୁ ଚାହିଁଲା । ହା କୃଷ୍ଣ ବୋଲି ଡାକ ଦେଲା ॥ ୮୧

କୋଳରେ ଘେନିଲା ତନୟ । ହୋଇଲା ହରଷ ବିସ୍ମୟ ॥ ୮୨

କଂସର ସଭାରେ ମିଳିଲା । ବାଳକ ତଳେ ଶୁଆଇଲା ॥ ୮୩

ଦେଖି ଚକିତ ସଭାଜନେ । କଂସ ବିଚାରୁଅଛି ମନେ ॥ ୮୪

ଏତ ନୋହଇ ମୋ' ବଇରୀ । ଅଷ୍ଟମଗର୍ଭ ମୋତେ ମାରି ॥ ୮୫

ଏହାର ମଣିଲି ମୁଁ ସତ୍ୟ । ନେଉ ଏହାର ନିଜ ସୁତ ॥ ୮୬

ହସିଣ ବସୁଦେବ ଚାହିଁ । କହଇ ବିଶ୍ୱାସ କରାଇ ॥ ୮୭

ତୋହରେ ମଣିଲି ମୁଁ ସତ୍ୟ । ନିଅ ତୋହର ନିଜ ସୁତ ॥ ୮୮

ଶୁଣି ବସୁଦେବ ଚକିତେ । କଂସକୁ ନ ଯାଇ ପରତେ ॥ ୮୯

କ୍ଷଣକେ ରହିଣ ବିଚାରି । ପୁଣି କୁମର କୋଳେ ଧରି ॥ ୯୦

ବାଟରେ କରଇ ବିଚାର । ଦୁଷ୍ଟ ଦାନବ ଦୁରାଚାର ॥ ୯୧

ଏବେ ମୁଁ ନେବି ବାହୁଡ଼ାଇ । ପୁଣି ମାରିବ କଂସ ନେଇ ॥ ୯୨

ଦେବକୀ କଷ୍ଟ ହେବ ବଡ଼ । କିସ କରିବି ମୁହିଁ ରାଢ଼ ॥ ୯୩

ହରି ଭିଆଣ କଲେ ଯାହା । ଅବଶ୍ୟ ଭୁଞ୍ଜିବିନା ତାହା ॥ ୯୪

ଏମନ୍ତେ ଦୁଃଖେ ସୁଖେ ଯାଇ । ଦେବକୀ ନିକଟେ ମିଳଇ ॥ ୯୫

ସୁତକୁ ଦେଲା ତା'ର କୋଳେ । କାନ୍ଦଇ ମାୟାମୋହ ଭୋଳେ ॥ ୯୬

ବିଚ୍ଛେଦ-ଦୁଃଖ-ମାତା-ଚିତ୍ତ । ପୁତ୍ରକୁ ପାଇଣ ଉଷତ ॥ ୯୭

ନିବିଡ଼ ସ୍ନେହେ କୋଳେ ଯାକି । ଆନନ୍ଦ କେ ପାରିବ ଲକ୍ଷ୍ୟି ॥ ୯୮

ରଜନୀ ହୋଇଲା ପ୍ରବେଶ । ମିଳିଲା ଅନ୍ତଃପୁରେ କଂସ ॥ ୯୯

ଶୀତଳ ମଣୋହି ସାରିଲା । ସୁଖେ ପଲ୍ୟଙ୍କେ ବିଜେକଲା ॥ ୧୦୦

ତକ୍ଷଣେ ମିଳିଲେ ନାରଦ । ଆନନ୍ଦେ କଲେ ବୀଣାନାଦ ॥ ୧୦୧

ଦେଖିଣ ତେଜିଲା ଶୟନ । ପ୍ରଣାମ କଲାକ ବହନ ॥ ୧୦୨

ନିଜ ଆସନେ ବସାଇଲା । ବିଶ୍ୱାସେ ଚରଣ ଚାପିଲା ॥ ୧୦୩

ଭକତି ଦେଖିଣ ନାରଦ । କହନ୍ତି ଶୋକ ଗଦଗଦ ॥ ୧୦୪

ଶୁଣ ଅସୁର ଚୂଡ଼ାମଣି । ତୋ'ର ମରଣ ମୁହିଁ ଶୁଣି ॥ ୧୦୫

ତୋ' ଦୁଃଖ ଦେଖି ମୁଁ ବିକଳ । ଦେଖ ନୟନେ ଅଶ୍ରୁଜଳ ॥ ୧୦୬

ଶୁଣ ଦାନବ ଶିରୋମଣି । ତୋ'ର ମରଣ ତଥ୍ୟବାଣୀ ॥ ୧୦୭

ଭୂମିର ଦେଖିଣ ବିକଳ । ଗୁହାରି କଲେ ଦେବବଳ ॥ ୧୦୮

ବ୍ରହ୍ମାର ତୁଲେ ଶୂଳପାଣି । କ୍ଷୀର ସମୁଦ୍ରେ ସ୍ତୁତିଭଣି ॥ ୧୦୯

ବ୍ରାହ୍ମାଙ୍କୁ କହିଲେ ଅନନ୍ତ । ମନୁଷ୍ୟେ ହୋଇବି ମୁଁ ଜାତ ॥ ୧୧୦

ମାରିବି ସକଳ ଅସୁର । ନାଶିବି ଅବନୀର ଭାରତ ॥ ୧୧୧

ଏମନ୍ତ କୂଟକଥା ମାନ । ଭିଆଣ କଲେ ଦେବଗଣ ॥ ୧୧୨

ଦେବକୀ ଅଷ୍ଟମ ଗର୍ଭର । ନିଶ୍ଚୟେ ମରଣ ତୋହର ॥ ୧୧୩

ବ୍ରହ୍ମାର ବଚନେ ମୁରାରି । ମାୟା ମନୁଷ୍ୟ ରୂପ ଧରି ॥ ୧୧୪

ତୋତେ ମାରିବେ ସେ ଅନନ୍ତ । ତୁ କିମ୍ପା ହୋଇଲୁ ନିଶ୍ଚିନ୍ତ ॥ ୧୧୫

ଦେବେ ଉପୁଜିଛନ୍ତି ଅଂଶେ । ଗୋପାଳ-ଯଦୁ-ଭୋଜବଂଶେ ॥ ୧୧୬

ନନ୍ଦ ଯଶୋଦା ଆଦି ଯେତେ । କହିବି ଏକେ ଏକେ କେତେ ॥ ୧୧୭

ଦେବକୀ ଦେବୀ ବସୁଦେବ । ଏ ଆଦି ଯେତେକ ଯାଦବ ॥ ୧୧୮

ତୋହାର ଯେତେକ ସେବକ । ଦେବତାମାନେ ଏଟି ଦେଖ ॥ ୧୧୯

ତୁ ଯହୁଁ ଦୁଷ୍ଟପଣ କଲୁ । କି ବୋଲି ବାଳକ ଛାଡ଼ିଲୁ ॥ ୧୨୦

କଂସ ବୋଇଲା ବ୍ରହ୍ମଚାରୀ । ଅଷ୍ଟମଗର୍ଭ ମୋ' ବଇରୀ ॥ ୧୨୧

ଆବର ଯେତେ ଗର୍ଭଶିଷ । ତହିଁ ମୋ' ପ୍ରୟୋଜନ କିସ ॥ ୧୨୨

କଂସର ଶୁଣି ଏ ଉତ୍ତର । ମୁନି କାଟିଲେ ଅଷ୍ଟଗାର ॥ ୧୨୩

ପ୍ରଥମେ ଗଣିଲେକ ଆଠ । ଛନ୍ଦେଣ ବୁଝାଇଲେ ପାଠ ॥ ୧୨୪

ବାମଭାଗକୁ ଲେଉଟାଇ । ପୁଣି ଗଣିଲେ ପାଠ କହି ॥ ୧୨୫

ଯେଝାର ଠାରୁ ଆଠ ହୋନ୍ତି । ଶୁଣ ହୋ ଅସୁର ନୃପତି ॥ ୧୨୬

ଏହା ଛାଡ଼ିଲେ କେଉଁ ଯଶ । ଏଣେ ହୋ ପ୍ରୟୋଜନ କିସ ॥ ୧୨୭

ଏହା ତୁ ନ କଲେ ବିଚାର । ନିକଟେ ମରିବୁ ଅସୁର ॥ ୧୨୮

କଂସକୁ କରାଇ ଉଚ୍ଚାଟ । ନାରଦ ଗଲେ ଶୂନ୍ୟବାଟ ॥ ୧୨୯

ଏମନ୍ତ ମୁନିବାକ୍ୟ ଶୁଣି । କଂସ ହିଁ ମନେମନେ ଗୁଣି ॥ ୧୩୦

ଦୁଃଖେ ରଜନୀ ପୁହାଇଲା । ନିଜ ସଭାରେ ବିଜେକଲା ॥ ୧୩୧

ଅସୁର ବଳ ଘେନି ସଙ୍ଗେ । ଧାଇଁଲା ପବନହୁଁ ବେଗେ ॥ ୧୩୨

ଦେବକୀ ମନ୍ଦିରେ ମିଳିଲା । କୋପେ ଅଧର କାମୋଡ଼ିଲା ॥ ୧୩୩

ଦେବକୀ ମୁଖକୁ ଅନାଇ । ବୋଲଇ କୋପଭର ହୋଇ ॥ ୧୩୪

ତୁ ଅଟୁ ବହେଣୀ ମୋହର । ମୋର ମରଣେ ତୋ' ବିଚାର ॥ ୧୩୫

ମୁଁ ଏହା ଜାଣିବି କେମନ୍ତେ । ଭିଣୋଇ ବୋଲେ ଗଲି ପ୍ରତେ ॥ ୧୩୬

ଏମନ୍ତେ ଅନେକ ବୋଇଲା । କୋଳୁଁ ବାଳକ ଘେନିଗଲା ॥ ୧୩୭

ବେନିଚରଣ କରେ ଧରି । ବୁଲାଇ ଅନ୍ତରାଳ କରି ॥ ୧୩୮

କୋପେ ଅନେକ ଗାଳିଦେଲା । ଶିଳା ଉପରେ କଚାଡ଼ିଲା ॥ ୧୩୯

ଦେବକୀ ବସୁଦେବ ଆଣି । ବନ୍ଧନକଲା ପାଦପାଣି ॥ ୧୪୦

ମାଡ଼ ମରାଇ ମହାରୋଷେ । ପାଦେ ଭରିଲା ଲୌହପାଶେ ॥ ୧୪୧

ଧନ-ସମ୍ପଦ କଲା ଜୂର । ଆଣି ଭରିଲା ବନ୍ଦୀଘର ॥ ୧୪୨

ସାତକବାଟ ମହାବଳ । ଲୌହକିଳିଣୀ ଅନର୍ଗଳ ॥ ୧୪୩

ପ୍ରହରୀ ଶତେକ ଜଗାଇ । କହଇ ରୋଷଭର ହୋଇ ॥ ୧୪୪

ଦେବକୀ ଯେତେ ପ୍ରସବିବ । ମୋର ଛାମୁରେ ଜଣାଇବ ॥ ୧୪୫

ଯେ ମୋର ବୋଲ ନ କରିବ । ସେହି ମୋହର ଶତ୍ରୁ ହେବ ॥ ୧୪୬

ନିଜ ପିଅର ଅଣାଇଲା । ଅନେକ ମାଡ଼ ମରାଇଲା ॥ ୧୪୭

ଶାଙ୍କୋଳି ଦେଲା ବନ୍ଦୀଘରେ । ଅନେକ ଯାଦବ ସଙ୍ଗରେ ॥ ୧୪୮

ଅସୁର ସ୍ୱଭାବେଣ କଂସ । ମାଇଲା ଆପଣାର ବଂଶ ॥ ୧୪୯

କୋପ ସଂହରି ନିଜପୁରେ । ଅସୁର ପଶିଲା ଭିତରେ ॥ ୧୫୦

କଂସ ଜାଣଇ ଯୋଗବଳେ । ମୁଁ ଜାତ ଦାନବର କୁଳେ ॥ ୧୫୧

ଅନେକବାର ମୋତେ ମାରି । ମୋକ୍ଷ ନ ଦେଲେ ନରହରି ॥ ୧୫୨

ଏବେ ମାରିବ ହରି ମୋତେ । ଭାଗ୍ୟ ମୋ କେ କରିବ ଅନ୍ତେ ॥ ୧୫୩

ଏମନ୍ତ ମେନ ବିଚାରିଲା । ଯଦୁଙ୍କ ସଙ୍ଗେ ବାଦ କଲା ॥ ୧୫୪

ଶୁଣ ସୁଜନେ ଭାଗବତ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୧୫୫

ପଣ୍ତିତେ ନ ଘେନିବା ଦୋଷ । କୃଷ୍ଣଚରିତ ସୁଧାରସ ॥ ୧୫୬

କହଇ ବିପ୍ର ଜଗନ୍ନାଥ । ହରିଚରଣେ ଦେଇ ଚିତ୍ତ ॥ ୧୫୭

ଇତି ଶ୍ରମଦ୍ଭାଗବତେ ମହାପୁରାଣେ ପାରମହଁସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ଅବତାର ଉପକ୍ରମେ ଦ୍ୱିତୀୟୋଽଧ୍ୟାୟଂ ॥

* * *