ଦଶମ ସ୍କନ୍ଧ
ପ୍ରଥମ ଅଧ୍ୟାୟ
ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମମ୍ ।
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ ।
ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।
ଯତ୍କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ ॥
ଶୁକମୁଖାଦମୃତଦ୍ରବସଂଯୁତମ୍ ।
ପିବତ ଭାଗବତଂ ରସମାଳୟଂ
ମୁହୁରହୋ ରସିକାଭୁବିଭାବୁକାଃ ।
ବନ୍ଦଇ ଦେବ ଲମ୍ବୋଦର । ପାଶ ଅଙ୍କୁଶ ବେନିକର ॥ ୧
ପୃଥୁଳ ଜଠର ସୁନ୍ଦର । ଗଜବଦନ ଗଣେଶ୍ୱର ॥ ୨
ଅନାଦି ନାଥର ନନ୍ଦନ । ଅମୃତପାନେ ତୋଷମନ ॥ ୩
ଯଜ୍ଞ ଆରମ୍ଭେ ତୋର ପୂଜା । ଉତ୍ତରୀ କଣ୍ଠେ ନାଗରାଜ ॥ ୪
ଶ୍ୟାମସୁନ୍ଦର ତନୁବର୍ଣ୍ଣ । ଅଶେଷ ବିଘ୍ନ-ବିନାଶନ ॥ ୫
ତୁମ୍ଭର ଜନକ ଜନନୀ । ଜଗତ ଜନକ ଜନନୀ ॥ ୬
ତୋର ମହିମା ମୁଖେକହି । କେ ପାରେ ନରଦେହ ବହି ॥ ୭
ହୁଅ ସଦୟ ଗଣନାଥ । କହିବି ଶ୍ରୀକୃଷ୍ଣ ଚରିତ ॥ ୮
ନମଇଁ ପ୍ରଭୁ ନରହରି । ହିରଣ୍ୟକଶିପୁ ବିଦାରି ॥ ୯
ଉଦିତ ରବି ଜିଣି ତେଜ । ସୁନ୍ଦର ଶୋହେ ଚତୁର୍ଭୁଜ ॥ ୧୦
କୁଣ୍ତଳ ଶଶୀ ଦିନକର । ନକ୍ଷତ୍ର ମାଳା ହୃଦେହାର ॥ ୧୧
ବ୍ରହ୍ମାଣ୍ତ ମାଳମାଳ ହୋଇ । ତୋ ଲୋମକୂପେ ଛନ୍ତି ରହି ॥ ୧୨
ଧର୍ମପାଳକ ତୁ ଜଗତେ । ଶରୀର ବହୁ ପ୍ରାଣୀ ହିତେ ॥ ୧୩
ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ ॥ ୧୪
କର ସୁଦୟା ନରହରି । ତୋ ଲୀଳା କହିବି ବିସ୍ତାରି ॥ ୧୫
ପରମ ମଙ୍ଗଳ ତୋ' ନାମ । ଖଣ୍ତେ ସକଳ ବିଘ୍ନମାନ ॥ ୧୬
ଏଣୁ ମୋହର ନାହିଁ ଭୟେ । ଯାହାର ନାମ ଯମଜୟେ ॥ ୧୭
ବ୍ୟାସକୁମର ପାଦ ଧରି । ବୋଲେ ପରୀକ୍ଷ-ଦଣ୍ତଧାରୀ ॥ ୧୮
ପରୀକ୍ଷିତ ଉବାଚ
ଭୋମୁନି ହୋଇବା ସଦୟେ । ମୋ ଚିତ୍ତ ରହୁ କୃଷ୍ଣପାୟେ ॥ ୧୯
ପାଣ୍ତବ କୁଳେ ମୋର ଜନ୍ମ । ମୋହାର ବନ୍ଧୁ ଜନାର୍ଦ୍ଦନ ॥ ୨୦
ଦ୍ରୋଣ କୁମର ବାଣ-ତ୍ରାସେ । ମରିବି କହିଗଲେ ବ୍ୟାସେ ॥ ୨୧
ତା' ଶୁଣି ଜନନୀ ମୋହର । ଶରଣ ଗଲା ଚକ୍ରଧର ॥ ୨୨
ଗର୍ଭେ ପଡ଼ନ୍ତେ ଆସି ବାଣ । ମୋତେ ରଖିଲେ ନାରାୟଣ ॥ ୨୩
ତେଣୁ କୃଷ୍ଣ ଏ ଶରୀରର । କିଣିଲା ସେବକ ମୁଁ ତା'ର ॥ ୨୪
ତା'ର ଚରିତ କର୍ଣ୍ଣେ ଶୁଣି । ତରିବି ଭବ- ତରଙ୍ଗିଣୀ ॥ ୨୫
ଶ୍ରୀକୃଷ୍ଣ ଲୀଳାର ଚରିତ । ମୁଖ-ପଙ୍କଜୁଁ ତୋ'ର ଜାତ ॥ ୨୬
ଶ୍ରୁତି ଯୁଗଳେ ପାନ କରି । ହେଳେ ତରିବି ଭବ-ବାରି ॥ ୨୭
ପାଣ୍ତବେ ଯାହାର ବିଶ୍ୱାସୁ । ତରିଲେ କୁରୁବଳ-ତ୍ରାସୁ ॥ ୨୮
ବତ୍ସାଚରଣ-ଜଳ ତୁଲ୍ୟେ । ହେଳେ ତରିଲେ କୁରୁବଳେ ॥ ୨୯
ସେ ହରିଚରିତ ଗହନ । ଧ୍ୟାନେ ଭାବନ୍ତି ମୁନିଜନ ॥ ୩୦
ଭବସାଗର ପରମାଦ । ବିଷୟା ବିଷକୁ ଏ ଗଦ ॥ ୩୧
ଚଣ୍ତାଳୁ ବ୍ରହ୍ମଯାଏ ଲୋକ । କେ ଶୁଣି ହୋଇବ ବିମୁଖ ॥ ୩୨
ଅଶେଷ ଜନ୍ତୁ ଦେହ ବହି । ଯେ କାଳରୂପେ ଅଛି ରହି ॥ ୩୩
ମାୟା ମନୁଷ୍ୟ ରୂପେ ଜାତ । ସଂହାରି ପାଳଇ ଜଗତ ॥ ୩୪
ମୃତ୍ୟୁ ଅମୃତ୍ୟୁ ବେନି ଦେଇ । ନିତ୍ୟେ ନିର୍ମଳ ଯା'ର ଦେହୀ ॥ ୩୫
ନବମସ୍କନ୍ଧେ ମୁହିଁ ଶୁଣି । ସେ କଥା ମନେ ମନେ ଗୁଣି ॥ ୩୬
ବିଚାର କଲି ଭ୍ରମଚିତ୍ତ । ଭୋ ମୁନି କହିବା ତଦନ୍ତ ॥ ୩୭
ଶ୍ରୀଭାଗବତର ସିଦ୍ଧାନ୍ତ । ଅମୃତ ରସମୟ ଗୀତ ॥ ୩୮
ଧାର୍ମିକ କୁଳେ ଯଦୁବଂଶେ । ଜନ୍ମ ହୋଇଲେ ନିଜ ଅଂଶେ ॥ ୩୯
ନୀଳ ଧବଳ ରୂପ ଦୁଇ । ଦେବକୀ ଗର୍ଭେ ଜାତ ହୋଇ ॥ ୪୦
କେମନ୍ତେ ରୋହିଣୀର ସୁତ । ରାମକୁ ବୋଲନ୍ତି ଜଗତ ॥ ୪୧
ବେନି ଉଦରୁ ଏକ ଦେହ । ଭୋ ମୁନି ଫେଡ଼ିବା ସନ୍ଦେହ ॥ ୪୨
କେବଣ ହେତୁ ଭଗବାନ । ଗୁପତେ ଗଲେ ବୃନ୍ଦାବନ ॥ ୪୩
ଭକତ ତାରିବାର ଆଶେ । ରମିଲେ ବାଳକ ବିଶ୍ୱାସେ ॥ ୪୪
ପୁଣି କେତେହେଁ ଦିନେ ହରି । ମିଳିଲେ ମଥୁରା ନଗରୀ ॥ ୪୫
ଜଗତଜନଙ୍କର ଗୁରୁ । ଯା'ର ମହିମା ମହାମେରୁ ॥ ୪୬
କିମ୍ପା ଅନୀତି ଆଚରିଲେ । ସୋଦର ମଉଳା ମାଇଲେ ॥ ୪୭
ଏ କି ତାହାଙ୍କ ପରମାଣ । ଯାହାଙ୍କ ନାମ ନାରାୟଣ ॥ ୪୮
ମନୁଷ୍ୟ ରୂପେ ହୋଇ ଜନ୍ମ । କେତେ ବରଷ ଭୋଗକର୍ମ ॥ ୪୯
ଯାଦବ ସଙ୍ଗତେ ବିହରି । କେତେ କଳତ୍ର ଭୋଗକରି ॥ ୫୦
ଏ ଆଦି ଯେତେକ ଚରିତ । ଭୋ ମୁନି କହି ତୋଷ ଚିତ୍ତ ॥ ୫୧
ଦେଖ ମରଣକାଳ ମୋର । ଭୋ ମୁନି ତେଜିଲି ଆହାର ॥ ୫୨
ହରିଚରିତ ସୁଧା-ବାରି । ତୋର ବଦନୁଁ ପାନ କରି ॥ ୫୩
ଜଗତ ସଂହାରିଣୀ କ୍ଷୁଧା । ସେ ମୋତେ ନ କରଇ ବାଧା ॥ ୫୪
ସୂତ ଉବାଚ
ଶୁଣି ରାଜାର ସାଧୁ କଥା । ମୁନି-ପଣ୍ତିତ ଶୁଦ୍ଧଚେତା ॥ ୫୫
କୃଷ୍ଣ ଚରଣେ ଦେଇ ଚିତ୍ତ । ବୋଲନ୍ତି ଶୁଣ ଭାଗବତ ॥ ୫୬
ଶୁକ ଉବାଚ
ସାଧୁ ଚରିତ ତୋ'ର ବୁଦ୍ଧି । କୃଷ୍ଣଚରଣେ ଚିତ୍ତ ଖେଦି ॥ ୫୭
ଗୋବିନ୍ଦେ ତୋ'ର ମନ ଯେତେ । ମୁଁ କହି ପାରିବିକି ତୋତେ ॥ ୫୮
ଗୋବିନ୍ଦ କଥା ପରଶନ । ହେଳେ ତାରଇ ତିନିଜଣ ॥ ୫୯
ଶ୍ରୋତା ବକତା ଯେ ପଚାରି । ଏ ତିନିଜଣେ ଯା'ନ୍ତି ତରି ॥ ୬୦
ତା' ପାଦ ଗଙ୍ଗାଜଳ ଯେହ୍ନେ । ତାରଇ ସ୍ନାନ-ପିଣ୍ତଦାନେ ॥ ୬୧
ନାମ ମାତ୍ରକେ ପାପ ନାଶେ । ତାରଇ ସେ ତିନି ପୁରୁଷେ ॥ ୬୨
କହିବି କୃଷ୍ଣ ଲୀଳା ମାନ । ରାଜନ ହୁଅ ସାବଧାନ ॥ ୬୩
ଅସୁର ବଳ ପାଦଭରେ । ଭୂମି କମ୍ପିଲା ଥରହରେ ॥ ୬୪
ଭାରାରେ ଚଳି ନ ପାରଇ । ଅଧରୁ ରୁଧିର ଗଳଇ ॥ ୬୫
ଦିନକେ ବିଚାରଇ ବସି । କେ ମୋର ଶରୀର ଆଶ୍ୱାସି ॥ ୬୬
ଛାଡ଼ିବି ସଂସାର ଧାରଣ । ପଶିବି ବ୍ରହ୍ମାରେ ଶରଣ ॥ ୬୭
ମାୟା ସୁରଭି ରୂପ ହୋଇ । କାନ୍ଦଇ ଚଉଦିଗ ଚାହିଁ ॥ ୬୮
ବିଧାତା ନିକଟେ ମିଳିଲା । ନିଜ ବେଦନା ଜଣାଇଲା ॥ ୬୯
ବିଧାତା ଶୁଣି ତା' ବିକଳ । ସଙ୍ଗେ ଘେନିଲେ ଦେବଦଳ ॥ ୭୦
ଶଙ୍କର ଘେନି ସର୍ବେ ବେଗେ । ମିଳିଲେ କ୍ଷୀରସିନ୍ଧୁ ଲାଗେ ॥ ୭୧
ଜଳଧି କୂଳେ ଦେବଗଣ । ଡାକନ୍ତି ରଖ ନାରାୟଣ ॥ ୭୨
ଅନେକ ଧ୍ୟାନ ସ୍ତୁତି କଲେ । ହରି ସନ୍ଦେଶ ନ ପାଇଲେ ॥ ୭୩
ଅନେକ ମତେ କରି ଧ୍ୟାନ । ବ୍ରହ୍ମା ପାଇଲେ ମନେ ଛନ୍ନ ॥ ୭୪
ଅନନ୍ତ ନ ଦେଖି ବିଧାତା । ମନେ ପାଇଲେ ଗୁରୁ ଚିନ୍ତା ॥ ୭୫
ସମାଧି ବସିଲେ ତକ୍ଷଣ । ଚିନ୍ତି ଅନାଦି-ନାରାୟଣ ॥ ୭୬
ବ୍ରହ୍ମାର ଦେଖିଣ ବିକଳ । କରୁଣା କଲେ ଆଦିମୂଳ ॥ ୭୭
ନିଦ୍ରାର ବଳେ ମନେ ହରି । ସ୍ୱପନେ କହିଲେ ମୁରାରି ॥ ୭୮
ବ୍ରହ୍ମାଙ୍କୁ ଦିଶିଲା ସ୍ୱପନ । କହନ୍ତି ପ୍ରଭୁ ନାରାୟଣ ॥ ୭୯
ଶୁଣ ବଚନ ମୋର ଧାତା । ମୁଁ ଯେ ଜଗତ ପିତାମାତା ॥ ୮୦
ସକଳ ମୋହର ଭିଆଣ । କେବଳ ଦେଲି ପରମାଣ ॥ ୮୧
ମୋର ବଚନ ଶିରେ ଧରି । ତୁ ଅଛୁ ଜଗତ ଆବୋରି ॥ ୮୨
ବେଦ ବିଚାରି ସୃଷ୍ଟି ପାଳୁ । ଅବନୀ ଭାରେ କିମ୍ବା ଭାଳୁ ॥ ୮୩
ମୁଁ ତାହା ଜାଣଇଟି ସର୍ବ । ନାଶିବି ଅସୁରଙ୍କ ଗର୍ବ ॥ ୮୪
ଏବେ ସକଳ ଦେବେ ଯାଅ । ମର୍ତ୍ତ୍ୟମଣ୍ତଳେ ଜାତ ହୁଅ ॥ ୮୫
ଯାଦବ ଆଦି ସାତବଂଶ । କଂସକୁ ହୋଇବ ବିଶ୍ୱାସ ॥ ୮୬
ଗୋପୀ ଗୋପାଳ ରୂପ ହୋଇ । ଗୋପେ ଜନ୍ମିବ ଦେହ ବହି ॥ ୮୭
ମୁଁ ଜାତ ବାସୁଦେବ ଘରେ । ବଢ଼ିବି ଯାଇ ଗୋପପୁରେ ॥ ୮୮
ଷୋଳ ସହସ୍ର ଗୋପନାରୀ । ରମିବି ବୃନ୍ଦାବନେ ହେରି ॥ ୮୯
ଅନେକ ନାଶିବି ଅସୁର । ଖଣ୍ତିବି ଅବନୀର ଭାର ॥ ୯୦
ଭକତ ଜନଙ୍କୁ ତାରିବି । ପୁଣି ସ୍ୱଧାମେ ବାହୁଡ଼ିବି ॥ ୯୧
ଏବେ ହେ ଯାଅ ତୁ ସତ୍ୱର । କହିବୁ ଦେବଙ୍କ ଆଗର ॥ ୯୨
ବେଗେ ହୁଅନ୍ତୁ ମଞ୍ଚେ ଜନ୍ମ । କହି ହୋଇଲେ ଅନ୍ତର୍ଦ୍ଧାନ ॥ ୯୩
ସ୍ୱପନ ଚେତି ବେଦବର । କହିଲେ ଦେବଙ୍କ ଆଗର ॥ ୯୪
ଶୁଣି ସାନନ୍ଦ ଦେବଗଣେ । ନମିଲେ ଧାତାର ଚରଣେ ॥ ୯୫
ବୋଲନ୍ତି ଶୁଣ ବେଦବର । ଯାହା କହିଲେ ଚକ୍ରଧର ॥ ୯୬
ଅବନୀ ମଧ୍ୟେ ଦେହ ଧରି । ଗୋପେ ଯାଦବେ ଅବତରି ॥ ୯୭
ହୋଇବୁଁ ଏ ଆମ୍ଭର ସତ୍ୟ । କି କି କହିଲେ ଜଗନ୍ନାଥ ॥ ୯୮
ସେ କଥା କହ ପ୍ରଜାପତି । ଶୁଣି ନିର୍ମଳ ହେଉ ମତି ॥ ୯୯
ବ୍ରହ୍ମାଉବାଚ
ବହ୍ମାବୋଇଲେ ଦେବେ ଶୁଣ । ଯାହା କହିଲେ ନାରାୟଣ ॥ ୧୦୦
ଯାଦବ ବସୁଦେବ ଘରେ । ଜନ୍ମିବେ ଦେବକୀ ଉଦରେ ॥ ୧୦୧
ହରିର କଳାରେ ଅନନ୍ତ । ଆଗେ ହୋଇବେ ଗର୍ଭଗତ ॥ ୧୦୨
ମାୟାର ଯୋଗ ବଳେ କରି । ଦେବକୀ ଗର୍ଭୁ ତାହା ହରି ॥ ୧୦୩
ରୋହିଣୀ ଗର୍ଭେ ତାହା ଥୋଇ । ଦାସ ବତ୍ସଳ ଭାବଗ୍ରାହୀ ॥ ୧୦୪
ଆପଣେ ପ୍ରଭୁ ଜଗନ୍ନାଥ । ଦେବକୀ ଗର୍ଭେ ହେବେ ଜାତ ॥ ୧୦୫
ଦୁର୍ଗାଙ୍କୁ ଯଶୋଦାର କୋଳେ । ଜାତ କରିବେ ଯୋଗ ବଳେ ॥ ୧୦୬
କୃଷ୍ଣଙ୍କୁ ବସୁଦେବ ନେଇ । ଆସିବ ନନ୍ଦ ଘରେ ଥୋଇ ॥ ୧୦୭
ଏମନ୍ତେ ତାରିବେ ସଂସାର । ଦାସ ବତ୍ସଳ ଦାମୋଦର ॥ ୧୦୮
ଶୁଣିଣ ବିଧାତା ବଚନ । ଦେବେ ଆନନ୍ଦ କଲେ ମନ ॥ ୧୦୯
ଚାହିଁଣ ଧରଣୀ ବଦନ । ବୋଇଲେ ଧନ୍ୟ ତୋ' ଜୀବନ ॥ ୧୧୦
ତୋ'ର ଉପରେ ଚକ୍ରଧାରୀ । ମନୁଷ୍ୟ ଦେହେ ଅବତରି ॥ ୧୧୧
ନାଶିବେ ତୋ'ର ଦୁଃଖରାଶି । ଆମ୍ଭେ ଦେଖିବୁ ବ୍ରହ୍ମରାଶି ॥ ୧୧୨
ଭୂମି ଆଶ୍ୱାସୀ ଦେବଗଣ । ଗଲେ ସେ ଯେ ଯାହା ଭୁବନ ॥ ୧୧୩
ଏବେ ହୋ ଶୁଣ ମହୀପତି । ଯେମନ୍ତ କଲେ ଶିରୀପତି ॥ ୧୧୪
ହରିଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୧୫
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ଅବତାର ଉପକ୍ରମେ ପ୍ରଥମୋଽଧ୍ୟାୟଃ
* * *