ନବମ ସ୍କନ୍ଧ

ଚତୁବିଂଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ କୁରୁବୀର । ବିଦର୍ଭ ଜ୍ୟାମଘ କୁମର ॥

ଜ୍ୟାମଘ ରାଜକୁଳ ଜିଣି । ଯେ କନ୍ୟା ପୁରେ ଥିଲା ଆଣି ॥

ସେ କନ୍ୟା ବିଦର୍ଭେ ବରିଲା । ତା' ଗର୍ଭେ ପୁତ୍ର ଉପୁଜିଲା ॥

କୁଶ ଯେ କ୍ରଥ ଏହୁ ବେନି । ତୃତୀୟେ ରୋମପାଦ ଘେନି ॥

ବଭ୍ରୁ ଯେ ରୋମପାଦ ସୁତ । କୃତି ତାହାର ବୀର୍ଯ୍ୟେ ଜାତ ॥

ଉଶିକ ତାହାର ନନ୍ଦନ । ତା' ତାହୁଁ ଚେଦି ଉଦ୍‌ପନ୍ନ ॥

ଚୈଦ୍ୟାଦି ବଂଶେ ଜାତ ହୋଇ । ସ୍ୱଧର୍ମେ ପାଳିଲେ ସେ ମହୀ ॥

କ୍ରଥର ପୁତ୍ର କୁନ୍ତି ନାମ । ଧୃଷ୍ଟି ଯେ ତାହାର ନନ୍ଦନ ॥

ନିବୃତି ତା'ର ପୁତ୍ର ହୋଏ । ଦଶାର୍ହନାମେ ତା'ର ପୋଏ ॥

ବ୍ୟୋମ ଯେ ତାହାର ସନ୍ତତି । ତହୁଁ ଜିମୂତ ଉତପତ୍ତି ॥ ୧୦

ବିକୃତି ତାହାର ନନ୍ଦନ । ତହୁଁ ଭୀମରଥ ଜନମ ॥ ୧୧

ତାହାର ସୁତ ନବରଥ । ତହୁଁ ଦଶରଥ ସମ୍ଭୂତ ॥ ୧୨

ଶକୁନି ତାହାର ତନୟେ । କରମ୍ଭି ପୁତ୍ର ତା'ର ହୋଏ ॥ ୧୩

ତା'ର ତନୟ ଦେବରାତ । ଯା'ର ମହିମା ଅପ୍ରମିତ ॥ ୧୪

ତା' ସୁତ ଦେବକ୍ଷତ୍ର ନାମ । ସୁନ୍ଦର ପଣେ ଗୁଣଧାମ ॥ ୧୫

ମଧୁ ତାହାର ବଂଶେ ଜାତ । କୁରୁବଂଶ ଯେ ତା'ର ସୁତ ॥ ୧୬

ଅନୁ ତାହାର ବୀର୍ଯ୍ୟେ ଜାତ । ତାହାର ସୁତ ପୁରୁହୋତ୍ର ॥ ୧୭

ଆୟୁ ଯେ ତା'ର ପୁତ୍ରମାନ । ସାତ୍ୱତ ତା'ଠାରୁ ଜନମ ॥ ୧୮

ତାହାର ହେଲେ ପୁତ୍ର ସାତ । ଶୁଣ କହିବା ପରୀକ୍ଷିତ ॥ ୧୯

ଭଜମାନ ଭଜି ଦିବ୍ୟକ । ବୃଷ୍ଣି ଦେବା ବୃଧ ଅନ୍ଧକ ॥ ୨୦

ମହାଭୋଜ ଏ ସପ୍ତାନାମ । ଏକୁ ଅନେକ ଗୁଣଧାମ ॥ ୨୧

ଭଜମାନର ପତ୍ନୀ ଦୁଇ । ଆଦ୍ୟରେ ତିନି ସୁତ ହୋଇ ॥ ୨୨

ନିମ୍ଳୋଚି ଧୃଷ୍ଟି ଯେ କିଙ୍କିଣ । ପରୀକ୍ଷ କହୁଁ ତୋତେ ଶୁଣ ॥ ୨୩

ଦ୍ୱିତୀୟ ପତ୍ନୀ ଗର୍ଭେ ଜାତ । ହୋଇଲେ ତା'ର ତିନିସୁତ ॥ ୨୪

ଶତ୍ରାଜିତ ସହସ୍ରାଜିତ । ଅୟୁତାଜିତ ତିନିଭ୍ରାତ ॥ ୨୫

ବଭ୍ରୁ ଯେ ଦେବାବୃଧ ସୁତ । ଜନେ ଗାଆନ୍ତି ତା' ଚରିତ ॥ ୨୬

ଦୂରରୁ ଯେତେ ଗୁଣ ଗୁଣି । ଅଧିକ ଦେଖୁଁ ପରିମାଣି ॥ ୨୭

ମନୁଷ୍ୟ ମଧ୍ୟେ ବଭ୍ରୁ ଶ୍ରେଷ୍ଠ । ଦେବାବୃଧ ଦେବଙ୍କ ଇଷ୍ଟ ॥ ୨୮

ସେ ଦୁଇ ପୁରୁଷଙ୍କ କୁଳେ । ଯେତେ ତରିଲେ ଭବଜଳେ ॥ ୨୯

ଷଡ଼ସହସ୍ର ପଞ୍ଚସଷ୍ଟି । ପୁଣି ଅଧିକ ଆଠଗୋଟି ॥ ୩୦

ଘୋର ସଂସାରୁ ତରିଗଲେ । ନିଶ୍ଚଳେ ମିଳିଲେ କୈବଲ୍ୟେ ॥ ୩୧

ସାତ୍ୱତ ବଂଶେ ଉତପନ୍ନ । ମହାଭୋଜ ତା' ଅଟେ ନାମ ॥ ୩୨

ଅତି ଧାର୍ମିକ ମହାଭୋଜ । ଅନେକ କାଳ କଲା ରାଜ୍ୟ ॥ ୩୩

ଯେତେ ଉପୁଜିଲେ ତା' ବଂଶେ । ଧରିଲେ ଭୋଜ ନାମକୁ ସେ ॥ ୩୪

ବୃଷ୍ଣିର ସୁମିତ୍ର ନନ୍ଦନ । ଅପରେ ଯୁଧାଜିତ ନାମ ॥ ୩୫

ତା'ର ସନ୍ତତି ହୋଏ ଶିନି । ଅନମିତ୍ରକୁ ଘେନି ବେନି ॥ ୩୬

ଅନମିତ୍ରର ପୁତ୍ର ନିମ୍ନ । ତା' ଅଂଶେ ଦୁଇପୁତ୍ର ଜନ୍ମ ॥ ୩୭

ପ୍ରସେନ ଶତ୍ରାଜିତ ନାମ । ହୋଇଲେ ତା'ର ଗୁଣଧାମ ॥ ୩୮

ହେ ନୃପ ଶୁଣ ମନଦେଇ । ଏବେ ଶିନିର ବଂଶ କହି ॥ ୩୯

ଶିନି ଯେ ଅନମିତ୍ର ସୁତ । ସତ୍ୟକ ତା'ର ବୀର୍ଯ୍ୟେ ଜାତ ॥ ୪୦

ତାହାର ପୁତ୍ର ଯୁଯୁଧାନ । ଜୟ ତାହାର ପୁତ୍ର ନାମ ॥ ୪୧

କୁଣି ତାହାର ତହୁଁ ଜାତ । ତାହାର ଯୁଗନ୍ଧର ସୁତ ॥ ୪୨

ଅପରେ ବୃଷ୍ଣିପୁତ୍ର ଦୁଇ । ଜନ୍ମିଲେ ବିଷ୍ଣୁତେଜ ବହି ॥ ୪୩

ଶ୍ୱଫଲ୍‌କ ଚିତ୍ରରଥ ବେନି । ଗାନ୍ଧିନୀ ଶ୍ୱଫଳ୍କ ଭାବିନୀ ॥ ୪୪

ଦ୍ୱାଦଶପୁତ୍ର ତା'ର ଘରେ । ଜନ୍ମିଲେ ଅତି ପୁଣ୍ୟତରେ ॥ ୪୫

ଅକ୍ରୁର ତହିଁ ଜ୍ୟେଷ୍ଠ ଜାଣ । ଶୁଣ ହୋ ତାହାଙ୍କର ନାମ ॥ ୪୬

ଆସଙ୍ଗ ସାରମେୟ ଦୁଇ । ମୃଦୁର ମୃଦୁଦ୍ୱି ଯେ ହୋଇ ॥ ୪୭

ଗିରି ଧର୍ମବୃଦ୍ଧ ସୁକର୍ମ । କ୍ଷତ୍ରୋପେକ୍ଷ ଅରିମŸର୍ଦ୍ଦନ ॥ ୪୮

ଗନ୍ଧମାଦ ଯେ ଶତ୍ରୁଘନ । ଦ୍ୱାଦଶେ ପ୍ରତିବାହୁନାମ ॥ ୪୯

ଆବର ଏକ କନ୍ୟା ଥିଲା । ସୁଚୀରା ନାମ ତା'ର ହେଲା ॥ ୫୦

ଅକ୍ରୁର ପୁତ୍ର ହୋଏ ବେନି । ଦେବ୍ୱା ଉପଦେବ ଘେନି ॥ ୫୧

ଚିତ୍ରରଥର ଯେ ଆତ୍ମଜ । ତିନି ଭୁବନେ ତା'ର ତେଜ ॥ ୫୨

ପୃଥୁ ଯେ ବିଦୁରଥ ଆଦି । ଏଣେ ବୃଷ୍ଣିବଂଶ ସମ୍ପାଦି ॥ ୫୩

କୁକୁର ଭଜମାନ ବେନି । ଶୁଚି କମ୍ବଳବହିଁ ଘେନି ॥ ୫୪

ଏ ଚାରି ଅନ୍ଧକର ସୁତ । ଏବେ ହୋ ଶୁଣ ପରୀକ୍ଷିତ ॥ ୫୫

କୁକୁରସୁତ ବହ୍ନି ନାମା । ତାହାର ତନୟ ବିଲୋମା ॥ ୫୬

କପୋତରୋମା ତା'ର ସୁତ । ତା'ପୁତ୍ର ଅନୁ ନାମେ ଖ୍ୟାତ ॥ ୫୭

ତୁମ୍ବୁରୁ ଅଟେ ସଖା ତା'ର । ଅନ୍ଧକ ଅନୁର କୁମର ॥ ୫୮

ଦୁନ୍ଧୁଭି ଅନ୍ଧକର ସୁତ । ଅରିଦ୍ୟୋତ ଯେ ତା' ଅପତ୍ୟ ॥ ୫୯

ଅରିଦ୍ୟୋତ ଅଂଶେ ଉତ୍ପନ୍ନ । ପୁନର୍ବସୁ ନାମେ ସନ୍ତାନ ॥ ୬୦

ତାହାର ପୁତ୍ର କନ୍ୟା ହୋଏ । ଆହୁକ ଆହୁକୀ ବୋଲାଏ ॥ ୬୧

ଦେବକ ଉଗ୍ରସେନ ଦୁଇ । ଆହୁକ ତହୁଁ ଜାତ ହୋଇ ॥ ୬୨

ଦେବକ ପୁତ୍ର ଚାରି ହୋଏ । ନାମ ତାହାଙ୍କ ଶୁଣ ରାୟେ ॥ ୬୩

ଉପଦେବ ଯେ ଦେବବାନ । ସୁଦେବ ଯେ ଦେବବର୍ଦ୍ଧନ ॥ ୬୪

ପୁଣ ହୋଇଲେ କନ୍ୟା ସାତ । ଯା' ନାମ ଜଗତେ ବିଖ୍ୟାତ ॥ ୬୫

ପ୍ରଥମେ ଧୃତଦେବା ହେଲା । ପରେ ଶାନ୍ତିଦେବା ଜନ୍ମିଲା ॥ ୬୬

ଉପଦେବା ଶ୍ରୀଦେବା ବେନି । ଦେବରକ୍ଷିତା କନ୍ୟା ଘେନି ॥ ୬୭

ସହଦେବା ଦେବକୀ ତୁଲେ । ଏମନ୍ତ ସାତକନ୍ୟା ହେଲେ ॥ ୬୮

ଦେବକ ସାତକନ୍ୟା ନେଇ । ବସୁଦେବଙ୍କୁ ବିଭା ଦେଇ ॥ ୬୯

ଏବେ ହୋ ଶୁଣ ନରନାଥ । ଉଗ୍ରସେନର ଯେତେ ସୁତ ॥ ୭୦

କଂସ ସୁନାମା ନ୍ୟଗ୍ରୋଧକ । କଙ୍କ ଶଙ୍କୁ ବେନି ବାଳକ ॥ ୭୧

ସୁହୂ ଯେ ସୃଷ୍ଟି ରାଷ୍ଟ୍ରପାଳ । ତୁଷ୍ଟି ଏ ଉଗ୍ରସେନ ବାଳ ॥ ୭୨

ଆବର ହେଲେ କନ୍ୟାପାଞ୍ଚ । ସୁନ୍ଦର ସୁରୂପ ସୁସଞ୍ଚ ॥ ୭୩

କଂସା ଯେ କଙ୍କବତୀ କଙ୍କା । ସୂରଭୂ ଯେ ରାଷ୍ଟ୍ରପାଳିକା ॥ ୭୪

ଏ କନ୍ୟା ବରି ବେଦମତେ । ବସୁଦେବର ଭାଇ ଯେତେ ॥ ୭୫

ବିବାହ କଲେ ଶୁଭବେଳେ । ଉଚିତେ ଗୃହକର୍ମ କଲେ ॥ ୭୬

ବିଦୁରଥର ଶୂର ସୁତ । ଭଜମାନ ତା' ବୀର୍ଯ୍ୟେ ଜାତ ॥ ୭୭

ଶିନି ତା'ର ହୁଏ ଆତ୍ମଜ । ଶିନିର ପୁତ୍ର ସ୍ୱୟଂ ଭୋଜ ॥ ୭୮

ହୃଦୀକ ତାହାର ନନ୍ଦନ । ତାହାର ତିନି ପୁତ୍ର ଜାଣ ॥ ୭୯

ଦେବବାହୁ ଯେ ଶତଧନୁ । ଆବର କୃତବର୍ମା ସୂନୁ ॥ ୮୦

ଦେବମୀଢ଼ ଯେ ଶୂର ସୁତ । ତା' ପତ୍ନୀ ମାରିଷା ବିଖ୍ୟାତ ॥ ୮୧

ସେ ଦେବମୀଢ଼ ତା'ର ଗର୍ଭେ । ଦଶ ସନ୍ତତି କଲା ଭାବେ ॥ ୮୨

ବସୁଦେବ ଦେବଭାଗକ । ଦେବଶ୍ରବସ ଯେ ଆନକ ॥ ୮୩

ସୃଞ୍ଜୟ ଶ୍ୟାମକ ଯେ କଙ୍କ । ଶମୀକ ବ›ତ୍ସକ ଯେ ବୃକ ॥ ୮୪

ବସୁଦେବର ଜନ୍ମ କାଳେ । ବାଦ୍ୟ ଶୁଭିଲା ଅନ୍ତରାଳେ ॥ ୮୫

ସ୍ୱଭାବେ ଆନକ-ଦୁନ୍ଦୁଭି । ଦିଶ ଆକାଶ ପୂରି ଶୁଭି ॥ ୮୬

ସେ ଯେଣୁ ବିଷ୍ଣୁର ନିଧାନ । ଆନକଦୁନ୍ଦୁଭି ତା' ନାମ ॥ ୮୭

ପୁଣି ହୋଇଲେ କନ୍ୟା ପାଞ୍ଚ । ସୁନ୍ଦର ସୁରୂପ ସୁସଞ୍ଚ ॥ ୮୮

ଯେ ପୃଥା ଆର ଶ୍ରୁତ ଦେବା । ଶ୍ରୁତକୀର୍ତ୍ତି ଯେ ଶ୍ରୁତଶ୍ରବା ॥ ୮୯

ରାଜାଧିଦେବୀଙ୍କି ଯେ ଘେନି । ଏ ପାଞ୍ଚ ବସୁଦେବ ଭଗ୍ନୀ ॥ ୯୦

ପୃଥା କନ୍ୟାକୁ ତା'ର ତାତ । କୁନ୍ତି ରାଜନେ କଲା ଦତ୍ତ ॥ ୯୧

ଯେଣୁ ତା' ନଥିଲା ସନ୍ତତି । ଏଣୁ ସେ କନ୍ୟା ନାମ କୁନ୍ତୀ ॥ ୯୨

ଦୁର୍ବାସା ମୁନି ଏକଦିନେ । ମିଳିଲେ ରାଜା ସନ୍ନିଧାନେ ॥ ୯୩

ପୃଥା ତାହାଙ୍କୁ ସେବା କଲା । ଦେବହୁତି ବିଦ୍ୟା ଲଭିଲା ॥ ୯୪

ବିଦ୍ୟାର ପରୀକ୍ଷା ନିମନ୍ତେ । ସୂର୍ଯ୍ୟଙ୍କୁ ରାଇଲା ଏକାନ୍ତେ ॥ ୯୫

ସେ ସୂର୍ଯ୍ୟଦେବ ତତ୍‌କ୍ଷଣ । ମିଳିଲେ ପୃଥା ସନ୍ନିଧାନ ॥ ୯୬

ଦେଖି ସେ ବିସ୍ମୟ ହୋଇଲା । ବିନୟ ବଚନ କହିଲା ॥ ୯୭

ହେ ଦେବ ପରୀକ୍ଷା ନିମନ୍ତେ । ତୁମ୍ଭଙ୍କୁ ଚିନ୍ତଲି ମୁଁ ଚିତ୍ତେ ॥ ୯୮

ବିଦ୍ୟା ପ୍ରୟୋଗେ ହୋଇ ବଶ । ତୁମ୍ଭେ ମିଳିଲ ମୋ'ର ପାଶ ॥ ୯୯

ହେ ପ୍ରଭୁ ଦୋଷ କ୍ଷମାକର । ଦାସୀ ମୁଁ ତୁମ୍ଭ ଚରଣର ॥ ୧୦୦

ମୋ' ମନୋରଥ ହେଲା ପୂ‰ର୍ଣ୍ଣ । ସ୍ୱସ୍ଥାନେ କରନ୍ତୁ ଗମନ ॥ ୧୦୧

ତା'ବାକ୍ୟେ ସୂର୍ଯ୍ୟ ତୋଷ ହୋଇ । କହନ୍ତି କନ୍ୟା ମୁଖ ଚାହିଁ ॥ ୧୦୨

ହେ ପୃଥା ଶୁଣ ମୋ' ବଚନ । ବ୍ୟର୍ଥ ନ ହୁଏ ମୋ' ଦର୍ଶନ ॥ ୧୦୩

ତୋ'ଠାରେ କରି ଗର୍ଭାଧାନ । ଆମ୍ଭେ ଚଳିବୁ ନିଜ ସ୍ଥାନ ॥ ୧୦୪

ଅବଶ୍ୟ ତୋ' ପୁତ୍ର ହୋଇବ । ତୋତେ ସେ ଦୋଷ ନ ଲାଗିବ ॥ ୧୦୫

ଏମନ୍ତେ କଲେ ଗର୍ଭାଧାନ । ପୁତ୍ର ହୋଇଲା ତତ୍‌କ୍ଷଣ ॥ ୧୦୬

ପୁତ୍ରଶିଶୁକୁ ନିନ୍ଦା ଡରେ । ଭସାଇ ଦେଲେ ନଦୀ ଜଳେ ॥ ୧୦୭

ତା' ପରେ ହୋଇଲାକି ଯାହା । ଶୁଣ କହିବ ନୃପନାହା ॥ ୧୦୮

ପାŠଣ୍ତୁ ଯେ ତୋ ପ୍ରପିତାମହ । ପୃଥାକୁ କଲା ସେ ବିବାହ ॥ ୧୦୯

କାରୂଷ ବୃଦ୍ଧଶର୍ମା ନାମ । ଶ୍ରୁତ ଦେବାକୁ ବରେ ପୁଣ ॥ ୧୧୦

ବିବାହ କରି ବେଦମତେ । ତା'ଗର୍ଭେ ଉପୁଜିଲା ସୁତେ ॥ ୧୧୧

ତା' ଦେଖି ଡରେ ରିପୁଚକ୍ର । ତା' ନାମ ହେଲା ଦନ୍ତବକ୍ର ॥ ୧୧୨

କୈକେୟ ବଂଶେ ଦୃଷ୍ଟକେତୁ । ସେ ପୁଣି ନିଜ ବଂଶ ହେତୁ ॥ ୧୧୩

ଶ୍ରୁତକୀର୍ତ୍ତିକି ବିଭାକଲା । ତା' ପାଞ୍ଚପୁତ୍ର ଉପୁଜିଲା ॥ ୧୧୪

ସେ ସୁତ ସନ୍ତŸର୍ଦ୍ଦନ ଆଦି । ସ୍ୱଭାବେ ସର୍ବଗୁଣେ ସିଦ୍ଧି ॥ ୧୧୫

ଆବନ୍ତ୍ୟ ଶୂରସେନ ବଳା । ରାଜାଧିଦେବୀ ବିଭାକଲା ॥ ୧୧୬

ନାମ ତାହାର ଜୟସେନ । ତା' ଅଂଶେ ଦୁଇପୁତ୍ର ଜନ୍ମ ॥ ୧୧୭

ବିନ୍ଦ ଯେ ଅନୁବିନ୍ଦ ବେନି । ରାଜାଧିଦେବୀ ତହୁଁ ଜନ୍ମି ॥ ୧୧୮

ଚେଦି ରାଜନ ଦମଘୋଷ । ଶ୍ରୁତଶ୍ରବାକୁ ବରି ତୋଷ ॥ ୧୧୯

ତା'ର କୁମର ଶିଶୁପାଳ । ସେ ବୀର ତେଜେ ଅନର୍ଗଳ ॥ ୧୨୦

ତାହାର ଜନ୍ମ ତୋତେ ଭାବେ । ମୁଁ ତାହା କହିଅଛି ପୂର୍ବେ ॥ ୧୨୧

ଦେବଭାଗର କଂସା ପତ୍ନୀ । ତା' ଗର୍ଭେ ଜାତ ସୁତ ବେନି ॥ ୧୨୨

ଚିତ୍ରକେତୁ ଯେ ବୃହଦ୍‌ବଳ । ତେଜେ ଏ ବେନି ଅନର୍ଗଳ ॥ ୧୨୩

ଦେବଶ୍ରବାର ବୀର୍ଯ୍ୟେ ଜାତ । କଂସାବତୀର ଦୁଇ ସୁତ ॥ ୧୨୪

ସୁବୀର ଇଷୁମାନ ବେନି । ଏମନ୍ତେ ଦୁଇ ପୁତ୍ର ଜନ୍ମି ॥ ୧୨୫

କଙ୍କ ଔରସେ କଙ୍କା ଗର୍ଭେ । ବକ ପ୍ରଥମେ ଜନ୍ମ ଲଭେ ॥ ୧୨୬

ତା' ପରେ ସତ୍ୟଜିତ୍ ଜନ୍ମି । ପୁରୁଜିତକୁ ଘେନି ତିନି ॥ ୧୨୭

ସୃଞ୍ଜୟ ପୁତ୍ର ବେନି ହୋଏ । ବୃଷ ଦୁର୍ମର୍ଷଣ ତନୟେ ॥ ୧୨୮

ହରିକେଶ ଯେ ହିରଣ୍ୟାକ୍ଷ । ଶ୍ୟାମକ ପୁତ୍ର ଯେ ପ୍ରତ୍ୟକ୍ଷ ॥ ୧୨୯

ବ›ତ୍ସକ ମିଶ୍ରକେଶୀ ଗର୍ଭେ । ବୃକାଦି ସନ୍ତାନ ସମ୍ଭବେ ॥ ୧୩୦

ତକ୍ଷ ପୁଷ୍କରଶାଳ ଆଦି । ବୃକର ସନ୍ତାନ ପ୍ରସିଦ୍ଧି ॥ ୧୩୧

ଶମୀକ ପତ୍ନୀ ସୁଦାମିନୀ । ସୁମିତ୍ର ତା' ଗର୍ଭେ ଜନମି ॥ ୧୩୨

ଅର୍ଜ୍ଜୁନପାଳାଦି ତନୁଜେ । ଜନ୍ମିଲେ ଶମୀକର ବୀର୍ଯ୍ୟେ ॥ ୧୩୩

କ‰ର୍ଣ୍ଣିକା ଆନକର ମେଳେ । ଋତଧାମକୁ ପ୍ରସବିଲେ ॥ ୧୩୪

ପୁଣି ଜୟନାମେ ନନ୍ଦନ । ଆନକ ଅଂଶେ ଉତ୍‌ପନ୍ନ ॥ ୧୩୫

ବସୁଦେବର ଯେତେ ନାରୀ । ଶୁଣ ସୁମନେ ଦଣ୍ତŠଧାରୀ ॥ ୧୩୬

ପୌରବୀ ରୋହିଣୀ ରୋଚନା । ମଦିରା ଭଦ୍ରା ଇଳା କନ୍ୟା ॥ ୧୩୭

ଦେବକୀ ଆଦି ବହୁ ନାରୀ । ସେ ବସୁଦେବ ବିଭାକରି ॥ ୧୩୮

ରୋହିଣୀ ଗର୍ଭେ ବସୁଦେବ । ଜନ୍ମାଏ ପୁତ୍ର ବଳଦେବ ॥ ୧୩୯

ଧ୍ରୁବ ସାରଣ ଆର ଗଦ । ବିପୁଳ କୃତ ଯେ ଦୁର୍ମଦ ॥ ୧୪୦

ପୌରବୀ ଗର୍ଭରେ ସୁଭଦ୍ର । ଭଦ୍ରବାହୁ ଦୁର୍ମଦ ଭଦ୍ର ॥ ୧୪୧

ଭୂତଆଦି ବାର ନନ୍ଦନ । ବସୁଦେବର ଅଂଶେ ଜନ୍ମ ॥ ୧୪୨

ମଦିରା ଗର୍ଭେ ଉପନନ୍ଦ । କୃତକ ଶୂର ପୁଣି ନନ୍ଦ ॥ ୧୪୩

ଭଦ୍ରାର ଉଦରେ ସମ୍ଭୂତ । କେଶୀ ନାମରେ ଏକ ସୁତ ॥ ୧୪୪

ବସୁଦେବର ଔରସରେ । ପୁଣି ସେ ରୋଚନା ଗର୍ଭରେ ॥ ୧୪୫

ହସ୍ତହେମାଙ୍ଗଦ ସହିତେ । ଜନ୍ମ ଲଭିଲେ ବହୁ ସୁତେ ॥ ୧୪୬

ଉରୁ ବଲଲାଦି ପୁତ୍ର ଶ୍ରେଷ୍ଠ । ସେ ଯଦୁବଂଶରେ ଗରିଷ୍ଠ ॥ ୧୪୭

ସେମାନେ ଇଳା ଗର୍ଭେ ଜାତ । ବସୁଦେବଙ୍କର ଅପତ୍ୟ ॥ ୧୪୮

ବିପୃଷ୍ଠ ନାମେ ଏକ ବଳା । ଧୃତଦେବାର ତହୁଁ ହେଲା ॥ ୧୪୯

ଶ୍ରମ ପ୍ରତିଶ୍ରୁତକୁ ଘେନି । ଶାନ୍ତି ଦେବାର ଗର୍ଭେ ଜନ୍ମି ॥ ୧୫୦

କଳ୍ପ ବର୍ଷାଦି ଦଶସୁତ । ଉପଦେବା ଗର୍ଭୁ ସମ୍ଭୂତ ॥ ୧୫୧

ବସୁ ହଂସ ଦୁଇ ସହିତ । ସୁବଂଶଆଦି ଷଡ଼ସୂତ ॥ ୧୫୨

ଦେବରକ୍ଷିତାର ନନ୍ଦନ । ଗଦାଦି ନବଗୋଟି ଜାଣ ॥ ୧୫୩

ସହଦେବାର ଗର୍ଭେ ଅଷ୍ଟ । ପୁରୁବିଶ୍ରୁତ ଯହିଁ ଜ୍ୟେଷ୍ଠ ॥ ୧୫୪

ଅଷ୍ଟବସୁଙ୍କୁ ପାଇ ସୁତ । ଧର୍ମ ଯେସନେ ହୃଷ୍ଟଚିତ୍ତ ॥ ୧୫୫

ସେ ରୂପେ ବସୁଦେବ ହୃଷ୍ଟ । ହୋଇଲେ ପାଇ ପୁତ୍ର ଅଷ୍ଟ ॥ ୧୫୬

ଦେବକୀ ଗର୍ଭରେ ସମ୍ଭୂତ । ବସୁଦେବଙ୍କ ଅଷ୍ଟସୁତ ॥ ୧୫୭

ପ୍ରଥମେ ହୋଇ କୀର୍ତ୍ତିମାନ । ପରେ ସୁଷେଣ ଭଦ୍ରସେନ ॥ ୧୫୮

ଋଜୁ ସମŸର୍ଦ୍ଦନ ସହିତେ । ଭଦ୍ରକୁ ଘେନି ଷଷ୍ଠସୁତେ ॥ ୧୫୯

ସପ୍ତମ ସୁତ ସଙ୍କର୍ଷଣ । ଅଷ୍ଟମେ ହରି ହେଲେ ଜନ୍ମ ॥ ୧୬୦

ଦେବକୀ ଗର୍ଭେ ଅଷ୍ଟସୁତ । ବସୁଦେବଙ୍କ ତହୁଁ ଜାତ ॥ ୧୬୧

ପୁଣି ଯେ କନ୍ୟାଏ ଜନ୍ମିଲା । ସୁଭଦ୍ରା ନାମ ତା'ର ହେଲା ॥ ୧୬୨

ସେ ତୋର ଅଟେ ପିତାମହୀ । ଏବେ ତୁ ଶୁଣ ନରସାଇଁ ॥ ୧୬୩

ଯେ କାଳେ ଧର୍ମ କ୍ଷୟ ହୁଏ । ଅଧର୍ମ ହୁଅଇ ଉଦୟେ ॥ ୧୬୪

ସେ କାଳେ ପ୍ରଭୁ ଭଗବାନ । ଆତ୍ମାକୁ କରନ୍ତି ସୃଜନ ॥ ୧୬୫

ଜଗତ ହିତେ ମୟାଧର । ଲୀଳାବିହାରେ ହରେ ଭାର ॥ ୧୬୬

ଏ ହରି ମାୟାର ନିୟନ୍ତା । ସଙ୍ଗ ରହିତ ସର୍ବକର୍ତ୍ତା ॥ ୧୬୭

ସପ୍ତମ ପ୍ରାଣୀ ହୃଦ୍‌ଗତେ । ସାକ୍ଷୀ ରୂପରେ ଥାଏ ନିତ୍ୟେ ॥ ୧୬୮

ମାୟାରେ ଖେଳଇ ଜଗତେ । ଜନ୍ମକର୍ମାଦି ପ୍ରାଣୀ ହିତେ ॥ ୧୬୯

ତା' ମାୟା ଚେଷ୍ଟା ଜୀବପକ୍ଷେ । ଅନୁଗ୍ରହ ରୂପ ପ୍ରତ୍ୟକ୍ଷେ ॥ ୧୭୦

ସୃଷ୍ଟି ସ୍ଥିତି ଲୟ କାରଣ । ଜୀବର ମୋକ୍ଷର ନିଦାନ ॥ ୧୭୧

ଅସଂଖ୍ୟ ଅକ୍ଷୌହିଣୀ ପତି । ଅସୁରେ ଜନ୍ମିଲେ ଏ କ୍ଷିତି ॥ ୧୭୨

ରାଜଚିହ୍ନ କରି ଧାରଣ । ପୃଥିବୀ କଲେ ଆକ୍ରମଣ ॥ ୧୭୩

ପୃଥିବୀ ଭାରାକ୍ରାନ୍ତ ହୋଇ । ଧାରଣେ ସମର୍ଥ ନୁହଇ ॥ ୧୭୪

ଭାରା ହରଣ ଅର୍ଥେ ହରି । ଜଗତେ ନାନା ରୂପଧରି ॥ ୧୭୫

ହେ ନୃପ ଶୁଣ ଏକଚିତ୍ତେ । ସେ ହରି ମହିମା ଯେମନ୍ତେ ॥ ୧୭୬

ନିଜ ଇଚ୍ଛାରେ ଅବତରି । ଅସୁରଗଣଙ୍କୁ ସଂହାରି ॥ ୧୭୭

ଦେବେ ନ ପାନ୍ତି ଯା'ର ଅନ୍ତ । ତା'ର ମାୟାରେ ହୋଇ ଭ୍ରାନ୍ତ ॥ ୧୭୮

ସେ ସଙ୍କର୍ଷଣର ସହିତେ । ଲୀଳାରେ ବିହରେ ଜଗତେ ॥ ୧୭୯

ଯଦ୍ୟପି ସର୍ବଶକ୍ତିମାନ । ଅଟଇ ଶ୍ରୀମଧୁସୂଦନ ॥ ୧୮୦

ସଙ୍କଳ୍ପ ମାତ୍ରେ ଭୂମିଭାର । ହରଣେ ସମର୍ଥ ତାହାର ॥ ୧୮୧

ତଥାପି ଭକ୍ତଙ୍କର ହିତେ । ତା' ଅବତାର ଏଜଗତେ ॥ ୧୮୨

କଳିଯୁଗରେ ଭକ୍ତ ଯେତେ । ତାହାଙ୍କ ଅନୁଗ୍ରହ ଅର୍ଥେ ॥ ୧୮୩

ପବିତ୍ର ଯଶ କର୍ମମାନ । ବିସ୍ତାର କଲେ ଭାଗବାନ ॥ ୧୮୪

ଯଶ ସ୍ମରଣେ ତମ ଧ୍ୱଂସ । ସକଳ ଶୋକ ହୁଏ ନାଶ ॥ ୧୮୫

ଶ୍ରେଷ୍ଠ ପବିତ୍ର ତୀର୍ଥ ବ୍ରତ । ସାଧୁଜନଙ୍କ କ‰ର୍ଣ୍ଣାମୃତ ॥ ୧୮୬

ଶ୍ରୋତ୍ର-ଅଞ୍ଜଳି ପଥେ ପାନ । କରେ ଯେ ଏକବାରେ ଜନ ॥ ୧୮୭

କର୍ମବାସନା କ୍ଷୟ ଦକ୍ଷ । ସେ ନର ହୁଅଇ ପ୍ରତ୍ୟକ୍ଷ ॥ ୧୮୮

ସେ ହେତୁ ଭୋଜ ବୃଷ୍ଣି ଯେତେ । ଅନ୍ଧକ ମଧୁର ସହିତେ ॥ ୧୮୯

କୁରୁ ସୃଞ୍ଜୟ ଆଦି ବଂଶ । ଆଦରେ ଗାବନ୍ତି ଯା' ଯଶ ॥ ୧୯୦

ତା'ର ଚରିତ ହୃଦେ ଚିନ୍ତି । ସ୍ୱଚ୍ଛନ୍ଦେ ସୁଖେ ବିହରନ୍ତି ॥ ୧୯୧

ସେ ପ୍ରଭୁ ଦେବ ଭଗବାନ । ତାହାଙ୍କୁ ହୁଏ ସୁପ୍ରସନ୍ନ ॥ ୧୯୨

ସ୍ନିଗ୍ଧ-ମଧୁର ମନ୍ଦହାସେ । ଉଦାର ବଚନ ବିଳାସେ ॥ ୧୯୩

ଅସମ ବିକ୍ରମ ଲୀଳାରେ । ସର୍ବାଙ୍ଗ ସୁନ୍ଦର ଶରୀରେ ॥ ୧୯୪

ତାହାଙ୍କୁ କରି ଆନନ୍ଦିତ । ସେମାନେ ମାୟାରେ ମୋହିତ ॥ ୧୯୫

କ‰ର୍ଣ୍ଣରେ ମକର କୁଣ୍ତŠଳ । ସୁନ୍ଦର କପୋଳ ଯୁଗଳ ॥ ୧୯୬

ବିଳାସ ହାସେ ମୁଖ ଶୋଭା । କି ଅବା ପଟାନ୍ତର ଦେବା ॥ ୧୯୭

ନିତ୍ୟେ ତାହାର ମୁଖ ଦେଖି । ସେ ନର ନାରୀ ହେଲେ ସୁଖୀ ॥ ୧୯୮

ନେତ୍ର ଉ›ତ୍ସବ ତା'ର ଶୋଭା । ଲୋକଲୋଚନ ମନଲୋଭା ॥ ୧୯୯

ତଥାପି ସେମାନଙ୍କ ନେତ୍ର । କଦାପି ନୋହେ ପରିତୃପ୍ତ ॥ ୨୦୦

ଭୁବନମୋହନ ସୁନ୍ଦର । ରୂପ ତାହାଙ୍କ ମନୋହର ॥ ୨୦୧

ନିମିଷମାତ୍ର ନ ଦେଖିଲେ । ଦୁଃଖିତ ହୁଅନ୍ତି ବିକଳେ ॥ ୨୦୨

ସେ ବସୁଦେବ ଘରେ ହରି । ଜନ୍ମିଲେ ନରଦେହ ଧରି ॥ ୨୦୩

ହରିଲେ ଧରଣୀର ଭାର । ଯେ ରୂପ ଦେଖି ଦେବାସୁର ॥ ୨୦୪

ପଶୁମନୁଷ୍ୟ ଆଦି ଯେତେ । ଶରୀର ଧରି ଏ ଜଗତେ ॥ ୨୦୫

କୀଟପତଙ୍ଗ ଆଦି କରି । ଯେ ରୂପ ଦେଖି ଗଲେ ତରି ॥ ୨୦୬

ତା'ର ମହିମା କେବା କହି । ପାରିବ ନରଦେହ ବହି ॥ ୨୦୭

ହେ ନୃପ ଶୁଣ ତୋଷଚିତ୍ତେ । ଅଦ୍ଭୁତ କର୍ମ ତା'ର ଯେତେ ॥ ୨୦୮

ସେ ବନ୍ଦୀଘରେ ନିଜ ରୂପେ । ଜନ୍ମି ଗୁପତେ ଗଲେ ଗୋପେ ॥ ୨୦୯

ତାହାଙ୍କୁ ପାଇ ବ୍ରଜବାସୀ । ସୁଖେ ବଞ୍ଚନ୍ତି ଦିବାନିଶି ॥ ୨୧୦

ରିପୁ ସଂହାରି ବଢ଼ି ବ୍ରଜେ । ମାରି ମଥୁରା କଂସରାଜ୍ୟେ ॥ ୨୧୧

ଦ୍ୱାରକାପୁରେ ବାସ କରି । ବିବାହ କରି ବହୁ ନାରୀ ॥ ୨୧୨

ଜନ୍ମାଇ ଅସଂଖ୍ୟ ନନ୍ଦନ । ଅନେକ କରି ଯଜ୍ଞମାନ ॥ ୨୧୩

ଲୋକଙ୍କୁ ଦେଇ ଯଜ୍ଞଶିକ୍ଷା । ନିଗମମାର୍ଗ କଲେ ରକ୍ଷା ॥ ୨୧୪

କୁରୁପାଣ୍ତŠବ ମଧ୍ୟେ କଳି । ଭିଆଇ ବହୁ ସୈନ୍ୟ ମାରି ॥ ୨୧୫

ଧରଣୀ ଭାର ଅପହରି । ଅର୍ଜ୍ଜୁନେ ଦେଇ ଜୟଶିରୀ ॥ ୨୧୬

ଉଦ୍ଧବେ ଦେଇ ଆତ୍ମଜ୍ଞାନ । ଚଳିଲେ ଆପଣା ଭୁବନ ॥ ୨୧୭

ସୁଜନଜନ ଏହା ଶୁଣି । ଭକତି ହୃଦେ ପରିମାଣି ॥ ୨୧୮

ଏ ଭବଜଳୁ ତରିଯିବ । ଯାହା ନ ଲଭେ ବ୍ରହ୍ମାଶିବ ॥ ୨୧୯

ସେ ହରିଚରିତ ସୁମର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୨୨୦

ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥ ୨୨୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଶ୍ରୀସୂର୍ଯ୍ୟ ସୋମବଂଶ ଅନୁକୀର୍ତ୍ତନେ ଯଦୁବଂଶାନୁକୀର୍ତ୍ତନଂ ନାମ

ଚତୁର୍ବିଂଶୋଽଧ୍ୟାୟଃ ॥

* * *