ନବମ ସ୍କନ୍ଧ

ତ୍ରୟୋବିଂଶ ଅଧ୍ୟାୟ

ଶୁକ ଉବାଚ

ଅନୁର ବଂଶେ ତିନିସୁତ । ଶୁଣ ରାଜନ ପରୀକ୍ଷିତ ॥

ଚକ୍ଷୁ ପରେକ୍ଷୁ ବେନି ସୁତ । ତୃତୀୟେ ସଭାନର ଜାତ ॥

ସଭାନରରୁ କାଳନର । ସୃଞ୍ଜୟ ତାହାର କୁମର ॥

ଜନମେଜୟ ତା'ର ସୁତ । ତା'ଠାରୁ ମହାଶାଳ ଜାତ ॥

ତହୁଁ ଯେ ମହାମନା ଜାତ । ତାହାର ହେଲେ ଦୁଇ ସୁତ ॥

ସେ ମହାମନା ବୀର୍ଯ୍ୟେ ଘେନି । ତିତିକ୍ଷୁ ଉଶୀନର ବେନି ॥

ଶିବି ଯେ କୃମି ଦକ୍ଷ ବର । ଉଶୀନର ଚାରି କୁମର ॥

ଉଶୀନରର ବୀର୍ଯ୍ୟେ ଜାତ । ହୋଇଲେ ଜଗତେ ବିଦିତ ॥

ହୋଇଲେ ଶିବି ବୀର୍ଯ୍ୟେ ଜନ୍ମ । ଅଦ୍ଭୁତ ତାହାଙ୍କର କର୍ମ ॥

ବୃଷାଦର୍ଭ ସୁବୀର ଦୁଇ । ମଦ୍ର କେକୟ ଚାରିଭାଇ ॥ ୧୦

ତିତିକ୍ଷୁ ପୁତ୍ର ଋଷଦ୍ରଥ । ଅଦ୍ଭୁତ ତାହାର ଚରିତ ॥ ୧୧

ତାହାର ପୁତ୍ର ନାମ ହୋମ । ସୁତପା ତାହାର ନନ୍ଦନ ॥ ୧୨

ସୁତପା ପୁତ୍ର ବଳି ହୋଇ । ବନେ ତପସ୍ୱୀ ରୂପ ବହି ॥ ୧୩

ରହିଲା ସଂସାର ଉପେକ୍ଷି । ସ୍ୱପନ ପ୍ରାୟେ ସର୍ବ ଦେଖି ॥ ୧୪

ବଳିର କ୍ଷେତ୍ରେ ଷଡ଼ାତ୍ମଜେ । ଜନ୍ମିଲେ ଦୀର୍ଘତମା ବୀର୍ଯ୍ୟେ ॥ ୧୫

ଅଙ୍ଗବଙ୍ଗ କଳିଙ୍ଗ ତିନି । ସୁହ୍ମ ପୁŠଣ୍ତ୍ର ଯେ ଉଡ୍ର ଘେନି ॥ ୧୬

ଆପଣା ନାମେ ରାଜ୍ୟ କରି । ସୁଖେ ପାଳିଲେ ବସୁନ୍ଧରୀ ॥ ୧୭

ଏ ଷଡ଼ଦେଶେ ହୋଇ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥ ୧୮

ଅଙ୍ଗ ତନୟ ଖନପାନ । ଦିବିରଥ ତା'ର ନନ୍ଦନ ॥ ୧୯

ଧର୍ମତଥ ଯେ ତା'ର ସୁତ । ତା' ତହୁଁ ଜନ୍ମ ଚିତ୍ରରଥ ॥ ୨୦

ସେ ଚିତ୍ରରଥ ବଂଶହୀନ । ରୋମପାଦ ତା' ଖ୍ୟାତ ନାମ ॥ ୨୧

ଦଶରଥର ସଖା ସେହି । ଅପୁତ୍ର ତା'ର ବଂଶ ଚାହିଁ ॥ ୨୨

ଶାନ୍ତା କନ୍ୟାକୁ ଦେଲା ନେଇ । ଅତି ଆନନ୍ଦେ ତୋଷ ହୋଇ ॥ ୨୩

ସେ ତା'କୁ ଋଷ୍ୟଶୃଙ୍ଗ ତୁଲେ । ବେଦବିଧାନେ ବିଭା ଦେଲେ ॥ ୨୪

ପୂର୍ବେ ସେ ରୋମପାଦ ଦେଶେ । ତା' ଦେଶେ ଇନ୍ଦ୍ର ନ ବରଷେ ॥ ୨୫

ମନ୍ତ୍ରୀ ବଚନେ ଜ୍ଞାନ ପାଇ । ହରିଣୀସୁତକୁ ଅଣାଇ ॥ ୨୬

ରାଜା ଆଦେଶେ ବେଶ୍ୟାଗଣ । ଗଲେ ସେ ମୁନି ତପୋବନ ॥ ୨୭

ତାହାଙ୍କ ନୃତ୍ୟବାଦ୍ୟ ଗୀତେ । ବିଭ୍ରମ ଜନ୍ମେ ଋଷି ଚିତ୍ତେ ॥ ୨୮

ଗଣିକା ନୃତ୍ୟଗୀତ ବଳେ । ଚିତ୍ତ ମଜ୍ଜିଲା କାମଭୋଳେ ॥ ୨୯

ଇନ୍ଦ୍ର ନିମନ୍ତେ ଯଜ୍ଞ ପୁଣ । ସେ ଋଷି କଲେ ନାନା କର୍ମ ॥ ୩୦

ଏମନ୍ତେ ଇନ୍ଦ୍ର ବରଷିଲା । ରାଜାର ସନ୍ତତି ହୋଇଲା ॥ ୩୧

ସନ୍ତାନ ହୀନ ଦଶରଥ । ତା'ର ସକାଶୁଁ ପୁତ୍ର ପ୍ରାପ୍ତ ॥ ୩୨

ରୋମପାଦର ଯେଉଁ ସୁତ । ସେ ଚତୁରଙ୍ଗ ନାମେ ଖ୍ୟାତ ॥ ୩୩

ତା' ପୁତ୍ର ପୃଥୁଳାକ୍ଷ ହେଲା । ତାହାର ବୃହଦ୍ରଥ ବଳା ॥ ୩୪

ଆବର ବୃହଦ୍‌ଭାନୁ ନାମ । ତୃତୀୟେ ପୁଣି ବୃହତ୍‌କର୍ମ ॥ ୩୫

ବୃହଦ୍ରଥରୁ ବୃହନ୍ମନ । ତା' ପୁତ୍ର ଜୟଦ୍ରଥ ନାମ ॥ ୩୬

ବିଜୟ ତାହାର କୁମର । ତହୁଁ ଜନ୍ମିଲା ଧୃତିବୀର ॥ ୩୭

ତା'ର କୁମର ଧୃତବ୍ରତ । ସତ୍‌କର୍ମା ହେଲା ତା'ର ସୁତ ॥ ୩୮

ଅଧିରଥ ତା'ର ନନ୍ଦନ । ବନେ ଭ୍ରମୁଁ ସେ ଏକଦିନ ॥ ୩୯

ଗଙ୍ଗାର ତୀରେ କ୍ରିଡ଼ାକାଳେ । ଦେଖେ ମଞ୍ଜୁଷା ଭାସେ ଜଳେ ॥ ୪୦

ମଞ୍ଜୁଷା ମଧ୍ୟେ ଶିଶୁ ଦେଖି । ରାଜା ହୋଇଲା ଅତି ସୁଖୀ ॥ ୪୧

ସେ ଶିଶୁ କୁନ୍ତୀ ଗର୍ଭଜାତ । କୁନ୍ତୀ ତାହାକୁ କଲା ତ୍ୟକ୍ତ ॥ ୪୨

ସେ ରାଜା ନିଃସନ୍ତାନ ଥିଲା । ଶିଶୁପୁତ୍ରକୁ ସେ ପାଳିଲା ॥ ୪୩

କନ୍ୟା କାଳରେ ଜନ୍ମିଥିଲା । କାନୀନ ସଜ୍ଞା ତେଣୁ ହେଲା ॥ ୪୪

ସେ ଅଧିରଥର ନନ୍ଦନ । ତାହାର ନାମ ହେଲା କ‰ର୍ଣ୍ଣ ॥ ୪୫

ତାହାର ବୃଷସେନ ସୁତ । ଏବେ ତୁ ଶୁଣ ନରନାଥ ॥ ୪୬

ଏବେ ତୁ ଦ୍ରୁହ୍ୟୁବଂଶ ଶୁଣ । ବଭ୍ରୁ ଯେ ତାହାର ନନ୍ଦନ ॥ ୪୭

ତା'ର ତନୟ ସେତୁ ନାମ । ଆରବ୍ଧ ତାହାର ନନ୍ଦନ ॥ ୪୮

ତାହାର ପୁତ୍ର ଯେ ଗାନ୍ଧାର । ଧର୍ମ ଯେ କୁମର ତାହାର ॥ ୪୯

ଧର୍ମର ପୁତ୍ର ନାମ ଧୃତ । ଦୁର୍ମନା ତାହାର ଯେ ପୁତ୍ର ॥ ୫୦

ତାହାର ପୁତ୍ର ଯେ ପ୍ରଚେତ । ହେଲେ ତାହାର ଶତେ ପୁତ୍ର ॥ ୫୧

ଉତ୍ତରେ ସେ ନାନା ଦେଶରେ । ରହିଲେ ମ୍ଳେଚ୍ଛ ଅଧିକାରେ ॥ ୫୨

ତୁର୍ବସୁ ତହୁଁ ବହ୍ନି ଜାତ । ଭର୍ଗ ତାହାର ହେଲା ସୁତ ॥ ୫୩

ତା'ର ପୁତ୍ର ଯେ ଭାନୁମାନ । ତ୍ରିଭାନୁ ତାହାର ନନ୍ଦନ ॥ ୫୪

କରନ୍ଧମ ଯେ ତା'ର ସୁତ । ତାହାର ତନୟ ମରୁତ ॥ ୫୫

ପୁରୁବଂଶରେ ହୋଇ ଜାତ । ଯା' ନାମ ଅଟଇ ଦୁଷ୍ୟନ୍ତ ॥ ୫୬

ମରୁତ ତା'କୁ କଲା ପୁତ୍ର । ସେପୁଣି ରାଜ୍ୟ ଲୋଭେ ଗ୍ରସ୍ତ ॥ ୫୭

ପୁଣି ସେ ବଂଶେ ପ୍ରବେଶିଲା । ଉଭୟ ରାଜ୍ୟ ଭୋଗ କଲା ॥ ୫୮

ଏମନ୍ତେ ଅନୁବଂଶ ଯେତେ । କହିଲି ବଂଶାନୁଚରିତେ ॥ ୫୯

ଯହିଁ ଅଶେଷ ନୃପଗଣ । ଏବେ ହୋ ଯଦୁବଂଶ ଶୁଣ ॥ ୬୦

ଯେ ବଂଶେ ପ୍ରଭୁ ଭାବଗ୍ରାହୀ । ଜନ୍ମିଲେ କୃଷ୍ଣ ଦେହ ବହି ॥ ୬୧

ଏ ବଂଶ ମହିମା ଶୁଣନ୍ତେ । ପାପ ନରହେ ହୃଦଗତେ ॥ ୬୨

ଯଦୁରାଜାର ଚାରି ସୁତେ । ଶୁଣ ତାହାଙ୍କ ନାମ ଯେତେ ॥ ୬୩

ସହସ୍ରଜିତ ରିପୁ ବେନି । ଆବର କ୍ରୋଷ୍ଟା ନଳ ଘେନି ॥ ୬୪

ସହସ୍ରଜିତ ତହୁଁ ଜାତ । ଶତଜିତ ନାମରେ ସୁତ ॥ ୬୫

ସହସ୍ରଜିତ ସୁତ ତିନି । ରୂପ ଲାବଣ୍ୟ ଗୁଣ ଘେନି ॥ ୬୬

ଯେ ମହାହୟ ବେଣୁହୟ । ହୈହୟ ନାମେ ମହାଶୟ ॥ ୬୭

ଧର୍ମ ଯେ ହୈହୟର ସୁତ । ନେତ୍ର ତାହାର ବୀର୍ଯ୍ୟେ ଜାତ ॥ ୬୮

କୁନ୍ତି ତାହାର ପୁତ୍ର ହୋଏ । ସୋହଞ୍ଜି କୁନ୍ତିର ତନୟେ ॥ ୬୯

ତାହାର ପୁତ୍ର ମହୀଷ୍ମାନ । ତା'ର କୁମର ଭଦ୍ରସେନ ॥ ୭୦

ଭଦ୍ରସେନର ତହୁଁ ଜନ୍ମି । ଦୁର୍ମଦ ଧନକ ଏ ବେନି ॥ ୭୧

କୃତାଗ୍ନି କୃତବୀର୍ଯ୍ୟେ ବେନି । କୃତୌଜା କୃତବର୍ମା ଘେନି ॥ ୭୨

ଧନକ ପୁତ୍ର ଏ ଜଗତେ । ବିଷ୍ଣୁର ତେଜ ଅପ୍ରମିତେ ॥ ୭୩

କୃତବୀର୍ଯ୍ୟ ସୁତ ଅର୍ଜ୍ଜୁନ । ସପତଦ୍ୱୀପେ ସେ ରାଜନ ॥ ୭୪

ଦତ୍ତାତ୍ରେୟଙ୍କୁ ସେବା କରି । ଯୋଗେ ହୋଇଲା ଅଧିକାରୀ ॥ ୭୫

ସେ କାର୍ତ୍ତବୀର୍ଯ୍ୟର ମହିମା । କେ କହିପାରେ ଗୁଣସୀମା ॥ ୭୬

ହୈହୟ ବଂଶେ ରାଜା ଯେତେ । ତପସ୍ୟା ଯଜ୍ଞ ଦାନ ମତେ ॥ ୭୭

ନାନା ପ୍ରକାରେ ଯେତେ ସାଧି । ଅଣିମା ଆଦି ଅଷ୍ଟନିଧି ॥ ୭୮

ପଞ୍ଚାଶୀ ସହସ୍ର ବରଷ । ସମ୍ପଦ ଭୁଞ୍ଜିଲା ଅଶେଷ ॥ ୭୯

ତାହାର ସମ ଏ ସଂସାରେ । କେହି ନୋହିଲେ ଅଧିକାରେ ॥ ୮୦

ତାହାର ସହସ୍ରେ ନନ୍ଦନ । ଯୁଦ୍ଧେ ସେ ହୋଇଲେ ନିଧନ ॥ ୮୧

ତା' ମଧ୍ୟେ ପାଞ୍ଚ ଯେ କୁମର । କ୍ଷତ୍ରିୟ ବଳେ ବଳୀୟାର ॥ ୮୨

ଜୟଧ୍ୱଜ ଯେ ଶୂରସେନ । ବୃଷଭ ମଧୁ ବିଦ୍ୟମାନ ॥ ୮୩

ଉର୍ଜ୍ଜିତ ଅଟଇ ପଞ୍ଚମେ । ଅଇରୀ କମ୍ପନ୍ତି ଯା' ନାମେ ॥ ୮୪

ଜୟଧ୍ୱଜର ତହୁଁ ଜାତ । ନାମ ତା' ତାଳଜଂଘ ଖ୍ୟାତ ॥ ୮୫

ଶତେ ନନ୍ଦନ ତା'ର ହୋଏ । ଯା' ନାମେ ରିପୁ କରେ ଭୟେ ॥ ୮୬

ଔର୍ବ ଋଷିଙ୍କ ବ୍ରହ୍ମତେଜେ । କ୍ଷତ୍ରିୟ ପଣେ ତା'ଙ୍କ ରାଜ୍ୟେ ॥ ୮୭

ସଗର ତା'ଙ୍କୁ କଲେ ହତ । ଏ ଯେ କ୍ଷତ୍ରିୟ ବୀର ସୁତ ॥ ୮୮

ତାହାଙ୍କ ମଧ୍ୟେ ଜ୍ୟେଷ୍ଠସୁତ । ତାହାର ନାମ ବୀତିହୋତ୍ର ॥ ୮୯

ମଧୁର ଶତେ ପୁତ୍ର ହୋଇ । ବୃଷ୍ଣି ତା' ମଧ୍ୟେ ଜ୍ୟେଷ୍ଠ ଥାଇ ॥ ୯୦

ମାଧବ ବୃଷ୍ଣି ଯେ ଯାଦବ । ଏଣୁ ଏ ଘୋଷନ୍ତି ସାଧବ ॥ ୯୧

ଯଦୁପୁତ୍ର କ୍ରୋଷ୍ଠାର ବୀର୍ଯ୍ୟେ । ବୃଜିନବାନ ଯେ ଉପୁଜେ ॥ ୯୨

ତା' ପୁତ୍ର ଶ୍ୱାହିତ ହୋଇଲା । ରୁଶେକୁ ଅଟେ ତାର ବଳା ॥ ୯୩

ତା'ର କୁମର ଚିତ୍ରରଥ । ତାହାର ଶଶବିନ୍ଦୁ ସୁତ ॥ ୯୪

ସେ ମହାଯୋଗୀ ମହାଭୁଜ । ଭୁବନଜିତ ତା'ର ତେଜ ॥ ୯୫

ଦଶସହସ୍ର ତା'ର ନାରୀ । ଅଶେଷ ଯଶେ ଅଧିକାରୀ ॥ ୯୬

ନାରୀ ଗୋଟିକେ ଲକ୍ଷେ ସୁତ । ଶଶବିନ୍ଦୁର ହେଲେ ଜାତ ॥ ୯୭

ଏମନ୍ତେ ଦଶସସ୍ର ଲକ୍ଷ । କୁମରେ ହୋଇଲେ ପ୍ରତ୍ୟକ୍ଷ ॥ ୯୮

ତାହାଙ୍କ ମଧ୍ୟେ ଷଡ଼ସୁତେ । ପୃଥୁଶ୍ରବାଦି ଏ ଜଗତେ ॥ ୯୯

ଧର୍ମ ଯେ ପୃଥୁଶ୍ରବା ବଳା । ତହୁଁ ଉଶନା ଜନମିଲା ॥ ୧୦୦

ଅଶ୍ୱମେଧରେ ସେ ଦୀକ୍ଷିତ । ହୋଇ କଲାକ ଯଜ୍ଞ ଶତ ॥ ୧୦୧

ରୁଚକ ନାମେ ତା'ର ସୁତ । ତା'ର କୁମର ପାଞ୍ଚ ଜାତ ॥ ୧୦୨

ରୁକ୍ମ ରୁକ୍ମେଷୁ ପୁରୁଜିତ । ପୃଥୁ ଜ୍ୟାମଘ ପାଞ୍ଚସୁତ ॥ ୧୦୩

ଜ୍ୟାମଘ ପତ୍ନୀ ଶୈବ୍ୟା ହୋଇ । କେବେହେଁ ପୁତ୍ର ନ ଲଭଇ ॥ ୧୦୪

ଜ୍ୟାମଘ ତା'କୁ କରି ଭୟ । ନ କଲା ଦାର ପରିଗ୍ରହ ॥ ୧୦୫

ସେ ରାଜା ଦିଗବିଜେ କରି । ଅନେକ ରିପୁବଳ ମାରି ॥ ୧୦୬

ନାନା ପ୍ରକାରେ ରିପୁ ଜିଣି । ଅନେକ ଧନରତ୍ନ ଆଣି ॥ ୧୦୭

କନ୍ୟାଏ ପାଇ ରୂପରାଶି । ତାହାଙ୍କ ସଙ୍ଗେ ରଥେ ବସି ॥ ୧୦୮

ମିଳିଲା ଆପଣା ଭୁବନେ । ଅନେକ ବାଦ୍ୟ ନାଦ ସ୍ୱନେ ॥ ୧୦୯

ଶୈବ୍ୟା ନାମେଣ ତା'ର ରାଣୀ । ଉତ୍ସ›ବ ବାଦ୍ୟନାଦ ଶୁଣି ॥ ୧୧୦

ମନ୍ଦିରୁ ହୋଇଲା ବାହାର । ଭୁଷିତ ନାନା ଅଳଙ୍କାର ॥ ୧୧୧

ରଥକୁ ଚାହେଁ ବେନି ଡ଼ୋଳେ । କନ୍ୟାଏ ଅଛି ତା'ର କୋଳେ ॥ ୧୧୨

ଅତି ସୁନ୍ଦର ତା'ର ତନୁ । ଦେଖି ପାଇଲା ହୃଦେ ମନ୍ୟୁ ॥ ୧୧୩

ବୋଇଲା ରାଜାମୁଖ ଚାହିଁ । ଏ କନ୍ୟା ପାଇଲୁ ତୁ କାହିଁ ॥ ୧୧୪

ଶୈବ୍ୟା ବଚନ ଶୁଣି ରାୟେ । ହୃଦେ ପାଇଲା ମହାଭୟେ ॥ ୧୧୫

ବୋଇଲେ ମଧୁର ଉତ୍ତର । ଏ କନ୍ୟା ବଧୂ ଯେ ତୋହର ॥ ୧୧୬

ଶୈବ୍ୟା ବୋଲଇ କୋପ ବହି । ଏ ଜନ୍ମେ ତୋ'ର ପୁତ୍ର ନାହିଁ ॥ ୧୧୭

ଆଣିଲୁ ସପତଣୀ ଅର୍ଥେ । ଏବେ ତୁ ଭŠଣ୍ତୁ ମୋ' ଅଗ୍ରତେ ॥ ୧୧୮

ଶୁଣି ସେ ଶୈବ୍ୟାର ବଚନ । ମଧୁରେ ବୋଇଲେ ରାଜନ ॥ ୧୧୯

ଏବେ ଯେ ପୁତ୍ର ଉପୁଜିବ । ଏ କନ୍ୟା ସେ ବିଭା ହୋଇବ ॥ ୧୨୦

ଅନେକ ହୋଇବ ମୋ' ବଂଶ । ତୁ ଶୁଣି ଶୈବ୍ୟା ହେଲା ତୋଷ ॥ ୧୨୧

ଭୁବନେ କଲା ସେ ପ୍ରବେଶ । ଆନନ୍ଦେ ହୋଇ ହସହସ ॥ ୧୨୨

ସନ୍ତୋଷ ହେଲେ ପିତୃଦେବେ । ପୁତ୍ର ହୋଇଲା ଶୈବ୍ୟାଗର୍ଭେ ॥ ୧୨୩

ସୁନ୍ଦରେ ଜଗତ ମୋହିଲା । ବିଦର୍ଭ ତା'କୁ ନାମ ଦେଲା ॥ ୧୨୪

ସେ କନ୍ୟା ପୁତ୍ରେ ବିଭାକଲା । ଶୁଣ ହୋ ଗୋବିନ୍ଦର ଲୀଳା ॥ ୧୨୫

ସୁଜନ ଜନେ ଏଣେ ଭାବ । ଏ ଘୋର ସଂସାରୁ ତରିବ ॥ ୧୨୬

ବୋଲଇ ଦାସ ଜଗନ୍ନାଥ । ନବମେ ବଂଶାନୁଚରିତ ॥ ୧୨୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ତ୍ରୟେବିଂଶୋଽଧ୍ୟାୟଃ ॥

* * *