ନବମ ସ୍କନ୍ଧ
ତ୍ରୟୋବିଂଶ ଅଧ୍ୟାୟ
ଶୁକ ଉବାଚ
ଅନୁର ବଂଶେ ତିନିସୁତ । ଶୁଣ ରାଜନ ପରୀକ୍ଷିତ ॥ ୧
ଚକ୍ଷୁ ପରେକ୍ଷୁ ବେନି ସୁତ । ତୃତୀୟେ ସଭାନର ଜାତ ॥ ୨
ସଭାନରରୁ କାଳନର । ସୃଞ୍ଜୟ ତାହାର କୁମର ॥ ୩
ଜନମେଜୟ ତା'ର ସୁତ । ତା'ଠାରୁ ମହାଶାଳ ଜାତ ॥ ୪
ତହୁଁ ଯେ ମହାମନା ଜାତ । ତାହାର ହେଲେ ଦୁଇ ସୁତ ॥ ୫
ସେ ମହାମନା ବୀର୍ଯ୍ୟେ ଘେନି । ତିତିକ୍ଷୁ ଉଶୀନର ବେନି ॥ ୬
ଶିବି ଯେ କୃମି ଦକ୍ଷ ବର । ଉଶୀନର ଚାରି କୁମର ॥ ୭
ଉଶୀନରର ବୀର୍ଯ୍ୟେ ଜାତ । ହୋଇଲେ ଜଗତେ ବିଦିତ ॥ ୮
ହୋଇଲେ ଶିବି ବୀର୍ଯ୍ୟେ ଜନ୍ମ । ଅଦ୍ଭୁତ ତାହାଙ୍କର କର୍ମ ॥ ୯
ବୃଷାଦର୍ଭ ସୁବୀର ଦୁଇ । ମଦ୍ର କେକୟ ଚାରିଭାଇ ॥ ୧୦
ତିତିକ୍ଷୁ ପୁତ୍ର ଋଷଦ୍ରଥ । ଅଦ୍ଭୁତ ତାହାର ଚରିତ ॥ ୧୧
ତାହାର ପୁତ୍ର ନାମ ହୋମ । ସୁତପା ତାହାର ନନ୍ଦନ ॥ ୧୨
ସୁତପା ପୁତ୍ର ବଳି ହୋଇ । ବନେ ତପସ୍ୱୀ ରୂପ ବହି ॥ ୧୩
ରହିଲା ସଂସାର ଉପେକ୍ଷି । ସ୍ୱପନ ପ୍ରାୟେ ସର୍ବ ଦେଖି ॥ ୧୪
ବଳିର କ୍ଷେତ୍ରେ ଷଡ଼ାତ୍ମଜେ । ଜନ୍ମିଲେ ଦୀର୍ଘତମା ବୀର୍ଯ୍ୟେ ॥ ୧୫
ଅଙ୍ଗବଙ୍ଗ କଳିଙ୍ଗ ତିନି । ସୁହ୍ମ ପୁଣ୍ତ୍ର ଯେ ଉଡ୍ର ଘେନି ॥ ୧୬
ଆପଣା ନାମେ ରାଜ୍ୟ କରି । ସୁଖେ ପାଳିଲେ ବସୁନ୍ଧରୀ ॥ ୧୭
ଏ ଷଡ଼ଦେଶେ ହୋଇ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥ ୧୮
ଅଙ୍ଗ ତନୟ ଖନପାନ । ଦିବିରଥ ତା'ର ନନ୍ଦନ ॥ ୧୯
ଧର୍ମତଥ ଯେ ତା'ର ସୁତ । ତା' ତହୁଁ ଜନ୍ମ ଚିତ୍ରରଥ ॥ ୨୦
ସେ ଚିତ୍ରରଥ ବଂଶହୀନ । ରୋମପାଦ ତା' ଖ୍ୟାତ ନାମ ॥ ୨୧
ଦଶରଥର ସଖା ସେହି । ଅପୁତ୍ର ତା'ର ବଂଶ ଚାହିଁ ॥ ୨୨
ଶାନ୍ତା କନ୍ୟାକୁ ଦେଲା ନେଇ । ଅତି ଆନନ୍ଦେ ତୋଷ ହୋଇ ॥ ୨୩
ସେ ତା'କୁ ଋଷ୍ୟଶୃଙ୍ଗ ତୁଲେ । ବେଦବିଧାନେ ବିଭା ଦେଲେ ॥ ୨୪
ପୂର୍ବେ ସେ ରୋମପାଦ ଦେଶେ । ତା' ଦେଶେ ଇନ୍ଦ୍ର ନ ବରଷେ ॥ ୨୫
ମନ୍ତ୍ରୀ ବଚନେ ଜ୍ଞାନ ପାଇ । ହରିଣୀସୁତକୁ ଅଣାଇ ॥ ୨୬
ରାଜା ଆଦେଶେ ବେଶ୍ୟାଗଣ । ଗଲେ ସେ ମୁନି ତପୋବନ ॥ ୨୭
ତାହାଙ୍କ ନୃତ୍ୟବାଦ୍ୟ ଗୀତେ । ବିଭ୍ରମ ଜନ୍ମେ ଋଷି ଚିତ୍ତେ ॥ ୨୮
ଗଣିକା ନୃତ୍ୟଗୀତ ବଳେ । ଚିତ୍ତ ମଜ୍ଜିଲା କାମଭୋଳେ ॥ ୨୯
ଇନ୍ଦ୍ର ନିମନ୍ତେ ଯଜ୍ଞ ପୁଣ । ସେ ଋଷି କଲେ ନାନା କର୍ମ ॥ ୩୦
ଏମନ୍ତେ ଇନ୍ଦ୍ର ବରଷିଲା । ରାଜାର ସନ୍ତତି ହୋଇଲା ॥ ୩୧
ସନ୍ତାନ ହୀନ ଦଶରଥ । ତା'ର ସକାଶୁଁ ପୁତ୍ର ପ୍ରାପ୍ତ ॥ ୩୨
ରୋମପାଦର ଯେଉଁ ସୁତ । ସେ ଚତୁରଙ୍ଗ ନାମେ ଖ୍ୟାତ ॥ ୩୩
ତା' ପୁତ୍ର ପୃଥୁଳାକ୍ଷ ହେଲା । ତାହାର ବୃହଦ୍ରଥ ବଳା ॥ ୩୪
ଆବର ବୃହଦ୍ଭାନୁ ନାମ । ତୃତୀୟେ ପୁଣି ବୃହତ୍କର୍ମ ॥ ୩୫
ବୃହଦ୍ରଥରୁ ବୃହନ୍ମନ । ତା' ପୁତ୍ର ଜୟଦ୍ରଥ ନାମ ॥ ୩୬
ବିଜୟ ତାହାର କୁମର । ତହୁଁ ଜନ୍ମିଲା ଧୃତିବୀର ॥ ୩୭
ତା'ର କୁମର ଧୃତବ୍ରତ । ସତ୍କର୍ମା ହେଲା ତା'ର ସୁତ ॥ ୩୮
ଅଧିରଥ ତା'ର ନନ୍ଦନ । ବନେ ଭ୍ରମୁଁ ସେ ଏକଦିନ ॥ ୩୯
ଗଙ୍ଗାର ତୀରେ କ୍ରିଡ଼ାକାଳେ । ଦେଖେ ମଞ୍ଜୁଷା ଭାସେ ଜଳେ ॥ ୪୦
ମଞ୍ଜୁଷା ମଧ୍ୟେ ଶିଶୁ ଦେଖି । ରାଜା ହୋଇଲା ଅତି ସୁଖୀ ॥ ୪୧
ସେ ଶିଶୁ କୁନ୍ତୀ ଗର୍ଭଜାତ । କୁନ୍ତୀ ତାହାକୁ କଲା ତ୍ୟକ୍ତ ॥ ୪୨
ସେ ରାଜା ନିଃସନ୍ତାନ ଥିଲା । ଶିଶୁପୁତ୍ରକୁ ସେ ପାଳିଲା ॥ ୪୩
କନ୍ୟା କାଳରେ ଜନ୍ମିଥିଲା । କାନୀନ ସଜ୍ଞା ତେଣୁ ହେଲା ॥ ୪୪
ସେ ଅଧିରଥର ନନ୍ଦନ । ତାହାର ନାମ ହେଲା କର୍ଣ୍ଣ ॥ ୪୫
ତାହାର ବୃଷସେନ ସୁତ । ଏବେ ତୁ ଶୁଣ ନରନାଥ ॥ ୪୬
ଏବେ ତୁ ଦ୍ରୁହ୍ୟୁବଂଶ ଶୁଣ । ବଭ୍ରୁ ଯେ ତାହାର ନନ୍ଦନ ॥ ୪୭
ତା'ର ତନୟ ସେତୁ ନାମ । ଆରବ୍ଧ ତାହାର ନନ୍ଦନ ॥ ୪୮
ତାହାର ପୁତ୍ର ଯେ ଗାନ୍ଧାର । ଧର୍ମ ଯେ କୁମର ତାହାର ॥ ୪୯
ଧର୍ମର ପୁତ୍ର ନାମ ଧୃତ । ଦୁର୍ମନା ତାହାର ଯେ ପୁତ୍ର ॥ ୫୦
ତାହାର ପୁତ୍ର ଯେ ପ୍ରଚେତ । ହେଲେ ତାହାର ଶତେ ପୁତ୍ର ॥ ୫୧
ଉତ୍ତରେ ସେ ନାନା ଦେଶରେ । ରହିଲେ ମ୍ଳେଚ୍ଛ ଅଧିକାରେ ॥ ୫୨
ତୁର୍ବସୁ ତହୁଁ ବହ୍ନି ଜାତ । ଭର୍ଗ ତାହାର ହେଲା ସୁତ ॥ ୫୩
ତା'ର ପୁତ୍ର ଯେ ଭାନୁମାନ । ତ୍ରିଭାନୁ ତାହାର ନନ୍ଦନ ॥ ୫୪
କରନ୍ଧମ ଯେ ତା'ର ସୁତ । ତାହାର ତନୟ ମରୁତ ॥ ୫୫
ପୁରୁବଂଶରେ ହୋଇ ଜାତ । ଯା' ନାମ ଅଟଇ ଦୁଷ୍ୟନ୍ତ ॥ ୫୬
ମରୁତ ତା'କୁ କଲା ପୁତ୍ର । ସେପୁଣି ରାଜ୍ୟ ଲୋଭେ ଗ୍ରସ୍ତ ॥ ୫୭
ପୁଣି ସେ ବଂଶେ ପ୍ରବେଶିଲା । ଉଭୟ ରାଜ୍ୟ ଭୋଗ କଲା ॥ ୫୮
ଏମନ୍ତେ ଅନୁବଂଶ ଯେତେ । କହିଲି ବଂଶାନୁଚରିତେ ॥ ୫୯
ଯହିଁ ଅଶେଷ ନୃପଗଣ । ଏବେ ହୋ ଯଦୁବଂଶ ଶୁଣ ॥ ୬୦
ଯେ ବଂଶେ ପ୍ରଭୁ ଭାବଗ୍ରାହୀ । ଜନ୍ମିଲେ କୃଷ୍ଣ ଦେହ ବହି ॥ ୬୧
ଏ ବଂଶ ମହିମା ଶୁଣନ୍ତେ । ପାପ ନରହେ ହୃଦଗତେ ॥ ୬୨
ଯଦୁରାଜାର ଚାରି ସୁତେ । ଶୁଣ ତାହାଙ୍କ ନାମ ଯେତେ ॥ ୬୩
ସହସ୍ରଜିତ ରିପୁ ବେନି । ଆବର କ୍ରୋଷ୍ଟା ନଳ ଘେନି ॥ ୬୪
ସହସ୍ରଜିତ ତହୁଁ ଜାତ । ଶତଜିତ ନାମରେ ସୁତ ॥ ୬୫
ସହସ୍ରଜିତ ସୁତ ତିନି । ରୂପ ଲାବଣ୍ୟ ଗୁଣ ଘେନି ॥ ୬୬
ଯେ ମହାହୟ ବେଣୁହୟ । ହୈହୟ ନାମେ ମହାଶୟ ॥ ୬୭
ଧର୍ମ ଯେ ହୈହୟର ସୁତ । ନେତ୍ର ତାହାର ବୀର୍ଯ୍ୟେ ଜାତ ॥ ୬୮
କୁନ୍ତି ତାହାର ପୁତ୍ର ହୋଏ । ସୋହଞ୍ଜି କୁନ୍ତିର ତନୟେ ॥ ୬୯
ତାହାର ପୁତ୍ର ମହୀଷ୍ମାନ । ତା'ର କୁମର ଭଦ୍ରସେନ ॥ ୭୦
ଭଦ୍ରସେନର ତହୁଁ ଜନ୍ମି । ଦୁର୍ମଦ ଧନକ ଏ ବେନି ॥ ୭୧
କୃତାଗ୍ନି କୃତବୀର୍ଯ୍ୟେ ବେନି । କୃତୌଜା କୃତବର୍ମା ଘେନି ॥ ୭୨
ଧନକ ପୁତ୍ର ଏ ଜଗତେ । ବିଷ୍ଣୁର ତେଜ ଅପ୍ରମିତେ ॥ ୭୩
କୃତବୀର୍ଯ୍ୟ ସୁତ ଅର୍ଜ୍ଜୁନ । ସପତଦ୍ୱୀପେ ସେ ରାଜନ ॥ ୭୪
ଦତ୍ତାତ୍ରେୟଙ୍କୁ ସେବା କରି । ଯୋଗେ ହୋଇଲା ଅଧିକାରୀ ॥ ୭୫
ସେ କାର୍ତ୍ତବୀର୍ଯ୍ୟର ମହିମା । କେ କହିପାରେ ଗୁଣସୀମା ॥ ୭୬
ହୈହୟ ବଂଶେ ରାଜା ଯେତେ । ତପସ୍ୟା ଯଜ୍ଞ ଦାନ ମତେ ॥ ୭୭
ନାନା ପ୍ରକାରେ ଯେତେ ସାଧି । ଅଣିମା ଆଦି ଅଷ୍ଟନିଧି ॥ ୭୮
ପଞ୍ଚାଶୀ ସହସ୍ର ବରଷ । ସମ୍ପଦ ଭୁଞ୍ଜିଲା ଅଶେଷ ॥ ୭୯
ତାହାର ସମ ଏ ସଂସାରେ । କେହି ନୋହିଲେ ଅଧିକାରେ ॥ ୮୦
ତାହାର ସହସ୍ରେ ନନ୍ଦନ । ଯୁଦ୍ଧେ ସେ ହୋଇଲେ ନିଧନ ॥ ୮୧
ତା' ମଧ୍ୟେ ପାଞ୍ଚ ଯେ କୁମର । କ୍ଷତ୍ରିୟ ବଳେ ବଳୀୟାର ॥ ୮୨
ଜୟଧ୍ୱଜ ଯେ ଶୂରସେନ । ବୃଷଭ ମଧୁ ବିଦ୍ୟମାନ ॥ ୮୩
ଉର୍ଜ୍ଜିତ ଅଟଇ ପଞ୍ଚମେ । ଅଇରୀ କମ୍ପନ୍ତି ଯା' ନାମେ ॥ ୮୪
ଜୟଧ୍ୱଜର ତହୁଁ ଜାତ । ନାମ ତା' ତାଳଜଂଘ ଖ୍ୟାତ ॥ ୮୫
ଶତେ ନନ୍ଦନ ତା'ର ହୋଏ । ଯା' ନାମେ ରିପୁ କରେ ଭୟେ ॥ ୮୬
ଔର୍ବ ଋଷିଙ୍କ ବ୍ରହ୍ମତେଜେ । କ୍ଷତ୍ରିୟ ପଣେ ତା'ଙ୍କ ରାଜ୍ୟେ ॥ ୮୭
ସଗର ତା'ଙ୍କୁ କଲେ ହତ । ଏ ଯେ କ୍ଷତ୍ରିୟ ବୀର ସୁତ ॥ ୮୮
ତାହାଙ୍କ ମଧ୍ୟେ ଜ୍ୟେଷ୍ଠସୁତ । ତାହାର ନାମ ବୀତିହୋତ୍ର ॥ ୮୯
ମଧୁର ଶତେ ପୁତ୍ର ହୋଇ । ବୃଷ୍ଣି ତା' ମଧ୍ୟେ ଜ୍ୟେଷ୍ଠ ଥାଇ ॥ ୯୦
ମାଧବ ବୃଷ୍ଣି ଯେ ଯାଦବ । ଏଣୁ ଏ ଘୋଷନ୍ତି ସାଧବ ॥ ୯୧
ଯଦୁପୁତ୍ର କ୍ରୋଷ୍ଠାର ବୀର୍ଯ୍ୟେ । ବୃଜିନବାନ ଯେ ଉପୁଜେ ॥ ୯୨
ତା' ପୁତ୍ର ଶ୍ୱାହିତ ହୋଇଲା । ରୁଶେକୁ ଅଟେ ତାର ବଳା ॥ ୯୩
ତା'ର କୁମର ଚିତ୍ରରଥ । ତାହାର ଶଶବିନ୍ଦୁ ସୁତ ॥ ୯୪
ସେ ମହାଯୋଗୀ ମହାଭୁଜ । ଭୁବନଜିତ ତା'ର ତେଜ ॥ ୯୫
ଦଶସହସ୍ର ତା'ର ନାରୀ । ଅଶେଷ ଯଶେ ଅଧିକାରୀ ॥ ୯୬
ନାରୀ ଗୋଟିକେ ଲକ୍ଷେ ସୁତ । ଶଶବିନ୍ଦୁର ହେଲେ ଜାତ ॥ ୯୭
ଏମନ୍ତେ ଦଶସସ୍ର ଲକ୍ଷ । କୁମରେ ହୋଇଲେ ପ୍ରତ୍ୟକ୍ଷ ॥ ୯୮
ତାହାଙ୍କ ମଧ୍ୟେ ଷଡ଼ସୁତେ । ପୃଥୁଶ୍ରବାଦି ଏ ଜଗତେ ॥ ୯୯
ଧର୍ମ ଯେ ପୃଥୁଶ୍ରବା ବଳା । ତହୁଁ ଉଶନା ଜନମିଲା ॥ ୧୦୦
ଅଶ୍ୱମେଧରେ ସେ ଦୀକ୍ଷିତ । ହୋଇ କଲାକ ଯଜ୍ଞ ଶତ ॥ ୧୦୧
ରୁଚକ ନାମେ ତା'ର ସୁତ । ତା'ର କୁମର ପାଞ୍ଚ ଜାତ ॥ ୧୦୨
ରୁକ୍ମ ରୁକ୍ମେଷୁ ପୁରୁଜିତ । ପୃଥୁ ଜ୍ୟାମଘ ପାଞ୍ଚସୁତ ॥ ୧୦୩
ଜ୍ୟାମଘ ପତ୍ନୀ ଶୈବ୍ୟା ହୋଇ । କେବେହେଁ ପୁତ୍ର ନ ଲଭଇ ॥ ୧୦୪
ଜ୍ୟାମଘ ତା'କୁ କରି ଭୟ । ନ କଲା ଦାର ପରିଗ୍ରହ ॥ ୧୦୫
ସେ ରାଜା ଦିଗବିଜେ କରି । ଅନେକ ରିପୁବଳ ମାରି ॥ ୧୦୬
ନାନା ପ୍ରକାରେ ରିପୁ ଜିଣି । ଅନେକ ଧନରତ୍ନ ଆଣି ॥ ୧୦୭
କନ୍ୟାଏ ପାଇ ରୂପରାଶି । ତାହାଙ୍କ ସଙ୍ଗେ ରଥେ ବସି ॥ ୧୦୮
ମିଳିଲା ଆପଣା ଭୁବନେ । ଅନେକ ବାଦ୍ୟ ନାଦ ସ୍ୱନେ ॥ ୧୦୯
ଶୈବ୍ୟା ନାମେଣ ତା'ର ରାଣୀ । ଉତ୍ସବ ବାଦ୍ୟନାଦ ଶୁଣି ॥ ୧୧୦
ମନ୍ଦିରୁ ହୋଇଲା ବାହାର । ଭୁଷିତ ନାନା ଅଳଙ୍କାର ॥ ୧୧୧
ରଥକୁ ଚାହେଁ ବେନି ଡ଼ୋଳେ । କନ୍ୟାଏ ଅଛି ତା'ର କୋଳେ ॥ ୧୧୨
ଅତି ସୁନ୍ଦର ତା'ର ତନୁ । ଦେଖି ପାଇଲା ହୃଦେ ମନ୍ୟୁ ॥ ୧୧୩
ବୋଇଲା ରାଜାମୁଖ ଚାହିଁ । ଏ କନ୍ୟା ପାଇଲୁ ତୁ କାହିଁ ॥ ୧୧୪
ଶୈବ୍ୟା ବଚନ ଶୁଣି ରାୟେ । ହୃଦେ ପାଇଲା ମହାଭୟେ ॥ ୧୧୫
ବୋଇଲେ ମଧୁର ଉତ୍ତର । ଏ କନ୍ୟା ବଧୂ ଯେ ତୋହର ॥ ୧୧୬
ଶୈବ୍ୟା ବୋଲଇ କୋପ ବହି । ଏ ଜନ୍ମେ ତୋ'ର ପୁତ୍ର ନାହିଁ ॥ ୧୧୭
ଆଣିଲୁ ସପତଣୀ ଅର୍ଥେ । ଏବେ ତୁ ଭଣ୍ତୁ ମୋ' ଅଗ୍ରତେ ॥ ୧୧୮
ଶୁଣି ସେ ଶୈବ୍ୟାର ବଚନ । ମଧୁରେ ବୋଇଲେ ରାଜନ ॥ ୧୧୯
ଏବେ ଯେ ପୁତ୍ର ଉପୁଜିବ । ଏ କନ୍ୟା ସେ ବିଭା ହୋଇବ ॥ ୧୨୦
ଅନେକ ହୋଇବ ମୋ' ବଂଶ । ତୁ ଶୁଣି ଶୈବ୍ୟା ହେଲା ତୋଷ ॥ ୧୨୧
ଭୁବନେ କଲା ସେ ପ୍ରବେଶ । ଆନନ୍ଦେ ହୋଇ ହସହସ ॥ ୧୨୨
ସନ୍ତୋଷ ହେଲେ ପିତୃଦେବେ । ପୁତ୍ର ହୋଇଲା ଶୈବ୍ୟାଗର୍ଭେ ॥ ୧୨୩
ସୁନ୍ଦରେ ଜଗତ ମୋହିଲା । ବିଦର୍ଭ ତା'କୁ ନାମ ଦେଲା ॥ ୧୨୪
ସେ କନ୍ୟା ପୁତ୍ରେ ବିଭାକଲା । ଶୁଣ ହୋ ଗୋବିନ୍ଦର ଲୀଳା ॥ ୧୨୫
ସୁଜନ ଜନେ ଏଣେ ଭାବ । ଏ ଘୋର ସଂସାରୁ ତରିବ ॥ ୧୨୬
ବୋଲଇ ଦାସ ଜଗନ୍ନାଥ । ନବମେ ବଂଶାନୁଚରିତ ॥ ୧୨୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ତ୍ରୟେବିଂଶୋଽଧ୍ୟାୟଃ ॥
* * *