ନବମ ସ୍କନ୍ଧ

ଦ୍ୱାବିଂଶ ଅଧ୍ୟାୟ

ବ୍ୟାସକୁମର ଅତି ତୋଷେ । କହନ୍ତି ପରୀକ୍ଷିତ ପାଶେ ॥

ଶୁକ ଉବାଚ

ମିତ୍ରାୟୁ ଦିବୋଦାସ ସୁତ । ଚ୍ୟବନ ତା'ର ତହୁଁ ଜାତ ॥

ସୁଦାସ ତାହାର ନନ୍ଦନ । ତା' ସୁତ ସହଦେବ ଘେନ ॥

ସୋମକ ସହଦେବ ସୁତ । ତା' ବୀର୍ଯ୍ୟୁ ହେଲେ ଶତେପୁତ୍ର ॥

ତାହାଙ୍କ ମଧ୍ୟେ ଜନ୍ତୁ ଜ୍ୟେଷ୍ଠ । ପୃଷତ ଅଟଇ କନିଷ୍ଠ ॥

ଦ୍ରୁପଦ ତାହାର ନନ୍ଦନ । ତା'ର ତନୟ ଧୃଷ୍ଟଦ୍ୟୁମ୍ନ ॥

ଦ୍ରୌପଦୀ କନ୍ୟା ତା'ଙ୍କ ଘରେ । ସେ ଆଦିଶକ୍ତି ଜନ୍ମାନ୍ତରେ ॥

ସେ ଧୃଷ୍ଟଦ୍ୟୁମ୍ନଙ୍କର ରେତୁଁ । ଜନ୍ମ ଲଭିଲେ ଧୃଷ୍ଟକେତୁ ॥

ଭର୍ମ୍ୟାଶ୍ୱ ବଂଶେ ଏତେ ଜାତ । ପାଞ୍ଚାଳ ନାମେ ହେଲେ ଖ୍ୟାତ ॥

ପାଞ୍ଚାଳ ଦେଶ ରାଜା ପଣେ । ପ୍ରଜା ପାଳିଲେ ଶୁଭକ୍ଷଣେ ॥ ୧୦

ଅଜମୀଢ଼ର ସୁତ ରକ୍ଷ । ତହୁଁ ସମ୍ବରଣ ପ୍ରତ୍ୟକ୍ଷ ॥ ୧୧

ସେ ପୁଣି କାଳିନ୍ଦୀର ଜଳେ । ସୂର୍ଯ୍ୟର କନ୍ୟା ସଙ୍ଗମେଳେ ॥ ୧୨

କୁରୁ ହୋଇଲା ତା'ର ବଂଶେ । ଏ କଥା ଶୁଣିଛୁ ଭବିଷ୍ୟେ ॥ ୧୩

କୁରୁର ପୁତ୍ର ହୋଏ ଚାରି । ପରୀକ୍ଷିତ ସୁଧନୁ ଆହୁରି ॥ ୧୪

ଜହ୍ନୁ ନିଷଧାଶ୍ୱ ସହିତେ । ଏ ରୂପେ ହେଲେ ଚାରିସୂତେ ॥ ୧୫

ସୁହୋତ୍ର ସୁଧନୁ ନନ୍ଦନ । ତାହାର ସୁତ ଯେ ଚ୍ୟବନ ॥ ୧୬

ଚ୍ୟବନ ସୁତ କୃତୀ ନାମ । ବସୁ ତାହାର ବୀର୍ଯ୍ୟେ ଜନ୍ମ ॥ ୧୭

ବସୁ ତନୟ ବୃହଦ୍ରଥ । କୁଶାମ୍ବ ଦ୍ୱିତୀୟ ଯେ ପୁତ୍ର ॥ ୧୮

ମ›ତ୍ସ୍ୟ ତୃତୀୟ ପୁତ୍ର ହୁଏ । ପ୍ରତ୍ୟଗ୍ର ଚତୁର୍ଥ ବୋଲାଏ ॥ ୧୯

ଚେଦିପ ଆଦି ବହୁ ଭ୍ରାତ । ଉପରିଚର ବସୁ ପୁତ୍ର ॥ ୨୦

କୁଶାଗ୍ର ବୃହଦ୍ରଥ ସୁତ । ଋଷଭ ତା'ର ତହୁଁ ଜାତ ॥ ୨୧

ଋଷଭ ପୁତ୍ର ସତ୍ୟହିତ । ପୁଷ୍ପବାନ ଯେ ତା'ର ସୁତ ॥ ୨୨

ବୃହଦ୍ରଥର ବେନିନାରୀ । ଦୁର୍ବାସା ପାଦେ ସେବା କରି ॥ ୨୩

ଗର୍ଭର ଅର୍ଥେ ଚ୍ୟୁତ ଫଳ । ବାଣ୍ଟି ଖାଇଲେ ବେନିଫାଳ ॥ ୨୪

ଋଷି ବଚନେ ତା'ଙ୍କ ବାଳେ । ଜନ୍ମ ହୋଇଲେ ବେନି ଫାଳେ ॥ ୨୫

ଜୀବନ ନାହିଁ ତା'ଙ୍କ ଦେହେ । କେ ଛାଡ଼ି ପାରି ପୁତ୍ର ସ୍ନେହେ ॥ ୨୬

ନିଶି ପର୍ଯ୍ୟନ୍ତେ କୋଳେ ବହି । ଶ୍ମଶାନେ ପକାଇଲେ ନେଇ ॥ ୨୭

ଏମନ୍ତେ ଶୁଣ ନରନାଥ । ଜରାରାକ୍ଷସୀ ଉପଗତ ॥ ୨୮

କ୍ଷୁଧା-ପୀଡ଼ନେ ଦେଶବନେ । ବୁଲଇ ଦୁର୍ଗମ ଶ୍ମଶାନେ ॥ ୨୯

ସ୍ୱଭାବେ ନରମାଂସ ଖାଇ । ଶ୍ମଶାନେ ମିଳିଲାକ ଯାଇ ॥ ୩୦

ଆନନ୍ଦେ ବେନିଖଣ୍ତŠ ଧରି । କ୍ଷେପନ୍ତେ ବଦନ ବିସ୍ତାରି ॥ ୩୧

ଦେଖେ ବାଳକ ବେନିଖଣ୍ତŠ । ତେଜେ ବିରାଜେ ମାରତଣ୍ତŠ ॥ ୩୨

ବେନିଫାଳକୁ ଏକ କଲା । ସ୍ୱମନ୍ତ୍ରେ ଜୀବନ୍ୟାସ ଦେଲା ॥ ୩୩

ଡାକଇ ଜୀବ ଜୀବ ରାବେ । ସେ ବେନିଖŠଣ୍ତ ଏକଭାବେ ॥ ୩୪

ତକ୍ଷଣେ କୁମର ହୋଇଲା । ସୁନ୍ଦରେ ଜଗତ ମୋହିଲା ॥ ୩୫

ପୁଣି ସେ ତା'ର ମୁଖ ଚାହିଁ । ବୋଲଇ ଶିରେ ହସ୍ତ ଦେଇ ॥ ୩୬

ଅଜୟ ହୁଅ ନରଲୋକେ । ଅନେକ ରାଜା ଜିଣି ଏକେ ॥ ୩୭

ଯେ ତୋତେ କରି ବେନିଫାଳ । କ୍ଷେପିବ ଭୂମି ଅନ୍ତରାଳ ॥ ୩୮

ଖଣ୍ତେ ପଡ଼ିବ ସିନ୍ଧୁଜଳେ । ଦହିବ ବଡ଼ବା ଅନଳେ ॥ ୩୯

ତେବେ ପୂରିବ କାଳ ତୋ'ର । ଏବେ ତୁ ଅଜର ଅମର ॥ ୪୦

ଏମନ୍ତେ ଅସୁରୀ ସାଧନେ । ସେ ଜରାସନ୍ଧ ଅନୁଦିନେ ॥ ୪୧

ଅନେକ ରାଜ୍ୟ ଭୋଗ କଲା । ଅନ୍ତେ ଭୀମର ହସ୍ତେ ମଲା ॥ ୪୨

ତା'ର କୁମର ସହଦେବ । ତା' ବୀର୍ଯ୍ୟେ ସୋମାପି ସମ୍ଭବ ॥ ୪୩

ଶ୍ରୁତଶ୍ରବା ତାହାର ବଳା । ପରୀକ୍ଷିତ ନିଃସନ୍ତାନ ଥିଲା ॥ ୪୪

ଜହ୍ନୁର ତନୟ ସୁରଥ । ତା'ର ତନୟ ବିଦୁରଥ ॥ ୪୫

ତା'ର କୁମର ସାର୍ବଭୌମ । ତା' ତେଜେ କେହି ନୋହେ ସମ ॥ ୪୬

ତା'ର କୁମର ଜୟସେନ । ରାଧିକ ତାହାର ନନ୍ଦନ ॥ ୪୭

ତା ଠାରୁ ଅତାୟୁ ହୋଏ । ଅକ୍ରୋଧନ ତା'ର ତନୟେ ॥ ୪୮

ତା'ର କୁମର ଦେବାତିଥି । ଋଷ୍ୟ ତା' ତହୁଁ ଉତ୍‌ପତ୍ତି ॥ ୪୯

ତାହାର ଆତ୍ମଜ ଦିଲୀପ । ତା' ପୁତ୍ର ନାମଟି ପ୍ରତୀପ ॥ ୫୦

ପ୍ରତୀପ ବୀର୍ଯ୍ୟେ ପୁତ୍ର ତିନି । ହୋଇଲେ ନିଜରୂପ ଘେନି ॥ ୫୧

ଦେବାପି ଶାନ୍ତନୁ ବାହ୍ଲୀକ । ସ୍ୱଭାବେ ସୁଜ୍ଞାନୀ ବିବେକ ॥ ୫୨

ଦେବାପି ପୂର୍ବଜାତି ସ୍ମରି । ରାଜ୍ୟେ ନୋହିଲା ଅଧିକାରୀ ॥ ୫୩

ସଂଯମେ ଯୋଗ-ଅଭ୍ୟାସନେ । ନିଶ୍ଚଳେ ରହିଲା ସେ ବନେ ॥ ୫୪

ପିତାର ବଚନ ନ କଲା । ଅରଣ୍ୟେ ନିର୍ଭୟେ ରହିଲା ॥ ୫୫

ସେ ପୁଣି କଳିଯୁଗ ଶେଷେ । ରାଜା ହୋଇବ ସୋମବଂଶେ ॥ ୫୬

ଶାନ୍ତୁନୁ ରାଜ୍ୟେ ହୋଇ ରାଜା । ଧର୍ମେ ପାଳିଲା ଜନପ୍ରଜା ॥ ୫୭

ପୂର୍ବଜନ୍ମରେ ତା'ର ନାମ । ମହାଭିଷ ବୋଲି ପ୍ରଧାନ ॥ ୫୮

ତା'ର ମହିମା ଶୁଣ ରାୟେ । ସେ ଯାକୁ ହସ୍ତ ଘେନି ଛୁଏଁ ॥ ୫୯

ସେ ଯେବେ ହୋଇଥିବ ଜୀ‰ର୍ଣ୍ଣ । ତକ୍ଷଣେ ଲଭିବ ଯୌବନ ॥ ୬୦

ଶାନ୍ତି ଲଭି ଯେ ସୁଖେ ରହେ । ତେଣୁ ସେ ଶାନ୍ତନୁ ବୋଲାଏ ॥ ୬୧

ଏମନ୍ତେ ତା'ର ରାଜ୍ୟ କାଳେ । ମେଘ ନଦିଶେ ଅନ୍ତରାଳେ ॥ ୬୨

ବୃଷ୍ଟି ନ କରେ ବଳାହକ । କ୍ଷୁଧା ପୀଡ଼ିତ ସର୍ବଲୋକ ॥ ୬୩

ଏମନ୍ତେ ଦ୍ୱାଦଶ ବରଷ । ବୃଷ୍ଟି ବିହୀନ ତା'ର ଦେଶ ॥ ୬୪

ଶାନ୍ତନୁ ବ୍ରାହ୍ମଣଙ୍କୁ ଚାହିଁ । ବୋଲଇ ଶିରେ କର ଦେଇ ॥ ୬୫

ଦେଖ ଦୁଃଖିତ ନରଲୋକ । ଜଳ ନ ମୁଞ୍ଚେ ବଳାହକ ॥ ୬୬

କିବା କଳ୍ମଷ ମୋ'ର ଅଛି । ଇନ୍ଦ୍ର ନ ବରଷେ ତା' ଲକ୍ଷି ॥ ୬୭

ଏମନ୍ତ ଶୁଣି ତା'ର ବାଣୀ । ବିପ୍ରେ ନିଗମେ ପରିମାଣି ॥ ୬୮

ବୋଇଲେ ପରବେତ୍ତା ଦୋଷେ । ଇନ୍ଦ୍ର ନ ବରଷେ ତୋ' ଦେଶେ ॥ ୬୯

ଜ୍ୟେଷ୍ଠେ ନ ଦେଇ ରାଜ୍ୟ ଶିରୀ । କନିଷ୍ଠ ଯେବେ ରାଜ୍ୟ କରି ॥ ୭୦

ଜ୍ୟେଷ୍ଠକୁ ବିବାହ ନ କରି । କନିଷ୍ଠ ଯେବେ କନ୍ୟା ବରି ॥ ୭୧

ଜ୍ୟେଷ୍ଠ ଭ୍ରାତାର ରାଜ୍ୟଭାଗ । ତୁମ୍ଭେ କରୁଛ ନିଜେ ଭୋଗ ॥ ୭୨

ସେ ପରିବେତ୍ତା ଅତି ଦୋଷେ । ତୋ' ଦେଶେ ଇନ୍ଦ୍ର ନ ବରଷେ ॥ ୭୩

ଏମନ୍ତ ବିପ୍ରମୁଖୁଁ ଶୁଣି । ଭୟେ ବୋଲଇ ନୃପମଣି ॥ ୭୪

ରାଜ୍ୟ ମୁଁ ଜ୍ୟେଷ୍ଠଭ୍ରାତେ ଦେଇ । ତପ ସାଧିବି ବନେ ରହି ॥ ୭୫

ସୁଖେ ଜୀଅନ୍ତୁ ଜନପ୍ରଜା । ଦେବାପି ରାଜ୍ୟେ ହେଉ ରାଜା ॥ ୭୬

ସଙ୍ଗେ ଘେନାଇ ବିପ୍ରଗଣେ । ଦେବାପି ରାଜ୍ୟ ସମର୍ପଣେ ॥ ୭୭

ଶାନ୍ତୁନୁ ଜ୍ୟେଷ୍ଠଭ୍ରାତା ପାଦେ । ପଡ଼ି ବୋଲଇ ଶୋକନାଦେ ॥ ୭୮

ହେ ଭ୍ରାତ ରାଜ୍ୟେ ହୁଅ ରାଜା । ସୁଖେ ଜୀଅନ୍ତୁ ଜନପ୍ରଜା ॥ ୭୯

ଦେବାପି ତା'ର ବୋଲ ଶୁଣି । କହିଲା ଧର୍ମ ପରିମାଣି ॥ ୮୦

ଦେଶୁଁ ବାହାର ହୋଇ ମୁହିଁ । ରାଜ୍ୟେ ମୋ' ପ୍ରୟୋଜନ ନାହିଁ ॥ ୮୧

ଏ ଅନ୍ତେ ରାଜା ମନ୍ତ୍ରୀଗଣ । କଲେ କପଟ ଆଚରଣ ॥ ୮୨

ବିଶ୍ୱାସୀ ବ୍ରାହ୍ମଣ ରାଇଲେ । ତାହାଙ୍କୁ କୁମନ୍ତ୍ରଣା ଦେଲେ ॥ ୮୩

ବୋଇଲେ ଶୁଣ ବିପ୍ରଗଣ । ଦେବାପି କାର୍ଯ୍ୟ କର ବିଘ୍ନ ॥ ୮୪

ଶୁଣି ସେ ବିପ୍ରେ ବେଗେ ଗଲେ । ଦେବାପି ନିକଟେ ମିଳିଲେ ॥ ୮୫

ପାଷŠଣ୍ତ ମତ ପୃଷ୍ଠ ପୋଷ । କରି ସେ ଦେଲେ ଉପଦେଶ ॥ ୮୬

ତେଣୁ ତା' ବୁଦ୍ଧି ହେଲା ନଷ୍ଟ । ବେଦମାର୍ଗର ହେଲା ଭ୍ରଷ୍ଟ ॥ ୮୭

ବେଦକୁ ଯେଣୁ ନିନ୍ଦା କଲା । ତେଣୁ ସେ ପତିତ ହୋଇଲା ॥ ୮୮

ରାଜ୍ୟେ ନୋହିଲା ଅଧିକାରୀ । ପୁଣି ଶାନ୍ତନୁ ରାଜ୍ୟ କରି ॥ ୮୯

ତାହାର ଦୋଷ ନ ରହିଲା । ଦେବାପି ବେଦନିନ୍ଦା କଲା ॥ ୯୦

ତକ୍ଷଣେ ନିଗମ ବଚନେ । ଜୀମୂତେ ମିଳିଲେ ଗଗନେ ॥ ୯୧

ଗମ୍ଭୀର ଘୋରନାଦ କରି । ତକ୍ଷ୍‌ଣେ ବରଷିଲେ ବାରି ॥ ୯୨

ଦେବାପି ମନେ ଜ୍ଞାନଭରି । କଳାପ ଗ୍ରାମ ଆଶ୍ରେ କରି ॥ ୯୩

ବିଶ୍ୱ ସଂସାରେ କାଳବଳେ । ସୋମବଂଶ ବିନାଶ ବେଳେ ॥ ୯୪

କଳିର ଥିବ ଅବଶେଷ । ସେ ପୁଣି ସ୍ଥାପି ସୋମବଂଶ ॥ ୯୫

ରାଜା ହୋଇବ ଦିନାକେତେ । ପ୍ରଜା ପାଳିବ ଧର୍ମଚିତ୍ତେ ॥ ୯୬

ମର୍ତ୍ତ୍ୟେ ସ୍ଥାପିବ ସୋମବଂଶ । ଯେ ଅବା ଥିବ ଅବଶେଷ ॥ ୯୭

ବହ୍ଲୀକ ବୀର୍ଯ୍ୟେ ସୋମଦତ୍ତ । ଭୂରି ଭୂରିଶ୍ରବା ତା' ସୁତ ॥ ୯୮

ଶଲକୁ ଘେନି ପୁତ୍ର ତିନି । ସୋମଦତ୍ତର ବୀର୍ଯ୍ୟେ ଜନ୍ମି ॥ ୯୯

ଶାନ୍ତୁନୁ ବୀର୍ଯ୍ୟେ ପୁତ୍ର ଜାତ । ଭୀଷ୍ମ ନାମରେ ଗଙ୍ଗାସୁତ ॥ ୧୦୦

ସେ ସର୍ବ ବୀର-ଶିରୋମଣି । ପରଶୁରାମେ ଯୁଦ୍ଧେ ଜିଣି ॥ ୧୦୧

ଶାନ୍ତନୁ ଦାସକନ୍ୟା ଗର୍ଭେ । ଚିତ୍ରାଙ୍ଗଦ ଯେ ଜାତ ପୂର୍ବେ ॥ ୧୦୨

ଯେ ଚିତ୍ରାଙ୍ଗଦ ନାମେ ସୁତ । ସେହି ଗନ୍ଧର୍ବେ ହେଲା ହତ ॥ ୧୦୩

ବିଚିତ୍ରବୀର୍ଯ୍ୟ ଅବରଜ । ଏବେ ହୋ ଶୁଣ କୁରୁରାଜ ॥ ୧୦୪

ସେ କନ୍ୟା ଗର୍ଭେ ଗଙ୍ଗାଜଳେ । ଧରି ଯେ ପରାଶର ବଳେ ॥ ୧୦୫

ବ୍ୟାସମୁନିଙ୍କି ଜନ୍ମ କରି । ସଂଭ୍ରମେ ତା'କୁ କୋଳେ ଧରି ॥ ୧୦୬

ବଦରୀ ବନେ ପକାଇଲେ । ଗୋବିନ୍ଦ ତାହାଙ୍କୁ ରଖିଲେ ॥ ୧୦୭

ସେ ବିଷ୍ଣୁ ଅଂଶେ ମହାମୁନି । ପ୍ରତ୍ୟକ୍ଷେ ବିଷ୍ଣୁତେଜ ଘେନି ॥ ୧୦୮

ହରିର ଅଂଶେ ଉତପନ୍ନ । ନାମ ତା' କୃଷ୍ଣ ଦ୍ୱୈପାୟନ ॥ ୧୦୯

ପଇଳ ଆଦି ଶିଷ୍ୟଗଣେ । ବିଦ୍ୟା ଅଭ୍ୟାସି ଜଣେ ଜଣେ ॥ ୧୧୦

ହୋଇଲେ ସର୍ବଶାସ୍ତ୍ର ବେତ୍ତା । ସକଳ ଗୁଣେ ଗୁଣବନ୍ତା ॥ ୧୧୧

ସେ ମୋତେ ରେତୁଁ ଜାତକଲେ । ଏ ଭାଗବତ ଶିକ୍ଷା ଦେଲେ ॥ ୧୧୨

ଏମନ୍ତେ କାଶୀରାଜ ଘରେ । ଭୀଷ୍ମ ଯେ କନ୍ୟା ସ୍ୱୟମ୍ବରେ ॥ ୧୧୩

ଦୁର୍ଗମ ଲାଖ ବିନ୍ଧି ବଳେ । ଅନେକ ନୃପତିଙ୍କ ମେଳେ ॥ ୧୧୪

ରାଜାଙ୍କୁ ଲାଖବିନ୍ଧି ଜିଣି । ଲଭିଲେ ନୃପତି ଦୁଲଣୀ ॥ ୧୧୫

ଅମ୍ବିକା ଆଉ ଅମ୍ବାଳିକା । କନ୍ୟାଏ ବର ବରି ଏକା ॥ ୧୧୬

ତାହାଙ୍କୁ ନିଜପୁରେ ଥୋଇ । ବିଚିତ୍ରବୀର୍ଯ୍ୟେ ବିଭା ଦେଇ ॥ ୧୧୭

ଅମ୍ବା ଯେ ଅନ୍ୟେ ନ ବରିଲା । ଭୀଷ୍ମଙ୍କୁ ମହାକ୍ରୋଧ କଲା ॥ ୧୧୮

ତପ ସାଧିଲା ନାନାମତେ । ପୂର୍ବେ ମୁଁ କହିଅଛି ତୋତେ ॥ ୧୧୯

ଦୁଇ ଭାର୍ଯ୍ୟାରେ ହୋଇ ରତ । ବିଚିତ୍ର ବୀର୍ଯ୍ୟେ କାମେ ମତ୍ତ ॥ ୧୨୦

ଯକ୍ଷ୍ମାରୋଗରେ ହୋଇ ଗ୍ରସ୍ତ । ଅଳ୍ପ କାଳରେ ହେଲା ହତ ॥ ୧୨୧

ସନ୍ତାନହୀନ କୁଳ ଦେଖି । ସମସ୍ତେ ହୋଇଲେକ ଦୁଃଖୀ ॥ ୧୨୨

ମାତାଙ୍କ ଆଦେଶକୁ ମାନି । ତା'ର ସୋଦର ବ୍ୟାସମୁନି ॥ ୧୨୩

ବିଚିତ୍ରବୀର୍ଯ୍ୟର କ୍ଷେତ୍ରରେ । ପୁଣି ସେ ଗର୍ଭାଧାନ କରେ ॥ ୧୨୪

ବ୍ୟାସଙ୍କ ବୀର୍ଯ୍ୟେ ତା'ଙ୍କ ଗର୍ଭେ । ପୁତ୍ରେ ଉପୁଜିଲେ ସ୍ୱଭାବେ ॥ ୧୨୫

ଜ୍ୟେଷ୍ଠକୁମର ଧୃତରାଷ୍ଟ୍ର । ପାŠଣ୍ତୁ ଯେ ତାହାର କନିଷ୍ଠ ॥ ୧୨୬

ଦାସୀର ଉଦରେ ତାହାର । ପୁଣି ଯେ ଜନ୍ମିଲା ବିଦୁର ॥ ୧୨୭

ଧୃତରାଷ୍ଟ୍ରର ଶତେପୁତ୍ର । ଗାନ୍ଧାରୀ ଗର୍ଭେ ହେଲେ ଜାତ ॥ ୧୨୮

କନ୍ୟାଏ ଜନ୍ମେ ଅନୁପମ । ଦୁଃଶୀଳା ସେ କନ୍ୟାର ନାମ ॥ ୧୨୯

ଭ୍ରାତୃଗଣଙ୍କ ମଧ୍ୟେ ଶ୍ରେଷ୍ଠ । ସେ ଦୁର୍ଯ୍ୟୋଧନ ଅଟେ ଜ୍ୟେଷ୍ଠ ॥ ୧୩୦

ଅଗ୍ନିକାଋଷି ଶାପ ଫଳେ । ପଞ୍ଚବାଳକ ପାଣ୍ତୁକୋଳେ ॥ ୧୩୧

ଜନ୍ମିଲେ ଅତି ଗୁଣବନ୍ତ । ତାହାଙ୍କ ସଖା ଯେ ଅନନ୍ତ ॥ ୧୩୨

ତା ପତ୍ନୀ କୁନ୍ତୀ ଗର୍ଭେ ଜାତ । ଯୁଧିଷ୍ଠିରାଦି ତିନି ସୁତ ॥ ୧୩୩

ଧର୍ମ ପବନ ଇନ୍ଦ୍ର ବୀର୍ଯ୍ୟେ । ତିନି ବାଳକ ମହାତେଜେ ॥ ୧୩୪

ମାଦ୍ରୀର ଗର୍ଭେ ପୁତ୍ର ଦୁଇ । ନକୁଳ ସହଦେବ ହୋଇ ॥ ୧୩୫

ଅଶ୍ୱିନୀକୁମାରଙ୍କ ବୀର୍ଯ୍ୟେ । ଜନ୍ମ ହୋଇଲେ ମହାତେଜେ ॥ ୧୩୬

ଏ ଯେ ହୋଇଲେ ପଞ୍ଚଭ୍ରାତ । ଏହାଙ୍କ ହେଲା ପାଞ୍ଚସୁତ ॥ ୧୩୭

ଦ୍ରୌପଦୀ ଗର୍ଭେ ହେଲେ ଜନ୍ମ । ଶୁଣ ହୋ ତାହାଙ୍କର ନାମ ॥ ୧୩୮

ଯୁଧିଷ୍ଠି ପୁତ୍ର ପ୍ରତିବିନ୍ଧ୍ୟ । ତା'କୁ ନଲାଗେ ବ୍ୟାଧି ଦ୍ୱନ୍ଦ୍ୱ ॥ ୧୩୯

ଭୀମର ପୁତ୍ର ଶ୍ରୁତସେନ । ଶ୍ରୁତକୀର୍ତ୍ତି ତାତ ଅର୍ଜୁନ ॥ ୧୪୦

ନକୁଳ ସୁତ ଶତାନୀକ । ସୁଜ୍ଞାନୀ ପŠଣ୍ତିତ ବିବେକ ॥ ୧୪୧

ସହଦେବର ଯେ ନନ୍ଦନ । ତାହାର ଶ୍ରୁତକର୍ମା ନାମ ॥ ୧୪୨

ପୌରବୀଗର୍ଭେ ଧର୍ମସୁତ । ଦେବକ ସୁତ କଲେ ଜାତ ॥ ୧୪୩

ହିଡ଼ିମ୍ବୀ ଗର୍ଭେ ଭୀମବୀର୍ଯ୍ୟେ । ଜନ୍ମିଲା ଘଟୋତ୍କଚ ତେଜେ ॥ ୧୪୪

ପୁଣି ଭୀମର ବୀର୍ଯ୍ୟେ ଜାତ । କାଳୀର ଗର୍ଭେ ସର୍ବଗତ ॥ ୧୪୫

ସହଦେବର ପୁତ୍ର ଜାତ । ବିଜୟା ଗର୍ଭରେ ସୁହୋତ୍ର ॥ ୧୪୬

କରେଣୁମତୀ ଗର୍ଭେ ପୁତ୍ର । ନକୁଳ ବୀର୍ଯ୍ୟେ ନରମିତ୍ର ॥ ୧୪୭

ଉଲୁପୀ ଗର୍ଭେ ଇରାବନ୍ତ । ଅର୍ଜ୍ଜୁନ ବୀର୍ଯ୍ୟେ ହେଲା ଜାତ ॥ ୧୪୮

ମଣି ପୁରେଶ କନ୍ୟାଠାରେ । ପୁଣି ଅର୍ଜ୍ଜୁନର ଅଂଶରେ ॥ ୧୪୯

ବଭ୍ରୁବାହନ ଜନମିଲା । ପୁତ୍ରିକା ତନୟ ସେ ହେଲା ॥ ୧୫୦

ପୁତ୍ରିକା ଧର୍ମେ ଯେଣୁ ବରେ । ତେଣୁ ସେ ରାଜା ମଣିପୁରେ ॥ ୧୫୧

ସୁଭଦ୍ରା ଗର୍ଭେ ତୋ'ର ତାତ । ହୋଇଲେ ଅଭିମନ୍ୟୁ ଜାତ ॥ ୧୫୨

ସେ ମହାବୀର ବାହୁବଳେ । ଜିଣନ୍ତା ନାହିଁ ଭୂମି ତଳେ ॥ ୧୫୩

ଯେ କୁରୁବଂଶ ନିପାତନେ । ଦ୍ରୋଣନନ୍ଦନ ମହାବାଣେ ॥ ୧୫୪

ଯେ ଶର ବ୍ରହ୍ମଶିରା ନାମେ । ତୋ' ମାତା ଗର୍ଭେ ଅତି ତମେ ॥ ୧୫୫

ପେଷିଲା ଅପାଣ୍ତŠବ ଅର୍ଥେ । ଉତ୍ତରା ଆସୁଥିଲା ପଥେ ॥ ୧୫୬

ବାଣ ଆସନ୍ତେ ଶୂନ୍ୟପଥେ । ତୋ' ମାତା ଡାକିଲା ଆରତେ ॥ ୧୫୭

ତକ୍ଷଣେ ବିଷ୍ଣୁ ଗର୍ଭଗତେ । ପଶିଲେ ଚକ୍ର ଘେନି ହସ୍ତେ ॥ ୧୫୮

ବ୍ରହ୍ମଶିରାକୁ ନାଶ କରି । ତୋତେ ରଖିଲେ ନରହରି ॥ ୧୫୯

ଏବେ ହୋ କହୁଁ ତୋ' ଅଗ୍ରତେ । ଯେ କର୍ମ ହେବ ଭବିଷ୍ୟତେ ॥ ୧୬୦

ଏ ଯେ ତୋହର ଚାରିସୁତେ । ଜନମେଜୟର ସମେତେ ॥ ୧୬୧

ଯେ ଶ୍ରୁତସେନ ଭୀମସେନ । କନିଷ୍ଠ ନାମ ଉଗ୍ରସେନ ॥ ୧୬୨

ଏ ଚାରିପୁତ୍ରେ ମିଳି ଏକେ । ତେଜେ ପ୍ରତାପ ଅତିରେକେ ॥ ୧୬୩

ବ୍ରାହ୍ମଣ ତେଜ ଶାପଗ୍ରସ୍ତେ । ତକ୍ଷକେ ଦଂଶିବେ ଯେତୋତେ ॥ ୧୬୪

ସେ କୋପେ ସର୍ପଯଜ୍ଞ କରି । ତିନିଭୁବନୁ ସର୍ପ ମାରି ॥ ୧୬୫

ପୁଣି କରିବ ଅଶ୍ୱମେଧି । ଆଗମ ନିଗମ ସମ୍ପାଦି ॥ ୧୬୬

ସପତଦ୍ୱୀପେ ହୋଇ ରାଜା । ସୁଖେ ପାଳିବ ଜନପ୍ରଜା ॥ ୧୬୭

ତା'ର ତନୟ ଶତାନୀକ । ହୋଇବ ସୁଜ୍ଞାନୀ ବିବେକ ॥ ୧୬୮

ଯାଜ୍ଞବଲ୍କ୍ୟର ତହୁଁ ବେଦ । ପଢ଼ିବ ସେ ଉପନିଷଦ ॥ ୧୬୯

ଶୌନକ ତହୁଁ ଜ୍ଞାନକ୍ରିୟା । ଶାସ୍ତ୍ର ସାଧିବ ପୁଣ୍ୟଦେହା ॥ ୧୭୦

କୃପାଚାର୍ଯ୍ୟର ସନ୍ନିଧାନ । ଲଭିବ ଯେତେ ଅସ୍ତ୍ରଜ୍ଞାନ ॥ ୧୭୧

ସହସ୍ରାନୀକ ତା' ନନ୍ଦନ । ଅଶ୍ୱମେଧଜ ତହୁଁ ଜନ୍ମ ॥ ୧୭୨

ତହୁଁ ଅସୀମକୃଷ୍ଣ ଜାତ । ନେମିଚକ୍ର ତାହାର ସୁତ ॥ ୧୭୩

ହସ୍ତିନାପୁର ନଦୀସ୍ରୋତେ । କାଳେ ଯେ ବିନଷ୍ଟ ହୁଅନ୍ତେ ॥ ୧୭୪

ସେ ପୁଣି କୌଶାମ୍ବୀ ନଗରେ । ବାସ କରିବ ଭବିଷ୍ୟରେ ॥ ୧୭୫

ହରିହରଙ୍କ ତୋଷ ଅର୍ଥେ । କରିବ ସାଧୁକର୍ମ ଯେତେ ॥ ୧୭୬

ଉପୁଜେ ନେମିଚକ୍ର ସୁତ । ତା'ର ସନ୍ତତି ଚିତ୍ରରଥ ॥ ୧୭୭

ତା'ର କୁମର କବିରଥ । ତାହାର ବୃଷ୍ଟିମାନ ସୁତ ॥ ୧୭୮

ସୁଷେଣ ତା'ର ତହୁଁ ଜାତ । ତାହାର କୁମର ସୁନୀଥ ॥ ୧୭୯

ନୃଚକ୍ଷୁ ତାହାର କୁମର । ତା' ପୁତ୍ର ହେବ ସୁଖୀନଳ ॥ ୧୮୦

ତାହାର ପୁତ୍ର ପରିପ୍ଳବ । ତା' ତହୁଁ ସୁନୟ ସମ୍ଭବ ॥ ୧୮୧

ମେଧାବୀ ତାହାର ତନୟ । ତା' ପୁତ୍ର ହେବ ନୃପଞ୍ଜୟ ॥ ୧୮୨

ତାହାର ପୁତ୍ର ନାମ ଦୂର୍ବ । ତା' ପୁତ୍ର ତିମି ନାମ ହେବ ॥ ୧୮୩

ତିମିର ପୁତ୍ର ବୃହଦ୍ରଥ । ସୁଦାସ ହେବ ତା'ର ସୁତ ॥ ୧୮୪

ଶତାନୀକ ଯେ ତା'ର ସୁତ । ଦୁŸର୍ଦ୍ଦମନ ଯେ ତହୁଁ ଜାତ ॥ ୧୮୫

ତା'ର କୁମର ବହୀନର । ଦଣ୍ତŠପାଣି ତା'ର କୁମର ॥ ୧୮୬

ତାହାର ପୁତ୍ର ନିମି ନାମ । ତା' ତହୁଁ କ୍ଷେମକ ଜନମ ॥ ୧୮୭

ଏମନ୍ତ ବ୍ରହ୍ମକ୍ଷତ୍ର ଯୋନି । ଜନ୍ମ ହୋଇବେ ଦେହ ଘେନି ॥ ୧୮୮

କ୍ଷେମକ ଠାଇଁ ସୋମବଂଶ । ହୋଇବ କଳିଯୁଗେ ଶେଷ ॥ ୧୮୯

ଏବେ ହୋ ଶୁଣ କୁରୁରାଣ । ମଗଧ ଦେଶ ପରିମାଣ ॥ ୧୯୦

ମାର୍ଜାରି ସହଦେବ ସୁତ । ତା' ତହୁଁ ଶ୍ରୁତଶ୍ରବା ଜାତ ॥ ୧୯୧

ଆୟୁତାୟୁ ତା'ର ନନ୍ଦନ । ତା' ସୁତ ନିରମିତ୍ର ନାମ ॥ ୧୯୨

ତା'ର ସନ୍ତତି ସୁନକ୍ଷତ୍ର । ବୃହତ୍‌ତ୍ସେ›ନ ଯେ ତା'ର ପୁତ୍ର ॥ ୧୯୩

କର୍ମଜିତ ତା'ର ତନୟ । ତାହାର ପୁତ୍ର ସୃତଞ୍ଜୟ ॥ ୧୯୪

ତା' ପୁତ୍ର ବିପ୍ର ତା'ର ସୁତ । ଶୁଚିରୁ ହେବ କ୍ଷେମ ଜାତ ॥ ୧୯୫

କ୍ଷେମ ଶୁଚିର ପୁତ୍ର ଜାଣ । ସୁବ୍ରତ କ୍ଷେମର ନନ୍ଦନ ॥ ୧୯୬

ସୁବ୍ରତ ସୁତ ଧର୍ମସୂତ୍ର । ଶମ ହୋଇବ ତା'ର ସୁତ ॥ ୧୯୭

ଶମର ପୁତ୍ର ଦ୍ୟୁମତ୍ସେ›ନ । ସୁମତି ତାହାର ନନ୍ଦନ ॥ ୧୯୮

ସୁବଳ ତା'ର ପୁତ୍ର ନାମ । ସୁନୀଶ ତାହାର ନନ୍ଦନ ॥ ୧୯୯

ତାହାର ପୁତ୍ର ସତ୍ୟଜିତ । ତା' ପୁତ୍ର ହେବ ବିଶ୍ୱଜିତ ॥ ୨୦୦

ତା' ଠାରୁ ରିପୁଞ୍ଜୟ ଜନ୍ମ । ବୃହଦ୍ରଥର ବଂଶ ଜାଣ ॥ ୨୦୧

ଏହି ଯେ ବୃହଦ୍ରଥ ବଂଶ । ଭବିଷ୍ୟେ ସହସ୍ର ବରଷ ॥ ୨୦୨

ରାଜା ହୋଇବେ ଏ ଜଗତେ । ସଂକ୍ଷେପି କହିଲି ମୁଁ ତୋତେ ॥ ୨୦୩

ସେ ହରିକଥା ଶୁଣି କ‰ର୍ଣ୍ଣେ । ସଂସାରୁ ତର ଜ୍ଞାନୀ ଜନେ ॥ ୨୦୪

କହିଲା ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥ ୨୦୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଦ୍ୱାବିଂଶୋଽଧ୍ୟାୟଃ ॥

* * *