ନବମ ସ୍କନ୍ଧ
ଏକବିଂଶ ଅଧ୍ୟାୟ
ଶୁକ ଉବାଚ
ଶୁକ କହନ୍ତି ଜ୍ଞାନଭାବେ । ଭରତବଂଶ ଶୁଣ ଏବେ ॥ ୧
ଭରଦ୍ୱାଜ ତା' ଦତ୍ତପୁତ୍ର । ଏଣୁ ବିତଥ ନାମେ ଖ୍ୟାତ ॥ ୨
ବିତଥ ପୁତ୍ର ମନ୍ୟୁଜାତ । ତା' ସୁତ ଜୟ ବୃହତ୍ କ୍ଷତ୍ର ॥ ୩
ତୃତୀୟେ ମହାବୀର୍ଯ୍ୟେ ନାମ । ଚତୁର୍ଥେ ନର ହେଲା ଜନ୍ମ ॥ ୪
ପଞ୍ଚମ ଗର୍ଭ ନାମେ ଖ୍ୟାତ । ଏମନ୍ତେ ହେଲେ ପଞ୍ଚସୁତ ॥ ୫
ନରର ତନୟ ସଂସ୍କୃତି । ତାହାର ଦୁଇଟି ସନ୍ତତି ॥ ୬
ପ୍ରଥମ ଗୁରୁ ନାମେ ଖ୍ୟାତ । ରନ୍ତିଦେବ ଦ୍ୱିତୀୟ ସୁତ ॥ ୭
ଯା' ଯଶ ଇହ-ପରଲୋକେ । ବିପ୍ରେ କହନ୍ତି ଏକେ ଏକେ ॥ ୮
ସ୍ୱଧର୍ମେ ଧନ ଲଭେ ଯେତେ । ନିତ୍ୟେ ଭୁଞ୍ଜାଏ ବୁଭୁକ୍ଷିତେ ॥ ୯
ନିରତେ ଅକିଞ୍ଚନ ପ୍ରିୟ । କୁଟୁମ୍ବେ ନ କରଇ ସ୍ନେହ ॥ ୧୦
କୁଟୁମ୍ବ କ୍ଳେଶେ ଦିନ ବଞ୍ଚେ । ଅତିଥି ଅର୍ଥେ ଧନ ସଞ୍ଚେ ॥ ୧୧
ଘୃତ ପାୟସ ରସ ପାଣି । ନିତ୍ୟେ ପ୍ରୀତିରେ ସଞ୍ଚେ ଆଣି ॥ ୧୨
ଅତିଥି ଅର୍ଥେ ଧନ ସଞ୍ଚେ । କ୍ଷୁଧାର୍ତ୍ତ ଦେହେ ଗୃହେ ବଞ୍ଚେ ॥ ୧୩
ନିତ୍ୟେ ସଞ୍ଚଇ ପ୍ରାତଃକାଳେ । ଯେବା ମିଳଇ ଯେତେବେଳେ ॥ ୧୪
ତେଣୁ ସେ ହୋଇ ଧନହୀନ । କଷ୍ଟରେ ବଞ୍ଚୁଥାଇ ଦିନ ॥ ୧୫
କ୍ଷୁାଧାର୍ତ୍ତ ହୋଇ ବଞ୍ଚେ ନିତ୍ୟେ । କୁଟୁମ୍ବଗଣଙ୍କ ସହିତେ ॥ ୧୬
ଅନ୍ନ ଅଭାବେ ତନୁ କ୍ଷୀଣ । ହେଲେ କୁଟୁମ୍ବେ ଅବସନ୍ନ ॥ ୧୭
ଅଠଚାଳିଶ ଦିନ ଗଲା । ଜଳମାତ୍ର ସେ ନ ପାଇଲା ॥ ୧୮
କ୍ଷୁଧାରେ କମ୍ପେ କଳେବର । ଜୀର୍ଣ୍ଣ ହୋଇଲା ତା' ଶରୀର ॥ ୧୯
ଶୁଣ ରାଜନ ଶୁଦ୍ଧମନେ । ତା'ର ମନ୍ଦିରେ ଏକଦିନେ ॥ ୨୦
ବିପ୍ର ମିଳିଲା ସନ୍ଧ୍ୟାକାଳେ । ତା'ର ଅତିଥି ପୂଜାବେଳେ ॥ ୨୧
ଆନନ୍ଦେ ଭିକ୍ଷା ତା'କୁ ଦେଲା । ତା' ଅନ୍ତେ ଶୂଦ୍ରେକ ମିଳିଲା ॥ ୨୨
ଯେ ଅବା ଅବଶେଷ ଅନ୍ନ । କୁଟୁମ୍ବ କରନ୍ତେ ଭୋଜନ ॥ ୨୩
ତାହାକୁ ବିଷ୍ଣୁ ପ୍ରାୟେ ମଣି । ବେଗେ ସେ ଭିକ୍ଷାଦେଲା ଆଣି ॥ ୨୪
ସେ ପୁଣି ଗୃହେ ଭୁଞ୍ଜି ଯା'ନ୍ତେ । ଶବର ଶ୍ୱାନର ସଙ୍ଗତେ ॥ ୨୫
ଦ୍ୱାରେ ମିଳିଲା ରାତ୍ରେ ଆସି । ବୋଲଇ ତା'ର ଦ୍ୱାରେ ବସି ॥ ୨୬
ଭୋ ରାଜା ଭିକ୍ଷା ଦିଅ ମୋତେ । ଭୁଞ୍ଜିବି ଶ୍ୱାନର ସଙ୍ଗତେ ॥ ୨୭
ଯେବା କୁଟୁମ୍ବ ଅର୍ଥେ ଥିଲା । ତକ୍ଷ୍ଣେ ତା'ର ହସ୍ତେ ଦେଲା ॥ ୨୮
ଶ୍ୱାନ ସମେତ ଅନ୍ନ ଖାଇ । ସେ ପୁଣି ଯା'ନ୍ତେ ତୋଷ ହୋଇ ॥ ୨୯
ଥିଲାକ ଜଳ ମାତ୍ର ଶେଷ । ଜଳେ ହୋଇବ ଜଣେ ତୋଷ ॥ ୩୦
ତାହାକୁ ଛଳିବା ନିମନ୍ତେ । ବିଷ୍ଣୁ ମିଳିଲେ ଜଳ ଅର୍ଥେ ॥ ୩୧
ବୋଇଲେ ଜାତି ମୋ' ଚଣ୍ତାଳ । କର ପ୍ରଦାନ ମୋତେ ଜଳ ॥ ୩୨
କ୍ଷୁଧାରେ ଅତିଥି କାତର । କମ୍ପଇ ତା'ର କଳେବର ॥ ୩୩
ତା'ଠାରେ ଅତି ଦୟାବହି । ଅମୃତମୟ ବାକ୍ୟ କହି ॥ ୩୪
ଜଗଦୀଶ୍ୱରଠାରେ ମୁହିଁ । ଏମନ୍ତ ପ୍ରାର୍ଥନା କରଇ ॥ ୩୫
ଅଣିମା ଆଦି ନିଧି ଯେତେ । ମୁକ୍ତି ମୁଁ ନ ଇଚ୍ଛଇ ଚିତ୍ତେ ॥ ୩୬
ପ୍ରାଣୀର ଦୁଃଖରେ ଦୁଃଖିତ । ସର୍ବଦା ହେଉ ମୋ'ର ଚିତ୍ତ ॥ ୩୭
ହେ ପ୍ରଭୁ ମୋତେ ଦୟାକର । ମୁଁ କରେ ଲୋକ ଉପକାର ॥ ୩୮
ଏମନ୍ତେ ସ୍ତୁତିବାକ୍ୟ କହି । ସେ ରନ୍ତିଦେବ ନରସାଇଁ ॥ ୩୯
କ୍ଷୁଧା ତୃଷ୍ଣାରେ ହୋଇ ଶ୍ରାନ୍ତ । ଦେହ ଘୂର୍ଣ୍ଣନେ ଅତିକ୍ଳାନ୍ତ ॥ ୪୦
ତଥାପି ଦୁଃଖ ନ ବିଚାରି । ଶୋକ ବିଷାଦ ପରିହରି ॥ ୪୧
ପୁକ୍କଶ ଜୀବନ ଧାରଣେ । ଉପାୟ ଚିନ୍ତିଲାକ ମନେ ॥ ୪୨
ଯେ ଥିଲା ତା'ର ଜଳଅନ୍ନ । ପୁକ୍କଶେ କଲା ସମର୍ପଣ ॥ ୪୩
ନିଜେ ସେ ମୃତ ପ୍ରାୟେ ହେଲା । ତଥାପି ଅତିଥି ପୂଜିଲା ॥ ୪୪
ଏମନ୍ତେ ତା'ର ଭାବ ଚାହିଁ । ସନ୍ତୋଷ ଚିତ୍ତେ ଭାବଗ୍ରାହୀ ॥ ୪୫
ବୋଇଲେ ଅତି ଦୟାଚିତ୍ତେ । ତୋ' ଯଶ ରହୁ ଏ ଜଗତେ ॥ ୪୬
ଅନ୍ତେ ପାଇବୁ ମୋତେ ତୁହି । ଏମନ୍ତେ ବିଷ୍ଣୁ ବର ଦେଇ ॥ ୪୭
ଶୂନ୍ୟେ ଯେ ଗଲେ ଚକ୍ରଧର । ଏବେ ହୋ ଶୁଣ ନୃପବର ॥ ୪୮
ଦେଖି ତାହାର ଧୈର୍ଯ୍ୟପଣ । ବାସବ ଆଦି ଦେବଗଣ ॥ ୪୯
ସମ୍ମୁଖେ ତାହାର ମିଳିଲେ । ଆପଣା ମାୟା ଦୂର କଲେ ॥ ୫୦
ସନ୍ତୋଷେ ତା'ର ମୁଖ ଚାହିଁ । କହନ୍ତି ଶୁଣ ନରସାଇଁ ॥ ୫୧
ବ୍ରାହ୍ମଣ ଆଦି ବେଶ ଯେତେ । ମାୟାରେ ଦେଖାଇଲୁ ତୋତେ ॥ ୫୨
ତୋହର ଧୈର୍ଯ୍ୟପଣ ଦେଖି । ଆମ୍ଭେ ଅତ୍ୟନ୍ତ ହେଲୁ ସୁଖୀ ॥ ୫୩
ଦେବଙ୍କ ବାକ୍ୟ ଶୁଣି ରାଜା । ପ୍ରଣାମ କରି କଲା ପୂଜା ॥ ୫୪
କିଛି ହିଁ ତା'ଙ୍କୁ ନମାଗିଲା । ହରିଙ୍କ ପାଦେ ଚିତ୍ତ ଦେଲା ॥ ୫୫
ଏବେ ହୋ ଶୁଣ ନୃପବର । ସେ ରନ୍ତିଦେବ ନରେଶ୍ୱର ॥ ୫୬
ସେ ବାସୁଦେବଙ୍କ ଚରଣେ । ଚିତ୍ତ ନିବେଶି ଅନୁକ୍ଷଣେ ॥ ୫୭
ସର୍ବ ବିଷୟ କଲା ତ୍ୟାଗ । ଚିତ୍ତରେ ଜନ୍ମାଇ ବୈରାଗ୍ୟ ॥ ୫୮
ମାୟା ତାହାକୁ ନ ଲାଗିଲା । ଯେଣୁ ଈଶ୍ୱରେ ଚିତ୍ତ ଦେଲା ॥ ୫୯
ତାହାର ନିଜ ଆତ୍ମଜନ । ସକଳେ ବିଷ୍ଣୁପାଦେ ମଗ୍ନ ॥ ୬୦
ପରମଯୋଗ ସେ ଲଭିଲେ । ପରଂବ୍ରହ୍ମରେ ଲୀନ ହେଲେ ॥ ୬୧
ଗର୍ଗଙ୍କ ଠାରୁ ଶିନି ଜାତ । ଗାର୍ଗ୍ୟ ତାହାଙ୍କ ହେଲେ ପୁତ୍ର ॥ ୬୨
କ୍ଷତ୍ରିୟ ହୋଇ ଦ୍ୱିଜ ହେଲେ । ତପସ୍ୟା-ଆରାଧନା ଫଳେ ॥ ୬୩
ମନ୍ୟୁ-ନୃପର ଆର ପୁତ୍ର । ଯା' ନାମ ମହାବୀର୍ଯ୍ୟ ଖ୍ୟାତ ॥ ୬୪
ତାହାର ହୋଇଲା କୁମର । ଦୁରିତକ୍ଷୟ ନାମ ତା'ର ॥ ୬୫
ତା'ଠାରୁ କବି ତ୍ରୟାରୁଣି । ପୁଷ୍କରାରୁଣି ପୁତ୍ର ତିନି ॥ ୬୬
ସେ ତିନିଜଣ ତପବଳେ । ବ୍ରାହ୍ମଣ ଭାବକୁ ବହିଲେ ॥ ୬୭
ମନ୍ୟୁର ଯେହୁ ପଞ୍ଚପୁତ୍ର । ଜ୍ୟେଷ୍ଠ ତହିଁରେ ବୃହତ୍କ୍ଷତ୍ର ॥ ୬୮
ହସ୍ତୀ ଯେ ତାହାର କୁମର । ବସାଇ ହସ୍ତିନା ନଗର ॥ ୬୯
ହସ୍ତୀର ହେଲେ ତିନିସୁତ । ଦ୍ୱିମୀଢ଼ ଅଜମୀଢ଼ ଖ୍ୟାତ ॥ ୭୦
ଅପର ପୁରୁମୀଢ଼ ଘେନି । ଏମନ୍ତେ ହେଲେ ପୁତ୍ର ତିନି ॥ ୭୧
ପ୍ରିୟ ମେଧାଦି ଦ୍ୱିଜଗଣ । ଅଜମୀଢ଼ ବଂଶେ ଉତ୍ପନ୍ନ ॥ ୭୨
ବୃହଦିଷୁ ଅଜମୀଢ଼ର । ତା' ସୁତ ବୃହଦ୍ଧନୁ ବୀର ॥ ୭୩
ତା'ର କୁମର ବୃହତ୍କାୟ । ଜୟଦ୍ରଥ ତା'ର ତନୟ ॥ ୭୪
ବିଶଦ ତା'ର ବୀର୍ଯ୍ୟେ ଜାତ । ତା'ର ତନୟ ସେନଜିତ ॥ ୭୫
ସେନଜିତରୁ ରୁଚିରାଶ୍ୱ । ବତ୍ସ ଯେ ଦୃଢ଼ହନୁ କାଶ୍ୟ ॥ ୭୬
ରୁଚିରାଶ୍ୱର ପୁତ୍ର ପାର । ପୃଥୁସେନ ତା'ର କୁମର ॥ ୭୭
ପାରର ନୀପ ନାମେ ପୁତ୍ର । ତାହାର ହେଲେ ଶତେ ସୁତ ॥ ୭୮
ଶୁକ କନ୍ୟା କୃତି ଗର୍ଭରେ । ସେ ଏକପୁତ୍ର ଲାଭ କରେ ॥ ୭୯
ଯାହାର ନାମ ବ୍ରହ୍ମଦତ୍ତ । ଯେ ନିତ୍ୟେ ଯୋଗଜ୍ଞାନେ ରତ ॥ ୮୦
ତାହାର ପତ୍ନୀ ସରସ୍ୱତୀ । ବିଷ୍ୱକ୍ସେନ୍ ତା'ର ସନ୍ତତି ॥ ୮୧
ସେ ବିଷ୍ୱକ୍ସେନ୍ ଯୋଗ କଲା । ଜୈଗୀଷବ୍ୟଙ୍କୁ ଆରାଧିଲା ॥ ୮୨
ଯୋଗଶାସ୍ତ୍ରର ତନ୍ତ୍ରମାନ । ଅନେକ କଲା ପ୍ରଣୟନ ॥ ୮୩
ତାହାର ସୁତ ଉଦ୍କସ୍ୱନ । ଭଲ୍ଲାଟ ତା'ଠାରୁ ଜନମ ॥ ୮୪
ବୃହଦିଷୁର ବଂଶ ଏତେ । କହିଲୁ ତୋହର ଅଗ୍ରତେ ॥ ୮୫
ଏବେ ତୁ ଶୁଣ ନରନାଥ । ଦ୍ୱିମୀଢ଼ ବଂଶର ଚରିତ ॥ ୮୬
ଦ୍ୱିମୀଢ଼ ପୁତ୍ର ଯବୀନର । କୃତ୍ତିମାନ ତା'ର କୁମର ॥ ୮୭
ସତ୍ୟଧୃତି ତା'ର ନନ୍ଦନ । ଦୃଢ଼ନେମି ତା ତହୁଁ ଜନ୍ମ ॥ ୮୮
ସୁପାର୍ଶ୍ୱ ତାହାର କୁମର । ସୁମତି ନାମେ ସୁତ ତା'ର ॥ ୮୯
ତା'ର ସୁତ ସନ୍ନତିମାନ । କୃତି ଯେ ତାହାର ନନ୍ଦନ ॥ ୯୦
ହିରଣ୍ୟନାଭ ତହୁଁ ଦୀକ୍ଷା । ପାଇ ଯେ ଯୋଗ କଲା ଶିକ୍ଷା ॥ ୯୧
ପ୍ରାଚ୍ୟ ସାମସଂହିତା ମାନ । କୃତି ତା' କଲା ଭିନ୍ନଭିନ୍ନ ॥ ୯୨
ସଂହିତା ଷଡ଼ଭାଗ କଲା । ଶିଷ୍ୟପ୍ରଶିଷ୍ୟେ ଶିକ୍ଷା ଦେଲା ॥ ୯୩
ଉଗ୍ରାୟୁଧ କୃତି ନନ୍ଦନ । କ୍ଷେମ୍ୟ ତା' ତହୁଁ ହେଲା ଜନ୍ମ ॥ ୯୪
ସୁବୀର କ୍ଷେମ୍ୟର ତନୟ । ତାହାର ପୁତ୍ର ରିପୁଞ୍ଜୟ ॥ ୯୫
ବହୁରଥ ଯେ ତା'ର ସୁତ । ଦ୍ୱିମୀଢ଼ ବଂଶେ ଏତେ ଖ୍ୟାତ ॥ ୯୬
ପୁରୁମୀଢ଼ ଯେ ନିଃସନ୍ତାନ । ଅଜମୀଢ଼ର ବଂଶ ଶୁଣ ॥ ୯୭
ନଳିନୀ ପତ୍ନୀ ଗର୍ଭେ ତା'ର । ନୀଳ ନାମେ ହେଲା କୁମର ॥ ୯୮
ନୀଳର ପୁତ୍ର ନାମ ଶାନ୍ତି । ତା'ଠାରୁ ଜନମ ସୁଶାନ୍ତି ॥ ୯୯
ସୁଶାନ୍ତି ତନୟ ପୁରୁଜ । ଅର୍କ ଯେ ତାହାର ତନୁଜ ॥ ୧୦୦
ଭର୍ମ୍ୟାଶ୍ୱ ତାହାର ନନ୍ଦନ । ପୁତ୍ର ତାହାର ପାଞ୍ଚଜଣ ॥ ୧୦୧
ମୁଦଗ୍ଲ ଯବନୀର ବେନି । ବୃହଦିଷୁ କାମ୍ପିଲ୍ୟ ଘେନି ॥ ୧୦୨
ଆବର ସଞ୍ଜୟ ସହିତେ । ଏ ରୂପେ ହେଲେ ପଞ୍ଚ ସୂତେ ॥ ୧୦୩
ପଞ୍ଚବିଷୟେ ସେ ସମର୍ଥ । ତେଣୁ ପାଞ୍ଚାଳ ନାମେ ଖ୍ୟାତ ॥ ୧୦୪
ମୁଦଗ୍ଲ ତହୁଁ ହେଲା ଖ୍ୟାତ । ମୌଦ୍ଗଲ୍ୟ ବ୍ରହ୍ମଣଙ୍କ ଗୋତ୍ର ॥ ୧୦୫
ମୁଦଗ୍ଲ ତହୁଁ ଉତ୍ତପନ୍ନ । ହୋଇଲେ ଯମଜ ସନ୍ତାନ ॥ ୧୦୬
ମୁଦଗ୍ଲ ପୁତ୍ର କନ୍ୟା ଦେଖି । ଅତ୍ୟନ୍ତ ହୋଇଲାକ ସୁଖୀ ॥ ୧୦୭
ମୁଦଗ୍ଲ ପୁତ୍ର ଦିବୋଦାସ । କନ୍ୟାଏ ଅହଲ୍ୟା ପ୍ରକାଶ ॥ ୧୦୮
ଗୌତମ ହେଲେ ତା'ର ପତି । ଶତାନନ୍ଦ ତା'ର ସନ୍ତତି ॥ ୧୦୯
ସତ୍ୟଧୃତି ତାହାର ସୁତ । ସେ ଧନୁର୍ବେଦେ ସୁପଣ୍ତିତ ॥ ୧୧୦
ତା'ର କୁମର ଶରଦ୍ୱାନ । ଅତି ସୁନ୍ଦର ବିଦ୍ୟମାନ ॥ ୧୧୧
ଉର୍ବଣୀ ଦେଖି ବନଦେଶେ । ତାହାର ରେତ କାମବଶେ ॥ ୧୧୨
ଧରି ନ ପାରି ରେତ ଦମ୍ଭେ । ତକ୍ଷଣେ ପଡ଼େ ଶର ଖମ୍ବେ ॥ ୧୧୩
ପୁତ୍ର ଦୁହିତା ହୋଇ ଜାତ । ବନେ ହୋଇଲେ ଅରକ୍ଷିତ ॥ ୧୧୪
ଏମନ୍ତେ ପାହିଲା ରଜନୀ । ଶାନ୍ତନୁ କରେ ଧନୁ ଘେନି ॥ ୧୧୫
ମୃଗୟା ଅର୍ଥେ ବନେ ଗଲା । ସେ କନ୍ୟାପୁତ୍ରଙ୍କୁ ଦେଖିଲା ॥ ୧୧୬
ମନ ସନ୍ଦେହେ ବିଚାରଇ । ଅଦ୍ଭୁତ କନ୍ୟାପୁତ୍ର ଏହି ॥ ୧୧୭
କିଏ କାହାର କନ୍ୟା ସୁତେ । ବନେ ଅଛନ୍ତି ଅରକ୍ଷିତେ ॥ ୧୧୮
ଏମନ୍ତେ ଚିତ୍ତେ କୃପା କରି । କନ୍ୟାକୁମର କୋଳେ ଧରି ॥ ୧୧୯
ମନ୍ଦିରେ ମିଳି ସେ ରାଜନ । କନ୍ୟା କୁମରେ ଦେଲା ନାମ ॥ ୧୨୦
କୃପାବଶରୁ କୃପ ନାମ । ଅତି ସୁନ୍ଦର ଅନୁପମ ॥ ୧୨୧
କନ୍ୟାର ନାମ କୃପୀ ଦେଲା । ଦ୍ରୋଣେ ତାହାକୁ ବିଭା କଲା ॥ ୧୨୨
ଶୁଣ ସୁଜନେ ଏକଚିତ୍ତେ । ସଂସାରୁ ତରିବ ଯେମନ୍ତେ ॥ ୧୨୩
କୃଷ୍ଣଚରିତ ଅନୁସର । ଦୁର୍ଲ୍ଲଭ ମନୁଷ୍ୟ ଶରୀର ॥ ୧୨୪
ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥ ୧୨୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଏକବିଂଶୋଽଧ୍ୟାୟଃ ॥
* * *