ନବମ ସ୍କନ୍ଧ

ବିଂଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ପରୀକ୍ଷ ନୃପମଣି । ଯେ ପୁରୁବଂଶର କାହାଣୀ ॥

ଯେବା ଯେମନ୍ତ କଲେ କର୍ମ । ଯେ ବଂଶମଧ୍ୟେ ତୋ'ର ଜନ୍ମ ॥

ସେ ବଂଶେ ରାଜଋଷି ଯେତେ । ସଂକ୍ଷେପେ କହିବି ମୁଁ ତୋତେ ॥

ଯେ ପୁତ୍ର ଜନ୍ମେଜୟ ନାମ । ସେ ପୁରୁବଂଶ ଗୁଣଧାମ ॥

ତାହାର ହୋଇଲା ନନ୍ଦନ । ନାମ ତାହାର ପ୍ରଚିନ୍ୱାନ ॥

ପ୍ରବୀର ତାହାର କୁମର । ମନସ୍ୟୁ ତା'ର ବଂଶଧର ॥

ତା'ର ତନୟ ଚାରୁପଦ । ସୁଦ୍ୟୁ ଯେ ତାହାର ଦାୟାଦ ॥

ତା'ର କୁମର ବହୁଗବ । ସଂଯାତି ତାହାର ସମ୍ଭବ ॥

ଅହଂଜାତି ତା'ର ତନୟେ । ରୌଦ୍ରାଶ୍ୱ ତା'ର ପୁତ୍ର ହୋଏ ॥

ଘୃତାଚୀ ଅପସରା ଗର୍ଭେ । ରୌଦ୍ରାଶ୍ୱ ପୁତ୍ରେ ବହୁଭାବେ ॥ ୧୦

ଏକୁ ଆରେକ ଅନୁପମ । ଶୁଣ ହୋ ତାହାଙ୍କର ନାମ ॥ ୧୧

ରତେୟୁ କୁକ୍ଷେୟୁ ଏ ବେନି । ସ୍ଥŠଣ୍ତିଳେୟୁ କୃତେୟୁ ଘେନି ॥ ୧୨

ଜଳେୟୁ ସନ୍ତତେୟୁ ଦୁଇ । ଧର୍ମେୟୁ ସତ୍ୟେୟୁ ବୋଲାଇ ॥ ୧୩

ବ୍ରତେୟୁ ବନେୟୁ ଏ ଦଶ । ଅପ୍‌ସରା ଗର୍ଭେ ପୁରୁବଂଶ ॥ ୧୪

ବିଷ୍ଣୁର ଅଂଶେ ଜାତ ହୋଇ । ସ୍ୱଧର୍ମେ ପାଳିଲେ ଏ ମହୀ ॥ ୧୫

ଋତେୟୁ ସୁତ ରନ୍ତିନାବ । ତହୁଁ ସୁମତି ଆର ଧ୍ରୁବ ॥ ୧୬

ଅପ୍ରତିରଥ ତିନି ଜାଣ । ଅପ୍ରତିରଥ ସୁତ କଣ୍ୱ ॥ ୧୭

ତା'ର ତନୟ ମେଧାତିଥି । ପ୍ରସ୍କଣ୍ୱ ତାହାର ସନ୍ତତି ॥ ୧୮

କଣ୍ୱର ବଂଶେ ଜାତ ହୋଇ । ସଂସାରେ ବ୍ରାହ୍ମଣ ବୋଲାଇ ॥ ୧୯

ରେଭି ଯେ ସୁମତିର ପୁତ୍ର । ଦୁଷ୍ମନ୍ତ ତା'ର ବୀର୍ଯ୍ୟେ ଜାତ ॥ ୨୦

ସୁନ୍ଦରେ ନାହିଁ ରୂପ ସୀମା । ଶୁଣ ହୋ ତାହାର ମହିମା ॥ ୨୧

ଦୁଷ୍ମନ୍ତ ରାଜା ଏକଦିନେ । ମୃଗୟା ଅର୍ଥେ ଗଲା ବନେ ॥ ୨୨

କଣ୍ୱଙ୍କ ଆଶ୍ରମେ ମିଳିଲା । ଅଦ୍ଭୁତ କନ୍ୟାଏ ଦେଖିଲା ॥ ୨୩

ଅଙ୍ଗ ଭୂଷଣ ଝଟକନ୍ତି । ଲକ୍ଷ୍ମୀଙ୍କ ପ୍ରାୟେ ଦିଶେ କାନ୍ତି ॥ ୨୪

ତାହାକୁ ଦେଖି କାମବଶେ । ସମ୍ଭୋଗ କରିବାର ଆଶେ ॥ ୨୫

ତା' ରୂପ ଦେବ-ମାୟାମୟୀ । ଦେଖିଣ ମନ ନରହଇ ॥ ୨୬

ଅଳପ ବଳ ଘେନି ସଙ୍ଗେ । ଦୁଷ୍ମନ୍ତ ମିଳେ ତା'ର ଆଗେ ॥ ୨୭

ଆନନ୍ଦେ ତା'ର ଦରଶନେ । ବୋଲଇ ପରିଗ୍ରହ ମନେ ॥ ୨୮

ହାସ୍ୟବଦନେ ତା'ର ପାଶେ । ମଧୁର ବାକ୍ୟେ ମନତୋଷେ ॥ ୨୯

ହେ ଶୁଭେ କମଳ ନୟନି । କହ ତୁ କାହାର ନନ୍ଦିନୀ ॥ ୩୦

ନିର୍ଜନବନେ କିପାଁ ଅଛୁ । କହ କାହାକୁ ବର ଇଚ୍ଛୁ ॥ ୩୧

ତୋ' ରୂପେ ଅଛି କେବା ସମ । କହ ତୋହାର କିସ ନାମ ॥ ୩୨

ନିଶ୍ଚେ ତୁ ରାଜାର ନନ୍ଦିନୀ । ଜାଣିଲି ତୋ'ର ରୂପ ଚିହ୍ନି ॥ ୩୩

ମୁଁ ଯେ ପୁରୁର ବଂଶେ ଜାତ । ଅଧର୍ମେ ନବଳେ ମୋ' ଚିତ୍ତ ॥ ୩୪

ଏମନ୍ତ ରାଜାମୁଖୁଁ ଶୁଣି । ସେ କନ୍ୟା କହେ ପରିମାଣି ॥ ୩୫

ଶକୁନ୍ତଳା ଉବାଚ

ଶୁଣ ରାଜନ ଚୂଡ଼ାମଣି । ମୁଁ ବିଶ୍ୱାମିତ୍ରଙ୍କ ନନ୍ଦିନୀ ॥ ୩୬

ମେନକା ନାମେ ମୋ' ଜନନୀ । ଦଇବେ ମୋର କର୍ମ ଘେନି ॥ ୩୭

ମୋତେ ପକାଇଗଲା ବନ । ପକ୍ଷୀଏ ମୋହର ଜୀବନ ॥ ୩୮

ପାଳିଲ ମୋତେ ସ୍ନେହ ବହି । ଏ ବନେ ଭକ୍ଷ୍ୟ ଭୋଜ୍ୟ ଦେଇ ॥ ୩୯

ମୁହିଁ ଯେ ଶକୁନ୍ତର ବାଳା । ତେଣୁ ମୋ' ନାମ ଶକୁନ୍ତଳା ॥ ୪୦

ମୋହର ଜନ୍ମ କର୍ମମାନ । ସବୁ ଜାଣନ୍ତି ମୁନି କଣ୍ୱ ॥ ୪୧

ଜନ୍ମ ମୋ' କଉଶିକ କୁଳେ । ମୁଁ ଏହା ଜାଣେ ଯୋଗବଳେ ॥ ୪୨

ତୁ ଯେବେ ମୋହର ବିଶ୍ୱାସ । ଆସ ମୋହର ପାଶେ ବସ ॥ ୪୩

ମୋହର ପୂଜା ଘେନ ତୁହି । ନୀବାର ଭୁଞ୍ଜ ଏଥେ ରହି ॥ ୪୪

ଏମେନ୍ତେ ତା'ର ମଞ୍ଜୁବାଣୀ । ଆନନ୍ଦମନେ ରାଜା ଶୁଣି ॥ ୪୫

ଦୁଷ୍ମନ୍ତ ଉବାଚ

ବୋଲଇ କନ୍ୟାମୁଖ ଚାହିଁ । ଭୋ ଶଶୀମୁଖି ଶୁଣ ତୁହି ॥ ୪୬

ତୁ ଜାତ କୌଶିକର ବଂଶେ । ତୋହର ଇଚ୍ଛା ମନତୋଷେ ॥ ୪୭

ଯେବେ ବରିବୁ ତୁହି ମୋତେ । ଏ ମୋର ସତ୍ୟ ବେଦମତେ ॥ ୪୮

ଏସନ ସତ୍ୟ ତା'କୁ କରି । ଗନ୍ଧର୍ବମତେ କନ୍ୟା ବରି ॥ ୪୯

ସ୍ୱଭାବେ ପŠଣ୍ତିତ ରାଜନ । ଜାଣଇ ସକଳ ବିଧାନ ॥ ୫୦

ବିବାହ କରି ତା'ର ସଙ୍ଗେ । ରାତ୍ରେ ବଞ୍ଚିଲା ରତିରଙ୍ଗେ ॥ ୫୧

ଆମୋଘବୀର୍ଯ୍ୟ ତା' ସ୍ୱଭାବେ । ରହିଲା ଶକୁନ୍ତଳା ଗର୍ଭେ ॥ ୫୨

ପ୍ରଭାତେ ରାଜା ଗଲା ପୁର । କାଳେ ତା ଜନ୍ମିଲା କୁମର ॥ ୫୩

ସେ ବନେ କଣ୍ୱଋଷି ଥିଲେ । ବିଧାନେ ଜାତକର୍ମ କଲେ ॥ ୫୪

ତକ୍ଷଣେ ଉଠି ରାଜବଳା । ସ୍ୱଭାବେ ତେଜ ଅନର୍ଗଳା ॥ ୫୫

ସିଂହକୁ ବାମଭୁଜେ ଧରି । କ୍ରୀଡ଼ାକନ୍ଦୁକ ପ୍ରାୟେ କରି ॥ ୫୬

ରଜ୍ଜୁ ନିବେଶି ତା'ର ଗଳେ । କ୍ରୀଡ଼ାକନ୍ଦୁକ ପ୍ରାୟେ ଖେଳେ ॥ ୫୭

ପୁତ୍ରର ଦେଖି ବାଳଲୀଳା । ଅତ୍ୟନ୍ତ ତେଜ ଅନର୍ଗଳା ॥ ୫୮

ବିଷ୍ଣୁର ଅଂଶ ପ୍ରାୟେ ମଣି । ତକ୍ଷଣେ ଋଷିଙ୍କ ଦୁଲଣୀ ॥ ୫୯

ପୁତ୍ରର ହସ୍ତ ଧରି ବେଗେ । ମିଳିଲା ନିଜ ସ୍ୱାମୀ ଆଗେ ॥ ୬୦

ରାଜା ସେ ମାତାପୁତ୍ର ଦେଖି । ତକ୍ଷଣେ ବୁଜି ବେନିଆଖି ॥ ୬୧

ପତ୍ନୀ ପୁତ୍ରଙ୍କୁ ନ ଚିହ୍ନିଲା । ଭାବ ନ ଜାଣି ଉପେକ୍ଷିଲା ॥ ୬୨

ତକ୍ଷଣେ ଆକାଶର ବାଣୀ । ସେଠାରେ ସର୍ବଲୋକେ ଶୁଣି ॥ ୬୩

ଆତ୍ମାର ରୂପେ ପୁତ୍ରଜାତ । ଏ ନିଶ୍ଚେ ତୋ'ର ଦାରା ସୁତ ॥ ୬୪

ଯେ ପୁତ୍ର ଜାତ ନିଜଠାରୁ । ଉଦ୍ଧାର କରେ ସେ ନର୍କରୁ ॥ ୬୫

ତୁମ୍ଭେ କରିଛ ଗର୍ଭାଧାନ । ଏ କଥା ନୁହଁଇ ଯେ ଆନ ॥ ୬୬

ଆକାଶବାଣୀ ଶୁଣି କର୍ଣ୍ଣେ । ତକ୍ଷଣେ ରାଜା ତୋଷମନେ ॥ ୬୭

ଆଶ୍ୱାସ କରି ପୁତ୍ର ନାରୀ । ଗୃହେ ସ୍ଥାପିଲା ଦଣ୍ତŠଧାରୀ ॥ ୬୮

ଏମନ୍ତେ ଦୁଷ୍ମନ୍ତର ଅନ୍ତେ । ସେ ରାଜା ହୋଇଲା ଜଗତେ ॥ ୬୯

ନାମ ଭରତ ନୃପବର । ପ୍ରକାଶେ ଯେହ୍ନେ ଦିବାକର ॥ ୭୦

ବିଷ୍ଣୁର ଅଂଶ ଯେ ରାଜନ । ଶରୀରେ ଦିଶେ ବିଷ୍ଣୁଚିହ୍ନ ॥ ୭୧

ଚକ୍ର ଦକ୍ଷିଣକରେ ଦିଶେ । ଚରଣେ କମଳ ପ୍ରକାଶେ ॥ ୭୨

ତାହାଙ୍କୁ ମିଳି ଋଷିଯୂଥେ । ସ୍ଥାପିଲେ ଅଭିଷେକ ମତେ ॥ ୭୩

ସେ ରାଜା ଅଭିଷିକ୍ତ ହୋଇ । ଧର୍ମେ ସେ ପୃଥିବୀ ପାଳଇ ॥ ୭୪

ଭରଦ୍ୱାଜଙ୍କ ଆଦେଶରେ । ସେ ରାଜା ଅଶ୍ୱମେଧ କରେ ॥ ୭୫

ପଞ୍ଚପଞ୍ଚାଶ ଅଶ୍ୱମେଧେ । କ୍ରମେ ସେ ଗଙ୍ଗାତଟେ ସାଧେ ॥ ୭୬

ଯଜ୍ଞରେ ବରି ଦ୍ୱିଜଗଣ । ଅନେକ ଦେଲା ଧନ ଦାନ ॥ ୭୭

ସେ ପୁଣି ଯମୁନାର ତୀରେ । ଅଷ୍ଟସପ୍ତତି ଯଜ୍ଞ କରେ ॥ ୭୮

ଅଗ୍ନିକୁ ବିଧିରେ ତୋଷିଲା । ବ୍ରାହ୍ମଣେ ଧେନୁଦାନ ଦେଲା ॥ ୭୯

ଏମନ୍ତ ନୃପ ଏକାବେଳେ । ଶତେ ତେତିଶ ଯଜ୍ଞ କଲେ ॥ ୮୦

ତେର ସହସ୍ର ଚଉରାଶୀ । ଧେନୁ ଉତ୍ସ›ର୍ଗି ବିପ୍ରେ ତୋଷି ॥ ୮୧

ସହସ୍ର ସହସ୍ର ବ୍ରାହ୍ମଣ । ଯଜ୍ଞେ ପାଇଲେ ଗୋରୁଦାନ ॥ ୮୨

ଚଉଦ ନିୟୁତ ଯେ ହସ୍ତୀ । ସେ ଯଜ୍ଞେ ଦେଲାକ ନୃପତି ॥ ୮୩

ତେତିଶ ଶତ ଅଶ୍ୱ ଦେଲା । ସେ ପୁଣି ଦୁଷ୍ମନ୍ତର ବଳା ॥ ୮୪

ଅନେକ ଦାନ ଯଜ୍ଞମତେ । ଧେନୁ କାଞ୍ଚନ ବସ୍ତ୍ର ଯୁକ୍ତେ ॥ ୮୫

ଭରତ କର୍ମକଲା ଯେତେ । ନୋହିବ ଭୂତ-ଭବିଷ୍ୟତେ ॥ ୮୬

କିରାତ ହୁଣ ଯେ ଯବନ । ପୌŠଣ୍ତ୍ରକ କଙ୍କ ରାଜାଗଣ ॥ ୮୭

ଶକ ଖଗାଦି ମ୍ଲେଚ୍ଛ ଯେତେ । ସବୁ ଛେଦିଲା ଏ ଜଗତେ ॥ ୮୮

ପୂର୍ବେ ଯେ ଦାନବ ସକଳେ । ଦେବଗଣଙ୍କୁ ଜିଣି ବଳେ ॥ ୮୯

ଦେବାଙ୍ଗନାଙ୍କୁ ହରି ନେଇ । ପାତାଳେ ଲୁଚିଥିଲେ ଯାଇ ॥ ୯୦

ଭରତ ସେମାନଙ୍କୁ ମାରି । ପାତାଳୁ ଆଣିଲା ଉଦ୍ଧରି ॥ ୯୧

ଭରତରାଜା ରାଜ୍ୟକାଳେ । ପୃଥିବୀ ସ୍ୱର୍ଗ ଏକତୁଲେ ॥ ୯୨

ପୃଥିବୀ ସର୍ବଶସ୍ୟ ଦେଲା । ଯେଣୁ ଅନେକ ଯଜ୍ଞ କଲା ॥ ୯୩

ପ୍ରଜାଙ୍କ ଅଭିଳାଷମାନ । ସମସ୍ତ କଲା ସମ୍ପାଦନ ॥ ୯୪

ସପ୍ତବିଂଶତି ଯେ ସହସ୍ର । ବତ୍ସ›ର ପାଳିଲାକ ଦେଶ ॥ ୯୫

ସୈନ୍ୟ ସମ୍ପତ୍ତି ନିଜ ପ୍ରାଣ । ସମସ୍ତ କଲା ମିଥ୍ୟାଜ୍ଞାନ ॥ ୯୬

ଏବେ ହୋ ଶୁଣ ନରନାଥ । ଭରତ ରାଜାର ଚରିତ ॥ ୯୭

ସେହି ରାଜାର ତିନି ନାରୀ । ପୁତ୍ରମାନଙ୍କୁ ଜାତ କରି ॥ ୯୮

ରାଜା ବୋଲଇ ପୁତ୍ରେ ଚାହିଁ । ମୋ' ପୁତ୍ର ପରି ନ ଦିଶଇ ॥ ୯୯

ବ୍ୟଭିଚାରିଣୀ ଭୟେ ନାରୀ । ବାଳ-ପୁତ୍ରଙ୍କୁ ବଧ କରି ॥ ୧୦୦

ଦେଖି ସେ ରାଜବଂଶ ହତ । ଅତ୍ୟନ୍ତ ହୋଇଲା ଦୁଃଖିତ ॥ ୧୦୧

ମୋହର ଅନୁରୂପ ପୁତ୍ର । କେଉଁ ଉପାୟେ ହେବ ଜାତ ॥ ୧୦୨

ଏମନ୍ତ ମନେ ବିଚାରିଲା । ମରୁତ ସୋମଯାଗ କଲା ॥ ୧୦୩

ମରୁତଗଣ ତୁଷ୍ଟ ହେଲେ । ରାଜାଙ୍କୁ ପୁତ୍ରଦାନ ଦେଲେ ॥ ୧୦୪

ସେ ପୁତ୍ର ନାମ ଭରଦ୍ୱାଜ । ପୂର୍ବେ ସେ ଉତଥ୍ୟକ୍ଷେତ୍ରଜ ॥ ୧୦୫

ଏବେ ହୋ ଶୁଣ ନରନାଥ । ସେ ଭରଦ୍ୱାଜଙ୍କ ଚରିତ ॥ ୧୦୬

ଭ୍ରାତୃବଧୂ ଯେ ଗର୍ଭବତୀ । ପୂର୍ବେ ରମିଲେ ବୃହସ୍ପତି ॥ ୧୦୭

ମୈଥୁନେ ହୁଅନ୍ତେ ପ୍ରବୃତ୍ତ । ଅଜ୍ଞାନ କାମେ ହୋଇ ମତ୍ତ ॥ ୧୦୮

ଗର୍ଭେ ଯେ ଶିଶୁ ତା'ର ଥିଲା । ବୃହସ୍ପତିଙ୍କି ନିଷେଧିଲା ॥ ୧୦୯

ବଳାତ୍କାରେଣ ବୃହସ୍ପତି । ବୀର୍ଯ୍ୟଆଧାନ କଲେ ତଥି ॥ ୧୧୦

ଗର୍ଭ-ବାଳକ ପଦାଘାତେ । ବୀର୍ଯ୍ୟ ପଡ଼ିଲା ଭୂମିଗତେ ॥ ୧୧୧

ତେଣୁ ସେ ଲଜ୍ଜିତ ହୋଇଲେ । ଗର୍ଭ-ଶିଶୁକୁ ଶାପ ଦେଲେ ॥ ୧୧୨

ମୋ' ବୀର୍ଯ୍ୟ ଯେଣୁ କଲୁ ରୋଧ । ତେଣୁ ତୁ ହୁଅ ଜନ୍ମ ଅନ୍ଧ ॥ ୧୧୩

ତକ୍ଷଣେ ପୁତ୍ର ହେଲା ଜାତ । ତା' ଦେଖି ତା' ମାତା ଚକିତ ॥ ୧୧୪

ତହୁଁ ଯେ ଭରଦ୍ୱାଜ ଜାତ । ତାହାଙ୍କୁ ପାଳିଲେ ମରୁତ ॥ ୧୧୫

ଭରତ-ଯଜ୍ଞେ ତୋଷ ହେଲେ । ସେ ପୁତ୍ର ଏବେ ତା'କୁ ଦେଲେ ॥ ୧୧୬

ଭରତ କର୍ମ ଶୁଣି ପ୍ରାଣୀ । ତରିବେ ଭବ-ତରଙ୍ଗିଣୀ ॥ ୧୧୭

କହିଲା ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥ ୧୧୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ବିଂଶୋଽଧ୍ୟାୟଃ ॥

* * *