ନବମ ସ୍କନ୍ଧ
ଉନବିଂଶ ଅଧ୍ୟାୟ
ଶୁକ ଉବାଚ
ଯଯାତି ବସି ଏକଦିନେ । ଜ୍ଞାନ ପ୍ରକାଶିଲା ତା' ମନେ ॥ ୧
ଦେବଯାନୀର ମେଳେ ଥାଇ । ବୋଲଇ ତା'ର ମୁଖ ଚାହିଁ ॥ ୨
ଶୁଣ ସୁନ୍ଦରି ତୋ' ଅଧୀନ । ବିଷୟରସେ ମୋ'ର ମନ ॥ ୩
ପଶିଲା କାମ-ଅନ୍ଧକାରେ । ଭାସ୍କର ଯେହ୍ନେ ତମଘୋରେ ॥ ୪
ଶୁଣ ଭାର୍ଗବି ମୋ'ର କଥା । ପୂର୍ବେ ଯେ ଇତିହାସ ଗାଥା ॥ ୫
କହନ୍ତି ତତ୍ତ୍ୱଜ୍ଞାନୀ ଜନେ । ଗ୍ରାମ୍ୟଭୋଗକୁ ନିନ୍ଦି ମନେ ॥ ୬
ସେ କଥା କହୁ ତୋ'ର ଆଗେ । ଯେବା ବିଷୟ ଅନୁରାଗେ ॥ ୭
ଛାଗ ଛାଗୀଏ ଏକଦିନେ । ଚରିବା ଅର୍ଥେ ଗଲେ ବନେ ॥ ୮
ଛାଗୀ ଯେ ଜଳପାନ ଅର୍ଥେ । କୂପେ ପଡ଼ିଲା ଅନାୟତ୍ତେ ॥ ୯
ସ୍ୱଭାବେ କାମୀ ଛାଗ ଜାତି । ତା'ର ଉଦ୍ଧାରେ କଲା ମତି ॥ ୧୦
କେବେହେଁ ଉଦ୍ଧାରି ନପାରେ । ନିରାଶେ ଗଲା ନିଜପୁରେ ॥ ୧୧
ସେ ବନେ ବୃଦ୍ଧଛାଗେ ଥିଲା । କୂପେ ସେ ଛାଗୀକି ଦେଖିଲା ॥ ୧୨
ବିଷାଣ ଅଗ୍ରେ ତା' ଉଦ୍ଧରି । କୂଳେ ସ୍ଥାପିଲା ଯତ୍ନକରି ॥ ୧୩
ସେ ଛାଗୀ କୂପରୁ ଅଇଲା । ଛାଗରେ ଅଭିଳାଷ କଲା ॥ ୧୪
ସେ ଛାଗ ତା'ର ସଙ୍ଗମେଳେ । ରମଣ କରେ ଅତିଭୋଳେ ॥ ୧୫
ଦିବା ରଜନୀ ନ ଜାଣଇ । ନିରତେ ତା'ର ସଙ୍ଗେ ଥାଇ ॥ ୧୬
ତଥାପି ନ ଲଭିଲା ତୃପ୍ତି । ଅଗ୍ନିରେ ଯେହ୍ନେ ଘୃତାହୁତି ॥ ୧୭
ଅନ୍ୟାନ୍ୟ ଛାଗୀ କାମବଶେ । ମିଳିଲେ ସେହି ଛାଗ ପାଶେ ॥ ୧୮
ସ୍ଥୂଳଶରୀର ଶ୍ମଶ୍ରୁମୁଖ । ରେତ ସେଚନେ ଅତି ଦକ୍ଷ ॥ ୧୯
ବଳିଷ୍ଠ ଦେଖି ସର୍ବଛାଗୀ । ତାହାର ପ୍ରତି ଅନୁରାଗୀ ॥ ୨୦
ସେ ଏକ ପୁରୁଷ ଯେ ଛାଗ । କଲାଛାଗୀଙ୍କି ଅନୁରାଗ ॥ ୨୧
ହୋଇଣ କାମ-ଗ୍ରହ-ଗ୍ରସ୍ତ । ଛାଗୀଙ୍କ ସଙ୍ଗେ ହେଲା ମତ୍ତ ॥ ୨୨
ଯେ ଛାଗୀ କୂପେ ପଡ଼ିଥିଲା । ଦେଖି ନିଜର ଅବହେଳା ॥ ୨୩
କାମୀଛାଗକୁ କଲା ତ୍ୟାଗ । ତା' ପ୍ରତି ହୋଇଣ ବିରାଗ ॥ ୨୪
ସତ୍ତ୍ୱରେ ଛାଗୀ କଲା ଚଳି । ଛାଗ ଯେ ପକାଇ ବୋବାଳି ॥ ୨୫
ତାହାର ପଛେ ଗୋଡ଼ାଇଲା । ପଥେ ଛାଗୀକୁ ନ ଭେଟିଲା ॥ ୨୬
ଛାଗର ଅଧିସ୍ୱାମୀ ଘରେ । ସେ ଦୁହେଁ ମିଳିଲେ ସତ୍ୱରେ ॥ ୨୭
ଛାଗର ଲମ୍ବିତ ବୃଷଣ । ବ୍ରାହ୍ମଣେ କଲେକ ଛେଦନ ॥ ୨୮
ସେ କଥା ତତ୍ତ୍ୱଜ୍ଞାନୀ ଜନେ । କାମର ଭୋଗ ସ୍ମରି ମନେ ॥ ୨୯
ତାହାର ବୃଷଣକୁ ନେଲେ । ପୁଣି ତା' ଦେହେ ଲଗାଇଲେ ॥ ୩୦
ସେ କଥା କହୁଁ ତୋ'ର ଆଗେ । ଯେବା ବିଷୟେ ଅନୁରାଗେ ॥ ୩୧
ସେ ଛାଗୀ ଛାଗର ସହିତେ । ବିଷୟଭୋଗେ ଦିନା କେତେ ॥ ୩୨
କାଟିଲା ଆପଣା ଇଚ୍ଛାରେ । ତେବେ ସନ୍ତୋଷ ନୁହେଁ ଥରେ ॥ ୩୩
ସେ ଛାଗ ପ୍ରାୟେ ତୋ'ର ସଙ୍ଗେ । ମୁହିଁ ବୁଡ଼ିଲି ପ୍ରେମ ରଙ୍ଗେ ॥ ୩୪
ତୋହର ମାୟାରେ ମୋହିତ । ହୋଇ ନ ଜାଣେ ମୋର ହିତ ॥ ୩୫
ସପତ ଦ୍ୱୀପେ ରାଜା ହୋଇ । ଅଜ୍ଞାନେ ବଞ୍ଚାଇଲି ଦେହୀ ॥ ୩୬
ଭୂମିରେ ଯେତେ ଶସ୍ୟ ଥା'ନ୍ତି । ସୁବର୍ଣ୍ଣେ ସ୍ତିରୀ ପଶୁଜାତି ॥ ୩୭
ଯେ ପ୍ରାଣୀ କାମବଶ ହୋଇ । ଏ ସବୁ ତା'କୁ ନ ଅଣ୍ଟଇ ॥ ୩୮
କାମୀ ପୁରୁଷଙ୍କର ମନ । କେବେହେଁ ନୋହେ ସଞ୍ଜମନ ॥ ୩୯
ନିତ୍ୟେ ରମନ୍ତି କାମଭୋଗେ । ଅଗ୍ନି ଯେସନେ ଘୃତ ଯୋଗେ ॥ ୪୦
ସକଳଭୂତ ସଙ୍ଗ ଛାଡ଼ି । ଯେ ଆତ୍ମାଭାବେ ସୁଖେ ବୁଡ଼ି ॥ ୪୧
ଆତ୍ମାକୁ ଦେଖେ ସର୍ବଦେହେ । ତା' ସର୍ବଦିଗ ସୁଖମୟେ ॥ ୪୨
ଦୁର୍ଜନଜନଙ୍କର ମତି । ତୃଷ୍ଣାକୁ ଛାଡ଼ି ନ ପାରନ୍ତି ॥ ୪୩
ଯେ କରିପାରେ ସର୍ବଭକ୍ଷ । ତୃଷ୍ଣା ମାରଣେ ନୋହେ ଦକ୍ଷ ॥ ୪୪
ମାତା ଭଗିନୀ କନ୍ୟା ମେଳେ । କେବେହେଁ ନ ଥିବ ନିରୋଳେ ॥ ୪୫
ମନ ଯେ ଇନ୍ଦ୍ରିୟଙ୍କ ଗ୍ରାମ । ବଳେ ତାହାକୁ ନାହିଁ ସମ ॥ ୪୬
ପଣ୍ତିତଜନ ମନ ହରେ । ଏଣୁ କେ ନାରୀ ସଙ୍ଗୁ ତରେ ॥ ୪୭
ଦେଖ ମୁଁ ସହସ୍ର ବରଷେ । ନିତ୍ୟେ ରମିଲି କାମବଶେ ॥ ୪୮
ନିରତେ ବିଷୟ ବ୍ୟସନେ । ମନ ରହିଲା ରାତ୍ରଦିନେ ॥ ୪୯
ମୁଁ ଏବେ ତୃଷ୍ଣା ଦୂର କରି । କୃଷ୍ଣ ଚରଣେ ମନ ଧରି ॥ ୫୦
ନିର୍ମୋହ ହୋଇ ବନସ୍ଥଳେ । ରହିବି ପଶୁଗଣ ମେଳେ ॥ ୫୧
ଦୃଷ୍ଟ ଶ୍ରୁତକୁ ମିଥ୍ୟା କରି । ଧ୍ୟାନେ ସମ୍ଭାଷି ନରହରି ॥ ୫୨
ଯେ ନୋହେ ଆତ୍ମାର ବିନାଶୀ । ତାହାକୁ କହି ଆତ୍ମଦର୍ଶୀ ॥ ୫୩
ଏମନ୍ତ ପ୍ରିୟା ଆଗେ କହି । ପୁରୁକୁ ସମୀପେ ବସାଇ ॥ ୫୪
ତା'ର ବୟସ ତା'କୁ ଦେଲା । ବୃଦ୍ଧ ଶରୀର ଆବୋରିଲା ॥ ୫୫
ପୁରୁକୁ ରାଜ୍ୟେ କଲା ରାଜା । ଭଲେ ପାଳିବ ଜନପ୍ରଜା ॥ ୫୬
ଦ୍ରୁହ୍ୟୁକୁ ପୂର୍ବଦିଗ ଦେଲା । ଅନୁକୁ ଉତ୍ତରେ ସ୍ଥାପିଲା ॥ ୫୭
ଯଦୁକୁ ଦକ୍ଷିଣେ ବସାଇ । ପଶ୍ଚିମ ତୁର୍ବସୁକୁ ଦେଇ ॥ ୫୮
ଏମନ୍ତେ ରାଜ୍ୟ ବାଣ୍ଟିଦେଇ । ପୁତ୍ରଙ୍କୁ ପ୍ରିୟବାକ୍ୟ କହି ॥ ୫୯
ଆନନ୍ଦ ଦେଇ ସର୍ବମନେ । ତକ୍ଷଣେ ପଶିଲା ଅରଣ୍ୟେ ॥ ୬୦
ଆତ୍ମାରେ ଆତ୍ମା ଧ୍ୟାନ କରି । ଯୋଗ ଅଭ୍ୟାସେ ମନ ଧରି ॥ ୬୧
ପରମବ୍ରହ୍ମେ ସେ ପଶିଲା । ଶୁଣ ହେ ଅଭିମନ୍ୟୁବଳା ॥ ୬୨
ସେ କଥା ଦେବଯାନୀ ଶୁଣି । ସ୍ୱାମୀର ପଥ ମନେ ଗୁଣି ॥ ୬୩
ସଂସାର ସ୍ୱପ୍ନ ପ୍ରାୟ ମଣି । ଏମନ୍ତ ଭାଳି ସେ ତରୁଣୀ ॥ ୬୪
କୃଷ୍ଣଚରଣେ ମନ ଦେଲା । ବିଷ୍ଣୁମାୟାରୁ ତରିଗଲା ॥ ୬୫
ନବମସ୍କନ୍ଧେ ଭାଗବତ । ଯେ ଧର୍ମ ବଂଶାନୁଚରିତ ॥ ୬୬
ଭାଷା ପ୍ରବନ୍ଧେ ହରିକଥା । ଶୁଣନ୍ତେ ତୁଟେ ଭବବ୍ୟଥା ॥ ୬୭
ବ୍ରାହ୍ମଣ ଜଗନ୍ନାଥ କହେ । ସୁଜନେ ଏଣେ କର ଲୟେ ॥ ୬୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଏକୋନବିଂଶୋଽଧ୍ୟାୟଃ ॥
* * *