ନବମ ସ୍କନ୍ଧ
ଅଷ୍ଟାଦଶ ଅଧ୍ୟାୟ
ଶୁକ ଉବାଚ
କହନ୍ତି ଶୁକ ବ୍ରହ୍ମବେତ୍ତା । ନବମେ ବଂଶାନୁବ୍ୟବସ୍ଥା ॥ ୧
ନହୁଷ ବୀର୍ଯ୍ୟେ ଷଟସୁତେ । ତାହାଙ୍କ ନାମ କହୁଁ ତୋତେ ॥ ୨
ଯତି ଯଯାତି ଯେ ସଂଯାତି । ଆୟତି ବିୟତି ଯେ କୃତି ॥ ୩
ଦେହୀର ଇନ୍ଦ୍ରିୟ ଯେସନେ । ଜନ୍ମିଲେ ନହୁଷ ନନ୍ଦନେ ॥ ୪
ଯତିକି ରାଜପଣ ଦେଲା । ସେ ରାଜଭୋଗ ନ ଇଚ୍ଛିଲା ॥ ୫
ବୋଲଇ ଦୁଃଖମୟ ଏହି । ଏଣେ ମୋହର କାର୍ଯ୍ୟ ନାହିଁ ॥ ୬
ଆତ୍ମା ନ ମଜ୍ଜେ ରାଜସୁଖେ । ନିରତେ ରହେ ମନଦୁଃଖେ ॥ ୭
ଜାଣଇ ପିତାର ଆଚାର । ଋଷିଙ୍କି ବୁହାଇଲା ଭାର ॥ ୮
ଇନ୍ଦ୍ରାଣୀ ଅର୍ଥେ ପଥେ ଯା'ନ୍ତେ । କୋପ ବସିଲା ଋଷିଚିତ୍ତେ ॥ ୯
ବହି ନ ପାରି ମହାଭାର । ବୋଇଲେ ହୁଅ ଅଜଗର ॥ ୧୦
ଏମନ୍ତେ ଅଜଗର ହୋନ୍ତେ । ନିର୍ଜନ ଗହନ ବନସ୍ତେ ॥ ୧୧
ପଡ଼ି ଡାକିଲା କରି ଶୋକ । ଭୋ ଋଷିଗଣେ ମୋତେ ରଖ ॥ ୧୨
ତା'ର ବିକଳେ ମୁନିଗଣ । ବୋଇଲେ ଶୁଣ ଭୋ ରାଜନ ॥ ୧୩
ଦ୍ୱାପର ଯୁଗ ଅବଶେଷେ । ଧର୍ମନନ୍ଦନ କୁରୁବଂଶେ ॥ ୧୪
ଭୀମକୁ ବନେ ଖୋଜି ଯା'ନ୍ତେ । ଭେଟ ହୋଇବ ତୋ' ସଙ୍ଗତେ ॥ ୧୫
ଭୀମକୁ ବାନ୍ଧିଥିବୁ ତୁହି । ସେ ପୁଣି ତୋ'ର ପାସେ ଯାଇ ॥ ୧୬
ଧର୍ମ କହିବେ ତୋତେ ଯେବେ । ନିସ୍ତାର ତୋ'ର ହେବ ତେବେ ॥ ୧୭
ଏମନ୍ତ ନହୁଷଙ୍କୁ କହି । ସେ ମୁନି ଗଲେ ଦୟାବହି ॥ ୧୮
ସେ ପୁଣି ଯୁଧିଷ୍ଠିର ତୁଲେ । ଧର୍ମ ବିଚାର କରି ଭଲେ ॥ ୧୯
ସର୍ପ ଯୋନିରୁ ମୋକ୍ଷ ହୋଇ । ନିଜ ମନ୍ଦିରେ ମିଳେ ଯାଇ ॥ ୨୦
ସେ କଥା ଯତି ସ୍ମରି ମନେ । ନବସେ ନୃପତି ଆସନେ ॥ ୨୧
ଯଯାତି ଭ୍ରାତୃଗଣ ତୁଲେ । ରାଜା ହୋଇଲା ପିତୃ ବୋଲେ ॥ ୨୨
ସକଳ ରାଜ୍ୟେ ହୋଇ ରାଜା । ଧର୍ମେ ପାଳିଲା ଜନପ୍ରଜା ॥ ୨୩
ଶୁକ୍ର ଦୁହିତା ଦେବଯାନୀ । ଶର୍ମିଷ୍ଠା ବୃଷର ଦୁଲଣୀ ॥ ୨୪
ଯଯାତି ବରି ବରପଣେ । ବିବାହ କଲେ ଶୁଭକ୍ଷଣେ ॥ ୨୫
ଏମନ୍ତେ ଶୁକବାକ୍ୟ ଶୁଣି । ବୋଲେ ପରୀକ୍ଷ ନୃପମଣି ॥ ୨୬
ରାଜା ଉବାଚ
ଭୋ ମୁନି ଅସମ୍ଭବ ବାଣୀ । ସଂଶୟ ଲାଗିଲା ତ ଶୁଣି ॥ ୨୭
ଶୁକ୍ର ସ୍ୱଭାବେ ବ୍ରହ୍ମଋଷି । ପୁଣି ଅଟନ୍ତି ଭୃଗୁବଂଶୀ ॥ ୨୮
ବ୍ରାହ୍ମଣ କ୍ଷତ୍ରିୟ କେମନ୍ତେ । ବିବାହ କଲେ ବେଦମତେ ॥ ୨୯
ଏ ପ୍ରତିଲୋମ ପ୍ରାୟେ ମଣି । ଶୁକ ବୋଲନ୍ତି ତାହା ଶୁଣି ॥ ୩୦
ଶୁକ ଉବାଚ
ଦିନେକ ବୃଷପର୍ବା ଘରେ । ଶର୍ମିଷ୍ଠା କନ୍ୟା ଅନ୍ତଃପୁରେ ॥ ୩୧
ସଖୀ ସହସ୍ରେ ଘେନି ସଙ୍ଗେ । ଜଳେ କ୍ରୀଡ଼ନ୍ତି ନାନା ରଙ୍ଗେ ॥ ୩୨
ସ୍ୱଭାବେ ନିଦାଘର କାଳେ । ଶୁକ୍ରଦୁହିତା ସଖୀମେଳେ ॥ ୩୩
କୁସୁମବନ ମଧ୍ୟେ ମିଳେ । ପୁଷ୍ପିତ ଦ୍ରୁମ ଶୀତ ଜଳେ ॥ ୩୪
ପୁଷ୍ପଭୂଷିତ ଭୂମି ଜଳେ । କ୍ରୀଡ଼ନ୍ତି ପକ୍ଷୀ କୁତୂହଳେ ॥ ୩୫
କହ୍ଲାର-ପଦ୍ମ-ପୁଷ୍ପ ଗନ୍ଧେ । ଭ୍ରମରଗଣ ମକରନ୍ଦେ ॥ ୩୬
ପୁଷ୍ପଜ ଗନ୍ଧେ ବାୟୁ ସ୍ଫୁରେ । ଶୀତଳ ଲାଗଇ ଶରୀରେ ॥ ୩୭
ସେ ଜଳେ ପଶି ସର୍ବକନ୍ୟା । ସ୍ୱଭାବେ କମଳଲୋଚନା ॥ ୩୮
ବସ୍ତ୍ର ପାଲଟି ହ୍ରଦ କୂଳେ । ଝାସି ପଶିଲେ ଶୀତଜଳେ ॥ ୩୯
କ୍ରୀଡ଼ନ୍ତି ଜଳେ ନାନାରଙ୍ଗେ । ଜଳ ସିଞ୍ଚନ୍ତି ଅଙ୍ଗୁ ଅଙ୍ଗେ ॥ ୪୦
ଏମନ୍ତେ ଉମା ମହେଶ୍ୱର । ଆରୋହି ବୃଷଭ ଉପର ॥ ୪୧
ବନେ ଚଳନ୍ତେ ତା'ଙ୍କୁ ଦେଖି । ବେଗେ ଉଠିଲେ ଶଶୀମୁଖୀ ॥ ୪୨
ସକଳେ ଉଠି ତା'ର ତୁଲେ । ସଂଭ୍ରମେ ବସନ ପିନ୍ଧିଲେ ॥ ୪୩
ଶର୍ମିଷ୍ଠା ସଂଭ୍ରମେ ନ ଜାଣି । ଦେବଯାନୀର ବସ୍ତ୍ର ଆଣି ॥ ୪୪
ସତ୍ୱରେ କଲା ପରିଧାନ । ତା' ଦେଖି ଦେବଯାନୀ ମନ ॥ ୪୫
କୋପେ କମ୍ପଇ ଥରହର । କଠୋର ବୋଲଇ ଉତ୍ତର ॥ ୪୬
ଦେଖ ଏ ଦାସୀମାତ୍ର ହୋଇ । ବସ୍ତ୍ର ପିନ୍ଧିଲା ମୋ'ର ନେଇ ॥ ୪୭
ଅବଜ୍ଞା କରି ମୋ' ବସନ । ଯଜ୍ଞର ହବି ଯେହ୍ନେ ଶ୍ୱାନ ॥ ୪୮
ଦେବେ ଯେ ଅତି ତପୋବଳେ । ବିଷ୍ଣୁବଦନୁ ଭୂମି ତଳେ ॥ ୪୯
ବ୍ରାହ୍ମଣ ହୋଇ ଜାତ ହେଲେ । ସର୍ବେ ତରନ୍ତି ତା'ଙ୍କ ବୋଲେ ॥ ୫୦
ଗୋବିନ୍ଦ ଯାହାର ବଚନେ । ନିତ୍ୟେ ସେବନ୍ତି ସନ୍ନିଧାନେ ॥ ୫୧
ତହିଁ ମୁଁ ଭୃଗୁବଂଶେ ଜାତ । ଆମ୍ଭର ଶିଷ୍ୟ ଏହା ତାତ ॥ ୫୨
ମୋ' ବସ୍ତ୍ର ପିନ୍ଧି ଗର୍ବ ମନେ । ଶୂଦ୍ରକୁ ବେଦବାକ୍ୟ ଯେହ୍ନେ ॥ ୫୩
ଏମନ୍ତେ ଦେବଯାନୀ କଥା । ଶୁଣି ଶର୍ମିଷ୍ଠା ମନେ ବ୍ୟଥା ॥ ୫୪
ବୋଲଇ ପୁରୁଷ ବଚନ । ସିଂହକୁ ଶୃଗାଳ ଯେସନ ॥ ୫୫
ଆପଣା ବୃତ୍ତାନ୍ତ ନ ଜାଣି । ମୋ' ଆଗେ କହୁ କଟୁବାଣୀ ॥ ୫୬
ସ୍ୱଭାବେ ଭିକ୍ଷୁକ ବୋଲାଉ । ଲଜ୍ଜା କି ମୁଖେ ତୁ ନପାଉ ॥ ୫୭
କାକମାନଙ୍କ ପ୍ରାୟ ହୋଇ । ଥାଅ ତୁ ଆମ୍ଭ ଘରେ ଚାହିଁ ॥ ୫୮
ରାଜାର ଦୁହିତାଟି ମୁହିଁ । ତୁ ମୋତେ କହୁ ଗର୍ବ ବହି ॥ ୫୯
ଏମନ୍ତେ ବହୁ କୋପକଲା । ସଖୀଙ୍କି ଚାହିଁ ଆଜ୍ଞା ଦେଲା ॥ ୬୦
ମାର ବୋଇଲା କୋପମନେ । ଶର୍ମିଷ୍ଠା ଧରି ତା' ବସନେ ॥ ୬୧
ଓଷ୍ଠ କାମୋଡ଼ି ଅତି କୋପେ । ତା' ବସ୍ତ୍ର ପକାଇଲା କୂପେ ॥ ୬୨
ପୁଣି ତାହାରି ହସ୍ତ ଧରି । କୂପେ କ୍ଷେପିଲା କୋପ କରି ॥ ୬୩
ଗଲା ସେ ଆପଣା ମନ୍ଦିର । ଏବେ ହୋ ଶୁଣ ନୃ ବର ॥ ୬୪
ଯଯାତି ମୃଗୟାର ଅର୍ଥେ । ଥିଲା ସେ ଗହନ ବନସ୍ତେ ॥ ୬୫
ତୃଷିତେ ଜଳ ଅନ୍ୱେଷଣେ । କୂପ ଦେଖିଲା ତତ୍କ୍ଷଣେ ॥ ୬୬
କୂପକୁ ଚାହିଁ ନୃପମଣି । ଦେଖିଲା ଶୁକ୍ରର ଦୁଲଣୀ ॥ ୬୭
ଉଲଗ୍ନେ ବସ୍ତ୍ର ଖୋଜେ ଜଳେ । ତା' ଦେଖି ରାଜା ଅବହେଳେ ॥ ୬୮
ଉତ୍ତରୀବସ୍ତ୍ର ତା'କୁ ଦେଲା । କନ୍ୟାକୁ ଜଳୁ ଉଦ୍ଧରିଲା ॥ ୬୯
ଆନନ୍ଦେ ହସ୍ତେ ହସ୍ତ ଦେଇ । କୂଳେ ସ୍ଥାପିଲା ଦୟାବହି ॥ ୭୦
ସେ କନ୍ୟା ରାଜା ମୁଖ ଚାହିଁ । ଗଦ୍ଗଦେ ପ୍ରେମଭର ହୋଇ ॥ ୭୧
ବୋଲଇ ଶୁଣ ନୃପମଣି । ତୁ ଯେ ଧଇଲୁ ମୋର ପାଣି ॥ ୭୨
ତୁ ଅଟୁ ପର-ପୁରଞ୍ଜୟ । ଶୁଣ ତୁ ନିଗମ-ନିର୍ଣ୍ଣୟ ॥ ୭୩
ଯେ କନ୍ୟା ହସ୍ତ ହସ୍ତେ ଧରି । ସେ ନିଶ୍ଚେ ହୁଏ ତା'ର ନାରୀ ॥ ୭୪
ହସ୍ତ ତୁ ଦେଲୁ ମୋ'ର ହସ୍ତେ । ମୋ' ସ୍ୱାମୀ ଅନ୍ୟକେ ଜଗତେ ॥ ୭୫
ଦେଖିଲୁ ଶରୀର ମୋହର । କାହିଁ ଧରିବି ଆନ କର ॥ ୭୬
ଏ ଯେ ସମ୍ବନ୍ଧ କନ୍ୟାବର । ନିଶ୍ଚୟେ ସଞ୍ଚିଲେ ଈଶ୍ୱର ॥ ୭୭
ମୁଁ କନ୍ୟା ଥିଲି କୂପଜଳେ । ତୁ ମୋ'ର ହସ୍ତ ଧରି ବଳେ ॥ ୭୮
କୂଳେ ସ୍ଥାପିଲୁ ଦୟାବହି । ତୋ' ତହୁଁ ଅନ୍ୟ ବର ନାହିଁ ॥ ୭୯
ଏ ଶାସ୍ତ୍ରମତେ ବିଚାରନ୍ତେ । ବ୍ରାହ୍ମଣେ ନ ବରିବେ ମୋତେ ॥ ୮୦
କଚ ଯେ ବୃହସ୍ପତି-ବଳା । ପୂର୍ବେ ସେ ମୋତେ ଶାପ ଦେଲା ॥ ୮୧
ସେ ଶାପ ନୋହିଲା ଅନ୍ତର । ଏଣୁ କ୍ଷତ୍ରିୟ ବର ମୋ'ର ॥ ୮୨
ଶର୍ମିଷ୍ଠା ମୋ'ର ଭୁଜ ଧରି । କୂପେ କ୍ଷେପିଲା କୋପକରି ॥ ୮୩
ଗଲା ସେ ଆପଣା ମନ୍ଦିର । ଏବେ ହୋ ଶୁଣ ନୃପବର ॥ ୮୪
ଦଇବ ସଞ୍ଚିତ ଏ କଥା । କେ କରି ପାରିବ ଅନ୍ୟଥା ॥ ୮୫
ତା'ର ବଚନ ରାଜା ଘେନି । ସମ୍ମତ କରି ହୋଇ ତୁନି ॥ ୮୬
ଯଯାତି ନିଜପୁରେ ଗଲା । ସେ କନ୍ୟା ମନେ ବିଚାରିଲା ॥ ୮୭
କହିବି ପିତା ଆଗେ ମୁହିଁ । ଯେମନ୍ତେ ବର ଲଭିବଇଁ ॥ ୮୮
ରୋଦନ କରି ମନଦୁଃଖେ । କହିଲା ପିତାର ସମ୍ମୁଖେ ॥ ୮୯
ଶର୍ମିଷ୍ଠା ଯେତେ କର୍ମ କଲା । ଯେମନ୍ତେ କୂପେ ପକାଇଲା ॥ ୯୦
ରାଜା ଉଦ୍ଧରିଲା ଯେମନ୍ତେ । କୂପୁଁ ତୋଳିଲା ଦକ୍ଷହସ୍ତେ ॥ ୯୧
ଏ କଥା ଯେମନ୍ତ ବିଧାନେ । କହିଲା ପିତା ସନ୍ନିଧାନେ ॥ ୯୨
ଶୁକ୍ର ଯେ ତା'ର ବୋଲ ଶୁଣି । ଭବିଷ୍ୟ କଥା ମନେ ଗୁଣି ॥ ୯୩
ବୋଲଇ ମୁଣ୍ତେ ଦେଇ ହସ୍ତ । ଧିକ ମୋହର ପୌରୋହିତ୍ୟ ॥ ୯୪
ଏମନ୍ତେ ମନେ କୋପ କରି । ଦୁହିତା କର କରେ ଧରି ॥ ୯୫
ବୃଷପର୍ବାର ପୁରେ ଗଲେ । ସକୋପେ ରାଜାଙ୍କୁ ଭେଟିଲେ ॥ ୯୬
ଗୁରୁ ବଦନେ କୋପ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥ ୯୭
ଅନେକ ସ୍ତୁତିବାକ୍ୟ କହି । ଚରଣେ ଗଡ଼ଘାଲି ଶୋଇ ॥ ୯୮
ଶୁକ୍ରଙ୍କ କ୍ରୋଧ କ୍ଷଣମାତ୍ର । ରହଇ ସଂସାରେ ବିଦିତ୍ ॥ ୯୯
ବୋଲଇ ତା'ର ମୁଖ ଚାହିଁ । ଆମ୍ଭର ଦୁହିତା ଯେ ଏହି ॥ ୧୦୦
ଏ କନ୍ୟା ବାକ୍ୟ ତୁମେ ଘେନ । ଏହାର ଇଚ୍ଛା କର ପୂର୍ଣ୍ଣ ॥ ୧୦୧
ଯଯାତି କୂପୁଁ ଉଦ୍ଧରିଲା । ଏ କନ୍ୟା ହସ୍ତେ ହସ୍ତ ଦେଲା ॥ ୧୦୨
ମୁଁ ଏବେ ବେଦବାକ୍ୟ ମତେ । ବ୍ରାହ୍ମଣେ ବରିବି କେମନ୍ତେ ॥ ୧୦୩
ଯେପରି କନ୍ୟା ହୁଏ ଶାନ୍ତି । ତା' ବେଗେ କର ତୁ ନୃପତି ॥ ୧୦୪
ଭୃଗୁଙ୍କ ବାକ୍ୟ ମନେ ଗୁଣି । ସେ ବୃଷପର୍ବା ନୃପମଣି ॥ ୧୦୫
ଦେବଯାନୀର ପାଶେ ଗଲା । ବିନୟ ହୋଇଣ କହିଲା ॥ ୧୦୬
ନିଜ କନ୍ୟାର ଦୋଷମାନ । ସମସ୍ତ କଲା ନିବେଦନ ॥ ୧୦୭
ତାହାର ସ୍ତୁତିବାକ୍ୟ ଶୁଣି । ସନ୍ତୁଷ୍ଟ ହୋଇ ଦେବଯାନୀ ॥ ୧୦୮
ନିଜର ଯାହା ଅଭିଳାଷ । ତା' ଆଗେ କଲାକ ପ୍ରକାଶ ॥ ୧୦୯
ବୋଲଇ ଶୁକ୍ରର ଦୁହିତା । ଶୁଣ ତୁ ଆମ୍ଭର ବାରତା ॥ ୧୧୦
ମୋ' ପିତା ଯହିଁ ମୋତେ ଦେବ । ଶର୍ମିଷ୍ଠା ମୋ'ର ସଙ୍ଗେ ଥିବ ॥ ୧୧୧
ମୁଁ ତା'ର ହେବି ଶ୍ରେଷ୍ଠ ନାରୀ । ତୋ' କନ୍ୟା ହେବ ପରିବାରୀ ॥ ୧୧୨
କନ୍ୟାର ଠାରୁ ବାଣୀ ଶୁଣି । ଅସୁରରାଜ ହେଲା ତୁନି ॥ ୧୧୩
ଭାଳନ୍ତି ବୃଷପର୍ବା ରାୟେ । ବିପଦ ପଡ଼ିଲା ଥୋକାଏ ॥ ୧୧୪
ସଖୀ ସମେତ କନ୍ୟା ଆଣି । ବୋଲଇ ନିଅ ଦେବଯାନୀ ॥ ୧୧୫
ଏମନ୍ତେ ଶର୍ମିଷ୍ଠା ଅଇଲା । ଦେବଯାନୀର ଦାସୀ ହେଲା ॥ ୧୧୬
ଶର୍ମିଷ୍ଠା ଦେବଯାନୀ ତୁଲେ । ଯଯାତି ବରି ବିଭା କଲେ ॥ ୧୧୭
ଶୁକ୍ର ଯଯାତି ମୁଖ ଚାହିଁ । କହନ୍ତି ଶୁଣ ନୃପସାଇଁ ॥ ୧୧୮
ଶର୍ମିଷ୍ଠା ସଙ୍ଗେ ସହବାସ । କଲେ ଲଭିବୁ ଅତିକ୍ଳେଶ ॥ ୧୧୯
ଶର୍ମିଷ୍ଠା ତୁଲେ ଦିବ୍ୟନାରୀ । ଘେନି ଶତେକ ପରିବାରୀ ॥ ୧୨୦
ଖଟଇ ଦେବଯାନୀ ତୁଲେ । ଯଯାତି ସଙ୍ଗେ ଭାବଭୋଳେ ॥ ୧୨୧
ଶର୍ମିଷ୍ଠା ରୂପ-ଗୁଣ ଦେହେ । ଯଯାତି ଦେଖି କାମେ ମୋହେ ॥ ୧୨୨
ଦେବଯାନୀର ପୁତ୍ର ଦେଖି । ଶର୍ମିଷ୍ଠା ନିତ୍ୟେ ମନେ ଦୁଃଖୀ ॥ ୧୨୩
ମିଳିଲା ରାଜାରେ ଏକାନ୍ତେ । ପ୍ରର୍ଥନା କଲା ପୁତ୍ର ଅର୍ଥେ ॥ ୧୨୪
ତେଣୁ ସେ ହୋଇଲେ ମୋହିତ । ଦଇବ ବଶେ ବୁଦ୍ଧି ହତ ॥ ୧୨୫
ଦେବଯାନୀକି ନ ସୁମରି । ଶର୍ମିଷ୍ଠା ବାକ୍ୟ ମନେ ଧରି ॥ ୧୨୬
ଶର୍ମିଷ୍ଠା ସଙ୍ଗେ ଏକମେଳେ । ରାଜା ଶୟନ ଋତୁକାଳେ ॥ ୧୨୭
ଶୁକ୍ରଙ୍କ ବାକ୍ୟ ହେଳା କଲା । ଶର୍ମିଷ୍ଠା ସଙ୍ଗେ ସଙ୍ଗ କଲା ॥ ୧୨୮
ଯଦୁ ତୁର୍ବସୁ ବେନିଭାଇ । ଦେବଯାନୀର ଗର୍ଭୁ ହୋଇ ॥ ୧୨୯
ଆବର ଶର୍ମିଷ୍ଠା ଗର୍ଭରୁ । ଜନ୍ମିଲେ ଦ୍ରୁହ୍ୟୁ ଅନୁ ପୁରୁ ॥ ୧୩୦
ସେ ଦେବଯାନୀ କୋପଭରେ । କହିଲା ପିତାର ଆଗରେ ॥ ୧୩୧
ପିତା ଚରଣତଳେ ପଡ଼ି । କାନ୍ଦଇ ବେନିକର ଯୋଡ଼ି ॥ ୧୩୨
ଶର୍ମିଷ୍ଠା ତୁଲେ ରାଜା ନିତ୍ୟେ । ରାତ୍ରଦିବସ ତା' ସଙ୍ଗତେ ॥ ୧୩୩
ତାହାର ବଶ ପ୍ରାୟେ ରହେ । କୋପନୟନେ ମୋତେ ଚାହେଁ ॥ ୧୩୪
ଶର୍ମିଷ୍ଠା ପ୍ରେମବନ୍ଧ ଆଶେ । କେବେହେଁ ନମିଳେ ମୋ' ପାଶେ ॥ ୧୩୫
ଏମନ୍ତେ ଦୁହିତା ବଚନେ । କୋପ ବସିଲା ଶୁକ୍ରମନେ ॥ ୧୩୬
ମିଳିଲା ରାଜାର ସମୀପେ । ଗରୁଡ଼ ମିଳେ ଯେହ୍ନେ ସର୍ପେ ॥ ୧୩୭
ବୋଇଲେ କୋପଭର ହୋଇ । ଅଧର୍ମ ଆଚରିଲୁ ତୁହି ॥ ୧୩୮
ମୋ'ର ଦୁହିତା କଲୁ ଦୂର । ଶର୍ମିଷ୍ଠା ମନୋହାରୀ ତୋ'ର ॥ ୧୩୯
ତୁ ଏବେ ଜରାରୂପ ହୋଇ । ମନ୍ଦିରେ ଥାଅ ନିତ୍ୟେ ଶୋଇ ॥ ୧୪୦
ଏମନ୍ତ ଶାପ ଦେଲେ ମୁନି । ତକ୍ଷଣେ ବୃଦ୍ଧଦେହ ଘେନି ॥ ୧୪୧
ଯଯାତି ରହିଲା ଶୟନେ । ଉଠି ନ ପାରେ ରାତ୍ରଦିନେ ॥ ୧୪୨
ଏମନ୍ତେ ତା'ର ପାଞ୍ଚସୁତ । ବେନିକନ୍ୟାର ଗର୍ଭୁ ଜାତ ॥ ୧୪୩
ହୋଇ ବଢ଼ିଲେ ଦିନେଦିନେ । ତେଜ ପ୍ରଚଣ୍ତସୂର୍ଯ୍ୟ ଯେହ୍ନେ ॥ ୧୪୪
ଏମନ୍ତେ କିଛିଦିନ ଅନ୍ତେ । ଯଯାତି ଭୋଗ ମନେ ଚିନ୍ତେ ॥ ୧୪୫
ଭୋମୁନି ମୋତେ ଦୟାକର । ଏ କଷ୍ଟ ଯେଣେ ହୋଏ ପାର ॥ ୧୪୬
କାନ୍ଦିଣ ଜୀବନ ବିକଳେ । ପଡ଼ି ଭୃଗୁର ପାଦତଳେ ॥ ୧୪୭
ସ୍ୱଭାବେ ଦୁହିତାର ପତି । ବୋଲଇ ମୋତେ କର ଗତି ॥ ୧୪୮
ତା'ର ବିକଳ ଦେଖି ମୁନି । ବୋଇଲେ ଚିତ୍ତେ ଦୟା ଘେନି ॥ ୧୪୯
ବୋଲନ୍ତି ଶୁଣ ନୃପବର । ମୋର ବଚନ ଏବେ କର ॥ ୧୫୦
ସୁତକୁ ଜରାରୂପ ଦେଇ । ସଂସାର ଭୋଗକର ତୁହି ॥ ୧୫୧
ସେ ରାଜା ପୁତ୍ରଙ୍କୁ ଅଣାଇ । ବୋଲଇ ସମୀପେ ବସାଇ ॥ ୧୫୨
ହେ ପୁତ୍ରେ ଦେଖ ମୋ'ର ରୂପ । ଗୁରୁ ଯେ ମୋତେ ଦେଲେଶାପ ॥ ୧୫୩
ବୃଦ୍ଧ ହୋଇଲି ଯୁବାକାଳେ । ସୂର୍ଯ୍ୟ ଯେସନେ ସାୟଂକାଳେ ॥ ୧୫୪
ଦେଖ ଏ ମନୁଷ୍ୟ ଶରୀର । ବିଷ୍ଣୁର ଭୋଗର ମନ୍ଦିର ॥ ୧୫୫
ଇନ୍ଦ୍ରିୟଭୋଗେ ଜୀବ ରହେ । ଯଜ୍ଞପୁରୁଷ ବସେ ଦେହେ ॥ ୧୫୬
ଦେବେ ଇଚ୍ଛନ୍ତି ଯେ ଶରୀର । ନିସ୍ଫଳ ହୋଇଲା ମୋହର ॥ ୧୫୭
ଯଦୁକୁ ବୋଲେ ନୃପବର । ତୁ ପୁତ୍ର ମୋ'ର ବୋଲକର ॥ ୧୫୮
ମୋ' ଜରା ଶରୀର ତୁ ନିଅ । ତୋ'ର ବୟସ ମୋତେ ଦିଅ ॥ ୧୫୯
ଭୋଗ ମୁଁ କରି ଦିନା କେତେ । ତୋ'ର ବୟସ ଦେବି ତୋତେ ॥ ୧୬୦
ଏମନ୍ତ ରାଜାର ବଚନେ । ଯଦୁ ବୋଲଇ କୋପମନେ ॥ ୧୬୧
ଦୁର୍ଲ୍ଲଭ ମନୁଷ୍ୟ ଶରୀର । ବିଷ୍ଣୁର ପୂଜାର ମନ୍ଦିର ॥ ୧୬୨
ଯଜ୍ଞପୁରୁଷ ଏହା ମଧ୍ୟେ । ବିଷୟ ଭୁଞ୍ଜଇ ଆନନ୍ଦେ ॥ ୧୬୩
ଦେବେ ନ ପାନ୍ତି ଯାହା ଭାବି । ମୁଁ ତାହା କେମନ୍ତେ ଛାଡ଼ିବି ॥ ୧୬୪
ଏମନ୍ତ ଯଦୁମୁଖୁଁ ଶୁଣି । କୋପେ ବୋଲଇ ନୃପମଣି ॥ ୧୬୫
ମୋ'ର ବଚନ ତୁ ନ କଲୁ । ରାଜଭୋଗକୁ ଇଚ୍ଛା କଲୁ ॥ ୧୬୬
ତୋ'ବଂଶେ ରାଜା ଯେ ହୋଇବ । ମୂର୍ଦ୍ଧନା ଫାଟି ପ୍ରାଣ ଯିବ ॥ ୧୬୭
ଏମନ୍ତ ଶାପ ତାକୁ ଦେଇ । ପୁତ୍ରଙ୍କୁ ଜଣେ ଜଣେ ରାଇ ॥ ୧୬୮
ତୁର୍ବସୁ ଦ୍ରୁହ୍ୟୁ ଅନୁ ତିନି । ରାଜା ବଚନେ ହେଲେ ତୁନି ॥ ୧୬୯
ପୁରୁ ଯେ ଥିଲା ରାଜା ପଛେ । ତକ୍ଷଣେ ମିଳିଲା ପ୍ରତ୍ୟକ୍ଷେ ॥ ୧୭୦
କପୋଳେ ବେନିକର ଯୋଡ଼ି । କହେ ନୃପତି ପାଦେ ପଡ଼ି ॥ ୧୭୧
ଭୋ ତାତ ମୋତେ ଆଜ୍ଞା ଦିଅ । ମୋ'ର ବୟସ ତୁମ୍ଭେ ନିଅ ॥ ୧୭୨
ତୋ' ବୃଦ୍ଧରୂପ ଦିଅ ମୋତେ । ମୋ' ରୂପେ ବଞ୍ଚ ଦିନାକେ ॥ ୧୭୩
ଏଦେହେ ଶୁଣ ନରରାଣ । କେ ବୁଝିପାରେ ପିତୃଋଣ ॥ ୧୭୪
ପିତାର ମନ ଜାଣି କରେ । ଉତ୍ତମ ପୁତ୍ର ସେ ବେଭାରେ ॥ ୧୭୫
ଶ୍ରଦ୍ଧାରେ ଆଜ୍ଞା ଯେ ପାଳଇ । ମଧ୍ୟମପୁତ୍ର ସେ ବୋଲାଇ ॥ ୧୭୬
ଶ୍ରଦ୍ଧା ବିହୀନେ ଯେହୁ ପାଳେ । ଅଧମପୁତ୍ର ସେ ଶୟଳେ ॥ ୧୭୭
ପିତାକୁ ଲଂଘେ ଯେ ଅଜ୍ଞାନ । ସେ ପିତା ମଳମୂତ୍ର ଜାଣ ॥ ୧୭୮
ଏମନ୍ତ କହି ନୃପ ବଳା । ପିତାଙ୍କୁ ନିଜରୂପ ଦେଲା ॥ ୧୭୯
ନିଶ୍ଚଳେ ରହିଲା ତା' ମନ । ଏମନ୍ତେ ଗଲା କେତେ ଦିନ ॥ ୧୮୦
ପୁରୁକୁ ଜରାରୂପ ଦେଇ । ରାଜା ହୋଇଲା ଦିବ୍ୟଦେହୀ ॥ ୧୮୧
ଭୋଗ ସେ କଲା ନାନାମତେ । ଇନ୍ଦ୍ରିୟଲାଳସା ଆୟତ୍ତେ ॥ ୧୮୨
ହୋଇଲା ସାତଦ୍ୱୀପେ ରାଜା । ଧର୍ମେ ପାଳିଲା ଜନପ୍ରଜା ॥ ୧୮୩
ନିଶ୍ଚିନ୍ତେ ଦେବଯାନୀ ସଙ୍ଗେ । ଭୋଗ ସେ କଲା ନାନାରଙ୍ଗେ ॥ ୧୮୪
ଅନେକ ଦାନଯଜ୍ଞ ମତେ । ସେବିଲା ବିଷ୍ଣୁପାଦ ଗତେ ॥ ୧୮୫
ଯେ ହରି ଦେହ ଏ ଜଗତ । ଆକାଶେ ଜଳଧର ମତ ॥ ୧୮୬
ସେ ହରିପାଦ ଦୃଢ଼େ ଚିନ୍ତି । ବିଷୟଭୋଗେ ନରପତି ॥ ୧୮୭
ଇନ୍ଦ୍ରୟ ନ ପାରିଲା ଜିଣି । ବିଷୟ ଭୋଗ ମନେ ଗୁଣି ॥ ୧୮୮
ସୁଜନଜନେ ଏହା ଶୁଣି । ତରିବ ଭବତରଙ୍ଗିଣୀ ॥ ୧୮୯
କହଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥ ୧୯୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଅଷ୍ଟାଦଶୋଽଧ୍ୟାୟଃ ॥
* * *